Unknown

 

 

 

 

 

 

 

 

 

 

କର୍ମଭୂମି

(ପ୍ରେମଚନ୍ଦ୍)

ଅନୁବାଦ

ଶ୍ରୀ ସଦାନନ୍ଦ ମହାପାତ୍ର

 

–୧–

 

ଆମ ସ୍କୁଲ୍‌–କଲେଜମାନଙ୍କରେ ଯେପରି ଜୋର ଦେଇ ଫି’ଅସୁଲ କରାଯାଏ, ସମ୍ଭବତଃ ଖଜଣା ଆଦାୟବି ସେପରି ଜୋରରେ କରାଯାଏନା । ମାସର ଗୋଟିଏ ନିର୍ଦ୍ଧାରିତ ଦିନରେ ଫି’ ଆଦାୟ ଦେବାକୁ ହେବ, ନ ଦେଲେ ନାମ କଟିଲା ଅଥବା ଫି’ ଦାଖଲ ନ କରିବା ପର୍ଯ୍ୟନ୍ତ ପ୍ରତିଦିନ ଜରିମାନା ହେଲା । କେତେକ ସ୍ଥାନରେବି ନିୟମ ଅଛି, ନିର୍ଦ୍ଦିଷ୍ଟ ଦିନ ଫି’ ନ ଦେଇପାରିଲେ ପରଦିନକୁ ଫି’ ଦୁଇଗୁଣ ହୋଇଯାଏ ଓ ପରବର୍ତ୍ତୀ ତାରିଖରେ ସେହି ଦ୍ଵିଗୁଣ ଫି’ ନ ଦେଲେ ନାମ କଟିଯାଏ । କାଶ୍ମୀର କ୍ୱିନ୍‌ସ୍ କଲେଜରେ ନିୟମ ଥିଲା–ସାତ ତାରିଖରେ ନ ଦେଲେ ଏକୋଇଶ ତାରିଖରେ ଦୁଇଗୁଣ ଫି’ ଦେବାକୁ ପଡ଼ିବ, ନ ଦେଲେ ନାମ କଟିଯିବ । ଏହି କଡ଼ା ନିୟମର ଉଦ୍ଦେଶ୍ୟ, ଗରିବ ପିଲାମାନଙ୍କୁ ସ୍କୁଲ୍–କଲେଜରୁ ତଡ଼ିଦେବା ଛଡ଼ା ଆଉ କ’ଣ ହୋଇପାରେ ? ଅନ୍ୟାନ୍ୟ ବିଭାଗ ପରି ଶିକ୍ଷାବିଭାଗରେ ମଧ୍ୟ ହୃଦୟହୀନ ଅମଲା ଶାସନ ଚାଲିଥାଏ । ତାହା କାହାରିକୁ ଦୟା ଦେଖାଏ ନାହିଁ । କରଜ କର, ଗହଣା ବନ୍ଧା ପକାଅ, ବାସନ–କୁସନ ବିକ, ଚୋରି କର ବା ଯେଉଁଠୁ ଆଣି ଫି’ଟା ନିଶ୍ଚୟ ଦେବାକୁ ହେବ । ନଚେତ୍ ଦୁଇଗୁଣ ଫି’ ଦେବାକୁ ହେବ, ଅନ୍ୟଥା ନାମ କଟିବ । ଜମି–ଜମାର ଖଜଣା ଆଦାୟରେ ତ କେତେକ ସୁବିଧା ଦିଆଯାଇଥାଏ; ମାତ୍ର ଆମ ଶିକ୍ଷାନୁଷ୍ଠାନମାନଙ୍କରେ ଉଦାରତାର ପ୍ରବେଶ ନିଷେଧ । ସେଠି ସ୍ଥାୟୀଭାବରେ ମାର୍ଶଲ–ଲ’ ଜାରୀ । କୋଟ୍‍–କଚେରୀରେ ପଇସାର ରାଜତ୍ୱ; କିନ୍ତୁ ଏ ରାଜତ୍ଵ ତା’ ଅପେକ୍ଷା ଢେର୍ କଠୋର, ଢେର୍ ନିର୍ମମ । ଏଠି ଡେରିରେ ଆସିଲେ ଜରିମାନା, ନ ଆସିଲେ ଜରିମାନା, ପାଠ ମନେ ନ ପଡ଼ିଲା ତ ଜରିମାନା, କିଛି ଭୁଲ ହୋଇଗଲେ ଜରିମାନା; ଶିକ୍ଷାନୁଷ୍ଠାନ ନା ଜରିମାନାନୁଷ୍ଠାନ ! ଏହି ହେଲା ପାଶ୍ଚାତ୍ୟ–ଶିକ୍ଷାର ଆଦର୍ଶ, ଯା’ର ପ୍ରଶଂସାର ସୀମା ନାହିଁ । ଏପରି ଶିକ୍ଷାନୁଷ୍ଠାନରୁ ପଇସାପାଇଁ ପ୍ରାଣ ଦେବାବାଲା, ପଇସାପାଇଁ ଗରିବଙ୍କ ଗଳା କାଟିବାବାଲା, ପଇସା ଲୋଭରେ ଆତ୍ମାକୁ ବିକ୍ରି କଲାବାଲା ଛାତ୍ର ବାହାରନ୍ତି ତ ଆଶ୍ଚର୍ଯ୍ୟ କ’ଣ ?

 

ଆଜି ସେହି ଆଦାୟ–ତାରିଖ । ଶିକ୍ଷକମାନଙ୍କ ଟେବୁଲ୍ ଉପରେ ଟଙ୍କା କାଣ୍ଡି ହୋଇଛି-। ଚାରିଆଡ଼ୁ ଠନ୍–ଠାନ୍ ଶବ୍ଦ ଉଠୁଛି । ଟଙ୍କା ଭଙ୍ଗାଇବା ଦୋକାନରେବି ଟଙ୍କାର ଏପରି ଝଙ୍କାର କ୍ୱଚିତ୍ ଶୁଣିବାକୁ ମିଳିଥାଏ । ପ୍ରତ୍ୟେକ ମିନିଟ୍‍ର ତହସିଲର ଚପରାସି ପରି ବସିଛନ୍ତି-। ଯେଉଁ ପିଲାର ନାମ ଡକାଯାଉଛି, ସେ ଶିକ୍ଷକଙ୍କ ପାଖରେ ଫି’ ଦେଇ ପୁଣି ନିଜ ଜାଗାରେ ଯାଇ ବସୁଛି-। ଏ ମାସରେ ଏପ୍ରିଲ୍ ମେ ଓ ଜୁନ୍‌ର ଫି’ ଅସୁଲ କରାଯାଉଛି । ତା’ ଉପରେ ପରୀକ୍ଷା ଫି’ବି ନିଆଯାଉଛି । ଦଶମ ଶ୍ରେଣୀର ପ୍ରତି ପିଲାକୁ ତ ଚାଳିଶ ଟଙ୍କା କରି ଦେବାକୁ ପଡ଼ୁଛି ।

 

ଶିକ୍ଷକ କୋଡ଼ିଏ ନମ୍ବର ଛାତ୍ରର ନାମ ଡାକିଲେ–“ଅମରକାନ୍ତ !” କୌଣସି ଉତ୍ତର ନାହିଁ-

 

ଶିକ୍ଷକ ପଚାରିଲେ–ଆଜି କ’ଣ ଅମରକାନ୍ତ ଆସି ନାହିଁ ?

 

“ଆସିଥିଲା ତ,” ଜଣେ ଛାତ୍ର କହିଲା, “ସମ୍ଭବ ବାହାରକୁ ଯାଇଛି ।”

 

“କ’ଣ, ଫି’ ଆଣି ନାହିଁ ?”

 

କେହି କିଛି ଉତ୍ତର ଦେଲେ ନାହିଁ ।

 

ଶିକ୍ଷକଙ୍କ ମୁଖଭଙ୍ଗୀରେ ଖେଦରେଖା ସ୍ପଷ୍ଟ ଦିଶିଲା । କହିଲେ–‘ବୋଧହୁଏ ଫି’ ଆଣିବାକୁ ଯାଇଛି । ଏ ଘଣ୍ଟା ଭିତରେ ନ ଦେଲେ ତ ଫି’ ଦୁଇଗୁଣ ହୋଇଯିବ, ମୁଁ କ’ଣ କରିବି ? ଆଚ୍ଛା, ପରବର୍ତ୍ତୀ ପିଲା ଆସ–ଗୋବର୍ଦ୍ଧନ ଲାଲ !

 

ସହସା ଜଣେ ପିଲା କହିଲା, “ଆପଣ ଅନୁମତି ଦେଲେ ମୁଁ ବାହାରକୁ ଯାଇ ଦେଖନ୍ତି-।”

 

‘‘ଘରକଥା ମନେ ପଡ଼ିବଣି !’’ ଶିକ୍ଷକ ଅଳ୍ପ ହସି କହିଲେ, “ଆଚ୍ଛା, ଯାଅ, କିନ୍ତୁ ଦଶ ମିନିଟ୍ ଭିତରେ ଫେରି ଆସିବ । ପିଲାଙ୍କୁ ଖୋଜାଖୋଜି କରି ଫି’ ଆଦାୟ କରିବା ମୋର କାମ ନୁହେ ।”

 

“ବର୍ତ୍ତମାନ ଫେରି ଆସିବି ସାର୍ !” ପିଲାଟି ନମ୍ର ଭାବରେ କହିଲା, ‘ଶପଥ କରୁଛି, ହତା ବାହାରକୁ ଯିବିନି ।”

 

ଏ ସେହି ଶ୍ରେଣୀର ଜଣେ ଧନୀ ପିଲା–ବଡ଼ ଖେଳପ୍ରିୟ, ଭାରି ଧୂର୍ତ୍ତ । ଉପସ୍ଥାନ ଦେଇ କୁଆଡ଼େ ଚାଲିଯାଏ ଯେ ଛୁଟି ପର୍ଯ୍ୟନ୍ତ ଆଉ ଫେରେ ନାହିଁ । ପ୍ରତିମାସ ଫି’ର ଦୁଇଗୁଣ ଜରିମାନା ଦେଇଥାଏ । ଗୋରା, ଡେଙ୍ଗା, ପତଳା, ବିଳାସୀ ଯୁବକ । ସବୁବେଳେ ଖେଳରେ ମନ, ନାମ ମହମ୍ମଦ ସଲୀମ୍ ।

 

ସଲୀମ୍ ଓ ଅମରକାନ୍ତ, ଦୁହେଁ ପାଖାପାଖି ବସନ୍ତି । ସଲୀମ୍ ଗଣିତ ଓ ଅନୁବାଦରେ ଅମରକାନ୍ତଠାରୁ ବହୁତ ସାହାଯ୍ୟ ପାଏ–ତା’ ଖାତାରୁ ଉତାରି ଦିଏ । ତେଣୁ ଦୁହିଁଙ୍କ ଭିତରେ ବନ୍ଧୁତା ବଢ଼ିଯାଇଥାଏ । ସଲୀମ୍ କବି । ତା’ର ଗଜଲ୍‍ଗୁଡ଼ିକୁ ଅମରକାନ୍ତ ବଡ଼ ଆଗ୍ରହରେ ଶୁଣେ । ଏହା ବନ୍ଧୁତାର ଅନ୍ୟ ଏକ କାରଣ ।

 

ସଲୀମ୍ ବାହାରକୁ ଯାଇ ଏଣେତେଣେ ଦୃଷ୍ଟି ପକାଇଲା । କେଉଁଠି ଅମରକାନ୍ତକୁ ନ ପାଇ ଆଉ ଟିକିଏ ଆଗେଇଯିବାରୁ ଦେଖିଲା–ଗୋଟିଏ ଗଛ ଆଢ଼ୁଆଳରେ ସେ ଠିଆ ହୋଇଛି । ଡାକିଲା–ଅମର ! ହେ ବୁଦ୍ଧୁ ଲାଲ ! ଚାଲ, ଫି’ ଦାଖଲ କରିବୁ ଯେ । ପଣ୍ଡିତେ ତେଣେ ବିରକ୍ତ ହେଉଛନ୍ତି ପରା ।

 

ଅମରକାନ୍ତ ଜାମା କାନିରେ ଆଖି ପୋଛି ପକାଇ ସଲୀମ୍ ଆଡ଼କୁ ଆସୁ ଆସୁ କହିଲା–“କ’ଣ ମୋ ନମ୍ବର ପଡ଼ିଗଲାଣି ?”

 

ସଲୀମ୍ ତା’ ମୁହଁକୁ ଚାହିଁଲା–ଆଖି ଲାଲ ଦିଶୁଛି । ସେ ତା’ ନିଜ ଜୀବନରେ କେବେ କାନ୍ଦି ନାହିଁ । ଚମକି ଉଠି କହିଲା–“ଆରେ, ତୁ କାନ୍ଦୁଛୁ ! କଥା କ’ଣ ?”

 

ଅମରକାନ୍ତ ଶ୍ୟାମଳ ବର୍ଣ୍ଣ, ଗେଡ଼ା, ପାତଳ ପିଲାଟିଏ । ବୟସ କୋଡ଼ିଏବର୍ଷ ହେଲେବି ନିଶ ଉଠିନାହିଁ । ଚଉଦ ପନ୍ଦରବର୍ଷର କିଶୋର ପରି ଦେଖାଯାଏ । ମୁଖରେ ତା’ର ଗୋଟାଏ ବେଦନାଭରା ଦୃଢ଼ତା, ଯାହାର କି ନୈରାଶ୍ୟ ସଙ୍ଗେ ସାମ୍ୟ ଅଛି । ବୋଧହୁଏ ଯେପରି ସଂସାରରେ ତା’ର କେହି ନାହିଁ । ତଥାପି ତା’ର ଆକୃତି–ପ୍ରକୃତିରେ ଏପରି ପ୍ରତିଭା ଓ ମନସ୍ୱିତା ଥାଏ ଯେ, ଥରେ ଦେଖିଲେ ତାକୁ ସହଜରେ ଭୁଲି ହୁଏ ନାହିଁ ।

 

“ନା ମ,” ଅମରକାନ୍ତ ହସିଦେଇ କହିଲା, “କାନ୍ଦୁଛି କିଏ ?”

 

“ଆପଣ କାନ୍ଦୁଛନ୍ତି, ଆଉ କିଏ ? ସତ କହ, କ’ଣ ହେଇଚି ?”

 

ଅମରକାନ୍ତର ଆଖି ପୁଣି ଛଳଛଳ ହୋଇଗଲା । ଶତ ଚେଷ୍ଟା କରି ମଧ୍ୟ ଲୁହ ବନ୍ଦ କରିପାରିଲା ନାହିଁ । ସଲୀମ୍ ତା’ର ହାତ ଧରିପକାଇ କହିଲା, “କ’ଣ ଫି’ ଦେଇପାରି ନାହୁଁ ବୋଲି-? ଭଲା ଲୋକ ତ, ମୋତେ ନ କହିଲୁ କାହିଁକି ? ପର ଭାବିଲୁ, ନାଇଁ ? ଖୁଦାକୀ କସମ୍ (ଈଶ୍ଵରଙ୍କ ଦ୍ଵାହି), ବଡ଼ ଅପଦାର୍ଥ ତୁ ! ତୋ ପରି ଲୋକକୁ ଗୁଳି କରି ଦେବା ଉଚିତ-। ଦୋସ୍ତ ପାଖରେବି ଲାଜ ! ଚାଲ, ମୁଁ ଫି’ ଦେଇ ଦଉଚି । ଏଇ ଛାର କଥାପାଇଁ ଘଣ୍ଟାଏ ହେଲା କାନ୍ଦୁଛୁ ? ମୁଁ ଆସି ଯୋଗକୁ ପହଞ୍ଚିଗଲି, ନହେଲେ ମହାତ୍ମାଙ୍କ (ଅମର) ନାମ କଟି ଯାଇଥାନ୍ତା ଯେ-!”

 

ଅମରକାନ୍ତକୁ ସାନ୍ତ୍ୱନା ମିଳିଲା ସତ; ପରନ୍ତୁ ଅନୁଗ୍ରହ ଭାରରେ ତା’ର ବେକ ନଇଁଗଲା-। କହିଲା, “ପଣ୍ଡିତ ମହାଶୟ ଏବେ ସନ୍ତୁଷ୍ଟ ହୋଇଯିବେ, ନାଇଁ ?”

 

ସଲୀମ୍ ବିରକ୍ତି ପ୍ରକାଶ କଲା–“ପଣ୍ତିତ ମହାଶୟଙ୍କ ଘରୋଇ କଥା ତ ନୁହେଁ–ସରକାରୀ ନିୟମ । କିନ୍ତୁ ତୁ ତ ଗୋଟାଏ ବଡ଼ ସୈତାନ ! ଭଗ୍ୟ ଭଲ ଯେ ମୋ ପାଖରେ ଟଙ୍କା ଥିଲା, ନାଇଁ ତ ଭଲ ପରୀକ୍ଷା ଦେଇଥାନ୍ତୁ । ହଉ ଦେଖିଲୁ ଆଜି ଗୋଟାଏ ତାଜା ଗଜଲ୍ ଲେଖିଛି, ଧନ୍ୟବାଦ ଦେବୁ–

 

‘‘ମୋ ମରମ ପ୍ରୀତି ଯାହା ପଡ଼ିଲା ମନେ,

ଏହାକୁ ବଳି କି ସୁଖ ଅଛି ଜୀବନେ !”

 

ଅମରକାନ୍ତର ବ୍ୟଥାତୁର ଅନ୍ତର କବିତା ଶୁଣିବାକୁ ପ୍ରସ୍ତୁତ ନଥିଲା; କିନ୍ତୁ ନ ଶୁଣିଲେ ନ ଚଳେ । କହିଲା–“ଭାରି ସୂକ୍ଷ୍ମ ଭାବ, ଭଲ ଲେଖିଛୁ । ତୋ ଭାଷାର ସ୍ୱଚ୍ଛନ୍ଦତା ମୋର ଭାରି ପସନ୍ଦ ହୁଏ ।”

 

“ଅସଲ କଥା ତ ଏଇଠି, ଭାଇ ! ଶବ୍ଦସମ୍ଭାରକୁ ତ ଗଜଲ୍ କୁହାଯାଏ ନା । ପର ପଦ ଶୁଣ–”

 

“ତଥାପି କି ବ୍ୟଥା ବିନ୍ଧିଯାଏ ଅନ୍ତରେ,

ତୋର ହାବ–ଭାବ ଶୁଣି ସଦା ମୁଁ ଝୁରେ ।”

 

“ଅପୂର୍ବ ରଚନା !” ଅମରକାନ୍ତ ପୁଣି ପ୍ରଶଂସା କଲା, “ଏପରି ପଦ କେମିତି ଯେ କଳ୍ପନା କରୁ !”

 

“ସେମିତି ।” “ସଲୀମ୍ ହସିଲା, “ତୁ ଯେମିତି ଗଣିତ, ଲିଖନ ଆଦି କରୁ, ଯେମିତି ଆସୋସିଏସନ୍‍ରେ ସ୍ପିଚ୍ ଦେଉ । ଆ–ଆ, ପାନ ଖାଇବା, ଆ ।”

 

ଦୁଇ ବନ୍ଧୁ ପାନ ନେଇ ସ୍କୁଲ୍ ଆଡ଼କୁ ଚାଲିଲେ । ଅମରକାନ୍ତ କହିଲା–“ପଣ୍ଡିତ ମହାଶୟ ଭାରି ଚିଡ଼ିବେ ।”

 

‘‘ଫି’ ନେବେ ତ ?’’

 

‘‘ଆଉ ଯେବେ ପଚାରନ୍ତି–ଏତେବେଳଯାଏ କୁଆଡ଼େ ଯାଇଥିଲ ?”

 

‘କହିଦେବୁ–ଫି’ ଆଣିବାକୁ ଭୁଲି ଯାଇଥିଲି ।”

 

“ମୁଁ ତ ଭାଇ କହିପାରିବିନି, ସତ କଥା କହିଦେବି ।”

 

‘‘ତେବେ ମୋଠୁଁ, ମାଡ଼ବି ଖାଇବୁ ।”

 

ଛୁଟି ହେବାରୁ ଦୁଇ ବନ୍ଧୁ, ସନ୍ଧ୍ୟାରେ ଘରକୁ ଫେରିଲେ । ଅମରକାନ୍ତ କହିଲା–“ତୁ ଆଜି ଭାଇ ମୋର ଯେଉଁ ଉପକାର କରିଛୁ….”

 

“ଥାଉଁ–ଥାଉଁ ।” ସଲୀମ୍ ତା’ ମୁହଁରେ ହାତ ଦେଲା,” କେବେ ଭୁଲରେ ସୁଦ୍ଧା ଏପରି କଥା କହିବୁନି ।”

 

“ଆଜି ମିଟିଙ୍ଗ୍‍କୁ ଯିବା ଯେ ?”

 

“ଆରେ, ବିଷୟବସ୍ତୁଟା କ’ଣ ? ମୋର ତ ମନେ ନାହିଁ ।”

 

“ସେଇ ପାଶ୍ଚାତ୍ୟ ସଭ୍ୟତା ମ !”

 

“ଏ ଭାଇ, ତେବେ ମୋତେ ଦୁଇ ଚାରିଟା ପଏଣ୍ଟ ବତେଇଦେ, ନହେଲେ ମୁଁ ସେଠି କହିବି କ’ଣ ?”

 

“ଆରେ ବତେଇବି କ’ଣ ମ ! ପାଶ୍ଚାତ୍ୟ ସଭ୍ୟତାର ଅପକାରିତା ତ ଦେଖୁଛୁ–ଶୁଣୁଛୁ । ସେଇ ସବୁ କହିଯିବୁ ।”

 

“ଆରେ ଭାଇ ତୁ ସିନା ଜାଣିଛୁ, ମୋତେ ତ ଗୋଟାଏବି ଜଣାନାହିଁ ।”

 

“ଗୋଟାଏ ତ ହେଲା–ଏଇ ଶିକ୍ଷା । ଆଉ ଯେଉଁଠି ଦେଖ, ଦୋକାନଦାରି–ପାଠପଢ଼ା ଦୋକାନ, ବିଚାର ଦୋକାନ, ଚିକିତ୍ସା ଦୋକାନ । ଏଇ ଗୋଟାକ ପଏଣ୍ଟ ଉପରେ ତ ବହୁତ କିଛି କୁହାଯାଇପାରେ ।”

 

“ଠିକ୍ ଅଛି । ଯିବି ତେବେ ।”

 

–୨–

 

ଅମରକାନ୍ତର ପିତା ଲାଲା ସମରକାନ୍ତ ବଡ଼ ଉଦ୍ୟମୀ ଲୋକ । ତାଙ୍କ ପିତା ମଲାବେଳକୁ ମାତ୍ର ଖଣ୍ଡିଏ କୁଡ଼ିଆ ରଖି ଯାଇଥିଲେ; ମାତ୍ର ସମରକାନ୍ତ ନିଜ ବାହୁବଳରେ ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ଅର୍ଜନ କରି ସାରିଛନ୍ତି । ପ୍ରଥମେ ଗୋଟିଏ ଛୋଟ ହଳଦୀ ଆଡ଼ତି କରିଥିଲେ-। ହଳଦୀରୁ ଗୁଡ଼, ଗୁଡ଼ରୁ ଚାଉଳ । ଏକାଦିକ୍ରମେ ତିନିବର୍ଷ ପର୍ଯ୍ୟନ୍ତ ତାଙ୍କ ବ୍ୟବସାୟର ପରିସର ବଢ଼ିଚାଲିଲା । ତା’ପରେ ଆଡ଼ତି ବନ୍ଦ କରି କେବଳ ମହାଜନ କାରବାର କଲେ । ଯାହାକୁ କୌଣସି ମହାଜନ ନ ଦିଅନ୍ତି, ତାକୁ ସେ ବିନାଦ୍ୱିଧାରେ ଟଙ୍କା ଦିଅନ୍ତି ଓ ଆଦାୟବି କରି ନିଅନ୍ତି-। ତାଙ୍କୁ ଆଶ୍ଚର୍ଯ୍ୟ ଲାଗେ ଯେ ଟଙ୍କା ବୁଡ଼େ କିପରି ? ତାଙ୍କ ପରି ପରିଶ୍ରମୀ ଲୋକବି ଖୁବ୍ କମ୍ ଦେଖାଯାନ୍ତି-। ରାତି ଘଡ଼ିଏ ଥାଉଁଥାଉଁ ଗଙ୍ଗାସ୍ନାନ କରିବାକୁ ଚାଲିଯାନ୍ତି । ସୂର୍ଯ୍ୟୋଦୟ ପୂର୍ବରୁ ବିଶ୍ୱନାଥଙ୍କୁ ଦର୍ଶନ କରି ଦୋକାନରେ ପହଞ୍ଚିଯାନ୍ତି । ଗୁମାସ୍ତାଙ୍କୁ ଜରୁରୀ କାମ ବୁଝାଇ ଦେଇ ତାଗଦାକୁ ବାହାରିଯାନ୍ତି ଯେ ଛାଇ ଲେଉଟାଣି ଫେରନ୍ତି । ଖାଇସାରି ପୁଣି ଦୋକାନକୁ ଯାଇ ରାତି ଏଗାରଟାଯାଏ ବସିଥାନ୍ତି । ଦେଖିବାକୁ ଭୀମକାୟ । ଦିନରେ ଥରେ ମାତ୍ର ଖା’ନ୍ତି; କିନ୍ତୁ ଖୁବ୍ ପେଟପୂରା-। ଏବେ ସୁଦ୍ଧା ହାତରେ ମୁଦ୍ଗର ଧରି ଦୁଇ–ଅଢ଼େଇ ଶହ ଥର ଘୂରାନ୍ତି । ଅମରକାନ୍ତ ବାଲ୍ୟରୁ ମାତୃହୀନ-। ବନ୍ଧୁମାନଙ୍କ କୁହାବୋଲା ଫଳରେ ସମରକାନ୍ତ ଦ୍ଵିତୀୟ ବିବାହ କଲେ । ସେହି ସାତବର୍ଷର ବାଳକଟି ନୂଆ ମା’କୁ ବଡ଼ ଆଗ୍ରହରେ ସ୍ଵାଗତ କଲା; କିନ୍ତୁ ଅଳ୍ପ କାଳ ମଧ୍ୟରେ ସେ ଅନୁଭବ କଲା ଯେ ନୂଆ ମା’ ଆଗ ମା’ ଭଳି ତା’ର ଅଳି–ଅଝଟକୁ କ୍ଷମା ଦୃଷ୍ଟିରେ ଦେଖୁ ନାହାନ୍ତି । ସେ ତ ଥିଲା ଏକୋଇର ବଳା ବିଶିକେଶନ–ବଡ଼ ଜିଦ୍‍ଖୋର, ବଡ଼ ଦୁଷ୍ଟ । ଯାହା ମୁହଁରୁ ବାହାରେ, ତାହା ନ ହେବାଯାଏ ଛାଡ଼େ ନାହିଁ । ନୂଆ ମା’ ପ୍ରତି କଥାରେ ଗାଳିଗୁଲଜ କରନ୍ତି । କ୍ରମେ ମା’ ପ୍ରତି ତା’ ମନରେ ଦ୍ଵେଷ ଜନ୍ମିଲା । ସେ ଯାହା ମନା କଲେ ଏ ଜିଦ୍‌ରେ ତାହାହିଁ କଲା । ବାପାଙ୍କ ନିକଟରେ ମଧ୍ୟ ଅବାଧ୍ୟ ହେଲା । ବାପ ପୁଅ ମଧ୍ୟରେ ସ୍ନେହବନ୍ଧନ ତୁଟିଲା । ଲାଲାଜୀ ଯାହା କରନ୍ତି, ପୁଅକୁ ତାହା ଭଲ ଲାଗେନା । ସେ ସର ଖାଇବାକୁ କହିଲେ ପୁଅର ତହିଁରେ ଅରୁଚି-। ଲାଲାଜୀ ଭାରି ପୂଜା–ପାଠ କରନ୍ତି; ମାତ୍ର ପୁଅ ବିଚାରରେ ସେ ସବୁ ଛଳନା । ସେ ପ୍ରଥମ ଶ୍ରେଣୀର ଲୋଭୀ କିନ୍ତୁ ପୁଅ ପଇସାକୁ ମାଟି ଗୋଡ଼ି ମନେକରେ ।

 

ତଥାପି ବେଳେବେଳେ ମନ୍ଦରୁ ଭଲ ଉପୁଜିଥାଏ । ସାଧାରଣତଃ ପୁଅମାନେ ବାପର ଅନୁଗାମୀ ହୋଇଥାନ୍ତି । ମହାଜନର ପୁଅ ମହାଜନ, ପଣ୍ଡିତ ପୁଅ ପଣ୍ଡିତ, ଓକିଲ ପୁଅ ଓକିଲ, ଚଷାର ପୁଅ ଚଷା ହୁଏ; ମାତ୍ର ଏ କ୍ଷେତ୍ରରେ ଦ୍ୱେଷ ମହାଜନର ପୁଅକୁ ମହାଜନି ବିରୋଧୀ କରିଦେଲା । ବାପ ଯେଉଁ ବିଷୟରେ ବିରୋଧ କଲେ, ପୁଅ ତାକୁ ସମର୍ଥନ କଲା । ବାପର ଯାହା ପ୍ରଶଂସନୀୟ, ପୁଅର ତାହା ଘୃଣ୍ୟ । ମହାଜନର ଗୂଢ଼ଚାତୁରୀ ଓ ଚକ୍ରାନ୍ତ ନିତିପ୍ରତି ତା’ ଆଗରେ ବ୍ୟାଖ୍ୟା କରାଯାଏ; ମାତ୍ର ସେ ତାକୁ ଏ କାନରେ ଶୁଣି ସେ କାନରେ ଉଡ଼ାଇ ଦିଏ । ଏହାକୁ କେତେକ ତା’ର ପୂର୍ବ ସଂସ୍କାର ବୋଲି କହିପାରନ୍ତି; ମାତ୍ର ପ୍ରକୃତରେ ପିତୃ–ନିଦ୍ୱେଷହିଁ ତା’ର ଚରିତ୍ରକୁ ପ୍ରଭାବିତ କରିଥିଲା ।

 

ସୁଖର କଥା ସେ ତା’ର ସାବତ ମା’ର ପୁଅ ହେଲେ ନାହିଁ । ହୋଇଥିଲେ ସମ୍ଭବତଃ ତାକୁ ଘରୁ ତଡ଼ା ଖାଇବାକୁ ପଡ଼ିଥାନ୍ତା । ସମରକାନ୍ତ ସମ୍ପତ୍ତିକୁ ଅଧିକ ମୂଲ୍ୟବାନ ମନେକରନ୍ତି । ତାଙ୍କ ମତରେ ପୁଅପାଇଁ ସମ୍ପତ୍ତି ନୁହେଁ, ବରଂ ସମ୍ପତ୍ତିପାଇଁ ପୁଅ ଦରକାର । ସାବତ ମା’ଙ୍କର ତ ଇଚ୍ଛା ଥିଲା । ସଉତୁଣୀ ପୁଅକୁ ବନବାସ ଦେଇ ନିଜ ସ୍ନେହର ଝିଅ ନୟନାର ପଥ ପରିଷ୍କାର କରିଦେବା; କିନ୍ତୁ ଲାଲାଜୀ ଏ ବିଷୟରେ ଉଦାସୀନତା ଦେଖାଇଲେ । ଆଉ ମଜାର କଥା ହେଲା, ନୟନାର ଭାଇଠାରେ ଅପାର ଶ୍ରଦ୍ଧା; ପୁଣି ଅମରକାନ୍ତର ଅନ୍ତରରେ ଘରଲୋକଙ୍କ ପାଇଁ ଯଦି କେଉଁଠି ଟିକିଏ, କୋମଳତା ଥାଏ, ତାହା କେବଳ ନୟନାପାଇଁ । ନୟନାର ଆକୃତି ଅମରର ଆକୃତି ସହିତ ଏପରି ମିଳିଯାଏ, ସତେ ଯେପରି ଦୁହେଁ ଏକା ମା’ ପେଟର ! ଏହି ସାଦୃଶ୍ୟ ତାକୁ ଅମରକାନ୍ତର ଅତି ନିକଟକୁ ଟାଣିନେଲା । ଏହି ସ୍ନେହ–ନିଶାରେ ଅମରକାନ୍ତ ବାପ–ମା’ଙ୍କ ଦୁର୍ବ୍ୟବହାରକୁ ପାଶୋରି ପକାଏ । ଘରେ ତ ଆଉ ପିଲା ନଥିଲେ, ପୁଣି ନୟନାର ସାଥୀଟିଏ ଆବଶ୍ୟକ । ମା’ଙ୍କର ଇଚ୍ଛା–ନୟନା ଭାଇଠାରୁ ଦୂରେଇ ରହନ୍ତା । ସେ ଅମରକାନ୍ତକୁ ତାଙ୍କ ଝିଅ ସଙ୍ଗେ ଖେଳିବାର ଯୋଗ୍ୟ ବୋଲି ପସନ୍ଦ କରୁ ନଥିଲେ । ନୟନାର ବାଲ୍ୟ ପ୍ରକୃତି ଏ କୂଟନୀତିର ଚାପରେ ନଇଁଲା ନାହିଁ । ଭାଇ–ଭଉଣୀଙ୍କ ମଧ୍ୟରେ ସ୍ନେହସଦ୍ଭାବ ଶେଷରେ ବୈମାତ୍ର–ମାତୃତ୍ୱକୁ ମଧ୍ୟ ପରାସ୍ତ କରିଦେଲା । ଶେଷରେ ମା’ ନୟନାର ସ୍ନେହ–ସମ୍ବନ୍ଧ ତୁଟାଇ ପୁତ୍ର କାମନା ନେଇ ସଂସାରରୁ ବିଦାୟ ନେଲେ ।

 

ବର୍ତ୍ତମାନ ଘରେ ନୟନା ଏକାକିନୀ । ସମରକାନ୍ତ ବାଲ୍ୟବିବାହର କୁଫଳ ଜାଣିଥିଲେ । ନିଜେ ମଧ୍ୟ ବିବାହ କରିପାରିଲେ ନାହିଁ । କାରଣ ବାର୍ଦ୍ଧକ୍ୟ ବିବାହର କୁଫଳବି ଭୋଗି ସାରିଥିଲେ; ସୁତରାଂ ଅମରକାନ୍ତର ବିବାହ ଅନିବାର୍ଯ୍ୟ ହୋଇପଡ଼ିଲା । ଏ ପ୍ରସ୍ତାବର ବିରୋଧ ବା କରିବ କିଏ-?

 

ଅମରକାନ୍ତର ବୟସ ଉଣେଇଶବର୍ଷ ଟପି ଯାଇଥିଲେ ମଧ୍ୟ ଦେହ–ବୁଦ୍ଧି ବିବେଚନାରେ ତା’ର କିଶୋରାବସ୍ଥା କଟି ନଥିଲା–ଦେହ ଦୁର୍ବଳ, ବୁଦ୍ଧି ଅପରିପକ୍ଵ । ଚାରାଗଛଟିକୁ ତ କେବେ ମୁକ୍ତ ଆଲୋକ ମିଳିନାହିଁ, କିପରି ବଢ଼ିଥାନ୍ତା, କିପରି ବା ମାଡ଼ିଥାନ୍ତା ! ବଢ଼ିବା–ମାଡ଼ିବାବେଳ ତ କୁସଙ୍ଗ ଓ ସଂଯମହୀନତାରେ ବିତିଲା । ପଢ଼ା ଆରମ୍ଭ କଲା ଦଶବର୍ଷ ବୟସରେ । ସେତେବେଳକୁ କୌଣସିମତେ ଅଷ୍ଟମ ଶ୍ରେଣୀରେ ପଢ଼ୁଥାଏ । କିନ୍ତୁ ବିବାହପାଇଁ ଏସବୁ ବିଷୟ ଦେଖାଯାଏନା । ଦେଖାଯାଏ–ଧନ, ବିଶେଷତଃ ବ୍ୟବସାୟ ବାଣିଜ୍ୟ କରୁଥିବା ପରିବାର । ଲକ୍ଷ୍ନୌର ଗୋଟିଏ ଧନୀ ପରିବାରରେ ପ୍ରସଙ୍ଗ ପଡ଼ିଲା । ସମରକାନ୍ତଙ୍କ ପାଟିରୁ ଲାଳ ବହିଲା । କନ୍ୟାଟିର ବିଧବା ମା’ ଛଡ଼ା ନିକଟ ସମ୍ପଙ୍କୀୟ କେହି ନଥିଲେ । ତଦୁପରି ଅଚଳାଚଳ ସମ୍ପତ୍ତି । ଭାଗ୍ୟ ବଳରେ ଏପରି କନ୍ୟା–ରତ୍ନ ମିଳେ । କନ୍ୟା ମାତାଙ୍କର ପୂତ୍ର–ସାଧ ସେହି କନ୍ୟାଟିଦ୍ୱାରା ପୂର୍ଣ୍ଣ ହୋଇଥିଲା । ତେଣୁ କନ୍ୟାଟିର ହୃଦୟରେ ତ୍ୟାଗ ସ୍ଥଳରେ ଭୋଗ, ସଂକୋଚ ସ୍ଥଳେ ତେଜ, କୋମଳତା ସ୍ଥଳେ ତୀବ୍ରତା ଆସ୍ଥାନ ଜମାଇଥିଲା । ଲଜ୍ଜା ସଂକୋଚ ତା’ର ସ୍ଵଭାବ–ବହିର୍ଭୂତ । ସେହି ଯୁବକ–ସ୍ଵଭାବସମ୍ପନ୍ନା ଯୁବତୀର ବିବାହ ହେଲା ଯୁବତୀ–ସ୍ୱଭାବାପନ୍ନ ଯୁବକ ସହିତ–ଯାହାଠାରେ ପୁରୁଷାର୍ଥର କୌଣସି ଲକ୍ଷଣ ନଥିଲା । କେଶ–ବାସ ବଦଳାଇ ଦେଲେ ଉଭୟଙ୍କ ମଧ୍ୟରେ ପ୍ରଭେଦ ବାରିବା ଅସମ୍ଭବ । ସଂକୁଚିତ ପୁରୁଷାର୍ଥହିଁ ନାରୀତ୍ଵ । ବିବାହ ପରେ ଦୁଇବର୍ଷ ଅତୀତ ହେଲା; ଅଥଚ ଦୁହିଁଙ୍କ ମଧ୍ୟରେ କୌଣସି ସାମଞ୍ଜସ୍ୟ ନାହିଁ–ପ୍ରତ୍ୟେକେ ନିଜ ନିଜ ପଥରେ ଗତି କରୁଥାନ୍ତି । ପ୍ରତ୍ୟେକର ବିଚାର ପୃଥକ୍, ବ୍ୟବହାର ପୃଥକ୍, ସଂସାର ପୃଥକ୍ । ସତେ ବା ଦୁଇଟି ଭିନ୍ନ ଭିନ୍ନ ଜଳବାୟୁର ଜୀବଙ୍କୁ ଗୋଟିଏ ପିଞ୍ଜରାରେ ବନ୍ଦ କରି ରଖାଯାଇଛି ! ତେବେ ସେହିଠାରୁ ଅମରକାନ୍ତର ଉଦ୍ୟମ ଓ ସଂଯମ ପ୍ରତି ଶ୍ରଦ୍ଧା ଜାତ ହେଲା । ତା’ ସ୍ଵଭାବରେ ଯେଉଁ ଶିଥିଳତା, ନିର୍ଜୀବତା ଓ ସଂକୋଚ ଥିଲା, ତାହା କୋମଳତାର ରୂପ ନେଲା । ବିଦ୍ୟାଭ୍ୟାସ ପ୍ରତି ତା’ର ରୁଚି ଜନ୍ମିଲା । କିନ୍ତୁ ଲାଲାଜୀ ତାକୁ ଗୃହକର୍ମରେ ଲଗାଇବାକୁ ଚାହୁଁଥିଲେ । କାରଣ ସେ ଟେଲିଗ୍ରାମ୍ ପଢ଼ିପାରୁଥିଲା । ଲାଲାଜୀଙ୍କ ବିଚାରରେ ଏହାଠାରୁ ଅଧିକ ଯୋଗ୍ୟତା ଅନାବଶ୍ୟକ । ମାତ୍ର ଅମରକାନ୍ତ ଦିନସାରା ବିଶ୍ରାମରେ ବିତାଇଥିବା ପଥିକ ପରି ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ଲାଗି ଦ୍ଵିଗୁଣ ବେଗରେ ପହଣ୍ଡ ପକାଇ ଆଗେଇ ଚାଲିବାରେ ବ୍ୟସ୍ତ ।

 

–୩–

 

ସ୍କୁଲ୍‍ରୁ ଫେରି ଅମରକାନ୍ତ ନିୟମାନୁଯାୟୀ, ନିଜ କୋଠରୀକୁ ଯାଇ ଚରଖା ଧରି ବସିଗଲା । ସେହି ବିଶାଳ ଭବନରେ, ଯେଉଁଠି ଗୋଟାଏ ବରଯାତ୍ରୀ ଦଳ ସ୍ଵଚ୍ଛନ୍ଦରେ ଚଳିଯାଇପାରେ । ସେ ଏକ କ୍ଷୁଦ୍ର କୋଠରୀ ନିଜପାଇଁ ବାଛି ନେଇଛି । କେତେ ମାସ ହେଲା ସେ ଦୈନିକ ଦୁଇ ଘଣ୍ଟା ସୂତା କାଟିବାପାଇଁ ସଂକଳ୍ପ କରିଛି । ପିତାଙ୍କ ବିରୋଧ ସତ୍ତ୍ୱେ ସେ ତାହା ନିୟମିତ ପାଳନ କରି ଚାଲିଛି ।

 

ଘରଟି ଏତେ ବଡ଼ ହେଲେବି ଧନ ରକ୍ଷାପାଇଁ ଯେପରି ଉପଯୁକ୍ତ ଜନ–ରକ୍ଷାପାଇଁ ସେପରି ନୁହେଁ । ତଳ ମହଲାରେ କେତେଟା ବଡ଼ବଡ଼ କୋଠରୀରେ ଆଲୋକ ଓ ବାୟୁର ପ୍ରବେଶ ନିଷେଧ । ତେଣୁ ତାହା ଗୋଦାମପାଇଁ ପ୍ରଶସ୍ତ । ଯେଉଁ ପଥରେ ଆଲୋକ ଓ ପବନ ପଶିପାରେ, ସେହି ପଥ ଦେଇ ଚୋରବି ପଶିପାରେ ଯେ । ତା’ର ପ୍ରତ୍ୟେକ ଇଟାରୁ ଚୋର–ଡର ଝରିପଡ଼ୁଥାଏ-। ଉପରମହଲା ଦୁଇଟି ମୁକ୍ତ ବାୟୁଯୁକ୍ତ । ତଳେ ରୋଷେଇ ହୁଏ, ଉପରେ ଶୁଆ ବସା ହୁଏ-। ଆଗ ପାଖରେ ରାସ୍ତା କଡ଼ରେ ଦୁଇଟି କୋଠରୀ–ଗୋଟିକରେ ଲାଲାଜୀ ଓ ଅନ୍ୟଟିରେ ଗୁମାସ୍ତା ବସନ୍ତି । ତା’ ଆଗକୁ ଗୋଟିଏ ଚାଳିଆ–ସେଠି ଗାଈ ବନ୍ଧାଯାଏ । ଲାଲାଜୀ ନୈଷ୍ଠିକ ଗୋ–ଭକ୍ତ-

 

ଅମରକାନ୍ତ ସୂତାକଟାରେ ମଗ୍ନ ଥିଲାବେଳେ ସାନ ଭଉଣୀ ନୟନା ଆସି କହିଲା–“କ’ଣ ହେଲା ଭାଇ, ଫି’ ଦାଖଲ କଲ ନା ନାଇଁ ? ମୋ ପାଖରେ କୋଡ଼ିଏଟି ଟଙ୍କା ଥିଲା, ଏଇ ନିଅ । ବାକି ଟଙ୍କା ଆଉ କାହାଠାରୁ ଆଣି କାଲି ଦେବି ।”

 

ଅମର ଚରଖା ଚଳାଉ ଚଳାଉ କହିଲା–“ଆଜି ଫି’ ଦାଖଲ ତାରିଖ ଥିଲା । ନାମ ତ କଟିଗଲା, ଆଉ ଟଙ୍କା ନେଇ କ’ଣ କରିବି ?”

 

ନୟନାର ରୂପ–ରଙ୍ଗ ଅମରକାନ୍ତ ସହିତ ଏପରି ମିଳିଯାଉଥିଲା ଯେ ସେ ତା’ର ଶାଢ଼ି ପିନ୍ଧିଦେଲେ ଚିହ୍ନିବା କଠିନ ହୁଅନ୍ତା । ପାର୍ଥକ୍ୟ କେବଳ ଏତିକି ଯେ, ଭାଇର ଦୁର୍ବଳତା ଭଉଣୀଠାରେ ସୁକୁମାରତା ରୂପରେ ପ୍ରକାଶ ପାଇ ଆକର୍ଷଣୀୟ ହୋଇଥିଲା ।

 

ଅମର ସିନା ଥଟ୍ଟାରେ କହିଦେଲା; କିନ୍ତୁ ନୟନାର ମୁହଁ ଫିକା ପଡ଼ିଗଲା । କହିଲା, “ତୁମେ କହିଲନି–ନାମ କାଟ ନାଇଁ, ମୁଁ ଦିନେ ଦୁଇ ଦିନ ମଧ୍ୟରେ ଦେଇଦେବି ।”

 

ତା’ର ଅଧୀରତାର ମଧୁରତା ପାଇ ଅମର କହିଲା, “ଯାହା କହିବା କଥା ମୁଁ କହିଲି ଯେ, ହେଲେ ଶୁଣିଲା କିଏ ?”

 

ନୟନା ରାଗିଲା ପରି, କହିଲା–“ମୁଁ ମୋ କଙ୍କଣ ଦେଉଥିଲି, ତୁମେ ନ ନେଲ କାହିଁକି ଯେ ?”

 

ଅମର ହସି ହସି ପଚାରିଲା–“ବାବା ପଚାରିଥିଲେ କ’ଣ ହୋଇଥାନ୍ତା ?’’

 

‘ବାବାଙ୍କୁ ମୁଁ କାହିଁକି କହିଥାନ୍ତି କି ?”

 

‘‘ଚୋରି ଧନରେ ମୁଁ କିଛି କରିବାକୁ ଚାହେଁନା ।” ଅମର ଓଠ ଲମ୍ବାଇ କହିଲା, ‘‘ନୟନି-! ହଉ ଦୁଃଖ କରନା, ମୁଁ ଫି’ ଦାଖଲ କରି ଦେଇଛି ।”

 

“ହଁ, ଫି’ ନା ଆଉ କ’ଣ ଦାଖଲ କରି ଦେଇଥିବ ।” ନୟନା ଅବିଶ୍ଵାସ ପ୍ରକାଶ କଲା, ‘‘ଟଙ୍କା ତୁମେ ପାଇଲ କେଉଁଠୁଁ ?”

 

‘‘ନା ନୟନା ! ସତରେ ଫି’ ଦାଖଲ କରି ଦେଇଛି ।”

 

‘ଟଙ୍କା ଆସିଲା କେଉଁଠୁଁ ?”

 

‘‘ଜଣେ ସାଙ୍ଗ ପାଖରୁ ଆଣିଲି ।’’

 

“ତୁମେ ମାଗିଲ !”

 

“ମାଗିବାକୁ ପଡ଼ିନାହିଁ, ସେ ଆପେଆପେ ଦେଇଦେଲା ।”

 

“ସେ ତେବେ ଭାରି ଭଦ୍ରଲୋକ ହୋଇଥିବେ !”

 

“ହଁ ନୟନା ! ଭାରି ଭଦ୍ରଲୋକ ସେ । ଫି’ ଆଦାୟ ହେଲାବେଳେ ମୁଁ ତ ଲାଜରେ ବାହାରକୁ ପଳାଇଲି । କେଜାଣି କାହିଁକି ମୋତେ ଭାରି କାନ୍ଦ ମାଡ଼ିଲା । ଭାବିଲି, ମୁଁ ଏଡ଼େ ହୀନ ଯେ ମୋତେ ଟଙ୍କା ଚାଳିଶିଟା ମିଳିଲା ନାହିଁ ! ଟିକିଏ ପରେ ପରେ ସେ ମୋତେ ଡାକିବାକୁ ଆସିଲା । ମୋ ଆଖି ଲାଲ ପଡ଼ିଥାଏ, ସେ ବୁଝିପାରିଲା–ସଙ୍ଗେ ସଙ୍ଗେ ଯାଇ ଫି’ ଦେଇଦେଲା । ଆଚ୍ଛା, ତୁ ଏ କୋଡ଼ିଏ ଟଙ୍କା ପାଇଲୁ କେଉଁଠୁଁ ?”

 

“କହିବି ନାହିଁ ।” ନୟନା ଚାଲିଯିବାକୁ ବସିଲା ।

 

ଏହି ବାରବର୍ଷର ଲଜ୍ଜାଶୀଳା ବାଳିକାଟି ସରଳା ହେଲେବି ଚତୁରା । ତାକୁ ଠକାଇବା ସହଜ; କିନ୍ତୁ ତା’ ପାଖରେ ନିଜର ମନୋଭାବ ଗୋପନ ରଖିବା କଠିନ ।

 

ଅମର ଝପଟି ଯାଇ ତା’ ହାତକୁ ଧରି ପକାଇଲା । କହିଲା “ନ କହିଲେ ତୋତେ ଛାଡ଼ିବିନି । ବିଶ୍ଵାସ କର, କାହାରିକି କହିବି ନାହିଁ ।”

 

ନୟନା ଲାଜେଇ ଯାଇ କହିଲା–ବାପାଙ୍କଠୁଁ ଆଣିଲି ।

 

“ତୁ ତାଙ୍କୁ ମାଗି ଠିକ୍ କରିନାହୁଁ ନୟନା !” ଅମର ଉଦାସ ଭାବରେ କହିଲା, “ସେ ଯେତେବେଳେ ମୋତେ ନିର୍ମମ ଭାବରେ ଗାଳିଦେଇ ବିଦା କରିଦେଲେ, ମୁଁ ତାଙ୍କୁ ଆଉ ଗୋଟାଏ ପଇସାବି ମାଗିବାକୁ ଚାହେଁନା । ମୁଁ ଭାବିଲି, ତୋ ପାଖରେ କାଳେ ଥିବ । ତୁ ବାପାଙ୍କ ପାଖକୁ ଯିବୁ ବୋଲି ଜାଣିଥିଲେ ମୂଳରୁ ସଫା ମନା କରିଦେଇଥାନ୍ତି–ମୋର ଟଙ୍କା ଦରକାର ନାହିଁ । ଆଚ୍ଛା, ବାପା ଆଉ କ’ଣ କହୁଥିଲେ କି ?”

 

ଆଖିରେ ଲୁହ ଭରି ନୟନା କହିଲା, ‘‘ନାଇଁ ତ, ଖାଲି କହିଲେ–“କାମ–ଧନ୍ଦା ତ କିଛି ନାହିଁ, ନିତି ଟଙ୍କା ଦରକାର । କେତେବେଳେ ଫି’, କେତେବେଳେ ଚାନ୍ଦା, କେତେବେଳେ ବହି ।” ତା’ପରେ ଗୁମାସ୍ତାଙ୍କୁ ଡାକି କହିଲେ, ‘‘କୋଡ଼ିଏ ଟଙ୍କା ଦେଇଥାଅ, ଆଉ କୋଡ଼ିଏ ପରେ ଦିଆଯିବ-।”

 

ଅମର ଉତ୍ତେଜିତ ହୋଇ କହିଲା, “ତୁ ଏ ଟଙ୍କା ଫେରେଇଦେ । ମୋର ଦରକାର ନାଇଁ-।”

 

ନୟନା କଇଁକଇଁ ହୋଇ କାନ୍ଦିଉଠିଲା–ଅମର ଟଙ୍କାତକ ତଳେ ଫିଙ୍ଗି ଦେଇଥିବାରୁ ସେଗୁଡ଼ିକ କୋଠରୀସାରା ବିଛୁଡ଼ି ହୋଇ ପଡ଼ିଥାଏ । କେହି ଗୋଟେଇବା ନା ଧରୁ ନଥାନ୍ତି । ସେତିକିବେଳେ ଲାଲାଜୀ ଆସି ଦୁଆରେ ଉପସ୍ଥିତ ହୋଇଗଲେ । ନୟନାର କାନ୍ଦ ବନ୍ଦ ହୋଇଗଲା ଓ ବାକ୍ୟବାଣ ପ୍ରତିହତ କରିବାପାଇଁ ଅମର ନିଜ ମନକୁ ପ୍ରସ୍ତୁତ କରିବାକୁ ଲାଗିଲା । ଲାଲାଜୀ ଅତି ହୃଷ୍ଟପୁଷ୍ଟ ଓ ଦୀର୍ଘକାୟ–ତାଳରୁ ତଳିପାଯାଏ ଶେଠ୍–ଚନ୍ଦା ମୁଣ୍ଡ, ଉଚ୍ଚ କପାଳ, ବଡ଼ ପେଟ, ମୁହଁରେ ସଂଯମର ତେଜ, ସେଥିରେ ଗମ୍ଭୀର ସ୍ଵାର୍ଥର ଝଲକ । କଠୋର ସ୍ଵରରେ କହିଲେ–‘ଚରଖା ଚାଲିଛି, ନା ! ଏତେ ସମୟ ଭିତରେ କେତେ ସୂତା କାଟିଛୁ ! ଦୁଇ ଚାରି ଟଙ୍କାର ହେବ ?”

 

ଅମରକାନ୍ତ ଦମ୍ଭର ସହିତ କହିଲା, “ଟଙ୍କା କମେଇବା ପାଇଁ ତ ଚରଖା ଚଳାଯାଏନା ।”

 

“ତେବେ କାହିଁକି ?”

 

‘‘ଆତ୍ମଶୁଦ୍ଧିର ଏ ଗୋଟିଏ ଉପାୟ ।”

 

ସମରକାନ୍ତଙ୍କ ଘା’ରେ ଯେପରି ଲୁଣଛିଟା ପଡ଼ିଗଲା । କହିଲେ–“ଓ, ଆଜି ନୂଆ କଥାଟାଏ ଶିଖିଲି । ତେବେ ତୁମର ଋଷି ପାଲଟିବାରେ କୌଣସି ସନ୍ଦେହ ନାହିଁ ! ଆତ୍ମଶୁଦ୍ଧିର ଉପାୟ ଧରିବା ସଙ୍ଗେ ସଙ୍ଗେ ଘରଗୃହସ୍ଥି–କାମ କିଛି ଦେଖିବ କି ନାଇଁ ? ଦିନସାରା ସ୍କୁଲ୍‍ରେ ରହିବ, ସେଠୁ ଫେରିଲ ତ ଚରଖା ଧରି ବସିବ, ସନ୍ଧ୍ୟାବେଳେ ସଭା–ସମିତି, ରାତିକି ନାରୀ–ବିଦ୍ୟାଳୟ ଖୋଲିବ, ଏଣେ ଘର ଧନ୍ଦା ବୁଝେ କିଏ ? ମୁଁ ତ ଆଉ ଗୋଟାଏ ଗୋରୁ ନୁହେଁ ! ତୁମରି ସକାଶେ ଜଞ୍ଜାଳରେ ପଡ଼ିଛି । ମୁଁ କିଛି ମୁଣ୍ଡେଇ ନେଇଯିବି ନାହିଁ । ମୋତେ ଟିକିଏ ସାହାଯ୍ୟ କରିବା ତୁମର କର୍ତ୍ତବ୍ୟ, ନା ନୁହେଁ ! ଭାରି ତ ଗୋଟାଏ ନୀତିବାନ୍ ହେଇଗଲୁଣି–ବୁଢ଼ାବାପ ମରୁ ପଛକେ ଭେଣ୍ଡା ପୁଅ ତାକୁ ଅନେଇବ ନାହିଁ, ଏଇ ନୀତି ନା !”

 

ଅମରକାନ୍ତ ଉଦ୍ଧତ ଭାବରେ କହିଲା–“ମୁଁ ତ ଆପଣଙ୍କୁ ବହୁତ ବାର କହିଛି, ଆପଣ ମୋପାଇଁ କିଛି କରିବେ ନାହିଁ । ମୋର ଧନ ଦରକାର ନାହିଁ । ଆପଣ ବୁଢ଼ା ହେଇଗଲେଣି, ଏଣିକି ଶାନ୍ତଚିତ୍ତରେ ଭଗବଦ୍ ଭଜନ କରନ୍ତୁ ।”

 

ସମରକାନ୍ତ ତୀବ୍ର ସ୍ଵରରେ କହିଲେ–“ଧନ ନହେଲେ ବାବୁ ଭିକ ମାଗିବେ ଯେ ! ଏମିତି ଆରାମରେ ବସି ସୂତା କାଟି ପାରିବେ ନାହିଁ । ମୋତେ ଟିକିଏ ସାହାଯ୍ୟ କଲାବେଳକୁ ଗଣ୍ଡିକି ବାଧିଯାଉଛି, କହିଲେ କ’ଣ ନା ମୋର ଧନ ଦରକାର ନାହିଁ । ଏମିତି କିଏ ଅଛିରେ, ଯା’ର ଧନ ଦରକାର ନାହିଁ ? ସାଧୁ–ସନ୍ନ୍ୟାସୀ ତ ଧନପାଇଁ ଜୀବନ ଦେଇ ଦେଉଛନ୍ତି । ସେମିତି ପୁରୁଷପଣ ଥିଲେ ଧନ ମିଳେ । ଯାହାର ପୁରୁଷପଣ ନାହିଁ, ସେ କ’ଣ ଧନ କମେଇବ ? ବଡ଼ବଡ଼ମାନେ ତ ଧନକୁ ଛାଡ଼ି ପାରି ନାହାନ୍ତି, ଆଉ ତୁ ଗୋଟିଏ କେଉଁ ମଣିଷରେ ମଣିଷ ଯେ ?”

 

ଅମର ସେହିପରି ବିତଣ୍ତା କରି କହିଲା, “ବ୍ରହ୍ମାଣ୍ଡଯାକ ଧନପାଇଁ ଜୀବନ ଦେଲେ ମୋର କ’ଣ ଅଛି ? ମୂଲିଆବି ନିଜର ଧର୍ମ ଓ ଆତ୍ମାକୁ ରକ୍ଷା କରି ଜୀବକା ନିର୍ବାହ କରିପାରେ । ମୁଁ ଅନ୍ତତଃ ମୋ ଜୀବନରେ ଏହା ପରୀକ୍ଷା କରିବାକୁ ଚାହେଁ ।”

 

ଯୁକ୍ତି–ତର୍କ କରିବାକୁ ଲାଲାଜୀଙ୍କର ସମୟ ନଥିଲା । ନ ପାରି କହିଲେ, “ଆଚ୍ଛା ବାବା, ମନ ଲଗେଇ ପରୀକ୍ଷା କରୁଥା; କିନ୍ତୁ ଟଙ୍କା ଟଙ୍କା ବୋଲି ନିତି ମୋ ମୁଣ୍ଡ ଖାଇବ ନାହିଁ । ମୁଁ ମୋ ଝାଳବୁହା ଧନକୁ ତୁମ ମଜଲିସ୍ ପାଇଁ ଉଜାଡ଼ି ଦେଇ ପାରିବି ନାହିଁ ।”

 

ଲାଲାଜୀ ଚାଲିଗଲେ । ନୟନାର ଇଚ୍ଛା ହେଲା–କୌଣସି ଏକାନ୍ତ ସ୍ଥାନକୁ ଯାଇ ଖୁବ୍ କାନ୍ଦନ୍ତା; କିନ୍ତୁ ଯାଇପାରିଲା ନାହିଁ । ଆଉ ଅମରକାନ୍ତ ଏପରି ବିରକ୍ତ ହୋଇ ଉଠିଥାଏ ଯେ ଜୀବନ ତା’ ପକ୍ଷରେ ଅସହ୍ୟ ହୋଇ ଉଠିଥାଏ ।

 

ସେତିକିବେଳେ ଉପରମହଲାରୁ ଚାକରାଣୀଟି ଆସି କହିଲା, “ ଭାଇ–ସା’ନ୍ତେ ! ତୁମକୁ ତେଣେ ବହୂରାଣୀ ଡାକୁଛନ୍ତି ।’’

 

ଅମରକାନ୍ତ ତାତି ଉଠି କହିଲା, ‘ଯା’, କହିଦେ ମୋତେ ଫୁରୁସତ୍ ନାହିଁ । ଅଇଲା ତେଣୁ–ବହୂ–ରାଣୀ ଡାକୁଛନ୍ତି !”

 

ମାତ୍ର ଚାକରାଣୀଟି ଫେରିବାକୁ ବସିଲାରୁ ସେ ନିଜର କଟୂକ୍ତି ଯୋଗୁଁ ଲଜ୍ଜିତ ହୋଇ କହିଲା, “ମୁଁ ତୋତେ କିଛି କହି ନାହିଁ ଯେ, ସିଲୋ ! କହିଦେ–ମୁଁ ଏଇ ଯାଉଛି, ତୋ ରାଣୀ କ’ଣ କରୁଚନ୍ତି କି ?

 

ସିଲୋର ପୂରା ନାମ କୌଶଲ୍ୟା । ବସନ୍ତର ଆକ୍ରମଣରେ ଗୋଟିଏ ଚକ୍ଷୁ, ସ୍ଵାମୀ ଓ ପୁତ୍ରଙ୍କୁ ହରାଇଛି । ସେହିଦିନରୁ ସେ ଅର୍ଦ୍ଧପାଗଳୀ–କାନ୍ଦିବା କଥାରେ ହସେ, ହସିବା କଥାରେ କାନ୍ଦେ । ଘରର ସମସ୍ତେ, ଏପରିକି ଚାକର–ବାକରବି ତାକୁ ଦୂର–ଦୂର କରନ୍ତି । ଏକା ଅମରକାନ୍ତ ତାକୁ ମଣିଷ ବୋଲି ଭାବେ । ତେଣୁ ସିଲୋ ଟିକିଏ ଦମ୍ଭ ପାଇ କହିଲା, ‘‘ବସି କରି କ’ଣ ଲେଖୁଚନ୍ତି । ଲାଲାଜୀ ପାଟି କରୁଥିଲେନା, ସେଇଥିଲାଗି ତୁମକୁ ଡାକି ପଠାଇଲେ ।”

 

କଚାଡ଼ି ପଡ଼ିଲା ପରେ ଧୂଳି ଝାଡ଼ି ହେଲାପରି ପ୍ରସନ୍ନଭାବ ଦେଖାଇ ଅମର ଉପରକୁ ଗଲା । ସୁଖଦା–ଦରଜାରେ ଠିଆ ହୋଇଥିଲା, ‘‘ତୁମ ଦର୍ଶନ ତ ଆଉ ମିଳୁନି । ସ୍କୁଲ୍‌ରୁ ଆସିଲ ତ ଚରଖା ଧରି ବସିଗଲ । ମୋତେ ଆମ ଘରକୁ ପଠାଇ ଦେଉନାହଁ କାହିଁକି ? ସେତେବେଳେ କାମ ଅଟକିବ ଡାକି ପଠାଇବ । ଏଥର ଆସିବାର ଛ’ମାସ ହେଇଗଲାଣି–ମିଆଦ ପୂରିଗଲାଣି, ଏବେ ଛୁଟି ମିଳୁ !” କହୁ କହୁ ଗୋଟିଏ ଥାଳିଆରେ କିଛି ନିମିକି ଓ ମିଠାଇ ଆଣି ଟେବୁଲ୍ ଉପରେ ଥୋଇଦେଲା ଏବଂ ଅମରର ହାତ ଧରି ଘର ଭିତରକୁ ଟାଣିନେଲା ଓ ଚେଆର୍‍ରେ ବସାଇଦେଲା-

 

ଏହି ଘରଟି ଅନ୍ୟ ସମସ୍ତ ଘର ଅପେକ୍ଷା ଅଧିକ ମୁକ୍ତ ଓ ସୁସଜ୍ଜିତ । ଘର–ତଳିରେ ଦରି ବିଛାଯାଇଛି । ତା’ ଉପରେ ନାନା ରଙ୍ଗ-ଢଙ୍ଗର କେତେ ଖଣ୍ଡି ସାଦା ଓ ଗଦିଦାର ଚଉକି ପଡ଼ିଛି । ମଝିରେ ନକ୍ସାକରା ଛୋଟ ଗୋଲ ଟେବୁଲ୍‌ଟିଏ । କାଚ ଆଲମାରିରେ ମଲାଟବନ୍ଧା ବହିଗୁଡ଼ିଏ ସଜା ହୋଇ ରହିଛି । କାନ୍ଥର ଥାକମାନଙ୍କରେ ବିବିଧ ସୁନ୍ଦର ସୁନ୍ଦର ମୂର୍ତ୍ତି ସୁରକ୍ଷିତ । ଗୋଟିଏ କୋଣରେ ଟେବୁଲ ଉପରେ ହାରମୋନିୟମ୍ ରଖାଯାଇଛି । କାନ୍ଥରେ ଧୁରନ୍ଧର, ରବି ବର୍ମା ଆଦି କେତେ ବିଖ୍ୟାତ ଚିତ୍ରକରଙ୍କ ହସ୍ତାଙ୍କିତ ଚିତ୍ର ଶୋଭାପାଉଛି । ଦୁଇ ତିନୋଟି ପୁରୁଣା ଚିତ୍ର ମଧ୍ୟ ରହିଛି । କୋଠରୀର ସାଜସଜ୍ଜାରୁ ସୁରୁଚିସମ୍ପନ୍ନତାର ଆଭାସ ମିଳେ ।

 

ଅମରକାନ୍ତ ଓ ସୁଖଦାର ବିବାହ ପରେ ଦୁଇବର୍ଷ ବିତିଗଲାଣି । ସୁଖଦା ଦୁଇଥର ମାସେ ମାସେ ରହି ଚାଲି ଯାଇଥିଲା; ମାତ୍ର ତା’ ଆସିବାର ଛ’ମାସ ପୂରିଗଲାଣି । ହେଲେ ଏମାନଙ୍କର ସ୍ନେହ ଖାଲି ଉପରେ ଉପରେ । ଗଭୀର ସ୍ତରରେ ଦୁହେଁ ପରସ୍ପରଠାରୁ ସମ୍ପୂର୍ଣ୍ଣ ପୃଥକ୍-। ସୁଖଦା ଅଭାବ କ’ଣ ଜାଣି ନଥିଲା । ଜୀବନରେ କ୍ଳେଶ ଭୋଗି ନଥିଲା । ସେ ଜଣାଶୁଣା ବାଟ ଛାଡ଼ି ଅଜଣା ବାଟରେ ପାଦ ବଢ଼ାଇବାକୁ ଡରୁଥିଲା । ଭୋଗ–ବିଳାସକୁ ଜୀବନ–ସର୍ବସ୍ୱ ବୋଲି ମନେକରୁଥିଲା ଓ ତାକୁ’ଇ ହୃଦୟରେ ଜଡ଼ାଇ ରଖିବାକୁ ଚାହୁଁଥିଲା । ସେ ଅମରକୁ ଗୃହକର୍ମ ଆଡ଼କୁ ଆକର୍ଷଣ କରିବାର ଚେଷ୍ଟା କରୁଥାଏ–କେତେବେଳେ ବୁଝାଏ, କେବେ ରୁଷେ, କେବେ ବା ବିରକ୍ତ ହୁଏ । ଶାଶୁ ନଥିବାରୁ ସେ ଗୃହସ୍ୱାମିନୀ । ବାହାରର ସ୍ଵାମୀ ସିନା ଲାଲା ସମରକାନ୍ତ, ଭିତରର ପରିଚାଳନା ଥାଏ ଦା ହାତରେ; କିନ୍ତୁ ଅମରକାନ୍ତ ତା’ କଥାକୁ ହସରେ ଉଡ଼ାଇଦିଏ-। ତା’ ଉପରେ ନିଜର ପ୍ରଭାବ ବିସ୍ତାର କରିବାକୁ ମଧ୍ୟ କେବେ ଚେଷ୍ଟା କରେନାହିଁ । ସ୍ତ୍ରୀର ବିଳାସପ୍ରିୟତା କୃଷି–କ୍ଷେତ୍ରର ଅପଦେବତା ପରି ତା’ ମନରେ ମଧ୍ୟେ ମଧ୍ୟେ ଭୟ ସଂଚାର କରୁଥିଲା-। କୃଷି–କ୍ଷେତ୍ରରେ ଥାଏ ସବୁଜିମା, ଶସ୍ୟ: କିନ୍ତୁ ଅପଦେବତା ବାହୁ ପ୍ରସାରି, ତା’ ଆଡ଼କୁ କ୍ରୂରଦୃଷ୍ଟିରେ ନିଶ୍ଚଳ ଭାବରେ ଠିଆ ହୋଇଥାଏ । ନିଜର, ଆଶା–ନୈରାଶ୍ୟ, ଜୟ–ପରାଜୟକୁ ସେ ଅପରାଧ ପରି ସୁଖଦା ନିକଟରେ ଗୋପନ ରଖେ । ହଁ, କେବେ ଯଦି ତା’ର ଘରକୁ ଫେରିବାରେ ବିଳମ୍ବ ହୁଏ, ସୁଖଦା ବ୍ୟଙ୍ଗ କରିବାକୁ ପଛାଏ ନାହିଁ–‘ହଁ, ଏଠି ତୁମର କିଏ ଅଛି ଯେ ! ବାହାରର ମଜା ଘରେ କାହୁଁ ମିଳିବ ?’’ ଆଉ ଏହି ତିରସ୍କାର କୃଷକର “ମଲିଲୋ ମା” ପରି ଅପଦେବତା ଭୟକୁ ଅନ୍ନ ଉତ୍ତେଜିତ କରିଦିଏ । ସେ ତାକୁ ଅଯଥା ପ୍ରଶଂସା କରେ, ନିଜ ସିଦ୍ଧାନ୍ତକୁ ଖୁବ୍ ବଢ଼ାଇ ଚଢ଼ାଇ ବ୍ୟାଖ୍ୟା କରେ; ମାତ୍ର ସୁଖଦା ସେ ସବୁକୁ ତା’ର ଦୁର୍ବଳତା ଭାବି ଆଦୌ ଗୁରୁତ୍ଵ ଦିଏ ନାହିଁ । ସ୍ଵାମୀକୁ ସେ ଦୟା-ଦୃଷ୍ଟିରେ ଦେଖେ । ସ୍ଵାମୀର ତ୍ୟାଗଶୀଳତାକୁ ସେ ଅନାଦର ନ କଲେ ମଧ୍ୟ ତା’ର ତତ୍ତ୍ଵ ବୁଝିବାକୁ ଆଗ୍ରହ ପ୍ରକାଶ କରେନା । ଅମର ଯଦି ତା’ର ସହାନୁଭୂତି ଚାହୁଁଥାନ୍ତା କି ସାହାଯ୍ୟ ଭିକ୍ଷା କରୁଥାନ୍ତା, ତାହାହେଲେ ସେ ସମ୍ଭବତଃ ଉପେକ୍ଷା କରୁ ନଥାନ୍ତା; ମାତ୍ର ଅମରକାନ୍ତର ଉପେକ୍ଷା ତା’ ମନରେ ଶୋକ ଜନ୍ମାଉଥିଲା । ଫଳରେ ସେ ମଧ୍ୟ ନିଜର ହାତ ସଂକୁଚିତ କରି ଉପେକ୍ଷାଭାବ ପୋଷଣ କରୁଥାଏ । ଦୁହିଁଙ୍କ ମଧ୍ୟରେ ହାସ–ପରିହାସ, ସାହିତ୍ୟ–ଇତିହାସର ଚର୍ଚ୍ଚା ଚାଲେ; ମାତ୍ର ଜୀବନର ଗୂଢ଼ ବିଷୟରେ ଦୁହେଁ ପରସ୍ପରଠାରୁ ପୃଥକ୍ । ଉଭୟଙ୍କର ମେଳ ଦୁଧ–ପାଣି ପରି ନୁହେଁ, ବାଲି–ପାଣି ପରି । ଯାହା କିଛି ସମୟପାଇଁ ରହିଲେ ମଧ୍ୟ ପୁଣି ଅଲଗା ହୋଇଯାଏ ।

 

ସୁଖଦାର ଉକ୍ତ ଅଭିଯୋଗର କୋମଳତା ଅମରକାନ୍ତ ହୃଦୟଙ୍ଗମ କରିପାରିଲା ନାହିଁ କି ତା’ର ସରସତା ଗ୍ରହଣ କରିପାରିଲା ନାହିଁ । ଲାଲାଜୀଙ୍କ ଆଘାତଜନିତ ବେଦନାରେ ତା’ର ଆତ୍ମା ସେ ପର୍ଯ୍ୟନ୍ତ ଛଟପଟ ହେଉଥିଲା । କହିଲା–‘‘ମୁଁ ମଧ୍ୟ ଏ କଥାର ଯଥାର୍ଥତା ବୁଝୁଛି । ଏଣିକି ମୋତେ ପଢ଼ା ଛାଡ଼ି ଜୀବିକା ଚିନ୍ତା କରିବାକୁ ପଡ଼ିବ ।”

 

ସୁଖଦା ଚିଡ଼ିଯାଇ କହିଲା–ତା’ ନୁହେଁ କ’ଣ ? ଶୁଣୁଛି ବେଶି ପଢ଼ିଲେ ଲୋକ ପାଗଳ ହୋଇ ଯାଉଛି !

 

ଅମର ମଧ୍ୟ ଦ୍ଵନ୍ଦ୍ୱପାଇଁ ପ୍ରସ୍ତୁତ–“ତୁମେ ଗୋଟାଏ ଅଯଥା ଆକ୍ଷେପ କରୁଛ କାହିଁକି ? ମୁଁ ତ ପଢ଼ିବାକୁ ପଛାଉ ନାହିଁ; ମାତ୍ର ଏ ଅବସ୍ଥାରେ ମୁଁ ପଢ଼ିବି କିପରି ? ଆଜି ମୋତେ ସ୍କୁଲ୍‍ରେ ଯେପରି ଲଜ୍ଜିତ ହେବାକୁ ପଡ଼ିଲା, ତା’ ମୁଁ ଜାଣେ । ନିଜର ଆତ୍ମାକୁ ହତ୍ୟା କରି ପାଠ ପଢ଼ିବା ଅପେକ୍ଷା ଉପବାସରେ ରହିବା ବରଂ ଭଲ ।”

 

ସୁଖଦା ମଧ୍ୟ ଅସ୍ତ୍ର ଧରି ପ୍ରସ୍ତୁତ । କହିଲା–ମୁଁ ବୁଝିଛି ମ, ଲୋକ ଦୋକାନରେ ଘଡ଼ିଏ–ଦି’ଘଡ଼ି ବସିଲେବି ବହୁତ କିଛି ପଢ଼ିପାରିବ । ଚରଖା ଆଉ ସଭା ସମିତିପାଇଁ ଯେତିକି ସମୟ ଦେଉଛ, ଦୋକାନରେ ସେତିକି ସମୟ ବସିଲେ ତ କିଛି ପାପ ହେଇଯିବନି ! ଆଉ ତୁମେ ଯେବେ କାହାରିକି କିଛି ନ କିହିବ, ତୁମ ମନକଥା କିଏ କିମିତି ଜାଣିବ ଭଲା ? ମୋ ପାଖରେ ତ ବର୍ତ୍ତମାନ ଟଙ୍କା ହଜାରରୁ ଅଧିକ ଥିବ । ସେ ଟଙ୍କା ମୋ ନିଜର–ମୁଁ ତାକୁ ଯାହା ଇଚ୍ଛା କରିପାରେଁ । ତୁମେ ମୋତେ ପଦେ କହିଲବି ନାହିଁ । ହଁ, ମୁଁ ଭାରି ଖରାପ ଲୋକ, ହେଲେ ତୁମର ଶତ୍ରୁ ନୁହେଁ ତ ? ଆଜି ଲାଲାଜୀଙ୍କ କଥା ଶୁଣି ମୋ ରକ୍ତ ତ ତାତିଉଠିଲା । ଚାଳିଶଟା ଟଙ୍କାପାଇଁ ଏତେ ହାଙ୍ଗାମା । ତୁମର ଯେତେ ଦରକାର, ମୋଠୁଁ ନିଅ ଆଉ ସେଥିରେ ଯଦି ତୁମ ଆତ୍ମସମ୍ମାନ ହାନି ହେଉଛି, ତେବେ ମା’ଠାରୁ ନିଅ–ସେ ତ ନିଜକୁ ଧନ୍ୟ ମନେକରିବ । ତା’ର ତ ସବୁବେଳେ ମନ ଯେ ତୁମେ ତା’ଠାରୁ କିଛି ଆଣନ୍ତ । ମୁଁ ତ କହୁଛି, ମୋତେ ନେଇ ଲକ୍ଷ୍ନୌ ଚାଲ–ସେଠି ନିଶ୍ଚିନ୍ତ ହୋଇ ପଢ଼ିବ । ମା’ ତୁମକୁ ଇଂଲଣ୍ଡ ପଠାଇଦେବ । ସେଠୁ ବଡ଼ ଡିଗ୍ରୀଟିଏ ତ ହାସଲ କରିପାରନ୍ତ ।

 

ସୁଖଦା ନିଷ୍କପଟ ହୃଦୟରେ ଏହି ପ୍ରସ୍ତାବ ବାଢ଼ିଥିଲା । ବୋଧହୁଏ ପ୍ରଥମ କରି ସେ ସ୍ଵାମୀ ଆଗରେ ତା’ ମନକଥା କହୁଥିଲା ସେଦିନ; କିନ୍ତୁ ଅମରକାନ୍ତକୁ ତାହା ସନ୍ତୋଷ ଦେଲା ନାହିଁ-। କହିଲା–ଡିଗ୍ରୀଟା ମୋର ଏତେ ପ୍ରିୟ ନୁହେଁ ଯେ ତା’ପାଇଁ ମୁଁ ଶଶୁରଘରର ପ୍ରସାଦ ପାଇବାକୁ ହାତପାତି ବସିବି । ମୁଁ ମୋର ପରିଶ୍ରମ ବଳରେ ଧନ କମେଇ ପାରିବି ତ ପଢ଼ିବି; ନହେଲେ କୌଣସି ବ୍ୟବସାୟରେ ଲାଗିବି । ବୃଥାରେ ଆଜିଯାକେ ଶିକ୍ଷା–ମୋହରେ ପଡ଼ିଥିଲି-। ଅଧ୍ୟୟନଶୀଳ ଲୋକ କଲେଜକୁ ନ ଯାଇବି ବହୁତ ଶିକ୍ଷା କରିପାରେ । ମୁଁ ଅବଶ୍ୟ ଆତ୍ମବଡ଼ିମା କରୁନାହିଁ, ଏଇ ଦୁଇ ତିନିବର୍ଷରେ ମୁଁ ଯେତେ ସାହିତ୍ୟ–ଇତିହାସ ପଢ଼ିଛି, ଆମ କଲେଜରେ କେହି ପଢ଼ି ନଥିବେ ।

 

ଏହି ଅପ୍ରିୟ ବିଷୟକୁ ବନ୍ଦ କରିବା, ଅଭିପ୍ରାୟରେ ସୁଖଦା କହିଲା–ହଉ, ଜଳଖିଆ ଖାଅ । ଆଜି ତୁମର ମିଟିଙ୍ଗ୍ ଅଛି ପରା ? ନ’ଟା ପୂର୍ବରୁ କ’ଣ ଫେରିବ ଯେ–ମୁଁ ସିନେମା ଯିବାକୁ ଭାବିଛି । ତୁମେ ଯଦି ନେଇ ଚାଲନ୍ତ, ମୁଁ ଯିବାକୁ ପ୍ରସ୍ତୁତ ।

 

ଅମର ରୁକ୍ଷ ଭାବରେ କହିଲା–ମୋତେ ସିନେମା ଯିବାକୁ ସମୟ କାହିଁ ? ତୁମେ ଯାଇପାର ।

 

“ଫିଲ୍ମରୁବି କମ୍ ଉପକାର ମିଳେନା ତ ?”

 

“ମୁଁ ତ ତୁମକୁ ଅଟକାଉ ନାହିଁ ।”

 

“ତୁମେ ଚାଲୁନାହଁ କାହିଁକି ?”

 

“ଯେଉଁ ଲୋକ ରୋଜଗାର ନ କରେ, ତା’ର ସିନେମା ଯିବାର କୌଣସି ଅଧିକାର ନାହିଁ । ମୁଁ ନିଜ ପରିଶ୍ରମରେ ଯାହା ଅର୍ଜନ କରିପାରିବି, ତାକୁ’ଇ ମୋ ନିଜର ସମ୍ପତ୍ତି ବୋଲି ଭାବିବି-।”

 

ଦୁହେଁ କେତେ ମିନିଟପାଇଁ ନୀରବ ରହିଲେ । ଅମର ଜଳଖିଆ ସାରି ଉଠିଲାରୁ ସୁଖଦା ପ୍ରେମ ଓ ଆଗ୍ରହ ସହକାରେ କହିଲା–କାଲିଠୁଁ ସନ୍ଧ୍ୟାବେଳିଆ ଦୋକାନରେ ବସ । ବାଧାବିଘ୍ନକୁ ଜୟ କରିବା ଅବଶ୍ୟ ପୁରୁଷାର୍ଥୀ ଲୋକର କାମ; କିନ୍ତୁ ବାଧାବିଘ୍ନ ସୃଷ୍ଟି କରିବା, ଅକାରଣରେ ଆପଣା ପାଦରେ କଣ୍ଟା ଫୁଟାଇବା ବୁଦ୍ଧିମାନର କାର୍ଯ୍ୟ ନୁହେଁ ।

 

ଅମର ଏ ଉପଦେଶର ଉଦ୍ଦେଶ୍ୟ ବୁଝିପାରିଲା; କିନ୍ତୁ କୌଣସି ଉତ୍ତର ଦେଲା ନାହିଁ । ବିଳାସିନୀଟି ବିପଦକୁ କି ଭୟ କରେ ! ଏ ଚାହେଁ ମୁଁ ବି ଗରିବଙ୍କ ରକ୍ତ ଶୋଷେଁ, ସେମାନଙ୍କ ଗଳା କାଟେ ! ମୋ ଦେଇ ତାହା ହୋଇପାରିବ ନାହିଁ ।

 

ସୁଖଦା ଅମରର ମତକୁ ସମର୍ଥନ କରିଥିଲେ ବା ତାକୁ କୌଣସି ଦିନ ବଶୀଭୂତ କରିପାରିଥାନ୍ତା; ମାତ୍ର ସେଆଡ଼ୁ ତାକୁ ନିବୃତ୍ତ କରିବାର ଚେଷ୍ଟା କରି ସେ ତା’ର ସଂକଳ୍ପକୁ ଦୃଢ଼ରୁ ଦୃଢ଼ତର କରି ଦେଉଥାଏ ।

 

ଅମରକାନ୍ତ ମଧ୍ୟ ସହାନୁଭୂତି ବଳରେ ସୁଖଦାକୁ ନିଜର ଅନୁକୂଳ କରିପାରିଥାନ୍ତା; କିନ୍ତୁ ନୀରସ ତ୍ୟାଗର ରୂପ ଦେଖାଇ ସେ ତାକୁ ଭୀତତ୍ରସ୍ତ କରି ପକାଉଥାଏ ।

 

–୪–

 

ଅମରକାନ୍ତ ମାଟ୍ରିକୁଲେଶନ୍ ପରୀକ୍ଷାରେ ପ୍ରଦେଶ ମଧ୍ୟରେ ସର୍ବପ୍ରଥମ ସ୍ଥାନ ଅଧିକାର କରି ଉତ୍ତୀର୍ଣ୍ଣ ହେଲା; କିନ୍ତୁ ବୟସ ବେଶି ହୋଇଯାଇଥିବାରୁ ଛାତ୍ର–ବୃତ୍ତି ପାଇ ପାରିଲା ନାହିଁ । ଏହା ଫଳରେ ନୈରାଶ୍ୟ ସ୍ଥଳରେ ତାକୁ ଏକପ୍ରକାର ସନ୍ତୋଷ ମିଳିଲା । କାରଣ ସେ ମନୋବିକାରକୁ ଆଦୌ ପ୍ରଶ୍ରୟ ଦେବାକୁ ଚାହୁଁ ନଥିଲା । ସେ କେତୋଟି ବଡ଼ବଡ଼ କୋଠିରେ ଚିଠିପତ୍ର ଲେଖାଲେଖି କାମ ଧରିଲା । ଧନୀ ପିତାର ପୁତ୍ର ହୋଇଥିବାରୁ ଏ କାର୍ଯ୍ୟ ତାକୁ ସହଜରେ ମିଳିଗଲା । ଲାଲା ସମରକାନ୍ତଙ୍କ ବ୍ୟବସାୟ–ନୀତି ଯୋଗୁଁ ତାଙ୍କର ଜ୍ଞାତିବର୍ଗ ପ୍ରାୟ ଈର୍ଷାନ୍ୱିତ ଥାନ୍ତି ଓ ପିତା–ପୁତ୍ରଙ୍କ ମନାନ୍ତରରେ ନାଟ ଦେଖିବାକୁ ଚାହିଁ ବସିଥାନ୍ତି । ପ୍ରଥମେ ପ୍ରଥମେ ଲାଲାଜୀ ବଡ଼ ବିରକ୍ତ ହେଲେ–ତାଙ୍କ ପୁଅ ତାଙ୍କର ସବର୍ଗଙ୍କ ଅଧୀନରେ ଚାକିରି କରିବ ? ଏହା ଅତି ଅପମାନଜନକ । ମାତ୍ର ଅମର ତାଙ୍କୁ ବୁଝାଇଦେଲା–କେବଳ ବ୍ୟବସାୟିକ ଜ୍ଞାନ ଅର୍ଜନପାଇଁ ସେ ଏ କାମ କରୁଛି । ଲାଲାଜୀ ମଧ୍ୟ ବୁଝିଗଲେ–ହଁ, କିଛି ହେଲେ ତ ମୁଣ୍ଡରେ ପଶିବ । ତେଣୁ ବିରୋଧ କଲେ ନାହିଁ; କିନ୍ତୁ ସୁଖଦା କି ସହଜରେ ବୁଝେ ! ଦିନେ ଏହି ବିଷୟ ନେଇ ଦୁଇ ପ୍ରାଣୀଙ୍କ ମଧ୍ୟରେ ଯୁକ୍ତି–ତର୍କ ଲାଗିଗଲା ।

 

ସୁଖଦା କହିଲା–ତୁମେ ପାଞ୍ଚ–ଦଶଟା ଟଙ୍କାପାଇଁ ପରକୁ ଖୁସାମତ କରୁଛ; ତୁମକୁ ଲାଜବି ଛାଡ଼ିଗଲା !

 

ଅମରକାନ୍ତ ପ୍ରଶାନ୍ତ ଚିତ୍ତରେ ଉତ୍ତର ଦେଲା–କାମ କରି କିଛି ଉପାର୍ଜନ କରିବାରେ ଲାଜ କ’ଣ ? ବରଂ ପର ମୁହଁକୁ ଚାହିଁ ରହିବାଟା ଲାଜ କଥା ।

 

‘‘ତେବେ ଯେତେ ଧନୀ ଘରର ପୁଅ ଅଛନ୍ତି, ସମସ୍ତେ ଅଲାଜୁକ ?”

 

‘‘ନିଶ୍ଚୟ । ଏଥିରେ ଆଶ୍ଚର୍ଯ୍ୟ କ’ଣ ଅଛି ? ବର୍ତ୍ତମାନ ବାପା ଯଦି ଖୁସିରେ ଟଙ୍କା ଦିଅନ୍ତି, ମୁଁ ତ ନେବି ନାହିଁ । ଯେ ପର୍ଯ୍ୟନ୍ତ ନିଜର ଶକ୍ତି ଜାଣିପାରି ନଥିଲି, ସେ ପର୍ଯ୍ୟନ୍ତ କଷ୍ଟ ସହୁଥିଲି । ଏବେ ଜାଣୁଛି ମୁଁ ମୋ ନିଜ ଖର୍ଚ୍ଚଟା ନିଜେ ଉଠାଇ ପାରିବି । ତେଣୁ ଆଉ କାହା ଆଗରେ ହାତ ପତାଇବି କାହିଁକି ?”

 

ସୁଖନ୍ଦା ନିଷ୍ଠୁର ଭାବରେ କହିଲା–ତୁମେ ଯଦି ତୁମ ବାପାଙ୍କଠାରୁ କିଛି ନେବାକୁ ଅପମାନ ବୋଲି ଭାବ, ମୁଁ ତାଙ୍କ ଆଶ୍ରୟରେ ରହିବି କିପରି ? ତା’ ମାନେ ମୁଁ ବି କୌଣସି ପାଠଶାଳାରେ ଚାକିରି କରିବି କିମ୍ବା ସିଲେଇ ବ୍ୟବସାୟ ଧରିବି ।

 

ଅମରକାନ୍ତ ଅଡ଼ୁଆରେ ପଡ଼ିଗଲା–ତୁମପାଇଁ ସେ ସବୁ ଦରକାର କ'ଣ ?

 

“କାହିଁକି ? ମୁଁ ଯେ ଖାଉଛି, ପିନ୍ଧୁଛି, ଗହଣା ଗଢ଼ାଉଛି, ବହି କିଣୁଛି, ପତ୍ରିକା କିଣୁଛି, ଏ ସବୁ ଅନ୍ୟର ଉପାର୍ଜନରେ ତ ? ତୁମ କଥାର ଅର୍ଥ ୟା’ବି ହୋଇପାରେ ଯେ, ତୁମ ରୋଜଗାର ଉପରେ ମୋର କିଛି ଅଧିକାର ନାହିଁ ! ମୋରବି ପରିଶ୍ରମ କରି ରୋଜଗାର କରିବା ଉଚିତ ।”

 

ଏ ସମସ୍ୟାରୁ ମୁକ୍ତି ପାଇବାପାଇଁ ଅମରକୁ ଗୋଟାଏ ଯୁକ୍ତି ଦିଶିଗଲା–ଯଦି ବାପା କିମ୍ବା ତୁମ ମା’ ତୁମ ଉପରେ ବିରକ୍ତ ହୁଅନ୍ତି, ଆଉ ମୁଁ ସେଥିରେ ଦୁଆ ଦିଏଁ, ତେବେ ନିଶ୍ଚୟ ତୁମକୁ ନିଜପାଇଁ ରୋଜଗାର କରିବାକୁ ପଡ଼ିବ ।

 

“କେହି କେବେ ମୁହାଁମୁହିଁ ନ କହିଲେବି ମନରେ ଯଦି ଭାବିପାରନ୍ତି । ମୁଁ ତ ଏପର୍ଯ୍ୟନ୍ତ ଭାବୁଥିଲି ଯେ ତୁମ ଉପରେ ମୋର ଅଧିକାର ଅଛି, ଯେତେ ଇଚ୍ଛା ତୁମଠୁଁ ଜୋର କରି ନେଇଯିବି; କିନ୍ତୁ ଏବେ ଜାଣୁଛି ମୋର ସେ ଧାରଣା ଭୁଲ । ତୁମେ ଚାହିଁଲେ ମୋତେ ରୋକଠୋକ ମନା କରିଦେବ । କଥାଟା ଏଇଆ ନା କ'ଣ ?”

 

ଅମରକାନ୍ତ ନ ପାରି କହିଲା–ତୁମେ ମୋତେ କ’ଣ କରିବାକୁ କହୁଛ ତେବେ ? ମାସକୁ ମାସ ଟଙ୍କାପାଇଁ ବାପାଙ୍କ ସଙ୍ଗେ କଳି କରୁଥିବି ?

 

“ହଁ–ହଁ, ମୁଁ ସେଇଆ ଚାହେଁ । ଏ ପରଧନ୍ଦା ଛାଡ଼ିଦେଇ ଘରଧନ୍ଦା ଦେଖ । ତେଣେ ଯେତିକି ସମୟ ଦେଉଛ, ସେତକ ଘର କାମରେ ଲଗାଅ ।”

 

“ମୁଁ ଏ ସବୁ ଦେଣା–ପାଉଣା, ସୁଧ–କଳନ୍ତରକୁ ଘୃଣା କରେ ।”

 

ସୁଖଦା ହସି ହସି କହିଲା–ଏ ତ ଖାସା ଯୁକ୍ତି ! ରୋଗୀକୁ ଛାଡ଼ିଦିଅ ସେ ଛାଏଁ ଛାଏଁ ଭଲ ହୋଇଯିବ ! କିନ୍ତୁ ସେମିତିରେ ରୋଗୀ ମରିବ ସିନା ଭଲ ହେବ ନାହିଁ । ତୁମେ ଯେତିକି ସମୟ ଦୋକାନରେ ରହିବ, ଅନ୍ତତଃ ସେତିକି ସମୟ ତ ଏ ଘୃଣିତ କାରବାର ବନ୍ଦ ରହିପାରିବ । ଖୁବ୍ ସମ୍ଭବ, ତୁମର ଆଗ୍ରହ ଦେଖିଲେ ବାପା ତୁମ ହାତରେ ସମସ୍ତ ଦାୟିତ୍ଵ ଛାଡ଼ିଦେବେ । ସେତେବେଳେ ତୁମେ ନିଜ ରୁଚି ଅନୁସାରେ କାମ କରିବ । ଆଉ ଯଦି ବର୍ତ୍ତମାନ ଏତେ ଭାର ମୁଣ୍ଡକୁ ନେବାକୁ ନ ଚାହୁଁଥାଅ, ନ ନିଅ । ତେବେ ବାପାଙ୍କ ସ୍ଵଭାବ ଉପରେ କିଛିଟା ପ୍ରଭାବ ପକାଇପାରିବ ତ । ନିଜ ନିଜ ରୀତି ଅନୁସାରେ ସଂସାରଟାଯାକ ଯାହା କରୁଛନ୍ତି, ସେ ବି ସେଇଆ କରୁଛନ୍ତି । ତୁମେ ବିରକ୍ତ ହୋଇ କ’ଣ ତାଙ୍କର ବିଚାରଧାରା ବଦଳାଇ ପାରିବ ? ତୁମେ ଯଦି ତୁମ ମତ ନ ବଦଳାଅ, ତେବେ ମୁଁ କହିରଖୁଛି, ମୁଁ ଆମ ଘରକୁ ପଳାଇଯିବି । ତୁମେ ଯେପରି ଭାବରେ ଜୀବନ କଟାଇବାକୁ ଚାହୁଁଛ, ତା’ ମୋର ମନୋମତ ନୁହେଁ । ତୁମେ ପିଲାବେଳରୁ ଆଘାତ ପାଇ ଆସିଛ–କଷ୍ଟ ସହିବାରେ ଅଭ୍ୟସ୍ତ । ମୋ ପକ୍ଷରେବି ଏ ନୂଆ ଅନୁଭୂତି ।

 

ଅମରକାନ୍ତ ପରାଜୟ ସ୍ଵୀକାର କଲା । ତା’ର କିଛିଦିନ ପରେ ସେ ଅବଶ୍ୟ କେତୋଟି ଉତ୍ତର ବାହାର କଲା; କିନ୍ତୁ ତାହା ପ୍ରକାଶ କରିବାର ଅବସର ତାକୁ ଆଉ ମିଳିଲା ନାହିଁ । ନା, ସୁଖଦାର ପରାମର୍ଶ ତାକୁ ନ୍ୟାୟସଙ୍ଗତ ବୋଧ ହେଲା । ପିତାଙ୍କର କୃପଣତା ତା’ର ସ୍ଵତନ୍ତ୍ର ଚିନ୍ତାଧାରାକୁ ଆଧାର ଯୋଗାଇ ଆସିଥିଲା, ଆଉ ତାକୁ ପୁଷ୍ଟ କରି ଆସିଥିଲା ବିମାତାର ନିର୍ମମତା, ତର୍କ ବା ସିଦ୍ଧାନ୍ତ ଉପରେ ତାହା ପ୍ରତିଷ୍ଠିତ ନଥିଲା । ଯାହା ହେଉ, ତା’ର ଚିତ୍ତବୃତ୍ତିରେ ପରିବର୍ତ୍ତନ ନ ଆସିଥିଲେ ମଧ୍ୟ ସେ ଚିଠିପତ୍ର ଲେଖିବା କାମ ଛାଡ଼ିଦେବାକୁ ସ୍ଥିର କଲା । ଦୋକାନରେ ବସିବାରେ ତା’ର ସେପରି ପ୍ରବଳ ଆପତ୍ତି ନଥିଲା; କିନ୍ତୁ ବାପାଙ୍କଠାରୁ ନିଜର ପଢ଼ାଖର୍ଚ୍ଚ ନେବାପାଇଁ ସେ ନିଜ ମନକୁ କୌଣସି ପ୍ରକାରେ ବୁଝାଇପାରିଲା ନାହିଁ । ଏଥିପାଇଁ ତାକୁ ଅନ୍ୟ ଏକ ପନ୍ଥା ଧରିବାକୁ ପଡ଼ିଲା । କିଛିଦିନ ପାଇଁ ସେ ଯେପରି ସୁଖଦା ସହିତ ସନ୍ଧି ସ୍ଥାପନ କଲା ।

 

ଇତିମଧ୍ୟରେ ଆଉ ଏକ ଘଟଣା ଘଟିଗଲା, ଯାହାକି ତା'ର ସ୍ୱାତନ୍ତ୍ର୍ୟ କଳ୍ପନାକୁ ଶିଥିଳ କରି ପକାଇଲା ।

 

ଏଣେ ସୁଖଦା ବର୍ଷେ ହେଲା ବାପଘରକୁ ଯାଇ ନାହିଁ । ବିଧବା ମା’ ତା’ର ବାରମ୍ବାର ଡାକରା ପଠାଉଛନ୍ତି । ଲାଲା ସମରକାନ୍ତ ମଧ୍ୟ ସମ୍ମତ–ବୋହୂ ଗୋଟାଏ ଦୁଇଟା ମାସ ବାପଘରେ ବୁଲିଆସୁ; ମାତ୍ର ସୁଖଦା ଯିବାର ନାମ ଧରୁନାହିଁ । ସେ ଯେ ଅମରକାନ୍ତ ବିଷୟରେ ନିଶ୍ଚିନ୍ତ ହୋଇପାରୁ ନାହିଁ । ସେ ଏପରି ଏକ ଘୋଡ଼ାର ସବାର ହୋଇଛି, ଯାହାକୁ ନିତି କିଛି ସମୟ ଚଲାବୁଲା କରାଇବା ଏକାନ୍ତ ଆବଶ୍ୟକ । ପାଞ୍ଚ–ଦଶ ଦିନ ଅଭ୍ୟାସ ଭାଙ୍ଗିଗଲେ ଆଉ ପିଠିରେ ହାତ ମରାଇ ଦେବ ନାହିଁ । ସେ ଅମରକାନ୍ତକୁ ଛାଡ଼ି ଯାଉଛି କିପରି ?

 

ଶେଷରେ ମା’ ତା’ର ନିଜେ କାଶୀ ଆସିବାକୁ ସ୍ଥିର କଲେ । ତାଙ୍କରବି ସେତେବେଳକୁ କାଶୀ–ବାସ କରିବାର ବାସନା ଜାଗିଲାଣି । ତାଙ୍କୁ ସ୍ଵାଗତ କରିବାପାଇଁ ମାସେକାଳ ଆୟୋଜନରେ ଲାଗିଲା । ବହୁ ଚେଷ୍ଟାରେ ଗଙ୍ଗାକୂଳରେ ମନୋମତ ଘରଟିଏ ମିଳିଗଲା । ଘରଟି ଅତି ବଡ଼ ନୁହେଁ କି ଛୋଟ ନୁହେଁ । ତାକୁ ପରିଷ୍କାର ପରିଚ୍ଛନ୍ନ କରି ବାସୋପଯୋଗୀ କରିବାରେ କିଛିଦିନ ଚାଲିଗଲା । ଶାଶୁ ତା’ ନାମରେ ହଜାରେ ଟଙ୍କାର ବୀମା ପଠାଇ ଦେଇଥିଲେ–ଗୃହର ଆବଶ୍ୟକ ଶହ ଶହ ସାମଗ୍ରୀ ସଂଗ୍ରହ କରିବାକୁ ହେବ । ସେ କାଟିକୁଟି ଅଧେ ଟଙ୍କାରେ ସମସ୍ତ ବ୍ୟବସ୍ଥା କରିଦେଲା । କଡ଼ା–ଗଣ୍ଡା ପର୍ଯ୍ୟନ୍ତ ହିସାବ ଲେଖି ରଖିଲା । ଶାଶୁ ପ୍ରୟାଗ–ସ୍ନାନ ସାରି ମାଘ ମାସରେ କାଶୀରେ ପହଞ୍ଚିଲାବେଳକୁ ସେଠାକାର ବ୍ୟବସ୍ଥା ଦେଖି ଅତ୍ୟନ୍ତ ପ୍ରସନ୍ନ ହେଲେ ।

 

ଅମରକାନ୍ତ ଅବଶିଷ୍ଟ ପାଞ୍ଚ ଶହ ଟଙ୍କା ନେଇ ଶାଶୁଙ୍କ ସାମନାରେ ଥୋଇ ଦେଲା । ରେଣୁକା ଦେବୀ ବିସ୍ମିତା ହୋଇ କହିଲେ–କ’ଣ ମୋତେ ପାଞ୍ଚ ଶହରେ ସବୁ ହୋଇଗଲା ? ମୋର ତ ବିଶ୍ଵାସ ହେଉ ନାହିଁ !

 

“ନାଇଁ, ପ୍ରକୃତରେ ପାଞ୍ଚ–ଶ’ ଟଙ୍କା ଖର୍ଚ୍ଚ ହୋଇଛି ।’’

 

‘‘ତୁମେ ଯାହା କରିଛ, ପ୍ରଶଂସା ଯୋଗ୍ୟ । ଏଇ ଅବଶିଷ୍ଟ ଟଙ୍କା ତୁମର ।”

ଅମର ଲଜ୍ଜିତ ହୋଇ କହିଲା–ଦରକାରବେଳେ ଆପଣଙ୍କଠୁଁ ମାଗିନେବି । ବର୍ତ୍ତମାନ ତ କିଛି ଦରକାର ନାହିଁ ।

ରେଣୁକା ଦେବୀ କେବଳ ରୂପ ଓ ବୟସରେ ନୁହେଁ, ଆଚାର ବିଚାରରେବି ବୃଦ୍ଧା ଥିଲେ-। ବ୍ରତ–ଦାନରେ ତାଙ୍କର ଆସ୍ଥାନ ନଥିଲା; ମାତ୍ର ଲୋକମତକୁ ଅବହେଳା କରନ୍ତେ କିପରି-? ‘ବିଧବା ଜୀବନ ତପସ୍ଵିନୀ ଜୀବନ’, ଲୋକମତ ଏହାର କୌଣସି ପରିବର୍ତ୍ତନ ସହିପାରେ ନାହିଁ-। ଲୋକ–ବାଧ୍ୟରେ ରେଣୁକା ଦେବୀଙ୍କୁ ଧର୍ମ–କର୍ମର ଅଭିନୟ କରିବାକୁ ପଡ଼ୁଥିଲା; କିନ୍ତୁ କୌଣସି ଅବଲମ୍ବନ ବିନା ଜୀବନଧାରଣ ଯେ ଅସମ୍ଭବ । ଚଟଣି–ଆଚାର ଖାଇଲେ କ୍ଷୁଧା ଶାନ୍ତ ହୁଏ ନାହିଁ; ସେହିପରି ଆମୋଦ–ପ୍ରମୋଦ ବା ଭୋଗ–ବିଳାସରେ ଆତ୍ମା ସନ୍ତୁଷ୍ଟ ହୁଏ ନାହିଁ । ଜୀବନ କୌଣସି ତଥ୍ୟକୁ ଆଶ୍ରୟ କରି ରହିଥାଏ । ରେଣୁକା ଦେବୀଙ୍କ ଜୀବନର ଏକ ଆଶ୍ରୟ ଥିଲା– ପଶୁ-ପ୍ରେମ-। ସେ ଗୋଟିଏ ଚିଡ଼ିଆଖାନାର ପଶୁ–ପକ୍ଷୀ ସଙ୍ଗରେ ନେଇ ଆସିଥିଲେ । ଶୁଆ–ସାରୀ, ବିଲେଇ, କୁକୁର, ମାଙ୍କଡ଼, ମୟୂର, ଗାଈ ପ୍ରଭୃତି ପାଳିବା ଓ ସେହିମାନଙ୍କ ସୁଖ–ଦୁଃଖରେ ନିଜକୁ ମଜ୍ଜାଇ ଦେବାରେ ସେ ଜୀବନର ସାର୍ଥକତା ଅନୁଭବ କରୁଥିଲେ । ପ୍ରତ୍ୟେକର ଭିନ୍ନ ଭିନ୍ନ ନାମ; ରହିବାକୁ ଭିନ୍ନ ଭିନ୍ନ ସ୍ଥାନ, ଖିଆପିଆ ପାଇଁ ଭିନ୍ନ ଭିନ୍ନ ବାସନ । ଅନ୍ୟ ସମ୍ଭ୍ରାନ୍ତ ବ୍ୟକ୍ତିଙ୍କ ପରି ତାଙ୍କର ପଶୁ ପ୍ରେମ ଲୋକଦେଖାଣିଆ, ଫେସନ ବା ମନଭୁଲା ବିଷୟ ନଥିଲା । ତାଙ୍କର ଜୀବନ ଥିଲା ସେହି ପଶୁ–ପକ୍ଷୀମାନଙ୍କଠାରେ । ସେମାନଙ୍କ ଛୁଆମାନଙ୍କୁ ସେ ଏଡ଼େ ମାତୃତ୍ଵଭରା ସ୍ନେହରେ ଖୁଆଉଥିଲେ, ସତେ ଯେପରି ସେମାନେ ତାଙ୍କରି ନାତି–ନାତୁଣୀ ! ପଶୁ–ପକ୍ଷୀଗୁଡ଼ିକ ମଧ୍ୟ ତାଙ୍କ କଥା ଓ ଇଙ୍ଗିତକୁ ଏପରି ବୁଝିପାରୁଥିଲେ ଯେ, ଦେଖିବା ଲୋକେ ଆଶ୍ଚର୍ଯ୍ୟବୋଧ କରୁଥିଲେ-

ପରଦିନ ମା’–ଝିଅଙ୍କ ଭିତରେ କଥାବାର୍ତ୍ତା ହେଲା । ରେଣୁକା କହିଲେ ଶଶୁର–ଘର ତୋର ଏଡ଼େ ପ୍ରିୟ ହେଲା ?

ସୁଖଦା ଲଜ୍ଜିତା ହୋଇ କହିଲା–କ’ଣ କରିବି କହିଲୁ ମା’ ! ଏମିତି ଜଞ୍ଜାଳରେ ପଡ଼ିଛି ଯେ ବୁଦ୍ଧି ବାଟ ଦିଶୁ ନାହିଁ । ବାପ–ପୁଅଙ୍କର ବିଲ୍‍କୁଲ୍ ପଡ଼ୁନି । ବାପା କହନ୍ତି କି ସେ (ଅମର) ଘରଧନ୍ଦା ଦେଖନ୍ତୁ । ସେ କହନ୍ତି କି ମୁଁ ଏପରି ବ୍ୟବସାୟକୁ ଘୃଣା କରେଁ । କହିଲୁ, ମୁଁ ଚାଲିଯାଇଥିଲେ ଅବସ୍ଥା କ'ଣ ହେଇଥାନ୍ତା ? ମୋର ସବୁବେଳେ ଡର–କେତେବେଳେ ସେ ଘର ଛାଡ଼ି କୁଆଡ଼େ ଚାଲିଯିବେ । ତୁ ତ ମୋତେ କୂଅକୁ ପେଲି ଦେଇଛୁ, କହିବି କ’ଣ ?

ରେଣୁକା ଚିନ୍ତିତା ହୋଇ କହିଲେ–ମୁଁ ତ ମୋ ଜାଣିବାରେ ଭଲ ଘର–ବର ଦେଖି ଦେଇଥିଲି । ତୋ ଭାଗ୍ୟକୁ ମୁଁ ଆଉ କ’ଣ କରିବି । ଆରେ, ଜ୍ଵାଇଁଙ୍କ ସଙ୍ଗେ ତୋର ଏବେ ପଡ଼ିଲାଣି ନା ସେଇମିତି ?

ସୁଖଦା ପୁଣି ଲଜ୍ଜା ପ୍ରକାଶ କଲା । ତା’ର ଗାଲ ଦୁଇଟି ଲାଲ ହୋଇଗଲା । ମଥା ନୁଆଁଇ କହିଲା–ତାଙ୍କର ତ ବହି ଆଉ ସଭା–ସମିତିପାଇଁ ବେଳ ନିଅଣ୍ଟ ।

“ତୋ ପରି ରୂପବତୀ ପୁଣି ସାଦାସିଧା ପିଲାକୁବି ବଶ କରିପାରୁନି ! ଚାଲି–ଚଳନ କେମିତିରେ ?”

ସୁଖଦା ଜାଣିଥିଲା, ଅମରକାନ୍ତର ସେପରି ଦୁର୍ଭାବନା ନାହିଁ; ତଥାପି ସେତେବେଳେ ସେ ଦୃଢ଼ ଭାବରେ ଏକଥା କହିପାରିଲା ନାହିଁ । ତା’ର ନାରୀତ୍ଵ ଉପରେ ଗୋଟାଏ ଦାଗ ପଡ଼ିଯାଉଥିଲା । କହିଲା–ମୁଁ କା’ ମନକଥା କିମିତି ଜାଣିବି ? ଏତେଦିନ ଗଲାଣି, କେବେ ଭଲା ମୋପାଇଁ ଗୋଟାଏ ଜିନିଷ ଆଣିଥାଆନ୍ତେ ! କେମିତି ଅଛି, କ’ଣ କରୁଛି, ସେ କିଛି ବୁଝନ୍ତିନି ।

 

ରେଣୁକା ପଚାରିଲେ–ତୁ ତାଙ୍କୁ ପଚରା–ଉଚରା କରୁନା ? ଭଲ–ମନ୍ଦ ଖୁଆଉ ନା ? ତେଲ ଲଗାଇ ଦେଉ ନା ?

 

ସୁଖଦା ଗର୍ବର ସହିତ କହିଲା–ସେ ଯେତେବେଳେ ମୋତେ ପଚାରନ୍ତିନି, ମୋର କି ଗରଜ ପଡ଼ିଚି ଯେ ! ସେ ଯେମିତି କହନ୍ତି, ମୁଁ ବି ସେମିତି କହେଁ । ମୁଁ ତ କାହାରି ଗୋଲାମି କରିପାରିବିନି ।

 

ରେଣୁକା ତିଆରି କହିଲେ ରାଗ କର୍ ପଛେ ଝିଅ, ! ମୁଁ ଦେଖୁଚି ତୋର ଦୋଷ ବେଶି । ତୁ ରୂପପାଇଁ ଗର୍ବ କରୁଛୁ । ତୋ ମନରେ ସେ ତୋ ରୂପରେ ସେ ଆତ୍ମହରା ହୋଇ ତୋ ଗୋଡ଼ତଳେ ମୁଣ୍ଡ ଗଡ଼େଇବ ? ହଁ, ଏମିତି ପୁରୁଷବି ଅଛନ୍ତି, ମୁଁ ଜାଣେ; କିନ୍ତୁ ସେ ପ୍ରେମ ଚିର ନୁହେଁ, ଜାଣିଥା । ତୁ ତା’ ପାଖରେ କାହିଁକି ଟାଣ ଦେଖଉ କେଜାଣି ! ମୋ ଜାଣିବାରେ ସେ ତ ଭାରି ନିରୀହ, ଭାରି ବିବେକୀ । ସତ କହୁଚି ଝିଅ, ମୋର ତା’ ଉପରେ ଦୟା ଆସେ । ବିଚରା ତ ପିଲାଟି ଦିନରୁ ମା’କୁ ହରେଇଚି । ସାବତ ମା’ ତ କଞ୍ଚା ଡାଆଣୀ । ବାପ ହେଲା ବଇରୀ । ଘରକୁ ବା ନିଜର ବୋଲି ଜାଣିବ କୁଆଡ଼ୁ ! ଯେଉଁ ହୃଦୟକୁ ଚିନ୍ତାଭାର ଦବେଇ ରଖିଥିଲା, ତାକୁ ଆଗେ ସ୍ନେହ–ସୁଆଗରେ ନରମ କଲେ ସିନା ସେଥିରେ ପ୍ରେମର ବୀଜ ଅଙ୍କୁର ହେବ ।

 

ସୁଖଦା ଚିଡ଼ିଯାଇ କହିଲା–ତାଙ୍କର ଇଚ୍ଛା, ମୁଁ ତାଙ୍କ ସଙ୍ଗେ ତପସ୍ଵିନୀ ହୋଇ ରହନ୍ତି, ରୁଖାଶୁଖା ଖାଆନ୍ତି, ମୋଟାରୋଟା ପିନ୍ଧନ୍ତି, ଆଉ ସେ ଘରୁ ଅଲଗା ହୋଇ ମଜୁରୀ–ମେହନତ୍ କରନ୍ତେ । ସବୁଦିନ ପାଇଁ ତାଙ୍କ ମୋ ସମ୍ପର୍କ ତୁଟିଯାଉ ପଛେ, ମୁଁ ତ ତା’ କରିପାରିବିନି । ସେ ତ ତାଙ୍କର ଯାହା ଇଚ୍ଛା କରିବେ, ମୋ ସୁଖ–ଦୁଃଖ ମୋଟେ ବୁଝିବେନି । ମୁଁ ବା ତାଙ୍କ ମୁହଁକୁ ଚାହିଁ ବସିବି କେମିତି ?

 

ରେଣୁକା ତିରସ୍କାରପୂର୍ଣ୍ଣ ଦୃଷ୍ଟିରେ ଚାହିଁ କହିଲେ–ଆଉ ଆଜି ଯଦି ଲାଲା ସମରକାନ୍ତଙ୍କ ସମ୍ପତ୍ତି ଉଜୁଡ଼ିଯାଏ ?

 

ସୁଖଦା ଏପରି କଳ୍ପନା କେବେ କରି ନଥିଲା । ବିମୂଢ଼ ଭାବରେ କହିଲା–ଉଜୁଡ଼ି ଯାଉଛି କାହିଁକି ?

 

“ଏ'ଟା ତ ଅସମ୍ଭବ ନୁହେଁ ।”

 

ସୁଖଦା ମାତୃ–ସମ୍ପତ୍ତିର ଆଶ୍ରୟ ନେଲା ନାହିଁ । ସେ କରିପାରିଲା ନାହିଁ, ‘ତୋ ପାଖରେ ଯାହା ଅଛି, ସେ ତ ମୋର ।’ ଆତ୍ମସମ୍ମାନ ତାକୁ ଏ କଥା କୁହାଇ ଦେଲା ନାହିଁ । ମା’ର ଏପରି ନିର୍ଦ୍ଦୟ ପ୍ରଶ୍ନରେ ବିବ୍ରତ ହୋଇ ସେ କହିଲା–ଯେତେବେଳେ ମରଣ ଆସେ, ଲୋକ ମରିଯାଏ । ତା’ ବୋଲି ଜାଣିଶୁଣି କେହି ନିଆଁକୁ ଡ଼ିଏଁନି ।

 

କଥା–ପ୍ରସଙ୍ଗରେ ରେଣୁକା ଜାଣିଲେ ଯେ ତାଙ୍କ ସମ୍ପତ୍ତିର ଉତ୍ତରାଧିକାରୀଟିଏ ଆସୁଛି । ଝିଅର ଭବିଷ୍ୟତ ବିଷୟରେ ସେ ଚିନ୍ତିତା ଥିଲେ । ଏ ସୂଚନାରେ ତାଙ୍କର ଚିନ୍ତା ଶାନ୍ତ ପଡ଼ିଲା । ସେ ଆନନ୍ଦ–ବିହ୍ଵଳ ହୋଇ ସୁଖଦାକୁ କୋଳକୁ ଟାଣିନେଲେ ।

 

–୫–

 

ଅମରକାନ୍ତ ତା’ ଜୀବନରେ ମାତୃସ୍ନେହ–ସୁଖ ଅନୁଭବ କରି ନଥିଲା । ମାତୃବିୟୋଗବେଳକୁ ସେ ଥିଲା ଅତି ଛୋଟ । ସେହି ଦୂର ଅତୀତର ସାମାନ୍ୟ ଅସ୍ପଷ୍ଟ ଏବଂ ସେହି କାରଣରୁ ଅତ୍ୟନ୍ତ ମନୋହର ଓ ସୁଖଦ ସ୍ମୃତି ତା’ ପାଖରେ ଅବଶିଷ୍ଟ ଥିଲା ମାତ୍ର । ତା’ର ବ୍ୟଥାଭରା ବାଲ୍ୟ–ବିଳାପ ଶୁଣି ସତେ ଯେପରି ତା’ର ମା’ ରେଣୁକା ଦେବୀ ରୂପରେ ସ୍ଵର୍ଗରୁ ଓହ୍ଲାଇ ତାକୁ କୋଳକୁ ଟାଣିନେଲେ ! ବାଳକଟି ତା'ର ଶୋକ–ସନ୍ତାପ ପାଶୋରି ସେହି ମମତାମୟ କୋଳରେ ମୁହଁ ଲୁଚାଇ ସ୍ଵର୍ଗ–ସୁଖ ଅନୁଭବ କଲା । ଅମର ନାହିଁ–ନାହିଁ କରୁଥାଏ, ମା’ ତାକୁ ଧରି ଫଳ, ମିଷ୍ଟାନ୍ନ ପ୍ରଭୃତି ତା’ ଆଗରେ ଥୋଇ ଦିଅନ୍ତି । ସେ ମନା କରିପାରେ ନାହିଁ । ସେ ଦେଖେ, ମା’ ତା’ପାଇଁ କେବେ କିଛି ରାନ୍ଧୁଥାଆନ୍ତି ତ କେବେ କିଛି ଖୁଆଇ ପ୍ରସନ୍ନ ହେଉଥାନ୍ତି । ସେତେବେଳେ ତା’ ହୃଦୟରେ ଶ୍ରଦ୍ଧାର ଲହରୀ ଉଠେ । ସେ କଲେଜରୁ ଫେରି ସିଧା ରେଣୁକାଙ୍କ ନିକଟକୁ ଚାଲିଯାଏ । ତେଣୁ ରେଣୁକା ଜଳଖିଆ ପ୍ରସ୍ତୁତ କରି ତା’ ବାଟ ଚାହିଁ ବସିଥାନ୍ତି । ସକାଳର ଜଳଖିଆବି ସେଇଠି ହୁଏ । ଏତିକି ମାତୃ–ସ୍ନେହରେ ତାକୁ ତୃପ୍ତି ମିଳୁ ନଥିଲା । ଛୁଟି ଦିନରେ ସେ ପ୍ରାୟ ସେହି ରେଣୁକାଙ୍କ ଘରେ ରହୁଥିଲା । କେବେକେବେ ନୟନାବି ତା’ ସଙ୍ଗେ ଚାଲିଯାଏ । ବିଶେଷତଃ ସେ ଯାଏଁ ପାଳିତ ପଶୁ–ପକ୍ଷୀମାନଙ୍କ କ୍ରୀଡ଼ା–କୌତୁକ ଦେଖିବାପାଇଁ ।

 

ଅମରକାନ୍ତର ଗନ୍ତାଘରେ ସେହି ଅନ୍ତରଜିଣା ସ୍ନେହ–ପ୍ରୀତି ପଶିବାରୁ ତା’ର ପୂର୍ବ କୃପଣତା ଦୂର ହେବାକୁ ଲାଗିଲା । ସୁଖଦା ନିକଟେଇ ଆସିଲା । ଅମର ଆଉ ତା’ର ବିଳାସିତାକୁ ଡରିଲା ନାହିଁ । ରେଣୁକାଙ୍କ ସହିତ ତାକୁ ନେଇ ଆନନ୍ଦ–ବିହାର କରିବାକୁ ମଧ୍ୟ ବାହାରିଲା । ପାଞ୍ଚ ଦଶ ଦିନ ଅନ୍ତରରେ ରେଣୁକା ତା’ ହାତରେ ପାଞ୍ଚ–ଦଶ ଟଙ୍କା ଦେଇ ଦିଅନ୍ତି । ତାଙ୍କର ପ୍ରେମପୂର୍ଣ୍ଣ ଆଗ୍ରହ ଦେଖି ଅମର କେବେ କୌଣସି ଆପତ୍ତି ଉଠାଇପାରେ ନାହିଁ । ଏଣିକି ତା’ପାଇଁ ନୂଆ ସୁଟ୍ ହେଲା, ନୂଆ ନୂଆ ଜୋତା ଆସିଲା, ମଟର–ସାଇକଲ ଆସିଲା । ସେହି ବିଳାସ–ବିରୋଧୀ, ସରଳତାର ପୂଜାରୀଟି ମାତ୍ର ପାଞ୍ଚ ଛ'ଟି ମାସରେ ରୀତିମତ ବିଳାସପ୍ରିୟ ହୋଇଉଠିଲା । ବିଳାସପ୍ରିୟର ଆଚାର–ବିଚାର, ସେହିପରି ଦ୍ଵିଧାହୀନ ସ୍ୱାର୍ଥପରତା । ଦଶ–କୋଡ଼ିଏ ଟଙ୍କା ସର୍ବଦା ତା’ ପକେଟରେ ପଡ଼ିଥାଏ । ନିଜେ ଖାଏ, ବନ୍ଧୁମାନଙ୍କୁ ଖୁଆଏ, ଟଙ୍କାଏ ଜାଗାରେ ଦୁଇ ଟଙ୍କା ଖର୍ଚ୍ଚ କରେ । ଏଣିକି ପୂର୍ବର ଅଧ୍ୟୟନଶୀଳତା ହ୍ରାସ ପାଇଲାଣି, ତାସ୍–ପଶା ଅମୋଦଦାୟକ ବୋଧ ହେଲାଣି; ମାତ୍ର ସଭା–ସମିତି ପ୍ରତି ଉତ୍ସାହ ପୂର୍ବାପେକ୍ଷା ବୃଦ୍ଧି ପାଇଛି । ସେଥିରେ ଯେ ଯଶ ଅର୍ଜନର ସୁଯୋଗ ମିଳେ । ପୂର୍ବେ ତା’ର ଭୀଷଣ–କ୍ଷମତା ଅଭାବ ନଥିଲେବି ଏବେ ଅଭ୍ୟାସ ଯୋଗୁଁ ତାହା ଆହୁରି ପରିମାର୍ଜିତ ହୋଇଗଲାଣି । ଦୈନିକ ସମ୍ବାଦ ଓ ସାମୟିକ ସାହିତ୍ୟରେ ମଧ୍ୟ ରୁଚି ବଢ଼ିଲାଣି । ଏହାର କାରଣ, ରେଣୁକା ଦେବୀ ପ୍ରତିଦିନର ସମ୍ବାଦ ତାକୁ ପଢ଼ାଇ ଶୁଣନ୍ତି ।

 

ଦୈନିକ ସମ୍ବାଦପତ୍ର ପଢ଼ିବା ଫଳରେ ଅମରକାନ୍ତର ରାଜନୈତିକ ଚେତନା ବିକଶିତ ହେବାକୁ ଲାଗିଲା । ଦେଶବାସୀଙ୍କ ପ୍ରତି ବିଦେଶୀ ଶାସକ ଗୋଷ୍ଠୀର କୌଣସି ଅନୀତି ଦେଖିଲେ ତା’ର ରକ୍ତ ତାତି ଉଠିଲା । ରାଷ୍ଟ୍ରୀୟ ଉତ୍ଥାନ ସକାଶେ ଉଦ୍ୟମ କରୁଥିବା ସମସ୍ତ ଅନୁଷ୍ଠାନ ପ୍ରତି ତା’ର ସହାନୁଭୂତି ଜାଗିଲା । ସେ ସେହି ନଗରୀର କଂଗ୍ରେସ କମିଟିର ସଦସ୍ୟ ହେଲା ଓ ତା’ର କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କଲା ।

 

ଦିନେ କେତେକ କଲେଜ–ଛାତ୍ର ଗ୍ରାମାଞ୍ଚଳର ଆର୍ଥିକ ଅବସ୍ଥା ଅନୁଧ୍ୟାନ କରିବାକୁ ବାହାରିଲେ । ସଲୀମ୍ ଓ ଅମର ମଧ୍ୟ ଯୋଗ ଦେଲେ । ଅଧ୍ୟାପକ ଡକ୍ଟର ଶାନ୍ତିକୁମାର ହେଲେ ସେମାନଙ୍କର ନେତା । କେତୋଟି ଗ୍ରାମ ପର୍ଯ୍ୟବେକ୍ଷଣ ସାରି ସନ୍ଧ୍ୟାରେ ଫେରିବାବେଳେ ଅମର କହିଲା–ମୁଁ କେବେ ଅନୁମାନ କରି ନଥିଲି ଯେ ଆମର କୃଷକମାନଙ୍କ ଅବସ୍ଥା ଏଡ଼େ ନୈରାଶ୍ୟଜନକ ।

 

ସଲୀମ୍ କହିଲା–ପୋଖରୀକୂଳର ସେହି ଯେଉଁ ଚାରି ପାଞ୍ଚ ଘର କେଉଟ, ସେମାନଙ୍କର ତ ଖଣ୍ଡେ ଦିଖଣ୍ଡ ଲୁହା ବାସନ ଛଡ଼ା ଆଉ କିଛି ନାହିଁ । ମୁଁ ଭାବିଥିଲି, ଗ୍ରାମବାସୀଙ୍କ ଘରେ ଅମାର–ଅମାର ଶସ୍ୟ ଜମା ହୋଇଥିବ; କିନ୍ତୁ କାହାରି, ଘରେ ତ ଟୋକେଇଏବି ନାହିଁ !

 

ଡକ୍ଟର ଶାନ୍ତିକୁମାର କହିଲେ–ସବୁ କୃଷକ ଯେ ଗରିବ, ତା’ ନୁହେଁ । ବଡ଼ବଡ଼ କୃଷକଙ୍କର ଧାନ ଅମାରବି ଅଛି । ହେଲେ ଏପରି କୃଷକ ଗ୍ରାମ ଗୋଟାକେ ଅନ୍ତତଃ ଦୁଇ ଚାରି ଜଣ ଥା’ନ୍ତି ।

 

ଅମରକାନ୍ତ ବିରୋଧ କଲା–ଏ ଗାଁରେ ତ ମୁଁ ଜଣେ ହେଲେ ସେପରି କୃଷକ ଦେଖିଲି ନାହିଁ । ପୁଣି ମହାଜନ ଓ କର୍ମଚାରୀମାନେ ଏହି ଗରିବଙ୍କୁ ଶୋଷଣ କରନ୍ତି । ମୁଁ ଭାବୁଛି, ସେମାନଙ୍କର ଏ ବିଚାରାଗୁଡ଼ିଙ୍କ ପ୍ରତି ଦୟା–ମାୟାବି ନାହିଁ ।

 

ଶାନ୍ତିକୁମାର ହସି ହସି କହିଲେ–ଦୟା ଓ ଧର୍ମକୁ ବହୁକାଳ ପର୍ଯ୍ୟନ୍ତ ପରୀକ୍ଷା କରାଗଲା ଓ ଏ ଦୁହିଁଙ୍କର ଓଜନ କମ୍ ବୋଲି ପ୍ରମାଣିତ ହେଲା । ଏଟା ନ୍ୟାୟ–ପରୀକ୍ଷାର ଯୁଗ କି ନା !

 

ଶାନ୍ତିକୁମାରଙ୍କ ବୟସ ପ୍ରାୟ ପଞ୍ଚତିରିଶବର୍ଷ । ଗୋରା ତକତକ‌ ରୂପବାନ୍ ପୁରୁଷ । ପରିଧେୟ ବିଲାତି ଢଙ୍ଗର । ଦେଖିଲେ ଇଂରେଜ ଲୋକ ବୋଲି ସନ୍ଦେହ ହୁଏ; କାରଣ ବାଳଗୁଡ଼ିକ କହରା ଓ ଆଖି ଦୁଇଟି ନୀଳ । ଅକ୍‌ସଫୋର୍ଡ଼ ୟୁନିଭର୍‍ସିଟିରୁ ଡକ୍ଟର ଉପାଧି ପାଇଛନ୍ତି । ବିବାହର ତୀବ୍ର ବିରୋଧୀ ସ୍ଵାଧୀନତାର ଏକାନ୍ତ ପ୍ରେମୀ ଭକ୍ତ । ପ୍ରସନ୍ନ ବଦନ, ହୃଦୟବାନ, ସେବାପରାୟଣ ବ୍ୟକ୍ତି । ପରିହାସର କୌଣସି ସୁଯୋଗ ସେ ଛାଡ଼ନ୍ତି ନାହିଁ । ଛାତ୍ରଙ୍କ ସହିତ ମିଶ୍ରଭାବ ରଖନ୍ତି । ରାଜନୀତିକ ଆନ୍ଦୋଳନରେ ପ୍ରାୟ ଭାଗ ନିଅନ୍ତି; କିନ୍ତୁ ଗୋପନରେ । ସମ୍ମୁଖ ଯୁଦ୍ଧକୁ ଯାଆନ୍ତି ନାହିଁ, ସାମାଜିକ କ୍ଷେତ୍ରରେ ବେଶ୍ ଗର୍ଜନ–ତର୍ଜନ କରନ୍ତି ।

 

ଅମରକାନ୍ତ କରୁଣ ସ୍ଵରରେ କହିଲା–ଯେଉଁ ଲୋକଟି ଛ’ମାସ ହେଲା ରୋଗରେ ପଡ଼ିଛି; ଅଥଚ ପଇସାଟାକର ଔଷଧ ଖାଇପାରୁ ନାହିଁ, ତା’ ଚେହେରା ତ ମୁଁ ଭୁଲିପାରୁ ନାହିଁ । ଏପରି ଅବସ୍ଥାରେ ଜମିଦାର ଖଜଣାପାଇଁ ଡିଗ୍ରୀ ଚଳାଇ ତା’ ଘରେ ଯାହା କିଛି ଥିଲା, ନିଲାମ କରାଇ ନେଲା । ବଳଦ ପର୍ଯ୍ୟନ୍ତ ବିକ୍ରି ହୋଇଗଲା । ଏପରି ଅନ୍ୟାୟ–ସୃଷ୍ଟିର ନିୟନ୍ତା କୌଣସି ଚେତନ–ଶକ୍ତି ହୋଇପାରେ, ଏଥିରେ ମୁଁ ବିଶ୍ଵାସ କରିପାରୁ ନାହିଁ । ତୁ ଦେଖିନାହୁଁ ସଲୀମ୍, ଗରିବ ବାପୁଡ଼ାଟି ଦେହରେ ଛିଣ୍ଡାକନା ପର୍ଯ୍ୟନ୍ତ ନଥିଲା ! ବୁଢ଼ୀମାଟି ତା’ର କି ବିକଳ ହୋଇ କାନ୍ଦୁଥାଏ !

 

ସଲୀମ୍ ଆଖିରେ ଲୁହ । କହିଲା–ତୁ ଟଙ୍କା ଦେବାବେଳେ ବୁଢ଼ୀଟି କେମିତି ତୋ ପାଦତଳେ ଲୋଟିପଡ଼ିଲା । ମୁଁ ତ ମୁହଁ ବୁଲାଇ କାନ୍ଦିପକେଇଲି ।

 

ଛାତ୍ରମଣ୍ଡଳୀ ଏହିପରି କଥାବାର୍ତ୍ତା କରି କରି ଯାଉ ଯାଉ ପକ୍କା ସଡ଼କରେ ପହଞ୍ଚି ସାରିଥିଲେ । ଦୁଇ ପାଖର ଉଚ୍ଚ ଉଚ୍ଚ ଗଛଗୁଡ଼ିକ ସଡ଼କକୁ ଅନ୍ଧାର କରି ଦେଇଥାନ୍ତି । ସଡ଼କର ଉଭୟ ପାଖରେ ଆଖୁ ଓ ହରଡ଼ କିଆରିମାନ । କିଛି ଦୂରରେ ଜଣେ ଜଣେ ଶ୍ରମିକ ବା ପଥିକ ଭେଟ ହେଉଥାନ୍ତି ।

 

ସହସା ଗୋଟିଏ ଗଛମୂଳେ ଶଙ୍କା–ସଂକୁଚିତ ଦଶ–ବାର ଜଣ ସ୍ତ୍ରୀ–ପୁରୁଷ ଦେଖାଗଲେ । ସମସ୍ତେ ନିକଟସ୍ଥ ହରଡ଼ କିଆରିକୁ ଚାହୁଁଥାନ୍ତି ଓ ପରସ୍ପର ମଧ୍ୟରେ ଫୁସୁର୍–ଫୁସୁର୍ କଥା–ବାର୍ତ୍ତା ହେଉଥାନ୍ତି । କିଆରିର ହିଡ଼ ଉପରେ ଦୁଇ ଜଣ ଗୋରା ସୈନିକ ହାତରେ ବେତ ଧରି ଦମ୍ଭରେ ଠିଆ ହୋଇଥାନ୍ତି । ଛାତ୍ରମାନଙ୍କର କୌତୂହଳ ଜନ୍ମିଲା । ସଲୀମ୍ ପଚାରିଲା–ହାଲ୍ କ’ଣ-? ତୁମେସବୁ କାହିଁକି ରୁଣ୍ଡ ହେଇଛ ?

 

ହଠାତ୍ ହରଡ଼–କିଆରିଆଡ଼ୁ ଏକ ସ୍ତ୍ରୀଲୋକର ଚିତ୍କାର ଶୁଭିଲା । ଛାତ୍ରମାନେ ନିଜ ନିଜର ବାଡ଼ି ଧରି କିଆରିଆଡ଼କୁ ଧାଇଁଗଲେ । ସେମାନେ ପରିସ୍ଥିତି ବୁଝିପାରିଲେ ।

 

ଜଣେ ଗୋରା ସୈନିକ ଆଖି ଦେଖାଇ ଛଡ଼ି ଉଞ୍ଚାଇ କହିଲା–ପଳାଅ ପଳାଅ । ନୋହିଲେ ପାହାର ବାଜିଯିବ ।

 

ତା’ ମୁହଁରୁ ଏତିକି ବାହାରିଛି, ଡକ୍ଟର ଶାନ୍ତିକୁମାର ଡେଇଁପଡ଼ି ତା’ ମୁହଁରେ ମୁଥିଏ ବସାଇଲେ । ସୈନିକଟି ଆଘାତରେ ବ୍ୟତିବ୍ୟସ୍ତ ହୋଇପଡ଼ିଲା, କିନ୍ତୁ ମୃଷ୍ଟି–ଯୁଦ୍ଧରେ ସେ ପ୍ରବୀଣ ଥିଲା । ସେ ଯେତେବେଳେ ମୁଥିର ଉତ୍ତର ଦେଲା, ଡକ୍ଟର ସାହେବ ତଳେ ପଡ଼ିଗଲେ । ସେତିକିବେଳେ ସଲୀମ୍ ତା’ର ହକି ଷ୍ଟିକ୍ ସେହି ସୈନିକର ମଥାରେ ବସାଇଦେଲା । ତା’ ଆଖିରୁ ଜୁଳୁଜୁଳିଆ ବାହାରିଗଲା । ସେ ମୂର୍ଚ୍ଛିତ ହୋଇ ତଳେ ପଡ଼ିଗଲା । ଅନ୍ୟ ସୈନିକଟାକୁ ଅମର ଓ ଆଉ ଜଣେ ଛାତ୍ର ପିଟିବା ଆରମ୍ଭ କରି ଦେଇଥିଲେ; ମାତ୍ର ସେ ଏ ଦୁହିଁଙ୍କ ଅପେକ୍ଷା ଅଧିକ ବଳୁଆ ଥିଲା । ତେଣୁ ଅବସର ଦେଖି ସଲୀମ୍ ତା’ ଉପରକୁ କୁଦିପଡ଼ିଲା । ଜଣକ ବିରୁଦ୍ଧରେ ତିନିଜଣ ହୋଇଗଲେ । ସଲୀମ୍‌ର ଷ୍ଟିକ୍ ସେ ସୈନିକକୁ ମଧ୍ୟ ମାଟିରେ ଶୁଆଇଦେଲା । ଇତ୍ୟବସରରେ ହରଡ଼ ଗଛଗୁଡ଼ାକୁ ଦୁଇଭାଗ କରି କରି ତୃତୀୟ ଗୋରା ସୈନିକଟା ଆସି ପହଞ୍ଚିଗଲା । ଡାକ୍ତର ଶାନ୍ତିକୁମାର ଦମ୍ଭ ଧରି ତା’ ଆଡ଼କୁ ଧାଇଁଗଲାବେଳକୁ ସେ ରିଭଲ୍‌ଭର୍ ବାହାର କରି ଫାୟାର୍ କଲା । ଡାକ୍ତର ସାହେବ ପଡ଼ିଗଲେ । ପରିସ୍ଥିତି ସାଙ୍ଘାତିକ । ଛାତ୍ର ତିନିହେଁ ଡାକ୍ତର ସାହେବଙ୍କୁ ରକ୍ଷା କରିବାକୁ ଚେଷ୍ଟା କଲେ । ଆଶଙ୍କା ଥିଲା, କାଳେ ସେ ଆଉ ଗୁଳି ଛାଡ଼ିବ । ସମସ୍ତଙ୍କ ପ୍ରାଣ ନଖ ଅଗରେ ।

 

ସେ ପର୍ଯ୍ୟନ୍ତ ଶ୍ରମିକମାନେ ମଜା ଦେଖୁଥିଲେ; ମାତ୍ର ଡାକ୍ତର ସାହେବଙ୍କ ପଡ଼ିଯିବା ଦେଖି ସେମାନଙ୍କ ରକ୍ତ ତାତିଉଠିଲା । ଭୟ ପରି ସାହସ ମଧ୍ୟ ସଂକ୍ରାମକ । ସମସ୍ତେ ବାଡ଼ି–ଠେଙ୍ଗା ଧରି ଗୋରା ଆଡ଼କୁ ଧାଇଁଗଲେ । ଗୋରାଟା ରିଭଲ୍‌ଭର୍ ଫୁଟାଇଲା; ମାତ୍ର ଲକ୍ଷ୍ୟ ବ୍ୟର୍ଥ ହେଲା । ସେ ତୃତୀୟ ଗୁଳି ଫୁଟାଇବା ପୂର୍ବରୁ ତା’ ଉପରେ ଠେଙ୍ଗା–ବୃଷ୍ଟି ହେବାକୁ ଲାଗିଲା । ଦେଖୁଦେଖୁ ସେ ମଧ୍ୟ ଆହତ ହୋଇ ତଳେ ପଡ଼ିଗଲା । ସୁଖର କଥା, ଗୁଳିଟା ଡାକ୍ତର–ସାହେବଙ୍କ ଜଙ୍ଘରେ ବାଜିଥିଲା । ଛାତ୍ରମାନଙ୍କୁ ତତ୍କାଳ–ଧର୍ମ ଜଣାଥିଲା–ରକ୍ତ ବନ୍ଦ କରି ପଟି ବାନ୍ଧିଦେଲେ ।

 

ସେହି ସମୟରେ ଗୋଟିଏ ସ୍ତ୍ରୀଲୋକ କିଆରିରୁ ବାହାରିଲା ଓ ମୁହଁ ଢାଙ୍କି ଛୋଟେଇ ଛୋଟେଇ, ଲୁଗାପଟା ସମ୍ଭାଳି ଗୋଟାଏ ଆଡ଼କୁ ଚାଲିଗଲା । ଅବଳାଟି ଲଜ୍ଜାବଶତଃ କାହାରିକୁ କିଛି ନ କହି ସମସ୍ତଙ୍କ ଦୃଷ୍ଟିରୁ ଅନ୍ତର ହେବାକୁ ଚାହୁଁଥିଲା । ତା’ର ଯେଉଁ ଅମୂଲ୍ୟ ବସ୍ତ୍ର ଅପହରଣ କରାଯାଇଛି, କିଏ ତାକୁ ଫେରାଇ ଦେଇପାରିବ ? ଦୁଷ୍ଟଗୁଡ଼ାଙ୍କୁ ମାରି ପକାଇଲେ ଅନ୍ୟମାନଙ୍କ ନ୍ୟାୟ–ବୁଦ୍ଧିକୁ ସନ୍ତୋଷ ମିଳିପାରେ; କିନ୍ତୁ ତା’ର ପ୍ରାଣୋପମ ପଦାର୍ଥଟି ଯେ ଚାଲିଗଲା । ସେ ନିଜ ଦୁଃଖ ବାହୁନିବ କାହିଁକି, ଅଭିଯୋଗ କରିବ କାହିଁକି, ଦୁନିଆର ସହାନୁଭୂତି ତା’ର ଦରକାର କ’ଣ ?

 

ସଲୀମ୍ ଯୁବତୀଟିକୁ ନିମିଷେ ଚାହିଁଲା । ପୁଣି ଷ୍ଟିକ୍ ଧରି ସେ ତିନି ଗୋରାଙ୍କୁ ପିଟିବାକୁ ଲାଗିଲା । ବୋଧ ହେଲା, ସେ ଯେପରି ଉନ୍ମାଦ ହୋଇଯାଇଛି ।

 

ଡାକ୍ତର ସାହେବ କହିଲେ–ଏ କ’ଣ କରୁଛ, ସଲୀମ୍ ? ଏଥିରେ ଲାଭ କ’ଣ ? ପଡ଼ିଯାଇଥିବା ଲୋକକୁ ମାରିବା ମନୁଷ୍ୟତା–ବିରୋଧୀ କାର୍ଯ୍ୟ ।

 

ସଲୀମ୍ ଦୀର୍ଘନିଃଶ୍ଵାସ ପକାଇ କହିଲା–ଗୋଟାଏ ହେଲେ ସଇତାନ୍‌କୁ ମୁଁ ଜିଅନ୍ତା ଛାଡ଼ିବି ନାହିଁ ! ମୋତେ ଫାଶୀ ଦିଆଯାଉ, ମୋର ପରୁଆ ନାହିଁ । ଏମିତି ପାନେ ଦେଇଥିବି ଯେ ଆଉ କେହି ବଦମାସ ଏପରି କରିବାକୁ ସାହସ କରିବେ ନାହିଁ ।

 

ତା’ପରେ ଶ୍ରମିକମାନଙ୍କୁ ଚାହିଁ କହିଲା–ତୁମେ ଏତେ ଲୋକ ଠିଆ ହେଇ ଚାହିଁଛ, କିଛି କରିପାରିଲ ନାହିଁ ! ତୁମକୁ ଟିକିଏ ଲାଜ ନାହିଁ ? ନିଜ ଝିଅ–ବୋହୂଙ୍କ ଇଜ୍ଜତବି ରଖିପାରୁନାହଁ ? ଭାବୁଥିବ–ଆମ ଝିଅ–ବହୂ ତ ନୁହନ୍ତି ! ଏ ଦେଶରେ ଯେତେ ଝିଅ–ବୋହୂ ଅଛନ୍ତି, ସମସ୍ତେ ତୁମର-! ଯେତେ ମା’ ଅଛନ୍ତି, ସମସ୍ତେ ତୁମର ମା’ । ତୁମରି ଆଖି ଉପରେ ଏପରି ଅନର୍ଥ ହେଉଛି, ଆଉ ତୁମେ ଭୀରୁ ଭଳି ଚାହିଁ ରହିଛ ! କାହିଁକି ସମସ୍ତେ ଯାଇ ମଲ ନାହିଁ ?

 

ସହସା ତା’ର ମନେ ପଡ଼ିଗଲା ଯେ ସେ ଗୋଟାଏ ଆବେଶରେ ଏହି ନିରୀହ ଗରିବମାନଙ୍କୁ ଧିକ୍‌କାର କରୁଛି । ଅନଧିକାର ଚେଷ୍ଟା କରୁଛି । ସେ ନୀରବ ଓ ଟିକିଏ ଲଜ୍ଜିତ ମଧ୍ୟ ହେଲା ।

 

ନିକଟସ୍ଥ ଗୋଟିଏ ଗ୍ରାମରୁ ଶଗଡ଼ ଅଣାଗଲା । ଶାନ୍ତିକୁମାରଙ୍କୁ ଉଠାଇ ଲୋକମାନେ ତା’ ଉପରେ ଶୁଆଇ ଦେଲେ । ଗାଡ଼ି ଚାଲିବାକୁ ଆରମ୍ଭ କରିବାରୁ ଡାକ୍ତର ଶାନ୍ତିକୁମାର ଚମକି ଉଠି ପଚାରିଲେ–ଆଉ ସେ ଲୋକ ତିନିଙ୍କୁ ଏଠାରେ ଛାଡ଼ି ଦେଇଯିବା କାହିଁକି ?

 

ସଲୀମ୍ ମୁଣ୍ଡ ଝାଡ଼ି କହିଲା–ତାଙ୍କୁ ବହି ନେଇଯିବା ପାଇଁ ଆମେ ଦାୟୀ ନୋହୁଁ । ମୋର ତ ମନ ହେଉଛି ସେଗୁଡ଼ାଙ୍କୁ ଗାତ ଖୋଳି କବର ଦେଇ ଦେବାକୁ ।

 

ଶେଷରେ ଶାନ୍ତିକୁମାର ବହୁତ ବୁଝାଇବା ପରେ ସଲୀମ୍ ରାଜି ହେଲା । ଗୋରା ତିନିଟା ଗାଡ଼ିରେ ଲଦା ହେଲେ । ଗାଡ଼ି ଚାଲିଲା । ଶ୍ରମିକମାନେ ଅପରାଧୀ ପରି ମଥା ନୁଆଁଇ ଗାଡ଼ି ପଛେ ପଛେ କିଛିଦୂର ଗଲେ । ଡାକ୍ତର ଶାନ୍ତିକୁମାର ସେମାନଙ୍କୁ ବହୁତ ଧନ୍ୟବାଦ ଦେଇ ବିଦାୟ ଦେଲେ । ପ୍ରାୟ ନ’ଟାବେଳେ ସେମାନେ ନିକଟବର୍ତ୍ତୀ ରେଳ–ଷ୍ଟେସନ୍‍ରେ ପହଞ୍ଚିଲେ । ସେଇଠି ଗୋରାମାନଙ୍କୁ ପୋଲିସ୍ ଜିମାରେ ଛାଡ଼ି ଡାକ୍ତର ସାହେବଙ୍କ ସଙ୍ଗେ ଟ୍ରେନ୍‌ରେ ଯାଇ ଘରେ ପହଞ୍ଚିଲେ ।

 

ଅଳ୍ପ ସମୟ ପରେ ସଲୀମ୍ ଓ ଡାକ୍ତର ସାହେବ ହସ ଓ କଥାବାର୍ତ୍ତା ଆରମ୍ଭ କରିଦେଲେ-। ସେହି ଯୁଦ୍ଧ ବିଷୟ ଚର୍ଚ୍ଚା କରିବାରେ ସେମାନଙ୍କ ଜିଭ ଥକୁ ନଥାଏ । ଷ୍ଟେସନ୍‍ ମାଷ୍ଟରଙ୍କୁ କହିଲେ, ଗାଡ଼ିରେ ଯାତ୍ରୀମାନଙ୍କୁ କହିଲେ, ରାସ୍ତାରେ ଯାହାକୁ ଦେଖିଲେ ତାକୁ କହିଲେ-। ସଲୀମ୍ ନିଜର ସାହସ ଓ ଶୌର୍ଯ୍ୟ ବିଷୟରେ ଭାରି ବଡ଼େଇ କରୁଥାଏ, ସତେ ଯେପରି ଗୋଟାଏ ଗଡ଼ ଜୟ କରି ଆସିଛି ଏବଂ ଲୋକମାନଙ୍କର ତାକୁ ମୁକୁଟ ପିନ୍ଧାଇବା, ତା’ ଗାଡ଼ି ଟାଣିବା, ତାକୁ ଶୋଭାଯାତ୍ରାରେ ବୁଲାଇବା ଉଚିତ ! କିନ୍ତୁ ଅମରକାନ୍ତ ନୀରବରେ ଡାକ୍ତର ସାହେବଙ୍କ ନିକଟରେ ବସିଥାଏ । ଆଜିର ଅନୁଭୂତି ତା’ ହୃଦୟରେ ଏପରି ଗଭୀର ଆଘାତ କରିଥାଏ, ତାହା କଦାପି ଭୁଲି ହେବ ନାହିଁ । ସେ ମନେମନେ ଏହି ଘଟଣାର ବ୍ୟାଖ୍ୟା କରୁଥାଏ । ଏହି ନୀଚ ସୈନିକମାନଙ୍କର ଏତେ ସାହସ ହେଲା କିପରି ? ଏହି ଗୋରାସିପାହୀମାନେ ତ ଇଂଲଣ୍ଡର ନିମ୍ନତମ ଶ୍ରେଣୀର ଲୋକ । ଏମାନଙ୍କର ଏଡ଼େ ସାହସ ହେଲା କୁଆଡ଼ୁ ? କାରଣ ହେଉଛି, ଭାରତ ପରାଧୀନ । ସେମାନେ ଜାଣନ୍ତି ସେ ଏଠାକାର ଲୋକେ ତାଙ୍କୁ ଭୟ କରନ୍ତି । ସେମାନେ ଇଚ୍ଛା କଲେ ଯେକୌଣସି ଅନର୍ଥ କରିପାରନ୍ତି, କେହି ଉଁଚୁ କରିପାରିବ ନାହିଁ । ଏହି ଭୟ ଦୂର କରିବାକୁ ପଡ଼ିବ–ଏହି ପରାଧୀନତା ଶୃଙ୍ଖଳକୁ ଭାଙ୍ଗିବାକୁ ପଡ଼ିବ ।

 

ଏହି ଶୃଙ୍ଖଳକୁ ଛିନ୍ନ କରିବାପାଇଁ ସେ ବହୁ ପରିକଳ୍ପନା କରିବାକୁ ଲାଗିଲା । ସେଥିରେ ଥିଲା ଯୌବନର ଉନ୍ମାଦନା, କୈଶୋରର ଉଗ୍ରତା ଏବଂ ଅପକ୍ଵ ବୁଦ୍ଧିର ଭ୍ରମ ।

 

Unknown

–୬–

 

ଡାକ୍ତର ଶାନ୍ତିକୁମାର ପ୍ରାୟ ଏକ ମାସ ହସ୍ପିଟାଲରେ ରହିବା ପରେ ସୁସ୍ଥ ହେଲେ । ସୈନିକ ତିନି ଜଣଙ୍କର କ’ଣ ହେଲା କହି ହେବ ନାହିଁ; କିନ୍ତୁ ଭଲ ହେବାମାତ୍ରେ ଡାକ୍ତର ଶାନ୍ତିକୁମାରଙ୍କର ପ୍ରଥମ କାର୍ଯ୍ୟ ହେଲା–ଘୋଡ଼ାଗାଡ଼ିରେ ସେନା ଛାଉଣୀକୁ ଯିବା ଓ ସୈନିକମାନଙ୍କ କୁଶଳ ପ୍ରଶ୍ନ କରିବା । ଜାଣିବାକୁ ମିଳିଲା ଯେ ସେ ତିନି ଜଣ ମଧ୍ୟ କିଛିଦିନ ହସ୍ପିଟାଲରେ ଥିଲେ, ପରେ ସେମାନଙ୍କୁ ବଦଳି କରି ଦିଆଯାଇଛି । ରେଜିମେଣ୍ଟ୍‍ର କ୍ୟାପ୍‌ଟେନ୍ ନିଜ ଲୋକଙ୍କପାଇଁ ଡାକ୍ତର ସାହେବଙ୍କୁ କ୍ଷମା ମାଗିଲେ ଓ ପ୍ରତିଶ୍ରୁତି ଦେଲେ ଯେ ଭବିଷ୍ୟତରେ ସୈନିକମାନଙ୍କ ଉପରେ ଅଧିକ ତୀକ୍ଷ୍ଣଦୃଷ୍ଟି ରଖାଯିବ । ଡାକ୍ତର ସାହେବଙ୍କର ଏହି ଅସୁସ୍ଥତା ସମୟରେ ମନ–ଧ୍ୟାନ ଦେଇ ତାଙ୍କ ସେବା କଲା । ସେ କେବଳ ଖାଇବା ଓ ରେଣୁକା ଦେବୀଙ୍କ ସଙ୍ଗେ ସାକ୍ଷାତ କରିବାପାଇଁ ଘରକୁ ଯାଏଁ । ଅବଶିଷ୍ଟ ସାରା ଦିନ ଓ ରାତି ତାଙ୍କରି ସେବାରେ ଅତିବାହିତ ହୁଏ । ରେଣୁକା ମଧ୍ୟ ଦୁଇ ତିନିଥର ଡାକ୍ତର ସାହେବଙ୍କୁ ଦେଖା କରିବାକୁ ଯାଇଛନ୍ତି ।

 

ଏଣୁ ଅବସର ପାଇବା ପରେ ଅମରକାନ୍ତ କଂଗ୍ରେସ କାର୍ଯ୍ୟରେ ଅଧିକ ଉତ୍ସାହର ସହିତ ଯୋଗ ଦେବାକୁ ଲାଗିଲା । ଚାନ୍ଦା ଦେବାରେ ସେ ଅନୁଷ୍ଠାନରେ କେହି ତା’ର ସମକକ୍ଷ ନଥିଲେ ।

 

ଥରେ ସାଧାରଣ ସଭାରେ ସେ ଏପରି ଉଦ୍ଦଣ୍ଡ ଭାବରେ ଭାଷଣ ଦେଲା ଯେ ପୋଲିସ୍ ସୁପରିଣ୍ଟେଣ୍ଡେଣ୍ଟ ଲାଲା ସମରକାନ୍ତଙ୍କୁ ଡକାଇ ପୁଅକୁ ସମ୍ଭାଳିବା ପାଇଁ ସାବଧାନ କରିଦେଲେ । ଲାଲାଜୀ ସେଠାରୁ ଫେରି ଅମରକାନ୍ତକୁ କିଛି ନ କହି ସୁଖଦା ଓ ରେଣୁକା ଦେବୀଙ୍କୁ ସମସ୍ତ ଜଣାଇଦେଲେ । ଅମରକାନ୍ତ ସେତେବେଳେ କାହା ଅଧୀନରେ, ତାହା ତାଙ୍କୁ ଭଲ ଭାବରେ ଜଣାଥିଲା । ପୁଅ ପ୍ରତି ଏବେ ତାଙ୍କର ସ୍ନେହ ଜନ୍ମିଛି । ଆଗେ ମାସକୁ ମାସ ପଢ଼ାଖର୍ଚ୍ଚ ଦେବାକୁ ପଡ଼ୁଥିଲା; ତେଣୁ ତା’ର ସ୍କୁଲ୍‍ ଯିବା ତାଙ୍କୁ ବିଷ ପରି ଲାଗୁଥିଲା । ସେ ତାକୁ କାମରେ ଲଗାଇବାକୁ ଚାହୁଁଥିଲେ ଓ କାମ ନ କଲେ ବିରକ୍ତ ହେଉଥିଲେ । ଏଣିକି ଆଉ ପଢ଼ାଖର୍ଚ୍ଚ ଦେବାକୁ ପଡ଼ୁନାହିଁ, ତେଣୁ କିଛି କହନ୍ତି ନାହିଁ; ବରଂ କେବେକେବେ ସିନ୍ଦୁକ–ଚାବିକାଠି ନ ମିଳିବା ବାହାନାରେ କିମ୍ବା ଉଠିଯାଇ ସିନ୍ଦୁକ ଖୋଲିବା କଷ୍ଟରୁ ରକ୍ଷା ପାଇବା ବାହାନାରେ ପୁଅଠାରୁ ଟଙ୍କା ଧାର ନିଅନ୍ତି; ଅମରକାନ୍ତ ମାଗେ ନାହିଁ ସେ ଧାର ଶୁଝନ୍ତି ନାହିଁ ।

 

ସୁଖଦାର ପ୍ରସବ ସମୟ ପାଖେଇ ଆସିଲାଣି । ତା’ର ମୁହଁ ପାଣ୍ଡୁର ଦିଶିଲାଣି, ଖାଦ୍ୟ କମିଗଲାଣି, ଖୁସି–ଗପବି କମିଗଲାଣି । ବହୁତ ଦୁଃସ୍ଵପ୍ନ ଦେଖୁଛି । ସେଇଥିପାଇଁ ତା’ର ମନ ସର୍ବଦା ଶଙ୍କିତ । ରେଣୁକା ତାକୁ ପ୍ରସବ ସମ୍ବନ୍ଧୀୟ ପୁସ୍ତକମାନ ଅଣାଇ ଦେଇଥାନ୍ତି । ସେଗୁଡ଼ିକୁ ପଢ଼ି ତା’ର ଚିନ୍ତା ବଢ଼ିଯାଇଛି । ଶିଶୁର କଳ୍ପନା ମନରେ ଗର୍ବମୟ ଉଲ୍ଲାସ ଜନ୍ମାଏ; କିନ୍ତୁ ତା’ ସଙ୍ଗେ ସଙ୍ଗେ ହୃଦୟରେ ଏକ କମ୍ପନ ସୃଷ୍ଟି ହୁଏ–କେଜାଣି କ’ଣ ଘଟିବ !

 

ସେଦିନ ସନ୍ଧ୍ୟାରେ ଅମର ପହଞ୍ଚିବାବେଳକୁ ସେ ସନ୍ତପ୍ତ ହୋଇ ବସିଥାଏ । ତୀକ୍ଷ୍ଣ କଟାକ୍ଷ କରି କହିଲା–ମୋତେ ଟିକିଏ ବିଷ ଦେଉନାହଁ କାହିଁକି ? ତୁମେ ମୁକ୍ତ ପାଇଯା’ନ୍ତ, ମୁଁ ବି ଜଞ୍ଜାଳରୁ ପାର ପାଇଯା’ନ୍ତି ।

 

ଅମର ଏବେ ହୋଇଛି ଆଦର୍ଶ ପତି । ରୂପ–ଜ୍ୟୋତିରେ ଝଟକୁଥିବା ସୁଖଦା ଦର୍ଶକ ଚକ୍ଷୁକୁ ଉନ୍ମତ୍ତ କରି ଦେଇଥାଏ; ମାତ୍ର ମାତୃତ୍ୱ–ଭାରାକ୍ରାନ୍ତା ଏହି ପାଣ୍ଡୁରମୁଖୀ ରୋଗିଣୀ ତା’ର ହୃଦୟକୁ ଜ୍ୟୋତିରେ ଭରି ଦେଉଛି । ସେ ତା’ ପାଖରେ ବସି ତା’ର ରୁକ୍ଷ କେଶ–ପାଶରେ ଓ ଶୁଷ୍କ ହସ୍ତରେ ହସ୍ତ ସଂଚାଳନ କରିଦିଏ । ତାକୁ ଏପରି ଦଶା ଦେବାରେ ଅପରାଧୀ ସେହି । ତେଣୁ ଏ ଭାରାକୁ ସହନୀୟ କରିବାପାଇଁ ସେ ସୁଖଦା ମୁହଁକୁ ଚାହିଁରହେ । ସୁଖଦା ତାକୁ କିଛି ବରାଦ କରୁ, ଏହାହିଁ ତା’ର ସବୁଠୁ ବଡ଼ ଆକାଂକ୍ଷା । ସ୍ୱର୍ଗରୁ ତାରା ଆଣି ଦେବାକୁବି ସେ ବାହାରିପଡ଼ନ୍ତା ! ଭଲ ଭଲ ବହି ପଢ଼ି ଶୁଣାଇ ସେ ସର୍ବଦା ସୁଖଦାକୁ ପ୍ରସନ୍ନ ରଖିବାର ପ୍ରୟାସ କରେ । ସେ ଶିଶୁର କଳ୍ପନାରେ ଯେତେ ଆନନ୍ଦିତ ହେଉଥିଲା, ତଦପେକ୍ଷା ଅଧିକ ଚିନ୍ତିତ ହେଉଥିଲା ସୁଖଦାପାଇଁ–କାଳେ କ’ଣ ହୋଇଯିବ ! ଅଧୀର ଭାବରେ କହିଲା–ଏପରି କାହିଁକି କହୁଛ, ସୁଖଦା ! ମୋର କିଛି ଭୁଲ ହେଇଚି ତ କହିଦିଅ ।

 

ସୁଖଦା ଶୋଇଥିଲା । ତକିଆକୁ ଭରାଦେଇ କହିଲା–ତୁମେ ସାଧାରଣ ସଭାରେ କଡ଼ା କଡ଼ା ସ୍ପିଚ୍ ଦେଇ ବୁଲୁଛ । ତୁମେ ତ ଧରା ହେବ । ଘରକୁବି ତୁମ ସଙ୍ଗେ ବୁଡ଼େଇବ; ୟା’ ଛଡ଼ା ୟା’ର ଅର୍ଥ ଆଉ କ’ଣ ହେଇପାରେ ? କିଏ ଜଣେ ବଡ଼ ପୋଲିସ୍–ଅଫିସର ବାପାଙ୍କୁ ଏ କଥା କହିଲାଣି । ତୁମେ ତ ତାଙ୍କୁ କିଛି ସାହାଯ୍ୟ କରୁନାହଁ, ଓଲଟି ତାଙ୍କ ଧନ–ମାନକୁ ଧୂଳିରେ ମିଶାଇଦେବାକୁ ସଜ ହେଇଚ । ମୁଁ ତ ଆପଣା ଛାଏଁ ମରୁଚି, ତା’ ଉପରେ ତୁମର ଏ ରୀତିନୀତି ବୋଝ ଉପରକୁ ନଳିତା–ବିଡ଼ା ସିନା । ମାସ ଗୋଟାଏ ତ ଡାକ୍ତର ସାହେବଙ୍କ ପିଛେ ହଇରାଣ ହେଲ । ତେଣୁ ଛୁଟି ମିଶିବାବେଳକୁ ଏ ଜଞ୍ଜାଳରେ ପଶିଲଣି । ତୁମେ କ’ଣ ଶାନ୍ତିରେ ବସିପାର ନା-? ତୁମେ ତ ଆଉ ସ୍ଵତନ୍ତ୍ର ନୁହ ଯେ ଯାହା ଇଚ୍ଛା ତା’ କରିଯିବ । ତୁମ ପାଦରେ ବେଡ଼ି ପଡ଼ିଛି, ଏ କଥା କ’ଣ ମୋଟେ ଦିଶୁନାହିଁ ?

 

ଅମରକାନ୍ତ ନିଜର ନିର୍ଦ୍ଦୋଷତା ଦେଖାଇଲା–କାହିଁ, ମୁଁ ତ ଏପରି କିଛି ଭାଷଣ ଦେଇ ନାହିଁ, ଯାହାକୁ ଆପତ୍ତିଜନକ ବୋଲି କୁହାଯାଇପାରିବ ?

 

“ତାହାହେଲେ ବାପା ମିଛରେ କହୁଥିଲେ ?”

 

“ୟା’ମାନେ ମୁଁ ମୋର ମୁହଁଟା ସିଲେଇ କରିଦେବି ।”

 

“ହଁ, ତୁମକୁ ମୁହଁ ସିଲେଇ କରି ଚଳିବାକୁ ପଡ଼ିବ ।”

 

ଦୁହେଁ କିଛିକ୍ଷଣ ତଳକୁ ଉପରକୁ ଚାହିଁବାକୁ ଲାଗିଲେ । ଶେଷରେ ଅମରକାନ୍ତ ନିରୁପାୟ ହୋଇ କହିଲା–ବେଶ୍ କଥା, ଆଜିଠୁ ମୁହଁ ସିଲେଇ କରି ରହିବ । ପୁଣି ଯଦି ମୋ ନାମରେ ଅଭିଯୋଗ ଆସେ, ତେବେ ମୋ କାନଟା ମୋଡ଼ିଦେବ ।

 

ସୁଖଦା କୋମଳ ଭାବରେ କହିଲା–ତୁମେ ରାଗରେ ଏପରି କହୁନାହଁ ତ ? ତୁମେ ରାଗ କଲେ ମୋର ଭାରି ଭୟ ହୁଏ । ମୁଁ ବି ଜାଣେ ଯେ ଆମେ ପରାଧୀନ । ତୁମ ପରି ମୋତେବି ପରାଧୀନତା ଭଲ ଲାଗେ ନାହିଁ; କିନ୍ତୁ ଆମ ଗୋଡ଼ରେ ଯେ ଦୁଇ–ଦୁଇଟା ବେଡ଼ି–ଗୋଟାଏ ସମାଜର, ଆଉ ଗୋଟାଏ ସରକାରର । ଆଗ–ପଛକୁ ତ ଚାହିଁବାକୁ ହେବ । ଦେଶ ପ୍ରତି ଆମର ଯାହା କର୍ତ୍ତବ୍ୟ, ବାପ–ମା’ଙ୍କ ପ୍ରତି ତାହା ଆହୁରି ବେଶି ଓ ପିଲାପିଲିଙ୍କ ପ୍ରତି ତା’ଠାରୁ ବେଶି ହେବା ଉଚିତ । ମା’–ବାପଙ୍କୁ ଦୁଃଖ ଦେଇ ପିଲାମାନଙ୍କୁ ଅରକ୍ଷିତ କରି ଦେଶ–ଧର୍ମ ପାଳନ କରିବା ମାନେ ଘରେ ନିଆଁ ଲଗେଇ ଦେଇ ଖୋଲା ଆକାଶ ତଳେ ରହିବା । ଯେଉଁ ଶିଶୁଟିକି ନିଜ ହୃଦୟର ରକ୍ତ ପିଆଇ ମୁଁ ପାଳୁଛି, ମୁଁ ଚାହେଁ–ତୁମେବି ତାକୁ ନିଜର ସର୍ବସ୍ଵ ବୋଲି ଭାବିବ । ତୁମର ସମୁଦାୟ ସ୍ନେହ, ବାତ୍ସଲ୍ୟ ଓ ନିଷ୍ଠାର ଏକମାତ୍ର ଅଧିକାରୀରୂପେ ମୁଁ ତାକୁ ଦେଖିବାକୁ ଚାହେଁ ।

 

ଅମରକାନ୍ତ ମୁଣ୍ଡପାତି ଏ ଉପଦେଶ ଶୁଣୁଥାଏ । ତା’ର ଆତ୍ମା ଲଜ୍ଜିତ ହୋଇ ନିଜକୁ ଧିକ୍‌କାର କରୁଥାଏ । ସୁଖଦା ଓ ଶିଶୁ ଉଭୟଙ୍କ ପ୍ରତି ସେ ଅନ୍ୟାୟ କରୁଛି । ଶିଶୁଟିର କଳ୍ପନା–ଚିତ୍ର ତା’ ଆଖି ଆଗରେ ଆଙ୍କି ହୋଇଗଲା । ସେହି ନବନୀତ ସମ କୋମଳ ଶିଶୁଟି ତା’ କୋଳରେ ଖେଳୁଥିଲା । ତା’ର ସମୁଦାୟ ସଂଜ୍ଞା ଏହି କଳ୍ପନାରେ ନିମଗ୍ନ ହୋଇଗଲା । କାନ୍ଥରେ ବାଳକୃଷ୍ଣଙ୍କର ଏକ ସୁନ୍ଦର ଚିତ୍ର ଟଙ୍ଗା ହୋଇଥିଲା । ସେ ଚିତ୍ରରୁ ସେତେବେଳେ ଯେଉଁ ମାର୍ମିକ ଆନନ୍ଦ ମିଳିଲା, ଆଉ କେବେ ସେପରି ମିଳି ନଥିଲା । ତା’ର ଆଖି ସଜଳ ହୋଇ ଉଠିଲା ।

 

ସୁଖଦା ପାନ ଖିଲେ ଦେଉ ଦେଉ କହିଲା–ମା’ କହିଲା, ସେ ତା’ର ପିଲାଟିକୁ ନେଇ ଲକ୍ଷ୍ନୌ ଚାଲିଯିବ । ମୁଁ କିନ୍ତୁ କହିଲି, ମା’ ! ତୁ ଭଲ ଭାବ୍ କି ମନ୍ଦ ଭାବ୍, ମୁଁ ପିଲାକୁ ଛାଡ଼ିଦେବିନି ।

 

ଅମରକାନ୍ତ ଉତ୍ସୁକ ହୋଇ କହିଲା–ତେବେ ତ ବିଗିଡ଼ିଥିବେ ?

 

“ନାଇଁ ମ, ଏଥିରେ ବିଗିଡ଼ିବାର କ’ଣ ଅଛି ? ହଁ, ତାକୁ ଟିକିଏ ଖରାପ ଲାଗିଥିବ ଅବଶ୍ୟ । ତେବେ ହସ–ଥଟ୍ଟାରେ ମୁଁ ମୋ ଜୀବନ–ସଙ୍ଖାଳିକି ଛାଡ଼ିଦେବି କିପରି ଯେ ?

 

“ବାବା ତ ପୋଲିସ୍–ଅଫିସରଙ୍କ କଥା ମା’ଙ୍କ ପାଖରେବି କହିଥିବେ ?”

 

“ହଁ–ହଁ, କହିଛନ୍ତି । ଯାଅ, ଆଜି ମା’ ତୁମକୁ ଠିକ୍ କରିଦେବ ଯେ ।”

 

“ମୁଁ ଆଜି ଜମା ଯିବିନି ।”

 

“ଚାଲ-ଚାଲ, ମୁଁ ତୁମପାଇଁ ଓକିଲାତି କରିବି ପଛେ ।”

 

“କ୍ଷମାକର, ସେଠି ଯାଇ ମୋତେ ଆହୁରି ଲଜ୍ଜିତ କରିବ ନା କ’ଣ ?”

 

“ନା–ନା, ବିଶ୍ୱାସ କର । ଆଚ୍ଛା, କହିଲ–ପିଲାଟି କାହା ପରି ହବ ? ମୁଁ କହୁଛି, ତୁମ ପରି ହବ ।”

 

“ମୁଁ ଚାହେଁ, ତୁମ ପରି ହଉ ।”

 

“କାହିଁକି, ମୁଁ ତ ଚାହୁଁଛି ତୁମ ପରି ହେଉ ।”

 

“ମୁଁ ଆହୁରି ଅଧିକ କହୁଛି, ସେ ତୁମ ପରି ହେଉ ।”

 

‘‘ଆଚ୍ଛା, ସେ ସ୍ତ୍ରୀ–ଲୋକଟିର କିଛି ଖବର ମିଳିଲା ? ସେଇ ମ, ଯାହାକୁ ଗୋରାଗୁଡ଼ାକ ହଇରାଣ କରିଥିଲେ ।”

 

“କାହିଁ, ଆଉ ତ କିଛି ଖବର ମିଳିନାହିଁ ।”

 

“ଦିନେ ସମସ୍ତେ ଯାଇ ତାକୁ ଖୋଜୁନାହଁ କାହିଁକି ? ନା ଖାଲି ସ୍ପିଚ୍‌ ଦେଇ ଦେଇ ନିଜ କର୍ତ୍ତବ୍ୟ ସାରିଦେଲ ?”

 

ଅମରକାନ୍ତ ଲଜ୍ଜିତ ହୋଇ କହିଲା–କାଲି ଯିବି ।

 

“ଖୁବ୍ ସାବଧାନରେ ଖବର ନେବ–ଯେମିତି କାନକୁ ଦି’କାନ ନହୁଏ । ଯଦି ତା’ର ଘରଲୋକ ତାକୁ ବାହାର କରି ଦେଇଥାନ୍ତି, ତାକୁ ନେଇ ଆସିବ । ମା’ ତାକୁ ନିଜ ପାଖରେ ରଖିବାକୁ ଅରାଜି ହେବନି । ହୁଏତ, ମୁଁ ମୋ ପାଖେ ରଖିନେବି ।”

 

ଅମରକାନ୍ତ ଶ୍ରଦ୍ଧାପୂର୍ଣ୍ଣ ଦୃଷ୍ଟିରେ ସୁଖଦାକୁ ଚାହିଁ ରହିଲା । ତା’ ହୃଦୟରେ କେତେ ଦୟା, କି ସେବା ଭାବ, କେଡ଼େ ନିର୍ଭୀକତା ! ଏହା ସେ ନୂଆ କରି ଜାଣିଲା ।

 

ସେ ପଚାରିଲା–ତୁମେ କ’ଣ ଆଦୌ ଘୃଣା କରିବନି ?

 

ସୁଖଦା ସଂକୋଚରେ କହିଲା–ମୁଁ ଯଦି କହେ–ନା, ତେବେ ଅସତ୍ୟ ହେବ । ଘୃଣା ଅବଶ୍ୟ ରହିବ, ତେବେ ସଂସାରକୁ ଦୂର କରିବାକୁ ହେବ । ସେ ତ କିଛି ଅପରାଧ କରି ନାହିଁ ! ତେବେ ଦଣ୍ଡ ଭୋଗିବ କାହିଁକି ?

 

–୭–

 

ଅମରକାନ୍ତ ଦେଖିଲା, ସୁଖଦା ନିର୍ମଳ ନାରୀତ୍ଵ–ଜ୍ୟୋତିରେ ସ୍ନାତ ହୋଇଛି । ତା’ର ଦେବୀତ୍ଵ ଯେପରି ବିକଶିତ ହୋଇ ତାକୁ ବେଷ୍ଟନ କରିଛି ।

 

ସେ ସାଧାରଣ–ସଭାରେ ଭାଷଣ ଦେବା ତ ଦୂରର କଥା, ସେଥିରେ ଯୋଗ ଦେବା ମଧ୍ୟ ତ୍ୟାଗ କଲା; କିନ୍ତୁ ଏ ବନ୍ଧନ ଯୋଗୁଁ ତା’ର ଆତ୍ମା ଛଟପଟ ହୋଇ ଉଠୁଥାଏ ଓ ସେ ସମୟେ ସମୟେ ନିଜର ମନୋବେଗକୁ ସାମୟିକ ପତ୍ର–ପତ୍ରିକାମାନଙ୍କରେ ପ୍ରକାଶ କରି ସନ୍ତୋଷଲାଭ କରୁଥାଏ । ଏଣିକି ସେ କେବେକେବେ ଯାଇ ଦୋକାନରେ ବସୁଛି । ବିଶେଷତଃ ଛୁଟିଦିନମାନଙ୍କରେ ତ ସେ ଅଧିକାଂଶ ସମୟ ଦୋକାନରେ କଟାଏ । ଏବେ ସେ ବୁଝୁଛି ଯେ ଦୋକାନରେ ବସିଲେ ମାନବ ପ୍ରକୃତି ସମ୍ପର୍କରେ ବହୁତ ଜ୍ଞାନ ଅର୍ଜନ କରାଯାଇପାରେ । ସୁଖଦା ଓ ରେଣୁକାଙ୍କ ପ୍ରେମ ଓ ସ୍ନେହ ତାକୁ ଭିଡ଼ି ଧରିଛି । ହୃଦୟର ଯେଉଁ ଜ୍ଵାଳା ପ୍ରଥମେ ପରିବାର ବିରୁଦ୍ଧରେ ଓ ତା’ର ଫଳସ୍ଵରୂପ ସମାଜ ବିରୁଦ୍ଧରେ ବିଦ୍ରୋହ କରି ନିଜକୁ ସାର୍ଥକ କରୁଥିଲା, ଏବେ ତାହା ଶାନ୍ତ ହୋଇଯାଇଛି । କାନ୍ଦୁଥିବା ବାଳକ ମିଠାଇ ପାଇବାରୁ କାନ୍ଦ ଭୁଲିଯାଇଛି । ଦିନେ ଅମରକାନ୍ତ ଦୋକାନରେ ବସିଛି, ଗୋଟିଏ ଲୋକ ଆସି ପଚାରିଲା, ଲାଲାଜୀ କୁଆଡ଼େ ଯାଇଛନ୍ତି କି ବାବୁ ? ବଡ଼ ଜରୁରୀ କାମ ଥିଲା ।

 

ଅମର ଦେଖିଲା–ପ୍ରୌଢ଼, ବଳିଷ୍ଠ, କଠିନ, କୃଷ୍ଣକାୟ ଲୋକଟିଏ । ନାମ “କାଲେ ଖାଁ” । ରୁକ୍ଷ ଭାବରେ କହିଲା–ଜାଣେନା ।

 

“ବଡ଼ ଜରୁରୀ କାମ ଥିଲା । କିଛି କହିଯାଇ ନାହାନ୍ତି ? କେତେବେଳେ ଆସିବେ !”

 

ଅମରକୁ ମଦର ଏପରି ଗନ୍ଧ ହେଲା ଯେ, ସେ ନାକ ବନ୍ଦ କରି ମୁହଁ ବୁଲାଇ କହିଲା–ତୁମେ କ’ଣ ମଦ ପିଅ ?

 

କାଲେ ଖାଁ ହସିଦେଇ କହିଲା–ମଦ ମିଳୁଛି କୋଉଁଠି ବାବୁ ! ଶୁଖିଲା ରୋଟି ତ ମିଳୁନାହିଁ ! ଆଜି ଗୋଟାଏ ବନ୍ଧୁ ଘରକୁ ଯାଇଥିଲି ଯେ ସେମାନେ ଟିକିଏ ଦେଇଥିଲେ ।

 

ସେ ଆହୁରି ପାଖେଇ ଆସି ଅମରର କାନ ପାଖେ ମୁହଁ ଲଗାଇ କହିଲା–ଗୋଟାଏ ମାଲ ଦେଖାଇବାକୁ ଆଣିଥିଲି । ପ୍ରାୟ ଦଶ ଭରି ହେବ । ବଜାରରେ ଅଢ଼େଇଶ’ ଟଙ୍କାରୁ କମ୍ ହେବନି । ହେଲେ ମୁଁ ତୁମର ପୁରୁଣା କାରବାରୀ, ଯାହା ଦେବାର ଦେବ ।

 

ଅଣ୍ଟିରୁ ଯୋଡ଼ାଏ ସୁନା–କଙ୍କଣ ବାହାର କରି ସେ ଅମର ଆଗରେ ଥୋଇ ଦେଲା । ଅମର କଙ୍କଣକୁ ନ ଛୁଇଁ ପଚାରିଲା–ଏ କଙ୍କଣ ତୁମେ ପାଇଲ କେଉଁଠୁଁ ?

 

କାଲେ ଖାଁ ନିର୍ଲଜ୍ଜ ହସ ହସି କହିଲା–ସେ କଥା ପଚାରନି ରଜା ! ଦେବାବାଲା ଆଲ୍ଲା ଦେଲେ ।

 

ଅମରକାନ୍ତ ଘୃଣାରେ କହିଲା–କେଉଁଠୁଁ ଚୋରାଇ ଆଣିଛ ତେବେ ?

କାଲେ ଖାଁ ପୁଣି ହସିଲା–ଚୋରି ଆଉ କ’ଣ ରଜା ! ଏ ତ ହେଲା ମୋର ଚାଷ । ଆଲ୍ଲା ସମସ୍ତଙ୍କୁ କିଛି ନା କିଛି ଧନ୍ଦା ଖଞ୍ଜି ଦେଇଛନ୍ତି, କିଏ ଚାକିରି କରୁଛି, କିଏ ମୂଲ ଲାଗୁଛି; ଯେ ଯାହା କରୁ, ଦେଉଛି ଏକା ସେଇ ଖୁଦା । ହଉ, ଏବେ ଟଙ୍କା ବାହାର କର, ମୋତେ ଡେରି ହଉଛି, ବାବୁ ! ଏଇ ଲାଲପଗଡ଼ିଆଙ୍କୁ ଭାରି ମାନିବାକୁ ପଡ଼େ ଭାଇ, ନୋହିଲେ ଦିନଟାଏ ଚଳି ହେବ ନାହିଁ । ଏ ବ୍ୟାପାର ଅମରକାନ୍ତକୁ ଏପରି ଜଘନ୍ୟବୋଧ ହେଲା ଯେ ସେ ଭାବିଲା, କାଲେ ଖାଁକୁ ଭର୍ତ୍ସନା କରି ତଡ଼ିଦେବ । ଲାଲା ସମରକାନ୍ତ ସମାଜର ଏପରି ଶତ୍ରୁଙ୍କ ସଙ୍ଗେ ସମ୍ପର୍କ ରଖିଛନ୍ତି ଜାଣି ସେ କ୍ଷୁବ୍ଧ ହୋଇ ଉଠିଲା । ସେ ଦୋକାନ, ସେ ଘର, ସେହି ବାତାବରଣ, ଏପରିକି ନିଜ ପ୍ରତି ମଧ୍ୟ ତା’ର ଘୃଣା ଜାତ ହେଲା । କହିଲା–ମୋର ଏପରି ଜିନିଷ ଦରକାର ନାହିଁ । ନେଇଯାଅ, ନଚେତ୍ ମୁଁ ପୋଲିସ୍‍ରେ ଏତଲା କରିଦେବି । ଆଉ କେବେ ଏମିତି ଜିନିଷ ନେଇ ଏ ଦୋକାନକୁ ଆସିବ ନାହିଁ, କହି ଦେଉଛି ।

କାଲେ ଖାଁ ତିଳେହେଲେ ବିଚଳିତ ହେଲା ନାହିଁ । କହିଲା–ଏ ତ ତୁମେ ବିଲ୍‍କୁଲ୍ ନୂଆ କଥା କହୁଛ, ବାବୁ ! ଏମିତି ନୀତିରେ ଚଳୁଥିଲେ ଲାଲା ଆଜି ମହାଜନ ହେଇ ବସି ନଥାନ୍ତେ । ହଜାର ହଜାର ଟଙ୍କାର ମାଲ ତ ମୁହିଁ ନିଜେ ଦେଇଯାଇଥିବି । ଅଙ୍ଗନୁ, ମହାଜନ, ଭିଖାରି, ହିଙ୍ଗନ୍ ସମସ୍ତଙ୍କ ସଙ୍ଗରେ ପରା ଲାଲାଜୀଙ୍କର କାରବାର ଅଛି ! କିଛି ଜିନିଷ ହାତରେ ପଡ଼ିଗଲା ତ ଆଖି ବୁଜି ଏଇଠିକି ଚାଲି ଆସିଲେ । ଦାମ ନେଲେ, ଘରକୁ ବାଟ କାଟିଲେ । ଏଇ ଦୋକାନଟି ଯୋଗୁଁ ତ ପିଲାଛୁଆଙ୍କ ପେଟକୁ ଦାନା ମିଳୁଛି, ବାବୁ ! ନିକ୍ତି ବାହାର କରି ତଉଲି ନିଅ–ଦଶ ଭରିରୁ କିଛି ବେଶି ହେବ । ହେଲେ ଏଠି ତ ଆମର ସବୁଦିନିଆ କାରବାର–ଦିଅ, ଦେଢ଼–ଶ’ ଦେଇ ଦିଅ । ଆଉ ଏଇନେ କୁଆଡ଼େ ଧା–ଦଉଡ଼ କରିବି ?

ଅମର ଦୃଢ଼ ଭାବରେ କହିଲା–ମୁଁ ପରା କହିଲି, ମୋର ଦରକାର ନାହିଁ !

“ପଛେ ଭାବି ହଉଥିବ ବାବୁ ! ହଁ, ଠିଏଁ–ଠିଏଁ ଅଢ଼େଇ ଶହରେ ବିକି ଦେବି ।”

“କାହିଁକି ମଥା ଖରାପ କରୁଛ, କହିଲ ! ମୁଁ ଏମିତି ଜିନିଷ ନେବାକୁ ଚାହେଁନା ।”

“ଆଚ୍ଛା–ଆଣ, ଶହେଟି ଟଙ୍କା ଆଣିବଟି । ଆଲ୍ଲା ଜାଣେ, ବହୁତ ହାନି ସହିବାକୁ ପଡ଼ୁଛି, ବାବୁ ! ହଉ, ଥରେ ହାନି ହେଲେ ହେଲା, କ’ଣ କରାଯିବ ।”

“ତୁମେ ମୋତେ ଅଯଥା ବିରକ୍ତ କରୁଛ କାହିଁକି ? ମୁଁ ଚୋରି ମାଲ ଛୁଇଁବି ନାହିଁ । ଲକ୍ଷେ ଟଙ୍କାର ମାଲ ଅଧଲାଟାରେ ଦେଲେବି ନୁହେଁ । ତୁମକୁ ଚୋରି କରିବାକୁ ଲାଜମାଡ଼େ ନାହିଁ-! ଈଶ୍ଵର ହାତ–ଗୋଡ଼ ଦେଇଛନ୍ତି, ବେଶ୍ ସୁସ୍ଥସବଳ ଲୋକ, ମୂଲ–ମଜୁରୀ କରୁନାହଁ କାହିଁକି-? ପରଧନ ଚୋରି କରି ନିଜର ଇହକାଳ ପରକାଳ ଉଭୟ ନଷ୍ଟ କରୁଛ ।

କାଲେ ଖାଁର ମୁଖଭଙ୍ଗୀରୁ ଜଣାଗଲା, ସେ ଯେପରି ପୂର୍ବରୁ ଏପରି ଅଯଥା କଥା ଶୁଣିଆସିଛି ! କହିଲା–ତୁମେ ତେବେ ନେବନି ?

“ନା ।”

“ପଚାଶ ଦେବ ?”

“ପଇସାଟାଏବି ନୁହେଁ ।”

କାଲେ ଖାଁ କଙ୍କଣ ଯୋଡ଼ିକ ନେଇ ଅଣ୍ଟିରେ ରଖିଲା ଓ ଦୋକାନରୁ ତଳକୁ ଓହ୍ଲାଇଗଲା; ମାତ୍ର ନିମିଷକ ପରେ ପୁଣି ଫେରି କହିଲା–ଆଚ୍ଛା, ତିରିଶଟି ଟଙ୍କା ଦେଲ । ଆଲ୍ଲା ଜାଣନ୍ତି, ଲାଲପଗଡ଼ିଆ ଅଧେ ନେଇଯିବେ ବାବୁଜୀ ।

 

ଅମରକାନ୍ତ ଧକ୍କାଏ ମାରି କହିଲା–ବାହାର ଏଠୁ, ସୁଅର ! ମୋତେ କାହିଁକି ବିରକ୍ତ କରୁଛୁ ?

 

କାଲେ ଖାଁ ଚାଲିଯାଆନ୍ତେ ଅମର ଝାଡ଼ୁରେ ସେ ସ୍ଥାନକୁ ସଫା କରାଇ ଧୂପକାଠି ଜଳାଇ ରଖିଦେଲା । ତାକୁ ସେ ପର୍ଯ୍ୟନ୍ତ ମଦଗନ୍ଧ ହେଉଥିଲା । ସେଦିନ ବାପ ପ୍ରତି ତା’ର ଯେଉଁ ଅଭକ୍ତି ଆସିଲା, ଆଉ କେବେ ସେପରି ଆସି ନଥିଲା । ସେ ଘରର ବାୟୁ ମଧ୍ୟ ତାକୁ ଦୂଷିତବୋଧ ହେଲା । ପିତାଙ୍କ ହସ୍ତକୌଶଳର ସାମାନ୍ୟ ପରିଚୟ ସେ ପାଇଲା ସେହିଦିନ । ସେ ମନେମନେ ସ୍ଥିର କଲା ଆଜି ଏ ବିଷୟରେ ବାପାଙ୍କ ସଙ୍ଗେ ନ୍ୟାୟ କରିବି । ସେ ଉଠି ବ୍ୟସ୍ତ ଭାବରେ ରାସ୍ତା ଆଡ଼କୁ ଚାହିଁଲା । ଲାଲାଜୀଙ୍କର ଚିହ୍ନବର୍ଣ୍ଣ ନାହିଁ । ସେ ଭାବିଲା, ଦୋକାନ ବନ୍ଦ କରି ଦେଇ ଚାଲିଯିବ । ଲାଲାଜୀ ଆସିଲେ ପରିଷ୍କାର କହିଦେବ–ମୋଦ୍ଵାରା ଏ ବ୍ୟବସାୟ ଚଳିବ ନାହିଁ । ସେ ଦୋକାନ ବନ୍ଦ କରିବାକୁ ଯାଉଛି, ବୁଢ଼ୀଟିଏ ବାଡ଼ି ଭରା ଦେଇ ଆସି ତା’ ଆଗରେ ଠିଆ ହୋଇଗଲା । କହିଲା–ଲାଲା ନାହାନ୍ତି କି, ପୁଅ ?

 

ବୁଢ଼ୀର ବାଳ ଝୋଟ ହୋଇ ଯାଇଥିଲା । ଦେହର ଅସ୍ଥି ମଧ୍ୟ ଶୁଖି ଯାଇଥିଲା । ଜୀବନ-ଯାତ୍ରାରେ ସେ ଏତେଦୂର ଆଗେଇ ଯାଇଥିଲା ଯେ, ତା’ର ଆକୃତିଟି କେବଳ ଦେଖାଯାଉଥିଲା । ସତେଅବା କିଛିକ୍ଷଣ ପରେ ଅଦୃଶ୍ୟ ହୋଇଯିବ ।

 

ଅମରକାନ୍ତ ପ୍ରଥମେ ଭାବିଲା ଯେ କହିଦେବ–“ବାପା ନାହାନ୍ତି । ସେ ଫେରିଲେ ଆସିବ;” ମାତ୍ର ବୁଢ଼ୀର ଦବିଲା ମୁହଁ ଉପରେ ଏପରି କରୁଣ ଯାତନା, ଏପରି ଶୂନ୍ୟ–ନୈରାଶ୍ୟ ଘୋଟି ଯାଇଥିଲା ଯେ ତା’ ପ୍ରତି ତା’ର ଦୟା ଆସିଲା । ପଚାରିଲା–ଲାଲାଜୀଙ୍କ ପାଖେ କି କାମ ଅଛି ? ସେ ତ କୁଆଡ଼େ ଯାଇଛନ୍ତି ।

 

ବୁଢ଼ୀଟି ନିରାଶ ହୋଇ କହିଲା–କିଛି ଯାଏଁ–ଆସେନା, ବାପ, ପୁଣି ପରେ କେବେ ଆସିବ ।

 

ଅମରକାନ୍ତ ନମ୍ର ଭାବରେ କହିଲା–ଏଇ ଆସୁଥିବେ, ମାଉସୀ ! ଉପରକୁ ଆସ ।

 

ଦୋକାନର ତଳି ଉଚ୍ଚ ଥିଲା । ତିନୋଟି ପାହାଚ ଉଠିବାକୁ ପଡ଼ୁଥିଲା । ବୁଢ଼ୀ ପ୍ରଥମ ପାହାଚରେ ପାଦ ଦେଲା ସିନା, ଅନ୍ୟ ପାଦଟି ଉଠାଇପାରିଲା ନାହିଁ । ପାଦରେ ଶକ୍ତିର ଅଭାବ । ଅମର ଓହ୍ଲାଇ ଯାଇ ତା’ର ହାତ ଧରି ତାକୁ ଉପରକୁ ଉଠିବାରେ ସାହାଯ୍ୟ କଲା । ବୁଢ଼ୀ ଆଶୀର୍ବାଦ କଲା–କୋଟି ପରମାୟୁ ହେଉ, ବାପ; ମୁଁ ଡରୁଛି, ଲାଲା ଯେବେ ଡେରିରେ ଆସନ୍ତି–ଅନ୍ଧାର ହେଇଯାଏ, ଘରେ ପହଞ୍ଚିବି କେମିତି ! ରାତିରେ କିଛି ଦିଶୁ ନାହିଁରେ ପୁଅ !

 

“ତୁମ ଘର କେଉଁଠି, ମାଉସୀ ?”

 

ବୁଢ଼ୀ ନିଷ୍ପ୍ରଭ ନେତ୍ରରେ ତା’ ମୁହଁକୁ ଚାହିଁ କହିଲା–ଗୋବର୍ଦ୍ଧନ ସରାଇ ପାଖରେ ପୁଅ !

 

“ତୁମର ଆଉ କେହି ନାହାନ୍ତି ନା କ’ଣ ?”

 

“ଅଛନ୍ତି ବାପା ! ପୁଅ, ବୋହୂ, ନାତୁଣୀବୋହୂ, ସବୁ ଅଛନ୍ତି । ହେଲେ ଆପଣାର କେହି ନହେଲେ ତ ଥାଇ କ’ଣ ନା ନ ଥାଇ କ’ଣ ? ମୋତେ କେହି ଖୋଜନ୍ତି ନାଇଁ କି ପଚାରନ୍ତି ନାଇଁ, ନ ଖୋଜନ୍ତୁ । ଯେତେହେଲେ ତ ଆପଣା ରକତ–ମରିଗଲେ ମୁଠେ ମାଟି ତ ଦେବେ ।”

 

“ତେବେ ସେମାନେ ତୁମକୁ କିଛି ଦିଅନ୍ତି ନାହିଁ !”

 

ବୁଢ଼ୀ ସ୍ନେହମିଶା ଗର୍ବରେ କହିଲା–ମୁଁ କାହିଁକି କା’ର ହାତ ଟେକାକୁ ଅନେଇବିରେ ବାପ ! ମୋ ଲାଲାଙ୍କର ଅଧିକରୁ ଅଧିକ ହଉ । ସେଇ ମୋତେ ପାଳିଛନ୍ତି । ଆମ ସରଦାର ସେତେବେଳେ ଲାଲାଜୀଙ୍କ ଚପରାସି ଥିଲେ, ତୁ ତ ସେତେବେଳେ ଏଡ଼େ ବକଟେ । ସେ କମାଣିରେ, ଖୁଦା ଏମିତି ବରକତ (ଦୟା) କରିଥିଲେ ଯେ, ଘରଦ୍ଵାର ହେଲା, ପିଲା–ଛୁଆଙ୍କ ବାହା–ସାଦି ହେଲା, ହାତରେ ବେଶ୍ ଚାରି ପଇସା ହେଲା । ପାଞ୍ଚ ଟଙ୍କାର ପିଆଦା ଥିଲେ କ’ଣ ହେବ, କେବେ କାହାରି ଆଗରେ ମୁଣ୍ଡ ନୁଆଁଇ ନାହାନ୍ତି । ଲାଲାଙ୍କର ଯୋଉଠି ଝାଳ ବୁହେ, ସେ ସେଠି ରକତ ବୁହାଇ ଦେଉଥିଲେ । ରାତିଅଧ କ’ଣ, ପାହାନ୍ତା କ’ଣ ଡାକରା ପାଇଲାମାତ୍ରେ ହାଜର ! ଛୋଟ ଚାକିରିରେ ଥିଲେ କ’ଣ ହେଲା–ଲାଲାଜୀ କେବେ ‘ତୁ’ ବୋଲି କହି ନାହାନ୍ତି । ବରାବର ‘ଖାଁ ସାହେବ, ଖାଁ ସାହେବ’ ବୋଲି ଡାକନ୍ତି । ବଡ଼ବଡ଼ ଶେଠମାନେ କହନ୍ତି କି ‘ଖାଁ ସାହେବ ! ଆମେ ତୁମକୁ ଦି’ଗୁଣା ତଲବ ଦେବା, ଆମ ପାଖକୁ ଚାଲିଆସ ।’ ସେ ସମସ୍ତିଙ୍କି ସେଇ ଗୋଟିଏ ଜବାବ ଦିଅନ୍ତି କି ‘ଯା’ର ହେଇଛି ତା’ର । ସେ ଯେ ପର୍ଯ୍ୟନ୍ତ ତଡ଼ି ନ ଦେଇଛନ୍ତି, ତାଙ୍କ ଆଶ୍ରା ଛାଡ଼ିବି କେମିତି ?” ଲାଲାବି ଖୁବ୍ କରିଛନ୍ତି; ୟା କିଏ କରିବ ? ସେ କୋଡ଼ିଏବର୍ଷ ହେଲା ମଲେଣି; ହେଲେ ମତେବି ସେଇ ଦରମା ମିଳୁଛି । ପୁଅ ପର ହେଲେ, ନାତିଏ ପଚାରିଲେ ନାଇଁ; ହେଲେ ଆଲ୍ଲା–ତାଲ୍ଲା ମୋ ଲାଲାଙ୍କୁ ଭଲ ରଖିଥାନ୍ତୁ, ମୋତେ ଆଜିତକ କାହାରି ସାମନାରେ ହାତ ପତାଇବାକୁ ପଡ଼ିନାଇଁ ।

 

ଅମରକାନ୍ତ ନିଜ ପିତାଙ୍କୁ ସ୍ଵାର୍ଥପର, କୃପଣ, ହୃଦୟହୀନ ବୋଲି ଜାଣିଥିଲା । ଆଜି ସେ ଜାଣିଲେ ଯେ ତାଙ୍କଠାରେ ଦୟା–ଧର୍ମ ଅଛି । ଗର୍ବରେ ତା’ର ହୃଦୟ ପୁଲକିତ ହୋଇ ଉଠିଲା, କହିଲା–ତେବେ ତୁମକୁ ମାସିକ ପାଞ୍ଚ ଟଙ୍କା ଲେଖାଏଁ ମିଳେ, ନା ?

 

“ହଁ ବାପା, ଫି’ ମାସ ପାଞ୍ଚୋଟି ଟଙ୍କା ଦିଅନ୍ତି ।”

 

“ତେବେ ମୁଁ ଟଙ୍କା ଦେଉଛି, ନେଇଯାଅ । ଲାଲାଜୀଙ୍କ ଫେରିବାରେ ହୁଏତ ଡେରି ହେଇପାରେ ।”

 

ବୁଢ଼ୀ କାନରେ ହାତ ଦେଇ କହିଲା–ନାଇଁ–ନାଇଁ ବାପ ! ସେ ଆସନ୍ତୁ । ବାଡ଼ି ଧରି ଚାଲିଯିବି । ଏବେ ତ ରେ ପୁଅ, ଏଇ ହେଇଚି ମୋର ଆଖି !

 

“ଏଥିରେ ଅସୁବିଧା କ’ଣ ? ମୁଁ କହିଦେବି ଯେ ପଠାଣଘର ବୁଢ଼ୀ ଟଙ୍କା ନେଇ ଯାଇଛି-। ବୁଝିଲ, ଅନ୍ଧାରରେ କୋଉଠି ପଡ଼ିପୁଡ଼ା ଯିବ ତ... ।”

 

“ନାଇଁରେ ପୁଅ, ଏମିତି କାମ କରିବି ନାଇଁ ଯହିଁରେ ପଛନ୍ତେ କିଛି ଖିଟିମିଟି ବାହାରିବ । ଥାଉ, ପରେ ଆସିବି ।”

 

“ନା–ନା, ଟଙ୍କା ନ ନେଲେ ତ ମୁଁ ଛାଡ଼ିବି ନାହିଁ ।”

 

ବୁଢ଼ୀ ଡରି ଡରି କହିଲା–ଆଣ ତାହାହେଲେ ବାପ, ଦେ । ମୋ ନାମଟା ଟିପି ରଖିଥା–ପଠାଣୁଣୀ ।

 

ଅମରକାନ୍ତ ଟଙ୍କା ଦେବାରୁ ବୁଢ଼ୀ ଥରିଲା ହାତରେ ନେଇ ଗଣ୍ଠିରେ ବାନ୍ଧିଲା ଓ ଆଶୀର୍ବାଦ କରି କରି ଧୀରେ ଧୀରେ ପାହାଚ ଦେଇ ତଳକୁ ଓହ୍ଲାଇଲା । ମାତ୍ର ପଚାଶ ପାଦ ଯାଇଛି କି ନାଇଁ ପଛରୁ ଗୋଟାଏ ରିକ୍ସା ନେଇ ଅମରକାନ୍ତ ପହଞ୍ଚିଗଲା । କହିଲା–ବୁଢ଼ୀ ମାଉସୀ ! ଗାଡ଼ିରେ ବସ, ମୁଁ ତୁମକୁ ଛାଡ଼ି ଦେଇ ଆସିବି ।

 

ବୁଢ଼ୀ ଆଶ୍ଚର୍ଯ୍ୟ–ଚକିତ ଦୃଷ୍ଟିରେ କହିଲା–ଆରେ ନାଇଁରେ ବାପା, ତୁ ମୋତେ ଛାଡ଼ିବାକୁ ଯିବୁ କୁଆଡ଼େ ? ମୁଁ ବାଡ଼ି ଖଣ୍ଡକ ଧରି ଚାଲିଯିବି ଯେ । ଆଲ୍ଲା ତୋତେ ଆଚ୍ଛା ରଖିଥାନ୍ତୁ-

 

ଅମରକାନ୍ତ ରିକ୍ସା ଆଣିସାରିଥିଲା । ସେ ବୁଢ଼ୀକୁ ଉପରକୁ ଉଠାଇ ନେଇ ପଚାରିଲା–କେଉଁଠିକି ଯିବାକୁ ହେବ ?

 

ବୁଢ଼ୀ ରିକ୍ସାର ଦଣ୍ଡାକୁ କଷି ଧରି କହିଲା–ଗୋବର୍ଦ୍ଧନ–ସରାଇ ଚା’ଲେ ବାପ । ଆଲ୍ଲା ତୋତେ କୋଟି ପରମାୟୁ ଦେଉ, ରେ ବାପ । ଛୁଆ ମୋର ଏ ବୁଢ଼ୀଟା ଲାଗି କେତେ ହଇରାଣ ହେଲାଣି । କେତେ ବାଟ ଦଉଡ଼ି ଦଉଡ଼ି ଅଇଲାଣି । ପାଠ ପଢ଼ୁଛୁ ନା, ବାପା ? ଆଲ୍ଲା ତୋତେ ବଡ଼ମଣିଷ କରନ୍ତୁ ।

 

ପନ୍ଦର–କୋଡ଼ିଏ ମିନିଟରେ ଗାଡ଼ିଟି ଗୋବର୍ଦ୍ଧନ–ସରାଇରେ ପହଞ୍ଚିଲା । ସଡ଼କର ଡାହାଣ ପାଖକୁ ଗୋଟିଏ ଗଳି । ସେଇଠି ଗାଡ଼ି ଅଟକାଇ ଓହ୍ଲାଇ ପଡ଼ିଲା । ଆଗକୁ ଗାଡ଼ି ଯାଇପାରୁ ନଥିଲା ଜଣାଯାଉଥିଲା, ଯେପରି ଅନ୍ଧାର ମୁହଁରେ ଆଲକାତରା ବୋଳି ହୋଇଛି ।

 

ଅମରକାନ୍ତ ରିକ୍ସା ଫେରାଇବାକୁ ଚାଳକକୁ କହିଲା । ବୁଢ଼ୀ କହିଲା–ନାଇଁରେ ଧନ, ଏତେ ବାଟ ଆସିଲୁଣି ଯେତେବେଳେ ମୋ ଘରେ ଦଣ୍ଡେ ବସିକରି ଯା । ମୋ କଲିଜା ତ ଥଣ୍ଡା କରିଦେଲୁ, ବାପ ।

 

ଗଳିରେ ବଡ଼ ଦୁର୍ଗନ୍ଧ । ଅପରିଷ୍କାର ପାଣି–ନାଳ ଦୁଇ କଡ଼ରେ ବହି ଯାଉଥାଏ । ପ୍ରାୟ ସବୁ ଘର କଚା ଗରିବ ସାହିଟିଏ । ସହରର ବଜାର ଓ ଗଳି ମଧ୍ୟରେ କେତେ ଅନ୍ତର । ଗୋଟିଏ ଫୁଲ–ସୁନ୍ଦର ସ୍ଵଚ୍ଛ, ସୁଗନ୍ଧମୟ; ଅନ୍ୟଟି ମୂଳ ପଙ୍କିଳ ଓ ଦୁର୍ଗନ୍ଧମୟ, ବଙ୍କାଟଙ୍କା; କିନ୍ତୁ ଫୁଲ କ’ଣ ଜାଣେ ସେ ମୂଳ ଯୋଗୁଁ ତା’ର ଅସ୍ତିତ୍ଵ ରହିଛି ?

 

ବୁଢ଼ୀ ଗୋଟିଏ ଘର ଆଗରେ ଠିଆ ହୋଇ ଡାକିଲା–ସକୀନା ।

 

ଭିତରୁ ଶୁଭିଲା–ଯାଉଛି ଆମ୍ମା, ଏତେବେଳଯାକେ କେଉଁଠିଥିଲୁ ?

 

କ୍ଷଣକ ମଧ୍ୟରେ ସମ୍ମୁଖସ୍ଥ ଦ୍ଵାରଟି ଖୋଲିଲା । ବାଳିକାଟିଏ କିରାସିନି ତେଲର ଜାଳେଣି ଡିବିଟିଏ ଧରି ଠିଆ ହୋଇଥାଏ । ଅମରକାନ୍ତ ବୁଢ଼ୀ ପଛକୁ ଥିଲା । ବାଳିକାର ଦୃଷ୍ଟି ତା’ ଉପରେ ପଡ଼ି ନଥିଲା; କିନ୍ତୁ ବୁଢ଼ୀ ଆଗେଇ ଯିବାରୁ ସକୀନା ତାକୁ ଦେଖିପାରି ସତ୍ତ୍ଵର ଓଢ଼ଣୀରେ ମୁହଁ ଢାଙ୍କି ପଛକୁ ଘୁଞ୍ଚିଗଲା ଓ ଧୀରେ ପଚାରିଲା–କିଏ କି, ମା’ ?

 

ବୁଢ଼ୀ ତା’ର ବାଡ଼ି ଖଣ୍ଡିକ ଗୋଟିଏ କୋଣରେ ଡେରି ଦେଇ କହିଲା, ଆମ ଲାଲାଙ୍କ ପୁଅ ପରା, ମୋତେ ଛାଡ଼ିବାକୁ ଆସିଛି । ଏମିତି ସୁନ୍ଦର ଆଉ ଶିକ୍ଷିତ ପିଲା ମୁଁ କୋଉଠି ଦେଖିନାହିଁ-

 

ସେ ପର୍ଯ୍ୟନ୍ତ ଘଟିଥିବା ସମସ୍ତ ବୃତ୍ତାନ୍ତ ବୁଢ଼ୀ ତା’ର ଆଶୀର୍ବାଦ ବୋଳା ଭାଷାରେ ବର୍ଣ୍ଣନା କଲା । କହିଲା–ଅଗଣାରେ ଖଟିଆଟା ପକେଇ ଦେ’ ତ, ମା’ ! ଟିକିଏ ଡାକିଆଣେ, ଥକି ଯାଇଥିବ ।

 

ସକୀନା ଭଙ୍ଗା ଖଟିଆଟିଏ ଅଗଣାରେ ପକାଇ ଦେଲା ଓ ତା’ ଉପରେ ମଇଳା ଛିଣ୍ଡା ଚଦର ଖଣ୍ଡିଏ ବିଛାଉ, ବିଛାଉ କହିଲା–ଏଇ ଖଟିଆଟା ଉପରେ ବସେଇବୁ କ’ଣ, ମା’ ! ମୋତେ ତ ଲାଜ ଲାଗୁଛି ।

 

ବୁଢ଼ୀ ଟିକିଏ କଟୁ ଦୃଷ୍ଟିରେ ଚାହିଁ କହିଲା–ଏଥିରେ ଲାଜ କ’ଣ ? ଆମ ହାଲ୍–କ’ଣ ତାଙ୍କୁ ଅଜଣା ?

 

ସେ ବାହାରକୁ ଯାଇ ଅମରକାନ୍ତକୁ ଡାକିଲା । ଦ୍ଵାରମୁହଁରେ ଗୋଟାଏ ପୁରୁଣା ଚିରା ପାଲର ପରଦା ଟଙ୍ଗା ଯାଇଥିଲା । ଦ୍ଵାର ସେପାଖେ ଗୋଟିଏ ଅଗଣା, ଯେଉଁଠି ଦୁଇଟି ଖଟିଆ ପଡ଼ିବା ଅସମ୍ଭବ । ସମ୍ମୁଖରେ ଗୋଟିଏ ନୁଆଁଣିଆ ଖପରିଲ ଚାଳି, ତା’ ପଛକୁ ଗୋଟିଏ କୋଠରୀ-। ସେତେବେଳେ ତାହା ଅନ୍ଧାର ଥିଲା । ଚାଳିର ଗୋଟିଏ ପାଖକୁ ଚୁଲିଟିଏ ଏବଂ ଟିଣ ଓ ମାଟିର ଦୁଇ–ଚାରିଟି ପାତ୍ର ଥାଏ । ଗୋଟିଏ ଗଗରା ଓ ଗୋଟିଏ ମାଠିଆବି ଥୁଆ ହୋଇଥାଏ-। ଚୁଲିରେ ନିଆଁ ଜଳୁଥାଏ ଓ ତାଉଆଟିଏ ବସିଥାଏ ।

 

ଅମର ଖଟ ଉପରେ ବସିପଡ଼ି କହିଲା–ଏ ଘର ତ ଅତି ଛୋଟ, ଏଥିରେ ଚଳୁଚ କେମିତି ?

 

ବୁଢ଼ୀ ଖଟିଆ ପାଖରେ ଭୂଇଁରେ ବସିପଡ଼ି କହିଲା–ବାପା ! ଏବେ ତ ଦୁଇ ଜଣ, ନାଇଁତ ଏଇ ଘରେ ପୂରା ଗୋଟାଏ କୁଟୁମ୍ବ ଚଳୁଥିଲା । ମୋର ଦୁଇ–ଦୁଇଟା ପୁଅ, ଦୁଇଟା ବୋହୂ, ସେମାନଙ୍କ ଛୁଆପିଲା, ସବୁ ଏଇ ଘରେ ଚଳୁଥିଲେ । ଏଇଠି ସମସ୍ତଙ୍କ ବାହାସାଦି ହେଲା, ସବୁ ମଲେ । ସେତେବେଳେ ଏ ଘରେ ଏମିତି ହସଖୁସି ଲାଗିଥିଲା ଯେ କହିବି କ’ଣ ? ଏବେ ତ ଏଇ ନାତୁଣୀଟି ଆଉ ମୁଁ ଅଛୁ । ଆଉ ସମସ୍ତିଙ୍କି ଆଲ୍ଲା ଡାକିନେଲେରେ, ବାପ । ରାନ୍ଧୁଛୁ, ଖାଉଛୁ, ପଡ଼ି ରହିଛୁ । ସରଦାର ଗଲାଠୁଁ ସବୁ କୁଆଡ଼େ ଗଲା । ମୁଁ ଖାଲି ଆଲ୍ଲାଙ୍କୁ ଡାକୁଛି–ଏଇଟି କିମିତି ଗୋଟିଏ ଭଲ ପିଲା ହାତରେ ପଡ଼ନ୍ତା କି ମୁଁ ତାଙ୍କୁ କହନ୍ତି, ଏଥର ମୋତେ ନେଇଯାଅ । ଆରେ ପୁଅ, ତୋର ତ ବହୁତ ଭାବ–ଦୋସ୍ତ ଥିବେ, ଲାଜ କଥା କ’ଣ, ଯଦି ହବ କା’ ସଙ୍ଗେ ଟିକିଏ କଥା ପକେଇବୁ । ମୋ ବାପଟା ପରା, ଧନଟା ପରା, କେଜାଣି କାଳେ ତୋ ଚେଷ୍ଟାରେ କେଉଁଠି ହେଇଯିବ ।

 

ସକୀନା କୁରୁତା–ପା’ଜାମା ପିନ୍ଧି, ଓଢ଼ଣୀରେ ମୁଣ୍ଡ ଢାଙ୍କି ଚାଳିରେ ଠିଆ ହୋଇଥିଲା । ବୁଢ଼ୀ ତା’ର ବିବାହ ପ୍ରସଙ୍ଗ ଉଠାଇବାମାତ୍ରେ ସେ ଯାଇ ଚୁଲି ପାଖରେ, ବସିପଡ଼ିଲା ଓ ଅଙ୍ଗୁଳିରେ ଅଟାକୁ ତଳ ଉପର କରିବାକୁ ଲାଗିଲା । ସେ ମନେମନେ ବିରକ୍ତ ହେଉଥାଏ–ଏ ବୁଢ଼ୀ ତାଙ୍କ ପାଖେ କାହିଁକି ଦୁଃଖ ବାହୁନି ବସିଲା ! କାହା ସଙ୍ଗେ କିପରି କଥା କହିବାକୁ ହୁଏ, ଟିକିଏ ହେଲେ ବିଚାର କରନ୍ତା ! ଯେ ଆସିଲା, ତା’ ପାଖରେ ସେଇ ବାହାଘର କଥା ଗପିଲା । ଆଉ ତ‌ କିଛି ନାହିଁ, ଖାଲି ବାହାଘର–ବାହାଘର ।

 

ସେ କୁଆଡ଼ୁ ଜାଣିବ ଯେ ନିଜ ସନ୍ତାନଙ୍କୁ ବିବାହିତ ଦେଖିବା ବୃଦ୍ଧ ବୟସର ସର୍ବାପେକ୍ଷା ବଡ଼ ଅଭିଳାଷ ?

 

ଅମରକାନ୍ତ ମନେମନେ ମୁସଲମାନ ବନ୍ଧୁମାନଙ୍କ ପ୍ରତି ସିଂହାବଲୋକନ କରୁ କରୁ କହିଲା–ମୋର ତ ମୁସଲମାନ ଦୋସ୍ତ ବେଶି ନାହାନ୍ତି; ତଥାପି ଯେଉଁ ଜଣେ ଦୁଇଜଣ ଅଛନ୍ତି, ତାଙ୍କ ସହିତ କଥାଭାଷା କରିବି ।

 

ବୁଢ଼ୀ ଚିନ୍ତିତା ହୋଇ କହିଲା–ସେମାନେ ସବୁ ତ ବଡ଼ଲୋକ ଥିବେ !

 

“ହଁ, ସମସ୍ତେ ବଡ଼ଘରର ପିଲା ।”

 

“ତେବେ ସେମାନେ ଭଲା ଆମ ଗରିବଙ୍କୁ କାହିଁକି ପଚାରିବେ । ହଁ ଆମ ନବୀଙ୍କର ହୁକୁମ (ଈଶ୍ଵରଙ୍କ ଦୂତଙ୍କର ଆଦେଶ) ଯେ ବାହା–ସାଦିରେ ଅମିର–ଗରିବ ବାଛବିଚାର କରିବା ଠିକ୍ ନୁହେଁ, ହେଲେ ତାକୁ ଏବେ ମାନୁଛି କିଏ ? ଖାଲି ନାମକୁ ହିନ୍ଦୁ କି ମୁସଲମାନ ସିନା, ଖାଣ୍ଟି ହିନ୍ଦୁ, କି ଖାଣ୍ଟି ମୁସଲମାନ ଏବେ କୋଉଁଠି ଆଖିରେ ପକାଇବାକୁ ମିଳୁଛି ନା ? ମୋ ଘରେ, ତୁ ତ ପୁଅ, ପାଣି ପିଇବୁ ନାହିଁ; କ’ଣ ଦେଇ ମାନ–ଥାନ କରିବି ? (ସକୀନା ପ୍ରତି) ଆଲୋ ଝିଅ ! ତୁ ଯେଉଁ ରୁମାଲରେ ଫୁଲ କାଟିଥିଲୁ, ଆଣି ପୁଅକୁ ଦେଖେଇଲୁ–ତା’ର ପସନ୍ଦ ହେବ କି କ’ଣ । ଆଲ୍ଲା ଆମକୁ ଆଉ କି ନସିବ ଦେଇଛନ୍ତି ଯେ ।”

 

ସକୀନା ରୋଷେଇ ପାଖରୁ ଉଠି ଗୋଟାଏ ଥାକ ଉପରୁ ବଡ଼ ସିଗାରେଟ ବାକ୍‌ସଟିଏ ଆଣିଲା । ସେଥିରୁ ଖଣ୍ଡିଏ ରୁମାଲ ବାହାର କରି ସଂକୁଚିତ ଭାବରେ ମୁଣ୍ଡ ନୁଆଁଇ ବୁଢ଼ୀ ପାଖକୁ ଗଲା ଓ ତାହା ଥୋଇ ଦେଇ ଚଞ୍ଚଳ ଗତିରେ ଫେରିଗଲା ।

 

ଅମରକାନ୍ତ ତଳକୁ ଚାହିଁଥିଲା; ମାତ୍ର ସମ୍ମୁଖରେ ସକୀନାକୁ ଦେଖି ଦୃଷ୍ଟି ତା’ର ନତ ହୋଇ ରହିପାରିଲା ନାହିଁ । ସମ୍ମୁଖରେ ରମଣୀଟିଏ ଠିଆ ହୋଇଥିବାବେଳେ ତା’ଆଡ଼ୁ ମୁହଁ ଫେରାଇନେବା କି ଅସୁନ୍ଦର କଥା ! ସକୀନାର ବର୍ଣ୍ଣ ଶ୍ୟାମଳ, ରୂପରେଖା ଦୃଷ୍ଟିରୁ ତାକୁ ସୁନ୍ଦର ବୋଲି କୁହାଯାଇ ନ ପାରେ । ଅଙ୍ଗପ୍ରତ୍ୟଙ୍ଗର ଗଠନ ମଧ୍ୟ କବି–ବର୍ଣ୍ଣିତ ଉପମା ସଙ୍ଗେ ମେଳ ଖାଉ ନଥିଲା; ମାତ୍ର ରୂପ–ରଙ୍ଗ, ଚାଲି–ଚଳନ, ଶୀଳ–ସଙ୍କୋଚ, ସବୁ ମିଶି ତାକୁ ଗୋଟାଏ ଆକର୍ଷଣୀୟ ଶୋଭା ପ୍ରଦାନ କରିଥିଲେ । ସେ ବଡ଼ବଡ଼ ପଲକରେ ଡୋଳା ଢାଙ୍କି ଦେହ ଘୋଡ଼ାଇ ଶୋଭାର ସୁଗନ୍ଧ ଓ ଜ୍ୟୋତି ବିସ୍ତାର କରି ଏପରି ଭାବରେ ଚାଲିଗଲା, ଯେପରିକି ଗୋଟାଏ ସ୍ଵପ୍ନ–ଚିତ୍ର ଝଲକ ଦେଖାଇ ପଲକ ଭିତରେ ଉଭେଇଯାଏ ।

 

ଅମର ରୁମାଲଟି ଉଠାଇ ନେଇ ଦୀପ ଆଲୁଅରେ ଦେଖିବାକୁ ଲାଗିଲା । କି ପରିଷ୍କାରଭାବେ ଲତା–ପତ୍ର ଫୁଟିଉଠିଛି । ମଝିରେ ଗୋଟିଏ ମୟୂର ! ଏ କୁଡ଼ିଆରେ ପୁଣି ଏପରି ସୁରୁଚି ?

 

ଚକିତ ହୋଇ କହିଲା–ବଡ଼ ସୁନ୍ଦର ହେଇଚି ତ ଏ ରୁମାଲଟି । ମାଉସୀ ! ଜଣାଯାଉଛି ସକୀନା ସିଲେଇ କାମରେ ବଡ଼ ଧୁରନ୍ଧର ।

 

ବୁଢ଼ୀ ସଗର୍ବ କହିଲା–ଇଏ ସବୁ କାମ ଜାଣେରେ ପୁଅ । କେଜାଣି କୁଆଡ଼ୁ କେମିତି ଶିଖିଲା ! ଏ ସାହିର ଦୁଇ–ଚାରିଟି ଝିଅ ପଢ଼ିବାକୁ ମଦ୍‌ରସା ଯା’ନ୍ତି । ସେଇମାନଙ୍କଠୁ ଦେଖି ଏ ସବୁ କାମ ଶିଖି ନେଇଚି । ଘରେ ଜଣେ ମର୍ଦ ଥିଲେ ଆମକୁ କିଛି କାମ ମିଳିବାରେ ସୁବିଧା ହୁଅନ୍ତା-। ଏ ଗରିବ ସାହିରେ ଏପରି କାମକୁ ବା କିଏ ମନ ଦେଇପାରିବ ? ତୁ ଏ ରୁମାଲ ଖଣ୍ଡିକ ନେଇଯା, ବାପ ! ଏ ଗରିବ ରାଣ୍ଡ ତୋତେ ଆଉ କ’ଣ ବା ଦେଇପାରିବ !

 

ଅମର ରୁମାଲଟିକୁ ପକେଟରେ ରଖିଲା । ତା’ର ଆଖି ଛଳଛଳ ହୋଇ ଆସିଲା । ସାମର୍ଥ୍ୟ ଥିଲେ ସେ ସଙ୍ଗେ ସଙ୍ଗେ ଶହେ–ଦୁଇଶହ ରୁମାଲର ବରାଦ ଦେଇ ପକାଇଥାନ୍ତା । ତେବେ ସୁଦ୍ଧା ଏ ବିଷୟ ତା’ ହୃଦୟରେ ସ୍ଥାନ ଅଧିକାର କଲା । ସେ ଛିଡ଼ା ହୋଇ କହିଲା–ମୁଁ ଏ ରୁମାଲଟିକୁ ସର୍ବଦା ତୁମର ଆଶୀର୍ବାଦ ବୋଲି ମନେକରୁଥିବି । ସଂକଳ୍ପ ନହେଲେବି ମୋର ବିଶ୍ଵାସ, ମୁଁ ମୋ‌ ବନ୍ଧୁମାନଙ୍କର କିଛି ବରାଦ ଆପଣଙ୍କୁ ଯୋଗାଇ ଦେଇପାରିବି ।

 

ଅମରକାନ୍ତ ପ୍ରଥମେ ପଠାଣୁଣୀ ପ୍ରତି ‘ତୁମେ’ ପ୍ରୟୋଗ କରିଥିଲା । ବିଦାୟ ନେବାବେଳକୁ ସେହି ‘ତୁମେ’ ‘ଆପଣ’ରେ ପରିବର୍ତ୍ତିତ ହୋଇଗଲା । ସୁରୁଚି, ସୁବିଚାର ଓ ସଦ୍ଭାବ, ଏ ସମସ୍ତ ତାକୁ ଏଠାରେ ମିଳିଲା । ହେଲେହେଁ ସେ ସବୁ ଉପରେ ବିପନ୍ନତାର ଆବରଣ ପଡ଼ିଥିଲା-। ସମ୍ଭବତଃ ସକୀନା ଏହି ‘ତୁମେ’ ଓ ‘ଆପଣ’ର ବିଚାର ଉତ୍ପନ୍ନ କରି ଦେଇଥିଲା ।

 

ଅମର ଉଠି ଛିଡ଼ା ହେବାରୁ ବୁଢ଼ୀ ପଣତ ପ୍ରସାରି ତାକୁ ଆଶୀର୍ବାଦ ଦେଲା । ସେ ଫେରିଲାବେଳକୁ ପ୍ରାୟ ନ’ଟା । ସମରକାନ୍ତ ପଚାରିଲେ–ଦୋକାନ ବନ୍ଦ କରିଦେଇ କୁଆଡ଼େ ପଳେଇଲୁ ? ଏଇମିତି ଦୋକାନରେ ବସନ୍ତି, ନା ?

 

ଅମର ନିଜର ନିର୍ଦ୍ଦୋଷତା ଦେଖାଇଲା–ପଠାଣୁଣୀ ବୁଢ଼ୀ ଟଙ୍କାପାଇଁ ଆସିଥିଲା । ବହୁତ ଅନ୍ଧାର ହୋଇ ଯିବାରୁ ମୁଁ ଭାବିଲି, ବୁଢ଼ୀଲୋକ, କାଳେ କେଉଁଠି ପଡ଼ିପଡ଼ା ଯିବ । ତେଣୁ ତାକୁ ତା’ ଘରେ ପହଞ୍ଚାଇ ଦେବାକୁ ଯାଇଥିଲି ।” ସେ ତ ଆଦୌ ଟଙ୍କା ନେଉ ନଥିଲା; କିନ୍ତୁ ଯେତେବେଳେ ବହୁତ ବିଳମ୍ବ ହେଲା, ମୁଁ ତାକୁ ଅଟକାଇବା ଉଚିତ ମନେକଲି ନାହିଁ ।

 

“କେତେ ଟଙ୍କା ଦେଲୁ ?”

 

“ପାଞ୍ଚ ଟଙ୍କା ।”

 

ଲାଲାଜୀଙ୍କର ଟିକିଏ ଧୈର୍ଯ୍ୟ ଆସିଲା ।

 

“ଆଉ କେହି ଆସାମୀ ଆସିଥିଲେ । କାହାଠାରୁ କିଛି ଅସୁଲ ହେଲା ?”

 

“ନାଇଁ ।”

 

“ଆଚ୍ଛା କଥା !”

 

“ଆଉ କେହି ତ ଆସି ନାହିଁ । ହଁ, ସେଇ ବଦମାସ କାଲେ ଖାଁ ଗୋଟାଏ ସୁନା ଜିନିଷ ଧରି ବିକିବାକୁ ଆସିଥିଲା, ମୁଁ ଫେରାଇ ଦେଲି ।”

 

ସମରକାନ୍ତଙ୍କ ଚକ୍ଷୁରେ ଅସନ୍ତୋଷ–କି ଜିନିଷ ?

 

“ସୁନା କଙ୍କଣ, ଦଶ ତୋଳାର ବୋଲି କହୁଥିଲା ।”

 

“ତୁ ତଉଲି ନାହୁଁ ?”

 

“ମୁଁ ତ ଛୁଇଁଲି ନାହିଁ ।”

 

“ହଁ–ଛୁଇଁଥାନ୍ତୁ କେମିତି ? ସେଥିରେ ପାପ ଗୋଳେଇ ହେଇଥିଲା, ନା ! କେତେ ମାଗୁଥିଲା ?”

 

“ଦୁଇ ଶହ ।”

 

“ମିଛ କହୁଛୁ ।”

 

“ପ୍ରଥମେ ଦୁଇ ଶହ କହିଥିଲା–ଖସି ଖସି ତିରିଶ ଟଙ୍କା ଯାଏଁ ଆସିଲା ।”

 

ଲାଲାଜୀଙ୍କର ମୁଦ୍ରା କଠୋର ହୋଇଗଲା–ତଥାପି ତୁ ଫେରାଇ ଦେଲୁ ?

 

“ଆଉ କ’ଣ କରିଥାନ୍ତି ? ମୁଁ ତ ତାକୁ ବିନା ପଇସାରେବି ରଖି ନଥାନ୍ତି । ସେପରି ରୋଜଗାର କରିବାକୁ ମୁଁ ପାପ ବୋଲି ମନେକରେ ।”

 

ସମରକାନ୍ତ କ୍ରୋଧରେ ବିକୃତ ହୋଇ କହିଲେ–ଚୁପ୍ ରହ । ଲାଜ ମାଡ଼ୁନାହିଁ ତୋତେ, ଆହୁରି କଥା କହୁଛୁ ? ବସୁ ବସୁ ଦେଢ଼ଶହ ଟଙ୍କା ମିଳିଥାନ୍ତା, ତୁ ଗୋଟାଏ ଗର୍ବରେ ତାକୁ ଛାଡ଼ିଦେଲୁ, ତା’ ଉପରେ ପୁଣି ଟାଇଁଟାଇଁ କରି କଥା କହୁଛୁ ! ଧର୍ମ ଜିନିଷଟା କ’ଣ ବୋଲି ତୁ ଭାବୁ-? ବର୍ଷରେ ଥରଟାଏ ଗଙ୍ଗା–ସ୍ନାନ କରୁ ? ଥରେ ହେଲେ ଦେବତା ଉପରେ ଜଳ ଦେଉ ? ରାମ ନାମ କେବେ ମୁହଁରେ ଧରିଛୁ ? ଜୀବନରେ କେବେ ଏକାଦଶୀ ବ୍ରତ କଲୁଣି ? କେବେ ପୁରାଣ–ଶାସ୍ତ୍ର ପଢ଼ିଲୁଣି କି ଶୁଣିଲୁଣି ? ତୁ କୁଆଡ଼ୁ ଜାଣିବୁ ଧର୍ମ କ’ଣ ? ଧର୍ମ ନିଆରା ଜିନିଷ, ରୋଜଗାର ନିଆରା ଜିନିଷ । ଛି–ଛି–ଛି–ଛି, ଜାଣୁ ଜାଣୁ ଦେଢ଼ଶହ ଟଙ୍କା ପାଣିକି ଫିଙ୍ଗିଦେଲୁ ।

 

ଅମରକାନ୍ତ ଧର୍ମର ଏପରି ବ୍ୟାଖ୍ୟା ଶୁଣି ମନେମନେ ହସି କହିଲା–ଆପଣଙ୍କର ଗଙ୍ଗାସ୍ନାନ, ପୂଜାପାଠ ଧର୍ମର ଉପାୟ ମାତ୍ର–ଧର୍ମ ନୁହେଁ ।

 

ସମରକାନ୍ତ ମୁହଁ ହଲେଇ କହିଲେ–ଠିକ୍ ଜାଣିଛ–ଏକଦମ୍ ଠିକ୍ । ଏଣିକି ଲୋକେ ତୁମକୁ ଧର୍ମାଚାର୍ଯ୍ୟ ବୋଲି ମାନିବେ । ତୁମର ଏ ଧର୍ମମାର୍ଗରେ ଚାଲିଥିଲେ ଆଜି ମୁଁ ବି ଲେଙ୍ଗୁଟୀ ମାରି ବୁଲୁଥାନ୍ତି । ଆଉ ତୁମେ କୋଠାଘରେ ବସି ଏମିତି ମଉଜ କରୁ ନଥାନ୍ତ । ଚାରି ଅକ୍ଷର ଇଂଗ୍ରେଜୀ ପଢ଼ିଦେଲୁ ନା, ଏ ତା’ରି ମହିମା; କିନ୍ତୁ ମୁଁ ବହୁତ ଲୋକଙ୍କୁ ଜାଣେ, ଯେଉଁମାନେ କି ଖୁବ୍ ଇଂଗ୍ରେଜୀ ପଢ଼ି ସୁଦ୍ଧା ନିଜ ଧର୍ମରେ ଥାନ୍ତି । ସଫା ଦେଢ଼ଶହ ଟଙ୍କା–ପାଣିକି ପକେଇ ଦେଲୁ !

 

ଅମରକାନ୍ତ ବିଚଳିତ ହୋଇ କହିଲା–ଆପଣ ସେହି କଥା ବାରମ୍ବାର କାହିଁକି ଉଠାଉଛନ୍ତି, କହିଲେ ? ମୁଁ ତ ଚୋରି–ଡକାୟତି ମାଲ ଛୁଇଁବି ନାହିଁ । ତେଣିକି ଆପଣ ସନ୍ତୁଷ୍ଟ ହେଲେ ହୁଅନ୍ତୁ, ନହେଲେ ନାହିଁ । ମୁଁ ଏପରି ରୋଜଗାରକୁ ଘୃଣା କରେ । ମୁଁ ମୋ ଆତ୍ମାକୁ ହତ୍ୟା କରିପାରିବି ନାହିଁ ।”

 

ଆଚ୍ଛା । ତେବେ ମୋ କାମରେ “ବି ଏମିତି ଆତ୍ମା ଦରକାର ନାହିଁ । ବେଳକାଳ ଦେଖି, ହାନିଲାଭ ବିଚାରି କାମ କଲାବାଲା ଆତ୍ମା ମୋର ଦରକାର ।”

 

“ଧର୍ମକୁ ମୁଁ ହାନିଲାଭର ନିକିତିରେ ତଉଲି ପାରିବିନି ।”

 

ଏ ଗଜମୂର୍ଖତାର ଔଷଧ ଚାପୁଡ଼ା ଛଡ଼ା ଆଉ କ’ଣ ହୋଇପାରେ ? ଲାଲାଜୀ ରକ୍ତ–ଚାଉଳ ଚୋବାଇ ରହିଲେ । ସେ ଯଦି ହୃଷ୍ଟପୁଷ୍ଟ ହୋଇଥାନ୍ତା, ସେଇଠି ତାକୁ ଧର୍ମନିନ୍ଦା କରିବାର ମଜା ଚଖାଇ ଦେଇଥାନ୍ତେ । କହିଲେ–ହଉ, ସଂସାରରେ ତ ତୁମେ ଏକା ଧର୍ମର ଜଣେ ଠିକାଦାର, ଆଉ ସମସ୍ତେ ଅଧର୍ମୀ । ନିଜ ଅହଂକାରରେ ଯୋଉଁ ମାଲ ତୁ ଲେଉଟେଇ ଦେଲୁ, ତାକୁ ତୋ’ରି ଭାଇ ଦୁଇ–ଚାରି ଟଙ୍କା କମ୍–ବେଶିରେ ନେଇ ଯାଇଥିବେ । ସେ ତ ନେଲା–ଧନ କମେଇଲା, ତୁ ଲେମ୍ବୁ ଲୁଣ ଚାଟି ରହିଲୁ । ଦେଢ଼ ଶହ ଟଙ୍କା–ଦେଢ଼ ଶ’ ଥାନ କପଡ଼ା କି ଦେଢ଼ଶ’ ବୋରା ଚିନି ବିକିଲେ ମିଳିବା କଷ୍ଟ । ଏଇଟା ବସି ବସି ଗେଫା ମାରିବା କଥା ନୁହେଁ ଯେ । ବର୍ତ୍ତମାନ ତ କମେଇବାକୁ ପଡ଼ୁନାହିଁ, ପର ବାହାରେ ମାରୁଛ ବୋଲି ଏମିତି କଥା ବାହାରୁଛି । ଆପଣା ଉପରେ ପଡ଼ିଲେ ବଳେ ଆଖି‌ ଖୋଲିଯିବ ଯେ ।

 

ଅମର ତଥାପି ମାନିଲା ନାହିଁ । କହିଲା–ମୁଁ କଦାପି ଏ ବ୍ୟବସାୟ କରିବି ନାହିଁ ।

 

ପୁଅର ନିର୍ବୋଧତା ଦେଖି ଲାଲାଜୀଙ୍କର କ୍ରୋଧ ସ୍ଥାନରେ କ୍ରୋଧମିଶ୍ରିତ ଦୟା ଆସିଲା-। କହିଲେ–ତେବେ କେଉଁ ବ୍ୟବସାୟଟି କରିବୁ, ଶୁଣେ । କେଉଁ ବ୍ୟବସାୟରେ ତୋ ଆତ୍ମାର ହତ୍ୟା ନ ହେବ ? ଦେଣା–ପାଉଣା, ସୁଧ–ବଟା, ଲୁଗା–ପଟା, ତେଲ–ଘିଅ, ଚାଉଳ–ଅଟା, ସବୁ ବ୍ୟବସାୟରେ ଦାଉଘାତ ରହିଛି । ସେ ଦାଉଘାତ ଜାଣେ, ସେ ନଫା ଉଠାଏ; ଯେ ନ ଜାଣେ, ସେ ଦୁଆଳିଆ ହୁଏ । ମୋତେ ଏମିତି ଗୋଟାଏ ବ୍ୟବସାୟ ବତେଇଲୁ, ଯେଉଁଥିରେ ମିଛ କହିବାକୁ ନହୁଏ, ବେଇମାନୀ କରିବାକୁ ନ ପଡ଼ିବ । ଏତେ ବଡ଼ବଡ଼ ହାକିମ–ହୁକୁମା ଅଛନ୍ତି, କହିଲୁ–କିଏ ଘୁଷ ନ ନିଏ ? ସାଧାରଣ ଗୋଟାଏ ନକଲ ବାହାର କରିବାକୁ ଗଲେ ଟଙ୍କାଟାଏ ଲାଗିଯାଉଛି-! ଲେଖେଇ ଖର୍ଚ୍ଚ ନ ପାଇଲାଯାଏ ଥାନାବାଲା ରିପୋର୍ଟ ଲେଖୁ ନାହାନ୍ତି । କେଉଁ ଓକିଲଟା ଅଛି, ଯେ ମିଛ ସାକ୍ଷୀ ତିଆରି ନ କରୁଛି ? ନେତାଙ୍କ ଭିତରେ କେଇଟା ଅଛନ୍ତି, ଯେ କି ଚାନ୍ଦା–ଟଙ୍କା ପେଟରେ ନ ପକାନ୍ତି ? ସଂସାରଟା ତ ମିଛ–ମାୟାରେ ବନ୍ଧା, ସେଥିରୁ କିଏ ରକ୍ଷା ପାଇବ ବା କିପରି !

 

ଅମର ଉଦାସୀନ ଭାବରେ ମଥା ହଲାଇ କହିଲା–ଯଦି ବ୍ୟବସାୟର ପରିସ୍ଥିତି ଏପରି ହୁଏ, ମୁଁ ମୂଳରୁ ବ୍ୟବସାୟ କରିବି ନାହିଁ ।

 

“ତାହାହେଲେ ଘର–ଗୃହସ୍ଥି ଚଳିବ କିମିତି ? ଝର ନ ଫିଟିଲେ କୂଅରୁ କେଇଦିନ ପାଣି ବାହାରିବ ?”

 

ଅମର ଏ ବିବାଦକୁ ଶେଷ କରିବା ଇଚ୍ଛାରେ କହିଲା–ମୁଁ ଉପାସରେ ମରିବି ପଛକେ ମୋ ଆତ୍ମାକୁ ଗଳା ଟିପି ମାରି ପାରିବି ନାହିଁ ।

 

“ତେବେ କ’ଣ ମୂଲ ଲାଗିବୁ ?”

 

“ମୂଲ ଲାଗିବାରେ ଲାଜ କ’ଣ ?”

 

ଅମରକାନ୍ତ ହାତୁଡ଼ିରେ କାମ ନ ଚଳିବା ଦେଖି ମୁଗୁର ଧରିଲେ–ଲାଜ କଥା ଯାହା ହେଉ, ତୁ ତ ପାରିବୁ ନାହିଁ । କହିବୁ ତ ଲେଖିଦେବି । ହଁ, ମୁହଁରେ କହିଦେବା ସହଜ, କିନ୍ତୁ କାମରେ ଦେଖେଇ ପାରିଲେ ତ ! ମୁଣ୍ଡ–ଝାଳ ପାଦଯାଏ ବହିଯିବ, ତେବେ ଯାଇ ଚାରିଗଣ୍ଡା ପଇସା ମିଳିବ । ମୂଲ ଲାଗିବ ଏ, ପାଣି ଗରାଏ ତ ଆପଣା ହାତରେ ବାହାର କରିପାରିବ ନାହିଁ, ଚାରି ପଇସାର ପରିବା ଆଣିବାକୁ ହେଲେ ତ ଚାକରଟାଏ ଲୋଡ଼ା, ଏ କୁଆଡ଼େ ମୂଲ ଲାଗିବ ! ତୋ ଭାଗ୍ୟ ଭଲ ଯେ ମୁଁ ଧନ କମେଇ ରଖି ଦେଇଛି । ତୋ ଦେଇ କିଛି ହେବ ନାହିଁ । ତୋର ଏ କଥାଗୁଡ଼ାକ ଶୁଣି ଏମିତି ବ୍ରହ୍ମ ଜଳିଯାଉଛି ଯେ ସବୁ ସମ୍ପତ୍ତି କୃଷ୍ଣାର୍ପଣ କରି ଦିଅନ୍ତି; ତା’ପରେ ଦେଖନ୍ତି, ତୋ ଆତ୍ମା ଯାଉଛି କୁଆଡ଼େ ?

 

ଅମରକାନ୍ତ ଉପରେ ତାଙ୍କର ଏ ଆଘାତର କୌଣସି ପ୍ରଭାବ ମଧ୍ୟ ପଡ଼ିଲା‌ ନାହିଁ–“ଆପଣ ଆନନ୍ଦରେ ଉପାର୍ଜିତ ସମ୍ପତ୍ତିକୁ କୃଷ୍ଣାର୍ପଣ କରିପାରନ୍ତି । ମୋପାଇଁ ତିଳେହେଲେ ଚିନ୍ତା କରିବା ଦରକାର ନାହିଁ । ଯେଉଁ ଦିନ ଆପଣ ଏ ପୁଣ୍ୟ କାର୍ଯ୍ୟ କରିବେ, ସେହି ଦିନ ମୋର ସୌଭାଗ୍ୟ–ରବି ଉଇଁବ । ଆଉ ମୁଁ ଏ ମୋହରୁ ମୁକ୍ତ ହୋଇ ସ୍ଵାଧୀନ ହୋଇଯିବି । ଯେ ପର୍ଯ୍ୟନ୍ତ ମୁଁ ଏ ବନ୍ଧନରେ ପଡ଼ିଥିବି, ସେ ପର୍ଯ୍ୟନ୍ତ ମୋ ଆତ୍ମାର ବିକାଶ ଅସମ୍ଭବ ।

 

ସମରକାନ୍ତଙ୍କ ପାଖରେ ଅନ୍ୟ କୌଣସି ଅସ୍ତ୍ର ନଥିଲା । କ୍ଷଣକପାଇଁ କ୍ରୋଧ ତାଙ୍କର ବ୍ୟବହାର–ବୁଦ୍ଧିକୁ ନଷ୍ଟ କରିଦେଲା । କହିଲେ–ତେବେ ଏ ବନ୍ଧନରେ ପଡ଼ିଛ କାହିଁକି ? ନିଜ ଆତ୍ମାର ଉନ୍ନତି କରୁନାହଁ ? ମହାତ୍ମା ବନିଯାଅ । କିଛି କରଣୀ ଦେଖାଅ । ତୁମେ ଯେଉଁଟା ନ ଚାହଁ, ମୁଁ ବି ତାକୁ ତୁମ ଗଳାରେ ବାନ୍ଧି ଦେବାକୁ ଚାହେଁନା ।

 

ଏହା କହି କହି ସେ ଠାକୁର–ମଣ୍ଡପକୁ ଚାଲିଗଲେ; ସେତେବେଳକୁ ସେଠାରେ ଆରତି–ଘଣ୍ଟା ବାଜିଲାଣି । ଅମର ଏ ଆକ୍ରମଣର ଉତ୍ତର ଦେବାକୁ ଅବସର ପାଇଲା ନାହିଁ । ଯେଉଁ ଭାଷା ବାହାରକୁ ଆସି ପାରିଲା ନାହିଁ, ତାହା ତା’ର ଅନ୍ତରରେ ବ୍ରଣ ପରି ବ୍ୟଥା ଦେବାକୁ ଲାଗିଲା, ମୋ ପାଖେ ୟେ ସମ୍ପତ୍ତି ଧମକ ଦେଖାଉଛନ୍ତି ! ଚୋରି–ମାଲ ବିକି, ଜୁଆଡ଼ିଙ୍କୁ ଟଙ୍କାଟେ ଚାରଣା ସୁଧରେ ଋଣ ଦେଇ, ଗରିବ ଚାଷୀ–ମୂଲିଆଙ୍କୁ ଠକେଇ ଟଙ୍କା ଜମେଇଛନ୍ତି । ତା’ ଉପରେ ୟାଙ୍କର ଏତେ ଅଭିମାନ ! ଭଗବାନ୍ କରନ୍ତୁ, ମୁଁ ଏପରି ସମ୍ପତ୍ତିର ଗୋଲାମ ନହୁଏ ।

 

ସେ ଏହିପରି ଉତ୍ତେଜନାପୂର୍ଣ୍ଣ ଚିନ୍ତାରେ ମଗ୍ନ ଥିବାବେଳେ ନୟନା ଆସି କହିଲା,–“ବାପା ବିରକ୍ତ ହେଉଥିଲେ, ଭାଇ ?”

 

ଅମରକାନ୍ତର ଏକାନ୍ତ ଜୀବନରେ ଏକାକୀ ନୟନା ଥିଲା ସ୍ନେହ ଓ ସାନ୍ତ୍ୱନାର ବସ୍ତୁ । ନିଜର ସୁଖ–ଦୁଃଖ, ଜୟ–ପରାଜୟ, ଆଶା–ଅଭିଳାଷ ସେ ତା’ରି ପାଖରେ ପ୍ରକାଶ କରୁଥିଲା । ଯଦି ବା ସେତେବେଳେ ସୁଖଦା ପ୍ରତି ତା’ର ସେପରି ବିରାଗ ନଥିଲା; ତଥାପି ନୟନା ସେ ପର୍ଯ୍ୟନ୍ତ ଥିଲା ସର୍ବାଧିକ ନିକଟତମ । ସୁଖଦା ଓ ନୟନା ଉଭୟେ ଥିଲେ ତା’ ମନ ମନ୍ଦିରର ଦୁଇଟି ଅତଡ଼ା-। ସୁଖଦା ଥିଲା ସମୁଚ୍ଚ, ବିଶାଳ ଓ ଦୁର୍ଗମ–ଲହରୀ ତା’ ପାଦଦେଶ ପର୍ଯ୍ୟନ୍ତ ଯାଇ ଅଟକୁଥିଲା, ମାତ୍ର ନୟନା–ସମତଳ, ସମୀପବର୍ତ୍ତୀ ଓ ସୁଗମ । ବାୟୁର ସାମାନ୍ୟ ତାଡ଼ନାରେ ଲହରୀ ତା’ର ଅନ୍ତର୍ସ୍ଥଳ ପର୍ଯ୍ୟନ୍ତ ପ୍ଳାବିତ କରି ଦେଉଥିଲା ।

 

ଅମର ତା’ର ମର୍ମବ୍ୟଥାକୁ ମନ୍ଦହାସ୍ୟର ଅନ୍ତରାଳରେ ଗୋପନ କରି କହିଲା–ଏ ତ କିଛି ନୂଆ କଥା ନୁହେଁରେ ନୟନା । ସେଇ ପୁରୁଣା ଜଞ୍ଜାଳ । ତୋ ଭାଉଜ ତଳେ ନଥିଲେ ତ ?

 

“ଏଯାକେ ତ ଏଇଠି ଥିଲେ, ଏଇ ଟିକିଏ ଆଗରୁ ଉପରକୁ ଗଲେ ।”

 

“ତେବେ ଆଜି ସେପଟରୁବି ଶସ୍ତ୍ରାଘାତ ହେବ, ଦେଖୁଚି । ବାପା ତ ସଫା କହିଦେଲେ ଯେ ତୁ ତୋ ବାଟ ଦେଖ । ଆଉ ମୁଁ ଭାବୁଛି, ମୋରବି କିଛି ନା କିଛି କରିବା ଉଚିତ । ନିତିପ୍ରତି ଏ ଧିକ୍‌କାର ଅସହ୍ୟ ହେଲାଣି । ମୁଁ ଯେବେ କିଛି ଅକାର୍ଯ୍ୟ କରିଥାଏ, ତେବେ ମୋତେ ଦଶ ଜୋତା ମାରିଲେବି ମୁଁ ଉଁଚୁ ହେବିନି ।”

 

ନୟନା ସେତେବେଳକୁ ଖଟା ପକୁଡ଼ି, ମିଠା ପକୁଡ଼ି, ଲୁଣିଆ ପକୁଡ଼ି, ଆହୁରି କେଜାଣେ କେତେ ଜିନିଷ କରି ରଖିଥିଲା । ତା’ର ମନ ସେ ସବୁକୁ ଖୁଆଇବା–ଖାଇବାର ଆନନ୍ଦରେ ମଗ୍ନ ଥିଲା । ଏ ଧର୍ମ–ଅଧର୍ମର କଳି ତାକୁ ନିରର୍ଥକ ବୋଧ ହେଲା । କହିଲା–ତୁମେ ଆଗ ଚାଲିଲ, ପକୁଡ଼ି ଖାଇବ, ପରେ ଏ ବିଷୟରେ ଆଲୋଚନା ହେବ ।

 

ଅମର ବିତୃଷ୍ଣ ଭାବରେ କହିଲା–ମୋର ଜଳଖିଆ ଖାଇବାକୁ ଇଚ୍ଛା ନାହିଁ । ପାଦରେ ଦଳା ରୋଟି ଗଳା ତଳକୁ ଖସିବ ନାହିଁ । ବାପା ତ ଆଜି ଶେଷ ନିଷ୍ପତ୍ତି କରି ଦେଇଛନ୍ତି ।

 

ତୁମର ଏସବୁ କଥା ମୋତେ ଏକ୍ଷଣି ଆଦୌ ଭଲ ଲାଗୁନି । ଆଜି ପରି ମଜାଦାର ପକୁଡ଼ି ତୁମେ କେବେ ଖାଇ ନଥିବ । ତୁମେ ନ ଖାଇବ ତ ମୁଁ ବି ଖାଇବିନି ।

 

ନୟନାର ଏ ଆଗ୍ରହ ତା’ର ଅସମ୍ମତିକୁ କେତେ ପାଦ ପଛକୁ ଠେଲି ଦେଲା । କହିଲା–ତୁ ମୋତେ ଖାଲି ବିରକ୍ତ କରୁଛୁ, ନୟନା । ସତ କହୁଛି, ମୋର ଆଦୌ ଇଚ୍ଛା ନାହିଁ ।

 

“ଆଗେ ଆସି ଥାଳୀ ପାଖେ ବସିଲ । ପକୁଡ଼ିକି ଦେଖିବାମାତ୍ରେ ପାଟିରୁ ଲାଳ ନ ଗଡ଼ିବ ତ ମୋତେ କହିବ ।”

 

“ତୁ ଯାଇ ଖାଉନାହୁଁ କାହିଁକି, କହିଲୁ ? ମୁଁ ଦିନେ ନ ଖାଇଲେ ମରିଯାଉ ନାହିଁ ତ ।”

 

“ମୁଁ କ’ଣ ତେବେ ଦିନେ ନ ଖାଇଲେ ମରିଯିବି ? ମୁଁ ତ ନିର୍ଜଳା ଶିବରାତ୍ରି କରେ । ତୁମେ ଯେ କେବେ ବ୍ରତ–ଉପବାସ କର ନାଇଁ ।”

 

ନୟନାର ଆଗ୍ରହକୁ ଉପେକ୍ଷା କରିବାର ଶକ୍ତି ଅମରର ନଥିଲା ।

 

ଲାଲା ସମରକାନ୍ତ ରାତ୍ରିଭୋଜନ କରନ୍ତି ନାହିଁ । ତେଣୁ ପୁଅ–ଝିଅ, ବୋହୂ, ଏକ ସଙ୍ଗେ ଖାଇ ଦେଉଥିଲେ । ଅମର ଅଗଣାରେ ପହଞ୍ଚିଲାକ୍ଷଣି ନୟନା ଭାଉଜଙ୍କୁ ଡାକିଲା, ସୁଖଦା ଉପରୁ କହିଲା–ମୋତେ ଭୋକ ନାହିଁ । ମନାଇବାର ଭାର ପଡ଼ିଲା ଅମରକାନ୍ତ ଉପରେ । ସେ ପାଦ ଚାପି ଚାପି ଉପରକୁ ଗଲା । ମନେମନେ ଭୟ କରୁଥାଏ–ଆଜି କଳିଟା ବଢ଼ିଯିବ କି ଆଉ । ତା’ର ଦୃଢ଼ଢା ମଧ୍ୟ କମ୍ ନଥିଲା । ଏ ପ୍ରଶ୍ନରେ ସେ ଦବିଲାବାଲା ନୁହେଁ । ଏହା ଏପରି ଏକ ମାର୍ମିକ ବିଷୟ ଯେ ତା’ର କୌଣସି ପ୍ରକାର ମୀମାଂସା ନଥିଲା ।

 

ଅମରକାନ୍ତର ପାଦଶବ୍ଦ ଶୁଣି ସୁଖଦା ସଜ ହୋଇ ବସିଲା । ତା’ର ପାଣ୍ଡୁର ମୁଖମଣ୍ଡଳରେ ଏପରି କରୁଣ ବେଦନା ଝଲକୁଥିଲା ଯେ କ୍ଷଣକପାଇଁ ଅମରକାନ୍ତ ଅଧୀର ହୋଇଉଠିଲା ।

 

ଅମର ତା’ର ହାତ ଧରି କହିଲା–ଚାଲ, ଖାଇବ । ଆଜି ବହୁତ ଡେରି ହେଇଗଲା ।

 

“ପରେ ଖାଇବି । ଆଗ ମୋତେ ତୁମ ସଙ୍ଗେ ଗୋଟାଏ ବିଷୟ ଫୈସଲା କରିବାକୁ ହେବ । ଆଚ୍ଛା, ତୁମେ ଆଜି ବାପାଙ୍କ ସଙ୍ଗେ ଝଗଡ଼ା କଲ ?”

 

“ବାପାଙ୍କ ସଙ୍ଗେ ମୁଁ ଝଗଡ଼ା କଲି ନା ସେ ମୋତେ ଅକାରଣେ ଗାଳି ଦେଲେ ?”

 

ସୁଖଦା ଦାର୍ଶନିକ ନିରପେକ୍ଷତାର ସ୍ଵରରେ କହିଲା–ହେଲା, ତାଙ୍କୁ ଗାଳି ଦେବାର ସୁବିଧା ଦେଉଛ କାହିଁକି ? ମୁଁ ମାନୁଛି, ତାଙ୍କ ନୀତି ତୁମକୁ ଭଲ ଲାଗୁନାହିଁ । ମୁଁ ବି ତାଙ୍କୁ ସମର୍ଥନ କରୁନାହିଁ; କିନ୍ତୁ ଏ ବୟସରେ ତୁମେ ତାଙ୍କୁ ନୂଆ ରାସ୍ତାରେ ଚଳାଇପାରିବ କି ? ଦୁନିଆସାରା ଯେଉଁ ରାସ୍ତାରେ ଚାଲିଛନ୍ତି, ସେ ବି ସେହି ରାସ୍ତାରେ ଚାଲୁଛନ୍ତି । ତୁମେ ଯେତିକି ପାରୁଛ, ତାଙ୍କୁ ସାହାଯ୍ୟ କର । ତାଙ୍କ ଅନ୍ତେ ତୁମେ ତୁମ ଆଦର୍ଶରେ ଚଳୁଥାଅ । ସେତେବେଳେ କେହି ତ ତୁମକୁ ବାଧା ଦେବ ନାହିଁ । ବର୍ତ୍ତମାନ ଯଦି ତୁମକୁ ତୁମ ମତ ବିରୁଦ୍ଧରେ କିଛି କରିବାକୁ ପଡ଼େ; ତଥାପି ତୁମର ଆପତ୍ତି ଉଠାଇବା ଉଚିତ ନୁହେଁ । ସେ ଅନ୍ତତଃ ଏତିକି ସନ୍ତୋଷ ପାଆନ୍ତୁ ଯେ ତାଙ୍କ ଅନ୍ତେ ତୁମେ ତାଙ୍କର ସମ୍ପତ୍ତିକୁ ଉଡ଼ାଇ ଦେବ ନାହିଁ । ମୁଁ ଆଜି ତୁମ ଦୁହିଁଙ୍କର କଥା ଶୁଣିଛି । ମୋତେ ଜଣାଗଲା, ସବୁ ଦୋଷ ତୁମରି ।

 

ଅମରକାନ୍ତ ତା’ର ପ୍ରସବ ଭାର ଉପରେ ଦୁଶ୍ଚିନ୍ତାର ଭାର ଲଦିବାକୁ ଚାହୁଁ ନଥିଲା; କିନ୍ତୁ ପ୍ରସଙ୍ଗଟା ଏପରି ହୋଇଗଲା ଯେ ସେ ନିଜକୁ ନିର୍ଦ୍ଦୋଷ ବୋଲି ପ୍ରମାଣ କରିବା ଦରକାର ମନେକଲା । କହିଲା–ସେ ତ ଆଜି ମୋତେ ସଫା ସଫା ଶୁଣେଇ ଦେଲେ, “ତୁମ କଥା ତୁମେ କର-।” ମୋ ଅପେକ୍ଷା ଧନ ତାଙ୍କର ଅଧିକ ପ୍ରିୟ ।

 

ଏହି କଣ୍ଟାଟା ଅମରକାନ୍ତର ଅନ୍ତରରେ ଫୁଟି ଯାଉଥିଲା । ସୁଖଦା ମଧ୍ୟ ଉତ୍ତର ପ୍ରସ୍ତୁତ କରି ରଖିଥିଲା,–ତୁମରବି ବାପାଙ୍କଠାରୁ ନିଜ ସିଦ୍ଧାନ୍ତଟା ବେଶି ପ୍ରିୟ ତ ! ମୁଁ ହୋଇଥିଲେ ତାଙ୍କୁ କିଛି କହି ନଥାନ୍ତି । ତାଙ୍କୁ ଏବେ ଷାଠିଏବର୍ଷ ବୟସରେ ଉପଦେଶ ଦିଆଯାଇପାରିବ ? ଅନ୍ତତଃ ତୁମର ତ ସେ ଅଧିକାର ନାହିଁ । ଧନ ସିନା ତୁମକୁ କାମୁଡ଼ି ଗୋଡ଼ାଉଛି; କିନ୍ତୁ ମନସ୍ଵୀ ବୀର ପୁରୁଷମାନେ ତ କାଳେ କାଳେ ଲକ୍ଷ୍ମୀଙ୍କୁ ପୂଜା କରିଛନ୍ତି । ପୁରୁଷାର୍ଥୀମାନେ ସଂସାରକୁ ଉପଭୋଗ କରିଛନ୍ତି ଆଉ କରିବେ । ତ୍ୟାଗ ଗୃହୀମାନଙ୍କ ପାଇଁ ନୁହେଁ–ସନ୍ନ୍ୟାସୀମାନଙ୍କ ପାଇଁ । ତୁମର ଯଦି ତ୍ୟାଗ–ବ୍ରତ ପାଳିବାର ଥିଲା, ତେବେ ବିବାହ କରିବା ଉଚିତ ନଥିଲା । ଲଣ୍ଡା ହୋଇପଡ଼ି କୌଣସି ସାଧୁ–ସନ୍ନ୍ୟାସୀଙ୍କ ଚେଲା ହୋଇଯାଇଥାନ୍ତ । ମୁଁ ଆଉ ତୁମ ସଙ୍ଗେ କଳି କରିବାକୁ ଆସି ନଥାନ୍ତି । ଢିଙ୍କି ଖୋଲରେ ମୁଣ୍ଡ ପାତିଛ ଯେତେବେଳେ, ପାହାର ସହିବାକୁ ତ ପଡ଼ିବ । ଗୃହ–ଜଞ୍ଜାଳରେ ପଡ଼ି ମହାପୁରୁଷମାନଙ୍କ ନୀତି ତ ବଦଳିଯାଇଛି । କୃଷ୍ଣ–ଅର୍ଜୁନଙ୍କୁ ତ ପୁଣି ନୂଆ ନ୍ୟାୟର ଆଶ୍ରୟ ନେବାକୁ ପଡ଼ିଲା !

 

ଅମରକାନ୍ତ ଏ ଉପଦେଶର ପ୍ରତିବାଦ କରିବା ପ୍ରୟୋଜନ ମନେକଲା ନାହିଁ । ଏପରି ତର୍କ ଉପରେ ଗମ୍ଭୀର ବିଚାର ଆଦୌ କରଯାଇପାରେନା । କହିଲା–ତୁମର ତେବେ ମତ ଯେ ମୁଁ ସନ୍ନ୍ୟାସୀ ହୋଇଯିବି ?

 

ସୁଖଦା ଚିଡ଼ିଗଲା–ନିଜ ଯୁକ୍ତିର ଏପରି ଅନାଦର ସହିପାରିଲା ନାହିଁ । କହିଲା–ଭୀରୁମାନଙ୍କୁ ୟା ଛଡ଼ା ଆଉ କି ବୁଦ୍ଧି ଦିଶେ କି ? ଧନ ଅର୍ଜନ କରିବା ସହଜ କଥା ନୁହେଁ । ବ୍ୟବସାୟୀକୁ ଯେତେ କଷ୍ଟ କରିବାକୁ ପଡ଼େ, ସନ୍ନ୍ୟାସୀଙ୍କୁ ସେତିକି କରିବାକୁ ପଡ଼ୁଥିଲେ ସନ୍ନ୍ୟାସ–ଦୀକ୍ଷାବି ପାଶୋରିଯାନ୍ତା । କୌଣସି ଭଦ୍ରଲୋକର ଦୁଆରେ ପଡ଼ିରହିବା ପାଇଁ ତ ବୁଦ୍ଧି–ବିଦ୍ୟା, ଶକ୍ତି–ସାହସ କିଛି ଦରକାର ହୁଏ ନାହିଁ; କିନ୍ତୁ ଧନ ଅର୍ଜନ କରିବାପାଇଁ ରକ୍ତ ଜଳାଇବାକୁ ପଡ଼େ, ମାଂସ ଶୁଖାଇବାକୁ ପଡ଼େ । ସହଜ କାମ ତ ନୁହେଁ । ଧନ କେଉଁଠି ପଡ଼ିନାହିଁ ଯେ, ଯାହାର ଯେତେବେଳେ ଇଚ୍ଛା ହେଲା ରୁଣ୍ଡାଇ ଆଣିବ ।

 

ଅମରକାନ୍ତ ସେହିପରି ପରିହାସରେ କହିଲା–ମୁଁ ତ ବାପାଙ୍କୁ ଖାଲି ଗଦି ଉପରେ ବସିରହିବା ଛଡ଼ା ଆଉ କିଛି କରିବାର ଦେଖି ନାହିଁ । ଆଉ ଦେଖିଛି, ଯେଉଁ ବଡ଼ବଡ଼ ସେଠ–ସାହୁକାରମାନେ ଅଛନ୍ତି, ସେମାନଙ୍କ ଗଣ୍ଡି ଦିନକୁଦିନ ମୋଟା ହୁଏ । ରକ୍ତ–ମାଂସ ଶୁଖେ ମୂଲିଆଙ୍କର–ଯାହାକୁ ଦେଖ, ଅସ୍ଥିକଙ୍କାଳସାର ।

 

ସୁଖଦା କୌଣସି ଉତ୍ତର ଦେଲା ନାହିଁ । ଏପରି ମୋଟାବୁଦ୍ଧିଆ ଲୋକ ସହିତ ବେଶି ବକ୍‌ବକ୍ କରିବା ବୃଥା ।

 

ନୟନା ଡାକ ପକାଇଲା–ତୁମେ ତେଣେ କ’ଣ କରୁଛ କି, ଭାଇ ? ଆସୁନାହଁ କାହିଁକି ? ପକୁଡ଼ିଗୁଡ଼ାକ ଥଣ୍ଡା ହୋଇଯାଉଛି ପରା !

ସୁଖଦା କହିଲା–ତୁମେ ଯାଇ ଖାଉନାହଁ କାହିଁକି ? ବିଚାରୀ ଦିନମାନ ଲାଗି ତିଆରି କରିଛି ।

“ତୁମେ ଗଲେ ଯାଇ ମୁଁ ଖାଇବି ।”

“ରାଣ ପକାଇ କହିଲ, ତୁମେ ଆଉ କେବେ ବାପାଙ୍କ ସଙ୍ଗେ କଳି କରିବ ନାହିଁ ?”

ଅମରକାନ୍ତ ଗମ୍ଭୀର ହୋଇ କହିଲା–“ସୁଖଦା ! ମୁଁ ସତ କହୁଛି, ଏ ଝଗଡ଼ାରୁ ରକ୍ଷା ପାଇବାପାଇଁ ମୁଁ ବହୁ ଚେଷ୍ଟା କରିଛି । ମୁଁ ବେଳେବେଳେ ବିସ୍ମିତ ହୁଏ–ଏ ଦୁଇବର୍ଷ ଭିତରେ ମୋର କେତେ ପରିବର୍ତ୍ତନ ହେଇଗଲାଣି ! ଯେଉଁ ବିଷୟମାନଙ୍କୁ ମୁଁ ଘୃଣା କରେ, ସେ ସବୁକୁ ଅଙ୍ଗୀକାର କରି ନେଲିଣି; କିନ୍ତୁ ମୁଁ ବର୍ତ୍ତମାନ ଏପରି ଗୋଟାଏ ସୀମାରେ ପହଞ୍ଚିଲିଣି, ଯଦି ଟିକିଏ ଆଗେଇବି, ତେବେ ଅତଳ ଗହ୍ଵରରେ ପଡ଼ିଯିବି । ତୁମେ ମୋତେ ସେହି ସର୍ବନାଶ ଭିତରକୁ ଠେଲିଦେବାର ଚେଷ୍ଟା କର ନାହିଁ ।”

ଏହି କଥାରୁ ସୁଖଦା ନିଜ ପ୍ରତି ଗୋଟାଏ ଲାଞ୍ଛନା ଥିବାର ଆଭାସ ପାଇଲା । ସେ ଏହା ମାନିନେବ କିପରି ? କହିଲା–ୟା’ ମାନେ, ମୁଁ ତୁମର ସର୍ବନାଶ କରିବାକୁ ଚାହୁଁଛି ? ମୋ ବ୍ୟବହାରର ଏହି ମର୍ମ ତୁମେ ବାହାର କଲ ! ତେବେ ବହୁ ପୂର୍ବରୁ ମୋତେ ବିଷ ଦେବା ତୁମର ଉଚିତ ଥିଲା । ତୁମେ ଯଦି ଭାବୁଥାଅ ଯେ ମୁଁ ଭୋଗ–ବିଳାସର ଦାସୀ ଆଉ କେବଳ ସ୍ଵାର୍ଥପାଇଁ ତୁମକୁ ଭୁଲାଉଛି, ତେବେ ତୁମେ ମୋ ପ୍ରତି ଘୋର ଅନ୍ୟାୟ କରୁଛ । ମୁଁ ଜଣାଇ ଦେବାକୁ ଚାହେଁ ସେ ବିଳାସିନୀ ସୁଖଦା ସମୟ ପଡ଼ିଲେ ଏତେ କଷ୍ଟ ସହିବାର କ୍ଷମତା ଅର୍ଜନ କରିଛି, ଯାହାକି ତୁମେ କଳ୍ପନା କରିପାରିବ ନାହିଁ । ଈଶ୍ଵର ସେପରି ଦୁର୍ଯୋଗ ନ ଆଣନ୍ତୁ, ମୁଁ ତୁମ ପତନର କାରଣ ନହୁଏ । ତେବେ ପୋଡ଼ି ହେବାପାଇଁ ନିଜେ ନିଜର ଚିତା ପ୍ରସ୍ତୁତ କରିବା ମୁଁ ପସନ୍ଦ କରେନା । ମୁଁ ଜାଣେ, ତୁମେ ସାମାନ୍ୟ ବୁଦ୍ଧି ପ୍ରୟୋଗ କଲେ ତୁମର ସିଦ୍ଧାନ୍ତ ଓ ଧର୍ମ ରକ୍ଷା ପାଇବ ଆଉ ଗୋଟାଏ ଘର ସତ୍ୟାନାଶରୁ ରକ୍ଷା ପାଇଯିବ । ବାପା ବିଜ୍ଞଲୋକ, ସେ ଦୁନିଆ ଦେଖି ସାରିଛନ୍ତି । ଯଦି ତୁମ ଜୀବନରେ କିଛି ସତ୍ୟ ଥାଏ, ତା’ର ପ୍ରଭାବ ତାଙ୍କ ଉପରେ ପଡ଼ିବହିଁ ପଡ଼ିବ । ଅତୀତର ମନାନ୍ତରଠାରୁ ତୁମେ ତାଙ୍କୁ ଅଧିକ କଠୋର କରି ଦେଉଛ । ପିଲାମାନେ ମାଡ଼ ଖାଇଲେ ଜିଦ୍‍ଖୋର ହୋଇଯା’ନ୍ତି । ବୁଢ଼ା ଓ ପିଲାଙ୍କ ପ୍ରକୃତିରେ କେତେକାଂଶରେ ମେଳ ଥାଏ । ବାପାଙ୍କୁ ତୁମେ ସେବା ଓ ଭକ୍ତି ବଳରେ ପିଲାଟିଏ ପରି ବଶ କରିପାର ।

ଅମର ପଚାରିଲା–ଚୋରି ମାଲ କିଣିବ ।

“ଆଦୌ ନୁହେଁ ।”

“ଝଗଡ଼ାର ମୂଳ ତ ସେଇଠି ।”

“ତୁମେ ତ ସେ ଲୋକଙ୍କୁ କହିପାରିଥାନ୍ତ କି ବାପା ଆସିଲେ ଆସିବୁ ।”

“ସେ ଯଦି ନ ମାନିଥାନ୍ତା ? ତା’ର ସଙ୍ଗେ ସଙ୍ଗେ ଟଙ୍କା ଦରକାର ଥିଲା ।”

 

“ଆପଦ୍ଧର୍ମ ତ ଗୋଟାଏ ଅଛି ? ଭଗବାନ ତ ଦରକାରବେଳେ ଗଧ–ପାଦ ଧରିଥିଲେ-।”

 

‘‘ସେଇଟା କେବଳ ଭଣ୍ଡ ତପସ୍ଵୀମାନଙ୍କର ଭଣ୍ଡାମି ।”

 

‘‘ମୁଁ ଯଦି ତୁମର ନିର୍ଜୀବ ଆଦର୍ଶବାଦକୁ ଭଣ୍ଡ–ତପୀର ଭଣ୍ଡାମି ବୋଲି କହେ ?”

 

ଉଭୟେ କିଛିକ୍ଷଣ କ୍ଳାନ୍ତ–ଯୋଦ୍ଧା ପରି ବିଶ୍ରାମ ନେଲେ । ଇତ୍ୟବସରରେ ଅମରକାନ୍ତ କହିଲା–ନୟନା ତେଣେ ଡାକ ଛାଡ଼ୁଛି ଯେ ।

 

‘‘ତୁମେ ଅଙ୍ଗୀକାର କଲେ ତ ମୁଁ ଗଲି ।”

 

ଅମରକାନ୍ତ ଅବିଚଳିତ ଭାବରେ କହିଲା–ସେମିତି ତୁମେ ବାଧ୍ୟ କରିବ ତ ଅଙ୍ଗୀକାର କରିବି; କିନ୍ତୁ ତାକୁ ନିର୍ବାହ କରିବାକୁ ମୁଁ ଅସମର୍ଥ । ହେଇପାରେ, ଘରର କୌଣସି ବ୍ୟାପରରେ ମୁଁ ସମ୍ପର୍କ ରଖିବି ନାହିଁ ।

 

ସୁଖଦା ନିଶ୍ଚୟାତ୍ମକ ଭାବରେ କହିଲା–ପ୍ରତିଦିନ ଘରେ କଳି ଲାଗିବା ବରଂ ତା’ ଅପେକ୍ଷା ଭଲ । ଯେ ପର୍ଯ୍ୟନ୍ତ ଏ ଘରେ ଅଛ, ଘରର ହାନିଲାଭ ବୁଝିବାକୁ ପଡ଼ିବ ।

 

ଅମର ଦୃଢ଼ ସ୍ୱରରେ କହିଲା–ଆଜି ଏ ଘର ଛାଡ଼ି ମୁଁ ଚାଲିଯାଇପାରେ ।

 

ସୁଖଦା ଯେପରି ଗୋଟାଏ ବମ୍ ଫିଙ୍ଗିଲା–“ଆଉ ମୁଁ ?”

 

ଅମର ମହାବିସ୍ମୟରେ ସୁଖଦାର ମୁହଁକୁ ଚାହିଁରହିଲା ।

 

ସୁଖଦା ପୂର୍ବ ଢଙ୍ଗରେ ପୁଣି କହିଲା–ତୁମ ଯୋଗୁଁ ତ ଏ ଘର ସହିତ ମୋର ସମ୍ପର୍କ । ତୁମେ ଯେବେ ଏ ଘରେ ନ ରହିବ, ମୋର ଏଠି କ’ଣ ଅଛି ? ତୁମେ ଯେଉଁଠି ରହିବ, ମୁଁ ବି ସେଇଠି ରହିବି ।

 

ଅମର ସଂଶୟାତ୍ମକ ସ୍ଵରରେ କହିଲା–ତୁମେ ତୁମ ମା’ଙ୍କ ପାଖେବି ରହିପାର ।

 

“ମା’ ପାଖେ ରହିବି କାହିଁକି ? ମୁଁ କାହାରି ଆଶ୍ରୟରେ ରହିପାରିବିନି । ତୁମ ଦୁଃଖ–ସୁଖରେ ମୋର ଦୁଃଖ–ସୁଖ । ଯେପରି ରଖିବ, ସେହିପରି ରହିବି । ସେତିକିବେଳେ ଦେଖାଯିବ, ତୁମେ ନିଜ ସିଦ୍ଧାନ୍ତରେ କେଡ଼େ ନିଷ୍ଠାପର । ମୁଁ ଶପଥ କରୁଛି, ତୁମକୁ କିଛି ମାଗିବି ନାହିଁ । ମୋପାଇଁ ତୁମକୁ ଟିକିଏ ହେଲେ କଷ୍ଟ କରିବାକୁ ପଡ଼ିବ ନାହିଁ । ମୁଁ ନିଜେ ରୋଜଗାରବି କରିପାରିବି । ଅଳ୍ପ ମିଳିଲେ ଅଳ୍ପରେ ଚଳିଯିବି, ବହୁତ ମିଳିଲା ତ ଅତି ଭଲ କଥା । ଯଦି ଦିନେ ନା ଦିନେ ଆମକୁ ନିଜର କୁଡ଼ିଆ ଖଣ୍ଡିଏ କରିବାକୁ ପଡ଼ିବ, ତେବେ ଆଜହୁଁ ଆରମ୍ଭ ନ କରିବା କାହିଁକି-? ତୁମେ କୂଅରୁ ପାଣି ନେଇ ଆସିବ; ମୁଁ ଲିପାପୋଛା ଧୁଆ–ମଜା କରିଦେବି । ଯେଉଁ ଲୋକ କୋଠାଘରେ ରହେ, ସେ କୋଠରୀଟିରେବି ରହିଯାଇପାରେ । ଆଉ ଧମକ ଦେବାକୁ ତ କେହି ନଥିବ ।”

 

ଅମରକାନ୍ତ ପରାଭୂତ ହୋଇଗଲା । ନିଜ ବିଷୟରେ ତା’ର କୌଣସି ଚିନ୍ତା ନଥିଲା; ମାତ୍ର ସୁଖଦା ପ୍ରତି ଏ ଅତ୍ୟାଚାର କରେ କିପରି ! ବିଚଳିତ ହୋଇ କହିଲା–ସେ ସମୟ ବର୍ତ୍ତମାନ ତ ଆସିନାହିଁ, ସୁଖଦା !

 

ସୁଖଦା ସତେଜ ହୋଇ କହିଲା–ତୁମେ ଡରୁଥିବ ଯେ ମୁଁ ଆପଣା ଭାଗ୍ୟକୁ ବାହୁନି କାନ୍ଦିବି, ନୁହେଁ ?

 

ଲଜ୍ଜିତ ହୋଇ ଅମରକାନ୍ତ କହିଲା–କଥାଟା ତା’ ନୁହେଁ ଯେ ସୁଖଦା !

 

‘‘ମିଛ କାହିଁକି କହୁଛ, କହିଲ ? ତୁମ ମନରେ ଠିକ୍ ଏହି ଭାବ ରହିଛି । ଆଉ ଇଆଠୁ ବଳି କି ଅନ୍ୟାୟ ତୁମେ ମୋ ପ୍ରତି କରନ୍ତ ? କଷ୍ଟ ସହିବାରେ ବା ସିଦ୍ଧାନ୍ତକୁ ରକ୍ଷା କରିବାରେ ନାରୀ କଦାପି ପୁରୁଷଠାରୁ ନ୍ୟୂନ ନୁହେଁ । ତୁମେ ମୋତେ ବାଧ୍ୟ କରୁଛ ଯେ ଆଉ କିଛି ନହେଲେବି ଏ କଳଙ୍କରୁ ରକ୍ଷା ପାଇବା ଲାଗି ବାପାଙ୍କଠାରୁ ଭିନ୍ନ ହେବାର ଅନୁମତି ମୁଁ ମାଗିବି, ଏଇଆ ତ ?”

 

ଅମର ଲଜ୍ଜିତ ହୋଇ କହିଲା–ମୋତେ କ୍ଷମା ଦିଅ, ସୁଖଦା ! ମୁଁ ଶପଥ କରୁଛି ଯେ ବାପା ଯାହା କହିବେ, ମୁଁ କରିବି ।

 

“କାରଣ, ମୋ ବିଷୟରେ ତୁମର ସନ୍ଦେହ ହେଉଛି ?”

 

‘‘ନା, ସୁଖଦା ! କାରଣ ହେଉଛି–ମୋ’ଠାରେ ବର୍ତ୍ତମାନ ସେପରି ଶକ୍ତି ନାହିଁ ।”

 

ଏହି ସମୟରେ ନୟନା ଆସି ଉଭୟଙ୍କୁ ପକୁଡ଼ି ଖୁଆଇବା ପାଇଁ ଟାଣି ଟାଣି ନେଇଗଲା । ସୁଖଦା ପ୍ରସନ୍ନ ଥିଲା । ସେ ଆଜି ବିପୁଳ ବିଜୟଲାଭ କରିଛି । ଅମରକାନ୍ତ ଲଜ୍ଜିତ ଥିଲା–ତା’ର ଆଦର୍ଶ ଓ ଧର୍ମର ସେଦିନ ପରୀକ୍ଷା ହେଲା ଏବଂ ସେ ନିଜର ଦୁର୍ବଳତା ବୁଝିପାରିଲା । ଓଟ ପାହାଡ଼ ତଳେ ପହଞ୍ଚି ନିଜର ଉଚ୍ଚତା କଳି ସାରିଥିଲା ।

 

–୮–

 

ଜୀବନରେ କିଛି ସାର ଅଛି, ଏହା ଏଣିକି ଅମରକାନ୍ତ ଅନୁଭବ କରୁଛି । ସେ ସୁଖଦାକୁ ଦୁଃଖ ଦେବା ଭଳି ଗୋଟାଏ ଶବ୍ଦବି ଉଚ୍ଚାରଣ କରିବାକୁ ଚାହେଁନା; କାରଣ ସେ ଗର୍ଭବତୀ । ତା’ର ଇଚ୍ଛା ବିରୁଦ୍ଧରେ ଅତି ସାମାନ୍ୟ କଥାବି କହିବାକୁ ସେ ଚାହୁଁନାହିଁ; ସେ ଯେ ଗର୍ଭବତୀ । ତାକୁ ଭଲ ଭଲ ବହିସବୁ ପଢ଼ି ଶୁଣାଉଛି; ରାମାୟଣ–ମହାଭାରତ ଗୀତା ଭାଗବତ ପ୍ରତି ଅମରର ଆଦର ବଢ଼ିଯାଇଛି; କାରଣ ସୁଖଦା ଗର୍ଭବତୀ । ଶିଶୁର ସମସ୍ତ ସଂସ୍କାର ପ୍ରତି ସେ ସର୍ବଦା ଧ୍ୟାନ ରଖିଛି । ସୁଖଦାକୁ ସର୍ବଦା ପ୍ରସନ୍ନ ରଖିବାକୁ ଯତ୍ନ କରୁଛି । ତାକୁ ସିନେମା–ଥିଏଟର ଦେଖାଇବାକୁ ଅମରର ଏବେ ଆଉ ସଂକୋଚ ନାହିଁ । କେବେ ଫୁଲର ଗଜରା ହାର ତ କେବେ ଅନ୍ୟାନ୍ୟ ମନୋରଞ୍ଜନ ବସ୍ତ୍ର ଆସୁଛି । ସେ ବି ଏଣିକି ସକାଳ ସନ୍ଧ୍ୟାରେ ଦୋକାନରେ ବସୁଛି । ସଭା–ସମିତି ପ୍ରତି ଆଗ୍ରହ ନାହିଁ । ସେ ସନ୍ତାନର ପିତା ହେବାକୁ ଯାଉଛି, ଏହି କଳ୍ପନା ତା’ ଅନ୍ତରକୁ ଏପରି ଉତ୍ସାହପୂର୍ଣ୍ଣ କରିଦିଏ ଯେ ବେଳେବେଳେ ଏକାନ୍ତରେ ନତମସ୍ତକ ହୋଇ ସେ ଶ୍ରୀକୃଷ୍ଣଙ୍କ ଚିତ୍ର ସମ୍ମୁଖରେ ପ୍ରଣତି ଜଣାଏ । ସୁଖଦା ତପସ୍ୟା କରୁଛି । ଅମର ନିଜକୁ ନୂତନ ଦାୟିତ୍ଵପାଇଁ ପ୍ରସ୍ତୁତ କରୁଛି । ଏପର୍ଯ୍ୟନ୍ତ ସେ ସମତଳରେ ଚାଲିଥିଲା–ବିଶେଷ ସାବଧାନତା ଆବଶ୍ୟକ ନଥିଲା; କିନ୍ତୁ ବର୍ତ୍ତମାନ ସେ ପହଞ୍ଚିଛି ଉଚ୍ଚ ଭୂମିରେ, ଯେଉଁଠି ଅତି ସାବଧାନ ହୋଇ ପାଦ ଚାଲିବାକୁ ପଡ଼େ-

 

ଲାଲା ସମରକାନ୍ତ ମଧ୍ୟ ଏବେ ଭାରି ପ୍ରସନ୍ନ । କୋଡ଼ିଏ ଥର ଭିତରକୁ ଯାଇ ସୁଖଦାର କ’ଣ ଦରକାର ପଚାରି ବୁଝନ୍ତି । ଅମର ଉପରେ ତାଙ୍କର କୃପାଦୃଷ୍ଟି ପଡ଼ିଛି । ତା’ର ଆଦର୍ଶବାଦକୁ ସେ ଆଉ ସେତେ ଖରାପ ମନେକରୁ ନାହାନ୍ତି । ଦିନେ ତ କାଲେ ଖାଁକୁ ସେ ଠିଏଠିଏ ଦୋକାନରୁ ବାହାର କରି ଦେଲେ । ଏବେ ଆସାମୀମାନଙ୍କ ଉପରେ ସେ ଆଉ ବିରକ୍ତ ହେଉ ନାହାନ୍ତି କି ସେତେ ନାଲିଶ୍ କରୁନାହାନ୍ତି । ଭବିଷ୍ୟତ ତାଙ୍କୁ ଉଜ୍ଜ୍ଵଳ ଦେଖାଯାଉଛି । ଦିନେ ରେଣୁକାଙ୍କ ସଙ୍ଗେ କଥାବାର୍ତ୍ତା ପ୍ରସଙ୍ଗରେ ସେ ମୁକ୍ତ କଣ୍ଠରେ ଅମରକାନ୍ତର ନିଷ୍ଠାକୁ ପ୍ରଶଂସା କଲେ ।

 

ରେଣୁକା ଦେବୀ ସେପରି ପ୍ରସନ୍ନ ନଥିଲେ । ପ୍ରସବ କଷ୍ଟ ସ୍ମରଣ କରି ସେ ଭୟଭୀତ ହୋଇ ଉଠୁଥିଲେ । କହିଲେ–ଲାଲାଜୀ ! ମୁଁ ଖାଲି ଭଗବାନଙ୍କୁ ପ୍ରାର୍ଥନା କରୁଛି, ‘‘ଯଦି ହସାଇଲଣି, ତେବେ ମଝିରେ ଯେପରି ନ କନ୍ଦାଅ ।” ପ୍ରଥମ ଗର୍ଭ ବଡ଼ ଶଙ୍କାଜନକ । ସ୍ତ୍ରୀର ପୁନର୍ଜନ୍ମ ହୋଇଯାଏ, ଜାଣ ।

 

ସମରକାନ୍ତ ସେପରି ଆତଙ୍କିତ ନଥିଲେ । କହିଲେ–“ମୁଁ ତ ପିଲାର ନାମ ଠିକ୍ କରିସାରିଲିଣି । ତା’ର ନାମ ହେବ ‘‘ରେଣୁକାନ୍ତ ।”

 

ରେଣୁକା ଦେବୀ ଚମକି ଉଠି କହିଲେ–ଆଜହୁଁ ନାମ ! ନାଇଁ–ନାଇଁ । ଏ ସଙ୍କଟରୁ ଆଗ ଉଦ୍ଧାର ପାଉ, ତା’ପରେ ନାମ ଠିକ୍ ହୋଇଯିବ । ଲାଲାଜୀ, ମୋ ମତରେ ଚଣ୍ଡୀପାଠ ଆରମ୍ଭ କରନ୍ତୁ । ଏ ସାହିରେ ଜଣେ ଧାଈ ଅଛି । ତାକୁ ଏବଠୁ ରଖିନେଲେ ଭଲ ହୁଅନ୍ତା । ଝିଅଟା ତ କିଛି ବୋଇଲେ କିଛି ଜାଣି ନାହିଁ । ଧାଈଟି ହେଲେ ତାକୁ ଦେଖାଚାହାଁ କରନ୍ତା ।

 

ଲାଲାଜୀ ଏ ପ୍ରସ୍ତାବକୁ ହସି ହସି ସ୍ଵୀକାର କଲେ । ସେଠାରୁ ଫେରିବାବେଳେ ଦେଖିଲେ, ଦୋକାନରେ ଦୁଇଜଣ ଗୋରା ଓ ଜଣେ ମେମ୍ ବସିଛନ୍ତି, ଅମରକାନ୍ତ ସେମାନଙ୍କ ସହିତ କଥାବାର୍ତ୍ତା କରୁଛି । କେବେକେବେ ନିମ୍ନଶ୍ରେଣୀର ଗୋରାମାନେ ଘଡ଼ି ବା ଅନ୍ୟ କୌଣସି ଜିନିଷ ବିକ୍ରୟ କରିବାକୁ ସେଠିକି ଆସନ୍ତି । ଲାଲାଜୀ ସେମାନଙ୍କୁ ଖୁବ୍ ଠକାନ୍ତି । ସେ ଜାଣନ୍ତି ଯେ ସେମାନେ ବଦନାମୀ ଭୟରେ ଅନ୍ୟ ଦୋକାନକୁ ଯିବେ ନାହିଁ । ପହଞ୍ଚିବାମାତ୍ରେ ସେ ଅମରକାନ୍ତକୁ ଉଠାଇ ଦେଇ ନିଜେ ଦର କଷାକଷି କଲେ । ଅମରକାନ୍ତ ସ୍ପଷ୍ଟବାଦୀ; କିନ୍ତୁ ଏଇଟା ସ୍ପଷ୍ଟବାଦୀତାର ସମୟ ନୁହେଁ । ସେ ମେମ୍ ସାହେବଙ୍କୁ ସଲାମ କରି ପଚାରିଲେ–କହନ୍ତୁ ମେମ୍ ସାହେବ ! କ’ଣ କହୁଛନ୍ତି ?

 

ତିନିହେଁ ମଦ–ନିଶାରେ ଅଜ୍ଞାନ । ମେମ୍‌ଟି ଗୋଟିଏ ସୁନା–ଚେନ୍ ଦେଖାଇ କହିଲା–ସେଠ୍‌ଜୀ । ମୁଁ ଏହା ବିକ୍ରି କରିବାକୁ ଚାହେଁ । ବାପା ବଡ଼ ଅସୁସ୍ଥ, ତାଙ୍କ ଔଷଧ କିଣାରେ ବହୁତ ଖର୍ଚ୍ଚ ହୋଇଗଲା ।

 

ସମରକାନ୍ତ ଚେନ୍‌ଟି ନେଇ ଦେଖିଲେ ଓ ହାତରେ ଓଜନ ପରଖୁ ପରଖୁ କହିଲେ–ଏ ସୁନା ତ ଭଲ ନୁହେଁ, ମେମ୍ ସାହେବ । କେଉଁଠୁଁ ଗଢ଼ାଇଥିଲେ ?

 

ମେମ୍‌ଟି ହସି ହସି କହିଲା–ଓ, ତୁମେ ବରାବର ଏହି କଥା କହ । ଭାରି ଭଲ ସୁନା ଏ-। ଇଂରେଜ ଦୋକାନରେ ତିଆରି । ଆପଣ ଏଇଟା ରଖନ୍ତୁ ।

 

ସମରକାନ୍ତ ଅନିଚ୍ଛା ପ୍ରକାଶ କଲା ପରି କହିଲେ–ବଡ଼ବଡ଼ ଦୋକାନୀମାନେ ଗ୍ରାହକଙ୍କୁ ଭାରି ଠକାନ୍ତି । ଯେଉଁ ଲୁଗା ବଜାରରେ ଛ’ଅଣାକୁ ମିଳେ, ସେହି ଲୁଗା ଇଂରେଜୀ ଦୋକାନରେ ବାର ଅଣାରୁ କମ୍‌ରେ ମିଳିବ ନାହିଁ । ମୁଁ ତ ୟା’ର ଦାମ୍ ଭରି ଦଶଟଙ୍କାରୁ ବେଶି ଦେଇପାରିବି ନାହିଁ ।

 

“ଆଉ କିଛି ଦେବ ନାହିଁ ?”

 

‘‘ମାଫ୍ କରିବେ, ଏତକବି ଆପଣଙ୍କ ଖାତିରରେ ଦେବା କଥା ।”

 

ଏମାନେ ସେହି ଶ୍ରେଣୀର ଗୋରା, ଯେଉଁମାନେ କି ନିଜ ଜୀବନକୁ ସରାବ ଓ ଜୁଆ ହାତରେ ବିକି ଦେଇଥାନ୍ତି, ବିନା ଟିକେଟରେ ଫାଷ୍ଟକ୍ଲାସ୍‌ରେ ଯାତ୍ରା କରନ୍ତି, ହୋଟେଲବାଲାକୁ ପ୍ରତାରଣା କରି ପଳାଇଯା’ନ୍ତି, ଦୁର୍ଘଟନାଗ୍ରସ୍ତ ଭଦ୍ରଲୋକ ସାଜି ଭିକ୍ଷା ମାଗନ୍ତି । ତିନିହେଁଯାକ ପରାମର୍ଶ କରି ଶେଷରେ ଚେନ୍‌ଟି ବିକ୍ରୟ କଲେ । ଟଙ୍କା ନେଇ ଦୋକାନରୁ ବାହାରି ଯାଇ ରିକ୍ସାରେ ବସିଛନ୍ତି, ଗୋଟିଏ ଭିକାରୁଣୀ ଆସି ପାଖରେ ଠିଆ ହୋଇଗଲା । ସେ ତିନିଜଣ ଟଙ୍କା ପାଇ ଆନନ୍ଦରେ ବିହ୍ୱଳ । ଭିକାରୁଣୀ ସହସା ଛୁରା ବାହାର କରି ଗୋଟିଏ ଗୋରାକୁ ଆକ୍ରମଣ କଲା । ଛୁରାଟା ତା’ ମୁହଁ ସିଧାରେ ଯାଉଥିଲା । ଗୋରା ଜଣକ ବିଚଳିତ ହୋଇ ମୁହଁ ପଛକୁ ଘୁଞ୍ଚାଇ ନେବାରୁ ଛୁରା ତା’ ଛାତିରେ ଗଳିଗଲା । ସେ ରିକ୍ସା ଉପରେ ପଡ଼ି ବିକଳ ଚିତ୍କାର ଛାଡ଼ିଲା । ଅନ୍ୟ ଦୁଇଜଣ ଗାଡ଼ିରୁ ଡେଇଁପଡ଼ି ଦୋକାନ ଭିତରେ ପଶିଯାଇ ପ୍ରାଣରକ୍ଷା କରିବାକୁ ଯିବାବେଳେ ଭିକାରୁଣୀ ଆଉ ଜଣକୁ ଆକ୍ରମଣ କଲା ଓ ଛୁରା ତା’ର ପଞ୍ଜରାରେ ପଶିଗଲା । ଦୋକାନ ଉପରକୁ ଉଠୁ ଉଠୁ ସେ ଦୁମ୍ କରି ତଳେ ପଡ଼ିଗଲା । ଭିକାରୁଣୀ ଡେଇଁପଡ଼ି ଦୋକାନ ଉପରେ ମେମ୍‌ଟି ପାଖକୁ ଧାଇଁଗଲାବେଳକୁ ଅମରକାନ୍ତ ‘‘ହା–ହାଁ” କରି ତା’ ହାତରୁ ଛୁରାଟା ଛଡ଼ାଇ ନେବାକୁ ଆଗେଇ ଆସିଲା । ତାକୁ ଦେଖି ଭିକାରୁଣୀ ଛୁରାଟା ଫିଙ୍ଗିଦେଲା ଓ ଦୋକାନରୁ ତଳକୁ ଡେଇଁ ଠିଆ ହୋଇଗଲା । ବଜାରସାରା ଗୋଟାଏ ଚହଳ ପଡ଼ିଗଲା–ଗୋଟାଏ ଗୋରା କେତେ ଲୋକଙ୍କୁ ମାରି ପକାଇଲାଣି, ଲାଲା ସମରକାନ୍ତ ମରିଛନ୍ତି ଅମରକାନ୍ତବି ଖଣ୍ଡିଆ ହୋଇଛି । ଏ ପରିସ୍ଥିତିରେ ଜୀବନ କାହାକୁ ପିତା ଲାଗୁଛି ଯେ ସେଠିକି ଯିବ ! ଦୋକାନ ପତ୍ର ବନ୍ଦ କରି ଦେଇ ଲୋକେ ପଳାଇଯିବାକୁ ଲାଗିଲେ ।

 

ଗୋରା ଦୁଇଟା ଭୂଇଁରେ ପଡ଼ି ଛଟପଟ ହେଉଥାନ୍ତି । ମେମ୍‌ଟି ସ୍ତବ୍ଧ ହୋଇ ଉପରେ ଠିଆ ହୋଇଥାଏ । ଲାଲା ସମରକାନ୍ତ ଅମରକାନ୍ତର ହାତ ଧରି ଭିତରକୁ ଟାଣି ନେଇଯିବାର ଚେଷ୍ଟା କରୁଥାନ୍ତି । ଭିକାରୁଣୀ ଜଡ଼ ପରି ଠିଆ ହୋଇଥାଏ–ନିଶ୍ଚଳ–ନିଶ୍ଚଳ, ଯେପରି କିଛି କରି ନାହିଁ ।

 

ସେ ପଳାଇ ପାରିଥାନ୍ତା । କେହି ତାକୁ ଅନୁସରଣ କରିବାକୁ ସାହସ କରି ନଥାନ୍ତେ; ମାତ୍ର ସେ ଯାଉ ନଥାଏ । ସେ ଆତ୍ମହତ୍ୟା କରିପାରିଥାନ୍ତା । ତା’ର ଛୁରାଟା ସେଇଠି ତଳେ ପଡ଼ିଥାଏ; ମାତ୍ର ସେ ତାହାବି କରୁ ନଥାଏ । ଯେପରିକି ଏ ଦୃଶ୍ୟ ଦେଖି ବିସ୍ମିତ ହୋଇ ଠିଆ ହୋଇଛି !

 

ନିକଟସ୍ଥ ଜଣକେତେ ଦୋକାନୀ ଜମିଗଲେ । ଦୁଇ ଜଣ ଯୁବକ–ପୋଲିସ୍ କର୍ମଚାରୀ ମଧ୍ୟ ପହଞ୍ଚିଗଲେ । ଚାରିଆଡ଼ୁ ଶୁଣାଗଲା–ଏହି–ଏହି, ଏହି ମାଇକିନିଆଟା ।

 

ପୋଲିସ୍ କର୍ମଚାରୀ ତାକୁ ଧରିଲେ ।

 

ପାଞ୍ଚ–ଦଶ ମିନିଟ୍ ମଧ୍ୟରେ ସମସ୍ତ ସହରବାସୀ ଓ ଅଫିସର ଆସି ଏକତ୍ର ହୋଇଗଲେ-। ସବୁଆଡ଼େ ଲାଲ ପଗଡ଼ି ଦେଖାଗଲା । ସିଭିଲ୍ ସର୍ଜନ ଆସି ଆହତମାନଙ୍କୁ ହସ୍ପିଟାଲକୁ ନେଇଗଲେ । ଏଣେ ତଦନ୍ତ ଚାଲିଲା । ଭିକାରୁଣୀ ନିଜ ଅପରାଧ ସ୍ଵୀକାର କଲା ।

 

ପୋଲିସ୍ ସୁପରିଣ୍ଟେଣ୍ଡେଣ୍ଟ ପଚାରିଲେ–ଏ ଲୋକମାନଙ୍କ ସହିତ ତୋର କୌଣସି ଶତ୍ରୁତା ଥିଲା ?

 

ଭିକାରୁଣୀ କୌଣସି ଉତ୍ତର ଦେଲା ନାହିଁ ।

 

ଶତ କଣ୍ଠରୁ ଶୁଣାଗଲା–କହୁନାହୁଁ କାହିଁକି ? ସବାଖାଈ !

 

ଭିକାରୁଣୀ ଦୃଢ଼ କଣ୍ଠରେ କହିଲା–ମୁଁ ସବାଖାଈ ? କାହିଁକି ?

 

“ଏ ସାହେବମାନଙ୍କୁ ତୁ ମାରିନାହୁଁ ?”

 

“ହଁ, ମୁଁ ମାରିଛି ।”

 

“ତେବେ ତୁ ସବାଖାଈ ନୋହୁଁ ତ ଆଉ କ’ଣ ?

 

“ମୁଁ ସବାଖାଈ ନୁହେଁ, ମୁଁ ସତ୍ୟାନାଶୀ ନୁହେଁ । ଛ’ମାସ ତଳେ ଏଇମିତି ତିନିଟା ଲୋକ ମୋ ଇଜ୍ଜତ ନେଇଥିଲେ । ସେଇଠୁ ମୁଁ ଆଉ ଘରକୁ ଫେରିନାହିଁ । କୁଆଡ଼େ କୁଆଡ଼େ ବୁଲିଲି, କିପରି ରହିଲି, କେଉଁଠି କ’ଣ କଲି ମୁଁ ଜାଣେନା । ଏ ଗୋରା ଦୁଇଟାଙ୍କୁ ଛୁରା ମାରିବାରୁ ମୋର ଆଜି ଚେତା ଆସିଲା । ସେତେବେଳେ ଜାଣିଲି ଯେ ମୁଁ କ’ଣ କରିଛି । ମୁଁ ଭାରି ଦୁଃଖିନୀ । କିଏ ମୋତେ ଏ ଛୁରା ଦେଲା, କେଉଁଠୁଁ ପାଇଲି ଆଉ କେମିତି ମୋର ଏତେ ସାହସ ହେଲା, ମୁଁ କହିପାରିବିନି । ମୁଁ ଫାଶୀକୁ ଡରି ଏ କଥା କହୁନାହିଁ । ମୁଁ ତ ଭଗବାନଙ୍କ ଡାକୁଛି, ‘ହେ ପ୍ରଭୁ ! ଯେତେ ଚଞ୍ଚଳ ପାର, ମୋତେ ଏ ସଂସାରରୁ ନେଇଯାଅ । ଇଜ୍ଜତ ଯାଇଛି ଯେତେବେଳେ, ଆଉ ବଞ୍ଚିରହି କରିବି କ’ଣ ?”

 

ଏହି କଥା କେତେ ପଦ ଜନତାର ମନୋବୃତ୍ତିକୁ ବଦଳାଇ ଦେଲା । ପୋଲିସ୍ ଯେଉଁ ଲୋକମାନଙ୍କଠାରୁ ବିବରଣ ନେଲା, ସେମାନେ କହିଲେ–ଏ ଗୋଟାଏ ପାଗଳୀ, ଏଣେତେଣେ ବୁଲୁଥାଏ । ଖାଇବାକୁ ଦେଲେ କୁକୁରଙ୍କ ଆଗରେ ଢାଳିଦିଏ । ପଇସା ଦେଲେ ଫିଙ୍ଗିଦିଏ ।

 

ଜଣେ ଗାଡ଼ିବାଲା–ଏ ଦିନେ ବିଚ୍ ସଡ଼କ ଉପରେ ବସିଥିଲା । ଯେତେ ଘଣ୍ଟି ବଜାଇଲି ଶୁଣିଲା ନାହିଁ ନା ରାସ୍ତାରୁ ହଟିଲା ନାହିଁ । ବାଧ୍ୟ ହୋଇ ଗାଡ଼ି ତଳକୁ ଖସାଇ ନେଲି ।

 

ଜଣେ ପାନ ଦୋକାନୀ–ଦିନେ ଆସି ମୋ ଦୋକାନ ସାମନାରେ ଛିଡ଼ା ହେଲା । ମୁଁ ଖିଲେ ପାନ ଦେଲି । ତାକୁ ତଳେ ପକାଇ ଦେଇ ଗୋଡ଼ରେ ଦଳି ଦେଲା, ତା’ପରେ ଗୀତ ଗାଇ ଗାଇ ଚାଲିଗଲା ।

 

ଅମରକାନ୍ତ ମଧ୍ୟ ସାକ୍ଷ୍ୟ ଦେଲା । ଏ ଜଞ୍ଜାଳରେ ପଶିବାକୁ ଲାଲାଜୀ ଚାହୁଁ ନଥିଲେ ମଧ୍ୟ, ଅମରକାନ୍ତ ଏତେ ଉତ୍ତେଜିତ ହୋଇଥିଲା ଯେ, ଆଉଥରେ ମନା କରିବାକୁ ତାଙ୍କର ସାହସ ହେଲା ନାହିଁ । ଅମରକାନ୍ତ ସମସ୍ତ ବୃତ୍ତାନ୍ତ କହିଲା ଓ ରଙ୍ଗକୁ ଚୋଖା କରିବାପାଇଁ ନିଜ ମନରୁ ମଧ୍ୟ ଦୁଇ–ଚାରି କଥା ଯୋଡ଼ିଦେଲା । ପୋଲିସ୍ ଅଫିସର ପଚାରିଲେ–ତୁମେ କହିପାରିବ, ଏ ସ୍ତ୍ରୀଲୋକଟା ପାଗଳୀ ?

 

ଅମର କହିଲା–ଆଜ୍ଞା ହଁ, ବିଲ୍‍କୁଲ୍ ପାଗଳୀ । ପ୍ରାୟ କୋଡ଼ିଏ–ତିରିଶ ଥର ତାକୁ ଏକୁଟିଆ ହସୁଥିବାର, କାନ୍ଦୁଥିବାର ମୁଁ ଦେଖିଛି । କେହି କିଛି ପଚାରିଲେ ପଳାଇଯାଏ ।

 

ଏସବୁ କଥାରେ ଆଦୌ ସତ୍ୟତା ନଥିଲା । ସେହି ଘଟଣା ପରେ ଏ ସ୍ତ୍ରୀଲୋକଟିକୁ ପ୍ରଥମ ଥରପାଇଁ ସେ ସେଇଠି ଦେଖିଲା । ହୁଏତ ତାକୁ କେବେ କେଉଁଠି ଦେଖିଥିବ; ମାତ୍ର ଚିହ୍ନିପାରି ନାହିଁ ।

 

ଯେତେବେଳେ ପୋଲିସ୍ ପାଗଳୀକୁ ନେଇଗଲା, ସେତେବେଳେ ପ୍ରାୟ ଦୁଇ ହଜାର ଲୋକ ତା’ ସହିତ ଥାନା ପର୍ଯ୍ୟନ୍ତ ଗଲେ । ବର୍ତ୍ତମାନ ଜନତା ଦୃଷ୍ଟିରେ ସେ ଜଣେ ସାଧାରଣ ନାରୀ ନୁହେଁ, ଦେବୀ–ପଦରେ ପହଞ୍ଚିଗଲାଣି । କୌଣସି ଦୈବୀଶକ୍ତି ବିନା ଏତେ ସାହସ ଆସନ୍ତା କୁଆଡ଼ୁ-? ସହରର ଅନ୍ୟାନ୍ୟ ଅଞ୍ଚଳରୁ ଲୋକେ ରାତିସାରା ଆସି ଘଟଣାସ୍ଥଳ ଦେଖି ଯାଉଥାନ୍ତି । ଦୁଇ ତିନି ଜଣ ଲୋକ । ସେହି କାଣ୍ଡର ବ୍ୟାଖ୍ୟା କରିବାରେ ହାର୍ଦ୍ଦିକ ଆନନ୍ଦ ଅନୁଭବ କରୁଥାନ୍ତି–ଏହିପରି ଆସି ଗାଡ଼ି ଆଗରେ ଠିଆ ହୋଇଗଲା, ଏମିତି ଛୁରା ବାହାର କଲା, ଏଇମିତି ଧାଇଁଗଲା, ଏହିପରି ଦୋକାନ ଉପରକୁ ଉଠିଗଲା, ଆର ଗୋରାଟା ଉପରକୁ ଏମିତି କୁଦିପଡ଼ିଲା.... । ଅମରକାନ୍ତବାବୁ ଆଗକୁ ନ ବାହାରିଥିଲେ ତ ମେମ୍‌ଟାକୁବି ଖତମ୍ କରି ଦେଇଥାନ୍ତା-। ସେତେବେଳେ ତା’ ଆଖି ଲାଲ ଲାଲ–ଯେମିତି ନିଆଁ ମୁଣ୍ଡା ! ମୁହଁର ତେଜ ଦିଶୁଥାଏ ଯେମିତି ଗୋଟାଏ ଦୀପ !

 

ଅମରକାନ୍ତ ଭିତରେ ପଶି ଦେଖେ ତ ନୟନା ଭାଉଜର ହାତ ଧରି ସଂକୁଚିତା ହୋଇ ଠିଆ ହୋଇଛି ଏବଂ ସୁଖଦା ରାଜସୀ କରୁଣାରେ ଆପ୍ଳୁତା ହୋଇ ସଜଳ ନୟନରେ ପଲଙ୍କ ଉପରେ ବସିଛି । ଅମରକୁ ଦେଖିବାମାତ୍ରେ ଉଠିଆସି ପଚାରିଲା–ଏ ସେହି ସ୍ତ୍ରୀଲୋକଟି, ନା ?

 

“ହଁ, ବୋଧହୁଏ ସେହି ।”

 

“ତେବେ ୟା’ ପରେ ସେ କ’ଣ ଫାଶୀ ପାଇବ ?”

 

“ଖଲାସ ହୋଇଯାଇପାରେ; ତେବେ ଆଶା ଖୁବ୍ କମ୍ ।”

 

“ସେ ଯଦି ଫାଶୀ ପାଏ, ତେବେ କହିବାକୁ ହେବ–ସଂସାରରେ ନ୍ୟାୟ ଆଉ ନାହିଁ । ସେ ତ କୌଣସି ଅପରାଧ କରି ନାହିଁ । ଯେଉଁ ଦୁଷ୍ଟମାନେ ତା’ ଉପରେ ଏପରି ଅତ୍ୟାଚାର କଲେ, ସେଇମାନଙ୍କୁ ଏ ଦଣ୍ଡ ମିଳିବା ଉଚିତ । ମୁଁ ଯଦି ବିଚାରକ ହେଇଥାନ୍ତି, ତେବେ ତାକୁ ନିରପରାଧ ବୋଲି ମୁକ୍ତି ଦିଅନ୍ତି । ସେପରି ଦେବୀର ପ୍ରତିମା ଗଢ଼ାଇ ପୂଜା କରିବା ଉଚିତ । ସେ ତା’ର ସମସ୍ତ ଭଉଣୀଙ୍କ ମୁଖ ଉଜ୍ଜ୍ୱଳ କରି ଦେଇଛି ।”

 

ଅମର କହିଲା–ମାତ୍ର ଏଇଟା କ’ଣ ଗୋଟାଏ ନ୍ୟାୟ ଯେ, ଜଣେ ଦୋଷ କରିବ, ଆଉ ଜଣେ ଦଣ୍ଡ ପାଇବ ?

 

ସୁଖଦା ଉଗ୍ର ଭାବରେ କହିଲା–ସେ ସବୁଗୁଡ଼ାକ ଏକାପରି । ଯେଉଁ ଜାତିରେ ଏପରି ସୈତାନ ଅଛନ୍ତି, ସେ ଜାତିର ପତନ ହୋଇସାରିଛି । ସମାଜର ଜଣେ ଦୋଷ କଲେ ସାରା ସମାଜର ଦୁର୍ନାମ ହୁଏ । ତେଣୁ ଦଣ୍ଡ ସାରା ସମାଜକୁ ମିଳିବା ଉଚିତ । ଗୋଟାଏ ଗୋରା ଜାତିର ସ୍ତ୍ରୀଲୋକଙ୍କୁ ସୀମାନ୍ତ ଅଞ୍ଚଳର କୌଣସି ଲୋକ ନେଇ ପଳାଇଥିଲା । ତେଣୁ ସରକାର ତା’ର ପ୍ରତିଶୋଧ ନେବାପାଇଁ ସୀମାନ୍ତ ଅଞ୍ଚଳ ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତ ହୋଇଗଲା, ଅପରାଧୀ କିଏ ବୋଲି ପଚାରିଲାବି ନାହିଁ ! ତା’ ଦୃଷ୍ଟିରେ ସାରା ରାଜ୍ୟଟା ଥିଲା ଅପରାଧୀ ! ଏ ଭିକାରୁଣୀଟିର ତ କେହି ସାହା–ଭରସା ନଥିଲେ; ତେଣୁ ନିଜର ଇଜ୍ଜତପାଇଁ ସେ ନିଜେ ପ୍ରତିଶୋଧ ନେଲା । ତୁମେ ଯାଇ ଓକିଲଙ୍କ ସହିତ ପରାମର୍ଶ କର । ଯେତେ ଟଙ୍କା ଖର୍ଚ୍ଚ ହେଉପଛେ, ସେ ଯେପରି ଫାଶୀ ନ ପାଏ । ମୋ ମତରେ ଓକିଲମାନେ ବିନା ଫି’ରେ ଏ ମୋକଦ୍ଦମାରେ ସାହାଯ୍ୟ କରିବା ଉଚିତ । ଏପରି କେସ୍‍ରେ କୌଣସି ଓକିଲ ପାରିଶ୍ରମିକ ଚାହେଁ ତ ମୁଁ ବୁଝିବି ସେ ମନୁଷ୍ୟ ପଦବାଚ୍ୟ ନୁହେଁ । ତୁମେ ଆଜି ସଭାର ବୈଠକ ଡକାଇ ଚାନ୍ଦା ଅସୁଲ କରିବା ଆରମ୍ଭ କରିଦିଅ । ଏ ପରିସ୍ଥିତିରେ ମୁଁ ମଧ୍ୟ ଏ ସହରରୁ ହଜାର ହଜାର ଟଙ୍କା ଚାନ୍ଦା ଉଠାଇପାରିବି । ତା’ପାଇଁ କେଉଁ ସ୍ତ୍ରୀଲୋକଟା ଦେବାକୁ ମନା କରିବ ଭଲା !

 

ତାକୁ ଶାନ୍ତ କରିବା ଅଭିପ୍ରାୟରେ ଅମର କହିଲା–ତୁମେ ଯାହା ଯାହା କହୁଛ, ସବୁ ହବ-। ଫଳ ଯାହା ହେଉନା କାହିଁକି, ଆମ ପକ୍ଷରୁ କୌଣସି ଅବହେଳା ରହିବ ନାହିଁ-। ମୁଁ ଟିକିଏ ପ୍ରଫେସର୍‍ ଶାନ୍ତିକୁମାରଙ୍କ ପାଖକୁ ଯାଉଛି । ତୁମେ ଯାଅ, ଆରାମରେ ଶୁଅ ।

 

“ମୁଁ ବି ମା’ ପାଖକୁ ଯାଉଛି । ତୁମେ ମୋତେ ସେଠି ଛାଡ଼ିଦେଇ ଚାଲିଯିବ ।”

 

ଅମର ଅନୁରୋଧ କଲା–ତୁମେ ଯାଇ ଶାନ୍ତିରେ ଶୋଇଲ । ମୁଁ ମା’ଙ୍କ ସହିତ ସାକ୍ଷାତ କରି ତେଣେ ଚାଲିଯିବି ।

 

ସୁଖଦା ବିରକ୍ତି ପ୍ରକାଶ କଲା–ଏପରି ଅବସ୍ଥାରେ ଯେ ଶାନ୍ତିରେ ଶୋଇପାରେ, ସେ ମୁର୍ଦ୍ଦାର ! ସେହି ଦେବୀ ଲାଗି ପ୍ରାଣ ଦେବାକୁ ପଡ଼ିଲେବି ମୁଁ ଆନନ୍ଦରେ ଦେଇଦେବି । ମା’କୁ ମୁଁ ଯାହା କହିବି, ତୁମେ ତା’ ପାରିବ ନାହିଁ । ନାରୀପାଇଁ ନାରୀ–ହୃଦୟରେ ଯେଉଁ ବ୍ୟାକୁଳତା ଜନ୍ମିବ, ତାହା ପୁରୁଷ ହୃଦୟରେ ଅସମ୍ଭବ । ମୁଁ ଏହି ମୋକଦ୍ଦମା ପାଇଁ ମା’ଠାରୁ ପାଞ୍ଚ ହଜାର ଟଙ୍କାରୁ କମ୍ ଆଣିବିନି । ମୋର ସେ ଧନ ପାଇବାକୁ ଲୋଭ ନାହିଁ । ଚାନ୍ଦା ମଳିଲା ତ ଭଲ; ନଚେତ୍ ସେ ନିଜେ ବାହାରିପଡ଼ୁ । ଗାଡ଼ିଟାଏ ଡାକିଲ ।

 

ଆଜି ଅମରକାନ୍ତ ଜାଣିବାକୁ ପାଇଲା–ବିଳାସିନୀ ସୁଖଦାର ହୃଦୟରେ କେତେ ସମବେଦନା, କେତେ ସ୍ୱଜାତି–ପ୍ରେମ, କେତେ ଉତ୍ସୁକତା ରହିଛି !

 

ଗାଡ଼ି ଆସିଲା । ଦୁହେଁ ରେଣୁକା ଦେବୀଙ୍କ ସହ ସାକ୍ଷାତ କରିବାକୁ ବାହାରିଗଲେ ।

 

–୯–

 

ତିନି ମାସ ପର୍ଯ୍ୟନ୍ତ ସମଗ୍ର ସହରରେ ଗୋଳ–ଚହଳ ଲାଗିରହିଲା । ହଜାର ହଜାର ଲୋକ କାମଧନ୍ଦା ଛାଡ଼ି ପ୍ରତିଦିନ କଚେରିକୁ ଯା’ନ୍ତି । ଥରଟିଏ ସେହି ଭିକାରୁଣୀକୁ ଦେଖିବାର ଅଭିଳାଷ ସମସ୍ତଙ୍କୁ ଆକର୍ଷଣ କରିନିଏ । ସବୁଠୁ ଅଧିକ ହୁଏ ମହିଳାମାନଙ୍କ ସଂଖ୍ୟା । ଭିକାରୁଣୀ ଲରିରୁ ଓହ୍ଲାଇବାମାତ୍ରେ ଗଗନଭେଦୀ ଜୟ–ଧ୍ଵନି ଉଠେ ଓ ପୁଷ୍ପବୃଷ୍ଟି ହୁଏ । ରେଣୁକା ଦେବୀ ଓ ସୁଖଦା ତ କଚେରି ବନ୍ଦ ହେବା ପର୍ଯ୍ୟନ୍ତ ସେଠି ଉପସ୍ଥିତ ଥାନ୍ତି ।

 

ଜିଲା–ମାଜିଷ୍ଟ୍ରେଟ ମୋକଦ୍ଦମାକୁ ସେସନ୍‌ସ୍ କୋଟ୍‍କୁ ପଠାଇ ଦେଇଥିଲେ । ପ୍ରତିଦିନ ଅଭିଯୋଗମାନ ପେସ୍ ହେଉଥାଏ । ଜୁରି ନିଯୁକ୍ତ ହୋଇଥାନ୍ତି । ଏଣେ ଅଭିଯୁକ୍ତାର ନିର୍ଦ୍ଦୋଷତା ପ୍ରମାଣ କରିବାକୁ ଓକିଲମାନଙ୍କର ଗୋଟାଏ ଫୌଜ ଗଢ଼ା ହୋଇଥାଏ । ମକଦ୍ଦମାରେ ପ୍ରମାଣ ଆବଶ୍ୟକ ନଥିଲା । କାରଣ ଅପରାଧିନୀ ତା’ର ଅପରାଧ ସ୍ଵୀକାର କରି ନେଇଥିଲା । କେବଳ ସାବ୍ୟସ୍ତ କରିବାକୁ ଥିଲା ଯେ, ହତ୍ୟା କରିବା ସମୟରେ ତା’ର ଜ୍ଞାନ ଥିଲା କି ନା । ସାକ୍ଷୀମାନେ କହିଲେ, ତା’ର ଜ୍ଞାନ ନଥିଲା । ଡାକ୍ତର କହିଲେ ଯେ ତା’ଠାରେ କ୍ଷିପ୍ତତାର କୌଣସି ଲକ୍ଷଣ ନାହିଁ । ଡାକ୍ତରବାବୁ ବଙ୍ଗାଳୀ ଥିଲେ । ସେ ସାକ୍ଷ୍ୟ ଦେଇସାରି ବାହାରିଲାବେଳକୁ ଏତେ ଧିକ୍‌କାର ହେଲା ଯେ ବିଚାରାର ଘରେ ପହଞ୍ଚିବା ଦୁଃସାଧ୍ୟ ହୋଇପଡ଼ିଲା । ଏପରି ଅବସ୍ଥାରେ ଯଦି କେହି ଜନତାର ଇଚ୍ଛା ବିରୁଦ୍ଧରେ ପାଟି ଫିଟାଇଲା, ଆରମ୍ଭ ହେଲା ଗାଳିବୃଷ୍ଟି । ବିବେଚନା କରିବାପାଇଁ ଜନତା କାହାରିକି ସୁବିଧା ଦିଏ ନାହିଁ । ତା’ର ଶାସନରେ କୌଣସି ପ୍ରକାର ଶିଥିଳତାବି ନଥାଏ ।

 

ରେଣୁକା ଦେବୀ ହୋଇଛନ୍ତି ନଗରର ରାଣୀ । ମୋକଦ୍ଦମା ଲଢ଼ିବାର ସମୁଦାୟ ଭାର ତାଙ୍କରି ଉପରେ । ଶାନ୍ତିକୁମାର ଓ ଅମରକାନ୍ତ ହୋଇଛନ୍ତି ତାଙ୍କର ଦକ୍ଷିଣ ଓ ବାମ ଭୁଜ । ଲୋକେ ସ୍ୱେଚ୍ଛାରେ ଆସି ଚାନ୍ଦା ଦେଇ ଯାଉଛନ୍ତି । ଏପରିକି ଲାଲା ସମରକାନ୍ତ ମଧ୍ୟ ଗୁପ୍ତ ଭାବରେ ସାହାଯ୍ୟ କରୁଛନ୍ତି ।

 

ଦିନେ ଅମରକାନ୍ତ ପଠାଶୁଣୀ ବୁଢ଼ୀକୁ କଚେରିରେ ଦେଖିଲା । ସକୀନାବି ଗୋଟିଏ ଚାଦର ଓଢ଼ଣା ପକାଇ ତା’ ସଙ୍ଗରେ ଆସିଥିଲା ।

 

ଅମରକାନ୍ତ ପଚାରିଲା–ବସିବାପାଇଁ କିଛି ଆଣିବି, ମାଉସୀ ? ଆଜି ଆପଣବି ଅସ୍ଥିର ହୋଇ ଚାଲି ଆସିଲେ ! ବୁଢ଼ୀ ଉତ୍ତର ଦେଲା–ମୁଁ ତ ରୋଜ୍ ଆସୁଛି, ପୁଅ ! ତୁ ମୋତେ ଦେଖିପାରି ନଥିବୁ । ଏ ଝିଅଟା କ’ଣ ରଖେଇ ଥୋଇ ଦେଲା !

 

ଅମରକାନ୍ତର ରୁମାଲ କଥା ସ୍ମରଣ ହେଲା ଓ ବୁଢ଼ୀର ସେହି ଅନୁରୋଧ ମଧ୍ୟ ମନେପଡ଼ିଲା; ମାତ୍ର ଏ ଗଣ୍ଡଗୋଳ ଭିତରେ ସେ ତ କଲେଜକୁବି ଯାଇପାରୁନାହିଁ, ସେ କଥା ମନେରଖିବ କୁଆଡ଼ୁ !

 

ବୁଢ଼ୀ ପଚାରିଲା–ମୋକଦ୍ଦମାରେ କ’ଣ ହେବ, ପୁଅ ! ସେ ଔରତଟି ଖଲାସ ପାଇବ କି ସଜା ପାଇବ ?

 

ସକୀନା ବୁଢ଼ୀର ଅଧିକ ପାଖକୁ ଘୁଞ୍ଚିଗଲା ।

 

ଅମର କହିଲା–କିଛି କହି ହେଉନି, ମାଉସୀ ! ଖଲାସ ହେବାର କୌଣସି ଆଶା ତ ଦେଖାଯାଉ ନାହିଁ ! ଯଦି ନହୁଏ ଆମେ ପ୍ରିଭି କାଉନ୍‌ସିଲ୍‌ ପର୍ଯ୍ୟନ୍ତ ଯିବୁ ।

 

ବୁଢ଼ୀ କହିଲା–ଏପରି ମାମଲାରେ ଜଜ୍ ଯେବେ ସଜା ଦିଏ, ତେବେ ନ୍ୟାୟ ବିଚାର ଆଉ ହେଲା କ’ଣ ?

 

ଅମରକାନ୍ତ ଏକ ଆବେଶରେ କହିଲା–ତାକୁ ଶାସ୍ତି ମିଳୁ କି ମୁକ୍ତି ମିଳୁ, ସେ ଦେଖାଇ ଦେଇଛି, ଭାରତର ଦରିଦ୍ରା ନାରୀଟିଏ ମଧ୍ୟ ନିଜର ଇଜ୍ଜତ କିପରି ରକ୍ଷା କରି ଜାଣନ୍ତି ।

 

ସକୀନା ଅମରକୁ ତ ପଚାରିଲା; କିନ୍ତୁ ବୁଢ଼ୀମାକୁ ଲକ୍ଷ୍ୟ କରି–ଆମେ ଦର୍ଶନ ପାଇପାରିବା ତ, ମା’ ?

 

ଅମର ତତ୍ପରତାର ସହ କହିଲା–ନିଶ୍ଚୟ, ଦର୍ଶନ କରିବାରେ କ’ଣ ଅସୁବିଧା ଅଛି ! ଚାଲ ମାଉସୀ ! ମୁଁ ତୁମକୁ ଆମ ଘରର ସ୍ତ୍ରୀଲୋକମାନଙ୍କ ପାଖେ ବସାଇ ଦେବି । ତୁମେ ସେଠି ସେମାନଙ୍କ ସଙ୍ଗେ କଥାବାର୍ତ୍ତାବି କରିପାରିବ ।

 

ବୁଢ଼ୀ କହିଲା–ହଁ ବାପା । ସେହିଦିନୁ ଏ ବେଟା ମୋର ଜାନ ଖାଉଛି । ତୁମ ସଙ୍ଗେ ଦେଖା ହୋଇଥିଲେ ସିନା ପଚାରିଥାନ୍ତି । କେଇ ଖଣ୍ଡ ରୁମାଲ ତୟାର କରିଥିଲା ଯେ ସେଥିରୁ ଦୁଇଟି ଟଙ୍କା ପାଇଛି । ଏ ଆମର ସେଇଦିନୁ ସେ ଟଙ୍କା ଦୁଇଟାକୁ ସାଇତି ରଖିଛି ଚାନ୍ଦା ଦେବାଲାଗି । ତୁ ହେଲେ ନେଇଯାଆନ୍ତୁ ପୁଅ ! ଏ ଜମା ଦୁଇଟା ଟଙ୍କା, ଦେବାପାଇଁ ଆମକୁ ସରମ ଆସୁଛି ।

 

ଏହି ଦୀନ–ଦୁଃଖୀମାନଙ୍କର ତ୍ୟାଗ ଦେଖି ଅମରକାନ୍ତର ଅନ୍ତର ଲଜ୍ଜାମଜ୍ଜିତ ହୋଇଗଲା । ସେ ନିଜକୁ କେତେକାଂଶରେ ବୁଝିସାରିଥିଲା । ଯେଉଁଆଡ଼େ ଗଲେ ସିଆଡ଼େ ଲୋକେ ତାକୁ ସମ୍ମାନ ଦେଖାନ୍ତି; କିନ୍ତୁ ଏହି ନିତ୍ୟ–ଉପବାସୀଙ୍କର ଉତ୍ସାହ ତା’ର ଚକ୍ଷୁ ଖୋଲିଦେଲା-। କହିଲା–“ବୁଢ଼ୀ ମାଉସୀ, ବର୍ତ୍ତମାନ ତ ଟଙ୍କା ଦରକାର ନାହିଁ । ତୁମେ ରଖ ଖର୍ଚ୍ଚ କରିବ-। ହଁ ଚାଲ, ମୁଁ ସେମାନଙ୍କ ସଙ୍ଗେ ତୁମକୁ ସାକ୍ଷାତ କରାଇଦିଏ ।

 

ସକୀନାର ଉତ୍ସାହ ଶୀତଳ ହୋଇଗଲା । ମଥା ପୋତି କହିଲା–ଗରିବଙ୍କ ଟଙ୍କାକୁ ଯେଉଁଠି ପଚରା ଯାଉନି, ସେଠି ଗରିବଙ୍କୁ ବା ପଚାରିବ କିଏ ? ସେଠିକି କାହିଁକି ଯିବୁ, ମା’ ? ଆସିଲାବେଳେ ଏଇଠି ଟିକିଏ ଚାହିଁ ଦେଇଯିବା ।

 

ଅମରକାନ୍ତ ଲଜ୍ଜିତ ହୋଇ କହିଲା–ନା–ନା, ସେମିତି କିଛି ତ ନାହିଁ, ମା’ । ସେଠିତ ଗୋଟିଏ ପଇସା ଦେଲେବି ଆଦରରେ ଗ୍ରହଣ କରାଯାଉଛି । ଧନୀ ଗରିବ ବିଚାର ଆଦୌ ନାହିଁ । ମୁଁ ନିଜେ ତ ଗରିବ । ତୁମର ଅସୁବିଧା ହେବ ଭାବି ମୁଁ ଏମିତି କହିଦେଲି ।

 

ଦୁହେଁ ଅମରକାନ୍ତ ସହିତ ଚାଲିଲେ । ପଠାଶୁଣୀ ଧୀରେ କହିଲା–ମୁଁ ସେଦିନ ତୋତେ ଗୋଟିଏ କଥା କହିଥିଲି, ପୁଅ । ଭୁଲିଯିବୁଣି ।

 

ଅମରକାନ୍ତ ସମ୍ଭ୍ରମର ସହିତ କହିଲା–ନା-ନା, ମୋର ମନେଅଛି । ବର୍ତ୍ତମାନ ଟିକିଏ ଏଇ ଝଞ୍ଜଟରେ ପଡ଼ିଯାଇଛି ନା, ଏଣୁ ଫୁରୁସତ୍ ମିଳିଲାମାତ୍ରେ ମୁଁ ସାଙ୍ଗ–ସାଥୀଙ୍କ ସଙ୍ଗେ କଥାବାର୍ତ୍ତା କରିବି ।

 

ରେଣୁକା ଦେବୀଙ୍କ ସହିତ ସେ ଦୁହିଁଙ୍କୁ ପରିଚିତ କରି ଦେଇ ଅମରକାନ୍ତ ବାହାରକୁ ଚାଲି ଆସିଲାବେଳେ ପ୍ରଫେସର୍ ଶାନ୍ତିକୁମାରଙ୍କ ସହିତ ସାକ୍ଷାତ ହୋଇଗଲା । ପ୍ରଫେସର୍ ପଚାରିଲେ–ତୁମେ, ବାବୁ, କୁଆଡ଼େ ବୁଲୁଛ ? କୌଣସି ଓକିଲର ତ ଦେଖାନାହିଁ । ମୋକଦ୍ଦମା ପେସ୍ ହେବାବେଳ ହୋଇଗଲା–ଆଜି ପୁଣି ଆସାମୀମାନଙ୍କର ଜବାନ୍‍ବନ୍ଦୀ ହେବ । ଏ ଓକିଲଗୁଡ଼ାଙ୍କ କଥା ଭଗବାନ୍ ବୁଝନ୍ତୁ । ଟିକିଏ ଯାଇ କ’ଣ ଇଜଲାସରେ ଠିଆ ହୋଇଯିବେ ବୋଲି ବ୍ରହ୍ମାଣ୍ଡଯାକ ଯେମିତି ତାଙ୍କୁ ପୂଜା କରନ୍ତେ । ଜଣେ ଦୁଇଜଣ ଓକିଲଙ୍କୁ ପାରିଶ୍ରମିକ ଦେଇ ରଖି ନେଇଥିଲେ, ୟା’ଠୁ ଖୁବ୍ ଭଲ ହୋଇଥାନ୍ତା । ବିନା ପଇସାରେ କାମ କରିବାକୁ ବେଠି ବୋଲି ମନେକରାଯାଏ କି ନା । ଏମାନେ ଏତେ ବିବେକହୀନ ପରି କାମ କରୁଛନ୍ତି ଯେ ମୋର ରକ୍ତ ତାତି ଉଠୁଛି । ସମସ୍ତେ ଚାହାନ୍ତି ନାମ; କାମ କରିବାକୁ କେତେଜଣ ଚାହାନ୍ତି ? ଯଦି ଭଲ ଭାବରେ ଜାରା ହୋଇଥାନ୍ତାନା, ପୋଲିସ୍‌ର ସମସ୍ତ ସାକ୍ଷ ପଣ୍ଡ ହେଇ ଯାଇଥାନ୍ତା; କିନ୍ତୁ କରୁଛି କିଏ-? ଦେଖୁଛ ତ–ଜାଣନ୍ତି ଆଜି ଆସାମୀମାନଙ୍କର ଜବାନ୍‍ବନ୍ଦୀ ହେବ; ଅଥଚ କାହାରି ଚିନ୍ତା ନାହିଁ-

 

ଅମରକାନ୍ତ କହିଲା–ମୁଁ ତ ଜଣ ଜଣ କରି ଖବର ଦେଇସାରିଛି । କେହି ନ ଆସିଲେ ମୁଁ ଆଉ କରିବି କ’ଣ ?

 

“ଖାଲି ମୋକଦ୍ଦମାଟା ସରିଯାଉ, ମୁଁ ସମସ୍ତଙ୍କୁ ଦେଖିନେବି ।”

 

ଏହି ସମୟରେ ଲରି ଆସୁଥିବାର ଦେଖାଗଲା । ଅମରକାନ୍ତ ଦଉଡ଼ିଲା ଓକିଲମାନଙ୍କୁ ଖବର ଦେବାକୁ । ଦର୍ଶକମାନେ ଚାରିଆଡ଼ୁ ଧାଇଁ ଆସିଲେ ଅଦାଲତ କୋଠି ପାଖକୁ । ଭିକାରୁଣୀଟି ଲରିରୁ ଓହ୍ଲାଇ କାଠଗଡ଼ା ଭିତରେ ଠିଆହେଲା । ସେ ଆସିବାମାତ୍ରେ ହଜାର ହଜାର ଆଖି ତା’ ଆଡ଼କୁ ଚାହିଁ ରହିଲା; କିନ୍ତୁ ସେହି ଆଖିଗୁଡ଼ିକ ମଧ୍ୟରେ ଗୋଟିଏ ଏପରିବି ନଥିଲା, ଯେଉଁଥିରେ ଶ୍ରଦ୍ଧା ନଥିଲା । ତା’ର ପାଣ୍ଡୁର ମଇଳା ମୁହଁଟି ଉପରେ ଆତ୍ମଗୌରବର ଅପୂର୍ବ କାନ୍ତି ଫୁଟି ଉଠୁଥିଲା; ଯାହାକି କୁତ୍ସିତ ଦୃଷ୍ଟିକୁ ଉଠିବା ପୂର୍ବରୁ ନିରାଶ ଓ ପରାଭୂତ କରି ତହିଁରେ ଶ୍ରଦ୍ଧା ଭରି ଦେଉଥିଲା ।

 

ଜଜ୍ ସାହେବ ଶ୍ୟାମଳ ବର୍ଣ୍ଣ, ଖର୍ବ, ସ୍ଥୂଳକାୟ ବ୍ୟକ୍ତି । ତାଙ୍କର ଦୀର୍ଘନାସା ଓ କ୍ଷୁଦ୍ର କ୍ଷୁଦ୍ର ଚକ୍ଷୁରେ ସହଜ ସ୍ମିତ ପରିଲକ୍ଷିତ ହୁଏ । ଏ ମହାଶୟ ପୂର୍ବେ ଥିଲେ ଜଣେ ଉତ୍ସାହୀ ଦେଶ–ସେବକ; ‘ମାତ୍ର ତିନିବର୍ଷ ହେଲା ସେ ଜଜ୍ ହୋଇଛନ୍ତି । ସୁତରାଂ ଏବେ ଜାତୀୟ ଆନ୍ଦୋଳନରୁ ଦୂରେଇ ରହିଛନ୍ତି; କିନ୍ତୁ ଜାଣିବା ଶୁଣିବା ଲୋକଙ୍କ ମତ ଯେ, ଏବେ ସୁଦ୍ଧା ନାମ ବଦଳାଇ ସେ ନିଜର ବିଚାର ପତ୍ର–ପତ୍ରିକାରେ ପ୍ରତିପାଦନ କରୁଛନ୍ତି । କାହାରି ଚାପରେ ବା ଭୟରେ ନ୍ୟାୟ–ପଥରୁ ତିଳେ ବିଚ୍ୟୁତ ହେବା କଥା କୌଣସି ଶତ୍ରୁ ମଧ୍ୟ ସାହସର ସହ କହିପାରିବ ନାହିଁ । ତାଙ୍କର ସେହି ନ୍ୟାୟପରାୟଣତା ବର୍ତ୍ତମାନ ପ୍ରତିବନ୍ଧକ ସୃଷ୍ଟି କରୁଛି ଭିକାରୁଣୀର ମୁକ୍ତି ବିଷୟରେ ।

 

ଜଜ୍ ସାହେବ ପଚାରିଲେ–ତୁମର ନାମ ?

 

ଅଭିଯୁକ୍ତା କହିଲା–ଭିକାରୁଣୀ ।

 

“ତୁମର ପିତାଙ୍କ ନାମ ?”

 

“ତାଙ୍କର ପବିତ୍ର ନାମ କହି କଳଙ୍କିତ କରିପାରିବି ନାହିଁ ।”

 

‘‘ଘର କେଉଁଠି ?’’

 

“କାହିଁକି ପଚାରୁଛନ୍ତି ?” ଭିକାରୁଣୀ କରୁଣ କଣ୍ଠରେ କହିଲା–ଆପଣଙ୍କର ସେଥିରେ କାମ କ’ଣ ?

 

‘‘ତୁମ ବିରୁଦ୍ଧରେ ଅଭିଯୋଗ ହୋଇଛି ଯେ, ତୁମେ ଚଳିତ ମାସ ତିନି ତାରିଖରେ ଛୁରାଦ୍ଵାରା ଏପରି ଆଘାତ କଲ ଯେ, ସେମାନେ ସେହିଦିନ ମରି ଯାଇଛନ୍ତି । ତୁମେ ଏହି ଅପରାଧ ସ୍ଵୀକାର କରୁଛ ?”

 

“ଆପଣ କ’ଣ ତାକୁ ଅପରାଧ ବୋଲି କହୁଛନ୍ତି ?” ଅଭିଯୁକ୍ତା ନିଃଶଙ୍କ ଚିତ୍ତରେ କହିଲା–‘‘କିନ୍ତୁ ମୁଁ ତାହା ମନେକରୁ ନାହିଁ ।’’

 

“ତୁମେ ମାରିବା ସ୍ଵୀକାର କରୁଛ କି ?”

 

“ସାକ୍ଷୀମାନେ ପ୍ରାୟ ମିଛସାକ୍ଷୀ ଦେଇ ନଥିବେ ।’’

 

‘‘ନିଜ ବିଷୟରେ ତୁମର କିଛି କହିବାର ଅଛି ?”

 

‘‘ମୋର କିଛି କହିବାର ନାହିଁ ।’’ ଭିକାରୁଣୀ ସ୍ପଷ୍ଟ ସ୍ଵରରେ କହିଲା ।”

 

“ନିଜର ଜୀବନ ରକ୍ଷାପାଇଁ ମୁଁ କୌଣସି ସଫେଇ ଦେବାକୁ ଯାଉନାହିଁ । ମୋର ଜୀବନ ଶୀଘ୍ର ଶେଷ ହୋଇଯିବ ଭାବି ମୁଁ ପ୍ରସନ୍ନ । ମୁଁ ନିରୀହ ଅବଳା । ମୋର କେବଳ ଏତିକି ମନେପଡ଼ୁଛି ଯେ, କେତେ ମାସ ତଳେ ମୋର ସର୍ବସ୍ଵ ଲୁଟ କରାଯାଇଛି । ତା’ପରେ ମୋର ଆଉ ଜୀବନ ଧରି ରହିବା ଅକାରଣ । ମୁଁ ତ ସେହିଦିନରୁ ମରି ସାରିଛି । ଆପଣଙ୍କ ଆଗରେ ମୁଁ ଠିଆ ହୋଇ କଥା କହୁଛି; କିନ୍ତୁ ଏ ଦେହରେ ଆତ୍ମା ନାହିଁ । ଯେ କାହାରି ଆଗରେ ମୁହଁ ଦେଖାଇ ନ ପାରେ, ମୁଁ ତାକୁ ଜିଅନ୍ତା ବୋଲି କହିପାରିବି ନାହିଁ । ମୋପାଇଁ ଏତେ ଭାଇ–ଭଉଣୀ ତୁଚ୍ଛାରେ ଏତେ ଧାଁ–ଦଉଡ଼, ଖରଚ–ବରଚ କରୁଛନ୍ତି ସିନା ! କଳଙ୍କ–ପସରା ମୁଣ୍ଡରେ ବହି ବଞ୍ଚିରହିବା ଅପେକ୍ଷା ମରିଯିବା ବହୁଗୁଣରେ ଭଲ । ମୁଁ ନ୍ୟାୟ ମାଗୁନାହିଁ, ଦୟା ମାଗୁନାହିଁ, ମାଗୁଛି ଖାଲି ମରଣ । ହଁ, ମୋର ଭାଇ–ଭଉଣୀମାନଙ୍କୁ ମିନତି କରୁଛି, ମୁଁ ମଲା ପରେ ମୋର କାୟାକୁ ନିରାଦର କରିବେ ନାହିଁ, ଘୃଣା କରିବେ ନାହିଁ, ଏଟା ଗୋଟାଏ ଅଭାଗୀନି ପତିତାର ଲାସ୍ ବୋଲି ଭୁଲିଯିବେ । ଜିଇଁ ଥାଉଁଥାଉଁ ଯାହା ପାଇପାରିନାହିଁ, ମଲା ପରେ ମୋତେ ତା’ ଦେବେ । ମୁଁ ସଫାସଫା କହିଯାଉଛି–କଲା–କର୍ମପାଇଁ ମୋ ମନରେ ଶୋଚନା ନାହିଁ । ଈଶ୍ଵର କରନ୍ତୁ, କୌଣସି ଭଉଣୀର ଏପରି ଦୁର୍ଦ୍ଦଶା ନ ହେଉ । ଯଦି କାହାରି ଏପରି ହୁଏ, ତେବେ ୟା’ ଛଡ଼ା ତା’ର ଆଉ କିଛି ପ୍ରତିକାର ନାହିଁ ।

 

ଆପଣ ଭାବୁଥିବେ, ଏ ଯଦି ମରିବାପାଇଁ ଏତେ ଉଚ୍ଛନ୍ନ ହେଉଛି, ତେବେ ଆଜି ପର୍ଯ୍ୟନ୍ତ ବଞ୍ଚିଲା କାହିଁକି ? ତା’ର କାରଣ ଆପଣମାନଙ୍କ ପାଖରେ କହିବି କ’ଣ ? ମୋର ଯେତେବେଳେ ଚେତା ଆସିଲା ଓ ମୋ ସାମନାରେ ସେମାନେ ଛଟପଟ ହେଉଥିବା ଦେଖିଲି, ମୁଁ ସେତେବେଳେ ଡରିଗଲି । କ’ଣ କରିବାକୁ ହେବ, ମୋତେ କିଛି ବୁଦ୍ଧି ଦିଶିଲା ନାହିଁ । ତା’ପରେ ଏହି ଭାଇ–ଭଉଣୀମାନଙ୍କ ସୁନ୍ଦର ବ୍ୟବହାର ମୋତେ ମୋହ–ଜାଲରେ ବାନ୍ଧିଦେଲା । ଆଜି ପର୍ଯ୍ୟନ୍ତ ମୁଁ ମୋହରେ ପଡ଼ି ଭାବୁଥିଲି ଯେ ମୋ ମୁହଁରୁ କଳଙ୍କର ଦାଗ ଲିଭିଗଲାଣି । ଏଣିକି ମୋତେ ଅନ୍ୟ ଭଉଣୀଙ୍କ ପରି ବିଶ୍ଵାସ ଓ ସମ୍ମାନ ମିଳିବ; କିନ୍ତୁ ମନେମନେ ମୁଆଁ ଖାଇଲେ କ’ଣ କାହାରି ପେଟ ପୂରେ ? ଆଜି ଯଦି ସରକାର ମୋତେ ଛାଡ଼ିଦିଏ, ମୋର ଭାଇ–ଭଉଣୀଏ ଯଦି ମୋ ଗଳାରେ ଫୁଲମାଳ ଦିଅନ୍ତି, ମୋ ଉପରେ ଯଦି ଅସରପି ଅଜାଡ଼ି ଦିଆଯାଏ, ତେବେ ସୁଦ୍ଧା ମୁଁ କ'ଣ ଏଠାରୁ ଘରକୁ ଫେରିପାରିବି ? ମୁଁ ବିବାହିତା, ମୋର ପୁଅଟିଏ ଅଛି, ମୁଁ କ’ଣ ସେହି ପିଲାଟିକି ମୋର ବୋଲି କହିପାରିବି ? କେବେ ନୁହେଁ । ପିଲାଟି ମୋତେ ଦେଖିଲେ ମୋ କୋଳକୁ ଆସିବାକୁ ହାତ ବଢ଼ାଇବ; ମାତ୍ର ମୁଁ ତା’ ହାତକୁ ଆଡ଼େଇ ଦେଇ ଆଖିରେ ଲୁହ ଭରି ମୁହଁ ବୁଲାଇ ଚାଲିଯିବି ସିନା ! ପତି ମୋତେ କ୍ଷମା ଦେଇପାରନ୍ତି, ମୁଁ ତାଙ୍କ ସଙ୍ଗେ ଆଦୌ ବିଶ୍ଵାସଘାତକତା କରି ନାହିଁ । ତାଙ୍କ ପାଦତଳେ ଲୋଟିଯିବା ପାଇଁ ଏବେବି ମୋ ମନ ଧାଉଁଛି; କିନ୍ତୁ ମୁଁ ତାଙ୍କ ଆଗରେ ମୁହଁ ଟେକିପାରିବି କିମିତି, ସେ ମୋ ହାତ ଧରି ଟାଣିନେଲେ ସୁଦ୍ଧା ମୁଁ ତାଙ୍କ ଘରେ ପାଦ ପକାଇ ପାରିବି ନାହିଁ । କିଛି ପାପ କରି ନାହିଁ ବୋଲି ମୋ ମନକୁ ସାନ୍ତ୍ଵନା ଦେଇପାରୁନାହିଁ । ଯାହାର ବଞ୍ଚିବାର ଲାଳସା ଥାଏ, ସେହି ଏକା ଆପଣା ମନକୁ ଏପରି ବୋଧ ଦିଏ । ମୁଁ ଅପବିତ୍ର, ଅଛୁଆଁ, ଏହା ମୁଁ ଭୁଲି ପାରିବି ନାହିଁ । ଯେ ଯାହା କହୁ, ଯେ ଯାହା ଶୁଣୁ, ଜୀବନ ମଣିଷର ପ୍ରିୟ, କାହିଁକି ? ସୁଖଭୋଗ କରେ ବୋଲି ତ ନୁହେଁ ! ଯେ ଦୁଃଖ ଭୋଗୁଛି, ଭାତ ମୁଠେପାଇଁ ଆକୁଳ ହେଉଛି, ତା’ର କ’ଣ ଜୀବନ ପ୍ରତି କମ୍ ମମତା ? ଆତ୍ମୀୟମାନଙ୍କର ସ୍ନେହ–ପ୍ରୀତି, ପ୍ରତିବେଶୀମାନଙ୍କର ଆଦର ପାଉଁ ବୋଲି ଜୀବନ ଆମକୁ ଏଡ଼େ ମଧୁର ଲାଗେ । ମୋର ଯେତେବେଳେ ଏହି ଦୁଇଟି ମଧ୍ୟରୁ ଗୋଟିଏବି ମିଳିବାର ଆଶା ନାହିଁ, ସେତେବେଳେ ବଞ୍ଚିରହି ଲାଭ ବା କ’ଣ ? ଏବେବି ଆତ୍ମୀୟମାନେ ମୋତେ ସ୍ନେହ କରିବେ; ମାତ୍ର ତାହା ସ୍ନେହ ନ ହୋଇ ହେବ ଦୟା । ଅନ୍ୟମାନେ ମୋତେ ଆଦର କରିବେ; କିନ୍ତୁ ତାହା ଆଦର ନ ହୋଇ ହେବ ଦୟା । ମରଣ ପରେ ଯାଇ ମୋତେ ସ୍ନେହ–ଆଦର ମିଳିପାରିବ । ଜୀବନରେ ମୋପାଇଁ ନିନ୍ଦା ଆଉ ବାସନ୍ଦ ଛଡ଼ା ଅନ୍ୟ କିଛି ନାହିଁ । ଏଠାରେ ମୋର ଯେତେ ଭାଇ–ଭଉଣୀ ଅଛନ୍ତି, ସମସ୍ତଙ୍କୁ ମୁଁ ଏହି ଭିକ୍ଷା ମାଗୁଛି ଯେ ଏପରି ନର–ପିଶାଚ ଯେଉଁ ସମାଜରେ ଜନ୍ମ ନେଉଛନ୍ତି, ତାକୁ ଉଦ୍ଧାର କରିବାପାଇଁ ଈଶ୍ଵରଙ୍କୁ ପ୍ରାର୍ଥନା କରନ୍ତୁ ।”

 

ଭିକାରୁଣୀର ବୟାନ ସମାପ୍ତ ହେଲା । ଅଦାଲତର ସେହି ବୃହତ୍ କକ୍ଷଟି ନିସ୍ତବ୍ଧତାରେ ଘାରି ହେଉଥାଏ, କେବଳ ଶୁଭୁଥାଏ ଦୁଇ ଚାରି ଜଣ ମହିଳାଙ୍କର ଶୋକ–ସୂଚକ ସୀତ୍କାର । ମହିଳାମାନଙ୍କ ମୁଖରେ ଗର୍ବର ଝଲକ । ପୁରୁଷମାନଙ୍କ ମୁଖ ଲଜ୍ଜା–ବିମଳିନ । ଅମରକାନ୍ତର ଅନ୍ତରରେ ଚିନ୍ତା–ଗୋରାମାନେ ନିଜକୁ ଏ ଦେଶର ରାଜା ବୋଲି ମନେକରନ୍ତି; ଏଇଥିପାଇଁ ସେମାନଙ୍କର ଏ ଦୌରାତ୍ମ୍ୟ ସିନା । ଡାକ୍ତର ଶାନ୍ତିକୁମାର ମନେମନେ ଏକ ବକ୍ତୃତା ପ୍ରସ୍ତୁତ କରିସାରିଲେଣି । ତା’ର ବିଷୟବସ୍ତୁ ହେଲା–“ନାରୀ ଉପରେ ପୁରୁଷର ଅତ୍ୟାଚାର ।” ସୁଖଦା ଭାବୁଥାଏ–ଏ ମୁକ୍ତ ହୋଇଯା’ନ୍ତା କି ମୁଁ ଆମ ଘରେ ରଖି ଏହାର ସେବା କରନ୍ତି । ରେଣୁକା ଦେବୀଙ୍କର କଳ୍ପନା–ତା’ ନାମରେ ଗୋଟିଏ ନାରୀ–ଚିକିତ୍ସାଳୟ ସ୍ଥାପନ କରିବେ ।

 

ଜଜ୍ ସାହେବଙ୍କ ଧର୍ମପତ୍ନୀ ସୁଖଦା ପାଖରେ ବସିଥାନ୍ତି । ବହୁ ସମୟ ହେଲା ଏହି ମୋକଦ୍ଦମା ସମ୍ପର୍କରେ କିଞ୍ଚିତ୍ ଚର୍ଚ୍ଚା କରିବାକୁ ସେ ଉତ୍ସୁକ ଥାନ୍ତି; କିନ୍ତୁ ନିକଟରେ ବସିଥିବା ମହିଳାମାନଙ୍କର ତାଙ୍କ ପ୍ରତି ଅବିଶ୍ୱାସପୂର୍ଣ୍ଣ ଚାହାଣି ଦେଖି ସେ ମୁହଁ ଖୋଲିବାକୁ ସାହସ କରିପାରୁ ନଥାନ୍ତି ।

 

ଶେଷରେ ସେ ସମ୍ଭାଳି ନ ପାରି ସୁଖଦାକୁ କହିଲେ–ଏହି ସ୍ତ୍ରୀଲୋକଟି ସମ୍ପୂର୍ଣ୍ଣ ନିର୍ଦ୍ଦୋଷ-

 

ସୁଖଦା କଟାକ୍ଷ କଲା–ଜଜ୍ ସାହେବ ଏଇ କଥା ଭାବନ୍ତେ ଭଲା !

 

“ମୁଁ ତ ଆଜି ତାଙ୍କୁ ସଫାସଫା କହିଦେବି–ଯଦି ତୁମେ ସ୍ତ୍ରୀଲୋକଟିକୁ ଶାସ୍ତି ଦିଅ, ତେବେ ମୁଁ ଭାବିବି, ତୁମେ ଖାଉନ୍ଦଙ୍କ ମୁହଁକୁ ଚାହିଁ ଏପରି କଲ ।”

 

ସହସା ଜଜ୍ ସାହେବ ଉଠି ଜୁରିମାନଙ୍କୁ ଆଦେଶ ଦେଲେ ସେହି ମୋକଦ୍ଦମା ସଂକ୍ରାନ୍ତରେ ସ୍ଵ–ସ୍ୱ ମତ ସଂକ୍ଷେପରେ ବ୍ୟକ୍ତ କରିବାକୁ ଏବଂ ନିଜେ କେତେକ କାଗଜପତ୍ର ଓଲଟପାଲଟ କରିବାକୁ ଲାଗିଲେ । ଜୁରିମାନେ ପଛ ପଟରେ ଥିବା କୋଠରୀକୁ ଯାଇ କିଛି ସମୟ ବିଚାର ଆଲୋଚନା କଲେ ଏବଂ ଫେରିଆସି ନିଜ ନିଜ ମତ ଉପସ୍ଥାପନ କଲେ । ସେମାନଙ୍କ ବିଚାରରେ ଅଭିଯୁକ୍ତାର କୌଣସି ଅପରାଧ ନଥିଲା । ଜଜ୍ ସାହେବ ସସ୍ମିତ ମୁଖରେ ପରଦିନ ନିଷ୍ପତ୍ତି ଶୁଣାଇବାକୁ ଘୋଷଣା କରି ଆସନ ତ୍ୟାଗ କଲେ ।

 

Unknown

–୧୦–

 

ସାରା ସହରରେ ପରଦିନ ପାଇଁ ଉଭୟ ପ୍ରକାରର ପ୍ରସ୍ତୁତି ଚାଲିଛି–ଖେଦ ପ୍ରକାଶର ଓ ଧନ୍ୟବାଦ ପ୍ରକାଶର । କଳା–ପତାକା ତିଆରି ଚାଲିଛି, ଫୁଲଡ଼ାଲାର ଆୟୋଜନ ମଧ୍ୟ–ଚାଲିଛି । ତେବେ ଆଶାବାଦୀ ଥିଲେ କମ୍, ନୈରାଶ୍ୟବାଦୀ ଅଧିକ । ଗୋରାଲୋକଙ୍କୁ ହତ୍ୟା କରାଯାଇଛି ! କି ବେଆଇନ ! ଏଥିରେ ଜଜ୍ କି ନ୍ୟାୟ କରିବେ । ଶାନ୍ତିକୁମାର ଓ ସଲୀମ୍ ଖୋଲାଖୋଲି କହିବୁଲିଲେ ଯେ ଜଜ୍ ଫାଶୀ ଆଦେଶ ଦେଇ ସାରିଲେଣି । କେହି ଖବର ଦେଉଛି–ଫୌଜର ଗୋଟାଏ ପୂରା ରେଜିମେଣ୍ଟ୍‍କୁ କାଲି ଅଦାଲତକୁ ତଲବ କରାଯାଉଛି । କେହି ବା ମିଲିଟାରୀ ପର୍ଯ୍ୟନ୍ତ ନ ଯାଇପାରି ସଶସ୍ତ୍ର ପୋଲିସ୍‍ବାହିନୀ ପାଖରେ ଅଟକି ଯାଇଛି । ଅମରକାନ୍ତର ବିଶ୍ଵାସ–ମିଲିଟାରୀ ଫୋର୍ସ ଆସିବ ।

 

ରାତି ଦଶଟାବେଳେ ଅମରକାନ୍ତ ସଲୀମ୍ ଘରେ ପହଞ୍ଚିଲା । ସେଠାରୁ ପ୍ରାୟ ଘଣ୍ଟାକ ପୂର୍ବରୁ ସେ ବିଦାୟ ନେଇଥିଲା । ସଲୀମ୍ ଚିନ୍ତାରେ ପଡ଼ି ପଚାରିଲା–ପୁଣି କୁଆଡ଼େ, ଦୋସ୍ତ ? କ’ଣ କିଛି ନୂଆ ଖବର ?

 

ଅମର କହିଲା–ଗୋଟାଏ କଥା ମନେପଡ଼ିଗଲା । ମୁଁ କହିଲି, ତୋ’ରି ନିଷ୍ପତ୍ତି ମାନିନେବି । ଯଦି ଫାଶୀ–ଆଦେଶ ବାହାରିଯାଏ, ତେବେ ଆମର ଚୁପ୍ ରହିଯିବା ତ ଭୀରୁତା ହେବ ! କିଚଲୁ ସାହେବ (ଜଜ୍)କୁ ଶିକ୍ଷା ଦେବାକୁ ହେବ । ସେ ଯେପରି ଜାଣିବ ଯେ ନବ–ଭାରତ ନ୍ୟାୟର ହତ୍ୟା ଦେଖି ନୀରବରେ ସହିପାରିବ ନାହିଁ । “ସୋସିଆଲ ବୟକଟ୍” କରିବାକୁ ହେବ । ତା’ ପୂଝାରିକୁ ମୁଁ ରଖିନେବି, କୋଚ୍‌ମ୍ୟାନ୍‌କୁ ତୁ ରଖିନେବୁ । ପିଲାକୁ ଯେପରି ପାଣି ପର୍ଯ୍ୟନ୍ତ ନ ମିଳେ । ବାହାରକୁ ବାହାରିଲେ ବାଜୁ ତାଳି ।

 

ସଲୀମ୍ ହସି ହସି କହିଲା–ଭାବି ଭାବି ତ ବାହାର କଲୁ ସେଇ ବ୍ୟବସାୟୀ ବୁଦ୍ଧି ।

 

“ତେବେ ଆଉ କ’ଣ କରିପାରିବା ଯେ ?”

 

“ଏ ବୟକଟ୍‍ରୁ କି ଲାଭଟା ହେବ ? ସେ ପୋଲିସ୍‍କୁ ଲେଖିଦେବ ତ କୋଡ଼ିଏଟା ପୂଝାରି, କୋଚ୍‌ମ୍ୟାନ୍ ଯୋଗାଇ ଦିଆଯିବ ।”

 

“ମହାତ୍ମା ତ ଅବଶ୍ୟ ଦୁଇ–ଚାରି ଦିନ ହଇରାଣ ହେବ ।”

 

“ବିଲ୍‍କୁଲ୍ ଅଯଥା ଯୁକ୍ତି । ଦେବ ଯେବେ ଏମିତି ପାନେ ଦେଇଥିବ ଯେ ପୁଅର ଥୋଡ଼ାଦିନ ୟାଦ ରହିଥିବ । ଗୋଟାଏ ଲୋକ ଠିକ୍ କର, ଯେ କି ଠିକଣାବେଳରେ, ଯେତେବେଳେ ଜଜ୍ ସାହେବ ଜଜ୍‌ମେଣ୍ଟ୍ ଶୁଣାଇସାରି ବସିଯିବେ, ଏମିତି ଲକ୍ଷ୍ୟ କରି ପଟେ ଜୋତା ଫିଙ୍ଗିବ ଯେ ତା’ ମୁହଁରେ ଯାଇ ବାଜିବ ।”

 

ଅମରକାନ୍ତ ଉଚ୍ଚହାସ୍ୟ କରି କହିଲା–ତୋ କଥା ଶୁଣିଲେ ମଣିଷ ହସି ହସି ଗଡ଼ିବ ।

 

“ଆରେ, ଏଥିରେ ହସିବା କଥା ରହିଲା କ'ଣ ?”

 

“ତେବେ, କ’ଣ ସତରେ ଜୋତା ବଜାଇବାକୁ କହୁଛୁ ?”

“ହଁ, ଆଜ୍ଞା ହଁ, ଆଉ କ’ଣ ମଜାକ୍ କରୁଛି । ଏମିତି ଶିକ୍ଷା ଦେଇଥିବି ଯେ ହଜରତ୍ ଏଠି ଆଉ ମୁହଁ ଦେଖାଇପାରିବେ ନାହିଁ ।”

ଅମରକାନ୍ତ ଭାବିଲା–କାମଟା ଅବଶ୍ୟ ଅସୁନ୍ଦର । ତେବେ ଦୋଷ କ’ଣ ? ଯେମିତି ଠାକୁର, ସେମିତି ପୂଜା । କହିଲା–ଭଲ କଥା, ତାହାହିଁ ହେବ । ତେବେ ଏଭଳି ଲୋକଟିଏ ମିଳିବ କେଉଁଠୁଁ ?

ତା’ର ସରଳତା ଦେଖି ଅଳ୍ପ ହସି ସଲୀମ୍ କହିଲା–ଏଭଳି ଲୋକ ଅଛନ୍ତି, ଯେ କି ବାଟରେ ଯାଉଥିବାବେଳେ ବେକ କାଟିଦେବେ । ଏଇଟା ଏବେ କି ବଡ଼କଥା ଯେ । ଗୋଟାଏ ବଦମାସକୁ ଟଙ୍କା ଦୁଇଶହ ଦେଇ ଦେଲେ ହେଲା । ମୁଁ ତ ମନେମନେ କାଲେ ଖାଁକୁ ଠିକ୍‌ କରିଛି ।

“ଆଚ୍ଛା ସେ ? ତାକୁ ତ ମୁଁ ଦିନେ ଆମ ଦୋକାନରୁ ଘଉଡ଼ାଇ ଦେଇଥିଲି ।”

“ସେଇଟା ହେଲା ତୋର ମୂର୍ଖତା । ତା’ ପରି ଦୁଇ–ଚାରିଜଣ ହାତରେ ରଖିବା ଉଚିତ । ସମୟ ପଡ଼ିଲେ ସେଇମାନେ ବଡ଼ କାମରେ ଆସନ୍ତି । ମୁଁ ଆଉ ସବୁ କଥା ଠିକ୍ କରି ଦେବି; କିନ୍ତୁ ଟଙ୍କା କଥା ତୁ ବୁଝିବୁ । ମୋ ବଜେଟ ତ ମୁଁ ଖତମ୍ କରିସାରିଲେଣି ।”

“ଆରେ ଭାଇ, ମାସ ପରା ଏଇ ଆରମ୍ଭ ହୋଇଛି !”

“ଜାଣୁ ଦୋସ୍ତ ! ମୋର ମଧ୍ୟ ଆରମ୍ଭ ସଙ୍ଗେ ସଙ୍ଗେ ଶେଷଟା ଆସିଯାଏ । ତା'ପରେ ଟଣାଟଣି କରି ଚଳାଇବାକୁ ପଡ଼େନା । କେବେ ମା’ଙ୍କଠାରୁ ଦଶଟଙ୍କା ମାରିଆଣେ ତ, କେବେ ବହି କିଣା ବାହାନାରେ ବାପାଙ୍କଠୁଁ ପାଞ୍ଚ ଦଶ ଟାଣେ; କିନ୍ତୁ ନଗଦ ଦୁଇ ଶହ ମିଳିବା ତ ମୁସ୍କିଲ୍, ଭାଇ ! ତୁ ଯଦି ନ ପାରୁ, ତେବେ ବାଧ୍ୟ ହୋଇ ମା’ର ତଣ୍ଟି କାଟିବି ।”

ଅମର କହିଲା–ଟଙ୍କାପାଇଁ ଚିନ୍ତା କରନା । ମୁଁ ଯାଉଛି, ନେଇ ଆସିବି ।

ସଲୀମ୍ ଏତେ ରାତିରେ ଟଙ୍କା ଆଣିବା ଉଚିତ ମନେକଲା ନାହିଁ । ପରଦିନକୁ ସେ କଥା ରହିଲା । ଅମର ସକାଳେ ଟଙ୍କା ଆଣିବ ଓ କାଲେ ଖାଁ ସଙ୍ଗେ କଥାବାର୍ତ୍ତା ପକ୍କା ହୋଇଯିବ ।

ଅମର ଘରେ ପହଞ୍ଚିବାବେଳକୁ ରାତି ସାଢ଼େ ଦଶ । ଦୁଆରେ ବିଜୁଳି ଆଲୁଅ ଜଳୁଛି । ବୈଠକଘରେ ଲାଲାଜୀ ଦୁଇ–ଚାରି ଜଣ ପଣ୍ଡିତଙ୍କ ସଙ୍ଗେ କଥାବାର୍ତ୍ତା କରୁଛନ୍ତି । ଅମରକାନ୍ତର ମନରେ ଆଶଙ୍କା–ଏତେ ରାତି ପର୍ଯ୍ୟନ୍ତ ଏ ଜାଗରଣର କାରଣ କ’ଣ ? କିଛି ନୂଆ ଛିଦ୍ର ବାହାରି ନାହିଁ ତ !

ତାକୁ ଦେଖିବାମାତ୍ରେ ଲାଲାଜୀ ଚଢ଼ାଗଳାରେ କହିଲେ–କୁଆଡ଼େ ଯାଇ ବୁଲୁଥିଲୁ କିରେ-? ଦଶଟାବେଳୁ ବାହାରିଲୁ ଯେ, ଫେରୁଛୁ ରାତିଅଧରେ । ଟିକିଏ ଯାଇ ଲେଡ଼ି–ଡାକ୍ତରକୁ ଡାକିଆଣ, ସେଇ ଯେ ବଡ଼ ଡାକ୍ତରଖାନାରେ ଅଛି । ସଙ୍ଗେ ସଙ୍ଗେ ନେଇ କରି ଆସିବୁ-

ଅମରକାନ୍ତ ଡରି ଡରି ପଚାରିଲା–କ’ଣ କାହାର ଦେହ….. ।

ବାଧା ଦେଇ ସମରକାନ୍ତ ତୀବ୍ର ସ୍ଵରରେ କହିଲେ–କ’ଣ ବକୁଛୁରେ ! ମୁଁ ଯାହା କହିଲି, ସେଇଆ କର, ଯା । ଅକାରଣେ ତୁମେଗୁଡ଼ାକ ଯାହା ସଂସାରରେ ଜନ୍ମ ନେଇଛ ! ସେ ମୋକଦ୍ଦମାଟା ୟାଙ୍କ ବିଚାରରେ ଏମିତି କ’ଣ ଗୋଟାଏ ହୋଇଗଲା ଯେ, ବଂଶଟାସାରା ସମସ୍ତଙ୍କ ମୁଣ୍ଡରେ ଭୂତ ଚଢ଼ିଛି । ଝ’ଟ ଯା ।

 

ଅମରକାନ୍ତର ଆଉ କିଛି ପଚାରିବାକୁ ସାହସ ହେଲା ନାହିଁ । ଘରକୁବି ଯାଇପାରିଲା ନାହିଁ । ଧୀରେ ଧୀରେ ସଡ଼କ ଉପରକୁ ଉଠି ସାଇକଲରେ ବସୁଛି, ଭିତରୁ ସିଲ୍ଲୋ ବାହାରି ଆସି କହିଲା–ଆରେ, ଭାଇ ସା’ନ୍ତ ଯେ । ଶୁଣ ଶୁଣ–ଯାଉଛ କୁଆଡ଼େ ? ବୋହୂରାଣୀ ଭାରି ବେହାଲ୍ । କେତେବେଳୁ ତୁମକୁ ଖୋଜୁଛନ୍ତି । ଦେହସାରା ଝାଳରେ ବୁଡ଼ିଛି । ଦେଖ ଭାଇ ସା’ନ୍ତ, ମୁଁ ସୁନା କଣ୍ଠୀ ନ ନେଲେ ଛାଡ଼ିବିନି । ପଛକୁ ପୁଣି ଅଡ଼ୁଆ କାଢ଼ିବନି ।

 

ଅମର ବୁଝିପାରିଲା । ସାଇକଲରୁ ଓହ୍ଲାଇପଡ଼ି ପବନ ବେଗରେ ଧାଇଁଗଲା ଘର ଭିତରକୁ । ରେଣୁକା, ନୟନା, ଗୋଟିଏ ଧାଈ ଓ ପଡ଼ିଶାର ଜଣେ ବ୍ରାହ୍ମଣୀ ବସିଥାନ୍ତି ଅଗଣାରେ । ମଝିରେ ଗୋଟାଏ ଢୋଲକ ଥୁଆ ହୋଇଥାଏ । ଘର ଭିତରେ ସୁଖଦା ପ୍ରସବ–ବେଦନାରେ ବିକଳ ହେଉଥାଏ ।

 

ନୟନା ଉଠି ଆସି ଅମରର ହାତ ଧରିପକାଇ କାନ୍ଦି କାନ୍ଦି କହିଲା–ତୁମେ କେଉଁଠି ଥିଲ, ଭାଇ ? ବହୁତ ସମୟ ହେଲା ଭାଉଜ କଷ୍ଟ ପାଉଛନ୍ତି ।

 

ଅମରର ହୃଦୟରେ ଏପରି ଅଶ୍ରୁ–ଲହରୀ ଉଠିଲା ଯେ, ସେ କାନ୍ଦି ପକାଇଲା । ସୁଖଦା–ଘରର ଦ୍ୱାରରେ ଯାଇ ଅଟକିଗଲା, ଭିତରକୁ ପାଦ ପକାଇ ପାରିଲା ନାହିଁ । ତା’ର ହୃଦୟ ଫାଟି ଯାଉଥାଏ ।

 

ସୁଖଦା ବ୍ୟଥାଭରା ଦୃଷ୍ଟିରେ ତାକୁ ଚାହିଁ କହିଲା–ଆଉ ବଞ୍ଚିବିନି । ଆଃ, ପେଟରେ କିଏ ଯେମିତି ବର୍ଚ୍ଛା ଭୁଷି ଦେଉଛି । ମୋର କଟୁକଥା ଲାଗି ମୋତେ କ୍ଷମା ଦେବ ।

 

ରେଣୁକା ଦଉଡ଼ି ଆସି ଅମରକୁ କହିଲେ–ତୁମେ ଏଠୁଯାଅ ତ ବାପା ! ତୁମକୁ ଦେଖି ସେ ବେଶି ବେଚୈନ ହେବ । କାହାକୁ ପଠାଅ, ଲେଡ଼ି–ଡାକ୍ତରକୁ ଡାକିଆଣୁ । ଛାତି ଦମ୍ଭ କର । ଜାଣିବାର ହୋଇ ଏପରି କାନ୍ଦୁଛ !

 

ସୁଖଦା କହିଲା–ନା ମା’ ! ତାଙ୍କୁ କହ, ଏଇଠି ଟିକିଏ ବସନ୍ତୁ । ମୁଁ ଆଉ ବଞ୍ଚିପାରିବି ନାହିଁ । ଆଃ, ଭଗବାନ !

 

ରେଣୁକା ଚିଡ଼ିଉଠି ଅମରକୁ କହିଲେ–ମୁଁ କହୁଛି, ତୁମେ ଏଠୁ ଚାଲିଯାଅ ଆଉ ତୁମେ ଏଠି ଠିଆ ହୋଇ କାନ୍ଦିଲ । ଯାଇ ଲେଡ଼ି ଡାକ୍ତରକୁ ଡାକ ।

 

ଅମରକାନ୍ତ କାନ୍ଦି କାନ୍ଦି ବାହାରିଗଲା । ଫିମେଲ–ହସ୍ପିଟାଲକୁ ଯିବା ରାସ୍ତାରେ ତା’ର ହୃଦୟ ରହି ରହି ଫାଟି ପଡ଼ୁଥାଏ । ସୁଖଦାର ସେହି ବେଦନାମୟୀ ମୂର୍ତ୍ତି ଆଖି ଆଗରେ ନାଚି ଯାଉଥାଏ ।

 

ଲେଡ଼ି–ଡାକ୍ତର ମିସ୍ ହୁପର୍‌ଙ୍କୁ ପ୍ରାୟ ଅସମୟରେ ଡାକରା ଆସିଥାଏ । ରାତିରେ ସେ ଦୁଇଗୁଣ ଫିସ୍ ନିଅନ୍ତି । ଅମରକାନ୍ତ ଡରୁଥାଏ, ସେ କାଳେ ବିରକ୍ତ ହେବେ–ଏତେ ରାତିରେ କାହିଁକି ଆସିଲ ବୋଲି; କିନ୍ତୁ ମିସ୍ ହୁପର୍ ତାକୁ ହସି ହସି ସ୍ଵାଗତ କଲେ ଓ ଗାଡ଼ି ଆଣିବାର ଆଦେଶ ଦେଇ, ତା’ ସଙ୍ଗେ ଆଳାପ ଆରମ୍ଭ କଲେ ।

 

“ଏଇଟି ପ୍ରଥମ ପିଲା, ନା ?”

 

“ଆଜ୍ଞା ହଁ ।”

 

“ଆପଣ କାନ୍ଦୁଛନ୍ତି କାହିଁକି ? ବ୍ୟସ୍ତ ହେବାର କିଛି ନାହିଁ । ସାଧାରଣତଃ ପ୍ରଥମ ବାର ବେଶି କଷ୍ଟ ହୁଏ । ଆଚ୍ଛା, ବେଶି ଦୁର୍ବଳ ହୋଇପଡ଼ି ନାହାନ୍ତି ତ ?”

 

“ଏବେ ତ ଖୁବ୍ ଦୁର୍ବଳ ହୋଇ ପଡ଼ିଛନ୍ତି ।”

 

“ଆପଣଙ୍କର ଆହୁରି ଆଗରୁ ଆସିବା ଉଚିତ ଥିଲା ।”

 

ଅମରରୁ ପ୍ରାଣ ଶୁଖିଗଲା । ସେ ଭଲା ଜାଣିଥାନ୍ତା ଯେ ବିପଦଟା ଠିକ୍ ଆଜି ଆସି ପହଞ୍ଚିବ, ତେବେ ସେ କଚେରିରୁ ସିଧା ଘରକୁ ପଳାଇଥାନ୍ତା ।

 

ମେମ୍ ସାହେବ ପୁଣି ଆରମ୍ଭ କଲେ–ଆପଣମାନେ ନିଜର ସ୍ତ୍ରୀଲୋକମାନଙ୍କୁ କିଛି ପରିଶ୍ରମ କରିବାକୁ ଦିଅନ୍ତି ନାହିଁ; ସୁତରାଂ ପ୍ରସବ–ବେଦନା ଅଧିକ ହୁଏ । ଭିତରର ସ୍ନାୟୁ ସଂକୁଚିତ ହୋଇଯାଏ କିନା ।

 

ଅମର କଇଁକଇଁ ହୋଇ କାନ୍ଦିଉଠିଲା–ମାଡ଼ାମ୍ ! ବର୍ତ୍ତମାନ ଆପଣଙ୍କ ଦୟାହିଁ ଆମର ଭରସା ।

 

“ମୁଁ ତ ଯାଉଛି; କିନ୍ତୁ ସିଭିଲ ସର୍ଜନଙ୍କୁବି ଡାକିବାକୁ ପଡ଼ିପାରେ ।”

 

ଅମର ଭୟାତୁର ହୋଇ କହିଲା–କହିବେ ତ ତାଙ୍କୁ ମଧ୍ୟ ଡାକିନେବି ।

 

ମେମ୍ ତା’ ଆଡ଼କୁ ଦୟା–ଦୃଷ୍ଟିରେ ଚାହିଁଲେ–ନା–ନା, ବର୍ତ୍ତମାନ ନୁହେଁ । ମୁଁ ଆଗ ଦେଖିସାରେଁ ।

 

ଅମରକାନ୍ତ ଆଶ୍ଵସ୍ତ ହେଲା । ସେ କାତର ସ୍ଵରରେ କହିଲା–ମାଡ଼ାମ୍ ! ଯଦି ସୁଖଦାର କିଛି ହୋଇଯାଏ, ତେବେ ମୁଁ ବି ମରିଯିବି ।

 

ମେମ୍ ଚିନ୍ତିତା ହୋଇ କହିଲେ–ତେବେ କ’ଣ ଅବସ୍ଥା ଭଲ ନୁହେଁ ?

 

‘‘ଭାରି ଯନ୍ତ୍ରଣା ହେଉଛି ।”

 

‘‘ଅବସ୍ଥା ଭଲ ତ ?

 

‘‘ମୁହଁ ପାଣ୍ଡୁର ହୋଇଗଲାଣି, ଝାଳ...”

 

“ଆଃ, ମୁଁ ପଚାରୁଛି, ଅବସ୍ଥା କିପରି ? ତାଙ୍କର ପ୍ରାଣ ଯିବା ଉପରେ ନୁହେଁ ତ ? ହାତ–ଗୋଡ଼ ଥଣ୍ଡା ହୋଇ ଯାଇନି ତ ?”

 

ମୋଟର ପ୍ରସ୍ତୁତ ହୋଇଗଲା । ମେମ୍ କହିଲେ–ଆସ, ତୁମେବି ବସିଯାଅ । ସାଇକଲ ଆମ ଲୋକ ନେଇ ଦେଇଦେବ ।”

 

ଅମରକାନ୍ତ ବିନୀତ ଅନୁରୋଧ କଲା–ଆପଣ ଚାଲନ୍ତୁ, ମାଡ଼ାମ୍ ! ମୁଁ ଟିକିଏ ସିଭିଲ ସର୍ଜନଙ୍କ ପାଖେ ହୋଇ ଆସୁଛି । ବୁଲାନାଲା–ଲାଲା ସମରକାନ୍ତଙ୍କ ଘର...

 

‘‘ମୁଁ ଜାଣିଛି ।”

 

ମେମ୍ ତ ତେଣେ ଗଲେ । ଅମରକାନ୍ତ ଗଲା ସିଭିଲ ସର୍ଜନଙ୍କୁ ଡାକିବାକୁ ।

 

ଏଗାରଟା ବାଜିଲାଣି । ରାସ୍ତା ନିସ୍ତବ‌୍ଧ । ଆହୁରି ପୂରା ତିନି ମାଇଲ ଯିବାକୁ ହେବ । ସିଭିଲ ସର୍ଜନ କାଣ୍ଟନ‌୍‌ମେଣ୍ଟରେ ରହନ୍ତି । ସେଠି ପହଞ୍ଚିବାବେଳକୁ ପ୍ରାୟ ବାରଟା । ସଦର ଫାଟକ ଖୋଲାଇବାରେ ଓ ସାହେବଙ୍କୁ ଖବର ଦେବାରେ ଆହୁରି ଘଣ୍ଟାକରୁ ଅଧିକ ସମୟ ଲାଗିଗଲା । ସାହେବ ଉଠିଲେ ସତ; କିନ୍ତୁ ରାଗାନ୍ଵିତ ହୋଇ ପାଟିକରି କହିଲେ–ମୁଁ ଏତେବେଳେ ଯାଇପାରିବି ନାହିଁ ।

 

ଅମର ନିଃଶଙ୍କ ଭାବରେ କହିଲା–ଆପଣ ଫିସ୍ ନେବେ ତ ?

 

‘‘ମୋର ରାତିରେ ଫିସ୍ ଶହେ ଟଙ୍କା ।”

 

“କିଛି ଚିନ୍ତା ନାହିଁ ।”

 

‘‘ଟଙ୍କା ଆଣିଛ ?”

 

ଅମର ଚଢ଼ାଗଳାରେ କହିଲା–ଆପଣ ତ ସମସ୍ତଙ୍କଠାରୁ ଆଡ଼୍‌ଭାନ୍‌ସ୍ ଫି’ ନିଅନ୍ତି ନାହିଁ-। ଲାଲା ସମରକାନ୍ତ କ’ଣ ଏମିତି ଲୋକ ଯେ, ତାଙ୍କୁ ଶହେ ଟଙ୍କାପାଇଁ ବିଶ୍ଵାସ କରି ହେବ ନାହିଁ-? ଏ ସହରରେ ସେ ହେଉଛନ୍ତି ସବୁଠୁ ବଡ଼ ମହାଜନ । ମୁଁ ତାଙ୍କ ପୁଅ ।

 

ସାହେବ ଟିକିଏ ଥଣ୍ଡା ପଡ଼ିଲେ । ଅମର ତାଙ୍କୁ ସମସ୍ତ ଘଟଣା ଶୁଣାଇବା ପରେ ସେ ଯିବାକୁ ପ୍ରସ୍ତୁତ ହେଲେ । ଅମର ସେଠାରେ ସାଇକଲ ରଖି ସାହେବଙ୍କ ମୋଟରରେ ଯାଇ ବସିଲା-। ଅଧଘଣ୍ଟା ଭିତରେ ଗାଡ଼ି ଯାଇ ବୁଲାନାଲାରେ ପହଞ୍ଚିଲା । ଦୂରରୁ ଅମରକାନ୍ତ ଶୁଣିପାରିଲା ସାହାନାଇର ଶବ୍ଦ ! ବମ୍ ଫୁଟୁଥାଏ । ତା’ର ଅନ୍ତର ଉଲ୍ଲାସରେ ଫୁଲିଉଠିଲା ।

 

ଗାଡ଼ି ଯାଇ ଦ୍ୱାର ନିକଟରେ ଅଟକିଲା । ଲାଲା ସମରକାନ୍ତ ଡାକ୍ତରଙ୍କୁ ସଲାମ କରି କହିଲେ–ହଜୁରଙ୍କ ଅନୁଗ୍ରହରୁ ସମସ୍ତ କୁଶଳ । ନାତିଟିଏ ହୋଇଛି, ଆଜ୍ଞା ।

 

ସର୍ଜନ ଏବଂ ଲେଡ଼ି ହୁପର୍‌ଙ୍କ ମଧ୍ୟରେ କେତେକ କଥାବାର୍ତ୍ତା ହେଲା । ଫି’ ନେଇ ସର୍ଜନ ସାହେବ ଚାଲିଗଲେ ।

 

ତାଙ୍କ ଯିବା ପରେ ଲାଲାଜୀ ଅମରକାନ୍ତକୁ ଦେଖାଇ କହିଲେ–ମିଛରେ ଶହେଟା ଟଙ୍କା ପାଣିରେ ପଡ଼ିଲାନା !

 

ଅମରକାନ୍ତ ବିରକ୍ତରେ କହିଲା–ମୋଠୁଁ ଟଙ୍କା ନେଇନେବେ । ମଣିଷମାତ୍ରେ ଭୁଲ କରିଥାନ୍ତି । ଏପରି ସମୟରେ ମୁଁ ଟଙ୍କାକୁ ଖାତିର କରେ ନାହିଁ ।

 

ଅନ୍ୟ ସମୟ ହୋଇଥିଲେ ଅମରକାନ୍ତ ଏହି କଟୂକ୍ତି ଲାଗି ଖେଦ ପ୍ରକାଶ କରିଥାନ୍ତା; ମାତ୍ର ବର୍ତ୍ତମାନ ତା’ର ଅନ୍ତଃକରଣ ଆନନ୍ଦ–ଉତ୍ସାହରେ ପରିପୂର୍ଣ୍ଣ । ମୋଟା ଗଦି ଉପରେ ପାହାର ବସିଲେ କାଟୁକରେ ନାହିଁ । ଏ ଅବସରରେ କେତେକଅଣ ଖର୍ଚ୍ଚ କରି ଦେବାକୁ ତା'ର ମନ ହେଉଛି-। ବର୍ତ୍ତମାନ ସେ ଯେ ପୁତ୍ରର ପିତା ! ତା' ପାଖରେ ଔଦ୍ଧତ୍ୟ ଦେଖାଇବ କିଏ ? ସେହି ନବଜାତ ଶିଶୁଟି ଯେପରି ସ୍ଵର୍ଗରୁ ତା’ପାଇଁ ଆଶା ଓ ଅମରତାର ଆଶୀର୍ବାଦ ନେଇ ଆସିଛି ! ତାକୁ ଦର୍ଶନ କରି ନୟନ–ମନ ଶୀତଳ କରିବାପାଇଁ ସେ ବ୍ୟାକୁଳ । ଆହା, ଏହି ଚକ୍ଷୁରେ ସେହି ଦେବତାକୁ ଦର୍ଶନ କରିବ ସେ !

 

ପ୍ରତୀକ୍ଷା–ଜଡ଼ିତ ନେତ୍ରରେ ଚାହିଁ ରହିଥିବାର ଦେଖି ଲେଡ଼ି ହୁପର୍ ତାକୁ କହିଲେ–ବାବୁଜୀ ! ଆପଣ କ'ଣ ଏମିତି ପିଲାକୁ ଦେଖିପାରିବେ ? ବଡ଼ ଧରଣର ପୁରସ୍କାର ଦେବାକୁ ହେବ-

 

ଅମର ଅତିଶୟ ନମ୍ରତା ସହକାରେ କହିଲା–ପୁଅ ତ ଆପଣଙ୍କର । ମୁଁ କେବଳ ଆପଣଙ୍କର ସେବକ । ପ୍ରସୂତିର ଅବସ୍ଥା କିପରି ?

 

“ଖୁବ୍ ଭଲ । ଶୋଇ ଯାଇଛି ।”

 

“ପିଲାଟି ସୁସ୍ଥ ଅଛି ତ ?”

 

“ହଁ, ଭଲ ଅଛି । ଭାରି ସୁନ୍ଦର; ଯେମିତି ଗୋଲାପର ପିତୁଳା ।”

 

ଏତିକି କହି ସେ ସୂତିକାଗାରକୁ ଚାଲିଗଲେ । ନାରୀମାନେ ଗୀତ–ବାଦ୍ୟରେ ରତ । ସାହିର ପଚାଶ–ଷାଠିଏ ସ୍ତ୍ରୀଲୋକ ଏକତ୍ର ମିଳିଯାଇଛନ୍ତି । ସେମାନଙ୍କର ମିଳିତ ସ୍ଵର ଗୋଟାଏ ରଜ୍ଜୁପରି ସ୍ଥୂଳ ହୋଇ ଯେପରି ଅମରର କଣ୍ଠକୁ ବାନ୍ଧି ଦେଉଛି । ଠିକ୍ ଏହି ସମୟରେ ଲେଡ଼ି ହୁପର୍ ଶିଶୁଟିକୁ କୋଳରେ ଧରି ଅମରକୁ ଇଙ୍ଗିତ ଦେଲେ ସୂତିକାଗାର ନିକଟକୁ ଯିବାକୁ । ଅମର ଆନନ୍ଦ ମନରେ ଅଗ୍ରସର ହେଲା; ମାତ୍ର ସହସା ତା’ର ଅନ୍ତର ଏକ ବିଚିତ୍ର ଆଶଙ୍କାରେ କାତର ହୋଇ ଉଠିଲା । ସେ ଅଗ୍ରସର ହୋଇପାରିଲା ନାହିଁ । ଅପରାଧୀ–ମନ ନେଇ ସେ ଏହି ବରଦାନକୁ କିପରି ଗ୍ରହଣ କରିବ ? କୌଣସି ପ୍ରକାରରେ ସେ ଯୋଗ୍ୟ–ଗ୍ରହୀତା ନୁହେଁ । ଏହାପାଇଁ କି ତପସ୍ୟା କରିଛି ସେ ? ଈଶ୍ଵରଙ୍କ ଅପାର କରୁଣା ଯେ, ସେ ତାଙ୍କର ଏହି ବିଭୂତି ତାକୁ ପ୍ରଦାନ କରିଛନ୍ତି । ହେ ଭଗବାନ ! ତୁମେ ବଡ଼ ଦୟାଳୁ ।

 

ଅମରକାନ୍ତ ଅନୁଭବ କଲା–ଶ୍ୟାମଳ ଚକ୍ରବାଳ କୋଳରୁ ଉଇଁ ଆସୁଥିବା ବାଳ ରବିର, କିରଣ ପରି ଏକ ଅପୂର୍ବ ଆଭା ତାହାର ହୃଦ୍‌ଦ୍ଦେଶର ସମୁଦାୟ କ୍ଷୁଦ୍ରତା ଛେଦି, ସକଳ କଳୁଷ ଭେଦି ତା’ର ଜୀବନକୁ ରଜତ–ଜ୍ୟୋତି–ମଣ୍ଡିତ କରି ଦେଉଛି । ଦୀପର ଆଲୋକ ମଧ୍ୟରେ ସଙ୍ଗୀତର ସ୍ଵର ଲହରୀରେ, ଆକାଶର ତାରକାମଣ୍ଡଳରେ ଅଛି–ସେହି ଶିଶୁର ଛବି, ତା’ର ମାଧୁର୍ଯ୍ୟ, ତା'ର ନୃତ୍ୟ ।

 

ସିଲ୍ଲୋ ଆସି କାନ୍ଦିବାକୁ ଲାଗିଲା । ଅମର ପଚାରିଲା–ତୋର କ’ଣ ହେଲା ? ଏମିତି କାନ୍ଦୁଛୁ କାହିଁକି ?

 

ସେ କହିଲା–ମେମ୍ ସାହେବ ମୋତେ ନୂଆ ବାବୁଙ୍କୁ ଦେଲେନି, ଗାଳି ଦେଲେ । ମୁଁ କ’ଣ ପୁଅକୁ ଦୃଷ୍ଟି କରିଥାନ୍ତି ! ମୁଁ କ’ଣ ଡାଆଣୀ ? ମୋରବି ପିଲା ଥିଲେ, ମୁଁ ବି ପିଲା ପାଳିଛି । ଟିକିଏ ଦେଖାଇଥିଲେ କ’ଣ ହେଇ–ଯାଇଥାନ୍ତା ?

ଅମର ହସି ହସି କହିଲା–ତୁ କି ପାଗଳୀଟାଏ, ସିଲ୍ଲୋ ! ପିଲା ଦେହରେ ପବନ ବାଜିଯିବ ବୋଲି ସେ ମନା କରିଥିବେ । ଇଂରେଜ ଡାକ୍ତରାଣୀଙ୍କ ଭାବଭଙ୍ଗୀବି ବିଚିତ୍ର । ବୁଝାଇ–ସମଝାଇ ନ ଦେଇ କେତେ ଭଙ୍ଗୀ ଦେଖେଇ ହୁଅନ୍ତି ! ହଉ, ଆଜି ଦିନକ ତ ତାଙ୍କ ରାଜତ୍ଵ, ନା ? ତା’ପରେ ଏକା ଧାଈ ରହିବ । ତୁହି ତ ପିଲାକୁ ପାଳିବୁ, ଆଉ କିଏ ଅଛି ଯେ !

ସିଲ୍ଲୋର ଲୁହଭରା ଆଖି ହସିଉଠିଲା । କହିଲା–ମୁଁ ଦୂରରେ ଥାଇ ଦେଖି ଦେଇଛି ଯେ, ଭାଇ–ସା’ନ୍ତେ ! ବିଲ୍‍କୁଲ୍ ତୁମରି ପରି ହେଇଚି । ରଙ୍ଗଟା ବୋହୂ–ରାଣୀଙ୍କ ପରିକା । ମୁଁ କଣ୍ଠୀ ନେବି, ହଁ ।

ଦୁଇଟା ବାଜୁଛି । ଲାଲାଜୀ ଅମରକୁ ଡାକି କହିଲେ–ଆଉ କ'ଣ ନିଦ ଲାଗିବ ? ବସି ବସି କାଲିର ଉତ୍ସବପାଇଁ ଖର୍ଚ୍ଚର ଗୋଟାଏ ତାଲିକା କରିପକା । ତୋ ଜନ୍ମବେଳକୁ ତ କାରବାର ସେତେ ବଢ଼ି ନଥିଲା, ନୟନାଟି ତ ହେଲା ଝିଅ । ପଇଁତିରିଶବର୍ଷ ପରେ ଭଗବାନ ଏମିତି ଗୋଟିଏ ଦିନ ଆଣିଛନ୍ତି । ହଁ, କେତେକ ନାଚ–ଗୀତର ବିରୋଧ କରୁଛନ୍ତି । ମୁଁ ଦେଖୁଛି ସେଥିରେ ତ କିଛି କ୍ଷତି ନାହିଁ । ଏ ହେଲା ଗୋଟାଏ ଆନନ୍ଦର ଦିନ । ଭାଇ–ବନ୍ଧୁ ସାଙ୍ଗ–ସାଥୀ ପାଞ୍ଚଜଣ ଆସିବେ, ଗାନ–ବଜାଣ ଶୁଣିବେ, ପ୍ରୀତିଭୋଜନରେ ବସିବେ; ଏଇତ ଜୀବନର ସୁଖ । ଆଉ ଏ ସଂସାରରେ ଅଛି କ’ଣ ?

ଅମର ଆପତ୍ତି ଉଠାଇଲା–କିନ୍ତୁ ଏପରି ଶୁଭକାର୍ଯ୍ୟରେ ବିଧବା–ନାଚ କିଛି ସୁନ୍ଦର ହେବ ନାହିଁ ।

“ହଁ-ହଁ, ତୁ ତୋ ବିଜ୍ଞାନ–ଫିଜ୍ଞାନକୁ ଏଠି ପେଲି ପଶାନା”–ଲାଲାଜୀ ପ୍ରତିବାଦ କଲେ, “ମୁଁ ତୋର ପରାମର୍ଶ ମାଗୁନି । ଯେଉଁ ପ୍ରଥାସବୁ ଚଳିଆସୁଛି, ତା’ରବି କାରଣ ଅଛି । ଶ୍ରୀରାମଚନ୍ଦ୍ରଙ୍କ ଜନ୍ମ–ଉତ୍ସବରେ ତ ପୁଣି ଅପ୍‌ସରାମାନଙ୍କ ନୃତ୍ୟ ହୋଇଥିଲା । ଆମ ସମାଜରେ ୟାକୁ ଶୁଭ ବୋଲି ଧରାଯାଏ ।”

ଅମର କହିଲା–ଇଂରେଜମାନଙ୍କ ସମାଜରେ ତ ନାଚ–ଗୀତର ଆଡ଼ମ୍ବର ନାହିଁ ?

ଲାଲାଜୀ ମୂଷା ଉପରକୁ ବିରାଡ଼ି ଝାମ୍ପିଲା ପରି କହିଲେ–ସେମାନଙ୍କ ସମାଜରେ ରାଣ୍ଡେ ନାଚନ୍ତି ନାହିଁ ଯେ, ଘରର ଝିଅ–ବୋହୂମାନେ ନାଟ କରନ୍ତି । ଆମ ଏଠି ମୋଚି–ଚମାରମାନଙ୍କ ସମାଜରେ ଯେମିତି ହୁଏ । ବୋହୂ–ଝିଅଙ୍କୁ ନଚେଇବାଠାରୁ ରାଣ୍ଡ ନାଚ ତ ବହୁଗୁଣରେ ଭଲ । ମୋ ଭଳି ବୁଢ଼ାମାନେ ତ ନିଜର ଝିଅ–ବୋହୂଙ୍କୁ ନଚାଇବାକୁ କସ୍ମିନ୍‌କାଳେ ପସନ୍ଦ କରିବୁ ନାହିଁ ।

ଅମରକାନ୍ତକୁ କୌଣସି ଉତ୍ତର ଦିଶିଲା ନାହିଁ । ସଲୀମ୍ ଓ ଅନ୍ୟାନ୍ୟ ବନ୍ଧୁମାନେ ଆସିବେ । ଖୁବ୍ ଗୋଳ–ଚହଳ ଲାଗିବ । ସେ ଜିଦ୍ କଲେ ବା ଲାଭ କ’ଣ ? ଲାଲାଜୀ ମାନିବା ପାତ୍ର ନୁହନ୍ତି । ପୁଣି ଏକା ସେ ନ କରାଇଲେବି ନାଚ ଉଠିଯିବ ନାହିଁ ।

ସେ ବସି ଚିଠା କରିବାକୁ ଲାଗିଲେ ।

 

–୧୧–

 

ସଲୀମ୍ ଅନ୍ୟ ଦିନମାନଙ୍କ ଅପେକ୍ଷା କିଛି ପୂର୍ବରୁ ଉଠି କାଲେ ଖାଁକୁ ଡକାଇଲା ଓ ଗତ ରାତିର ସେହି ପ୍ରସ୍ତାବ ତା’ ଆଗରେ ବାଢ଼ିଲା । ଦୁଇଶହ ଟଙ୍କା ! କିଛି କମ୍ ନୁହେଁ ତ । କାଲେ ଖାଁ ଛାତିରେ ଚାପୁଡ଼ା ମାରି କହିଲା–ବାବୁଜୀ, ଗୋଟାଏ ଅଧେ ଜୋତା କ’ଣ, କହିବ ତ ମିସଲ୍ ଉପରେ ଗଣି ଗଣି ପଚାଶ ଜୋତା ବଜେଇବି । ଛ’ ମାସରୁ ବେଶି ତ ହେବ ନାହିଁ ? ପିଲାଛୁଆଙ୍କ ଖାଇବାପାଇଁ ଦୁଇଶହ ଟଙ୍କା ଖୁବ୍ ।

 

ସଲୀମ୍ ଭାବିଲା, ଅମର ଟଙ୍କା ନେଇ ଆସୁଥିବ; କିନ୍ତୁ ଆଠଟା ଯାଇ ନ’ଟା ବାଜିଲା ତଥାପି ଅମରର ଦେଖାନାହିଁ । କାହିଁକି ଆସିଲା ନାହିଁ ? ଅସୁସ୍ଥ ହୋଇ ନାହିଁ ତ ? ଓ, ଠିକ୍ କଥା, ଟଙ୍କା ଯୋଗାଡ଼ କରୁଥିବ । ବାପା ତ ଦେବେ ନାହିଁ, ଶାଶୁଙ୍କ ପାଖରୁ ଯାଇ ଆଣିବ । ଚାହୁଁଚାହୁଁ ଦଶଟା ବାଜିଲା । ସଲୀମ୍ ଅମର ପାଖକୁ ଯିବାକୁ ବାହାରିଛି ପ୍ରଫେସର୍ ଶାନ୍ତିକୁମାର ଆସି ପହଞ୍ଚିଗଲେ । ସଲୀମ୍ ଫାଟକ ପର୍ଯ୍ୟନ୍ତ ଯାଇ ତାଙ୍କୁ ସ୍ଵାଗତ କଲା । ଶାନ୍ତିକୁମାର ଚଉକି ଉପରେ ଆଉଜିପଡ଼ି ପଙ୍ଖା ଚଳାଇବାକୁ ଇଙ୍ଗିତ କରି କହିଲେ–ତୁମେ ଶୁଣିଲଣି ସଲୀମ୍, ଅମରର ପୁଅଟିଏ ହୋଇଛି । ସେ ତ ଆଜି ଯାଇପାରିବ ନାହିଁ, ତା’ର ଶାଶୁବି ସେଇଠି ରହିଯିବେ । ବୁଝିପାରୁ ନାହିଁ, ଆଜିର ବ୍ୟବସ୍ଥା ହେବ କିପରି ? ସେ ନ ଆସିଲେ ତ ଆମେ କୌଣସି ପ୍ରକାର ଡେମନ୍‌ଷ୍ଟ୍ରେସନ (ପ୍ରଦର୍ଶନ) କରିପାରିବା ନାହିଁ ! ରେଣୁକା ଦେବୀ ଆସିଯା’ନ୍ତେ ଭଲା, ବହୁତ କିଛି ହୋଇପାରନ୍ତା; କିନ୍ତୁ ତାଙ୍କର ଫୁରୁସତ୍ କାହିଁ ?

 

ସଲୀମ୍ କାଲେ ଖାଁକୁ ଚାହିଁ କହିଲା–ଏ ତ ଆପଣ ବଡ଼ ଦୁଃସମ୍ବାଦ ଶୁଣାଇଲେ ସାର୍ ! ତା’ର କ’ଣ ଠିକ୍ ଆଜି ପୁଅ ନ ହୋଇଥିଲେ ଚଳି ନଥାନ୍ତା ! କୁହ ତ କାଲେ ଖାଁ ! ଏବେ ?

 

କାଲେ ଖାଁ ଅବିଚଳିତ ଭାବରେ କହିଲା–କିଛି ଚିନ୍ତା ନାହିଁ, ବାବୁ ! ତୁମ କାମଟା ମୁଁ ଠିକ୍ ଠିକ୍ କରିଦେବି । ଟଙ୍କା ପରେ ଦେବ ଆଉ କ’ଣ ? ମୁଁ ତେବେ ଚାଲିଲି, ଦି’–ଚାରି ଟଙ୍କାର ମାଲ୍ ନେଇ ଘରେ ଥୋଇ ଦେଇ ଯିବି । ମୁଁ ତେଣେ ତେଣେ କଚେରି ଚାଲି ଯାଇଥିବି । ତୁମେ ଖାଲି ଇଶାରା ଦେଲେ ତ ଚାଲିବ, ଆଉ କ’ଣ ?

 

ସେ ଚାଲିଯିବାରୁ ଶାନ୍ତିକୁମାର ସଂଶୟାତ୍ମକ ସ୍ଵରରେ ପଚାରିଲେ–ଏ କ’ଣ କହିଗଲା ? ମୁଁ ତ କିଛି ବୁଝିପାରିଲି ନାହିଁ !

 

ସଲୀମ୍‌ର କହିବା ଢଙ୍ଗରୁ ଜଣାଗଲା, ଯେପରି ତାହା ଗମ୍ଭୀର ବିଚାରର ଉପଯୁକ୍ତ ବିଷୟ ନୁହେଁ–କିଛି ନାହିଁ, ସାର୍ ! କାଲେ ଖାଁ ତା’ ବୀରପଣିଆର କରଣୀ ଦେଖାଇବ । ଅମରକାନ୍ତର ମତ ଯେ, ଆଜି ଜଜ୍ ସାହେବ ଜଜ୍‌ମେଣ୍ଟ ଶୁଣାଇ ସାରିବାମାତ୍ରେ ତାଙ୍କୁ ସାମାନ୍ୟ ଅଭ୍ୟର୍ଥନା କରିବାକୁ ହେବ ।

 

ଡାକ୍ତର ସାହେବ ଦୀର୍ଘନିଃଶ୍ୱାସ ପକାଇ କହିଲେ–ତା’ କୁହ, ତୁମେମାନେ ତେବେ ବଦମାସି ଆରମ୍ଭ କରି ଦେଲଣି, ନାହିଁ ? ଏ ପୁଣି ଅମରକାନ୍ତର ମତ ? ଏ ତ ଆହୁରି ଦୁଃଖର କଥା ! କିନ୍ତୁ ସେ ତ ନାହିଁ, ତୁମରି ନିର୍ଦ୍ଦେଶରେ ଏ ବ୍ୟବସ୍ଥା ହେଉଛି । ସୁତରାଂ ତୁମେବି ଏଥିପାଇଁ ଦାୟୀ ନିଶ୍ଚୟ । ମୋ ମତରେ ଏଇଟା ତୁମର ନୀଚତା । ଜଜ୍ ସାହେବ ତାଙ୍କ ଉପରିସ୍ଥ ଅଫିସରଙ୍କୁ ସନ୍ତୁଷ୍ଟ କରିବା ଲାଗି ନ୍ୟାୟକୁ ହତ୍ୟା କରିବେ, ଏ କଥା ଭାବିବାର କୌଣସି ଅଧିକାର ତୁମର ନାହିଁ-। ଯେଉଁ ଲୋକ ବିଦ୍ୟାରେ, ବୁଦ୍ଧିରେ, ଅଭିଜ୍ଞତାରେ, ସମ୍ମାନରେ ତୁମଠାରୁ ବହୁତ ଉଚ୍ଚରେ, ସେ ନ୍ୟାୟ ବିଚାରରେ ଉଭୟ ପକ୍ଷକୁ ସାଧୁ ସତ୍ୟବାଦୀ ମନେକରିବ ।

 

ସଲୀମ୍ ଟିକିଏ ଅପ୍ରତିଭ ହୋଇପଡ଼ିଲା । ସେ ଜୀବନରେ କେବେ ଏପରି ଧକ୍କା ଖାଇ ନଥିଲା । ନିଜର ନିର୍ଦ୍ଦୋଷତା ପ୍ରମାଣ କରିବାକୁ ତା’ ପାଖରେ ଗୋଟାଏ ହେଲେ ତର୍କ, ଗୋଟାଏ ହେଲେ ଶବ୍ଦବି ନଥିଲା । ବୋଝଟା ଅମରକାନ୍ତ ମଥାରେ ଚପାଇଦେବା ଅଭିପ୍ରାୟରେ କହିଲା–ମୁଁ ତ ଅମରକୁ ମନା କରୁଥିଲି । ସେ ଯେତେବେଳେ ନ ମାନିଲା, ମୁଁ କ’ଣ କରିଥାନ୍ତି ?

 

ଡାକ୍ତର ସାହେବ ବାଧା ଦେଇ କହିଲେ–ତୁମେ ମିଥ୍ୟା କହୁଛ । ମୁଁ କିନ୍ତୁ ଶୁଣିବି ନାହିଁ । ଏ ସବୁ ତୁମରି ଦୁଷ୍ଟାମି ।

 

“ଆପଣ ବିଶ୍ଵାସ ନ କରିବେ ତ ମୁଁ କ’ଣ କରିବି, ସାର୍ ?”

 

“ଏ ବୁଦ୍ଧି ଅମରକାନ୍ତ ମୁଣ୍ଡରୁ କଦାପି ବାହାରିବ ନାହିଁ ।”

 

ସଲୀମ୍ ନୀରବ ରହିଲା । ଡାକ୍ତର ସାହେବ ଯଦି ପଚାରିଥାନ୍ତେ ଯେ, “ଧରି ନିଆଯାଉ, ଅମରକାନ୍ତହିଁ ଏ ପ୍ରସ୍ତାବ ଦେଲା, “ତେବେ ତୁମେ ମାନିନେଲ କିପରି ?” ଏହାର ମଧ୍ୟ କୌଣସି ଉତ୍ତର ତା’ ପାଖେ ନଥିଲା ।

 

ମୁହୂର୍ତ୍ତକ ପରେ ଡାକ୍ତର ସାହେବ ଘଡ଼ିକୁ ଚାହିଁ କହିଲେ–ଏ ପିଲାଟା ଉପରେ ଆଜି ଏତେ ରାଗ ହେଉଛି ଯେ, ଗଣି ଗଣି ପଚାଶ ପାହାର ବସାନ୍ତି । ଏ ମୋକଦ୍ଦମା ପାଇଁ ଏତେ ଦିନ ଧରି ବାଡ଼େଇ–କଚାଡ଼ି ହେଲା, ଆଉ ଆଜି ଜଜ୍‍ମେଣ୍ଟ ବାହାରିବା ଦିନରେ ପୁଅର ଜନ୍ମୋତ୍ସବ ପାଳିବାପାଇଁ ବସିଗଲା । କେଜାଣି କେବେ ଏମାନଙ୍କର ଦାୟିତ୍ୱବୋଧ ଆସିବ ! ବୁଝିଲ, ଏ ଜନ୍ମୋତ୍ସବରୁ ମିଳିବ କ’ଣ ? ସଂଗ୍ରାମରେ ଅଟଳ ରହିବା ହେଉଛି ପୁରୁଷର କର୍ତ୍ତବ୍ୟ । ଆମୋଦପ୍ରମୋଦ ତ ବିଳାସୀମାନଙ୍କ ପାଇଁ । ମୁଁ ଗାଳି ଦେଲାରୁ ହସିଦେଲା । ଜୀବନର ଗୋଟାଏ ଲକ୍ଷ୍ୟ ସ୍ଥିର କରି ଯେ ସିଦ୍ଧିଲାଭ ପାଇଁ ଆଜୀବନ ଚେଷ୍ଟା କରେ, କର୍ତ୍ତବ୍ୟରୁ କଦାପି ବିଚ୍ୟୁତ ହୁଏ ନାହିଁ, ସେହି ପ୍ରକୃତରେ ମନୁଷ୍ୟ; ନା ଛିଣ୍ଡିଯାଇଥିବା ଗୁଡ଼ି ପରି ପବନ ଯୁଆଡ଼େ ଉଡ଼ାଇ ନେବ, ସେହିଆଡ଼େ ଚାଲିଲ ! ଏ କ’ଣ ? ଆଚ୍ଛା, ତୁମେ କଚେରି ଯିବାକୁ ପ୍ରସ୍ତୁତ ତ ? ଆମର ଆଉ ବେଶି କିଛି କରିବା ଦରକାର ନାହିଁ । ଯଦି ରାୟଟା ଆମ ସପକ୍ଷରେ ଯାଏଁ, ତେବେ ଶୋଭାଯାତ୍ରା କରି ଭିକାରୁଣୀକୁ ଗଙ୍ଗାକୂଳ ପର୍ଯ୍ୟନ୍ତ ନେବା, ସେଠାରେ ସମସ୍ତେ ସ୍ନାନ କରିବା ଓ ତା’ପରେ ନିଜ ନିଜ ଘରକୁ ଚାଲିଯିବା; ନାହିଁ ଯଦି ତାକୁ ସଜା ହୁଏ, ତାକୁ ଅଭିନନ୍ଦନ ଜଣାଇ ବିଦାୟ ଦେବାକୁ ହେବ । ଆଜି ସନ୍ଧ୍ୟାରେ ‘ତାଲିମ–ଇ–ସଇଲାହ’ ବିଷୟରେ ମୋର ଭାଷଣ ଦେବାର ଅଛି । ସେ ବିଷୟରେବି ଚିନ୍ତା କରିବାକୁ ହେବ । ତୁମେ କିଛି କହିବ ?

 

ସଲୀମ୍ ସଂକୋଚ ପ୍ରକାଶ କଲା–ଏ ଜଟିଳ ସମସ୍ୟା ଉପରେ ମୁଁ ବା କ’ଣ କହିବି ?

 

କାହିଁକି ? ଅସୁବିଧା କ’ଣ ? ମୋର ମତ ତୁମେ ଜାଣ ? ଏ ଭଡ଼ାଟିଆ ଶିକ୍ଷା ଆମ କାରେକ୍ଟରକୁ ମର୍ଡ଼ର୍ କରି ଦେଉଛି । ଆମେସବୁ ଶିକ୍ଷାକୁ ଗୋଟାଏ ବ୍ୟବସାୟ ବୋଲି ଧରି ନେଲେଣି । ବ୍ୟବସାୟର ଉଦ୍ଦେଶ୍ୟ ଲାଭ । ଯେ ଶିକ୍ଷାପାଇଁ ଯେତେ ଅଧିକ ଖର୍ଚ୍ଚ କରେ, ସେ ସେତେ ଉଚ୍ଚପଦ ପାଏ । ମୋ ବିଚାରରେ ସମସ୍ତଙ୍କୁ ଉଚ୍ଚଶିକ୍ଷା ପାଇବାର ସୁବିଧା ଦିଆଯାଉ । ଯେପରିକି ଅତି ଗରିବ ଲୋକ ମଧ୍ୟ ଉଚ୍ଚ ଯୋଗ୍ୟତା ଲାଭ କରିପାରିବ ଓ ଉଚ୍ଚପଦ ପାଇପାରିବ । ମୁଁ ଚାହେଁ, ୟୁନିଭର୍‍ସିଟି ଫାଟକ ସମସ୍ତଙ୍କ ପାଇଁ ମୁକ୍ତ ରହୁ । ଶିକ୍ଷାର ସମସ୍ତ ଭାର ଗଭର୍ଣ୍ଣମେଣ୍ଟ ବହନ କରୁ । କୌଣସି ଦେଶ ପକ୍ଷରେ ସୈନ୍ୟବାହିନୀ ଅପେକ୍ଷା ଶିକ୍ଷା ଅଧିକ ଆବଶ୍ୟକ ।

 

ସଲୀମ୍ ଆଶଙ୍କା ପ୍ରକାଶ କଲା–ସୈନ୍ୟବାହିନୀ ନ ରହିଲେ ଦେଶରକ୍ଷା କରିବ କିଏ ?

 

ଡାକ୍ତର ସାହେବ ଗମ୍ଭୀର ହୋଇ କହିଲେ–ଦେଶରକ୍ଷା ଦାୟିତ୍ୱ ମୁଁ ନେବି, ତୁମେ ନେବ–ଦେଶର ଦଶ କୋଟି ଯୁବକ ନେବେ, ଯେଉଁମାନେ କି ଆଜିବି ସାହସ ଓ ବୀରତ୍ଵରେ ପୃଥିବୀର ଯେକୌଣସି ଜାତିଠାରୁ ନିକୃଷ୍ଟ ନୁହନ୍ତି । ରାତିରେ ଚୋର ଆସିଲେ ଆମେ ଯେମିତି ପୋଲିସ୍‌କୁ ନ ଡାକି, ବରଂ ନିଜ ନିଜର ଠେଙ୍ଗା–ବାଡ଼ି ଧରି ବାହାରି ପଡ଼ୁଛେ, ଏ ଠିକ୍ ସେହିପରି ।

 

ସଲୀମ୍ ଏ ଧନ୍ଦାରୁ ରକ୍ଷା ପାଇବା ଉଦ୍ଦେଶ୍ୟରେ କହିଲା–ମୁଁ ତ କିଛି କହିପାରିବି ନାହିଁ; କିନ୍ତୁ ଯିବି ନିଶ୍ଚୟ ।

 

ସଲୀମ୍ ଗାଡ଼ି ଅଣାଇଲା ଓ ଦୁହେଁ ବସି କଚେରିକୁ ଗଲେ । ଅନ୍ୟ ଦିନ ଅପେକ୍ଷା ଆଜି ସେଠାରେ ବହୁତ ଭିଡ଼; କିନ୍ତୁ ବରବିହୀନ ବରଯାତ୍ରୀ । ସେଠାରେ କୌଣସି ଶୃଙ୍ଖଳା ନାହିଁ । ଗୋଟାଏ ଗୋଟାଏ ସ୍ଥାନରେ ପଚାଶ କି ଶହେ ଲୋକ ରୁଣ୍ଡ ହୋଇ ବସିଛନ୍ତି ବା ଠିଆ ହୋଇଛନ୍ତି–ସମସ୍ତେ ଶୂନ୍ୟଦୃଷ୍ଟିରେ ଚାହିଁ ରହିଛନ୍ତି । କେଉଁଠି କେହି କିଛି କହିବାକୁ ଆରମ୍ଭ କଲେ, ଶହେ–ଦୁଇଶହ ଲୋକ ଚାରିଆଡ଼ୁ ତାକୁ ଘେରି ଯାଉଛନ୍ତି । ଡାକ୍ତର ସାହେବଙ୍କୁ ଦେଖିବାମାତ୍ରେ ହଜାର ହଜାର ଲୋକ ତାଙ୍କ ଆଡ଼କୁ ଧାଇଁଲେ । ଡାକ୍ତର ସାହେବ ମୁଖ୍ୟ କର୍ମକର୍ତ୍ତାମାନଙ୍କ ଆବଶ୍ୟକ ବିଷୟମାନ ବୁଝାଇ ଦେଇ, ଓକିଲାତିଖାନାକୁ ବାହାରିଲାବେଳେ ଦେଖିଲେ, ଲାଲା ସମରକାନ୍ତ ସମସ୍ତଙ୍କୁ ନିମନ୍ତ୍ରଣ ପତ୍ର ବାଣ୍ଟୁଛନ୍ତି । ସେହି ଉତ୍ସବ ହୋଇଛି ସେଠି ସବୁଠୁ ଆକର୍ଷଣୀୟ ବିଷୟ । ଲୋକେ ବଡ଼ ଉତ୍ସୁକ ହୋଇ ପଚାରୁଛନ୍ତି, କେଉଁ କେଉଁ ଦଳକୁ ଡକାଯାଇଛି ? ତା’ ସାଙ୍ଗକୁ ଭାଣ୍ଡ (ବିଦୂଷକ) ଆସୁଛି ନା ନାହିଁ ? ମାଂସାହାରୀମାନଙ୍କ ପାଇଁ ବ୍ୟବସ୍ଥା ହୋଇଛି ତ ? ଗୋଟିଏ ସ୍ଥାନରେ ଦଶ–ବାର ଜଣ ଭଦ୍ରଲୋକ ନାଚ ବିଷୟରେ ଯୁକ୍ତିତର୍କ କରୁଥାନ୍ତି । ଡାକ୍ତର ସାହେବଙ୍କୁ ଦେଖିବାକ୍ଷଣି ଜଣେ ପଚାରିଲେ–ଆଜ୍ଞା, ଆପଣ ଉତ୍ସବକୁ ଯାଉଛନ୍ତି, ନା ଆପଣଙ୍କର କିଛି ଆପତ୍ତି ଅଛି ?

 

ଡାକ୍ତର ଶାନ୍ତିକୁମାର ଉପେକ୍ଷା ଭାବ ଦେଖାଇ କହିଲେ–ମୋର ତା’ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ କାମ ଅଛି ।

 

ଆଉ ଜଣେ ପଚାରିଲେ–ହେଲା ଏବେ, ଆପଣ ନାଚର ବିରୋଧୀ କାହିଁକି ?

 

ଡାକ୍ତର ସାହେବ ଅନିଚ୍ଛାସତ୍ତ୍ୱେ କହିଲେ–କାରଣ ହେଉଛି, ଆପଣ କ’ଣ, ମୁଁ କ’ଣ, କେହି ତ ନାଚିବାକୁ ପସନ୍ଦ କରନ୍ତି ନାହିଁ । ନାଚ ବିଳାସର ବିଷୟ ନୁହେଁ, ଭକ୍ତି ଓ ଆଧ୍ୟାତ୍ମିକ ଆନନ୍ଦର ବିଷୟ । ଆମେ ତାକୁ ଲଜ୍ଜାସ୍ପଦ କରିଦେଲେଣି । ନାରୀମାନଙ୍କୁ ବିଳାସ ଭୋଗର ସାମଗ୍ରୀ ଭାବିବା ଅର୍ଥ ନିଜର ମା’–ଭଉଣୀମାନଙ୍କୁ ଅପମାନିତ କରିବା । ଆମ୍ଭେମାନେ ସତ୍ୟଠାରୁ ଏତେଦୂରେଇ ଗଲେଣି ଯେ, ତା’ର ଯଥାର୍ଥ ସ୍ଵରୂପ ଦେଖିପାରୁନାହୁଁ । ନୃତ୍ୟ ଯେପରି ପବିତ୍ର...

 

ସହସା ଜଣେ ଯୁବକ ଡାକ୍ତର ସାହେବଙ୍କୁ ପ୍ରଣାମ କଲା । ଲୋକଟି ଦୀର୍ଘକାୟ, କୃଶ, ଶୁଷ୍କମୁଖ, ଉଦାସ, ଜୀର୍ଣ୍ଣ–ମଳିନ ବାସ, ଧୂଳିଧୂସର କେଶ । କୋଳରେ ତା’ର ଏକବର୍ଷର ବାଳକଟିଏ–ହୃଷ୍ଟପୁଷ୍ଟ, ଚଞ୍ଚଳ; କିନ୍ତୁ କିଞ୍ଚିତ୍ ଶଙ୍କାକୁଳ ।

 

ପ୍ରଫେସର୍ ପଚାରିଲେ–ତୁମେ ? ମୋ’ଠାରେ କିଛି କାମ ଅଛି ?

 

ଯୁବକଟି ସଂଶୟପୂର୍ଣ୍ଣ ଦୃଷ୍ଟିରେ ଏଣିକିତେଣିକି ଚାହିଁଲା, ଯେପରିକି ଏତେ ଲୋକଙ୍କ ଉପସ୍ଥିତିରେ ସେ ନିଜ କଥା କହିବାକୁ ଚାହେଁ ନାହିଁ । ଟିକିଏ ପରେ କହିଲା–ମୁଁ ଜଣେ ବ୍ରାହ୍ମଣ । ଏଠୁ ଛ–ସାତ କୋଶ ହେବ ମହୁଲି ଗ୍ରାମ । ସେଇଠି ମୋ ଘର ।

 

ଡାକ୍ତର ସାହେବ ତୀକ୍ଷ୍ଣଦୃଷ୍ଟିରେ ଚାହିଁଲେ ଓ ବୁଝିପାରି କହିଲେ–ଓ, ସେହି ଗ୍ରାମ, ସେଇ ସଡ଼କର ପଶ୍ଚିମ ପାଖେ ତ ? ଆଚ୍ଛା, ଆସ ମୋ ସଙ୍ଗେ ।

 

ପ୍ରଫେସର୍ ସାହେବ ତାକୁ ନେଇ ଉଦ୍ୟାନକୁ ଚାଲିଗଲେ ଓ ଗୋଟିଏ ବେଞ୍ଚ୍ ଉପରେ ବସିପଡ଼ି ତା’ ଆଡ଼କୁ ପ୍ରଶ୍ନାତ୍ମିକା ଦୃଷ୍ଟିରେ ଚାହିଁ ରହିଲେ–ବର୍ତ୍ତମାନ ସେ ତା’ର କଥା ଶୁଣିବାକୁ ପ୍ରସ୍ତୁତ ।

 

ଯୁବକଟି ସଂକୋଚରେ କହିଲା–ଯେଉଁ ସ୍ତ୍ରୀଲୋକଟି ନାମରେ ଏ ମୋକଦ୍ଦମା ହୋଇଛି, ସେ ଏହି ପିଲାର ମା’ । ଘରେ ଆମ ଦୁଇ ପ୍ରାଣୀଙ୍କ ଛଡ଼ା ଆଉ କେହି ନାହିଁ । ମୁଁ ଚାଷବାସ କରେ-। ସେ ମଝିରେ ମଝିରେ ସୌଦା–ପାତି ଆଣିବାକୁ ଚାଲିଯାଏ । ସେଦିନ ଗାଁ–ଲୋକଙ୍କ ସଙ୍ଗେ ଯାଇଥିଲା ତା’ପାଇଁ ଖଣ୍ଡେ ଶାଢ଼ି ଆଣିବାକୁ । ଫେରିବାବେଳକୁ ତ ଏ ଦୁର୍ଯୋଗ ! ଗ୍ରାମଲୋକେ ଛାଡ଼ି ପଳାଇଗଲେ । ସେହିଦିନୁ ସେ ଘରକୁ ଯାଇ ନାହିଁ–କୁଆଡ଼େ ବୁଲୁଥିଲା, ମୋତେ ଜଣାନାହିଁ-। ମୁଁ ବି ତା’ର ଖୋଜ ନେଇ ନାହିଁ । ସେତେବେଳେ ସେ ଘରକୁ ନ ଫେରି ଭଲ କଲା; ନାଇଁ ତ ଆମ ଭିତରୁ ଜଣକର ବା ଦୁହିଁଙ୍କଯାକର ଜୀବନ ଯାଇଥାନ୍ତା । ମୋର ବେଶି ଚିନ୍ତା ଏଇ ପିଲାଟିପାଇଁ-। ବାରବାର ମା’କୁ ଖୋଜେ; ହେଲେ ମୁଁ ତାକୁ ଭୁଲାଇଦିଏ । ଏ ଶୋଇଲେ ମୁଁ ଶୁଏ, ଉଠିଲେ ଉଠେ-। ପ୍ରଥମେ ତ ମୁଁ ଭାବୁଥିଲି. ଏ ବଞ୍ଚିବ ନାହିଁ; କିନ୍ତୁ ଭଗବାନଙ୍କ ଦୟା, ଧୀରେ ଧୀରେ ଏ ମା’କୁ ଭୁଲିଗଲା । ଆଗେ ମୁଁ ଥିଲି ୟାର ବାପ; ବର୍ତ୍ତମାନ ବାପ ମୁହିଁ, ମା’ବି ମୁହିଁ–ବାପ କମ୍, ମା’ ବେଶି-। ମୁଁ ଭାବିଥିଲି ସେ କେଉଁଠି ବୁଡ଼ି ମରିଥିବ । କେବେକେବେ ଗ୍ରାମଲୋକେ କହନ୍ତି–ତା’ର ପରି ମାଇପିଟିଏ ସେନା–ଛାଉଣୀ ଆଡ଼େ ଅଛି ବୋଲି; କିନ୍ତୁ ମୁଁ ସେ କଥାରେ ବିଶ୍ଵାସ କରେନାହିଁ-

 

ଯେଉଁଦିନ ମୁଁ ଖବର ପାଇଲି ଯେ ଲାଲା ସମରକାନ୍ତଙ୍କ ଦୋକାନ ଆଗରେ ଗୋଟିଏ ସ୍ତ୍ରୀଲୋକ ଦୁଇଟା ଗୋରାଙ୍କୁ ମାରି ପକାଇଛି ଆଉ ତା’ ଉପରେ ମୋକଦ୍ଦମା ଚାଲିଛି, ସେହିଦିନଠୁଁ ପ୍ରତି ତାରିଖରେ ମୁଁ ଆସେ ଆଉ ସମସ୍ତଙ୍କ ପଛରେ ଠିଆ ହୋଇଥାଏ । କାହାରିକି କିଛି କହିବାକୁ ସାହସ ହୁଏ ନାହିଁ । ଆଜି ଜାଣିଲି, ସବୁଦିନ ପାଇଁ ତା’ଠାରୁ ସମ୍ପର୍କ ତୁଟିବାକୁ ଯାଉଛି । ସେଇଥିପାଇଁ ପିଲାଟିକୁ ନେଇ ଆସିଛି । କାଳେ ୟାକୁ ଦେଖିବାର ଆଶା ରହିଯିବ ! ଆପଣମାନେ ତ ବହୁତ ଖରଚ ବରଚ କଲେ, ହେଲେ ‘କପାଳଲେଖନ କେ କରିବ ଆନ’ ! ଆପଣଙ୍କୁ ଏତିକି ପ୍ରାର୍ଥନା କରୁଛି, ଜଜ୍ ସାହେବ ଫୈସଲା ଶୁଣାଇ ସାରିଲେ ମୋତେ ତା’ ସଙ୍ଗେ ନିମିଷକ ପାଇଁ ଭେଟ କରାଇ ଦେବେ । ମୁଁ ଆପଣଙ୍କୁ ସତ କରି କହୁଛି, ଯଦି ସେ ଖଲାସ ହୋଇଯାଏ, ତେବେ ମୁଁ ତା’ ପା’ ଧୋଇ ପାଦୁକ ପାଇବି, ତାକୁ ଘରକୁ ନେଇ ପୂଜା କରିବି । ମୋ ଭାଇବନ୍ଧୁ, ନାକ ଟେକିବେ; ମାତ୍ର ଆପଣଙ୍କ ପରି ବଡ଼ବଡ଼ ଲୋକ ମୋ ପକ୍ଷରେ ଯେତେବେଳେ, ମୁଁ ସେମାନଙ୍କୁ ପଚାରିବି କାହିଁକି ?

 

ଶାନ୍ତିକୁମାର ପଚାରିଲେ–ଯେଉଁଦିନ ତା’ର ଜମାନବନ୍ଦୀ ହେଲା, ତୁମେ ଆସିଥିଲ ?

 

ଯୁବକଟି ଆଖି ଛଳଛଳ କରି କହିଲା–ହଁ ବାବୁ, ଆସିଥିଲି । ସବାପଛରେ ଦରଜା ପାଖରେ ଠିଆ ହୋଇ କାନ୍ଦୁଥାଏ । ମନ ହେଉଥାଏ, ଦଉଡ଼ି ଯାଇ ତା’ ଗୋଡ଼ତଳେ ପଡ଼ି କହିବି–ମୁନ୍ନୀ, ମୁଁ ତୋର ଗୋଲାମ । ଆଜିଯାକେ ତୁ ମୋର ସ୍ତ୍ରୀ ଥିଲୁ, ଆଜିଠାରୁ ମୋର ଦେବୀ ହେଲୁ । ମୁନ୍ନୀ ମୋ ଉପର ପୁରୁଷଙ୍କୁ ଉଦ୍ଧାର କଲା, ବାବୁ ! ଆଉ ଅଧିକ କ’ଣ କହିବି ?

 

ଶାନ୍ତିକୁମାର ପୁଣି ପଚାରିଲେ–ଧର, ଆଜି ସେ ଖଲାସ ହୋଇଯିବ, ତୁମେ ତାକୁ ଘରକୁ ନେବ ତ ?

 

ଯୁବକ ପୁଲକିତ କଣ୍ଠରେ କହିଲା–ଏ କଥା ଆଉ ପଚାରୁଛନ୍ତି, ବାବୁ ! ମୁଁ ତାକୁ ମଥାରେ ବସାଇ ନେଇଯିବି, ବଞ୍ଚିଥିବାଯାଏ ତା’ର ସେବା କରି, ମୋ ଜନ୍ମ ସଫଳ କରିବି ।

 

କ୍ଷଣକ ପରେ ବଡ଼ ଉତ୍ସୁକ ହୋଇ ସେ ପଚାରିଲା–କ’ଣ ମୁକୁଳିଯିବାର କିଛି ଆଶା ଦେଖିଛନ୍ତି, ବାବୁ ?

 

“ଅନ୍ୟମାନେ ତ ଦେଖୁନାହାନ୍ତି, କିନ୍ତୁ ମୁଁ ଦେଖୁଛି ।”

 

ଯୁବକଟି ଶାନ୍ତିକୁମାରଙ୍କ ପାଦତଳେ ପଡ଼ି କାନ୍ଦିବାକୁ ଲାଗିଲା । ସର୍ବତ୍ର ନୈରାଶ୍ୟର ବାଣୀ ଶୁଣିବା ପରେ ଆଜି ସେ ଶୁଣିଲା ଆଶାର ଶବ୍ଦ ! ଏହି ନିଧି ଲାଭ କରି ତା’ ହୃଦୟର ସକଳ ଭାବନା ଯେପରି ମଙ୍ଗଳ–ଗୀତ ଗାଇଉଠିଲା । ହର୍ଷର ଆତିଶଯ୍ୟରେ ମନୁଷ୍ୟ କ’ଣ ଅଶ୍ରୁରାଶିକୁ ସଂଯତ ରଖିବାକୁ ସମର୍ଥ ହୋଇପାରେ ?

 

ମୋଟର ହର୍ଣ୍ଣ ଶୁଣି ଦୁହେଁ କଚେରି ଆଡ଼କୁ ଚାହିଁଲେ । ଜଜ୍ ସାହେବ ଆସିଗଲେ । ଜନତାର ସେହି ଅପାର ସାଗର ଉଚ୍ଛଳ ହୋଇ ଚତୁର୍ଦ୍ଦିଗରୁ ମାଡ଼ି ଆସିଲା ନ୍ୟାୟାଳୟ ସମ୍ମୁଖକୁ ।” ତତ୍ପରେ ଅଭିଯୁକ୍ତାକୁ ଉପସ୍ଥିତ କରାଗଲା । ତା’ର ଦର୍ଶନରେ ଜନତା ଜୟନାଦ କଲା । କେହି କେହି ପୁଷ୍ପବୃଷ୍ଟି କଲେ ଓକିଲ, ବାରିଷ୍ଟର, ପୋଲିସ୍, କର୍ମଚାରୀ, ଅଫିସର ସମସ୍ତେ ଯଥାସ୍ଥାନରେ ବସିଲେ ।

 

ସହସା ଜଜ୍ ସାହେବ ଜନତା ଉପରେ ଏକ ଚଞ୍ଚଳ ଚାହାଣି ବୁଲାଇ ନେଲେ । ଚତୁର୍ଦ୍ଦିଗ ନିସ୍ତବ୍ଧ । ଅସଂଖ୍ୟ ଚକ୍ଷୁ ଜଜ୍ ସାହେବଙ୍କୁ ଚାହିଁରହିଲେ,–ସେମାନେ ଯେପରି କହୁଥାନ୍ତି–ଆପଣହିଁ ଆମର ଭାଗ୍ୟବିଧାତା !

 

ଜଜ୍ ସାହେବ ସିନ୍ଦୁକରୁ ଟାଇପ୍ କରାଯାଇଥିବା ଜଜ୍‌ମେଣ୍ଟ ବାହାର କଲେ ଓ ଥରେ କାଶି ଦେଇ ଆରମ୍ଭ କଲେ । ଜନତା କ୍ରମେ ସଂକୁଚିତ ହୋଇ ପାଖେଇ ଆସିଲା । ଅଧିକାଂଶ ଲୋକ ଜଜ୍‌ମେଣ୍ଟର ଗୋଟାଏ ସୁଦ୍ଧା ଅକ୍ଷର ବୁଝିପାରୁ ନଥିଲେ ମଧ୍ୟ ସମସ୍ତେ କାନ ଡେରି ରହିଥାନ୍ତି । ହରିଲୁଟ୍‌ରୁ ଚାଉଳ ଓ ବତାସା ସଙ୍ଗେ କେଜାଣି କେବେ ଟଙ୍କାବି ମିଳିଯାଇପାରେ ।

 

ପ୍ରାୟ ପନ୍ଦର ମିନିଟ୍ କାଳ ଜଜ୍‌ମେଣ୍ଟ ପଢ଼ାଗଲା ଓ ଜନତା ଚିନ୍ତାମୟ ଅପେକ୍ଷାରେ ତନ୍ମୟ ହୋଇ ଶୁଣିବାକୁ ଲାଗିଲା ।

 

ଶେଷରେ ଜଜ୍ ସାହେବଙ୍କ ମୁଖରୁ ଶୁଣାଗଲା–ଏହା ନିଶ୍ଚିତ ଯେ ମୁନ୍ନୀ ହତ୍ୟା କରିଛି,...

 

କେତେକ ହତୋତ୍ସାହ ହୋଇପଡ଼ିଲେ । ଅବଶ ଦୃଷ୍ଟିରେ ପରସ୍ପରକୁ ଚାହିଁଲେ ।

 

ଜଜ୍ ବାକ୍ୟଟି ପୂରଣ କଲେ–କିନ୍ତୁ ଏହା ମଧ୍ୟ ନିଶ୍ଚିତ ଯେ ସେ ଏହି ହତ୍ୟାକାଣ୍ଡ ମାନସିକ ଅସ୍ଥିରତାବଶତଃ କରିଛି; ସୁତରାଂ ମୁଁ ତାକୁ ମୁକ୍ତି ଦେଉଛି ।

 

ବାକ୍ୟର ଅନ୍ତିମ ପଦଟି ଆନନ୍ଦ–ପ୍ରଭଞ୍ଜନ–ଜନିତ ଉତ୍ସାହ–ତରଙ୍ଗରେ ନିମଗ୍ନ ହୋଇଗଲା । ମାସ ମାସ କାଳ ଚିନ୍ତା–ବନ୍ଧନରେ ପଡ଼ିରହିଥିବା ଆନନ୍ଦ ମୁକ୍ତି ପାଇବାମାତ୍ରେ ବନ୍ଧନହୀନ ଗୋ–ବତ୍ସ ତୁଲ୍ୟ ଲମ୍ଫପ୍ରଦାନ କଲା । ଜନସମାଜ ଉନ୍ମତ୍ତ ହୋଇ ପରସ୍ପରକୁ ଆଲିଙ୍ଗନ କରିବାକୁ ଲାଗିଲେ । ଘନିଷ୍ଠ ବନ୍ଧୁମାନଙ୍କ ମଧ୍ୟରେ ପ୍ରୀତିପୂର୍ଣ୍ଣ ଚପେଟାଘାତର ଆଦାନପ୍ରଦାନ ଚାଲିଲା । କେତେକ ବ୍ୟକ୍ତି ନିଜ ନିଜର ଶିରଚ୍ଛେଦ ଊର୍ଦ୍ଧ୍ୱନିକ୍ଷେପ କଲେ । ପରିହାସପ୍ରିୟ ବ୍ୟକ୍ତି ପାଦୁକା ନିକ୍ଷେପ କରିବାକୁବି ଛାଡ଼ିଲେ ନାହିଁ । ସହସା ପ୍ରଶାନ୍ତ ହାସ୍ୟରେ ମୁନ୍ନୀ ଡାକ୍ତର ଶାନ୍ତିକୁମାରଙ୍କ ସହିତ ବାହାରି ଆସିଲା । ସତେଅବା କେଉଁ ରାଣୀ ନିଜର ମନ୍ତ୍ରୀଙ୍କ ସହିତ ବିଜେ କଲେ ! ଜନତାର ସେହି ସମସ୍ତ ଉଚ୍ଛୃଙ୍ଖଳତା ମୁହୂର୍ତ୍ତକ ମଧ୍ୟରେ ଶାନ୍ତ ହୋଇଗଲା । ରାଣୀଙ୍କ ସମ୍ମୁଖରେ କେହି କ’ଣ ଚପଳତା ପ୍ରକାଶ କରିପାରେ ?

 

ପୂର୍ବରୁ କାର୍ଯ୍ୟକ୍ରମ ସ୍ଥିର କରାଯାଇଥିଲା । ପୁଷ୍ପବୃଷ୍ଟି ପରେ ମୁନ୍ନୀର ଗଳାରେ ଜୟମାଳା ପିନ୍ଧାଇବା କଥା । ସେହି ଗୌରବ ଜଜ୍ ସାହେବଙ୍କ ଧର୍ମପତ୍ନୀଙ୍କୁ ମିଳିଲା, ଯେ କି ଏହି ନିଷ୍ପତ୍ତି ପରେ ପରେ ଜନତାର ପ୍ରିୟପାତ୍ରୀ ହୋଇଯାଇଥିଲେ । ତତ୍ପରେ ବ୍ୟାଣ୍ଡ୍–ବାଦ୍ୟ ବାଜିଲା । ସେବା–ସମିତିର ଦୁଇଶତ ନବଯୁବକ ପୀତବସ୍ତ୍ର ପରିହିତ ହୋଇ ଶୋଭାଯାତ୍ରା କରିବାକୁ ପ୍ରସ୍ତୁତ ଥିଲେ । ରାଷ୍ଟ୍ରୀୟ–ସଭାର ସେବକମାନେ ଧୂସର ପରିଚ୍ଛଦ ପରିଧାନ କରି ପତାକା–ହସ୍ତରେ ଏକତ୍ର ମିଳିତ ହେଲେ । ନାରୀମାନଙ୍କ ସଂଖ୍ୟା ଅନ୍ୟୂନ ଏକ ହଜାର । ସ୍ଥିର କରାଗଲା ଯେ ଶୋଭାଯାତ୍ରା ଗଙ୍ଗାତୀର ପର୍ଯ୍ୟନ୍ତ ଯିବ, ସେଠାରେ ଏକ ବିରାଟ ସଭାରେ ମୁନ୍ନୀକୁ ମୋହର–ଥଳୀ ଉପହାର ଦେବାପରେ ସଭାଭଙ୍ଗ ହେବ ।

 

ମୁନ୍ନୀ କିଛି ସମୟ ଏହି ସମାରୋହ ଦେଖିବାକୁ ଲାଗିଲା । ତତ୍ପରେ ସେ ଶାନ୍ତିକୁମାରଙ୍କୁ କହିଲା–ବାବୁ ! ଆପଣମାନେ ମୋତେ ଯେତେ ସମ୍ମାନ ଦେଲେଣି, ମୁଁ ତା’ର ଉପଯୁକ୍ତା ନୁହେଁ । ମୋର ବର୍ତ୍ତମାନ ଆପଣଙ୍କୁ ଏତିକି ମିନତି ଯେ ମୋତେ ହରିଦ୍ଵାର ବା ଅନ୍ୟ କୌଣସି ତୀର୍ଥକୁ ପଠାଇ ଦିଅନ୍ତୁ । ସେଇଠି ଭିକ ମାଗି, ଯାତ୍ରୀମାନଙ୍କର ସେବା କରି ଦିନ କାଟିବି । ଏ ଶୋଭାଯାତ୍ରା, ଆଡ଼ମ୍ବର ମୋ ପରି ଅଭାଗୀନିକି ଶୋଭାପାଏ ନାହିଁ । ଏହି ଭାଇ ଭଉଣୀମାନଙ୍କୁ କହିଦିଅନ୍ତୁ, ସେମାନେ ନିଜ ନିଜ ଘରକୁ ଫେରିଯିବେ । ମୁଁ ଭୂଇଁରେ ପଡ଼ିଥିଲି, ଆପଣମାନେ ମୋତେ ଆକାଶକୁ ଉଠାଇ ଦେଇଛନ୍ତି । ତା’ଠାରୁ ଆହୁରି ଉପରକୁ ଯିବାକୁ ମୋଠାରେ ସାମର୍ଥ୍ୟ ନାହିଁ, ମୋ ମଥା ଘୂରାଇ ଦେବ । ମୋତେ ଏଇଠୁ ଷ୍ଟେସନ୍‍କୁ ପଠାଇ ଦିଅନ୍ତୁ, ଆପଣଙ୍କ ପାଦତଳେ ପଡ଼ୁଛି ।

 

ଶାନ୍ତିକୁମାର ଏହି ଆତ୍ମଦମନରେ ଚକିତ ହୋଇ କହିଲେ–ତା’ କିପରି ହେବ, ଭଉଣୀ-? ଏତେ ସ୍ତ୍ରୀ–ପୁରୁଷ ରୁଣ୍ଡ ହୋଇଛନ୍ତି; ଏମାନଙ୍କ ସ୍ନେହ–ଶ୍ରଦ୍ଧା ବିଷୟ ବିଚାର କର-। ତୁମେ ଶୋଭାଯାତ୍ରାରେ ନ ଗଲେ ଏମାନଙ୍କର କେତେ ଆଶା ଭାଙ୍ଗିଯିବ ! ମୁଁ ତ ଦେଖୁଛି, ଏମାନେ ତୁମକୁ କଦାପି ଛାଡ଼ିବେ ନାହିଁ ।

 

‘‘ଆପଣମାନେ ମୋତେ ନେଇ ସୁଆଙ୍ଗ କରୁଛନ୍ତି ।”

 

‘‘ସେପରି କହନା, ଭଉଣୀ ! ଆମେ ତୁମର ସମ୍ମାନ କରୁଛୁଁ । ଆଉ ହରିଦ୍ଵାର ଯିବା ଆବଶ୍ୟକ କ’ଣ ? ତୁମର ସ୍ଵାମୀ ଯେ ତୁମକୁ ଆଦରରେ ନେଇଯିବା ପାଇଁ ଆସିଛନ୍ତି ।”

 

ମୁନ୍ନୀ ଆଶ୍ଚର୍ଯ୍ୟରେ ପ୍ରଫେସର୍‍ଙ୍କ ମୁହଁକୁ ଚାହିଁଲା–ମୋର ସ୍ଵାମୀ ! ମୋତେ ତାଙ୍କ ସଙ୍ଗରେ ନେଇଯିବା ପାଇଁ ଆସିଛନ୍ତି ? ଆପଣ କୁଆଡ଼ୁ ଜାଣିଲେ ?

 

“ଟିକିଏ ପୂର୍ବରୁ ତାଙ୍କ ସଙ୍ଗେ ସାକ୍ଷାତ ହୋଇଥିଲା ।”

 

‘‘କ’ଣ କହୁଥିଲେ ସେ ?”

 

‘‘କହୁଥିଲେ, ମୁଁ ତାଙ୍କୁ ମୋ ସଙ୍ଗେ ନେଇଯିବି, ମୋ ଘରର ଦେବୀ କରି ପୂଜା କରିବି-।”

 

“ତାଙ୍କ ସଙ୍ଗରେ ପିଲାଟିଏ ଥିଲାନା ?”

 

“ହଁ, ତୁମର ଛୋଟ ପୁଅଟି ତାଙ୍କ କୋଳରେ ଥିଲା ।”

 

‘‘ପିଲାଟି ଖୁବ୍‌ ଭାଙ୍ଗିଯାଇଥିବ !"

 

“ନାଇଁ ତ, ଖୁବ୍‌ ହୃଷ୍ଟପୁଷ୍ଟ ଦିଶୁଥିଲା ।”

 

“କାନ୍ଦୁ ନଥିଲା ?”

 

‘‘ନା, ବରଂ ହସୁଥିଲା ।”

 

‘‘ମା’–ମା’ ବୋଲି କାନ୍ଦୁ ନଥିବ ?”

 

‘‘ମୋ ଆଗରେ ତ କାନ୍ଦି ନାହିଁ ।”

 

“ଏବେ ଚାଲିପାରୁଥିବ ?”

 

‘‘ସେ ତ କୋଳରେ ଥିଲା । ତେବେ ବୋଧହୁଏ ଚାଲି ଶିଖିଲାଣି ।”

 

ଆଚ୍ଛା, ତା’ ବାପାଙ୍କ ଅବସ୍ଥା କେମିତି ? ଖୁବ୍ ଭାଙ୍ଗିଯାଇଛନ୍ତି ?”

 

“ମୁଁ ତ ପୂର୍ବେ ଦେଖି ନଥିଲି । ହଁ, ଦୁଃଖ ଅବଶ୍ୟ କରୁଥିଲେ । ଏଇଠି କେଉଁଠି ଥିବେ । କହିବ ତ ଖୋଜି ଆଣିବି । ସେ ନିଜେ ତ ଆସୁଥିବେ ।”

 

ମୁନ୍ନୀ ଟିକିଏ ପରେ ସଜଳ ନେତ୍ରରେ ଚାହିଁ କହିଲା–ସେ ଦୁହିଁଙ୍କୁ ମୋ ପାଖକୁ ଆସିବାକୁ ଦିଅ ନାହିଁ, ବାବୁ ! ମୁଁ ଆପଣଙ୍କ ଗୋଡ଼ତଳେ ପଡ଼ୁଛି । ଏମାନଙ୍କୁ ମଧ୍ୟ ନିଜ ନିଜ ଘରକୁ ଫେରିଯିବାକୁ କହନ୍ତୁ । ମୋତେ ଟିକିଏ ଷ୍ଟେସନ୍‍ରେ ପହଞ୍ଚାଇ ଦିଅନ୍ତୁ, ମୁଁ ଆଜି ଏଠାରୁ ଚାଲିଯିବି । ପୁଅ–ପତିଙ୍କ ମୋହରେ ପଡ଼ି ସେମାନଙ୍କର ସର୍ବନାଶ କରିବି ନାହିଁ । ମୋର ଏହି ସମ୍ମାନ ଦେଖି ସ୍ଵାମୀ–ଦେବତା ମୋତେ ନେଇଯିବାକୁ ଇଚ୍ଛା କରୁଥିବେ; କିନ୍ତୁ ତାଙ୍କ ମନକଥା ମୁଁ ଜାଣେ । ମୋତେ ନେଇଯିବାକୁ ଇଚ୍ଛା କରୁଥିବେ; କିନ୍ତୁ ତାଙ୍କ ମନକଥା ମୁଁ ଜାଣେ । ମୋତେ ନେଇ ସେ ଶାନ୍ତ ସନ୍ତୋଷରେ ରହିପାରିବେ ନାହିଁ । ବର୍ତ୍ତମାନ ମୋର ଉଚିତ ହେଉଛି, ମୁଁ ଯେଉଁଠି ଅଚିହ୍ନା–ଅଜଣା, ସେଇଭଳି ଗୋଟିଏ ଜାଗାକୁ ଚାଲିଯିବା । ସେଇଠି ମଜୁରୀ ଲାଗି ବା ଭିକ ମାଗି ପେଟ ପୋଷିବି ।

 

ସେ କ୍ଷଣେକାଳ ନୀରବ ରହିଲା । ବୋଧହୁଏ ଦେଖୁଥିଲା, ଡାକ୍ତର ସାହେବ କି ଉତ୍ତର ଦେଉଛନ୍ତି । ସେ ଯେତେବେଳେ କିଛି ନ କହିଲେ, ମୁନ୍ନୀ କମ୍ପିତ କଣ୍ଠରେ ଉଚ୍ଚ ସ୍ଵରରେ କହିଲା–ଭାଇ–ଭଉଣୀଏ । ଆପଣମାନେ ମୋତେ ଯେଉଁ ଆଦର ଦେଖାଇଲେ, ସେଥିପାଇଁ ମୁଁ ବା କି ପ୍ରଶଂସା କରିପାରିବି ? ଆପଣମାନେ ଗୋଟାଏ ଅଭାଗୀନିକି ଉଦ୍ଧାର କରିଛନ୍ତି । ବର୍ତ୍ତମାନ ମୋତେ ବିଦାୟ ଦିଅନ୍ତୁ । ମୋତେ ନେଇ ଶୋଭାଯାତ୍ରା କରିବାକୁ ହଟ କରନ୍ତୁ ନାହିଁ । ମୋର କର୍ତ୍ତବ୍ୟ, ଏ ପୋଡ଼ାମୁହଁ ଲୁଚାଇ କେଉଁ କୋଣରେ ପଡ଼ିରହିବା । ମୋ ଦୁର୍ଗତିର ମାହାତ୍ମ୍ୟ ଗାଇବା ଉଚିତ ନୁହେଁ, ମୁଁ ସେଥିପାଇଁ ଭାଜନ ନୁହେଁ ।

 

ଜନସମୂହ ବହୁତ ପାଟିଗୋଳ କଲେ, ନେତାମାନେ ବୁଝାଇଲେ, ନାରୀମାନେ ଅନୁରୋଧ କଲେ; ମାତ୍ର ମୁନ୍ନୀ ଶୋଭାଯାତ୍ରା ପାଇଁ ସମ୍ମତ ହେଲା ନାହିଁ । ବାରମ୍ବାର କହିଲା–ମୋତେ ଟିକିଏ ଷ୍ଟେସନ୍‍ରେ ପହଞ୍ଚାଇ ଦିଅ । ପରିଶେଷରେ ନିରୁପାୟ ହୋଇ ଡାକ୍ତର ଶାନ୍ତିକୁମାର ଲୋକମାନଙ୍କୁ ବିଦା କରିଦେଲେ, ମୁନ୍ନୀକୁ ନେଇ ମୋଟରରେ ବସାଇଲେ ।

 

ମୁନ୍ନୀ କହିଲା–ଚାଲନ୍ତୁ, ମୋତେ ଏଠାରୁ କୌଣସି ଦୂର ଷ୍ଟେସନ୍‍ରେ ନେଇ ଛାଡ଼ିଦିଅନ୍ତୁ, ଯେଉଁଠିକି ଏମାନଙ୍କ ମଧ୍ୟରୁ ଜଣେ ହେଲେ ନଥିବେ ।

 

ପ୍ରତୀକ୍ଷାପୂର୍ଣ୍ଣ ଦୃଷ୍ଟିରେ ଏଣେତେଣେ ଚାହିଁ ଡାକ୍ତର ଶାନ୍ତିକୁମାର କହିଲେ–ଏତେ ତରତର କାହିଁକି, ଭଉଣୀ ? ତୁମର ସ୍ଵାମୀ ଆସୁଥିବେ । ଏମାନେ ଚାଲିଗଲେ ସେ ନିଶ୍ଚୟ ଆସିବେ ।

 

ଅଶାନ୍ତ ଭାବରେ ମୁନ୍ନୀ କହିଲା–ମୁଁ ତାଙ୍କ ସଙ୍ଗେ ଦେଖା କରିବାକୁ ଚାହେଁନା, ବାବୁ ! କେବେ ନୁହେଁ । ସେ ମୋ ସାମନାକୁ ଆସିଲେ ଲାଜରେ ମୋର ପ୍ରାଣ ବାହାରିଯିବ । ସତରେ ବାବୁ, ମୁଁ ମରିଯିବି । ଆପଣ ମୋତେ ଶୀଘ୍ର ନେଇ ଚାଲନ୍ତୁ ଏଠୁ । ମୋ ପୁଅଟିକୁ ଦେଖିଲେ ମନରେ ମୋହର ଏପରି ଝଡ଼ ଉଠିବ ଯେ ମୋର ବୁଦ୍ଧି–ବିବେକ ସେଥିରେ କୁଟାଖିଏ ପରି ଉଡ଼ିଯିବ । ସେହି ମୋହରେ ପଡ଼ି ମୁଁ ଭୁଲିଯିବି ଯେ ମୋ’ରି କଳଙ୍କ ତା’ ଜୀବନର ସର୍ବନାଶ କରିବ-। ମୋ ମନ କେଜାଣି କେମିତି କେମିତି ହେଇ ଯାଉଛି । ଆପଣ ମୋତେ ଏଠୁ ଜଲଦି ନେଇ ଚାଲନ୍ତୁ । ମୁଁ ପୁଅକୁ ଦେଖିବାକୁ ଚାହେଁନା, ମୋ ଦୃଷ୍ଟି ତା’ର ଅମଙ୍ଗଳ କରିବ ।

 

ଶାନ୍ତିକୁମାର ମୋଟର ଚଳାଇଲେ; ମାତ୍ର ଦଶ–କୋଡ଼ିଏ ଗଜ ଯାଇଛନ୍ତି କି ନାହିଁ, ପଛରୁ ମୁନ୍ନୀର ସ୍ଵାମୀ ପୁଅଟିକୁ କୋଳରେ ଧରି ‘ଗାଡ଼ି ଅଟକାଅ, ଗାଡ଼ି ଅଟକାଅ’ ଚିତ୍କାର କରି କରି ଧାଇଁ ଆସିଲା । ମୁନ୍ନୀର ଦୃଷ୍ଟି ତା’ ଉପରେ ପଡ଼ିଗଲା । ସେ ଖିଡ଼ିକି ବାଟରେ ମୁହଁ ବାହାର କରି ହାତ ହଲାଇ ହଲାଇ ଉଚ୍ଚ କଣ୍ଠରେ କହିଲା–ନା–ନା, ତୁମେ ଆସନାଇଁ– । ଈଶ୍ଵରଙ୍କ ଦ୍ଵାହି, ତୁମେ ଆସନା । ମୋ ପଛରେ ଆଉ ଗୋଡ଼ାଅନା ।

 

ତତ୍ପରେ ସେ ଦୁଇ ବାହୁ ବଢ଼ାଇ ଦେଲା, ସତେଅବା ବାଳକଟିକୁ କୋଳକୁ ତୋଳି ନେଲା ! ସେ ମୂର୍ଚ୍ଛିତା ହୋଇ ପଡ଼ିଗଲା ।

 

ଗାଡ଼ି ଦ୍ରୁତଗତିରେ ଛୁଟିଥାଏ । ପୁଅଟିକୁ କାଖରେ ଧରି ଯୁବକଟି ଠିଆ ହୋଇ କାନ୍ଦୁଥାଏ । ହଜାର ହଜାର ପୁରୁଷ ନାରୀ ଗାଡ଼ି ଆଡ଼କୁ ଚାହିଁଥାନ୍ତି ।

 

–୧୨–

 

ମୁନ୍ନୀର ମୁକ୍ତି–ସମାଚାର ଦୂର ନିକଟ ସମସ୍ତ ସହରରେ ବ୍ୟାପିଗଲା । ଏପରି ନିଷ୍ପତ୍ତି ହେବ ବୋଲି ଖୁବ୍ କମ୍ ଲୋକଙ୍କର ଆଶା ଥିଲା । କେହି କହିଲା–ଜଜ୍ ସାହେବଙ୍କ ସ୍ତ୍ରୀ ସ୍ଵାମୀ ସହିତ ଝଗଡ଼ା କରି ଏ ନିଷ୍ପତ୍ତି ଲେଖାଇଲେ । ରୁଷି କରି ବାପଘରକୁ ପଳାଇ ଯାଉଥିଲେ । ସ୍ତ୍ରୀ ଯଦି କୌଣସି କଥାକୁ ଧରି ବସେ, ପୁରୁଷ ମନା କରିବ କିମିତି । କେତେକ କହୁଥାନ୍ତି–ସରକାର ଜଜ୍ ସାହେବଙ୍କୁ ଏପରି ନିଷ୍ପତ୍ତି ଦେବାକୁ ହୁକୁମ ଦେଇଥିଲା । ଏ କାରଣ ଭିକାରୁଣୀକୁ ଶାସ୍ତି ଦେଇଥିଲେ ସହରରେ ଗୋଟାଏ ମହାଗୋଳମାଳ ସୃଷ୍ଟି ହେବାର ଆଶଙ୍କା ଥିଲା ।

 

ଅମରକାନ୍ତ ସେତେବେଳେ ଭୋଜି ଆୟୋଜନରେ ବ୍ୟସ୍ତ ଥିଲା । ମାତ୍ର ଏ ସମ୍ବାଦ ପାଇ, ନିଜର ସମସ୍ତ କାମ ପଛକୁ ପକାଇ, ଏପରି ନିଷ୍ପତ୍ତିପାଇଁ ସମସ୍ତ ପ୍ରଶଂସା ନିଜେ ନେବାକୁ ଲାଗିଲା । ଭିତରକୁ ଯାଇ ରେଣୁକା ଦେବୀଙ୍କୁ କହିଲା–“ଦେଖିଲ ତ ମା’ ! ମୁଁ କହୁଥିଲିନା, ତାକୁ ଖଲାସ କରାଇଲେ ଯାଇ ମୁଁ ନିଃଶ୍ଵାସ ମାରିବି ? ସେଇଆ ହେଲା ! ଓକିଲ ଓ ସାକ୍ଷୀମାନଙ୍କ ପିଛେ ଯାହା ମୁଁ ଲାଗିଛି, ସେ କଥା ମୋ ମନ ଜାଣେ ।” ବାହାରକୁ ଯାଇ ନିଜର ବନ୍ଧୁ, ସାଥୀ ଓ ନିକଟବର୍ତ୍ତୀ ଦୋକାନୀମାନଙ୍କ ପାଖରେ ମଧ୍ୟ ସେହି ବଡ଼ିମା ପ୍ରକାଶ କଲା ।

 

ଜଣେ ବନ୍ଧୁ କହିଲା–ଯାହା ହେଉ, ସ୍ତ୍ରୀଲୋକଟା ବଡ଼ ଏକବୁଝୀ । ସ୍ଵାମୀ ସଙ୍ଗେ ନ ଗଲା–ନ ଗଲା ! ବିଚାରା ଗୋଡ଼ତଳେ ପଡ଼ି ପଡ଼ି ଥକିଲା ।

 

ଅମରକାନ୍ତ ଦାର୍ଶନିକ ବିଚାର କଲାପରି କହିଲା–ନିଜେ ଯେଉଁ କାମ ନ ଦେଖିବ, ତା’ କ’ଣ ହୋଇପାରିବ ? ମୁଁ ତ ଏଣେ ବ୍ୟସ୍ତ ରହିଲି, ଆଉ କାହାରିଦ୍ଵାରା ଏତିକ ହୋଇପାରିଲା ନାହିଁ କି ସେ ସ୍ତ୍ରୀଲୋକଟିକୁ ଟିକିଏ ବୁଝାଇ ସୁଝାଇ ଦେବେ ! ମୁଁ ଥିଲେ ତା’ର ସାଧ୍ୟ ଥିଲା ଏପରି ଚାଲିଯିବାକୁ ? ଏମିତି କାଣ୍ଡ ହେବ ବୋଲି ମୁଁ ଭଲା ଜାଣିଥାନ୍ତି, ଶହେ କାମ ପକେଇ ଦେଇ ଚାଲିଯାଇଥାନ୍ତି, ତାକୁ ବୁଝେଇ ଦେଇଥାନ୍ତି । ମୁଁ ଭାବିଲି, ଡାକ୍ତର ସାହେବ ଅଛନ୍ତି, ଆହୁରି କେତେ ଅଛନ୍ତି, ମୁଁ ନ ଗଲେ ଏବେ କେଉଁ ଘିଅ–ଘଡ଼ି ଗଡ଼ିଯାଉଛି ! କିନ୍ତୁ ସେଠି ସବୁ ନିଶ୍ଚିନ୍ତରେ ରହିଲେ । ନାମ ତ ହୋଇଗଲା, ତେଣିକି କାମ ହଉ କି ଚୁଲିକି ଯାଉ ।

 

ଲାଲା ସମରକାନ୍ତ ନାଚ–ତାମସା ଓ ଭୋଜି–ମଉଜରେ ଖୁବ୍ ମନଖୋଲା ଖର୍ଚ୍ଚ କଲେ-। ସେହି ଅମରକାନ୍ତ, ଯେ କି ଏ ସବୁକୁ ଅଯଥା ବ୍ୟାପାର ବୋଲି ସମାଲୋଚନା କରୁଥିଲା, ସେତେବେଳେ ସେ ମୁହଁ ଖୋଲିଲା ନାହିଁ; ବରଂ ଓଲଟି ଉଦ୍ଦୀପନା ଜନ୍ମାଇଲା–ଥିଲାବାଲା ଲୋକେ ଏପରି ଶୁଭକାର୍ଯ୍ୟରେ ଖର୍ଚ୍ଚ ନ କରିବେ ତ କରିବେ କେବେ ? ଏଇତ ହେଲା ସମ୍ପଦର ଶୋଭା-। ଅବଶ୍ୟ ଘର ଉଜାଡ଼ି, ତାମସା ଦେଖିବା ଠିକ୍ ନୁହେଁ ।

 

ଅମରକାନ୍ତର ଏଣିକି ଘର ସହିତ ଘନିଷ୍ଠତା କ୍ରମେ ବଢ଼ିଉଠୁଛି । ବର୍ତ୍ତମାନ ସେ କଲେଜକୁ ଯାଉଥିଲେବି ସଭା–ସମିତିଠାରୁ ଦୂରେଇ ରହୁଛି । ଏବେ ତା’ର ଦେଣା–ପାଉଣା ପ୍ରତି ସେପରି ଘୃଣା ନାହିଁ । ସକାଳେ ସନ୍ଧ୍ୟାରେ ବରାବର ଦୋକାନରେ ବସୁଛି ଓ ବଡ଼ ଆଗ୍ରହରେ କାମ କରୁଛି । ସ୍ଵଭାବରେ ମଧ୍ୟ କିଛି କୃପଣତା ମିଶିଗଲାଣି । ଦୁଃଖୀ–ଲୋକପାଇଁ ଏବେବି ତା’ର ଦୟା ଅଛି; କିନ୍ତୁ ଦୋକାନର ଧରାବନ୍ଧା ପଇସାରେ ତାହା ସୀମିତ ହେଲାଣି । ଓଟ ନାକର କ୍ଷୁଦ୍ର ରସି ପରି ଏହି କ୍ଷୁଦ୍ର ଶିଶୁଟି ତା’ର ଜୀବନକୁ ନିୟନ୍ତ୍ରିତ କରୁଛି । ସତେଅବା ପତଙ୍ଗଟିଏ ଦୀପ ଆଗକୁ ଆସି ତା’ର ଜ୍ୟୋତିକୁ ସଂକୁଚିତ କରି ଦେଇଛି ।

 

ତିନି ମାସ ବିତିଗଲାଣି । ସନ୍ଧ୍ୟାବେଳ । ପିଲାଟି ଦୋଳାରେ ଶୋଇଛି । ସୁଖଦା ବିଞ୍ଚଣାଟିଏ ଧରି ଗୋଟିଏ ମୋଢ଼ା ଉପରେ ବସିଛି । କୃଶାଙ୍ଗୀ ଗର୍ଭଧାରିଣୀ ବିକଶିତ ମାତୃତ୍ଵର ତେଜ ଓ ଶକ୍ତିରେ ଯେପରି ଉଜ୍ଜ୍ଵଳି ଉଠିଛି । ତା’ର ମାଧୁର୍ଯ୍ୟରେ କିଶୋରୀସୁଲଭ ଚପଳତା କି ଗର୍ଭିଣୀର ଆଳସ୍ୟମୟ କାତରତା ନାହିଁ, ଅଛି କେବଳ ମାତୃତ୍ଵର ଶାନ୍ତ–ତୃପ୍ତ ମଙ୍ଗଳମୟ ବିଳାସ ।

 

ଅମରକାନ୍ତ କଲେଜରୁ ଫେରି ସିଧା ଘରକୁ ଗଲା ଓ ଚିନ୍ତିତ ନେତ୍ରରେ ଶିଶୁଟିକୁ ଚାହିଁ କହିଲା–ବର୍ତ୍ତମାନ ଜ୍ଵର ନାହିଁ ତ ?

 

ସୁଖଦା ଧୀର ଭାବରେ ଶିଶୁର ମସ୍ତକରେ ହାତ ରଖି କହିଲା–ନା, ସେମିତି ଜଣାଯାଉ ନାହିଁ ତ । ବର୍ତ୍ତମାନ କୋଳରେ ଶୋଇ ପଡ଼ିବାରୁ ଆଣି ଶୁଆଇ ଦେଲି ।

 

ଅମର ଜାମାର ବୋତାମ ଖୋଲୁ ଖୋଲୁ କହିଲା–ମୋର ତ ସେଠି ଆଜି ଆଦୌ ମନ ଲାଗିଲା ନାହିଁ । ମୁଁ ଈଶ୍ଵରଙ୍କୁ ପ୍ରାର୍ଥନା କରୁଛି, ମୋର ସଂସାରରେ ଆଉ କିଛି ଲୋଡ଼ା ନାହିଁ, କେବଳ ଏଇ ଶିଶୁଟିକୁ ମଙ୍ଗଳରେ ରଖନ୍ତୁ । ଦେଖିଲ ଦେଖିଲ, କେମିତି ହସିଦେଉଛି !

 

ସୁଖଦା ମଧୁର ତିରସ୍କାର କରି କହିଲା–ତୁମେ ତ ଅନେଇ ଅନେଇ ତାକୁ ଦୃଷ୍ଟି କରି ଦେଇଛ ।

 

“ମୋର ମନ ହେଉଛି ତାକୁ ଚୁମା ଦେବାକୁ ।”

 

“ନା–ନା, ଶୋଇଲା ପିଲାକୁ ଚୁମା ଦିଅନ୍ତି ନାହିଁ ।”

 

ଏହି ସମୟରେ କେହି ଦରଜାରେ ଡାକିଲା । ଅମର ଯାଇ ଦେଖେ ତ ପଠାଣୁଣୀ ବୁଢ଼ୀ ବାଡ଼ି ଖଣ୍ଡିଏ ଧରି ଠିଆ ହୋଇଛି । କହିଲା–ଆସ ବୁଢ଼ୀ ମାଉସୀ । ତୁମେ ଶୁଣିଛ ନା, ଆମର ପୁଅଟିଏ ହୋଇଛି !

 

ବୁଢ଼ୀ ଭିତରକୁ ଯାଇ କହିଲା ଆଲ୍ଲା କରନ୍ତୁ, କୋଟି ପରମାୟୁ ହେଉ ମୋ’ର ଆୟୁଷ ପାଉ । କିରେ ବାପ, ସହରସାରା ସମସ୍ତଙ୍କୁ ନିମନ୍ତ୍ରଣ କଲ, ଆମକୁ ଟିକିଏ ପଚାରିଲ ନାହିଁ ? ଆମେ କ’ଣ ତେବେ ସବୁଠୁ ହୀନ ? ଆଲ୍ଲା ଜାଣେ, ଯେଉଁଦିନ ଏ ଖୁସ୍–ଖବରୀ ପାଇଲି, ଦିଲ୍‌ରୁ ଏଇ ଦୁଆ ବାହାରିପଡ଼ିଲା କି ଆଲ୍ଲା ୟାକୁ କୁଶଳରେ ରଖନ୍ତୁ ।

 

ଅମର ଲାଜରା ହୋଇ କହିଲା–ହଁ ମାଉସୀ, ସେଇଟା ମୋର ଭୁଲ, କ୍ଷମା କରିବ । ଆସ, ପୁଅକୁ ଟିକିଏ ଦେଖ । ଆଜି ତାକୁ କେଜାଣି କାହିଁକି ଜ୍ଵର ହୋଇଛି ।

 

ବୁଢ଼ୀ ପାଦ ଟିପି ଟିପି ଅଗଣା ବାଟେ ସମ୍ମୁଖସ୍ଥ ବାରଣ୍ଡାରେ ପହଞ୍ଚିଲା । ବୋହୂକୁ ଆଶୀର୍ବାଦ କରୁ କରୁ ପିଲାଟିକୁ ଦେଖି କହିଲା–ଏ କିଛି ନୁହେଁ, ଦୁରୁଷ୍ଟି (ଦୃଷ୍ଟି) ହୋଇ ଯାଇଛି । ମୁଁ ଗୋଟାଏ ତାବିଜ୍ ଦେଉଛି, ଆଲ୍ଲା ଚାହିଁଲେ ଏଇଛୁଣି ହସିବ–ଖେଳିବ ।

 

ସୁଖଦା ମାତୃତ୍ଵଜନିକ ନମ୍ରତା ସହକାରେ ନିଜ ଅଞ୍ଚଳରେ ବୁଢ଼ୀର ପାଦକୁ ସ୍ପର୍ଶ କରି କହିଲା–ଚାରିଟା ଦିନବି ଭଲରେ ଯାଇ ନାହିଁ, ମା’ ! ଘରେ ତ ପୁରୁଖା ଲୋକ କେହି ନାହିଁ; ମୁଁ କି ଜାଣେ କେମିତି କ’ଣ ହୁଏ ? ମୋ ମା’ ଅଛି ଯେ, ହେଲେ ସେ ତ ନିତି ଏଠିକି ଆସିପାରୁ ନାହିଁ କି ମୁଁ ବି ନିତି ତା’ ପାଖକୁ ଯାଇପାରୁନାହିଁ ।

 

ବୁଢ଼ୀ ପୁଣିଥରେ ଆଶୀର୍ବାଦ କରି କହିଲା–ଯେତେବେଳେ ଦରକାର ପଡ଼ିବ ମୋତେ ଖବରଟେ ଦେଇଦେବୁ, ମା’ ! ମୁଁ ଆଉ କ’ଣ କରିବି କି ? ବାପା ! ଟିକିଏ ମୋ ସାଥିରେ ଚାଲ୍, ତାବିଜ୍ ଆଣିବୁ ।

 

ବୁଢ଼ୀ ତା’ ଅଙ୍ଗରଖା ପକେଟରୁ ଗୋଟିଏ ରେଶମ କୁରୁତା ଓ ଗୋଟିଏ ଟୋପି ବାହାର କରି ପିଲାଟିର ମୁଣ୍ଡ ପାଖରେ ରଖି କହିଲା–ମୋ ଧନକୁ ଏତିକି ଦେଉଛି, ବାପା ! ଭଲମନ୍ଦ ବାରିବ ନାହିଁ । ମୁଁ ଆଉ କ’ଣ ଦେଇପାରିବି ? ସକୀନା ଆମର କେଉଁଦିନୁ ସିଲେଇ କରି ରଖିଥିଲା-। ଯାଇ–ଆସି ତ ପାରୁ ନାହିଁରେ ପୁଅ, ଆଜି ବଡ଼ ହିମ୍ମତ କରି ଆଇଲି ବାହାରି ।

 

ଆତ୍ମୀୟ–ସ୍ଵଜନମାନେ ଦେଇଥିବା କେତେ ସୁନ୍ଦର ସୁନ୍ଦର ପୋଷାକ ସୁଖଦା ରଖିଥିଲା; କିନ୍ତୁ ସେହି ସରଳ ଉପହାରରୁ ତାକୁ ଯେଉଁ ହାର୍ଦ୍ଦିକ ଆନନ୍ଦ ମିଳିଲା, ତାହା ଅନ୍ୟ କାହିଁରୁ ମିଳି ନଥିଲା । କାରଣ ସେଥିରେ ନଥିଲା ଐଶ୍ୱର୍ଯ୍ୟର ଅଭିମାନ, ପ୍ରଶଂସାର ଲାଳସା, ପରମ୍ପରାର ନୀରସତା; ଥିଲା କେବଳ ଜଣେ ହିତକାମୀର ଆତ୍ମା, ପ୍ରେମ ଓ ଆଶୀର୍ବାଦ ।

 

ବୁଢ଼ୀ ଯିବାକୁ ବାହାରିବାରୁ ସୁଖଦା ଗୋଟିଏ ପୁଟୁଳିରେ କିଛି ମିଠାଇ ଦେଲା, ପାନ ଖୁଆଇଲା ଓ ଦ୍ଵାରବନ୍ଧ ପର୍ଯ୍ୟନ୍ତ ଯାଇ ତାକୁ ବିଦାୟ ଦେଲା । ଅମରକାନ୍ତ ବାହାରକୁ ଯାଇ ଗୋଟିଏ ରିକ୍ସା ଡାକି, ବୁଢ଼ୀ ସହିତ ତାବିଜ୍ ଆଣିବାକୁ ଗଲା । ମନ୍ତ୍ରିତ ତାବିଜ୍ ଉପରେ ନଥିଲେ ମଧ୍ୟ, ବୁଢ଼ା–ବୁଢ଼ୀଙ୍କ ଆଶୀର୍ବାଦ ଉପରେ ଅମରର ବିଶ୍ଵାସ ଥିଲା । ସେହି ତାବିଜ୍‌କୁ ସେ ଆଶୀର୍ବାଦରୂପେ ଗ୍ରହଣ କରୁଥିଲା ।

 

ବାଟରେ ବୁଢ଼ୀ କହିଲା–ମୁଁ ତୁମକୁ ଗୋଟାଏ କଥା କହିଥିଲି, କ’ଣ ଭୁଲିଗଲ ?

 

ପ୍ରକୃତରେ ଅମର ଭୁଲି ଯାଇଥିଲା । ଲଜ୍ଜିତ ହୋଇ କହିଲା–ହଁ, ମାଉସୀ ! ମୋର ମନେ ନାହିଁ, କ୍ଷମା କରିବ ।

 

“ସେଇ ସକୀନା କଥା ମ !”

 

ଅମର ମଥାରେ ହାତ ପିଟି କହିଲା–ହଁ ମାଉସୀ ! ମୋର ଆଦୌ ମନେ ନଥିଲା ।

 

“ତେବେ ଏଣିକି ଟିକିଏ ମନେରଖ, ବାପା ! ମୋର ଆଉ କିଏ ଅଛି ଯେ କାହାକୁ କହିବି ? ହଁ, ସକୀନା ଆଉ କେତେ ଖଣ୍ଡ ରୁମାଲ ତିଆରି କରିଛି, ଗୋଟାକେତେ ଟୋପିର ଧାରୀ କାଢ଼ିଛି । ହେଲେ କ’ଣ ହେବ, ଜିନିଷ ତ ବିକ୍ରି ହେଉ ନାହିଁ, ମନ ମରିଯାଉଛି ।”

 

“ମୋତେ ସେଗୁଡ଼ିକ ଦେଇଦିଅ, ମୁଁ ବିକ୍ରି କରାଇ ଦେଉଛି ।”

 

“ତୋତେ କଷ୍ଟ ହେବନି, ପୁଅ !”

 

“ଏଥିରେ କଷ୍ଟ ପୁଣି କ’ଣ ଅଛି ?”

 

ବୁଢ଼ୀ ଅମରକାନ୍ତକୁ ଘରକୁ ନେଲା ନାହିଁ । ତା’ ଘରର ଅବସ୍ଥା ପୂର୍ବାପେକ୍ଷା ଅଧିକ ଶୋଚନୀୟ ହୋଇଯାଇଛି । ଅନ୍ନକଷ୍ଟ, ଘରର ପ୍ରତିଟି ଅଙ୍ଗୁଳି ଭୂମିରେ ତା’ର ଦାରିଦ୍ର୍ୟ ଅଙ୍କିତ । ସେପରି ଘରକୁ ସେ କାହିଁକି ତାକୁ ନେଇଥାନ୍ତା ? ବୃଦ୍ଧାବସ୍ଥା ସଂକୋଚହୀନ ହେଲେ ମଧ୍ୟ, କେତେକାଂଶରେ ସଲଜ୍ଜ ହୋଇଥାଏ । ସେ ଅମରକୁ ସେହି ଗାଡ଼ିରେ ଛାଡ଼ି ଭିତରକୁ ଗଲା ଏବଂ କିଛି ସମୟ ପରେ ଗୋଟିଏ ତାବିଜ୍ ଓ ରୁମାଲର ଛୋଟ ପୁଟୁଳାଟିଏ ଧରି ଆସିଲା ।

 

“ତାବିଜ୍‌ଟି ତା’ ବେକରେ ବାନ୍ଧିଦେବ ଆଉ କାଲିକି କ’ଣ ହେଲା କହିବ ।”

 

“କାଲି ତ ମୋର ଛୁଟି । ଦୁଇ–ଚାରି ଜଣ ବନ୍ଧୁଙ୍କ ସହିତ ସଙ୍ଗେ କଥାବାର୍ତ୍ତା କରିବି । ସନ୍ଧ୍ୟା ସୁଦ୍ଧା ହୁଏତ ଆସିବି; ନଚେତ୍ ଆଉ କେବେ ଦେଖି ଆସିବି ।”

 

ଘରକୁ ଆସି ଅମର ପୁଅ ବେକରେ ତାବିଜ୍‌ଟି ବାନ୍ଧିଦେଇ ଦୋକାନରେ ଯାଇ ବସିଲା । ଲାଲାଜୀ ପଚାରିଲେ–କୁଆଡ଼େ ଯାଇଥିଲୁ ? ଦୋକାନ–ବେଳରେ କୁଆଡ଼େ ଯିବୁ ନାହିଁ ।

 

ଅମର କ୍ଷମା ପ୍ରାର୍ଥନା ଭଙ୍ଗୀରେ କହିଲା–ଆଜି ପଠାଣ ଘର ବୁଢ଼ୀ ଆସିଥିଲା । ପୁଅପାଇଁ ଗୋଟିଏ ତାବିଜ୍ ଦେବାକୁ କହିବାରୁ, ସେଇଟା ଆଣିବାକୁ ଯାଇଥିଲି ।

 

“ମୁଁ ଏଇ ଦେଖି ଆସିଲି ଯେ, ବର୍ତ୍ତମାନ ତ ଟିକିଏ ଭଲ ଜଣାଯାଉଛି । ପାଜିଟା ମୋ ନିଶକୁ ଧରି ଟାଣିନେଲା ଯେ । ମୁଁ ବି କଷି କରି ମୁଥିଏ ଦେଇଛି ଯେ ଟୋକାକୁ । ହଁ–ହଁ, ଠିକ୍ ମନେପଡ଼ିଛି । ତୁ ବସ, ମୁଁ ଟିକିଏ ଶାସ୍ତ୍ରୀଙ୍କ ପାଖରୁ ଜାତକଟା ନେଇ ଆସେ । ଆଜି ଦେବେ ବୋଲି କହିଥିଲେ ।”

 

ଲାଲାଜୀ ଚାଲିଯିବାରୁ ଅମର ପୁଣି ଯାଇ ଘରେ ପହଞ୍ଚିଲା । ପୁଅକୁ କୋଳରେ ଧରି କହିଲା–କିହୋ ବାବୁ ! ତୁମେ କୁଆଡ଼େ ଆମ ବାପାଙ୍କ ନିଶ ଉପାଡ଼ୁଛ ? ଖବରଦାର, ପୁଣି ଯେବେ ତାଙ୍କ ନିଶରେ ହାତ ଦିଅ, ତୁମ ଦାନ୍ତ ଭାଙ୍ଗିଦେବି ।

 

ଶିଶୁଟି ତା’ର ନାକକୁ ଧରି ଗିଳିବାକୁ ଚେଷ୍ଟା କଲା, ଯେପରି ହନୁମାନ ସୂର୍ଯ୍ୟଙ୍କୁ ଗିଳିବାକୁ ଯାଉଛନ୍ତି !

 

ସୁଖଦା ହସି ହସି କହିଲା–ଆଗେ ନିଜ ନାକ ସମ୍ଭାଳ, ବାପାଙ୍କ ନିଶ ପଛରେ ଦେଖିବ ।

 

ସଲୀମ୍ ଆସି ଏତେ ଜୋରରେ ଡାକିଦେଲା ଯେ ସାରା ଘର କମ୍ପିଉଠିଲା ।

 

ଅମରକାନ୍ତ ବାହାରକୁ ଯାଇ କହିଲା–ତୁ ତ ଭାଇ ଗୋଟାଏ ବଡ଼ ସଇତାନ । ଏମିତି ରଡ଼ି କଲୁ ଯେ, ମୋତେ ଛାନିଆ ଲାଗିଲା । କେଉଁଠୁଁ ଆସିଲୁ ? ଆ, ଘରକୁ ଆ ।

 

ଦୁହେଁ ପାଖ କୋଠରୀକୁ ଗଲେ । ସଲୀମ୍ ରାତିରେ ଗୋଟିଏ ଗଜଲ୍‍ ରଚନା କରିଥିଲା, ତାକୁ’ଇ ଶୁଣାଇବାକୁ ଆସିଛି । ଗଜଲ୍‍ ରଚନା କରିସାରି ଅମରକାନ୍ତକୁ ନ ଶୁଣାଇବା ପର୍ଯ୍ୟନ୍ତ ତାକୁ ଶାନ୍ତି ମିଳେନା ।

 

ଅମର କହିଲା–ମୁଁ କିନ୍ତୁ ପ୍ରଶଂସା କରିପାରିବି ନାହିଁ, ଜାଣିଥା ।

 

“ସର୍ତ୍ତ ଅଛି ଯେତେବେଳେ, ଇଚ୍ଛା ନଥିଲେବି ତୁ ତ ପ୍ରଶଂସା କରିବାକୁ ବାଧ୍ୟ–”

 

ଅମର ଝୁଲି ଝୁଲି କହିଲା–ଅପୂର୍ବ ରଚନା ଭାଇ, ଅପୂର୍ବ କବିତା ! ଖୋସାମତ କରୁନାହିଁ, ଅନ୍ତରର କଥା, ଭାଇ ! ବାଃ–ବାଃ, କି ନିରୀହତା !

 

ସଲୀମ୍‌ ଦ୍ଵିତୀୟ ପଦ ପଢ଼ିଲା–

 

ଅମର କହିଲା–ବଡ଼ କରୁଣ ହେଇଚିରେ ! ରୁମମୂଳ ଫୁଲି ଉଠୁଚି । ସତେବା କେହି ଅତୀତକୁ ବାହୁନୁଛି !

 

ଏହିପରି ସଲୀମ୍ ତା’ର ସମସ୍ତ ଗଜଲ୍‍ ଶୁଣାଇଗଲା ଓ ଅମର ଆଖିବୁଜି ଝୁଲି ଝୁଲି ଶୁଣିଲା । ତା’ପରେ ନାନା କଥା ପଡ଼ିଲା । ଅମର ପଠାଣୁଣୀର ରୁମାଲଗୁଡ଼ିକ ଦେଖାଇଲା ।

 

“ବୁଢ଼ୀଟିଏ ରଖିଯାଇଛି, ବିଚାରୀ ଭାରି ଗରିବ । ମନ ହେଉଛି ତ ଦୁଇଚାରି ଖଣ୍ଡ ନେ-।”

 

ସଲୀମ୍ ରୁମାଲଗୁଡ଼ିକୁ ଦେଖି ଦେଖି କହିଲା–ଭଲ ହେଇଛି ତ ଭାଇ, ଦେଉନୁ, ପୂରା ଡଜନେ ନେଇଯିବି । କିଏ କରିଛି କିରେ ?

 

“ସେଇ ବୁଢ଼ୀର ଗୋଟିଏ ନାତୁଣୀ ଅଛି ।”

 

“ଆଚ୍ଛା ! ପାଗଳୀର ମୋକଦ୍ଦମା ସମୟରେ ଦିନେ ଯେ କଚେରିକୁ ଯାଇଥିଲା, ସେହି କିରେ ! ବଢ଼ିଆ ପ୍ରେମିକାଟିଏ ତ ବାଛି ନେଇଛୁ ଭାଇ !”

 

ଅମର ସଫେଇ ଦେଲା–ରାଣ ଅଛି ଭାଇ, ମୁଁ ଯଦି ତାକୁ ଅନେଇଥିବି !

 

“ମୋର ସେ ରାଣ–ଫାଣରେ କି ଦରକାର । ତୋତେ ସେ ଭଲ ଲାଗିଲା, ମୁଁ ତ ବାଧା ଦେଉ ନାହିଁ । ରୁମାଲ ଡଜନ୍‌କୁ କେତେ ?”

 

“ଯାହା ଉଚିତ ମନେକରୁଛୁ, ଦେ ।”

 

“ୟାର ମୂଲ୍ୟ ନିର୍ଭର କରୁଛି, ତିଆରି କଲାବାଲା ଉପରେ । ଯଦି ସେହି ଶୋଭାମୟୀ ତିଆରି କରିଥାଏ, ତେବେ ରୁମାଲ ଖଣ୍ଡି ପାଞ୍ଚଟଙ୍କା; ବୁଢ଼ୀ କି ଆଉ କେହି କରିଥାଏ ତ ମୋଟେ ଚାରିଅଣା ।”

 

“ତୁ ତେବେ ଥଟ୍ଟା କରୁଛୁ । ନେବାକୁ ଇଚ୍ଛା ନାହିଁ ।”

 

“ତୁ ଆଗ କହିଲୁ–କିଏ କରିଛି ?”

 

“କରିଛି ତ ସେଇ ସକୀନା ।”

 

“ହୁଁ, ତା’ର ନାମ ତେବେ ସକୀନା । ଆଚ୍ଛା, ତେବେ ରୁମାଲ ପ୍ରତି ପାଞ୍ଚ ଟଙ୍କା ଦେବି; କିନ୍ତୁ ସର୍ତ୍ତ ହେଉଛି, ତୁ ମୋତେ ତା’ ଘରଟା ଦେଖାଇଦେବୁ ।”

“ହଁ ଆପତ୍ତି କ’ଣ ? କିନ୍ତୁ ତୁ ଯଦି କିଛି ଦୁଷ୍ଟାମି ବାହାର କରୁ, ମୁଁ ତୋ’ର ଜୀବନ–ଶତ୍ରୁ ହେବି, ଜାଣିଥା । ସହାନୁଭୂତି ଯୋଗୁଁ ଯେବେ ଯିବାକୁ ଚାହୁଁଛୁ, ଚାଲ୍ । କୌଣସି ଭଦ୍ରଲୋକ ସହିତ ତା’ର ବିବାହ ହୋଇପାରିଲେ ଭଲ ହୁଅନ୍ତା । ତୋ ଜାଣିବାରେ କେହି ଅଛି ? ବିଶ୍ଵାସ କର, ତା’ର କପାଳ ଖୋଲିଯାନ୍ତା । ଏମିତି ଲଜ୍ଜାଶୀଳା, ଯୋଗ୍ୟ ଝିଅ ମୁଁ କେଉଁଠି ଦେଖି ନାହିଁ । ପୁରୁଷକୁ ଆକର୍ଷଣ କରିବା ଭଳି ଯେଉଁସବୁ ଗୁଣ ନାରୀଠାରେ ରହିବା କଥା, ସେ ସବୁ ତା’ଠାରେ ଅଭାବ ନାହିଁ ।”

ସଲୀମ୍ ଟିକିଏ ହସିଦେଇ କହିଲା–“ଜଣାଯାଉଛି, ତୁ ନିଜେ ତା’ ପ୍ରତି ଆସକ୍ତ ହେଇ ସାରିଲୁଣି । ରୂପ–କାନ୍ତିରେ ତ ସେ ତୋ ସ୍ତ୍ରୀର ପାଦତଳକୁବି ସରି ହେବ ନାହିଁ ।

ଅମର ଆଲୋଚକ ପରି କହିଲା–ନାରୀର ରୂପ କ’ଣ ସବୁଠାରୁ ଅଧିକ ପ୍ରେୟ । ସତ କହୁଛି ଭାଇ, ମୁଁ ବିବାହ ନ କରିଥିଲେ, ଆଉ ସାମାଜିକ ବାଧା ନଥିଲେ ମୁଁ ତାକୁ’ଇ ବିବାହ କରି ନିଜକୁ ଭାଗ୍ୟବାନ ମନେକରିଥାନ୍ତି ।

“ତା’ଠାରେ ଏମିତି କ’ଣ ଅଛି ଯେ ତୋ ମନ ରସିଯାଇଛି ?”

“ତା’ତ ମୁଁ ନିଜେ ବୁଝିପାରୁନାହିଁ । ସେଇଟା ତା’ର ସରଳତା ହୋଇପାରେ । ନିଜେ ତୁ କାହିଁକି ବିବାହ ନ କରୁଛୁ ଯେ ? ମୁଁ କହୁଛି, ତାକୁ ପାଇଲେ ତୋ ଜୀବନ ସୁଖମୟ ହେବ ।”

ସଲୀମ୍ ସନ୍ଦିଗ୍‌ଧ ଭାବରେ କହିଲା ମୋ ହୃଦୟରେ ଯେପରି ନାରୀର ରୂପ ମୁଁ ଆଙ୍କି ନେଇଛି, ସେ ଭିନ୍ନ ପ୍ରକାରର । ହୁଏତ ସେପରି ନାରୀ ମୋ କଳ୍ପଲୋକର ବାହାରେ କେଉଁଠି ନଥାଇବି ପାରେ । ମୋ ଦୃଷ୍ଟିରେ କେହି ପାତ୍ର ପଡ଼େ ତ କହିବି । ବର୍ତ୍ତମାନ ମୁଁ ଏ ରୁମାଲ ନେଇଯାଉଛି, ପାଞ୍ଚଟଙ୍କାରୁ କମ୍ ଗୋଟାଏ ଦେବି କ’ଣ ? ସକୀନା ତ ପୋଷାକ ସିଲେଇ କରୁଥିବ, ମୁଁ ଭାବୁଛି ଆମ ଘରୁ ତ ତାକୁ ବହୁତ କିଛି ମିଳିଯିବ । ହଁ, ବନ୍ଧୁ ହିସାବରେ ତୋତେବି ଗୋଟାଏ ପରାମର୍ଶ ଦେଉଛି । ଅବଶ୍ୟ ତୋ ବିଷୟରେ ମୋର ଖରାପ ଧାରଣା ନାହିଁ; କିନ୍ତୁ ତୁ ସେଠିକି ବେଶି ଯିବା–ଆସିବା କରିବୁ ନାହିଁ, ପରେ ବଦନାମୀ ଅର୍ଜିବୁ । ତୋର ଦୁର୍ନାମ ସାମାନ୍ୟ ହୋଇପାରେ; କିନ୍ତୁ ସେ ବିଚାରୀର ଜୀବନ ନଷ୍ଟ ହୋଇଯିବ ଯେ । ଏଥିରେ ଧର୍ମାଧର୍ମର ରଙ୍ଗ ଚଢ଼ାଇ ତୋ ପଛେ ଲାଗିଯିବାକୁ ଭଦ୍ରଲୋକରବି ଅଭାବ ନାହିଁ । ତାକୁ ତ କେହି ସାହାଯ୍ୟ କରିବ ନାହିଁ, କିନ୍ତୁ ତୋ ଉପରେ ଦୋଷ ଲଦି ଦେବାକୁ ବହୁତ ଲୋକ ବାହାରି ପଡ଼ିବେ ।

ଅମରକାନ୍ତ ଉଦ୍ଦଣ୍ଡ ନଥିଲା; ମାତ୍ର ସେତେବେଳେ ଉତ୍ତେଜିତ ହୋଇ ସେ କହିଲା–ଏପରି ଛୋଟଲୋକଗୁଡ଼ାଙ୍କୁ ମୁଁ ଭ୍ରୂକ୍ଷେପ କରେନା । ନିଜର ଅନ୍ତର ପରିଷ୍କାର ଥିଲେ କେଉଁ କଥାକୁ ଡର ?

ସଲୀମ୍ ଶାନ୍ତ ଭାବରେ କହିଲା–ତୁ ତ ଭାଇ, ଆବଶ୍ୟକତାଠାରୁ ଅଧିକ ସରଳ । ମୋର ଆଶଙ୍କା ହେଲାଣି–ତୁ କିଛି ଅସୁବିଧାରେ ପଡ଼ି ନ ଯାଉ ଯେମିତି ।

ପରଦିନ ଦୋକାନ ବନ୍ଦ ହେବାପରେ ଅମର ପାଞ୍ଚଟଙ୍କା ପକେଟରେ ପକାଇ ପଠାଣୁଣୀ ଘର ପାଖରେ ପହଞ୍ଚି ଡାକିଲା । ସେ ଭାବୁଥାଏ, ସକୀନା ଟଙ୍କା ପାଇଲେ କି ଆନନ୍ଦିତ ନ ହେବ ।

 

ଭିତରୁ ଶୁଭିଲା–କିଏ ?

 

ଅମରକାନ୍ତ ନିଜର ନାମ କହିଲାରୁ ସଙ୍ଗେ ସଙ୍ଗେ କବାଟ ଖୋଲିଲା । ଅମରକାନ୍ତ ଭିତରକୁ ପାଦ ବଢ଼ାଇ ଦେଖିଲା–ଚାରିଆଡ଼େ ଅନ୍ଧାର । ପଚାରିଲା–ଆଜି ଆଲୁଅ ଲଗାଇ ନାହିଁ, ମାଉସୀ ।

 

ସକୀନା କହିଲା–ମା’ ସିଲେଇ କାମର ବରାଦ ଆଣିବାକୁ କୁଆଡ଼େ ଯାଇଛି ।

 

“ଅନ୍ଧାର କାହିଁକି ? ବତୀରେ ତେଲ ନାହିଁ ?”

 

ସକୀନା ଧୀରେ କହିଲା–ଅଛି ।

 

‘‘ତେବେ ବତୀ ଲଗାଉନାହଁ କାହିଁକି ? ଦିଆସିଲି ନାହିଁ ?”

 

“ଅଛି ।”

 

“ତେବେ ଆଲୁଅ ଜାଳ । କାଲି ମୁଁ ଯେଉଁ ରୁମାଲ ନେଇ ଯାଇଥିଲି, ତାହା ପାଞ୍ଚ ଟଙ୍କାରେ ବିକ୍ରି ହୋଇ ଯାଇଛି । ଏଇ, ଟଙ୍କା ନିଅ । ଶୀଘ୍ର ବତୀ ଜାଳ ।”

 

ସକୀନା କୌଣସି ଉତ୍ତର ଦେଲା ନାହିଁ । ତା’ର ସୁଁ–ସୁଁ ହୋଇ କାନ୍ଦିବା ଶବ୍ଦ ଶୁଣାଗଲା-। ଅମର ଚମକି ଉଠି ପଚାରିଲା–କ’ଣ ହୋଇଛି ସକୀନା, କାନ୍ଦୁଛ ଯେ ?

 

ଶୋକଜଡ଼ିତ ସ୍ଵରରେ ସକୀନା କହିଲା–କିଛି ହୋଇ ନାହିଁ । ଆପଣ ଯା’ନ୍ତୁ, ମୁଁ ମା’କୁ ଟଙ୍କା ଦେଇ ଦେବି ।

 

ଅମର ବ୍ୟସ୍ତ ହୋଇ କହିଲା–ତୁମେ ନ କହିବା ପର୍ଯ୍ୟନ୍ତ ମୁଁ ଯିବି ନାହିଁ । ତେଲ ନଥିଲେ ମୁଁ ଆଣିଦେବି । କାଲି ଗୋଟାଏ ଲ୍ୟାମ୍ପ ନେଇ ଆସିବି । ଡିବିରି ଆଲୁଅ ପାଖରେ ବସି କାମ କଲେ ଆଖି ଖରାପ ହୁଏ । ଆପଣା ଲୋକ ପାଖେ ଲାଜ କ’ଣ ? ତୁମକୁ ମୁଁ ପର ଭାବୁଥିଲେ ଏଠିକି ବାରମ୍ବାର ଆସୁଥାନ୍ତି କାହିଁକି ?

 

ସକୀନା ସମ୍ମୁଖସ୍ଥ ଚାଳିଆକୁ ଯାଇ କହିଲା–ମୋ ଲୁଗା ଓଦା ହୋଇଛି । ଆପଣଙ୍କ ପାଟି ଶୁଣି ମୁଁ ଆଲୁଅ ନିଭାଇ ଦେଲି ।

 

“ଓଦାଲୁଗା ପିନ୍ଧିଛ–କାହିଁକି ?”

 

‘‘ଲୁଗା ମଇଳା ହୋଇଯାଇଥିଲା ଯେ ସାବୁନ–ମାରି ରଖି ଦେଇଥିଲି । ଆଉ କିଛି ପଚାରନ୍ତୁନି । ଆଉ କେହି ହୋଇଥିଲେ ତ ମୁଁ କବାଟ ଖୋଲି ନଥାନ୍ତି ।”

 

ଅମରକାନ୍ତର ଅନ୍ତର କାତର ହୋଇ ଉଠିଲା । ଓଃ, କି ଉତ୍କଟ ଦାରିଦ୍ର୍ୟ ! ପିନ୍ଧିବା ଲୁଗା ପର୍ଯ୍ୟନ୍ତ ନାହିଁ । ସେତେବେଳେ ସେ ଅନୁଭବ କଲା, ପୂର୍ବଦିନ ପଠାଣୁଣୀ ଯେଉଁ ରେଶମୀ କୁରୁତା ଓ ଟୋପି ଉପହାର ଦେଇଥିଲା, ତା’ପାଇଁ କିପରି ତ୍ୟାଗ ସେ କରିଛି । ଦୁଇ ଟଙ୍କାରୁ କମ୍ ତ ଖର୍ଚ୍ଚ ହୋଇ ନଥିବ ! ଦୁଇ ଟଙ୍କାରେ ତ ଦୁଇଟି ପାଇଜାମା ହୋଇ ପାରିଥାନ୍ତା । ଏହି ଦରିଦ୍ରମାନଙ୍କର କି ଉଦାରତା ! ଏମାନେ ଯାହାକୁ ନିଜର ଧର୍ମ ବୋଲି ମନେକରନ୍ତି, ତା’ପାଇଁ ଯେତେ କଷ୍ଟ ଆସିଲେବି ସହିବାକୁ ପ୍ରସ୍ତୁତ ଥାନ୍ତି ।

 

କମ୍ପିତ କଣ୍ଠରେ ସେ ସକୀନାକୁ କହିଲା–ତୁମେ ବତୀଟା ଲଗାଅ, ମୁଁ ଏଇ ଆସୁଛି ।

 

ସେ ପବନ–ବେଗରେ ଗୋବର୍ଦ୍ଧନ–ସରାଇରୁ ଛକ ପର୍ଯ୍ୟନ୍ତ ଚାଲିଗଲା ସିନା, ସେତେବେଳକୁ ବଜାର ବନ୍ଦ । କରେ କ’ଣ ? ସକୀନା ଏପର୍ଯ୍ୟନ୍ତ ଓଦାଲୁଗା ପିନ୍ଧି ବସିଥିବ ଯେ । ଆଜି ଏମାନେ ଏତେ ଶୀଘ୍ର ଦୋକାନ ପକାଇ ଦେଲେଣି । ସେହିପରି ବେଗରେ ସେ ଯାଇ ଘରେ ପହଞ୍ଚିଲା । ସୁଖଦା ପାଖରେ ତ ପଚାଶ କି ଶହେ ଶାଢ଼ି ଅଛି । ସେଥିରୁ କ’ଣ ଗୋଟାଏ–ଦୁଇଟା ସେ ଦେବ ନାହିଁ ? କିନ୍ତୁ ସେ ଯଦି ପଚାରେ, “କ’ଣ କରିବ’’, ତେବେ କି ଉତ୍ତର ଦେବି ? ସତ କଥା ସେ ସନ୍ଦେହ କରିପାରେ । ନା, ବର୍ତ୍ତମାନ ଦୋଷଗୁଣ ବାଛିବାର ବେଳ ନୁହେଁ, ଓଦା ଲୁଗା ପିନ୍ଧି ସକୀନା ତେଣେ ଚାହିଁ ରହିଥିବ । ସେତେବେଳେ ସୁଖଦା ତଳ ମହଲାରେ ଥିଲା । ସେ ଧୀରେ ଧୀରେ ଉପରକୁ ଚାଲିଯାଇ ସାଇତା ଲୁଗାସବୁ ଖୋଲିଲା ଓ ସେଥିରୁ ଚାରିଖଣ୍ଡ ଶାଢ଼ି ଧରି ଧୀରେ ଧୀରେ ଚାଲିଗଲା ।

 

ସୁଖଦା ପଚାରିଲା–ଏତେବେଳେ କୁଆଡ଼େ ଯାଉଛ ? ଖାଉନାହଁ କାହିଁକି ?

 

ଅମର ଦ୍ଵାର ସେପାଖରୁ ଉତ୍ତର ଦେଲା–ଏଇ ଆସୁଛି ।

 

କିଛିଦୂର ଯିବା ପରେ ସେ ଭାବିଲା–ଯଦି ସୁଖଦା କାଲି ଲୁଗାପଟା ଖୋଲି ଦେଖେ ଓ ଶାଢ଼ି ଖୋଜେ, ତେବେ ବଡ଼ ମୁସ୍କିଲ୍ ହେବ ତ ! ଚାକର–ବାକରଙ୍କ ମୁଣ୍ଡ ଯିବ ସିନା ! ସେତେବେଳେ କ’ଣ ସାହସର ସହିତ କରିପାରିବି ଯେ, ମୁଁ ସେ ଶାଢ଼ିଗୁଡ଼ିକ ଗୋଟିଏ ଗରିବ ସ୍ତ୍ରୀଲୋକକୁ ଦେଇ ଦେଇଛି ? ନା, ମୁଁ ଏହା କହିପାରିବି ନାହିଁ । ତେବେ କ’ଣ ଶାଢ଼ିଗୁଡ଼ିକ ନେଇ ରଖିଦେବି ? କିନ୍ତୁ ସକୀନା ଯେ ତେଣେ ଓଦାଲୁଗା ପିନ୍ଧି ବସିଥିବ ! ପୁଣି ଭାବିଲା–ସକୀନା ଏହି ଶାଢ଼ିଗୁଡ଼ିକ ପାଇ କି ପ୍ରସନ୍ନ ନ ହେବ ! ଏହି ଭାବନା ତାକୁ ମତ୍ତ କରିଦେଲା । କ୍ଷୀପ୍ର ପଦକ୍ଷେପରେ ସେ ଯାଇ ସକୀନା ପାଖରେ ପହଞ୍ଚିଲା ।

 

ସକୀନା ତା’ର ସ୍ଵର ଶୁଣିବାମାତ୍ରେ କବାଟ ଫିଟାଇ ଦେଲା । ବତୀ ଜଳୁଥାଏ । ଇତିମଧ୍ୟରେ, ନିଆଁ ଜଳାଇ ସେ ଲୁଗାପଟା ଶୁଖାଇ ନେଇଛି ଓ କୁରୁତା ପାଇଜାମା ପିନ୍ଧି, ଓଢ଼ଣୀ ପକାଇ ଠିଆ ହୋଇଛି । ଅମର ନେଇଥିବା ଶାଢ଼ିଗୁଡ଼ିକ ଖଟ ଉପରେ ଥୋଇ ଦେଇ କହିଲା–ବଜାରରେ ତ ମିଳିଲା ନାହିଁ, ଘର ପର୍ଯ୍ୟନ୍ତ ଯିବାକୁ ପଡ଼ିଲା । ଉପକାରୀ ଲୋକ ପାଖରେ ଲାଜ କରିବା ଠିକ୍ ନୁହେଁ ।

 

ସକୀନା ଶାଢ଼ିଗୁଡ଼ିକ ଦେଖିଲା ଓ ସଂକୋଚରେ କହିଲା–ବାବୁ, ଆପଣ ଅକାରଣରେ ଶାଢ଼ି ଦୁଇ ଯୋଡ଼ି ଆଣିଲେ । ମା’ ଦେଖିଲେ ଭୀଷଣ ରାଗିବ । ତେଣିକି ବୋଧହୁଏ, ଆପଣଙ୍କର ଏଠିକି ଆସିବା ମୁସ୍କିଲ୍ ହେବ । ଆପଣଙ୍କର ଶିଷ୍ଟତା ଓ ସହାନୁଭୂତି ବିଷୟରେ ମା’ ଯାହା କହେ, ମୁଁ ତା’ ଅପେକ୍ଷା ଅଧିକ ଦେଖୁଛି । ଆପଣ ଏଠିକି ବେଶି ଯିବା–ଆସିବା କରିବେ ନାହିଁ । କଲେ ଲୋକ ଅଯଥା ସନ୍ଦେହ କରିବେ । ମୁଁ ଚାହେଁନା ମୋ ଯୋଗୁଁ ଆପଣଙ୍କୁ କେହି ସନ୍ଦେହ ଦୃଷ୍ଟିରେ ଦେଖୁ ।

 

କି ମଧୁର ସେ ସ୍ଵର । କି ନମ୍ର ଭାବ, କି ବିଶ୍ୱାସ ! କିନ୍ତୁ ସେଥିରେ ନଥିଲା ଅମରର କଳ୍ପିତ ହର୍ଷ । ଯଦି ଏହି ସରଳ ସ୍ନେହକୁ ବୁଢ଼ୀ ସନ୍ଦେହ ଦୃଷ୍ଟିରେ ଦେଖେ, ତେବେ ତା’ର ଯିବା ଆସିବା ନିଶ୍ଚୟ ବନ୍ଦ ହୋଇଯିବ । ସେ ନିଜର ମନକୁ ତନ୍ନତନ୍ନ କରି ଦେଖିଲା–ଏପରି ସନ୍ଦେହର କୌଣସି କାରଣ ଅଛି କି ? ମନ ତାହାର ସ୍ଵଚ୍ଛ, ସେଥିରେ କୁତ୍ସିତ ଭାବନା ଆଦୌ ନାହିଁ । ତଥାପି ସକୀନାକୁ ସାକ୍ଷାତ କରିବା ବାଧାପ୍ରାପ୍ତ ହେବାର ସମ୍ଭାବନା ତା’ ପକ୍ଷରେ ଅସହ୍ୟ ହେଲା । ତା’ର ଶାସିତ–ଦଳିତ ପୁରୁଷତ୍ଵ ନିଜର ସ୍ଵାଭାବିକ ରୂପ ଧରି ପ୍ରକଟ ହୋଇ ପାରୁଥିଲା । ସୁଖଦାର ପ୍ରତିଭା, ପ୍ରଗଳ୍‌ଭତା ଓ ସ୍ୱତନ୍ତ୍ରତା ତା’ର ଚିନ୍ତାର ବିଷୟ ଥିଲା । ସେ ଯେପରି ତା’ ପାଖରେ ନିଜକୁ ଦବାଇ ରଖିବାକୁ ବାଧ୍ୟ ହେଉଥିଲା । ଆତ୍ମାରେ ଯେ ଏକପ୍ରକାର ବିକାଶ ଓ ବ୍ୟକ୍ତିକରଣର ଆକାଂକ୍ଷା ଥାଏ, ତାହା ଅପୂର୍ଣ୍ଣ ରହିଯାଉଥିଲା । ସୁଖଦା ତାକୁ ପରାଭୂତ କରି ଦେଉଥିଲା; କିନ୍ତୁ ସକୀନା ତାକୁ କରୁଥିଲା ପୌରୁଷାନ୍ଵିତ । ତା’ ପକ୍ଷରେ ସୁଖଦା ଥିଲା ଅଫିସ୍ ଓ ସକୀନା ଥିଲା ଘର-। ସେ ଥିଲା ସେଠାରେ କର୍ମଚାରୀ ଓ ଏଠାରେ ସ୍ୱାମୀ ।

 

ସେ ଶାଢ଼ିଗୁଡ଼ିକ ଉଠାଇ ନେଇ ବ୍ୟଥିତ କଣ୍ଠରେ କହିଲା–ତାହାହେଲେ ମୁଁ ଏ ଶାଢ଼ି ନେଇଯାଉଛି, ସକୀନା ! କିନ୍ତୁ ୟା’ ଫଳରେ ମୁଁ କେତେ ଦୁଃଖିତ ହେବି, ତା’ ପ୍ରକାଶ କରି ହେଉ ନାହିଁ । ଆଉ ରହିଲା–ମୋର ଯିବା–ଆସିବା । ଯଦି ତୁମେ ମୋର ଯିବା–ଆସିବା ନ ଚାହୁଁଥାଅ, ତେବେ ମୁଁ ଭୁଲରେ ସୁଦ୍ଧା ଆସିବି ନାହିଁ, କିନ୍ତୁ ପଡ଼ୋଶୀମାନଙ୍କୁ ମୁଁ ଭ୍ରୂକ୍ଷେପ କରେନାହିଁ ।

 

ସକୀନା କରୁଣ ସ୍ଵରରେ କହିଲା–ବାବୁ ! ଆପଣଙ୍କୁ ହାତ ଯୋଡ଼ୁଛି, ଏପରି କଥା କହନ୍ତୁନି । ଆପଣ ଯେଉଁଦିନରୁ ଯିବା–ଆସିବା କଲେଣି, ସେହିଦିନଠାରୁ ଦୁନିଆ ମୋତେ ନୂଆ ପରି ଲାଗୁଛି । ମୁଁ ଅନ୍ତରରେ ଏପରି ଶକ୍ତି, ଏପରି ଉତ୍ସାହ ଅନୁଭବ କରୁଛି, ଯାହାକୁ ଗୋଟାଏ ନିଶା ବୋଲି କହିପାରେ । ହେଲେ ଅପବାଦ ଭୟ ତ ଅଛି ।

 

ଅମର ଉନ୍ମତ୍ତ ପରି କହିଲା–ମୁଁ ନିନ୍ଦା–ଅପବାଦକୁ ଖାତିର, କରେ ନାହିଁ ସକୀନା ! ତଳେବି ଖାତିର କରେନା ।

 

ପରନ୍ତୁ ସେହି ମୁହୂର୍ତ୍ତରେ ସେ ବୁଝିପାରିଲା ଯେ ସେ ଭୁଲ କରୁଛି । କହିଲା–ତୁମ କଥା ଠିକ୍ । ଦୁନିଆ ଆଉ କିଛି କରି ନ ପାରୁ ପଛେ, ଅପବାଦ ଦେଇପାରିବ ।

 

ସକୀନା ଅମରର ମୁଖଭଙ୍ଗୀ ଦେଖିଲା । ଜଣାଯାଉଥିଲା, ସେ ଯେପରି କାନ୍ଦିବାକୁ ଚାହୁଁଛି । ସକୀନାର ଇଚ୍ଛା ହେଲା ଶାଢ଼ିକୁ ନେଇ ଛାତିରେ ଚାପି ଧରିବାକୁ; ମାତ୍ର ସଂଯମ ତା’ ହାତକୁ ଅଚଳ କରିଦେଲା । ଅମର ଶାଢ଼ି ଚାରିଖଣ୍ଡ ଧରି ଟଳଟଳ ପାଦରେ ଦ୍ଵାର ଅତିକ୍ରମ କରିଗଲା–ସତେବା କେଉଁ ମୁହୂର୍ତ୍ତରେ ପଡ଼ିଯିବ !

 

Unknown

–୧୩–

 

ଅମରକାନ୍ତର ମନ ପୁନଶ୍ଚ ଘର ପ୍ରତି ବିରକ୍ତ ହୋଇ ଉଠିଛି । ତା’ର ଆଖିରେ ଲାଖିରହିଛି ସକୀନା । ସକୀନାର ଏହି ଶବ୍ଦଗୁଡ଼ିକ ତା’ କାନରେ ବାଜି ଉଠୁଛି–“....ଦୁନିଆ ମୋତେ ନୂଆ ପରି ଲାଗୁଛି । ମୁଁ ଅନ୍ତରରେ ଏପରି ଶକ୍ତି, ଏପରି ଉତ୍ସାହ ଅନୁଭବ କରୁଛି....” ତା’ର ପୁରୁଷ କଳ୍ପନାକୁ ଏହି ଶବ୍ଦଗୁଡ଼ିକରୁ ଏପରି ଉତ୍ତେଜନା ମିଳୁଛି ଯେ, ସେ ଆତ୍ମହରା ହୋଇ ଯାଉଛି । ଦୋକାନ ପ୍ରତି ତା’ର ଆଗ୍ରହ କମିଗଲାଣି । ରମଣୀ–ସୁଲଭ ନମ୍ରତା ଓ ସଲଜ୍ଜ ଅନୁରୋଧର ସ୍ଵାଦ ପାଇବାପରେ, ସୁଖଦାର ପ୍ରତିଭା ଓ ଗାରିମା ତାକୁ ଘର ପ୍ରାୟ ବୋଧ ହେଉଛି । ସେଠାରେ ସବୁଜ ସୁନ୍ଦର ପତ୍ରରେ ଥିଲା ଶୁଷ୍କ–ରୁକ୍ଷ ଭୋଜ୍ୟ, ଏଠାରେ ଥିଲା ପୂର୍ଣ୍ଣ–ରୌପ୍ୟ ପାତ୍ରରେ ସଜ୍ଜିତ ବିବିଧ ବ୍ୟଞ୍ଜନ । ସେଠାରେ ଥିଲା ନିଷ୍କପଟ ସ୍ନେହ, ଏଠାରେ ଐଶ୍ୱର୍ଯ୍ୟର ଆଡ଼ମ୍ବର । ତେଣେ ନିଷ୍କପଟ ସ୍ନେହ ତାକୁ ନିଜ ଆଡ଼କୁ ଟାଣୁଛି, ଏ ଦିଗରେ ଐଶ୍ୱର୍ଯ୍ୟର ଆଡ଼ମ୍ବର ତାକୁ ନିଜଠାରୁ ଠେଲି ଦେଉଛି-। ବାଲ୍ୟକାଳରୁ ସେ ମାତୃସ୍ନେହରୁ ବଞ୍ଚିତ । ଜୀବନର ପନ୍ଦରଟି ବର୍ଷ ତା’ର ବିତିଛି ରୁକ୍ଷ ଶାସନ ଭିତରେ । କେତେବେଳେ ମା’ ଗାଳି ଦିଅନ୍ତି, କେତେବେଳେ ବାପା ବିରକ୍ତ ହୁଅନ୍ତି-। କେବଳ ନୟନାର କୋମଳତା ତା’ର ଭଗ୍ନ–ହୃଦୟ ଉପରେ ଶୀତଳ ପ୍ରଲେପ ଚଢ଼ାଏ । ସୁଖଦା ମଧ୍ୟ ଆସିଲା ସେହିପରି ଶାସନ ଓ ଗାରିମା ନେଇ‌ । ତା'ଠାରୁବି ସ୍ନେହର ପ୍ରସାଦ ପାଇଲା ନାହିଁ । ବହୁ ସରୋବରର ଶୁଷ୍କ–ତଟରୁ ନିରାଶ ହୋଇ ଫେରିଥିବା ସ୍ନେହ–ପିପାସୁ ପକ୍ଷୀଟି ଗୋଟିଏ ସ୍ନେହ–ସୁଶୀତଳ ଛାୟାପ୍ରଦ ସ୍ଥଳ ପାଇ, ବିଶ୍ରାନ୍ତି ଓ ତୃପ୍ତିଲାଭ ଲୋଭରେ ସେଇଠି ଶରଣ ନେଲା-। ସେଠାରେ କେବଳ ଶୀତଳ ଛାୟା ନୁହେଁ ଜଳ ମଧ୍ୟ ଥିଲା । ପକ୍ଷୀ–ହୃଦୟ ସେଠାରେ ମୁଗ୍ଧ ହୋଇଯିବା ଆଶ୍ଚର୍ଯ୍ୟ କ’ଣ !

 

ସେଦିନ ସକୀନାର ବିକଟ ଦରିଦ୍ରତା ଦେଖି ସେ ଆଘାତ ପାଇଛି । ବହୁ ଦିନରୁ ତା’ର ମନ ମଧ୍ୟରେ ଶାନ୍ତ ହୋଇ ରହିଥିବା ବିଦ୍ରୋହ ପୁନର୍ବାର ଦ୍ୱିଗୁଣ ଶକ୍ତି ନେଇ ଉଠିଛି ।

 

ସେ ଧର୍ମ ବିରୁଦ୍ଧରେ ବିଦ୍ରୋହ ଆରମ୍ଭ କରି ଦେଇଛି । ଧନ ସମ୍ବନ୍ଧରେ ବାଲ୍ୟକାଳରୁ ତା’ର ଅଭିଜ୍ଞତା ରହିଆସିଛି । ଧର୍ମବନ୍ଧନ ତଦ୍‍ପେକ୍ଷା ଅଧିକ କଠୋର, ଅସହ୍ୟ ଓ ଅମୂଳକ । ଧର୍ମର ଉଦ୍ଦେଶ୍ୟ ସଂସାରରେ ଏକତା ଓ ସୌହାର୍ଦ୍ଦ୍ୟ ଉତ୍ପନ୍ନ କରିବା । ତା’ ପରିବର୍ତ୍ତେ ତାହା ଦ୍ୱେଷ ଓ ବିଭେଦ ସୃଷ୍ଟି କରୁଛି । ଖାଦ୍ୟ–ପେୟ, ଆଚାର–ବ୍ୟବହାରରେ ଧର୍ମର ହସ୍ତକ୍ଷେପ କାହିଁକି ? ମୁଁ ଚୋରି କରେ, ହତ୍ୟା କରେ, ପ୍ରତାରଣା କରେ, ଧର୍ମ ମୋତେ ବିଚ୍ୟୁତ କରିପାରୁନାହିଁ । ଅଛୁଆଁ ହାତରୁ ପାଣି ପିଇଦେଲେ ଧର୍ମ ଛାଡ଼ି ପଳାଉଛି ! ଆଚ୍ଛା ଧର୍ମ ତ ! ଧର୍ମ ବାହାରେ ଆମେ କାହାରି ସହିତ ଆତ୍ମାର ସମ୍ବନ୍ଧବି ରଖିପାରିବୁ ନାହିଁ । ଧର୍ମ ଆତ୍ମାକୁବି ବାନ୍ଧି ରଖିଛି, ପ୍ରେମକୁବି ଚାପି ରଖିଛି-। ଏହା ଧର୍ମ ନୁହେଁ, ଧର୍ମର କଳଙ୍କ ।

 

ଅମରକାନ୍ତ ଏହିପରି ଚିନ୍ତା–ଜାଲରେ ପଡ଼ିଯାଏ । ବୁଢ଼ୀ ପ୍ରତି ମାସ, କେବେକେବେ ମାସରେ ଦୁଇ–ତିନି ଥର ମଧ୍ୟ, ରୁମାଲ ପୁଟୁଳା ନେଇଆସେ ଓ ଅମର ତା’ କହିବା ମୁତାବକ ଦାମ୍ ଦେଇ ରଖିନିଏ । ରେଣୁକା ତାକୁ ହାତଖର୍ଚ୍ଚ ପାଇଁ ଯେଉଁ ଟଙ୍କା ଦିଅନ୍ତି, ସେ ସବୁତକ ଏହି ରୁମାଲ କିଣାରେ ସରେ । ଏ ବ୍ୟବସାୟରେ ସଲୀମ‌୍‌ର ମଧ୍ୟ ଅଂଶ ଥାଏ । ତା’ର ବନ୍ଧୁମାନଙ୍କ ଭିତରେ ଏପରି କେହି ନଥିଲା, ଯେ କି ଡଜନେ ଅଧଡ଼ଜନେ ରୁମାଲ ନେଇ ନଥିବ । ସଲୀମ୍‌ର ଘରୁ ମଧ୍ୟ ସିଲେଇର ବରାଦ ମିଳିଯାଏ । ବୁଢ଼ୀର–ସୁଖଦା ଓ ରେଣୁକାଙ୍କ ସଙ୍ଗେ ମଧ୍ୟ ପରିଚୟ ହୋଇ ଯାଇଛି । ଶାଢ଼ି ଓ ଚାଦରରେ ଚିତ୍ର ସିଲେଇ କରିବାର କାମବି ମିଳୁଛି । ଅମର ସେହିଦିନରୁ ବୁଢ଼ୀ ଘରକୁ ଯାଇନାହିଁ । କେତେ ଥର ସେ ଦୃଢ଼ ଇଚ୍ଛା ନେଇ ବାହାରିଛି; କିନ୍ତୁ ଅଧବାଟରୁ ଫେରି ଆସିଛି-

 

କଲେଜରେ ଥରେ ‘ଧର୍ମ’ ବିଷୟରେ ତର୍କସଭା ହେଲା । ସେହି ଅବସରରେ ଅମର ଯେଉଁ ଭାଷଣ ଦେଲା, ତାହା ସାରା ଚହଳ ପକାଇଦେଲା । ସେ ଏବେ ଅନୁଭବ କରୁଛି–ଶାନ୍ତିଦ୍ଵାରାହିଁ ଦେଶର ଉଦ୍ଧାର ସମ୍ଭବ । କ୍ରାନ୍ତି, ଯାହାକି ସର୍ବବ୍ୟାପୀ ହୋଇଥିବ; ଯାହାକି ମିଥ୍ୟା ଆଦର୍ଶ, ବ୍ୟର୍ଥ ସିଦ୍ଧାନ୍ତ ଓ ପରିପାଟୀକୁ ଧ୍ଵଂସ କରିଦେବ, ଯାହା ନବ–ଯୁଗର ପ୍ରବର୍ତ୍ତନ କରି ଏକ ଅଭିନବ ସୃଷ୍ଟି କରିପାରିବ; ଯାହା ମାଟି–ପଥରର ଅଗଣିତ ଦେବ–ଦେବୀଙ୍କୁ, ଭାଙ୍ଗି–ଚୂରି ଧୂଳିସାତ୍ କରିଦେବ; ଯେଉଁ କ୍ରାନ୍ତି ଧନ–ଧର୍ମର ଆଶ୍ରିତ ଶାସନ କବଳରୁ ମନୁଷ୍ୟକୁ ମୁକ୍ତ କରିଦେବ । ତା’ର ପ୍ରତ୍ୟେକ ଅଣୁ ‘କ୍ରାନ୍ତି–କ୍ରାନ୍ତି' ଉଚ୍ଚାରଣ କରି ଉଠୁଛି । କିନ୍ତୁ, ଉଦାର ହିନ୍ଦୁ–ସମାଜ ତା’ର ଲୋକାଚାର ଉପରେ ପ୍ରକାଶ୍ୟ ଆଘାତ ନ ଦେଖିଲା ପର୍ଯ୍ୟନ୍ତ ପାଟି ଫିଟାଏ ନାହିଁ । କ୍ରାନ୍ତି କାହିଁକି, କ୍ରାନ୍ତିର ବାପ ସମ୍ବନ୍ଧରେ କେହି ଯଦି ଉପଦେଶ ଦିଏ, ତେବେ ସେ ତେଣିକି କାନ ଦିଏ ନାହିଁ । ମାତ୍ର ଉପଦେଶର ସୀମା ପାର ହୋଇ ଯଦି କେହି ବ୍ୟବହାର–କ୍ଷେତ୍ରରେ ପାଦ ପକାଏ, ତେବେ ସମାଜ ତାହାର ଗଳା ଧରିବାରେ ହେଳା କରେ ନାହିଁ । ଏପର୍ଯ୍ୟନ୍ତ ଅମରର କ୍ରାନ୍ତି ଭାଷଣ ଓ ଲେଖାରେ ସୀମିତ ଥିଲା । ଡିଗ୍ରୀ ପରୀକ୍ଷା ଶେଷ ହେବା ସଙ୍ଗେ ସଙ୍ଗେ ବ୍ୟବହାର–କ୍ଷେତ୍ରରେ ପ୍ରବେଶ କରିବାକୁ ତା’ର ଇଚ୍ଛା; କିନ୍ତୁ ପରୀକ୍ଷାର ଦୁଇ ମାସ ପୂର୍ବରୁ ଏପରି ଏକ ଘଟଣା ଘଟିଛି, ଯାହାକି ତାକୁ କର୍ମକ୍ଷେତ୍ରରେ ପ୍ରବେଶ କରିବାକୁ ବାଧ୍ୟ କରିଛି । ତାହା ହେଉଛି–ସକୀନାର ବିବାହ ।

 

ଦିନେ ସନ୍ଧ୍ୟାରେ ଅମର ଦୋକାନରେ ବସିଛି, ଚିତ୍ର କରାଯାଇଥିବା ସୁଖଦାର ଖଣ୍ଡିଏ ଶାଢ଼ି ଧରି ବୁଢ଼ୀ ପହଞ୍ଚିଲା ଓ ଅମରକୁ କହିଲା–ପୁଅ, ଆଲ୍ଲାଙ୍କ ଦୟାରୁ ସକୀନାର ସାଦି ଠିକ୍ ହୋଇ ଯାଇଛି । ମାସ ଆଠ ଦିନେ ସାଦିଘର ହେବ । ଆଉ ସବୁ ସାମାନ ପତର ତ ମୁଁ ଯେ ଗାଡ଼ି କରି ନେଇଛି । ବାକି କିଛି ଟଙ୍କା ତୁମେ ସା’ଯ୍ୟ (ସାହାଯ୍ୟ) କରିବ ।

 

ଅମରର ନାଡ଼ି ସେପରି ରକ୍ତଶୂନ୍ୟ ହୋଇଗଲା ! ଶୁଷ୍କ କଣ୍ଠରେ କହିଲା–ସକୀନାର ସାଦି ! ଏତେ ତରବର ହେବାର କ’ଣ ଦରକାର ଥିଲା ଯେ !

 

କ’ଣ କରିବି, ପୁଅ ! ଘରେ ତ ଯେଉଁ ଅଭାବ, ତା’ପରେ ଜୁଆନ୍ ଝିଅଟା, ବଦନାମୀକିବି ଡର ।

 

“ସକୀନା କ’ଣ ରାଜି ଅଛି ?”

 

ବୁଢ଼ୀ ସରଳ ଭାବରେ କହିଲା–ଝିଅମାନେ କ'ଣ ଏ କଥା ମୁହଁ ଖୋଲି କହନ୍ତି, ବାପା ! ସେ ତ ନାଇଁ–ନାଇଁ କହୁଛି ।

 

ଅମର ଗର୍ଜି ଉଠି କହିଲା–ତଥାପି ତୁମେ ତା’ର ବିବାହ କରି ଦେଉଛ ? ପରେ ଧୈର୍ଯ୍ୟ ଧରି କହିଲା–ଟଙ୍କା କଥା ବାପାଙ୍କୁ ପଚାର ।

 

“ମୁଁ ନିଜେ ତ କହିବି; ହେଲେ ତୁ ଟିକିଏ ମୋ ତରଫ ହେଇ କହିବୁ, ପୁଅ ।”

 

“ମୁଁ କହିବାକୁ କିଏ ? ମୋ ଅପେକ୍ଷା ତୁମକୁ ବାପା ବେଶି ଚିହ୍ନନ୍ତି ।”

 

ବୁଢ଼ୀ ସେଇଠି ଠିଆ ହୋଇଛି, ଉଦ୍‍ବିଗ୍ନ ହୋଇ ଧାଇଁଲା ସଲୀମ୍ ପାଖକୁ । ସଲୀମ୍ ତା’ର ଅଶାନ୍ତ ରୂପ ଦେଖି ପଚାରିଲା–କିରେ, ସବୁ ଭଲ ତ ? ଏମିତି ଉଦ୍‍ବିଘ୍ନ ଜଣାପଡ଼ୁଛୁ ଯେ ?

 

ଅମର ପ୍ରକୃତିସ୍ଥ ହୋଇ କହିଲା–ମୁଁ କାହିଁକି ଉଦ୍‍ବିଗ୍ନ–ହେବି ମ ? ତୁ ହେଉଥିବୁ ।

 

“ହେଉ ତେବେ ଆ, ନୟା ଗଜଲ୍‍ ଶୁଣାଏଁ । ଏମିତି ପଦସବୁ ଲେଖିଛି ଯେ, ଶୁଣିଲେ ନାଚି ନ ଉଠିବୁ ତ କହିବୁ ।”

 

ଅମରକାନ୍ତର ଗଳାରେ ଯେପରି ଗୋଟାଏ ଫାଶୀ ଲାଗିଗଲା ! ଇଚ୍ଛା ନାହିଁ ବୋଲି କହୁଛି ବା କିପରି ? ସଲୀମ୍ କବିତା ପଢ଼ିଲା–

 

ଅଜାଣତେ ରାତି ପାହି ସକାଳ ହୁଏ,

କଥାରେ କଥାରେ ଯା’ର ହଜେ ମୋ ମନ,

ବରଷାର ଭିଜା–ଭିଜା ରାତିରେ ତାତି

ଛାତିରେ ମୋ ଭରିଯାଏ ଯାହା ସମାନ ।

ଅମର ଉପର ମନରେ କହିଲା–ଭଲ ହୋଇଛି ।

ସଲୀମ୍ ହତୋତ୍ସାହ ନ ହୋଇ ଦ୍ଵିତୀୟ ପଦ ପଢ଼ିଲା–

ମୋ ଆଖି କହିଲା କିବା ଉପରେ ଉଠି,

କି କହିଦେଲା ତା’ ଆଖି ତଳକୁ ଚାହିଁ,

କେତେ କାଳୁ ତା’ର ମୋର ଥିଲା ଯେ କଳି,

କଥାରେ କଥାରେ କାହିଁ ଗଲା ମିଳାଇ ।

 

ଅମର ଝୁଲିଉଠି କହିଲା–ଠିକ୍ ଲେଖିଛୁ ଭାଇ, ବାଃ–ବାଃ । ଆଣିଲୁ ତୋ କଲମ, ଗୋଟିଏ ଚୁମା ଦିଏଁ !

 

ସଲୀମ୍ ତୃତୀୟ ପଦ ପଢ଼ିଲା–

 

ମାନୁଛି ମୁଁ ପୂରିଥିଲା ଛଳନା ଖାଲି

ଛଳନା ତା’ର ସେ ମହୁବୋଳା କଥାରେ

ଶୁଣୁଥିଲି ମନସୁଖେ ତାହା ତ ପୂରି

ନଥିଲା ଏ ମଶାଣିର ନୀରବତାରେ ।

 

ଅମର ନିଜର ଛାତି ଚାପି ଧରିଲା–ଅବ୍ୟକ୍ତ ବେଦନା ଭାଇ, ମର୍ମସ୍ଥଳ ମନ୍ଥି ପକାଉଛି ।

 

ଟିକିଏ ପରେ ସଲୀମ୍ ଆରମ୍ଭ କଲା–ଆରେ, ଆଉ ତ ମାସେ ହେଲା ସକୀନା କ’ଣ ଆଦୌ ରୁମାଲ ପଠାଉନି !

 

ଅମର ଗମ୍ଭୀର ହୋଇ କହିଲା–ତୁ ତ ଭାଇ ଥଟ୍ଟା କରିବୁ । ତା’ର ପରା ସାଦି ହେଉଛି । ଆଉ ତ ମୋଟେ ଗୋଟାଏ ସପ୍ତାହ ରହିଲା ।

 

“ତାହାହେଲେ ତୁ କନ୍ୟା ତରଫରୁ ବରଯାତ୍ରୀରେ ଯିବୁ, ମୁଁ ଯିବି ବର ପକ୍ଷରୁ ।”

 

ଅମର କ୍ରୋଧରେ କହିଲା–ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ଏ ବିବାହ ହୋଇପାରିବ ନାହିଁ । ମୁଁ ତୋତେହିଁ କହୁଛି, ସଲୀମ୍, ମୁଁ ତା’ ଦୁଆରେ ଆତ୍ମହତ୍ୟା କରିବି, ମଥା ପିଟି ମରିବି ।

 

ସଲୀମ୍ ବ୍ୟସ୍ତ ହୋଇ ପଚାରିଲା–ଏ ତୁ କିପରି କଥା କହୁଛୁ, ଭାଇ ! ତୁ ସକୀନାପାଇଁ ପାଗଳ ହୋଇ ଯାଇଛୁ ନା କ’ଣ ? ସତରେ ମୁଁ ଠିକ୍ ଅନୁମାନ କରିଥିଲି ।

 

ଅମର ଆଖିରେ ଲୁହ । କହିଲା–ମୁଁ କହିପାରିବି ନାହିଁ ସଲୀମ୍, ମୋର ଦଶା ଏପରି ହେଲା କାହିଁକି ? ଯେତେବେଳୁ ମୁଁ ଏ ଖବର ଶୁଣିଲୁଣି, ମୋ ଛାତି ଭିତରେ ଯେପରି କରତି ହୋଇ ଯାଉଛି ।

 

“ହେଲା, ତୁ ଏବେ ଚାହୁଁଛୁ କ’ଣ ଯେ ? ତୁ ତ ତାକୁ ଆଉ ବିବାହ କରିପାରିବୁନି !”

 

“କାହିଁକି ନ ପାରିବି ?”

 

“ପିଲାଙ୍କ ପରି ହୋ’ନା, ଟିକିଏ ବୁଦ୍ଧି ଖର୍ଚ୍ଚ କର ।”

 

“ତୁ ତ କହୁଛୁ ଯେ ସେ ମୁସଲମାନ ଆଉ ମୁଁ ହିନ୍ଦୁ ? ପ୍ରେମ ନିକଟରେ ଧର୍ମାଧର୍ମ ବିଚାରର ଯଥାର୍ଥତା ନାହିଁ, ବିଲ୍‍କୁଲ୍ ନାହିଁ ।”

 

ସଲୀମ୍ ଅବିଶ୍ଵାସ ପ୍ରକାଶ କଲା । ତୋର ମତବାଦ ଭାଷଣରୂପେ ଶୁଣିଛି, ଖବରକାଗଜରୁ ପଢ଼ିଛି । ଏପରି ମତବାଦ ଅତି ଉନ୍ନତ ଓ ପବିତ୍ର । ଏହା ଦୁନିଆରେ ବିପଦ ସୃଷ୍ଟି କରିପାରେ । ଏହି ମତବାଦ ପ୍ରଚାର କରି କେତେକ ଖ୍ୟାତି ଅର୍ଜନ କରିଛନ୍ତି; କିନ୍ତୁ କୌଣସି କଥାରେ ବାଦାନୁବାଦ କରିବା ଓ ତାକୁ କାର୍ଯ୍ୟରେ ପରିଣତ କରିବା ଏକା କଥା ନୁହେଁ । ବିପ୍ଳବ ବିଷୟରେ ଯୁକ୍ତିତର୍କ କର, ଲୋକେ ଆଗ୍ରହରେ ଶୁଣିବେ; କିନ୍ତୁ ବିପ୍ଳବ କରିବାପାଇଁ ଅସ୍ତ୍ର ଧରିଲ ତ ସାରା ସୋସାଇଟିର ଦୁଶ୍ମନ ହୋଇଯିବ । ଯୁକ୍ତିତର୍କ କାହାକୁ ବାଧେ ନାହିଁ, କିନ୍ତୁ ବିପ୍ଳବରେ ଉଠେ ଜୀବନ–ମରଣର ପ୍ରଶ୍ନ । ଆଚ୍ଛା, ତୁ କ’ଣ ସକୀନାକୁ ପଚାରିଛୁ ? ସେ ତୋତେ ବିବାହ କରିବାକୁ ରାଜି ?

 

ଅମର ଚୁପ୍ ରହିଗଲା । ଏ କଥା ସେ ଆଦୌ ଭାବି ନାହିଁ । ସେ ପ୍ରାୟ ମନେମନେ ଧରି ନେଇଗଲା, ସେ ତ ରାଜି ନିଶ୍ଚୟ, କେବଳ ମୋ କହିବାଟା ବାକି । ତା’ର ସେ ଦିନର କଥା ପରେ ତାକୁ ଆଉ କିଛି ପଚାରିବା ଆବଶ୍ୟକ କ’ଣ ?

 

‘‘ତୋର ବିଶ୍ଵାସ ହେଲା କିପରି ?’’

 

‘‘ତା’ର କଥାବାର୍ତ୍ତାରୁ; ଯାହାର ଅର୍ଥ ୟା’ ଛଡ଼ା ଆଉ କିଛି ହୋଇ ନ ପାରେ ।”

 

“ତୁ ତାକୁ କହିଛୁ–ମୁଁ ତୁମକୁ ବିବାହ କରିବାକୁ ଚାହେଁ ?”

 

“ମୁଁ ଜାଣେ, ତାକୁ ପଚାରିବା ଦରକାର ନାହିଁ ।”

 

“ତାହାହେଲେ ସେ ତୋତେ କୃତଜ୍ଞତା ଦେଖାଇବାକୁ ଯାଇ ଯାହା ଯାହା କହିଥିଲା, ତୁ ତାକୁ'ଇ ବିବାହର ସ୍ଵୀକୃତି ବୋଲି ଧରି ନେଇଛୁ ? ଧନ୍ୟ ତୋ ବୁଦ୍ଧିରେ ! ମୁଁ ଆଗ ପଚାରେ, ତୁ ଭାଙ୍ଗ ଖାଇ ନାହୁଁ ତ ? ନା ବେଶିଗୁଡ଼ାଏ ପଢ଼ି ପଢ଼ି ତୋ ମଥା ଖରାପ ହୋଇଗଲାଣି ? ପରୀ ଭଳି ସୁନ୍ଦରୀ ସ୍ତ୍ରୀ, ଚାନ୍ଦ ପରି ସୁନ୍ଦର ପୁଅ, ସଂସାରର ସମସ୍ତ ଦୁର୍ଲ୍ଲଭ ବସ୍ତୁକୁ ଜଳାଞ୍ଜଳି ଦେବାକୁ ତିଆର, ସେହି ଲାବଣ୍ୟମୟୀ ଓ ସମ୍ଭବତଃ ସୁଶୀଳା ତନ୍ତୀ ଝିଅଟାପାଇଁ ! ତୁ କ'ଣ ଏ ବିଷୟକୁ ଗୋଟାଏ ବକ୍ତୃତା ନା ଲେଖା ମନେକରିଛୁ ? ସହରସାରା ଚହଳ ପଡ଼ିଯିବ ବାବୁ, ଭୂମିକମ୍ପ ଆରମ୍ଭ ହୋଇଯିବ । କେବଳ ଏହି ସହର ତ ନୁହେଁ, ରାଜ୍ୟସାରା, ସାରା ଭାରତରେ ବୋଲ । କି ଫେରରେ ଏ ପଡ଼ିଛିରେ ବାବା, ଜୀବନଟା ଚାଲିଯିବାବି ଅସମ୍ଭବ ନୁହେଁ ।”

 

ଅମରକାନ୍ତ ଏ ସମସ୍ତ ବାଧା–ବିପଦ ବିଷୟରେ ଚିନ୍ତା କରିସାରିଥିଲା । ସେଥିପାଇଁ ସେ ତିଳେହେଲେ ବିଚଳିତ ନଥିଲା କି ସମାଜର ଦଣ୍ଡ–ବିଧାନକୁ ମଧ୍ୟ ସେ ଭ୍ରୂକ୍ଷେପ କରୁ ନଥିଲା । ନିଜର ଅଧିକାର ତ୍ୟାଗ କରି କାପୁରୁଷ ଜୀବନ ଯାପନ କରିବା ଅପେକ୍ଷା ଅଧିକାର ରକ୍ଷାପାଇଁ ମୃତ୍ୟୁବରଣ କରିବା ତା’ ବିଚାରରେ ଶ୍ରେୟସ୍କର । ତା’ ଜୀବନକୁ ଛାରଖାର କରି ଦେବାର କୌଣସି ଅଧିକାର ସମାଜର ନାହିଁ । ସେ କହିଲା–ମୁଁ ଏ ସବୁ ଜାଣେ, ସଲୀମ୍ ! କିନ୍ତୁ ମୁଁ ମୋର ଆତ୍ମାକୁ ସମାଜର ଦାସ କରି ରଖିବାକୁ ଚାହେଁନା । ପରିଣାମ ଯାହା ହେଲେବି ମୁଁ ସେଥିପାଇଁ ପ୍ରସ୍ତୁତ । ଏ ବିଷୟ ସକୀନା ଓ ମୋ ମଧ୍ୟରେ ସୀମିତ । ଆମ ବିଷୟରେ ସୋସାଇଟିର ହସ୍ତକ୍ଷେପ କରିବାର କୌଣସି ଅଧିକାର ନାହିଁ ।

 

ସଲୀମ୍ ସନ୍ଦିଗ୍‌ଧ ଭାବରେ ମୁଣ୍ଡ ହଲାଇ କହିଲା–ସିକୀନା କେବେ ରାଜି ହେବ ନାହିଁ, ଯଦି ତୋ ପ୍ରତି ପ୍ରକୃତରେ ତା’ର ପ୍ରେମ ଥାଏ । ହଁ, ସେ ଯଦି ତୋ ପ୍ରେମର ସୁଆଙ୍ଗ ଦେଖିବାକୁ ଚାହୁଁଥାଏ, ତାହାହେଲେ ହୁଏତ ରାଜି ହୋଇ ଯାଇପାରେ । କିନ୍ତୁ ମୁଁ ପଚାରୁଛି, ତା'ଠିଁ ଏମିତି କି ବିଶେଷତ୍ଵ ଅଛି ଯେ ତୁ ତା’ପାଇଁ ଏତେ ବଡ଼ ତ୍ୟାଗ କରିବାକୁ ଆଉ କେତେଟା ଜୀବନ ଛାରଖାର କରିଦେବାକୁ ତିଆର ?

 

ଅମରକୁ ଏହା ଅପ୍ରିୟ ଲାଗିଲା । ମୁଖବିକୃତ କରି କହିଲା–ମୁଁ କୌଣସି ତ୍ୟାଗ ସ୍ଵୀକାର କରିବାକୁ କି କାହାର ଜୀବନ ଛାରଖାର କରିବାକୁ ଯାଉ ନାହିଁ ତ । ମୋ ଆତ୍ମା ମୋତେ ଯେଉଁ ପଥ ଦେଖାଉଛି, ମୁଁ କେବଳ ସେହି ପଥରେ ଯାଉଛି । ମୁଁ କୌଣସି ପାରିବାରିକ ସମ୍ବନ୍ଧ ବା ଧନ–ସମ୍ପତ୍ତିକୁ ମୋ ଆତ୍ମାର ଗଳାରେ ଶିକୁଳି କରିପାରିବି ନାହିଁ । ମୁଁ ଜିଇ ରହିବାକୁ ଜୀବନ ବୋଲି ମନେକରିବା ଲୋକ ନୁହେଁ । ମୋ ମତରେ ଜୀବନର ଆବେଦନହିଁ ଜୀବନ । ମୋତେ ଜୀବିତ ରଖିବାପାଇଁ ଏପରି ଏକ ହୃଦୟ ଆବଶ୍ୟକ, ଯହିଁରେ ଥିବ ଆବେଦନ, ସମ୍ବେଦନ ତ୍ୟାଗ ଓ ଉନ୍ମାଦନା ଯେ କି ମୋ ସହିତ କାନ୍ଦିପାରିବ, ଜଳିପାରିବ । ମୋତେ ଲାଗୁଛି ଯେପରି ମୋ ଜୀବନ ଉପରେ ଦିନକୁ ଦିନ ଆବର୍ଜନା ଜମିଯାଉଛି । ଏଇ କେତେଟା ବର୍ଷ ଭିତରେ ମୋ ଆତ୍ମାର ଯେ କି ଅଧୋଗତି ହୋଇଛି, ତା’ କେବଳ ମୁଁ ଜାଣେ । ମୁଁ ଶୃଙ୍ଖଳାରେ ଆବଦ୍ଧ ହୋଇଯାଉଛି । ସକୀନାହିଁ ମୋତେ ମୁକ୍ତି ଦେଇପାରିବ, ତା’ରି ସହଯୋଗରେ ମୁଁ ଆତ୍ମାର ଚରମ ଉଚ୍ଚତାରେ ଉଡ଼ିପାରିବି, ତା’ରି ସାହାଯ୍ୟରେ ମୁଁ ଆତ୍ମାକୁ ପାଇପାରିବି । ତୁ କହୁଛୁ–ଆଗେ ତାକୁ ପଚାରିବାକୁ । ତୁ ଭାବୁଛୁ ସେ କେବେ ଏକମତ ହେବନି ? ମୋର ବିଶ୍ୱାସ, ପ୍ରେମ ପରି ଅମୂଲ୍ୟ ପଦାର୍ଥ ପାଇଲେ କେହି ତାକୁ ପାଦରେ ଆଡ଼େଇ ଦେଇପାରିବ ନାହିଁ ।

 

ସଲୀମ୍ ପଚାରିଲା–ସେ ଯଦି ତୋତେ ମୁସଲମାନ ହେବାକୁ କହେ ।

 

“ସେ ତାହା କହିପାରିବ ନାହିଁ ।”

 

“ଧର, କହିଲା ।”

 

“ତେବେ ସଙ୍ଗେ ସଙ୍ଗେ ଜଣେ ମୌଲବୀ ଡାକି କଲମା ପଢ଼ିବି । ଇସଲାମ ଧର୍ମରେ ଏପରି କିଛି ନାହିଁ, ଯାହାକି ମୋ ଆତ୍ମା ସ୍ଵୀକାର ନ କରିବ । ସମସ୍ତ ଧର୍ମ–ତତ୍ତ୍ୱ ଏକ । ହଜରତ୍ ମହମ୍ମଦଙ୍କୁ ଈଶ୍ଵରଙ୍କ ପ୍ରତିନିଧି ବୋଲି ମାନିବାରେ ମୋର କୌଣସି ଆପତ୍ତି ନାହିଁ । ଯେଉଁ ସେବା, ତ୍ୟାଗ, ଦୟା, ଆତ୍ମଶୁଦ୍ଧି ହିନ୍ଦୁ ଧର୍ମରେ ମୂଳଭିତ୍ତି, ସେହି ମୂଳଭିତ୍ତି ଉପରେ ଇସଲାମ ଧର୍ମବି ପ୍ରତିଷ୍ଠିତ । ବୁଦ୍ଧ, କୃଷ୍ଣ ବା ରାମଙ୍କୁ ସମ୍ମାନ ଦେବାକୁ ଇସଲାମ ତ ବାଧା ଦେଉନାହିଁ । ବର୍ତ୍ତମାନ ତ ମୁଁ ନିଜର ଇଚ୍ଛା ଅନୁସାରେ ହିନ୍ଦୁ ହୋଇ ନାହିଁ; ବରଂ ମୋ ହିନ୍ଦୁତ୍ଵର କାରଣ ହେଲା କେବଳ ହିନ୍ଦୁ ଘରେ ମୋର ଜନ୍ମ । ପୁଣି ମୁଁ ତ ନିଜର ସ୍ଵଇଚ୍ଛାରେ ମୁସଲମାନ ହେବି ନାହିଁ, ହେବି କେବଳ ସକୀନା ଚାହୁଁଛି ବୋଲି । ମୋ ମତରେ ଧର୍ମମତସବୁ ଆତ୍ମାର ବନ୍ଧନସ୍ଵରୂପ । ମୋ ବୃଦ୍ଧି ଯାହାକୁ ସ୍ଵୀକାର କରିବ, ସେହି ହେଉଛି ମୋର ଧର୍ମ, ବାକି ସବୁ ଅନର୍ଥ ।”

 

ସଲୀମ୍ ଏପରି ଉତ୍ତରପାଇଁ ପ୍ରସ୍ତୁତ ନଥିଲା । ଏ ଉତ୍ତର ତାକୁ ନିଃଶସ୍ତ୍ର କରିଦେଲା । ଏପରିଭାବେ କେବେ ତା’ ମନକୁ ସ୍ପର୍ଶ କରି ନଥିଲା । ପ୍ରେମକୁ ସେ ଗୋଟାଏ ବାସନା ବୋଲି ବୁଝିଥିଲା । ସେହି ସାମାନ୍ୟ କଥାକୁ ଏପରି ବିରାଟ ରୂପ ଦେବା ତା’ପାଇଁ ଏତେ ତ୍ୟାଗ ସ୍ଵୀକାର କରିବା, ବିଶ୍ଵ ସମକ୍ଷରେ ନିନ୍ଦିତ ହେବା ଏବଂ ଚତୁର୍ଦ୍ଦିଗରେ ବିପ୍ଳବ ଉଠାଇବା, ଏସବୁ ତାକୁ ପାଗଳାମି ପରି ବୋଧ ହେଲା ।

 

ସେ ମୁଣ୍ଡ ହଲାଇ କହିଲା–ସକୀନା କଦାପି ରାଜି ହେବନି ।

 

ଅମର ଶାନ୍ତ ଭାବରେ କହିଲା–ତୁ ଏପରି କାହିଁକି ଭାବୁଛୁ ଯେ ?

 

“କାହିଁକି ନା ତା'ର ଯଦି ଟିକିଏ ଅକଲ ଥିବ, ତେବେ ସେ ଗୋଟିଏ ବଂଶକୁ କେବେହେଲେ ଧ୍ଵଂସ କରିବାକୁ ଯିବ ନାହିଁ ।”

 

“ୟା ମାନେ, ମୋ ଅପେକ୍ଷା ମୋର ବଂଶ ପ୍ରତି ତା’ର ଅଧିକ ପ୍ରେମ ? ଆଉ ମୁଁ ବୁଝିପାରୁ ନାହିଁ ଯେ ମୋ ବଂଶଟା କାହିଁକି ଧ୍ଵଂସ ପାଇବ ! ବାପା ଆଉ ସୁଖଦା ମୋ ଅପେକ୍ଷା ଧନକୁ ବେଶି ଭଲ ପାଆନ୍ତି । ସେ ଅବସ୍ଥାରେବି ମୁଁ ପୁଅକୁ ଏହିପରି ସ୍ନେହ କରିପାରିବି । ଅତି ବେଶିରେ ଏତିକି ହେବ ଯେ ମୁଁ ଘରକୁ ଯାଇ ପାରିବି ନାହିଁ କି ସେମାନଙ୍କର ହାଣ୍ଡି–ମାଠିଆ ଛୁଇଁପାରିବି ନାହିଁ ।

 

ସଲୀମ୍ ପଚାରିଲା–ଡାକ୍ତର ଶାନ୍ତିକୁମାରଙ୍କ ସହିତ ଏ ବିଷୟରେ ଆଲୋଚନା କରିଛୁ-?

 

ବନ୍ଧୁଟିର ସ୍ଥୂଳବୁଦ୍ଧି ଦେଖି ଅମର ହତାଶ ହେଲାପରି କହିଲା–ନା, ତାଙ୍କ ସଙ୍ଗେ ଆଲୋଚନା କରିବା ପ୍ରୟୋଜନ ବୋଲି ମୁଁ ଅନୁଭବ କରି ନାହିଁ । ତୋ ପାଖକୁ ମଧ୍ୟ ପରାମର୍ଶ ନେବାକୁ ଆସି ନାହିଁ, ଆସିଛି କେବଳ ମନର ବୋଝ ହାଲୁକା କରିବାପାଇଁ । ମୁଁ ମୋର ଲକ୍ଷ୍ୟ ସ୍ଥିର କରି ନେଇ ସାରିଛି । ସକୀନା ଯଦି ନିରାଶ କରେ, ତେବେ ଜୀବନ ହରାଇ ଦେବି । ସମ୍ମତ ହୁଏତ ଆମେ ଦୁହେଁ ଗୋପନରେ କୁଆଡ଼େ ଚାଲିଯିବୁ । କେହି ଜାଣିପାରିବ ନାହିଁ । ଦୁଇ–ଚାରି ମାସ ପରେ ଘରକୁ ଜଣାଇ ଦେବି । କୌଣସି ପ୍ରକାର ଆନ୍ଦୋଳନ ହେବ ନାହିଁ କି ଝଡ଼ ଉଠିବ ନାହିଁ । ଏଇ ହେଉଛି ମୋର ପ୍ରୋଗ୍ରାମ୍ । ବର୍ତ୍ତମାନ ମୁଁ ତା’ ପାଖକୁ ଯାଉଛି । ଯଦି ସେ ସ୍ଵୀକୃତି ଦିଏ, ତେବେ ଏଠିକି ଫେରିବି । ଯଦି ନିରାଶ କରେ, ତେବେ ଆଉ ମୋ ମୁହଁ ଦେଖିବାକୁ ପାଇବୁ ନାହିଁ ।

 

ଏହିପରି କହି କହି ସେ ଉଠିଲା ଓ କ୍ଷୀପ୍ର ଗତିରେ ଗୋବର୍ଦ୍ଧନ ସରାଇ ଆଡ଼କୁ ଚାଲିଲା-। ସଲୀମ୍ ତାକୁ ବାଧା ଦେବାକୁ ଚାହୁଁଥିଲେ ମଧ୍ୟ ପାରିଲା ନାହିଁ । ସେ ପ୍ରାୟ ବୁଝିପାରିଥିଲା ସେ ବର୍ତ୍ତମାନ ତା’ ମୁଣ୍ଡକୁ ଭୂତ ଚଢ଼ିଛି, ସେ କାହାରି କଥା ଶୁଣିବ ନାହିଁ ।

 

ମାଘ ମାସର ଗତି । ଅସହ୍ୟ ଶୀତ । ଆକାଶ ଉପରେ ଧୂମ୍ର ଆବରଣ । ମନର ଆବେଗରେ ଉନ୍ମତ୍ତ ହୋଇ ଚାଲିଛି ଅମରକାନ୍ତ । ସକୀନା ପ୍ରତି କ୍ରୋଧ ଆସିଲା । ମୋ ପାଖକୁ ଚିଠି ଖଣ୍ଡେବି ଲେଖିଲା ନାହିଁ ! ଖଣ୍ଡେ କାର୍ଡ଼ ପକାଇ ପାରିଲା ନାହିଁ ! ତା’ପରେ ମନରେ ତା’ର ଗୋଟିଏ ବିଚିତ୍ର ଭୟ ଜନ୍ମିଲା, କାଳେ ସକୀନା ଖରାପ ଭାବିବ ! ସେ ତା’ ସହିତ ଅନ୍ୟତ୍ର ଚାଲିଯିବାକୁ ପ୍ରସ୍ତୁତ ବୋଲି ତ ତା’ କଥାରୁ ବୁଝାପଡ଼ୁ ନଥିଲା । ଯେତେଦୂର ସମ୍ଭବ, ତା’ର ରାଜିଖୁସିରେ ବୁଢ଼ୀ ତା’ର ବିବାହ ଠିକ୍ କରିଛି । ହୋଇପାରେ ପୂର୍ବରୁ ସେ ଲୋକଟାର ତା’ ଘରକୁ ଯିବା–ଆସିବା ଥିବ । ସେ ବର୍ତ୍ତମାନ ସେଠି ବସି ନଥିବ କି ! ଥାଏ ତ ଅମର ସେଠୁ ଚୁପ୍‌ଚାପ୍‌ ଚାଲି ଆସିବ । ସକୀନା କଥାବାର୍ତ୍ତା କରୁଥିଲେ ତା’ ଆଗରେ ତାକୁ ଆହୁରି ସଂକୋଚ ଲାଗିବ । ସେ ସକୀନା ସହିତ ଏକାନ୍ତ ବାର୍ତ୍ତାଳାପର ଅବସର ଚାହୁଁଛି ।

 

ସକୀନାର ଦ୍ଵାର ନିକଟରେ ପହଞ୍ଚିବାବେଳକୁ ତା’ର ଛାତି ଧଡ଼ପଡ଼ ହେଉଥାଏ । କିଛି ସମୟ କାନ ପାରି ଶୁଣିବାକୁ ଚେଷ୍ଟା କଲା । କାହାରି ସ୍ଵରଶବ୍ଦ ଶୁଭିଲା ନାହିଁ, ଅଗଣାରେ ଆଲୁଅ ଜଳୁଛି । ବୋଧହୁଏ ସକୀନା ଏକାକୀ ଅଛି । ମନୋମତ ଅବସର ମିଳିଗଲା ! ଧୀରେ ଧୀରେ ଜଞ୍ଜିର ଖଟ୍‌ଖଟ୍ କଲା । ପରିଚୟ ପାଇବାମାତ୍ରେ ସକୀନା କବାଟ ଖୋଲି ଦେଲା । କହିଲା–ମା’ ଆପଣଙ୍କ ଘରଆଡ଼େ ଯାଇଛି ।

 

ଅମର ଠିଆ ଠିଆ ଉତ୍ତର ଦେଲା–ହଁ, ମୋତେ ଦେଖା କରିଥିଲେ । ସେ ମୋତେ ଯେଉଁ ଖବର ଶୁଣାଇଲେ, ତା' ମୋତେ ପାଗଳ କରି ଦେଲାଣି । ଏପର୍ଯ୍ୟନ୍ତ ମୁଁ ତୁମ ପାଖେ ମୋ ଅନ୍ତରର ରହସ୍ୟ ଗୋପନ ରଖିଛି, ସକୀନା ! ଭାବିଥିଲି ଆଉ କିଛିଦିନ ସେହିପରି ରଖିବି; କିନ୍ତୁ ଏହି ଖବର ପାଇ ତୁମ ଆଗେ ତାହା ଫିଟାଇ ଦେବାପାଇଁ ମୁଁ ବାଧ୍ୟ ହୋଇ ଆସିଛି । ଶୁଣିସାରି ତୁମେ ଯେଉଁ ନିଷ୍ପତ୍ତି କରିବ ତା’ ଉପରେ ନିର୍ଭର କରିବ ମୋର ଜୀବନ । ତୁମରି ପାଦତଳେ ପଡ଼ିଛି ଚାହିଁ ତ ପଦାଘାତ କର ବା ଉଠାଇ ହୃଦୟରେ ଜଡ଼ାଇ ଧର । ମୁଁ ଜାଣେନା, ଏ ନିଆଁ ମୋ ଅନ୍ତରରେ ଲାଗିଲା କିପରି; କିନ୍ତୁ ତୁମକୁ ପ୍ରଥମେ ଦେଖିବା ଦିନୁ ମୋ ହୃଦୟରେ ଯେପରି ଗୋଟାଏ ନିଆଁ–ଝୁଲ ପଶିଯାଇଥିଲା, ଏବେ ତାହା ବିରାଟ ଆକାର ଧରିଲାଣି । ତାକୁ ଶୀଘ୍ର ନିଭାଇ ନ ଦେଲେ ମୋତେ ଜାଳିପୋଡ଼ି ପାଉଁଶ କରିଦେବ । ମୁଁ ବହୁଦିନ ସଂଯତ ରହିଛି, ସକୀନା-! ମନ ମାରି କଲବଲ ହୋଇ ରହିଛି; କିନ୍ତୁ ତୁମେ ମନା କରିଦେଇଥିବାରୁ ଆସିବାକୁ ସାହସ କରିନାହିଁ । ତୁମ ପାଦତଳେ ମୋର ସର୍ବସ୍ଵ ଅଜାଡ଼ି ଦେଇଛି । ସେ ଘର ମୋ ପକ୍ଷରେ ଜେଲ୍‍ଖାନାଠାରୁ ଅଧିକ । ମୋର ରୂପସୀ ସ୍ତ୍ରୀ ମୋ ପକ୍ଷରେ ଶଙ୍ଖମର୍ମର ମୂର୍ତ୍ତି ପରି–ଯହିଁରେ ନା ଅଛି ହୃଦୟ, ନା ସମବେଦନା । ତୁମକୁ ପାଇଲେ ମୁଁ ସବୁକିଛି ପାଇଯିବି ।

 

ସକୀନା ଯେପରି ଅଧୀର ହୋଇ ଉଠିଲା । ସେ ମୁଠାଏ ଚାଉଳ ବା ଅଟା ଚାହୁଁଥିଲା, ଦାତା ସୁସ୍ଵାଦୁ ଅନ୍ନ–ବ୍ୟଞ୍ଜନପୂର୍ଣ୍ଣ ଥାଳି ଆଣି ତା’ ଆଗରେ ଥୋଇଦେଲା ! ତା’ର କ୍ଷୁଦ୍ର ପାତ୍ରରେ ଏତେ ସ୍ଥାନ କାହିଁ ! ସେ ବୁଝିପାରିଲା ନାହିଁ, କିପରି ସେହି ଐଶ୍ଵର୍ଯ୍ୟକୁ ପୁଞ୍ଜୀଭୂତ କରି ସାଇତିବ । ଅଞ୍ଚଳ–ଓଢ଼ଣୀ ସବୁ ଭରତି କଲା ପରେ ମଧ୍ୟ ଆହୁରି ବଳିପଡ଼ୁଛି ! ତା’ର ଚକ୍ଷୁଯୁଗଳ ସଜଳ, ହୃଦୟ ଉଦ୍‌ବେଳ ! ମଥା ନତ କରି ସଂକୋଚପୂରିତ ସ୍ୱରରେ କହିଲା–ବାବୁ ! ତୁମପାଇଁ ମୋ ହୃଦୟରେ କେତେ ସମ୍ମାନ, କେତେ ପ୍ରେମ, ତାହା ଏକା ଈଶ୍ଵର ଜାଣନ୍ତି । ତୁମ ଇଙ୍ଗିତରେ ମୁଁ ନିଜକୁ ଟେକି ଦିଅନ୍ତି । ଏ ଭିକାରୁଣୀକୁ ତୁମେ ତିନି ଭୁବନର ଐଶ୍ୱର୍ଯ୍ୟ ଦେଇଛ ! ହେଲେ ଭିକାରୁଣୀଟାଏ ରାଜ–ଐଶ୍ଵର୍ଯ୍ୟ ନେଇ କରିବ କ’ଣ ! ତା’ର ତ ଭିକ ଲୋଡ଼ା । ମୋତେ ତୁମେ ମନରେ ଏତେ ବଡ଼ ସ୍ଥାନ ଦେଇଛ, ସେଇ ମୋ ପକ୍ଷରେ ବହୁତ । ମୁଁ ନିଜକୁ ଏ ସବୁର ଯୋଗ୍ୟ ବୋଲି ଭାବିପାରୁନାହିଁ । ବିଚାରିଲ, ମୁଁ କ’ଣ ? ଗୋଟାଏ ଗରିବ ମୁସଲମାନ ଝିଅ, ମଜୁରୀ କରି ଜୀବିକା ଚଳାଏ । ମୋର ସୁନ୍ଦର ରୂପ ନାହିଁ, ଯୋଗ୍ୟତା ନାହିଁ କି ଜ୍ଞାନ ନାହିଁ । ମୁଁ ସୁଖଦା ଦେବୀଙ୍କ ପାଦତଳକୁ ସରି ନୁହେଁ । ବେଙ୍ଗୁଲୀଟାଏ ଉଡ଼ି ଉଡ଼ି ଉଚ୍ଚ ଗଛ ଉପରକୁ ଯାଇପାରିବ କୁଆଡ଼ୁ ! ମୋପାଇଁ ଆପଣଙ୍କର ଦୁର୍ନାମ ହେବା ପୂର୍ବରୁ ମୁଁ ପ୍ରାଣ ହରାଇ ଦେବି । ମୁଁ ଆପଣଙ୍କ ଜୀବନରେ କଳଙ୍କ ଲଗାଇ ପାରିବି ନାହିଁ ।

 

ଏପରି ଅବସରରେ ବିଚାର ହୋଇଉଠେ କବିତାମୟ । ପ୍ରେମର ଗଭୀରତାହିଁ କବିତାର ବସ୍ତୁ । ତାହା ସାଧାରଣ କଥିତ ଭାଷାରେ ବ୍ୟକ୍ତ ହୋଇପାରେ ନାହିଁ । ସ୍ଵଳ୍ପ ବିରତି ପରେ ସକୀନା କହିଲା–ତୁମେ ମୋ ପରି ଅନାଥା ଗରିବ ଝିଅକୁ ଧୂଳିରୁ ତୋଳି ନେଇ ଆକାଶରେ ପହଞ୍ଚାଇଛ, ନିଜ ହୃଦୟରେ ମୋତେ ସ୍ଥାନ ଦେଇଛ; ତେଣୁ ମୁଁ ବି ଜିଇଥିବାଯାକେ ଏହି ପ୍ରେମର ପ୍ରଦୀପକୁ ମୋ ହୃଦୟର ରକ୍ତରେ ଜଳାଇ ରଖିଥିବି ।

 

ବ୍ୟଥାଭରା ଦୀର୍ଘନିଃଶ୍ୱାସ ପକାଇ ଅମର କହିଲା–ଏହି କଳ୍ପନା ନେଇ ମୋତେ ମିଳିପାରିବ ନାହିଁ, ସକୀନା ! ସେ ଦୀପ ପବନର ପ୍ରଚଣ୍ଡ ଆଘାତରେ ନିଭିଯିବ, ଆଉ ତା’ରି ସ୍ଥାନରେ ଜଳିଉଠିବ ଅନ୍ୟ ଏକ ଦୀପ । ସେତେବେଳେ ତୁମେ କି ମୋତେ ଆଉ ମନେରଖିବ ? ମୁଁ ତାହା ଦେଖିପାରିବି ନାହିଁ । ମୁଁ ଜଣେ ମହାମହିମ ପୁରୁଷ ଆଉ ତୁମେ ଅତି ହୀନ–ନଗଣ୍ୟ, ଏ ଧାରଣା ମନରୁ ପୋଛିଦିଅ, ସକୀନା ! ମୁଁ ପରା ମୋର ସର୍ବସ୍ଵ ତୁମ ପାଦତଳେ ସମର୍ପି ଦେଇଛି; ବର୍ତ୍ତମାନ ମୁଁ ତ ତୁମର ପୂଜକ ମାତ୍ର । ସୁଖଦା ଯେ ତୁମଠାରୁ ଅଧିକ ସୁନ୍ଦରୀ, ଏଥିରେ ସନ୍ଦେହ ନାହିଁ; କିନ୍ତୁ ତୁମଠାରେ ତ ଏପରି କିଛି ଅଛି, ଯାହାକି ମୋତେ ତା’ଠାରୁ ବିଚ୍ଛିନ୍ନ କରି ଆଣି ତୁମ ପାଦତଳେ ଗଡ଼ାଇ ଦେଇଛି । ତୁମେ ଆଉ କାହାର ହେବ, ମୁଁ ତାହା କଦାପି ସହିପାରିବି ନାହିଁ । ଏପରି ପରିସ୍ଥିତି ଯେଉଁଦିନ ଆସିବ, ତୁମେ ଶୁଣିବ, ଅମର ଆଉ ଏ ସଂସାରରେ ନାହିଁ । ତୁମେ ଯଦି ମୋ ଶ୍ରଦ୍ଧାର ପ୍ରମାଣ ଚାହୁଁଥାଅ, ତେବେ ସେଥିପାଇଁ ଏହି ରକ୍ତବିନ୍ଦୁସବୁ ପ୍ରସ୍ତୁତ ।

 

କହୁ କହୁ ଅମର ପକେଟରୁ ଗୋଟାଏ ଛୁରି ବାହାର କଲା । ସକୀନା କ୍ଷୀପ୍ର ଗତିରେ ତା’ ହାତରୁ ଛୁରିଟା ଛଡ଼ାଇ ନେଲା ଓ ମଧୁର ଭର୍ତ୍ସନା କଲା–ପ୍ରମାଣ ସେହି ଚାହେଁ; ଯାହାର ବିଶ୍ଵାସ ନଥାଏ, ଯେ ପ୍ରତିଦାନ ଚାହେଁ । ମୁଁ ତ କେବଳ ତୁମର ପୂଜା କରିବାକୁ ଚାହେଁ । ଦେବତା ମୁହଁ ଖୋଲି କିଛି କହେ ନାହିଁ ବୋଲି ପୂଜକର ଅନ୍ତରରୁ କ’ଣ ଭକ୍ତି କମିଯାଏ ? ପ୍ରେମହିଁ, ପ୍ରେମର ପୁରସ୍କାର । କେଜାଣି ଜୀବନର ଗତି କ’ଣ ହେବ; କିନ୍ତୁ ଯାହା ହେଲେବି, ଦେହଟା ଆଉ କାହାର ହେଉ ପଛେ, ଏ ହୃଦୟ ସର୍ବଦା ତୁମରି ହୋଇ ରହିଥିବ । ଏହି ପ୍ରେମକୁ ମୁଁ ପ୍ରାଣପଣେ ପବିତ୍ର ରଖିବାକୁ ଚାହେଁ । ମୁଁ ତୁମର, ଏହି ଭରସାହିଁ ଯଥେଷ୍ଟ । ମୁଁ ସତ କହୁଛି, ପ୍ରିୟ, ଏହି ଭରସା ମୋ ଅନ୍ତରକୁ ଏପରି ଦୃଢ଼ କରି ଦେଇଛି ଯେ ତାହା ମହା–ମହା ବିପଦକୁ ମଧ୍ୟ ହସି ହସି ସହି ନେବ । ମୁଁ ତୁମକୁ ଏଠାକୁ ଆସିବାକୁ ବାରଣ କରିଥିଲି । ତୁମର ଦୁର୍ନାମ ସଙ୍ଗେ ସଙ୍ଗେ ମୋର ନିଜର ଦୁର୍ନାମକୁ ମଧ୍ୟ ଭୟ କରୁଥିଲି; କିନ୍ତୁ ବର୍ତ୍ତମାନ ମୋର ତିଳେହେଲେ ଭୟ ନାହିଁ । ମୁଁ ନିଜ ବିଷୟରେ ନିଶ୍ଚିନ୍ତ, ତୁମ ବିଷୟରେ ମଧ୍ୟ ନିଶ୍ଚିନ୍ତ । ମୋ ପିଣ୍ଡରେ ପ୍ରାଣ ଥିବା ପର୍ଯ୍ୟନ୍ତ କେହି ତୁମର କିଛି ଅନିଷ୍ଟ କରିପାରିବ ନାହିଁ ।

 

ଅମରର ଇଚ୍ଛା ହେଲା ସକୀନାକୁ ବୁକୁରେ ଭିଡ଼ି ଧରି ପ୍ରେମରେ ମଜ୍ଜି ଯିବାକୁ; ମାତ୍ର ସକୀନାର ଉନ୍ନତ ପ୍ରେମାଦର୍ଶ ତାକୁ ଶାନ୍ତ କରି ଦେଲା । ସେ କହିଲା–କିନ୍ତୁ ତୁମର ତ ବିବାହ ହେବାକୁ ଯାଉଛି ।

 

“ମୁଁ ମନା କରି ଦେବି ।”

 

“ବୁଢ଼ୀ କ’ଣ ମାନିବ ?”

 

“ମୁଁ କହିଦେବି–ତୁ ଯଦି ମୋ ବିବାହର ନାମ ଧରୁ, ତେବେ ମୁଁ ବିଷ ଖାଇଦେବି ।”

 

“କାହିଁକି, ତୁମେ ଓ ମୁଁ ବର୍ତ୍ତମାନ କୁଆଡ଼େ ପଳାଇଗଲେ ?”

 

“ନା, ସେ ତ ଲୌକିକ ପ୍ରେମ । ପ୍ରକୃତ ପ୍ରେମରେ ବିରହ ମଧ୍ୟ ମିଳନ ସଙ୍ଗେ ସମାନ । ସେପରି ପ୍ରେମରେ ତ ବିରହର ନାମଗନ୍ଧ ନଥାଏ । ପ୍ରେମିକ ହଜାର କୋଶ ଦୂରରେ ଥାଇ ମଧ୍ୟ ପ୍ରେମିକା ନିଜକୁ ପ୍ରେମିକର ଗଳାରେ ଜଡ଼ିଥିବାର ଅନୁଭବ କରେ ।”

 

ସହସା ପଠାଣୁଣୀ ଦ୍ଵାର ଖୋଲିଲା । ଅମର ମିଥ୍ୟାର ଆଶ୍ରୟ ନେଲା–ମୁଁ ଭାବିଥିଲି, ତୁମେ କେତେବେଳୁ ଆସି ସାରିଥିବ । ମଝିରେ ଅଟକିଗଲ କେଉଁଠି ?

 

ବୁଢ଼ୀ ମନଦୁଃଖରେ କହିଲା–ତୁମେ ତ ଆଜି ଏମିତି କଡ଼ା ଜବାବ ଦେଲ‌ ଯେ ମୋତେ କାନ୍ଦ ମାଡ଼ିଲା । କେବଳ ତୁମରି ଭରସା ରଖିଥିଲି, ତୁମେ ତ ଏମିତି କହିଲ । ଯାହା ହେଉ, ଆଲ୍ଲାଙ୍କ ଦୟାରୁ ବହୂଜୀ ମୋତେ କଥା ଦେଇଛନ୍ତି ଯେ ଯାହା ଦରକାର, ଯାଇ ନେଇ ଆସିବି । ସେଇଠି ଡେରି ହେଲା । ତୁମେ, ବାପା, କୌଣସି କଥା ନେଇ ମୋ ଉପରେ ରାଗ କରିନାହଁ ତ ?

 

ଅମର ଆଶ୍ୱାସନା ଦେଲା–ନାଇଁ ମା’, ତୁମ ଉପରେ ମୁଁ ରାଗିବି କାହିଁକି ? ସେତେବେଳେ ଗୋଟାଏ ବିଷୟରେ ବାପାଙ୍କ ସଙ୍ଗେ ବକାବକି ହୋଇ ଯାଇଥିଲା ଯେ, ସେହି ନିଶା ଥିଲା । ପରେ ମୁଁ ଭାରି ଲଜ୍ଜିତ ହେଲି । ଆଉ ତୁମକୁ କ୍ଷମା ମାଗିବାପାଇଁ ପଳାଇ ଆସିଲି । ମୋତେ କ’ଣ କ୍ଷମା ଦେବ ନାହିଁ ?

 

ବୁଢ଼ୀ କାନ୍ଦି ପକାଇଲା–ପୁଅ, ତୁମରି ହାତଟେକାରେ ତ ଏ ଜୀବନ କଟିଲା । ତୁମ ଉପରେ ରାଗ ରଖି ଈଶ୍ଵରଙ୍କ ଆଗରେ କ’ଣ ମୁହଁ ଦେଖାଇ ପାରିବି ? ମୋ ଚମଡ଼ାରେ ଯଦି ତୁମ ପା’ର ଜୋତା ହୁଏ, ତେବେବି ମୋର ଦୁଃଖ ନାହିଁ ।

 

“ହଉ, ମା’ ମୋ ମନ ଏବେ ସ୍ଥିର ହେଲା । ଏଇଥିପାଇଁ ଆସିଥିଲି ।”

 

ଅମର ଦ୍ଵାର ପାଖରେ ପହଞ୍ଚିଲା, ସକୀନା ଦ୍ଵାର ବନ୍ଦ କରୁ କରୁ କହିଲା–କାଲି ନିଶ୍ଚୟ ଆସିବ ।

 

ଅମରକୁ ଗୋଟାଏ ଭାରି ନିଶା ଘାରି ପକାଇଲା–ନିଶ୍ଚୟ ଆସିବି ।

 

‘‘ମୁଁ ତୁମ ବାଟ ଚାହିଁ ବସିଥିବି ।”

 

‘‘ତୁମପାଇଁ କିଛି ଉପହାର ଆଣିଲେ ବିରକ୍ତ ହେବ ନାହିଁ ତ ?”

 

“ହୃଦୟଠୁ ବଳି ବଡ଼ ଉପହାର କ’ଣ ହୋଇପାରେ ଯେ ?”

 

‘‘ଉପହାର ସଙ୍ଗେ କିଛି ମିଠାଇ ଅବଶ୍ୟ ଥିବ ।”

 

“ଯାହା ଦେବ ମଥାପାତି ନେବି ।’’

 

ଅମର ସେତେବେଳେ ଏପରି ଦମ୍ଭରେ ଚାଲିଯାଉଥାଏ, ସତେଅବା ସାରା ସଂସାରର ସମ୍ରାଟ ପଦ ପାଇଯାଇଛି !

 

ସକୀନା କବାଟ ବନ୍ଦ କରି ବୁଢ଼ୀକୁ କହିଲା–ତୁ ସିନା ଅକାରଣେ ଦୌଡ଼ା ଦୌଡ଼ି କରୁଛୁ, ମା’ ! ମୁଁ ସାଦି କରିବି ନାହିଁ ।

 

‘‘ଆଉ କ’ଣ ଏଇମିତି ବସିଥିବୁ ?”

 

“ହଁ ଯେତେବେଳେ ମୋର ଇଚ୍ଛା ହେବ, କରିବି ।”

 

‘‘ତେବେ ମୁଁ କ’ଣ ସବୁଦିନେ ବସିଥିବି ?”

 

“ମୋର ସାଦି ନ ହେବାତକ ବସିଥିବୁ ।’’

 

‘‘ଥଟ୍ଟା କରୁଛୁ, ନା ? ମୁଁ ସବୁ ବନ୍ଦୋବସ୍ତ କରି ସାରିଲିଣି ଯେ ।’’

 

“ନାଇଁ ମା’, ମୁଁ ସାଦି କରିବି ନାହିଁ । ଆଉ ଯଦି ମୋତେ ସେ ଅସୁବିଧାରେ ପକାଉ, ତେବେ ବିଷ ଖାଇଦେବି । ସାଦି କଥା ଭାବିଲେ ମୋ ଆତ୍ମା ଛଟପଟ ହୋଇ ଉଠୁଛି ।”

 

‘ତୋର କ’ଣ ହୋଇଛି, ସକୀନା ?

 

‘‘କିଛି ନା, ମୋର ସାଦି କରିବାକୁ ଇଚ୍ଛା ନାହିଁ । ଯା’ ସହିତ ମୋ ଦିନ ସୁଖରେ କଟିପାରିବ, ସେ ଭଳି ଲୋକ ନ ମିଳିବା ଯାଏଁ ମୁଁ ଏ ଯନ୍ତ୍ରଣା ମଥାକୁ ନେବାକୁ ଚାହେଁନା । ତୁ ମୋତେ ଏମିତି ଘରେ ଦେବାକୁ ବସିଛୁ, ଯେଉଁଠି ମୋର ଜୀବନ କଟିବା ମୁସ୍କିଲ୍ ହେବ । ମଣିଷ କ’ଣ କାନ୍ଦି କାନ୍ଦି ଦିନ କାଟିବାକୁ ସାଦି କରେ ?”

 

ବୁଢ଼ୀ ଚୁଲି ପାଖେ ବସିପଡ଼ି ମୁଣ୍ଡରେ ହାତ ଦେଇ ଭାବିବାକୁ ଲାଗିଲା–ଝିଅଟା କେଡ଼େ ଅଲାଜୁକୀ !

 

ସକୀନା ମସୁର ଡାଲି ସଙ୍ଗେ, ବାଜରା ରୁଟି ଦିଖଣ୍ଡ ଖାଇ ଭଙ୍ଗା ଖଟିଆ ଉପରେ ଶୋଇ ପଡ଼ିଲା । ପୁରୁଣା ଛିଣ୍ଡା ରେଜେଇଟି ଢାଙ୍କି ହୋଇ ଶୀତର ପ୍ରକୋପ ଯୋଗୁଁ ପାଦ ଯୋଡ଼ିକ ଲୋଚାଇ ଦେଲା; କିନ୍ତୁ ତା’ର ଅନ୍ତର ଥିଲା–ଆନନ୍ଦରେ ପରିପୂର୍ଣ୍ଣ । ଆଜି ସେ ଯେଉଁ ଐଶ୍ଵର୍ଯ୍ୟ ପାଇଛି, ତା’ ତୁଳନାରେ ସଂସାରର ସମସ୍ତ ସମ୍ପତ୍ତି ତୁଚ୍ଛ, ନଗଣ୍ୟ ସିନା !

 

–୧୪–

 

ଅମରକାନ୍ତର ଜୀବନରେ ଏକ ନୂତନ ସ୍ଫୁର୍ତ୍ତି ସଞ୍ଚାରିତ ହୋଇଛି । ଏପର୍ଯ୍ୟନ୍ତ ଘରଲୋକେ ତା’ର ପ୍ରତ୍ୟେକ କାର୍ଯ୍ୟକୁ ଅବହେଳା କରିଥିଲେ । ସମସ୍ତେ ତା’ର ଲଗାମ ଧରି ଟାଣୁଥିଲେ । ଘୋଡ଼ାଟିର ଧୈର୍ଯ୍ୟ ଓ ସାହସ ଭାଙ୍ଗିଯାଇଥିଲା । ମାତ୍ର ଏବେ ଗୋଟିଏ ପ୍ରାଣୀ ତାକୁ ଆଶ୍ୱାସନା ଦେଉଛି, ତା’ର ବେକ ଆଉଁଷୁଛି । ଯେଉଁଠି ଥିଲା ଉପେକ୍ଷା ବା ଅତି ବେଶିରେ ଶୁଷ୍କ ଉଦାସୀନତା, ସେଠାରେ ଏବେ ରହିଛି ଏକ ରମଣୀର ପ୍ରୋତ୍ସାହନ; ଯାହାକି ମେରୁକୁ ଟଳାଇପାରେ ନିର୍ଜୀବକୁ ସଜୀବ କରି ଦେଇପାରେ । ତା’ର ଯେଉଁ ସାଧନା ବନ୍ଧନରେ ପଡ଼ି ସଂକୁଚିତ ହୋଇ ଯାଇଥିଲା, ତାହା ଆଜି ପ୍ରେମର ଆଶ୍ରୟରେ ପ୍ରବଳ ତଥା ଉଗ୍ର ହୋଇ ଉଠିଛି । ନିଜର ଅନ୍ତସ୍ଥଳରେ ସେ କେବେ ଏପରି ଆତ୍ମଶକ୍ତି ଅନୁଭବ କରି ନଥିଲା । ସକୀନା ସ୍ଵକୀୟ ପ୍ରେମ–ସ୍ରୋତରେ ତା’ର ସାଧନାକୁ ସିକ୍ତ କରୁଛି । ସେ ନିଜକୁ ରକ୍ଷା କରିବାକୁ ଅସମର୍ଥ । କିନ୍ତୁ ତା’ର ପ୍ରେମ ସେହି ଋଷିଙ୍କର ବରଦାନ ପରି, ଯେ କି ସ୍ଵୟଂ ଭିକ୍ଷୁକ ହୋଇ ମଧ୍ୟ ଅପର ଉପରେ ବିଭୂତି ବର୍ଷଣ କରିଥାନ୍ତି । କୌଣସି ଆବଶ୍ୟକତା ନଥିଲେ ଅମର ସକୀନା ପାଖକୁ ଯାଏନା । ତା’ର ସେ ଉଦ୍ଦଣ୍ଡତା ମଧ୍ୟ ଆଉ ନାହିଁ । ସମୟ–ସୁଯୋଗ ଦେଖି କାର୍ଯ୍ୟ କରେ । ଯେଉଁ ଗଛର ମୂଳ ଗହୀରକୁ ଚାଲିଗଲାଣି, ତା’ର ବାରମ୍ବାର ଜଳସେଚନ ଅନାବଶ୍ୟକ । ମୃତ୍ତିକାରୁ ଜଳ ଶୋଷଣ କରି ସେ ବଢ଼େ ଓ ଫଳଫୁଲ ଧରେ । ଅମର ଓ ସକୀନାର ପ୍ରେମ ସେହି ବୃକ୍ଷ ପରି । ତାକୁ ଜାଗ୍ରତ ରଖିବାପାଇଁ ବାରମ୍ବାର ମିଳନ ନିଷ୍ପ୍ରୟୋଜନ ।

 

ଡିଗ୍ରୀ–ପରୀକ୍ଷା ହେଲା; କିନ୍ତୁ ସେଥିରେ ଅମରକାନ୍ତ ବସିଲା ନାହିଁ । ଅଧ୍ୟାପକଙ୍କର ବିଶ୍ୱାସ ଥିଲା ତାକୁ ଛାତ୍ର–ବୃତ୍ତି ମିଳିଯିବ । ଏପରିକି ଡା: ଶାନ୍ତିକୁମାର ତାକୁ ବହୁତ ବୁଝାଇବା ପରେ ମଧ୍ୟ, ସେ ନିଜ ସଂକଳ୍ପରେ ଦୃଢ଼ ରହିଲା । ଜୀବନକୁ ସଫଳ କରିବାପାଇଁ ଶିକ୍ଷା ଆବଶ୍ୟକ, ଡିଗ୍ରୀ ନୁହେଁ । ଆମର ଡିଗ୍ରୀ ହେଉଛି–ସେବାଭାବ, ନମ୍ରତା, ଆମ ଜୀବନର ସରଳତା । ଏ ଡିଗ୍ରୀ ଯଦି ନ ମିଳେ, ଆମର ଆତ୍ମା ଯଦି ଜାଗ୍ରତ ନହୁଏ, ତେବେ କାଗଜର ଡିଗ୍ରୀ ମୂଲ୍ୟହୀନ । ଏ ଶିକ୍ଷା ପ୍ରତି ତା’ର ଘୃଣା ଜନ୍ମିଛି । ଯେତେବେଳେ ସେ ତା’ର ଅଧ୍ୟାପକମାନଙ୍କୁ ଫେସନର ଗୋଲାମି କରୁଥିବାର, ସ୍ଵାର୍ଥପାଇଁ ନାକ ଘଷି ହେଉଥିବାର, ଅଳ୍ପ ପରିଶ୍ରମ କରି ଅଧିକ ଲାଭପାଇଁ ହାତ ପତାଉଥିବାର ଦେଖେ, ସେତେବେଳେ ତା’ର ଘୋର ମାନସିକ ବ୍ୟଥା ଜାତ ହୁଏ । ସେହି ମହାନୁଭବମାନଙ୍କ ହାତରେ ପୁଣି ରାଷ୍ଟ୍ରର ବାଗ୍‌ଡ଼ୋର, ସେହିମାନେହିଁ ଜାତିର ଭାଗ୍ୟ–ବିଧାତା ! ଭାରତର ଲୋକେ ଦୁଇଅଣା ପଇସାରେ ଜୀବିକା ନିର୍ବାହ କରନ୍ତି, ଏଥିପ୍ରତି ସେମାନଙ୍କର ଭ୍ରୂକ୍ଷେପ ନାହିଁ । ଜଣେ ସାଧାରଣ ଲୋକକୁ ବର୍ଷଯାକରେ ପଚାଶଟା ଟଙ୍କାରୁ ଅଧିକ ମିଳେ ନାହିଁ, ଏଣେ ଆମ ଅଧ୍ୟାପକମାନଙ୍କର ନିତି ପଚାଶ ଟଙ୍କା ଦରକାର ।

 

ଅମର ମନରେ ଅତୀତର ସ୍ମୃତି ଜାଗ୍ରତ ହୁଏ, ଯେତେବେଳେ କି ଗୁରୁକୁଳ କୁଟୀରରେ ବାସ କରୁଥିଲେ–ସ୍ଵାର୍ଥ ସମ୍ପର୍କହୀନ, ଲୋଭଶୂନ୍ୟ, ସାତ୍ତ୍ୱିକ ଜୀବନର ଆଦର୍ଶ, ନିଷ୍କାମ ସେବାର ଉପାସକ ହୋଇ । ସେମାନେ ରାଷ୍ଟ୍ରଠାରୁ ନେଉଥିଲେ ଅଳ୍ପ, ଦେଉଥିଲେ ଅମାପ । ବାସ୍ତବିକ ସେହିମାନେ ଥିଲେ ଦେବତା । ଆଉ ଏହି ଅଧ୍ୟାପକମାନେ ଜଣେ ସାଧାରଣ ବ୍ୟବସାୟୀ ବା ରାଜକର୍ମଚାରୀଠାରୁ କୌଣସି ଗୁଣରେବି ଅଧିକ ନୁହନ୍ତି । ଏମାନଙ୍କର ମଧ୍ୟ ସେହି ଦମ୍ଭ, ସେହି ଧନ–ମଦ, ସେହି ଅଧିକାର–ମଦ ଅଛି । ଆମର ବିଦ୍ୟାଳୟଗୁଡ଼ିକ କ’ଣ ? ସରକାରର ବିଭାଗ, ଆଉ ଅଧ୍ୟାପକମାନେ ସେହି ସରକାରର ଅଙ୍ଗ । ଏମାନେ ନିଜେ ତ ଅନ୍ଧକାରରେ ଶଢ଼ୁଛନ୍ତି, ଆଲୋକ ବିତରଣ କରିବେ କ’ଣ ? ସେମାନେ ନିଜେ ମନୋବିକାରର ବନ୍ଦୀ, ନିଜ ବାସନାର ଦାସ । ଅତଏବ ଛାତ୍ରମାନଙ୍କୁ ମଧ୍ୟ ସେହି ବନ୍ଦୀଶାଳା, ସେହି ଦାସତ୍ଵରେ ଆବଦ୍ଧ କରୁଛନ୍ତି । ଅମରର ଯୁବକ–କଳ୍ପନା ପୁଣି ଅତୀରର ସ୍ଵପ୍ନ ଦେଖେ । ପରିସ୍ଥିତିକୁ ସେ ସମ୍ପୂର୍ଣ୍ଣ ଭୁଲିଯାଏ । ତା’ର କଳ୍ପିତ ରାଷ୍ଟ୍ରର କର୍ମଚାରୀମାନେ ସେବାର ମୂର୍ତ୍ତି, ଅଧ୍ୟାପକମାନେ କୁଟୀରବାସୀ ବଳ୍‌କଳଧାରୀ, ଫଳମୂଳ ଭୋଜୀ ସନ୍ନ୍ୟାସୀ; ଜନତା ଲୋଭ–ଦ୍ଵେଷ ବିରହିତ । ଏହା ତ ଅତୀତ ଯୁଗର ବିଘ୍ନ ବା ଜଞ୍ଜାଳ ସୃଷ୍ଟି କରିନାହିଁ । ଏତେ ଅଦାଲତ କି ଦରକାର ? ଏ ବଡ଼ବଡ଼ ବିଭାଗ କାହିଁକି । ନିରୀହ ଜନତା ପ୍ରତି ଏମାନେ ଯେପରି ଶବ ଖୁମ୍ପୁଥିବା ଗୃଧ୍ରପଲ । ଯାହାର ଡିଗ୍ରୀ ଯେତିକି ବଡ଼ । ତା’ର ସ୍ଵାର୍ଥ ମଧ୍ୟ ସେତେ ଅଧିକ । ସତେଅବା ଲୋଭ ଓ ସ୍ଵାର୍ଥ ହେଉଛି ବିଦ୍‍ବତାର ଲକ୍ଷଣ ! ଗରିବମାନେ ଦାନା ମୁଠିଏ କି କନା ଖଣ୍ଡିଏପାଇଁ ଭାଳି ହେଉଛନ୍ତି; କିନ୍ତୁ ଆମର ଶିକ୍ଷିତ ଭାଇମାନଙ୍କର ଦରକାର ମୋଟର ଗାଡ଼ି, ବାଙ୍ଗଲୋ, ପଞ୍ଝାଏ ଚାକରବାକର । ଏ ସଂସାରକୁ ଯଦି ମନୁଷ୍ୟ ରଚନା କରିଥାଏ, ତେବେ ସେ ଅନ୍ୟାୟୀ, ଈଶ୍ଵର ରଚନା କରିଥାନ୍ତି ତାଙ୍କୁ ଡ କ’ଣ ବା କୁହାଯିବ ?

 

ଏହି ଭାବନାରାଶି ଅମରର ଆନ୍ତସ୍ଥଳରେ ଲହରୀ ତୋଳୁଥାଏ ।

 

ସକାଳୁ ଉଠି ସେ ଡାକ୍ତର ଶାନ୍ତିକୁମାରଙ୍କ ସେବାଶ୍ରମରେ ପହଞ୍ଚି ଥାଏ, ଦ୍ଵି–ପ୍ରହର ପର୍ଯ୍ୟନ୍ତ ସେଠାରେ ପିଲାମାନଙ୍କୁ ପଢ଼ାଏ । ପାଠଶାଳାଟି ଡାକ୍ତର ସାହେବଙ୍କ ବାଙ୍ଗ୍‍ଲୋରେ ହେଉଥାଏ । ଡାକ୍ତର ସାହେବ ମଧ୍ୟ ନ’ଟା ପର୍ଯ୍ୟନ୍ତ ପଢ଼ାନ୍ତି । ଫିସ୍ ଆଦୌ ନିଆଯାଉ ନଥିଲେବି ପିଲା ଖୁବ୍ କମ୍ ଆସୁଥାନ୍ତି । ସରକାରୀ ସ୍କୁଲ୍‍ମାନଙ୍କରେ, ଯେଉଁଠି କି ଫିସ୍, ଜୋରିମାନା, ଚାନ୍ଦା ଆଦିର ପରିମାଣ ବହୁତ ବେଶି, ପିଲାସଂଖ୍ୟା ଏତେ ଅଧିକ ଯେ ବସିବାକୁ ସ୍ଥାନର ଅଭାବ, କିନ୍ତୁ ଏ ପାଠଶାଳା ଆଡ଼କୁ କେହି ଚାହେଁବି ନାହିଁ । ଅତି କଷ୍ଟରେ ଦୁଇ ଅଢ଼େଇ ଶହ ପିଲା ଆସୁଥାନ୍ତି । ଛୋଟ ଛୋଟ ସରଳ ନିଷ୍କପଟ ବାଳକମାନଙ୍କର କିପରି ‌ସ୍ଵାଭାବିକ ବିକାଶ ହେବ, କିପରି ସେମାନେ ସାହସୀ, ସଂତୋଷୀ ସେବାଶୀଳ ହୋଇପାରିବେ, ଏହାହିଁ ଥିଲା ତା’ର ମୁଖ୍ୟ ଉଦ୍ଦେଶ୍ୟ-। ମାନବ–ପ୍ରକୃତିର ପ୍ରଧାନ ଅଙ୍ଗ ସୌନ୍ଦର୍ଯ୍ୟବୋଧ କିପରି ଦୂଷିତ ବାତାବରଣରୁ ପୃଥକ୍ ରହି ପୂର୍ଣ୍ଣତାଲାଭ କରିବ, ସଂଘର୍ଷ ବଦଳରେ କିପରି ସହାନୁଭୂତିର ବିକାଶ ହେବ; ଏହି ବିଷୟରେ ଦୁଇବନ୍ଧୁ ସତତ ଚିନ୍ତା କରୁଥାନ୍ତି । ଶିକ୍ଷାର କୌଣସି ପୂର୍ବ-ନିର୍ଦ୍ଦିଷ୍ଟ ପ୍ରଣାଳୀ ସେମାନଙ୍କ ପାଖରେ ନଥାଏ । ଉଦ୍ଦେଶ୍ୟକୁ ଦୃଷ୍ଟିଆଗରେ ରଖି ସେମାନେ ଉପାୟ ଅବଲମ୍ବନ କରୁଥିଲେ-। ଆଦର୍ଶ ମହାପୁରୁଷ ଚରିତ୍ର, ସେବା ଓ ତ୍ୟାଗର କଥା ଏବଂ ଭକ୍ତି ଓ ପ୍ରେମ ସମ୍ବନ୍ଧୀୟ ପଦ୍ୟ ଥିଲା ଶିକ୍ଷାର ଆଧାର । ସେମାନଙ୍କର ଆହୁରି ଦୁଇ ଜଣ ସହଯୋଗୀ ଥାଆନ୍ତି–ଜଣେ ସନ୍ନ୍ୟାସୀ ଆତ୍ମାନନ୍ଦ, ଯେ କି ସଂସାର ପ୍ରତି ବିରକ୍ତ ହୋଇ ସେବାରେ‌ ଜୀବନ ସାର୍ଥକ କରିବାକୁ ଚାହୁଁଥିଲେ ଏବଂ ଅନ୍ୟ ଜଣକ ଥିଲେ‌ ବ୍ରଜନାଥ, ଜଣେ ସଙ୍ଗୀତାଚାର୍ଯ୍ୟ । ଏହି ଦୁଇ ଜଣ ଯୋଗଦେବା ଫଳରେ ପାଠଶାଳା ଉପଯୋଗିତା ବୃଦ୍ଧି ପାଇଛି ।

 

ଦିନେ ଅମର ଡାଃ: ଶାନ୍ତିକୁମାରଙ୍କୁ କହିଲା–ଆପଣ ଆଉ କେତେ କାଳ ପ୍ରଫେସରୀ କରି ଚାଲିଥିବେ, ସାର୍ । ଯେଉଁ ସଂସ୍ଥାର ମୂଳ କାଟିବା ଆମର ଉଦ୍ଦେଶ୍ୟ ତା’ ସହିତ ଜଡ଼ିତ ରହିବା କ’ଣ ଆପଣଙ୍କ ପକ୍ଷରେ ଶୋଭନୀୟ ?

 

ଶାନ୍ତିକୁମାର ଈଷତ୍ ହସି କହିଲେ–ମୁଁ ବି ସେହି କଥା ଭାବୁଛି, ବାବୁ ! କିନ୍ତୁ ଚିନ୍ତାର ବିଷୟ ହେଉଛି, ଟଙ୍କା ଆସିବ କୁଆଡ଼ୁ । କିଛି ଖର୍ଚ୍ଚ ନାହିଁ–ନାହିଁ ବୋଲି ପାଞ୍ଚଶହଟି ଟଙ୍କା ନିଶ୍ଚିତ ।

 

‘‘ଆପଣ ସେ ଚିନ୍ତା କରନ୍ତୁ ନାହିଁ । ଟଙ୍କା ଯେଉଁଠି ହେଲେ ମିଳିଯିବ । ଟଙ୍କା ବା ଏତେ ଦରକାର କ’ଣ ?’’

 

‘‘ଘରଭଡ଼ା ଅଛି, ପିଲାଙ୍କପାଇଁ ବହି ଦରକାର, ଆହୁରି କେତେ ପ୍ରକାର ଖର୍ଚ୍ଚ ଅଛି, ଗୋଟି ଗୋଟି କରି କହିଲେ ତ କେତେ ହେବ ।”

 

‘‘ଗଛମୂଳେ ତ ଆମେ ପିଲା କେତେଟାଙ୍କୁ ଗଢ଼ାଇ ପାରିବା ।”

 

“ଆଦର୍ଶର ଖିଆଲ ଯୋଗୁଁ ତୁମେ ଆଦୌ ବ୍ୟାବହାରିକତା ପ୍ରତି ଧ୍ୟାନ ଦେଉ ନାହିଁ । କଞ୍ଚା ଆଦର୍ଶବାଦ, ତୁଚ୍ଛା କଳ୍ପନା ।”

 

ଅମର ଚକିତ ହୋଇ କହିଲା–ମୁଁ ତ ଭାବିଥିଲି, ଆପଣ ମଧ୍ୟ ଆଦର୍ଶବାଦୀ ।

 

ଏ ପ୍ରହାରକୁ ଢାଲଦ୍ଵାରା ବ୍ୟର୍ଥ କରିଦେଲା ପରି ଶାନ୍ତିକୁମାର କହିଲେ–ମୋ ଆଦର୍ଶବାଦରେ ବ୍ୟାବହାରିକତାର ମଧ୍ୟ ସ୍ଥାନ ଅଛି ।

 

‘‘ୟା’ ମାନେ ଆପଣ ମିଠା ଖାଉଛନ୍ତି; ଅଥଚ ମିଠାକୁ ଅପଥ୍ୟ ବୋଲି କହୁଛନ୍ତି ।”

 

‘‘ମୋତେ ଅନ୍ୟ କୌଣସି ସୂତ୍ରରୁ ଟଙ୍କା ନ ମିଳିବା ପର୍ଯ୍ୟନ୍ତ, ତୁମେ କୁହ, ମୁଁ ଚାକିରି ଛାଡ଼ିବି କେମିତି ? ପାଠଶାଳାଟି ମୁଁ ଖୋଲିଛି । ଏହାର ପରିଚାଳନା ଦାୟିତ୍ୱ ମୋ ଉପରେ । ଏହା ବନ୍ଦ ହୋଇଗଲେ ଦୁର୍ନାମ ହେବ ମୋର । ଏହାର ପରିଚାଳନା ପାଇଁ ତୁମେ ଯଦି କିଛି ସ୍ଥାୟୀ ବ୍ୟବସ୍ଥା କରିପାରିବ‌, ତେବେ ମୁଁ ସଙ୍ଗେ ସଙ୍ଗେ ଇସ୍ତଫା ଦେଇପାରେ, କିନ୍ତୁ କୌଣସି ଅବଲମ୍ବନ ବିନା ମୁଁ କିଛି କରିପାରିବି ନାହିଁ । ମୁଁ ତ ନିରାଟ ଆଦର୍ଶବାଦୀ ନୁହେଁ ।’’

 

ଅମରକାନ୍ତିକୁ ସିଦ୍ଧାନ୍ତର ସମନ୍ଵୟ ଅଜଣା । କାର୍ଯ୍ୟକ୍ଷେତ୍ରରେ କିଛିକାଳ କଟାଇବା ଓ ସଂସାରର ତିକ୍ତତା ଅନୁଭବ କରିବା ପରେ ସ୍ଵଭାବରେ ଯେଉଁପରି ଶିଥିଳତା ଆସିଥାଏ, ସେପରି ପରିସ୍ଥିତିରେ ସେ କେବେ ପଡ଼ିନାହିଁ । ନବଦୀକ୍ଷିତମାନଙ୍କର ସିଦ୍ଧାନ୍ତ ପ୍ରତି ଯେପରି ପ୍ରବଳ ଭକ୍ତି ଥାଏ, ତା’ର ବର୍ତ୍ତମାନ ସେହିପରି । ଡାକ୍ତର ସାହେବଙ୍କ ପ୍ରତି ତା’ର ଯେଉଁ ଶ୍ରଦ୍ଧା ଥିଲା, ସେଥିରେ ଗୋଟିଏ ପ୍ରବଳ ଧକ୍କା ଲାଗିଲା । ସେ ଅନୁଭବ କଲା–ଡାକ୍ତରସାହେବ ଜଣେ ବାକ୍ୟ–ବୀର–କହନ୍ତି ଏକପ୍ରକାର, କରନ୍ତି ଅନ୍ୟ ପ୍ରକାର । ସିଧାସଳଖ ଯାହାର ଅର୍ଥ ହେବ–ସେ ଦୁନିଆକୁ ପ୍ରତାରିତ କରୁଛନ୍ତି । ଏପରି ଲୋକ ସହିତ ସେ ସହଯୋଗ କରିବ କିପରି ?

 

ସେ ଯେମିତି ଧମକ ହେଲା–ତା’ ଦେଲେ ଆପଣ ଇସ୍ତଫା ଦେଇ ପାରିବେ ନାହିଁ ?

 

‘‘ଯେ ପର୍ଯ୍ୟନ୍ତ ଅର୍ଥାଗମର କୌଣସୀ ବ୍ୟବସ୍ଥାନ ହୋଇଛି, ସେ ପର୍ଯ୍ୟନ୍ତ ନୁହେଁ ।’’

 

‘‘ତେବେ ଏପରି ଅବସ୍ଥାରେ ମୁଁ ଏଠାରେ କାମ କରିପାରିବି ନାହିଁ ।’’

 

ଡାକ୍ତରସାହେବ ନମ୍ର ଭାବରେ କହିଲେ–ଦେଖ ଅମରକାନ୍ତ, ସଂସାର ବିଷୟରେ ମୋର ଅନୁଭୂତି ତୁମ ଅପେକ୍ଷା ଅଧିକ । ମୋ ଜୀବନର ଏତେକାଳ ନୂଆ ନୂଆ ପରୀକ୍ଷା ଭିତରେହିଁ କଟିଛି । ମୁଁ ଯେଉଁ ତତ୍ତ୍ଵ ବାହାର କରିଛି, ତାହା ହେଲା–ସମନ୍ଵୟହିଁ ଆମର ଜୀବନର ଆଧାର । ତୁମେ ମୋତେ ଯାହା ଭାବପଛେ ଏପରି ଏକ ସମୟ ଆସିବ, ଯେତେବେଳେ କି ତୁମର ଆଖି ଖୋଲିଯିବ ଜାଣିପାରିବ ଯେ ଜୀବନରେ ଯଥାର୍ଥତାର ମହତ୍ତ୍ଵ ଆଦର୍ଶଠାରୁ କୌଣସି ଗୁଣରେ କମ୍ ନୁହେଁ ।

 

ଅମର ଯେପରି ଆକାଶରେ ଉଡ଼ୁ ଉଡ଼ୁ କହିଲା–ଯୁଦ୍ଧଭୂମି ଛାଡ଼ି ପଳାଇବା ଅପେକ୍ଷା ସେହିଠାରେ ପ୍ରାଣ ଦେବା ବହୁଗୁଣରେ ଭଲ । ସେହି ମୁହୂର୍ତ୍ତରେ ସେ ସେଠାରୁ ଚାଲିଗଲା ।

 

ପ୍ରଥମେ ଭେଟ ହେଲା ସଲୀମ୍ ସହିତ । ସେ ଏହି ପାଠଶାଳାକୁ କେଳା ତାମସା ବୋଲି କହେ, ଏଠି କୁହୁକ–କାଠି ଛୁଆଇଁ ଦେଲେ ମାଟି ପାଲଟିଯାଏ ସୁନା’ ସେ.ଏମ୍.ଏ. ପରୀକ୍ଷାପାଇଁ ପ୍ରସ୍ତୁତ ହେଉଛି । ତା’ର ଇଚ୍ଛା ସେ ଭଲ ସହକାରୀ ଚାକିରିଟିଏ ପାଇଗଲେ ସୁଖରେ ରହିବ । ସଂସ୍କାର, ସଙ୍ଗଠନ, ଆନ୍ଦୋଳନ ଇତ୍ୟାଦିରେ ତା’ର ସେପରି ଆଗ୍ରହ ନଥାଏ । ଏ ଖବର ଶୁଣି କହିଲା–ତୁ ବାହାରି ଆସିଛି, ଭାରି ଭଲ କରିଛୁ । ମୁଁ ଡାକ୍ତର ସାହେବଙ୍କୁ ଭଲକରି ଜାଣେ ପରା । ପରଘରେ ନିଆଁ ଲଗାଇ ଆପଣା ହାତ ସେକିବା ଲୋକଙ୍କ ଭିତରୁ ସେ ଜଣେ । ସେ ଜାତିପାଇଁ ଜୀବନ ଦିଅନ୍ତି; କିନ୍ତୁ ତାହା ଖାଲି କଥାରେ ।

 

ସୁଖଦା ମଧ୍ୟ ଆନନ୍ଦିତ ହେଲା । ଅମରର ପାଠଶାଳା ପିଛେ ପାଗଳ ହେବାଟା । ତାକୁ ଭଲ ଲାଗୁ ନଥିଲା । ଡାକ୍ତର ସାହେବଙ୍କ ପ୍ରତି ତା’ର ବିରକ୍ତି ଥିଲା । ସେହି ସିନା ଅମରକୁ ଆଙ୍ଗୁଳି ଆଗରେ ନଚାଉଛନ୍ତି । ତାଙ୍କରି ଫେରରେ ପଡ଼ି ଅମର ଘର ପ୍ରତି ପୁଣି ଉଦାସୀନ ହୋଇଗଲାଣି ।

 

କିନ୍ତୁ ସନ୍ଧ୍ୟାରେ ଅମର ଯେତେବେଳେ ସକୀନା ସହିତ କଥାବାର୍ତ୍ତା କଲା, ସେ ନେଲା, ଡାକ୍ତର ସାହେବଙ୍କ ପକ୍ଷ–ମୁଁ ଭାବୁଛି, ଡାକ୍ତର ସାହେବଙ୍କ ଧାରଣା ଠିକ୍ । ଭୋକ ଦାଉରେ ଈଶ୍ଵରବି ପାଶୋର ଯା’ନ୍ତି । ଜୀବିକା ଚିନ୍ତା ଯା’ ମୁଣ୍ଡରେ ବୋଝ ହୋଇଛି, ସେ ଜାତିର ସେବା କରିବ କ’ଣ ! ଆଉ ଯଦି କିଛି କରେ, ଗଚ୍ଛିତ ଧନକୁ ହସ୍ତଗତ କରିବ । ମନୁଷ୍ୟ ତ ଭୋକରେ ରହିପାରିବ ନାହିଁ । ତା’ ଉପରେ ପାଠଶାଳାର ଖର୍ଚ୍ଚବି ଅଛି । ଧରାଯାଉ, ଗଛମୂଳେ ପାଠଶାଳା ହେବ; କିନ୍ତୁ ସେ ବଗିଚାଟି କାହିଁ ? ପିଲାମାନେ ବସି ପାଠପଢ଼ିପାରିବା ଭଳି ଜାଗାଟିଏ ତ ଦରକାର । ପିଲାମାନଙ୍କର ବହି–କାଗଜ ଦରକାର, ବସିବାପାଇଁ ସମତଳ ଜାଗା ଖଣ୍ତିଏ ଦରକାର, ଦୋଳିପାଇଁ ରସି ଦରକାର । ଏସବୁ ଚାନ୍ଦାରୁ ଆସିବ ବା କେହି ଅର୍ଜନ କରିଦେବ । ଭାବିଲ ଦେଖି, ଯେଉଁ ଲୋକ ନିଜ ସିଦ୍ଧାନ୍ତ ବିରୁଦ୍ଧ ହେଲେବି ଚାକିରି କରି ଗୋଟିଏ ଅନୁଷ୍ଠାନର ମୂଳଦୁଆ ପକାଇଛି, ସେ ତା’ପାଇଁ କେତେ ବଡ଼ ତ୍ୟାଗ କରୁଛି ! ତୁମେ ନିଜର ସମସ୍ତ ଦାନ କରୁଛି । ସେ ଯେ ବିବେକ ପର୍ଯ୍ୟନ୍ତ ବଳି ଦେଉଛନ୍ତି । ମୁଁ ତ ଏପରି ଲୋକଙ୍କୁ ବରଂ ଅଧିକ ସମ୍ମାନଯୋଗ୍ୟ ମନେକରୁଛି ।

 

ପଠାଶୁଣୀ କହିଲା–ତୁମେ ସେ ଟୋକୀ କଥାରେ ପଡ଼ନାଇଁ, ପୁଅ ! ଯାଇ ଘରଧନ୍ଦା ଦେଖ, ଯେଉଁଥିରେ ଘର–ଗିରସ୍ଥି ନିର୍ଭା ହେବ । ଅଘରାଙ୍କୁ ଏ ବୁଲାରୀପଣିଆ ସାଜେ । ଆଲ୍ଲା ତୁମକୁ ଧନ–ମାନ ଦେଇଛି, ପିଲାଛୁଆ ଦେଇଛି । ତୁମେ ଏ ଛୋଟ କଥାରେ ଜମ୍ମା ପଡ଼େନା ।

 

ଏଣିକି ଅମରକୁ ଟୋପି ବିକିବାରୁ ଅବସର ମିଳିଲାଣି । ବୁଢ଼ୀକୁ ରେଣୁକା ଦେବୀଙ୍କଠାରୁ ଲୁଗା ଉପରେ ଛୁଞ୍ଚିକାମ କରିବାକୁ ଏତେ ବରାଦ ମିଳିଯାଉଛି ଯେ ଟୋପି ସିଲେଇ କରେ କିଏ ? ସଲୀମ୍ ଘରୁ ମଧ୍ୟ କିଛି ନା କିଛି କାମ ଆସୁଛି । ତାଙ୍କ ଜରିଆରେ ଅନ୍ୟ ଘରମାନଙ୍କରୁବି ବହୁତ ବରାଦ ଆସୁଛି । ସକୀନା ଘରର ଅବସ୍ଥା କେତେକାଂଶରେ ଭଲ ହୋଇଯାଇଥିବାର ଦେଖାଯାଉଛି । ଘର ଲିପାପୋଛା ହୋଇଛି, ଦୁଆରେ ନୂଆପରଦା ଟଙ୍ଗାଗଲାଣି, ଦୁଇଟି ନୂଆ ଖଟ ଆସିଛି, ଖଟ ଉପରେ ନୂଆ ସତରଞ୍ଜି ପଡ଼ିଛି, କେତେକ ନୂଆ ବାସନ ମଧ୍ୟ ଆସିଛି । ଖଣ୍ଡିଏ ଊର୍ଦ୍ଧ୍ୱ ଖବରକାଗଜ ମଧ୍ୟ ଖଟ ଉପରେ ରଖାଯାଉଛି । ବୁଢ଼ୀର କେବଳ ଏତିକି ଦୁଃଖ ଯେ ସକୀନା ବିବାହପାଇଁ ରାଜି ହେଉନାହିଁ ।

 

ଅମର ସେଠାରୁ ଗଲାବେଳେ ନିଜର ଭୁଲପାଇଁ ଲଜ୍ଜା ଅନୁଭବ କରୁଥାଏ । ସକୀନାର ପଦିଏ କଥା ତା’ ମନରୁ ସମସ୍ତ ଆଶଙ୍କା ଦୂର କରି ଦେଇଛି । ଡାକ୍ତରସାହେବଙ୍କ ପ୍ରତି ତା’ର ଶ୍ରଦ୍ଧା ପୂର୍ବପରି ଗଭୀର ହୋଇଯାଇଛି । ସକୀନାର ବୁଦ୍ଧିମତ୍ତା, ବିଚାର–ସୌଷ୍ଠବ, ଦୂରଦୃଷ୍ଟି ଓ ନିର୍ଭୀକତା ତାକୁ ମୁଗ୍ଧ ଓ ଚକିତ କରିଦେଇଛି । ସକୀନା ସଙ୍ଗେ ତା’ର ପରିଚୟ ଯେତେ ଗଭୀର ହେଉଛି । ସକୀନାର ପ୍ରଭାବ ମଧ୍ୟ ଯେତେ ଗଭୀର ହେଉଛି । ସୁଖଦା ନିଜର ପ୍ରତିଭା ଓ ଗରିମାଦ୍ଵାରା ତାକୁ ଶାସନ କରେ; ସେ ଶାସନ ତାକୁ ଭଲ ଲାଗେନା । ସକୀନା ନିଜର ନମ୍ରତା ଓ ମଧୁରତାଦ୍ଵାରା ତାକୁ ଶାସନ କରେ । ଏ ଶାସନ ତାକୁ ଭଲ ଲାଗେ । ସୁଖଦାର ଥିଲା ଅଧିକାର–ଗର୍ବ, ସକୀନାର ଥିଲା ଆତ୍ମସମର୍ପଣର ଦୀନତା । ସୁଖଦା ଭାବୁଥିଲା ସେ ଅମରକାନ୍ତ‌ ଅପେକ୍ଷା ବୁଦ୍ଧିରେ, କୌଶଳରେ ଶ୍ରେଷ୍ଠ; ମାତ୍ର ସକୀନା ଭାବେ–ମୁଁ ତାଙ୍କ ଆଗରେ କି ଛାର !

 

ଡାକ୍ତରସାହେବ ହସି ପଚାରିଲେ–ତୁମର ମତ ଯେ ମୁଁ ଇସ୍ତଫା ଦେଇଦିଏଁ ? ବାସ୍ତବରେ ମୁଁ ତାହା ଲେଖିରଖୁଛି, କାଲି ଦେଇଦେବି । ତୁମର ସହଯୋଗ ହରାଇବାକୁ ମୁଁ ଚାହେଁନା । ମୁଁ ବି ଏକୁଟିଆ କିଛି କରିପାରିବି ନାହିଁ । ତୁମେ ଚାଲିଯିବା ପରେ ମୁଁ ମନ ସ୍ଥିର କରି ଭାବିଲି । ଦେଖିଲି–ମୁଁ ବୃଥା ମୋହରେ ପଡ଼ିଛି । ସ୍ଵାମୀ ଦୟାନନ୍ଦ ଆର୍ଯ୍ୟ–ସମାଜ ଗଠନ କଲାବେଳେ ତାଙ୍କ ପାଖରେ କ’ଣ ଥିଲା ।

 

ଅମରକାନ୍ତ ମଧ୍ୟ ହସିଲା–ନାହିଁ ସାର୍, ମୁଁ ମନ ସ୍ଥିର କରି ଚିନ୍ତା କରିବାରୁ ବୁଝିପାରିଲି ଯେ, ମୁଁ ଭ୍ରମରେ ପଡ଼ିଛି । ଟଙ୍କାର ଉପଯୁକ୍ତ ବ୍ୟବସ୍ଥା ନ ହେବା‌ ପର୍ଯ୍ୟନ୍ତ ଆପଣ ଇସ୍ତଫା ନ ଦେବା ଭଲ ।

 

ଡାକ୍ତର ସାହେବ ବିସ୍ମିତ ହୋଇ କହିଲେ–ତୁମେ କ’ଣ ଥଟ୍ଟା କରୁଛ ?

 

‘‘ନାଇଁ ଆଜ୍ଞା, ମୁଁ ଆପଣଙ୍କ ସଙ୍ଗେ ଅଭଦ୍ର ବ୍ୟବହାର କରିଛି । ସେଥିପାଇଁ କ୍ଷମା ଦେବେ ।”

 

–୧୫–

 

ଏଣେ କିଛିଦିନ ହେଲା ଅମରକାନ୍ତ ମ୍ୟୁନିସିପାଲ ବୋଡ଼୍‍ର ମେମ୍ବର ହୋଇଛି । ନଗରରେ ଲାଲା ସମରକାନ୍ତଙ୍କର ଏତେ ପ୍ରଭାବ ଥିଲା ଓ ଲୋକେ ଅମରକାନ୍ତକୁ ଏତେ ଭଲ ପାଉଥିଲେ ଯେ, ପଇସାଟାଏ ଖର୍ଚ୍ଚ ନକରି ମଧ୍ୟ ସେ ନିର୍ବାଚିତ ହୋଇଛି । ତା’ ସହିତ ପ୍ରତିଦ୍ଵନ୍ଦ୍ୱିତା କରୁଥିଲେ ଜଣେ ବିଶିଷ୍ଟ ଓକିଲ । ସେ ତା’ ଭୋଟର ଚାରିଭାଗରୁ ଭାଗେବି ପାଇଲେ ନାହିଁ । ସୁଖଦା ଓ ଲାଲା ସମରକାନ୍ତ ଉଭୟେ ତାକୁ ମନା କରୁଥିଲେ । ଉଭୟେ ତାକୁ ଘର–ଧନ୍ଦାରେ ପୂରାଇବାକୁ ଚାହୁଁଥିଲେ । ସେ ପଢ଼ା ଛାଡ଼ି ଦେଇଥାଏ । ତେଣୁ ତା’ ଉପରେ ସମସ୍ତ ଭାର ଦେଇ ଲାଲାଜୀ ନିଶ୍ଚିନ୍ତ ହେବାକୁ ଚାହୁଁଥିଲେ । ବାହାରର ନାନା କାମରେ ଲିପ୍ତ ହେଲେ ଘରକାମ ଆଉ କରିବ କ’ଣ ? ଦିନେ ଘରେ ଗୋଟାଏ ଛୋଟ ଧରଣର ତୋଫାନ ଉଠିଲା । ଲାଲାଜୀ ଓ ସୁଖଦା ଏକ ପକ୍ଷରେ, ଅନ୍ୟ ପକ୍ଷରେ ଅମର ଏବଂ ନୟନା ହୋଇଥାଏ ମଧ୍ୟସ୍ଥ ।

 

ପେଟ ଉପରେ ହାତ ବୁଲାଇ ଲାଲାଜୀ କହିଲେ–‘ଧୋବା ଘର କୁକୁର, ଘର ଜଗିପାରେ ନାହିଁ କି ଘାଟରେ ଜଗିପାରେ ନାହିଁ । ଭୋରୁ ଯିବ ପାଠଶାଳା, ସନ୍ଧ୍ୟା ହେଲେ କଂଗ୍ରେସରେ ବସିଲା, ତା’ପରେବି ଗୋଟାଏ ନୂଆ ବ୍ୟାଧି ମୂଲେଇବାକୁ ତିଆର । ହଉ ତେବେ ଘରେ ନିଆଁ ଲଗେଇ ଦିଅ, ଯିବ ।

 

ସୁଖଦା ସମର୍ଥନ କଲା–ହଁ, ଏଣିକି ତୁମର ଘରଧନ୍ଦା ଦେଖିବା କଥା ନା ବାଜେ କାମରେ ଲାଗିଥିବ ? ପଢ଼ୁଥିଲେ ମୁଁ ପଢ଼ୁଥିଲ । ଏବେ ତ ପଢ଼ା ସରିଲା । ଏଣିକି ତା’ର ସମ୍ଭାଳିବା ଉଚିତ । ଯା’ ଘରେ ଦୁଇ–ଚାରି, ଜଣ ଅଛନ୍ତି, ସେ ଏପରି କାମ କଲେ କିଛି ଯାଏଁ–ଆସେନା । ଏକୁଟିଆ ଲୋକକୁ ତ ଘର କାମରୁ ଫୁରୁସତ୍ ମିଳିବ ନାହିଁ, ବାହାରିଆ କାମ ତୁଲାଇବ କୁଆଡ଼ୁ ?

 

ଅମର କହିଲା–ତୁମେମାନେ ଯାହାକୁ ରୋଗ, ବାହାରିଆ କାମ, ବାଜେ କାମ ବୋଲି କହୁଛ, ମୁଁ ତାକୁ ଘର କାମଠାରୁ କମ୍ ଜରୁରୀ ବୋଲି ଭାବିପାରୁ ନାହିଁ । ଆଉ ଆପଣ ଥିବା ପର୍ଯ୍ୟନ୍ତ ମୋର ଚିନ୍ତା କରିବାର କ’ଣ ଅଛି ? ସତ କହିବାକୁ ଗଲେ, ମୋ ଦେଇ ସେ ସବୁ କାମ ଆଦୌ ହୋଇପାରିବ ନାହିଁ । ଯାହାର ଯେଉଁ କାମରେ ମନ ଲାଗେ, ସେ ସିନା ସେଥିରେ ସଫଳତା ପାଏ ଦେଣନେଣ, ବେପାର–ବଣିଜରେ ବିଲ୍‍କୁଲ୍ ମୋର ମନ ଲାଗେ ନାହିଁ । ମୋତେ ଡରମାଡ଼େ ଯେ, କାଳେ କେତେବେଳେ ହେଉଥିବା କାମବି ମୋ ହାତରେ ବିଗିଡ଼ିଯିବ ।

 

ଲାଲାଜୀଙ୍କୁ ଏ କଥା ନିଃସାର ବୋଧ ହେଲା । ତାଙ୍କ ପୁଅ–ବେପାର–ବଣିଜକୁ ପାରିବ ନାହିଁ । ଅସମ୍ଭବ । ପାକୁଆ ପାଟିରେ ପାନ–ଚୋବାଉ ଚୋବାଉ କହିଲେ–ଏସବୁ ତୋର ଅଳସୁଆମୀ । ମୁଁ ନଥିଲେ ତୁ କ’ଣ ତୋ ପିଲା କୁଟୁମ୍ବଙ୍କୁ ପୋଷନ୍ତୁ ନାହିଁ ? ମୋତେ ପୋଷିବାକୁ ତୋର ମନ ? ପୁଅ ଅଛନ୍ତି, ଘରର ଦାୟିତ୍ଵ ନିଜେ ମୁଣ୍ଡେଇ ବାପକୁ ଛୁଟିଦେଇ ଦେଉଛନ୍ତି । ଆଉ ତୁ ? ତୁ ତ ହାଡ଼ ଦିଖଣ୍ଡ ଥିବାଯାକେ ଛାଡ଼ିବୁ ନାହିଁ ।

 

କଥା ବଢ଼ିବାକୁ ଲାଗିଲା । ସୁଖଦା ଦେଖିଲା ପରିସ୍ଥିତି ଖରାପ ହେବାକୁ ଯାଉଛି; ତେଣୁ ଚୁପ୍ ହୋଇଗଲା । ନୟନା ଦୁଇ କାନରେ ଆଙ୍ଗୁଳି ଦେଇ ଘରେ ଭିତରେ ଯାଇ ବସିଲା । ଏଣେ ଚାଲିଲା ଦୁଇ ବୀରଙ୍କର ମଲ୍ଲଯୁଦ୍ଧ । ଯୁବକଠାରେ ଥିଲା ତତ୍ପରତା, ସ୍ଫୁର୍ତ୍ତି ଆଉ ନମନୀୟତା; ବୃଦ୍ଧର କୌଶଳ, ଧୈର୍ଯ୍ୟ ଓ ଗୁରୁତ୍ୱ । ପୁରାତନ ଯୋଦ୍ଧା ବାରମ୍ଵାର ମାଡ଼ିବସିବାକୁ ଚାହୁଁଥାଏ; କିନ୍ତୁ ତରୁଣ ବୀର ତଳୁ ଖସି ଯାଉଥାଏ । ସମସ୍ତ କଳା–କୌଶଳ ବ୍ୟର୍ଥ ।

 

ଶେଷରେ ଲାଲାଜୀ ଅତିଶୟ କ୍ରୁଦ୍ଧ ହୋଇ କହିଲେ–ତାହାହେଲେ ବାବା, ତୁ ତୋ ପିଲା–ଛୁଆ ନେଇ ଅଲଗା ହୋଇଗଲୁ । ମୁଁ ତୁମ ବୋଝ ସମ୍ଭାଳି ପାରିବି ନାହିଁ । ଏ ଘରେ ରହିବ ତ ଭଡ଼ା ଆଉ ଘର–ଖର୍ଚ୍ଚର ଅଧା ଚୁପ୍‌କି ବାହାର କରି ଆଗ ଥୋଇଦେବାକୁ ପଡ଼ିବ । ମୁଁ ତୁମକୁ ସାରା ଜୀବନ ପୋଷିବାକୁ ଠିକା ନେଇ ନାନ୍ତି । ଘରକୁ ଆପଣାର ଭାବିବ ତ ଯାହାକିଛି ଅଛି ସବୁ ତୁମର । ତା’ ନହେଲେ ଏଠି ତୁମର ସ୍ଥାନ ନାହିଁ । ମୁଁ ମଲେ ପଛେ ଯାହା ଥିବ ଆସି ନେଇନେବ ।

 

ଅମରକାନ୍ତ ଦେହରେ ଯେପରି ବିଜୁଳି ଲାଗିଗଲା । ପୁଅଟିର ଜନ୍ମ ପୂର୍ବରୁ ସେ ଘର ପ୍ରତି ଉଦାସୀନ ଥିଲା । ସେତେବେଳେ ଥରେ ଦୁଇ ଥର ଆଘାତର ଶଙ୍କା ଜନ୍ମିଥିଲା; ମାତ୍ର ପିଲାଟିଏ ଜନ୍ମ ପରଠାରୁ ଲାଲାଜୀଙ୍କ ବ୍ୟବହାର ଓ ସ୍ଵଭାବରେ ବାତ୍ସଲ୍ୟର ସ୍ନିଗ୍‌ଧତା ଆସିଯାଇଥିଲା । ଅମର ଏବେ ଏ କଠୋର ଆଘାତର ଆଶଙ୍କା ଆଦୌ କରି ନଥିଲା । ଲାଲାଜୀ ଯେଉଁ ଖେଳଣାଟି ଚାହୁଁଥିଲେ, ତାହା ତାଙ୍କୁ ଧରାଇ ଦେଇ ଅମର ନିଶ୍ଚିନ୍ତ ହୋଇଯାଇଥିଲା; ମାତ୍ର ସେଦିନ ସେ ଜାଣିଲା, ସେହି ଖେଳଣାଟି ମାୟା–ଜଞ୍ଜିର ଛିଣ୍ଡାଇ ପାରି ନାହିଁ ।

 

ପୁତ୍ରର କାର୍ଯ୍ୟରେ ଅମନୋଯୋଗିତା ଦେଖି ଅସନ୍ତୋଷ ପ୍ରକାଶ କରି, ଧମକ ଦିଅନ୍ତି, ମୁହଁ ଫୁଲାନ୍ତି । ଏ କଥା ତ ଅମର ବୁଝିପାରୁଥିଲା; ମାତ୍ର ପିତା ହୋଇ ପୁତ୍ରକୁ ଘରଭଡ଼ା ଓ ଖାଇବା ଖର୍ଚ୍ଚ ମାଗିବା ମାୟା–ଲିପ୍ସାର ଚରମ ସୀମା ସିନା ! ଏହାର ଏକମାତ୍ର ଉତ୍ତର ଥିଲା–ସେହିଦିନ ସୁଖଦା ଓ ପିଲାଟିକୁ ନେଇ ଅନ୍ୟତ୍ର ଚାଲିଯିବା ଏବଂ ଚାପ ସହିତ କୌଣସି ସମ୍ପର୍କ ନ ରଖିବା, ଆଉ ଯଦି ସୁଖଦା ଏଥିରେ ଆପତ୍ତି ଉଠାଏ, ତାକୁ ମଧ୍ୟ ଜଳାଞ୍ଜଳି ଦେଇ ଦେବା ।

 

ଅମର ସ୍ଥିର ଭାବରେ କହିଲା–ଆପଣଙ୍କର ଏହି ଇଚ୍ଛା ତ, ଏଇଆ ହେବ ।

 

ସମରକାନ୍ତ ରାଗରେ କହିଲେ–ଓ, ଶାଶୁ ଚଳ ପାଇ ୟା’ କହୁଛୁ, ନା ?

 

ଅମର ତିରସ୍କାର ବ୍ୟଞ୍ଜନ ସ୍ଵରରେ କହିଲା–ବାପା, ଆପଣ ଘା’ ଉପରେ ଲୁଣଛିଟା ଦିଅନ୍ତୁ ନାହିଁ । ଯେଉଁ ବାପା ଜନ୍ମ ଦେଇଛନ୍ତି, ତାଙ୍କ ଘରେ ଯଦି ମୋପାଇଁ ସ୍ଥାନ ନାହିଁ, ତେବେ ଆପଣ କ’ଣ ଭାବୁଛନ୍ତି ଯେ ଶାଶୁ–ଶଶୁରଙ୍କ ଓଳିରେ ମୁଣ୍ଡ ଗୁଞ୍ଜିବି ? ଆପଣଙ୍କ ଦୟାରୁ ମୁଁ ଏତେ ଛୋଟଲୋକ ନୁହେଁ । ମୂଲ ମଜୁରୀ କରିପାରିବି, ଝାଳବୁହା ଅର୍ଜନରେ ଖାଇପିଇ ଚଳିପାରିବି । କାହାରି ଦୟା–ଭିକ୍ଷା କରିବା ମୋ ଆତ୍ମସମ୍ମାନ ପକ୍ଷେ ଘାତକ ବୋଲି ମୁଁ ଜାଣେ । ଈଶ୍ଵର ଦୟା କଲେ ମୁଁ ଆପଣଙ୍କୁ ଦେଖାଇଦେବି ଯେ ମୁଁ ମୂଲ ଲାଗି ମଧ୍ୟ ଜନସେବା କରିପାରେ ।

 

ସମରକାନ୍ତ ଭାବିଲେ–ତଥାପି ଯା’ର ନିଶା କମି ନାହିଁ । ମାସେ–ଦୁଇମାସ ଗୃହସ୍ଥ–ଭଉଁରୀରେ ପଡ଼ିଗଲେ ବଳେ ଆଖି ଖୋଲିଯିବ ଯେ, ସେ କିଛି ନ କହି ବାହାରକୁ ଚାଲିଗଲେ । ଏଣେ ଅମର ମଧ୍ୟ ଗୋଟାଏ ଘର ଖୋଜିବାପାଇଁ ବାହାରିପଡ଼ିଲା ।

 

ସେ ଚାଲିଗଲା ପରେ ଲାଲାଜୀ ପୁଣି ଭିତରକୁ ଗଲେ । ସେ ଆଶା କରିଥିଲେ, ସୁଖଦା ତାଙ୍କ କ୍ଷତ ଉପରେ ମଲମ ଲଗାଇ ଦେବ; ମାତ୍ର ସୁଖଦା ତାଙ୍କୁ ନିଜର ସମ୍ମୁଖରେ ଦେଖି ମଧ୍ୟ ବାହାରକୁ ଆସିଲା ନାହିଁ । ସେ କଳ୍ପନା କରି ପାରି ନଥିଲା ଯେ, କୌଣସି ପିତା ଏତେ କଠୋର ହୋଇପାରେ । ଶେଷରେ ଏହି ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି କି କାମରେ ଆସିବ ଭଲା ! ଆମର ଘର କାମରେ ସାହାଯ୍ୟ କରେ ନାହିଁ, ଏହା ସୁଖଦାକୁ ଭାରି ଖରାପ ଲାଗେ । ଲାଲାଜୀ ଏହି କାରଣରୁ ପୁଅକୁ ତାଡ଼ନା କରୁଥିଲେ, ଏହା ମଧ୍ୟ ଉଚିତ ଥିଲା; କିନ୍ତୁ ଘରଭଡ଼ା ଓ ଖାଇବା ଖର୍ଚ୍ଚ ମାଗିବା ଅର୍ଥ ସମସ୍ତ ସମ୍ପର୍କ ତୁଟଇ ଦେବା । ହେଉ, ବାପା ଯେବେ ସମ୍ପର୍କ ତୁଟାଇଦେଲେ, ତେବେ ତାଙ୍କରବି ପେଟପାଇଁ ତାଙ୍କୁ ଖୋସାମତ କରିବା ଦରକାର ନାହିଁ । ଘରେ ନିଆଁ ଲାଗିଯାଉ, ତା’ର କ’ଣ ଯାଉଛି ? ସେ ସମସ୍ତ ଗହଣା ଖୋଲି ପକାଇଲା । ହଁ, ଏ ସବୁ ତ ଲାଲାଜୀ ଦେଇଥିଲେ । ମା’ ଦେଇଥିବା ଗହଣାଗୁଡ଼ିକ ମଧ୍ୟ ସେ ଓହ୍ଲାଇ ପକାଇଲା । ମା’ ଯାହା ଯାହା ଦେଇଥିଲା, ସେ ସବୁ ଯୌତୁକ ପୂରଣପାଇଁ ତ ! ତାକୁବି ଲାଲାଜୀ ନିଜ ଜମାଖାତାରେ ଟିପି ଦେଇଥିବେ । ସେ ଖାଲି ଶାଢ଼ି ଖଣ୍ଡିଏ ପିନ୍ଧି ଏ ଘରୁ ବାହାରିଯିବ । ଭଗବାନ ପିଲାଟିକୁ ଭଲରେ ରଖିଥାନ୍ତୁ । ତା’ର ଆଉ କିଛି ଦରକାର ନାହିଁ । ଏହି ଅମୂଲ୍ୟ ରତ୍ନଟିକୁ ତ କେହି ତା’ ପାଖରୁ ଛଡ଼ାଇ ନେଇ ପାରିବ ନାହିଁ ! ସେତେବେଳେ ଅମର ପ୍ରତି ତା’ ମନରେ ବାସ୍ତବ ସହାନୁଭୂତି ଜନ୍ମିଲା । ହେଲା, ମ୍ୟୁନିସିପାଲଟି ପାଇଁ ଛିଡ଼ା ହେବାରେ ଭଲା କି କ୍ଷତିଟା ହୋଇ ଯାଉଥିଲା ! ସମ୍ମାନ ଓ ପ୍ରଶଂସା ପାଇବାକୁ କିଏ ବା ନ ଚାହେଁ ? ଏଇ ମେମ୍ବର ହେବାପାଇଁ ତ ଲୋକେ ଲକ୍ଷ ଲକ୍ଷ ଖର୍ଚ୍ଚ କରି ଦେଉଛନ୍ତି ! ଯେତେ ମେମ୍ବର ସେଠି ଅଛନ୍ତି, ସମସ୍ତେ କ’ଣ ଅକର୍ମା । ମନୁଷ୍ୟମାତ୍ରେ କିଛି କାମ କରିବାକୁ, କିଛି ନାମ କରିବାକୁ ଚାହାନ୍ତି । ସେ ଯଦି ସ୍ୱାର୍ଥ–ସାଧନ ପାଇଁ ନିଜକୁ ଟେକି ଦେଇ ନଥାନ୍ତେ, ତେବେ କିଏ କାହିଁକି ଏପରି କାମ କରିଥାନ୍ତା ନା ଏମିତି ଦଣ୍ଡ ପାଇଥାନ୍ତା ! ଅନ୍ୟ କେହି ହୋଇଥିଲେ ନିଜ ପୁଅର ଏପରି ବିଷୟରେ ଅନୁରାଗ ଦେଖି ନିଜକୁ ଧନ୍ୟ ମନେ କରିଥାନ୍ତା, ନିଜ ଭାଗ୍ୟକୁ ପ୍ରଶଂସା କରୁଥାନ୍ତା ।

 

ସହସା ଅମର ଆସି କହିଲା–ଆଜି ବାପାଙ୍କ କଥା ଶୁଣିଲ ତ ? ତୁମେ କ’ଣ କହୁଛ ?

 

“ମୁଁ କହୁଛି, ଆଜିରେ ଏଠାରୁ ବିଦା ହୋଇଯିବା ଉଚିତ । ସେ ଧମକ ଶୁଣିଲାବେଳୁ ମୋର ତ ଏ ଘରେ ଆଉ ପାଣି ଛୁଇଁବାକୁ ଇଚ୍ଛା ହେଉ ନାହିଁ । ଗୋଟାଏ ଘର ଦେଖ ।”

 

“ତା’ ତ’ ଦେଖା ସରିଛି । ଛୋଟିଆ ଘରଟିଏ, ‘ପରିଷ୍କାର–ପରିଚ୍ଛନ୍ନ, ତଳବାଗରେ, ଦଶ ଟଙ୍କା ଭଡ଼ା ।”

 

“ମୁଁ ତ ପ୍ରସ୍ତୁତ ।”

 

“ତେବେ ଗୋଟାଏ ଗାଡ଼ି ଡାକୁଛି ।” କ’ଣ ଦରକାର ? ଗୋଡ଼େ–ଗୋଡ଼େ ଚାଲିଯିବ ।”

 

ସିନ୍ଦୁକ, ବିଛଣାପତ୍ର, ଏ ସବୁ ତ ପୁଣି ନେଇଯିବାକୁ ପଡ଼ିବ ?”

 

“ଏ ଘରେ ଆମର କିଛି ନାହିଁ । ମୁଁ ତ ସବୁଯାକ ଗହଣା ଓହ୍ଲାଇ ପକାଇଛି । ମୂଲିଆଙ୍କ ସ୍ତ୍ରୀ ତ ଗହଣା ପିନ୍ଧି ବସିରହନ୍ତି ନାହିଁ ।

 

ସ୍ତ୍ରୀର ଅଭିମାନ ଦେଖି ଅମରକାନ୍ତ ଚକିତ ହୋଇଗଲା । କହିଲା–କିନ୍ତୁ ଗହଣା ଯେ ତୁମର । ତା’ ଉପରେ କାହାରି ଦାବି ନାହିଁ ତ ! ତା’ପରେ ଅଧିକାଂଶ ଗହଣା ତ ତୁମେ ଏଠିକି ଆସିଲାବେଳେ ତେଣୁ ଆଣିଥିଲ ।

 

‘‘ମା’ ଯାହାସବୁ ଦେଇଥିଲା, ଯୌତୁକରୂପେ ଦେଇଥିଲା । ବାପା ଯାହା ଦେଇଛନ୍ତି, ଘରେ ତ ରହିବ, ଏହା ଭାବି ଦେଇଛନ୍ତି । ତାଙ୍କ ଖାତାରେ ସବୁ ଜିନିଷ ଗୋଟି ଗୋଟି କରି ଟିପାଯାଇଛି । ଗହଣାକୁ ମଧ୍ୟ ଦୟା–ଭିକ୍ଷା ବୋଲି ମୁଁ ଭାବେ । ଏଣିକି ଆମେ ନିଜ ଅର୍ଜନରେ ଯାହା କରିବା, ତା’ର ଉପରେ ଆମର ଅଧିକାର ।”

 

ଅମର ଗଭୀର ଚିନ୍ତାରେ ବୁଡ଼ିଗଲା । ଏ ତ ସମ୍ବନ୍ଧକୁ ଏପରି ଛିଣ୍ଡାଇ ଦେଉଛି ଯେ ଗୋଟାଏ ଝିଅ ସୁଦ୍ଧା ବାକି ରଖୁନାହିଁ । ନାରୀମାନଙ୍କର ଗହଣା କେଡ଼େ ପ୍ରିୟ ବସ୍ତୁ, ତାହା ତାକୁ ଜଣା । ପତି–ପୁତ୍ର ବ୍ୟତୀତ ନାରୀର ଆଉ କିଛି ପ୍ରିୟବସ୍ତୁ ଥାଏ ତ, ତାହା ହେଉଛି ଏହି ଅଳଙ୍କାର । କେବେକେବେ ତ ନାରୀ ଅଳଙ୍କାର ପାଇଁ ପତି–ପୁତ୍ର ସହିତବି ରୁକ୍ଷ ବ୍ୟବହାର କରିଥାଏ । ଘା’ଟା ବର୍ତ୍ତମାନ ଆରମ୍ଭ ହେଉଛି, ପୀଡ଼ା ନାହିଁ । ଏହି ବିତୃଷ୍ଣା ଦୁଇ–ଚାରି ଦିନ ପରେ ଜ୍ୱାଳା ଅସନ୍ତୋଷ ରୂପରେ ପ୍ରକାଶ ପାଇବ । ସେତେବେଳେ ଆରମ୍ଭ ହେବ ପ୍ରତି କଥାରେ ଆକ୍ଷେପ, କଥା କଥାକେ ଭାଗ୍ୟକୁ ନିନ୍ଦି କାନ୍ଦିବା । ସେତେବେଳେ ଘରେ ରହିବା ମୋ ପକ୍ଷରେ ଦୁଷ୍କର ହେବ ।

 

ଅମର କହିଲା–ମୁଁ ତ ଏ ପରାମର୍ଶ ଦେବି ନାହିଁ, ସୁଖଦା ! ନିଜ ଜିନିଷସବୁ ସଙ୍ଗରେ ନେଇଯିବାରେ ମୁଁ ତ କୌଣସି ଦୋଷ ଥିବାର ଦେଖୁ ନାହିଁ ।

 

ସୁଖଦା ସଗର୍ବ ଦୃଷ୍ଟିରେ ସ୍ୱାମୀଙ୍କୁ ଚାହିଁ କହିଲା–ତୁମେ ଭାବୁଥିବ, ଗହଣାପାଇଁ ମୁଁ ଘର–କୋଣରେ ବସି କାନ୍ଦିବି, ଆଉ ଭାଗ୍ୟକୁ ନିନ୍ଦିବି । ବେଳ ପଡ଼ିଲେ ସ୍ତ୍ରୀମାନେବି କିପରି ତ୍ୟାଗ କରିପାରନ୍ତି, ତା’ ତୁମେ ଜାଣିନାହଁ । ସେହି ତିରସ୍କାର ପରେ ପିନ୍ଧିବା ତ ଦୂରର କଥା, ମୁଁ ସେ ଗହଣାକୁ ଚାହିଁବାକୁବି ପାପ ବୋଲି ଭାବୁଛି । ତୁମେ ଡରୁଥିବ ଯେ ଦିନ ଦୁଇଟା ନ ଯାଉଣୁ ଏ ମୋର ମୁଣ୍ଡ ଖାଇବ । ତେଣୁ ମୁଁ ତୁମ ଆଗରେ ଶପଥ କରି କହୁଛି ଯେ ଗହଣା କଥା ଯେବେ ମୋ ତୁଣ୍ଡରୁ ବାହାରିବ, ତେବେ ମୋ ଜିଭ କାଟି ନେବ । ଆହୁରିବି କହିରଖୁଛି, ମୁଁ ତୁମ ଭରସାରେ ଯାଉ ନାହିଁ । ମୁଁ ନିଜେ ମୋ ଚଳିବା ମୁତାବକ ରୋଜଗାର କରିବି । ଖାଇବାରେ ତ ବେଶି ଖର୍ଚ୍ଚ ହୁଏନା, ହୁଏ ଆଡ଼ମ୍ବରରେ । ବଡ଼ଲୋକି ଆଡ଼ମ୍ବର ଛାଡ଼ିଦିଅ, ଦେଖିବ, ଚାରିଅଣା ପଇସାରେବି ଚଳିହେବ ।

 

ନୟନା ଦେଖିଲା, ଭାଉଜ ଗହଣାସବୁ ଓହ୍ଲାଇ ପକାଉଛନ୍ତି । ତା’ର ପ୍ରାଣ ଛଟପଟ ହୋଇଉଠିଲା । ସେ ଏକୁଟିଆ ଏ ଘରେ ରହିବ କିପରି ? ପୁଅଟିକୁ ଛାଡ଼ି ସେ ତ ଘଡ଼ିଏବି ରହିପାରିବ ନାହିଁ । ବାପ, ଭାଇ, ଭାଉଜ ସମସ୍ତଙ୍କ ଉପରେ ତା’ର ରାଗ ହେଲା । ବାପାଙ୍କୁ କି ବୁଦ୍ଧି ଦିଶିଲା କେଜାଣି ! ଏତେ ଧନ ତ ଘରେ ଭରତି ହୋଇଛି ସେ ସବୁ ହେବ କ’ଣ ? ଭାଇବି ଘଡ଼ିଏ ଘଡ଼ିଏ ଦୋକାନରେ ବସିଥିଲେ କ’ଣଟା ବିଗିଡ଼ି ଯାଉଥିଲା ? ଭାଉଜଙ୍କର କେଜାଣି କି ପାଗଳାମି ଚଢ଼ିଛି ! ସେ ନ ଗଲେ ଭାଇ ତ ଦିନ ଦି’ଚାରିଟାରେ ଫେରି ଆସନ୍ତେ । ମୁଁ ଯଦି ତାଙ୍କ ସଙ୍ଗେ ଚାଲିଯାଏ, ବାପାଙ୍କୁ ଖାଇବାକୁ ଦେବ କିଏ ? ଆଉ କାହାରି ହାତରୁ ତ ସେ ଖା’ନ୍ତି ନାହିଁ । ସେ ଭାଉଜଙ୍କୁ ବୁଝାଇବାକୁ ଭାବିଲା; କିନ୍ତୁ ବୁଝାଇବ କିପରି ? ସେ ଦୁହେଁଯାକ ତ ତା’ ଆଡ଼କୁ ଆଖି ଟେକି ଚାହୁଁ ନାହାନ୍ତି । ଭାଇ ତ ଏବେ ଆଗ ପରି ଭଲ ପାଉ ନାହାନ୍ତି । ପିଲାଟିରବି ଟିକିଏ ଦୁଃଖ ନାହିଁ ତ ! ନୟନାର ଦୁଃଖ ସୀମାଲଙ୍ଘନ କଲା ।

 

ସେ ଯାଇ ଲାଲାଜୀଙ୍କୁ କହିଲା–ବାପା ! ଭାଉଜ ସବୁଯାକ ଗହଣା ଓହ୍ଲାଇ ରଖିଦେଇ ଯାଉଛନ୍ତି ।

 

ଲାଲାଜୀ ଚିନ୍ତିତ ଥିଲେ, କିଛି କହିଲେ ନାହିଁ । ବୋଧହୁଏ ଶୁଣିପାରି ନାହାନ୍ତି ।

 

ନୟନା ଆଉ ଟିକିଏ ଜୋରରେ କହିଲା–ଭାଉଜ ତାଙ୍କର ସବୁତକ ଗହଣା ବାହାର କରି ରଖିଦେଲେଣି ।

 

ଲାଲାଜୀ ଅନ୍ୟମନସ୍କ ଭାବରେ ତଥା ଉଠାଇ କହିଲେ–ଗହଣା କ’ଣ କରୁଛନ୍ତି ?

 

“ବାହାର କରି ରଖି ଦେଉଛନ୍ତି ।”

 

“ମୁଁ ତେବେ କ’ଣ କରିବି ?”

 

“ତୁମେ ଯାଇ ତାଙ୍କୁ କହୁନାହଁ କାହିଁକି ?”

 

“ସେ ପିନ୍ଧିବାକୁ ନ ଚାହୁଁଛି ତ ମୁଁ କ’ଣ କରିବି ?”

 

“ତୁମେ ତାଙ୍କୁ ଗହଣା ନେଇଯିବାକୁ ମନା କରିଥିବ । ତାଙ୍କ ବାହାଘର ଗହଣା କ’ଣ ତୁମେ ନେଇଯିବ ?

 

“ହଁ–ହଁ, ମୁଁ ସବୁ ନେଇଯିବି । ଏ ଘରେ କାହାରି କିଛି ନାହିଁ ।”

 

“ଏଇଟା ତୁମର ଅନ୍ୟାୟ ।”

 

“ଯା–ଯା, ଭିତରେ ବସ ବକବକ କରନା ।”

 

“ତୁମେ ଯାଇ ତାଙ୍କୁ ବୁଝାଉ ନାହଁ କାହିଁକି ?”

 

“ତୋର ତ ଭାରି ଦରଦ, ତୁ ଯାଉନାହୁଁ ବୁଝେଇବୁ ।”

 

“ମୁଁ କିଏ ବୁଝାଇବାକୁ ? ତୁମେ ତୁମ ଗହଣା ନେଇଯାଉଛ ଯେତେବେଳେ, ମୁଁ କହିଲେ ସେ ପିନ୍ଧିବେ ବା କାହିଁକି ?”

 

କିଛି ସମୟ ଦୁହେଁ ନୀରବ ରହିଲେ । ନୟନା ପୁଣି କହିଲା–ମୁଁ ଏ ଅନ୍ୟାୟ ଦେଖିପାରିବି ନାହିଁ । ଗହଣା ତାଙ୍କର । ବିଭାଘର ଗହଣା ତୁମେ ତାଙ୍କଠୁଁ ନେଇପାରିବ ନାହିଁ ।”

 

“ଏ ଆଇନ ତୁ କେବଠୁଁ ଜାଣିଗଲୁଣି ?”

 

“ନ୍ୟାୟ କ’ଣ ଆଉ ଅନ୍ୟାୟ କ’ଣ, ତାହା ଶିଖାଇବାକୁ ପଡ଼େ ନାହିଁ । ବିନାଦୋଷରେ ଗୋଟାଏ କଅଁଳା ଛୁଆକୁ ଦଣ୍ଡିଲେ ସେ ବି ଚୁପ୍‌ଚାପ୍ ସହିଯିବ ନାହିଁ ।”

 

“ଭାଇଠୁଁ ଏ ବିଦ୍ୟା ଶିଖିଗଲୁଣି ପରା, ନାଇଁ ?”

 

“ଭାଇଠାରୁ ଯଦି ନ୍ୟାୟ–ଅନ୍ୟାୟ ଶିଖୁଥାଏ, ତେବେ ମନ୍ଦ କ’ଣ ହେଲା ?”

 

“ହେଲାରେ ବାବା, ମୋ ମୁଣ୍ଡ ଖାଆନା ଆଉ । ତୁ ଭିତରକୁ ଗଲୁ କହୁଛି । ମୁଁ କାହାରିକୁ ବୁଝା–ସମଝା କରିବାକୁ ଯାଏଁ ନାହିଁ । ଘର ମୋର, ଘରର ଧନ–ସମ୍ପତ୍ତି ମୋର । ୟା’ରିପାଇଁ ମୁଁ ଜୀବନସାରା ଲାଗିଛି । କିଏ ନେଇଯିବ, ମୁଁ ଛାଡ଼ିଦେବି କାହିଁକି ?”

 

ନୟନାର ମଥା ସହସା ନଇଁଗଲା । ସତେବା ଛାତି ଦମ୍ଭ କରି ସେ କହିଲା–ତେବେ ମୁଁ ବି ଭାଉଜଙ୍କ ସଙ୍ଗେ ଚାଲିଯିବି ।

 

ଲାଲାଜୀଙ୍କ ମୁଦ୍ରା କଠୋର ହୋଇଗଲା–ଚାଲିଯା, ମୁଁ ଅଟକାଉ ନାହିଁ । ଏପରି ପିଲା ହେବା ଅପେକ୍ଷା ନିଃସନ୍ତାନ ହେବା ଖୁବ୍ ଭଲ । ମୋ ଘର ଖାଲି କରିଦିଅ, ଆଜିରେ ଖାଲି କରିଦେଲ । ଭଲ କରି ଗୋଡ଼–ହାତ ଲମ୍ବାଇ ଶୋଇବି, କିଛି ଚିନ୍ତା ତ ରହିବ ନାହିଁ । ଆଜି ୟା’ ନାହିଁ, କାଲି ତା’ ନାହିଁ, ଏ କଥା ତ ଶୁଣିବାକୁ ପଡ଼ିବ ନାହିଁ । ତୁମ ରହିବାଦ୍ଵାରା ମୋତେ କେଉଁ ସୁଖଟା ମିଳୁଥିଲା ଯେ ?

 

ନୟନା ଆଖି ଲାଲ ଲାଲ କରି ସୁଖଦାକୁ ଯାଇ କହିଲା–ଭାଉଜ, ମୁଁ ବି ତୁମ ସଙ୍ଗେ ଯିବି !

 

ସୁଖଦା ଅବିଶ୍ଵାସଭରା ସ୍ଵରରେ କହିଲା–ମୋ ସଙ୍ଗେ ! ଆମର ତ ବର୍ତ୍ତମାନ ଘର–ଦ୍ଵାରର ଠିକଣା ନାହିଁ । ପାଖରେ ଗୋଟାଏ ପଇସା ନାହିଁକି ବାସନ–କୁସନ ନାହିଁକି ଚାକର–ବାକର ନାହିଁ । ଆମ ସଙ୍ଗେ ଯିବ କାହିଁକି ? ଏ କୋଠାଘରେ ଆଉ ରହିବ କିଏ ?

 

ନୟନାର ଆଖି ଛଳଛଳ ହୋଇଉଠିଲା–ତୁମେ ଯେତେବେଳେ ଯାଉଛ, ମୋର ଏଠି ଅଛି ବା କ’ଣ ?

 

ପାଗଳୀ ସିଲ୍ଲୋ ଆସି ହସି ହସି କହିଲା–ତୁମେ ସମସ୍ତେ ଚାଲିଗଲ, ମୁଁ ଏଣିକି ଏ ଘରର ରାଣୀ ହେବି । ଏଇ ଘରେ, ଏ ପଲଙ୍କ ଉପରେ ମଜାରେ ଶୋଇବି । କେହି ଭାଟ–ଭିକାରି ଏ ଦୁଆରକୁ ଆସିଲେ ଛାଞ୍ଚୁଣି ଧରି ଗୋଡ଼ାଇବି ।

 

ଅମର ପାଗଳୀର ମନକଥା ବୁଝିପାରିଲା; ମାତ୍ର ଖଟୁଳି ତ ବଢ଼ିବାକୁ ଲାଗିଛି । ତାକୁ ନେଇ ଯିବ କିପରି ? ଘରଟିରେ ତ ରହିବା ଉପଯୋଗୀ କୋଠରୀ ଗୋଟିଏ ମାତ୍ର । ସେଥିରେ ନୟନା ରହିବ କେଉଁଠି ? ଆଉ ଏ ପାଗଳୀଟା ତ ନାକେଦମ୍ କରିଦେବ । ନିୟନାକୁ କହିଲା–ତୁ ଆମ ସଙ୍ଗେ ଗଲେ, ବାପାଙ୍କୁ ରନ୍ଧାବଢ଼ା କରି ଦେବ କିଏ, ନୟନା ? ତା’ପରେ ଆମେ କୁଆଡ଼େ ଦୂରକୁ ତ ଯାଉନାହୁଁ । ମୁଁ କଥା ଦେଉଛି, ନିତି ଥରେ ଆସି ତୋତେ ଦେଖା କରି ଯିବି । ତୁ ଆଉ ସିଲ୍ଲୋ ଦୁହେଁ ଥାଅ । ଆମେ ଯାଉଛୁ ।

 

ନିୟନା କାନ୍ଦି ପକାଇଲା–ତୁମକୁ ଛାଡ଼ି ଏ ଘରେ କେମିତି ରହିବି, ଭାଇ ? ଭାବିଲ, ଦିନସାରା ପଡ଼ି ପଡ଼ି କ’ଣ କରିବି ? ମୁଁ ତ ମୁହୂର୍ତ୍ତେବି ରହିପାରିବି ନାହିଁ । ମନୁ କଥା ଭାବି କାନ୍ଦୁଥିବି । ଦେଖୁଚ ଭାଉଜ ! ମୋ ଆଡ଼କୁ ଟିକିଏ ଚାହୁଁବି ନାହିଁ ।

 

ଅମର କହିଲା–ତେବେ ମନୁକୁ ଛାଡ଼ିଯିବି ? ତୋ’ରି ପାଖରେ ଥିବ ।

 

ସୁଖଦା ବିରୋଧ କଲା–ବାଃ, କେମିତି କଥା କହୁଛ ମ ? କାନ୍ଦି କାନ୍ଦି ଅଥୟ ହେବ । ପୁଣି ମୋ ମନ ତ ତେଣେ ଛଟପଟ ହେବ ।

 

ସନ୍ଧ୍ୟାବେଳେ ତିନି ଜଣଯାକ ଘରୁ ବାହାରିଲେ । ସିଲ୍ଲୋବି ହସି ହସି ପଛେ ପଛେ ଚାଲିଥାଏ । ସାମନାରେ ଥିବା ଦୋକାନୀ ଭାବିଲା, ବୋଧହୁଏ କୁଆଡ଼େ ନିମନ୍ତ୍ରଣରେ ଯାଉଛନ୍ତି ! କିନ୍ତୁ କଥା କ’ଣ ? କାହାରି ଦେହରେ ଖଣ୍ଡେବି ଗହଣା ନାହିଁ, ଓଢ଼ଣୀ ନାହିଁ କି ଦାମୀ ଲୁଗାବି ନାହିଁ-!

 

ଲାଲା ସମରକାନ୍ତ ତାଙ୍କ କୋଠରୀରେ ବସି ହୁକା ଟାଣୁଥାନ୍ତି । ଆଖି ଟେକି ଚାହିଁଲେବି ନାହିଁ ।

 

ଘଣ୍ଟାକ ପରେ ସେ ଉଠିଲେ, ଘରେ ତାଲା ପକାଇଦେଲେ, ତା’ପରେ କୋଠରୀକୁ ଯାଇ ଶୋଇରହିଲେ ।

 

ଜଣେ ଦୋକାନୀ ଆସି ପଚାରିଲା–ଭାଇ ଆଉ ଭାଉଜ କୁଆଡ଼େ ଗଲେ କି, ଲାଲାଜୀ !

 

ଲାଲାଜୀ ମୁହଁମୋଡ଼ି ଦେଇ ଉତ୍ତର ଦେଲେ–ମୁଁ କି ଜାଣେ ? ମୁଁ ସମସ୍ତଙ୍କୁ ମୋ ଘରୁ ବାହାର କରି ଦେଲି । ଲୋକେ ମଉଜରେ ଉଡ଼େଇବେ ବୋଲି ମୁଁ ଧନ କମେଇ ନାହିଁ । ଧନକୁ ଯେ ଧନ ବୋଲି ଭାବେ, ସେ ମଉଜ କରୁ । ଯେ ଧନକୁ ମାଟି–ଗୋଡ଼ି ଭାବେ, ତାକୁ ଧନର ମହତ୍ତ୍ୱ ବୁଝିବାକୁ ପଡ଼ିବ । ମୁଁ ଆଜି ସୁଦ୍ଧା ଦୈନିକ ଅଠର ଘଣ୍ଟା କାମ କରୁଛି, ତା’ କ’ଣ ପିଲାଏ ଧନକୁ ମାଟି–ଗୋଡ଼ି ମଣିବେ ବୋଲି ? ମୋ’ରି କୋଳର ପିଲା, ସେ ପୁଣି ମୋତେ ଆଖି ଦେଖେଇବେ ! ଧନକୁ ଧନ ଦେବି, ତା’ ଉପରେ ଧମକ ସହିବି ? ଘରେ ପଛେ କିଏ ନିଆଁ ଲଗେଇ ଦେଉ, ମୁଁ ପାଟି ଫିଟେଇବି ନାହିଁ ! ଘରକାମ ଚୁଲିକି ଯାଉ; ତୁମକୁ ସଭା–ସମିତିରେ ଆନନ୍ଦ ମିଳୁଛି ତ ଯାଅ, ସେଇ ସଭାରେ ତୁମ ନିର୍ଭା କର । ଏଭଳି ଲୋକଙ୍କପାଇଁ ମୋର ଘର ନାହିଁ । ଯେ କଥା ମାନେ, ସେଇଆକୁ ସିନା କହିବ ପୁଅ, ଯେ ନିଜ ମନମୁତାବକ ଚଳିଲା ସେ ଗୋଟାଏ କି ପୁଅରେ ଲେଖା !

 

ସିଲ୍ଲୋ ଖବର ଦେଲାମାତ୍ରେ ରେଣୁକା ଦେବୀ ଉଦ୍‌ବିଗ୍ନ ମନରେ ଧାଇଁଲେ, ସତେ ଯେପରି ଝିଅ ଜୋଇଁଙ୍କ ଉପରେ ଗୋଟାଏ ଭାରି ବିପଦ ପଡ଼ିଛି, ସେ କ’ଣ ପର ? ତାଙ୍କ ସଙ୍ଗେ କାମ କିଛି ସମ୍ବନ୍ଧ ନାହିଁ ? ତାଙ୍କୁ ଟିକିଏ ଖବରବି ଦେଲେ ନାହିଁ, କେଉଁଠି ଗୋଟାଏ ଘର ନେଇ ନେଲେ ! ବାଃ, ଏ କ’ଣ ପିଲାଖେଳ ହୋଇଛି ? ଦୁହିଁକୁ ଦୁହେଁ ପାଗଳ, ଝିଅଟା ତ ଏମିତି ନଥିଲା, ହେଲେ ଟୋକା ସାଙ୍ଗରେ ତା’ ମଥାବି ଖରାପ ହୋଇଗଲାଣି ।

 

ରାତି ଆଠଟା ବାଜି ସାରିଥାଏ । ଆକାଶର ତାରାମାନେ ଧୂଳି–ଧୂସର । ରେଣୁକା ଦେବୀ ପହଞ୍ଚିଲାବେଳକୁ ତିନିଟିଯାକ ଘରଛଡ଼ା, କୋଠାର ଖଟ ଆୟତନ–ବିଶିଷ୍ଟ ଛାତିଟି ଉପରେ ମନମାରି ବସିଥାନ୍ତି । ଘରଟି ପୂରାପୂରି ଅନ୍ଧାର । ବିଚାରାମାନଙ୍କ ଉପରେ ଘରକରଣାର ନୂଆ ବିପଦ ପଡ଼ିଛି । ପଖରେ ପଇସାଟିଏ ନାହିଁ । କ’ଣ କରିବେ, କିଛି ବୁଦ୍ଧି ଦିଶୁ ନଥାଏ ।

 

ଅମର ତାଙ୍କୁ ଦେଖିବାମାତ୍ରେ କହିଲା–ଆରେ ! ତୁମେ କିପରି ଖବର ପାଇଲ, ମା’ ? ଓ, ସେଇ ଡାଆଣୀ ସିଲ୍ଲୋ ଯାଇ କହି ଦେଇଥିବ ! ଗଲା କୁଆଡ଼େ ? ଆସୁ, ତାକୁ ଠିକ୍ କରି ଦେଉଛି ।

 

ରେଣୁକା ଅନ୍ଧାରରେ ସିଡ଼ି ଚଢ଼ି ଆସିଥିବାରୁ ଧଇଁସଇଁ ହେଉଥାନ୍ତି । ଓଢ଼ଣାଟା ଖୋଲୁ ଖୋଲୁ କହିଲେ–ମୁଁ କ’ଣ ତୁମର ଶତ୍ରୁ ଯେ ମୋତେ କହିଦେଲା ବୋଲି ତା’ର ଦୋଷ ହୋଇଗଲା-? ମୋର କ’ଣ ଘର ନଥିଲା ନା ଘରେ ଖାଇବାକୁ ନଥିଲା ? ମୁଁ ତ ଏଠି ଦଣ୍ଡେବି ରଖେଇ ଦେବି ନାହିଁ । ତେଣେ ପାହାଡ଼ ଭଳି ଘରଟାଏ ପଡ଼ିଛି, ତୁମେସବୁ ଏଠି ଆସି ଗୋଟାଏ ବିଲରେ ପଶିଛ ! ଏଇକ୍ଷଣି ଉଠିଲ, ଏ ଗରମରେ ପିଲାଟା ଝାଉଁଳି ପଡ଼ିବଣି । ଏଠି ତ ଖଟ ଖଣ୍ଡିଏବି ନାହିଁ । ଆଉ ଏଡ଼େ ଟିକିଏ ଜାଗାରେ ଶୋଇବ ବା କିମିତି ? ତୁ ତ ଏପରି ନଥିଲୁ, ସୁଖଦା ! କ’ଣ ହେଲା ତୋର ? ଗୁରୁଜନମାନେ ଦିପଦ କହିଦେଲେ, ତାକୁ ସହିଯା’ନ୍ତି ନା ଘର ଛାଡ଼ି ପଳାଇଯା’ନ୍ତି ? କ’ଣ ୟାଙ୍କ ସାଙ୍ଗରେ ତୋ ବୁଦ୍ଧିବି ନଷ୍ଟ ହୋଇଗଲା ?

 

ସୁଖଦା ସମସ୍ତ ବୃତ୍ତାନ୍ତ କହିଲା–ଏପରି ଭାବରେ କହିଲା ଯେ, ରେଣୁକାଦେବୀ ମଧ୍ୟ ଲାଲାଜୀଙ୍କ ଦୁର୍ବ୍ୟବହାର ଅନୁଭବ କଲେ । ସେ ତାଙ୍କ ଧନକୁ ସବୁଠୁ ବଡ଼ ମନେକରନ୍ତି ତ ସେଇଆକୁ ଘେନି ବସିଥା’ନ୍ତୁ । ମଲାବେଳକୁ ସାଙ୍ଗରେ ନେଇଯିବେ !

 

ଆମେସବୁ ସତରେ ଘର ଛାଡ଼ି ଚାଲିଆସିବୁ ବୋଲି ବାପା ଭାବି ନଥିବେ ।

 

ସୁଖଦାର କ୍ରୋଧ ଏତେ ଶୀଘ୍ର ଉପଶମ ହେବାର ନୁହେଁ । କହିଲା–ଛାଡ଼, ସେ ତ ସଫା କହିଲେ–ଏଠି ତୁମର କିଛି ନାହିଁ । ସେ କ’ଣ ଥରଟାଏ ଆସି କହିପାରି ନଥାନ୍ତେ କି ତୁମେସବୁ ଯାଉଛ କୁଆଡ଼େ ? ନା ଆମେ ଘରୁ ଆସିଲୁ, ସେ ତାଙ୍କ କୋଠରୀରେ ବସି ମଟମଟ କରି ଚାହିଁଥାନ୍ତି । ପିଲାଟି ଉପରେବି ତାଙ୍କର ଟିକିଏ ଦୟା ଆସିଲା ନାହିଁ ! ତାଙ୍କର କୋଠାଘର ନେଇ ସେ ରହନ୍ତୁ, ଆମେ ଆମର ମୂଲ ଲାଗିବୁ । ଏପରି ଲୋଭୀ ଲୋକ ତୁ କେବେ ଦେଖିଛୁ, ମା’ ? ନୟନା ଗଲାରୁ ତାଙ୍କୁ ଭୁରୁଡ଼ି କାଢ଼ିଲେ ଯେ ସେ ବିଚାରୀ କାନ୍ଦି–ବୋବେଇ ପଳାଇ ଆସିଲେ ।

 

ରେଣୁକା ନୟନାର ହାତ ଧରି କହିଲେ–ହଉ, ଯାହା ହୋଇଛି, ଭଲ ହୋଇଛି । ଚାଲିଲ, ଡେରି ହେଲାଣି । ଖାଇବା ଯୋଗାଡ଼ କରିବାପାଇଁ ପଣ୍ଡିଆଣୀକି କହି ଆସିଛି, ଖଟବି ବାହାର କରାଇ ଦେଇଛି । ସମୁଦିଙ୍କ ଘର ନ ଭାଙ୍ଗିଥିଲେ ମୋ ଘର ପୂରି ଉଠିଥାନ୍ତା କିମିତି, କହିଲ-?

 

ତଳେ ଆଲୁଅ ଜଳିଲା । ସିଲ୍ଲୋ କରଞ୍ଜ ତେଲର ଦୀପଟିଏ ଜାଳି ଦେଇଛି । ରେଣୁକା ଦେବୀଙ୍କୁ ଏଠାରେ ପହଞ୍ଚାଇ ଦେଇ ବଜାରକୁ ଧାଇଁଗଲା । ଦୀପ, ତେଲ ଓ ଗୋଟିଏ ଝାଡ଼ୁ ନେଇ ଆସିଲା । ଦୀପ ଜଳାଇ ଘର ଖରକୁଛି ।

 

ସୁଖଦା ପୁଅକୁ ରେଣୁକାଙ୍କ କୋଳକୁ ଦେଇ କହିଲା–ଆଜି କ୍ଷମା କର ମା’ ! ପରେ ଦେଖାଯିବ । ଲାଲାକୀଙ୍କୁ କାହିଁକି କହିବାକୁ ସୁଯୋଗ ଦେବୁ ଯେ ଦେଖ, ଶଶୁରଘରକୁ ପଳେଇଲେ-। ସେ ତ ଆଗରୁ ତୋ ଘରର ଦ୍ଵାରବନ୍ଦ କରି ଦେଇଛନ୍ତି । ଆମେ ଏଠି ଦୁଇ–ଚାରି ଦିନ ରହୁଁ, ତା’ପରେ ତୋ ପାଖକୁ ଚାଲିଯିବୁ । ଆମେ ନିଜ ଶିଙ୍ଗରେ ମାଟି ଖୋଳି ପାରୁଛୁ କି ନାହିଁ, ଆଗ ଟିକିଏ ଦେଖୁଁ ।

 

ଅମର ବଡ଼ ସଙ୍କଟରେ ପଡ଼ିଥାଏ । ନିଜପାଇଁ ଚିନ୍ତା ନାହିଁ–ସଲୀମ୍ ଘରକୁ କିମ୍ବା ଡାକ୍ତର ସାହେବଙ୍କ ଘରକୁ ଚାଲିଯାଇଥାନ୍ତା; ମାତ୍ର ଖଟ ନାହିଁ, ସୁଖଦା ଓ ନୟନା ଶୋଇବେ କିପରି-? କାଲିକି ବା କେଉଁଠି ମୋହର ବୃଷ୍ଟି ହେବ ! ଏଣେ ସୁଖଦାର କଥାକୁ କାଟୁଛି ବା କିପରି-!

 

ରେଣୁକା ଦେବୀ ପିଲାଟିକୁ ଗେଲ କରୁ କରୁ କହିଲେ–ହଉ–ହଉ, ଦେଖିବ ପରେ, ମୁଁ ମରିଯାଏ । ଏବେ ତ ବଞ୍ଚିଛି । ସେ ଘରବି ତୋ’ରି ତ । ଚାଲ ଚାଲ, ଜଲଦି ଚାଲିଲ ।

 

ସୁଖଦା ଦୃଢ଼ ଭାବରେ କହିଲା–ମା’, ଆମେ ନିଜ ଅର୍ଜନରେ ନ ଚଳିପାରିଲା ପର୍ଯ୍ୟନ୍ତ ତୋ ଘରକୁ ଯିବୁ ନାହିଁ । ଯିବୁ ଯେ ହେଲେ କୁଣିଆ ପରି–ଘଣ୍ଟାଏ ଦି’ଘଣ୍ଟା ବସିଲୁ ତ ଚାଲି ଆସିଲୁ-

 

ରେଣୁକା ଅମର ପାଖରେ ଅଭିଯୋଗ କଲେ–ଦେଖୁଛ ବାପା, ୟା ଢଙ୍ଗ ? ଏ ମୋତେବି ପର ଭାବିଲାଣି ।

 

ସୁଖଦା ବ୍ୟଥିତ କଣ୍ଠରେ କହିଲା–ମା’, ତୁ ମନରେ ଖରାପ ଭାବିବୁନି, ଆଜି ଶଶୁରଙ୍କ ବ୍ୟବହାର ଦେଖି ମୁଁ ଜାଣିଲି ଯେ, ଧନ ଧନୀମାନଙ୍କର କିପରି ପ୍ରିୟ । କେଜାଣି କେତେବେଳେ ତୋ ମନରେବି ଏପରି ଭାବ ଉପୁଜିବ । ଆଗରୁ ସାବଧାନ ନ ରହିବା କାହିଁକି ? ଯେତେବେଳେ ଆମେ କୁଣିଆ ପରି...

 

ଅମର କଥା ବଦଳାଇଲା । ରେଣୁକାଙ୍କର କୋମଳ ହୃଦୟ ଉପରେ ଏ କି କଠୋର ଆଘାତ–

 

“ତୁମ ଯିବା ବିଷୟରେ ତ ସେପରି କିଛି ଅସୁବିଧା ନାହିଁ, ସୁଖଦା ! ତୁମକୁ ବଡ଼ କଷ୍ଟ ହେବ ।”

 

ସୁଖଦା ତୀବ୍ର ସ୍ଵରରେ କହିଲା–ତେବେ କ’ଣ ତୁମେ ଏକା କଷ୍ଟ ସହି ଜାଣିଛ, ମୁଁ ସହିପାରିବି ନାହିଁ ? ତୁମକୁ ଯଦି ଦୁଃଖ ସହିବାକୁ ଡର ଲାଗୁଛି, ତୁମେ ଯାଅ । ମୁଁ ବର୍ତ୍ତମାନ କୁଆଡ଼େ ହେଲେ ଯାଉ ନାହିଁ ।

 

ଶେଷରେ ରେଣୁକା ସିଲ୍ଲୋକୁ ପଠାଇ ତାଙ୍କ ଘରୁ ବିଛଣାପତ୍ର ଅଣାଇଲେ । ରୋଷେଇ ସରିଯାଇଥିଲା, ତେଣୁ ଖାଇବା ଜିନିଷବି ଅଣାଇଲେ । ଛାତ ଉପର ଖରକି ସଫା କରାଗଲା । ଧର୍ମଶାଳାରେ ଯାତ୍ରୀ ରହିଲା ପରି ସେମାନେ ଖାଇପିଇ ରାତି କଟାଇଲେ । ମଝିରେ ମଝିରେ ଥଟ୍ଟା–ପରିହାସବି ଚାଲିଥାଏ । ବିପତ୍ତି କାଳରେ ଯେପରି ଚାରିଆଡ଼ ଅନ୍ଧାର ଦେଖାଯାଏ, ସେପରି ଅବସ୍ଥା ନଥାଏ । ଅନ୍ଧାର ତ ଥାଏ; ମାତ୍ର ତାହା ଉଷାକାଳର । ବିପଦ ଥାଏ, ହେଲେ ତାହା ମୁଣ୍ଡ ଉପରେ ତ ନୁହେଁ–ପାଦତଳେ ।

 

ପରଦିନ ସକାଳେ ରେଣୁକା ଘରକୁ ଫେରିଲେ । ସେ ପୁଣି ଥରେ ଯତ୍ନ କଲେ ସମସ୍ତଙ୍କୁ ଘରକୁ ନେଇଯିବାକୁ; ମାତ୍ର ସୁଖଦା ରାଜି ହେଲା ନାହିଁ । ଲୁଗାପଟା, ବାସନ–କୁସନ, ଖଟ–ଖଟିଆ କିଛି ରଖିବାକୁ ରାଜି ହେଲା ନାହିଁ । ଏପରିକି ରେଣୁକା ବିରକ୍ତ ହୋଇଉଠିଲେ । ଅମରକାନ୍ତକୁ ମଧ୍ୟ ଖରାପ ଲାଗିଲା । ଏ ଅଭାବ ସମୟରେବି ସେ ତା’ ଉପରେ ଶାସନ ଚଳାଇଥାଏ ।

 

ରେଣୁକାଙ୍କ ଯିବାପରେ ଅମର ଚିନ୍ତା କଲା ଟଙ୍କା–ପଇସାର ବ୍ୟବସ୍ଥା କିପରି ହେବ ? ଅବୈତନିକ ବିଦ୍ୟାଳୟକୁ ଯିବାବେଳ ହେଲା । ସେଠାକୁ ଯିବା ଅତି ଆବଶ୍ୟକ । ସେତେବେଳକୁ ସୁଖଦା ସକାଳ–ନିଦରେ ଅଚେତ । ଆଉ ନୟନା ଚିନ୍ତାତୁରା ହୋଇ ବସି ଭାବୁଥାଏ–ଘରକାମ ଚଳିବ କିପରି ? ସେତିକିବେଳେ ଅମର ପାଠଶାଳାକୁ ଚାଲିଗଲା । ମାତ୍ର ଆଜି ସେଠାରେ ତା’ ମନ ଆଦୌ ଲାଗିଲା ନାହିଁ । କେତେବେଳେ ତା’ର ବାପାଙ୍କ ଉପରେ ରାଗ ଆସୁଥାଏ ତ କେବେ ନିଜ ଉପରେ । ନିଜର ଘର ଛାଡ଼ିବା ବିଷୟରେ ସେ ଡାକ୍ତର ସାହେବଙ୍କୁ କିଛି କହିଲା ନାହିଁ । ସେ କାହାରି ସହାନୁଭୂତି ଚାହୁଁ ନଥିଲା । ସେଦିନ ସେ ତା’ର କୌଣସି ବନ୍ଧୁ ପାଖକୁ ଗଲା ନାହିଁ । ସେ ଭୟ କରୁଥିଲା, କାଳେ ଲୋକେ ତା’ ଅବସ୍ଥା ଜାଣି ଭାବିବେ ଯେ ସେ କିଛି ସାହାଯ୍ୟ ମାଗୁଛି ।

 

ଦଶଟାବେଳେ ଘରକୁ ଫେରି ଅମର ଦେଖିଲା–ସିଲ୍ଲୋ ଅଟା ଦଳୁଛି ଆଉ ନୟନା ଚୁଲି ପାଖେ ବସି ତରକାରୀ ରାନ୍ଧୁଛି । ପଇସା କୁଆଡ଼ୁ ଆସିଲା ବୋଲି ପଚାରିବାକୁ ସାହସ ହେଲା ନାହିଁ-। ନୟନା ନିଜେ କହିଲା–ଶୁଣିଲଣି ନା ଭାଇ ! ଆଜି ସିଲ୍ଲୋ ଆମକୁ ଭୋଜି ଦେଉଛି । କାଠ, ଘିଅ, ଅଟା, ଡାଲି ସବୁ ବଜାରରୁ ଆଣିଛି । ବାସନବି ତା’ର କେଉଁ ଚିହ୍ନା–ପରିଚିତ ଘରୁ ମାଗି ଆଣିଛି-

 

ସିଲ୍ଲୋ କହିଉଠିଲା–ମୁଁ କାହିଁକି ଭୋଜି ଦେବି ମ, ମୋ ପଇସା ମୁଁ ହିସାବ କରି ନେଇଯିବି ଯେ ।

 

ନୟନା ହସି ହସି କହିଲା–ଏ କେତେବେଳୁ ମୋ ସଙ୍ଗେ କଳି ଲଗେଇଛି । କହୁଛି, ମୁଁ ମୋ ପଇସା ନେବି । ମୁଁ କହୁଛି–ତୁ ତ ଭୋଜି ଦେଉଛୁ, ପଇସା ନେବୁ କ’ଣ ? କହିଲ ଭାଇ, ଭୋଜି ଦେଉ ନାହିଁ ସେ ?

 

“ହଁ–ହଁ, ଭୋଜି ନୁହେଁ ଆଉ କ’ଣ ?”

 

ଅମରକାନ୍ତ ସିଲ୍ଲୋର ମନୋଭାବ ବୁଝିପାରିଲା । ସେ ଭାବିଛି, ୟା ଯଦି ନ କହେ, ତେବେ ମୋ ପଇସାରେ ଆଣିଥିବା ଜିନିଷ କାଳେ ନ ରଖିବେ !

 

ସିଲ୍ଲୋର ନୀରସ ମୁଖରେ ସରସତା ଭରିଗଲା । ସେ ଯେପରି ତା’ ଦୃଷ୍ଟିରେ କିଛି ଉଚ୍ଚ ହୋଇଯାଇଛି, ଯେପରିକି ଜୀବନ ତା’ର ସାର୍ଥକ ହୋଇ ଯାଇଛି ! ତା’ର ରୂପହୀନତା ଓ ଶୁଷ୍କତା ସତେ କି ମାଧୁର୍ଯ୍ୟରେ ସିକ୍ତ ହୋଇଉଠିଲା ! ସେ ହାତ ଧୋଇ ଅମରକାନ୍ତ ପାଇଁ ଲୋଟାଏ ପାଣି ଥୋଇଦେଲା । ସେତେବେଳେ ତା’ର ପାଦ ଭୂଇଁରେ ଲାଗୁ ନଥାଏ ।

 

ସେ ପର୍ଯ୍ୟନ୍ତ ଅମରର ଆଶା ଥାଏ ଯେ, ଲାଲାଜୀ ବୋଧହୁଏ ନୟନା ଓ ସୁଖଦାଙ୍କୁ ଡକାଇ ନେବେ; କିନ୍ତୁ ସେ ନିଜେ ଆସିଲେ ନାହିଁକି କାହାରିକୁ ଡାକିବାପାଇଁ ପଠାଇଲେ ନାହିଁ । ତା’ର ମନ ମରିଗଲା ।

 

ସେ ଶୀଘ୍ର ଯାଇ ଗାଧୋଇପଡ଼ିଲା; କିନ୍ତୁ ମନେପଡ଼ିଗଲା–ଧୋତି ତ ଆଉ ନାହିଁ । କାନ୍ଧରେ ପଡ଼ିଥିବା ଚାଦର ଖଣ୍ଡିକ ପିନ୍ଧିଲା । ତା’ପରେ ଭୋଜନସାରି କିଛି ଉପାର୍ଜନର ଉପାୟ ଖୋଜିବାକୁ ବାହାରିପଡ଼ିଲା ।

 

ସୁଖଦା ମୁହଁ ଭାରି କରି କହିଲା–ତୁମେ ତ ନିଶ୍ଚିନ୍ତ ହୋଇ ବସିଗଲ, ଯେମିତି ଏଠି ସବୁ ବନ୍ଦୋବସ୍ତ ଆପେ ହୋଇ ଯାଉଥିବ । ଏଠି ଆଣି ବସେଇ ଦେଇ ଜାଣିଛ ଖାଲି । ସକାଳୁ କୁଆଡ଼େ ଉଭେଇଗଲ ଯେ ଆସୁଛ ଦିପହରକୁ । କିଛି କାମ–ଧନ୍ଦାପାଇଁ କାହାରିକି କହିଲ ନା ଆଲ୍ଲା ଛପର ଫାଡ଼ି ଦେବେ ? ଏମିତି ହେଲେ ଚଳିବନି ବୁଝିଲ ?

 

ମାତ୍ର ଚବିଶିଘଣ୍ଟା ଭିତରେ ସୁଖଦାର ମନୋଭାବରେ ଏପରି ପରିବର୍ତ୍ତନ ଦେଖି ଅମରର ମନ ଉଦାସୀନ ହୋଇଗଲା । କାଲି କେତେ ବଡ଼ବଡ଼ କଥା କହୁଥିଲା, ଆଜି ବୋଧେ ଅନୁତାପ କରୁଛି ଯେ, କାହିଁକି ଘରୁ ଗୋଡ଼ କାଢ଼ିଲା ?

 

ସେ ରୁକ୍ଷ ସ୍ଵରରେ କହିଲା–ଏବେ ସୁଦ୍ଧା କାହାରିକି ତ କିଛି କହି ନାହିଁ । ବର୍ତ୍ତମାନ ଯାଉଛି କିଛି କାମ ଖୋଜିବାକୁ ।

 

“ମୁଁ ବି ଟିକିଏ ଯିବି ଜଜ୍ ସାହେବଙ୍କ ସ୍ତ୍ରୀଙ୍କ ପାଖକୁ । ତାଙ୍କୁ କିଛି କାମପାଇଁ କହିବି । ସେତେବେଳେ ତ ଭାରି ଆଦର କରୁଥିଲେ, ଏବେ କ’ଣ ହେଉଛି କେଜାଣି !

 

ଅମର କିଛି କହିଲା ନାହିଁ–ତାକୁ ଜଣାଗଲା ଯେମିତି ତା’ର କଠିନ ପରୀକ୍ଷାର ଦିନ ଆସିଗଲା ।

 

ଅମରକାନ୍ତକୁ ବଜାରରେ ସମସ୍ତେ ଜାଣନ୍ତି । ସେ କମିଶନ୍ ସୂତ୍ରରେ ବିକିବାପାଇଁ ଖଦଡ଼ ଦୋକାନରୁ କିଛି ଥାନ, ଶାଢ଼ି, ଜମ୍ପର୍, ଜାମା, ଚାଦର ପ୍ରଭୃତି ନେଇ ଆସିଲା ଓ ନିଜେ ପିଠିରେ ଲଦି ବିକିବାକୁ ବାହାରିପଡ଼ିଲା ।

 

ଦୋକାନୀଟି କହିଲା–ଏ କ’ଣ କରୁଛ, ବାବୁ ! ଜଣେ ମଜୁରିଆ ନେଇ ନିଅ । ଲୋକେ କହିବେ କ’ଣ ? ଏଇଟା ଅସୁନ୍ଦର ହେଉଛି ।

 

ଅମରକାନ୍ତର ଅନ୍ତରରେ କ୍ରାନ୍ତିର ବାତ୍ୟା ବହୁଛି । ତା’ ହାତର କଥା ହୋଇଥିଲେ ସେ ଆଜି ସମସ୍ତ ପୁଞ୍ଜିପତିଙ୍କୁ ଅନ୍ତ କରି ଦେଇଥାନ୍ତା । ସେହିମାନେହିଁ ସଂସାରକୁ ନରକରେ ପରିଣତି କରି ଦେଇଛନ୍ତି । ବୋଝ ବହି ସେ ଦେଖାଇ ଦେବାକୁ ଚାହେଁ ଯେ, ଅସତ୍ ଉପାୟରେ ଧନ ଅର୍ଜନ କରିବା ଅପେକ୍ଷା ପରିଶ୍ରମ କରି ଜୀବିକା ନିର୍ବାହ କରିବାକୁ ସେ ବହୁଗୁଣରେ ଶ୍ରେଷ୍ଠ ମନେକରେ । ସେ ଭାବୁଛି–ତୁମେସବୁ ଯେତେ ମୋଟା–ପେଟବାଲା, ସମସ୍ତେ ପାପଧନଖିଆ, ନିରାଟ ପାପଧନଖିଆ । ତୁମେ ମୋତେ ନୀଚ ବୋଲି ଭାବୁଛ; କାରଣ ମୁଁ ନିଜ ପିଠିରେ ବୋଝ ବହୁଛି; କିନ୍ତୁ ତୁମର ଅନ୍ୟାୟ–ଅଧର୍ମର ବୋଝଠାରୁ ଅଧିକ ଲଜ୍ଜାଜନକ ? ସେପରି ବୋଝକୁ ତୁମେ ସର୍ବଦା ମୁଣ୍ଡରେ ଲଦି ବୁଲୁଥିଲେ ସୁଦ୍ଧା ତୁମକୁ ତ ଟିକିଏବି ଲଜ୍ଜା ଲାଗୁ ନାହିଁ ! ଓଲଟି ଦମ୍ଭ ଦେଖାଉଛ !

 

ସେତେବେଳେ କୌଣସି ଧନୀ ବ୍ୟକ୍ତି ଯଦି ଅମରକାନ୍ତକୁ ପରିହାସ କରିଥାନ୍ତା, ତେବେ ତା’ର କପାଳ ଫାଟିଥାନ୍ତା ନିଶ୍ଚୟ । ସେ ତାଳୁରୁ ତଳିପା ଯାଏଁ ବାରୁଦ ପାଲଟି ଯାଇଥାଏ, ବିଦ୍ୟୁତ୍‌ର ଜ୍ଵଳନ୍ତ ଜ୍ଵାଳାମୁଖୀ !

 

–୧୬–

 

ଅମରକାନ୍ତ ଖଦି ବିକ୍ରି କରୁଛି । ବେଳ ପ୍ରାୟ ତିନିଟା ହେବ । ଝାଳ ବହୁଛି, ଖଣ୍ଡିଆଭୂତ ଉଠୁଛି । ଦୋକାନୀ ଦୋକାନ ଘରେ ଶୋଇଛି, ଧନିକମାନେ ପ୍ରାସାଦରେ ବିଶ୍ରାମ ନେଉଛନ୍ତି, ମୂଲିଆ ଗଛମୂଳେ ଗଡ଼ୁଛି; ଆଉ ଅମର ଖଦିଗଣ୍ଡିରା ପିଠିରେ ଲଦି ଗଳି କି ଗଳି ବୁଲୁଛି । ଝାଳରେ ଦେହ ତିନ୍ତିଛି, ମୁହଁ ଲାଲ, ଆଖି ଲାଲ ।

 

ଜଣେ ଓକିଲ ସାହେବ ବେଣାଚେରର ପରଦା ଆଡ଼େଇ ଚାହିଁଲେ । କହିଲେ–ଆରେ ଭାଇ, ଏ କି ଅଦ୍ଭୁତ ବ୍ୟାପାର ! ମ୍ୟୁନିସିପାଲ କମିଶନର ପଦର ମର୍ଯ୍ୟାଦା ଗଲା ଭାଇ, ସବୁ ମାଟି କରିଦେଲ । ଗୋଟାଏ ମଜୁରୀଦାର କ’ଣ ମିଳିଲା ନାହିଁ ?

 

ଅମର କହିଲା–ପରିଶ୍ରମ କଲେ ମ୍ୟୁନିସିପାଲ କମିଶନର ପଦରେ କଳଙ୍କ ଲାଗିଯାଏ ନାହିଁ, ଲାଗେ ଅସତ୍ ଧନ ଖାଇଲେ ।

 

“ଏଠି ଆଉ ଅସତ୍ ଧନ ଖାଇଲାବାଲା କିଏ, ଭାଇ ? ଓକିଲ, ଡାକ୍ତର, ପ୍ରଫେସର୍, ସେଠ–ମହାଜନ, ଏଇମାନେ କ’ଣ ଅସତ୍ ଧନ ଖାଆନ୍ତି ?”

 

“ତା’ ତାଙ୍କ ଅନ୍ତରକୁ ପଚାରନ୍ତୁ, ମୁଁ କାହିଁକି କାହାକୁ ଦୋଷ ଦେବି ?”

 

“ତେବେ ଆପଣ କିଛି ବୁଝି–ବିଚାରି ତ ଏ କଥା ସାର କରିଥିବେ ?”

 

“ଯଦି ଆପଣ ନିତାନ୍ତ କିଛି ପଚାରିବାକୁ ଚାହାନ୍ତି, ତେବେ ମୁଁ କହିବି, ‘ହଁ ଖା’ନ୍ତି ।’ ଜଣେ ଦଶ ଟଙ୍କାରେ ଚଳେ, ଆଉ ଜଣକର ଦଶ ହଜାର ଦରକାର କାହିଁକି ? ଯେ ପର୍ଯ୍ୟନ୍ତ ଜନତାର ଆଖି ନ ଫିଟିଥିବ, ସେ ପର୍ଯ୍ୟନ୍ତ ଏ ସ୍ୱେଚ୍ଛାଚାରିତା ଚାଲିଥିବ । କ୍ଷମା କରିବେ, ଜଣେ ସୁବାସିତ କୋଠରୀରେ ପଙ୍ଖା ତଳେ ବସିଛି ତ ଆଉ ଜଣେ ଦ୍ଵିପ୍ରହର ଖରାରେ ସିଝୁଛି । ଏହା ନ୍ୟାୟ ନୁହେଁ କି ଧର୍ମ ନୁହେଁ–ସ୍ୱେଚ୍ଛାଚାରିତା ।”

 

“ଛୋଟ ବଡ଼ ତ ଭାଇ, ସବୁବେଳେ ରହି ଆସିଛନ୍ତି ଓ ରହିବେ । ଆପଣ କ’ଣ ସମସ୍ତଙ୍କୁ ସମାନ କରିପାରିବେ ?”

 

“ଦୁନିଆରେ ଅଛି ବୋଲି ମୁଁ ମାନି ନେଇ ପାରିବି ନାହିଁ । ନ୍ୟାୟ ଯଦି ପ୍ରକୃତରେ ଭଲ, ତେବେ ଲୋକେ ମାନୁ ନାହାନ୍ତି ବୋଲି ସେ ଖରାପ ହୋଇ ନ ପାରେ ।”

 

“ତା’ର ମାନେ ଆପଣ ବ୍ୟକ୍ତିବାଦକୁ ମାନନ୍ତି ନାହିଁ, ସମଷ୍ଟିବାଦୀ ?”

 

“ମୁଁ କୌଣସି ବାଦର ଗୋଲାମ ନୁହେଁ, କେବଳ ନ୍ୟାୟବାଦର ଭକ୍ତ ।”

 

“ତେବେ ଆପଣ ନିଜ ବାପାଙ୍କଠାରୁ ସମ୍ପୂର୍ଣ୍ଣ ପୃଥକ୍ ହୋଇଗଲେ ?”

 

“ବାପା ତ ମୋ ସାରା ଜୀବନର ଦାୟିତ୍ଵ ନିଅନ୍ତେ ନାହିଁ ?”

 

“ଆଚ୍ଛା ଆଣିଲେ, ଦେଖିବା ଆପଣଙ୍କ ପାଖରେ କି କି ଜିନିଷ ଅଛି ?”

 

ଏ ମହାଶୟଙ୍କୁ ଅମରକାନ୍ତ ଦଶ ଟଙ୍କାର ମାଲ ବିକିଲା ।

 

ଅମରକାନ୍ତ ବଡ଼ କ୍ରୋଧୀ, କଟୁଭାଷୀ ଓ ଉଦ୍ଦଣ୍ଡ ହୋଇପଡ଼ିଛି । ତା’ର ତରବାରି ସର୍ବଦା କୋଷମୁକ୍ତ । କଥା–କଥାକେ ବିରକ୍ତି, ତଥାପି ତା’ର ଭଲ ବିକ୍ରି ହେଉଛି–ପ୍ରତିଦିନ ଟଙ୍କାଏ–ପାଞ୍ଚସୁ’କା ଲାଭ ।

 

ତ୍ୟାଗୀ ଦୁଇ ପ୍ରକାରର । ଗୋଟିଏ ପ୍ରକାର–ଯେଉଁମାନେ ତ୍ୟାଗରେ ଆନନ୍ଦ ପା’ନ୍ତି, ଯେଉଁମାନଙ୍କର ଆତ୍ମା ତ୍ୟାଗରେ ପାଏ ସନ୍ତୋଷ ଓ ପୂର୍ଣ୍ଣତା, ସେମାନଙ୍କ ତ୍ୟାଗରେ ଉଦାରତା ଓ ସୌଜନ୍ୟ ପ୍ରକାଶ ପାଏ । ଦ୍ଵିତୀୟ ପ୍ରକାରଟି ମନସ୍ତାପ ଯୋଗୁଁ ତ୍ୟାଗୀ ହୁଅନ୍ତି । ସେମାନଙ୍କର ତ୍ୟାଗ ହେଉଛି–ନିଜର ପରିସ୍ଥିତି ବିରୁଦ୍ଧରେ ବିଦ୍ରୋହ ମାତ୍ର । ସେମାନେ ନ୍ୟାୟ–ପଥରେ ଚାଲିବାପାଇଁ ଦୁନିଆଠୁଁ କ୍ଷତିପୂରଣ ନିଅନ୍ତି । ସେମାନେ ନିଜେ ଜଳନ୍ତି; ତେଣୁ ଅନ୍ୟମାନଙ୍କୁ ଜଳାନ୍ତି-। ଅମର ଏହି ଶ୍ରେଣୀର ତ୍ୟାଗୀ ।

 

ସୁସ୍ଥ ବ୍ୟକ୍ତି ନିମ୍ବପତ୍ର ଖାଏ ନିଜର ସ୍ଵାସ୍ଥ୍ୟୋନ୍ନୋତି ପାଇଁ । ସେ ଆଗ୍ରହରେ ଶୋଷେ ଓ ଆଗ୍ରହରେ ପିଏ; ମାତ୍ର ରୋଗୀ ସେହି ପତ୍ରକୁ ପିଏ–ବାଧ୍ୟ ହୋଇ, ନାକ ଟେକି, ମୁହଁ ବିକୃତ କରି, ବିରକ୍ତି ପ୍ରକାଶ କରି ଭାଗ୍ୟକୁ ଧିକ୍‌କାର ।

 

ଜଜ୍ ସାହେବଙ୍କ ପତ୍ନୀଙ୍କ ଅନୁମୋଦନକ୍ରମେ ସୁଖଦା ପଚାଶ ଝଙ୍କା ବେତନରେ ବାଳିକା–ବିଦ୍ୟାଳୟରେ ଚାକିରି କରୁଛି । ଅମର ପାଟି ଖୋଲି କିଛି ତ କହିପାରୁ ନାହିଁ, ମନେମନେ ଜଳୁଛି । ଘରର ସମସ୍ତ କାମ, ପିଲାର ଯତ୍ନ ନେବା, ରୋଷେଇ କରିବା, ବଜାରରୁ ଦରକାରୀ ଜିନିଷ ଆଣିବା ଏ ସବୁ ତା’ର ମୁଣ୍ଡରେ । ଅମର ଆମ୍ବ କହିଲେ ସୁଖଦା କହେ ଆମ୍ବଡ଼ା । ଦୁହିଁଙ୍କ ମଧ୍ୟରେ ସର୍ବଦା ଖିଟ୍‌ଖିଟ୍ ଲାଗିଥାଏ । ଏ ଦରିଦ୍ରାବସ୍ଥାରେବି ସୁଖଦା ତା’ ଉପରେ ଶାସନ ଚଳାଉଛି । ଅମର କହେ–ଅଧସେରେ ଦୁଧ ଯଥେଷ୍ଟ; ମାତ୍ର ସୁଖଦା କହେ, ସେରେ ଆସିବ; ଆଉ ସେରେ ଦୁଧ ଅଣାଏ ମଧ୍ୟ । ଅମର ଦୁଧ ପିଏ ନାହିଁ ଏଥିପାଇଁବି ନିତି କଳି । ସେ କହେ–ଆମେ ଗରିବ, ମଜୁରିଆ; ଆମର ମଜୁରିଆ ପରି ଚଳିବା ଉଚିତ । ସୁଖଦା କହେ–ଆମେ ମଜୁରିଆ ନୋହୁଁ କି ମଜୁରିଆ ପରି ଚଳିପାରିବୁ ନାହିଁ । ଅମର ଏହାକୁ ନିଜର ଆତ୍ମିକ ବିକାଶର ପ୍ରତିବନ୍ଧକ ବୋଲି ମନେକରେ ଏବଂ ତାହା ନିବାରଣ କରିପାରୁନଥିବାରୁ ଭିତରେ ଭିତରେ ଜଳୁଥାଏ ।

 

ଥରେ ପିଲାଟିକୁ କାଶ ଧରିଲା । ଅମର ତାକୁ ଜଣେ ହୋମିଓପାଥ ପାଖକୁ ନେଇଯିବାକୁ ବାହାରିଲା । ସୁଖଦା କହିଲା–ପୁଅକୁ ନେଇ ଯାଅନି, ପବନ ଲାଗିବ । ଡାକ୍ତରକୁ ଡାକି ଆଣ, ଫି’ ନେବ ତ ଆଉ କ’ଣ ? ଅମରକୁ ବାଧ୍ୟ ହୋଇ ଡାକ୍ତର ଡାକିବାକୁ ପଡ଼ିଲା । ଦୁଇ ଦିନ ପରେ ପିଲାଟି ଭଲ ହୋଇଗଲା ।

 

ଦିନେ ଖବର ମିଳିଲା–ଲାଲା ସମରକାନ୍ତଙ୍କୁ ଜ୍ଵର ହୋଇଛି । ଅମର ଏହି ମାସକ ମଧ୍ୟରେ ଥରେ ହେଲେ ଘରକୁ ଯାଇ ନାହିଁ । ସେ ମରନ୍ତୁ ବା ଜିଅନ୍ତୁ, ମୁଁ କ’ଣ କରିବି ? ଧନ ତାଙ୍କର ପ୍ରିୟ, ସେଇଆକୁ ଛାତିରେ ଚାପି ଧରିଥାନ୍ତୁ । ଆଉ କାହାକୁ ସେ କାହିଁକି ପଚାରିବେ ?

 

ମାତ୍ର ସୁଖଦା ରହିପାରିଲା ନାହିଁ । ସଙ୍ଗେ ସଙ୍ଗେ ସେ ନୟନାକୁ ନେଇ ବାହାରିଗଲା । ଅମର ମନେମନେ ଜଳିପୋଡ଼ି ରହିଲା ।

 

ସମରକାନ୍ତ ଘର–ଲୋକଙ୍କ ବ୍ୟତୀତ ଆଉ କାହାରି ହାତରୁ ଖାଆନ୍ତି ନାହିଁ । କିଛିଦିନ କେବଳ ଦୁଧ ପିଇ କଟାଇଲେ । ତା’ପରେ କିଛିଦିନ ଫଳ ଖାଇ ରହିଲେ; କିନ୍ତୁ ମନ ଛଟପଟ ହେଉଥାଏ ଅନ୍ନ–ବ୍ୟଞ୍ଜନପାଇଁ । ବଜାରରେ ନାନା ପଦାର୍ଥ ଭର୍ତ୍ତି ହୋଇଛି, ହେଲେ ରୋଟି କାହିଁ ? ଦିନେ ସେ ସମ୍ଭାଳି ନ ପାରି ରୋଟି ତିଆରି କଲେ ଓ ଲୋଭରେ ବେଶି ଖାଇଦେଲେ । ଅଜୀର୍ଣ୍ଣ ହେଲା–ପ୍ରଥମେ ଝାଡ଼ା, ପରଦିନ ଜ୍ଵର । ଫଳାହାର ଯୋଗୁଁ ଦେହ ଟିକିଏ ଭାଙ୍ଗି ଯାଇଥିଲା, ଦୁଇ ଦିନର ରୋଗରେ ଅବଶ ହୋଇ ପଡ଼ିଲେ ।

 

ସୁଖଦାକୁ ଦେଖି କହିଲେ–ଏତେ ଶୀଘ୍ର ଆସିବା କି ଦରକାର ଥିଲା ବୋହୂ ? ଆଉ ଦି’ଚାରି ଦିନ ଅନେଇଥାନ୍ତ, ସେତେବେଳକୁ ଏ ସମ୍ପତ୍ତି–ସାପଟା ଆଉ ନଥାନ୍ତା । ସେ ଟୋକାଟା ଭାବେ ଯେ, ଧନ ମୋର ପିଲା–ଛୁଆଙ୍କଠୁଁ ବେଶି ପ୍ରିୟ । କାହାପାଇଁ ଆଉ ଧନ ସଞ୍ଚିଛି ? ମୋପାଇଁ ? ତେବେ ପିଲାଛୁଆ କମେଇଥିଲି କାହିଁକି ? ଯେଉଁ ଟୋକା ଖଣ୍ଡକ ଆଜି ମୋତେ ଶତ୍ରୁ ଭାବୁଛି, ତାକୁ’ଇ ଛାତିରେ ଜାକି ଓଝା–ଗୁଣିଆ, ବୈଦ୍ୟ–ଡାକ୍ତରଙ୍କ ଦୁଆରକୁ ଦଉଡ଼ୁଥିଲି କାହିଁକି ? କାହିଁକି ନିଜେ କେବେ ଭଲ ଖାଇ ନାହିଁକି ଭଲ ପିନ୍ଧି ନାହିଁ ? କୃପଣ ହେଲି, ଅସତ୍ କଲି, ପରକୁ ଖୋସାମତ କଲି, ଆପଣା ଆତ୍ମାକୁ ହତ୍ୟା କଲି କାହାପାଇଁ ? ଯା’ପାଇଁ ଚୋରି କଲି, ସେହି ଆଜି ମୋତେ ଚୋର କହୁଛି !

 

ସୁଖଦା ମଥାପୋତି ଠିଆ ହୋଇ କାନ୍ଦୁଥାଏ ।

 

ଲାଲାଜୀ ପୁଣି କହିଲେ–ମୁଁ ଜାଣେ, ଈଶ୍ଵର ଯାହାକୁ ହାତଗୋଡ଼ ଦେଇଛନ୍ତି, ସେ ପର ହାତଟେକାକୁ ଚାହିଁ ରହିବ ନାହିଁ । ମୁଁ ଏତେ ମୂର୍ଖ ନୁହେଁ । ହେଲେ ମା’–ବାପ ଚାହାନ୍ତି, ତାଙ୍କ ପିଲାଟିର କିଛି କଷ୍ଟ ନ ହେଉ, ତାଙ୍କୁ ଯେପରି ମରିବାକୁ ପଡ଼ିଲା, ସନ୍ତାନଟିକୁ ସେପରି ହଇରାଣ ହେବାକୁ ନ ପଡ଼ୁ । ତାଙ୍କୁ ଯେପରି ଧକ୍କା ସହିବାକୁ ପଡ଼ିଛି, କର୍ମ–ଅକର୍ମ ସବୁ କରିବାକୁ ପଡ଼ିଛି, ସେ ସବୁ ଅସୁବିଧା ସନ୍ତାନକୁ ଭୋଗିବାକୁ ନ ପଡ଼ୁ । ଦୁନିଆ ଲୋଭୀ, ସ୍ୱାର୍ଥପର ଯାହା କହୁ ପଛେ, ସେମାନେ ସିଆଡ଼କୁ କାନ ଦିଅନ୍ତି ନାହିଁ । କିନ୍ତୁ ନିଜର ପୁଅ ଯେବେ ଅନାଦର କରେ, ଭାବିଲୁ ମା’, ସେତେବେଳେ ଅଭାଗା ବାପର ହୃଦୟ କ’ଣ ନ ହେବ ! ତାକୁ ଜଣାଯିବ, ତା’ର ସାରା ଜୀବନ ବ୍ୟର୍ଥ ହୋଇଗଲା । ଗୋଟିଏ ଗୋଟିଏ ଇଟା ଯୋଡ଼ି ଯୋଡ଼ି ଯେଉଁ ବିରାଟ ମନ୍ଦିର ଗଢ଼ିଥିଲା, ଯାହା ଲାଗି ଭାଦ୍ର ମାସର ଖରା, ମାଘ ମାସର ଜାଡ଼ ସବୁ ସହିଥିଲା, ସେ ଢଳି ପଡ଼ିଛି । ମନ୍ଦିରଟି ଢଳି ନାହିଁ ଯେ, ତା’ ଜୀବନଟା ଢଳିପଡ଼ିଛି । ସାରା ଜୀବନର କାମନା ଧୂଳିରେ ମିଶିଯାଇଛି ।

 

ସୁଖଦା ଶିଶୁଟିକୁ ନୟନା କୋଳରୁ ନେଇ ଶ୍ଵଶୁରଙ୍କ ଖଟ ଉପରେ ଶୁଆଇ ଦେଇ ପଙ୍ଖା ହଲାଇବାକୁ ଲାଗିଲା । ଶିଶୁଟି ବଡ଼ବଡ଼ ଉଜ୍ଜ୍ୱଳ ଆଖିରେ ବୁଢ଼ାବାପାଙ୍କ ନିଶକୁ ଚାହିଁଲା ଓ ସେଗୁଡ଼ିକ ସେଠି ରହିବାର ବିଶେଷ ପ୍ରୟୋଜନ ନ ଦେଖି ଉପାଡ଼ି ଫୋପାଡ଼ି ଦେବାକୁ ଉଦ୍ୟତ ହେଲା । ଦୁଇ ହାତରେ ନିଶକୁ ଧରି ଟାଣିଲା । ଲାଲାଜୀ ସି–ସି କରୁଥାନ୍ତି; ମାତ୍ର ନାତିର ହାତକୁ ଛଡ଼ାଇ ଦେଉ ନଥାନ୍ତି । ହନୁମାନ ମଧ୍ୟ ଏତେ ନିର୍ଦ୍ଦୟ ଭାବରେ ଲଙ୍କାର ଅଶୋକବନକୁ ଧ୍ଵଂସ କରି ନଥିବେ ! ତଥାପି ଲାଲାଜୀ ନିଜର ନିଶକୁ ରକ୍ଷା କରିବାପାଇଁ ଶିଶୁର ହାତକୁ ବାଧା ଦେଉ ନଥାନ୍ତି-। ତାଙ୍କରି ଭୂ–ଲୁଣ୍ଠିତ କାମନା ଏହି ସ୍ପର୍ଶରେ ସତେବା ସଞ୍ଜୀବନୀ ଲାଭ କଲା । ଏହି ସ୍ପର୍ଶରେ ଏପରି କିଛି ପ୍ରସାଦ ଥିଲା, ଏପରି କିଛି ବିଭୂତି ଥିଲା, ତାଙ୍କର ପ୍ରତି ରୋମରେ ପୂରି ରହିଥିବା ଶିଶୁ ଯେପରି ମଥିତ ହୋଇ ନବନୀତ ପରି ପ୍ରତ୍ୟକ୍ଷ ହୋଇଛି !

 

ଦୁଇଦିନ ପର୍ଯ୍ୟନ୍ତ ସୁଖଦା ନିଜର ନୂଆ ଘରକୁ ଗଲା ନାହିଁ; କିନ୍ତୁ ଅମରକାନ୍ତ ଥରେ ହେଲେ ପିତାଙ୍କୁ ଦେଖିବାକୁ ଆସିଲା ନାହିଁ । ସିଲ୍ଲୋ ମଧ୍ୟ ସୁଖଦା ସହିତ ଯାଇଥାଏ । ଅମର ସନ୍ଧ୍ୟାବେଳେ ଫେରି ରୋଷେଇ କରେ, ଖାଏ, ତା’ପରେ କଂଗ୍ରେସ କାର୍ଯ୍ୟାଳୟ କିମ୍ବା ଯୁବସଭା କାର୍ଯ୍ୟାଳୟକୁ ଚାଲିଯାଏ । କେବେ କୌଣସି ସାଧାରଣ ସଭାରେ ଭାଷଣ ଦିଏ ତ କେବେ ଚାନ୍ଦା ସଂଗ୍ରହ କରେ ।

 

ତୃତୀୟ ଦିନ ଲାଲାଜୀ ଉଠି ବସିଲେ । ସୁଖଦା ଦିନଯାକ ତ ତାଙ୍କ ପାଖେ ଥିଲା, ସନ୍ଧ୍ୟାବେଳକୁ ବିଦାୟ ମାଗିଲା । ଲାଲାଜୀ ସ୍ନେହପୂର୍ଣ୍ଣ ଦୃଷ୍ଟିରେ କହିଲେ–ମା’, ତୁମେ କେବଳ ମୋ ସେବା–ଶୁଶ୍ରୂଷା କରିବାକୁ ଆସିଛ ବୋଲି ଜାଣିଥିଲେ ମୁଁ ଆହୁରି ପାଞ୍ଚ–ଦଶ ଦିନ ପଡ଼ି ରହିଥାନ୍ତି । ମୁଁ ତ ଜାଣିଶୁଣି କିଛି ଅପରାଧ କରି ନାହିଁ, ତେବେ ଯଦି କିଛି ଭୁଲ–ଚୁକ୍ ହୋଇ ଯାଇଥାଏ, ତେବେ କ୍ଷମା ଦିଅ ।

 

ସୁଖଦାର ଇଚ୍ଛା ହେଲା ସବୁ ରାଗ–ରୋଷ ଭୁଲିଯିବାକୁ; କିନ୍ତୁ ଏତେ କଷ୍ଟ ସହିବା ପରେ, ଯେତେବେଳେ ତାଙ୍କର ଘରଟି କେତେକ ପରିମାଣରେ ଜମିଆସୁଛି, ଛାଡ଼ି ଆସିବାକୁ ତା’ର ସେପରି ଇଚ୍ଛା ହେଉ ନଥାଏ । ତା’ପରେ ସେଠାରେ ସେ ଗୃହସ୍ୱାମିନୀ–ଗୃହ–ପରିଚାଳନା ତା’ ଅଧୀନରେ । ସେଠାରେ ପ୍ରତ୍ୟେକ ପଦାର୍ଥରେ ତା’ର ପୂର୍ଣ୍ଣ ପ୍ରଭୁତ୍ଵ । ପ୍ରତି ତୃଣ–ପତ୍ରରେ ତା’ ଗୌରବ–ଗର୍ବ ଝଟକି ଉଠୁଛି । ପ୍ରତ୍ୟେକ ଦ୍ରବ୍ୟରେ ତା’ରି ଅନୁରାଗ ଅଙ୍କିତ, ପ୍ରତ୍ୟେକ ପଦାର୍ଥରେ ତା’ର ଆତ୍ମାର ସଙ୍କେତ–ସତେବା ତା’ର ଆତ୍ମା ତହିଁରେ ରୂପ ନେଇଛି ! ମାତ୍ର ଏଠାରେ କୌଣସି ବସ୍ତୁ ତା’ର ଅଭିମାନର ବିଷୟ ନୁହେଁ । ତା’ର ସ୍ଵାମିନୀ–କଳ୍ପନା ସବୁ ପାଇ ମଧ୍ୟ ସନ୍ତୋଷ–ସୁଖ ପାଇ ପାରୁ ନଥାଏ; କିନ୍ତୁ ଲାଲାଜୀଙ୍କୁ ସାନ୍ତ୍ଵନା, ଦେବାପାଇଁ ତ ଗୋଟାଏ ଯୁକ୍ତି ଏକାନ୍ତ ଆବଶ୍ୟକ । କହିଲା–ଆପଣ ଏ କ’ଣ କହୁଛନ୍ତି, ବାପା ? ଆମେ ଆପଣଙ୍କର ସନ୍ତାନ । ଆପଣ ଯେଉଁ ଉପଦେଶ ବା ଶାସ୍ତିଦେବେ, ତା’ ଆମ ମଙ୍ଗଳପାଇଁ । ମୋର ଯିବାକୁ ତ ଇଚ୍ଛା ହେଉ ନାହିଁ; କିନ୍ତୁ ମୁଁ ଏକା ଚାଲିଆସିଲେ କ’ଣ ହେବ ? ମୁଁ ନିଜେ ଲଜ୍ଜିତ ସେ ଦୁନିଆ ମୋତେ କ’ଣ ଭାବୁଥିବ ! ମୁଁ ଯେତେ ଶୀଘ୍ର ପାରେ ସମସ୍ତଙ୍କୁ ଟାଣି–ଝିଙ୍କି ନେଇ ଆସିବି । ଅସୁବିଧାରେ ନ ପଡ଼ିବାଯାଏ କାହାରି ଆଖି ଖୋଲେ ନାହିଁ । ମୁଁ ନିତି ଆସି ଆପଣଙ୍କ ପାଇଁ ରନ୍ଧାବଢ଼ା କରି ଦେଇଯିବି । କେବେ ବିଜୀ (ନୟନା) ଚାଲିଆସିବେ ତ କେବେ ମୁଁ ଚାଲିଆସିବି ।

 

ସେହିଦିନଠାରୁ ସୁଖଦାର ଏହା ନିୟମ ହୋଇଯାଇଛି । ସକାଳୁ ସେ ଏଠାକୁ ଚାଲିଆସେ ଓ ଲାଲାଜୀଙ୍କୁ ଭୋଜନ କରାଇ ଚାଲିଯାଏ । ତା’ପରେ ନିଜେ ଖାଇ ପିଇ ବାଳିକା–ବିଦ୍ୟାଳୟକୁ ଚାଲିଯାଏ । ଉପରଓଳି ଅମରକାନ୍ତ ଲୁଗା ବିକିବାକୁ ଚାଲିଗଲେ ସେ ନୟନାକୁ ସାଙ୍ଗ କରି ପୁଣି ଚାଲିଆସେ ଓ ଦୁଇ-ତିନି ଘଣ୍ଟା ରହି ଫେରିଯାଏ । କେବେକେବେ ନିଜେ ରେଣୁକାଙ୍କ ପାଖକୁ ଯାଏଁ ଓ ନୟନାକୁ ଏଠାକୁ ପଠାଇଦିଏ । ତା’ର ସ୍ଵାଭିମାନରେ କୋମଳତା ଥିଲା; ଯଦିଚ କିଞ୍ଚିତ୍ ଜ୍ଵାଳା ଥିଲା, ତାହା ବହୁଦିନ ଶୀତଳ ହୋଇ ଯାଇଥିଲା । ବୃଦ୍ଧ ଶ୍ୱଶୁରଙ୍କର କଷ୍ଟ ସେ ସହିପାରୁ ନଥିଲା ।

 

ବର୍ତ୍ତମାନ ତାକୁ ସର୍ବାଧିକ ବ୍ୟଥା ଦେଉଥିବା ବିଷୟଟି ହେଉଛି, ଅମରର ଲୁଗା ଗଣ୍ଡିରା ବହି ବୁଲିବା । ଏଥିପାଇଁ କେତେଥର ତା’ ସଙ୍ଗେ କଳି କରିସାରିଲାଣି । ତା’ କହିବା ଫଳରେ ଅମରର ଜିଦ୍ ବଢ଼ିଯାଉଛି । ସୁତରାଂ ସେ କହିବା–ବୋଲିବା ଛାଡ଼ିଦେଇଛି; କିନ୍ତୁ ଦିନେ ଘରକୁ ଫେରିବାବେଳେ ଅମରକୁ ଲୁଗା ଗଣ୍ଡିରା ମୁଣ୍ଡେଇ ଯାଉଥିବାର ଦେଖିଲା । ସେତେବେଳେ ସାହିର ଜଣେ ସ୍ତ୍ରୀଲୋକ ମଧ୍ୟ ତା’ ସଙ୍ଗେ ଥିଲା । ସୁଖଦା ଲାଜରେ ମୁହଁ ଟେକି ପାରିଲା ନାହିଁ ।

 

ଅମର ଯେମିତି ଘରକୁ ଆସିଛି, ସେହି କଥା ଆରମ୍ଭ କରିଦେଲା–ସମସ୍ତେ ଜାଣିଗଲେଣି ଯେ ତୁମେ ଭାରି ସତ୍ୟବାଦୀ । ଅନ୍ୟମାନଙ୍କ ପାଇଁ କିଛି ରଖିଥାଅ, ନା ସବୁ ଯଶ ତୁମେ ନେଇନେବ ! ସଂସାରରେ ଏବେ ତ ପରିଶ୍ରମର ମହତ୍ତ୍ଵ ପ୍ରମାଣିତ ହୋଇଗଲା, ଏଣିକି ବୋକଚା ବୋହିବା ଛାଡ଼ । ତୁମକୁ ସିନା ସରମ ଆସୁ ନାହିଁ; କିନ୍ତୁ ତୁମ ମାନ–ମହତ ସଙ୍ଗେ ମୋ’ ମାନ–ମହତ ଯେ ବନ୍ଧା ହୋଇଛି । ମୋତେ ଏପରି ଅପମାନିତ କରି ବୁଲିବାକୁ ତୁମର କୌଣସି ଅଧିକାର ନାହିଁ ।

 

ଅମର ତ କମର କଷି ପ୍ରସ୍ତୁତ ଥିଲା, କହିଲା–ତା’ ତ ମୁଁ ଜାଣେ, ମୋର କେଉଁଠି କିଛି ଅଧିକାର ନାହିଁ । ତେବେ ଜାଣିପାରେ କି ତୁମ ଅଧିକାରର ସୀମା କେତେଦୂର ପର୍ଯ୍ୟନ୍ତ, ନା ତା’ ଅସୀମ ?

 

“ମୁଁ ତ ଏପରି କିଛି କରୁ ନାହିଁ, ଯେଉଁଥିରେ ତୁମର ଅପମାନ ହେବ !”

 

“ମୁଁ ଯଦି କହେ ଯେ ମୁଁ ମଜୁରୀ ଲାଗିବା ଫଳରେ ଯେପରି ତୁମ ସମ୍ମାନରେ ବାଧା ପଡ଼ୁଛି, ତୁମେ ଚାକିରି କରିବା ଯୋଗୁଁ ମୋର ସେହିପରି ଅପମାନ ହେଉଛି; ତେବେ ତୁମେ ବିଶ୍ଵାସ କରିବ ନାହିଁ ପ୍ରାୟ !”

 

“ତୁମ ମାନ–ଅପମାନର ନିକିତି ସଂସାରଛଡ଼ା ହୁଏତ ମୁଁ ନାଚାର ।”

 

“ମୁଁ ସଂସାରର ଗୋଲାମ ନୁହେଁ । ତୁମକୁ ଯଦି ସେ ଗୋଲାମି ପସନ୍ଦ ହେଉଛି ତ ଖୁସିରେ କର; ହେଲେ ମୋତେ ତୁମେ ବାଧ୍ୟ କରିପାରିବ ନାହିଁ ।”

 

“ମୁଁ ଚାକିରି ନ କରିବି ତ ତୁମର ନିତି ରୋଜଗାର ଟଙ୍କାଏ–ପାଞ୍ଚ–ସୁ’କାରେ ଘରଖର୍ଚ୍ଚ ଚଳିବ ?”

 

“ମୋ ଜାଣିବାରେ ଏ ଦେଶର ଶତକଡ଼ା ନବେ ଲୋକଙ୍କୁ ୟା’ଠୁଁ କମ୍‌ରେ ଜୀବିକା ଚଳାଇବାକୁ ପଡ଼େ ।”

 

“ମୁଁ ସେ ଶତକଡ଼ା ନବେ ଭିତରେ ନୁହେଁ, ଶେଷ ଦଶ ଭିତରୁ ଜଣେ । ଏଇଟା ମୋର ଶେଷକଥା–ତୁମର ସେ ବୋକାଚା–ବୁହା ମୁଁ ସହିପାରିବି ନାହିଁ । ଆଉ ଯଦି ତୁମେ ନ ମାନ ମୁଁ ନିଜ ହାତରେ ଏ ବୋକଚାକୁ ତଳକୁ ଗଡ଼ାଇଦେବି । ଆଉ ବେଶି କିଛି କହିବା–ଶୁଣିବାକୁ ମୁଁ ଚାହେଁନା-।”

 

ଏଣେ ଅମର ଦେଢ଼ ମାସ ହେବ ସକୀନା ଘରକୁ ଯାଇ ନାହିଁ । ତା’ କଥା ନିତି ମନେପଡ଼େ; କିନ୍ତୁ ଯିବାକୁ ସୁବିଧା ମିଳେ ନାହିଁ, ପନ୍ଦର ଦିନ ଅତୀତ ହୋଇଯିବା ପରେ ସେ ଯିବାକୁ ସଂକୋଚ ବୋଧ କଲା–ସେ ତ ପଚାରିବ, ଏତେ ଦିନ ହେଲା କାହିଁକି ଆସୁ ନଥିଲ ? ମୁଁ କି ଉତ୍ତର ଦେବି ? ଏହି ଲଜ୍ଜା ଯୋଗୁଁ ସେ ଆହୁରି ମାସେ ପର୍ଯ୍ୟନ୍ତ ଯାଇପାରିଲା ନାହିଁ । ଶେଷକୁ ସେଦିନ ‘ସକୀନା ସକୀନା’ ଖଣ୍ଡେ କାର୍ଡ଼ ଲେଖି କୁଶଳ ପ୍ରଶ୍ନ ପଚାରିଛି ଓ ସମୟ ଥିଲେ ଦଶ ମିନିଟ୍‍ପାଇଁ ଯିବାକୁ ଡାକିଛି । ସେଦିନ ବୁଢ଼ୀର ବନ୍ଧୁଘରକୁ ଯିବାର ଅଛି; କଥାବାର୍ତ୍ତା ହେବାକୁ ସୁଯୋଗ ମିଳିବ । ଏଣେ ଅମରକାନ୍ତକୁ ଏପରି ଜୀବନ–ଯାପନ ଦୁର୍ବହ ବୋଧ ହେଲାଣି । ସୁଖଦା ସହିତ ତା’ର ଜୀବନ ସୁଖୀ ହୋଇପାରିବ ନାହିଁ, ଏହା ସେ ଏହି ଦେଢ଼ ମାସ ମଧ୍ୟରେ ଉତ୍ତମରୂପେ ଜାଣିପାରିଲାଣି । ସେ ଯାହା ତାହାହିଁ ରହିବ; ପରିବର୍ତ୍ତନ ଅସମ୍ଭବ । ସୁଖଦା ମଧ୍ୟ ଯାହା ଅଛି, ତାହାହିଁ ରହିବ । ତେବେ ଜୀବନରେ ସୁଖଲାଭର ଆଶା କାହିଁ ? ଉଭୟଙ୍କର ଜୀବନଧାରା ଭିନ୍ନ, ଆଦର୍ଶ ଭିନ୍ନ, ମନୋଭାବ ଭିନ୍ନ । କେବଳ ବିବାହ ପ୍ରଥାର ମର୍ଯ୍ୟାଦା ରକ୍ଷା କରିବାପାଇଁ ସେ ନିଜ ଜୀବନକୁ ଧୂଳିସାତ୍ କରି ନ ପାରେ, ନିଜ ଆତ୍ମାର ବିକାଶରେ ବାଧା ଦେଇ ନପାରେ । ମାନବ ଜୀବନର ଆଦର୍ଶ ଭିନ୍ନ ପ୍ରକାର, କେବଳ ଅର୍ଜନ କରିବା, ଖାଇବା ଓ ମରିବା ନୁହେଁ ।

 

ସେଦିନ ସେ ଖାଇସାରି କଂଗ୍ରେସ ଅଫିସ୍‍କୁ ଗଲାନାହିଁ । ଆଜି ତାକୁ ଜୀବନର ସବୁଠୁ ଅଧିକ ମହତ୍ତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ କରିବାକୁ ପଡ଼ିବ । ସେ ଆଉ ତାହା ଟାଳିଦେଇ ପାରିବ ନାହିଁ । ନିନ୍ଦା–ଦୁର୍ନାମକୁ ଡର କ’ଣ ? ଦୁନିଆ ଅନ୍ଧ । ତେଣୁ ଅନ୍ୟମାନଙ୍କୁ ଅନ୍ଧ କରି ରଖିବାକୁ ଚାହେଁ । ସେ ନିଜେ ନିଜପାଇଁ ନୂଆ ପନ୍ଥା ବାହାର କରିବ । ତେଣୁ ସଂକୀର୍ଣ୍ଣମନା ଲୋକେ ବ୍ୟଙ୍ଗ–ବିଦ୍ରୂପ କରିବା ଆଶ୍ଚର୍ଯ୍ୟ କ’ଣ ? ସେ ତା’ପାଇଁ ଦୁଇଟି ଖଦଡ଼ ଶାଢ଼ି ଉପହାର ନେଇ ଦ୍ରୁତଗତିରେ ଯାଇ ପହଞ୍ଚିଲା ।

 

ସକୀନା–ତା’ର ପଥ ଚାହିଁ ବସିଥିଲା । ଜଞ୍ଜିର ଖଡ଼ଖଡ଼ ଶୁଣିବାମାତ୍ରେ ଦ୍ଵାର ଖୋଲି ଦେଇ ହାତ ଧରିପକାଇ କହିଲା–ତୁମେ ମୋତେ ପୂରା ଭୁଲିଗଲ । ୟା ନାଁ କ’ଣ ପ୍ରେମ ?

 

ଅମର ଲଜ୍ଜିତ ହୋଇ କହିଲା–କଥା ତା’ ନୁହେଁ ସକୀନା ! ଗୋଟିଏ ମୁହୂର୍ତ୍ତପାଇଁବି ତୁମ ସ୍ମୃତି ଟିକକ ପାଶୋରି ପାରେ ନାହିଁ; କିନ୍ତୁ ତେଣେ ବଡ଼ ଅସୁବିଧାରେ ପଡ଼ିଯାଇଛି ।

 

“ଶୁଣିଛି । ମା’ କହୁଥିଲା । ମୋର ବିଶ୍ଵାସ ହେଲାନି ଯେ ତୁମେ ନିଜ ବାବାଙ୍କଠାରୁ ଅଲଗା ହୋଇ ଯାଇଛ । ଆହୁରି ଶୁଣିଲି, ତୁମେ ମୁଣ୍ଡରେ ଖଦଡ଼ ବୋଝ ଲଦି ବୁଲି ବୁଲି ବିକୁଛ । ମୁଁ ତ କେବେ ବୋଝ ମୁଣ୍ଡେଇବାକୁ ଦେଇ ନଥାନ୍ତି । ଗଣ୍ଡିରା ନିଜେ ମୁଣ୍ଡେଇ ତୁମ ପଛେ ପଛେ ଚାଲିଥାନ୍ତି । ମୁଁ ଏଠି ଆରାମରେ ଶୋଇ ରହିଲି, ଆଉ ତୁମେ ଏହି ଖରାରେ ଲୁଗା–ବୋଝ ବହି ବୁଲିଲ । ମୋ ମନ ଛଟପଟ ହେଉଥାଏ ।”

 

କି ପ୍ରିୟ ମଧୁମୟ ଭାଷା ! କେଡ଼େ କୋମଳ ! କି ସ୍ନେହସିକ୍ତ ! ସୁଖଦା ମୁଖରୁ ଏପରି ଭାଷା କେବେ ବାହାରିଛି ? ସେ ତ କେବଳ ଶାସନ କରି ଶିଖିଛି । ଅମରକାନ୍ତ ନିଜ ଅନ୍ତରରେ ନବତନ ଶକ୍ତି ଅନୁଭବ କଲା–ଯେପରି ପୂର୍ବାପେକ୍ଷା ଚାରିଗୁଣ ବୋଝ ବହିପାରିବ ସେ ! କିନ୍ତୁ ସକୀନାର କୋମଳ ହୃଦୟକୁ ସେ ଆଘାତ ଦେଇପାରିବ ନାହିଁ । ଆଜିଠାରୁ ସେ ଆଉ ଲୁଗା–ଗଣ୍ଡିରା ବହି ବୁଲିବ ନାହିଁ । କହିଲା–ବାପାଙ୍କର ସ୍ଵାର୍ଥପରତା ଦେଖି ମୋ ହୃଦୟ ଜଳିଯାଉଥିଲା, ସକୀନା ! ସେ ଭାବୁଥିବେ, ମୁଁ ତାଙ୍କ ସମ୍ପତ୍ତି ଖାଇବାକୁ ବ୍ୟଗ୍ର । ମୁଁ ତାଙ୍କୁ ଓ ତାଙ୍କର ଭାଇମାନଙ୍କୁ ଦେଖାଇ ଦେବାକୁ ଚାହୁଁଥିଲି ଯେ, ମୁଁ ଅତ୍ୟନ୍ତ କଠିନ ପରିଶ୍ରମ କରିପାରେ । ମୁଁ ଧନ–ସମ୍ପଦକୁ ଗ୍ରାହ୍ୟ କରେନା । ସେଦିନ ସୁଖଦା ମୋ ସହିତ ଚାଲି ଆସିଥିଲା; କିନ୍ତୁ ବାପା ଦିନେ ମିଛେ ମିଛେ ପ୍ରଚାର କରିଦେଲେ ଯେ ତାଙ୍କୁ ଜ୍ଵର ହୋଇଛି । ସେଇଠୁ ସରିଲା, ଏ ଯାଇ ପହଞ୍ଚିଗଲେ । ସେଇଠୁ ତାଙ୍କପାଇଁ ରୋଷେଇ କରି ଦେବାକୁ ଦୁଇଓଳି ଛୁଟିଛନ୍ତି ।

 

ସକୀନା ସରଳ ଭାବରେ ପଚାରିଲା–ତେବେ ଏଟା କ’ଣ ତୁମକୁ ଖରାପ ଲାଗୁଛି ? ବୁଢ଼ାଲୋକ, ଏକାଟି ଘରେ ପଡ଼ିଛନ୍ତି । ସେ ଯଦି ଯାଉଥାନ୍ତି ତ ଖରାପ କ’ଣ କରୁଛନ୍ତି ? ତାଙ୍କ କଥା ଶୁଣି ମୋ ମନରେ ତାଙ୍କ ପ୍ରତି ଶ୍ରଦ୍ଧା ଆସୁଛି ।

 

ଅମର ବିରକ୍ତିରେ କହିଲା–ଏଟା କିନ୍ତୁ ସଦାଚାର ନୁହେଁ, ଧନ ମୋହ । ମୁଁ ସତକଥାଟା ତୁମକୁ କହୁଛି । ମୋତେ ଯେ ଭୁଲରେବି ଦିନେ ପଚାରି ନାହିଁ କି ତୁମ ମନ କିପରି ଅଛି, ସେ ବାପାଙ୍କର ଅସୁସ୍ଥତାର ସମ୍ବାଦ ପାଇବାମାତ୍ରେ ଅଥୟ ହୋଇ ଉଠିଲା ! ଏ କଥା ତ ମୁଁ ଆଦୌ ବୁଝିପାରୁ ନାହିଁ ! ବାପାଙ୍କର ସମ୍ପତ୍ତି ତାକୁ ଟାଣି ନେଇଛି, ଆଉ କିଛି ନୁହେଁ । ମୋତେ ଏଣିକି ଆଉ ସେ ଲୌକିକ ଆଡ଼ମ୍ବର ଭଲ ଲାଗୁ ନାହିଁ, ସକୀନା ! ସତରେ ମୁଁ ପାଗଳ ହୋଇଯିବି । ବେଳେବେଳେ ଇଚ୍ଛା ହେଉଛି ସବୁ ଛାଡ଼ିଛୁଡ଼ି ଦେଇ ପଳାଇ ଯିବାକୁ । ଏପରି ଜାଗାକୁ ଚାଲିଯିବି, ଯେଉଁଠାରେ ଲୋକଙ୍କ ହୃଦୟରେ ପ୍ରକୃତ ମନୁଷ୍ୟତା ଥିବ । ଆଜି ତୁମକୁ ନିଷ୍ପତ୍ତି କରିବାକୁ ପଡ଼ିବ, ସକୀନା ! ଚାଲ, କେଉଁଠି ଦେଖି ଛୋଟିଆ କୁଡ଼ିଆ ଖଣ୍ତିଏ ତିଆରି କରିବା । ଏ ସ୍ଵାର୍ଥମୟ ସଂସାରରୁ ଦୂରରେ ରହି ମେହେନତ୍ କରି, ମୂଲ ଲାଗି ଦିନ କାଟିବା । ତୁମେ ସଙ୍ଗରେ ଥିଲେ ମୋତେ କୌଣସି ଅଭାବ ବାଧିବ ନାହିଁ । ମୋ ପ୍ରାଣ ପ୍ରେମପାଇଁ ପାଗଳ ହୋଇ ଉଠୁଛି । ଯେଉଁ ପ୍ରେମରେ ବିରହରେ ମଧ୍ୟ ମିଳନ ଥାଏ, ସେ ପ୍ରେମପାଇଁ ନୁହେଁ; ବରଂ ଯେଉଁଥିରେ ମିଳନରେ ମଧ୍ୟ ବିରହ ଅନୁଭୂତ ହୋଇଥାଏ । ମୁଁ ଏପରି ପ୍ରେମ ଚାହେଁ, ଯହିଁରେ ରୁଚି ଅଛି, ସ୍ଵାଦ ଅଛି । ମୁଁ ବୋତଲରେ ରଖା ଗୋଲାପି ସରାବ ପିଇବାକୁ ଚାହେଁ, କବିଙ୍କର କଳ୍ପନା–ସୁରା ନୁହେଁ ।

 

ସେ ସକୀନାକୁ ବୁକୁରେ ଭିଡ଼ି ଧରିବାପାଇଁ ଟାଣିନେଲା । ସେତିକିବେଳେ ଦ୍ଵାର ଖୋଲି ପଠାଣ–ବୁଢ଼ୀ ଭିତରକୁ ପଶି ଆସିଲା । ସକୀନା ପାଦେ ପଛକୁ ଘୁଞ୍ଚିଗଲା । ଅମରବି କିଛି ପଛେଇଗଲା ।

 

ସହସା ସେ ଛଳନାର ଆଶ୍ରୟ ନେଲା–ଆଜି କୁଆଡ଼େ ଯାଇଥିଲ କି ମାଉସୀ ! ମୁଁ ଏଇ ଶାଢ଼ି ଦେବାପାଇଁ ଚାଲି ଆସିଥିଲି । ତୁମେ ତ ଜାଣିଥିବ–ଆଜିକାଲି ମୁଁ ଖଦଡ଼ ବିକୁଛି ।

 

ପଠାଣ–ବୁଢ଼ୀ ଶାଢ଼ି ନେବାପାଇଁ ହାତ ବଢ଼ାଇଲା ନାହିଁ । ତା’ର ରୁକ୍ଷ ବିକୃତ ମୁହଁ ତମତମ ହୋଇ ଉଠିଲା । ତା’ ଦେହର ବାର୍ଦ୍ଧକ୍ୟଜନିତ ସମସ୍ତ ରେଖା, ସମସ୍ତ ସଂକୋଚନ ଯେପରି ଅନ୍ତରର ଉତ୍ତାପରେ ଶକ୍ତ ହୋଇ ଉଠିଲା । ତା’ର ଗଳିତ ମଳିନ ଚକ୍ଷୁ ଯୋଡ଼ିକ ଯେପରି ଜଳିଉଠିଲା ! କ୍ରୁଦ୍ଧ ଦୃଷ୍ଟିରେ ଚାହିଁ ବୃଦ୍ଧା କହିଲା–ମୁଣ୍ଡଟା ଥଣ୍ଡା ରଖରେ ଟୋକା ! ସେ ଶାଢ଼ି ନେଇଯା ତୋ ଭଉଣୀ–ଭାରିଯାଙ୍କୁ ପିନ୍ଧାଇବୁ । ଏଠି ତୋ ଶାଢ଼ିକୁ କେହି ଚାହିଁ ବସି ନାହିଁ । ତୋତେ ସାଧୁ–ସୁଧାର ଭାବି ଆମ ଅଭାବ–ଅସୁବିଧା କଥା ତୋ ଆଗରେ କହୁଥିଲି । ମୁଁ ଜାଣି ନଥିଲି ଯେ, ତୁ ଭଲ–ଲୋକର ପୁଅ ହେଇ ଏପରି ବଦମାସି କରିବୁ । ହଉ–ହଉ, ଯା, ଆଉ ମୁହଁ ଖୋଲନା, ଚୁପ୍ ହେଇ ପଳେଇଯା । ନହେଲେ ଆଖି ଉପାଡ଼ି ଆଣିବିରେ ପୁତା ! ତୋର ଏଡ଼େ ବହପ ! ଏଇନେ ଖାଲି ଆଖି ମାରିଦେବି ତ ସାହିସାରା ଜମା ହେଇଯିବେ । ଆମେ ଗରିବ, ବିପଦରେ ପଡ଼ିଛୁ, ପେଟ ବିକଳରେ ଛଟପଟ ହେଉଛୁଁ । ଜାଣୁ କାହିଁକି ? ଇଜ୍ଜତ ଆମର ସାର, ଏଇଥିପାଇଁ । ପୁଣି ଯେବେ ଏଣିକି ଆଖି ପକଉ, ଦେଖିବୁ । ମୁହଁରେ କଳା ବୋଳି ହେଇ ପଳେଇଯା ।

 

ଅମର ଉପରେ ଶନିଦୃଷ୍ଟି ପଡ଼ିଲା, ପାହାଡ଼ ଭାଙ୍ଗିପଡ଼ିଲା, ବଜ୍ରପାତ ହେଲା, ଏ ସବୁ ବାକ୍ୟଦ୍ୱାରା ତା’ର ମନୋଭାବ ପ୍ରକାଶ କରାଯାଇପାରିବ ନାହିଁ । ଯେଉଁମାନଙ୍କର କଳ୍ପନା ଶକ୍ତି ଅଛି, ସେହିମାନେ କିଛି ଅନୁମାନ କରିପାରନ୍ତି । ସେ ସତେବା ସଂଜ୍ଞାହୀନ ହୋଇଗଲା, ଯେପରି ଗୋଟିଏ ପାଷାଣ–ପ୍ରତିମା ! ଏକ ମିନିଟ୍ ସେ ଏହି ଅବସ୍ଥାରେ ଠିଆ ହୋଇ ରହିଲା । ତା’ପରେ ଶାଢ଼ି ଦୁଇଟି ଉଠାଇ ନେଇ ଗୁଳିଚୋଟ ଖାଇଥିବା ଜନ୍ତୁ ପରି ମଥା ତଳକୁ କରି ଟଳିଟଳି ଦ୍ଵାର ଆଡ଼କୁ ଚାଲିଲା ।

 

ସହସା ସକୀନା ତା’ର ହାତ ଧରିପକାଇ କହିଲା–ବାବୁ ! ମୁଁ ବି ତୁମ ସଙ୍ଗେ ଚାଲିଯିବି-। ଇଜ୍ଜତ ଯା’ର ସାର, ସେ ତା’ର ଇଜ୍ଜତକୁ ଧରି ଚାଟୁଥାଉ ମୋର ଇଜ୍ଜତ ଦରକାର ନାହିଁ-

 

ଅମରକାନ୍ତ ହାତ ଛଡ଼ାଇ ନେଇ ଧୀରେ କହିଲା–ବଞ୍ଚିଥିଲେ ପୁଣି ଦେଖା ହେବ, ସକୀନା ! ବର୍ତ୍ତମାନ ମୋତେ ଛାଡ଼, ମୋର ମୁଣ୍ଡ ଠିକ୍ ନାହିଁ ।

 

ଏତିକି କହି କ’ଣ ଭାବି କେଜାଣି, ସକୀନା ହାତରେ ଶାଢ଼ି ଯୋଡ଼ିକ ଧରାଇ ଦେଇ ବାହାରିଗଲା ।

 

ସକୀନା କାନ୍ଦି କାନ୍ଦି ପଚାରିଲା–ତାହାହେଲେ ପୁଣି କେବେ ଆସିବ ?

 

ଅମର ପଛକୁ ବୁଲିପଡ଼ି କହିଲା–ଯେତେବେଳେ ଏଠା ଲୋକେ ମୋତେ ବଦମାସ ଆଉ ଛୋଟଲୋକ ବୋଲି ନ ଭାବିବେ ।

 

ଅମର ଚାଲିଗଲା । ସକୀନା ଶାଢ଼ି ଦୁଇଟି ଧରି ଅନ୍ଧକାର ମଧ୍ୟରେ ଚାହିଁ ରହିଲା ।

 

ସହସା ବୁଢ଼ୀ ଡାକ ପକାଇଲା–ଏବେ ଆସି ବସୁଚୁ, ନା ସେଇ ଦୁଆରମୁହଁରେ ଠିଆ ହୋଇଥିବୁ ? ମୁହଁରେ ତ କାଳି ବୋଳିଦେଲୁ, ଆହୁରି ପୁଣି ତୋ ମନରେ କ’ଣ ଅଛି ?

 

ସକୀନା ରୋଷ–କଷାୟିତ ଦୃଷ୍ଟିରେ ଚାହିଁ କହିଲା–ମା’, ପରଲୋକ କଥା ଟିକିଏ ଭାବ-। ନିର୍ଦ୍ଦୋଷ ଲୋକ ନାଁ’ରେ କାହିଁକି କଳଙ୍କ ଲଗାଉଛୁ, କହିଲୁ ? ଏପରି କଥା ମୁହଁରେ ଧରିବାକୁ ତୋତେ ଲାଜ ଲାଗିଲା ନାହିଁ ? ତାଙ୍କ ଉପକାରର ଏହି ପୁରସ୍କାର ଦେଲୁ ତ ! ତୁ ତନ୍ନତନ୍ନ କରି ଦୁନିଆଯାକ ଖୋଜି ଆସିଲେବି ଏପରି ଭଲଲୋକ ପାଇବୁ ?

 

ବୁଢ଼ୀ ଗର୍ଜିଉଠିଲା–ଚୁପ୍‌ରହ । ଅଲାଜୁକୀ କେଉଁଠିକାର ! ସରମ ଆସୁ ନାହିଁ, ଓଲଟି ବଢ଼ି ବଢ଼ି କଥା କହୁଚୁ ? ଘରେ ମର୍ଦ ଥିଲେ ଆଜି ତା’ ମୁଣ୍ଡ କାଟି ନେଇଥାନ୍ତାନି ? ରହ, ମୁଁ ଲାଲା ପାଖରେ ଯାଇ କହୁଚି । ପାଜିକି ସହରରୁ ବାହାର ନ କଲାଯାଏ ମୋ କଲିଜା ଥଣ୍ଡା ପଡ଼ିଲାଣି ? ମୁଁ ତା’ ଜାନ୍ ଖାଇନେବି, ଜାଣିଚୁ ?

 

ସକୀନା ନିଃଶଙ୍କ ଚିତ୍ତରେ କହିଲା–ତାଙ୍କ ଜୀବନ ଯଦି ନଷ୍ଟ ହୁଏ, ମୁଁ ବି ନଥିବି ସେତେବେଳକୁ; ୟା’ ଜାଣିରଖିଥା ।

 

ବୁଢ଼ୀ ସକୀନାର ହାତକୁ ଧରି ଏପରି ଜୋରରେ ଝିଙ୍କିନେଲା ଯେ, ସେ ଅଳ୍ପକେ ପଡ଼ିଯିବାରୁ ରକ୍ଷା ପାଇଗଲା । ସଙ୍ଗେ ସଙ୍ଗେ ଘରୁ ବାହାରି ଆସି ବୁଢ଼ୀ ବାହାରୁ କବାଟରେ ଜଞ୍ଜିର ଲଗାଇ ଦେଲା ।

 

ସକୀନା ପାଟି କରି ଡାକିଲା; ମାତ୍ର ବୁଢ଼ୀ ଆଉ ପଛକୁ ଫେରି ଚାହିଁଲା ନାହିଁ । ସେହି ନିର୍ଜୀବା ବୁଢ଼ୀ, ଯାହା ପକ୍ଷରେ ପାଦ ଉଠାଇ ପକାଇବା କଷ୍ଟକର ଥିଲା, କ୍ରୋଧାବେଶରେ ସେତେବେଳେ ଧାଇଁ ଧାଇଁ ଚାଲିଗଲା ଲାଲା ସମରକାନ୍ତଙ୍କ ଘରକୁ ।

 

Unknown

–୧୭–

 

ଅମରକାନ୍ତ ଗଳି ଭିତରୁ ବାହାରି ସଡ଼କ ଉପରକୁ ଗଲା । କୁଆଡ଼େ ଯିବ ? ଏହିକ୍ଷଣି ପଠାଣୁଣୀ ବାପାଙ୍କ ପାଖକୁ ଯିବ । କି ଭୟଙ୍କର କାଣ୍ଡ ହେବ ! କି ଗଣ୍ଡଗୋଳ ଲାଗିବ ! କିଏ ଧର୍ମପାଇଁ କାନ୍ଦିବ ତ କିଏ ମର୍ଯ୍ୟାଦାପାଇଁ ! ‘ଛନ୍ଦ–କପଟ, ମିଥ୍ୟା–ବିଶ୍ୱାସଘାତ, ଅସତ୍ ଉପାର୍ଜନ ସମସ୍ତପାଇଁ କ୍ଷମା ମିଳିପାରେ । ନା, ସେ ସବୁକୁ ପ୍ରଶଂସା କରାଯାଏ । ଏ ସବୁ କାଣ୍ଡ କରୁଥିବା ମହାନୁଭବମାନେ ସମାଜର ମୁଖ୍ୟ । ବେଶ୍ୟାଗାମୀ ଓ ବ୍ୟଭିଚାରୀଙ୍କ ପାଖେ ଲୋକେ ମଥା ନୁଆଁନ୍ତି; କିନ୍ତୁ ଶୁଦ୍ଧ–ହୃଦୟ, ନିଷ୍କପଟ ପ୍ରେମ ହୁଏ ନିନ୍ଦନୀୟ, ଅକ୍ଷମଣୀୟ । ନା, ଅମର ଘରକୁ ଯାଇପାରିବ ନାହିଁ । ତା’ପାଇଁ ଘରର ଦ୍ଵାର ରୁଦ୍ଧ । ସେ ଘର ବା ଆଉ ତା’ର କ’ଣ ? କେବଳ ଭୋଜନ, ବିଶ୍ରାମର ସ୍ଥାନ ସିନା ! ତାକୁ ଭଲପାଏ ବା କିଏ ?

 

କ୍ଷଣକପାଇଁ ସେ ଅଟକିଗଲା । ସକୀନା ତା’ ସହିତ ଯିବାକୁ ପ୍ରସ୍ତୁତ । ତେବେ ତାକୁ ସଙ୍ଗରେ ନ ନେଇଯିବ କାହିଁକି ? ତେଣିକି ଲୋକେ ମନବୋଧ କରି କାନ୍ଦୁଥାନ୍ତୁ, ମଥା ପିଟୁଥାନ୍ତୁ, ଗାଳି ଦେଉଥାନ୍ତୁ । ହଁ, ସେ ତ ଏହାହିଁ ଚାହୁଁଥିଲା । ମାତ୍ର ପ୍ରଥମେ ଯେଉଁ ପାହାଡ଼ ଦୂରରୁ ଗୋଟିଏ କୁଦ ପରି ଦେଖାଯାଉଥିଲା, ବର୍ତ୍ତମାନ ପାଖରେ ଦେଖି ତା’ ଉପରକୁ ପାଦ ବଢ଼ାଇବାକୁ ସାହସ ହେଉ ନାହିଁ ।

 

ଦେଶସାରା ଚହଳ ପଡ଼ିଯିବ–ଜଣେ ମ୍ୟୁନିସିପାଲ କମିଶନର ଗୋଟାଏ ମୁସଲମାନ ଯୁବତୀକୁ ନେଇ ପଳାଇଛନ୍ତି । ପ୍ରତି ମୁଖରେ ଏହି ଚର୍ଚ୍ଚା ହେବ । ବାପା ସମ୍ଭବ ବିଷ ଖାଇ ଦେବେ-। ବିରୋଧୀମାନଙ୍କୁ ତାଳି ମାରିବାର ସୁଯୋଗ ମିଳିଯିବ । ଟଲଷ୍ଟୟଙ୍କର ଗୋଟିଏ ଗଳ୍ପ ତା’ର ମନେ ପଡ଼ିଗଲା–ଜଣେ ପ୍ରେମିକ ତା’ର ପ୍ରେମିକାକୁ ନେଇ ପଳାଇ ଯାଇଛି, ଆଉ ତା’ର ପରିଣାମ କି ଭୟାବହ ହୋଇଛି ! ସେ ନିଜେ ଆଉ କାହାରି ସମ୍ବନ୍ଧରେ ଏପରି ସମ୍ବାଦ ଶୁଣିଥିଲେ ତ ଘୃଣା କରିଥାନ୍ତା । ରକ୍ତ–ମାଂସରେ ଢଙ୍କା କଙ୍କାଳଟା ସତେ କେଡ଼େ ସୁନ୍ଦର ! ରକ୍ତ–ମାଂସର ସେହି ଆବରଣ ଦୂର ହୋଇଗଲେ ସେହି କଙ୍କାଳ ପୁଣି କି ଭୟଙ୍କର ! ଏପରି ଉକ୍ତି ସୌନ୍ଦର୍ଯ୍ୟ ଓ ସରସତାକୁ ନଷ୍ଟ କରି ବୀଭତ୍ସତାକୁ ମୂର୍ତ୍ତିମାନ୍ କରିଦିଏ । ନାଃ, ଅମର ବର୍ତ୍ତମାନ ଘରକୁ ଯାଇପାରିବ ନାହିଁ ।

 

ଅକସ୍ମାତ୍ ପୁଅଟି କଥା ମନେ ପଡ଼ିଗଲା । ତା’ ଜୀବନର ଅନ୍ଧକାରରେ ସେହି ଏକମାତ୍ର ଆଲୋକ । ତା’ର ମନ ସେହି ଆଲୋକ ଆଡ଼କୁ ଧାଇଁଲା । ଶିଶୁଟିର ମୋହିନୀମୂର୍ତ୍ତି ତା’ ଆଖି ଆଗରେ ଛିଡ଼ା ହୋଇଗଲା ।

 

କିଏ ଜଣେ ଡାକିଦେଲା–ଅମରକାନ୍ତ, ଏଠି କାହିଁକି ଠିଆ ହୋଇଛୁ ?

 

ଅମରକାନ୍ତ ପଛକୁ ବୁଲିପଡ଼ି ଦେଖିଲା–ସଲୀମ୍ । କହିଲା–ତୁ କୁଆଡ଼ୁ ଭାଇ ?

 

“ଟିକିଏ ଛକ ଆଡ଼େ ଯାଇଥିଲି । ଏଠି କାହିଁକି ଠିଆଟା ହୋଇଛୁ ଯେ ? ବୋଧେ ପ୍ରେମିକା ସହିତ ମିଳନପାଇଁ ବାହାରିଛୁ !”

 

“ସେଇଠୁ ଫେରୁଛି, ଭାଇ ! ଆଜି ତ ଭାଇ ମହାବିପଦ । ସେହି ଡାଆଣୀ ବୁଢ଼ୀଟା ଆସି ପହଞ୍ଚିଗଲା । ଏମିତି ଶୋଧନା ଦେଲା ଯେ ଭାଇ, ଆଉ କହିବି କ’ଣ ?

 

ଦୁହେଁ ସାଥି ହୋଇ ଚାଲିବାକୁ ଲାଗିଲେ । ଅମରକାନ୍ତ ସମସ୍ତ ବୃତ୍ତାନ୍ତ ବର୍ଣ୍ଣନା କଲା ।

ସଲୀମ୍ ପଚାରିଲା–ତେବେ ବର୍ତ୍ତମାନ ଘରକୁ ଯିବୁ ନାହିଁ ! ଏ ତୋର ନିର୍ବୋଧତା । ବୁଢ଼ୀଟା ବକ୍‌ବକ୍ ହେଉଥାଉ । ଆମେମାନେ ତୋର ସଚ୍ଚରିତ୍ରତା ପ୍ରମାଣ କରିବାକୁ ସାକ୍ଷ୍ୟ ଦେବୁ । ହେଲେ ଭାଇ, ତୁ ଗୋଟାଏ ଅହମିକ । କ’ଣ ଆଉ କହିବି ? ବିଛା–ମନ୍ତ୍ର ନ ଜାଣି ସାପ ମୁହଁରେ ଆଙ୍ଗୁଳି ପୂରାନ୍ତି ? ତୋର ଠିକ୍ ସେହି ଅବସ୍ଥା । ମୁଁ କହିଥିଲି ନା, ସେଠିକି ବେଶି ଯା–ଆସ କରିବୁ ନାହିଁ ! ଶେଷକୁ ସେଇଆ ହେଲା । ଭାଗ୍ୟେ ବୁଢ଼ୀ ସାହି ଲୋକଙ୍କୁ ଡାକି ନାହିଁ, ତା’ ହୋଇଥିଲେ ତ ଖୁନ୍ ହୋଇଥାନ୍ତା !

ଅମର ଦାର୍ଶନିକ ଢଙ୍ଗରେ କହିଲା–ହଉ ଯାହା ହୋଇଛି, ସବୁ ଭଲ ହୋଇଛି । ବର୍ତ୍ତମାନ ତ ଇଚ୍ଛା ହେଉଛି, ସାଂସାରିକ ସମ୍ପର୍କ ନଥିବା କେଉଁ ଏକ କୋଣରେ ପଡ଼ିରହି, ଚାଷବାସ କରି ଚଳିବାପାଇଁ । ଦୁନିଆଟା ଦେଖିନେଲିଣି, ଏଥିରୁ ମନ ଛାଡ଼ିଗଲାଣି ।

“ତେବେ ଯିବୁ କୁଆଡ଼େ, ଶୁଣେ ?”

“କହିପାରୁ ନାହିଁ । ଭାଗ୍ୟ ଯୁଆଡ଼େ ନେଇଯିବ ।”

“ମୁଁ ଯାଇ ବୁଢ଼ୀକି ବୁଝାଇ ଦେବି ?’’

“ଦରକାର ନାହିଁ । ବୋଧେ ମୋ ଭାଗ୍ୟରେ ଏହାହିଁ ଲେଖାଥିଲା–କେବେ ସୁଖ ମିଳି ନାହିଁ କି ମିଳିବ ନାହିଁ ସମ୍ଭବ । ଯେବେ କାନ୍ଦି କାନ୍ଦି ମରିବାକୁ ପଡ଼ିବ, ତେବେ ଯେକୌଣସି ଜାଗାରେ କାନ୍ଦିପାରିବି ।”

 

“ଆମ ଘରକୁ ଚାଲ । ସେଠିକି ଡାକ୍ତର ସାହେବଙ୍କୁବି ଡକାଇ ଆଣିବା, ତା’ପରେ ପରାମର୍ଶ କରିବା । ଏ ଗୋଟାଏ କଥା, ବୁଢ଼ୀଟାଏ ଧମକାଇ ଦେଲା, ତୁ ସେତିକିରେ ଘର ଛାଡ଼ି ପଳାଇବୁ ! ଏମିତି ଏବେ କେତେ ଧମକ ଶୁଣିଲିଣି, ହେଲେ ମୁଁ କେବେ ସେଗୁଡ଼ାକୁ ଖାତିର କରେ-?”

 

ମୁଁ ତ ସକୀନାପାଇଁ ଚିନ୍ତିତ । ବୁଢ଼ୀଟା ତାକୁ ଗାଳି ଦେଇ ମାରି ପକାଇବ ।’’

 

“ଆଚ୍ଛା କହିଲୁ, ତୁ ତା’ଠିଁ ଏମିତି କି ଗୁଣ ଦେଖିଲୁ ଯେ ତୋ ମନ ଏମିତି ରସିଗଲା ?”

 

ଅମର ଛାତିରେ ହାତ ମାରି କହିଲା–କ’ଣ କହିବିରେ ଭାଇ, ସକୀନା, ସତୀତ୍ଵ ଓ ସୁଶୀଳତାର ଦେବୀ ସେ । ଗୋବରଗାଡ଼ିଆକୁ ଏ ପଦ୍ମଫୁଲ ଆସିଲା କୁଆଡ଼ୁ, ଭଗବାନ୍ ଜାଣନ୍ତି; କିନ୍ତୁ ମୋ ହତଭାଗା ଜୀବନରେ ତା’ ସହିତ ବିତିଥିବା ସେହି କେତୋଟି ମୁହୂର୍ତ୍ତର ସ୍ମୃତି ଚିରକାଳ ମୋ ହୃଦୟରେ ଆଙ୍କି ହୋଇ ରହିବ । ତୋତେ ଏତିକି କହିରଖୁଛି ଯେ ତା’ ଖବର ଟିକିଏ ବୁଝୁଥିବୁ-। ବର୍ତ୍ତମାନ ମୋ ମନର ଯେଉଁ ଅବସ୍ଥା, ତା’ ପ୍ରକାଶ କରି ହେବ ନାହିଁ । କେଜାଣି ଜିଇବି କି ମରିବି-। ନୌକାରେ ବସିଛି । କୁଆଡ଼େ ଯାଉଛି ଜାଣି ନାହିଁ । କେବେ କେଉଁଠି ତାହା କୂଳରେ ଲାଗିବ କି ନାହିଁ ଜାଣେନା । ମଝି ଧାରରେ ବୁଡ଼ିଯିବାର ବହୁତ ଆଶଙ୍କା । ଜୀବନର ଅଭିଜ୍ଞତାରୁ ଯାହା କିଛି ଜାଣିଛି, ତା’ ହେଲା–ସଂସାରରେ କୌଣସି ନ୍ୟାୟବାନ୍ ଈଶ୍ୱରଙ୍କର ଶାସନ ନାହିଁ । ଯାହାକୁ ଯାହା ମିଳିବା ଉଚିତ, ତାହା ତାକୁ ମିଳେ ନାହିଁ, ମିଳେ ଠିକ୍ ତା’ର ବିପରୀତ । ଆମେ ଜଞ୍ଜିରରେ ବନ୍ଧା ହୋଇଛୁ । ନିଜ ଇଚ୍ଛା ଅନୁସାରେ ହାତ–ଗୋଡ଼ ହଲାଇପାରୁନା । ଆମକୁ ଗୋଟାଏ ପଦାର୍ଥ ଧରାଇଦେଇ ଆଦେଶ ଦିଆଯାଏ–ଏହାକୁ ଧରି ତୁମକୁ ଜୀବନ ବିତାଇବାକୁ ପଡ଼ିବ । ଆମର ଧର୍ମ ହେଉଛି, ତାକୁ’ଇ ନେଇ ସନ୍ତୁଷ୍ଟ ରହିବା, ସେ ଯେତେ ଘୃଣ୍ୟ ହେଉ ପଛେ ! ଯଦି ଆମେ ନିଜ ଜୀବନପାଇଁ ଅନ୍ୟ କୌଣସି ପଦ୍ମ ଧରୁ, ତେବେ ଆମକୁ ଗଳା ଧରି ମାଡ଼ି–ଦଳି ଦିଆଯାଏ-। ୟାକୁ’ଇ ଦୁନିଆ କହେ ନ୍ୟାୟ ! ସେ ଯାହା ହେଉ, ଏ କଥା ନିଶ୍ଚିତ ଯେ ଏପରି ସଂସାରରେ ବାସ କରିବାର ଯୋଗ୍ୟତା ମୋର ନାହିଁ ।

 

ସଲୀମ୍ କହିଲା–ମିଛଟାରେ ତୁ ‘ଜୀବନକୁ ବିପଦ ମଝିକି ଠେଲି ଦେବାର ଚେଷ୍ଟା କରୁଛୁ ସିନା, ଯେମିତି କି ଜୀବନଟା ହଜାରେ–ଦୁଇ ହଜାରବର୍ଷ ଲମ୍ବା ! ଘରେ ଟଙ୍କା ଭର୍ତ୍ତି, ବାପାଙ୍କର ସ୍ନେହର ସୀମା ନାହିଁ, ପ‍ରୀ ପରି ସ୍ତ୍ରୀ, ଆଉ ବାବୁ ଆମର ଗୋଟାଏ ତନ୍ତୀ–ଝିଅପାଇଁ ଘର–ସଂସାର ଛାଡ଼ି ପଳେଇବାକୁ ତିଆର ! ମୁଁ କହିବି, ଏଟା ମୋ’ର ପାଗଳାମୀ ଛଡ଼ା ଆଉ କିଛି ନୁହେଁ । ଆରେ ହେଇ–ହେଇ ତ ଏଇଆ ହେବ ଯେ ତୁ କିଛି କାମ କରିଯିବୁ ଆଉ ମୁଁ ବସି ଶୋଇ ଦିନ କଟାଇଦେବି; ମାତ୍ର ପରିଣାମଟା ଦୁହିଁଙ୍କର ହେବ ଏକ । ତୁ ‘ରାମ ନାମ ସତ୍ୟ ହୋଇ ଯିବୁ ଆଉ ମୁଁ ‘ଇନ୍‌ନଲ୍ଲାହ ରାଜେଉନ୍’ !

 

ଅମର ବିଷାଦଭରା ସ୍ଵରରେ କହିଲା–ମୋ ଜୀବନ ଯଦି ତୋ’ରି ଜୀବନ ପରି ଅତିବାହିତ ହୋଇଥାନ୍ତା, ତେବେ ମୋର ମଧ୍ୟ ପ୍ରାୟ ଏହି ଧାରଣା ହୋଇଥାନ୍ତା । ମୁଁ ଏପରି ଗୋଟାଏ ଗଛ, ଯେ ଯାହାକୁ କେବେ ଟୋପାଏବି ପାଣି ମିଳି ନାହିଁ । ଜୀବନର ଯେଉଁ ଅବସ୍ଥାରେ ମଣିଷର ପ୍ରେମ ଏକାନ୍ତ ଆବଶ୍ୟକ, ତା’ ହେଲା ବାଲ୍ୟାବସ୍ଥା । ଯେତିକିବେଳେ ଗଛର ମୂଳ ଓଦା ରହିଲେ ଆଜୀବନ ଦୃଢ଼ ରହିଥାଏ, ସେତେବେଳର ଖାଦ୍ୟାଭାବ ତା’ ଜୀବନକୁ ଶୁଷ୍କ–ରୁକ୍ଷ କରିଦିଏ-। ଠିକ୍ ସେହି ବୟସରେ ମୋ’ର ମାତୃବିୟୋଗ ଘଟିଲା, ଆଉ ସେହି ସମୟରୁ ମୋ ଆତ୍ମା ଉପବାସୀ । ସେହି କ୍ଷୁଧାହିଁ ମୋର ଜୀବନ । ମୋତେ ଯେଉଁଠି କଣିକାଏ ପ୍ରେମ ମିଳିବ, ମୁଁ ଉଚ୍ଛୃଙ୍ଖଳ ହୋଇ ବାଧ୍ୟ ହୋଇ ସେହି ଦିଗକୁ ଯିବି । ପ୍ରକୃତିର ଅଟଳ ନିୟମ ମୋତେ ସେହି ଦିଗକୁ ନେଇଯିବ । ସେଥିପାଇଁ କେହି ଯଦି ମୋତେ ଅପରାଧୀ ବୋଲି କହେ ତ କହୁ । ମୁଁ ତ ଦାୟୀ କରିବି ଭଗବାନଙ୍କୁ ।

 

ସଲୀମ୍ କହିଲା–ଆ, ଖାଇବୁ ଆ । ଆଚ୍ଛା, କେତେ ଦିନ ପର୍ଯ୍ୟନ୍ତ ଦେଶ–ତ୍ୟାଗୀ ହୋଇ ରହିବୁ, ଭାବିଛୁ ?

 

ଦୁହେଁ ଯାଇ କୋଠରୀରେ ବସିଲେ । ଅମର ଉତ୍ତର ଦେଲା–ଏଠି ମୋର କିଏ ଅଛି ଯେ ମୋପାଇଁ ଦୁଃଖ କରିବ ? ବାପା ତ ମୋ କଥା ବୁଝନ୍ତି ନାହିଁ । ସେ ସମ୍ଭବ ଭାବି ସୁଖୀ ହେବେ ଯେ ଭଲ ହେଲା, ଜଞ୍ଜାଳ ଯାଇଛି । ସୁଖଦାର ତ ମୋ ଛାଇ ପଡ଼ିଲେ ନାହି ଡିଏଁ । ବନ୍ଧୁମାନଙ୍କ ଭିତରେ ଯାଇ ଯାଇ ଏକା ତୁ । ତୋ ସହିତ କେବେକେବେ ଦେଖା ହେଉଥିବ । ମା’ ଥିଲେ ସମ୍ଭବ ତା’ର ସ୍ନେହ ଟାଣିଆଣନ୍ତା । ସେ ଥିଲେ ବା ଜୀବନର ଏ ଦୁର୍ଗତି ହୋଇଥାନ୍ତା କାହିଁକି ? ଦୁନିଆରେ ସବୁଠୁ ବଳି ହତଭାଗା ସେହି, ଯା’ର ମା’ ମରିଯାଇଛି ।

 

ମା’କୁ ମନେପକାଇ ଅମରକାନ୍ତ କାନ୍ଦି ପକାଇଲା । ମା’ର ସେହି ସ୍ମୃତିଚିତ୍ର ତା’ ଆଖି ଆଗରେ ନାଚିଗଲା । କାନ୍ଦୁ ଥିବାର ଦେଖି ସେ କୋଳକୁ ତୋଳିନିଏ । ମା’ର ଅଞ୍ଚଳ ତଳେ ମଥା ରଖିବାମାତ୍ରେ ତା’ର ସକଳ କାମନା ପୂର୍ଣ୍ଣ ହୋଇଯାଏ ।

 

ସଲୀମ୍ ଭିତରକୁ ଯାଇ ତା’ ଚାକରକୁ ଚୁପ୍ କରି ଲାଲା ସମରକାନ୍ତଙ୍କ ନିକଟକୁ ପଠାଇ ଦେଲା । ତାକୁ ଧୀରେ କହିଲା–ଯା’, କହିବୁ, ଅମରକାନ୍ତ ପଳାଇ ଯାଉଛି । ଆପଣ ଶୀଘ୍ର ଆସନ୍ତୁ, ତାକୁ ନେଇ ଆସିବେ । ଯା, ମିନିଟିଏ ଡେରି କରିବୁ ତ ଗୁଳି କରିଦେବି ।

 

ତା’ପରେ ବାହାରକୁ ଆସି ଅମରକୁ କଥାରେ ଲଗାଇ ଦେଲା–କିନ୍ତୁ ତୁ କେବେ ଚିନ୍ତା କରିଛୁ, ସୁଖଦା ଦେବୀଙ୍କର ଦଶା କ’ଣ ହେବ ? ମନେକର, ସେ ବି ତାଙ୍କ ମନମୁତାବକ କିଛି ଗୋଟାଏ ବ୍ୟବସ୍ଥା କରିନେଲେ; ତେବେ ? କିଛି ମନେକରିବୁ ନାହିଁ !

 

ଅମର ଏହାକୁ ଅସମ୍ଭବ ମନେକରି କହିଲା–ହିନ୍ଦୁ ନାରୀ ଏତେ ଲଜ୍ଜାହୀନା ହୁଏନା ।

 

ସଲୀମ୍ ହସି ହସି କହିଲା–ବାସ୍ ଏଥର ହିନ୍ଦୁପଣିଆ ବାହାରିଲା ! ଆରେ ଭାଇ, ଜୀବନ ଏ କ୍ଷେତ୍ରରେ ହିନ୍ଦୁ–ମୁସଲମାନ ବାଧା ମାନେନା, ଯାହାର ଯାହା ଇଚ୍ଛା । ହିନ୍ଦୁନାରୀଙ୍କ ମଧ୍ୟରେ ଦେବୀ ଅଛନ୍ତି, ମୁସଲମାନ ନାରୀଙ୍କ ମଧ୍ୟରେବି ଦେବୀ ଅଛନ୍ତି । ପୁଣି ଉଭୟ ସମ୍ପ୍ରଦାୟରେ ଦୁଶ୍ଚରିତ୍ରାବି ଅଛନ୍ତି, ତା’ପରେ ତୋ ସ୍ତ୍ରୀ ଆଧୁନିକା, ଶିକ୍ଷିତା, ସ୍ଵାଧୀନଚେତା, ପ୍ରମୋଦବିହାରିଣୀ, ସିନେମାଚାରିଣୀ ଆଉ ନଭେଲ୍–ସମ୍ବାଦପତ୍ର ପାଠିନୀ ! ଭଗବାନ୍ ରକ୍ଷା କରନ୍ତୁ ଏପରି ସ୍ତ୍ରୀଙ୍କ ଦାଉରୁ । ଏଟା ୟୁରୋପର ଦାନ । ଆଧୁନିକା ମହିଳାମାନଙ୍କର ଅକରଣୀୟ ବା କ’ଣ ଅଛି ? ପୂର୍ବେ ପୁଅମାନଙ୍କ ପକ୍ଷରୁ ସୂତ୍ରପାତ ହେଉଥିଲା । ପୁରୁଷ ପକ୍ଷରୁ ଥଟ୍ଟା–ପରିହାସ ଆରମ୍ଭ କରାଯାଉଥିଲା, ବର୍ତ୍ତମାନ ଯୁଗ ବଦଳିଗଲାଣି–ନାରୀମାନଙ୍କ ପକ୍ଷରୁ ଟଣା–ଭିଡ଼ା ଆରମ୍ଭ ହୋଇଯାଉଛି ।

 

ଅମରକାନ୍ତ ନିର୍ଲଜ୍ଜ ଭାବରେ କହିଲା–ଯାହା ଜୀବନରେ ସୁଖ ଅଛି, ସେ ଏସବୁ ଚିନ୍ତା କରିବ । ଜୀବନଟା ଯା’ର ଦୁଃଖମୟ, ତା’ର କ’ଣ ଅଛି ? ଯାହାର ଖୁସି ହେଲା ରହୁ, ଯାହାର ଖୁସି ହେଲା ଯାଉ । ମୁଁ କାହାରି ଗୋଲାମ ନୁହେଁ କି କାହାକୁ ଗୋଲାମ କରିବାକୁ ଚାହେଁନା ।

 

ସଲୀମ୍ ନ ପାରି କହିଲା–ତେବେ ଆଉ ରହିଲା କ’ଣଟା ଯେ ! ତା’ ଯଦି ହୁଏ, ସ୍ତ୍ରୀମାନଙ୍କ ମନ ଆକାଶକୁ ନ ଚଢ଼ିଯିବ କାହିଁକି ? ଏ କଥା ଭାବିଲାବେଳକୁ ମୋ ରକ୍ତ ତାତିଉଠେ-

 

“ନାରୀରବି ଦୁଶ୍ଚରିତ୍ର ପୁରୁଷ ଉପରେ ଏତିକି କ୍ରୋଧ ଆସେ ତ ।”

 

“ନାରୀ ଓ ପୁରୁଷଙ୍କର ସ୍ଵଭାବରେ, ଶାରୀରିକ ଗଠନରେ, ହୃଦୟର ଆକର୍ଷଣରେ ପାର୍ଥକ୍ୟ ଅଛି । ନାରୀର ସୃଷ୍ଟି ଜଣକର ହୋଇ ରହିବାକୁ, ପୁରୁଷର ସୃଷ୍ଟି ସ୍ଵାଧୀନ ହୋଇ ରହିବାକୁ-

 

“ଏ ତ ପୁରୁଷର ସ୍ଵାର୍ଥପରତା ।’’

 

“ନା, ଆଜ୍ଞା ନା, ଏହା ହେଲା ପ୍ରାଣୀ ଜୀବନର ସିଦ୍ଧାନ୍ତ ।”

 

ଯୁକ୍ତିତର୍କରୁ ବହୁ ଶାଖା–ପ୍ରଶାଖା ବାହାରିଲା । ବିବାହ ପ୍ରଶ୍ନ ଉଠିଲା । ତା’ପରେ ବେକାର–ସମସ୍ୟା, ତା’ପରେ ଭୋଜନ । ଦୁହେଁ ଖାଇ ବସିଲେ ।

 

ଦୁଇ–ଚାରି ଗ୍ରାସ ଖାଇଥିବେ କି ନାହିଁ, ଦରୱାନ୍ ଆସି ଲାଲାଜୀ ଆସୁଥିବାର ଖବର ଦେଲା । ଅମରକାନ୍ତ ତତ୍‌କ୍ଷଣାତ୍ ଟେବୁଲ ପାଖରୁ ଉଠିଯାଇ କୁଳି କରି ପକାଇଲା, ପ୍ଲେଟ୍‌ଗୁଡ଼ିକ ଟେବୁଲ ତଳେ ଲୁଚାଇ ଦେଇ କହିଲା–ସେ ମୋ ଖବର ପାଇଲେ କେମିତି ? ସେପରି ଡେରିବି ହୋଇ ନାହିଁ ତ ! ତେବେ ତ ସେ ବୁଢ଼ୀଟା ନିଆଁ ଲଗାଇ ଦେଲାଣି ।

 

ସଲୀମ୍ ମୁରୁକି ମୁରୁକି ହସୁଥାଏ ।

 

ଅମର ଭ୍ରୂ–ବିକ୍ଷେପ କରି କହିଲା–ଜଣାଯାଉଛି, ଏ ସବୁ ତୋରି କାଣ୍ଡ ! ଏଇଥିପାଇଁ ମୋତେ ଏଠିକି ନେଇ ଆସିଥିଲୁ, ନା ? ଶେଷରେ ଫଳ କ’ଣ ହେବ, ଜାଣୁ ? ମୁଁ ଖାଲି ଅପମାନିତ ହେବି । ସେଥିରୁ ତୋତେ କି ଲାଭ ମିଳିବ ? ମୁଁ ୟାକୁ ମିତ୍ରତା ନୁହେଁ, ଶତ୍ରୁତା ବୋଲି କହେ ।

 

ଗାଡ଼ି ଦ୍ଵାର ପାଖରେ ଅଟକିଲା । ଲାଲା ସମରକାନ୍ତ କୋଠରୀରେ ପ୍ରବେଶ କଲେ । ସଲୀମ୍ ତାଙ୍କ ଆଡ଼କୁ ଚାହୁଁଥାଏ–ଯେପରି କି ପଚାରୁଥାଏ ଯେ ମୁଁ ଏଠି ରହିବି କି ଚାଲିଯିବି ? ଲାଲାଜୀ’ ତା’ର ମନୋଭାବ ବୁଝିପାରି କହିଲେ–ତୁମେ ଠିଆ ହେଲ ଯେ ବାପା ! ବସ । ହାଫିଜ୍‍ବାବୁ ମୋର ପୁରୁଣା ବନ୍ଧୁ । ସେ ହିସାବରେ ଅମର ଓ ତୁମେ ଦୁଇ ଭାଇ । ତୁମ ପାଖରେ ଲୁଚାଇବାର କ’ଣ ଅଛି ମୁଁ ସବୁ ଶୁଣିସାରିଲିଣି, ଲଲ୍ଲୁ ! ବୁଢ଼ୀ କାନ୍ଦି କାନ୍ଦି ଆସିଥିଲା । ମୁଁ ତାକୁ ଖୁବ୍ ଗାଳି–ମନ୍ଦ ଦେଲି । ମୁଁ କହିଦେଲି–ମୋର ତୋ କଥାରେ ବିଶ୍ୱାସ ହେଉ ନାହିଁ । ୟା’ର ଲକ୍ଷ୍ମୀ–ପ୍ରତିମା ସ୍ତ୍ରୀ ଅଛି, ସେ କାହିଁକି ଡାଆଣୀଙ୍କ ପଛେ ଜୀବନ ଦେବାକୁ ଯିବ ? କିନ୍ତୁ ପ୍ରକୃତରେ ଯଦି କିଛି ଘଟିଯାଇଥାଏ, ତେବେ ସେପାଇଁ ବ୍ୟସ୍ତ ହେବାର କିଛି ନାହିଁ, ବାପା ! ଭୁଲ୍–ଚୁକ୍ ସମସ୍ତଙ୍କର ଅଛି । ବୁଢ଼ୀକି ଦୁଇ–ଚାରି ଶହ ଦେଇ ଦିଆଯିବ । ଝିଅଟାର ବାହାଘର କୌଣସି ଭଲ ଘରେ ହୋଇଯିବ । ଗଲା ତ ସବୁ ଅଡ଼ୁଆ ଶେଷ । ତୋ’ର ଘରୁ ପଳେଇବା, ସହରସାରା ଡିବିଡ଼ିବି ବାଜିବା କି ଦରକାର ? ମୋ କଥା ଛାଡ଼ହୋ, ଭଗବାନ ତ ତୋତେ ପିଲାଛୁଆ ଦେଇଛନ୍ତି । ଭାବିଲୁ, ମୁଁ ଚାଲିଗଲେ କେତେ ପ୍ରାଣୀ ଅନାଥ–ଅରକ୍ଷିତ ହୋଇଯିବେ ! ମୁଁ ତ ସ୍ତ୍ରୀ, ଭଉଣୀଟା ଯେ କାନ୍ଦି କାନ୍ଦି ମରିଯିବ । ରେଣୁକା ଦେବୀ, ସେ ତୁମର ସ୍ନେହ–ଶ୍ରଦ୍ଧାକୁ ସଙ୍ଖାଳି କରି ଏଠି ପଡ଼ି ରହିଛନ୍ତି । ତୁ ନ ରହିଲେ ସେ ସୁଖଦାକୁ ନେଇ ଚାଲିଯିବେ, ସେ ଘର ଉଜୁଡ଼ିଯିବ ସିନା । ମୁଁ ଏକୁଟିଆ ଭୂତଟା ପରି ଘରେ ପଡ଼ିଥିବି । ବାବା ସଲୀମ୍ ! ମୁଁ ଯାହା କହୁଛି, ଉଚିତ କି ନାଇଁ ? ଯାହା ହୋଇଗଲାଣି, ଗଲାଣି । ଆଗକୁ ହୁସିଆର ହୁଅ । ତୁ ତ ଜାଣିବା ଶୁଣିବାର ପିଲା, ମୁଁ ତୋତେ ଅଧିକ ବୁଝେଇବି କ’ଣ ? ମନକୁ କର୍ତ୍ତବ୍ୟ–ଡୋରିରେ ବାନ୍ଧିବାକୁ ପଡ଼େ, ନୋହିଲେ ବାଇଆ ମନ ମଣିଷକୁ କୁଆଡ଼େ ବୋଲି କୁଆଡ଼େ ବୁଲାଇବ । ଈଶ୍ଵର ତ ତୋର କେଉଁଥିରେ ଊଣା କରି ନାହାନ୍ତି । ଟିକେ ଘରକାମ ଦେଖ, ବାହାର କାମବି ଦେଖ । ଅଢ଼େଇ ଦିନିଆ ଜୀବନ, ହସି–ଖେଳି କୌଣସି ପ୍ରକାରେ କଟାଇ ଦେବା ଭଲ । ବିପଦକୁ ମୁଣ୍ଡରେ ବସାଇ ଏଣେତେଣେ ଘୂରି ବୁଲିବାରେ ଲାଭଟା କ’ଣ ?

 

ଅମର ବସିଥାଏ, ଯେମିତି ଗୋଟାଏ ପାଗଳର ପ୍ରଳାପ ଶୁଣୁଛି । ଆଜି ତୁମେ ଏଇ ମଧୁରିଆ କଥା କହି ମୋତେ ଫାନ୍ଦରେ ପକାଇବାକୁ ଭାବିଛ, ନାଇଁ ? ତୁମେ’ଇ ମୋ ଜୀବନକୁ ମାଟି କରି ଦେଇଛ । ତୁମରି ଯୋଗୁଁ ମୋର ଏ ଦଶା । ତୁମେ ମୋତେ ଘରକୁ ଘର ବୋଲି ଭାବିବାକୁ ଦେଇନାହଁ–ତୁମେ ମୋତେ ଘଣାରେ ଯୋଚା ବଳଦ କରିବାକୁ ପାଞ୍ଚିଛି । ବାପାଙ୍କ ପ୍ରତି ତା’ର ଭକ୍ତି ଅପେକ୍ଷା ଭୟ ଥିଲା ବେଶି । ତଥାପି ତାଙ୍କ କଥା ମଝିରେ ବାଧା ଦେବାକୁ ବାରମ୍ବାର ଇଚ୍ଛା ହେଉଥିଲା । ଲାଲାଜୀ ନୀରବ ହେବାରୁ ଧୃଷ୍ଟତାର ସହିତ କହିଲା–ବାପା, ମୋ ଜୀବନର ବହୁ ସମୟ ଆପଣଙ୍କ ଘରେ ନଷ୍ଟ ହୋଇଗଲାଣି, ଏଣିକି ଆଉ ମୁଁ ତା’ ଚାହେଁନା । ମନୁଷ୍ୟ ଜନ୍ମ କେବଳ ବଞ୍ଚିରହିବା ଓ ମରିଯିବା ପାଇଁ ନୁହେଁ କି ଧନ ସଞ୍ଚୟ ତା’ର ଲକ୍ଷ୍ୟ ନୁହେଁ । ମୁଁ ଯେଉଁ ଦଶାରେ ଅଛି, ତାହା ମୋ ପକ୍ଷେ ଅସହ୍ୟ ହୋଇ ଉଠିଲାଣି । ମୁଁ ଗୋଟାଏ ନୂଆ ଜୀବନର ସୂତ୍ରପାତ କରିବାକୁ ଯାଉଛି; ଯହିଁରେ ମଜୁରୀ ଖଟିବା ଲଜ୍ଜାର କଥା ନୁହେଁ, ଯହିଁରେ ସ୍ତ୍ରୀ ସ୍ଵାମୀକୁ ସର୍ବଦା ତଳକୁ ଟାଣୁ ନଥାଏ, ତାକୁ ପତନ ଦିଗକୁ ନେଇ ଯାଉ ନଥାଏ; ବରଂ ଜୀବନରେ ଆନନ୍ଦ ଓ ଆଲୋକର ସଂଚାର କରିଥାଏ । ମୁଁ ପ୍ରଥା–ପରମ୍ପରାର ଦାସ ହୋଇ ରହିବାକୁ ଚାହେଁନା । ଆପଣଙ୍କ ଘରେ ମୋତେ ସର୍ବଦା ବାଧାର ସମ୍ମୁଖୀନ ହେବାକୁ ପଡ଼ିବ ଓ ସେହି ସଂଘର୍ଷରେ ସଂଘର୍ଷରେହିଁ ମୋ ଜୀବନ ଶେଷ ହୋଇଯିବ । ଆପଣ ସ୍ଥିରଚିତ୍ତରେ କହିପାରିବେ କି, ଆପଣଙ୍କ ଘରେ ସକୀନାପାଇଁ ସ୍ଥାନ ଅଛି ?

 

ଲାଲାଜୀ ଭୟାର୍ତ୍ତ ନେତ୍ରରେ ଚାହିଁଲେ–କି ଭାବରେ ?

 

“ମୋର ପତ୍ନୀ ରୂପରେ ।”

 

“ନା । ବାରେ ନୁହେଁ–ଶହେ ବାର ‘ନା’ ।”

 

“ତେବେ ମୋପାଇଁ ମଧ୍ୟ ଆପଣଙ୍କ ଘରେ ସ୍ଥାନ ନାହିଁ ।”

 

“ଆଉ ତୁମର କିଛି କରିବାର ନାହିଁ ତ ?”

 

“ନା ।”

 

ଲାଲାଜୀ ଚେଆର୍‍ରୁ ଉଠି ଦରଜା ଆଡ଼କୁ ଆଗେଇ ଗଲେ । ପୁଣି ଫେରିପଡ଼ି କହିଲେ–କହିପାରିବ କି କେଉଁଠିକି ଯାଉଛ ?”

 

“ବର୍ତ୍ତମାନ ସୁଦ୍ଧା କିଛି ସ୍ଥିର କରି ନାହିଁ ।”

 

‘ହଉ ଯା, ଈଶ୍ଵର ତୋତେ ସୁଖୀ କରନ୍ତୁ । ଯଦି କେବେ କିଛି ଦରକାର ପଡ଼େ, ମୋତେ ଲେଖିବାକୁ ସଂକୋଚ କରିବୁ ନାହିଁ ।”

 

“ମୋର ବିଶ୍ୱାସ, ମୁଁ ଆପଣଙ୍କୁ କୌଣସି କଷ୍ଟ ଦେବାକୁ ଯିବି ନାହିଁ ।”

 

ସଜଳ ନେତ୍ରରେ ଲାଲାଜୀ କହିଲେ–ଗଲାବେଳେ ଘା’ ଉପରେ ଚୂନଛିଟା ମାର ନାଇଁରେ ଲଲ୍ଲୁ ! ବାପ–ମନ ମାନୁନାହିଁ । କିଛି ନହେଲେ ଏତିକି କରିବୁ–କେବେ କାଳେ ଖଣ୍ଡେ ଖଣ୍ଡେ ଚିଠି ଦେଉଥିବୁ । ତୁ ମୋ ମୁହଁକୁ ନ ଚାହିଁଲୁ ନାହିଁ; କିନ୍ତୁ କେବେ କିମିତି ଯିବା–ଆସିବାକୁ ବାଧା ଦେବୁ ନାହିଁ । ଯେଉଁଠି ରହ ପଛେ ସୁଖରେ ରହ, ଏଇ ମୋର ଆଶୀର୍ବାଦ ।

 

–୧୮–

 

ଉତ୍ତରର ପର୍ବତମାଳା ମଧ୍ୟରେ ଏକ କ୍ଷୁଦ୍ର ରମଣୀୟ ଗ୍ରାମ । ସମ୍ମୁଖରେ ଗଙ୍ଗା ବାଳିକାଟି ପରି ହସି–ଖେଳି, ଗାଇ ଗାଇ, ଧାଇଁ ଧାଇଁ ଯାଉଛି । ପଶ୍ଚାଦ୍ଦେଶରେ ଜଟାଧାରୀ, ଶ୍ୟାମ–ଗମ୍ଭୀର, ଧ୍ୟାନମଗ୍ନ ବୃଦ୍ଧ ଯୋଗୀ ପରି ଠିଆ ହୋଇଛି ଏକ ଉନ୍ନତ ପର୍ବତ । ସତେଅବା ଗ୍ରାମଟି ତା’ର ବାଲ୍ୟସ୍ମୃତି–ଆମୋଦ–ବିନୋଦରେ ରଞ୍ଜିତ ଅଥବା ଯୌବନର କେଉଁ ସୁନେଲି ସ୍ଵପ୍ନ-। ସେ ଏବେ ସୁଦ୍ଧା ସେହି ସ୍ମୃତିକୁ ମନ ମଧ୍ୟରେ ଜାଗ୍ରତ ରଖି, ସେହି ସ୍ଵପ୍ନକୁ ଆଲିଙ୍ଗନ କରି ରହିଛି-!

 

ଗ୍ରାମଟିରେ ଅତି ବେଶିରେ କୋଡ଼ିଏ–ପଚିଶି କୁଡ଼ିଆ । ପଥର–ଢିମା ଖଞ୍ଜାଯାଇ କାନ୍ଥ ହୋଇଛି । ତା’ ଉପରେ ଛପର । ଦ୍ଵାରମାନଙ୍କରେ ଜଙ୍ଗଲୀ ଝାଟିର ତାଟି ଲାଗିଛି । ସେ ପିଞ୍ଜରାଗୁଡ଼ାକ ଭିତରେ ଗ୍ରାମ ଲୋକେ ନିଜ ନିଜର ଗୋରୁ–ମଇଁଷି, ଛେଳି–ମେଣ୍ଢାଙ୍କ ସହିତ ଅନନ୍ତ କାଳରୁ ବିଶ୍ରାମ କରି ଆସୁଛନ୍ତି ।

 

ଦିନେ ସନ୍ଧ୍ୟା ସମୟରେ ଶ୍ୟାମବର୍ଣ୍ଣ, ଶୀର୍ଣ୍ଣକାୟ ଯୁବକଟିଏ ସେହି ଗ୍ରାମରେ ପହଞ୍ଚିଲା-। ପରିଧାନ ତା’ର ମୋଟା କୁରୁତା, ଛୋଟ ଧୋତି ଓ ମୋଟା ଚମଡ଼ାର ଜୋତା-। କାନ୍ଧରେ ଲୋଟାର ଡୋର । କାଖରେ ଗୋଟିଏ ପୁଟୁଳି । ଆଗନ୍ତୁକଟି ଗୋଟିଏ ବୁଢ଼ୀକୁ ଦେଖି ପଚାରିଲା–ମାଉସୀ ! ଏଠି ରାତିଟା ରହିବାପାଇଁ ଏ ବିଦେଶୀକୁ ଟିକିଏ ଜାଗା ମିଳିବ କି ?

 

ବୁଢ଼ୀଟି କାଠ ଗୋଛାଏ ମୁଣ୍ଡାଇ ବୁଢ଼ା ଗାଈଟିଏ ଅଡ଼େଇ ଅଡ଼େଇ ପଡ଼ିଆ ଆଡ଼ୁ ଆସୁଥିଲା । ଯୁବକଟିକୁ ଗୋଡ଼ରୁ ମୁଣ୍ଡଯାଏ ଚାହିଁଗଲା–ଦେହ ଝାଳ ଜରଜର, ମୁହଁ ଧୂଳି–ଗରଗର, ଭୋକିଲା ନଜର, ସତେବା ଜୀବନପାଇଁ ଟିକିଏ‌ ଆଶ୍ରୟ ଖୋଜି ବୁଲୁଛି । ଦୟାରେ ତରଳି ଯାଇ ବୁଢ଼ୀ କହିଲା–ବାପରେ ! ଏଠି ତ ସମସ୍ତେ ଚମାର !

 

ଅମରକାନ୍ତ କେତେ ମାସ ହେଲା ଏହିପରି ପଲ୍ଲୀରୁ ପଲ୍ଲୀ ବୁଲି ବୁଲି ଆସୁଛି । ପ୍ରାୟ ପଚାଶଟି ଛୋଟ–ବଡ଼ ଗ୍ରାମ ସେ ଦେଖିସାରିଲାଣି, କେତେ ଲୋକଙ୍କ ସଙ୍ଗେ ପରିଚୟ କରିସାରିଲାଣି, କେତେ ଲୋକ ତା’କୁ ସାହାଯ୍ୟ କରିଛନ୍ତି, କେତେକ ବିରକ୍ତ ହୋଇଛନ୍ତି ମଧ୍ୟ ।

 

ନଗରବାସୀ ସୁକୁମାର ଯୁବକଟି କ୍ଷୀଣକାୟ ହୋଇ ଯାଇଛି; ମାତ୍ର ଖରା–ଝାଞ୍ଜି, ଝଡ଼–ବର୍ଷା, ଭୋକ–ଶୋଷ ସହିବାର ପ୍ରଚୁର ଶକ୍ତି ଅର୍ଜନ କରିପାରିଛି । ଏହାହିଁ ତା’ର ଭବିଷ୍ୟତ ଜୀବନର ପ୍ରସ୍ତୁତି, ଏହାହିଁ ତା’ର ତପସ୍ୟା । ସରଳ ସହୃଦୟ ଗ୍ରାମବାସୀମାନଙ୍କ ପ୍ରେମ ଓ ସନ୍ତୋଷ ଦେଖି ସେ ମୁଗ୍ଧ ହୋଇଛି । ଏପରି ସରଳ, ନିଷ୍କପଟ ଲୋକଙ୍କ ଉପରେ ଏ ଯୁଗର ଅତ୍ୟାଚାର ଦେଖିଲେ ତା’ର ରକ୍ତ ତାତିଉଠେ । ଯେଉଁ ଶାନ୍ତିର ଆଶା ତାକୁ ଗ୍ରାମ୍ୟ–ଜୀବନ ଆଡ଼କୁ ଟାଣି ଆଣିଥିଲା, ଏଠାରେ ତା’ର ନାମ–ଲେଶ ନାହିଁ । ଘୋର ଅନ୍ୟାୟର ରାଜତ୍ୱ । ଅମରର ଆତ୍ମା ଏହା ବିରୁଦ୍ଧରେ ବିପ୍ଳବର ପତାକା ତୋଳି ବୁଲୁଥିଲା । ନମ୍ର ଭାବରେ ଅମର କହିଲା–ମାଉସୀ ! ମୁଁ ଜାତି–ପନ୍ତି ମାନେନା । ଯେ ଭଲଲୋକ, ଚମାର ହେଲେବି ସେ ଆଦରଯୋଗ୍ୟ । ଆଉ ଯେ ଭଣ୍ଡ–ଲମ୍ପଟ, ସେ ବ୍ରାହ୍ମଣ ହେଲେ ସୁଦ୍ଧା ଆଦରଯୋଗ୍ୟ ନୁହେଁ । ଦିଅ, କାଠ ଗୋଛାଟା ମୁଁ ଧରି ଚାଲେ ।

 

ବୁଢ଼ୀ ମୁଣ୍ଡରୁ କାଠ ଗୋଛାଟି ନେଇ ସେ ନିଜେ ମୁଣ୍ଡାଇଲା ।

 

ବୁଢ଼ୀ ଆଶୀର୍ବାଦ କରି ପଚାରିଲା–କେଉଁଠିକି ଯିବୁ, ରେ ପୁଅ ?

 

“ଏଇମିତି ମାଗି ଖାଉଚି, ମାଉସୀ ! କୁଆଡ଼େ ଯିବାର ଠିକଣା ନାହିଁ ! ରାତିରେ ଶୋଇବାକୁ ଟିକିଏ ଜାଗା ମିଳିବ ତ ?”

 

‘‘ଜେଗା କ’ଣ ଅଭାବ ଅଛି, ବାପ ! ମନ୍ଦିର ଚଉତରା ଉପରେ ଶୋଇ ପଡ଼ିବୁ । କେଉଁ ସାଧୁ ସନ୍ଥଙ୍କ ଫେରରେ ପଡ଼ିନାହୁଁ ତ, ବାପ ? ମୋର ତ ଗୋଟିଏ ପୁଅ ତାଙ୍କରି ଫାନ୍ଦରେ ପଡ଼ିଗଲା ଯେ ତା’ର ଆଉ ପତା ମିଳିଲା ନାଇଁ । ଏତେବେଳକୁ ଛୁଆ–ପିଲାଙ୍କ ବାପ ହୁଅନ୍ତାଣି ପରା !”

 

ଦୁହେଁ ଯାଇ ଗାଁରେ ପହଞ୍ଚିଲେ । ବୁଢ଼ୀ ତା’ କୁଡ଼ିଆର ତାଟି ଖୋଲୁ ଖୋଲୁ କହିଲା–ଆଣ ବାପା, କାଠ ଗୋଛାଟା ଏଇଠି ଥୋଇଦେ । ଥକି ପଡ଼ିଛୁ; ଦୁଧ ଟିକିଏ ରଖିଥିଲି ପିଇଦେ । ସବୁ ଗୋରୁ ତ ମରିଗଲେରେ ପୁଅ ! ଏଇ ଗାଈଟି ଅଛି । ପା’ଏ ହବ ଦୁଧ ଦିଏ । ଖାଇବାକୁ ତ ପାଉ ନାହିଁ । ଦୁଧ ଦବ କୁଆଡ଼ୁ ?

 

ଅମର ଏପରି ସରଳ ସ୍ନେହର ପ୍ରସାଦକୁ ଅସ୍ଵୀକାର କରିପାରିଲା ନାହିଁ । କୁଡ଼ିଆ ଭିତରକୁ ପଶିଗଲାମାତ୍ରେ ତା’ର ଅନ୍ତର ଥରି ଉଠିଲା । ଦରିଦ୍ରତା ଯେପରି ବକ୍ଷରେ କର ପ୍ରହାର କରି କାନ୍ଦୁଛି ! ଏଣେ ଆମର ଉନ୍ନତ ସମାଜ ବିଳାସ ବ୍ୟସନରେ ମଗ୍ନ । ତା’ର ରହିବାକୁ ବାଙ୍ଗଲୋ ଦରକାର, ଯାତାୟତ ପାଇଁ ମୋଟରଗାଡ଼ି ଦରକାର । ଏ ସଂସାରଟା ଧ୍ଵଂସ ପାଇଯାଉ ନାହିଁ କାହିଁକି ?

 

ବୁଢ଼ୀଟି ଗୋଟିଏ ପିତ୍ତଳ ତାଟିଆରେ ଦୁଧ ଅଜାଡ଼ି ଦେଇ କଳସୀଟି ଧରି ପାଣି ଆଣିବାକୁ ବାହାରିଲା । ଅମର କହିଲା–ମୁଁ ନେଇ ଆସୁଛି ମା’ ! ଦଉଡ଼ି ତ କୂଅ ପାଖରେ ଥିବ ?

 

“ନାଇଁ ପୁଅ, ତୁ କୁଆଡ଼େ ଯିବୁ ପାଣି ଆଣିବାକୁ ! ରାତିକପାଇଁ ଆସିଛୁ । ମୁଁ ତୋ ଦେଇ ପାଣି ଅଣାଇବି !”

 

ବୁଢ଼ୀ ହାଁ–ହାଁ କରୁ କରୁ ଅମର କଳସୀ ନେଇ କୂଅ ପାଖେ ପହଞ୍ଚିଲା । ସେ ବି ତା’ ପଛେ ପଛେ ଗଲା ।

 

କୂଅ–ମୂଳରେ କେତେକ ସ୍ତ୍ରୀଲୋକ ପାଣି କାଢ଼ୁଥିଲେ । ଅମରକାନ୍ତକୁ ଦେଖି ଯୁବତୀଟିଏ ବୁଢ଼ୀକୁ ପଚାରିଲା–ଜଣେ ଅଭ୍ୟାଗତ ନା କ’ଣ, ସୁନ୍ଦରୀ ଖୁଡ଼ୀ ?

 

ବୁଢ଼ୀ ହସି ହସି କହିଲା–ଅଭ୍ୟାଗତ ନ ହେଇଥିଲେ ନିଜେ ପାଣି ନେବାକୁ ଆସନ୍ତେ କିମିତି ! ତୋ ଘରକୁ ଇମିତି ଅଭ୍ୟାଗତ ଆସନ୍ତି ?

 

ଯୁବତୀଟି ଅମର ଉପରେ କଟାକ୍ଷପାତ କରି କହିଲା–ଆମ ଅଭ୍ୟାଗତ ତ ନିଜ ହାତରେ ପାଣି ପିଅନ୍ତି ନାହିଁ, ଖୁଡ଼ୀ ! ଏମିତି ସାଦାସିଧା ଅଭ୍ୟାଗତକୁ ମୁଁ ଆମ ଘରକୁ ନେଇଯିବି ।

 

ଅମରକାନ୍ତର କଲିଜା ଧକ୍‍କରି ହୋଇଗଲା । ଏ ଯୁବତୀଟି ତ ସେହି ମୁନ୍ନୀ ଯେ କି ହତ୍ୟା ମକଦ୍ଦମାରୁ ମୁକ୍ତି ପାଇଯାଇଥିଲା ! ସେ ଆଉ ପୂର୍ବପରି ଦୁର୍ବଳ ନାହିଁ । ରୂପରେ ମାଧୁରୀ, ଅଙ୍ଗରେ ବିକାଶ, ମୁଖରେ ହାସ୍ୟର ଲାବଣ୍ୟ ଛବି ! ଆନନ୍ଦହିଁ ଜୀବନର ତତ୍ତ୍ଵ । ତାହା ଅତୀତକୁ ଭ୍ରୂକ୍ଷେପ କରେନା; କିନ୍ତୁ ମୁନ୍ନୀ ସମ୍ଭବ ଅମରକୁ ଚିହ୍ନିପାରିଲା ନାହିଁ । ତା’ର ରୂପରେ ବହୁତ ପରିବର୍ତ୍ତନ । ସହରର ସୁକୁମାର ଯୁବତୀଟି ପଲ୍ଲୀ ଅଞ୍ଚଳର ଶ୍ରମିକ ହୋଇଯାଇଛି ।

 

ଅମର ଲଜ୍ଜିତ ହୋଇ କହିଲା–ମୁଁ ଅଭ୍ୟାଗତ କାହିଁକି ହେବି, ଦେଈ ! ମୁଁ ଜଣେ ବିଦେଶୀ । ଆଜି ଏ ଗ୍ରାମରେ ଆସି ପହଞ୍ଚିଛି । ସେଇ ହିସାବରେ ଗ୍ରାମଯାକର ଅତିଥି ।

 

ଯୁବତୀଟି ହସି ହସି କହିଲା–ତେବେ କଳସୀଏ, ଦି’ କଳସୀରେ ତ ଛାଡ଼ ପାଇବନି । ଦୁଇଶ’ କଳସୀ ପାଣି ଟାଣିବାକୁ ପଡ଼ିବ । ତା’ ନ ପାରିବ ତ ଇଆଡ଼େ କଳସୀଟା ବଢ଼େଇ ଦିଅ । କ’ଣ ମିଛ କହିଲି, ଖୁଡ଼ୀ ?

 

ଅମରକାନ୍ତ ହାତରୁ କଳସୀଟାଏ ଟାଣିନେଲା ତତ୍‍କ୍ଷଣାତ୍ ଫାଶ ଲଗାଇ କୂଅରେ ପକାଇଲା ଓ କଥା କହୁ କହୁ କଳସୀଏ ପାଣି ଟାଣି ଆଣିଲା ।

 

ଅମରକାନ୍ତ କଳସୀଟି ଧରି ଚାଲିଯା’ନ୍ତେ ମୁନ୍ନୀ ସୁନ୍ଦରୀ ଖୁଡ଼ୀକୁ କହିଲା–ଭଦ୍ରଲୋକ ଘରର ପୁଅ, ଲୋ ଖୁଡ଼ି । ଦେଖିଲୁ ନା, କିମିତି ଲାଜରା ହେଇ ଯାଉଥାଏ ? ଆମ ଘରୁ ଆଚାର ନେଇ ଆସିବ, ଅଟା–ଫଟା ଅଛି ତ ?

 

ସୁନ୍ଦରୀ କହିଲା–ବାଜରା ଅଟା ଅଛି । ଗହମ କାହୁଁ ପାଇବିଲୋ ମା’ ।

 

‘‘ତେବେ ମୁଁ ଅଟା ନେଇ ଆସୁଛି; ନହେଲେ ଚାଲ, ଦେଇ ଦେବି । ତେଣେ ଯେବେ କାମ–ଧନ୍ଦାରେ ଲାଗିଯିବି ତ ଫେର୍ ମନେ ରହିବନି ।”

 

ତିନିବର୍ଷ ତଳେ ଗାଁ–ପ୍ରଧାନର ପୁଅ ମୁନ୍ନୀକୁ ହରିଦ୍ଵାରରୁ ଆଣିଥିଲା । ସେତେବେଳକୁ ସାତ ଦିନ ହେଲାଣି ସେ ଗୋଟାଏ ଧର୍ମଶାଳା ଆଗରେ ଅତି ଦୁର୍ବଳ ଅବସ୍ଥାରେ ପଡ଼ିଥାଏ । ବଡ଼ବଡ଼ ଲୋକେ ଆସୁଥାନ୍ତି, ଶହଶହ, ହଜାର ହଜାର ଦାନ କରୁଥାନ୍ତି; ମାତ୍ର ଏ ଦୁଃଖିନୀଟି ପ୍ରତି କାହାରି ଦୟା ଆସୁ ନଥାଏ । ସେହି ଚମାର ଯୁବକଟି ଜୋତା ବିକ୍ରି କରିବାକୁ ଯାଇଥିଲା । ୟାକୁ ଦେଖି ତା’ର ଦୟା ହେଲା । ଗାଡ଼ିରେ ପକାଇ ଘରକୁ ନେଇ ଆସିଲା । ଔଷଧ–ପତ୍ର ଦିଆଗଲା । ପଧାନ ବିରକ୍ତ ହେଉଥାଏ–ଏ ମୁର୍ଦ୍ଦାରଟାକୁ କିଆଁ ଆଣିଲୁ ? ମାତ୍ର ଯୁବକଟି ସର୍ବଦା ଚେଷ୍ଟା କରୁଥାଏ । ସେଠିକି ଡାକ୍ତର–ବୈଦ୍ୟ ବା ଆସିବେ କୁଆଡ଼ୁ ? ଥାଏ କେବଳ ବିଭୂତି ଓ ଆଶୀର୍ବାଦର ଭରସା । ଜଣେ ଗୁଣିଆର ନାମ ଶୁଣିବାକୁ ମିଳିଲା–ମୁର୍ଦ୍ଦାରକୁବି ବଞ୍ଚେଇ ଦେଉଛି । ରାତିଏ–ରାତିଏ ତାକୁ ଡାକି ଆଣିବାକୁ ବାହାରିଲା ସେ । ପଧାନ କହିଲା–ଦିନ ହେଉ, ଯିବୁ । ଯୁବକ ମାନିଲା ନାହିଁ, ସେହି ରାତିରେ ବାହାରିଗଲା । ଗଙ୍ଗା ବଢ଼ିଥାଏ; ପାର ହୋଇ ଯିବାକୁ ପଡ଼ିବ । ଭାବିଲା–ପହଁରି ଚାଲିଯିବି, କେଉଁ ବେଶି ଗୁଡ଼େ ଚଉଡ଼ା ଯେ । ଏମିତି ଶହେବାର ଯିବା–ଆସିବା କରିଥିବି । ନିଃଶଙ୍କ ହୋଇ ପାଣିରେ ପଶିଲା । ବହୁ ଚେଷ୍ଟା କରି ମଧ୍ୟ ସମ୍ଭାଳି ପାରିଲା ନାହିଁ । ପରଦିନ ଦୁଇ କୋଶ ଦୂରରେ ମିଳିଲା ତା’ର ଶବ, ଗୋଟାଏ ପଥରରେ ଲାଗିଯାଇଥିଲା । ତା’ର ମୃତ୍ୟୁ ପରେ ପରେ ମୁନ୍ନୀ ବଞ୍ଚିଉଠିଲା । ସେହିଦିନଠାରୁ ସେ ଏଠାରେ ଅଛି । ଏ ଘର ତା’ର ଘର ହୋଇଛି । ଏଠାରେ ତା’ର ମାନ ଅଛି, ଆଦର ଅଛି । ସେ ତା’ର ଜାତି–ପନ୍ତି ଭୁଲିଯାଇଛି । ଉଚ୍ଚ ବର୍ଣ୍ଣର ମହିଳାଟି ଅସ୍ପୃଶ୍ୟମାନଙ୍କ ସହ ଅସ୍ପୃଶ୍ୟା ହୋଇ ରହିଯାଇଛି ଆନନ୍ଦରେ । ସେଠି ସେ ହେଉଛି ଘରର ମାଲିକାଣୀ । ବାହାରର ସମସ୍ତ କାମ ସେ କରେ, ଆଉ ଭିତରର ରନ୍ଧାବଢ଼ା, କୁଟା–ପେଷା କରନ୍ତି ସାନ ଯାଆ ଦୁହେଁ । ସେ ଆଉ ବାହାରର ଲୋକ ନୁହେଁ, ପଧାନର ସେ ହୋଇଛି ବଡ଼ ବୋହୂ ।

 

ସୁନ୍ଦରୀ–ଖୁଡ଼ୀକୁ ସଙ୍ଗରେ ନେଇ ମୁନ୍ନୀ ଗୋଟିଏ ଥାଳୀରେ ଅଟା, ଅଚାର ଓ ଦହି ଭରିଦେଲା; କିନ୍ତୁ ସେହି ଥାଳୀଟିକୁ ଧରି ଘରକୁ ଯିବାକୁ ସୁନ୍ଦରୀକୁ ଲାଜ ମାଡ଼ୁଥାଏ–ଅତିଥି ଦୁଆରେ ବସିଛି । ଭାବିବ, ୟା’ ଘରେ ମୁଠାଏ ଅଟାବି ନାହିଁ ! ଆଉ ଟିକିଏ ଅନ୍ଧାର ହୋଇଯାଉ, ଯିବି ।

 

ମୁନ୍ନୀ ପଚାରିଲା–କ’ଣ ଭାବୁଛୁ କି ଖୁଡ଼ୀ ?

 

“ଭାବୁଛି, ଆଉ ଟିକିଏ ଅନ୍ଧାରିଆ ହୋଇଯାଉ, ଯିବି । ସେ ମନେମନେ କ’ଣ କହିବ-?”

 

“ଚାଲ, ମୁଁ ଦେଇ ଆସୁଛି । କହିବ ଗୋଟାଏ କ’ଣ ? ସେ କ’ଣ ଭାବିଛି, ଏଠି ଧନାସେଠ ସବୁ ରହନ୍ତି ? ମୁଁ ତ କହୁଛି, ଦେଖିବୁ ଯେ ବଳେ, ସେ ସେଇ ବାଜରା ଅଟାକୁ ଖାଇବ, ଗହମ ରୁଟି ମୋଟେ ଛୁଇଁବ ନାହିଁ ।”

 

ଦୁହେଁ ଯାଇ ପହଞ୍ଚି ଦେଖନ୍ତି ତ ଅମର ଝାଡ଼ୁ ଧରି ଦ୍ଵାର ସଫା କରୁଛି । ସତେବା ଅଡ଼ୁଆ ବାଳକୁ ପାନିଆରେ କୁଣ୍ଡାଇ ସଜାଡ଼ି ଦିଆଯାଇଛି !

 

ସୁନ୍ଦରୀ ଥାଳୀଟି ନେଇ ସତ୍ଵର ଘର ଭିତରକୁ ପଶିଗଲା । ମୁନ୍ନୀ କହିଲା–ଏମିତି ଅତିଥି ହେଲେ ତ ଏଠୁ କେବେ ଯାଇପାରିବ ନାହିଁ ।

 

ସେ ଅମର ପାଖକୁ ଯାଇ ତା’ ହାତରୁ ଝାଡ଼ୁଟି ଛଡ଼ାଇ ନେଲା । ଅମର ଅଳିଆଗୁଡ଼ିକ ଗୋଡ଼ରେ ଠୁଳେଇ ଦେଇ କହିଲା–ପରିଷ୍କାର ହୋଇଗଲାରୁ ଦ୍ଵାରଟିକି ଭଲ ଲାଗୁଛି !

 

“କାଲି ଚାଲିଗଲେ ଏ କଥା ମନେରହିବ ? ବିଦେଶୀଙ୍କୁ ବିଶ୍ଵାସ କ’ଣ ? ଏଣିକି ଆଉ ପୁଣି କେବେ ଆସିବ ?”

 

ମୁନ୍ନୀର ମୁଖମଣ୍ଡଳରେ ଘୋଟିଗଲା ଉଦାସୀନତା ।

 

“ଯଦି କେବେ ଏଣିକି ଆସିବାକୁ ପଡ଼େ, ତୁମକୁ ଦେଖା କରିବାକୁ ଆସିବି । ଏପରି ସୁନ୍ଦର ଗ୍ରାମ ମୁଁ କେଉଁଠି ଦେଖି ନାହିଁ । ନଦୀ, ପାହାଡ଼, ଜଙ୍ଗଲ; ଅପୂର୍ବ ଏହାର ଶୋଭା । ଇଚ୍ଛା ହୁଏ, ଏଇଠି ରହିଯା’ନ୍ତି । ଆଉ କୁଆଡ଼େ ଯିବାର ନାଁ’ ଧରନ୍ତି ନାହିଁ ।”

 

ମୁନ୍ନୀ ଉତ୍ସୁକତା ଦେଖାଇ କହିଲା–ତେବେ ଏଇଠି ରହିଯାଉନ । କିନ୍ତୁ ପୁଣି କ’ଣ ଭାବି କହିଲା–ତୁମ ଘରେ ତ ଅନ୍ୟମାନେବି ଥିବେ । ସେମାନେ ତୁମକୁ ଏଠି କାହିଁକି ବା ରଖେଇ ଦେବେ ?

 

“ମୋ ଘରେ ଏପରି କେହି ନାହିଁ, ଯେ କି ମୁଁ ମଲି କି ଗଲି ବୋଲି ଚିନ୍ତା କରିବ । ମୁଁ ସଂସାରରେ ଏକୁଟିଆ ।”

 

ମୁନ୍ନୀ ଆଗ୍ରହରେ କହିଲା–ଏବେ ଏଇଠି ରହିଯାଅ ! ଜାତି କ’ଣ ତୁମର ?

 

“ସେ କଥା ତ ମୁଁ ପୂରାପୂରି ପାଶୋରି ଦେଇଛି, ଭାଉଜ ! ଆଦରରେ ଡାକି ଯେ ଗଣ୍ଡାଏ ଖାଇବାକୁ ଦେଲା, ସେହି ମୋର ଜାତି ।”

 

‘‘ତେବେ କାଲି ଆସି ମୁଁ ଡାକିନେବି, ଯିବ ? କାହାରିକି କିଛି ନ କହି ପଳାଇ ନ ଯାଅ ଯେମିତି ।”

 

ଅମରକାନ୍ତ କୁଡ଼ିଆ ଭିତରକୁ ଯାଇ ଦେଖିଲା–ବୁଢ଼ୀ ଚୁଲି ଲଗାଉଛି । ଓଦା କାଠ, ନିଆଁ ଧରୁ ନାହିଁ । ପାକୁଆ ପାଟିରେ ଫୁଙ୍କିବି ହେଉ ନାହିଁ । ଅମରକୁ ଦେଖି କହିଲା–ତୁ ଏ ଧୂଆଁକୁ କାହିଁକି ଅଇଲୁ ବାପ ? ବାହାରେ ଯାଇ ବସ । ଏଇ ଚଟେଇ ନେଇଯା ।

 

ଅମର ଚୁଲି ପାଖକୁ ଯାଇ କହିଲା–ତୁ ଘୁଞ୍ଚିଗଲୁ ମା’, ମୁଁ ଚୁଲିଟା ଲଗେଇ ଦିଏଁ ।

 

ସୁନ୍ଦରୀ ସ୍ନେହମୟ କଠୋରତାର ସହ କହିଲା–ତୁ ବାହାରକୁ ଯାଉନୁ କିଆଁ ? ପୁରୁଷ–ପୁଅ, ଏମିତି ରୋଷେଇଘରେ ପଶିବାଟା ଭଲ ନୁହେଁ ।

 

ବୁଢ଼ୀ ଡରୁଥିଲା–କାଳେ ଅମର ଦେଖି ପକାଇବ ଦୁଇ ପ୍ରକାର ଅଟା ଅଛି । ସେ ବୋଧହୁଏ ଜଣାଇବାକୁ ଚାହୁଁଥିଲା ଯେ, ସେ ବି ଗହମ ଅଟା ଖାଏ । ଅମର ବା ସେ ରହସ୍ୟ ଜାଣିବ କିପରି ? କହିଲା–ହେଉ ତେବେ ଅଟା କାହିଁ, ଦେ । ମୁଁ ଦଳିଦିଏ ।

 

ସୁନ୍ଦରୀ ବ୍ୟସ୍ତ ହୋଇ କହିଲା–ତୁ କିମିତିକା ପୁଅରେ, ବାହାରେ ଯାଇ ବସୁନୁ କାହିଁକି ?

 

ଅତୀତର ଦିନ ତା’ର ମନେ ପଡ଼ିଗଲା, ଯେତେବେଳେ ତା’ର ପିଲାମାନେ ମା’ ମା’ କହି ଘେରି ଯାଉଥିଲେ ଓ ସେ ସେମାନଙ୍କୁ ଆକଟ କରୁଥିଲା । ସେହି ଉଜୁଡ଼ା ଘରେ ଆଜି ଗୋଟିଏ ଦୀପ ଜଳୁଛି; କିନ୍ତୁ କାଲିକି ପୁଣି ଯେଉଁ ଅନ୍ଧାରକୁ ସେହି ଅନ୍ଧାର, ପୁଣି ସେହି ନୀରବତା । ଏ ଯୁବକଟି ପ୍ରତି ତା’ର ଏତେ ମମତା ଆସୁଛି କାହିଁକି ! କେଉଁଠି, ଆସିଛି, କେଉଁଠିକି ଯିବ, କେଜାଣି ? ମାତ୍ର ଏହା ଜାଣି ସୁଦ୍ଧା ଅମରର ବାଳକ ତୁଲ୍ୟ ସରଳ ବ୍ୟବହାର–ବାରମ୍ବାର ଘରକୁ ପଶିଯିବା; ଯେକୌଣସି କାମ କରିବାକୁ ବାହାରି ପଡ଼ିବା ଇତ୍ୟାଦି ଯୋଗୁଁ ବୁଢ଼ୀର ନୀରସ ମାତୃଭାବ ପୁଣି ସରସି ଉଠିଲା ପରି ବୋଧ ହେଉଛି । ସତେବା ତା’ର ଚାଲିଯାଇଥିବା ସନ୍ତାନମାନଙ୍କର ପ୍ରତିଧ୍ୱନି କେଉଁ ଦୂର ଦେଶରୁ ଆସି ତା’ କାନରେ ପଶିଯାଉଛି !

 

ବାଳକଟିଏ ଲଣ୍ଠନ ଧରି କାନ୍ଧରେ ଦରିଟିଏ ପକାଇ ଆସିଲା ଓ ଦୁଇଟିଯାକ ପଦାର୍ଥ ତା’ ପାଖରେ ଥୋଇ ବସିପଡ଼ିଲା । ଅମର ପଚାରିଲା–ଦରି କେଉଁଠୁଁ ଆଣିଲ ?

 

“ବଡ଼–ମା’ ତୁମ ପାଖକୁ ପଠାଇଚି । ସେଇ ମ, ଏଇକ୍ଷିଣି ଯିଏ ଆସିଥିଲା ନାଇଁ ?”

 

ଅମର ସ୍ନେହରେ ତା’ ମଥା ଉପରେ ହାତ ବୁଲାଉ ବୁଲାଉ କହିଲା–ଆଚ୍ଛା, ତୁମେ ତାଙ୍କରି ପୁତୁରା ? ତୁମ ବଡ଼–ମା’ ତୁମକୁ କେବେ ମାରନ୍ତି ନାହିଁ ତ ?

 

ବାଳକଟି ମୁଣ୍ଡ ହଲାଇ କହିଲା–ଜମ୍ମା ମାରେ ନାଇଁ । ସେ ତ ଆମକୁ ଖେଳାଏ । ଦୁରୁଜନଟାକୁ ଖେଳାଏ ନାଇଁ–ସେଟା ଭାରି ବଦମାସ ।

 

ଅମର ହସି ହସି ପଚାରିଲା–କେଉଁଠି ପଢ଼ୁଚ ?

 

ବାଳକଟି ଅଧର ସଂକୁଚିତ କରି କହିଲା କୋଉଠି ପଢ଼ିବୁ, ଆମକୁ ପଢ଼େଇବ କିଏ ? ଚାଟଶାଳି ଭିତରକୁ ତ କେହି ପୂରେଇ ଦିଅନ୍ତିନି ଆମକୁ । ଦିନେ ବୁଢ଼ା–ପା ଆମ ଦୁଇଙ୍କୁ ନେଇ ଯାଇଥିଲା । ପଣ୍ଡିତଜୀଙ୍କ ନାମ ଲେଖାଇ ଦେଲେ । ହେଲେ ଆମକୁ ସମସ୍ତଙ୍କଠୁ ଦୂରେଇ ବସେଇଲେ । ପିଲାଏ ଆମକୁ ‘ଚମାର–ଚମାର’ ବୋଲି ଚିଡ଼େଇଲେ । ସେଇଠୁ ବୁଢ଼ା–ପା ଆମ ନାଆଁ କଟେଇ ଆଣିଲା ।

 

ଅମରର ଇଚ୍ଛା ହେଲା ପ୍ରଧାନ ସଙ୍ଗେ ସାକ୍ଷାତ କରିବାକୁ । ଭାବିଲା–ପଧାନ ବୋଧେ ଜଣେ ସ୍ଵାଭିମାନୀ ବ୍ୟକ୍ତି । ପଚାରିଲା–ତୁମ ବୁଢ଼ା–ପା କ’ଣ କରୁଛନ୍ତି ?

 

ବାଳକଟି ଲଣ୍ଠନ ସହିତ ଖେଳୁ ଖେଳୁ କହିଲା–ବୋତଲ ଧରି ବଇଚନ୍ତି । ଚଣାଭଜା ଧରିଚନ୍ତି । ଏଇକ୍ଷିଣି ଖାଲି ବକ୍‌ବକ୍ କରିବେ, କା’କୁ ଗାଳି ଦେବେ, କା’କୁ ମାରିବେ ଯେ... । ଦିନଯାକ କିଛି କହନ୍ତି ନାଇଁ । ଯୋଉଠୁ ବୋତଲ ଚଢ଼ିବ, ବକିଲେ–ଆଉ କ’ଣ !

 

ସେପରି ସମୟରେ ତାଙ୍କ ସଙ୍ଗେ ସାକ୍ଷାତ କରିବାକୁ ଅମର ଉଚିତ ମନେ କଲା ନାହିଁ ।

 

ସୁନ୍ଦରୀ ଡାକିଲା–ବାପରେ, ରୁଟି ତିଆରି ସରିଲାଣି । ଆ, ଗରମ ଗରମ ଖାଇଦେ ।

 

ଅମରକାନ୍ତ ହାତ–ମୁହଁ ଧୋଇ ଭିତରକୁ ଗଲା । ପିତ୍ତଳ ଥାଳୀଟିରେ ରୋଟି ଅଛି । ପଥୁରିଟିରେ ଦହି, ପତ୍ର ଖଣ୍ଡିକରେ ଆଚାର ଓ ଲୋଟାରେ ପାଣି ରଖାଯାଇଛି ।

 

ସେ ଥାଳୀ ପାଖରେ ବସି କହିଲା–ତୁମେ ଖାଇବ ନାହିଁ ?

 

“ତୁ ଖାଇସାର ବାପ ! ମୁଁ ପଛେ ଖାଇବି ।’’

 

“ନା, ତା’ ହେବ ନାହିଁ । ମୋ ସଙ୍ଗରେ ଖାଅ ।”

 

‘‘ରୋଷେଇଶାଳ ଅଇଁଠା ହେବ ନାହିଁ, ବାପା ?”

 

“ହେଉ, ମୁଁ ତ ଖାଇବି ?”

 

‘‘ରୋଷେଇଶାଳରେ ଠାକୁର ଥାନ୍ତି । ତାକୁ ଅଇଁଠା କରିବା ଠିକ୍ ନୁହେଁ ।”

 

“ତେବେ ମୁଁ ବି ବସିରହିବି ।’’

 

“ତୁ ବାପ, ଭାରି ନାକରା ପିଲାଟିଏରେ !”

 

ରୋଷେଇଘରେ ତ ଆଉ ଥାଳୀ ନଥିଲା । ସୁନ୍ଦରୀ ହାତଚକିରେ ବାଜରା ରୋଟି ଧରି ବାହାରକୁ ଚାଲିଗଲା । ଅମର ଦେଖିଲା ବାଜରା ରୋଟି । କହିଲା–ତା’ ହୋଇପାରିବ ନାହିଁ, ଖୁଡ଼ୀ-! ମୋତେ ଫୁଲକା ରୋଟି ଦେଇ ତୁ ତେଣେ ସୁଆଦିଆ ରୋଟି ଖାଇ ଦେଉଛୁ !

 

“ତୁ କ’ଣ ଏ ବାଜରା ରୋଟି ଖାଇବୁ, ପୁଅ ! ଦିନେ–କାଳେ ଆସିଚୁ, ତତେ ବାଜରା ରୋଟି ଖୁଆଇବି ?”

 

“ମୁଁ ତ ଅତିଥି ନୁହେଁ । ଭାବିନିଅ–ତୁମର ଚାଲିଯାଇଥିବା ପୁଅରୁ ଗୋଟିଏ ଫେରି ଆସିଛି ।”

 

“ଫେରି ଆସିଲା ଦିନ ସେପରି ପୁଅକୁବି ଅତିଥିର ମାନ ଦିଅନ୍ତି । ମୁଁ ବା ତତେ କି ମାନ ଦେବିରେ ପୁଅ ! ଶୁଖିଲା ରୋଟି ଦିଖଣ୍ଡ ତ, ଆଉ କ’ଣ ? ମଦ ଅଛି ନା ଶିକାର ଅଛି ?”

 

“ମୁଁ ତ ମଦ କି ମାଂସ ଛୁଏଁନା, ଖୁଡ଼ୀ !”

 

ଅମରକାନ୍ତ ବାଜରା ରୋଟିପାଇଁ ଅଧିକ ଜିଦ୍ କଲା ନାହିଁ । ବୁଢ଼ୀ ଅଧିକ ଦୁଃଖିତା ହୋଇଥାନ୍ତା । ଦୁହେଁ ଖାଇବାକୁ ଲାଗିଲେ । ବୁଢ଼ୀ କହିଲା–ଏ ବସରେ ସାଧୁ ହେବା ଠିକ୍ ନୁହେଁ ବାପ ! ଏ ତ ଖାଇବା–ପିଇବାବେଳ । ସାଧୁ ହେବାପାଇଁ ତ ବୁଢ଼ା ବ’ସ ଅଛି ।

 

“ସାଧୁ ନୁହେଁ ଯେ ଖୁଡ଼ୀ ! ମୋର ଇଚ୍ଛା ହୁଏନା ।”

 

“ମା’ ବାପ ତୋର ପରମାର୍ଥୀ ହେଇଥିବେ ।”

 

“ହଁ, ସେ ଦୁହେଁଯାକ ପରମାର୍ଥୀ ।”

 

“ଏବେ ଦୁଇଜଣଯାକ ଅଛନ୍ତି ନା ?”

 

“ମା’ ତ ମରିଗଲେଣି, ବାପା ଅଛନ୍ତି । ତାଙ୍କ ସଙ୍ଗେ ମୋର ପଡ଼େ ନାହିଁ ।”

 

“ଘରୁ ରୁଷି କରି ପଳାଇ ଆସିଚୁ ତେବେ ?”

 

“ଗୋଟାଏ କଥାରେ ବାପାଙ୍କ ସଙ୍ଗେ କଳିକଜିଆ ହୋଇଗଲା । ମୁଁ ଚାଲି ଆସିଲି ।”

 

“ଘରଣୀ ତ ଥିବ, ନା ?”

 

“ହଁ, ସେ ବି ଅଛି ।”

 

“ଆହା, ବିଚାରୀଟି କାନ୍ଦି କାନ୍ଦି ମରିଯିବଣି ! କେବେକେବେ ଚିଠି ଦଉନା ?”

 

“ତା’ରବି ମୋପାଇଁ ଚିନ୍ତା ନାହିଁ, ଖୁଡ଼ୀ ! ବଡ଼ଘରର ଝିଅ ସେ, ତା’ ଭୋଗ–ବିଳାସରେ ମାତିଛି । ମୁଁ କହେ କି ଚାଲ ଗୋଟାଏ ଗାଁରେ ଚାଷବାସ କରି ଚଳିବା; କିନ୍ତୁ ତାକୁ ସହର ଭଲ ଲାଗେ ।”

 

ଅମର ଖାଇସାରି ଥାଳୀ ଖଣ୍ଡିକ ନେଇ ବାହାରେ ମାଜିବାକୁ ଲାଗିଲା । ପଛେ ପଛେ ସୁନ୍ଦରୀ ଆସି କହିଲା–ମୁଁ ଥାଳୀ ଖଣ୍ଡକ ମାଜି ଦେଇଥିଲେ କ’ଣ ଛୋଟ ହୋଇ ଯାଇଥାନ୍ତି ?"

 

ଅମର କହିଲା–ତେବେ ମୋ ଥାଳୀ ମୁଁ ମାଜିଦେଲି, କ’ଣ ଛୋଟ ହୋଇଗଲି ?

 

“ଏ ତ ପୁଅ ଭଲ କଥା ନୁହେଁ । ଦିନେ–ଅଧେ ଆସିଲୁ ଯେ, ଥାଳୀ ମାଜିଲୁ ! ହଁ, ମନେମନେ କହୁଥିବୁ, କୁଆଡ଼େ ଆସି ଏ ଭିକାରୁଣୀଟା ଘରେ ପହଞ୍ଚିଲି !”

 

କାଳେ ଅମରକାନ୍ତର ମନକୁ ବାଧିବ, ସେଥିପାଇଁ ବୁଢ଼ୀ ହସିଦେଲା । ଅମର ଥାଳୀ ଧୋଇ ରଖିଦେଲା ଓ ଦରିଟି ତଳେ ପାରିଦେଇ ଶୋଇବାକୁ ଯାଉଛି, ପନ୍ଦର–କୋଡ଼ିଏ ଜଣ ପିଲା ଆସି ଠିଆ ହୋଇଗଲେ । ଦୁଇ–ତିନି ଜଣଙ୍କ ବ୍ୟତୀତ ଆଉ କାହାରି ଦେହରେ ଆଦୌ ଲୁଗା ନଥିଲା । କୌତୂହଳବଶତଃ ଅମର ଉଠି ବସିଲା, ଯେପରି କିଛି ଅପୂର୍ବ ଘଟଣା ଘଟିବ ।

 

ଯେଉଁ ବାଳକଟି ଦରି ନେଇ ଆସିଥିଲା, ସେ ଆଗୁଆ ହୋଇ କହିଲା–ଆମ ଗାଁ’ରେ ଏତେ ପିଲା ଅଛନ୍ତି । ଆଉ ଦି’ ତିନିଟା ଆସିଲେ ନାହିଁ । କହିଲେ–‘ସେ କାନ କାଟି ନେବେ ।’

 

ଅମରକାନ୍ତ ଉଠି ସେ ସମସ୍ତଙ୍କୁ ଗୋଟିଏ ଧାଡ଼ିରେ ଠିଆ କଲା ଓ ଜଣ ଜଣ କରି ନାମ ପଚାରିଲା । ତା’ପରେ କହିଲା–ତୁମ ଭିତରୁ ଯେ ନିତି ମୁହଁ–ହାତ ଧୁଅ, ହାତ ଟେକିଲ ।

 

କୌଣସି ବାଳକ ହାତ ଟେକିଲେ ନାହିଁ । ଏ ପ୍ରଶ୍ନ ସେମାନେ ବୁଝିପାରିଲେ ନାହିଁ ।

 

ଅମର ବିସ୍ମିତ ହୋଇ କହିଲା–ଆଁ, ତୁମ ଭିତରୁ କେହି ନିତି ହାତ–ମୁହଁ ଧୁଅ ନାହିଁ ?

 

ସମସ୍ତେ ପରସ୍ପରକୁ ଚାହିଁଲେ । ଦରି ଆଣିଥିବା ପିଲାଟି ହାତ ଟେକିଦେଲା । ତାକୁ ଦେଖି ଅନ୍ୟମାନେବି ହାତ ଟେକି ଦେଲେ ।

 

ଅମର ପୁଣି ପଚାରିଲା–ତୁମ ଭିତରୁ କିଏ ନିତି ଗାଧୁଅ, ହାତ ଟେକ ।

 

ପ୍ରଥମେ କେହି ହାତ ଟେକିଲେ ନାହିଁ । ପରେ ଜଣ ଜଣ କରି ସମସ୍ତେ ହାତ ଟେକି ଦେଲେ । ଏହାର ଅର୍ଥ ନୁହେଁ ସେ ସମସ୍ତେ ପ୍ରତିଦିନ ଗାଧୋଉଥିଲେ; ବରଂ କେହି କାହାରିଠୁଁ ଊଣା ନୁହନ୍ତି ।

 

ସୁନ୍ଦରୀ ବୁଢ଼ୀ ଠିଆ ହୋଇଥିଲା । କହିଲା–ତୁ ତ ମାସଯାକ ଗାଧୋଉ ନାଇଁରେ ଜଙ୍ଗଲିଆ ! ତୁ କାହିଁକି ହାତ ଟେକିଚୁ ?

 

ଜଙ୍ଗଲୀ ଅପମାନିତ ହୋଇ କହିଲା–ଗୁଦଡ଼ କୋଉ ନିତି ଗାଧୁଏ କି ? ଭୋଳା, ପୁନ, ଘସିଟା, କେହି ତ ଗାଧୁଅନ୍ତି ନାହିଁ ।

 

ସମସ୍ତେ ପରସ୍ପରର ଦୋଷ ଗାଇବାକୁ ଲାଗିଲେ ।

 

ଅମର ବାଧା ଦେଲା–ଆଚ୍ଛା, ତୁମେସବୁ ଗୋଳମାଳ କରନା । ମୁଁ ଗୋଟାଏ କଥା ପଚାରୁଛି, ତା’ର ଉତ୍ତର ଦିଅ । ନିତି ମୁହଁ–ହାତ ଧୋଇବା ଭଲ ନା ନୁହେଁ ?

 

ସମସ୍ତେ ଉତ୍ତର ଦେଲେ–ଭଲ ।

 

“ଆଚ୍ଛା, ଗାଧୋଇବା ?”

 

ସମସ୍ତେ କହିଲେ–ଭଲ, ଭଲ ।

 

“ମୁହଁ କହିଦେଲା, ନା ମନ କହୁଛି ।"

 

“ମନ–ମନ ।”

 

“ହଉ, ତେବେ ଯାଅ । ମୁଁ ପାଞ୍ଚଦିନ ପରେ ପୁଣି ଆସିବି । ଦେଖିବି, କାହା କଥା ମିଛ, କାହା କଥା ସତ ।”

 

ପିଲାମାନେ ଚାଲିଗଲେ । ଅମର ଶୋଇଲା । ତିନି ମାସକାଳ ବୁଲି ବୁଲି ତା’ର ମନ ଆକୁଳ ହୋଇ ଉଠିଥିଲା, ଟିକିଏ ବିଶ୍ରାମ ଚାହୁଁଥିଲା । ତେବେ ଏହି ଗ୍ରାମରେ ସେ ରହି ନ ଯିବ କାହିଁକି । ଏଠାରେ ବା ତାକୁ ଚିହ୍ନେ କିଏ ? ଏଠାରେ ତା'ର ଛୋଟ ଘରଟିଏ ହୋଇଗଲା, ସକୀନା ସେ ଘରକୁ ଆସିଗଲା, ଗାଈ–ବଳଦ ଓ ଶେଷରେ ନିଦ ମଧ୍ୟ ଆସିଗଲା ।

 

–୧୯–

 

ଅମରକାନ୍ତ ସକାଳେ ଉଠିଲା, ମୁହଁ–ହାତ ଧୋଇ ଗଙ୍ଗା–ସ୍ନାନ କଲା । ତତ୍ପରେ ବାହାରିଲା–ପଧାନ ସଙ୍ଗେ ସାକ୍ଷାତ କରିବାକୁ । ପଧାନର ନାମ ଥିଲା, ଗୁଦଡ଼ । ଏ ଗ୍ରାମରେ କୌଣସି ଜମିଦାର ନଥିଲେ । ଗୁଦଡ଼ର ଦ୍ଵାର ଚଉପାଢ଼ି କାମ ଚଳାଉଥିଲା । ଅମର ଦେଖିଲା, ନିମ ଗଛଟି ମୂଳରେ ଗୋଟିଏ ଖଟ ପଡ଼ିଛି, ଦୁଇ–ତିନିଟା ନଡ଼ା ତିଆରି ଗଦି । ଗୁଦଡ଼ ବୟସ ପ୍ରାୟ ଷାଠିଏବର୍ଷ; କିନ୍ତୁ ଏବେ ସୁଦ୍ଧା ସବଳ ଅଛି । ତା’ ଆଗରେ ତା’ର ବଡ଼ ପୁଅ ପୟାଗ ବସି ଜୋତା ସିଲେଇ କରୁଛି । ସାନ ପୁଅ କାଶୀ ବଳଦଙ୍କୁ ଖାଇବାକୁ ଦେଉଛି, ତେଜା ଓ ଦୁରୁଜନ ଧାଇଁ ଧାଇଁ କୂଅରୁ ପାଣି ଆଣୁଛନ୍ତି । ପୂର୍ବପଟକୁ ଅଳ୍ପ ଦୂରରେ ଦୁଇଟି ସ୍ତ୍ରୀଲୋକ ବାସନ ମାଜୁଛନ୍ତି । ଏ ଦୁହେଁ ଗୁଦଡ଼ର ବୋହୂ । ମୁନ୍ନୀ ଗୋବର କାଢ଼ୁଛି ।

 

ଅମର ପଧାନକୁ ଅଭିବାଦନ କରି ଗୋଟିଏ ପାଳଗଦି ଉପରେ ବସିଗଲା । ପଧାନ ପିତୃ ଭାବରେ ତାକୁ ସ୍ଵାଗତ କରି କହିଲା–ଖଟ ଉପରେ ଆରାମରେ ବସ, ବାୟା ! ମୁନ୍ନୀ ରାତିରେ ଆସି କହୁଥିଲା, ଆଜି ଏବେ ଚାଲିଯିବ ନା କ’ଣ ? ଦୁଇ–ଚାରି ଦିନ ରହ, ଯିବ ତ ଯିବ । ମୁନ୍ନୀ ତ କହୁଥିଲା କିଛି କାମ ମିଳିଯାଏ ତ ତୁମେ କୁଆଡ଼େ ଏଇଠି ରହିଯିବ ?

 

ଅମର ସଂକୋଚର ସହିତ କହିଲା–ହଁ, ସେଇମିତି କିଛି ଭାବୁଥିଲି । ଗୁଦଡ଼ ‌ହୁକାରୁ ଧୂଆଁ ଟାଣି କହିଲା–କାମ କ’ଣ ଅଭାବ ଅଛି ? ଘାସ କାଟିଲେ ତ ଦିନକୁ ଟଙ୍କାଏ ମଜୁରୀ ମିଳିଯିବ; ନହେଲେ ଜୋତା କାମ ଅଛି । ତଳିକନା, ଚମଡ଼ା କମାଅ । ଖଟିଲାବାଲା କେବେ ଭୋକରେ ମରେ ନାହିଁମ । ନିତି ଖଟିଲେ ଆଠଣା ମଜୁରୀ କ’ଣ ଅପରାପତ ହେଇଚି ?

 

ପଧାନ ଦେଖିଲା ଉଭୟ ପ୍ରସ୍ତାବରୁ କୌଣସିଟି ଅମରର ମନକୁ ପାଉ ନାହିଁ । ତେଣୁ ତୃତୀୟ ପ୍ରସ୍ତାବ ବାଢ଼ିଲା–ଚାଷବାସ କରିବାକୁ ମନ ଅଛି ତ ତା’ବି କର । ସୁନ୍ଦରୀ ଭାଉଜର ଜମି ଅଛି । ତୁମେ ଥିବାତକ ସେଇଆକୁ ଚାଷ କର ।

 

ପୟାଗ ସିଲେଇ କରୁ କରୁ କହିଲା–ସେ ଚାଷ–ଜଞ୍ଜାଳରେ କାହିଁକି ପଶିବ, ଭାଇ ? ବିଲରେ ଫଳୁ ତ ନ ଫଳୁ ଖଜଣାଟି ଦେବାକୁ ପଡ଼ିବ । ତା'ପରେ ଧୋଇ–ମରୁଡ଼ିବି ଅଛି । ଯୁଆଡ଼ୁ ହେଲେ ଗୋଟାଏ ବଲେଇ ମୁଣ୍ଡରେ ଥିବ । ତା’ ଉପରେ ପୁଣି କେତେବେଳେ ବଳଦ ମରିଗଲା, କେବେ ଖଳାରେ ନିଆଁ ଲାଗିଗଲା ତ ସବୁ ଖତମ । ଘାସ–କଟା ହେଲା ସବୁଠୁ ଭଲ, କାହାରି ନୌକର ନୁହ କି ଚାକର ନୁହ, ଦେଣା ନାହିଁ କି ପାଉଣା ନାହିଁ । ବେଶ୍ ସକାଳୁ ଉଠି ଚାଲିଗଲ ତ ଦିପହର ସରିକି ଫେରି ଆସିଲ ।

 

କାଶୀ କହିଲା–ମଜୁରୀ–ମଜୁରୀ, ଚାଷ–ଚାଷ । ହଜାରେ ମଜୁରୀ କଲେ ସେଇ ମଜୁରୀ ନା ଆଉ କ’ଣ ? ଘାସ ମୁଣ୍ଡରେ ଲଦି ଯାଉଥିବ । ଇଆଡ଼ୁ କିଏ ଡାକିଲାଣି ‘ହେ ଘାସବାଲା !’ ତ ସିଆଡ଼ୁ କିଏ ଡାକିଲାଣି । କାହାରି ହିଡ଼ରୁ ଘାସ କାଟିଲେ ହେବ ଶୋଧନା । ଚାଷରେ ମର୍ଯ୍ୟାଦା ଅଛି ।

 

ପୟାଗର ଛୁଞ୍ଚି ବନ୍ଦ ହୋଇଗଲା–ମର୍ଯ୍ୟାଦା ନେଇ ଚାଟିବ । ଯୁଆଡ଼ୁ ଯାହା କମେଇକି ଆଣିବ, ତାକୁବି ସେଇ ଖେତରେ ପକେଇବ ।

 

ପଧାନ ନିଷ୍ପତ୍ତି ଦେଲା–ହରେକ ରୋଜଗାରରେ ହାନି–ଲାଭ ଅଛିରେ ବାୟା ! ବଡ଼ବଡ଼ ସେଠ ତ ପୁଣି ଦୁଆଳିଆ ବନି ଯାଉଛନ୍ତି । ଚାଷ ଭଳି ରୋଜଗାର ଆଉ ଅଛି ନା, ଯେବେ କପାଳ ଭଲ ଥିବ । ତୁମ ସିଆଡ଼େବି ଏମିତି ଭେଟି–ବେଠି ଅଛି ନା, ବାପ ?

 

ଅମର କହିଲା–ହଁ, ମଉସା ! ସବୁଆଡ଼େ ଏଇ ଦଶା, କେଉଁଠି ଊଣା, କେଉଁଠି ବା ଅଧିକ । ଗରିବର ରକ୍ତ ସମସ୍ତେ ଶୋଷୁଛନ୍ତି ।

 

ପଧାନ ସନ୍ଦେହ ପ୍ରକଟ କଲା–ଭଗବାନ ଯେ ଛୋଟ–ବଡ଼ ସର୍ଜନା କାହିଁକି କରିଛନ୍ତି, ତା’ର ମରମ କିଛି ବୁଝିହୁଏନା । ସମସ୍ତେ ତ ତାଙ୍କରି ପୁଅ–ଝିଅ । ସମସ୍ତଙ୍କୁ ଏକ ଆଖିରେ କାହିଁକି ଦେଖନ୍ତି ନାଇଁ କେଜାଣି ।

 

ପୟାଗ ସଂଶୟ ଦୂର କଲା–ପୂରୁବ ଜନମର ଫଳ, ଆଉ କ’ଣ ? ଯିଏ ଯେମିତି କରମ କରିଚି, ସେମିତି ଫଳ ପାଉଚି ।

 

ପଧାନ ଖଣ୍ଡନ କଲା–ଏଗୁରା ସବୁ ମନବୁଝା କଥା, ପୁଅ । ଗରିବ ତା’ ଭାଗ୍ୟକୁ ଆଦରି ରହିବ, ଆଉ ଅମୀରଙ୍କ ରାଗ–ରଙ୍ଗରେ କିଛି ବାଧା ନାହିଁ । ଲୋକେ ଭାବନ୍ତି; ଭଗବାନ ତ ଆମକୁ ଗରିବ କରିଛନ୍ତି, ମଣିଷର ଦୋଷ କ’ଣ ? ହେଲେ ଆମର ଛୁଆ–ପିଲା ସମସ୍ତେ ଖଟିଲେବି ପେଟପୂରା ଖାଇବାକୁ ମିଳିବ ନାହିଁ, ଆଉ ଗୋଟାଏ ଗୋଟାଏ ଅଫିସରକୁ ଦଶ–ଦଶ ହଜାର ତଲବ ମିଳିବ, ଏଟା କ'ଣ ନ୍ୟାୟର କଥା ? ଦଶ ବୁଜୁଳା ଟଙ୍କା । ଗୋଟାଏ ଗଧବି ବୋହିପାରିବ ନାହିଁ ।

 

ଅମର ହସି ହସି କହିଲା–ତୁମେ ତ, ମଉସା ଜଣେ ନାସ୍ତିକ, ଦେଖୁଛି ।

 

ପଧାନ ନିରୀହ ଭାବରେ କହିଲା–ବାପ, ନାସ୍ତିକ କହ ତ ମୂରୁଖ କହ, ହୃଦକୁ ବାଧିଲେ ତ ପାଟିରୁ ଆହା–ପଦ ବାହାରି ପଡ଼ୁଛି । ତୁମେ ତ ପଢ଼ାଶୁଣା କରିଚ, ବାବୁ ?

 

“ହଁ, କିଛି ପଢ଼ିଛି ।”

 

“ଇଂରେଜୀ ତ ପଢ଼ି ନଥିବ ?"

 

“ନାଇଁ, କିଛି ଇଂରେଜୀବି ପଢ଼ିଛି ।”

 

ପଧାନ ପ୍ରସନ୍ନ ହୋଇ କହିଲା–ତେବେ ତ ଆମେ ତୁମକୁ ଛାଡ଼ିଦେବୁନି, ବାପା । ପିଲାଛୁଆ ନେଇ ଆସି ଏଇଠି ରହ । ଆମ ପିଲାଗୁଡ଼ାକ ହେଲେ କିଛି ପଢ଼ିବେ । ତା’ପରେ ସହରକୁ ପଠେଇ ଦେବୁ । ସେଠି ଜାତି–ବିରାଦରୀ ପଚାରେ କିଏ ? ଲେଖେଇ ଦେବୁ, ଆମେ କ୍ଷେତରୀ ।

 

ଅମର ହସିଲା–ଆଉ ପରେ ଯଦି ଜଣାପଡ଼ିଗଲା ?

 

ପଧାନର ଉତ୍ତର ପ୍ରସ୍ତୁତ ଥିଲା–ତାହାହେଲେ ଆମେ କହିଦେବୁ, ଆମର ଆଗ ପୁରୁଷରୁ କ୍ଷେତ୍ରୀ ଥିଲେ । ସତ କଥା, ବାପ, ଆମକୁ କ୍ଷେତ୍ରୀ–ବୈଶ୍ୟ ବୋଲି ଚିହ୍ନା ଦେବାକୁ ଲାଜମାଡ଼େ । କାହିଁକି ନା କ୍ଷେତ୍ରୀମାନେ କୁଆଡ଼େ ମୁସଲମାନ ବାଦଶାଙ୍କୁ ତାଙ୍କ ଝିଅ ବାହା ଦେଉଥିଲେ । ହେଲେ କ’ଣ କରାଯିବ ? ହଁ ବାପ, ଏଯାଏଁ ତ କିଛି ଜଳଖିଆ କରି ନଥିବ ? କୁଆଡ଼େ ଗଲୁବେ ତେଜା । ବୋଉ ପାଖରୁ କ’ଣ ଜଳଖିଆ ନେଇ ଆସିଲୁ । ବାପା, ଭଗବାନଙ୍କ ନାମ ନେଇ ଏଇଠି ରହିଯାଅ । ସୁନ୍ଦରୀ ପାଖେ ତିନି ଚାରି ଗୁଣ୍ଠ ଜମି ଅଛି । ଆମର ଦି’ଗୁଣ୍ଠ ଭାଗରେ କରିବ । ଏଇତ ବହୁତ । ଭଗବାନ ଦେବେ ତ ଖାଇଲେ ସରିବ ନାହିଁ ।

 

ମାତ୍ର ସୁନ୍ଦରୀକୁ ଯେତେବେଳେ ଡକାଗଲା ଓ ପଧାନ ତା’ ପାଖରେ ଏ ପ୍ରସ୍ତାବ ପକାଇଲା, ସେ ଚମକିପଡ଼ିଲା । କଠୋର ମୁଦ୍ରାରେ କହିଲା–ତୁମ ମନରେ ଏଙ୍କ ନାମରେ ମୋ ଜମିତକ ଲେଖେଇ ଦେଇ ମୁଁ ହାଉଆ ଖାଇବି, ନାଇଁ ?

 

ପଧାନ ହସି ହସି କହିଲା–ନାଇଁ–ନାଇଁ, ଜମି ତୋ’ରି ନାମରେ ଥିବଲୋ ଓଲୀ, ଏ ଖାଲି ଚାଷ କରିବେନା ! ଏଇଆ ବୁଝ ଯେ ତୁ ତାଙ୍କୁ ଜମି ଭାଗରେ ଦେଉଛୁ ।

 

ସୁନ୍ଦରୀ କାନରେ ହାତ ଦେଇ କହିଲା–ମୋ ଜାଗା–ଜମି ମୁଁ କାହାରିକି ଲେଖି ଦେବି ନାଇଁ, ଭାଇ । ସେ ମୋର ଅଭ୍ୟାଗତ । ଏମିତି ଦି'–ଚାରି ଦିନ କି ଦଶ ଦିନ ରହନ୍ତୁ । ମୁଁ ଯେତିକି ପାରିବି, ସେବା–ସତ୍କାର କରିବି । ଭାଗ–ବଖରା ତୁମେ ଯେବେ କରିବ କରୁନ । ଯା’କୁ ମୁଁ କେବେ ଦେଖିନାଇଁ କି ଶୁଣିନାଇଁ, ଚିହ୍ନାନାଇଁ କି ପରିଚ ନାଇଁ, ତାକୁ ମୋ ଜମି ଭାଗରେ ଦେବି କେମିତି, କହିଲ ?

 

ପୟାଗ ପଧାନକୁ ତିରସ୍କାର ଭାବରେ ଚାହିଁ କହିଲା–ଏବେ ମନବୋଧ ହେଲା ତ ? ତୁମ ମନରେ ମାଈକିନିଆଗୁଡ଼ାକ ମୂରୁଖ । ସେ ପରା ମନ କଲେ ଆମକୁ ବିକି ଦବ । ସୁନ୍ଦରୀ ଖୁଡ଼ୀର ମୁହଁଟି ମଧୁର ।

 

ସୁନ୍ଦରୀ ତାତି ଉଠିଲା–ହଁରେ ହଁ, ତୁମରି କଥାରେ ମୁଁ ମୋ ବଡ଼ବଡ଼ୁଆଙ୍କ ଜମି ଛାଡ଼ିଦେବି, ନାଇଁ ? ମୋ’ରି, ପେଟର ପିଲା ହେଇ ମତେ ବୁଦ୍ଧି ଶିଖେଇବାକୁ ବସିଲୁଣି !

 

କାଶୀ ସୁନ୍ଦରୀ ପକ୍ଷ ନେଲା–ସେ କୋଉ ନାକରା କଥାଟା କହିଲା କି ? ଅଜଣା ଅଶୁଣା ଲୋକକୁ ତା’ ଜମି ଦେଇ ଦେବ କେମିତି ?

 

ଅମରକାନ୍ତ ଏ ବିବାଦରେ ଦାର୍ଶନିକ ଆନନ୍ଦ ପାଉଥିଲା । ସ୍ମିତ ମୁଖରେ କହିଲା–ହଁ ମାଉସୀ, ତୁମେ ଠିକ୍ କହିଛ । ପ୍ରବାସୀ ଲୋକକୁ ବିଶ୍ୱାସ କ’ଣ ?

 

ମୁନ୍ନୀ ମଧ୍ୟ ଦ୍ଵାରଦେଶରେ ଠିଆ ହୋଇ ଏ ସବୁ ଶୁଣୁଥିଲା । କହିଲା–ଖୁଡ଼ୀ ! ତୁ କ’ଣ ପାଗଳୀ ହେଲୁ ନା କ’ଣ ? ତୋ ଜମିକି କ’ଣ କିଏ ମୁଣ୍ଡେଇ ନେଇ ପଳେଇବ ? ତା'ପରେ ଆମେ ତ ଅଛୁ । ତୋତେ ଯେବେ କେହି ଠକେଇବ, ଆମେ ପଚାରିବୁ ନାଇଁ ?

 

ତରକି ଯାଇଥିବା ପଶୁକୁ ବେଶି ଲୋକ ଘେରିଗଲେ ସେ ଅଧିକ ହୁରୁଡ଼େ । ସୁନ୍ଦରୀ ଭାବିଲା, ଏ ସମସ୍ତେ ମିଳିମିଶି ମୋ ସମ୍ପତ୍ତି ଲୁଟିବାକୁ ଚାହୁଁଛନ୍ତି । ଥରେ ନାହିଁ କରିଛି ତ ଆଉ ହଁ’ କଲା ନାହିଁ । ସେଠାରୁ ତରତର ହୋଇ ଉଠି ଚାଲିଗଲା ।

 

ପୟାଗ କହିଲା–ସେଇଟା ଗୋଟେ ଡାଆଣୀ–ଡାଆଣୀ ।

 

ଅମର ଲଜ୍ଜା ପାଇଲା ପରି କହିଲା–ତୁମେ ଅକାରଣେ ତା’ ପାଖେ ମୁହଁ ହରେଇଲ ସିନା, ମଉସା ! ମୋର କ’ଣ ? ଏ ଗାଁ ନ ହେଲା ନାହିଁ, ଅନ୍ୟ ଗାଁ ତ ଅଛି ।

 

ମୁନ୍ନୀର ମୁହଁ ଫିକା ପଡ଼ିଗଲା ।

 

ଗୁଦଡ଼ କହିଲା–ନାଇଁ ବାପା, ତୁମେ କି କଥା କହୁଛ ? ମୋର ସାଝିଦାର ହେଇ ରୁହ । ମହନ୍ତ–ମହାରାଜଙ୍କୁ କହି ଆଉ ଦି–ଚାରି ଗୁଣ୍ଠ ବନ୍ଦୋବସ୍ତ କରିଦେବି । ତୁମପାଇଁ ଅଲଗା କରି ଖଣ୍ଡିଏ କୁଡ଼ିଆ ବନେଇ ଦେବା । ଖାଇବା–ପିଇବାପାଇଁ କିଛି ଚିନ୍ତା ନାହିଁ । ଜଣେ ଭଲଲୋକ ତ ଗାଁରେ ରହିଯିବ । ନଇଲେ କେବେ ଗୋଟେ ଚପରାସି ଗାଁରେ ପହଞ୍ଚିଗଲା ତ ସମସ୍ତଙ୍କ ବୁଦ୍ଧି ବଣା ହେଇଯାଉଛି ।

 

ଅଧଘଣ୍ଟା ପରେ ସୁନ୍ଦରୀ ପୁଣି ଆସିଲା ଓ ପଧାନକୁ କହିଲା–ତୁମେ ନିଜେ ମୋ ଜମି କାହିଁକି ବଖରାରେ ନ ନେଉଚ ଯେ ?

 

ପଧାନ ରାଗିଯାଇ କହିଲା–ଦରକାର ନାହିଁ, ଦରକାର ନାହିଁ । ତୁ ତୋ ଜମିକି ମୁଠେଇ ବସିଥା ।

 

ସୁନ୍ଦରୀ ଅମର ପାଖରେ ଆପତ୍ତି କଲା–ତୁ ଭାବିଲୁ, ବାପ ! ମୁଁ କିଛି ଖରାପ କହିଲି ? ଅଜଣା–ଅଚିହ୍ନା ଲୋକକୁ କେହି ଆପଣା ଚିଜ ଦେଇ ଦିଏ ଭଲା ?

 

ଅମର ସାନ୍ତ୍ୱନା ଦେଲା–ନାଇଁ, ଖୁଡ଼ୀ ! ତୁମେ ଉଚିତ କଥା କହିଛ । ଏପରି ବିଶ୍ଵାସ କଲେ ଦଗାରେ ପଡ଼ିବାକୁ ହୁଏ ।

 

ସୁନ୍ଦରୀ କିଞ୍ଚିତ୍ ଆଶ୍ଵସ୍ତି ଲାଭ କଲା–ତୋ ସାଙ୍ଗେ ତ, ବାପ, ମୋର ରାତି ଗୋଟାକର ଚିହ୍ନା–ପରିଚ, ନା କ’ଣ ? ଏଇଛୁଣି ମୋ ଜମି ଯା’ପାଖେ ଅଛି, ସେ ମୋର ବନ୍ଧୁବାନ୍ଧବ ଲୋକ । ତା’ଠୁଁ ଛଡ଼େଇ ଆଣି ତତେ ଦେଲେ ମନରେ କ’ଣ ଭାବିବ, କହିଲୁ ? ମୁଁ ଯେବେ ଭୁଲ କହୁଛି ମୋ ଗାଲରେ ଦି’–ଚାପୁଡ଼ା ମାର । ସେ ମୋ ସଙ୍ଗେ ବେଇମାନୀ କରୁଛି, ମୁଁ ଜାଣେ । କରୁ, ଯେତେହେଲେ ଆପଣା ରକତ–ମାଉଁସ ତ । ତା’ ମୁହଁରୁ ଅଧାର ଛଡ଼େଇ ଆଣି ତତେ ଦେବି, ତେବେ ତୁଇ ମୋତେ ଭଲ ବୋଲି କହିବୁ ନା ? କହ, ଆରେ ବାପ !

 

ସୁନ୍ଦରୀ ନିଜେ ବିଚାରି ଏ ଯୁକ୍ତି ବାହାର କରିଥାଉ ବା ଅନ୍ୟ କେହି ଶିଖାଇ ଦେଇଥାଉ, ଏହା କିନ୍ତୁ ଗୁଦଡ଼କୁ ନିରୁତ୍ତର କରି ଦେଇଥିଲା ।

 

Unknown

–୧୯–

 

ଦୁଇ ମାସ ବିତିଗଲା ।

 

ପୌଷ ମାସର ଶୀତ ରାତି କଳା କମ୍ବଳ ଢାଙ୍କି ହୋଇ ପଡ଼ିଥାଏ । ଉଚ୍ଚ ପର୍ବତଟା ଗୋଟାଏ ବିଶାଳ ଉଚ୍ଚାଭିଳାଷ ପରି ତାରକାଖଚିତ ମୁକୁଟ ପିନ୍ଧି ଉଭା ହୋଇଛି । କୁଟୀରଗୁଡ଼ିକୁ ଯେପରି ତା’ର ହୀନ–ନଗଣ୍ୟ ଆକାଂକ୍ଷା, ଯାହାକୁ ସେ ପାଦରେ ଆଡ଼େଇ ଦେଇଛି ।

 

ଅମରକାନ୍ତର କୁଡ଼ିଆଟିରେ ଗୋଟିଏ ଲଣ୍ଠନ ଜଳୁଛି । ପାଠଶାଳା ଖୋଲା ଅଛି । ପନ୍ଦର–କୋଡ଼ିଏଟି ପିଲା ଠିଆ ହୋଇ ଅଭିମନ୍ୟୁ–ଚରିତ ଶୁଣୁଛନ୍ତି । ଅମର ଛିଡ଼ା ହୋଇ କଥାଟି କହୁଛି । ବାଳକମାନେ କି ପ୍ରସନ୍ନ, ସେମାନଙ୍କର ମ୍ଳାନ ମୁଖ ଉଲ୍ଲସି ଉଠୁଛି, ଆଖି ଉଜ୍ଜ୍ଵଳି ଉଠୁଛି । ସମ୍ଭବତଃ ସେମାନେ ମଧ୍ୟ ଅଭିମନ୍ୟୁ ପରି ବୀର, କର୍ତ୍ତବ୍ୟପରାୟଣ ହେବାର ସ୍ଵପ୍ନ ଦେଖୁଛନ୍ତି । ସେମାନେ କାହୁଁ ଜାଣିବେ ଯେ ଦିନେ ସେମାନଙ୍କୁ ଦୁର୍ଯୋଧନ ଓ ଜରାସନ୍ଧମାନଙ୍କ ସମ୍ମୁଖରେ ନତଜାନୁ, ନତମସ୍ତକ ହେବାକୁ ପଡ଼ିବ, ବାରମ୍ବାର ଚକ୍ରବ୍ୟୂହରୁ ପଳାଇବାର ଚେଷ୍ଟା କରି ବିଫଳ ହେବେ ।

 

ଗୁଦଡ଼ ପଧାନ ବୋତଲ ଓ ଚାବିକାଠି ନେଇ ଚଉପାଢ଼ିରେ କିଛି ସମୟ ଚିନ୍ତାମଗ୍ନ ହୋଇ ବସିରହିଲା । ତା’ପରେ ଚାବିକାଠିଟା ଫିଙ୍ଗି ଦେଲା, ବୋତଲଟା ନେଇ ଦ୍ଵାରବନ୍ଧ ଉପରେ ଥୋଇ ଦେଲା ଓ ମୁନ୍ନୀକୁ ଡାକି କହିଲା–ଅମର ଭାଇକି କହ, ଆସି ଖାଇବ । ସେ ଭଦର ଲୋକଟିକି ଯେମିତି ଭୋକ ଲାଗେ ନାହିଁ । ପହଡ଼େ ରାତି ହେଲାଣି, ଏଯାଏଁ ଖାଇବା–ପିଇବା କଥା ମନେ ପଡ଼ୁନାହିଁ ।

 

ମୁନ୍ନୀ ବୋତଲ ଆଡ଼କୁ ଚାହିଁ କହିଲା–ତୁମେ ତ ପିଇସାରି ନାହଁ ବୋଲି ମୁଁ ଏତେବେଳଯାଏ ଡାକୁ ନାହିଁ ।

 

ଗୁଦଡ଼ ଅରୁଚି ପ୍ରକାଶ କଲା–ଆଜି ପିଇବାକୁ ମନ ନାହିଁ, ଝିଅ ! କୋଉଁ ଭଲ ଚିଜଟାଏ ଯେ ।

 

ମୁନ୍ନୀ ଆଶ୍ଚର୍ଯ୍ୟରେ ପଧାନକୁ ଚାହିଁ ରହିଲା । ତା’ର ଏଠାକୁ ଆସିବା ତିନିବର୍ଷରୁ ଅଧିକ ହେଲାଣି । କେବେ ପଧାନକୁ ପିଇବାରେ ହେଳା କରିବା ଦେଖି ନାହିଁ କି କେବେ ତା’ ମୁହଁରୁ ଏପରି ବିରାଗପୂର୍ଣ୍ଣ କଥା ଶୁଣି ନାହିଁ । ଶଙ୍କିତା ହୋଇ କହିଲା–ଆଜି ତୁମ ମନ ଭଲ ନାହିଁ କି, ବାପା ?

 

ପଧାନ ହସି ଦେଇ କହିଲା–ମନ ଭଲ ନାହିଁ କାହିଁକି ? ପିଇବାପାଇଁ ତ ମଗେଇଥିଲି । ହେଲେ ଏଇଛୁଣି ମନ ଡାକୁ ନାହିଁ । ଅମରଙ୍କ କଥା ଆଜି ମୋ ମନକୁ ଘେନିଛି । ସେ କହୁଥିଲେ–ଯେଉଁଠି ଶହକେ ଅଶୀ ଲୋକ ଭୋକ ଉପାସରେ ମରୁଛନ୍ତି, ସେଠି ମଦ ପିଇବା ଗରିବଙ୍କ ରକ୍ତ ପିଇବା ସଙ୍ଗେ ସମାନ । ଆଉ କେହି କହିଥିଲେ ମାନି ନଥାନ୍ତି; କିନ୍ତୁ ତାଙ୍କ କଥା କେଜାଣି କାହିଁକି ମନରେ ଲାଖିଯାଏ ।

 

ମୁନ୍ନୀ ଚିନ୍ତିତା ହୋଇ କହିଲା–ତୁମେ ତାଙ୍କ କଥାରେ ପଡ଼ ନାଇଁ, ବାପା ! ଏଇଛୁଣି ଛାଡ଼ିଲେ ତୁମର ଅବିଗୁଣ କରିବ । ଦେହ–ଦୁଃଖବି ହେବ କି କ’ଣ ।

 

ପଧାନ ଏ ବିଚାରକୁ ତୁଚ୍ଛ ମଣିଲା ପରି କହିଲା–ପୀଡ଼ା ହେଉ ତ ବାଇ ହେଉ, ଆଉ ପିଇବି ନାଇଁ । ମୋ ଦେହକରେ ହଜାର–ହଜାର ଟଙ୍କାର ମଦ ପିଇଲିଣି । ଯେତେ ରୋଜଗାର, ସବୁ ନିଶାରେ ଉଡ଼େଇ ଦେଇଛି । ସେହି ଟଙ୍କାରେ କିଛି ଭଲ କାମ କରିଥିଲେ ଗାଁର ମଙ୍ଗଳ ହେଇଥାନ୍ତା, ମୋରବି ନାମ ହେଇଥାନ୍ତା । ମୂରୁଖଙ୍କୁ ଖାସ୍ ଏଇଲାଗି ଖରାପ ବୋଲି କହନ୍ତି । ଶୁଣାଯାଏ, କୁଆଡ଼େ ସାଇବଗୁଡ଼ାକ ବହୁତ ପିଅନ୍ତି । ହେଲେ ତାଙ୍କ କଥା ନିଆରା; ଏଠି ରଜା ହେଇଚନ୍ତି, ଧନ ଲୁଟି ନେଉଚନ୍ତି, ସେ ନ ପିଇବେ ତ ପିଇବ କିଏ ? ଦେଖୁଛୁ ନା, ଏବେ କାଶୀ ଓ ପୟାଗବି କିଛି ଲେଖାପଢ଼ା ଶିଖିବାକୁ ମନ ବଳେଇଲେଣି !

 

ପାଠଶାଳା ବନ୍ଦ ହେଲା ଅମର ତେଜା ଓ ଦୁରୁଜନର ଅଙ୍ଗୁଳି ଧରି ଆସିଲା, ପଧାନକୁ କହିଲା–ମୋର ତ ଆଜି ଡେରି ହେଇଗଲା, ମଉସା ! ତୁମେ ଖିଆ–ପିଆ ସାରିଲଣି ନା ?

 

ପଧାନ ସ୍ନେହରେ ମଜ୍ଜିଗଲା–ହଁ–ହଁ, ଖାଇବି ନାହିଁ ? ମୁଇଁ ତ ରାତି ପହଡ଼େ ଥାଉଁଥାଉଁ ଉଠି ଖଟି ପକଉଚି । ମୁଇଁ ତ ଜୋତା ନେଇ ରୁଷିକେଶ ଯାଇଥିଲି ନା କ’ଣ, ମୁଁ ଆଗ ଖାଇବି ନାଇଁ-? ହଁ; କହି ଦଉଚି, ଏମିତି ଯେବେ ଖଟିବ, ମୋତେ ତୁମ ପାଠଶାଳା ବନ୍ଦ କରିବାକୁ ପଡ଼ିବ-

 

ସେତେବେଳେ ଅମରର ପାଠଶାଳାରେ ପଢ଼ିବାକୁ ବାଳିକାମାନେବି ଯାଉଥାନ୍ତି । ତା’ର ଆନନ୍ଦର ସୀମା ନଥାଏ ।

 

ଖାଇସାରି ପଧାନ ଶୋଇଲା । ଅମର ଯିବାକୁ ବାହାରିଲାରୁ ମୁନ୍ନୀ କହିଲା–ଆଜି ତ ଭାଇ (ଦିଅର), ତୁମେ ଗୋଟାଏ ବଢ଼ିଆ କାମ ଦେଖାଇ ଦେଇଛ । ବାପା ଆଜି ଢୋକେବି ପିଇ ନାହାନ୍ତି !

 

ଅମର ଅତ୍ୟନ୍ତ ଉତ୍ସୁକ ହୋଇ କହିଲା–କିଛି କହୁଥିଲେ କି ?

 

“ତୁମର ଗୁଣ ଗାଉଥିଲେ, ଆଉ କହିବେ କ’ଣ ? ମୁଁ ଭାବୁଥିଲି, ଜିଇଥିବାଯାଏ ଛାଡ଼ିପାରିବେ ନାହିଁ; କିନ୍ତୁ ତୁମ–ଉପଦେଶ ତ ଭଲ କାମ ଦେଖେଇଲା !”

 

ଅମରର କେତେ ଦିନ ହେଲା ଇଚ୍ଛା ହେଉଛି, ମୁନ୍ନୀକୁ ତା’ ବୃତ୍ତାନ୍ତ ପଚାରିବ; କିନ୍ତୁ ସୁଯୋଗ ମିଳେ ନାହିଁ । ଆଜି ସୁବିଧା ପାଇ ପଚାରିଲା–ତୁମେ ମୋତେ ଚିହ୍ନିପାରୁ ନଥିବ; କିନ୍ତୁ ମୁଁ ତୁମକୁ ଚିହ୍ନୁଛି ।

 

ମୁନ୍ନୀର ମୁହଁ ଫିକା ପଡ଼ିଗଲା । ସେ ତୀକ୍ଷ୍ଣଦୃଷ୍ଟିରେ ଅମରକୁ ଚାହିଁ କହିଲା–ତୁମେ କହିଲାରୁ ମୋର ମନେପଡ଼ୁଛି, ତୁମକୁ କେଉଁଠି ଦେଖିଛି ଯେମିତି ।

 

“କାଶୀର ମୋକଦ୍ଦମା କଥା ମନେପକାଇଲ"

 

“ଆଚ୍ଛା, ହଁ–ହଁ, ମନେପଡ଼ିଲା । ତୁମେ ଡାକ୍ତର ସାହେବଙ୍କ ସଙ୍ଗେ ଟଙ୍କା ଯୋଗାଡ଼ କରି ବୁଲୁଥିଲ ନା ! କିନ୍ତୁ ତୁମେ ଏଠିକି କିପରି ଆସିଲ ?”

 

“ବାପାଙ୍କ ସଙ୍ଗେ କଳି ହେଲା । ତୁମେ ଏଠିକି ଆସିଲ କିପରି ଆଉ ଏମାନଙ୍କ ସଙ୍ଗେ ମିଶିଲ କିପରି ?"

 

ମୁନ୍ନୀ ଘର ଭିତରକୁ ଯାଉ ଯାଉ କହିଲା–ଆଉ କେବେ କହିବି; କିନ୍ତୁ ତୁମକୁ ହାତ ଯୋଡ଼ୁଛି, ଏଠି କାହାରିକୁ ଏ ବିଷୟରେ କିଛି କହିବ ନାହିଁ ।

 

ଅମର ନିଜ କୋଠରୀକୁ ଯାଇ ବିଛଣା ତଳୁ ଯୋଡ଼ିଏ ଶାଢ଼ି ବାହାର କରିଯାଇ ସୁନ୍ଦ‍ରୀ ଘରେ ପହଞ୍ଚିଲା ।

 

ସୁନ୍ଦରୀ ଭିତରେ ପଡ଼ିରହି ନିଦକୁ ଡାକିବାପାଇଁ ଗୀତ ଗାଉଥିଲା । ଅମରର ପାଟି ବାରି ତାଟି ଖୋଲି ଦେଲା ଓ କହିଲା–କ’ଣ କିରେ ପୁଅ ! ଆଜି ତ ଭାରି ଅନ୍ଧାର । ଖାଇସାରିଲୁଣି ? ମୁଁ ତ ବସି ସୂତା କାଟୁଥିଲି, ପିଠିଟା ବିନ୍ଧିବାରୁ ଏଇ ଆସି ପଡ଼ିଛି ।

 

ଅମର ଶାଢ଼ି ଯୋଡ଼ାକ ବାହାର କରି କହିଲା–ମୁଁ ଏ ଯୋଡ଼ଟି ଆଣିଛି, ନିଅ । ତୁମର ସୂତାକଟା ସରିଗଲେ ମୁଁ ନେଇ ନେବି ।

 

ସେଦିନ ଅମରକୁ ଅବିଶ୍ଵାସ କରିଥିବାରୁ ସୁନ୍ଦରୀ ତା’ ଆଗରେ ସଂକୋଚ ବୋଧ କରୁଥିଲା । ଏପରି ଭଲଲୋକଟି ଉପରେ ସେ କାହିଁକି ଅବିଶ୍ଵାସ–କଲା ! ଲଜ୍ଜାରେ କହିଲା–ଏଇଛୁଣି କାହିଁକି ଆଣିଲୁ ପୁଅ ? ସୂତାକଟା ସରିଯାଇଥିଲେ ଆଣିଥାନ୍ତୁ ।

 

ଅମର ହାତରେ ଲଣ୍ଠନ ଥିଲା । ବୁଢ଼ୀ ଯୋଡ଼ଟି ନେଇ ତା’ର ଭାଙ୍ଗସବୁ ଖୋଲି ଲୋଭିଲା ଆଖିରେ ଦେଖିବାକୁ ଲାଗିଲା । ହଠାତ୍ ସେ କହିଉଠିଲା–ଏ ତ ଦୁଇଟିରେ ପୁଅ ! ମୁଁ ଯୋଡ଼ାଏ ନେଇ କରିବି କ’ଣ ? ଗୋଟିଏ ତୁ ନେଇଯା ।

 

ଅମରକାନ୍ତ କହିଲା–ଯୋଡ଼ିକଯାକ ତୁ ରଖ, ଖୁଡ଼ୀ । ଗୋଟାକରେ ଚଳିବ କେମିତି ?

 

ସୁନ୍ଦରୀ ତା’ ଜୀବନର ସୁନେଲି ଦିନମାନଙ୍କରେବି ଏକକାଳୀନ ଯୋଡ଼ାଏ ଶାଢ଼ି ପାଇ ନଥିଲା । ପତି–ପୁତ୍ରଙ୍କ ସମୟରେବି ଖଣ୍ଡକରୁ ଅଧିକ ଶାଢ଼ି କେବେ ମିଳି ନାହିଁ । ଆଉ ଆଜି ଏପରି ସୁନ୍ଦର ଯୋଡ଼ାଏ ଶାଢ଼ି ମିଳୁଛି, ବଳେଇ ବଳେଇ ଦିଆଯାଉଛି ! ତା’ର ଅନ୍ତରରୁ ଯେପରି କ୍ଷୀର–ଧାରା ଝରି ଆସିଲା ! ତା’ର ସମସ୍ତ ବୈଧବ୍ୟ, ସମସ୍ତ ମାତୃତ୍ଵ ଆଶୀର୍ବାଦ ରୂପରେ ତା’ର ପ୍ରତି ରୋମକୁ ସ୍ପନ୍ଦିତ କରିବାକୁ ଲାଗିଲା ।

 

ଅମରକାନ୍ତ କୋଠରୀରୁ ବାହାରି ଆସିଲା । ସୁନ୍ଦରୀ କାନ୍ଦୁଥିଲା ।

 

ନିଜର କୋଠରୀକୁ ଆସି ଅମର କିଛି ସମୟ ଅନିଶ୍ଚିତ ଅବସ୍ଥାରେ ଠିଆ ହୋଇ ରହିଲା । ତା’ପରେ ଡାଏରି ଲେଖିବାକୁ ବସିପଡ଼ିଲା । ସେତିକିବେଳେ ପଧାନ ଘରର ଦ୍ୱାର ଖୋଲିଲା ଓ ମୁନ୍ନୀ କଳସୀ ଧରି ପାଣି ନେବାକୁ ବାହାରିଲା । ଏଣେ ଲଣ୍ଠନ ଜଳୁଥିବା ଦେଖି ସେ ଚାଲି ଆସିଲା ଓ ଦୁଆରେ ଠିଆ ହୋଇ କହିଲା–ଏଯାଏଁ ଶୋଇ ନାହଁ, ଲାଲା ! ରାତି ବହୁତ ହୋଇଗଲାଣି ।

 

ଅମର ବାହାରକୁ ଆସି କହିଲା–ହଁ, ନିଦ ଆସି ନାହିଁ । କ’ଣ ପାଣି ନଥିଲା କି ?

 

“ଆଜି ସବୁ ପାଣି ସରିଗଲା । ଏଇକ୍ଷଣି ଶୋଷ ହେବାରୁ ଦେଖିଲି, କେଉଁଠି ବୁନ୍ଦାଏ ପାଣିବି ନାହିଁ ।”

 

“ଆଣ, ମୁଁ ଆଣି ଦେଉଛି । ତୁମେ ଏ ଅନ୍ଧାରଟାରେ କୁଆଡ଼େ ଯିବ ?”

 

“ଅନ୍ଧାର ରାତିରେ ସହରବାଲାଙ୍କୁ ସିନା ଡର ମାଡ଼େ, ଆମେ ତ ଗାଉଁଲି ।”

 

“ନା ମୁନ୍ନୀ, ମୁଁ ତୁମକୁ ଯିବାକୁ ଦେବି ନାହିଁ ।”

 

“ତେବେ କ’ଣ ମୋ ଜୀବନ ତୁମ ଜୀବନଠାରୁ ବେଶି ଦାମୀ ?”

 

“ମୋ ଜୀବନ ପରି ଲକ୍ଷେ ଜୀବନ ତୁମପାଇଁ ଦିଆଯାଇପାରେ ।”

 

ମୁନ୍ନୀ ଅନୁରକ୍ତ ନେତ୍ରରେ ତାକୁ ଚାହିଁଲା–ଈଶ୍ଵର ତୁମକୁ ସ୍ତୀରୀ ଜନମ ଯା’ ନ ଦେଲେ ଲାଲା ! ଏଡ଼େ କୋମଳ ହୃଦ ତ ମୁଁ କେଉଁ ପୁରୁଷଠିଁ ଦେଖି ନାହିଁ ! ମୁଁ ବେଳେବେଳେ ଭାବେ, ତୁମେ ଏଠିକି ନ ଆସିଥିଲେ ଭଲ ହୋଇଥାନ୍ତା ।

 

ଅମର ହସି କହିଲା–ମୁଁ ତୁମର କ’ଣ ଅନିଷ୍ଟ କଲି, ମୁନ୍ନୀ ?

 

ମୁନ୍ନୀ ଥରଥର ସ୍ଵରରେ କହିଲା–ଅନିଷ୍ଟ କରି ନାହଁ ? ଯେଉଁ ଅନାଥ ପିଲାକୁ ପଚାରିବାକୁବି କେହି ନଥାଏ, ତାକୁ କୋଳରେ ବସିବାର, ଖେଳନା ଆଉ ମିଠାଇର ଅଭ୍ୟାସ କରାଇଦେବା କ’ଣ ଅନିଷ୍ଟ ନୁହେଁ ? ଏ ସୁଖ ପାଇଲେ ସେ କ’ଣ ବିନା ସ୍ନେହ–ଆଦରରେ ରହିପାରିବ ?

 

ଅମର କରୁଣ ସ୍ଵରରେ କହିଲା–ଅନାଥ ମୁଁ ଥିଲି ମୁନ୍ନୀ ! ତୁମେ ମୋତେ କୋଳ–କାଖ ଓ ସ୍ନେହ–ଆଦର ପାଇବାରେ ଅଭ୍ୟସ୍ତ କରି ଦେଇଛ । ମୁଁ କେବଳ କାନ୍ଦି କାନ୍ଦି ତୁମକୁ ବିରକ୍ତ କରିଛି ସିନା !

 

ମୁନ୍ନୀ କଳସୀଟା ତଳେ ଥୋଇ ଦେଇ କହିଲା–ମୁଁ ତୁମକୁ କଥାରେ ପାରିବି ନାହିଁ, ଲାଲା ! ହେଲେ, ତୁମେ ଆସିବା ଆଗରୁ ମୁଁ ଆନନ୍ଦରେ ଥିଲି । ଘର–ଧନ୍ଦା କରି, ତୁଚ୍ଛା–ଅଲଣା ଖାଇ ପଡ଼ିଥିଲି । ତୁମେ ମୋର ସେ ସୁଖ ଛଡ଼େଇ ନେଲ । ତୁମେ ମନେମନେ କହୁଥିବ, ଏ ବଡ଼ ଖରଖରୀ ମାଇକିନାଟାଏ । ତୁମେ କୁହ, ପୁରୁଷ ଯେବେ ନାରୀ ହୋଇଯାଏ, ତେବେ ନାରୀକୁ ତ ପୁରୁଷ ହେବାକୁ ପଡ଼ିବ । ମୁଁ ଜାଣେ, ତୁମେ ମୋତେ କରଛଡ଼ା ଦେଉଛ, ମୋଠୁଁ ଦୂରେଇ ଦୂରେଇ ରହୁଛ । ଆହୁରିବି ଜାଣେ ଯେ, ମୁଁ ତୁମକୁ ପାଇପାରିବି ନାହିଁ । ମୋର ସେ ଭାଗ୍ୟ କାହିଁ ? ହେଲେବି ମୁଁ କ’ଣ ଛାଡ଼ିବି ? ମୁଁ କେବଳ ଏତିକି ମାଗୁଛି ଯେ ତୁମେ ମୋତେ ଆପଣାର ବୋଲି ଭାବ । ମୁଁ ଜାଣିପାରେ ଯେ ମୁଁ ବି ଗୋଟିଏ ସ୍ତିରୀ, ମୋ ମଥା ଉପରକୁ କେହି ଜଣେ ଅଛି, ମୋ ଜୀବନଟାବି କାହାରି କାମରେ ଆସିପାରିବ ।

 

ଯୁବକମାନେ କୌଣସି ସୁନ୍ଦରୀ ସ୍ତ୍ରୀକୁ ଯେଉଁ ଦୃଷ୍ଟିରେ ଦେଖନ୍ତି, ଅମର ମୁନ୍ନୀକୁ ଏପର୍ଯ୍ୟନ୍ତ ସେହି ଦୃଷ୍ଟିରେ ଦେଖିଥିଲା–ପ୍ରେମ ଦୃଷ୍ଟିରେ ନୁହେଁ, କେବଳ ରସିକ ଭାବରେ; ମାତ୍ର ଏହି ଆତ୍ମସମର୍ପଣ ତାକୁ ବିଚଳିତ କରି ଦେଲା । ଦୁଧିଆଳୀ ଗାଈର ଭରା ସ୍ତନକୁ ଦେଖି ଆମେ ପ୍ରସନ୍ନ ହେଉଁ–ଏଥିରେ କେତେ ଦୁଧ ଥିବ ! କେବଳ ମାତ୍ରାର ଭାବ ଆମ ମନକୁ ଆସେ । ଆମେ ଗାଈକୁ ଧରି ଦୁହିଁବାକୁ ବାହାରି ପଡ଼ୁନା; କିନ୍ତୁ ସମ୍ମୁଖରେ ଦୁଧଭରା ପାତ୍ରଟିଏ ପହଞ୍ଚିଯିବା ଭିନ୍ନ କଥା । ଅମର ଦୁଧ–ପାତ୍ର ଆଡ଼କୁ ହାତ ବଢ଼ାଇଦେଲା–ଆସ, ଆମେ ଦୁହେଁ କୁଆଡ଼େ ଚାଲିଯିବା, ମୁନ୍ନୀ ! ସେଠି ମୁଁ କହିବି, ଏ ମୋର...

 

ମୁନ୍ନୀ ତା’ ମୁହଁରେ ହାତ ଦେଇ କହିଲା–ଥାଉଁଥାଉଁ, ଆଉ କିଛି କୁହ ନାହିଁ । ସବୁ ପୁରୁଷ ଏକାପରି । ମୁଁ କହୁଥିଲି କ’ଣ, ତୁମେ ବୁଝିଲ କ’ଣ ! ମୁଁ ତୁମ ସଙ୍ଗେ ବିଭା କରିବି ନାହିଁ କି ତୁମର ରକ୍ଷିତା ହେବି ନାହିଁ । ତୁମେ ମୋତେ ତୁମର ଦାସୀ ବୋଲି ଭାବ, ଏତିକି ମୋପାଇଁ ବହୁତ ।

 

ମୁନ୍ନୀ କଳସୀ ଉଠାଇ କୂଅ ଆଡ଼କୁ ଚାଲିଗଲା । ଅମର ରମଣୀ–ହୃଦୟର ଏହି ଅଦ୍ଭୁତ ରହସ୍ୟ ଦେଖି ସ୍ତମ୍ଭିତ ହୋଇଗଲା ।

 

ସହସା ମୁନ୍ନୀ ଡାକିଲା–ଲାଲା, ତଟକା ପାଣି ଆଣିଲୁଣି, ଲୋଟାଏ ଦେବି ?

 

ପାଣି ପିଇବାକୁ ଇଚ୍ଛା ଥିଲେ ସୁଦ୍ଧା ଅମର, କହିଲା–ବର୍ତ୍ତମାନ ତ ଶୋଷ ନାହିଁ, ମୁନ୍ନୀ !

 

–୨୦–

 

ତିନି ମାସ ବିତିଗଲାଣି, ଅମର କାହାରିକୁ ଚିଠି ଲେଖି ନାହିଁ । କେଉଁଠି ଟିକିଏ ବସିବାକୁବି ସମୟ–ସୁବିଧା ମିଳି ନାହିଁ । ସକୀନାର ଖବର ଜାଣିବାପାଇଁ ମନ ଛଟପଟ ହୋଇ ଉଠୁଥାଏ । ନୟନା ମଧ୍ୟ ମନେପଡ଼ି ଯାଉଥାଏ । ବିଚାରୀ କାନ୍ଦି କାନ୍ଦି ମରି ଯାଉଥିବ । ପୁଅଟିର ଫୁଲ ପରି ହସହସ ମୁହଁ ମନେ ପଡ଼ୁଥାଏ; କିନ୍ତୁ ନିଜର କେଉଁଠି ଗୋଟାଏ ଠିକଣା ହେଲେ ସିନା ଚିଠି ଲେଖିବ । ଗୋଟାଏ ଜାଗାରେ ତ ରହିପାରୁ ନଥିଲା । ଏଠାକୁ ଆସିବାର କିଛିଦିନ ପରେ ସେ ତିନି ଖଣ୍ଡି ଚିଠି ଲେଖିଲା–ସକୀନା, ସଲୀମ୍ ଓ ନୟନା ନାମରେ । ସଲୀମ୍‌ର ଚିଠି ଭିତରେ ସକୀନାର ଚିଠିଟି ରଖି ବନ୍ଦ କରି ଦେଇଥିଲା । ଆଜି ଉତ୍ତର ଆସିଛି । ବର୍ତ୍ତମାନ ଡାକିଆ ଦେଇ ଯାଇଛି । ଅମର ଗଙ୍ଗାକୂଳରେ ଏକାନ୍ତରେ ବସି ଚିଠିଗୁଡ଼ିକ ପଢ଼ୁଛି । ସେ ଚାହେଁ, ମଝିରେ କିଛି ବାଧା ନ ପଡ଼ୁ, ପିଲାମାନେ ଆସି କାହା ଚିଠି ବୋଲି ନ ପଚାରନ୍ତୁ ।

 

ନୟନା ଲେଖିଛି–“ଯାହାହେଉ, ଏତେ ଦିନ ପରେ ଆପଣଙ୍କର ମୋ କଥା ମନେପଡ଼ିଲା । ମୁଁ ଭାବି ନଥିଲି, ଆପଣ ଏତେ କଠୋର । ଆପଣଙ୍କ ବିନା ଏ ଘରେ ମୁଁ ଯେ କିପରି ରହିଛି, ତା’ ଆପଣ କଳ୍ପନା କରିପାରିବେ ନାହିଁ । କାରଣ ଆପଣ ହେଉଛନ୍ତି ଆପଣ, ଆଉ ମୁଁ ତ ମୁଁ । ସାଢ଼େ ଚାରିମାସ ଚାଲିଗଲା, ଖଣ୍ଡେ ହେଲେ ଚିଠି କି କିଛି ଖବର ନାହିଁ । ଆଖିରୁ କେତେ ଲୁହ ଝରିଗଲା, କହି ହେବ ନାହିଁ । କାନ୍ଦିବା ଛଡ଼ା ଆଉ କି କାମ ରଖିଯାଇଛନ୍ତି ଯେ ? ଆପଣଙ୍କ ବିନା ମୋ ଜୀବନ ଏପରି ଶୂନ୍ୟ ହୋଇଯିବ ବୋଲି ମୋତେ ଜଣା ନଥିଲା ।”

 

“ଆପଣ ଏତେ ଦିନ ନୀରବରେ ରହିବାର କାରଣ ମୁଁ ଜାଣେ; କିନ୍ତୁ ଭାଇ, ତାହା ଆପଣଙ୍କର ଭ୍ରମ । ଆପଣ ମୋର ଭାଇ । ସଂସାରଟା ଆପଣଙ୍କୁ ଉପହାସ କରୁ, ଦେଶସାରା ଆପଣଙ୍କର ନିନ୍ଦା ରଟୁ ହେଲେ ଆପଣ ମୋର ଭାଇ । ଆଜି ଆପଣ ମୁସଲମାନ କିମ୍ବା ଖ୍ରୀଷ୍ଟିଆନ ହୋଇଗଲେ ସୁଦ୍ଧା ମୋର ଭାଇ ହୋଇ ରହିବେ ନାହିଁ କି ? ଭଗବାନ ଯେଉଁ ସମ୍ବନ୍ଧ ଯୋଡ଼ି ଦେଇଛନ୍ତି, ତାକୁ କ’ଣ ଆପଣ ତୁଟେଇ ପାରିବେ ? ମୁଁ ତ ଆପଣଙ୍କୁ ଏତେ ବଳବାନ ବୋଲି ମନେକରେନା । ସଂସାରରେ ୟାଠୁଁ ବଳି ସ୍ନେହମୟ ସମ୍ବନ୍ଧ ଥାଇପାରେ ବୋଲି ମୁଁ ବିଶ୍ଵାସ କରେନା । ମା’ଠାରେ ଥାଏ କେବଳ ବାତ୍ସଲ୍ୟ । ଭଉଣୀଠାରେ କ’ଣ ଥାଏ, ମୁଁ କହିପାରିବି ନାହିଁ; କିନ୍ତୁ ତାହା ବାତ୍ସଲ୍ୟଠାରୁ କୋମଳତର ନିଶ୍ଚୟ । ଦୋଷ ଦେଖିଲେ‌ ମା’ ଦଣ୍ଡବି ଦେଇଥାଏ । ଭଉଣୀ ତ କ୍ଷମାର ମୂର୍ତ୍ତି; ଭାଇ ନ୍ୟାୟ କରୁ ବା ଅନ୍ୟାୟ କରୁ, ତିରସ୍କାର କରୁ ବା ସ୍ନେହ କରୁ, ମାନ କରୁ ବା ଅପମାନ କରୁ ଭଉଣୀ ପାଖରେ କେବଳ କ୍ଷମା, ବ୍ୟତୀତ ଆଉ କିଛି ନଥାଏ । ସେ କେବଳ ତା’ର ସ୍ନେହପାଇଁ ଆକୁଳ ।

 

“ଆପଣ ଗଲାଦିନୁ ବହି ଆଡ଼କୁ ଚାହିଁବାକୁ ଇଚ୍ଛା ହୁଏନା, କୌଣସି କାମରେ ମନ ଲାଗୁନି । ଚରଖାଟି ଅନାଦରରେ ପକାଇ ଦେଇଛି । କୌଣସି ସୁଖଦାୟକ ପଦାର୍ଥ ଥାଏ ତ ସେ କେବଳ ମୁନ୍ନୁ । ସେହି ମୋର ଗଳାହାର ହୋଇଛି । ମୁହୂର୍ତ୍ତେବି ଛାଡ଼ୁନାହିଁ । ବର୍ତ୍ତମାନ ଶୋଇପଡ଼ିଛି; ତେଣୁ ଏ ପତ୍ରଟି ଲେଖିପାରୁଛି । ନୋହିଲେ ସେ ଚିତ୍ରଲିପିରେ ଏ ପତ୍ର ଲେଖିଥାନ୍ତା, ଯାହାକି ବଡ଼ବଡ଼ ବିଦ୍ୱାନବି ବୁଝିପାରି ନଥାନ୍ତେ । ଭାଉଜଙ୍କର ତା’ ପ୍ରତି ଆଉ ସେପରି ସ୍ନେହ ନାହିଁ-। ଭୁଲରେବି କେବେ ଆପଣଙ୍କ କଥା, ପକାନ୍ତି ନାହିଁ । ଧର୍ମଚର୍ଚ୍ଚା ଓ ଭକ୍ତି ପ୍ରତି ତାଙ୍କର ଆଗ୍ରହ ବଢ଼ିଯାଇଛି । ମୋ ସହିତବି ଖୁବ୍ କମ୍ କଥା କହନ୍ତି । ରେଣୁକା ଦେବୀ ତାଙ୍କୁ ଲକ୍ଷ୍ନୌ ନେଇଯିବାକୁ ଚାହିଁଥିଲେ; କିନ୍ତୁ ସେ ଗଲେ ନାହିଁ । ଦିନେ ତାଙ୍କ ଗାଈର ବିଭାଘର ହେଉଥିଲା, ସହରର ହଜାର ହଜାର ବ୍ରାହ୍ମଣ–ବୈଷ୍ଣବଙ୍କୁ ଭୋଜନ ଦିଆଗଲା । ଆମେମାନେ ମଧ୍ୟ ଯାଇଥିଲୁ । ଏଠାର ଗୋଶାଳାପାଇଁ ସେ ଦଶ ହଜାର ଟଙ୍କା ଦାନ କରିଛନ୍ତି ।

 

“ବର୍ତ୍ତମାନ ବାପାଙ୍କ ହାଲ୍ ଶୁଣନ୍ତୁ । ସେ ଏବେ ଗୋଟିଏ ମନ୍ଦିର ତିଆରି କରାଉଛନ୍ତି । ଜମି ତ ଆଗରୁ ଠିକ୍ କରିସାରିଥିଲେ । ପଥର ଜମା ହେଉଛି । ମନ୍ଦିରର ଶିଳାନ୍ୟାସ କରିବାପାଇଁ ରାଜା ସାହେବଙ୍କୁ ନିମନ୍ତ୍ରଣ କରାଯିବ । କାହିଁକି କେଜାଣି, ବାପା ଏବେ କାହାରି ଉପରେ ରାଗୁ ନାହାନ୍ତି । ଏପରିକି କାହାରିକି ଟାଣ କରି କଥାବି କହୁନାହାନ୍ତି । ଡାଲି ଟିକିଏ ଲୁଣିଆ ହୋଇଗଲେ ସେ ଥାଳୀ ଫୋପାଡ଼ି ଦେଉଥିଲେ, ଏବେ ଯେତେ ଲୁଣିଆ ହେଲେବି ପାଟି ଫିଟାଉ ନାହାନ୍ତି । ଶୁଣୁଛି, ଖାତକମାନଙ୍କ ଉପରେବି ସେପରି କଟୁ ବ୍ୟବହାର ନାହିଁ । ମନ୍ଦିରର ଶୁଭ ଦିଆଯିବା ଦିନ ବହୁତ ଖାତକଙ୍କ ବାକି ଟଙ୍କା ଛାଡ଼ କରି ଦେବେ । ଏବେ ପଠାଣୁଣୀକୁ ପାଞ୍ଚ ଜାଗାରେ ପଚିଶ ଟଙ୍କା ଦେଉଛନ୍ତି । ଲେଖିବାକୁ ତ ବହୁତ କଥା ଅଛି; କିନ୍ତୁ ଲେଖୁ ନାହିଁ । ଆପଣ ଏଠାକୁ ଯେବେ ଆସିବେ, ଲୁଚି କରି ଆସିବେ । କାରଣ ଲୋକେ ବଡ଼ ଉତ୍ତେଜିତ ହୋଇଛନ୍ତି । ଆମ ଘରକୁ କେହି ଯିବା ଆସିବା କରୁ ନାହାନ୍ତି ।”

 

ଦ୍ଵିତୀୟ ପତ୍ରଟି ସଲୀମ୍ ଲେଖିଥିଲା–“ମୁଁ ଭାବିଥିଲି ତୁ ଗଙ୍ଗାରେ ବୁଡ଼ି ମରିଛୁ । ତେଣୁ ତୋ ନାମ ଧରି ପିଆଜ ସାହାଯ୍ୟରେ ଦୁଇ–ତିନିଧାର ଲୁହ ଗଡ଼ାଇ ଦେଇଥିଲି ଓ ତୋ ଆତ୍ମାର ସଦ୍‌ଗତି ପାଇଁ ଗୋଟାଏ ବ୍ରାହ୍ମଣକୁ ପଇସାଟାଏ ଦାନବି ଦେଇଥିଲି; କିନ୍ତୁ ଜାଣି ଦୁଃଖିତ ହେଲି ଯେ ତୁ ବଞ୍ଚିଛୁ । ଆଉ ତୁ ମରିଛୁ ଭାବି ଯେଉଁ ଲୁହ ଗଡ଼ାଇଲି ତା’ ତ ବେକାର ହେଲା । ସେଥିପାଇଁ ଦୁଃଖ ନାହିଁ ଯେ, ବରଂ ଆଖିର ଟିକିଏ ଉପକାର ହେଲା କିନ୍ତୁ ଦାନ କରିଥିବା ପଇସା ଗୋଟାକପାଇଁ ମୁଁ ଭାରି ଦୁଃଖିତ । ଭଲଲୋକଟିଏ ! ପାଞ୍ଚ–ପାଞ୍ଚ ମାସ କେହି ଏପରି ନୀରବ ରହେ ! ସୁଖର କଥା, ତୁ ଏଠି ନାହୁଁ । ତୁ ତ ଗୋଟାଏ ଦେଶଭକ୍ତଙ୍କ ପଛଆଡ଼ । ଯେଉଁ ଲୋକ ନିଜର ପ୍ରିୟବନ୍ଧୁଙ୍କ ସଙ୍ଗେ ଏମିତି ବିଶ୍ଵାସଘାତ କରେ, ସେ ଦେଶ ସେବା କରିବ କ’ଣ, ନିଆଁ ନା ପାଉଁଶ !

 

“ଖୁଦାଙ୍କ ଦ୍ଵାହି, ନିତି ତୋ କଥା ମନେପଡ଼େ । କଲେଜକୁ ଯାଏଁ; କିନ୍ତୁ ମନ ଲାଗେ ନାହିଁ । କଲେଜର ଆକର୍ଷଣ ତୋ ପଛେ ପଛେ ଚାଲିଯାଇଛି । ତେଣେ ବାପା ଖାଲି ‘ସିଭିଲ ସର୍ଭିସ୍’ ‘ସିଭିଲ ସର୍ଭିସ୍’ ଭଜି ଭଜି ପ୍ରାଣ ଖାଉଛନ୍ତି । ହେଉ, କେବେ ଆସିବୁ ନା ‘କଳାପାଣି ପାର’ ସଜା ଭୋଗୁଥିବୁ ?

 

“କଲେଜର ହାଲ୍ ପୂର୍ବପରି–ସେହି ତାସ୍, ସେହି ଲେକଚର୍ ଆଭଏଡ଼୍ କରିବା, ସେହି ମ୍ୟାଚ୍ । ହଁ, କନ୍‌ଭୋକେଶନ୍‌ର ଆଡ଼୍ରସ୍ ଭଲ ହୋଇଥିଲା । ଭାଇସ୍ ଚାନ୍‌ସେଲରୁ ସରଳ ଜୀବନ ଉପରେ ଜୋର ଦେଲେ । ତୁ ଥିଲେ ସିନା ସେ ଆଡ଼୍ରେସର ମଜା ଉଠାଇଥାନ୍ତୁ । ମୋତେ ସେ ସବୁ ଫିକା ମାଲୁମ ହେଲା । ସରଳ ଜୀବନ ଯାପନ ବିଷୟରେ ତ ସମସ୍ତେ ଉପଦେଶ ଦେଉଛନ୍ତି; ମାତ୍ର କେହି ତ ଆଦର୍ଶ ହୋଇ ଦେଖାଇ ଦେଉ ନାହାନ୍ତି ! ଏହି ଯେଉଁ ଅସଂଖ୍ୟ ଲେକ୍‌ଚରର ପ୍ରଫେସର୍ ଅଛନ୍ତି, ସେମାନେ କ’ଣ ସରଳ ଜୀବନର ଆଦର୍ଶ ? ସେମାନେ ତ ଷ୍ଟାଣ୍ଡାର୍ଡ଼୍ ଅଫ୍ ଲିଭିଂ (ଜୀବନଧାରଣର ମାନ) ବଢ଼ାଇବାରେ ଲାଗିଛନ୍ତି, ତେବେ ଛାତ୍ରମାନେ କାହିଁକି ପଛେଇବେ ? ସୁବିଧା ଛାଡ଼ି ଅସୁବିଧାରେ କିଏ ଗୋଡ଼ ପୂରାଇବ କାହିଁକି ? ଭାଇସ୍–ଚାନ୍‌ସେଲର୍ ସାହେବ ତାଙ୍କ ଷ୍ଟାଫ୍‍ଙ୍କୁ ଏହି ସରଳ ଜୀବନ ବିଷୟରେ ଉପଦେଶ ଦେଉ ନାହାନ୍ତି କାହିଁକି ? ପ୍ରଫେସର୍ ଭାଟିଆଙ୍କର ତିରିଶ ଯୋଡ଼ା ଜୋତା ଅଛି, ଆଉ ପ୍ରତି ହଳର ଦାମ ଅତି କମ୍‌ରେ ପଚାଶ ଟଙ୍କା କରି ଧରାଯାଉ । ହଉ, ଛାଡ଼ ତାଙ୍କ କଥା । ପ୍ରଫେସର୍ ଚକ୍ରବର୍ତ୍ତୀ ତ ବଡ଼ ମିତବ୍ୟୟୀ ବୋଲି ଖ୍ୟାତି ଅର୍ଜନ କରିଛନ୍ତି । ‘ନାହିଁ, ଘରଣୀ, ନାହିଁ ଘର, ଭରସା କେବଳ ଈଶ୍ୱର’ । ତା’ ସତ୍ତ୍ୱେ ତାଙ୍କର ଚାକର–ବାକର କେତେଟି ଜାଣିଛୁ ? ବା’ର ! ତାହାହେଲେ ଭାଇ, ଆମେମାନେ ତ ଯୁବକ–ମନରେ ନୂଆ ଶୌକ, ନୂଆ ଅରମାନ୍ ଘରେ ମାଗିବୁ, ନ ଦେଲେ ତ କଳି କରିବୁ, ବନ୍ଧୁମାନଙ୍କଠାରୁ ଧାର କରିବୁ, ଦୋକାନଦାରଙ୍କୁ ଖୋସାମତ କରିବୁ; ଯେକୌଣସି ଉପାୟରେ ହେଉ ଆଡ଼ମ୍ବରରେ ରହିବୁ ନିଶ୍ଚୟ । ସେମାନେ ନରକକୁ ଗଲେ ଆମେବି ନରକକୁ ଯିବୁ; ହେଲେ ସେମାନଙ୍କ ପଛରେ-

 

‘‘ସକୀନା ବିଷୟରେ କିଛି–ଶୁଣିବାକୁ ଚାହୁଁ ? ମା’ଙ୍କୁ କୋଡ଼ିଏ ବାର ପଠାଇଲିଣି, ଲୁଗା ପଠାଇଲି; କିନ୍ତୁ କିଛି ନେଲା ନାହିଁ । ମା’ କହୁଥିଲା–ଦିନରେ ଖଣ୍ଡେ–ଅଧେ ରୋଟି ଖାଇଲେ ଖାଇଲା, ନାଇଁ ତ ଚୁପ୍‌ହୋଇ ପଡ଼ିରହୁଛି । ବୁଢ଼ୀ ସଙ୍ଗେ ତା’ର କଥାବାର୍ତ୍ତା ବନ୍ଦ । କାଲି ତୋ ଚିଠି ପାଇଲାମାତ୍ରେ ପଠାଇ ଦେଲି । ତା’ର ଯେଉଁ ଉତ୍ତର ମିଳିଲା, ତା’ର ଅବିକଳ ନକଲ ଏଠାରେ ଦେଉଛି । ଏଠିକି ଆସିଲେ ଅସଲ ଚିଠିଟି ଦେଖିବାକୁ ପାଇବୁ ।

 

“ବାବୁ ! ଏ ଅଭାଗୀନି ପାଇଁ ଆପଣଙ୍କୁ ଏପରି ସଜା ଭୋଗିବାକୁ ପଡ଼ିଲା । ସେଥିପାଇଁ ମୋ ମନରେ ବଡ଼ ଦୁଃଖ । ଆଉ କ’ଣ କହିବି ? ବଞ୍ଚିଛି ଯେତେ ଦିନ, ଆପଣଙ୍କୁ ମନେ ପକାଉଛି । ଏତିକି ଆଶା, ମରିବା ପୂର୍ବରୁ ଥରେ ଆପଣଙ୍କୁ ଦେଖନ୍ତି; କିନ୍ତୁ ସେଥିରେବି ଆପଣଙ୍କର ଦୁର୍ନାମ । ଆଉ ମୁଁ ତ କଳଙ୍କିନୀ ! କାଲି ଆପଣଙ୍କ ଚିଠି ପାଇଲି । ସେତିକିବେଳୁ ମନ ବାରମ୍ବାର ଅଥୟ ହୋଇ ଉଠୁଛି ଆପଣଙ୍କ ପାଖକୁ ଚାଲିଯିବା ପାଇଁ । ଆପଣ କ’ଣ ସେଥିରେ ଅସନ୍ତୁଷ୍ଟ ହେବେ ? ମୋର ତ ସେପରି ଆଶଙ୍କା ନାହିଁ ! କିନ୍ତୁ ମନକୁ ବୁଝାଇବି ଓ ସମ୍ଭବ କଦାପି ମରିବି ନାହିଁ । ରାଗ ହେବାରୁ ତ କେତେବେଳଯାଏ ଆପଣଙ୍କ ଚିଠିଟି ଖୋଲିଲି ନାହିଁ । ହେଲେ ମୋର ଧୈର୍ଯ୍ୟ ବା କେତେ ? ଚିଠି ଖୋଲିଲି, ପଢ଼ିଲି, କାନ୍ଦିଲି, ପୁଣି ପଢ଼ିଲି, ପୁଣି କାନ୍ଦିଲି । କାନ୍ଦିବାରେ ଏତେ ମଜା ଯେ, ମନବୋଧ ହେଉ ନଥାଏ । ଆଉ ଅପେକ୍ଷା କରିବା କଷ୍ଟକର । ଅସହ୍ୟ ହେଲାଣି । ଖୁଦା ଆପଣଙ୍କୁ କୁଶଳରେ ରଖନ୍ତୁ ।”

 

‘‘ଦେଖିଲୁ, ଚିଠିଟି କି ବେଦନାଭରା ! ମୋ ଆଖିକୁ ତ ସେମିତି ଲୁହ ଆସେନା; କିନ୍ତୁ ଏ ଚିଠିଟି ଦେଖି ଲୁହ ସମ୍ଭାଳି ହେଉ ନାହିଁ । କେଡ଼େ ଭାଗ୍ୟବାନରେ ତୁ !”

 

ଅମର ମଥା ଟେକିଲା । ସେତେବେଳେ ତା’ ଆଖିରେ ଥାଏ ମାଦକତା । ସେ ମାଦକତାରେ ଆଳସ୍ୟ ଥାଏ, ନା ଥାଏ ସ୍ଫୁର୍ତ୍ତି । ରକ୍ତିମା ଥାଏ, ନା ଥାଏ ଦୀପ୍ତି । ଉନ୍ମାଦ ଥାଏ ନା । ବିସ୍ମୃତି ଥାଏ ନା । ଥାଏ ଜାଗରଣ । ତା’ର ମାନସଜଗତରେ ଏପରି ଭୂମିକମ୍ପ କେବେ ହୋଇ ନଥିଲା । ତା’ର ଆତ୍ମା ଆଉ କେବେ ଏପରି ଉଦାର, ଏଡ଼େ ବିଶାଳ, ଏପରି ପ୍ରଫୁଲ୍ଲ ନଥିଲା । ତା’ର ଚକ୍ଷୁ ସମ୍ମୁଖରେ ଦୁଇଟି ମୂର୍ତ୍ତି ଉଭା ହୋଇଗଲେ–ଗୋଟିଏ ବିଳାସ–ମଜ୍ଜିତା, ରତ୍ନାଳଙ୍କାର–ଭୂଷିତା, ଗର୍ବୋନ୍ମତ୍ତା; ଅପରଟି ସରଳ–ମାଧୁର୍ଯ୍ୟ ମଣ୍ଡିତା, ଲଜ୍ଜା–ବିନୟ ସମନ୍ଵିତା । ତା’ର ତୃଷାତୁର ଅନ୍ତର ସେହି ସୁବାସିତ ସୁମଧୁର ସରବତକୁ ତ୍ୟାଗ କରି ଏହି ଶୀତଳ ଜଳ ଆଡ଼କୁ ଆକୃଷ୍ଟ ହେଲା । ସେ ପତ୍ରଟିର ସେହି ଅଂଶକୁ ପୁନଃପୁନଃ ପଢ଼ିଲା ଏବଂ ଆବେଶବଶତଃ ଗଙ୍ଗା–ତୀରରେ ପଦଚାରଣା କରିବାକୁ ଲାଗିଲା । ସକୀନା ସଙ୍ଗେ କିପରି ମିଳନ ହେବ ? ଏହି ଗ୍ରାମ୍ୟଜୀବନ କ’ଣ ତା’ର ମନୋନୀତ ହେବ ? କି ସୁକୁମାରୀ ! କି କୋମଳ ! କାହିଁ ସେ, କାହିଁ ପୁଣି ଏପରି କଠୋର ଜୀବନ ଯାତ୍ରା ! କିପରି ଯାଇ ତାକୁ ସାନ୍ତ୍ଵନା ଦେବ ? ତା’ର ସେହି ମୂର୍ତ୍ତିଟି ଅମରର ସ୍ମୃତିପଟରେ ଉଦିତ ହେଲା, ଯେତେବେଳେ ସେ କହିଥିଲା, ‘ବାବୁ, ମୁଁ ବି ଯିବି ।’ ଓଃ, କି ଅପୂର୍ବ ସେ ଅନୁରାଗ ! କୌଣସି ଶ୍ରମିକ ମୃତ୍ତିକା ଖନନ କରୁ କରୁ ଏକ ରତ୍ନ ଲାଭକଲା ଓ ନିଜର ଅଜ୍ଞତାବଶତଃ ଯେପରି ତାକୁ କାଚଖଣ୍ଡ ମନେକରୁଥିଲା ।

 

“ଏତିକି ଆଶା । ଯେ ମରିବା ପୂର୍ବରୁ ଥରେ ଆପଣଙ୍କୁ ଦେଖନ୍ତି ।” ଏହି ବାକ୍ୟଟି ଯେପରି ତା’ର ହୃଦୟରେ ଲାଖିଯାଇଥିଲା ! ତା’ର ମନ ଯେପରି ଗଙ୍ଗାର ଲହରୀରେ ପହଁରି ପହଁରି ସକୀନାକୁ ଖୋଜୁଥିଲା । ଲହରୀମାଳାକୁ ତନ୍ମୟ ହୋଇ ନିରୀକ୍ଷଣ କରୁ କରୁ ଅନୁଭବ କଲା, ଯେପରି ସେ ଭାସିଯାଉଛି । ଚମକିଉଠି ସେ ଘର ଆଡ଼କୁ ଚାଲିଲା । ଚକ୍ଷୁଯୁଗଳରେ ଅଶ୍ରୁ, ନାସାପୁଟରେ ରକ୍ତିମା ଓ ଗଣ୍ଡସ୍ଥଳ ଆର୍ଦ୍ର ।

 

–୨୧–

 

ଗ୍ରାମର ଜଣେ ଲୋକ ବିବାହ–ସ୍ଵୀକାର–ପତ୍ର ଆଣିଛି । ସେହି ଉତ୍ସବ ଉପଲକ୍ଷ୍ୟେ ନୃତ୍ୟ, ଗୀତ, ଭୋଜି ଚାଲିଛି । ତା’ ଦ୍ଵାରରେ ଯୋଡ଼ି–ନାଗରା ବାଜୁଛି । ଗ୍ରାମଯାକର ସ୍ତ୍ରୀ–ପୁରୁଷ, ବାଳ–ବୃଦ୍ଧ ଏକ ହୋଇଛନ୍ତି । ନୃତ୍ୟ ଆରମ୍ଭ ହୋଇଗଲାଣି । ଅମରକାନ୍ତର ପାଠଶାଳା ଆଜି ବନ୍ଦ-। ଲୋକେ ତାକୁବି ଟାଣି ଆଣିଛନ୍ତି ।

 

ପୟାଗ କହିଲା–ଚାଲ ଭାଇ, ତୁମେବି ଖଣ୍ଡେ କାମ ଦେଖାଅ । ଶୁଣିଛି, ତୁମ ଦେଶରେ ଲୋକେ ଖୁବ୍ ନାଚନ୍ତି ।

 

ଅମର କ୍ଷମା ମାଗିବା ପରି କହିଲା–ଭାଇ, ମୋତେ ତ ନାଚ ଆସେ ନାହିଁ ।

 

ତା’ର ଇଚ୍ଛା ହେଉଛି, ନାଚିବା ଜାଣିଥିଲେ ବର୍ତ୍ତମାନ ସମସ୍ତଙ୍କୁ ଚକିତ କରି ଦିଅନ୍ତା ।

 

ଯୁବକ–ଯୁବତୀଙ୍କର ଯୋଡ଼ି ବନ୍ଧା ହୋଇଛି । ପ୍ରତ୍ୟେକ ଯୋଡ଼ି ଦଶ–ପନ୍ଦର ମିନିଟ ନାଚିଚାଲିଯାଉଛି । ନାଚିବାରେ କି ଉନ୍ମାଦନା, କି ଆନନ୍ଦ, ଅମର ବୁଝି ନଥିଲା ।

 

ଯୁବତୀଟିଏ ଓଢ଼ଣା ଟାଣି ରଙ୍ଗଭୂମିକୁ ଆସୁଛି, ଏଣୁ ପୟାଗ ବାହାରୁଛି । ଦୁହେଁ ନୃତ୍ୟ ଆରମ୍ଭ କଲେ । ଯୁବତୀର ଅଙ୍ଗରେ ଏତେ ନମନୀୟତା, ତା’ର ଅଙ୍ଗ ବିଳାସରେ ଏପରି ଭାବ–ବ୍ୟଞ୍ଜନା ଯେ ଲୋକେ ମୁଗ୍ଧ ହୋଇ ଯାଉଛନ୍ତି ।

 

ଏହି ଯୁଗଳ ପରେ ଅନ୍ୟ ଯୁଗଳ ଆସୁଛି–ଯୁବକଟିର ହୃଷ୍ଟପୁଷ୍ଟ ବପୁ, ପ୍ରଶସ୍ତ ବକ୍ଷ, ତା’ ଉପରେ ସୁନା–ମୋହର; କଷି କରି କାଛଣି ପିନ୍ଧିଛି । ଯୁବତୀଟିକୁ ଦେଖି ଅମର ଚମକି ଉଠିଲା । ମୁନ୍ନୀ ଯେ ! ସେ ଘେରଦାର ଘାଗରା ପିନ୍ଧିଛି, ଗୋଲାପୀ ଓଢ଼ଣା ପକାଇଛି ଓ ପାଦରେ ଘୁଙ୍ଗୁର ବାନ୍ଧିଛି । ଗୋଲାପୀ ଓଢ଼ଣୀ ତଳେ ଗାଲ ଦୁଇଟି ଫୁଲ ପରି ବିକଶି ଉଠିଛି । କେତେବେଳେ ହାତରେ ହାତ ଛନ୍ଦି, କେତେବେଳେ କଟିରେ ହାତ ଦେଇ, କେବେ ବା ତାଳେ ତାଳେ କଟି ଦୋହଲାଇ ନୃତ୍ୟରେ ମାତି ଯାଇଛନ୍ତି । ସମସ୍ତେ ମୁଗ୍ଧ ନେତ୍ରରେ ଏହି କଳାକାର ଯୁଗଳର କଳାକୁ ଚାହିଁ ରହିଛନ୍ତି । କି ସ୍ଫୁର୍ତ୍ତି ! କି ଭଙ୍ଗୀ । ସେମାନଙ୍କର ଗୋଟିଏ ଗୋଟିଏ ଭଙ୍ଗୀରେ, ଗୋଟିଏ ଗୋଟିଏ ଗତିରେ କି ମାର୍ମିକତା ! କି ମାଦକତା ! ଦୁହେଁ ହାତରେ ହାତ ମିଳାଇ ନାଚି ନାଚି ରଙ୍ଗଭୂମିର ଏକ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତ ପର୍ଯ୍ୟନ୍ତ ଚାଲିଯାଉଛନ୍ତି ! କେହି କହିଦେବ ଯେକୌଣସି ଗତି ବେତାଳ ହେଉଛି !

 

ପୟାଗ କହିଲା–ଦେଖୁଛ ତ ଭାଇ ! ଭାଉଜ କେମିତି ନାଚୁଛି ! ଆଉ କିଏ ତା’ପରି ନାଚିଲାବାଲା ଅଛି ମ !

 

ଅମର ବିରକ୍ତ ହୋଇ କହିଲା–ହଁ–ହଁ, ଦେଖୁଛି ।

 

“ମନ ହେଉଚି ତ ଉଠ, ମୁଁ ସେ ଟୋକାକୁ ଡାକି ଫେରାଇ ଆଣିବି ।”

 

“ନା, ମୁଁ ନାଚିବି ନାହିଁ ।”

 

ମୁନ୍ନୀର ନାଚ ନ ସରୁଣୁ ଅମର ଉଠି ଘରକୁ ଚାଲିଗଲା । ସେପରି ନିର୍ଲଜ୍ଜତା ସେ ସହିପାରିଲା ନାହିଁ ।

 

ଅଳ୍ପ ସମୟ ପରେ ମୁନ୍ନୀ ଆସି କହିଲା–ତୁମେ ପଳେଇ ଆସିଲ କାହିଁକି, ଲାଲା ? ମୋ ନାଚିବା କ’ଣ ଭଲ ଲାଗିଲା ନାହିଁ ?

 

ଅମର ମୁହଁମୋଡ଼ି କହିଲା–ମୁଁ କ’ଣ ମନୁଷ୍ୟ ନୁହେଁ ଯେ ଭଲକୁ ମନ୍ଦ କହିବି ?

 

ମୁନ୍ନୀ ଆଉ ଟିକିଏ ପାଖେଇ ଯାଇ କହିଲା–ତେବେ ଉଠି ଚାଲି ଆସିଲ କାହିଁକି ?

 

ଅମର ଉଦାସ ହୋଇ କହିଲା–ମୋର ଗୋଟାଏ ପଞ୍ଚାୟତକୁ ଯିବାର ଅଛି । ଲୋକେ ମୋ ବାଟ ଚାହିଁ ବସିଥିବେ । ତୁମେ ନାଚ ବନ୍ଦ କରି ଦେଲ କାହିଁକି ?

 

ମୁନ୍ନୀ ସରଳ ଭାବରେ କହିଲା–ତୁମେ ତ ପଳେଇ ଆସିଲ, ଆଉ ନାଚନ୍ତି କାହିଁକି ?

 

ଅମର ତା’ ଆଖିରେ ଆଖି ପକାଇ କହିଲା–ଖୋଲା ମନରେ କହୁଛ, ମୁନ୍ନୀ ?

 

ମୁନ୍ନୀ ଆଖିକୁ ଆଖି ମିଳାଇ କହିଲା–ମୁଁ ତୁମ ପାଖେ କେବେ ମିଛ କହିଛି ?

 

“ମୋର ଗୋଟିଏ କଥା ମାନ, ଆଉ ଏଣିକି କେବେ ନାଚିବ ନାହିଁ ।”

 

ମୁନ୍ନୀ ଉଦାସ ହୋଇ କହିଲା–ତେବେ ତୁମେ ଏତେ ଟିକିଏ କଥାରେ ରାଗିଗଲ ? ପଚାରି ବୁଝିଲ, ମୁଁ ଆଜି ବହୁଦିନ ପରେ ନାଚିଛି । ଦୁଇବର୍ଷ ହେଲା ମୁଁ ଯୋଡ଼ିନାଗରା ପାଖ ମାଡ଼ି ନାହିଁ । ଲୋକେ କହି କହି ଥକିଛନ୍ତି, ଆଜି ମୋତେ ତୁମେ ନେଇଗଲ, ପୁଣି ଓଲଟି ତୁମେ ବିଗୁଡ଼ୁଛ-!

 

ମୁନ୍ନୀ ଘରକୁ ଚାଲିଗଲା । କିଛି ସମୟ ପରେ କାଶୀ ଆସି କହିଲା–ଭାଉଜ ! ତୁମେ ଏଠି କ’ଣ କରୁଛ ? ତେଣେ ପରା ସମସ୍ତେ ତୁମକୁ ଖୋଜୁଛନ୍ତି !

 

ମୁନ୍ନୀ ମଥା–ବ୍ୟଥାର ଛଳନା କଲା ।

 

କାଶୀ ଆସି ଅମରକୁ କହିଲା–ତୁମେ କାହିଁକି ଚାଲି ଆସିଲ, ଭାଇ ? କ’ଣ ଗାଉଁଲି–ଅଶିକ୍ଷିତଙ୍କ ନାଚ–ଗୀତ ମନକୁ ଗଲା ନାହିଁ ?

 

ଅମର କହିଲା–ନାଇଁରେ ଭାଇ ! ସେ କଥା ନୁହେଁ । ଗୋଟାଏ ପଞ୍ଚାୟତକୁ ଯିବାର ଅଛି, ଡେରି ହେଉଛି ।

 

କାଶୀ କହିଲା–ଭାଉଜ ଯାଉ ନାହିଁ । ତା’ ନାଚ ଦେଖିଲା ପରେ ଆଉ କାହାରି ନାଚ ମନକୁ ପାଉ ନାହିଁ । ଚାଲିଲ, ତୁମେ କହିଲେ ସେ ଯିବ ପରା ! କୋଉ ନିତି ଏମିତି ଦିନ ଆସୁଛି ? ଭାଇ–ସାଇ କଥା । ଲୋକେ କହିବେ–ଆମ କାମ ପଡ଼ିଲାବେଳକୁ ମୁହଁଲୁଚା ଦେଲେ ।

 

ଅମର ଧର୍ମ–ସଙ୍କଟରେ ପଡ଼ି କହିଲା–ତୁମେ ବୁଝାଇ ଦେଲ ନାହିଁ ?

 

ପୁଣି ଭିତରକୁ ଯାଇ କହିଲା–ମୋ ଉପରେ ରାଗିଲ, ମୁନ୍ନୀ ?

 

ମୁନ୍ନୀ ଅଗଣାକୁ ଆସି କହିଲା–ତୁମେ ମୋ ଉପରେ ରାଗିଛ ନା ମୁଁ ତୁମ ଉପରେ ରାଗିଛି ?

 

“ଆଚ୍ଛା, ମୁଁ କହୁଛି, ଚାଲ ।”

 

“ପିଲା ଯେମିତି ମାଛକୁ ଖେଳାନ୍ତି, ତୁମେ ସେଇମିତି ମୋତେ ଖେଳାଉଛ । ମନ ହେଲେ କନ୍ଦେଇ ଦେଲ, ମନ ହେଲେ ହସେଇ ଦେଲ ! ସେ କଥା ହେଇ ପାରିବନି । ତୁମେ ଯେବେ ହାତ ଧରି କହିବ, ‘ଆସ ଆମେ ଦୁହେଁ ନାଚିବା,’ ତେବେ ଯାଇ ମୁନ୍ନୀ ନାଚିବ; ନୋହିଲେ ନୁହ । ମୁନ୍ନୀ ଆଉ କାହାରି ସଙ୍ଗେ ନ ନାଚେ ।”

 

“ତେବେ ବର୍ତ୍ତମାନ ନାଚ ଶିଖିବି ନା କ’ଣ ?”

 

ମୁନ୍ନୀ ନିଜର ବିଜୟ ଅନୁଭବ କରି କହିଲା–ମୋ ସଙ୍ଗେ ନାଚିବ ତ ଆପେଆପେ ଶିଖି ହୋଇଯିବ ।

 

“ତାହାହେଲେ ଶିଖାଇ ଦେବ ?”

 

“ତୁମେ ମୋତେ କାନ୍ଦି ଶିଖାଉଛ, ମୁଁ ତୁମକୁ ନାଚି ଶିଖାଇବି ।”

 

“ଆଚ୍ଛା, ଚାଲ ।”

 

କଲେଜ ସମ୍ମେଳନରେ ଅମର ବହୁବାର ନାଟକ ଅଭିନୟ କରିଛି, ଷ୍ଟେଜ୍‌ରେ ନାଚିଛି ମଧ୍ୟ; କିନ୍ତୁ ସେ ନାଚ ଆଉ ଏ ନାଚ ମଧ୍ୟରେ ପ୍ରଭେଦ ବହୁତ । ତାହା ଥିଲା ବିଳାସୀ–ମଣ୍ଡଳୀର କାମ–କ୍ରୀଡ଼ା, ଏହା ହେଉଛି ଶ୍ରମିକ–ସମାଜର ସ୍ଵଚ୍ଛନ୍ଦ କେଳି । ତା’ର ମନ ସଂକୁଚିତ ହୋଇ ପଡ଼ୁଥାଏ । କହିଲା–ମୁନ୍ନୀ ! ତୁମକୁ ଗୋଟିଏ ବର ମାଗିବି ।

 

ମୁନ୍ନୀ ଅଟକି ଯାଇ କହିଲା–ତେବେ ତୁମେ ନାଚିବ ନାହିଁ ?

 

“ସେଇ ବର ତ ମାଗୁଛି !”

 

ଅମର ରହ–ରହ କହୁ କହୁ ମୁନ୍ନୀ ଫେରି ଚାଲିଗଲା ।

 

ଅମର ମଧ୍ୟ କୋଠରୀକୁ ଯାଇ ଲୁଗାପଟା ପିନ୍ଧି ପଞ୍ଚାୟତକୁ ଚାଲିଗଲା । ତା’ର ସମ୍ମାନ ବଢ଼ୁଛି । ଆଖପାଖର ଗ୍ରାମମାନଙ୍କରେ ପଞ୍ଚାୟତ ବସିଲେ ତାକୁ ନିଶ୍ଚୟ ଡକାଯାଉଛି ।

 

–୨୨–

 

ସୁନ୍ଦରୀ–ଖୁଡ଼ୀ ତା’ ଘରଡ଼ିହ ଖଣ୍ଡିକ ପାଠଶାଳା ପାଇଁ ଦେଇ ଦେଇଛି । ବହୁତ ପିଲା ଆସୁଛନ୍ତି । ସେହି ଛୋଟିଆ କୋଠରୀଟିରେ ଜାଗା ହେଉ ନାହିଁ । ସୁନ୍ଦରୀ–ଖୁଡ଼ୀକୁ କେହି ଜାଗା ମାଗି ନାହିଁ କି କୌଣସି ଚାପବି ଦିଆଯାଇ ନାହିଁ । କେବଳ ଦିନେ ଅମର ଓ ପଧାନ ବସି କଥାବାର୍ତ୍ତା କରୁଥିଲେ ଯେ ନୂଆ ପାଠଶାଳା ତିଆରି ହେବ କେଉଁଠି, ଗାଁରେ ତ ଗୋରୁ ବଳଦପାଇଁବି ଜାଗା ନାହିଁ । ସୁନ୍ଦରୀ ସେମାନଙ୍କ କଥା ଶୁଣୁଥିଲା, ହଠାତ୍‌ କହିଉଠିଲା–ମୋ ଘର ଖଣ୍ଡକ ନଉନ ? ପଛପାଖେ ତ କୋଡ଼ିଏ ହାତ ଜାଗା ଖାଲି ପଡ଼ିଛି । କ’ଣ ଏତକ ଜାଗାରେ ତୁମର କାମ ଚଳିବନି ?

 

ଉଭୟେ ବିସ୍ମୟରେ ସୁନ୍ଦରୀର ମୁହଁକୁ ଚାହିଁ ରହିଲେ ।

 

ଅମର ପଚାରିଲା–‘ତୁ ତେବେ ରହିବୁ କେଉଁଠି, ଖୁଡ଼ୀ ?’

 

ସୁନ୍ଦରୀ କହିଲା–ଉଁହୁଁ, ମୁଁ ଘରଦ୍ଵାର ରଖି କ’ଣ କରିବିରେ, ବାପ ? ତୋ’ରି କୋଠରୀର ଗୋଟେ କୋଣରେ ଆସି ଟିକିଏ ପଡ଼ିଯିବି ।

 

ଗୁଦଡ଼ ମନେମନେ ହିସାବ ଯୋଡ଼ି କହିଲା–ତେବେ ତ ବହୁତ ଜାଗା ବାହାରି ପଡ଼ିବ ।

 

ଅମର ମୁଣ୍ଡ ହଲାଇ କହିଲା–ମୁଁ ଖୁଡ଼ୀର ଘର ନେବାକୁ ଚାହେଁନା । ମହନ୍ତ–ମହାରାଜଙ୍କୁ ସାକ୍ଷାତ କରି ଗାଁ ବାହାରେ ପାଠଶାଳା ତିଆରି କରାଇବି ।

 

ସୁନ୍ଦରୀ–ଖୁଡ଼ୀ ଦୁଃଖିତା ହୋଇ କହିଲା–ମୋ ଜାଗା କ’ଣ ମାରା ହେଇ ଯାଇଚି, ପୁଅ !

 

ଗୁଦଡ଼ ମୀମାଂସା କରି ଦେଲା–ସୁନ୍ଦରୀ ଘର ପାଠଶାଳା ପାଇଁ ନିଆଯାଉ, ତା’ରି ଭିତରେ ଗୋଟିଏ କୋଠରୀ ଅମରପାଇଁ ତିଆରି ହେଉ । ବୁଢ଼ୀ, ଅମର ଘରେ ରହୁ, ଗୋଟାଏ ପାଖକୁ ତା’ର ଗାଈ–ବଳଦ ବାନ୍ଧିବ । ଆରପାଖରେ ସେ ତା’ର ଶୁଆ–ବସା କରିବ ।

 

ଆଜି ସୁନ୍ଦରୀର ମନ ଯେପରି ପ୍ରସନ୍ନ ଅଛି, ସମ୍ଭବତଃ ଆଉ କେବେ ସେପରି ହୋଇ ନଥିବ । ସେହି କଳିହୁଡ଼ୀ ବୁଢ଼ୀ, ଯାହା ଦୁଆରେ କେହି ବଳଦଟିଏ ବାନ୍ଧି–ଦେଲେ କଳି କରିବାକୁ କମର ଭିଡ଼ି ଦଉଡ଼ି ଆସେ, ଯେଉଁ ବୁଢ଼ୀ ତା’ ଦୁଆରେ ପିଲାଙ୍କୁ ଗୋଲି ଖେଳାଇ ଦିଏନା, ସେହି ବୁଢ଼ୀ ଆଜି ତା’ ବଡ଼ବଡ଼ୁଆଙ୍କ ଘରଡ଼ିହ ଖଣ୍ଡିକ ଦାନ କରି ନିଜ ଜୀବନକୁ ସାର୍ଥକ ମନେକରୁଛି । ଏ ଘଟଣା ଅସଙ୍ଗତ ପରି ବୋଧ ହେଉଛି; ମାତ୍ର କୃପଣ ଲୋକହିଁ ଦାନ ଦେବାକୁ ସମର୍ଥ ହୋଇଥାଏ । ତେବେ ଦାନର ହେତୁ ତା’ ଦୃଷ୍ଟିରେ ନିଜର ଆତ୍ମାକୁ କଷ୍ଟ ଦେଇ ଦେଇ ସଞ୍ଚିଥିବା ଧନର ଯୋଗ୍ୟ ହୋଇଥିବା ଉଚିତ ।

 

ଅବିଳମ୍ବେ କାର୍ଯ୍ୟାରମ୍ଭ ହୋଇଗଲା । ଘରମାନଙ୍କରୁ କାଠ ଚାଲି ଆସିଲା, ରସି ଚାଲି ଆସିଲା, କାମ କରିବାକୁ ଲୋକ ବାହାରି ଆସିଲେ, ପଇସାବି ବାହାରି ଆସିଲା । କାହାରିକୁ କହିବା ବୋଲିବାକୁ ପଡ଼ି ନାହିଁ । ସେଇଟି ଯେ ସେମାନଙ୍କ ନିଜର ପାଠଶାଳା ! ସେହିମାନଙ୍କ ପୁଅ–ଝିଏ ତ ପଢ଼ୁଛନ୍ତି । ଏଇ ଛ’–ସାତ ମାସ ମଧ୍ୟରେ ଶିକ୍ଷାର କିଛି କିଛି ପ୍ରଭାବବି ସେମାନଙ୍କ ଉପରେ ପଡ଼ିଲାଣି । ସେମାନେ ଏବେ ପରିଷ୍କାର–ପରିଚ୍ଛନ୍ନ ରହୁଛନ୍ତି । ମିଛ କହିବା କମିଛି, ଛଳନା କମିଛି, ଗାଳିମନ୍ଦ କମିଛି; ଅନ୍ୟ ଘରୁ କୌଣସି ପଦାର୍ଥ ଚୋରି କରି ନେଉ ନାହାନ୍ତି । ସେତେ ଜିଦ୍‍ବି କରୁ ନାହାନ୍ତି, ଘର କାମ ସବୁ ଆଗ୍ରହରେ କରୁଛନ୍ତି । ଏପରି ପାଠଶାଳାକୁ କିଏ ବା ସାହାଯ୍ୟ ନ ଦେବ ?

 

ଫଗୁଣର ଶୀତଳ ପ୍ରଭାତ ସୁନେଲି ପୋଷାକ ପିନ୍ଧି ପାହାଡ଼ ଉପରେ ଖେଳୁଛି । ଅମର କେତେକ ପିଲାଙ୍କୁ ସଙ୍ଗରେ ଧରି ଗଙ୍ଗା–ସ୍ନାନ ସାରି ଫେରୁଛି । କିନ୍ତୁ ଆଜି ଏପର୍ଯ୍ୟନ୍ତ କେହି କାମ କରିବାକୁ ଆସି ନାହିଁ ! କଥା କ’ଣ ? ଅନ୍ୟ ଦିନେ ତ ଅମର ସ୍ନାନସାରି ଫେରିବା ପୂର୍ବରୁ କାରିଗର ଆସିସାରିଥାନ୍ତି । ଆଜି ଏତେବେଳ ହେଲାଣି; ଅଥଚ କାହାରି ଦେଖା ନାହିଁ !

 

ସହସା ମୁନ୍ନୀ ମାଠିଆଟିଏ ମୁଣ୍ଡାଇ ଆସି ପହଞ୍ଚିଗଲା । ସେହି ଶୀତଳ ସୁନେଲି ପ୍ରଭାତ ତା’ର ଗହମୀ ରଙ୍ଗର ମୁଖମଣ୍ଡଳରେ ଖେଳିଯାଉଥାଏ ।

 

ଅମର ହସି ହସି କହିଲା–ଏଇ ଦେଖ, ସୂର୍ଯ୍ୟ–ଦେବତା ତୁମକୁ ଆଖେଇଲେଣି !

 

ମୁନ୍ନୀ ମାଠିଆଟି ମଥାରୁ ଉତାରି ହାତରେ ଧରିଲା, କହିଲା–ଆଉ ତୁମେ ବସି ଚାହିଁ ରହିଛ ।

 

ଟିକିଏ ପରେ ସେ ପୁଣି କହିଲା–ଆଜିକାଲି ତୁମେ ତ ଏକରକମ ଗାଁରେ ରହୁନା । ପାଠଶାଳା ହେଲା ନାହିଁ ଯେ ତୁମ ଦର୍ଶନ ମହଙ୍ଗା ହୋଇଗଲା । ମୋତେ ତ ଡର ଲାଗୁଚି–ତୁମେ ପାଗଳା ହୋଇଯିବ କି କ’ଣ ।

 

“ମୁଁ ତ ଦିନସାରା ଏଇଠି । ତୁମେ ଆହୁରି ଦେଖା ଦେଉନାହଁ, କୁହ । ଆଜି ଏମାନେ ସବୁ ଗଲେ କୁଆଡ଼େ ? କେହି ତ ଆସି ନାହିଁ ।

 

“ଗାଁରେ ଆଉ ଅଛି କିଏ କି ?”

 

“କୁଆଡ଼େ ଯାଇଛନ୍ତି ସବୁ ?”

 

“ବାଃ, ତୁମକୁ ବିଲ୍‍କୁଲ୍ ଖବର ନାହିଁ ! ରାତି ପହଡ଼କରେ ଶିରୋମନପୁର ଜମିଦାରଙ୍କ ଗାଈ ମରିଗଲା । ଏମାନେ ସବୁ ସେଇଠିକି ଯାଇଛନ୍ତି । ଆଜି ସମସ୍ତଙ୍କ ଘରେ ଶିକାର ରନ୍ଧା ହେବ ପରା !”

 

ଅମର ଘୃଣା ପ୍ରକାଶ କଲା–ମଲା ଗାଈ !”

 

“ଆମ ଇଆଡ଼େ ତ ଖାନ୍ତି, ଏମାନେ ।”

 

“କେଜାଣି । ମୁଁ କେବେ ଦେଖି ନାହିଁ । ତୁମେ ତ......”

 

ମୁନ୍ନୀର ମୁଖରେ ଘୃଣା ଫୁଟି ଉଠିଲା–ମୁଁ ତ ସିଆଡ଼କୁ ଅନାଏନି ।

 

“ଏମାନଙ୍କୁ ବୁଝାଅ ନାହିଁ ?”

 

“ଅଃ, ବୁଝେଇଲେ ତ ସେମାନେ ଆଗେ ବୁଝିବେ–ପୁଣି ମୁଁ ବୁଝେଇଲେ !”

 

ଅମରକାନ୍ତର ବଂଶଗତ ବୈଷ୍ଣବ ବୃତ୍ତିକୁ ଏହି ଘୃଣିତ ପୈଶାଚିକ କର୍ମ ଯୋଗୁଁ ଯେମିତି ବାନ୍ତି ଉଠାଇଲା ! ପ୍ରକୃତରେ ତାକୁ ବାନ୍ତି ମାଡ଼ିଲା । ସେ ଛୁଆଁ–ଅଛୁଆଁ ଭେଦକୁ ମନରୁ ଦୂର କରି ଦେଇଥିଲେବି ଅଖାଦ୍ୟ ପ୍ରତି ସେହି ପୁରାତନ ଘୃଣାଭାବ ରହିଥିଲା । ତଦୁପରି ସେ ଏହି ମୁର୍ଦାର ଭୋଜିଙ୍କ ଘରେ ଦଶ–ଏଗାର ମାସ ହେଲା ଖିଆପିଆ କରୁଛି !

 

“ଆଜି ମୋର ଖାଇବା ବନ୍ଦ, ମୁନ୍ନୀ !”

 

‘‘ମୁଁ ତୁମପାଇଁ ଅଲଗା ରୋଷେଇ କରିଦେବି ।”

 

“ନା ମୁନ୍ନୀ ! ଯେଉଁ ଘରେ ସେ ଜିନିଷ ରନ୍ଧାଯିବ, ମୁଁ ସେ ଘରେ ଖାଇପାରିବି ନାହିଁ ।”

 

ସହସା କୋଳାହଳ ଶୁଣି ଅମର ଚାହିଁ ଦେଖିଲା ଯେ ପନ୍ଦର–କୋଡ଼ିଏ ଜଣ ସେହି ମଲା ଗାଈଟିକୁ ବାଉଁଶରେ ଲଦି ବହି ଆଣୁଛନ୍ତି । କି ବୀଭତ୍ସ ସେ ଦୃଶ୍ୟ ! ଅମର ସେଠାରେ ରହିପାରିଲା ନାହିଁ, ଗଙ୍ଗା–କୂଳ ଆଡ଼କୁ ପଳାଇଗଲା ।

 

ମୁନ୍ନୀ କହିଲା–ପଳାଇଗଲେ ଲାଭ କ’ଣ ? ଯଦି ଖରାପ ଲାଗୁଛି, ଯାଇ ବୁଝାଉ ନାହଁ !

 

‘‘ମୋ କଥା କିଏ ଶୁଣିବ, ମୁନ୍ନୀ ?”

 

“ତୁମ କଥା ନ ଶୁଣିବେ ତ ଆଉ କାହା କଥା ଶୁଣିବେ, ଲାଲା ?”

 

‘‘ଯଦି କେହି ନ ମାନନ୍ତି ?”

 

“ଆଉ ଯଦି ମାନିଯା’ନ୍ତି ? ଆସିଲ, ବାଜି ମାରିଲ ଦେଖି !”

 

“ଆଚ୍ଛା, କ’ଣ ବାଜି ରଖୁଛ, ରଖ ।”

 

“ମାନିଗଲେ ଯେବେ ଖଣ୍ଡିଏ ଭଲ ଶାଢ଼ି ଆଣିଦେବ ।”

 

“ଆଉ ନ ମାନିଲେ ତୁମେ ମୋତେ କ’ଣ ଦେବ ?”

 

“କଉଡ଼ି କଡ଼ାଏ ।”

 

ଇତିମଧ୍ୟରେ ସେମାନେ ଆହୁରି ନିକଟକୁ ଚାଲି ଆସିଲେ । ପଧାନ ସେନାପତି ପରି ଆଗେଆଗେ କୁଦାମାରି ଚାଲି ଆସୁଥାଏ ।

 

ମୁନ୍ନୀ ଟିକିଏ ଆଗକୁ ଯାଇ କହିଲା–ଆଣୁଛ ତ ହଁ, ଏଣେ ଲାଲା ପଳାଇ ଯାଉଛନ୍ତି ଯେ-

 

“ଗୁଦଡ଼ କୌତୂହଳୀ ହୋଇ ପଚାରିଲା–କାହିଁକି, କ’ଣ ହେଇଚି ?”

 

“ଏଇ ଗାଈ କଥା ମ । କହୁଛନ୍ତି, ମୁଁ ତୁମମାନଙ୍କ ହାତରୁ ପାଣି ଛୁଇଁବି ନାହିଁ ।”

 

ପୟାଗ ଦୃଢ଼ ସ୍ଵରରେ କହିଲା–କହୁଥାନ୍ତୁହୋ, ଆମ ହାତରୁ ପାଣି ନ ପିଇଲେ ତ ଆମେ ଛୋଟ ହୋଇଯିମୁଁ !

 

କାଶୀ କହିଲା–ବହୁତ ଦିନ ପରେ ଆଜି ଶିକାର ମିଳିଛି, ସେଥିରେ ପୁଣି ଏମିତି ବାଧା !

 

ଗୁଦଡ଼ ସମାଧାନ କରିବାକୁ ଯାଇ କହିଲା–ତେବେ ସେ କହୁଛନ୍ତି କ’ଣ ?

 

ମୁନ୍ନୀ ବିରକ୍ତ ପ୍ରକାଶ କଲା–ସେ କଥା ତାଙ୍କୁ ଯାଇ ପଚାର । ଯେଉଁ ଦରବ ଆଉ କୌଣସି ଉଚ୍ଚ ଜାତିର ଲୋକେ ଖାଆନ୍ତି ନାହିଁ, ଆମେ କାହିଁକି ତାକୁ ଖାଇବା ? ଏଇଥିପାଇଁ ତ ଲୋକେ ଆମକୁ ଛୋଟ ଭାବନ୍ତି ।

 

ପୟାଗ ଆବେଶରେ କହିଲା–ଆମେ କୋଉ ବାହ୍ମୁଣ–କ୍ଷେତ୍ରୀଙ୍କ ଝିଅ ବାହାହବାକୁ ଯାଉଛୁ ଯେ ! ବାହ୍ମୁଣଙ୍କ ପରି ଆମେ କାହା ଦୁଆରକୁ ଭିକ ମାଗି ଯାଉନୁ ତ ? ଯାହାର ଯେମିତି ଚଳଣି ଅଛି ନା ।

 

ମୁନ୍ନୀ ଧିକ୍‌କାର କଲା–ଟିକେ ପାଟି–ସୁଆଦପାଇଁ ଆମକୁ ସମସ୍ତେ ଛୋଟ ଭାବିବେ, ଏଇଟା ଗୋଟାଏ ଭାରି ଭଲ କଥା ?

 

ଗାଈକୁ ସେଇଠି ରଖାଗଲା । ଦୁଇ–ତିନିଟା ଲୋକ ଟାଙ୍ଗିଆ ଆଣିବାକୁ ଧାଇଁଗଲେ । ଅମର ଠିଆ ହୋଇ ଦେଖୁଛି ଯେ ମୁନ୍ନୀ ମନା କରୁଛି; କିନ୍ତୁ କେହି ତା’ କଥାକୁ କାନ ଦେଉ ନାହିଁ । ସେ ଦିଗରୁ ସେ ମୁହଁ ବୁଲାଇ ନେଲା, ସତେବା–ତା’ର ବାନ୍ତି ହୋଇଯିବ । ମୁହଁ ବୁଲାଇ ନେଲେ ମଧ୍ୟ ତା’ ଆଖି ଆଗରେ ସେହି ଦୃଶ୍ୟ ଖେଳି ଯାଉଥାଏ । ତା’ଠାରୁ ପଚାଶ ପହଣ୍ଡ ଦୂରରେ ମଲା ଗୋରୁଟାକୁ‌ କାଟି ଖଣ୍ଡଖଣ୍ଡ କରାଯାଉଛି, ଏ ସତ୍ୟକୁ ସେ କିପରି ଭୁଲିଯାଇ ପାରିବ ? ସେ ସେଠାରୁ ଗଙ୍ଗାକୂଳ ଆଡ଼କୁ ପଳାଇଲା ।

 

ତାକୁ ଗଙ୍ଗାକୂଳ ଆଡ଼କୁ ଯାଉଥିବା ଦେଖି ଗୁଦଡ଼ ଚିନ୍ତିତ ହୋଇ କହିଲା–ଆରେ, ସତକୁସତ ସେ ତ ଗଙ୍ଗାକୂଳକୁ ଯାଉଛି । ବଡ଼ ମନୁଆ ଲୋକ । କାଳେ ଡେଇଁ ଡିଆଁ ପଡ଼େ ପାଣିକି-!

 

ପୟାଗ କହିଲା–ତୁମେ ତୁମ କାମ କରିଯାଅ । ଜୀବନ କାହାକୁ ପିତା ଲାଗିଲାଣି ?

 

ମୁନ୍ନୀ ତା’ ଆଡ଼କୁ କୋପ ଦୃଷ୍ଟି ପକାଇ କହିଲା–ଜୀବନ ସେଇଆକୁ ମିଠା ଲାଗେ, ଯେ ଛୋଟଲୋକ ଆଉ ଛୋଟଲୋକ ହୋଇ ରହିବାକୁ ଚାହାଁନ୍ତି । ଯା’ର ମା’ନ ଅଛି, ଯିଏ କାହାରି ଆଗରେ ମୁଣ୍ଡ ନୁଆଁଇବାକୁ ନ ଚାହେଁ, ସେ ଏପରି କଥାରେ ତ ଜୀବନବି ହରେଇ ଦେବ ।

 

ପୟାଗ ପରିହାସ କଲା–ଭାରି ତ ତା’ ପକ୍ଷ ନେଉଚୁ, ଭାଉଜ । ବାହାଘର କଥା ପକ୍କା ହେଇଗଲାଣି ନା କ’ଣ ?

 

ମୁନ୍ନୀ ଆହତ କଣ୍ଠରେ କହିଲା–ବାବା, ତୁମେ ୟାଙ୍କ କଥା ଶୁଣୁଛ, ଆଉ ମୁହଁ ଖୋଲୁ ନାହଁ । ତାଙ୍କ ସଙ୍ଗରେ ହେଲା ବା ବାହା ହେଲି, ତେବେ କ’ଣ ଲୋକେ ହସିବେ ? ପୁଣି ମୁଁ ଯେବେ ସେ କଥା କରିବାକୁ ମନ କରେ, ମତେ ତ କେହି ବାଧା ଦେଇପାରିବ ନାହିଁ । ହଉ, ଏଇ କଥାରେ ମୁଁ ଦେଖୁଛି, କେମିତି ଘରକୁ ଶିକାର ଯିବ । ଆଗେ ମୋ ବେକରେ ଟାଙ୍ଗିଆ ମାର ।

 

ମୁନ୍ନୀ ଭିତରକୁ ପଶିଯାଇ ଗାଈ ପାଖରେ ବସିପଡ଼ିଲା ଓ ଡାକ ଦେଲା–ଆସ, କିଏ ଟାଙ୍ଗିଆ ମାରିବ ? ମୁଁ ଏଠୁ ଉଠିବି ନାହିଁ ।

 

ପୟାଗ କାତର ହୋଇ କହିଲା–‘ଡରେଇ ଖାଉଛୁ ନଈକ ମାଛ, ହଲେଇ ଖାଉଛୁ ବରକୋଳି ଗଛ ।’ ନା କ’ଣ ?

ମୁନ୍ନୀ କହିଲା–ତୁମରି ପରି ଲୋକ ଜାତି–ଭାଇଙ୍କୁ ବଦନାମ କରିଛ । ତା’ ଉପରେ କେହି ଭଲ କଥା କହିଲା ତ ଓଲଟି ଲଢ଼େଇ କରିବାକୁ ତିଆର !

 

ଗୁଦଡ଼ ପଧାନ ଗଭୀର ଚିନ୍ତାରେ ମଗ୍ନ ହୋଇ ଠିଆ ହୋଇଥିଲା । ଦୁନିଆରେ ହାଉଆ କେଉଁ ଆଡ଼କୁ ବହୁଛି, ସେ ବିଷୟରେ ତାକୁ କିଛି କିଛି ଜଣାଥିଲା । ଅମର ସହିତ ସେ ବିଷୟରେ ତା’ର ବହୁବାର ଆଳାପ ହୋଇଛି । ସେ ଗମ୍ଭୀର ଭାବରେ କହିଲା–ଭାଇମାନେ ! ଏଠି ଗାଁର ସମସ୍ତେ ଠୁଳ ହେଇଚ । ଏବେ କ’ଣ କରିବା କୁହ ।

 

ବିଶାଳବୟ ଯୁବକଟିଏ କହିଲା–ତୁମେ ଯା’ କହିବ, ଆମ ସମସ୍ତଙ୍କର ସେଇଆ । ତୁମେ ତ ହେଲ ଆମ ପଧାନ ।

 

ବାପକୁ ବିଚଳିତ ହେଉଥିବା ଦେଖି ପୟାଗ ଅନ୍ୟମାନଙ୍କୁ ଡାକ ଦେଲା–ଏତେ ଲୋକ ତ ଅଛ, ଠିଆ ହେଇ ମୁହଁକୁ ଚାହିଁଚ କ’ଣ ? ମୁନ୍ନୀ ହାତକୁ ଧରି ଟାଣି ନେଇ ଯାଉନ କାହିଁକି ? ମୁଁ ଟାଙ୍ଗିଆ ଧରି ଠିଆ ହେଇଚି ।

 

ମୁନ୍ନୀ କ୍ରୋଧରେ କହିଲା–ମୋ ମାଂସ ଖାଇ ଯାଉନାହଁ, ଖରାପ କ’ଣ ? ଏ ବି ସେଇମିତି ମାଂସ ତ !

 

ଆଉ କେହି ଆଗକୁ ନ ବାହାରିବା ଦେଖି ପୟାଗ ନିଜେ ଯାଇ ମୁନ୍ନୀର ହାତକୁ ଧରିପକାଇ ତାକୁ ଟାଣି ନେବାକୁ ଯାଉଛି, କାଶୀ ତାକୁ ଜୋରରେ ଗୋଟାଏ ଧକ୍କା ଦେଲା ଓ ଆଖି ଲାଲ କରି କହିଲା–ଏ ଭାଇ, ତା’ ଦିହରେ ଯେବେ ହାତ ଦେଉ, ତେବେ ଖୁନ୍ ହେଇଯିବ, କହି ଦଉଚି । ଆମ ଘରକୁ ଗୋରୁ ମାଂସର ଗନ୍ଧବି ଯାଇପାରିବ ନାହିଁ । ଗୋଟାଏ ବଡ଼ ବୀର ବାହାରି ପଡ଼ିଲା ସିଆଡ଼ୁ !

 

ବିଶାଳବପୁ ଯୁବକଟି କହିଲା–ମଲା ଗୋରୁ ମାଂସରେ ଏମିତି କି ମଜା ଅଛି ଯେ, ତା’ପାଇଁ ମରିଯାଉଚ ସମସ୍ତେ । ଚମଡ଼ା ଉତାରି ନିଅ, ଗାଢ଼ ଖୋଳି ମାଂସ ସବୁ ପୋତି ପକାଅ; ତା’ ଯେବେ ଅମର ଭାଇଙ୍କ ମତ ହୁଏ, ଆମେ ତ ତାଙ୍କର କଥା ମୁତାବକ ଚଳିବା । ତାଙ୍କ କଥାରେ ଚଳିଲେ ତ ଆମର ଉଦ୍ଧାର ହେଇଯିବ । ଆମେ ମଦ–ସରାବ ପିଉଛେ, ମଡ଼ା–ମାଂସ ଖାଉଛେ, ଆଉ ଚମଡ଼ା କାମ କରୁଛେ ବୋଲି ତ ଦୁନିଆଟା ଆମକୁ ଅଛୁଆଁ କହୁଛି । ୟା ଛଡ଼ା ଆମର ଆଉ କି ଦୋଷଟାଏ ଅଛି ? ମଦ ସରାବ ଆମେ ବିଲ୍‍କୁଲ୍ ଛାଡ଼ିଦେବା, ଆମେ ଛାଡ଼ିବା କ’ଣ ଯୁଗ ତ ଛଡ଼େଇ ଦଉଚି; ଆଉ ମଡ଼ା ମାଂସରେ ବା ଅଛି କ’ଣ, ବାକି ରହିଲା ଚମଡ଼ା କାମ । ସେଟାକୁ କେହି ଖରାପ ବୋଲି କହିପାରିବ ନାହିଁ । ଆଉ ଯେବେ ବା କେହି କହେ, ତେବେ ଆମର ପରୁଆ ନାହିଁ । ଚମଡ଼ା ଧରିବା ବିକିବା ଖରାପ କାମ ନୁହେଁ ।

 

ଗୁଦଡ଼ ଯୁବକଟିକୁ ଆଦର ଦୃଷ୍ଟିରେ ଚାହିଁଲା–ତୁମେସବୁ ଭୁରା କଥା ତ ଶୁଣିଲ । ସମସ୍ତଙ୍କର ଏଇ ବିଚାର ତ ?

 

ଭୁରା କହିଲା–ଯେବେ କାହାରି ଓଜର–ଆପତ୍ତି ଅଛି, କହୁ ।

 

ବୁଢ଼ାଟିଏ କହିଲା–ଖାଲି ତୁମେ–ଆମେ ଛାଡ଼ି ଦେଲେ କ’ଣ ହେବ ? ଜାତିଭାଇ ସମସ୍ତେ ତ ଖାଉଛନ୍ତି ।

 

ଭୁରା ଉତ୍ତର ଦେଲା–ଜାତି–ଭାଇ ଖାଉଛନ୍ତି, ଜାତି–ଭାଇ ଛୋଟ ହେଇ ରହିଥାନ୍ତୁ । ଆପଣ ଧରମ ଆପଣାକୁ ସାହା ହେବ ।

 

ଗୁଦଡ଼ ପଧାନ ଭୁରାକୁ ସମ୍ବୋଧନ କଲା–ତୁ ଠିକ୍ କହିଚୁ, ଭୁରା ! ପିଲାଙ୍କ‌ ପଢ଼ିବା କଥା ଦେଖୁନ, ପହିଲେ କେହି ପିଲା ପଠାଉଥିଲା ? ହେଲେ ଆମ ପିଲାଏ ଯେତେବେଳେ ପଢ଼ିଲେ, ଅନ୍ୟ ଗାଁମାନଙ୍କରୁ ପିଲେ ଆଇଲେ ତ ।

 

କାଶୀ କହିଲା–ମଡ଼ା–ମାଂସ ନ ଖାଇଲେ ଜାତି–ଭାଇଏ ଆମକୁ ଦୋଷୀ କହିବେ ନାହିଁ କି ଫାଶୀ ଦେବେ ନାହିଁ । ଏ ଜବାବ ମୁଁ ଦେଉଛୁ । ଦେଖିବ, ଆଜି ଏ କଥା ସଞ୍ଜସୁଦ୍ଧା ଚାରିଆଡ଼େ ଉଆକା ହେଇ ଯାଇଥିବ; ଆଉ ସେମାନେବି ଠିକ୍ ଏଇଆ କରିବେ । ଅମର ଭାଇଙ୍କର କେତେ ଖାତିରି । କା’ର ସାଧ୍ୟ ଅଛି ଯେ ତାଙ୍କ କଥା କାଟିଦେବ !

 

ପୟାଗ ଦେଖିଲା–ତା’ କଥା ରହୁନାହିଁ । ତେଣୁ ସମସ୍ତଙ୍କୁ ଧିକ୍‌କାର କରି କହିଲା,–‘ଏଇଛୁଣି ମାଈକିନିଆଙ୍କ ରାଜୁତି, ମାଈକିନାଏ ଯା’ କରିବେ ସେଇଆ ହବ ।” କହୁ କହୁ ଟାଙ୍ଗିଆଟା ଧରି ଘରକୁ ଚାଲିଗଲା ।

 

ଗୁଦଡ଼ ଲମ୍ବା ଲମ୍ବା ପହଣ୍ଡ ବଢ଼ାଇ ଗଙ୍ଗା ଆଡ଼କୁ ଚାଲିଲା । ଡାକେ ଦୂରରୁ ପାଟି କରି କହିଲା–ଏଠେଇଁ ଠିଆ ହେଇଚ କ’ଣ, ବାପା ! ଘରକୁ ଚାଲ । ସବୁ ଝଗଡ଼ା ଛିଣ୍ଡିଗଲାଣି ।

 

ଅମର ଚିନ୍ତାମଗ୍ନ ଥିଲା । ଶବ୍ଦ ତା’ କାନରେ ପହଞ୍ଚି ପାରିଲା ନାହିଁ ।

 

ପଧାନ ଆହୁରି ପାଖେଇ ଯାଇ କହିଲା–ଏଠି କେତେବେଳ ଆଉ ଠିଆ‌ ହେଇଥିବ, ବାପା !

 

“ନାଇଁ ମଉସା ! ମୁଁ ଏଇଠି ରହିବି । ତୁମେମାନେ ସେଠି କଟାକଟି କରିବ, ମୁଁ ସେ ସବୁ ଦେଖିପାରିବି ନାହିଁ । ତୁମର କାମ ସରିଗଲେ ମୁଁ ଯିବି ।”

 

“ବୋହୂ, କହୁଥିଲା, ତୁମେ କାଳେ କହୁଚ, ଆମ ଘରେ ଖାଇବନି ?”

 

“ହଁ ମଉସା । ଆଜି ତ ଖାଇବି ନାହିଁ । ମୋର ବାନ୍ତି ହୋଇଯିବ ।”

 

“ଆମ ଆଡ଼େ ତ କେତେକାଳୁ ଏଇ ଧନ୍ଦା ଚାଲୁଚି ।”

 

“ଦୁଇ ଚାରି ଦିନ ପରେ ମୋରବି ଅଭ୍ୟାସ ହୋଇଯିବ ।”

 

“ତୁମେ ମନେମନେ ଆମକୁ ରାକ୍ଷସ ବୋଲି ଭାବୁଥିବ ।”

 

ଅମର ଛାତିରେ ହାତ ଦେଇ କହିଲା–ନାଇଁ ମଉସା । ମୁଁ ତ ତୁମମାନଙ୍କଠାରୁ କିଛି ଶିଖିବାକୁ, ତୁମମାନଙ୍କ ସେବା କରି ନିଜେ ମୁକ୍ତି ପାଇବାକୁ ଆସିଛି । ଯାହାର ଯେପରି ପ୍ରଥା ଅଛି । ଚୀନ୍ ଗୋଟାଏ ବହୁତ ବଡ଼ ଦେଶ । ସେଠାରେ ଅଧିକାଂଶ ଲୋକ ବୁଦ୍ଧଦେବଙ୍କୁ ମାନନ୍ତି । ସେମାନଙ୍କ ଧର୍ମରେ କୌଣସି ପ୍ରାଣୀକୁ ମାରିବା ପାପ । ତେଣୁ ସେମାନେ କେବଳ ମଲାଜୀବ ଖା’ନ୍ତି–କୁକୁର, ବିଲେଇ, ଶିଆଳ, କାହାରିକୁ ବାଦ୍ ଦିଅନ୍ତି ନାହିଁ । ତେବେ ସେମାନେ କ’ଣ ଆମଠୁଁ ନୀଚ ? କେଭେ ନୁହେଁ । ଆମରି ଦେଶର କେତେ ବ୍ରାହ୍ମଣ–କ୍ଷତ୍ରିୟ ତ ମାଂସ ଖାଆନ୍ତି । ସେମାନେ ଜିଭର ସ୍ଵାଦପାଇଁ ଜୀବହତ୍ୟା କରନ୍ତି । ତୁମେ ତ ସେମାନଙ୍କ ତୁଳନାରେ ବହୁତ ଭଲ ।

 

ଗୁଦଡ଼ ପଧାନ ହସିଦେଇ କହିଲା–ତୁମେ ଭାରି ବୁଦ୍ଧିଆ । ତୁମକୁ କିଏ ପାରିବ ? ଚାଲ, ଏଣିକି କେହି ମଡ଼ା ଖାଇବେ ନାହିଁ । ଆମେ ଏ କଥା ସାର କରିଛୁଁ । ଆମେ ଆଉ ସାର କଲୁଁ କ’ଣ, ବୋହୂ ସାର କରିଦେଲା । ହେଲେ ଚମଡ଼ାଟା ଫିଙ୍ଗି ଦେବାକୁ ପଡ଼ିବ ନା ନାଇଁ ?

 

ଅମର ପ୍ରସନ୍ନ ହୋଇ କହିଲା–ନାଇଁ ମଉସା ! ଚମଡ଼ା ଫିଙ୍ଗିଦେବ କାହିଁକି ? ଜୋତା ତିଆରି କରିବା ତ ସବୁଠୁ ବଡ଼ ସେବା; କିନ୍ତୁ ଭାଉଜ କ’ଣ ଭାରି ବିଗିଡ଼ିଥିଲେ ?

 

ଗୁଦଡ଼ କହିଲା–ଖାଲି ବିଗିଡ଼ିଥିଲା କ’ଣ, ବାପ ? ଜୀବନ ଦେବାକୁ ତିଆର ହେଇଥିଲା ନା ! ଗାଈ ପାଖରେ ବସିଯାଇ କହିଲା–ଏବେ ଟାଙ୍ଗିଆ ଚଲାଅ । ପହିଲି ଚୋଟ ମୋ ବେକରେ ବସାଅ । ଆଉ କାହାରି ସାହସ ହେଲା କି ଟାଙ୍ଗିଆ ଉଠେଇବାକୁ !

 

ଅମରକାନ୍ତର ହୃଦୟ ସତେ କି କୁଦିପଡ଼ି ମୁନ୍ନୀର ପାଦ–ପ୍ରାନ୍ତରେ ଲୋଟିବାକୁ ଲାଗିଲା-

 

–୨୩–

 

କେତେ ମାସ ବିତିଗଲାଣି । ଗାଁ’କୁ ଆଉ କେବେ ମୁର୍ଦ୍ଦାର ମାଂସ ଆସି ନାହିଁ । ଆହୁରି ଆଶ୍ଚର୍ଯ୍ୟର କଥା ଯେ ଅନ୍ୟାନ୍ୟ ଗ୍ରାମର ଚମାରମାନେବି ମୁର୍ଦ୍ଦାର ମାଂସ ଖାଇବା ଛାଡ଼ି ଦେଇଛନ୍ତି । ଶୁଭ–ଉଦ୍ୟୋଗ ପ୍ରାୟ ସଂକ୍ରାମକ ହୋଇଥାଏ ।

 

ଅମରର ପାଠଶାଳା ଏବେ ନୂଆ କୋଠାଘରକୁ ଉଠି ଆସିଲାଣି । ଶିକ୍ଷା ପ୍ରତି ଲୋକମାନଙ୍କର ଏପରି ଆଗ୍ରହ ସୃଷ୍ଟି ହୋଇଛି ଯେ, ଯୁବକ ତ ଯୁବକ, ବୁଢ଼ାମାନେବି ପହଞ୍ଚିଯାଉଛନ୍ତି ଓ କିଛି ହେଲେ ଶିଖି ଯାଉଛନ୍ତି । ଅରରର ଶିକ୍ଷା–ଶୈଳୀ ଥିଲା ଆଲୋଚନାତ୍ମକ । ଅନ୍ୟ ଦେଶମାନଙ୍କର ସାମାଜିକ ଓ ରାଜନୈତିକ ପ୍ରଗତି, ନୂତନ ନୂତନ ଆବିଷ୍କାର, ନୂଆ ନୂଆ ଚିନ୍ତାଧାରା ତା’ ପାଠର ମୁଖ୍ୟ ବିଷୟ । ଦେଶ ଦେଶାନ୍ତରର ରୀତି–ନୀତି, ଆଚାର–ବିଚାର କଥା ସମସ୍ତେ ଆଗ୍ରହରେ ଶୁଣନ୍ତି । କେବେକେବେ ସେ ଦେଖି ବିସ୍ମିତ ହୁଏ ଯେ ଏହି ନିରକ୍ଷର ଲୋକମାନେ ଜଟିଳ ସାମାଜିକ ସିଦ୍ଧାନ୍ତକୁ ବଡ଼ ସହଜରେ ବୁଝିପାରୁଛନ୍ତି । ସମଗ୍ର ଗ୍ରାମରେ ଗୋଟାଏ ନୂତନ ଜୀବନ ପ୍ରବାହିତ ହେଲାପରି ବୋଧ ହେଉଛି । ଅନ୍ୟ ଗ୍ରାମମାନଙ୍କରୁ ଉଚ୍ଚ ଜାତିର ଲୋକେ ଅଧିକାଂଶ ସମୟରେ ଆସୁଛନ୍ତି ।

 

ଦିନଯାକ ପରିଶ୍ରମ କରିବା ପରେ ଅମର ଶୋଇରହି ଖଣ୍ଡିଏ ଉପନ୍ୟାସ ପଢ଼ୁଛି । ମୁନ୍ନୀ ଆସି ଠିଆ ହେଲା । ଅମର ପଢ଼ାରେ ଏପରି ଲିପ୍ତ ଥିଲା ଯେ ମୁନ୍ନୀ ଆସିଛି ବୋଲି ତାକୁ ଜଣାନାହିଁ-। ରାଜସ୍ଥାନର ବୀରାଙ୍ଗନାମାନଙ୍କର ବଳିଦାନ–ସେହି ଉଦ୍ଦୀପ୍ତ ବଳିଦାନ, ବିଶ୍ଵ–ଇତିହାସରେ ଯାହାର ତୁଳନା ନାହିଁ, ଯାହା ପାଠ କରି ଆଜି ସୁଦ୍ଧା ଆମର ମସ୍ତକ ଗର୍ବରେ ଉନ୍ନତ ହୋଇ ଉଠେ-। ଜୀବନକୁ କିଏ ବା ଏପରି ତୁଚ୍ଛ ମନେକରିବ ! ମର୍ଯ୍ୟାଦା–ରକ୍ଷାର ଏପର ଅଲୌକିକ ଆଦର୍ଶ ଆଉ କେଉଁଠି ମିଳିବ ? ଆଜିର ବୁଦ୍ଧିବାଦ ସେହି ବୀର–ମାତାମାନଙ୍କ ଉପରେ ଯେତେ ପଙ୍କ–ବୃଷ୍ଟି କଲେ ମଧ୍ୟ ଆମର ଶ୍ରଦ୍ଧା ସେହି ଦେବୀମାନଙ୍କର ପଦପ୍ରାନ୍ତରେ ସତତ ନତମସ୍ତକ ହେଉଥିବ-

ମୁନ୍ନୀ ନୀରବରେ ଠିଆ ହୋଇ ଅମରର ମୁଖକୁ ଚାହିଁ ରହିଛି । ଆଜିକୁ ଏକବର୍ଷ ହେବ ତା’ ହୃଦୟାକାଶରେ ଯେଉଁ କ୍ଷୁଦ୍ର ମେଘ ଖଣ୍ଡକ ପକ୍ଷୀସଦୃଶ ଉଡ଼ି ଆସି ଦେଖା ଦେଇଥିଲା, ତାହା କ୍ରମେ କ୍ରମେ ସମ୍ପୂର୍ଣ୍ଣ ଆକାଶକୁ ଆଚ୍ଛନ୍ନ କରି ଦେଇଛି । ଅତୀତର ଜ୍ଵାଳାରେ ଦଗ୍ଧ କାମନା ସକଳ ଏହି ଶୀତଳ ଛାୟାରେ ପୁନଶ୍ଚ ସବୁଜଶ୍ରୀ ଧାରଣ କରୁଛି । ସେହି ଶୁଷ୍କ ଜୀବନ–ଉଦ୍ୟାନ ସୌରଭ ଓ ବିକାଶ ଧରି ଲହରୀ ତୋଳୁଛି । ମୁନ୍ନୀର ଯା’ମାନେ ଅନ୍ୟମାନଙ୍କ ପାଇଁ ରନ୍ଧାବଢ଼ା କରନ୍ତି; ମାତ୍ର ଅମରପାଇଁ ସେ ନିଜେ ସବୁ କରେ । ଅମର ତ ଦୁଇଖଣ୍ଡି ରୋଟି ଖାଏ; ମାତ୍ର ସେ ଅଶିକ୍ଷିତାମାନେ ମୋଟାରୋଟା କରି ଥୋଇ ଦିଅନ୍ତି । ଅମର ତାକୁ କୌଣସି କାର୍ଯ୍ୟ କରିବାକୁ କହିଲେ ତା’ର ମୁଖମଣ୍ଡଳରେ ଆନନ୍ଦର ଜ୍ୟୋତି ଝଲକି ଉଠେ । ସେ ଏକ ନୂତନ ସ୍ଵର୍ଗର କଳ୍ପନା କରେ, ଏକ ନୂତନ ଆନନ୍ଦର ସ୍ଵପ୍ନ ଦେଖିବାକୁ ପାଏ ।

ସେ ଦିନ ସୁନ୍ଦର ହସି ହସି ତାକୁ କହିଲା–ତୋ’ରି ଭାଗ୍ୟବଳରୁ ଅମର ଏଠିକି ଆସିଲେ, ଲୋ ମୁନ୍ନୀ ! ଏଣିକି ତୋ ଦିନ ଫେରିବ ।

ମୁନ୍ନୀ ହର୍ଷକୁ ମୁଠାରେ ଚାପି ଧରିଲା ପରି କହିଲା–କ’ଣ ଯେ ତୁ କହୁ, ଖୁଡ଼ୀ ! ସେ କେଉଁଠି, ପୁଣି ମୁଁ କେଉଁଠି ! ମୋଠୁଁ କେତେ ବର୍ଷ ଛୋଟ ହେବେ ସେ । ତା’ ସାଙ୍ଗକୁ ଏମିତି ବିଦ୍ୟା, ଏମିତି ବୁଦ୍ଧି ! ମୁଁ ତ ତାଙ୍କ ଜୋତାକୁ ସରି ନୁହେଁ ।

 

ସୁନ୍ଦରୀ କହିଲା–ତା’ ତ ଠିକ୍‍ଲୋ ଝିଅ । ହେଲେ ମୁଁ ଦେଖୁଛି, ତା’ ଉପରେ ତୋ ଯାଦୁ ମନ୍ତର ଖୁବ୍ କାଟୁ କରୁଛି । ଭାରି ଲାଜକୁରା ଜଣାଯାଉଛି । ସେଇଥିପାଇଁ କିଛି କହନ୍ତି ନାହିଁ, ହେଲେ ତୁ ତା’ ମନରେ ଲାଖିଯାଇଛୁଲୋ, ବିଶ୍ଵାସ କର । ତୋତେ କ’ଣ ଏତିକି ଦିଶୁନି ? ତୋତେ ତା’ ଲାଜ ଛଡ଼େଇବାକୁ ପଡ଼ିବ ।

 

ମୁନ୍ନୀ ପୁଲକିତା ହୋଇ କହିଲା–ତୋ’ରି କଲ୍ୟାଣଲୋ ଖୁଡ଼ୀ ! ତୁ କଲ୍ୟାଣ କଲେ ମୋ ଆଶା ପୂରଣ ହୋଇଯିବ ।

 

ମୁନ୍ନୀ କିଛିକ୍ଷଣ ଅମରକୁ ଚାହିଁଲା ପରେ କୁଡ଼ିଆ ଭିତରକୁ ଯାଇ ତା’ ଖଟଟି ବାହାର କରି ଆଣିଲା । ଅମରର ଧ୍ୟାନ ଭାଙ୍ଗିଗଲା । କହିଲା–ଥାଉ, ମୁଁ ନିଜେ ବିଛଣା ପାରିଦେବି । ତୁମେ ମୁନ୍ନୀ, ମୋତେ ଏପରି ସ୍ନେହ କଲେ ମୁଁ ଅଳସୁଆ ପାଲଟିଯିବି ଯେ ! ଆସ, ତୁମକୁ ହିନ୍ଦୁ ଦେବୀମାନଙ୍କ କଥା ଶୁଣାଏଁ ।

 

“ଗୋଟାଏ ଗପ ନା କ'ଣ ?”

 

“ନା, ଗପ ନୁହେଁ–ସତ ଘଟଣା ।”

 

ଅମର ମୁସଲମାନ ଆକ୍ରମଣ, କ୍ଷତ୍ରିୟାଣୀମାନଙ୍କ ଜୌହର ଓ ରାଜପୁତ ବୀରମାନଙ୍କ ଶୌର୍ଯ୍ୟ ବିଷୟ କହୁ କହୁ କହିଲା–ସେହି ମହିଳାମାନେ ନିଆଁରେ ଝାସ ଦେବାକୁ ବରଂ ପସନ୍ଦ କରୁଥିଲେ; କିନ୍ତୁ ପରପୁରୁଷଙ୍କ ଦୃଷ୍ଟି ସେମାନଙ୍କ ପକ୍ଷେ ଅସହ୍ୟ ଥିଲା । ନିଜ ମର୍ଯ୍ୟାଦା ରକ୍ଷା କରିବାପାଇଁ ସେମାନେ ଆତ୍ମବଳି ଦେଉଥିଲେ । ଆମ ମହିଳାମାନଙ୍କର ଆଦର୍ଶ ଥିଲା ଏହିପରି । ଆଜି ୟୁରୋପର ଆଦର୍ଶ ଦେଖ । ଜର୍ମାନ୍ ସୈନ୍ୟମାନେ ଫ୍ରାନ୍‌ସ୍‌ ଆକ୍ରମଣ କରିଯିବାରୁ ଗ୍ରାମମାନଙ୍କରେ ପୁରୁଷ ରହିଲେ ନାହିଁ । ଏଣେ ଫ୍ରାନ୍‌ସ୍‌ର ରମଣୀମାନେ ଜର୍ମାନ୍ ସୈନ୍ୟ ଓ ସେନାପତିଙ୍କ ସହିତ ପ୍ରେମକ୍ରୀଡ଼ାରେ ମାତିଗଲେ ।

 

ମୁନ୍ନୀ ନାସା–କୁଞ୍ଚନ କରି କହିଲା–ସେମାନଙ୍କ ମନ ତ ବଡ଼ ଚଞ୍ଚଳ; କିନ୍ତୁ ସେକାଳର ସ୍ତ୍ରୀମାନେ ଜିଇ ଥାଉଁଥାଉଁ ନିଆଁରେ ଜଳୁଥିଲେ କିପରି ?

 

ଅମର ପୁସ୍ତକ ବନ୍ଦ କରିଦେଲା–ବଡ଼ କଠିନ, ମୁନ୍ନୀ ! ଏବେ ତ ଏମାନେ ଟିକିଏ ନିଆଁ ବାଜିଗଲେ ବିକଳ ହୋଇ ଉଠୁଛନ୍ତି । ସେଇଥିପାଇଁ ତ ସେମାନଙ୍କ ନାମ ଶୁଣିଲେ ସଂସାର ଆଜି ମୁଣ୍ଡ ନୁଆଁଉଛି । ଏ କଥାସବୁ ପଢ଼ିବସିଲେ ମୋର ରୋମ ଟାଙ୍କୁରି ଉଠେ । ଯେଉଁ ପବିତ୍ର ଭୂମିରେ ସେହି ଦେବୀମାନଙ୍କର ଚିତା ପ୍ରସ୍ତୁତ ହୋଇଥିଲା, ମନହୁଏ ସେହିଠାରୁ ଧୂଳି ଆଣି ମଥାରେ ବୋଳିବାକୁ, ଆଖିରେ ଲଗାଇବାକୁ ଓ ସେଇଠି ମରିଯିବାକୁ ।

 

ମୁନ୍ନୀ ଚିନ୍ତାରେ ମଗ୍ନ ହୋଇ ଭୂମିକୁ ଚାହିଁ ରହିଥାଏ । ଅମର ପୁଣି କହିଲା–କେବେକେବେ ଏପରି ମଧ୍ୟ ହୋଇଛି ଯେ ପୁରୁଷକୁ ଘରର ମାୟାମୋହରୁ ମୁକ୍ତ କରିବାପାଇଁ ନାରୀମାନେ ସେମାନଙ୍କ ଯୁଦ୍ଧଯାତ୍ରା ପୂର୍ବରୁ ଅଗ୍ନିରେ ଝାସ ଦେଇଛନ୍ତି । ପ୍ରାଣ ମନୁଷ୍ୟର ଏତେ ପ୍ରିୟ ଯେ ବୁଢ଼ା ମଧ୍ୟ ମରିବାକୁ ଚାହେଁ ନାହିଁ । ଆମେ ନାନା କଷ୍ଟ ସହି ମଧ୍ୟ ବଞ୍ଚିରହିଛୁ, ବଡ଼ବଡ଼ ମୁନି–ଋଷିମାନେ ମଧ୍ୟ ଜୀବନର ମୋହ ଛାଡ଼ି ପାରନ୍ତି ନାହିଁ; କିନ୍ତୁ ସେହି ଦେବୀମାନଙ୍କ ପକ୍ଷରେ ଜୀବନଟା ଥିଲା ଖେଳଘର ।

 

ମୁନ୍ନୀ ସେତେବେଳ ପର୍ଯ୍ୟନ୍ତ ମୌନୀ ହୋଇ ଠିଆ ହୋଇଥାଏ । ତା' ମୁହଁର ରଙ୍ଗ ଉଡ଼ିଯାଇଥାଏ, ଯେପରି କୌଣସି ଦୁଃସହ ବେଦନାରେ ତା’ର ଅନ୍ତର ଘାରି ହେଉଥାଏ । ଅମର ବ୍ୟସ୍ତ ହୋଇ ପଚାରିଲା–କ’ଣ ମନ ଭଲ ନାହିଁ, ମୁନ୍ନୀ ? ମୁହଁ ଶୁଖିଯାଇଛି ଯେ ?

 

ମୁନ୍ନୀ କ୍ଷୀଣ ହାସ୍ୟରେଖା ମୁଖରେ ଟାଣି କହିଲା–ମୋତେ ପଚାରୁଛ ? ମୋର କ’ଣ ହୋଇଛି, କାହିଁ ?

 

“ନା, କିଛି କଥା ନିଶ୍ଚୟ ଅଛି । ମୋତେ ଲୁଚାଉଛ ।”

 

“ନା–ନା, କିଛି କଥା ନାହିଁ ।”

 

ମିନିଟିଏ ପରେ ସେ ପୁଣି କହିଲା–ମୋ କଥା କହିବି, ଶୁଣିବ ?

 

“ଅତି ଆନନ୍ଦରେ । ମୁଁ ତୁମକୁ ଅନେକବାର କହି ସାରିଲିଣି । ତୁମେ ତ ଶୁଣାଉ ନାହଁ ।”

 

“ମୁଁ ତୁମକୁ ଡରୁଛି । ତୁମେ ମୋତେ ନୀଚଲୋକ କି କେଜାଣି ଆହୁରି କ’ଣ ଭାବିବ ।”

 

ଅମର କ୍ଷୁବ୍ଧ ହେଲାପରି କହିଲା–ଭଲ କଥା, ନ କୁହ । ମୁଁ ତ ଯାହା ଅଛି ସେଇଆ ରହିବି । ତୁମେ ତ ମୋତେ ନୂଆ କିଛି କରି ଦେଇପାରିବ ନାହିଁ ।

 

ମୁନ୍ନୀ ନିରୁପାୟ ହୋଇ କହିଲା–ତୁମେ ତ ଲାଲା, ଟିକିଏ କଥାରେ ଚିଡ଼ିଯାଅ, ଯୋଉଥିପାଇଁ ତୁମର ଘରଣୀ ସଙ୍ଗେବି ପଡ଼େ ନାହିଁ । ଆଚ୍ଛା ହଉ, ଶୁଣ । ଯାହା ମନକୁ ଆସିବ, ଭାବିବ–ମୁଁ କାଶୀରୁ ଗଲାବେଳେ ମୋର କିଛି ସମୟ ହୋସ୍ ରହିଲା ନାହିଁ–କୁଆଡ଼େ ଯାଉଛି, କାହିଁକି ଯାଉଛି, କେଉଁଠୁଁ ଆସୁଛି । ସେଇଥିରେ ମୁଁ ବୁଡ଼ୁଥାଏ ଉଠୁଥାଏ । ତା’ପରେ ମୁଁ ଜାଣିପାରିଲି, କ’ଣ ଗୋଟାଏ ହଜାଇ ଦେଇ ମୁଁ ଚାଲିଆସିଛି । ଜଣାଯାଉଥାଏ, ମୋ ପିଲାଟି ଯେମିତି କୋଳକୁ ଆସିବାପାଇଁ କୁଦିଉଠୁଛି । ଏପରି ମୋହ ମୋ ମନରେ କେବେ ଜନ୍ମି ନଥିଲା । ତା’ରି କଥା ମନେପକାଇଲି–ତା’ ହସ–କାନ୍ଦ, ତା’ ଦୋତୁଣ୍ଡା କଥା; ତା’ର ଥାବୁରୁ ଥାବୁରୁ ଚାଲି; ତାକୁ ତୁନି କରିବାପାଇଁ ଜହ୍ନମାମୁ ଦେଖାଇବା, ଶୁଆଇବା ପାଇଁ ଗୀତ ବୋଲିବା, ସବୁ କଥା ଗୋଟି ଗୋଟି ହୋଇ ମନେପଡ଼ିଲା । ମୋର ସେଇ ଛୋଟିଆ ସଂସାରଟି କି ସୁଖମୟ ଥିଲା ! ସେହି ସଙ୍ଖାଳିଟିକି କୋଳରେ ଧରି ମୁଁ କି ସୁଖ ପାଉଥିଲି–ଯେମିତି ଦୁନିଆଯାକର ସମ୍ପତ୍ତି ମୋ ପାଦତଳେ-! ସେ ସୁଖ ବଦଳରେ ମୁଁ ସ୍ଵର୍ଗସୁଖବି ଚାହିଁ ନଥାନ୍ତି । ମନର ସବୁ ଆଶା ଯେମିତି ସେଇ ପିଲାଟିଠାରେ ଜମା ହୋଇ ଯାଇଥାଏ ! ଆମର ଭଙ୍ଗାତୁଟା କୁଡ଼ିଆ, ମଇଳା–କୋତରା ଲୁଗାପଟା, ଖାଇବା ପିନ୍ଧିବାର ଅଭାବ ଅସୁବିଧା, କରଜ–ଦାମ୍‍ର ଚିନ୍ତା, ଆମର ଗରିବପଣିଆ, ଆମର ହୀନକପାଳ, ଏ ସବୁ ମୁନିଆଁ କଣ୍ଟା ଯେମିତି ଫୁଲ ପାଲଟି ଯାଇଥାଏ । ମୋ ମନ କେବଳ ଡାକୁଥାଏ ତ ଯେ ମୋ ଦୁଃଖୀଧନଟିର କିଛି ଅନିଷ୍ଟ ନ ହେଉ । ପୁଣି ସେଦିନ ତାକୁ ଛାଡ଼ି ମୁଁ କେଜାଣି କୁଆଡ଼େ ଚାଲିଯାଉଥାଏ । ମୋର ମନ ଚଞ୍ଚଳ ହୋଇ ଉଠିଥିଲା । ମନ ଭିତରର ସବୁ କଥା ଆଗରେ ଦଉଡ଼ୁଥିବା ଗଛଗୁଡ଼ିକ ପରି ମୋ ସଙ୍ଗେ ସଙ୍ଗେ ଦଉଡ଼ି ଚାଲିଥାଏ । ଆଉ ସେ ସବୁ ସହିତ ମୋ ପୁଅଟିବି ଯେମିତି ଦଉଡ଼ି ଦଉଡ଼ି ଯାଉଥାଏ । ଶେଷକୁ ମୁଁ ଆଉ ଯାଇପାରିଲି ନାହିଁ-। ଦୁନିଆ ହସୁଛି, ହସୁ ! ଜାତି–ଭାଇ ମୋତେ ତଡ଼ି ଦେଉଛନ୍ତି ତ ଦିଅନ୍ତୁ । ମୁଁ ମୋ ଗଳାମାଳିକୁ ଛାଡ଼ି ଯିବି କୁଆଡ଼େ ? ମୂଲ–ମଜୁରୀ ଲାଗି ଚଳିଯାଇପାରିବି ତ । ମୋ ଧନଟିକୁ ଆଖି ପୂରାଇ ଦେଖୁଥିବି ତ । ତାକୁ ମୋ କୋଳରୁ କେହି ଟାଣି ନେଇ ପାରିବ ନାହିଁ । ମୁଁ ତା’ପାଇଁ ଜୀବନ ଦେଇଛି, ମୋ ରକ୍ତରେ ତାକୁ ଗଢ଼ିଛି, ସେ ମୋର । ତା’ ଉପରେ କାହାରି ଅଧିକାର ନାହିଁ ।

 

ଲକ୍ଷ୍ନୌରେ ପହଞ୍ଚିବାମାତ୍ରେ ମୁଁ ଗାଡ଼ିରୁ ଓହ୍ଲାଇ ପଡ଼ିଲି । ଠିକ୍ କଲି, ଫେରନ୍ତା ଗାଡ଼ିରେ କାଶୀ ଚାଲିଯିବି । ଯାହା ହେବାର ଥିବ, ହେବ ।

 

ପ୍ଲାଟ୍‌ଫର୍ମ୍‍ରେ କେତେବେଳେ ଠିଆ ହେଲି, ଜାଣେନା । ବିଜୁଳି ଆଲୁଅରେ ସାରା ଷ୍ଟେସନ୍ ଝଲକୁଥାଏ । ବାରବାର କୁଲିମାନଙ୍କୁ ପଚାରୁଥାଏ କାଶୀ–ଗାଡ଼ି କେତେବେଳେ ଆସିବ । ପ୍ରାୟ ଦଶଟାବେଳେ ଜଣାପଡ଼ିଲା, ଗାଡ଼ି ଆସୁଛି । ଛାତି ଧଡ଼ପଡ଼ ହେଉଥାଏ । ଗାଡ଼ି ଆସିଲା । ଯାତ୍ରୀମାନେ ଚଢ଼ା–ଓହ୍ଲା କଲେ । କୁଲି ଆସି କହିଲା–କାଶୀ ଗାଡ଼ି ଆସିଗଲା ।

 

ମୋ ମୁହଁରୁ କଥା ବାହାରିଲା ନାହିଁ । କୁଲିଟି ମୋ ମୁହଁକୁ ଚାହିଁ ରହି ପୁଣି ପଚାରିଲା–କାଶୀ–ଗାଡ଼ିରେ ଯିବ ପରା ?

 

କାତର ହୋଇ କହିଲି–ମୁଁ ଏ ଗାଡ଼ିରେ ଯିବି ନାହିଁ ।

 

“ୟା ପରେ ପୁଣି ଯାଇ ଦିନ ଦଶଟାରେ ଗାଡ଼ି ମିଳିବ ।”

 

“ସେହି ଗାଡ଼ିରେ ଯିବି ।”

 

ଅମର ପଚାରିଲା–ତୁମେ ସେହି ଗାଡ଼ିରେ ଚାଲି ନ ଗଲ କାହିଁକି ?

 

ମୁନ୍ନୀ କମ୍ପିତ ସ୍ୱରରେ କହିଲା–କେଜାଣି ମନଟା କ’ଣ ହୋଇଗଲା । ମୋ ହାତ–ଗୋଡ଼ ଯେମିତି କିଏ ବାନ୍ଧି ପକାଇଲା । ଯେମିତି ମୁଁ ଗୋରୁ ମାରିବାକୁ ବାହାରିଛି ! ଏ କୁଷ୍ଠ–କୋଢ଼ୀ ହାତରେ ମୁଁ ମୋ ଧନକୁ ଛୁଇଁବି କେମିତି ? ମୋର ସ୍ୱାମୀଙ୍କ ଉପରେ କ୍ରୋଧ ଆସିଲା, ସେ ମୋ ସଙ୍ଗେ ନ ଆସିଲେ କାହିଁକି ? ତାଙ୍କୁ ଯଦି ମୋ ଚିନ୍ତା ଥା’ନ୍ତା, ତେବେ ମୋତେ ଏକା ଛାଡ଼ି ଦେଇଥାନ୍ତେ ? ଏଇ ଗାଡ଼ିରେ ସେ କ’ଣ ଆସିପାରି ନଥାନ୍ତେ ? ତାଙ୍କର ଯେବେ ମନ ନାହିଁ, ମୁଁ କାହିଁକି ଯିବି ? ଏମିତି କେଜାଣି କେତେ କଥା ମନକୁ ଆସି ମୋତେ ଯେମିତି ଜୋର କରି ଅଟକାଇ ଦେବାକୁ ଲାଗିଲା । ମୁସାଫିରଖାନାରେ ମନମାରି ବସିଛି, ଜଣେ ଲୋକ ତାଙ୍କ ସ୍ତ୍ରୀ ସହିତ ଆସିଲେ ଓ ମୋ’ରି ପାଖରେ ସତରଞ୍ଜି ଖଣ୍ଡିଏ ପାରି ବସିଗଲେ । ମାଇପିଟି କୋଳରେ ବର୍ଷକର ଗୋଟିଏ ପିଲା । ସୁନ୍ଦର ପୁଅଟିଏ । ଏମିତି ଗୋଲାପି ରଙ୍ଗ, ଫୁଲ ପାଖୁଡ଼ା ପରି ଆଖି, ଲହୁଣୀ ପିତୁଳା ପରି ଦେହ । ମୁଁ ଏକଧ୍ୟାନରେ ଚାହିଁରହିଲି, ପର–ଆପଣା ବିଚାର ଭୁଲିଗଲି । ମୁଁ ଭାବିଲି, ସେଇଟି ମୋରି ପିଲା । ସେ ମା’ କୋଳରୁ ଓହ୍ଲାଇ ହାମୁଡ଼ି ହାମୁଡ଼ି ଧୀରେ ଧୀରେ ମୋ ଆଡ଼କୁ ଆସିଲା । ମୁଁ ପଛକୁ ଘୁଞ୍ଚିଗଲି । ସେ ପୁଣି ମୋ ପାଖକୁ ଆସିଲାରୁ ମୁଁ ଅନ୍ୟ ଆଡ଼କୁ ଚାଲିଗଲି । ପିଲାଟି ଭାବିଲା କି କ’ଣ, ମୁଁ ତାକୁ ଅନାଦର କରୁଛି । ସେ କାନ୍ଦିଲା । ତେବେବି ମୁଁ ତା’ ପାଖକୁ ଗଲି ନାହିଁ । ତା’ ମା’ ମୋ ଆଡ଼କୁ ରାଗରେ ଚାହିଁଲା, ପରେ ଦଉଡ଼ି ଆସି ତାକୁ ଟେକି ନେଇଗଲା; କିନ୍ତୁ ପିଲାଟି ଛାଟିପିଟି ହୋଇ ଥରକୁଥର ମୋ ଆଡ଼କୁ ହାତ ବଢ଼ାଉଥାଏ । ମୁଁ ସେଇମିତି ଦୂରେଇ ଠିଆ ହୋଇଥାଏ–ଯେମିତି ମୋ ହାତ କଟିଯାଇଛି, ଯେମିତି ମୋ ହାତ ବାଜିଗଲେ ସେହି ସୁନାପିତୁଳାଟି ଆଉ କ’ଣ ହୋଇଯିବ, ତା’ର କିଛି ହାନି ହୋଇଯିବ ।

 

ମାଇପିଟି କହିଲା–ପିଲାଟାକୁ ଟିକେ ଧର ଭଉଣୀ ! ତୁମେ ତ କେମିତି ଦୂରଛଡ଼ା ଦେଉଛ । ଅଭାଗାଟା ଯେ ସ୍ନେହ–ଆଦର କରନ୍ତି, ତାଙ୍କ ପାଖକୁ ତ ଯାଏଁ ନାହିଁ, ଯେ ମୁହଁ ମୋଡ଼ି ଦିଅନ୍ତି ତାଙ୍କରି ପାଖକୁ ଦଉଡ଼େ ।

 

ବାବୁ ! ଏ କଥା ମୋ ମନକୁ କେଡ଼େ ବାଧିଲା, ତା’ ମୁଁ କଥାରେ କହିପାରିବି ନାହିଁ । ମୁଁ ତାକୁ କେମିତି କହି ଦେଇଥାନ୍ତି ଯେ, ମୁଁ ଗୋଟାଏ କଳଙ୍କିନୀ, ପାପିଷ୍ଠା । ମୁଁ ଛୁଇଁଲେ ତା’ର ଅମଙ୍ଗଳ ହେବ, ଅନିଷ୍ଟ ହେବ । ସେ କଥା ଜାଣିଲା ପରେ ସେ କ’ଣ ଆଉ ତା’ ପିଲାକୁ କାଖ କରିବାକୁ ମୋତେ କହିଥାନ୍ତା ?

 

ମୁଁ ପାଖେଇ ଆସି ସ୍ନେହରେ ପିଲାଟିକୁ ଚାହିଁଲି । ଡରି ଡରି ହାତ ବଢ଼ାଇ ଦେଲି ତାକୁ କାଖକୁ ନେବାପାଇଁ । ସହସା ପିଲାଟି ପାଟି କରି କାନ୍ଦିଉଠିଲା, ମା’ ପାଖକୁ ପଳାଇଲା–ଯେମିତିକି ସେ ଗୋଟାଏ ଭୟଙ୍କର ରୂପ ଦେଖିଲା ! ଏବେ ଭାବୁଛି ଯେତେବେଳେ, ବୁଝିପାରୁଛି ଯେ ସେଇଟା ପିଲାଙ୍କର ସ୍ୱଭାବ; କିନ୍ତୁ ସେତେବେଳେ ମୋତେ ଲାଗିଲା, ମୋ ରୂପ ସତରେ ଗୋଟାଏ ପିଶାଚୀ ପରି ଦିଶୁଛି କି କ’ଣ । ମୋତେ ଭାରି ଲାଜ ମାଡ଼ିଲା ।

 

ମା’ଟି ପୁଅକୁ କହିଲା–କିରେ, ଏବେ ଯାଉନୁ କାହିଁକି ? ଡାକୁଛନ୍ତି ପରା ! ମୋତେ ପଚାରିଲା–କେଉଁଠିକି ଯିବ ଭଉଣୀ ?

 

ମୁଁ କହିଦେଲି–ହରିଦ୍ୱାର ।

 

ସେ ଦୁହେଁବି ହରିଦ୍ୱାର ଯାଉଥିଲେ । ଗାଡ଼ି ନ ପାଇବାରୁ ସେଇଠି ରହି ଯାଇଥିଲେ । ଘର ଦୂରରେ, ଫେରିଯାଇ ପାରିଲେ ନାହିଁ । ମୋତେ ବଡ଼ ଖୁସି ଲାଗିଲା । କାରଣ ହରିଦ୍ଵାର ପର୍ଯ୍ୟନ୍ତ ସାଙ୍ଗରେ ରହିବ ତ; ମାତ୍ର ପିଲାଟି ଆଉ ମୋ ପାଖ ମାଡ଼ିଲା ନାହିଁ ।

 

କିଛି ସମୟ ପରେ ସ୍ଵାମୀ–ସ୍ତ୍ରୀ ଦୁହେଁ ସିନା ଶୋଇଗଲେ, ମୁଁ ବସିରହିଲି । ମା’ ଦେହକୁ ଲାଗି ପିଲାଟି ଶୋଇଥାଏ । ମୋର ଭାରି ମନ ହେଉଥାଏ ପିଲାଟିକୁ ଧରି ଗେଲ କରିବାକୁ । ହେଲେ ଛାତି ଥରି ଉଠୁଥାଏ–କାଳେ ସେ କାନ୍ଦିବ, ମା’ ତା’ର ଉଠିପଡ଼ିଲେ କାଳେ କିଛି ଭାବିବ । ପୁଅଟିର ଫୁଲ ପରି ମୁହଁକୁ ଚାହିଁ ରହିଥାଏ । ସେ କିଛି ଗୋଟାଏ ସ୍ଵପ୍ନ ଦେଖୁଥାଏ ପରା, ହସି ଦେଉଥାଏ । ମୋ ମନ ଅମାନିଆ ହୋଇ ଉଠିଲା–ଶୋଇଲା ପିଲାଟିକୁ ଛାତିରେ ଜାକି ଧରିଲି । କିନ୍ତୁ ପରମୁହୂର୍ତ୍ତରେ ମୋର ଚେତା ପଶିଲା, ତାକୁ ପୁଣି ଶୁଆଇ ଦେଲି । ସେହି କ୍ଷଣିକ ସ୍ନେହରେ କି ଆନନ୍ଦ ଥିଲା ! ମୋତେ ଲାଗୁଥିଲା–ମୋରି ପୁଅଟି ଏହି ରୂପ ଧରି ମୋ ପାଖକୁ ଚାଲି ଆସିଛି ।

 

ସେହି ସ୍ତ୍ରୀଲୋକଟାର ହୃଦୟ ବଡ଼ କଠୋର ଥିଲା । କଥା କଥାକେ ସେହି ଟିକି ପିଲାଟିକୁ ଧମକାଉଥାଏ, କେବେ ପୁଣି ମାଡ଼ ଦେଉଥାଏ । ମୋର ସେତେବେଳେ ଭାରି ରାଗ ହେଉଥାଏ । ତାକୁ ଗାଳି ଦେବାକୁ ମନ ହେଉଥାଏ । ନିଜର ପିଲା ଉପରେ ମା’ ଏମିତି ରାଗିପାରେ, ମୁଁ ସେଇଦିନ ଦେଖିଲି ।

 

ପରଦିନ ଆମେ ହରିଦ୍ଵାର ଗାଡ଼ିରେ ବସିଲାବେଳକୁ ପିଲାଟି ମୋର ହୋଇ ସାରିଥାଏ-। ତୁମକୁ କ’ଣ କହିବି ବାବୁ ! ମୋ ସ୍ତନରୁ ତ କ୍ଷୀର ଝରି ଆସିଲା, ଆଉ ମା’ଟିବି ଏ ଭାରରୁ ମୋପାଇଁ ରକ୍ଷା ପାଇଗଲା ।

 

ଆମେସବୁ ହରିଦ୍ଵାରରେ ଗୋଟିଏ ଧର୍ମଶାଳାରେ ରହିଲୁ । ପିଲାଟିର ମମତା–ଡୋରିରେ ବାନ୍ଧି ହୋଇ ମୁଁ ସେହି ସ୍ଵାମୀ–ସ୍ତ୍ରୀଙ୍କ ପଛେ ପଛେ ବୁଲୁଥାଏ । ମୁଁ ପିଲାଟିର ଧାଈ ହୋଇଥାଏ ସେତେବେଳେ । ପିଲାଟିର ମଇଳା ଧୋଇବା, ତାକୁ ଖୁଆଇବା–ପିଆଇବା ମୁଁ କରୁଥାଏ । ମା’ର ସେମିତି ମୁଣ୍ଡରୁ ବୋଝ ଖସିଗଲା; କିନ୍ତୁ ମୁଁ ମନ–ଧ୍ୟାନ ଦେଇ ସେବାରେ ଲାଗିଥାଏ । ମାଇପିଟି ଯେତିକି ଅଳସେଇ, ଉପରମୁହୀଁ; ତା’ର ସ୍ୱାମୀଟି ସେତିକି ଶାନ୍ତଶୀଳ, ଦୟାଳୁ ଥିଲେ । ସେ ମୋତେ କେବେ ଆଖି ଟେକି ଚାହାନ୍ତିନି କି ମୁଁ ଏକା ଥିଲାବେଳେ ଘର ଭିତରକୁ ଆଦୌ ଯାଆନ୍ତିନି । ତାଙ୍କ ସ୍ୱଭାବ ଏକପ୍ରକାର ତୁମରି ପରି ଥିଲା । ମୋର ତାଙ୍କ ଉପରେ ଦୟା ଆସୁଥାଏ । ବିଲେଇ ପଞ୍ଝାରେ ପଡ଼ିଥିବା ମୂଷାଟି ପରି ସେ ବାବୁଟି ସେହି ମୁହଁଖୋର ମାଈକିନିଆ ପାଖରେ ଚଳୁଥାନ୍ତି । ସେ ତାଙ୍କୁ କଥା କଥାକେ ଗାଳିଦିଏ । ବିଚାରା ତୁନି ହୋଇ ସହିଯା’ନ୍ତି ।

 

ପନ୍ଦର ଦିନ ଚାଲିଗଲା । ସ୍ତ୍ରୀ ଘରକୁ ଫେରିବାକୁ କହିଲା । ବାବୁଟି ଆଉ କିଛିଦିନ ସେଠାରେ ରହିବାକୁ ଚାହୁଁଥିଲେ । ଏହି କଥା ନେଇ କଳି ଲାଗିଲା । ପିଲାଟିକୁ ଧରି ମୁଁ ବାରଣ୍ଡାରେ ଠିଆ ହୋଇଥିଲି । ସ୍ତ୍ରୀ ରାଗିଯାଇ କହିଲା–ତୁମେ ତୁମର ରହିବ ତ ରୁହ, ମୁଁ ଆଜିରେ ଯିବି । ତୁମେ ଭାବୁଛ ମୁଁ ରାସ୍ତା ଦେଖି ନାହିଁ !

 

ବାବୁ ଡରି ଡରି କହିଲେ–ଏଠି ଏବେ ଆଉ ପାଞ୍ଚ–ଦଶଟା ଦିନ ରହିଗଲେ ଖରାପ କ’ଣ ? ମୁଁ ତ ଏବେସୁଦ୍ଧା ତୁମ ସ୍ୱାସ୍ଥ୍ୟର କିଛି ପରିବର୍ତ୍ତନ ଦେଖୁନି !

 

“ମୋ ସ୍ୱାସ୍ଥ୍ୟ ଚିନ୍ତା ତୁମେ ଛାଡ଼ । ମୁଁ ଏତେ ଶୀଘ୍ର ମରି ଯାଉନାହିଁ ମ । ସତ କରି କହିଲ, ତୁମେ ମୋ ସ୍ୱାସ୍ଥ୍ୟପାଇଁ ଏଠି ରହିବାକୁ ଚାହୁଁଛ ?

 

“ଆଉ ଆସିଥିଲି ତେବେ କାହିଁକି ?”

 

“ଯେଉଁଥିପାଇଁ ଆସିଥାଅ; କିନ୍ତୁ ଏବେ ତ ମୋ ସ୍ୱାସ୍ଥ୍ୟପାଇଁ ରହିବାକୁ ଯାଉ ନାହଁ । ତୁମ ଚାଲାକି ଯେ ଜାଣି ନଥିବ, ସେଇଆକୁ ଏ ପାଠ ପଢ଼େଇବ । ମୁଁ ତୁମ ନାଡ଼ି ଚିପି ନେଇଛି ମ । ତୁମେ ଏଠି ରହୁଛ ଲୀଳା କରିବାକୁ, ବିହାର….”

 

ଭଦ୍ରଲୋକଟି ହାତଯୋଡ଼ି କହିଲେ–ଆଚ୍ଛା, ଏବେ ବନ୍ଦ କର । ଆଉ ବଦନାମ କର ନାହିଁ । ମୁଁ ଆଜିରେ ଚାଲିଯିବି ।

 

ସ୍ତ୍ରୀଲୋକଟାର ଏଡ଼େ ଶସ୍ତାରେ ଜିଣିଯିବାରୁ ମନବୋଧ ହେଲା ନାହିଁ । ତା’ ମନ–ଅରମାନ୍ ତ ଫିଟିପାରିଲା ନାହିଁ । କହିଲା–ହଁ, ଚାଲିଯିବ ନାହିଁ କାହିଁକି ? ତୁମେ ତ ସେଇଆ ଚାହୁଁଥିଲ । ଏତେ ପଇସା ଖର୍ଚ୍ଚ ହୋଇ ଯାଉଛି ନା ? ନେଇ ଯାଇ ସେହି କଇଦୀଖାନାରେ ପକେଇ ଦେବ । ତେଣିକି କିଏ ମଲା କେତେ ଗଲା କେତେ ତୁମ ବାଧାରୁ । ଗୋଟାଏ ମରିଗଲେ ଆଉ ଗୋଟାଏ ଚାଲିଆସିବ ନାହିଁ ଯେ, ସେ ତ ପୁଣି ନବନାଗରୀ ! ତୁମର ତ କର୍ଣ୍ଣ ମଲେ ପାଞ୍ଚ, ଅର୍ଜୁନ ମଲେବି ପାଞ୍ଚ । ମୁଁ ଭାବିଥିଲି ଏଠି କିଛିଦିନ ରହିବି, ହେଲେ ତୁମ ଜାଳାରେ କେଉଁଠି ରହିପାରିଲେ ତ ! ଠାକୁରେବି ନେଉ ନାହାନ୍ତି । ମରିଗଲେ ତ ତରିଯା’ନ୍ତି ।

 

ଅମର ପଚାରିଲା–ସେ ବାବୁଜଣକ ପ୍ରକୃତରେ କିଛି ଖରାପ କାମ କରିଥିଲେ ନା ଏ ତାଙ୍କୁ ତୁଚ୍ଛାଟାରେ ଦୋଷ ଦେଉଥିଲେ ?

 

ମୁନ୍ନୀ ମୁହଁ ମୋଡ଼ିଦେଇ ହସି ହସି କହିଲା–ତୁମ ବୁଦ୍ଧି ବଡ଼ ମୋଟା, ଲାଲାଜୀ ! ସେ ଡାଆଣୀ ମୋତେ ଦେଖେଇ କହୁଥିଲା ନା ! ବାବୁଟି ବଡ଼ ଶଙ୍କି ଯାଇଥାନ୍ତି, କଳିହୁଡ଼ୀ କଥାଟାକୁ ଫିଟେଇ କହି ନ ଦିଏ ଯେମିତି । ସେ ହାତ ଯୋଡ଼ୁଥାନ୍ତି, କଅଁଳେଇ ସାକୁଲେଇ କହୁଥାନ୍ତି; ହେଲେ ସେ କିଛି ମାନୁ ନଥାଏ ।

 

ଆଖି ନଚେଇ କହିଲା–ଠାକୁରେ ମତେ ଆଖି ଦି’ଟା ଦେଇଛନ୍ତି, ମୁଁ ଅନ୍ଧୁଣୀ ନୁହେଁ ମ ! ମୁଁ ଘର କୋଣରେ ପଡ଼ି କନ୍ଦା–କୁନ୍ଥା କରୁଥିବି, ଆଉ ତୁମେ ତ ତେଣେ ତୁମର କୌତୁକ କରୁଥିବ । ମନ ବହଲେଇବାକୁ ତ ଗୋଟାଏ ସଜ ଦରକାର ।

 

ଧୀରେ ଧୀରେ ମୋ ନାଁ’ରେ ଲଗେଇ କଥାର ଖିଅ କାଢ଼ିଲା । ମୋ ମନ ତ ଜଳିଉଠିଲା । ସଙ୍ଗେ ସଙ୍ଗେ ତା’ ମୁହଁଟାକୁ ରାମ୍ପି ପକାଇଥାନ୍ତି । ମୁଁ ତୁମ ପାଖେ କିଛି ଲୁଚାଉ ନାହିଁ, ଲାଲା । ମୁଁ ସେ ବାବୁଙ୍କୁ କେବେ ମୁହଁ ଟେକି ଚାହିଁ ନଥିଲି । ହେଲେ ସେ ଡାଆଣୀଟା ମୋ’ରି ମୁହଁରେ କଳଙ୍କ ବୋଳୁଥାଏ । ବାବୁଙ୍କ ଉପରୋଧ ନଥିଲେ ସେ ଚଣ୍ଡାଳୁଣୀର ମଥାଟାକୁ ଥଣ୍ଡା କରି ଦେଇଥାନ୍ତି । ଛୁଞ୍ଚି ନ ଗଳିବା ଜାଗାରେ ସେ ଫାଳ ଗଳେଇ ଦେଉଥାଏ ।

 

ଶେଷକୁ ବାବୁ ମଧ୍ୟ ରାଗିଗଲେ ।

 

“ତୁମେ ବିଲ୍‍କୁଲ୍ ମିଛକଥାଗୁଡ଼ା କିମିତି ବକିଯାଉଛ, କଞ୍ଚା ମିଛ ।”

 

“ମୁଁ କଞ୍ଚା ମିଛ କଥା କହୁଛି ?”

 

“ହଁ–ହଁ, ଡାହାମିଛ ।”

 

ମୁଁ ସେଠୁ ଚୁପ୍ କରି ପଳେଇ ଯାଇଥିଲେ ଯାଇଥାନ୍ତା; କିନ୍ତୁ ମନକୁ କ’ଣ କରିଥାନ୍ତି ? ସେ ତ ଅନ୍ୟାୟ ସହିପାରେନା । କ୍ରୋଧରେ ମୋ ମୁହଁ ତମତମ ହୋଇ ଉଠିଲା । ମୁଁ ତା’ ଆଗକୁ ଯାଇ କହିଲି–ବାବୁଆଣୀ, ଖୁବ୍ କହିଲଣି । ଏବେ ମୁହଁ ସମ୍ଭାଳି କଥା କୁହ, ନହେଲେ ଭଲ ହେବ ନାହିଁ କହିଦେଉଚି । ମୁଁ ପାଟି ଖଣ୍ଡକ ଦିଖଣ୍ଡ କରୁ ନାହିଁ, ତୁମେ ମୁଣ୍ଡ ଉପରକୁ ଚଢ଼ିଗଲଣି ! ଭଦ୍ରଲୋକ ଭାବି ମୁଁ ତୁମ ସଙ୍ଗେ ରହି ଯାଇଥିଲି । ତୁମ ସ୍ୱଭାବ ଏଡ଼େ ହୀନ ବୋଲି ଜାଣିଥିଲେ ତୁମ ଛାଇ ମାଡ଼ି ନଥାନ୍ତି । ମୁଁ ବାରବୁଲୀ ନୁହେଁ କି ବେଛପରୀ ନୁହେଁ । ଭଗବାନଙ୍କ ଦୟାରୁ ମୋରବି ସ୍ୱାମୀ ଅଛନ୍ତି । ଭାଗ୍ୟର ବିଡ଼ମ୍ବନାରୁ ମୁଁ ଏଠି ଏକା ପଡ଼ିଛି । ମୁଁ ଦେଖୁଛି, ତୁମ ସ୍ୱାମୀ ତାଙ୍କ ଗୋଡ଼ ଧୋଇବାକୁବି ଯୋଗ୍ୟ ନୁହନ୍ତି । ମୁଁ ତାଙ୍କୁ ଡକେଇ ଆଣୁଛି, ତୁମେବି ଦେଖିନିଅ । କେବଳ ଆଜିକ ଆଉ କାଲିକ ଅପେକ୍ଷା କର ।

 

ମୋ ମୁହଁରୁ କଥା ସରିନାହିଁ, ସ୍ଵାମୀ ମୋର ଆସି ଠିଆ ହୋଇଗଲେ । ମୋତେ ଦେଖିପକାଇ ଝଡ଼ ପରି ମୋ ପାଖକୁ ଧାଇଁଗଲେ । ତାଙ୍କୁ ଦେଖିପକାଇ ମୁଁ ଭାରି ଅସ୍ଥିର ହୋଇପଡ଼ିଲି; ସତେ ଯେମିତି ଗୋଟାଏ ସିଂହ ହାବୁଡ଼ରେ ପଡ଼ିଗଲି । ଆଖି ପିଛୁଳାକେ କୋଠରୀ ଭିତରକୁ ପଶିଯାଇ କବାଟ କିଳିଦେଲି । ଛାତି ଧଡ଼ପଡ଼ ହେଉଥାଏ । ତଥାପି କବାଟ ଫାଙ୍କରେ ଆଖି ଗଳାଇ ଚାହିଁଥାଏ । ସ୍ଵାମୀଙ୍କର ମୁହଁ ଝାଉଁଳି ପଡ଼ିଥାଏ, ଧୂଳିଧୂସର ହୋଇଥାଏ । ପିଠିରେ କମ୍ବଳ ଓ ଲୋଟା ପକାଇ, ହାତରେ ଠେଙ୍ଗାଟିଏ ଧରି ଥକ୍କା ହୋଇ ଠିଆ ହୋଇଥାନ୍ତି ।

 

ବାବୁଟି ବାହାରକୁ ଆସି ସ୍ୱାମୀଙ୍କୁ ପଚାରିଲେ–ଆଚ୍ଛା, ଆପଣ ୟାଙ୍କର ସ୍ଵାମୀ, ନା ? ଆପଣ ଠିକ୍‍ବେଳରେ ପହଞ୍ଚିଗଲେ । ଏହିକ୍ଷଣି ତ ସେ ଆପଣଙ୍କ କଥା ପକାଇଥିଲେ । ଆସନ୍ତୁ, ଲୁଗାପଟା ବଦଳାନ୍ତୁ । କିନ୍ତୁ ଭଉଣୀଟି ଭିତରକୁ ପଳାଇଗଲେ କାହିଁକି ? ଏଠି ବିଦେଶରେ ଗୋଟାଏ ଲାଜ କ’ଣ ?

 

ମୋ ସ୍ୱାମୀଙ୍କୁ ତୁମେ ତ ଦେଖିଛ । ତାଙ୍କ ଆଗରେ ସେ ବାବୁଟି ଷେଣ୍ଢ ପାଖରେ ଗେଡ଼ା ବଳଦଟିଏ ପରି ଦିଶୁଥାନ୍ତି ।

 

ସେ ବାବୁଙ୍କୁ କିଛି ଉତ୍ତର ଦେଲେ ନାହିଁ । ମୋ ଦୁଆରକୁ ଯାଇ କହିଲେ, ମୁନ୍ନୀ, କେଡ଼େ ଅନ୍ୟାୟ କରୁଛ ତୁମେ ? ତିନି ଦିନ ହେଲା ମୁଁ ତୁମକୁ ଖୋଜୁଛି । ଆଜି ପାଇଲି ଯେ, ତୁମେ ଯାଇ ଭିତରେ ପଶିଛ ! ଈଶ୍ଵରଙ୍କ ଦ୍ୱାହି, କବାଟ ଖୋଲିଦିଅ । ମୋ ଦୁଃଖ କାହାଣୀ ଶୁଣ, ତା’ପରେ ତୁମର ଯାହା ଇଚ୍ଛା ହେବ, କରିବ ।

 

ମୋ ଆଖିରୁ ଲୁହ ଝରୁଥାଏ । ଦୁଆର ଖୋଲି ପିଲାଟିକୁ କୋଳ କରିବାକୁ ମନ ଡାକୁଥାଏ; କିନ୍ତୁ କେଜାଣି ମନର କେଉଁ କୋଣରେ ବସି କିଏ ଯିମିତି କହୁଥାଏ–ଖବରଦାର, ପିଲାକୁ କୋଳକୁ ନେ ନାହିଁ ।

 

ଶୋଷରେ ଛଟପଟ ହେଉଥିବା ଲୋକଟିଏ ପାଣିଭାଣ୍ଡ ଦେଖି ପିଇବାକୁ ଗଲାବେଳେ କେହି ଯେମିତି କହିଦେଲା–ଅଇଁଠା ପାଣି, ପିଅ ନାଇଁ ! ଗୋଟିଏ ମନ କହୁଥାଏ–‘ସ୍ୱାମୀକୁ ହତାଦର କରନା । ଈଶ୍ୱର ଯେଉଁ ପତ୍ନୀ ଆଉ ମାତାର ସମ୍ପର୍କ ଯୋଡ଼ି ଦେଇଛନ୍ତି, କେହି ଛିଣ୍ଡାଇଲେ ତା’ କ’ଣ ଛିଣ୍ଡିଯିବ ?’ ଆଉ ଏକ ମନ କହୁଥାଏ–‘ଆଉ ତୁ ତୋ ପତିକି ପତି ବୋଲି, ପୁତ୍ରକୁ ପୁତ୍ର ବୋଲି କହି ପାରିବୁ ନାହିଁ । କ୍ଷଣିକ ମୋହରେ ମାତି ତୁ କ’ଣ ସେ ଦୁହିଁଙ୍କୁ କଳଙ୍କିତ କରିବୁ ?’

 

ମୁଁ କବାଟ ଛାଡ଼ିଦେଇ ଠିଆ ହୋଇଗଲି । ପିଲାଟି ତା’ ଛୋଟ ଛୋଟ ହାତରେ କବାଟକୁ ଠେଲିବାପାଇଁ ଜୋର ଲଗାଇ କହିଲା–କବାତ କୋ’ଲ ।

 

ସେହି ଦୋତୁଣ୍ଡା ଭାଷା କି ମିଠା ! ନିସ୍ତବ୍ଧ ରାତିରେ ଡର ମାଡ଼ିଲେ ଯେମିତି ଆମେ ଗୀତ ଗାଉ, ନିଜ ଶବ୍ଦକୁ ଜଣେ ସାଥି ବୋଲି ଭାବି ନେଉ; ମୁଁ ସେମିତି ସେତେବେଳେ ମୋର ଉଛୁଳା ସ୍ନେହକୁ ଅଟକାଇବା ପାଇଁ କହି ପକାଇଲି–ତୁମେ ମୋ ପଛେ କାହିଁକି ଲାଗିଛ କହିଲ ? ତୁମେ ଭାବୁ ନାହଁ ଯେ ମୁଁ ମରିଗଲିଣି ? ତୁମେ କ୍ଷତ୍ରୀ ହେଲେ ସୁଦ୍ଧା ତୁମ ଛାତି ଏଡ଼େ ଦୁର୍ବଳ ! ଛାର ସ୍ତ୍ରୀପାଇଁ ନିଜର କୁଳ ମର୍ଯ୍ୟାଦା ବୁଡ଼େଇ ଦେଉଛ । ଫେରିଯାଇ ଆଉ ଗୋଟିଏ ବିଭା କର ଆଉ ଏ ପିଲାଟିକୁ ପାଳ । ଏ ଜୀବନରେ ମୋର ତୁମ ସଙ୍ଗେ କିଛି ସମ୍ପର୍କ ନାହିଁ । ମୁଁ ଖାଲି ଭଗବାନ୍‌ଙ୍କୁ ଏତିକି ମାଗୁଛି, ଆରଜନ୍ମରେ ମୁଁ ପୁଣି ତୁମକୁ ପାଏଁ । ମୋ ଦମ୍ଭ କାହିଁକି ଭାଙ୍ଗୁଛ ? କାହିଁକି ମୋ ମନକୁ ମୋହରେ ପକାଉଛ ? ଏ ପତିତା ସଙ୍ଗରେ ତୁମେ ସୁଖୀ ହୋଇପାରିବ ନାହିଁ-। ମୋ ଉପରେ ଦୟା କର, ଆଜିରେ ଏଠୁ ଚାଲିଯାଅ । ନାଇଁ ତ ମୁଁ ସତ କରି କହୁଛି, ବିଷ ଖାଇଦେବି ।

 

ସ୍ୱାମୀ ବିକଳ ହୋଇ କହିଲେ–ତୁମ ଲାଗି ମୋ କୁଳ–ମର୍ଯ୍ୟାଦା, ଭାଇବନ୍ଧୁ, ସବୁକିଛି ଛାଡ଼ିଦେବି । ମୁଁ କାହାରିକି ଖାତିର କରିବି ନାହିଁ । ଘରେ ନିଆଁ ଲାଗିଯାଉ, ମୋର ଚିନ୍ତା ନାହିଁ । ମୁଁ ହୁଏତ ତୁମକୁ ନେଇ ଫେରିବି; ନଚେତ୍ ଗଙ୍ଗାରେ ବୁଡ଼ିମରିବି । ମୋ ମନରେ ଯଦି ତୁମ ବିଷୟରେ ଟିକିଏ ହେଲେ ମଇଳା ଥାଏ, ତେବେ ଭଗବାନ୍ ମୋତେ ଶହେବାର ନରକ ଦେବେ । ତୁମେ ଯେବେ ନ ଯିବ, ତୁମ ପିଲାଟିକି ତୁମକୁ ଦେଇ ମୁଁ ଚାଲିଯାଉଛି । ତାକୁ ମାରିଲେ ମାର, ବଞ୍ଚାଇଲେ ବଞ୍ଚାଅ । ମୁଁ ଆଉ ତୁମ ପାଖକୁ ଆସିବି ନାହିଁ । କେବେ ଯଦି ମନେପଡ଼େ, ତେବେ ପାଣି ଆଞ୍ଜୁଳେ ଟେକି ଦେବ ।

 

ବାବୁ ! ଭାବିଲି, ମୁଁ କେଡ଼େ ଜଞ୍ଜାଳରେ ପଡ଼ିଥାଏଁ । ସ୍ଵାମୀ ଯାହା କହନ୍ତି, ତା’ କରନ୍ତି, ଏ କଥା ମୁଁ ଜାଣେ । ଜୀବନକୁ ସେ କିମିତି ଖାତିର କରନ୍ତି ନାହିଁ, ତା’ବି ମୋତେ ଜଣାଥାଏ; ତଥାପି ଛାତିକି ପଥର କରି ମୁଁ ରହିଗଲି । ଟିକିଏ ନରମ ହୋଇଗଲେ ସର୍ବନାଶ ଘଟିଥାନ୍ତା । ମନକୁ ଟାଣ କରି କହିଲି–ତୁମେ ଯେବେ ପୁଅକୁ ମୋ ପାଖେ ଛାଡ଼ି ଦେଇଯିବ, ତେବେ ତା’ ହତ୍ୟା–ଦୋଷ ତୁମକୁ ଲାଗିବ । ମୁଁ ବଞ୍ଚିରହି ତା’ ଦୁର୍ଦ୍ଦଶା ଦେଖିପାରିବି ନାହିଁ । ତାକୁ ପୋଷିବା ପାଳିବା ଭାର ତୁମ ଉପରେ । ତୁମେ ଜାଣ, ତୁମ କାମ ଜାଣେ । ମୋ ଜୀବନରେ ସୁଖ ବୋଲି କିଛି ଥାଏ ତ ତା’ ହେଉଚି ମୋର ପୁଅ–ପତି କୁଶଳରେ ଥିବା । ତୁମେ ଯଦି ମୋର ଏଇତକ ସୁଖ ଛଡ଼େଇ ନେବାକୁ ଚାହଁ ତ ନିଅ । ହେଲେ ମନେରଖ, ସେଇଟି ହେଉଛି ମୋ ଜୀବନର ଆଧାର ।

 

ମୁଁ ଦେଖିଲି, ସ୍ୱାମୀ ମୁହୂର୍ତ୍ତକ ଆଗରୁ ଓହ୍ଲାଇ ଦେଇଥିବା ପୁଅଟିକୁ ପୁଣି କାଖକୁ ନେଲେ-। ତା’ପରେ ଫେରିଲେ । ଆଖିରୁ ଲୁହ ଝରିବାରେ ଲାଗିଥାଏ, ଓଠ ଥରୁଥାଏ ।

 

ସ୍ତ୍ରୀଲୋକଟି ଭଲଲୋକୀ ଦେଖାଇ ସ୍ୱାମୀଙ୍କୁ ବସାଇବାକୁ ଚାହିଁଲା । ପଚାରିଲା–କ’ଣ ହୋଇଛି କାହିଁକି ରୁଷିଛନ୍ତି ? କିନ୍ତୁ ସ୍ୱାମୀ କିଛି ଉତ୍ତର ଦେଲେ ନାହିଁ । ବାବୁଟି ତାଙ୍କ ସଙ୍ଗେ ଫାଟକ ପର୍ଯ୍ୟନ୍ତ ଗଲେ । ଦୁହିଁଙ୍କ ଭିତରେ କି କଥାଭାଷା ହେଲା, ମୁଁ କହିପାରିବି ନାହିଁ । ଅନୁମାନ, ବାବୁ ମୋର ପ୍ରଶଂସା କରିଥିବେ । ତେବେ ସୁଦ୍ଧା ମୋ ଛାତି ଥରୁଥାଏ । କାଳେ ସତକୁସତ ସେ ଜୀବନ ହରେଇ ଦେବେ । ଦେବାଦେବୀଙ୍କୁ କେତେ ମାନସିକ କରୁଥାଏ ତାଙ୍କୁ କୁଶଳରେ ରଖିବାପାଇଁ ।

 

ବାବୁଟି ଯେମିତି ଫେରିଛନ୍ତି, ମୁଁ କବାଟ ଖୋଲି ପଚାରିଲି–ସେ କୁଆଡ଼େ ଗଲେ ? ଆଉ କ’ଣ କହୁଥିଲେ ?

 

ବାବୁ ବିରକ୍ତ ହୋଇ ମୋତେ ଚାହିଁଲେ । କହିଲେ–କହିଥାନ୍ତେ ଆଉ କ’ଣ ? ପାଟିରୁ କଥା ବାହାରିଲେ ତ ? ଧକେଇ ହେଉଥିଲେ । ଏବେବି ଯାଇଁ ଅଟକାଅ; ଭଲ ହୁଅନ୍ତା । ସେ ଗଙ୍ଗାକୂଳ ଆଡ଼କୁ ଗଲେ । ତୁମେ ଏଡ଼େ ଦୟାବତୀ, ପୁଣି ଏଡ଼େ ନିର୍ମମ ! ମୁଁ ଆଜି ଜାଣିଲି । ବିଚାରା ଭଦ୍ରଲୋକଟି କଇଁକଇଁ ହୋଇ କାନ୍ଦୁଥାନ୍ତି ।

 

ଯେପରି ସଂକଟରେ ପଡ଼ିଲେ ଲୋକ ପରକୁ ଆପଣାର ବୋଲି ଭାବିଥାଏ, ମୁଁ ସେଇ ଦଶାରେ ପଡ଼ିଥାଏ । ବାଧା ଦେଇ କହିଲି–ଏ ସବୁ ଦେଖି ସୁଦ୍ଧା ତୁମେ ଛାଡ଼ିଦେଇ ପଳାଇ ଆସିଲ-! ତାଙ୍କ ପାଖରେ ଟିକିଏ ରହିଯାଇଥିଲେ କ’ଣ ଛୋଟ ହୋଇଯାଇଥାନ୍ତ ନା ତୁମ ଘରଣୀଙ୍କୁ ଏଠୁ କିଏ ନେଇ ପଳେଇ ଯାଇଥାନ୍ତା ? ଏଇଛୁଣି ତାଙ୍କ ମନ ଠିକ୍ ନାହିଁ ଦେଖୁଛ, ତେବେବି ତୁମେ ତାଙ୍କୁ ଛାଡ଼ିଦେଇ ପଳେଇ ଆସିଲ !

 

ସେହି ସ୍ତ୍ରୀଟି କହିଲା–କେଜାଣି, ଏଠିକି ନ ଆସିଥିଲେ ମୁଁ କୁଆଡ଼େ ପଳାଉଥିଲି ଯିମିତି-! ଆସ, ଘରେ ଚୁପ୍ ହୋଇ ବସ, ମୁଁ ଯାଉଛି । ଧରି–ଓଗାଳି ଟାଣିଓଟାରି ନ ନେଇ ଆସିଛି ତ ମୁଁ ବାପର ଝିଅ ନୁହେଁ ।

 

ଧର୍ମଶାଳାରେ କେଜାଣି କେତେ ଲୋକ ଥାନ୍ତି । ସମସ୍ତେ ଆପଣା ଆପଣା ଦୁଆରେ ଠିଆ ହୋଇ ଏ ତାମସା ଦେଖୁଥାନ୍ତି । ସ୍ତ୍ରୀଲୋକଟି ଯେମିତି ବାହାରିଛି, ତା’ ସଙ୍ଗେ ସଙ୍ଗେ ଚାରି–ପାଞ୍ଚ ଜଣ ବାହାରିପଡ଼ିଲେ । ଅଧଘଣ୍ଟାକ ଭିତରେ ସମସ୍ତେ ଫେରି ଆସିଲେ । ଖବର ମିଳିଲା ଯେ ସେ ଷ୍ଟେସନ୍ ଆଡ଼କୁ ଯାଇଛନ୍ତି ।

 

ତାଙ୍କୁ ଗାଡ଼ିରେ ଚଢ଼ିବାର ନ ଦେଖିଲା ପର୍ଯ୍ୟନ୍ତ ମୋ ମନ ବା ଥଣ୍ଡା ହେଉଛି କିମିତି ? ଗାଡ଼ି ଭୋରରେ ଯିବ । ରାତିସାରା ସେ ଷ୍ଟେସନ୍‌ରେ ରହିବେ । ଯେମିତି ଅନ୍ଧାର ହୋଇଯାଇଛି, ମୁଁ ଷ୍ଟେସନ୍‌ରେ ପହଞ୍ଚିଗଲି । ସେ କମ୍ବଳ ଖଣ୍ଡିକ ବିଛାଇ ଗୋଟିଏ ଗଛମୂଳେ ବସିଥାନ୍ତି । ମୋ ପୁଅଟି ଲୋଟାଟିକୁ ଗାଡ଼ି କରି ଡୋର ଧରି ଟାଣୁଥାଏ । ଥରକୁଥର ଟାଣୁଥାଏ ଓ ପଡ଼ିଯାଉଥାଏ । ମୁଁ ଆଡ଼ୁଆଳରେ ବସି ତା’ ଖେଳ ଦେଖୁଥାଏ । ମନକୁ କେତେ ଭାବନା ଆସୁଥାଏ–ଜାତି–ଭାଇଙ୍କ ଡର ତ ?

 

ସ୍ଵାମୀଙ୍କ ସଙ୍ଗେ ଆଉ କେଉଁଠି ଯାଇ ରହିଲେ ଜାତି–ଭାଇ କ’ଣଟା କରିପକାଇବେ ? କିନ୍ତୁ ମୁଁ ପୂର୍ବେ ଯାହାଥିଲି, ଆଉ କ'ଣ ତା’ ହୋଇ ପାରିବି ?

 

ପରମୁହୂର୍ତ୍ତରେ ପୁଣି ସେହି କଳ୍ପନା–ସ୍ଵାମୀ ତ ସଫା କହି ଦେଇଛନ୍ତି ଯେ ତାଙ୍କ ମନ ନିର୍ମଳ ଅଛି । ବନେଇ–ଚୁନେଇ କଥା କହିବାର ଅଭ୍ୟାସ ତ ତାଙ୍କର ନାହିଁ । ତେବେ ମୋତେ ଛଳେଇବା ଭଳି କଥା ସେ ବା କହନ୍ତେ କାହିଁକି ? ପୋତା–ମୁର୍ଦ୍ଦାରକୁ ଖୋଳିବାର ଅଭ୍ୟାସ ତାଙ୍କର ନାହିଁ । ମୋତେ କେତେ ଭଲପାଉଥିଲେ ସେ ! ଏବେସୁଦ୍ଧା ତାଙ୍କ ହୃଦୟ ସେଇମିତି ଅଛି । ମୁଁ ବିଅର୍ଥରେ ସଂକୋଚରେ ପଡ଼ି ତାଙ୍କ ଆଉ ମୋ ଜୀବନକୁ ମାଟି କରି ଦେଉଛି ସିନା ! କିନ୍ତୁ–କିନ୍ତୁ ମୁଁ ଆଗେ ଯାହା ଥିଲି, ତା’ କ'ଣ ଆଉ ହୋଇପାରିବି ?

 

ପତି–ଦେବତା ଏବେ ମୋତେ ଆଗଠୁଁ ଅଧିକ ସ୍ନେହ–ଆଦର କରିବେ । ମୁଁ ଜାଣେ ଯେ ମୁଁ ଘିଅ–ଘଡ଼ି ଗଡ଼େଇ ଦେଲେବି ସେ କିଛି କହିବେ ନାହିଁ । ସେ ସେହିପରି ପ୍ରେମ କରିବେ । ହେଲେ ଆଗ କଥା ତ ବାଘ ଖାଇଗଲାଣି, ଆଉ କାହିଁ ଥାଏ ! ଏଣିକି ମୋ ଦଶା ଅରୁଚି ଭୋଗୁଥିବା ରୋଗିଣୀ ପରି ହେବ ସିନା !

 

ତେବେ ମୁଁ ଆଉ ବଞ୍ଚିରହିବି କାହିଁକି ? ଯେଉଁ ଜୀବନରେ କିଛି ସୁଖ ନାହିଁ କି ଆଶା ନାହିଁ, ସେ ଜୀବନ ବିଅର୍ଥ ସିନା ! ଆଉ କିଛିଦିନ କାନ୍ଦିବା ସାର ହେବ । କିଏ ଜାଣେ, କେତେ ଲାଞ୍ଛନା ସହିବାକୁ ପଡ଼ିବ, କେତେ ଦୁର୍ଦ୍ଦଶା ଭୋଗିବାକୁ ପଡ଼ିବ ? ମରିଯିବା ବରଂ ଭଲ ।

 

ଏହି ନିଶ୍ଚୟ କରି ମୁଁ ଉଠିଲି । ଆଗରେ ପତି–ଦେବତା ଶୋଇଥିଲେ । ପିଲାଟିବି ଶୋଇଥାଏ । ଓଃ, କି ଟାଣ ସେ ବନ୍ଧନ ! ସତେ ଯେମିତି କୃପଣର ଧନ–ସେ ନିଜେ ଖାଏ ନାହିଁ କି କାହାରିକି ଦିଏ ନାହିଁ । ପାଖରେ ଧନ ଅଛି, ଖାଲି ଏତିକି ଯା’ ତା’ର ସନ୍ତୋଷ । ଏତିକି ଭାବିଲେ ତା’ ମନରେ କେଜାଣି କେତେ ବଳ ଆସେ । ସେହିପରି ମୋହ–ପାଶକୁ ମୁଁ ଛିଣ୍ଡାଇ ଦେବାକୁ ଯାଉଥାଏ ।

 

ମୁଁ ଡରି ଡରି ସମସ୍ତ ପ୍ରାଣକୁ ଆଖିରେ ଭରି ପତି–ଦେବତାଙ୍କ ପାଖକୁ ଗଲି । ହେଲେ ମୁହୂର୍ତ୍ତେବି ସେଠି ଠିଆ ହୋଇପାରିଲି ନାହିଁ । ଲୁହା ଚୁମ୍ବକ ଆଡ଼କୁ ଟାଣି ହୋଇଗଲା ପରି ମୁଁ ତାଙ୍କ ମୁହଁଟି ଆଡ଼କୁ ଟାଣି ହୋଇଯାଉଥାଏ । ମୁଁ ମୋର ସବୁଯାକ ବଳ ଠୁଳେଇ ତାଙ୍କର ମୋହ–ପାଶକୁ ଛିଣ୍ଡାଇ ଦେଲି । ସେହି ବଳରେ ଦଉଡ଼ି ଦଉଡ଼ି ଗଙ୍ଗା–କୂଳକୁ ପଳାଇଗଲି । ତେବେ ସୁଦ୍ଧା ମୋ ମନରେ ମୋହ ଲାଖି ରହିଥାଏ । ମୁଁ ଗଙ୍ଗାକୁ ଡେଇଁପଡ଼ିଲି ।

 

ଅମର କାତର ହୋଇ କହିଲା–ମୁଁ ଆଉ ଶୁଣିପାରିବି ନାହିଁ, ମୁନ୍ନୀ ! ଥାଉ, ପରେ କେବେ କହିବ ।

 

ମୁନ୍ନୀ ମୁରୁକି ହସି କହିଲା–ବାଃ, ଆଉ ରହିଲା କ’ଣ ଯେ ? ମୁଁ କେତେବେଳଯାଏ ପାଣିରେ ପଡ଼ିରହିଲି, କହିପାରିବି ନାହିଁ । ଚେତା ପାଇଲାବେଳକୁ ଦେଖେ ତ ଏଇ ଘରେ ପଡ଼ିଛି । ମୁଁ ଭାସିଯାଉଥିଲି । ପ୍ରଧାନଙ୍କ ବଡ଼ପୁଅ ସୁମେର ଗଙ୍ଗାକୁ ଗାଧୋଇ ଯାଇଥିଲା, ମୋତେ ଉଠାଇ ଆଣିଲା । ସେଇଦିନୁ ମୁଁ ଏଇଠି ଅଛି । ଏଇ ଅଛୁଆଁ ଲୋକଙ୍କ କୁଡ଼ିଆରେ ରହି ଯେଉଁ ସୁଖ–ଶାନ୍ତି ପାଏ, ତା’ ଆଉ କହିବି କ’ଣ ? କାଶୀ ଆଉ ପୟାଗ ମୋତେ ଭାଉଜ ବୋଲି ଡାକନ୍ତି; କିନ୍ତୁ ସୁମେର ମୋତେ ଭଉଣୀ ଭଉଣୀ କହୁଥିଲା । ମୁଁ ଭଲ କରି ଉଠି–ବସି ପାରି ନଥିଲି, ସେ ସେପୁରକୁ ଚାଲିଗଲା ।

 

ଅମର ମନରେ ବହୁଦିନରୁ ଗୋଟାଏ କଣ୍ଟା ଫୋଡ଼ି ହେଉଥିଲା । ତାହାର କିଛି ଅଂଶ ବାହାରିଗଲା; କିନ୍ତୁ ଆହୁରି କିଛି ବାକି ରହିଗଲା ।

 

“ସୁମେର ଓ ତୁମ ଭିତରେ ଅବଶ୍ୟ ପ୍ରେମ ଥିବ ?”

 

ମୁନ୍ନୀର ଭାବଧାରା ବଦଳିଗଲା–ହଁ ଥିଲା, ପୁଣି ଅଳପ–ସଳପ ନୁହେଁ, ଖୁବ୍ ବେଶି । ହେଲେ ସେଥିରେ ମୋର ଅକ୍ତିଆର କ’ଣ ? ମୁଁ ଯେତେବେଳେ ସୁସ୍ଥ ହୋଇଗଲି, ଦିନେ ସେ ତା’ ମନକଥା ଖୋଲି ମୋତେ କହିଲା । ମନର ରାଗକୁ ହସରେ ମିଶେଇ ମୁଁ କହିଲି–ତୁମେ କ’ଣ ଏଇମିତି ତୁମ ଉପକାର ଶୁଝେଇବାକୁ ମୋତେ କହୁଛ ? ଏଇ କଥା ଯେବେ ତୁମ ମନରେ ଥାଏ, ତେବେ ପୁଣି ମୋତେ ନେଇ ଗଙ୍ଗାରେ ଫିଙ୍ଗିଦିଅ । ଯେବେ ଏଇ କଥା ମନରେ ରଖି ମୋ ଜୀବ ବଞ୍ଚାଇଥାଅ, ତେବେ ତୁମେ ମୋ ପ୍ରତି ବଡ଼ ଅନ୍ୟାୟ କରିଛ । ତୁମେ ଜାଣ, ମୁଁ କିଏ ? ମୁଁ ରାଜପୁତ । ଆଉ ଦିନେ ଭୁଲରେବି ମୋତେ ଏ କଥା କହିବ ନାହିଁ । କହିବ ଯଦି ଗଙ୍ଗା ତ ଏଠିକି ଦୂର ନୁହେଁ । ତାକୁ ଏପରି ଲାଜ ଲାଗିଲା ଯେ ମୋତେ ଆଉ କିଛି କଥାବାର୍ତ୍ତା କରି ନାହିଁ; କିନ୍ତୁ ମୋ କଥାରେ ତା’ ହୃଦ ଭାଙ୍ଗିଗଲା । ଦିନେ ମୋ ପଞ୍ଜରା ହାଡ଼ ବଥା ଲାଗିଲା । ସେ ଭାବିଲା, ଏ ସବୁ ଭୂତର ଫେର । ଗୁଣିଆ ଡାକିବାକୁ ଗଲା । ନଦୀ ବଢ଼ିଥାଏ । ବୁଡ଼ିଗଲା । ମୋ ନିଜର ଭାଇ ମଲାବେଳେ ମୋତେ ଯେତିକି ଦୁଃଖ ହୋଇଥିଲା, ତା’ ମରଣରେ ମୋତେ ସେତିକି ଦୁଃଖ ଲାଗିଲା-। ନୀଚ ଜାତିରେବି ଏମିତି ଦେବତା ଥାନ୍ତି, ମୁଁ ଏଇଠି ଆସି ଜାଣିଲି । ସେ ଆଉ କିଛିଦିନ ବଞ୍ଚିଥିଲେ, ଏ ଘରର ଭାଗ୍ୟ ଚେଇଁ ଉଠିଥାନ୍ତା । ଗାଁଟାଯାକର ତ ସେ ଥିଲା ହାତବାରିସି-। କେହି ଗାଳିମନ୍ଦ ଦେଲେବି ସେ ଉଁ–ଚୁ କରେ ନାହିଁ ।

 

ଅମର ପଚାରିଲା–ସେହିଦିନୁ ତୁମେ ତୁମର ପୁଅ ପତିଙ୍କ ଖବର ପାଇ ନଥିବ ତ ?

 

ମୁନ୍ନୀ ଆଖିରୁ ଟପଟପ ହୋଇ ଲୁହ ଝରିପଡ଼ିଲା । କାନ୍ଦୁ କାନ୍ଦୁ କୋହ ଉଠିଲା । ତା’ପରେ କଇଁକଇଁ ହୋଇ କହିଲା–ସକାଳେ ସେ ପୁଣି ସେହି ଧର୍ମଶାଳାକୁ ଯାଇଥିଲେ । ଜାଣିଲେ ଯେ ରାତିରେ ମୁଁ ସେଠିକି ଯାଇ ନାହିଁ । ମୋତେ ଖୋଜାଖୋଜି କଲେ । ମୁଁ କେଉଁଠି ଅଛି ବୋଲି କେହି କହିଦେଲେ ସେଠିକି ଧାଇଁ ଯାଉଥାନ୍ତି । କେତେ କଷ୍ଟ ସହି ମାସେକାଳ ମୋତେ ଖୋଜି ଖୋଜି ସେ ଅଞ୍ଚଳସାରା ବୁଲିଲେ । ଏହିପରି ନିରାଶା ଆଉ ଚିନ୍ତାରେ ସେ ପାଗଳ ପରି ହୋଇଗଲେ । ପରେ ହରିଦ୍ଵାରକୁ ଫେରିଗଲେ; କିନ୍ତୁ ସେତେବେଳକୁ ପିଲାଟି ଆଉ ତାଙ୍କ ସଙ୍ଗରେ ନଥାଏ । କେହି ଯଦି ପଚାରେ, 'ତୁମ ପୁଅଟି କୁଆଡ଼େ ଗଲା କି ?’ ଖାଲି ହସନ୍ତି । ମୁଁ ଭଲ ହୋଇଯାଇ ଚଲାବୁଲା କଲାରୁ ଦିନେ ମନ ହେଲା, ହରିଦ୍ଵାର ଯାଇ ଦେଖିବି, ମୋ ହଜା–ଧନର ଖବର ନେବି । ସେତେବେଳକୁ ତିନି ମାସରୁ ବେଶି ବିତିଗଲାଣି । ପାଇବାର ଆଶା ତ ନଥାଏ; କିନ୍ତୁ ସେହି ବାହାନାରେ ସ୍ଵାମୀଙ୍କର କିଛି ଖବର ମିଳିଯିବ ବୋଲି ଭାବୁଥାଏ । ଭାବିଥିଲି, ଚିଠି ଖଣ୍ଡେ ଲେଖି ପଠାଇଦେବି । କିନ୍ତୁ ସେହି ଧର୍ମଶାଳା ଆଗରେ ପହଞ୍ଚି ଦେଖିଲି ଦୁଆରେ ବହୁତ ଲୋକ ଜମା ହୋଇଛନ୍ତି । ମୁଁ ବି ସେଠାକୁ ଚାଲିଗଲି । ଗୋଟିଏ ଲୋକର ଶବ ପଡ଼ିଥାଏ । ଲୋକେ କହୁଥାନ୍ତି–‘ଏ ସେଇ ପାଗଳାଟା ମ, ସେ ତା’ ସ୍ତ୍ରୀକୁ ଖୋଜି ବୁଲୁଥାଏ ।’ ମୁଁ ଚିହ୍ନିପାରିଲି–ସେ ମୋର ସ୍ଵାମୀ । ଏ ସବୁ ଖବର ମୋତେ ପଡ଼ିଶା ଲୋକେ କହିଥିଲେ । ଛାତି କୋଡ଼ି ହୋଇ ରହିଲି । ଯେଉଁ ସର୍ବନାଶକୁ ଡରୁଥିଲି, ଶେଷରେ ସେଇଆ ହେଲା । ଏମିତି ଘଟିବ ବୋଲି ଜାଣିଥିଲେ ମୁଁ କ’ଣ ତାଙ୍କ ସଙ୍ଗରେ ଚାଲିଯାଇ ନଥାନ୍ତି ! ଦଇବ ମୋତେ ଦୋହରା ଦଣ୍ଡ ଦେଲା । ହେଲେ ମଣିଷ ଜାତିଟା ତ ବଡ଼ ବେହିଆ । ଏଯାଏଁ ମୋତେ ମରିବାକୁ ଯୋଗ ହେଲା ନାହିଁ । କାହାପାଇଁ ମରନ୍ତି କାହିଁକି ! ଖାଉଛି–ପିଉଛି, ହସୁଛି–ଖେଳୁଛି; ଯେମିତି ମୋର କିଛି ହୋଇ ନାହିଁ ! ଛାଡ଼, ଏଇ ହେଲା ମୋର ରାମାୟଣ–ମୋ ଦରପୋଡ଼ା ଜୀବନର କାହାଣୀ ।

 

–୨୪–

 

ଲାଲା ସମରକାନ୍ତଙ୍କ ଜୀବନର ସକଳ କଳ୍ପନା ଧୂଳିରେ ମିଳାଇ ଗଲା । ସେ ଆଶା କରିଥିଲେ, ଜୀବନ–ସନ୍ଧ୍ୟାରେ ସ୍ଵୀୟ ସଞ୍ଚିତ ସର୍ବସ୍ଵ ପୁତ୍ର ହସ୍ତରେ ସମର୍ପି ଦେଇ କନ୍ୟା–ସମ୍ପ୍ରଦାନ–ଉତ୍ସବ ସମ୍ପାଦନ କରି ଏକାନ୍ତରେ ବସି ଭଗବଦ୍–ଭଜନରେ ମନୋନିବେଶ କରିବେ । ମାତ୍ର ମନକଥା ମନରେହିଁ ରହିଗଲା । ଏହା ସର୍ବସମ୍ମତ ଯେ ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ବିଶ୍ରାମ କରିବାର ପ୍ରାଣୀ ସେ ନଥିଲେ । ପୁଅକୁ ବଢ଼ିବାର ଦେଖି ତାଙ୍କର ଉତ୍ସାହ ଅଧିକ ବଢ଼ିଥାନ୍ତା; ମାତ୍ର ତାଙ୍କ ଉଦ୍ଦେଶ୍ୟ ସିଦ୍ଧ ହେଲା ନାହିଁ । ମଝିରେ ଅମର ଟିକେ ବାଟକୁ ଆସିଲା ପରି ଜଣାଯାଉଥିଲା; ମାତ୍ର ତା’ର ବୁଦ୍ଧି ଯେତେବେଳେ ଭ୍ରଷ୍ଟ ହୋଇଗଲା, ତା’ଠାରୁ ଆଉ କ’ଣ ଆଶା କରାଯାଇପାରିଥାନ୍ତା ? ଅମରଠାରେ ଆଉ ଯାହା ଦୋଷ ଥାଉ ପଛେ, ତା’ର ଚରିତ୍ର ବିଷୟରେ କୌଣସି ସନ୍ଦେହ ନଥିଲା; କିନ୍ତୁ କୁସଙ୍ଗରେ ପଡ଼ି ସେ ଧର୍ମ ନାଶ କଲା, ଚରିତ୍ର ହରାଇଲା, କୁଳ–ମର୍ଯ୍ୟାଦାବି ହରାଇଲା । ଲାଲାଜୀ କୁତ୍ସିତ ସମ୍ବନ୍ଧକୁ ବିଶେଷ ଦୋଷାବହ ବୋଲି ଭାବୁ ନଥିଲେ । ସମ୍ଭ୍ରାନ୍ତ ଲୋକଙ୍କ ମଧ୍ୟରେ ଏ ପ୍ରଥା ପ୍ରାଚୀନ କାଳରୁ ଚଳିଆସୁଛି । ଏପରି ଖେଳ ଯେ ନ ଖେଳେ, ସେ କି ବଡ଼ଲୋକ ! କିନ୍ତୁ ଧର୍ମ ତ୍ୟାଗ କରିବାକୁ ପ୍ରସ୍ତୁତ ହେବା, ଖୋଲାଖୋଲିଭାବେ ସମାଜର ମର୍ଯ୍ୟାଦାକୁ ଭାଙ୍ଗି ଫିଙ୍ଗିଦେବା, ଏ’ଟା ତ ପାଗଳାମି; ବରଂ ଗଧାମି ।

 

ସମରକାନ୍ତଙ୍କ ବ୍ୟାବହାରିକ ଜୀବନ ତାଙ୍କର ଧାର୍ମିକ ଜୀବନଠାରୁ ସମ୍ପୂର୍ଣ୍ଣ ପୃଥକ୍ ଥିଲା-। ବ୍ୟବହାର ଓ ବ୍ୟବସାୟରେ କୂଟ–କପଟ, ଛଳ–ପ୍ରପଞ୍ଚ ଆଦିକୁ ସେ କ୍ଷମ୍ୟ ବୋଲି ବିଚାରୁଥିଲେ-। ବ୍ୟବସାୟ–ନୀତିରେ ଝୋଟ ବା କପାରେ ଅଳିଆ ମିଶାଇ ଦେବା, ଘିଅରେ ଆଳୁ ବା କନ୍ଦମୂଳ ମିଶାଇ ଦେବା ବିଧି–ବହିର୍ଭୂତ ନଥିଲା; କିନ୍ତୁ ସ୍ନାନ ନ କଲା ପର୍ଯ୍ୟନ୍ତ ମୁହଁରେ ପାଣି–ଟୋପାଏବି ଦେଉ ନଥିଲେ । ଏହି ଚାଳିଶବର୍ଷ ମଧ୍ୟରେ ଏପରି ଦିନଟିଏ ନଥିବ, ଯେଉଁଦିନ ସେ ସନ୍ଧ୍ୟା ସମୟରେ ଆରତି ନ ନେଇଥିବେ, ମଥାରେ ତୁଳସୀ–ପତ୍ର ଚଢ଼ାଇ ନଥିବେ । ପ୍ରତି ଏକାଦଶୀ ଦିନ ନିର୍ଜଳ ବ୍ରତ କରୁଥିଲେ । ମୋଟଉପରେ ତାଙ୍କର ଧର୍ମ ଥିଲା ଆଡ଼ମ୍ବର ମାତ୍ର; ଯାହାର କି ଜୀବନରେ କୌଣସି ପ୍ରୟୋଜନ ନଥିଲା ।

 

ସଲୀମ୍ ଘରୁ ଫେରିବା ପରେ ତାଙ୍କର ପ୍ରଥମ କାମ ହେଲା ସୁଖଦାକୁ ତିରସ୍କାର କରିବା-। ତତ୍ପରେ ପଡ଼ିଲା ନୟନାର ପାଳି । ଦୁହିଁଙ୍କୁ କନ୍ଦାଇ ସାରି ସେ ନିଜ କୋଠରୀକୁ ଗଲେ ଓ କାନ୍ଦିବାକୁ ଲାଗିଲେ ।

 

ରାତାରାତି ଏ ଖବରସାରା ସହରରେ ବ୍ୟାପିଗଲା । ବହୁ ପ୍ରକାରର ଗୁପ୍ତଆଲୋଚନା ଚାଲିଲା । ସମରକାନ୍ତ ଦିନସାରା ଘରୁ ବାହାରି ନାହାନ୍ତି କି ସେଦିନ ଗଙ୍ଗାସ୍ନାନକୁ ମଧ୍ୟ ଯାଇ ନାହାନ୍ତି । କେତେକ ଖାତକ ଟଙ୍କା ନେଇ ଆସିଥିଲେ । ଗୁମାସ୍ତା ଟ୍ରେଜେରୀ ଚାବିକାଠି ମାଗିବାକୁ ଗଲାରୁ ତାକୁ ଏମିତି ଧମକାଇ ଦେଲେ ଯେ, ସେ ଚୁପ୍ କରି ବାହାରକୁ ପଳାଇଲା । ଖାତକମାନେ ଟଙ୍କା ନେଇ ଫେରିଗଲେ ।

 

ଚାକର ରୁପାର ହୁକାଟି ସାଜି ସାମନାରେ ରଖିଦେଲା । ତମାଖୁ ଜଳି ପାଉଁଶ ହୋଇଗଲା ସିନା ଲାଲାଜୀ ହୁକା–ନଳ ମୁହଁରେ ଲଗେଇଲେବି ନାହିଁ ।

 

ଦଶଟାବେଳେ ସୁଖଦା ଆସି ପଚାରିଲା–ଆପଣ ଖାଇବେ କ’ଣ ?

 

ଲାଲାଜୀ ତାକୁ କଠୋର ଦୃଷ୍ଟିରେ ଚାହିଁ କହିଲେ–ମୋତେ ଭୋକ ନାହିଁ ।

 

ସୁଖଦା ଚାଲିଗଲା । ଦିନସାରା କେହି କିଛି ଖାଇଲେ ନାହିଁ ।

 

ରାତି ନ’ଟାବେଳକୁ ନୟନା ଆସି କହିଲା–ଆରତି–ଦର୍ଶନକୁ ଯିବନି ?

 

ଲାଲାଜୀ ଚମକି ଉଠିଲେ–ହଁ–ହଁ, ନ ଯିବି କାହିଁକି ? ତୁମେମାନେ କିଛି ଖାଇଲଣି ନା ନାଇଁ ?

 

ନୟନା କହିଲା–କାହାରି ତ ଇଚ୍ଛା ନଥିଲା, କିଏ ଖାଇଥାନ୍ତା ?

 

‘‘ତେବେ କ’ଣ ତା’ପାଇଁ ବଂଶଯାକ ପ୍ରାଣ ଦେଇଦେବ ?”

 

ସୁଖଦା ଏତିକିବେଳକୁ ପ୍ରସ୍ତୁତ ହୋଇ ପହଞ୍ଚିଗଲା । କହିଲା–ଆପଣ ଯେତେବେଳେ ପ୍ରାଣ ଦେଉଛନ୍ତି, ଅନ୍ୟମାନଙ୍କ ଉପରେ ବିରକ୍ତ ହେବାକୁ ଆପଣଙ୍କର କି ଅଧିକାର ଅଛି ?

 

ଲାଲାଜୀ ଚାଦର ଘୋଡ଼େଇ ହୋଇ ଯାଉ ଯାଉ କହିଲେ–ମୋର କ’ଣ ବିଗିଡ଼ିଯାଇଛି ଯେ ମୁଁ ପ୍ରାଣ ଦେଇ ଦେଉଛି ! ଏଠି ଥିଲା, ମୋତେ କେଉଁ ସୁଖଟା ଦେଉଥିଲା କି ? ମୁଁ ତ ପୁତ୍ର–ସୁଖ କ’ଣ ଜାଣିଲି ନାହିଁ । ତେମନ୍ତେ ଜଳାଉଥିଲା, ଏମନ୍ତେ ଜଳାଉଛି । ଯାଅ ଯାଅ, ରୋଷେଇ ଯୋଗାଡ଼ କର, ମୁଁ ଆସିଲେ ଖାଇବି । ଯେ ଗଲା ଯାଉ; ଯେଉଁମାନେ ରହିଲେ, ସେମାନଙ୍କୁ ତା’ ସ୍ଥାନ ପୂରଣ କରିବାକୁ ହେବ । ମୁଁ କାହିଁକି ମରିବି ? ମୁଁ ପୁଅକୁ ଜନ୍ମଦେଲି, ବାହା–ସାହା କରେଇଲି, ଘର–ଗୃହସ୍ଥି ସମ୍ପାଦିଲି, ତାକୁ ଚଳେଇବା ଭାର ମୋ ମୁଣ୍ଡ ଉପରେ । ମୋତେ ଆହୁରି ବହୁତ ଦିନ ବଞ୍ଚିବାକୁ ପଡ଼ିବ । କିନ୍ତୁ ମୁଁ ବୁଝିପାରୁ ନାହିଁ, ଟୋକାଟାକୁ ଏ କି ବୁଦ୍ଧି ଦିଶିଲା । ପଠାଣୁଣୀର ନାତୁଣୀଟା ତ ଅପସରା ହୋଇ ନଥିବ । ତଥାପି ୟାପାଇଁ ତା’ ମନ ଏମିତି ଉଚ୍ଚାଟ ହେଲା କାହିଁକି ? ତା’ର ତ ଏପରି ସ୍ଵଭାବ ନଥିଲା । ୟାକୁ’ଇ କହନ୍ତି ଭଗବାନଙ୍କ ଲୀଳା !

 

ମନ୍ଦିରରେ ଲୋକ ଜମିଗଲେ । ଲାଲା ସମରକାନ୍ତଙ୍କୁ ଦେଖିଲାକ୍ଷଣି କେତେକ ଭଦ୍ରଲୋକ ପଚାରିଲେ–ଅମର କୁଆଡ଼େ ଚାଲିଗଲେ, ସେଠଜୀ ? କ’ଣ ହେଲା ?

 

ଲାଲାଜୀ ସେ କଥାକୁ ବୁଲାଇ ଦେଲାପରି କହିଲେ–କିଛି ନାଇଁ, ଅନେକ ଦିନୁ ତା’ର ବୁଲାବୁଲି କରିବାକୁ ମନ ଥିଲା, ପୂର୍ବଜନ୍ମରେ ତପସ୍ଵୀ ଥିଲା କି କ’ଣ, ତା’ ହାତରେ ପଡ଼ିଥିଲେ ମୋର ସାରା ଗୃହସ୍ଥି ଏକାଦିନକେ ଜୂର କରି ଦେଇଥାନ୍ତା । ମୁଁ ତ ଏ ସବୁ ଦେଖିପାରିବି ନାହିଁ । ବାସ୍, ଏଇ ହେଲା କନ୍ଦଳର ମୂଳ । ମୁଁ ଗରିବ ହେବାର ମଜା ଚାଖିଛି, ଧନୀ ହେବାର ମଜାବି ଚାଖିଛି । ସେ ତ ଏଯାଏଁ ଗରିବ ହେବାର ମଜା ଚାଖିପାରି ନାହିଁ । ବର୍ଷେ–ଛ’ମାସ ମଜା ପାଇଗଲେ ବଳେ ଆଖି ଖୋଲିଯିବ ଯେ । ସେତେବେଳେ ଯାଇ ବୁଝିପାରିବ ଯେ ଯାହା ହାତରେ ଧନ ଅଛି, ସେହି ଏକା ଜନସେବା କରିପାରିବ । ଘରେ ଦି’ଟା ଖାଇବାକୁ ନଥିଲେ ତ ମେମ୍ବରିବି ମିଳି ନଥାନ୍ତା ।

 

ଆଉ ବେଶି ପଚାରିବାକୁ କାହାରି ସାହସ ହେଲା ନାହିଁ; କିନ୍ତୁ ମୂର୍ଖ ପୂଜାରୀଟା ପଚାରି ଦେଲା–ଶୁଣୁଛି, କେଉଁ ତନ୍ତୀ–ଝିଅ ପାଲରେ ପଡ଼ିଯାଇଥିଲେ ?

 

ଏପରି ଅଖାଡ଼ୁଆ ପ୍ରଶ୍ନ ଶୁଣି ଲୋକେ ଜିଭ କାମୁଡ଼ି ମୁହଁ ବୁଲାଇ ଦେଲେ । ଲାଲାଜୀ ପୂଜାହାରୀକୁ ରକ୍ତ–ଚକ୍ଷୁରେ ଚାହିଁ ଉଚ୍ଚୈଃସ୍ଵରରେ କହିଲେ–ହଁ–ହଁ, ପଡ଼ିଯାଇଥିଲେ, ସେଇଠୁ ହେଲା କ’ଣ ? ଭଗବାନ୍ ଶ୍ରୀକୃଷ୍ଣ ହଜାରେ ରାଣୀ ଭୋଗ କରି ନଥିଲେ ? ରାଜା ଶାନ୍ତନୁ କେଉଟୁଣୀ–ଝିଅ ସଙ୍ଗେ ଭୋଗ–ବିଳାସ କରି ନଥିଲେ ? କେଉଁ ରାଜାର ନଅରରେ ଦୁଇ ଶହ ରାଣୀରୁ ଊଣା ଥିବେ ? ସେ କରି ପକେଇଲା ତ ନୂଆ କଥାଟାଏ କ’ଣ କଲା କି ? ତୁମ ପରି ଲୋକଙ୍କପାଇଁ ଏହି ଜବାବ । ବୁଝିବା–ସୁଝିବା ଲୋକଙ୍କପାଇଁ ଜବାବ ହେଉଛି–ଯା’ ଘରେ ଅପ୍‌ସରା ପରି ସ୍ତ୍ରୀ ଅଛି, ସେ କାହିଁକି ଅଇଁଠା–ପତ୍ର ଚାଟିବାକୁ ଯା’ନ୍ତା ! ମୋହନଭୋଗ ଖାଇବା ଲୋକ ଶୁଖିଲା ଚଣାକୁ ଆଖେଇବ କାହିଁକି ?

 

କହୁ କହୁ ଲାଲାଜୀ ପ୍ରତିମା ସମ୍ମୁଖକୁ ଗଲେ; କିନ୍ତୁ ଆଜି ତାଙ୍କ ମନରେ ସେପରି ଶ୍ରଦ୍ଧା ନାହିଁ । ଦୁଃଖୀ ଆଶା ନେଇ ଈଶ୍ୱରଙ୍କଠାରେ ଭକ୍ତି ରଖେ, ସୁଖୀ ଭକ୍ତି କରେ ଭୟରେ । ଦୁଃଖୀ ଉପରେ ଯେତେ ଅଧିକ ଦୁଃଖ ପଡ଼େ, ତା’ର ଭକ୍ତି ସେତିକି ଅଧିକ ହୁଏ । ସୁଖୀ ଉପରେ ଦୁଃଖ ପଡ଼ିଲେ ସେ ବିଦ୍ରୋହ ଆରମ୍ଭ କରେ । ନିଜ ଧନ ଆଗରେ ସେ ଈଶ୍ଵରଙ୍କୁ ମଧ୍ୟ ଅବତନ କରିବାକୁ ଚାହେଁ । ଲାଲାଜୀଙ୍କ ବ୍ୟଥିତ ହୃଦୟ ଆଜି ସୁନା ଓ ରେଶମରେ ଝଲକୁଥିବା ପ୍ରତିମା ମଧ୍ୟରୁ ଧୈର୍ଯ୍ୟ ଓ ସନ୍ତୋଷର ଆଭାସ ପାଇପାରିଲା ନାହିଁ । କାଲି ପର୍ଯ୍ୟନ୍ତ ଏହି ପ୍ରତିମା ତାଙ୍କୁ ଶକ୍ତି ଓ ଉତ୍ସାହ ପ୍ରଦାନ କରୁଥିଲା । ଆଜି ଏହି ପ୍ରତିମା ଆଗରେ ତାଙ୍କର ବିପଦଗ୍ରସ୍ତ ମନ ବିଦ୍ରୋହୀ ହୋଇ ଉଠିଛି-। ଏହି କ’ଣ ତାଙ୍କ ଭକ୍ତିର ପୁରସ୍କାର ? ଏହି ତାଙ୍କର ଗଙ୍ଗା–ସ୍ନାନ, ବ୍ରତ ଓ ନିଷ୍ଠାର ଫଳ !

 

ସେ ଫେରିଲାବେଳକୁ ବ୍ରହ୍ମଚାରୀ ମହାଶୟ କହିଲେ–ଲାଲାଜୀ ! ଏବେ ବାଲ୍ମୀକିୟ କଥା ବିଷୟରେ ଭାବୁଥିଲୁ ।

 

ଲାଲାଜୀ ପଛକୁ ଫେରି କହିଲେ–ହଁ–ହଁ, ହଉ ।

 

ଜଣେ ବାବୁ କହିଲେ–ଏଠି ତ କାହାରି ଏତେ ସାମର୍ଥ୍ୟ ନାହିଁ ।

 

ସମରକାନ୍ତ ଉତ୍ସାହ ଦେଖାଇ କହିଲେ–ହଉ–ହଉ, ମୁଁ ସବୁ ଭାର ନେବାକୁ ପ୍ରସ୍ତୁତ । ଭଗବଦ୍–ଭଜନରୁ ବଳି ଆଉ କି ସତ୍‍କାର୍ଯ୍ୟରେ ଧନ ଖର୍ଚ୍ଚ ହେବ ?

 

ତାଙ୍କର ସେ ଉତ୍ସାହ ଦେଖି ଲୋକେ ଚକିତ ହୋଇଗଲେ । ସେ ଥିଲେ କୃପଣ, କୌଣସି ଧର୍ମ–କାର୍ଯ୍ୟରେ ଅଗ୍ରସର ହେଉ ନଥିଲେ । ଲୋକେ ଭାବିଥିଲେ, ତାଙ୍କଠାରୁ ଦଶ–କୋଡ଼ିଏ ଟଙ୍କା ମିଳିଲା ତ ବହୁତ ! ତାଙ୍କୁ ଏମିତି ବାଜିମାରି ନେବାର ଦେଖି ଅନ୍ୟମାନେ ମଧ୍ୟ ତେଜି ଉଠିଲେ ।

 

ସେଠ୍ ଧନୀରାମ କହିଲେ–ଆପଣଙ୍କୁ ସବୁ ଭାର ନେବାକୁ କୁହାଯାଉ ନାହିଁ, ଲାଲାଜୀ ! ଆପଣ ଲକ୍ଷ୍ମୀବନ୍ତ, ସତ; କିନ୍ତୁ ଅନ୍ୟମାନଙ୍କର ତ ପୁଣି ଶ୍ରଦ୍ଧା ଅଛି । ଚାନ୍ଦାରେ କାମ ଚାଲୁ ।

 

ସମରକାନ୍ତ କହିଲେ–ତେବେ ସମସ୍ତେ ନିଜ ନିଜ ଭିତରେ ଚାନ୍ଦା କରି ଦିଅନ୍ତୁ । ଯାହା ଅଭାବ ପଡ଼ିବ, ମୁଁ ପୂରଣ କରିଦେବି ।

 

ଧନୀରାମଙ୍କର ଭୟ ହେଲା–କାଳେ ଏ ମହାଶୟ ଶସ୍ତାରେ ଖସିଗଲେ ? କହିଲେ–ତା’ ନୁହେଁ । ଆପଣ ଯେତିକି ଦେବେ, ଲେଖି ଦିଅନ୍ତୁ ।

 

ସମରକାନ୍ତ ପ୍ରତିଯୋଗୀ ଭାବରେ କହିଲେ–ପ୍ରଥମେ ଆପଣ ଲେଖନ୍ତୁ ।

 

ଦୁଆତ–କଲମ ଓ କାଗଜ ଅଣାଗଲା । ଧନୀରାମ ଲେଖିଲେ ଟ ୧୦୧–୦୦

 

ସମରକାନ୍ତ ବ୍ରହ୍ମଚାରୀ ମହାଶୟଙ୍କୁ ପଚାରିଲେ–ଆପଣଙ୍କ ଅନୁମାନରେ ସମୁଦାୟ କେତେ ଖର୍ଚ୍ଚ ଲାଗିବ ?

 

ବ୍ରହ୍ମଚାରୀ ମହାଶୟଙ୍କର ହଜାରେ ଟଙ୍କାର ଅଟକଳ ଥିଲା ।

 

ସମରକାନ୍ତ ଟ ୮୯୯–୦୦ ଲେଖିଦେଇ ସେଠାରୁ ଚାଲିଗଲେ । ପ୍ରକୃତ ଶ୍ରଦ୍ଧାର ଅଭାବକୁ ସେ ଧନଦ୍ଵାରା ପୂର୍ଣ୍ଣ କରିବାକୁ ଚାହୁଁଥିଲେ । ଯେଉଁ ଅନୁପାତରେ ଧର୍ମହାନି ହୁଏ, ସେହି ଅନୁପାତରେ ଆଡ଼ମ୍ବରର ବୃଦ୍ଧି ହୁଏ ।

 

–୨୫–

 

ଅମରକାନ୍ତର ପତ୍ର ଘେନି ନୟନା ଭିତରକୁ ଆସିଲାରୁ ସୁଖଦା ପଚାରିଲା କାହା ଚିଠି କି ?

 

ନୟନା ପାଇବାମାତ୍ରେ ଚିଠିଟି ପଢ଼ି ପକାଇଥିଲା । କହିଲା–ଭାଇଙ୍କର । ସୁଖଦା କହିଲା–ଆଚ୍ଛା, ତାଙ୍କ ଚିଠି ? କେଉଁଠି ଅଛନ୍ତି ?

 

“ହରିଦ୍ଵାର ପାଖରେ ଗୋଟିଏ ଗାଁରେ ।”

 

ପାଞ୍ଚମାସ ହେଲା ଦୁହିଁଙ୍କ ମଧ୍ୟରେ ଅମରକାନ୍ତର ଚର୍ଚ୍ଚା ହୋଇ ନଥିଲା । ତାହା ଯେପରି ଗୋଟାଏ ଘା’, ଯାହାକୁ ଛୁଇଁଲାବେଳକୁ ସେ ଦୁହିଁଙ୍କର ଛାତି ଥରି ଉଠୁଥିଲା । ସୁଖଦା ଆଉ କିଛି ପଚାରିଲା ନାହିଁ । ପୁଅପାଇଁ ଜାମା ସିଲେଇ କରୁଥିଲା–ପୁଣି ସେଥିରେ ମନ ଦେଲା ।

 

ନୟନା ଚିଠିର ଉତ୍ତର ଲେଖିବସିଲା । ଏଇ ମୁହୂର୍ତ୍ତରେ ସେ ଉତ୍ତର ପଠାଇ ଦେବ । ଆଜି ପାଞ୍ଚ ମାସ ପରେ ମୋ କଥା ମନେପଡ଼ିଲା । କେକାଣି କେତେକଅଣ ଲେଖିବାକୁ ଭାବୁଥିଲା-। କେତେ ଘଣ୍ଟା ପରେ ଚିଠିଟି ପ୍ରସ୍ତୁତ ହେଲା, ଯାହାକି ଆମେ ଇତିପୂର୍ବେ ଦେଖିସାରିଛେ-। ଚିଠିଟି ଲେଖିସାରି ସେ ଭାଉଜଙ୍କୁ ଦେଖାଇବାକୁ ଗଲା । ସୁଖଦା ତାହା ଦେଖିବା ଦରକାର ମନେକଲା ନାହିଁ ।

 

ହତାଶ ହୋଇ ନୟନା ପଚାରିଲା–ତୁମ ତରଫରୁ କିଛି ଲେଖିଦେବି ?

“ନା–ନା, କିଛି ନାହିଁ ।”

“ତୁମେ ନିଜ ହାତରେ ଲେଖିଦିଅ !”

“ମୋର କିଛି ଲେଖିବାକୁ ନାହିଁ ।”

ନୟନା କାନ୍ଦ କାନ୍ଦ ହୋଇ ଚାଲିଗଲା । ଚିଠିଟି ଡାକରେ ପଠାଇଦେଲା ।

ଅମରର ନାମ ପ୍ରତି ମଧ୍ୟ ସୁଖଦାର ବିରକ୍ତି ଆସିଛି । ତା’ କୋଠରୀରେ ଅମରର ଗୋଟିଏ ପ୍ରତିଛବି ଥିଲା, ତାକୁ ସେ ଭାଙ୍ଗି ଫୋପାଡ଼ି ଦେଇଛି । ଅମରର ସ୍ମୃତି ଜଗାଇବା ଭଳି କୌଣସି ପଦାର୍ଥ ଆଉ ତା’ ପାଖରେ ନାହିଁ । ଏପରିକି ପୁଅଟିଠାରୁ ମଧ୍ୟ ତା’ର ମନ ଛାଡ଼ିଗଲାଣି । ଏଣିକି ସେ ଅଧିକାଂଶ ସମୟ ନୟନା ପାଖରେ ରହୁଛି । ସୁଖଦା ଏବେ ସ୍ନେହ ପରିବର୍ତ୍ତେ ତା’ ପ୍ରତି ଦୟା କରୁଛି; ମାତ୍ର ଏ ପରାଜୟ ତାକୁ ହତାଶ ନ କରି ତା’ର ଆତ୍ମାଭିମାନକୁ ବହୁଗୁଣ ବଢ଼ାଇ ଦେଇଛି । ବର୍ତ୍ତମାନ ଆତ୍ମନିର୍ଭର ମଧ୍ୟ ଅଧିକ ହୋଇଯାଇଛି । ଏବେ ସେ କାହାରି ଅପେକ୍ଷା ରଖୁନାହିଁ । ସ୍ନେହର ଚାପ ବ୍ୟତୀତ ଅନ୍ୟ କୌଣସି ଚାପ ପାଇଲେ ତା’ର ମନ ବିଦ୍ରୋହ କରି ଉଠୁଛି । ତା’ର ବିଳାସୀ ମନ ଯେପରି ଅଭିମାନ–ବନରେ ହଜିଯାଇଛି ।

କିନ୍ତୁ ଆଶ୍ଚର୍ଯ୍ୟର କଥା, ସକୀନା ପ୍ରତି ତା’ର ଲେଶମାତ୍ର ଦ୍ଵେଷ ନାହିଁ । ସେ ତାକୁ ମଧ୍ୟ ନିଜ ପରି; ବରଂ ନିଜଠାରୁ ଅଧିକ ଦୁଃଖିନୀ ବୋଲି ଭାବୁଛି । ତା’ର କି ଦୁର୍ନାମ ନ ହେଲା ! ସେଥିରେ ପୁଣି ବିଚାରୀଟି ସେହି ନିର୍ଦ୍ଦୟର ନାମକୁ ଝୁରୁଛି ! ସେ ପାଗଳାମି ସବୁ ଛାଡ଼ିଗଲା ତ ! ଏପରି ନୀଚମନା ଲୋକଙ୍କୁ ଭରସା କ’ଣ ? ତେଣେ ଆଉ କେଉଁ ଶିକାରକୁ ଫାନ୍ଦରେ ପକାଇବେନି । ସକୀନା ସହିତ ସାକ୍ଷାତ କରିବାକୁ ତା’ର ଭାରି ଇଚ୍ଛା; କିନ୍ତୁ ତାହା କେବଳ ଇଚ୍ଛାରେହିଁ ରହିଯାଏ ।

 

ଦିନେ ପଠାଣୁଣୀଠାରୁ ଶୁଣିବାକୁ ମିଳିଲା, ସକୀନା ଭାରି ଅସୁସ୍ଥ । ସେହି ଦିନ ସୁଖଦା ତାକୁ ଦେଖିଯିବାକୁ ବାହାରିଲା । ନୟନାକୁବି ସାଙ୍ଗ କଲା । ପଠାଣୁଣୀ ରାସ୍ତାରେ କହିଲା–ମୋ ସାମନାରେ ତ ତା’ ମୁହଁ ବନ୍ଦ ହେଇଯିବ । ମୋ ସଙ୍ଗେ ତ ସେଇଦିନୁ କଥାବାର୍ତ୍ତା ବନ୍ଦ । ତୁମକୁ ଘର ଦେଖାଇ ଦେଇ ମୁଁ ମୋର ତେଣେ ଚାଲିଯିବି । ଏମିତି ଭଲ ସାଦି ଯୁଟିଥିଲା ନା ମା’ ! ଏ ତ ରାଜି ହେଲା ନାହିଁ । ମୁଁ ବି ଚୁପ୍; ଦେଖେ, କେତେଦିନ ତାକୁ ଅନେଇ ବସିରହୁଛି । ମୁଁ ଜିଇଥିବାତକ ଲାଲା ତ ଘରେ ପା’ ଦେଇପାରବେ ନାହିଁ । ପରେ କ'ଣ ହେବ, କିଏ କହିବ ?

 

ସୁଖଦା ପରିହାସ କଲା–କେବେ ଯଦି ତାଙ୍କ ଚିଠି ଆସି ପହଞ୍ଚିଗଲା ଆଉ ସକୀନା ପଳାଇଗଲା, ତେବେ କ'ଣ କରିବ ?

 

ବୁଢ଼ୀ ଆଖି ତରାଟି କହିଲା–ଏଡ଼େ ବହପ, ଏମିତି ଚାଲିଯିବ ? ତା’ ରକ୍ତ ପିଇଯିବିନି ?

 

ସୁଖଦା ପୁଣି ପରିହାସ କଲା–ସେ ତ ମୁସଲମାନ ହେବାକୁ କହୁଛନ୍ତି । ତୁମେ ନାରାଜ କାହିଁକି ?

 

ପଠାଣୁଣୀ କାନରେ ହାତ ଦେଇ କହିଲା–ଲୋ’ ମା’ ! ଦିହକସାରା ଯା’ର ନମକ ଖାଇଛୁ, ତା’ ଘର ଉଜାଡ଼ି ଆପଣା ଘର ସଜାଡ଼ିବି ! ଏ ଭଲ–ଲୋକଙ୍କ କାମ, ନୁହେଁ ମା’ ! ମୁଁ ତ ବୁଝିପାରୁ ନାହିଁ, ଏ ଟୋକୀଠିଁ କ’ଣ ଦେଖି ଛୋଟବାବୁ ଏମିତି ରସିଗଲେ !

 

ନିଜ ଘର ଦେଖାଇ ଦେଇ ପଠାଣୁଣୀ ପଡ଼ିଶା ଘରକୁ ଚାଲିଗଲା । ଯୁବତୀ ଦୁଇଟି ସକୀନା–ଘରର କବାଟ ଖଡ଼ଖଡ଼ କଲାରୁ ସକୀନା ଉଠି କବାଟ ଖୋଲିଲା । ଦୁହିଁଙ୍କୁ ଦେଖି ସେ ଏକପ୍ରକାର ବ୍ୟସ୍ତ ହୋଇପଡ଼ିଲା, ସତେବା କୁଆଡ଼େ ପଳାଇ ଯିବାକୁ ଚାହୁଁଛି ! କେଉଁଠି ବସାଇବ, କିପରି ସତ୍କାର କରିବ !

 

ସୁଖଦା କହିଲା–ତୁମେ ବ୍ୟସ୍ତ ହୁଅନି, ଭଉଣୀ ! ଆମେ ଏଇ ଖଟ ଉପରେ ବସିଯାଉଛୁଁ-। ତୁମେ ତ ଯେମିତି ମିଳେଇ ଗଲଣି ! ଗୋଟାଏ ଶଠର ଫାନ୍ଦରେ ପଡ଼ି କ’ଣ ଜୀବନଟା ନଷ୍ଟ କରିଦେବ ?

 

ସକୀନାର ପାଣ୍ଡୁର ମୁଖ ଲଜ୍ଜାରେ ଲାଲ ପଡ଼ିଗଲା । ସେ ଅନୁଭବ କଲା, ସୁଖଦା ତାକୁ କୈଫିୟତ୍ ମାଗୁଛି–ତୁ ମୋର ସୁଖର ସଂସାରକୁ ଛାରଖାର କରିଦେଲୁ କାହିଁକି ? ଏହାର କୌଣସି ଉତ୍ତର ସକୀନା ପାଖରେ ନଥିଲା । ଏପରି ଆକସ୍ମିକ ଭାବରେ ସେହି କାଣ୍ଡ ଘଟିଯାଇଥିଲା ଯେ, ସେ ନିଜେ ମଧ୍ୟ କିଛି ବୁଝିପାରି ନଥିଲା । ପ୍ରଥମେ ଆକାଶର ଏକ କୋଣରେ ଖଣ୍ଡିଏ ବଉଦ ଦେଖା ଦେଲା; ଚାହୁଁଚାହୁଁ ସାରା ଆକାଶକୁ ଆଚ୍ଛାଦନ କରି ଦେଲା । ତା’ପରେ ଏପରି ପ୍ରବଳ ଝଡ଼–ଝଞ୍ଜା ଆରମ୍ଭ ହେଲା ଯେ ସେ ନିଜେ ସେଥିରେ ଉଡ଼ିଗଲା । ସେ କିପରି ବର୍ଣ୍ଣନା କରିବ, କିମିତି କ’ଣ ହେଲା ! ସେହି ବଉଦ ଖଣ୍ଡିକୁ ଦେଖି ସେତେବେଳେ କିଏ ବା ଅନୁମାନ କରିଥିଲା ଯେ ଝଡ଼ ଆସୁଛି !

 

ସେ ମଥା ନୁଆଁଇ କହିଲା–ନାରୀ–ଜୀବନ ଭିନ୍ନ ପ୍ରକାର କାହିଁକି, ଭଉଣୀ ? ତା’ର ହୃଦୟ ଦୁର୍ବଳ । ଯାହାକୁ ଭରସା କରେ, ସେ ଦଗା ଦିଏ । ତା’ର ବା ଚାରା କ’ଣ ? କିନ୍ତୁ ଦଗାଦାର ସହିତ ପ୍ରେମ ନ କଲେ ସେ ପ୍ରେମରେ କ’ଣ ମଜା ଥାଏ ? ଆପତ୍ତି–ଅଭିଯୋଗ, କନ୍ଦା–କଟା, ସନ୍ତୋଷ–ଅନୁତାପ, ଏଥିରେ ତ ପ୍ରେମର ମଜା । ତା’ପରେ ମୁଁ ତ ଭରସା ଚାହିଁ ନଥିଲି । ସେତେବେଳେବି ମୁଁ ଜାଣିଥିଲି ଯେ ଏ ଝଡ଼ ଦୁଇ–ଚାରି ଘଡ଼ି ରହିବ । କିନ୍ତୁ ମୋର ସାନ୍ତ୍ୱନାପାଇଁ ଏତିକି ଯଥେଷ୍ଟ ଥିଲା ଯେ ମୁଁ ଯାହାଙ୍କୁ ମୋ ହୃଦୟର ସବୁଠୁ ଉଚ୍ଚସ୍ଥାନ ଦେଇଛି, ସେ ମୋତେ ଏତେ ଉପଯୁକ୍ତ ଭାବିଲେ ତ ! ଏହି କାଗଜ ଡଙ୍ଗାରେ ବସି ମଧ୍ୟ ମୁଁ ସାଗର ପାର ହୋଇଯିବି ।

 

ସୁଖଦା ଦେଖିଲା, ସେହି ଯୁବତୀଟିର ହୃଦୟ କି ନିଷ୍କପଟ ! କିଞ୍ଚିତ୍‌ ନିରାଶ ହୋଇ କହିଲା–ଏଇଟା ତ ପୁରୁଷମାନଙ୍କର ଚାଲବାଜି । ପ୍ରଥମେ ପ୍ରଥମେ ଏକବାରେ ଦେବତା ପାଲଟିଯିବେ; ଯେମିତି ଦୁନିଆଯାକର ସୌଜନ୍ୟ ତାଙ୍କରି ପାଖରୁ ଶେଷ । ତା’ପରେ ଦେଖିଲେ ଚିହ୍ନିପାରିବେ ନାହିଁ ।

 

ସକୀନା ଧୃଷ୍ଟତା ପ୍ରକାଶ କଲା–ଭଉଣୀ ! ଇଚ୍ଛା କଲେ କେହି ଦେବତା ପାଲଟିପାରେନା । ଆପଣ ବୟସରେ ମୋଠାରୁ ବର୍ଷେ–ଦୁଇବର୍ଷ ବଡ଼ ହୋଇପାରନ୍ତି; କିନ୍ତୁ ଏ ବିଷୟରେ ମୁଁ ଆପଣଙ୍କଠାରୁ ବେଶି ଜାଣେ । ଏ କଥା ମୁଁ ଗର୍ବରେ କହୁନାହିଁ, ଏହା ବାସ୍ତବ । ଭଗବାନ କରନ୍ତୁ, ଗରିବ ଝିଅ ସୁନ୍ଦରୀ ନ ହେଉ । ସୁନ୍ଦର ରୂପହିଁ ଗରିବର ବିପଦ । ତାକୁ ଦେଖି ବଡ଼ବଡ଼ିଆଙ୍କ କଥା କ’ଣ କହିବା, ଛୋଟଲୋକଙ୍କରବି ରସିକତା ଜନ୍ମେ । ମା’ ଭାରି ଭଲ । ମୋତେ ଦେବୀ ବୋଲି ଭାବୁଥିବ । କୌଣସି ଯୁବକକୁ ଦୁଆରେ ଠିଆ କରେଇ ଦିଏ ନାହିଁ । କିନ୍ତୁ ବର୍ତ୍ତମାନ କଥା ପଡ଼ିବାରୁ ମୁଁ କହୁଛି, ପୁରୁଷଙ୍କୁ ଦେଖିବା–ପରଖିବାର ବହୁତ ସୁଯୋଗ ମୁଁ ପାଇଛି । ସମସ୍ତେ ଭାବୁଥିଲେ, ମୁଁ ଗୋଟିଏ ମନ–ଭୁଲାଣିଆ ଚିଜ । ସମସ୍ତେ ମୋର ଗରିବପଣିଆର ସୁବିଧା ଉଣ୍ଡି ଆପଣା ମନ–ଅରମାନ୍ ମେଣ୍ଟାଇବାକୁ ଚାହୁଁଥିଲେ । ଯଦି କେହି ମୋତେ ସମ୍ମାନ–ଦୃଷ୍ଟିରେ ଚାହୁଁଥିଲେ, ସେ ହେଲେ ଏକା ବାବୁ । ମୁଁ ଈଶ୍ୱରଙ୍କୁ ସାକ୍ଷୀ ରଖି କହୁଛି, ସେ ମୋତେ କେବେହେଲେ ଏପରି ଦୃଷ୍ଟିରେ ଦେଖି ନାହାନ୍ତି କି ପଦେ ହେଲେବି ଏପରି କଥା କହିନାହାନ୍ତି, ଯେଉଁଥିରେ ଟିକିଏ ହେଲେ ଛୋଟଲୋକୀ ମିଶିଥିବ । ସେ ମୋତେ ବିବାହ କରିବାକୁ ପ୍ରସ୍ତାବ ଦେଲେ । ମୁଁ ତା’ ମାନିନେଲି । ସେ କଥାକୁ ସେ ଯେ ପର୍ଯ୍ୟନ୍ତ ନ ଭାଙ୍ଗିଛନ୍ତି, ମୁଁ ତାଙ୍କପାଇଁ ବନ୍ଧା ରହିଥିବି, ଆଜୀବନ ଏପରି ରହିବାକୁ ପଡ଼ିଲେବି ରହିବି । ଚାରି ପାଞ୍ଚଥର ମାତ୍ର ଅଳ୍ପ ସମୟର ସାକ୍ଷାତ । ସେଇତକରେ ମୋର ତାଙ୍କ ପ୍ରତି ଏପରି ଭାବ ଆସିଛି, ମୁଁ ଜିଇଥିବାଯାକେ ତାଙ୍କରି ନାମ ନେଇ ରହିଯାଇ ପାରିବି । ମୁଁ ଏବେ ଭାବିହେଉଛି ଯେ କାହିଁକି ତାଙ୍କ ସଙ୍ଗେ ଚାଲି ନ ଗଲି ? ମୁଁ ସଙ୍ଗରେ ଥିଲେ ତାଙ୍କୁ ତ ଟିକିଏ ହେଲେ ସୁଖ ମିଳିଥାନ୍ତା–ତାଙ୍କର ଟିକିଏ ସେବା କରିପାରିଥାନ୍ତି ତ । ମୁଁ ଭଲକରି ଜାଣିଛି ଯେ ରୂପ–ରଙ୍ଗର କୁହୁକ ତାଙ୍କୁ ବଶ କରିପାରିବ ନାହିଁ । ଅପ୍‌ସରା ହେଲେବି ସେ ତାକୁ ଆଖିଟେକି ଚାହିଁବେନି; କିନ୍ତୁ ସେବା ଆଉ ପ୍ରେମ ବଳରେ ତାଙ୍କୁ ଅତି ସହଜରେ ବଶ କରି ହେବ । ଏତିକି ଭୟ । ମୁଁ ଆପଣଙ୍କୁ ମନ ଖୋଲି କହୁଛି, ଭଉଣୀ, ଆପଣ ଓ ସେ ପୁଣି ମିଳିଯାଆନ୍ତେ କି, ଦୁହିଁଙ୍କର ମାନ–ମନାନ୍ତର ମେଣ୍ଟିଯା’ନ୍ତା କି । ୟାଠୁଁ ବଳି ମୋର ଆନନ୍ଦର ବିଷୟ ଆଉ ନାହିଁ ! ତାହାହେଲେ ମୁଁ ଆହୁରି ଖୁସିରେ ରହିବି । ମୁଁ ତାଙ୍କ ସଙ୍ଗରେ ନ ଯିବାର ଏ ଗୋଟିଏ କାରଣ । ମୁଁ ଗୋଟିଏ କଥା କହୁଛି, ଖରାପ ଭାବିବ ନାହିଁ‌ ତ ?

 

ସେ ନୀରବରେ ଉତ୍ତର ଅପେକ୍ଷାରେ ରହିଲା । ସୁଖଦା ଆଶ୍ୱାସନା ଦେଲା–ତୁମେ ଯେପରି ଖୋଲା ମନରେ କଥାବାର୍ତ୍ତା କରୁଛ, ମୋତେ ତୁମର କୌଣସି କଥା ଖରାପ ଲାଗିବ ନାହିଁ-। ଯାହା କହିବାର କୁହ ।

 

ସକୀନା ଧନ୍ୟବାଦ ଦେଇ କହିଲା–ଏବେ ତ ତାଙ୍କ ଠିକଣା ମିଳିଲାଣି । ଆପଣ ଥରଟିଏ ତାଙ୍କ ପାଖକୁ ଚାଲିଯା’ନ୍ତୁ । ସେବାର ଦାସ ସେ । ସେବା ବଳରେ ଆପଣ ତାଙ୍କୁ ମନାଇପାରିବେ ।

 

ସୁଖଦା ପଚାରିଲା–ଏତିକି ନା ଆଉ କ’ଣ ?

 

“କେବଳ ଏତିକି । ମୁଁ ଆପଣଙ୍କୁ ଆଉ କ’ଣ ବା ବୁଝାଇବି ? ଆପଣ ତ ମୋଠୁଁ ବୁଦ୍ଧି ବିଦ୍ୟାରେ ଅଧିକ ।”

 

“ସେ ମୋ ସଙ୍ଗେ ବିଶ୍ଵାସଘାତ କରିଛନ୍ତି । ସେପରି ଛୋଟଲୋକଙ୍କୁ ତ ମୁଁ ଖୋସାମତ କରିପାରିବି ନାହିଁ । ଆଜି ମୁଁ ଯଦି କୌଣସି, ପୁରୁଷ ସହିତ ଚାଲିଯାଏ, ତେବେ ତୁମେ କ’ଣ ଭାବୁଛ, ସେ ମୋତେ ମନାଇବାକୁ ଯିବେ ? ଯିବେ ତ ମୋ ମୁଣ୍ଡ କାଟିବାକୁ ଯିବେ । ମୁଁ ନାରୀ, ନାରୀ–ହୃଦୟ ଏତେ କଠୋର ହୁଏନା; କିନ୍ତୁ ଜୀବନ ଥିବା ପର୍ଯ୍ୟନ୍ତ ମୁଁ ତ ତାଙ୍କୁ ଖୋସାମତ କରିପାରିବିନି ।”

 

କହୁ କହୁ ସୁଖଦା ଉଠି ଛିଡ଼ା ହେଲା । ସକୀନା ମନେମନେ ଅନୁତାପ କଲା–ମୁଁ କାହିଁକି ଏ ଅନାବଶ୍ୟକ ଆତ୍ମୀୟତା ଦେଖାଇ ସୁଖଦା ଦେବୀଙ୍କୁ ବିରକ୍ତ କଲି ? ସେ କ୍ଷମା ମାଗି ମାଗି ଦ୍ଵାର ପର୍ଯ୍ୟନ୍ତ ସଙ୍ଗରେ ଗଲା ।

 

ଦୁହେଁ ଯାଇ ରିକ୍ସାରେ ବସିବା ପରେ ନୟନା କହିଲା–ତୁମେ ଖୁବ୍‌ ଶୀଘ୍ର ରାଗିଯାଅ, ଭାଉଜ !

 

ସୁଖଦା ତୀକ୍ଷ୍ଣ ସ୍ଵରରେ କହିଲା–ତୁମେ ସେଇଆ କହିବ ତ । ଭାଇଙ୍କର ଉପଯୁକ୍ତ ଭଉଣୀ ନା ! ସଂସାରରେ ଏପରି କେଉଁ ସ୍ତ୍ରୀଟା ଅଛି, ଯେ କି ଏମିତି ସ୍ଵାମୀକୁ ମନେଇବାକୁ ଯିବ ? ହଁ, ସକୀନା ତା’ କରିପାରେ; କାହିଁକି ନା ତାକୁ ଆକାଶ–କୁସୁମ ମିଳିଯାଇଛି ।

 

କ୍ଷଣକ ପରେ ସେ ପୁଣି କହିଲା–ମୁଁ ତାକୁ ସହାନୁଭୂତି ଦେଖାଇବାକୁ ଆସିଥିଲି; କିନ୍ତୁ ତା’ ପାଖରୁ ହାରମାନି ଫେରୁଛି । ତା’ର ଦୃଢ଼ବିଶ୍ୱାସ ମୋତେ ପରାସ୍ତ କରି ଦେଇଅଛି । ପୁରୁଷକୁ ଆକୃଷ୍ଟ କଲାଭଳି ଗୁଣ ଏ ଟୋକୀର ଅଛି । ଏହିପରି ସ୍ତ୍ରୀମାନେ ପୁରୁଷ ହୃଦୟକୁ ଶାସନ କରିଥାନ୍ତି-। ମୋ ହୃଦୟରେ କେବେ ତ ଏପରି ଶ୍ରଦ୍ଧା ଜନ୍ମିନାହିଁ । ମୁଁ ତାଙ୍କୁ ହସି ହସି କଥା କହିବା, ହାସ–ପରିହାସ କରିବା ଓ ରୂପ ଯୌବନ ଦେଖାଇବାରେ ମୋର କର୍ତ୍ତବ୍ୟ ଶେଷ ବୋଲି ଧରି ନେଇଥିଲି-। କେବେ ପ୍ରେମ କରି ନାହିଁ କି ପ୍ରେମ ପାଇ ନାହିଁ । ମୁଁ କେତେକାଂଶରେ ବୁଝୁଛି, ଯେ ମୋର କି କି ତ୍ରୁଟି ରହିଛି । ଏ ଝିଅଟି ମୋ ଆଖି ଖୋଲିଦେଲା ।

 

Unknown

–୨୬–

 

ମାସେ ହେଲା ଦେବ ମନ୍ଦିରରେ ପୁରାଣ ଚର୍ଚ୍ଚା ହେଉଛି । ମଧୁସୂଦନ ପଣ୍ଡିତ ଏ କଳାରେ ପ୍ରବୀଣ । ତାଙ୍କ କଥାରେ ଶ୍ରାବ୍ୟ ଓ ଦୃଶ୍ୟ ଉଭୟ ପ୍ରକାର କାବ୍ୟର ଆନନ୍ଦ ଜନ୍ମେ । ଯେତେ ସହଜରେ ସେ ଲୋକମାନଙ୍କୁ ହସାଇ ପାରନ୍ତି, ସେତେ ସହଜରେ କନ୍ଦାଇ ପାରନ୍ତି ମଧ୍ୟ । ସେ ତ ଦୃଷ୍ଟାନ୍ତର ସାଗର; ଆଉ ଏପରି ନାଟ୍ୟକୁଶଳ ଯେ ବର୍ଣ୍ଣନା କରୁଥିବା ଚରିତ୍ରର ଛବି ଯେପରି ମନରେ ଆଙ୍କି ଦିଅନ୍ତି । ସହରଯାକର ଲୋକ ଜମା ହୋଇଯା’ନ୍ତି । ରେଣୁକା ଦେବୀ ତ ଠିକ୍‌ ସନ୍ଧ୍ୟାବେଳକୁ ଆସି ମନ୍ଦିରରେ ପହଞ୍ଚିଯାନ୍ତି । ତାଙ୍କର ଅତିଥି ହୁଅନ୍ତି ବ୍ୟାସ ମହାଶୟ ଓ ତାଙ୍କ ଭଜନ–ସମ୍ପ୍ରଦାୟ । ନୟନା ମଧ୍ୟ ଲୁଲ୍ଲୁକୁ କୋଳରେ ଧରି ପହଞ୍ଚିଯାଏ । ପୁରାଣ ଚର୍ଚ୍ଚାରେ ରୁଚି ନଥାଏ କେବଳ ସୁଖଦାର । ନୟନା ବାରମ୍ବାର ଅନୁରୋଧ କରେ, କିନ୍ତୁ ସେ ଯାଏନା ପ୍ରତିକାର ଚିନ୍ତାରେ ତା’ର ବିଦ୍ରୋହ ମନ ଯେପରି ସାରା ସଂସାର ବିରୁଦ୍ଧରେ ନଗ୍ନ ତରବାରୀ ଧରି ଠିଆ ହୋଇଛି । କେବେକେବେ ସମାଜ ଓ ଧର୍ମର ସମସ୍ତ ବନ୍ଧନ ଛିନ୍ନ କରିଦେବାକୁ ତା’ର ମନ ଉଦ୍‌ବିଗ୍ନ ହୋଇଉଠେ । ଏପରି ଲୋକଙ୍କର ଶାସ୍ତି ହେଉଛି, ସେମାନଙ୍କ ସ୍ତ୍ରୀମାନେ ମଧ୍ୟ ତାଙ୍କରି ପଥର ଯାତ୍ରୀ ହୁଅନ୍ତେ । ତେବେଯାଇ ସେମାନଙ୍କ ଆଖି ଖୋଲନ୍ତା ଓ ସେମାନେ ଜାଣିପାରନ୍ତେ ଯେ ମନସ୍ତାପ କାହାକୁ କହନ୍ତି । ମୁଁ ଏକା କୁଳ ମର୍ଯ୍ୟାଦାକୁ ଧରି ବାହୁନୁଥିବି କାହିଁକି ? ଏ ଅତ୍ୟାଚାର ବେଶିଦିନ ଚାଲିପାରିବ ନାହିଁ । ଏଣିକି କାହାରି ଏପରି ଭ୍ରମ ଧାରଣା ରହିବା ଉଚିତ ନୁହେଁ ଯେ ସ୍ଵାମୀ ପଛେ ଯାହାଇଚ୍ଛା କରିଯାଉ, ସ୍ତ୍ରୀ କିନ୍ତୁ ତା’ର ପାଦ ଧୋଇ ପିଉଥିବ, ତାକୁ ଦେବତା ବୋଲି ଭାବୁଥିବ, ତା’ର ଗୋଡ଼ ମୋଡ଼ୁଥିବ, ସେ ହସି କରି ପଦେ କହିଲେ ନିଜର ଭାଗ୍ୟକୁ ଧନ୍ୟ ମନେକରୁଥିବ । ସେ ଯୁଗ ବଦଳିଗଲାଣି । ଏହି ବିଷୟରେ ସେ କେତେକ ପତ୍ରପତ୍ରିକାରେ ଲେଖା ମଧ୍ୟ ଦେଇସାରିଲାଣି ।

 

ଆଜି ନୟନା ତର୍କକରି ବସିଛି–ତୁମେ କହୁଛ, ଆଗ ପୁରୁଷର ଆଚାର ବିଚାର ପରଖି ନେବା ଉଚିତ । ତା’ କଲେବି କ’ଣ ଠକାମିରେ ପଡ଼ିବ ନାହିଁ ? ଏବେ ସୁଦ୍ଧା ଛାଡ଼ପତ୍ର ପ୍ରଥା ଚାଲିଛି କାହିଁକି ?

 

ସୁଖଦା କହିଲା–ଖରାପ କ’ଣ ହେଲା ? ୟା ତ ଆଉ ହେଉ ନାହିଁ ଯେ ପୁରୁଷ ଯାହାଇଚ୍ଛା କରି ଯାଉଥିବ, ଆଉ ସ୍ତ୍ରୀ ତା’ରି ନାମକୁ ବସି ଝୁରି ହେଉଥିବ ?

 

ନୟନା ପୂର୍ବ କଥାକୁ ଦୋହରାଇଲା ପରି କହିଲା–ଭଲ ପାଇବା ଅଭାବରେ ସୁଖ ମିଳିବ କୁଆଡ଼ୁ ? ବାହାରର ଚାପରେ କିଛି ଲାଭ ନାହିଁ ।

 

ସୁଖଦା ପରିହାସ କଲା–ବୋଧହୁଏ ଆଜିକାଲି ଏହି ବିଦ୍ୟାଭ୍ୟାସ କରୁଛ ! ଦେଖି ଚାହିଁ ବିବାହ କରିବାରେ ଯଦି କେବେ କେଉଁଠି ଠକାମିରେ ପଡ଼ିବାର ଆଶଙ୍କା ରହେ, ତେବେ ନ ଦେଖି ନ ଚାହିଁ ବିବାହ କଲେ ତ ବରାବର ଠକାମିରେ ପଡ଼ିବାକୁ ହେବ । ଆମ ସମାଜରେବି ଛାଡ଼ପତ୍ର ପ୍ରଥା ଚଳୁ, ଦେଖିବ, ଆମ ଜୀବନ କିପରି ସୁଖମୟ ହେବ ।

 

ନୟନା ଏହାର କୌଣସି ଉତ୍ତର ଦେଇପାରିଲା ନାହିଁ । କାଲି ବ୍ୟାସ ମହାଶୟ ପାଶ୍ଚାତ୍ୟ ବିବାହ ପ୍ରଥା ସହିତ ଭାରତୀୟ ବିବାହ ପଦ୍ଧତିର ତୁଳନା କରିଥିଲେ । ସେହି କଥା ତା’ର ଟିକିଏ ଟିକିଏ ମନେଥିଲା । କହିଲା–ତୁମେ ପୁରାଣ ଶୁଣିବାକୁ ଯିବ କି ନାହିଁ, କହିଲ ?

 

“ତୁମେ ଯାଅ, ମୁଁ ଯିବି ନାହିଁ ।”

 

ନୟନା ମନ୍ଦିରରେ ପହଞ୍ଚିଲା । ସେତେବେଳକୁ କଥା ଆରମ୍ଭ ହୋଇ ଯାଇଥାଏ । ଯୁବସଭା ଓ ସେବା ବିଦ୍ୟାଳୟର ଛାତ୍ର ଓ ଅଧ୍ୟାପକମାନେ ଆସିଥାନ୍ତି । ମଧୁସୂଦନ ପଣ୍ଡିତେ କହୁଥାନ୍ତି–ରାମ ରାବଣ କଥା ତ ଏହି ଜୀବନର, ଏହି ସଂସାରର କଥା । ୟାକୁ ଇଚ୍ଛା ହେଲା ତ ଶୁଣିଲ, ନ ହେଲା ତ ନ ଶୁଣ । କିନ୍ତୁ ଏଥିରୁ, ଆମେ କ’ଣ ତୁମେ କ’ଣ, କେହି ବାଦ ଯାଇପାରିବା ନାହିଁ । ଆମରି ଭିତରେ ରାମ ଅଛନ୍ତି, ରାବଣ ଅଛନ୍ତି, ସୀତାବି ଅଛନ୍ତି..... ।

 

ସହସା ପଛ ପାଖରେ ଗୋଟାଏ ଗୋଳମାଳ ଆରମ୍ଭ ହେଲା । ବ୍ରହ୍ମଚାରୀ ମହାଶୟ କେତେକ ଲୋକଙ୍କୁ ଟାଣିଓଟାରି ଉଠାଇ ଦେଉଥାନ୍ତି ଓ ଖୁବ୍‌ ଜୋରରେ ଗାଳି ଦେଉଥାନ୍ତି । ଗଣ୍ଡଗୋଳ ହେବାରୁ ଲୋକେ ସବୁଆଡ଼ୁ ଉଠିଯାଇ ସେଇଠି ଜମା ହୋଇଗଲେ । କଥା ବନ୍ଦ ହୋଇଗଲା ।

 

ସମରକାନ୍ତ ପଚାରିଲେ କଥା କ’ଣ, ବ୍ରହ୍ମଚାରୀ ମହାଶୟ ?

 

ବ୍ରହ୍ମଚାରୀ ବ୍ରହ୍ମତେଜରେ ଲାଲ ଲାଲ ଆଖି କାଢ଼ି କହିଲେ–କଥା କ’ଣ ! ଲୋକେ ଏଠିକି ଆସୁଛନ୍ତି ଭଗବାନଙ୍କ କଥା ଶୁଣିବାକୁ ନା ଆପଣା ଧର୍ମ ନଷ୍ଟ କରିବାକୁ ? ହାଡ଼ି, ପାଣ, ଯେ ପାରେ ସେ ପଶି ଆସୁଛନ୍ତି, ଏଇଟା କ’ଣ ମନ୍ଦିର ନା ପାନ୍ଥଶାଳା !

 

ସମରକାନ୍ତ ଗର୍ଜିଉଠି କହିଲେ–ସେଗୁଡ଼ାଙ୍କୁ ମାରି ମାରି ବାହାର କରିଦିଅ ।

 

ବୁଢ଼ାଟିଏ ହାତଯୋଡ଼ି କହିଲା–ଆମେ ତ ଏଠି ଦୁଆର ପାଖରେ ବସିଛୁ, ସେଠଜୀ ! ଯେଉଁଠି ଜୋତା ଅଛି । ଆମେ କ’ଣ ଏମିତି ଅଜ୍ଞାନ ହେଇଛୁ ନା, ଆଜ୍ଞା, ଆପଣମାନଙ୍କ ମଝିରେ ଯାଇ ବସିବୁ !

 

ବ୍ରହ୍ମଚାରୀ ମହାଶୟ ତାକୁ ଜୋତାଏ ମାରି କହିଲେ–ତୁ ଏଠିକି ଆସିଲୁ କାହିଁକି ? ଏଠୁ ସେଠିକି ବୋଲି ଗୋଟାଏ ଦରି ବିଛା ହୋଇଛି । ସବୁ ମାରା ହେଲା ନା ନାହିଁ ? ପ୍ରସାଦ ଅଛି, ଚରଣାମୃତ ଅଛି, ଗଙ୍ଗାଜଳ ଅଛି । ସବୁ ନଷ୍ଟ ହେଲା କି ନାହିଁ ? ଏ ଶୀତ ଜାଡ଼ରେ ବର୍ତ୍ତମାନ ଲୋକଙ୍କୁ ସ୍ନାନ କରିବାକୁ ପଡ଼ିବ ନା ନାହିଁ ? ମୁଁ ଦେଖୁଛି, ତୁ ଖୁବ୍‌ ବଢ଼ିଗଲୁଣିବେ ମିଠୁଆ ? ମରିବାକୁ ବାହାରିଲୁଣି; କିନ୍ତୁ ତୋ’ର ଏତିକି ଅକଲ ହେଲା ନାହିଁ । ଚାଲି ଆସିଲୁ ତେଣୁ ଭାରି ଗୋଟାଏ ଭକ୍ତଙ୍କ ଲାଙ୍ଗୁଡ଼ ସାଜି !

 

ସମରକାନ୍ତ ବିରକ୍ତ ହୋଇ ପଚାରିଲେ–ଆଗରୁ କେବେ ଏମିତି ଆସିଥିଲୁ‌ ନା ଆଜି ଆସିଛୁବେ ?

 

ମିଠୁଆ କହିଲା–ନି’ତି ଆସୁଛୁ ଆଜ୍ଞା, ଏଇ ଦୁଆରମୁହଁରେ ବସି ହରିକଥା ଶୁଣୁଛୁ ।

 

ବ୍ରହ୍ମଚାରୀ ମହାଶୟ ମଥାରେ ହାତ ପିଟିଦେଲେ । ଏ ପାଜିଏ ନିତି ଏଠିକି ଆସୁଛନ୍ତି । ନିତି ସମସ୍ତଙ୍କୁ ଛୁଉଁଛନ୍ତି ! ଏମାନଙ୍କ ଛୁଆଁ ପ୍ରସାଦ ଲୋକେ ନିତି ଖାଉଛନ୍ତି ! ୟାଠୁ ବଳି ଅନର୍ଥ ଆଉ କ’ଣ ହୋଇପାରେ ? ଧର୍ମ ଉପରେ ଏହାଠାରୁ ବଳି ଆଘାତ ଆଉ କ’ଣ ? ଧର୍ମାତ୍ମାମାନଙ୍କ କ୍ରୋଧରେ ସୀମା ରହିଲା ନାହିଁ । କେତେକ ଜୋତା ଉଠାଇ ସେହି ଗରିବମାନଙ୍କ ଉପରକୁ କୁଦିପଡ଼ିଲେ । ଭଗବାନଙ୍କ ମନ୍ଦିରରେ ଭଗବାନଙ୍କ ଭକ୍ତଙ୍କ ଉପରେ ଭଗବାନଙ୍କ ଭକ୍ତମାନଙ୍କର ଚାଲିଲା ପାଦୁକା ପ୍ରହାର ।

 

ଡାକ୍ତର ଶାନ୍ତିକୁମାର ଓ ଅନ୍ୟ ଅଧ୍ୟାପକମାନେ ଠିଆ ହୋଇ କିଛି ସମୟ ଏହି ସୁଆଙ୍ଗ ଦେଖିଲେ । କିନ୍ତୁ ଯେତେବେଳେ ଜୋତା ଚାଲିଲା, ସ୍ଵାମୀ ଆତ୍ମାନନ୍ଦ ନିଜର ମୋଟା ଠେଙ୍ଗାଟା ଧରି ବ୍ରହ୍ମଚାରୀଙ୍କ ଆଡ଼କୁ କୁଦିଗଲେ ।

 

ଡାକ୍ତର ସାହେବ ଦେଖିଲେ, ଘୋର ଅନର୍ଥ ହେବାକୁ ଯାଉଛି । ଧାଇଁଯାଇ ଆତ୍ମାନନ୍ଦଙ୍କ ହାତରୁ ଠେଙ୍ଗାଟି ଛଡ଼େଇ ନେଲେ ।

 

ଆତ୍ମାନନ୍ଦ ରକ୍ତ ଚକ୍ଷୁରେ ଚାହିଁ କହିଲେ–ଆପଣ ଏ ଦୃଶ୍ୟ ଦେଖିପାରନ୍ତି, ମୁଁ‌ ପାରିବି ନାହିଁ ।

 

ଶାନ୍ତିକୁମାର ତାଙ୍କୁ ଶାନ୍ତ କଲେ ଓ ଉଚ୍ଚୈଃସ୍ଵରରେ କହିଲେ–ଧନ୍ୟ ଧନ୍ୟ, ହେ ଈଶ୍ୱରଭକ୍ତଗଣ ! ଧନ୍ୟବାଦ । ତୁମ ଭକ୍ତିକୁ ଆଉ କହିବା କ’ଣ ? ଯେ ଯେତେ ଜୋତା ମାରିପାରିବ, ଭଗବାନ ତା’ ଉପରେ ସେତେ ପ୍ରସନ୍ନ ହେବେ ! ତାକୁ ଚତୁର୍ବର୍ଗ ମିଳିଯିବ । ସିଧାସଳଖ ସ୍ଵର୍ଗରୁ ବିମାନ ଚାଲିଆସିବ ତା’ପାଇଁ । କିନ୍ତୁ ବର୍ତ୍ତମାନ ଯେତେ ଜୋତା ମାରିଲେ କ’ଣ ହେବ, ଧର୍ମ ଯେ ନଷ୍ଟ ହୋଇଗଲାଣି ।

 

ବ୍ରହ୍ମଚାରୀ, ଲାଲା ସମରକାନ୍ତ, ସେଠ ଧନୀରାମ ଓ ଧର୍ମର ଅନ୍ୟାନ୍ୟ ଠିକାଦାରମାନେ ଚକିତ ହୋଇ ଶାନ୍ତିକୁମାରଙ୍କୁ ଚାହିଁରହିଲେ । ଜୋତାଚାଳନା ବନ୍ଦ ହୋଇଗଲା ।

 

ସେତେବେଳେ ଶାନ୍ତିକୁମାର ଧୋତି କୁରୁତା ପିନ୍ଧି, କପାଳରେ ଚନ୍ଦନ ଲଗାଇ ବେକରେ ଚାଦର ପକାଇ ବ୍ୟାସଙ୍କ ସାନ ଭାଇ ପରି ଦିଶୁଥିଲେ । ସେତେବେଳେ ତାଙ୍କର ସେ ଫେସନ ନଥିଲା, ଯାହାଯୋଗୁଁ ତାଙ୍କୁ ବିଧର୍ମୀ ବୋଲି ଆକ୍ଷେପ କରାଯାଇପାରିଥାନ୍ତା ।

 

ଡାକ୍ତର ସାହେବ ପୁଣି ପାଟିକରି କହିଲେ–ଆପଣମାନେ ହାତ ବନ୍ଦ କରି ଦେଲେ ଯେ-! କଷି କରି ଲଗାନ୍ତୁ । ଜୋତାରେ ବା କ’ଣ ହେବ ? ବନ୍ଧୁକ ନେଇ ଆସନ୍ତୁ ଆଉ ଏ ବିଦ୍ରୋହୀମାନଙ୍କୁ ଶେଷ କରି ଦିଅନ୍ତୁ । ସରକାର କିଛି କରିପାରିବ ନାହିଁ । ଆଉ ତୁମେ, ଧର୍ମଦ୍ରୋହୀମାନେ ! ସମସ୍ତେ ବସିଯାଇ ଯେତେ ଜୋତା ଖାଇ–‌ପାରୁଛ, ଖାଅ । ତୁମକୁ ଏତିକି ଜଣାନାହିଁ ଯେ ଏଠି ସେଠ୍‌–ମହାଜନଙ୍କ ଭଗବାନ ରହନ୍ତି ! ତୁମର ଏତେ ସାହସ ଯେ ତୁମେ ଏ ଭଗବାନଙ୍କ ମନ୍ଦିରରେ ପାଦ ପକାଇଲ ! ତୁମ ଭଗବାନ କେଉଁ କୁଡ଼ିଆରେ କି ଗଛମୂଳେ ଥିବେ-। ଏ ଭଗବାନ ରତ୍ନ ଅଳଙ୍କାର ପିନ୍ଧନ୍ତି, ସର, ମୋହନଭୋଗ ଖା’ନ୍ତି । ଛିଣ୍ଡା କନ୍ଥା ପିନ୍ଧିଥିବା, ଚଣାଭଜା ଚୋବାଇ ରହୁଥିବା ଲୋକଙ୍କ ମୁହଁ ଦେଖିବାକୁ ଚାହାନ୍ତି ନାହିଁ ।

 

ବ୍ରହ୍ମଚାରୀ ପରଶୁରାମଙ୍କ ପରି ବିକରାଳ ରୂପ ଦେଖାଇ କହିଲେ–ତୁମେ ତ ବାବୁ, ଅନ୍ୟାୟ କରୁଛ । ଶାସ୍ତ୍ରରେ କେଉଁଠି ଲେଖା ଅଛି ଯେ ଅନ୍ତ୍ୟଜମାନଙ୍କୁ‌ ମନ୍ଦିରରେ ପ୍ରବେଶ କରିବାକୁ ଦିଆଯିବ ?

 

ଶାନ୍ତିକୁମାର ଆବେଶରେ କହିଲେ–କେଉଁଠି ହେଲେ ନାହିଁ । ଶାସ୍ତ୍ରରେ‌ ଲେଖାଯାଇଛି ଯେ ଘିଅରେ ଚର୍ବି ମିଶାଇ ବିକ୍ରି କର ଓ ନିଶ ଆଉଁସ, ଲାଞ୍ଚ ଖାଅ, ଅନ୍ୟର ଆଖିରେ ଧୂଳି ଦିଅ, ତୁମଠାରୁ ବଳବାନ୍‌ ଲୋକର ଗୋଡ଼ ଧୋଇ ପାଦୁକ ପିଅ–ସେ ପଛେକେ ଶାସ୍ତ୍ରକୁ ଗୋଇଠା ମାରୁଥାଉ । ତୁମ ଶାସ୍ତ୍ରରେ ଏ କଥା ଲେଖା ହେଇଛି ତ ତୁମେ କର । ଆମ ଶାସ୍ତ୍ରରେ ଲେଖାହୋଇଛି–ଭଗବାନଙ୍କ ଦୃଷ୍ଟିରେ କେହି ଛୋଟ ନୁହେଁ କି ବଡ଼ ନୁହେଁ, କେହି ଶୁଦ୍ଧ ନୁହେଁ କି ଅଶୁଦ୍ଧ ନୁହେଁ । ତାଙ୍କର କୋଳ ସମସ୍ତଙ୍କ ପାଇଁ ଖୋଲା ରହିଛି ।

 

କେତେକ ଲୋକଙ୍କୁ ଅନ୍ତ୍ୟଜମାନଙ୍କ ପକ୍ଷ ନେବାକୁ ପ୍ରସ୍ତୁତ ଦେଖି ଲାଲା ସମରକାନ୍ତ ସେମାନଙ୍କୁ ଶାନ୍ତ କରିବା ଉଦ୍ଦେଶ୍ୟରେ କହିଲେ–ଡାକ୍ତର ସାହେବ ! ଆପଣ‌ ଅକାରଣରେ ଏମିତି ରାଗୁଛନ୍ତି । ଶାସ୍ତ୍ରରେ କ’ଣ ଲେଖା ହୋଇଛି, ନ ହୋଇଛି, ତା’ ତ ପଣ୍ଡିତମାନଙ୍କୁ ଜଣା । ଯେଉଁ ପ୍ରଥା ଆମେ ଦେଖିଆସୁଛୁ, ସେହିପରି କରୁଛୁ । ଏ ପାଜିଗୁଡ଼ାଙ୍କର ଭାବିବା ଉଚିତ ଥିଲା କି ନାଇଁ-? ଏମାନେ ତ ଏଠାରେ ହାଲ୍ ଜାଣନ୍ତି, କୋଉ ବିଦେଶରୁ ତ ଆସି ନାହାନ୍ତି ?

 

ଶାନ୍ତିକୁମାରଙ୍କ ରକ୍ତ ଫୁଟୁଥିଲା–ଆପଣମାନେ ଜୋତା ଉଠାଇଲେ କାହିଁକି ? ବ୍ରହ୍ମଚାରୀ ଉଦ୍ଦଣ୍ଡତା ଦେଖାଇ କହିଲେ–ଆଉ କ’ଣ ପାନ ଫୁଲ ଦେଇ ପୂଜା କରିଥାନ୍ତୁ ? ଶାନ୍ତିକୁମାର ଉତ୍ତେଜିତ ହୋଇ କହିଲେ–ଅନ୍ଧଭକ୍ତଙ୍କ ଆଖିରେ ଧୂଳି ଦେଇ ହାଲୁଆ ଖାଇବା ଆଉ ବେଶି ଦିନ ଚଳିବ ନାହିଁ, ବୁଝିଲ ? ସମୟ ଆସୁଛି, ଭଗବାନ ଆଉ ଦୁଧରେ ସ୍ନାନ ନ କରି ପାଣିରେ ସ୍ନାନ କରିବେ ।

 

–୨୭–

 

ସମସ୍ତେ ହାଁ–ହାଁ କରୁଥାନ୍ତି; କିନ୍ତୁ ଶାନ୍ତିକୁମାର, ଆତ୍ମାନନ୍ଦ ଓ ସେବା ବିଦ୍ୟାଳୟର ଛାତ୍ରମାନେ ଉଠି ଚାଲିଗଲେ । ଭଜନ–ମଣ୍ଡଳୀର ମୁଖିଆ ଥିଲେ ସେବାଶ୍ରମର ବ୍ରଜନାଥ । ସେ ମଧ୍ୟ ସେମାନଙ୍କ ସହ ଚାଲିଗଲେ ।

 

ସେଦିନ ଆଉ ଚର୍ଚ୍ଚା ହେଲା ନାହିଁ । କେତେକ ବ୍ରହ୍ମଚାରୀଙ୍କ ଉପରେ ଆକ୍ଷେପ ଆରମ୍ଭ କଲେ–ସେ ବିଚାରାଏ ତ ଗୋଟାଏ କୋଣରେ ସେମାନଙ୍କୁ ଉଠାଇବା କି ଦରକାର ଥିଲା ? ଆଉ ଯଦି ଉଠାଇଲ, ତେବେ ଧୀରଭାବେ ଉଠାଇଥାନ୍ତ, ମାର–ପିଟରେ ଫାଇଦାଟା କ’ଣ ?

 

ପରଦିନ ଠିକ୍‌ ସମୟରେ କଥା ଆରମ୍ଭ ହେଲା; କିନ୍ତୁ ଶ୍ରୋତାମାନଙ୍କ ସଂଖ୍ୟା କମିଯାଇଥାଏ । ମଧୁସୂଦନ ପଣ୍ଡିତେ ସଭା ଜମାଇବାକୁ ବହୁତ ଚେଷ୍ଟା କଲେ; କିନ୍ତୁ ଲୋକେ ହାଇ ମାରୁଥାନ୍ତି ଓ ପଛପଟର ଲୋକେ ତ ଲମ୍ବ–ଖମ୍ବ ହୋଇ ଶୋଇ ଯାଇଥାନ୍ତି । ଜଣାଯାଉଛି, ଯେପରି ମନ୍ଦିରର ଅଗଣାଟି କିଛି ଛୋଟ ହୋଇ ଯାଇଛି, ଦୁଆର ନୁଆଣିଆ ହୋଇଯାଇଛି । ଭଜନମଣ୍ଡଳୀ ଉପସ୍ଥିତ ନଥିବାରୁ ନିସ୍ତବ୍ଧତା ଆସିଯାଇଛି । ତେଣେ ଯୁବସଭା ସାମନା ପଡ଼ିଆରେ ଶାନ୍ତିକୁମାରଙ୍କର କଥା‌ ଚାଲିଛି । ବ୍ରଜନାଥ, ସଲୀମ୍, ଆତ୍ମାନନ୍ଦ ଆଦି ଆଗନ୍ତୁକମାନଙ୍କୁ ସ୍ଵାଗତ କରୁଛନ୍ତି । ଅଳ୍ପ ସମୟ ମଧ୍ୟରେ ଦରିଗୁଡ଼ିକ ଛୋଟ ପଡ଼ିଗଲା ଓ ଆଉ କିଛି ସମୟ ପରେ ପଡ଼ିଆଟିବି ଛୋଟ ପଡ଼ିଗଲା । ଅଧିକାଂଶ ଲୋକଙ୍କର ଦେହ ଲଙ୍ଗଳା, କେତେକଙ୍କର ଲୁଗା‌ ଚିରା । ସେମାନଙ୍କ ଦେହରୁ ଦୋକତା ଓ ଅପରିଚ୍ଛନ୍ନତାର ଗନ୍ଧ ବାହାରୁଥାଏ । ନାରୀମାନେ ଅଳଙ୍କାରହୀନା, ଅପରିଷ୍କାର ଲୁଗାପଟା ପିନ୍ଧିଥାନ୍ତି । ଚିକ୍‌ଚିକିଆ ରେଶମ ବସ୍ତ୍ର, ଅଳଙ୍କାର ବା ସୁଗନ୍ଧର ନାମ ଲେଶ ନଥାଏ; କିନ୍ତୁ ହୃଦୟରେ ଥାଏ ଦୟା, ଧର୍ମ, ସେବାଭାବ ଓ ତ୍ୟାଗ । ନୂତନ ଆଗନ୍ତୁକ ଦେଖିଲେ ଲୋକେ ଜାଗା ମାଡ଼ିବସିବା ପାଇଁ ଗୋଡ଼ ଲମ୍ବାଇ ଦେଉ ନଥାନ୍ତି, ଶତ୍ରୁ ଆସିଗଲା ଭଳି କେହି ଚାହୁଁ ନଥାନ୍ତି; ବରଂ ସଂକୁଚିତ ହୋଇଯାଇ ଆନନ୍ଦରେ ଜାଗା ଛାଡ଼ି ଦେଉଥାନ୍ତି ।

 

ନ’ଟାବେଳେ କଥା ଆରମ୍ଭ ହେଲା । ଏହା ଦେବ–ଦେବୀ କିମ୍ବା ଅବତାର କଥା ନୁହେଁ, ବ୍ରହ୍ମର୍ଷିମାନଙ୍କ ତପସ୍ୟା ଓ ତେଜର କଥା ନୁହେଁ କି କ୍ଷତ୍ରିୟମାନଙ୍କ ଶୌର୍ଯ୍ୟ ଓ ଦାନର ବୃତ୍ତାନ୍ତ ନୁହେଁ-। ଯେଉଁ ସୁପୁରୁଷ ନିକଟରେ ମନ ଓ କର୍ମର ଶୁଦ୍ଧତା ହେଉଛି ଧର୍ମର ମୂଳତତ୍ତ୍ଵ, ଏହା ତାଙ୍କରି ପବିତ୍ର ଚରିତ୍ର । ଉଚ୍ଚ ସେହି, ଯାହାର ମନ ଶୁଦ୍ଧ; ନୀଚ ସେହି, ଯାହାର ମନ ଅଶୁଦ୍ଧ । ଯେ ବର୍ଣ୍ଣ–ଭେଦର ସୁଆଙ୍ଗ କରି ସମାଜର ଏକ ଅଙ୍ଗକୁ ମଦନ୍ଧ ଓ ଅନ୍ୟ ଅଙ୍ଗକୁ ମ୍ଳେଚ୍ଛ ନ କରିଛି, କାହାରିପାଇଁ ଉନ୍ନତି ଓ ଉଦ୍ଧାରର ଦ୍ଵାର ବନ୍ଦ ନ କରିଛି, ଜଣକ ମଥାରେ ଶ୍ରେଷ୍ଠତାର ତିଳକ ଓ ଅପର ମଥାରେ ହୀନତାର କଳଙ୍କ ନ ବୋଳିଛି ଏ ସେହି ମହାମାନବର ଚରିତ । ଏହି କଥାରେ ଅଛି ଆତ୍ମୋନ୍ନତିର ସଜୀବ ସନ୍ଦେଶ; ଯାହା ଶୁଣି ଜନତା ଅନୁଭବ କରୁଛି ଯେ ତା’ ଆତ୍ମାର ବନ୍ଧନ ଖୋଲିଯାଇଛି, ସଂସାର ପବିତ୍ର ଓ ସୁନ୍ଦର ହୋଇଯାଇଛି ।

 

ନୟନାର ମଧ୍ୟ ଧର୍ମର ଛଳନା ପ୍ରତି ବିରକ୍ତି ଆସିଛି । ଅମରକାନ୍ତ ତା’ ସହିତ ପ୍ରାୟ ଏହି ବିଷୟରେ ଆଲୋଚନା କରୁଥିଲା । ଅସ୍ପୃଶ୍ୟମାନଙ୍କ ଉପରେ‌ ଏପରି ଅତ୍ୟାଚାର ଦେଖି ତା’ର ମଧ୍ୟ ରକ୍ତ ତାତିଉଠିଛି । ସମରକାନ୍ତଙ୍କ ଭୟ ନଥିଲେ ସେ ବ୍ରହ୍ମଚାରୀଙ୍କୁ ଆଚ୍ଛା କରି ଦୁଇ ପଦ ଶୁଣାଇ ଦେଇଥାନ୍ତା । ସୁତରାଂ ଯେତେବେଳେ ଶାନ୍ତିକୁମାର ତିଳକଧାରୀମାନଙ୍କୁ ଭର୍ତ୍ସନା କଲେ ସେତେବେଳେ ତା’ର ଆତ୍ମା ମୁଗ୍ଧ ହୋଇ ତାଙ୍କ ଚରଣତଳେ ଲୋଟିଗଲା । ତାଙ୍କ କଥା ଅମରକାନ୍ତଠାରୁ ପୂର୍ବେ ବହୁବାର ଶୁଣିଥିଲା । ସେତେବେଳେ ତାଙ୍କ ପ୍ରତି ତା’ ମନରେ ଏପରି ଶ୍ରଦ୍ଧା ଜାତ ହେଲା ଯେ, ତା’ର ଇଚ୍ଛା ହେଲା, ତାଙ୍କ ଆଗରେ କହନ୍ତା, ‘ତୁମେ ସାକ୍ଷାତ୍‌ ଧର୍ମଦେବତା, ତୁମକୁ ମୁଁ ପ୍ରଣାମ କରୁଛି । ନିକଟସ୍ଥ ଲୋକମାନଙ୍କ କ୍ରୋଧ ଦେଖି ତା’ର ଭୟ ହେଉଥାଏ, କାଳେ ଲୋକେ ତାଙ୍କୁ ଆକ୍ରମଣ କରିବେ । ସେ ଭାବୁଥାଏ, ସେପରି ହେଲେ ସେ ଡାକ୍ତର ସାହେବଙ୍କ ପାଖେ ପହଞ୍ଚିଯାଇ ତାଙ୍କୁ ରକ୍ଷା କରିବ । ଯେତେବେଳେ ସେ ବହୁ ଲୋକଙ୍କୁ ସଙ୍ଗରେ ନେଇ ଚାଲିଗଲେ, ସେତେବେଳେ ତା’ର ଚିତ୍ତ ଶାନ୍ତ ହେଲା । ସେ ମଧ୍ୟ ସୁଖଦା ସହିତ ଘରକୁ ଚାଲିଗଲା-

 

ବାଟରେ ସୁଖଦା କହିଲା–ଏ ଦୁଷ୍ଟଗୁଡ଼ାକ କେଜାଣି କେଉଁଠୁଁ ଆସି ପହଞ୍ଚିଗଲେ, ତା’ ଉପରେ ପୁଣି ଡାକ୍ତର ସାହେବ ଓଲଟି ତାଙ୍କରି ପକ୍ଷ ନେଇ ଲଢ଼ିବାକୁ ତିଆର ।

 

ନୟନା କହିଲା–ଭଗବାନ ତ କାହାରିକି ଉଚ୍ଚ କି ନୀଚକରି ସୃଷ୍ଟି କରି ନାହାନ୍ତି ?

 

‘‘ଭଗବାନ–ସୃଷ୍ଟି କରି ନାହାନ୍ତି ତ କରିଛି କିଏ ?”

 

‘‘ଅନ୍ୟାୟ ।”

 

“ସବୁ ଯୁଗରେ ସଂସାରରେ ଛୋଟ ବଡ଼ ରହିଛନ୍ତି ଆଉ ରହିବେ ।”

 

ନୟନା ବାଦ–ବିବାଦ କରିବା ଉଚିତ ମନେକଲା ନାହିଁ । ପରଦିନ ସନ୍ଧ୍ୟାରେ ସେ ଖବର ପାଇଲା, ଆଜି ଯୁବସଭାରେ ଅଛୁଆଁମାନଙ୍କ ଲାଗି ସ୍ଵତନ୍ତ୍ରରୂପେ ପୁରାଣ କଥା ହେବ । ସେଠାକୁ ଯିବାପାଇଁ ତା’ମନ ଉତ୍ସୁକ ହୋଇ ଉଠିଲା । ସେ ସୁଖଦା ସହିତ ମନ୍ଦିରକୁ ଗଲା ସିନା, ତା’ର ମନ କିନ୍ତୁ ଉଚ୍ଚାଟ ହେଉଥାଏ । ସୁଖଦା ଯେତେବେଳେ ଢୋଳାଇବାକୁ ଆରମ୍ଭ କଲା–ଆଜି ଏ କୃତ୍ୟ ଅବଶ୍ୟ ଶୀଘ୍ର ଆରମ୍ଭ ହେଲା–ସେତେବେଳେ ନୟନା ଚୁପ୍‌କରି ବାହାରକୁ ଚାଲିଗଲା ଓ ରିକ୍ସାରେ ବସି ଯୁବସଭାକୁ ବାହାରିଗଲା । ଦୂରରୁ ଭିଡ଼ ଦେଖି ସେ ଫେରି ଆସିବାକୁ ଚାହୁଁଥିଲା, ଯେପରି ସୁଖଦା ଜାଣି ନ ପାରିବ ଯେ ସେ ଯାଇଥିଲା । ଦୂରରୁ ସେ ଗ୍ୟାସ୍‌–ଲାଇଟ୍‌ ଦେଖିପାରିଲା, ଆଉ ଟିକିଏ ଆଗେଇବାରୁ ବ୍ରଜନାଥଙ୍କ ସ୍ଵରଲହରୀ ତା’ କାନରେ ବାଜିଲା । ଗାଡ଼ିଟି ସେଠାରେ ପହଞ୍ଚିଲାବେଳକୁ ଶାନ୍ତିକୁମାର ମଞ୍ଚ ଉପରକୁ ଆସିଗଲେଣି । ଲୋକ ଭିଡ଼ ସମୁଦ୍ର ଉଛୁଳିଲା ପରି ହେଉଥାଏ ଏବଂ ଡାକ୍ତର ଶାନ୍ତିକୁମାରଙ୍କ ପ୍ରତିଭା ସେହି ସମୁଦ୍ର ଉପରେ ଏକ ବିଶାଳ ବ୍ୟାପକ ଆତ୍ମା ପରି ବ୍ୟାପ୍ତ ହୋଇଥାଏ । ନୟନା ରିକ୍ସା ଉପରେ ବସିରହି ମନ୍ତ୍ରମୁଗ୍ଧ ପରି କିଛି ସମୟ ଶୁଣିଲା ଓ ପରେ ଓହ୍ଲାଇ ଯାଇ ପଛଧାଡ଼ିରେ ସମସ୍ତଙ୍କ ପଛରେ ଠିଆ ହୋଇଗଲା ।

 

ବୁଢ଼ୀଟିଏ କହିଲା–କେତେବେଳଯାକେ ଠିଆ ହେଇଥିବୁ ଝିଅ, ଭିତରକୁ ଯାଇ ବସି ଯାଉନୁ ।

 

ନୟନା କହିଲା–ମୋର କିଛି ଅସୁବିଧା ହେଉ ନାହିଁ । ଶୁଣାଯାଉଛି ତ ।

 

ବୁଢ଼ୀଟି ଆଗରେ ଥିଲା । ସେ ନୟନାର ହାତ ଧରି ନିଜ ଜାଗାକୁ ଟାଣିନେଲା ଓ ନିଜେ ପଛକୁ ଘୁଞ୍ଚିଗଲା । ନୟନା ଏବେ ଶାନ୍ତିକୁମାରଙ୍କୁ ଦେଖିପାରିଲା । ତାଙ୍କ ମୁଖମଣ୍ଡଳରେ ଦେବୋପମ ତେଜ । ସେ କୌଣସି ଦିବ୍ୟ ଜଗତରେ ଥିବା ପରି ଜଣାପଡ଼ୁଥାନ୍ତି । ଯେପରି ସେଠାର ବାୟୁ ଅମୃତମୟ ହୋଇଯାଇଛି । ଯେଉଁ ଦିନ ମଳିନ ମୁଖ ଉପରେ ସେ ଗାଳିବୃଷ୍ଟି ଦେଖୁଥିଲା, ତା’ ଉପରେ ଆଜି କେତେ ଗର୍ବ; ସତେବା ସେଥିରେ କୌଣସି ନୂତନ ସମ୍ପତ୍ତିର ସ୍ଵାମୀତ୍ଵ ଫୁଟିଉଠୁଛି ! ଏପରି ନମ୍ରତା, ଏପରି ଭଦ୍ରତା ସେହି ଲୋକମାନଙ୍କଠାରେ ସେ କେବେ ଦେଖି ନଥିଲା ।

 

ଶାନ୍ତିକୁମାର କହୁଥାନ୍ତି–ତୁମେ କ’ଣ ଈଶ୍ୱରଙ୍କ ଘରୁ ଗୋଲାମି କରିବାର ବୋଝ ମୁଣ୍ଡେଇ ଆସିଛ ? ତୁମେ ଦେହ–ମନ ଲଗାଇ ଅନ୍ୟମାନଙ୍କ ସେବା କରୁଛ; କିନ୍ତୁ ତୁମେ ଗୋଲାମ-। ସମାଜରେ ତୁମର ସ୍ଥାନ ନାହିଁ । ତୁମେ ସମାଜର ମୂଳଦୁଆ । ତୁମରି ଉପରେ ସମାଜ ଠିଆ ହୋଇଛି; କିନ୍ତୁ ତୁମେ ଅଛୁଆଁ । ତୁମେ ମନ୍ଦିରକୁ ଯାଇପାରିବ ନାହିଁ । ଏପରି ଅନୀତି ଏହି ଅଭାଗା ଦେଶ ଛଡ଼ା ଆଉ କେଉଁଠି ଚାଲିପାରେ ? ତୁମେ କ’ଣ ସବୁଦିନ ପାଇଁ ଏପରି ପତିତ ଓ ଦଳିତ ହୋଇ ରହିବାକୁ ଚାହଁ ?

 

ଜଣେ କହିଲା–ଆମର ହାତରେ କ’ଣ ଅଛି ?

 

ଶାନ୍ତିକୁମାର ଉତ୍ତେଜନାପୂର୍ଣ୍ଣ ସ୍ଵରରେ କହିଲେ–ଯେ ପର୍ଯ୍ୟନ୍ତ ତୁମେ ଭାବୁଥିବ ଯେ ତୁମ ହାତରେ କିଛି ନାହିଁ, ସେ ପର୍ଯ୍ୟନ୍ତ ତୁମ ହାତରେ କିଛି ହୋଇପାରିବ ନାହିଁ । ମନ୍ଦିର କୌଣସି ଗୋଟିଏ ଲୋକର ବା ଗୋଟିଏ ଦଳର ସମ୍ପତ୍ତି ନୁହେଁ । ତାହା ପ୍ରତ୍ୟେକ ହିନ୍ଦୁର ସମ୍ପତ୍ତି । ତୁମକୁ ଯଦି କେହି ବାଧା ଦେଉଛି, ତେବେ ସେ ଅନ୍ୟାୟ କରୁଛି, ଜବରଦସ୍ତି କରୁଛି । ସେହି ମନ୍ଦିର ଦ୍ଵାରରୁ ହଟ ନାହିଁ, ତୁମ ଉପରେ ଗୁଳିବୃଷ୍ଟି ହେଉ ପଛେ ହଟ ନାହିଁ । ତୁମେ ସାମାନ୍ୟ କଥାରେ ନିଜର ସର୍ବସ୍ଵ ଉଡ଼ାଇ ଦେଉଛ, ଜୀବନ ହରାଇ ଦେଉଛ । ଏ ତ ଧର୍ମର କଥା, ଯେଉଁ ଧର୍ମ ଆମର ଜୀବନଠାରୁ ଅଧିକ ପ୍ରିୟ । ସବୁ ଯୁଗରେ ଜୀବନ ବଦଳରେ ଧର୍ମରକ୍ଷା ହେଉଛି ଏବଂ ହେବ ।

 

ପୂର୍ବଦିନର ମାର–ଧର ସମସ୍ତଙ୍କୁ ଉତ୍ତେଜିତ କରି ଦେଇଥିଲା । ଦିନସାରା ସେହି ବିଷୟରେ ଚର୍ଚ୍ଚା ଚାଲିଥିଲା । ବାରୁଦ ତିଆରି ହେଉଥିଲା । ଅଭାବ ଥିଲା ତା’ ସାଙ୍ଗକୁ ମାତ୍ର ଟିକିଏ ନିଆଁ । ଏହି ବାକ୍ୟଗୁଡ଼ିକ ନିଆଁର କାମ କଲା । ସଂଘ–ଶକ୍ତି ସାହସବି ବୃଦ୍ଧି କରିଦେଲା । ଲୋକେ ପଗଡ଼ି ସମ୍ଭାଳି ଅଣ୍ଟା ସଳଖାଇଲେ, କମର କଷିଲେ, ପରସ୍ପର ଚାହାଁଚାହିଁ ହେଲେ, ଯେପରି ପଚାରୁଛନ୍ତି–ଉଠିବା ନା ଆଉ କିଛି ଭାବିବାକୁ ବାକି ଅଛି ? ତା’ପରେ ପୁଣି ଶାନ୍ତ ହୋଇଗଲେ । ସାହସ ମୂଷା ପରି ବିଲରୁ ମୁଣ୍ଡ କାଢ଼ି ପୁଣି ଭିତରକୁ ଟାଣିନେଲା ।

 

ନୟନା ପାଖରେ ଥିବା ବୁଢ଼ୀଟି କହିଲା–ତାଙ୍କ ମନ୍ଦିର ଘେନି ସେ ଥା’ନ୍ତୁ, ଆମେ କାହିଁକି କିଛି କରିବା ?

 

ନୟନା ଯେପରି ପଡ଼ିଯାଉଥିବା କାନ୍ଥକୁ ଟେକି ଧରିଲା–ମନ୍ଦିର କୌଣସି ଗୋଟିଏ ଲୋକର ତ ନୁହେଁ ।

 

ଶାନ୍ତିକୁମାର ଗମ୍ଭୀର ସ୍ଵରରେ କହିଲେ–ଆପଣ ଦିଅଁଙ୍କୁ ଦର୍ଶନ କରିବାକୁ କିଏ ବାହାରୁଛି ମୋ ସାଙ୍ଗରେ ?

 

ବୁଢ଼ୀ ଶଙ୍କିତା ହୋଇ କହିଲା–ଆମକୁ କ’ଣ ଭିତରକୁ ଛାଡ଼ିବେ କେହି ?

 

ଶାନ୍ତିକୁମାର ମୁଠାଭିଡ଼ି କହିଲେ–ମୁଁ ଦେଖିବି, କିଏ ଛାଡ଼ି ନ ଦେଉଛି ? ଆମ ଈଶ୍ଵର କୌଣସି ଜଣକର ସମ୍ପତ୍ତି ନୁହନ୍ତି, ସେ ସିନ୍ଦୁକରେ ବନ୍ଦ ହୋଇ ରହିବେ । ଆଜି ଏ ବିଷୟରେ ମୀମାଂସା କରିବାକୁ ହେବ ସବୁଦିନ ପାଇଁ ।

ଶହ–ଶହ ସ୍ତ୍ରୀ–ପୁରୁଷ ଶାନ୍ତିକୁମାରଙ୍କ ସହିତ ମନ୍ଦିର ଆଡ଼କୁ ଚାଲିଲେ । ନୟନାର ଛାତି ଧଡ଼ପଡ଼ ହେଲା; କିନ୍ତୁ ସେ ନିଜର ମନକୁ ଧିକ୍‌କାର କରି ଜନତାର ପଛେ ପଛେ ଚାଲିବାକୁ ଲାଗିଲା । ସେ ଭାବି ଭାବି ପୁଲକିତା ହେଉଥାଏ ଯେ ଭାଇ ଯଦି ଏତେବେଳେ ଏଠି ଥାନ୍ତେ, ତେବେ କେତେ ପ୍ରସନ୍ନ ହେଉ ନଥାନ୍ତେ ! ଏହା ସହିତ ନାନା ଆଶଙ୍କା ମଧ୍ୟ ତା’ ମନରେ ପାଣିଫୋଟକା ପରି ଉଠୁଥାଏ ।

ଜନତା ଯେତିକି ଯେତିକି ଅଗ୍ରସର ହେଉଥାଏ, ସେତେ ଅଧିକ ଲୋକ ଆସି ଯୋଗ ଦେଉଥାନ୍ତି । ମାତ୍ର ମନ୍ଦିର ଯେତେ ପାଖେଇ ଆସୁଥାଏ, ଲୋକଙ୍କର ସାହସ ସେତେ କମି ଆସୁଥାଏ । ଯେଉଁ ଅଧିକାରରୁ ସେମାନେ ସଦାସର୍ବଦା ବଞ୍ଚିତ, ତାହା ପାଇବାପାଇଁ ସେମାନଙ୍କ ମନରେ ତୀବ୍ର ଇଚ୍ଛା ନଥାଏ । ଦୁଃଖ କେବଳ ମାଡ଼ପାଇଁ । ନ୍ୟାୟ ଜ୍ଞାନରୁ ଯେଉଁ ବିଶ୍ଵାସ ଜନ୍ମେ, ତାହା ସେମାନଙ୍କ ମନରେ ନଥିଲା । ତଥାପି ଲୋକସଂଖ୍ୟା ବଢ଼ି ଚାଲିଥାଏ । ଜୀବନ ଦେବା ଲୋକ ତ ପ୍ରାୟ ନଥିଲେ । କେବଳ ବିରାଟ ଜନସଂଖ୍ୟାର ଭୟ ଦେଖାଇ ବିଜୟ ହାସଲ କରିବାର ଆଶା ସେମାନଙ୍କୁ ଆଗେଇ ନେଉଥାଏ ।

ଜନତା ମନ୍ଦିର ଆଗରେ ପହଞ୍ଚିଲାବେଳକୁ ଦଶଟା ବାଜି ଯାଇଥିଲା । ବ୍ରହ୍ମଚାରୀ ମହାଶୟ କେତେକ ପୂଜାହାରୀ ଓ ପଣ୍ଡାଙ୍କ ସହିତ ଲାଠି ଧରି ମନ୍ଦିର ଦ୍ଵାରରେ ଠିଆ ହୋଇଥିଲେ । ଲାଲା ସମରକାନ୍ତ ମଧ୍ୟ ଟହଲ ମାରୁଥାନ୍ତି ।

 

ନୟନାର ବ୍ରହ୍ମଚାରୀଙ୍କ ଉପରେ ଏପରି କ୍ରୋଧ ଆସୁଥାଏ ଯେ, ସେ ଭାବୁଥାଏ, ଯାଇ ତାଙ୍କୁ କଡ଼ା କଡ଼ା ଶୁଣାଇଦିଅନ୍ତା–ତୁମେ ଭାରି ଧର୍ମାତ୍ମା ହେଇଯାଇଛ ନା ? ରାତିଅଧ ପର୍ଯ୍ୟନ୍ତ ଏହି ମନ୍ଦିରରେ ଜୁଆଖେଳ, ପଇସାଟାଏ ପାଇଁ ବିବେକକୁ ବିକ୍ରି କରିଦିଅ, ମିଥ୍ୟାସାକ୍ଷ୍ୟ ଦିଅ, ଦ୍ଵାର ଦ୍ଵାର ବୁଲି ଭିକ ମାଗ; ସେଥିରେ ପୁଣି ତୁମେ ଧର୍ମର ଠିକାଦାର ବନିଛ ? ତୁମେ ତ ଛୁଇଁଦେଲେ ଦେବତାବି କଳଙ୍କିତ ହୋଇଯାନ୍ତି ।

 

ମନର ଏହି ଆବେଗକୁ ସେ ରୋଧିପାରିଲା ନାହିଁ । ଜନତାକୁ ପଛରୁ ଚିରି ଚିରି ସେ ମନ୍ଦିର ଦ୍ଵାରକୁ ଚାଲିଯାଉଛି, ଏହି ସମୟରେ ଶାନ୍ତିକୁମାରଙ୍କ ଦୃଷ୍ଟିରେ ପଡ଼ିଗଲା । ସେ ଚମକିଉଠି କହିଲେ–ଆରେ ନୟନା ଯେ ! ତୁମେ ଏଣେ କୁଆଡ଼େ ? ମୁଁ ଭାବୁଥିଲି ତୁମେ ଭିତରେ ବସି ପୁରାଣ କଥା ଶୁଣୁଥିବ ।

 

ନୟନା କୃତ୍ରିମ ରୋଷ ପ୍ରକାଶ କରି କହିଲା–ଆପଣ ତ ରାସ୍ତା ବନ୍ଦ କରି ଦେଇଛନ୍ତି; ଯିବି କିପରି ?

 

ଶାନ୍ତିକୁମାର ଆଗ ପାଖରୁ ଲୋକଙ୍କୁ ହଟାଉ ହଟାଉ କହିଲେ–ମୁଁ ଜାଣି ନଥିଲି ତୁମେ ପଛରେ ଅଟକି ଯାଇଛ ବୋଲି ।

 

ନୟନା ଟିକିଏ ଅଟକିଯାଇ କହିଲା–ଆପଣ ଆମ ଠାକୁରଙ୍କୁ ଭ୍ରଷ୍ଟ କରିବାକୁ ଚାହାନ୍ତି ?

 

ଶାନ୍ତିକୁମାର ତା’ର ପରିହାସ ବୁଝିପାରିଲେ ନାହିଁ । ଉଦାସ ଭାବରେ କହିଲେ–କ’ଣ ତୁମର ମଧ୍ୟ ଏଇ ମତ, ନୟନା ?

 

ନୟନା ଆହୁରି ଗମ୍ଭୀର ହୋଇ କହିଲା–ଆପଣ ଅଛୁଆଁ ଲୋକମାନଙ୍କୁ ମନ୍ଦିରରେ ପୂରାଇଲେ ଦେବତା ଭ୍ରଷ୍ଟ ହେବେ ନାହିଁ ?

 

ଶାନ୍ତିକୁମାର ଗମ୍ଭୀର ଭାବରେ କହିଲେ–ମୁଁ ତ ଭାବିଥିଲି ଦେବତା ଭ୍ରଷ୍ଟକୁ ପବିତ୍ର କରନ୍ତି, ନିଜେ ଭ୍ରଷ୍ଟ ହୁଅନ୍ତି ନାହିଁ ।

 

ସହସା ବ୍ରହ୍ମଚାରୀ ଗର୍ଜିଉଠି କହିଲେ–ତୁମେମାନେ କ’ଣ ଏଠି ଉପଦ୍ରବ କରିବାକୁ ଆସିଛ, ଦେବ ମନ୍ଦିର ଆଗରେ ?

 

ଗୋଟିଏ ଲୋକ ଆଗେଇ ଯାଇ କହିଲା–ଆମେ ତ ଫୌଜଦାରି କରିବାକୁ ଆସିନାହୁଁ, ଆସିଛୁ ଠାକୁର ଦର୍ଶନ କରିବାକୁ ।

 

ସମରକାନ୍ତ ତାକୁ ଧକ୍କାଏ ମାରି କହିଲେ–ତୁମ ବାପ–ଗୋସେଇଁବାପେ କେବେ ଆସିଥିଲେ ଦର୍ଶନ କରିବାକୁ ନା ତୁମେ ବେଶି ବୀରପଣିଆ ଦେଖଉଚ ?

 

ଶାନ୍ତିକୁମାର ସେ ଲୋକଟିକୁ ଧରିପକାଇ କହିଲେ–ବାପ–ଅଜା ଯାହା କରି ନାହାନ୍ତି, ତା’ କ’ଣ ପୁଅ–ନାତିମାନଙ୍କୁ ମନା ? ବାପ–ଅଜା ତ ବିଜୁଳି ତାରର ନାମଗନ୍ଧ ଜାଣି ନଥିଲେ, ଏବେ ସେ ସବୁ କାହିଁକି ବ୍ୟବହାର କରାଯାଉଛି ? ବୁଦ୍ଧି ବିବେକର ବିକାଶ ନିତିପ୍ରତି ହେଉଛି, ଲାଲାଜୀ, ଆପଣ ତାକୁ ବନ୍ଦ କରିପାରିବେ ନାହିଁ ।

 

ସମରକାନ୍ତ ବ୍ୟଙ୍ଗ କଲେ–ଓ, ସେଇଥିପାଇଁ ତୁମ ବୁଦ୍ଧି–ବିବେକର ଏମିତି ବିକାଶ ହେଲା ଯେ ଦେବତାଙ୍କୁ ଭକ୍ତି କରିବା ଛାଡ଼ି ଦେବଦ୍ରୋହୀ ହୋଇପଡ଼ିଲ !

 

ଶାନ୍ତିକୁମାର ପ୍ରତିବାଦ କଲେ–ମୁଁ ଦେବଦ୍ରୋହୀ ନୁହେଁ, ଲାଲାଜୀ ! ଦେବଦ୍ରୋହୀ ସେଇମାନେ, ଯେଉଁମାନେ ଭକ୍ତକୁ ଦେବପୂଜା କରିବାକୁ ଦେଉ ନାହାନ୍ତି । ଏମାନେ କ’ଣ ହିନ୍ଦୁ–ସଂସ୍କୃତିକୁ ମାନନ୍ତି ନାହିଁ ? ତେବେ ଆପଣ ମନ୍ଦିର ଦ୍ଵାର ବନ୍ଦ କରି ରଖିଛନ୍ତି କାହିଁକି ?

 

ବ୍ରହ୍ମଚାରୀ ଆଖି କାଢ଼ି କହିଲେ–ଯେଉଁମାନେ ମଦ–ମାଂସ ଖାନ୍ତି, ନିଷିଦ୍ଧ କର୍ମ କରନ୍ତି, ସେମାନଙ୍କୁ ମନ୍ଦିରରେ ପ୍ରବେଶ କରିବାକୁ ଦିଆଯାଇ ନ ପାରେ ।

 

ଶାନ୍ତ ଭାବରେ ଶାନ୍ତିକୁମାର ଉତ୍ତର ଦେଲେ–ବହୁତ ବ୍ରାହ୍ମଣ, କ୍ଷତ୍ରିୟ ଓ ବୈଶ୍ୟ ମଧ୍ୟ ମଦ–ମାଂସ ଖା’ନ୍ତି; ଆପଣ ସେମାନଙ୍କୁ ବାଧା ନ ଦେଉଛନ୍ତି କାହିଁକି ? ପ୍ରାୟ ସମସ୍ତେ ତ ଭାଙ୍ଗ ଖା’ନ୍ତି, ସେମାନେ କିପରି ଏଠି ଆଚାର୍ଯ୍ୟ–ପୂଜାରୀ ହୋଇଛନ୍ତି ?

 

ସମରକାନ୍ତ ଠେଙ୍ଗା ଉଞ୍ଚାଇ କହିଲେ–ଏମାନେ ଏମିତି ମାନିବେ ନାହିଁ । ଏମାନଙ୍କୁ ଠେଙ୍ଗାମାରି ହଟାଇବାକୁ ପଡ଼ିବ । ଟିକିଏ ଥାନାରେ ଯାଇ ଏତାଲା କରିଦିଅ, ଏମାନେ ଫୌଜଦାରି କରିବାକୁ ଆସିଛନ୍ତି ବୋଲି ।

 

ସେତେବେଳକୁ ବହୁତ ପଣ୍ଡା–ପୁଜାରୀ ରୁଣ୍ଡ ହୋଇ ଯାଇଥାନ୍ତି । ସମସ୍ତେ ମିଶି ଲାଠିଭୁଷାରେ ଲୋକଙ୍କୁ ହଟାଇବାରେ ଲାଗିଲେ । ଲୋକମାନେ ଧାଇଁ ପଳାଇଲେ । କିଏ ପୂର୍ବକୁ ପଳାଇଲା ତ କିଏ ପଶ୍ଚିମକୁ । ଶାନ୍ତିକୁମାରଙ୍କ ମଥାରେବି ଠେଙ୍ଗାଏ ବାଜିଗଲା; କିନ୍ତୁ ସେ ନିଜ ସ୍ଥାନରେ ଅଟକି ରହି ଲୋକଙ୍କୁ ବୁଝାଉଥାନ୍ତି–ପଳାଇ ଯାଅନା, ପଳାଇ ଯାଅନା । ସମସ୍ତେ ସେହିଠାରେ ବସିଯାଅ । ଠାକୁରଙ୍କ ନାମରେ ଜୀବନକୁ ପାଣି ଛଡ଼ାଇ ଦିଅ । ଧର୍ମପାଇଁ.....

 

ମାତ୍ର ଆଉ ଗୋଟିଏ ପାହାର ତାଙ୍କ ମୁଣ୍ଡ ଉପରେ ଏତେ ଜୋରରେ ବସିଲା ଯେ ତାଙ୍କ ମୁହଁର କଥା ଅଟକିଗଲା, ସେ ଢଳିପଡ଼ିଲେ । ଧୈର୍ଯ୍ୟ ଧରି ପୁଣି ଉଠିବାକୁ ଯାଉଛନ୍ତି, ତା’ ଉପରେ, ତା’ ଉପରେ ଆଉ କେତେଟା ପାହାର ବାଜିଲା । ଫଳରେ ସେ ସଂଜ୍ଞାହୀନ ହୋଇ ପଡ଼ିଲେ ।

 

–୨୮–

 

ନୟନା ବାରମ୍ବାର ଦ୍ଵାର ପର୍ଯ୍ୟନ୍ତ ଆସୁଛି, କିନ୍ତୁ ସମରକାନ୍ତଙ୍କୁ ବସିଥିବାର ଦେଖି ଫେରିଯାଉଛି । ଆଠଟା ବାଜିଲାଣି, ଲାଲାଜୀ ତଥାପି ଗଙ୍ଗାସ୍ନାନକୁ ଯାଇନାହାନ୍ତି । ସେ ରାତିସାରା ଏକର ସେକର ହୋଇ କଟାଇଛି । ସେହି ଭୀଷଣ ଘଟଣା ପରେ ସେ କ’ଣ ଶୋଇ ପାରିଥାନ୍ତା ? ସେ ଶାନ୍ତିକୁମାରଙ୍କୁ ଆହତ ହୋଇ ପଡ଼ିଯିବାର ଦେଖି ମଧ୍ୟ ନିର୍ଜୀବ ପରି ଛିଡ଼ା ହୋଇଥିଲା । ଅମର ତାକୁ ପ୍ରାଥମିକ ଚିକିତ୍ସାର କେତେକ ସ୍ଥୂଳ ବିଷୟ ଶିଖାଇ ଦେଇଥିଲା । ମାତ୍ର ସେତେବେଳେ ସେ କିଛି ହେଲେ କରିପାରିଲା ନାହିଁ । ସେ ଦେଖିଛି ବହୁ ଲୋକ ଶାନ୍ତିକୁମାରଙ୍କୁ ଘେରିଗଲେ । ତା’ପରେ ସେ ଦେଖିଛି ଡାକ୍ତର ଆସିଲେ ଓ ଶାନ୍ତିକୁମାରଙ୍କୁ ଦୋଳାରେ ଶୁଆଇ ନେଇଗଲେ; କିନ୍ତୁ ସେ ନିଜ ଜାଗାରୁ ହଲଚଲ ହୋଇ ନାହିଁ । ତା’ ମନ ଗୋଟାଏ ବନ୍ଧା ପଶୁ ପରି ଧାଇଁଯିବାକୁ ଚାହୁଁଥାଏ; ମାତ୍ର ସେ ରସିକୁ ଦୁଇ ହାତରେ ଧରି ପୂରା ଜୋରରେ ଟାଣି ତାକୁ ଅଟକାଇ ଦେଇଥାଏ-। କାରଣ କ’ଣ ? କାରଣ ଥିଲା ସଙ୍କୋଚ ।

 

ଶେଷରେ ଛାତି ଦମ୍ଭ କରି ସେ ଦ୍ଵାର ଡେଇଁ ବାରଣ୍ଡାକୁ ଚାଲି ଆସିଲା ।

 

ସମରକାନ୍ତ ପଚାରିଲେ–କୁଆଡ଼େ ଯାଉଛୁ ?

 

“ଟିକିଏ ମନ୍ଦିର ଆଡ଼େ ଯାଉଛି ।”

 

“ସିଆଡ଼େ ତ ରାସ୍ତା ବନ୍ଦ । କେଜାଣି କୁଆଡ଼ୁ ଗୁଡ଼ାଏ ପାଣ କଣ୍ଡରା ଆସି ଦୁଆର ମାଡ଼ି ବସି ରହିଛନ୍ତି । କାହାରିକୁ ଛାଡ଼ିଦେଉ ନାହାନ୍ତି । ପୁଲିସ ଆସି ସେମାନଙ୍କୁ ହଟାଇବାକୁ ଚେଷ୍ଟା କରୁଛି; କିନ୍ତୁ ହତଭାଗାଗୁଡ଼ାକ କିଛି ହେଲେ ଶୁଣନ୍ତେ ! ଏ ସବୁ ସେଇ ଶାନ୍ତିକୁମାରର ବଦମାସି । ସେହି ଏବେ ଏମାନଙ୍କୁ ନେତା ସାଜିଛି । ବିଲାତ ଯାଇ ତ ଧର୍ମଛଡ଼ା ହୋଇଥିଲା, ଏବେ ଏଇ ହିନ୍ଦୁ ଧର୍ମର ମୂଳ ତାଡ଼ୁଛି । କିଛି ଆଚାର ଅଛି ନା ବିଚାର ଅଛି ! ସେଇ ଛତରା ସଲିମ୍‌ଟା ସାଙ୍ଗରେ ଖିଆପିଆ କରୁଛି । ଏମିତି ଧର୍ମଦ୍ରୋହୀକୁ ଆଉ କି ବୁଦ୍ଧି ଦିଶନ୍ତା ? ଏଇଗୁଡ଼ାଙ୍କ ସଂସର୍ଗ–ଦୋଷରୁ ଅମର ନଷ୍ଟ ହୋଇଗଲା । ଏଇଟାକୁ କିଏ ଅଧ୍ୟାପକ କରିଥିଲା କେଜାଣି ?”

 

ନୟନା ଦୂରରୁ ଏ ଦୃଶ୍ୟ ଦେଖି ଫେରି ଆସିବାର ବାହାନାରେ ମନ୍ଦିର ଆଡ଼କୁ ଚାଲିଲା-। କିଛିଦୂର ଗଲା ପରେ ଗୋଟିଏ ଗଳିରାସ୍ତା ଦେଇ ହସ୍ପିଟାଲକୁ ଚାଲିଲା । ସତର୍କ ଦୃଷ୍ଟିରେ ବାମ–ଡାହାଣକୁ ଚାହିଁ ଚାହିଁ ସେ ଶୀଘ୍ର ଶୀଘ୍ର ଚାଲି ଯାଉଥାଏ, ସତେଅବା ଚୋରି କରିବାକୁ ଯାଉଛି !

 

ହସ୍ପିଟାଲରେ ପହଞ୍ଚି ଦେଖିଲା, ହଜାର ହଜାର ଲୋକ ଜମିଛନ୍ତି ଏବଂ ୟୁନିଭର୍‍ସିଟିର ଛାତ୍ରମାନେ ଏଣେତେଣେ ଧାଇଁଛନ୍ତି । ସଲିମ୍ ମଧ୍ୟ ଦୃଷ୍ଟିରେ ପଡ଼ିଲା । ତାକୁ ଦେଖି ସେ ପଛକୁ ଫେରିବାକୁ ଯାଉଛି, ବ୍ରଜନାଥ ପହଞ୍ଚିଗଲେ–ଆରେ, ନୟନା ଦେବୀ ଯେ ! ତୁମେ ଇଆଡ଼େ କୁଆଡ଼େ ? ଡାକ୍ତର ସାହେବଙ୍କର ରାତିସାରା ହୋସ୍ ନଥିଲା । ସଲିମ୍ ଓ ମୁଁ ତାଙ୍କ ପାଖରେ ବସି ରହିଥିଲୁ । ଏହିକ୍ଷଣି ଆଖି ଖୋଲି ଚାହିଁଲେ ।

 

ଏତେ ପରିଚିତ ଲୋକଙ୍କ ସମକ୍ଷରେ ନୟନା ରହିଥାନ୍ତା କିପରି ? ସେ ଶୀଘ୍ର ଫେରି ଆସିଲା । କିନ୍ତୁ ତା’ର ସେଠାକୁ ଯିବା ନିଷ୍ଫଳ ହୋଇ ନାହିଁ–ଡାକ୍ତର ସାହେବଙ୍କ ଚେତା ଫେରିଲାଣି-

 

ସେ ରାସ୍ତାରେ ଯାଉଛି ଦେଖିଲା–ଶହ ଶହ ଲୋକ ଦଉଡ଼ି ଦଉଡ଼ି ଆସୁଛନ୍ତି । ସେ ଗୋଟାଏ ଗଳିରେ ଲୁଚିଗଲା । ବୋଧହୁଏ ଫୌଜଦାରି ଚାଲିଲା । ସେ ଏବେ ଘରେ ପହଞ୍ଚିବ କିପରି ? ଭାଗ୍ୟକୁ ଆତ୍ମନନ୍ଦ ଭେଟ ହୋଇଗଲେ । ନୟନାକୁ ଚିହ୍ନିପାରି କହିଲେ–ତେଣେ ତ ଗୁଳି ଚାଲିଛି । ପୋଲିସ୍–କ୍ୟାପ୍‍ଟେନ୍ ଆସି ଫାୟାରିଂ ଚଳାଇ ଦେଲା ।

 

ନୟନାର ମୁଖ ବିବର୍ଣ୍ଣ ହୋଇଗଲା । ତା’ର ଶିରା–ପ୍ରଶିରାର ରକ୍ତ ସଞ୍ଚାଳନ ଯେମିତି ବନ୍ଦ ହୋଇଗଲା । କହିଲା–ଆପଣ କ’ଣ ସେଇଠୁ ଆସୁଛନ୍ତି ?

 

“ହଁ, ମରୁ ମରୁ ବଞ୍ଚିଗଲି । ଗଳି ବାଟେ ପଳାଇ ଆସିଲି । ଆମେମାନେ କେବଳ ଠିଆ ହୋଇଥିଲୁ; ମାତ୍ର କ୍ୟାପ୍‍ଟେନ୍ ଫାୟାରିଂ ଅଡ଼ର୍ ଦେଇଦେଲା । ତୁମେ କୁଆଡ଼େ ଯାଇଥିଲ ?”

 

“ମୁଁ ଗଙ୍ଗାସ୍ନାନ କରି ଫେରୁଥିଲି । ଲୋକେ ଧାଇଁ ପଳାଉଥିବା ଦେଖି ଏଣିକି ଚାଲି ଆସିଲି । କେମିତି ଘରେ ପହଞ୍ଚନ୍ତି ?”

 

“ଏ ବେଳରେ ତ ତେଣିକି ବିପଜ୍ଜନକ ।”

 

ପୁଣି ମୁହୂର୍ତ୍ତକ ପରେ ନିଜର ଭୀରୁତା ଯୋଗୁଁ ଲଜ୍ଜିତ ହୋଇ କହିଲେ–କିନ୍ତୁ ଗଳି ରାସ୍ତାରେ କୌଣସି ଭୟ ନାହିଁ । ଚାଲ, ମୁଁ ତୁମକୁ ପହଞ୍ଚାଇ ଦେଇ ଆସିବି । କେହି ପଚାରେ ତ ତୁମେ କହିଦେବ, ମୁଁ ଲାଲା ସମରକାନ୍ତଙ୍କ ଝିଅ ।

 

ନୟନା ମନେମନେ କହିଲା–ଏ ମହାଶୟ ସନ୍ନ୍ୟାସୀ ସାଜୁଛନ୍ତି, ପୁଣି ଏଡ଼େ ଡରକୁଳା ! ପ୍ରଥମେ ତ ଗରିବମାନଙ୍କୁ ମତେଇ–ତତେଇ ଦେଲେ; ମାଡ଼ ଚାଲିବାରୁ ସବାଆଗେ ଡିଆଁମାରି ପଳାଇଛନ୍ତି ।

 

ଅବସର ନଥିଲା, ଥିଲେ ତାଙ୍କୁ ଏମିତି ଦିପଦ ଶୁଣାଇ ଦେଇଥାନ୍ତା ଯେ, ମନେପକାଉଥାନ୍ତେ । ତାଙ୍କ ସଙ୍ଗେ କେତେ ଗଳି ବୁଲି ବୁଲି ପ୍ରାୟ ଦଶଟାବେଳକୁ ଘରେ ପହଞ୍ଚିଲା-। ଆତ୍ମାନନ୍ଦ ପୁଣି ସେହି ରାସ୍ତାରେ ଫେରିଲେ । ନୟନା ତାଙ୍କୁ ଧନ୍ୟବାଦଟିଏବି ଦେଲା ନାହିଁ-। ତାଙ୍କ ପ୍ରତି ସେତେବେଳେ ତା’ର ଲେଶମାତ୍ର ଶ୍ରଦ୍ଧା ନଥିଲା ।

 

ସେ ଭିତରକୁ ଯିବାବେଳକୁ ଦେଖିଲା, ସୁଖଦା ସଦର ଦରଜାରେ ଠିଆ ହୋଇଛି ଓ ସମ୍ମୁଖସ୍ଥ ସଡ଼କ ଉପରେ ଲୋକେ ଧାଇଁ–ଦଉଡ଼ି ପଳାଉଛନ୍ତି ।

 

ସୁଖଦା ପଚାରିଲା–ତୁମେ କୁଆଡ଼େ ଚାଲି ଯାଇଥିଲ କି ବୀବୀ ! ପୋଲିସ୍ ଫାୟାରିଂ ଚଳାଇଛି । ଲୋକମାନେ ଧାଇଁ ପଳାଉଛନ୍ତି ।

 

“ମୁଁ ତ ରାସ୍ତାରେ ଜାଣିବାକୁ ପାଇଲି । ଗଳିଏ ଗଳିଏ ଲୁଚି ଲୁଚି ଆସିଲି ।”

 

“ଲୋକଗୁଡ଼ାକ କି ଭୀରୁ ! ଘର କବାଟ କିଳିଦେଲେ ।”

 

“ଲାଲାଜୀ ଯାଇ ପୋଲିସ୍‍ବାଲାଙ୍କୁ ମନା କରୁନାହାନ୍ତି କାହିଁକି ?”

 

“ୟାଙ୍କରି ଆଦେଶରେ ତ ଗୁଳି ଚାଲିଲା, ମନା କରିବେ କେମିତି ?”

 

ଆଚ୍ଛା, ବାପା ତେବେ ଗୁଳି ଚଳାଇଛନ୍ତି ?”

 

“ହଁ, ଏ ଯାଇ କ୍ୟାପ୍‌ଟେନ୍‌କୁ କହିଲେ । ଆଉ ଏବେ ଘରେ ଛପି କରି ବସିଛନ୍ତି । ଅଛୁଆଁମାନଙ୍କର ମନ୍ଦିରକୁ ଯିବା ଉଚିତ ବୋଲି ମୁଁ ମନେକରେନା; କିନ୍ତୁ ଗୁଳି ଚାଲିବା ଦେଖି ମୋ ରକ୍ତ ତାତିଉଠୁଛି । ଗୁଳିଦ୍ଵାରା ଯେଉଁ ଧର୍ମକୁ ରକ୍ଷା କରାଯାଉଛି, ସେ ଧର୍ମରୁ ସତ୍ୟ ଲୋପ ପାଇଛି, ଜାଣ । ଦେଖ ଦେଖ, ସେହି ନିରୀହ ଲୋକଟି ଦେହରେ ଗୁଳି ବାଜିଗଲା ! ଛାତିରୁ ରକ୍ତ ବହିଯାଉଛି ।”

 

କହୁ କହୁ ସେ ସମରକାନ୍ତଙ୍କ ପାଖକୁ ଯାଇ କହିଲା–କ’ଣ ଲାଲାଜୀ ! ରକ୍ତ–ନଦୀ ବହିଗଲେବି ମନ୍ଦିର ଦ୍ଵାର ଖୋଲିବେ ନାହିଁ ?

 

ସମରକାନ୍ତ ଅବିଚଳିତ ଭାବରେ ଉତ୍ତର ଦେଲେ–କ’ଣଗୁଡ଼ାଏ ବକିଯାଉଛୁ ବୋହୂ ! ଏ ଡମ–ହାଡ଼ିଗୁଡ଼ାଙ୍କୁ ମନ୍ଦିରରେ ପଶିବାକୁ ଦେବି ! ତୁ ତ ଅମରଠାରୁ ଦୁଇ ହାତ ଆଗେଇ ଗଲୁଣି ଦେଖୁଛି ! ଯାହା ହାତରୁ ପାଣି ପିଆଯାଏନା, ତାକୁ ମନ୍ଦିର ଭିତରକୁ ଛାଡ଼ିବି କେମିତି ?

 

ସୁଖଦା ଆଉ ବାଦ–ବିବାଦ କଲା ନାହିଁ । ସେ ଥିଲା ମନସ୍ଵିନୀ ମହିଳା । ସେହି ତେଜସ୍ଵିତା, ଯାହାକି ଅଭିମାନ ରୂପରେ ତାକୁ ବିଳାସିନୀ କରି ଦେଇଥିଲା, ଯାହାକି ତାକୁ ଛୋଟମାନଙ୍କ ସଙ୍ଗେ ମିଶିବାକୁ ଦେଉ ନଥିଲା; ତାହା ତତ୍‌କ୍ଷଣାତ୍ ବଳିଦାନରୂପେ ପ୍ରକାଶିତ ହେଲା-। ସେ ଉନ୍ମାଦିନୀ ପରି ଘରୁ ବାହାରିପଡ଼ିଲା ଓ ପୋଲିସ୍‍ବାହିନୀ ସମ୍ମୁଖରେ ଠିଆ ହୋଇ ପଳାତକମାନଙ୍କୁ ଆହ୍ଵାନ ଦେଇ କହିଲା–ଭାଇମାନେ ! ପଳାଇ ଯାଉଛ କାହିଁକି-? ଏହା ପଳାଇବାର ସମୟ ନୁହେଁ, ଛାତି ପତାଇ ସାମନାରେ ଠିଆ ହେବା ସମୟ । ଦେଖାଇ ଦେଇଯାଅ ଯେ ଧର୍ମ ନାମରେ ତୁମେ କିପରି ପ୍ରାଣକୁ ଆହୂତ ଦେଉଛ । ଧର୍ମ–ବୀରହିଁ ଈଶ୍ଵରଙ୍କୁ ପାଇଥାନ୍ତି-। ପଳାଇ ଯାଇ କେହି ବିଜୟୀ ହୁଏନା ।

 

ପଳାତକମାନଙ୍କ ପାଦ ସ୍ତବ୍ଧ ହୋଇଗଲା । ଜଣେ ମହିଳାଙ୍କୁ ଗୁଳି ଆଗରେ ଠିଆ ହୋଇଥିବା ଦେଖି ଭୀରୁତା ମଧ୍ୟ ଲଜ୍ଜିତ ହୋଇଗଲା । ବୁଢ଼ାଟିଏ ପାଖକୁ ଆସି କହିଲା–ଏ ଝିଅ, ତୋ ଦେହରେ ଗୁଳି ବାଜିଯିବଟି !

 

ସୁଖଦା ନିଶ୍ଚଳ ଭାବରେ କହିଲା–ଏତେ ଲୋକ ଯେଉଁଠି ମରିଗଲେଣି, ସେଠି ମୁଁ ମରିଗଲେ କ୍ଷତି କ’ଣ ? ଭାଇମାନେ ! ଭଉଣୀମାନେ ! ପଳାଅନା, ତୁମର ପ୍ରାଣବଳି ପାଇଲେ ଦେବତା ପ୍ରସନ୍ନ ହେବେ ।

 

ଭୀରୁତା ପରି ବୀରତା ମଧ୍ୟ ସଂକ୍ରାମକ ହୋଇଥାଏ । କ୍ଷଣକ ମଧ୍ୟରେ ଉଡ଼ୁଥିବା ପତ୍ର ପରି ପଳାଇ ଯାଉଥିବା ଲୋକମାନେ ଗୋଟାଏ ପାଚେରୀ ପରି ଠିଆ ହୋଇଗଲେ । ବର୍ତ୍ତମାନ ଲାଠି ଚାଲୁ ବା ଗୁଳି ବୃଷ୍ଟି ହେଉ, ସେମାନଙ୍କର ଭୟ ନାହିଁ ।

 

ବନ୍ଧୁକମାନଙ୍କରୁ ଧାୟ୍ଁ–ଧାୟ୍ଁ ଶବ୍ଦ ବାହାରିଲା । ଗୋଟାଏ ଗୁଳି ସୁଖଦାର କାନ ପାଖେ ଦେଇ ସାଇଁ କରି ଚାଲିଗଲା । ତିନି–ଚାରି ଜଣ ଟଳିପଡ଼ିଲେ; କିନ୍ତୁ ପାଚେରୀଟା ଯେମିତିକି ସେମିତି ଠିଆ ହୋଇଛି ଅଚଳ ପରି ।

 

ପୁଣି ବନ୍ଧୁକ ଫୁଟିଲା । ଚାରି–ପାଞ୍ଚ ଜଣ ପୁଣି ଟଳିପଡ଼ିଲେ; କିନ୍ତୁ ପାଚେରୀ ଅଟଳ ।

 

ସୁଖଦା ତାକୁ ସମ୍ଭାଳି ରଖିଥାଏ । ଗୋଟିଏ ଜ୍ୟୋତି ସମୁଦାୟ ଘରକୁ ଆଲୋକମୟ କରିଦିଏ । ବଳବାନ୍ ହୃଦୟ ସେହି ଦୀପ ପରି ଜନସମୂହଠାରେ ସାହସ ଭରିଦିଏ ।

 

ଭୀଷଣ ଦୃଶ୍ୟ ସେ । ଲୋକେ ନିଜ ନିଜର ଆତ୍ମୀୟଙ୍କୁ ଆଖି ଆଗରେ ପଡ଼ି ଛଟପଟ ହେଉଥିବା ଦେଖୁଛନ୍ତି; କିନ୍ତୁ କାହାରି ଆଖିରେ ବିନ୍ଦୁଏ ଲୁହ ନାହିଁ । ଏତେ ସାହସ ସେମାନଙ୍କ ହୃଦୟକୁ ଆସିଲା କେଉଁଠୁଁ ? ସୈନ୍ୟବାହିନୀ କ’ଣ ଯୁଦ୍ଧଭୂମିରେ ସର୍ବଦା ଅଚଳ ଅଟଳ ରହିଥାଏ ? ଦିନେ ଯେଉଁ ସେନା ପ୍ରାଣକୁ ପଣ ରଖି ଖେଳେ, ସେହି ପୁଣି ବନ୍ଧୁକର ପ୍ରଥମ ଶବ୍ଦରେ ରଣଭୂମି ଛାଡ଼ି ପ୍ରାଣ ବିକଳରେ ପଳାଇଯାଏ । ମାତ୍ର ଏ ହେଲା ଭଡ଼ାଟିଆ ସିପାହୀଙ୍କ ବୃତ୍ତାନ୍ତ; ଯେଉଁମାନଙ୍କ ପାଖରେ ସତ୍ୟ ଓ ନ୍ୟାୟର ବଳ ନଥାଏ, ଯେଉଁମାନେ ଲଢ଼ନ୍ତି କେବଳ ପେଟପାଇଁ ବା ଧନ ଲୁଣ୍ଠନପାଇଁ । ଏହି ଜନସମୂହଠାରେ ସତ୍ୟ ଓ ନ୍ୟାୟର ବଳ ସଞ୍ଚରିଛି । ପ୍ରତ୍ୟେକ ସ୍ତ୍ରୀ ବା ପୁରୁଷ, ସେ ଯେତେ ଅଜ୍ଞ ହେଉ ପଛେ, ବୁଝିପାରିଛି ଯେ ସେ ତା’ର ଧର୍ମ ଓ ଅଧିକାର ପାଇଁ ଲଢ଼ୁଛି ଏବଂ ଧର୍ମପାଇଁ ପ୍ରାଣ ଦେବା ସବର୍ଣ୍ଣ–ନୀତିରେ ମଧ୍ୟ ସେତିକି ଗୌରବର ବିଷୟ ।

 

କିନ୍ତୁ ଏ କ’ଣ ? ପୋଲିସ୍ ବୀରମାନେ ସଙ୍ଗିନ୍ ଉତାରୁଛନ୍ତି କାହିଁକି ? ବନ୍ଧୁକଗୁଡ଼ିକୁ କାନ୍ଧ ଉପରେ ଥୋଇଦେଲେଣି କାହିଁକି ? ଆରେ ସମସ୍ତେ କ’ଣ ପଛକୁ ବୁଲିପଡ଼ିଲେ ! ସେମାନେ କ’ଣ ଚାରି ଧାଡ଼ିରେ ଠିଆ ହୋଇଗଲେ । ମାର୍ଚ୍ଚିଂ ଆଦେଶ ଦିଆଯାଉଛି । ସେମାନେ ମନ୍ଦିର ଆଡ଼କୁ ଫେରି ଯାଉଛନ୍ତି । ଜଣେ ହେଲେ କନେଷ୍ଟବଳବି ରହିଲା ନାହିଁ । କେବଳ ଲାଲା ସମରକାନ୍ତ ପୋଲିସ୍ ସୁପରିଣ୍ଟେଣ୍ଡେଣ୍ଟଙ୍କୁ କ’ଣ କହୁଛନ୍ତି ଏବଂ ଜନସମୂହ ସେହିପରି ନିଶ୍ଚଳ ଭାବରେ ସୁଖଦା ପଛରେ ଡା ହୋଇଛନ୍ତି । କ୍ଷଣକ ପରେ ସୁପରିଣ୍ଟେଣ୍ଡେଣ୍ଟ ମଧ୍ୟ ଚାଲି ଯାଉଛନ୍ତି । ତା’ପରେ ଲାଲା ସମରକାନ୍ତ ସୁଖଦା ପାଖକୁ ଯାଇ ବଡ଼ପାଟିରେ କହୁଛନ୍ତି–ମନ୍ଦିର ଖୋଲାଗଲାଣି-। ଯାହାର ଇଚ୍ଛା ଅଛି, ଦର୍ଶନ କରିବାକୁ ଯାଇପାର । କାହାରିପାଇଁ ବାଧା ନିଷେଧ ନାହିଁ-

 

ଜନସମୂହ ମଧ୍ୟରେ ଚଞ୍ଚଳତା ଖେଳିଯାଇଛି । ଲୋକେ ଉନ୍ମତ୍ତ ହୋଇ ସୁଖଦାର ପାଦତଳେ ପଡ଼ୁଛନ୍ତି ଓ ତତ୍ପରେ ମନ୍ଦିର ଆଡ଼କୁ ଧାଇଁଛନ୍ତି ।

 

ମାତ୍ର ଦଶ ମିନିଟ୍ ପରେ ଜନତା ପୁଣି ସେହି ସ୍ଥାନକୁ ଫେରିଆସିଛି । ଲୋକେ ନିଜ ନିଜର ଆତ୍ମୀୟମାନଙ୍କ ଶବକୁ ଆଲିଙ୍ଗନ କରି କାନ୍ଦିବାରେ ଲାଗିଛନ୍ତି । ସେବାଶ୍ରମର ଛାତ୍ରମାନେ ଦୋଳା ନେଇ ଆସି ଆହତମାନଙ୍କୁ ବହି ନେଉଛନ୍ତି । ବୀରଗତିପ୍ରାପ୍ତ ବ୍ୟକ୍ତିମାନଙ୍କର କ୍ରିୟାକର୍ମର ଆୟୋଜନ ଚାଲିଛି । ଦୋକାନମାନଙ୍କରୁ କପଡ଼ା ଥାନମାନ ଆସିଯାଉଛି । କେଉଁଠୁଁ ବାଉଁଶ, କେଉଁଠୁଁ ରସୀ, କେଉଁଠୁଁ ଘିଅ, କେଉଁଠୁଁ କାଠ ଚାଲିଆସି ଜମା ହୋଇଛି । ବିଜେତାମାନେ କେବଳ ଧର୍ମ ଉପରେ ନୁହେଁ, ହୃଦୟ ଉପରେ ମଧ୍ୟ ବିଜୟଲାଭ କରିଛନ୍ତି । ସାରା ନଗର ସେମାନଙ୍କୁ ସମ୍ମାନିତ କରିବାପାଇଁ ଉତ୍ତଳା ହୋଇ ଉଠିଛି ।

 

ସନ୍ଧ୍ୟାବେଳକୁ ଏହି ଧର୍ମ–ବିଜେତାମାନଙ୍କର ଶବାଧାର ବାହାରିଲା । ସାରା ସହର ଫାଟିପଡ଼ିଲା । ଶବ–ବାହକମାନେ ପ୍ରଥମେ ମନ୍ଦିର ଦ୍ଵାରକୁ ଗଲେ । ମନ୍ଦିରର ଦୁଇ ଦ୍ଵାର ଖୋଲା ଥାଏ । ପୂଜାରୀ, ବ୍ରହ୍ମଚାରୀ, କାହାରି ପତ୍ତା ନଥାଏ । ସୁଖଦା ମନ୍ଦିରରୁ ତୁଳସୀ–ଦଳ ଆଣି ଶବାଧାର ଉପରେ ଦେଲା ଓ ମୃତ ବ୍ୟକ୍ତିମାନଙ୍କ ମୁଖରେ ଚରଣାମୃତ ଦେଲା । ଏହି ମନ୍ଦିର–ଦ୍ଵାର ଖୋଲାଇବା ପାଇଁ ଏପରି ଭୀଷଣ ସଂଗ୍ରାମ ହେଲା । ବର୍ତ୍ତମାନ ସେହି ଦ୍ଵାର ଖୋଲିଛି, ବୀରମାନଙ୍କୁ ସ୍ଵାଗତ କରିବାପାଇଁ ବାହୁ ପତାଇଛି; କିନ୍ତୁ ରୁଷ୍ଟ ହୋଇ ଏହି ବୀରମାନେ ମନ୍ଦିର ଆଡ଼କୁ ଆଖି ଟେକି ଚାହୁଁ ନାହାନ୍ତି । କି ବିଚିତ୍ର ବିଜେତା ଏମାନେ ! ଯେଉଁ ବସ୍ତ୍ରପାଇଁ ପ୍ରାଣବଳି ଦେଲେ, ତା’ପ୍ରତି ଏତେ ବିରାଗ !

 

କିଛି ସମୟ ପରେ ଶବାଧାରଗୁଡ଼ିକ ନଦୀ–କୂଳକୁ ଚାଲିଲା । ସେହି ହିନ୍ଦୁ ସମାଜ, ସେ କି ଘଣ୍ଟାକ ପୂର୍ବେ ଏମାନଙ୍କୁ ଅସ୍ପୃଶ୍ୟ ବୋଲି ଘୃଣା କରୁଥିଲା, ବର୍ତ୍ତମାନ ଏହି ଶବଯାନମାନଙ୍କ ଉପରେ ପୁଷ୍ପବୃଷ୍ଟି କରୁଛି । ବଳିଦାନର କି ଶକ୍ତି !

 

ଆଉ ସୁଖଦା ? ସେ ତ ବିଜୟର ଦେବୀ । ପରେ ପଦେ ତା’ ନାମରେ ଜୟ ଜୟକାର ଉଠୁଛି । କେଉଁଠି ପୁଷ୍ପବୃଷ୍ଟି ହେଉଛି ତ କେଉଁଠି ଫଳ–ବୃଷ୍ଟି, କେଉଁଠି ବା ଟଙ୍କା–ବୃଷ୍ଟି । ଘଡ଼ିଳ ପୂର୍ବେ ସେ ଥିଲା ନଗରରେ ନଗଣ୍ୟା; କିନ୍ତୁ ବର୍ତ୍ତମାନ ସେ ନଗରର ବରେଣ୍ୟ । ଏପରି ଗୌରବ ମିଳିବା ବିରଳ । ବାସ୍ତବିକ ତାକୁ ବର୍ତ୍ତମାନ ଉଭୟ ପାର୍ଶ୍ଵର ଉଚ୍ଚ କୋଠାସବୁ କିଛି ନୀଚ ଏବଂ ରାସ୍ତାର ଉଭୟ ପାର୍ଶ୍ୱରେ ଠିଆ ହୋଇଥିବା ମନୁଷ୍ୟ କିଛି ଛୋଟ ଜଣାଯାଉଛନ୍ତି । କିନ୍ତୁ ଏତେ ନମ୍ରତା, ଏତେ ବିନୟ ତା’ଠାରେ କେବେ ତ ନଥିଲା । ସତେଅବା ଏହି ଯଶ ଓ ଐଶ୍ଵର୍ଯ୍ୟର ଭାରାରେ ତା’ର ମସ୍ତକ ନଇଁଯାଉଛି ।

 

ଏଣେ ଗଙ୍ଗା–ତଟରେ ଚିତାଗ୍ନି ଜଳୁଛି, ତେଣେ ଏହି ଉତ୍ସବର ଆନନ୍ଦରେ ମନ୍ଦିରଟି ଦୀପମାଳାର ଆଲୋକରେ ଝଲକୁଛି; ସତେଅବା ବୀରମାନଙ୍କର ଆତ୍ମା ଉଜ୍ଜ୍ୱଳି ଉଠିଛି !

 

–୨୯–

 

ପରଦିନ ମନ୍ଦିରରେ କେତେ ସମାରୋହ ହେଲା, ସହରରେ କିପରି ଚାଞ୍ଚଲା ଖେଳିଗଲା, କେତେ ଉତ୍ସବ ହେଲା, ସେ ସବୁର ଚର୍ଚ୍ଚା କରିବା ଅନାବଶ୍ୟକ । ଦିନ ତମାମ ମନ୍ଦିରକୁ ଭକ୍ତମାନଙ୍କର ଧାଡ଼ି ଛୁଟିଲା । ପୁଣି ବ୍ରହ୍ମଚାରୀ ଆସି ବିରାଜମାନ ହେଲେ; ସେଦିନ ଯେତେ ଦକ୍ଷିଣା ମିଳିଲା, ତାଙ୍କ ଦେହକଯାକରେବି ସେତେ ମିଳି ନଥିବ । ଏହା ଫଳରେ ତାଙ୍କ ମନର ବିଦ୍ରୋହ ଅନେକାଂଶରେ ଶାନ୍ତ ହୋଇଗଲା; କିନ୍ତୁ ଉଚ୍ଚ ଜାତିର ଭଦ୍ରଲୋକମାନେ ଅତି ସାବଧାନ ହୋଇ, ନାକ ଟେକି, ବାରେଇ ହୋଇ ମନ୍ଦିରକୁ ଆସୁଥାନ୍ତି ଓ ଚାଲି ଯାଉଥାନ୍ତି । ସୁଖଦା ମନ୍ଦିର ଦ୍ଵାରରେ ଠିଆ ହୋଇ ଲୋକମାନଙ୍କୁ ସ୍ଵାଗତ କରୁଥାଏ । ସ୍ତ୍ରୀମାନଙ୍କୁ ଆଲିଙ୍ଗନ କରୁଥାଏ, ପିଲାମାନଙ୍କୁ ସ୍ନେହ କରୁଥାଏ ଓ ପୁରୁଷମାନଙ୍କୁ ପ୍ରଣାମ କରୁଥାଏ ।

 

କାଲିର ସୁଖଦା ଓ ଆଜିର ସୁଖଦା ମଧ୍ୟରେ କେତେ ଅନ୍ତର ! ଭୋଗବିଳାସ ପରାୟଣା ରମଣୀଟି ଆଜି ସେବା ଓ ଦୟାର ଜୀବନ୍ତ ପ୍ରତିମା ହୋଇଯାଇଛି । ଏହି ଦୁଃଖୀମାନଙ୍କର ଶ୍ରଦ୍ଧା, ଭକ୍ତି ଓ ଉତ୍ସାହ ଦେଖି ତା’ର ହୃଦୟ ପୁଲକିତ ହୋଇ ଉଠୁଛି । କାହାର ପରିଧାନରେ ଛିନ୍ନବସ୍ତ୍ର, ଦୃଷ୍ଟିଶକ୍ତି କ୍ଷୀଣ, ଦୁର୍ବଳତା ହେତୁ ପାଦ ଇତସ୍ତତଃ ପଡ଼ୁଛି; କିନ୍ତୁ ଭକ୍ତିରେ ମତ୍ତ ହୋଇ ଦ୍ରୁତଗତିରେ ଚାଲିଆସୁଛି; ଯେପରିକି ସଂସାରର ଆଧିପତ୍ୟ ମିଳିଯାଇଛି ତାକୁ ! ଯେପରି ସଂସାରରୁ ଦୁଃଖ ଦାରିଦ୍ର୍ୟ ଲୋପ ପାଇଛି ! ଏପରି ସରଳ ନିଷ୍କପଟ ଉକ୍ତି ପ୍ରଭାବରେ ସୁଖଦା ମଧ୍ୟ ବହି ଯାଉଛି । ପ୍ରାୟଶଃ ମନସ୍ଵୀ, କର୍ମଶୀଳ, ମହତ୍ତ୍ଵାକାଂକ୍ଷୀ ପ୍ରାଣୀମାନଙ୍କର ପ୍ରକୃତି ଏହିପରି ହୋଇଥାଏ । ଭୋଗୀ ହିଁ ବୀର ହୋଇଥାଏ ।

 

କି ଛୋଟ କି ବଡ଼, ସମସ୍ତେ ସୁଖଦାକୁ ପୂଜ୍ୟା ମନେ କରୁଛନ୍ତି ଏବଂ ସେମାନଙ୍କର ଏହି ଭାବନା ସୁଖଦାଠାରେ ଏକ ଗର୍ବମୟ ସେବାଭବ ପ୍ରଦୀପ୍ତ କରି ଦେଇଛି । କାଲି ସେ ଯାହା ଯାହା କରିଛି, ସେ ସବୁ ଗୋଟାଏ ପ୍ରବଳ ଆବେଶରେ କରିଯାଇଛି । ତା’ର ଫଳାଫଳ କ’ଣ ହେବ, ସେ ଚିନ୍ତା ସେ ତିଳେହେଲେ କରି ନାହିଁ । ସେପରି ସମୟରେ ହାନିଲାଭର ଚିନ୍ତା ମନକୁ ଦୁର୍ବଳ କରିଦିଏ । କିନ୍ତୁ ଆଜି ସେ ଯାହା ଯାହା କରୁଛି; ସେଥିରେ ତା’ମନର ଅନୁରଗ ଅଛି, ସଦ୍ଭାବ ଅଛି । ବର୍ତ୍ତମାନ ସେ ନିଜର ଶକ୍ତି–ସାମର୍ଥ୍ୟ କଳିପାରିଛି, ଉନ୍ମାଦନା ଜାଗିଛି; ଫଳରେ ବିଚାର ବୁଦ୍ଧି ଭୁଲି ସେବାରତା ହୋଇ ଉଠିଛି, ସତେଅବା ନିଜର ଆତ୍ମାକୁ ଖୋଜି ପାଇଛି !

 

ବର୍ତ୍ତମାନ ସୁଖଦା ହୋଇଛି ନଗରର ନେତ୍ରୀ । ଜାତିହିତ ନିମିତ୍ତ ହେଉଥିବା ନଗରର ସମସ୍ତ କାର୍ଯ୍ୟର ଶୁଭାରମ୍ଭ ସୁଖଦା ହସ୍ତରେହିଁ ହେଉଛି । ଉତ୍ସବ ହେଉ, ପରମାର୍ଥ କାର୍ଯ୍ୟ ହେଉ, ରାଷ୍ଟ୍ରୀୟ ଆନ୍ଦୋଳନ ହେଉ, ସବୁଥିରେ ପ୍ରମୁଖ ଅଂଶ ସୁଖଦାର । ତା’ର ଇଚ୍ଛା ଥାଉ ବା ନ ଥାଉ ଭକ୍ତମାନେ ତାକୁ ଟାଣି ନେଇ ଯାଉଛନ୍ତି । କୌଣସି ସଭାର ସଫଳତା ସୁଖଦାର ଉପସ୍ଥିତ ଉପରେ ନିର୍ଭର କରୁଛି । ଆଶ୍ଚର୍ଯ୍ୟର କଥା, ଏବେ ସେ ଭାଷଣ ଦେବା ଆରମ୍ଭ କଲାଣି । ତା’ର ଭାଷଣରେ ଭାଷା–ଚାତୁରୀ ନ ଥାଉ ପଛେ ସତ୍ୟର ପ୍ରକାଶ ଅବଶ୍ୟ ଥାଏ । ସହରରେ ବହୁତ ସାଧାରଣ ଅନୁଷ୍ଠାନ ଅଛି–କେତେକ ରାଜନୈତିକ, କେତେକ ସାମାଜିକ, କେତେକ ବା ଧାର୍ମିକ; ମାତ୍ର ସେଗୁଡ଼ିକ ନିର୍ଜୀବ ପରି ପଡ଼ିଥାଏ । ସୁଖଦାର ଆବିର୍ଭାବ ଫଳରେ ସେ ସବୁରେ ଜାଗରଣ ଆସିଛି-। ମାଦକ–ଦ୍ରବ୍ୟ ବର୍ଜନ ସଭା ବର୍ଷ ବର୍ଷ ଧରି ନିଷ୍କ୍ରିୟ ଅବସ୍ଥାରେ ଥଲା–କୌଣସି ପ୍ରଚାର ନଥିଲା କି ସଂଗଠନ ନଥିଲା । ସଭାର ସମ୍ପାଦକ ଦିନେ ସୁଖଦାକୁ ନେଇଗଲେ । ପରଦିନ ସେହି ସଭାର ଏକ ଭଜନ–ମଣ୍ଡଳୀ ସଂଗଠିତ ହେଲା, ଜଣକେତେ ଉପଦେଶକ ବାହାରି ପଡ଼ିଲେ, କେତେକ ମହିଳା ଘରେ ଘରେ ପ୍ରଚାର କରିବାକୁ ବାହାରିପଡ଼ିଲେ ଏବଂ ପ୍ରତି ସାହିରେ ପଞ୍ଚାୟତ ଗଢ଼ା ହେଲା । ଗୋଟାଏ ନବ–ଜୀବନର ସଂଚାର ହୋଇଗଲା ।

 

ଏବେ ସୁଖଦାକୁ ଗରିବମାନଙ୍କ ଦୁରବସ୍ଥାର ଯଥାର୍ଥରୂପ ଦେଖିବାର ଅବସର ମିଳୁଛି । ଏପର୍ଯ୍ୟନ୍ତ ଏହି ବିଷୟରେ ତା’ର ଯାହା ଧାରଣା ଥିଲା, ତାହା ଶୁଣାକଥା ଉପରେ ଆଧାରିତ । ନିଜ ଆଖିରେ ଦେଖି ସେ ଏବେ ଜାଣୁଛି, ଦେଖିବା ଓ ଶୁଣିବା ମଧ୍ୟରେ ବହୁତ ପାର୍ଥକ୍ୟ ଥାଏ । ସହରର ସେହି ଅନ୍ଧାରିଆ, ସଂକୀର୍ଣ୍ଣ ଗଳିମାନ ଯେଉଁଠିକି ଆଲୋକ ଓ ବାୟୁ ପ୍ରବେଶ କରିପାରେନା, ଯେଉଁଠି କେବଳ ଭୂମି ନୁହେଁ କାନ୍ଥକୁ କାନ୍ଥ ଲାଗି ରହିଛି, ଯେଉଁଠି ଦୁର୍ଗନ୍ଧରେ ନାକ ଫାଟିପଡ଼େ; ସେହିଠାରେ ଭାରତର ସ୍ଵଳ୍ପଆୟକାରୀ ସନ୍ତାନଗଣ ରୋଗ ଓ ଦାରିଦ୍ର୍ୟର ପାଦତଳେ ପେଷି ହୋଇ ନିଜର କ୍ଷୀଣ ଜୀବନକୁ ମୃତ୍ୟୁ–କବଳରୁ ଛଡ଼ାଇ ନେବାପାଇଁ ପ୍ରାଣପଣେ ଲାଗିଛନ୍ତି । ଏବେ ସେ ଅନୁଭବ କରୁଛି, ଧନ ସଞ୍ଚୟ ଓ ଭୋଗବିଳାସ ପ୍ରତି ଅମରର ବିରୋଧୀଭାବ କିପରି ଯଥାର୍ଥ ଥିଲା-। ସେହି କୋଠାରେ ରହିବାରେ, ଭଲ ଲୁଗାପଟା ପିନ୍ଧିବାରେ, ଭଲ ଭଲ ଖାଦ୍ୟ ଖାଇବାରେ ଏବେ ସେ ଗ୍ଳାନି ବୋଧ କରୁଛି । ଏଣିକି ସେ ନିଜ କାମ ଚାକରଦ୍ଵାରା କରାଇବା ଛାଡ଼ିଦେଲାଣି–ନିଜ ଲୁଗାପଟା ନିଜେ ସଫା କରୁଛି, ନିଜେ ଘର ଓଳାଉଛି । ଦିନ ଆଠଟାରେ ଯେ ବିଛଣାରୁ ଉଠୁଥିଲା, ସେ ଏବେ ମୁହଁ–ଅନ୍ଧାରରୁ ଉଠି ଘର–କାମରେ ଲାଗିଯାଉଛି । ନୟନା ତ ଏବେ ତାକୁ ଠାକୁର ପରି ପୂଜା କରୁଛି । ଲାଲାଜୀ ଘରର ଏ ଦଶା ଦେଖି ଜଳି ଯାଉଛନ୍ତି; ମାତ୍ର କରିବେ କ’ଣ-? ନିତି ସୁଖଦାର ଯେପରି ଗୋଟାଏ ଦରବାର ବସୁଛି–ବଡ଼ବଡ଼ ନେତା, ବଡ଼ବଡ଼ ବିଦ୍ଵାନ ବରାବର ଆସୁଛନ୍ତି । ତେଣୁ ସେ ଏବେ ବୋହୂକୁ କିଛି କହିପାରୁ ନାହାନ୍ତି । ଗୃହ–ଜଞ୍ଜାଳରୁ ଏଣିକି ତାଙ୍କ ମନ ତୁଟିଗଲାଣି । ଯେଉଁ ଘରେ କାହାରି ତାଙ୍କ ପ୍ରତି ସହାନୁଭୂତି ନାହିଁ, ତା’ ପ୍ରତି ତାଙ୍କର ଅନୁରାଗ ଆସନ୍ତା କିପରି ? ଯେଉଁ ଘରେ ନିଜ ବିଚାରର ପ୍ରାଧାନ୍ୟ ଥାଏ, ସେହି ସିନା ନିଜର ଘର-। ନିଜ ବିଚାରକୁ ଯେ ମାନିନିଏ, ସେହି ସିନା ଆତ୍ମୀୟ । ତାଙ୍କର ସେ ଘର ଏବେ ତାଙ୍କ ପକ୍ଷରେ ପାନ୍ଥଶାଳା ହୋଇଛି । ସୁଖଦା ବା ନୟନାକୁ କିଛି କହିବାକୁ ସେ ଏବେ ଡରିଲେଣି ।

 

ଦିନେ ସୁଖଦା ନୟନାକୁ କହିଲା–ବୀବୀ ! ଏ ଘରେ ଆଉ ରହିବାକୁ ଇଚ୍ଛା ହେଉ ନାହିଁ-। ଲୋକେ କହୁଥିବେ–ନିଜେ ତ ମହଲରେ ରହୁଛି, ଆମକୁ ଖାଲି ଉପଦେଶ ଦେଉଛି-। ମାସ ମାସ ଧାଁ–ଦଉଡ଼ କଲାଣି, ଯେତେ ଚେଷ୍ଟା କଲି ସବୁ ବୃଥା; ନିଶାଖୋରମାନଙ୍କ ଉପରେ କୌଣସି ପ୍ରଭାବ ପଡ଼ିପାରିଲା ନାହିଁ । ମୋ କଥାକୁ କେହି କାନ ଦେଉ ନାହାନ୍ତି । ବିଶେଷତଃ ଲୋକେ ତ ନିଜର ଦୁଃଖକୁ ଭୁଲିଯିବା ପାଇଁ ନିଶା ଖାଇଥାନ୍ତି । ସେମାନେ ଆମ କଥା ଶୁଣିବେ କାହିଁକି-? ଯେତେବେଳେ ଆମେ ତାଙ୍କରି ପରି ଚଳିବା, ସେତେବେଳେ ଆମର ପ୍ରଭାବ ପଡ଼ିବ ।

 

କେତେ ଦିନ ହେଲା ଶୀତ ପ୍ରବଳ ହୋଇ ଉଠିଛି । ସାମାନ୍ୟ ବର୍ଷା ହୋଇ ଯାଇଥିବାରୁ ପୌଷ ମାସର ଶୀତଳ ପବନ ଆର୍ଦ୍ର ହୋଇ ଆକାଶକୁ କୁହୁଡ଼ିରେ ଆଚ୍ଛନ୍ନ କରି ରଖିଛି । କେତେକ ସ୍ଥାନରେ ବରଫବି ପଡ଼ୁଛି । ଲଲ୍ଲୁ ଏବେ ଠୁକୁରୁ ଠୁକୁରୁ ହୋଇ ଚାଲିଲାଣି–ସେ ବାହାରକୁ ଯାଇ ଖେଳିବାକୁ ଚାହୁଁଛି, କିନ୍ତୁ ନୟନା ତାକୁ ଶୀତ ଭୟରେ ଛାଡ଼ି ଦେଉ ନାହିଁ । ତା’ ମଥାରେ ପଶମ ଟୋପି ପିନ୍ଧାଉ ପିନ୍ଧାଉ ନୟନା କହିଲା–ତା’ ତ ଠିକ୍; କିନ୍ତୁ ସେମାନଙ୍କ ପରି ରହିବାଟା ଆମ ପକ୍ଷରେ ସମ୍ଭବ କି ନା, ତା’ବି ଦେଖିବାକୁ ହେବ । ମୁଁ ତ ପ୍ରାୟ ମାସ ଗୋଟାକରୁ ବେଶି ବଞ୍ଚିବି ନାହିଁ ।

 

ସୁଖଦା ମନେମନେ ସଂକଳ୍ପ କଲା ପରି କହିଲା–ମୁଁ ତ ଭାବୁଛି, କୌଣସି ଗଳିରେ ଛୋଟିଆ ଘରଟିଏ ନେଇ ରହିବି । ୟାର କାନ ଟୋପି ବାହାର କରି ଖେଳିବାକୁ ଛାଡ଼ି ଦେଉନାହଁ କାହିଁକି ? ପିଲାଙ୍କୁ ଗାଙ୍ଗୁଲାର ଫୁଲ–ଚାରା କରିବା ଉଚିତ ନୁହେଁ । ତାକୁ ତ ହାବୁକାଏ ଗରମ ପବନବି ଶୁଖାଇ ଦେବ । ଏମାନଙ୍କୁ‌ ଜଙ୍ଗଲର ଗଛ କରିବାକୁ ପଡ଼ିବ, ଯେ କି ଖରା–ବର୍ଷା, କୁହୁଡ଼ି–କାକର କିଛିକି ଖାତିର କରିବ ନାହିଁ ।

 

ନୟନା ହସି ହସି କହିଲା–ମୂଳରୁ ତ ସେପରି କରି ନାହିଁ, ଆଜି ବାହାରିଲ ବିଚରାକୁ କଷ୍ଟ ସହି ଶିଖାଇବାକୁ, ନା ? ସର୍ଦି–ଫର୍ଦି ଧରି ପକେଇବ ତ ହଇରାଣର ସୀମା ରହିବ ନାହିଁ–ଲାଭକୁ ହାନି ଖାଇଯିବ ।

 

“ହଉରେ ବାବୁ ! ଯେମିତି ଇଚ୍ଛା, କର, ମୋର କ’ଣ ଅଛି ?

 

“କାହିଁକି, ଏହାକୁ ସେହି ଛୋଟିଆ ଘରେ ତୁମ ପାଖରେ ରଖିବ ନାହିଁ ।”

 

“ଯାହାର ପୁଅ, ସେ ଯେମିତି ଚାହିଁବ, ରଖିବ, ମୁଁ କିଏ କି ?"

 

“ଭାଇ ଥିଲାବେଳ ତୁମେ ଯଦି ଏମିତି ରହିଥାନ୍ତ ନା, ସେ ତୁମ ପାଦଧୂଆ ପାଣି ପିଇଥାନ୍ତେ ।”

 

ସୁଖଦା ଅଭିମାନଭରା ସ୍ଵରରେ କହିଲା–ମୁଁ ତ ସେତେବେଳେ ଯାହା ଥିଲି, ଏବେବି ସେଇଆ ଅଛି । ବାପାଙ୍କ ସଙ୍ଗେ ନ ପଡ଼ିବାରୁ ସେ ଯେତେବେଳେ ଅଲଗା ଘରେ ରହିଲେ, ମୁଁ କ’ଣ ତାଙ୍କୁ ସାହାଯ୍ୟ କରି ନଥିଲି ? ସେ ମୋତେ ବିଳାସିନୀ ବୋଲି ଭାବୁଥିଲେ ସିନା, ମୁଁ କିନ୍ତୁ କେବେ ବିଳାସର ଦାସୀ ହୋଇ ନାହିଁ । ଅବଶ୍ୟ ମୁଁ ବାପାଙ୍କୁ ରଗାଇବାକୁ ଚାହୁଁ ନଥିଲି । ଏ ଦୋଷ ମୋର ଥିଲା । ବର୍ତ୍ତମାନ ମୁଁ ଅଲଗା ରହିବି ତ ତାଙ୍କ ଅନୁମତି ନେଇ ରହିବି । ତୁମେ ଦେଖିବ–ମୁଁ ଏପରି ଭାବରେ ଏ ପ୍ରଶ୍ନ ଉଠାଇବି ଯେ ସେ ଆଦୌ ଆପତ୍ତି ଉଠାଇବେ ନାହିଁ । ଚାଲ, ଟିକିଏ ଡା: ଶାନ୍ତିକୁମାରଙ୍କୁ ଦେଖିଆସିବା । ମୋତେ ତ ତେଣେ ଯିବାକୁ ଆଦୌ ସମୟ ମିଳୁ ନାହିଁ ।

 

ନୟନା ପ୍ରାୟ ନିତି ଥରେ ଶାନ୍ତିକୁମାରଙ୍କୁ ଦେଖାକରି ଆସେ; କିନ୍ତୁ ସୁଖଦାକୁ କିଛି କହି ନାହିଁ । ବର୍ତ୍ତମାନ ସେ ଉଠି–ବସି ପାରିଲେଣି; କିନ୍ତୁ ଏତେ ଦୁର୍ବଳ ହୋଇ ପଡ଼ିଛନ୍ତି ଯେ ବାଡ଼ିର ବିନା ସାହାଯ୍ୟରେ ପାଦେ ସୁଦ୍ଧା ଚାଲିପାରୁ ନାହାନ୍ତି । ମାଡ଼ ଖାଇଲେ ସେ, ଛ’ମାସ କାଳ ଶଯ୍ୟାଶାୟୀ ହେଲେ ସେ; କିନ୍ତୁ ସୁନାମ ମାରିନେଲା ସୁଖଦା ! ଏ ଦୁଃଖ ତାଙ୍କୁ ଅଧିକ ଭାଙ୍ଗିପକାଉଛି । ଯଦିଚ ସେ ତାଙ୍କର ଅନ୍ତରଙ୍ଗ ବନ୍ଧୁମାନଙ୍କୁ ମଧ୍ୟ ଏ ମନୋବ୍ୟଥା ଜଣାଇ ନାହାନ୍ତି; ତଥାପି ଏହି କଣ୍ଟା ତାଙ୍କୁ କଷ୍ଟ ଦେଉଛି ନିଶ୍ଚୟ । ସୁଖଦା ଯଦି ଜଣେ ସ୍ତ୍ରୀ, ସେ ପୁଣି ନିଜର ପ୍ରିୟଶିଷ୍ୟ ତଥା ମିତ୍ର ଅମରର ସ୍ତ୍ରୀ ନ ହୋଇଥାନ୍ତା; ତେବେ ସେ ପ୍ରାୟ ସହର ଛାଡ଼ି ପଳାଇ ଯା’ନ୍ତେଣି । ସବୁଠାରୁ ବଡ଼ ଅନର୍ଥ ହେଉଛି–ଏହି ଛ’ମାସ ମଧ୍ୟରେ ସୁଖଦା ତାଙ୍କୁ ଦେଖିବାକୁ ମାତ୍ର ଦୁଇ–ତିନି ଥରରୁ ଅଧିକ ଯାଇ ନାହିଁ । ସେ ଅମରକାନ୍ତର ମିତ୍ର ସୁତରାଂ ସୁଖଦାର ତାଙ୍କ ପ୍ରତି ବିଶେଷ ଶ୍ରଦ୍ଧା ନାହିଁ ।

 

ନୟନାର ସୁଖଦା ସହିତ ଯିବାକୁ କୌଣସି ଆପତ୍ତି ନଥିଲା । ରେଣୁକା ବାଈ କେତେ ଦିନ ହେଲା ଗୋଟିଏ କାର୍ କିଣିଛନ୍ତି । ମାତ୍ର ତାହା ସୁଖଦାକୁ ବହନ କରିବାରେ ନିଯୁକ୍ତ । ଦୁହେଁ ସେହି ଗାଡ଼ିରେ ବସି ବାହାରିଲେ । ଲଲ୍ଲୁ ଭଲା ଏକାକୀ ରହିଥାନ୍ତା କାହିଁକି ? ନୟନା ତାକୁ ମଧ୍ୟ ନେଇଗଲା ।

 

କିଛିଦୂର ଯିବା ପରେ ସୁଖଦା କହିଲା–ଏସବୁ ହେଉଛି ଧନୀମାନଙ୍କ ଆଡ଼ମ୍ବର । ମୁଁ ତ ଇଚ୍ଛା କଲେ ଦୁଇ–ତିନି ଅଣାରେ ଚଳିଯାଇ ପାରିବି ।

 

ନୟନା ବିନୀତ ଭାବରେ କହିଲା–ଆଗେ କାମରେ ଦେଖାଇ ଦିଅ, ତାହାହେଲେ ବିଶ୍ଵାସ କରିବି । ମୁଁ ତ ଚଳିପାରିବି ନାହିଁ ।

 

“ଏ ଘରେ ଥିବା ପର୍ଯ୍ୟନ୍ତ ମୁଁ ବି ଚଳିପାରିବି ନାହିଁ ଯେ । ସେଇଥିଲାଗି ତ ମୁଁ ଅଲଗା ରହିବାକୁ କହୁଛି ।"

 

“କିନ୍ତୁ ସାଙ୍ଗରେ ତ ଅବଶ୍ୟ କାହାରିକୁ ରଖିବାକୁ ପଡ଼ିବ ?”

 

‘‘ମୁଁ ତ ଦରକାର ବୋଲି ମନେକରୁ ନାହିଁ । ଏହି ସହରରେ ତ ହଜାର ହଜାର ସ୍ତ୍ରୀଲୋକ ପୁଣି ଏକାକୀ ରହୁଛନ୍ତି । ତେବେ ମୋ ପକ୍ଷରେ ଅସୁବିଧା କ’ଣ ? ମୋତେ ରକ୍ଷା କରିବାକୁ ତ ବହୁତ ଲୋକ ଅଛନ୍ତି । ମୁଁ ନିଜକୁ ନିଜେ ରକ୍ଷା କରିପାରିବି । (ମୁରୁକି ହସି) ତେବେ ନିଜେ ଯଦି କାହାଠାରେ ରସିଯାଏଁ, ସେ ତ ଅଲଗା କଥା ।”

 

ଶାନ୍ତିକୁମାର ଗୋଡ଼ରୁ ମୁଣ୍ଡଯାଏ କମ୍ବଳ ଘୋଡ଼େଇ, ଚୁଲି ଜଳାଇ, ଚଉକି ଉପରେ ବସି ସ୍ଵାସ୍ଥ୍ୟ ବିଷୟକ ବହି ଖଣ୍ଡିଏ ପଢ଼ୁଥିଲେ । ଅତି ଶୀଘ୍ର କିପରି ସୁସ୍ଥ–ସବଳ ହୋଇଯିବେ, ଆଜିକାଲି ଏହାହିଁ ତାଙ୍କର ଚିନ୍ତାର ବିଷୟ । ନାରୀ ଦୁହିଁଙ୍କର ଆସିବା ଖବର ପାଇ ସେ ବହି ଖଣ୍ଡିକ ରଖିଦେଲେ ଓ କମ୍ବଳଟି ଉତାରି ପକେଇଲେ । ଚୁଲିଟିକୁ ମଧ୍ୟ ଘୁଞ୍ଚାଇ ଦେବାକୁ ଇଚ୍ଛା ଥିଲା, କିନ୍ତୁ ଅବସର ପାଇଲେ ନାହିଁ । ସେମାନେ କୋଠରୀ ଭିତରକୁ ପଶି ଆସିବାମାତ୍ରେ ଶାନ୍ତିକୁମାର ନମସ୍କାର କରି ଚେଆର୍‍ରେ ବସିବାକୁ ଇଙ୍ଗିତ ଦେଲେ । କହିଲେ ମୋର ଆପଣମାନଙ୍କ ପ୍ରତି ଈର୍ଷା ହେଉଛି; ଆପଣମାନେ ଶୀତରେ ବୁଲାବୁଲି କରୁଛନ୍ତି ଆଉ ମୁଁ ଏଠି ଗୋଟାଏ ଚୁଲି ଜଳାଇ ପଡ଼ିରହିଛି । କ’ଣ କରିବି, ଉଠିତ ପାରୁନାହିଁ । ମୋ ଜୀବନର ଛ’ଟା ମାସ କଟିଗଲା ସିନା ଏକପ୍ରକାର ଆୟୁଷର ଅଧା ବୋଲି କହିବାକୁ ହେବ । ମୁଁ ସୁସ୍ଥ ହୋଇଗଲେ ମାତ୍ର ଅଧାହିଁ ରହିବି । ମୋତେ ବଡ଼ ଲଜ୍ଜା ଲାଗୁଛି ଯେ ମହିଳାମାନେ ବାହାରେ ବୁଲି କାମ କରୁଛନ୍ତି ଆଉ ମୁଁ କୋଠରୀରେ ଚୁପ୍ ହୋଇ ପଡ଼ିରହିଛି ।

 

ସୁଖଦା ଲୁହ ପୋଛିଲା ପରି କହିଲା–ଆପଣ ଏ ନଗରରେ ଯେପରି ଜାଗରଣ ଦେଇଛନ୍ତି, ସେ ହିସାବରେ ତ ଆପଣଙ୍କ ଆୟୁ ଚାରିଗୁଣ ହୋଇଯାଇଛି । ମୋତେ ତ ବିନା ମୂଲ୍ୟରେ ସୁନାମ ମିଳିଯାଇଛି ।

 

ଶାନ୍ତିକୁମାରଙ୍କ ପାଣ୍ଡୁର ମୁଖମଣ୍ଡଳରେ ଆତ୍ମଗୌରବର ଆଭା ଝଲକିଉଠିଲା । ସୁଖଦା ମୁହଁରୁ ଏପରି ପ୍ରଶଂସା ଶୁଣି ତାଙ୍କ ଜୀବନ ଯେପରି ସଫଳ ହୋଇଗଲା । କହିଲେ, ଏ କିନ୍ତୁ ଆପଣଙ୍କର ଉଦାରତା । ଆପଣ ଯାହା କରି ଦେଖାଇ ଦେଇଛନ୍ତି ଓ କରୁଛନ୍ତି, ତା’ କେବଳ ଆପଣଙ୍କଦ୍ଵାରା ସମ୍ଭବ । ଅମରକାନ୍ତ ଫେରିଲେ ଦେଖିବେ ଯେ ଏଠି ତାଙ୍କପାଇଁ ଆଉ ସ୍ଥାନ ନାହିଁ । ଏଇ ଗୋଟାଏ ବର୍ଷରେ ଯାହା ଯାହା ହୋଇଯାଇଛି, ସେ ସ୍ଵପ୍ନରେ ସୁଦ୍ଧା କଳ୍ପନା କରି ନଥିଲେ । ଏଣେ ଶେବାଶ୍ରମରେ ଛାତ୍ରସଂଖ୍ୟା ଦ୍ରୁତଗତିରେ ବଢ଼ିଚାଲିଛି । ଏହିପରି ଚାଲିଲେ ଅନ୍ୟ କେଉଁଠି ଜାଗା ନେବାକୁ ପଡ଼ିବ । ଅଧ୍ୟାପକ କେଉଁଠୁଁ ଆସିବେ କେଜାଣି । ସଭ୍ୟସମାଜର ଏପରି ଉଦାସୀନତା ଦେଖି ମୁଁ ବେଳେବେଳେ ଭାରି ଚିନ୍ତିତ ହୋଇପଡ଼େ । ଯାହାକୁ ଦେଖନ୍ତୁ, ସ୍ଵାର୍ଥପାଇଁ ବ୍ୟସ୍ତ । ଯେ ଯେତିକି ବଡ଼, ତା’ର ସ୍ଵାର୍ଥବି ସେତିକି ବଡ଼ । ଦେଢ଼ଶହବର୍ଷ ହେଲା ୟୁରୋପକୁ ପୂଜା କରି କରି ଆମକୁ ଏହି ବର ମିଳିଛି । କିନ୍ତୁ ଏସବୁ ସତ୍ତ୍ୱେ ଆମର ଭବିଷ୍ୟତ ଉଜ୍ଜ୍ୱଳ, ଏଥିରେ ସନ୍ଦେହ ନାହିଁ । ଭାରତର ଆତ୍ମା ଅଦ୍ୟାବଧି ଜୀବିତ ରହିଛି, ମୋର ବିଶ୍ଵାସ, ଆମେ ଅବିଳମ୍ବେ ସେବା ଓ ତ୍ୟାଗର ପୁରାତନ ଆଦର୍ଶକୁ ଫେରି ପାରିବା । ସେତେବେଳେ ଧନ ଆମ ଜୀବନର ଧ୍ୟେୟ ହୋଇ ରହିବ ନାହିଁ । ଆମ ଜୀବନର ମୂଲ୍ୟ ସେତେବେଳେ ଧନର ନିକିତିରେ ତଉଲ ହେବ ନାହିଁ ।

 

ଲଲ୍ଲୁ ଚଉକି ଉପରେ ଚଢ଼ି ଟେବୁଲ ଉପରୁ ଦୁଆତଟି ଉଠାଇ ନେଲା ଓ ମୁହଁରେ କାଳି ବୋଳି ହୋଇ ଆନନ୍ଦିତ ହେଉଥିଲା । ନୟନା ଦଉଡ଼ି ଯାଇ ହାତରୁ ଦୁଆତଟି ଛଡ଼େଇ ନେଇ ତା’ ପିଠିରେ ବିଧାଟିଏ ବସାଇଲା । ଶାନ୍ତିକୁମାର ଉଠିବାର ଅସଫଳ ଚେଷ୍ଟା କରି କହିଲେ–ମାରୁଛ କାହିଁକି, ନୟନା ! ଦେଖିଲ, କିପରି ମହାପୁରୁଷ ସେ, ଆପଣା ମୁହଁରେ କାଳି ବୋଳି ମଧ୍ୟ ପ୍ରସନ୍ନ ରହିଛି ! ଆମେ ତ ନିଜର କାଳିମାକୁ ସାତ ପରଦାର ଅନ୍ତରାଳରେ ଲୁଚାଇ ରଖୁଛୁଁ ।

 

ନୟନା ପିଲାଟିକୁ ତାଙ୍କ କୋଳକୁ ଦେଉ ଦେଉ କହିଲା–ଆପଣ ତେବେ ଏ ମହାପୁରୁଷଟିକୁ ରଖନ୍ତୁ । ୟା ଦାଉରେ ମଣିଷ ଟିକିଏ ଶାନ୍ତିରେ ବସିବା ମୁସ୍କିଲ୍ ହେଲାଣି ।

 

ଶାନ୍ତିକୁମାର ପିଲାଟିକୁ ଛାତିରେ ଚାପି ଧରିଲେ । ସେହି ଉଷ୍ଣ ଓ ପୁଲକଜନକ ସ୍ପର୍ଶରେ ତାଙ୍କ ଆତ୍ମା ଯେଉଁ ପରିତୃପ୍ତି ଓ ମାଧୁର୍ଯ୍ୟ ଅନୁଭବ କଲା, ତାହା ତାଙ୍କ ଜୀବନରେ ସମ୍ପୂର୍ଣ୍ଣ ନୂତନ । ଅମରକାନ୍ତ ପ୍ରତି ତାଙ୍କର ଯେଉଁ ସ୍ନେହ–ମମତା ଥିଲା, ତାହା ସତେବା ଏହି କ୍ଷୁଦ୍ର ରୂପଟିରେ ସଂକୁଚିତ ହୋଇ ଆହୁରି କଠିନ ଓ ଭାରି ହୋଇଗଲା । ଅମରକୁ ସ୍ମରଣ କରି ତାଙ୍କ ଚକ୍ଷୁ ସଜଳ ହୋଇଗଲା । ସେ ନିଜକୁ କି ଅତୁଳ ଆନନ୍ଦରୁ ବଞ୍ଚିତ କରି ରଖିଛି ! ଏହା ଅନୁମାନ କରି ସେ ଯେପରି ଦ୍ରବିଗଲେ । ଆଜି ସେ ନିଜ ଜୀବନର ଏକ ଅଭାବର, ଏକ ରିକ୍ତତାର ଆଭାସ ପାଇଲେ-। ତାଙ୍କ ବିଚାରରେ ସେ ଯେଉଁ କାମନାଗୁଡ଼ିକୁ ସମ୍ପର୍ଣ୍ଣରୂପେ ଦମନ କରି ସାରିଥିଲେ, ତାହା ପାଉଁଶରେ ଲୁଚି ରହିଥିବା ନିଆଁ–ଝୋଲ ପରି ସଜୀବ ହୋଇ ଉଠିଲା ।

 

ଲଲ୍ଲୁ ତା’ ହାତରେ ଲାଗିଥିବା କାଳି ଶାନ୍ତିକୁମାରଙ୍କ ମୁହଁରେ ଲିପି ଦେଇ ତଳକୁ ଓହ୍ଲାଇବାକୁ ବସିଲା, ସେ ଯେପରି ଏଇଥିପାଇଁ ତାଙ୍କ କୋଳକୁ ଯାଇଥିଲା । ନୟନା ହସି କହିଲା–ନିଜ ମୁହଁକୁ ଟିକିଏ ଦେଖିଲେ, ଡାକ୍ତର ସାହେବ ! ଏ ମହାପୁରୁଷଟି ଆପଣଙ୍କ ସଙ୍ଗେ ହୋରି ଖେଳ କରିଛି । ବଡ଼ ବଦମାସ ।

 

ସୁଖଦା ହସ ଚପାଇ ପାରିଲା ନାହିଁ । ଦର୍ପଣରେ ନିଜ ମୁହଁକୁ ଦେଖି ଶାନ୍ତିକୁମାର ମଧ୍ୟ ଠୋ–ଠୋ ହୋଇ ହସିଉଠିଲେ । ସେହି କଳଙ୍କର ଟିକା ତାଙ୍କୁ ଗୌରବ–ତିଳକ ଅପେକ୍ଷା ଅଧିକ ଉଲ୍ଲାସଜନକ ବୋଧ ହେଲା ସେତେବେଳେ ।

 

ସହସା ସୁଖଦା ପଚାରିଲା–ଡାକ୍ତର ସାହେବ ! ଆପଣ ବିବାହ କଲେନି କାହିଁକି ?

 

ଶାନ୍ତିକୁମାର ସେବା ଓ ବ୍ରତର ଯେଉଁ ଆଧାର ଉପରେ ନିଜ ଜୀବନ ନିର୍ମାଣ କରୁଥିଲେ, ତାହା ତାଙ୍କର ଶଯ୍ୟାଶାୟୀ ଅବସ୍ଥାରେ କିଛି ତଳକୁ ଖସିଗଲା ପରି ଜଣାପଡ଼ୁଥିଲା । ଯାହାକୁ ସେ ଜୀବନର ମୌଳିକ ସତ୍ୟ ମନେ କରୁଥିଲେ, ତାହା ଆଉ ସେପରି ଦୃଢ଼ ନାହିଁ । ଏହି ଆପତ୍‌କାଳରେ ଏପରି ଅନେକ ଅବସର ଆସିଛି, ଯେତେବେଳେ କି ତାଙ୍କୁ ଜୀବନଟା ଭାରବତ୍ ଅନୁଭୂତ ହୋଇଛି । ଶୁଶ୍ରୂଷାକାରୀ ଅଭାବ ନଥିଲେ । ଆଠ ପ୍ରହରଯାକ ଦୁଇ–ଚାରି ଜଣ ଘେରି ରହୁଥିଲେ । ନଗରର ବଡ଼ବଡ଼ ନେତାମାନଙ୍କର ଯିବା–ଆସିବା ବରାବର ଲାଗିଥିଲା । ମାତ୍ର ଶାନ୍ତିକୁମାର ଅନୁଭବ କରୁଥାନ୍ତି, ସେ ଯେପରି ଅନ୍ୟମାନଙ୍କର ଦୟା ଓ ଶିଷ୍ଟାଚାର ଉପରେ ନିର୍ଭର କରି ରହିଛନ୍ତି । ସେହି ସେବାରେ ଆତ୍ମାକୁ ତୃପ୍ତି ଦେଲାଭଳି ମାଧୁର୍ଯ୍ୟ ନଥିଲା କି କୋମଳତା ନଥିଲା । କାହାରି ଦାନକୁ ଉପେକ୍ଷା କରିବାର ଅଧିକାର କ’ଣ ଭିକ୍ଷୁକର ଥାଏ ? ତାକୁ ଦାନସ୍ଵରୂପ ଯାହା ମିଳିଲେବି ତାକୁ ଗ୍ରହଣ କରିବାକୁ ହେବ । ଏହି ସମୟରେ ନିଜ ମା’ଙ୍କ କଥା ତାଙ୍କର ବହୁବାର ମନେ ପଡ଼ିଛି । ସେହି ସ୍ନେହ କି ଦୁର୍ଲ୍ଲଭ ! ନୟନା ଯେଉଁ କେତୋଟି ମୁହୂର୍ତ୍ତପାଇଁ ତାଙ୍କର ଅବସ୍ଥା ବୁଝିବାକୁ ଆସେ, ସେତେବେଳେ କେଜାଣି କାହିଁକି ସେ ଏକପ୍ରକାର ସ୍ଫୁର୍ତ୍ତି ଅନୁଭବ କରନ୍ତି-। ସେ ପାଖରେ ଥିବା ପର୍ଯ୍ୟନ୍ତ ତାଙ୍କର ବ୍ୟଥା କେଜାଣି କୁଆଡ଼େ ଉଭେଇ ଯାଏଁ । କିନ୍ତୁ ତା’ ଯିବା ପରେ ପରେ ପୁଣି ସେହି ଚିତ୍କାର, ସେହି ଅଧୀରତା ! ତାଙ୍କ ବିଚାରରେ ନୟନା ସ୍ଵର୍ଗର ଦେବୀ, ନିଶ୍ଚୟ ଦେବୀ–ତା’ରି ସରଳ ଅନୁରାଗହିଁ ତାଙ୍କୁ ମୃତ୍ୟୁମୁଖରୁ ଛଡ଼ାଇ ଆଣିଛି ।

 

ସୁଖଦାର ପ୍ରଶ୍ନ ଶୁଣି ସେ ହସି ହସି କହିଲେ–କାହିଁକି ନା କାହାରିକୁ ବିବାହ କରି ସୁଖୀ ହେବାର ଦେଖି ନାହିଁ ।

 

ସୁଖଦା ଭାବିଲା, ତା’ରି ଉପରେ ଏ ଆଘାତ କରାଗଲା । କହିଲା–ଆଉ ବରାବର ଦେଖିଥିବେ, ଦୋଷଟା ସ୍ତ୍ରୀମାନଙ୍କର, ନୁହେଁ କି ?

 

ଶାନ୍ତିକୁମାର ଯେପରି ନିଜ ମଥାକୁ ପଥର–ମାଡ଼ରୁ ବଞ୍ଚାଇଲେ–ମୁଁ ତ ତା’ କହି ନାହିଁ । ସମ୍ଭବତଃ ୟାର ବିପରୀତ ହୋଇଥିବ । ସମ୍ଭବ କାହିଁକି, ବରଂ ବିପରୀତ ।

 

“ଆଚ୍ଛା, ଆପଣ ଅନ୍ତତଃ ଏତିକି ତ ସ୍ଵୀକାର କଲେ, ଧନ୍ୟବାଦ ! ଏଥିରୁ ପ୍ରମାଣିତ ହେଲା ଯେ ପୁରୁଷ ଇଚ୍ଛା କଲେ ବିବାହ କରି ସୁଖୀ ହୋଇପାରେ ।”

 

“କିନ୍ତୁ ପୁରୁଷଠାରେ କିଛିଟା ପଶୁତା ରହିଥାଏ, ଯାହାକୁ ସେ ଇଚ୍ଛା କଲେ ମଧ୍ୟ ଦୂର କରିପାରେ ନାହିଁ । ସେହି ପଶୁତାହିଁ ତାକୁ ପୁରୁଷ କରିଥାଏ । ବିକାଶର ପରମ୍ପରା ଅନୁସାରେ ସେ ସ୍ତ୍ରୀଠାରୁ ପଛରେ ପଡ଼ିଥାଏ । ପୁରୁଷ ଯେଉଁଦିନ ପୂର୍ଣ୍ଣ ବିକଶିତାବସ୍ଥାରେ ପହଞ୍ଚିବ, ସେ ମଧ୍ୟ ସ୍ତ୍ରୀ ପାଲଟିଯିବ । ବାତ୍ସଲ୍ୟ, ସ୍ନେହ, କୋମଳତା, ଦୟା, ଏହିସବୁ ଉପରେ ସୃଷ୍ଟି ତିଷ୍ଠିଛି; ପୁଣି ଏଗୁଡ଼ିକ ହେଉଛି ସ୍ତ୍ରୀର ଗୁଣ । ସ୍ତ୍ରୀ ଯଦି ଏତିକି ବୁଝିପାରେ ତେବେ ଉଭୟଙ୍କ ଜୀବନ ସୁଖମୟ ହୋଇପାରିବ । ସ୍ତ୍ରୀ ଯଦି ପଶୁ ସହିତ ପଶୁ ହୋଇଯାଏ ତେବେ ଦମ୍ପତି ସୁଖୀ ହୁଏ ।”

 

ସୁଖଦା ଉପହାସ–ବ୍ୟଞ୍ଜକ ସ୍ଵରରେ କହିଲା–ଏଇତ ଆପଣ ବାସ୍ତବିକ ଗୋଟାଏ ଆବିଷ୍କାର କରି ପକାଇଲେ । ମୁଁ ତ ବରାବର ଶୁଣିଆସିଛି ଯେ ସ୍ତ୍ରୀ ମୂର୍ଖ, ତାଡ଼ନାଯୋଗ୍ୟ, ପୁରୁଷ ଗଳାର ବନ୍ଧନ, ଆହୁରି କେତେକଅଣ । ବାସ୍, ପୁରୁଷମାନଙ୍କର ଏ ଦିଗରୁ ଜିତାପଟ, ସେ ଦିଗରୁବି ଜିତାପଟ । ଯଦି ପୁରୁଷ ନ୍ୟୂନ, ତେବେ ତାକୁ ସ୍ତ୍ରୀର ଶାସନ ଅପ୍ରିୟ ଲାଗିବ କାହିଁକି ? ପରୀକ୍ଷା କରି ଦେଖାଯାଇଥାନ୍ତା; ଆପଣ ତ ଦୂରରୁ ଡରିଗଲେ !

 

ଶାନ୍ତିକୁମାର ଟିକିଏ ଲଜ୍ଜା ପ୍ରକାଶ କରି କହିଲେ–ବର୍ତ୍ତମାନ ଆଉ ଚାହିଁଲେ ବା ବୁଢ଼ାଙ୍କୁ ପଚାରେ କିଏ ?

 

“ଆଚ୍ଛା, ଆପଣ ବୁଢ଼ାବି ହୋଇଗଲେଣି ? ହେଲା ଏବେ, ଆପଣଙ୍କ ପରି ଜଣେ ବୁଢ଼ୀ ସହିତ ସମ୍ବନ୍ଧ କରି ନିଅନ୍ତୁ ।”

 

“ଯେତେବେଳେ ତୁମ ପରି ବୁଦ୍ଧିମତୀ ଓ ଅମର ପରି ଗମ୍ଭୀର ସ୍ତ୍ରୀ–ପୁରୁଷଙ୍କ ଭିତରେ ନ ପଡ଼ିଲା, ମୋର ପୁଣି କୌଣସି ପରୀକ୍ଷା କରିବା ତ ଦରକାର ନାହିଁ । ଅମର ପରି ମୋଠାରେ ବିନୟ ଆଉ ତ୍ୟାଗ ନାହିଁ ଏବଂ ତୁମ ପରି ଉଦାର ଓ… ।"

 

ସୁଖଦା କଥା କଟାଇଲା–ମୁଁ ବୁଦ୍ଧିମତୀ ନୁହେଁ କି ଉଦାର ନୁହେଁ । ତେବେ ପୁରୁଷ ପ୍ରତି ମୋର ଧର୍ମ କ’ଣ ଜାଣେ । ଆପଣ ମୋଠାରୁ ବଡ଼, ମୋଠାରୁ ବେଶି ବୁଦ୍ଧିମାନ୍ । ମୁଁ ଆପଣଙ୍କୁ ବଡ଼ଭାଇ ମନେ କରେ । ଆଜି ଆପଣଙ୍କର ସ୍ନେହ ସୌଜନ୍ୟ ମୋ ମନକୁ ଖୁବ୍‌ ଶାନ୍ତି ଦେଇଛି । ଲଜ୍ଜା ଭୁଲି ମୁଁ ଆପଣଙ୍କୁ ପଚାରୁଛି–ଯେଉଁ ପୁରୁଷ ସ୍ତ୍ରୀ ପ୍ରତି ନିଜର ଧର୍ମ ନ ବୁଝେ, ତା’ର ସ୍ତ୍ରୀଠାରୁ ବ୍ରତଚାରିଣୀ ହେବାର ଆଶା କରିବାର କି ଅଧିକାର ଅଛି ? ଆପଣ ସତ୍ୟବାଦୀ । ମୁଁ ଆପଣଙ୍କୁ ପଚାରୁଛି, ତାଙ୍କ ବ୍ୟବହାରର ପ୍ରତିଶୋଧ ଯଦି ସେହିପରି ବ୍ୟବହାରଦ୍ଵାରା ନିଏଁ, ଆପଣ ମୋତେ କ୍ଷମ୍ୟ ଭାବିବେ ତ ?

 

ଶାନ୍ତିକୁମାର ନିଃଶଙ୍କ ଭାବରେ ଉତ୍ତର ଦେଲେ–ନା ।

 

“ତାଙ୍କୁ ଆପଣ କ୍ଷମ୍ୟ ଭାବିଛନ୍ତି ?”

 

“ନା !”

 

“ତେବେ ଏହା ଜାଣି ମଧ୍ୟ ଆପଣ ତାଙ୍କୁ କିଛି କହିଲେନି ? କେବେ ଚିଠି ଖଣ୍ଡିଏବି ଲେଖିଲେ ନାହିଁ ? ମୁଁ ପଚାରୁଛି, ଆପଣଙ୍କର ଏହି ଉଦାସୀନତାର କାରଣ କ’ଣ ? କାରଣ ଏଥିରେ ଗୋଟାଏ ନାରୀର ଅପମାନ ହୋଇଛି, ନୁହେଁ କି ? ଯଦି ସେହି କୃତ୍ୟ ମୁଁ କରିଥାନ୍ତି, ତେବେ ଆପଣ ଏପରି ଉଦାସୀନ ରହି ପାରିଥାନ୍ତେ ? କୁହନ୍ତୁ ।”

 

ଶାନ୍ତିକୁମାର କାନ୍ଦି ପକାଇଲେ । ନାରୀ ହୃଦୟର ସଞ୍ଚିତ ବ୍ୟଥା ଆଜି ଏହି ଭୀଷଣ ବିଦ୍ରୋହ ରୂପରେ ପ୍ରକଟ ହୋଇ କି କରୁଣ ହୋଇ ଉଠିଛି !

 

ସୁଖଦା ସେହିପରି ଆବେଶରେ କହିଲା–କଥା ଅଛି, ପୁରୁଷର ପରିଚୟ ତା’ର ସଙ୍ଗତିରୁ ଜଣାପଡ଼େ । ଯାହାର ସଙ୍ଗତ ଆପଣ, ମହମ୍ମଦ ସଲୀମ୍ ଓ ସ୍ଵାମୀ ଆତ୍ମାନନ୍ଦଙ୍କ ପରି ମହାନୁଭବଙ୍କ ସହିତ ହୋଇଛି, ସେ ଲୋକର ନିଜର ଧର୍ମକୁ ଏପରି ଭୁଲିଯିବା ମୋ ଧାରଣାର ଅତୀତ । ମୁଁ କହୁ ନାହିଁ ଯେ ମୁଁ ନିର୍ଦ୍ଦୋଷ । କୌଣସି ସ୍ତ୍ରୀ ବା ପୁରୁଷ ଦୃଢ଼ଭାବରେ ଏହା କହିପାରିବ ନାହିଁ । ମୁଁ ସକୀନା ସଙ୍ଗେ ସାକ୍ଷାତ କରିଛି । ସମ୍ଭବ ମୋ’ଠାରେ ଯେଉଁ ଗୁଣ ନାହିଁ, ତାହା ତା’ଠାରେ ଅଛି । ସେ ଭାରି ମଧୁର, ତା’ର ସ୍ଵଭାବରେ କୋମଳତା ଅଛି; ହୋଇପାରେ, ସେ ଅଧିକ ପ୍ରେମବି କରିପାରୁଥିବ; କିନ୍ତୁ ସମସ୍ତ ସ୍ତ୍ରୀ–ପୁରୁଷ ଯଦି ଏହିପରି ତୁଳନା କରି ବସନ୍ତି, ତେବେ ସଂସାରର ଗତି କ’ଣ ହେବ ? ତା’ପରେ ସଂସାରରେ ଲହୁ ଓ ଲୁହର ନଦୀ ବ୍ୟତୀତ ଆଉ କିଛି ଦେଖିବାକୁ ମିଳିବ ନାହିଁ ।

 

ଶାନ୍ତିକୁମାର ପରାସ୍ତ ହୋଇ କହିଲେ–ମୁଁ ମୋର ଭୁଲ ମାନୁଛି, ସୁଖଦା ଦେବୀ ! ମୁଁ ତୁମକୁ ଚିହ୍ନି ନଥିଲି । ମୋର ଭୁଲ ଧାରଣା ରହିଥିଲା ଯେ ତୁମେହିଁ ଅନୁଶାସନହୀନା । ମୁଁ ଆଜି ଅମରକୁ ପତ୍ର..... ।

 

ସୁଖଦା ପୁଣି କଥା କଟାଇଲା–ନା, ମୁଁ ଆପଣଙ୍କୁ ଏପରି ପ୍ରେରଣା ଦେବାକୁ ଆସି ନାହିଁ କି ମୋ ତରଫରୁ ଆପଣ ତାଙ୍କୁ ଦୟା ଭିକ୍ଷା ମାଗନ୍ତୁ, ୟା’ବି ମୁଁ ଚାହେଁ ନାହିଁ । ସେ ଯେତେବେଳେ ମୋଠାରୁ ଦୂରେଇ ରହିବାକୁ ଚାହାନ୍ତି, ମୁଁ ବି ତାଙ୍କୁ ବାନ୍ଧି ରଖିବାକୁ ଚାହେଁନା । ପୁରୁଷ ଯେଉଁ ସ୍ୱାଧୀନତା ପାଇଛି, ତାହା ନେଇ ସେ ସୁଖରେ ରହୁ; ସେ ତା’ର ଦେହ–ମନ ଗଳି–ଗଳି ବୁଲି ବିକ୍ରି କରୁ । ମୁଁ ମୋ ବନ୍ଧନରେହିଁ ସନ୍ତୁଷ୍ଟ । ଆଉ ଈଶ୍ୱରଙ୍କଠାରେ ମୋର ଏହି ପ୍ରାର୍ଥନା ଯେ ସେ ମୋତେ ଏହି ବନ୍ଧନରେ ପକାଇ ରଖନ୍ତୁ । ହିଂସା ବା ଈର୍ଷାରେ ବିଚଳିତ ହେବା ପୂର୍ବରୁ ସେ ମୋତେ ଶେଷ କରି ଦିଅନ୍ତୁ । ଆପଣଙ୍କୁ ସାକ୍ଷାତ କରି ମୁଁ ଆଜି ଯେଉଁ ତୃପ୍ତି ଲାଭ କରିଛି, ତା’ର ପ୍ରମାଣ ହେଉଛି–ଯେଉଁ କଥା ମୁଁ ଏପର୍ଯ୍ୟନ୍ତ ମୋ ମା’କୁବି କହି ନାହିଁ, ତା’ ଆପଣଙ୍କ ପାଖେ କହିଦେଇଛି । ବୀବୀ ଆପଣଙ୍କ ବିଷୟରେ ଯେପରି କହୁଥିଲେ, ତା’ ଅପେକ୍ଷା ଅଧିକ ସଜ୍ଜନତା ମୁଁ ଆପଣଙ୍କଠାରେ ଦେଖିଲି । କିନ୍ତୁ ମୁଁ ଆପଣଙ୍କୁ ଏକାକୀ ରହିବାକୁ ଦେବି ନାହିଁ । ଈଶ୍ୱର ଶୀଘ୍ର ସେଦିନ ଆଣନ୍ତୁ, ମୁଁ ଏ ଘରେ ଭାଉଜଙ୍କୁ ଦର୍ଶନ କରେ ।

 

ରମଣୀ ଦୁହେଁ ସେଠାରୁ ଯିବାକୁ ବାହାରିଲେ । ଡାକ୍ତର ସାହେବ ବାଡ଼ି ଭରାଦେଇ ଫାଟକ ପର୍ଯ୍ୟନ୍ତ ସେମାନଙ୍କୁ ବଳାଇ ଦେବାକୁ ଆସିଲେ । ତା’ପରେ ଫେରିଯାଇ ବିଛଣାରେ ଶୋଇଲେ । ସେତେବେଳେ ସେ ଅନୁଭବ କଲେ, ତାଙ୍କର ଯୌବନ ଜାଗିଉଠିଛି । ସୁଖଦାର ବେଦନାଭରା କଥା ତାଙ୍କ କାନରେ ବାଜି ଉଠୁଥାଏ । ନୟନା ଲଲ୍ଲୁକୁ କୋଳରେ ଧରି ତାଙ୍କ ଆଗରେ ଠିଆ ହେଲା ପରି ଦିଶି ଯାଉଥାଏ ।

 

–୩୦–

 

ସେହି ଦିନ ରାତିରେ ଶାନ୍ତିକୁମାର ଅମର ପାଖକୁ ଚିଠି ଲେଖିଲେ । ଯେଉଁମାନଙ୍କୁ ସବୁ କାମ କରିବାକୁ ସମୟ ମିଳେ; କିନ୍ତୁ ଚିଠି ଲେଖିବାକୁ ସମୟ ମିଳେ ନାହିଁ, ସେ ଥିଲେ ସେଇମାନଙ୍କ ଭିତରୁ ଜଣେ । ଘନିଷ୍ଠତା ଯେତେ ବେଶି, ଉଦାସୀନତାବି ସେତିକି ବେଶି । ତାଙ୍କର ବନ୍ଧୁତା ଚିଠିଠାରୁ ଅତି ଗଭୀର । ଶାନ୍ତିକୁମାର ସଲୀମ୍‌ଠାରୁ ଅମର ବିଷୟରେ ସବୁ ଜାଣିବାକୁ ପାଉଥାନ୍ତି । ଚିଠି ଲେଖିବା ଦରକାର କ’ଣ ? ସକୀନା ପ୍ରତି ସେ ଆକୃଷ୍ଟ ହେଲା, ଏଥିପାଇଁ ସେ ସୁଖଦାକୁ ଦାୟୀ କରୁଥିଲେ; କିନ୍ତୁ ଆଜି ସୁଖଦାର ସାକ୍ଷାତ ପାଇ ସେ ଚିତ୍ରଟିର ଭିନ୍ନ ଦିଗ ଦେଖି ପାରିଛନ୍ତି ଓ ସୁଖଦାକୁ ସେହି ଦାୟିତ୍ଵରୁ ମୁକ୍ତ କରି ଦେଇଛନ୍ତି । ଯେଉଁ ଚିଠିଟି ଲେଖିଲେ ତାହା ଏତେ ଲମ୍ବା–ଚଉଡ଼ା ଯେ ସେହି ଗୋଟିକ ପତ୍ରରେ ସେ ବର୍ଷଯାକର କ୍ଷତିପୂରଣ କରିଦେଲେ । ଅମରକାନ୍ତର ଯିବା ପରେ ସହରରେ ଯାହା ଯାହା ଘଟୁଛି, ତା’ର ପୁର୍ଣ୍ଣାଙ୍ଗ ବିବରଣ ଦେଇଛନ୍ତି ଏବଂ ନିଜର ଭବିଷ୍ୟତ୍ ବିଷୟରେ ପରାମର୍ଶ ମଧ୍ୟ ଚାହିଁଛନ୍ତି । ସେ ପର୍ଯ୍ୟନ୍ତ ସେ ନିଜ ପଦରୁ ଇସ୍ତଫା ଦେଇ ନଥିଲେବି ସେହି ଆନ୍ଦୋଳନ ପରଠାରୁ ତାଙ୍କୁ ଆଉ ସେହି ପଦରେ ରହିବାକୁ ଭଲ ଲାଗୁ ନଥାଏ । ତାଙ୍କ ମନରେ ବାରମ୍ବାର ପ୍ରଶ୍ନ ଉଠୁଥାଏ ଯେ ଯଦି ତୁମେ ଗରିବଙ୍କର ଓକିଲ ହେଉଛ, ତେବେ ସରକାରରୁ ମାସିକ ପାଞ୍ଚଶହ ଟଙ୍କା ଅସୁଲ କରିବାକୁ କି ଅଧିକାର ତୁମର ଅଛି ? ତୁମେ ଯଦି ଗରିବଙ୍କ ପରି ଚଳି ନ ପାରୁଛ, ତେବେ ଗରିବଙ୍କ ପାଇଁ ଓକିଲାତି କରିବା ଛାଡ଼ିଦିଅ, ଅନ୍ୟମାନଙ୍କ ପରି ତୁମେବି ଖାଇ–ପିଇ ଆରାମରେ ରହିଥାଅ । କିନ୍ତୁ ଏହି ନିର୍ଦ୍ୱନ୍ଦ୍ୱତାକୁ ତାଙ୍କର ଆତ୍ମା ସ୍ଵୀକାର କରୁ ନଥାଏ । ପ୍ରଶ୍ନ ହେଲା, ଦିନ କାଟିବେ କିପରି–କୌଣସି ପଲ୍ଲୀ ଅଞ୍ଚଳରେ ଚାଷବାସ କରିବେ; ନା ଆଉ କ’ଣ ? ସେମିତି ତ କାମ ନ କଲେବି ଖାଇବାକୁ ମିଳିଯିବ; କାରଣ ସେବାଶ୍ରମକୁ ଯଥେଷ୍ଟ ଚାନ୍ଦା ମିଳିଲାଣି । ମାତ୍ର ଦାନ–ବୃତ୍ତିର କଳ୍ପନା ତାଙ୍କ ଆତ୍ମାଭିମାନକୁ ଆଘାତ ଦେଉଥାଏ ।

 

ପତ୍ର ଲେଖିବାର ଚାରିଦିନ ଚାଲିଗଲାଣି କିଛି ଉତ୍ତର ନାହିଁ । ବର୍ତ୍ତମାନ ଡାକ୍ତର ସାହେବଙ୍କ ମୁଣ୍ଡରେ ଗୋଟାଏ ବୋଝ ରହିଛି । ଦିନସାରା ଡାକବାଲାର ବାଟ ଚାହିଁ ରହୁଛନ୍ତି; ମାତ୍ର କିଛି ଖବର ନାହିଁ । କଥା କ’ଣ ? ଅମର ଅନ୍ୟ କୌଣସି ସ୍ଥାନକୁ ଚାଲିଗଲାଣି କି ? ସଲୀମ୍ ଭୁଲ ଠିକଣା ବତାଇ ନାହିଁ ତ ? ହରିଦ୍ଵାରରୁ ତିନି ଦିନ ଭିତରେ ଉତ୍ତର ଆସିବାର କଥା, ସେ ସ୍ଥଳରେ ଆଠ ଦିନ ହୋଇଗଲାଣି । ଶୀଘ୍ର ଉତ୍ତର ଦେବାକୁ ଖୁବ୍ ତାକିଦ୍ କରି ଲେଖିଥିଲେ । ଅସୁସ୍ଥ ହୋଇପଡ଼ି ନାହିଁ ତ ? ଆଉ ଖଣ୍ଡିଏ ପତ୍ର ଲେଖିବାକୁ ସାହସ ହେଉ ନାହିଁ । ପୂରା ଦଶ ପୃଷ୍ଠା, କିଏ ଲେଖିବ ? ସେ ପତ୍ରକୁ କିଛି ଏମିତି–ସେମିତି ପତ୍ର ନଥିଲା । ସହରର ବର୍ଷକର ଇତିହାସ । ଆଉ ସେପରି ପତ୍ର ଲେଖିହେବ ନାହିଁ; ପୂରା ତିନି ଘଣ୍ଟା ଲାଗିଥିଲା ଯେ । ଏଣେ ସଲୀମ୍ ମଧ୍ୟ ଆଠ ଦିନ ହେଲା ଆସୁ ନାହିଁ । ସେ ତ ଏବେ ଭିନ୍ନ ଗୋଟାଏ ଦୁନିଆରେ ଅଛି । ତାକୁ ଆଇ: ସି: ଏସ୍: ନିଶା ଧରିଛି । ଏଠିକି କାହିଁକି ବା ଆସିବ ? ଦେଖି ନ ଦେଖିଲା ପରି ବାହାନା କରୁଛି । ଈଶ୍ଵର ସ୍ଵାର୍ଥ ବୋଲି ଗୋଟାଏ କି ପଦାର୍ଥ ଯେ ସୃଷ୍ଟି କରି ଦେଇଛନ୍ତି ! ସେ ବି ଦିନେ ଚାକିରି ନାମ ଶୁଣିଲେ ଘୃଣା କରୁଥିଲା । ଯୁବସଭାର ମେମ୍ବର, କଂଗ୍ରେସରବି ମେମ୍ବର । ଯେଉଁଠି ଦେଖ, ହାଜର । ପୁଣି ମାମୁଲି ମେମ୍ବର ନୁହେଁ, ମୁଖ୍ୟ ଅଂଶ ନେବାବାଲା । ଏବେ ଆଇ: ସି: ଏସ୍: ଭଉଁରୀରେ ପଡ଼ୁଛି । ଟୋକା ପାସ୍ କଲେ ତ ହୁଏ–ସେଠି ଆଉ ଠକାଠକି ଚଳିବ ନାହିଁ ଯେ; କିନ୍ତୁ ନମିନେସନ୍‌ଟା ତ ନିଶ୍ଚୟ ହୋଇଯିବ । ହାଫିଜ୍‍ବାବୁ ପୂରା ଜୋର ଲଗାଇବେ । ଗୋଟାଏ ପରୀକ୍ଷାରେ ତ ପାସ୍ କରି ପାରୁ ନଥିଲା ଯେ କେଉଁଠୁଁ କାଗଜ ନେଇ ଆସିଲା, କେଉଁଠୁଁ କପି କରିଦେଲା, କେଉଁଠି ଲାଞ୍ଚ ଦେଲା, ପକ୍କା ବଦମାସଟା ଏ ପୁଣି ହେବ ଆଇ: ସି: ଏସ୍: !

 

ଅକସ୍ମାତ୍ ସଲୀମ୍‍ର କାର୍ ପହଞ୍ଚିଗଲା । ସଲୀମ୍‌ ଓହ୍ଲାଇପଡ଼ି ହାତ ମିଳାଉ ମିଲାଉ କହିଲା–ବର୍ତ୍ତମାନ ଆପଣ ତ ସୁସ୍ଥ ଜଣାଯାଉଛନ୍ତି, ବୁଲା–ଚଲାରେ ଅସୁବିଧା ହେଉ ନାହିଁ ତ ?

 

ଶାନ୍ତିକୁମାର ଅଭିଯୋଗ ସ୍ଵରରେ କହିଲେ–ମୋର ଅସୁବିଧା ହେଉଛି କି ନା, ତୁମେ କାହିଁକି ବୁଝିବ ? ମାସକ ପରେ ତୁମର ଦର୍ଶନ ମିଳୁଛି ? ମୁଁ ମଲି କି ଗଲି, ତୁମର ଚିନ୍ତା କ’ଣ ? ବିପଦରେ ସାହାଯ୍ୟ କରେ କିଏ ତୁମେ ତ କିଛି ନୂଆ କଥା କରି ନାହିଁ ।

 

“ନାଇଁ ସାର୍, ଆଜିକାଲି ପରୀକ୍ଷା ଝଞ୍ଜଟରେ ପଡ଼ିଛି । ମୋର ତ ତା’ ପ୍ରତି ଘୃଣା ଥାଏ, ଖୁଦା ଜାଣନ୍ତି, ଚାକିରି ନା ଧରିଲେ ମୋ ଆତ୍ମା ଥରିଉଠେ । କ’ଣ କରିବି, ବାପା ତ ଛାଡ଼ିବାର ଲୋକ ନୁହନ୍ତି । ଆପଣ ଅବଶ୍ୟ ଜାଣନ୍ତି, ଗୋଟାଏ ସରଳ ବାକ୍ୟବି ମୁଁ ଶୁଦ୍ଧଭାବରେ ଲେଖିପାରେ ନାହିଁ । କିନ୍ତୁ ଯୋଗ୍ୟତା ଦେଖୁଛି କିଏ ? ଏଠି ତ ଦେଖାଯାଉଛି ସାଟିଫିକେଟ୍ । ଅଫିସରଙ୍କ ମନ ଜାଣି ଯେ କାମ କରିପାରିଲା, ତା’ର ଯୋଗ୍ୟତା ହାସଲ କରିବାରେ କିଛି ଅସୁବିଧା ନାହିଁ । ମୁଁ ଆଜିକାଲି ଏଇ କଳା ଅଭ୍ୟାସ କରୁଛି ।”

 

ଶାନ୍ତିକୁମାର ହସି ହସି କହିଲେ–ଶୁଭମସ୍ତୁ; କିନ୍ତୁ ଆଇ: ସି: ଏସ୍: ପାଇବା ତ ଏଡ଼େ ସହଜ ନୁହେଁ ।

 

ସଲୀମ ଯାହା କହିଲା, ତା’ର ଭାବ ହେଉଛି–ଆପଣ ଏ ବିଷୟରେ ଜାଣନ୍ତି କ’ଣ ? ଜାଣନ୍ତୁ ଆଜ୍ଞା, ସଲୀମ୍ ଏ ବିଦ୍ୟାରେ–ଧୁରନ୍ଧର ? ବି.ଏ. ପର୍ଯ୍ୟନ୍ତ ତ ମୋର ଥିଲା ପିଲା–ଖେଳ । ଏଇ ଆଇ. ସି. ଏସ୍.ରେ ମୋ କୌଶଳର ପ୍ରକୃତ ପରୀକ୍ଷା ହେବ । ଗେଜେଟ୍‌ରେ ସବାତଳେ ମୋ ନାମ ନ ବାହାରିବ ତ ମୁଁ ମୁହଁ ଦେଖାଇବି ନାହିଁ । ହଁ, ଚାହିଁଲେ ସମସ୍ତଙ୍କ ଉପରେବି ମୋ ନାମ ରହିପାରେ; କିନ୍ତୁ ଲାଭଟା କ’ଣ ? ଟଙ୍କା ତ ସମସ୍ତଙ୍କୁ ସମାନ ମିଳିବ ।

 

ଶାନ୍ତିକୁମାର ପଚାରିଲେ–ତେବେ ତୁମେବି ଗରିବମାନଙ୍କ ରକ୍ତ ଶୋଷିବ ନା କ’ଣ ?

 

ସଲୀମ୍ ନିର୍ଲଜ୍ଜ ଭାବରେ କହିଲା–ଗରିବଙ୍କ ରକ୍ତରେ ତ ମୁଁ ବଢ଼ି ଆସିଛି, ଏବେ ଆଉ କ’ଣ କରିପାରିବ ? ଏଣେ ତ ପଢ଼ା ଆରମ୍ଭ ଦିନଠାରୁ ମୋଫତ୍‌ଖୋରୀ ଧାରଣା ମନରେ ବସା ବାନ୍ଧିଲା । କିନ୍ତୁ ଆପଣଙ୍କୁ ସତ କହୁଛି, ସାର୍, ମୋର ସେ ଦିଗକୁ ଇଚ୍ଛା ନାହିଁ । କିଛିଦିନ ଚାକିରି କରିବ । ପରେ ମୁଁ ବି ପଲ୍ଲୀ ଅଞ୍ଚଳକୁ ଯିବି । ଗୋରୁ ମଇଁଷି ପାଳିବ, ଫଳ–ଫୁଲ କିଛି ଚାଷ କରିବି, ଝାଳ–ବୁହା ଧନରେ ଚଳିବି । ସେତେବେଳେ ଜଣାଯିବ, ମୁଁ ବି ଗୋଟାଏ ମଣିଷ । ବର୍ତ୍ତମାନ ତ ପରର ଲହୁ ଶୋଷି ଓଡ଼ଶ ପରି ଜୀବନ କଟିବ; ମାତ୍ର ମୁଁ ଯେତେ ତଳକୁ ଗଲେବି ଗରିବଙ୍କ ପ୍ରତି ମୋର ସହାନୁଭୂତି ରହିଥିବି । ମୁଁ ଦେଖାଇ ଦେବି ଯେ ଅଫିସରୀ କରିବା ସଙ୍ଗେ ସଙ୍ଗେ ପବ୍ଲିକ୍‌ର ସେବା ମଧ୍ୟ କରିଯାଇପାରେ । ଆମେ ହେଉଛୁ ଖାନ୍‍ଦାନ୍ ଚାଷୀ । ବାପା ନିଜର କଳ କୌଶଳରେ ଏ ସମ୍ପତ୍ତି ଅର୍ଜିଛନ୍ତି । ପ୍ରଜାମାନଙ୍କ ପ୍ରତି ମୋର ଯେପରି ସ୍ନେହ–ମମତା, ସହାନୁଭୂତି ହେବ, ଖାନ୍‍ଦାନୀ ସାମନ୍ତମାନଙ୍କର ତାହା ହୋଇ ନ ପାରେ । ମୁଁ କେବେ ଯଦି ଆମ ଗ୍ରାମକୁ ଯାଏଁ, ମୋତେ ମାଲୁମ ହୁଏ, ଏ ଲୋକମାନେ ମୋର ଅତି ଆପଣାର । ସେମାନଙ୍କର ସରଳତା ଆଉ ଶ୍ରମ ଦେଖିଲେ ମନରେ ସେମାନଙ୍କ ପ୍ରତି ଗୋଟାଏ ଶ୍ରଦ୍ଧା ଆସେ । କେଜାଣି ଲୋକେ ସେମାନଙ୍କୁ ଗାଳି ଦିଅନ୍ତି କେମିତି, ସେମାନଙ୍କ ଉପରେ ଅତ୍ୟାଚାର କରନ୍ତୁ କେମିତି ! ମୋର କ୍ଷମତା ଥାନ୍ତା ତ ଏ ବଦମାସ ଅଫିସରଗୁଡ଼ାଙ୍କୁ କଳାପାଣି ପଠାଇଦିଅନ୍ତି ।

 

ଶାନ୍ତିକୁମାରଙ୍କୁ ଜଣାଗଲା, ଏ ଯୁବକର ରକ୍ତରେ ଏପର୍ଯ୍ୟନ୍ତ ଅଫିସରୀ ବିଷ ମିଶି ନାହିଁ-। ଏହାର ହୃଦୟ ଅଦ୍ୟାପି ସୁସ୍ଥ ଅଛି । କହିଲେ–ପ୍ରଜାମାନଙ୍କ ହାତକୁ ଶାସନ ନ ଯିବା ପର୍ଯ୍ୟନ୍ତ ଅଫିସରମାନଙ୍କର ଏପରି ଅବସ୍ଥା ରହିଥିବ । ତୁମ ମୁହଁରୁ ଏପରି ମତ ଶୁଣି ମୁଁ ଆନନ୍ଦିତ-। ମୁଁ ତ ଜଣେ ହେଲେ ଭଲଲୋକ ଆଖିରେ ପକାଇବାକୁ ପାଉ ନାହିଁ । ଗରିବର ଶବ ଉପରେ ଗୃଧ୍ର ପରି ପଡ଼ି ସମସ୍ତେ ତା’ର ମାଂସକୁ ପୁଳା ପୁଳା କରି ଟାଣୁଛନ୍ତି; କିନ୍ତୁ ଚାରା କ’ଣ ? ଏତିକି ଭାବି ମନକୁ, ସାନ୍ତ୍ଵନା ଦେବାକୁ ପଡ଼ୁଛି ଯେ, ଭଗବାନ ଚାହିଁଲେ ଆମେହିଁ ସେହିପରି ପଦାର୍ଥ ହୋଇଯିବା-। ଏହି ହା–ହାକାରକୁ ଶାନ୍ତ କରିବାକୁ ଯାଇ ଦୁଇ ଚାରି କଳସୀ ପାଣି ଢାଳିଦେଲେ ତ ନିଆଁଟା ଆହୁରି ବଢ଼ିଉଠିବ । ବିପ୍ଳବ ଆବଶ୍ୟକ, ବ୍ୟାପକ ବିପ୍ଳବ । ଅତଏବ ଯେଉଁ ନିଆଁ ଜଳୁଛି ମନଇଚ୍ଛା ଜଳୁ, ସବୁ ସଫା ହୋଇଯାଉ । ଯେତେବେଳେ ଜଳିବାକୁ କିଛି ନ ରହିବ, ନିଆଁ ସେତେବେଳେ ଆପେଆପେ ଲିଭିଯିବ । ସେ ପର୍ଯ୍ୟନ୍ତ ଆମେବି ହାତ ସେକୁଥିବୁ । ଅମରର ଖବର କିଛି ମିଳିଛି-? ମୁଁ ଖଣ୍ଡିଏ ପତ୍ର ଲେଖିଥିଲି ଯେ କିଛି ଉତ୍ତର ଆସିଲା ନାହିଁ ।

 

ସଲୀମ୍ ଚମକିଲା ପରି ପକେଟ୍‌ରେ ହାତ ପୂରାଇ ଖଣ୍ଡିଏ ଚିଠି ଖୋଲୁ ଖୋଲୁ କହିଲା–ଲା ହୌଲ ବିଲା କୁବତ୍ (ଈଶ୍ଵର ସର୍ବଶକ୍ତିମାନ) ! ଏ ଚିଠି କଥା ମୋର ଆଦୌ ମନେ ନଥିଲା–ଚାରି ଦିନ ହେଲା ଆସିଲାଣି । ପକେଟରେ ସେମିତି ପଡ଼ିଛି । ରୋଜ ଭାବୁଛି, ପୁଣି ଭୁଲିଯାଉଛି ।

 

ଶାନ୍ତିକୁମାର ସତ୍ତ୍ୱର ହାତ ବଢ଼ାଇ ଚିଠିଟି ନେଲେ ଓ ମଧୁର କ୍ରୋଧରେ ଦୁଇ–ଚାରି କଥା କହି ପଢ଼ିବାକୁ ଲାଗିଲେ–

 

“ଭାଇ ସାହେବ, ମୁଁ ଜିଇଛି ଆଉ ଆମର ମିସନ୍ ଯଥାଶକ୍ତି ଚଳାଇଛି । ସେଠାର ସମ୍ବାଦ ନୟନା ଚିଠିରୁ କିଛି କିଛି ପାଇଥିଲି; କିନ୍ତୁ ଆପଣଙ୍କ ଚିଠି ପଢ଼ି ମୁଁ ତ ସ୍ତମ୍ଭୀଭୂତ ହୋଇଗଲି-। ଏଇ ଅଳ୍ପ କେତୋଟି ଦିନରେ ତ ସେଠାରେ ଏକପ୍ରକାର କ୍ରାନ୍ତି ଆରମ୍ଭ ହୋଇ ଯାଇଛି-। ଏପରି ଜାଗରଣର ଶ୍ରେୟ ମୁଁ ତ ଆପଣଙ୍କୁ ଦେଉଛି । ଆଉ ସୁଖଦା ବର୍ତ୍ତମାନ ମୋର ପୂଜନୀୟା-। ମୁଁ ତାକୁ ବୁଝିବାରେ ଯେ କି ଭୁଲ କରିଛି ତାହା ମନେପଡ଼ିଲେ ମୁଁ ବିକଳ ହୋଇ ଉଠୁଛି-। ମୁଁ ତାକୁ ଭାବିଥିଲି କ’ଣ, ଆଉ ସେ ହେଲା କ’ଣ ? ମୁଁ ମୋର ସମଗ୍ର ଦର୍ଶନ ଏବଂ ବିବେକ ଓ ଉତ୍ସର୍ଗ ବଳରେ ଯାହା କରି ନ ପାରିଲି, ତାହା ସେ କ୍ଷଣକ ମଧ୍ୟରେ କରି ଦେଖାଇ ଦେଲା । ମୋର ମସ୍ତକ କେତେବେଳେ ଗର୍ବରେ ଉନ୍ନତ ହୋଇ ଉଠୁଛିତ କେବେ ଲଜ୍ଜାରେ ଅବନତ ହୋଇ ଯାଉଛି-। ନିଜର ନିକଟତମ ପ୍ରାଣୀମାନଙ୍କ ବିଷୟରେ ଆମେ କେଡ଼େ ଅଜ୍ଞ, ଏହି କଥା ଭାବି ମୁଁ କାନ୍ଦିଉଠୁଛି-। କେତେ ବଡ଼ ଅଜ୍ଞତା ! ମୁଁ କ’ଣ ସ୍ଵପ୍ନରେ ସୁଦ୍ଧା ବିଭାଥିଲି ଯେ, ବିଳାସିନୀ ସୁଖଦାର ହୃଦୟ ଏପରି ତ୍ୟାଗମୟ ହୋଇପାରିବ ? ମୋର ଅଜ୍ଞାନତା ମୋତେ ସଂସାରରୁ ସାରିଦେଲା । ମନହୁଏ, ଯାଇ ସୁଖଦାକୁ ମୋର ଅପରାଧ ପାଇଁ କ୍ଷମା ମାଗିବାକୁ; କିନ୍ତୁ ଯିବି କେଉଁ ମୁହଁରେ ? ମୋ ସମ୍ମୁଖରେ ଅନ୍ଧକାର, ଅଭେଦ୍ୟ ଅନ୍ଧକାର । ମୋତେ କିଛି ଦିଶୁ ନାହିଁ-। ମୋର ସମୁଦାୟ ଆତ୍ମବିଶ୍ଵାସ ନଷ୍ଟ ହୋଇ ଯାଇଛି । ମୋତେ ଜଣାଯାଉଛି, ଯେପରି କୌଣସି ଅଜ୍ଞାତ ଶକ୍ତି ମୋତେ ଖେଳାଇ ଖେଳାଇ ଶେଷରେ ଦଳି ଦେବାକୁ ଚାହୁଁଛି । ମୁଁ ମାଛ ପରି କଣ୍ଟାରେ ଲାଖିଯାଇଛି, କଣ୍ଟା ମୋ କଣ୍ଠରେ ଫୁଟିଯାଇଛି । ଗୋଟାଏ ହାତ ମୋତେ ଟାଣି ଟାଣି ନେଇଯାଉଛି । ବେଳେବେଳେ ଡୋର କୋହଳ ହୋଇଗଲେ ମୁଁ ପଳାଇବାକୁ ଚେଷ୍ଟା କରୁଛି-। ଏବେ ବୁଝୁଛି, ମଣିଷ ବିଧାତା ହାତର ଖେଳନା । ତେଣୁ ତା’ର ନିର୍ଦ୍ଦୟ କ୍ରୀଡ଼ାପାଇଁ ଆଉ ଆପତ୍ତି କରିବି ନାହିଁ । କେଉଁଠି ଅଛି, ଜାଣେନା; କୁଆଡ଼େ ଯାଉଛି, କିଛି ଜାଣେନା । ମୋ ଜୀବନର ଆଉ ଭବିଷ୍ୟତ ନାହିଁ, ଭବିଷ୍ୟତ ଉପରେ ବିଶ୍ୱାସ ନାହିଁ । ମୋର କାମନା, କଳ୍ପନା ସବୁ ମିଥ୍ୟା ପ୍ରମାଣିତ ହେଲା । ମୁଁ ସତ କହୁଛି, ସୁଖଦା ମୋତେ ନଚାଉଛି । ମୁଁ ସେହି ମାୟାବିନୀ ହାତର କାଠ ପିତୁଳା ହୋଇଛି । ପ୍ରଥମେ ଗୋଟିଏ ରୂପ ଦେଖାଇ ମୋତେ ଭୀତତ୍ରସ୍ତ କରିଥିଲା, ଏବେ ଆଉ ଗୋଟାଏ ରୂପ ଧରି ମୋତେ ପରାସ୍ତ କରୁଛି-। କେଉଁଟା ତା’ର ବାସ୍ତବସ୍ଵରୂପ, ଜାଣିପାରୁ ନାହିଁ । ସକୀନାର ଯେଉଁ ରୂପ ଦେଖିଥିଲି, ତାହା ତା’ର ପ୍ରକୃତ ରୂପ ଥିଲା ବୋଲି କହିପାରୁ ନାହିଁ । ମୁଁ ନିଜ ବିଷୟରେବି କିଛି ଜାଣେ ନାହିଁ । ଆଜି କ’ଣ ଅଛି, କାଲି କ’ଣ ହେବି, କିଛି ଜାଣେନା, ଅତୀତଟା ଦୁଃଖମୟ, ଭବିଷ୍ୟତଟା ସ୍ଵପ୍ନ । ମୋ ଆଗରେ ଅଛି କେବଳ ବର୍ତ୍ତମାନ ।

 

ଆପଣ ନିଜ ବିଷୟରେ ମୋଠାରୁ ଯେଉଁ ପରାମର୍ଶ ଚାହିଁଛନ୍ତି, ତା’ର କି ଉତ୍ତର ମୁଁ ଦେବି ? ଆପଣ ମୋ ଅପେକ୍ଷା ଯଥେଷ୍ଟ ବୁଦ୍ଧିମାନ୍ । ମୋ ମତରେ ସେବାବ୍ରତୀମାନଙ୍କର ଜାତିଠାରୁ ନିଜର ଚଳିବା ଖର୍ଚ୍ଚ–କେବଳ ଜୀବିକା ଚଳାଇବା ଖର୍ଚ୍ଚ ନେବାର ଅଧିକାର ଅଛି । ଯଦି ଏ ସ୍ଵାର୍ଥକୁ ମଧ୍ୟ କେହି ତ୍ୟାଗ କରିପାରେ, ସେ ତ ଆହୁରି ଉତ୍ତମ ।’’

 

ଶାନ୍ତିକୁମାର ଅସନ୍ତୋଷରେ ଚିଠିଟିକୁ ଟେବୁଲ ଉପରେ ପକାଇ ଦେଲେ । ସେ ଯେଉଁ ବିଷୟ ଉପରେ ବିଶେଷ ଗୁରୁତ୍ଵ ଦେଇ ମତ ଲୋଡ଼ିଥିଲେ, ତାକୁ ମାତ୍ର ଦୁଇ ପଦରେ ଉଡ଼ାଇ ଦେଲା !

 

ସହସା ସଲୀମ୍‍କୁ ପଚାରିଲେ–ତୁମ ପାଖକୁ କିଛି ଚିଠିପତ୍ର ଦେଇଛି ?

 

“ହଁ ଆଜ୍ଞା, ତା’ରି ସଙ୍ଗେ ଆସିଥିଲା ।”

 

“ମୋ ବିଷୟରେ କିଛି ଲେଖିଥିଲା ?”

 

“ସେମିତି ତ କିଛି ନଥିଲା, କେବଳ ଲେଖିଥିଲା–ଦେଶପାଇଁ ଗୁଡ଼ିଏ ପ୍ରକୃତ ମିସନାରୀ ଦରକାର । ଏଇମିତି କେତେକଅଣ, ଖୁଦା ଜାଣନ୍ତି । ମୁଁ ଚିଠିଟାକୁ ଶେଷ ପର୍ଯ୍ୟନ୍ତବି ପଢ଼ି ନାହିଁ । ଏପରି କଥାଗୁଡ଼ାକୁ ମୁଁ ପାଗଳାମୀ ବୋଲି ମନେ କରେ । ମିସନାରୀ ହେବା ମାନେ ମୁଁ ବୁଝେ, ଜୀବନଯାକ ଅନ୍ୟର ଦାନ ଉପରେ ନିର୍ଭର କରି ଚଳିବା ।’’

 

ଡାକ୍ତର ସାହେବ ଗମ୍ଭୀର ସ୍ଵରରେ କହିଲେ–ଡକାୟତି କରି ଜୀବନ ଚଳାଇବା ଅପେକ୍ଷା ଅନ୍ୟର ଦାନ ଉପରେ ନିର୍ଭର କରି ଚଳିବା ଭଲ । ଗଭର୍ଣ୍ଣମେଣ୍ଟଟା ତ ସେମିତି ପ୍ରୟୋଜନୀୟ ନୁହେଁ । ଶିକ୍ଷିତ ଲୋକେ ଗରିବମାନଙ୍କୁ ଦବାଇ ରଖିବାପାଇଁ ଗୋଟାଏ ସଂଗଠନ କରିଛନ୍ତି, ତା’ର ନାମ ହେଲା ଗଭର୍ଣ୍ଣମେଣ୍ଟ । ଧନୀ–ଗରିବର ଭେଦ ତୁଟାଇ ଦିଅ, ଦେଖିବ, ଗଭର୍ଣ୍ଣମେଣ୍ଟବି ଲୋପ ପାଇଯିବ ।

 

“ଆପଣ ଖିଆଳୀ କଥା କହୁଛନ୍ତି ସାର୍ ! ଦୁନିଆରେ ଯେତେବେଳେ ଦେବତାମାନେ ଜନ୍ମ ନେବେ, ସେତେବେଳେ ଅବା ଗଭର୍ଣ୍ଣମେଣ୍ଟ ଦରକାର ହେବ ନାହିଁ ।”

 

“ଆଇଡ଼ିଆଲ (ଆଦର୍ଶ)କୁ ସର୍ବଦା ଆଖି ଆଗରେ ରଖିବା ଉଚିତ ।’’

 

“କିନ୍ତୁ ଶିକ୍ଷା ବିଭାଗ ତ ଅତ୍ୟାଚାରୀ ବିଭାଗ ନୁହେଁ । ତା'ପରେ ଆପଣ ଯେ ନିଜ ଆୟର ଅଧିକାଂଶ ସେବାଶ୍ରମ ପାଇଁ ଖର୍ଚ୍ଚ କରନ୍ତି । ତେଣୁ ଆପଣଙ୍କର ଚାକିରି ଛାଡ଼ି ସନ୍ନ୍ୟାସୀ ହେବାର କୌଣସି କାରଣ ତ ଦେଖିବାକୁ ମିଳୁ ନାହିଁ ।”

 

ଏ ଯୁକ୍ତି ଡାକ୍ତର ସାହେବଙ୍କ ମନକୁ ପାଇଲା । ତାଙ୍କୁ ମନ ବୁଝାଇବା ପାଇଁ ଗୋଟାଏ ଉପାୟ ମିଳିଗଲା । ନିଶ୍ଚୟ, ଶିକ୍ଷା–ବିଭାଗର ଶାସନ ସହିତ ସମ୍ପର୍କ କ’ଣ ? ଗଭର୍ଣ୍ଣମେଣ୍ଟ, ଯେତିକି ଭଲ ହେବ, ତା’ର ଶିକ୍ଷା କାର୍ଯ୍ୟ ସେତିକି ବ୍ୟାପକ ହେବ । ସେତେବେଳେ ଏ ସେବାଶ୍ରମର ବା କି ଆବଶ୍ୟକତା ଥିବ ! ସଂଗଠିତରୂପେ ସେବା–ଧର୍ମ ପାଳନ କରି ଶିକ୍ଷାବିସ୍ତାର କରିବା କୌଣସି ଅବସ୍ଥାରେ ଆପତ୍ତିଜନକ ହୋଇ ନ ପାରେ । ମାସ–ମାସ ଧରି ଯେଉଁ ପ୍ରଶ୍ନ ଡାକ୍ତର ସାହେବଙ୍କୁ ବିଚଳିତ କରୁଥିଲା, ଆଉ ତା’ର ସମାଧାନ ହୋଇଗଲା ।

 

ସଲୀମ୍‍କୁ ବିଦାୟ ଦେଇ ସେ ଲାଲା ସମରକାନ୍ତଙ୍କ ଘରକୁ ଚାଲିଲେ । ସୁଖଦାକୁ ଅମରର ପତ୍ର ଦେଖାଇ ପ୍ରସନ୍ନ କରିବା ତାଙ୍କର ଉଦ୍ଦେଶ୍ୟ । ସେ ସେହିକ୍ଷଣି ଯେଉଁ ସମସ୍ୟାର ସମାଧାନ କରି ଦେଇଥିଲେ, ସେ ବିଷୟରେ ପୁଣି କେତେକ ସନ୍ଦେହ ଜନ୍ମଛି । ସେ ସବୁ ସନ୍ଦେହକୁ ଶାନ୍ତ କରିବା ମଧ୍ୟ ଆବଶ୍ୟକ । ତାଙ୍କର ସାକ୍ଷାତ ପାଇ ସମରକାନ୍ତ ସେପରି ଆନ୍ତରିକତା ପ୍ରକାଶ କଲେ ନାହିଁ । ଖବର ପାଇବାମାତ୍ରେ ସୁଖଦା, ତାଙ୍କୁ ଡକାଇ ନେଲା । ରେଣୁକା ବାଈ ମଧ୍ୟ ଆସିଥାନ୍ତି ।

 

ଶାନ୍ତିକୁମାର ପହଞ୍ଚିବାମାତ୍ରେ ଅମରକାନ୍ତର ପତ୍ରଟି ଖୋଲି ସୁଖଦା ଆଗରେ ରଖିଦେଲେ । କହିଲେ–ସଲୀମ୍‍ଟା ଚାରି ଦିନ ହେଲା ପକେଟରେ ପକାଇ ବୁଲୁଛି, ମୁଁ ଏଣେ ବ୍ୟସ୍ତ ହୋଇ ଭାବୁଛି–କ’ଣ ହେଲା ଆଉ !

 

ସୁଖଦା ପତ୍ରଟି ଉପରେ ଗୋଟାଏ ଉଡ଼ନ୍ତା ଦୃଷ୍ଟି ବୁଲାଇ କହିଲା–ମୁଁ ଭଲା ୟାକୁ ନେଇ କରିବି କ'ଣ ?

 

ଶାନ୍ତିକୁମାର ବିସ୍ମିତ ହୋଇ କହିଲେ–ତାକୁ ଥରଟାଏ ପଢ଼ି ନିଅନ୍ତୁନା ଆଗ । ଏହାଦ୍ଵାରା ଆପଣଙ୍କ ମନର ବହୁତ ସନ୍ଦେହ ଦୂର ହୋଇ ପାରିବ ।

 

ସୁଖଦା ରୁକ୍ଷତାପୂର୍ବକ ଉତ୍ତର ଦେଲା–ମୋ ମନରେ ତ କାହାରିପାଇଁ କୌଣସି ସନ୍ଦେହ ନାହିଁ । ଏଥିରେ ଯାହାସବୁ ଲେଖା ହୋଇଥିବ, ମୁଁ ଜାଣିପାରୁଛି । ମୋର ଖୁବ୍ ପ୍ରଶଂସା କରାଯାଇଥିବ । ମୋର ତ ପ୍ରଶଂସା ଦରକାର ନାହିଁ । କାହାରି ମନରେ କ୍ରୋଧ ଆସିଲା ପରି ମୋର ସେତେବେଳେ ଗୋଟାଏ ଆବେଶ ଆସିଥିଲା । ତା’ବି କ୍ରୋଧ ନୁହେଁ ଆଉ କ’ଣ ? କ୍ରୋଧକୁ କେହି କ’ଣ ପ୍ରଶଂସା କରେ ?

 

“ଏଥିରେ ଖାଲି ଆପଣଙ୍କ ପ୍ରଶଂସା ଅଛି ବୋଲି ଜାଣିଲେ କେମିତି ?”

 

“ହୋଇପାରେ, ଖେଦ ପ୍ରକାଶବି କରିଥିବେ ।”

 

“ତେବେ ଆପଣ ପୁଣି ଚାହାନ୍ତି କ'ଣ ?”

 

“ଆପଣ ଯଦି ଏତିକି ବୁଝି ନ ପାରୁଥାନ୍ତି, ତେବେ ମୋର କହିବା ମୂଲ୍ୟହୀନ ।”

 

ଏପର୍ଯ୍ୟନ୍ତ ରେଣୁକା ବାଈ ନୀରବରେ ବସିଥିଲେ । ସୁଖଦାର ସଂକୋଚ ଦେଖି କହିଲେ–ଆଜିଯାକେ ସେ ଯେତେବେଳେ ଘରକୁ ନ ଫେରିଲେ, ତାଙ୍କର ମନୋଭବ ବଦଳିଛି ବୋଲି କିପରି ଜାଣିବ ? ସୁଖଦା ତାଙ୍କର ସ୍ତ୍ରୀ ନ ହୋଇଥିଲେବି ସେ ତ ପ୍ରଶଂସା କରିଥାନ୍ତେ ! ଲାଭ କ’ଣ ହେଲା, ସ୍ଵାମୀ–ସ୍ତ୍ରୀ ଯେବେ ସୁଖରେ ରହିବେ, ତେବେ ଯାଇ ଜଣାପଡ଼ିବ ଯେ ତାଙ୍କର ପ୍ରେମ ଅଛି । ପ୍ରେମ କଥା ଛାଡ଼ନ୍ତୁ, ତା’ ତ ଖୁବ୍ କମ୍ ଲୋକଙ୍କ ହୃଦୟରେ ଥାଏ । ଧର୍ମରକ୍ଷା କରିବାକୁ ତ ହେବ । ସ୍ଵାମୀ ହଜାର କୋଶ ଦୂରରେ ଥାଇ ସ୍ତ୍ରୀକୁ ପ୍ରଶଂସା କରିବ, ସ୍ତ୍ରୀ ହଜାର କୋଶରୁ ସ୍ଵାମୀର ପ୍ରଶଂସା କରିବ, ଏଥିରେ କ’ଣ ଅଛି ?

 

ସୁଖଦା ବିରକ୍ତରେ କହିଲା–ତୁ ଖାଲି ଅଯଥା କଥା କହୁ କାହିଁକି, କହିଲୁ ମା’ ! ମନର ମଣିଷ ମିଳିଲେ ସିନା ଜୀବନ ସୁଖୀ ହୁଏ । ମୋଠୁଁ ଭଲ ଆଉ ଜଣେ ତାଙ୍କୁ ମିଳିଯାଇଛି, ତା’ ବିଚ୍ଛେଦରେ ସେ ତ ତନ୍ମୟ । ମୋତେ ତାଙ୍କଠୁଁ ଭଲ ଆଉ କେହି ମିଳି ନାହିଁ କି ଏ ଜୀବନରେ ମିଳିବ ନାହିଁ; ଏ ମୋର ଦୁର୍ଭାଗ୍ୟ । ଏଥିରେ କାହାର କିଛି ଦୋଷ ନାହିଁ ।

 

ରେଣୁକା ଡାକ୍ତର ସାହେବଙ୍କ ଆଡ଼କୁ ଚାହିଁ କହିଲେ–ଶୁଣିଲେ ତ ବାବୁ ? ଏ ମୋତେ ନିତି ଏମିତି ଜଳାଉଛି । କେତେଥର କହିଲିଣି କି ଚାଲ, ଆମେ ଦୁହେଁ ଯାଇ ତାକୁ ଧରି ନେଇ ଆସିବା । ଦେଖିବା କେମିତି ନ ଆସିବ ! ଯୁବା–ବୟସରେ ସମସ୍ତେ ଅଳ୍ପ–ବହୁତ ନିର୍ବୋଧତା ଦେଖାଇଥାନ୍ତି । ହେଲେ ଏ ନିଜେ ମୋ ସଙ୍ଗେ ଯାଉନାହିଁ କି ମୋତେ ଏକୁଟିଆ ଯିବାକୁ ଦେଉ ନାହିଁ । ବାବା, ଏପରି ଦିନ ନାହିଁ, ଯେଉଁଦିନ ବିନା କାନ୍ଦଣାରେ ତୁଣ୍ଡକୁ ଅନ୍ନ ଯାଉଛି । ତୁମେ, ବାବା, ଟିକିଏ ଚାଲିଯାଉ ନାହଁ ? ତୁମେ ତା’ର ଗୁରୁ, ତୁମକୁ ସେ ମାନେ । ତୁମ କଥା କାଟିପାରନ୍ତା ନାହିଁ ।

 

ସୁଖଦା ହସି ହସି କହିଲା–ତୋ କଥାରେ ତ ସେ ଆଜିରେ ଚାଲିଯିବେ ! ସେ ତ ଆହୁରି ଖୁସି ହେଉଥିବେ ଯେ ତାଙ୍କ ଶିଷ୍ୟମାନଙ୍କ ଭିତରୁ ଏପରି ଜଣେ ବାହାରିଲା ଯେ କି ତାଙ୍କର ଆଦର୍ଶ ପାଳନ କରୁଛି । ଏମାନେ ତ ବିବାହକୁ ସମାଜର କଳଙ୍କ ବୋଲି ଭାବନ୍ତି । ଏମାନଙ୍କ ପନ୍ଥାରେ ପ୍ରଥମ କଥା ହେଲା–ବିବାହ କରିବା ଅନୁଚିତ । ଆଉ ଯଦି କାହାରି ମନ ନ ମାନେ, ତେବେ ଗୋଟିଏ କାହାକୁ ରଖିନେବେ । ୟାଙ୍କର ଆଉ ଗୋଟିଏ ଶିଷ୍ୟ ସଲୀମ୍ ମିଆଁ । ଆମ ବାବୁ ତ କେଜାଣି କାହା ବାଧ୍ୟରେ ପଡ଼ି ବିବାହ କରି ପକାଇଲେ ଯେ ଏବେ ତା’ରି ପ୍ରାୟଶ୍ଚିତ୍ତ କରୁଛନ୍ତି ।

 

ଶାନ୍ତିକୁମାର ଲଜ୍ଜିତ ହୋଇ କହିଲେ–ଆପଣ ମିଛରେ ମୋତେ ଦୋଷ ଦେଉଛନ୍ତି, ସୁଖଦା ଦେବୀ ! ଅବଶ୍ୟ ମୁଁ ନିଜେ ନିଃସଙ୍ଗ ଜୀବନ ଯାପନ କରିବାର ନିଷ୍ପତ୍ତି ନେଇଛି । କାରଣ ମୂଳରୁ ମୋ ସମ୍ମୁଖରେ ଥିଲା ସେବାର ଆଦର୍ଶ ।

 

ସୁଖଦା ପଚାରିଲା–ବିବାହିତ ଜୀବନରେ କ’ଣ ସେବା–ଧର୍ମ ପାଳନ କରିବା ଅସମ୍ଭବ । ସ୍ତ୍ରୀ ଜାତି କ’ଣ ଏତେ ସ୍ଵାର୍ଥାନ୍ଧ ଯେ ଆପଣଙ୍କ କାର୍ଯ୍ୟରେ ବାଧା ନ ଦେଇ ରହିପାରିବ ନାହିଁ ? ଗୃହସ୍ଥ ଯେତେ ସେବା କରିପାରିବ, ଏକାନ୍ତଜୀବୀ କଦାପି ସେତିକି ସେବା କରିପାରିବ ନାହିଁ । କାରଣ ସେ ଜୀବନର କଷଣ ଅନୁଭବ କରି ପାରି ନଥାଏ ।

 

ଶାନ୍ତିକୁମାର ସେହି ବିବାଦରୁ ରକ୍ଷା ପାଇବାର ଚେଷ୍ଟା କରି କହିଲେ–ଏହା ତ ତର୍କର ବିଷୟ ସୁଖଦା ଦେବୀ ! ଏହାର ମୀମାଂସା ନାହିଁ । ମୁଁ ଆପଣଙ୍କଠାରୁ ଗୋଟିଏ ବିଷୟରେ ପରାମର୍ଶ ନେବି । ଆପଣଙ୍କ ମା’ ମଧ୍ୟ ଏଠି ଅଛନ୍ତି, ଏ ତ ଆହୁରି ଶୁଭ । ମୁଁ ଭାବୁଛି, ଚାକିରିରୁ ଇସ୍ତଫା ଦେଇ ସେବାଶ୍ରମର କାମ ନ କରିବି କାହିଁକି ?

 

ସୁଖଦାର କହିବା ଢଙ୍ଗରୁ ଜଣାଗଲା, ଏହା ଯେପରି ଗୋଟାଏ ପ୍ରଶ୍ନର ବିଷୟ ନୁହେଁ–ଯଦି ଆପଣ ଭାବୁଥାନ୍ତି ଯେ କାହାରି ଆଗରେ ହାତ ନ ପାତି ନିଜକୁ ଚଳାଇ ନେଇ ପାରିବେ, ତେବେ ଇସ୍ତଫା ଦେଇ ଦିଅନ୍ତୁ । ସାଧାରଣତଃ କର୍ମୀର ଭାର ସଂସ୍ଥା ବହନ କରିଥାଏ; କିନ୍ତୁ ତା’ ଅପେକ୍ଷା ବରଂ ଭଲ ହୁଏ ଯଦି କର୍ମୀର ସେବାରେ ସ୍ଵାର୍ଥ ନଥାଏ ।

 

ଶାନ୍ତିକୁମାର ଯେଉଁ ତର୍କରୁ ନିଜ ମନକୁ ଶାନ୍ତ କରିଥିଲେ, ତାହା ଏଠାରେ ପୁଣି ଜାଗିଉଠିଲା । ପୁଣି ସେହି ଜଞ୍ଜାଳରେ ପଡ଼ିଲେ ।

 

ସହସା ରେଣୁକା ବାଈ କହିଲେ–ଆପଣଙ୍କ ଆଶ୍ରମର କିଛି ପାଣ୍ଠି ଅଛି ?

 

ଆଶ୍ରମର ସେ ପର୍ଯ୍ୟନ୍ତ କୌଣସି ପାଣ୍ଠି ନଥିଲା । ସେତେ ଅଧିକ ଚାନ୍ଦା ମିଳୁ ନଥିଲା, ଯେଉଁଥିରୁ କିଛି ସଞ୍ଚୟ କରାଯାଇପାରିଥାନ୍ତା । ଶାନ୍ତିକୁମାର ଏହି ଅଭାବକୁ ନିଜର ଗୋଟାଏ ଲାଞ୍ଛନ ମନେ କରି କହିଲେ–ନାହିଁ, ଏପର୍ଯ୍ୟନ୍ତ ତ ପାଣ୍ଠି ସଞ୍ଚିତ ହୋଇପାରି ନାହିଁ; କିନ୍ତୁ ମୁଁ ଯଦି ୟୁନିଭର୍‍ସିଟିରୁ ଛୁଟି ପାଇଯାନ୍ତି, ତେବେ ଏ ବିଷୟରେ ଉଦ୍ୟମ କରନ୍ତି ।

 

ରେଣୁକା ପଚାରିଲେ–ଆଚ୍ଛା, କେତେ ଟଙ୍କା ହେଲେ ଆପଣଙ୍କ ଆଶ୍ରମ ଚଳିପାରିବ ?

 

ଶାନ୍ତିକୁମାର ଆଶାର ସ୍ଫୁର୍ତ୍ତି ଅନୁଭବ କରି କହିଲେ–ଆଶ୍ରମ ତ ଗୋଟାଏ ୟୁନିଭର୍‍ସିଟିବି ହୋଇପାରେ । ମୋତେ ତିନି–ଚାରି ଲକ୍ଷ ଟଙ୍କା ମିଳିଗଲେ ମୁଁ ଯେତିକି କାମ କରିପାରିବି, ୟୁନିଭର୍‍ସିଟିରେ କୋଡ଼ିଏ ଲକ୍ଷ ଟଙ୍କାରେବି ସେତିକି କାମ ହୋଇପାରିବ ନାହିଁ ।

 

ରେଣୁକା ହସି ହସି କହିଲେ–ଯଦି ଆପଣ ଗୋଟାଏ ଟ୍ରଷ୍ଟ୍‍ ଚଢ଼ି ପାରନ୍ତେ, ତେବେ ମୁଁ ଆପଣଙ୍କୁ କିଛି ସାହାଯ୍ୟ ଦେଇ ପାରନ୍ତି । କଥା ହେଉଛି, ଏପର୍ଯ୍ୟନ୍ତ ଯେଉଁ ସମ୍ପତ୍ତି ସଞ୍ଚିଆସିଲି, ତାକୁ ଭୋଗ କରିବାକୁ କେହି ନାହିଁ । ଅମରର ହାଲ୍‌ ତ ଦେଖିଲେ । ସୁଖଦାବି, ସେଇ ରାସ୍ତା ଧରିଲାଣି । ତେଣୁ ମୁଁ ବି ଚାହୁଁଛି, ମୋପାଇଁ ଗୋଟାଏ ରାସ୍ତା ବାହାର କରିବାକୁ । ମୋ ଚଳିବାପାଇଁ ଆପଣ ମୋତେ ମାସିକ ଶହେଟି ଟଙ୍କା ଦେଇ ଦେଉଥିବେ । ମୋ ପାଳିତ ଜୀବ–ଜନ୍ତୁଙ୍କ ଖାଇବା ଖର୍ଚ୍ଚ, ଟ୍ରଷ୍ଟ୍‍ ବହନ କରିବ ।

 

ଶାନ୍ତିକୁମାର ଡରି ଡରି କହିଲେ–ଯଦି ଅମର ଓ ସୁଖଦା ହସି ହସି ମୋତେ ଅନୁମତି ଦିଅନ୍ତି, ତେବେ ସିନା ମୁଁ ଆପଣଙ୍କ ଆଦେଶ ପାଳନ କରିପାରିବି । ପୁଣି ପିଲାଟାରବି ଦାବି ଅଛି ତ-?

 

ସୁଖଦା କହିଲା–ମୋର ଦରକାର ନାହିଁ । ପିଲାର ଗୋସବାପାଙ୍କ ସମ୍ପତ୍ତି‌ କ’ଣ କମ୍ କି-? ମୁଁ ଆଉ କାହା କଥା କହିପାରିବି ନାହିଁ ।

 

ରେଣୁକା କ୍ଷୁଣ୍ଣ ହୋଇ କହିଲେ–ଅମରର ଯଦି ଧନ–ଲାଳସା ଥାଏ, ତେବେ ତା’ ଅନ୍ୟମାନଙ୍କ ତୁଳନାରେ ଖୁବ୍ କମ୍ । ସମ୍ପତ୍ତି ତ ଦୀପ ନୁହେଁ ଯେ ସେଥିରୁ ଆଲୁଅ ବାହାରୁଥିବ । ଯା’ର ଦରକାର ନାହିଁ, ତା’ ବେକରେ କାହିଁକି ବାନ୍ଧିବି ମିଛରେ । ଧନର ଭାର କିଛି କମ୍ ନୁହେଁ । ମୁଁ ତ ନିଜେ ସମ୍ଭାଳି ପାରୁ ନାହିଁ; ବରଂ କୌଣସି ସତ୍‌କାର୍ଯ୍ୟରେ ଲାଗିଯିବା ଭଲ । ଲାଲା ସମରକାନ୍ତ ପରାମର୍ଶ ଦେଉଛନ୍ତି ଦିଅଁ–ଦେବତାଙ୍କ ମନ୍ଦିର ତୋଳାଇବାକୁ, ହେଲେ ମୋର ସିଆଡ଼କୁ ମନ ନାହିଁ-। ଏମିତି ତ ମନ୍ଦିର ଏତେ ହେଲାଣି ଯେ ପୂଜା କରିବାକୁ ଲୋକ ମିଳୁ ନାହାନ୍ତି । ଶିକ୍ଷାଦାନ ହେଉଛି ମହାଦାନ, ତା’ ପୁଣି ସମାଜ ଯେଉଁମାନଙ୍କୁ ଚିରକାଳ ପାଖେ ନ ପୂରାଏ ସେହିମାନଙ୍କୁ-। ଏଇ କେତେଦିନ ହେଲା ମୁଁ ଭାବୁଛି, ଆପଣଙ୍କ ସଙ୍ଗେ ସାକ୍ଷାତ କରିଥାନ୍ତି । ଆହୁରି ଦୁଇ–ଚାରି ମାସ ତ ଏଇ ଦ୍ଵନ୍ଦ୍ୱରେ ପଡ଼ିଥାନ୍ତି; କିନ୍ତୁ ଆପଣ ଆସିବା ଫଳରେ ମୋର ଦ୍ଵିଧା ଦୂର ହୋଇଗଲା-। ଧନ ଦେବାବାଲା କ’ଣ ଅଭାବ ଅଛନ୍ତି ? ନେଲାବାଲା ଅଭାବ । ଲୋକ ଚାହେଁ ସୁପାତ୍ର ହାତରେ ଦାନ ଦେବାକୁ, ଯେ କି ଦାତାର ଇଚ୍ଛା ଅନୁସାରେ ଖର୍ଚ୍ଚ କରିବ–ମୋଫତ୍ ଧନ ବୋଲି ଅବ୍ୟାଜରେ ଉଡ଼େଇବ ନାହିଁ । କେତେକ ତ ଦାତାର ମନରଖିବାକୁ କିଛି ଖର୍ଚ୍ଚ କରି ଦେଇ ଅବଶିଷ୍ଟ ନାନା ବାହାନାରେ ଆତ୍ମସାତ୍ କରି ଦେଉଛନ୍ତି ।

 

କହୁ କହୁ ସେ ଶାନ୍ତିକୁମାରଙ୍କୁ ହସି ହସି ପଚାରିଲେ–ଆପଣ ମୋତେ ଠକାମିରେ ପକେଇବେ ନାହିଁ ତ ?

 

ହସି ହସି ପଚାରିଲେ ମଧ୍ୟ ଏ ପ୍ରଶ୍ନରେ ଶାନ୍ତିକୁମାର ସନ୍ତୁଷ୍ଟ ହେଲେ ନାହିଁ–ମୋର ନିୟତ କ’ଣ ହେବ, ତା’ ମୁଁ ନିଜେ ଜାଣେନା । ଆପଣ ମୋ ଉପରେ ଏତେଦୂର ବିଶ୍ଵାସ କରିବାର କିଛି କାରଣ ମଧ୍ୟ ନାହିଁ ।

 

ସୁଖଦା କଥା ଚଳାଇଲା–ସେ କଥା ନୁହେଁ ସେ ଡାକ୍ତର ସାହେବ, ମା’ ଥଟ୍ଟା କରୁଛନ୍ତି ।

 

“ମହୁରେ ମିଶିଲେବି ବିଷ ତା’ କାମ କରିଥାଏ ।”

 

“ଏଥିରେ ତ ଖରାପ ଭାବିବାର କିଛି ନାହିଁ ?”

 

“ମୁଁ ତ ଖରାପ ଭାବୁନାହିଁ । ପ୍ରଥମେ ପାଞ୍ଚ–ଦଶବର୍ଷ ମୋତେ ପରୀକ୍ଷା କରି ଦେଖାଯାଉ । ବର୍ତ୍ତମାନ ମୁଁ ଏତେଟା ବିଶ୍ଵାସ ଯୋଗ୍ୟ ହୋଇ ନାହିଁ ।”

 

ରେଣୁକା ଦେବୀ ପରାଜୟ ସ୍ଵୀକାର କଲେ–ଆଚ୍ଛା, ସାହେବ ! ମୁଁ ମୋର ପ୍ରଶ୍ନ ପ୍ରତ୍ୟାହାର କଲି । ଆପଣ କାଲି ଆମ ଘରକୁ ଯିବେ, ମୁଁ କାର୍ ପଠାଇ ଦେବି । ପ୍ରଥମେ ଟ୍ରଷ୍ଟ୍ ଗଢ଼ିବାକୁ ହେବ । ମୋର ଆଉ କିଛି ପଚାରିବାକୁ ନାହିଁ । ଆପଣଙ୍କ ଉପରେ ମୋର ପୂର୍ଣ୍ଣ ବିଶ୍ଵାସ ।

 

ଡାକ୍ତର ସାହେବ ଧନ୍ୟବାଦ ଦେଇ କହିଲେ–ମୁଁ ଆପଣଙ୍କ ବିଶ୍ୱାସ ଅତୁଟ ରଖିବାକୁ ଚେଷ୍ଟା କରିବି ।

 

ରେଣୁକା–ମୁଁ ଚାହେଁ, ଅତି ଶୀଘ୍ର ଏ କାମଟା ସାରିଦେବି । ତା’ପରେ ନୟନାଙ୍କ ବିଭାଘର ପାଖେଇ ଆସିବ । ସେତେବେଳକୁ ମୋତେ କେତେ ମାସଯାଏ ଫୁରୁସତ୍ ମିଳିବନି ।

 

ଶାନ୍ତିକୁମାର ଶିହରି ଉଠି କହିଲେ–ଆଚ୍ଛା, ନୟନା ଦେବୀଙ୍କର ବିବାହ ହେଉଛି ତେବେ-? ଏ ତ ବଡ଼ ଶୁଭଖବର । ମୁଁ କାଲି ଆପଣଙ୍କ ସଙ୍ଗେ ସାକ୍ଷାତ କରି ସମସ୍ତ ବିଷୟ ସ୍ଥିର କରିନେବି, ନିଶ୍ଚୟ । ଅମରକୁବି ଜଣାଇଦିଏଁ ?

 

“ଦରକାର ନାହିଁ, ଦରକାର ନାହିଁ”–ସୁଖଦା କଠୋର ସ୍ଵରରେ କହିଲା ।

 

“ନାଇଁ–ନାଇଁ, ଆପଣ ତାଙ୍କୁ ଜଣାଇ ଦିଅନ୍ତୁ, କାଳେ ଆସିଯିବେ । ମୁଁ ତ ଭାବୁଛି ନିଶ୍ଚୟ ଆସିବେ;” ରେଣୁକା କହିଲେ ।

 

ଏଣେ ଡାକ୍ତର ସାହେବ ବାହାରି ଗଲାବେଳକୁ ନୟନା ପିଲାଟିକୁ ନେଇ ମୋଟରରୁ ଓହ୍ଲାଉଥାଏ ।

 

ଆହତ କଣ୍ଠରେ ଡା: ଶାନ୍ତିକୁମାର କହିଲେ–ତୁମେ ଏବେ ଚାଲିଯିବ, ନୟନା ?

 

ନୟନା ମଥା ନୁଆଁଇଲା; ମାତ୍ର ତା’ର ଆଖି ସଜଳ ।

 

–୩୧–

 

ଛ’ମାସ ବିତିଯାଇଛି ।

 

ସେବାଶ୍ରମର ଟ୍ରଷ୍ଟ୍ ଗଢ଼ା ହୋଇଯାଇଛି । କେବଳ ଆଶ୍ରମର ମୁଖ୍ୟ କାର୍ଯ୍ୟକର୍ତ୍ତା ଓ ପ୍ରବଳ ସମଷ୍ଟିବାଦୀ ସ୍ଵାମୀ ଆତ୍ମାନନ୍ଦ ଏ ବ୍ୟବସ୍ଥାରେ ଅସନ୍ତୁଷ୍ଟ ହୋଇ ଇସ୍ତଫା ଦେଇ ଦେଇଛନ୍ତି । ଆଶ୍ରମରେ ଧନୀ ଲୋକଙ୍କୁ ପୂରାଇବାକୁ ସେ ଚାହୁଁ ନଥିଲେ । ଟ୍ରଷ୍ଟ୍ ଗଢ଼ିବାରେ ସେ ପ୍ରବଳ ବାଧା ଦେଲେ । ତାଙ୍କର ମତ ହେଲା, ଧନ ପାଖରେ ଆଶ୍ରମର ଆତ୍ମାକୁ ବିକ୍ରୟ କରିଦେବା ଆଶ୍ରମ ପକ୍ଷରେ ଅନିଷ୍ଟକର ହେବ । ଧନର ପ୍ରଭୃତ୍ୱ ଯୋଗୁଁହିଁ ହିନ୍ଦୁ ସମାଜ ନୀଚ ଲୋକଙ୍କୁ ଗୋଲାମ କରି ରଖିଛି । ଧନ ଯୋଗୁଁ ତ ଉଚ୍ଚ–ନୀଚ ଭେଦର ସୃଷ୍ଟି । ସେହି ଧନ ନିକଟରେ ଆଶ୍ରମର ସ୍ଵାଧୀନତା ବିକ୍ରୟ କରାଯିବ କାହିଁକି ? କିନ୍ତୁ ସ୍ଵାମୀଜୀଙ୍କ କଥା ରହିଲା ନାହିଁ, ଟ୍ରଷ୍ଟ୍ ଗଠନ ହୋଇଗଲା । ଏହାର ଶୁଭାରମ୍ଭ କଲେ ସୁଖଦା–ସଭା ହେଲା, ଭୋଜି ହେଲା, ଗୀତବାଦ୍ୟ ହେଲା । ପରଦିନ ଡାକ୍ତର ଶାନ୍ତିକୁମାର ନିଜ ପଦରୁ ଇସ୍ତଫା ଦେଇଦେଲେ ।

 

ସଲୀମ୍‌ର ପରୀକ୍ଷା ମଧ୍ୟ ସରିଯାଇଛି । ଆଉ ସେ ଯେଉଁ ଭବିଷ୍ୟବାଣୀ ଶୁଣାଇଥିଲା, ତା’ ମଧ୍ୟ ଅକ୍ଷରେ ଅକ୍ଷରେ ସତ୍ୟ ହୋଇଛି । ଗେଜେଟ୍‌ରେ ତା’ର ନାମଟି ସର୍ବନିମ୍ନରେ ପ୍ରକାଶ ପାଇଛି । ଶାନ୍ତିକୁମାରଙ୍କ ବିସ୍ମୟର ସୀମା ନାହିଁ । ଏଣିକି ବିଧାନ ଅନୁଯାୟୀ ତାକୁ ଦୁଇବର୍ଷ ପାଇଁ ଇଂଲଣ୍ଡ ଯିବାକୁ ହେବ; ମାତ୍ର ସଲୀମ୍ ଚାହେଁ ଇଂଲଣ୍ଡ ନ ଯିବାକୁ । ଦୁଇ–ଚାରି ମାସ ଦେଶ–ପର୍ଯ୍ୟଟନ କରିବାକୁ ତ ସେ ଆଗ୍ରହରେ ଯାଇଥାନ୍ତା; ମାତ୍ର ଦୁଇବର୍ଷକାଳ ସେଆଡ଼େ ପଡ଼ିରହିବାକୁ ସେ ରାଜି ନୁହେଁ । ତାକୁ ସରକାର ଚାକିରି ନ ମିଳିବା କଥା; ମାତ୍ର ଏ କ୍ଷେତ୍ରରେ ମଧ୍ୟ ସେ ଏପରି ଧାଁ–ଦଉଡ଼ କଲା, ଏପରି ଏକ ଚାଲାକି ଖେଳିଲା ଯେ ତାକୁ ଏହି ନିୟମରୁ ରିଆତି ଦିଆଗଲା । ପ୍ରଦେଶର ସର୍ବଶ୍ରେଷ୍ଠ ଡାକ୍ତର ଯେତେବେଳେ କହୁଛନ୍ତି ଯେ ଇଂଲଣ୍ଡର ଶୀତଳ ବାୟୁରେ ଦୁଇବର୍ଷ ରହିବା ଏ ଯୁବକ ପକ୍ଷେ ଅନିଷ୍ଟକର ହେବ, ସେତେବେଳେ ଏତେ ବଡ଼ ଦାୟିତ୍ଵ ନେଉଛି ବା କିଏ-? ହାଫିଜ୍‌ ହଲୀମ୍ ପୁଅକୁ ପଠାଇବାକୁ ପ୍ରସ୍ତୁତ, ଟଙ୍କା ଖର୍ଚ୍ଚ କରିବାକୁ ପ୍ରସ୍ତୁତ; ମାତ୍ର ପୁଅର ସ୍ଵାସ୍ଥ୍ୟ ନଷ୍ଟ ହେଲେ ସେ କାହା ମୁଣ୍ଡ ଧରିବେ ? ଶେଷକୁ ଏଥିରେ ମଧ୍ୟ ସଲୀମ୍ ବିଜୟୀ ହୋଇଛି-। ତା’ର ବନ୍ଧୁ ଅମରକାନ୍ତ ପୂର୍ବରୁ ରହିଥିବା ଅଞ୍ଚଳର ଚାର୍ଜ ମଧ୍ୟ ତାକୁ ମିଳିଛି । ସେ ନିଜେ ସେହି ଜିଲାକୁ ପସନ୍ଦ କରିଛି ।

 

ଏବେ ସଲୀମ୍‌ର ଜୀବନରେ ଗୋଟିଏ ପରିବର୍ତ୍ତନ ଆସିଛି । ସେ ତ ସ୍ଵଭାବତଃ କୌତୁକପ୍ରିୟ; ମାତ୍ର ସେପରି ବିଳାସୀ ଓ ରସିକତା ନାହିଁ । କବିତା ପ୍ରତି ମଧ୍ୟ ଆଉ ସେପରି ଆଗ୍ରହ ନାହିଁ । ବିବାହ ପ୍ରତି ତା’ର ଯେ ପୁରାତନ ଅରୁଚି ଥିଲା, ତାହା ଏବେ ଅପସରି ଯାଇଛି । ହଠାତ୍ ଏ ପରିବର୍ତ୍ତନ କାହିଁକି ଆସିଲା, ତାହା ଆମକୁ ଅଜଣା, କିନ୍ତୁ ସେ କେତେବାର ସକୀନା ଘରକୁ ଗଲାଣି ଏବଂ ଉଭୟଙ୍କ ମଧ୍ୟରେ ଗୋପନରେ ପତ୍ର–ବ୍ୟବହାରବି ଚାଲିଛି । ଅମରର ଉଦାସୀନତା ଆସିବା ପରେ ମଧ୍ୟ ସକୀନା ତା’ର ଅତୀତର ପ୍ରେମକୁ ନିଷ୍ଠାର ସହିତ ପୋଷଣ କରୁଛି ଓ ଏହି ଅନୁରାଗ ସଲୀମ୍‍କୁ ପରାସ୍ତ କରି ଦେଇଛି । ସେ ନିଜର ଜୀବନକୁ ଏହି ଜ୍ୟୋତିଦ୍ଵାରା ଆଲୋକିତ କରିବାକୁ ବିକଳ ହେଉଛି । ନିଜ ମାମୁଠାରୁ ସକୀନାର ସେହି ଅପାର ପ୍ରେମ–ବୃତ୍ତାନ୍ତ ଶୁଣି ଶୁଣି ସେ ବେଳେବେଳେ କାନ୍ଦିପକାଏ । ବିବିଧ ନୂତନ ନୂତନ ପୁଷ୍ପର ରସ ଗ୍ରହଣରେ ଅଭ୍ୟସ୍ତ ତା’ର କବି–ହୃଦୟ ଏବେ ସଂଯତ ଅନୁରାଗରେ ପରିପୂର୍ଣ୍ଣ ହୋଇ ତା’ ଜୀବନରେ ଏକ ବିରାଟ ସାଧନାର ସୂତ୍ରପାତ କରୁଛି ।

 

ନୟନାର ବିବାହ ମଧ୍ୟ ସରିସାଇଛି । ଲାଲା ଧନୀରାମ ନଗରର ସର୍ବଶ୍ରେଷ୍ଠ ଧନୀ । ତାଙ୍କର ଜ୍ୟେଷ୍ଠପୁତ୍ର ଲାଲା ମନୀରାମ ଉଦୀୟମାନ ନବଯୁବକ । ସମରକାନ୍ତଙ୍କର ବିଶ୍ୱାସ ଥିଲା–ସେଠାରେ ସମ୍ବନ୍ଧ ହୋଇପାରିବ ନାହିଁ । କାରଣ ଧନୀରାମ ପୂର୍ବୋକ୍ତ ମନ୍ଦିର ସମ୍ବନ୍ଧୀୟ ଘଟଣାଠାରୁ ତାଙ୍କ ପରିବାରକୁ ହେୟ ମନେ କରୁଥିଲେ; କିନ୍ତୁ ସମରକାନ୍ତଙ୍କ ଥଳୀଗୁଡ଼ିକର ପରିଶେଷରେ ବିଜୟ ହୋଇଛି ମହାଆଡ଼ମ୍ବର ଓ ଆମୋଦ–ପ୍ରମୋଦରେ ବିବାହ ଉତ୍ସବ ସମ୍ପନ୍ନ ହୋଇଯାଇଛି । ବହୁଦୂରରୁ ବନ୍ଧୁବାନ୍ଧବମାନେ ଆସିଲେ; ମାତ୍ର ଅମରକାନ୍ତ ଆସିଲା ନାହିଁ କି ସମରକାନ୍ତ ତାକୁ ଡାକିଲେ ନାହିଁ । ଧନୀରାମ କହିଦେଲେ, ଅମରକାନ୍ତ ବିବାହ ଉତ୍ସବରେ ଯୋଗଦିଏ ତ ବରଯାତ୍ରୀ ଦଳ ଦୁଆରୁ ଫେରିଆସିବେ । ଏ ସମାଚାର ଅମରକାନ୍ତକୁ ମଧ୍ୟ ଅଜଣା ରହିଲା ନାହିଁ । ଏଥିରେ ନୟନା ପ୍ରସନ୍ନ ହେଲା ନାହିଁ କି ବିଷଣ୍ଣ ହେଲା ନାହିଁ । ସେ କିଛି ହେଲେ କହିପାରିଲା ନାହିଁ । ପିତାଙ୍କର ଇଚ୍ଛାବିରୁଦ୍ଧ ସେ କ’ଣ କହିପାରନ୍ତା ! ସେ ମନୀରାମଙ୍କ ବିଷୟରେ ନାନା କଥା ଶୁଣିବାକୁ ପାଇଥିଲା–ମଦୁଆ, ଲମ୍ପଟ, ମୂର୍ଖ, ଉଦ୍ଧତ; ମାତ୍ର ପିତାଙ୍କ ଇଚ୍ଛା ଆଗରେ ମୁଣ୍ଡ ନୁଆଁଇବା ଥିଲା ତା’ର କର୍ତ୍ତବ୍ୟ । ଯଦି ସମରକାନ୍ତ ତାକୁ କୌଣସି ଦେବତାଙ୍କ ବଳିବେଦୀରେ ଉତ୍ସର୍ଗ କରି ଦେଇଥାନ୍ତେ, ତଥାପି ସେ ମୁହଁ ଖୋଲି ନଥାନ୍ତା । କେବଳ ବିଦାୟବେଳରେ ସେ କାନ୍ଦିଲା, ପରନ୍ତୁ ତାହା ମଧ୍ୟ ସାବଧାନରେ, ଯେପରି କି ପିତାଙ୍କ ମନରେ ଦୁଃଖ ନହୁଏ । ସମରକାନ୍ତଙ୍କ ଦୃଷ୍ଟିରେ ଧନ ଥିଲା ସର୍ବାଧିକ ମୂଲ୍ୟବାନ ବସ୍ତୁ । ଜୀବନ ବିଷୟରେ ନୟନାର କି ଅନୁଭୂତି ବା ଥିଲା ? ଏପରି ମହତ୍ଵପୂର୍ଣ୍ଣ ବିଷୟରେ ପିତାଙ୍କର ନିଷ୍ପତ୍ତିହିଁ ତା’ ପକ୍ଷରେ ଗ୍ରହଣୀୟ ଥିଲା । ତା’ର ଚିତ୍ତ ସଶଙ୍କ ଥିଲା; ମାତ୍ର ସେ ଯାହାକୁ ନିଜର କର୍ତ୍ତବ୍ୟ ବୋଲି ବିଚାରିଥିଲା, ତାହା ପାଳନ କରିବାରେ ଜୀବନ ଦେବାକୁ ମଧ୍ୟ ସେ ପ୍ରସ୍ତୁତ ।

 

ଏଣେ ସୁଖଦା ଓ ଶାନ୍ତିକୁମାରଙ୍କର ସହଯୋଗ ଦିନକୁଦିନ ଘନିଷ୍ଠ ହେବାରେ ଲାଗିଛି । ଧନର ତ ଅଭାବ ନାହିଁ, ପ୍ରତି ସାହିରେ ସେବାଶ୍ରମର ଶାଖାମାନ ଖୋଲୁଛି ଏବଂ ନିଶା ନିବାରଣ କାର୍ଯ୍ୟ ମଧ୍ୟ ପ୍ରବଳ ଭାବରେ ଚାଲିଛି । ବର୍ତ୍ତମାନ ସୁଖଦା ଜୀବନରେ ଏକ କଠୋର ତପସ୍ୟାର ସଞ୍ଚାର ହେଉଛି । ସକାଳେ ଓ ସନ୍ଧ୍ୟାରେ ସେ ବ୍ୟାୟାମ କରୁଛି, ଆହାରରେ ସ୍ଵାଦ ଅପେକ୍ଷା ପୋଷକତା ଉପରେ ଅଧିକ ଧ୍ୟାନ ଦେଉଛି । ତା’ର ଜୀବନଚର୍ଯ୍ୟାର ପ୍ରଧାନ ଅଙ୍ଗ ହେଉଛି ସଂଯମ ଓ ନିଗ୍ରହ । ଉପନ୍ୟାସ ଅପେକ୍ଷା ଇତହାସ ଓ ଦର୍ଶନ ପ୍ରତି ତା’ର ଆଗ୍ରହ ବଢ଼ିଛି । ତା’ର ବକ୍ତୃତ୍ଵ ଶକ୍ତି ଏପରି ବୃଦ୍ଧି ପାଇଛି ଯେ ଶ୍ରୋତାମାନେ ବିସ୍ମୟାଭିଭୂତ ହୁଅନ୍ତି । ଦେଶ ଓ ସମାଜର ଦଶା ତାକୁ ବାସ୍ତବରେ ବ୍ୟଥିତା କରେ ଏବଂ ଏହି ପ୍ରସଙ୍ଗରେ ତା’ର ପ୍ରଭାବର ମୁଖ୍ୟ ରହସ୍ୟ ନିହିତ । ସଂସ୍କାର–କାର୍ଯ୍ୟକ୍ରମ ମଧ୍ୟରେ ଆଉ ଏକ ବିଷୟ ସ୍ଥାନ ପାଇଛି–ଦୁଃସ୍ଥମାନଙ୍କର ବାସଗୃହ ସମସ୍ୟା-। ବର୍ତ୍ତମାନ ଅନୁଭୂତ ହେଉଛି, ଉକ୍ତ ସମସ୍ୟାର ସମାଧାନ ନ ହେବା ପର୍ଯ୍ୟନ୍ତ ସଂସ୍କାରର କୌଣସି ପ୍ରସ୍ତାବ ସଫଳ ହୋଇପାରିବ ନାହିଁ । ମାତ୍ର ଏ କାମ ତ ଚାନ୍ଦାରେ ହୋଇପାରିବ ନାହିଁ-। ମ୍ୟୁନିସିପାଲଟି କରିପାରନ୍ତା; କିନ୍ତୁ ଏତେ ବଡ଼ କାମ ତୁଲାଇବାକୁ ଏ ସଂସ୍ଥାବି ପଛାଉଛି । ପ୍ରଧାନ ହେଉଛନ୍ତି ହାଫିଜ ହଲୀମ୍, ଉପପ୍ରଧାନ ଲାଲା ଧନୀରାମ; ଏପରି ପୁରାତନପନ୍ଥୀ ମହାନୁଭବଙ୍କ ମସ୍ତିଷ୍କରେ ଏ ସମସ୍ୟାର ଆବଶ୍ୟକତା ଓ ମହତ୍ତ୍ଵ ପ୍ରବେଶ କରାଇବା କଷ୍ଟକର । ଜମି ମିଳିଗଲେ ଦୁଇ–ଚାରି ଲକ୍ଷ ଟଙ୍କା ଲଗାଇବାକୁ ଦୁଇ–ଚାରି ଜଣ ଭଦ୍ରଲୋକ ବାହାରିଛନ୍ତି । ସେମାନଙ୍କ ମଧ୍ୟରୁ ଲାଲା ସମରକାନ୍ତ ଜଣେ । ଶତକଡ଼ା ଚାରିଅଣା (ନୂଆ ପଚିଶ ପଇସା) ସୁଧ ମିଳିଲେବି ସେ ସନ୍ତୁଷ୍ଟ । କିନ୍ତୁ ପ୍ରଶ୍ନ ହେଉଛି–ଜମି କେଉଁଠୁଁ ମିଳିବ ? ସୁଖଦାର ଯୁକ୍ତି–ମିଲ୍, ସ୍କୁଲ୍‍–କଲେଜ ଇତ୍ୟାଦିପାଇଁ ଜମିର ବ୍ୟବସ୍ଥା ହୋଇପାରୁଛି ତ ଏ କାମପାଇଁ ମ୍ୟୁନିସିପାଲଟି ବିନା ମୂଲ୍ୟରେ ଜମି ନ ଦେବ କାହିଁକି ?

 

ସନ୍ଧ୍ୟା ସମୟ । ଶାନ୍ତିକୁମାର ବିଡ଼ାଏ ନକ୍ସା ଧରି ସୁଖଦା ପାଖରେ ପହଞ୍ଚିଲେ ଓ ଗୋଟି ଗୋଟି ଖୋଲି ଦେଖାଇବାକୁ ଲାଗିଲେ । ଏଗୁଡ଼ିକ ତିଆରି ହେବାକୁ ଯାଉଥିବା ଘରମାନଙ୍କର ନକ୍ସା । ଗୋଟିଏ ନକ୍ସା ମାସିକ ଆଠଅଣା ଭଡ଼ାଘରର, ଅନ୍ୟ ଦୁଇଟି ଟଙ୍କାକିଆ ଓ ଦୁଇଟଙ୍କିଆ ଉଡ଼ାଘରର । ଆଠ–ଅଣିଆ ଭଡ଼ାଘରେ ଗୋଟିଏ ରହିବା ଘର, ଗୋଟିଏ ରୋଷେଇଘର, ଗୋଟିଏ ବାରଣ୍ଡା, ଆଗକୁ ଗୋଟିଏ ବୈଠକ ଓ ଛୋଟ ଅଗଣାଟିଏ । ଟଙ୍କାକିଆ ଭଡ଼ାଘରେ ଭିତରେ ଦୁଇଟି କୋଠରୀ ଓ ଦୁଇଟଙ୍କିଆ ଭଡ଼ାଘରେ ତିନିଟି କୋଠରୀ ।

 

କୋଠରୀଗୁଡ଼ିକରେ ଝରକା ଅଛି ଏବଂ ଚଟାଣ ଓ କାନ୍ଥର ଦୁଇ ଫୁଟ୍ ଉଚ୍ଚତା ପର୍ଯ୍ୟନ୍ତ ପକ୍କା, ଛାତ ଖପରଲି ।

 

ଦୁଇଟଙ୍କିଆ ଘରେ ଶୌଚାଗାରବି ରହିଛି । ଅନ୍ୟ ଶ୍ରେଣୀର ପ୍ରତି ଦଶ ଘରପାଇଁ ଗୋଟିଏ ଲେଖାଏଁ ଶୌଚାଗାର ।

 

ସୁଖଦା ପଚାରିଲା–ଆପଣ ଖର୍ଚ୍ଚର ଅଟକଳ କରିଛନ୍ତି ତ ?

 

“ଆଉ କ’ଣ ଖାଲି ନକ୍ସାଗୁଡ଼ିଏ ତିଆରି କରି ଆଣିଛି ! ଆଠ ଅଣିଆ ଘର ତିଆରିରେ ପ୍ରାୟ ଦୁଇଶହ ଟଙ୍କା ଲାଗିବ, ଟଙ୍କାକିଆ ଘରପାଇଁ ତିନିଶହ ଓ ଦୁଇଟଙ୍କିଆ ଘରପିଛା ଚାରିଶହ ଟଙ୍କା ଲାଗିବ । ସୁଧ ଚାରିଅଣା ପଡ଼ୁଛି ।”

 

“ପ୍ରଥମେ କେତେଟି ଘରର ପ୍ରୋଗ୍ରାମ ଅଛି ?”

 

“ଅତି କମ୍‌ରେ ତିନି ହଜାର । ଦକ୍ଷିଣ ପାଖରେ ପ୍ରାୟ ଏତିକି ଘର ଦରକାର । ମୁଁ ହିସାବ କରି ଦେଖିଛି । ଜମି ମିଳିଲା ପରେ କେତେକ ଲୋକ ତ ଟଙ୍କା ଲଗାଣ କରିବେ, କିନ୍ତୁ ଆହୁରି ଅନ୍ତତଃ ଦଶ ଲକ୍ଷ ଟଙ୍କା ଦରକାର !”

 

“ମାଇଲେ । ଦଶ ଲକ୍ଷ ! ଗୋଟିଏ ତରଫପାଇଁ !”

 

“ଯଦି ପାଞ୍ଚଲକ୍ଷ ଟଙ୍କାର ଅଂଶୀଦାର ମିଳିଯାନ୍ତି, ତେବେ ଅବଶିଷ୍ଟ ଜନସାଧାରଣ ତୁଲାଇ ଦେବେ । ମଜୁରୀରେ ସେତିକି ଖର୍ଚ୍ଚ ହେବାର କଥା । ରାଜମିସ୍ତ୍ରୀ, ମାଟି ଖୋଳାଳି, ବଢ଼େଇ, କମାର ଅଧା–ମଜୁରୀରେ କାମ କରିବାକୁ ରାଜି ପ୍ରସ୍ତୁତ । ଗଧବାଲା, ଗାଡ଼ିବାଲା ପର୍ଯ୍ୟନ୍ତ ବିନା ପାରିଶ୍ରମିକରେ କାମ କରିବାକୁ ରାଜି ଅଛନ୍ତି ।”

 

“ଦେଖନ୍ତୁ ବୋଧହୁଏ ଚଳିଯିବ । ବାପା ସମ୍ଭବ ଦୁଇ–ତିନି ଲକ୍ଷ ଲଗାଇବେ । ମା’ ପାଖରେବି ନିଶ୍ଚୟ କିଛି ଥିବ । ବାକି ଟଙ୍କାପାଇଁ ଚିନ୍ତା କରିବା । ସବୁଠୁ କଷ୍ଟକର ହେଉଛି ଜମି ପାଇବା ।”

 

“କଷ୍ଟ କ’ଣ ? ଦଶଟା ବଙ୍ଗଳା ଭାଙ୍ଗି ଦିଆଗଲେ ବହୁତ ଜମି ବାହାରି ପଡ଼ିବ ।”

 

“ବଙ୍ଗଳା ଭାଙ୍ଗି ପକାଇବାଟାକୁ ଆପଣ ସହଜ ମନେ କରୁଛନ୍ତି ?”

 

“ସହଜ ତ ମନେ କରୁନାହିଁ; କିନ୍ତୁ ଉପାୟ ? ସହର ବାହାରେ ତ କେହି ରହିବ ନାହିଁ–ସହର ଭିତରୁ ଜମି ବାହାର କରିବାକୁ ପଡ଼ିବ । କେତେକ ଘର ଏତେ ଲମ୍ବା–ଚୌଡ଼ା ଯେ ସେଥିରେ ହଜାରେ ଲୋକ ବେଶ୍ ଆରାମରେ ରହିପାରିବେ । ଆପଣଙ୍କ ଘର କ’ଣ ଛୋଟିଆଟିଏ-? ଏଥିରେ ତ ଦଶଟି ଗରିବ ପରିବାର ଖୁସିରେ ଚଳିପାରିବେ ।”

 

ସୁଖଦା ହସିଲା–ଆପଣ ତ ଆମର ମୁଣ୍ଡରେ ହାତ ବୁଲାଇବାକୁ ଆଗ ।

 

“ଯେ ବାଟ ଦେଖାଏ, ତାକୁ ଆଗରେ ଚାଲିବାକୁ ପଡ଼େ ଯେ ।”

 

“ମୁଁ ପ୍ରସ୍ତୁତ; କିନ୍ତୁ ମ୍ୟୁନିସିପାଲଟି ପାଖରେ କିଛି ପ୍ଲଟ୍ ଖାଲି ଥିବ ତ ?”

 

“ହଁ–ହଁ, ଅଛି । ନାହିଁ କାହିଁକି ? ମୁଁ ସେ ସବୁର ସନ୍ଧାନ ନେଇ ସାରିଛି । କିନ୍ତୁ ହାଫିଜ୍‍ବାବୁ କହୁଛନ୍ତି–ସେ ସବୁ ଜମି ବିଷୟରେ କଥାବାର୍ତ୍ତା ଛିଡ଼ି ସାରିଛି ।”

 

ସଲୀମ୍ ମୋଟରରୁ ଓହ୍ଲାଇ ଶାନ୍ତିକୁମାରଙ୍କୁ ଡାକିଲା । ସେ ତାକୁ ଭିତରକୁ ଡାକିନେଇ ପଚାରିଲେ–କେଉଁଠୁଁ ଆସିଲ ?

 

ପ୍ରସନ୍ନ ବଦନରେ ସଲୀମ୍ କହିଲା–କାଲି ରାତିରେ ଯାଉଛି । ଭାବିଲି–ଆପଣଙ୍କୁ ସାକ୍ଷାତ କରିଯାଏଁ । ଏଇ ବାହାନାରେ ଶ୍ରୀମତୀଙ୍କ ଦର୍ଶନବି ମିଳିଗଲା ।

 

“ଆରେ, ତେବେ କ’ଣ ଏମିତି ଚାଲିଯିବ ?” ଶାନ୍ତିକୁମାର ପଚାରିଲେ–‘‘ଭୋଜି–ମଜଲିସ୍ କିଛି କୁଆଡ଼ୁ ନାହିଁ–ବାଃ !”

 

“ସେ ସବୁ ତ କାଲି ସନ୍ଧ୍ୟାରେ । ଆପଣଙ୍କ ପାଖକୁ ତ କାର୍ଡ଼ ପଠାଇ ଦେଇଛି । ତେବେ ଆପଣଙ୍କ ସହିତ ମଜଲିସ୍‌ରେ ଦେଖା ହେବା ତ ଯଥେଷ୍ଟ ନୁହେଁ ।”

 

“ତେବେ ଯିବାବେଳେ ଆମକୁ କିଛି ସାହାଯ୍ୟ କରିଯାଅ । ଦକ୍ଷିଣ ପଟରେ ମ୍ୟୁନିସିପାଲଟିର ଯେଉଁ ପ୍ଲଟ୍‌ସବୁ ଅଛି, ସେତକ ଆମକୁ ଦିଆଇ ଦିଅ, ବିନା ମୂଲ୍ୟରେ ?”

 

ସଲୀମ୍‍ର ମୁଖ ଗମ୍ଭୀର ହୋଇଗଲା । କହିଲା–ସେ ସବୁ ପ୍ଲଟ୍ ବିଷୟରେ ସମ୍ଭବ କଥାବାର୍ତ୍ତା ସ୍ଥିର ହୋଇଯାଇଛି । କେତେକ ମେମ୍ବର ନିଜ ପୁଅ ଓ ସ୍ତ୍ରୀଙ୍କ ନାମରେ ଖରିଦ କରି ନେବାକୁ ଆଁ କରି ବସିଛନ୍ତି ।

 

ସୁଖଦା ବିସ୍ମିତ ହୋଇଗଲା–ଆଚ୍ଛା, ଭିତରେ ଭିତରେ ଏ କପଟଲୀଳାବି ଚାଲିଛି ? ତାହାହେଲେ ତ ଆପଣଙ୍କ ସାହାଯ୍ୟ ବେଶି ଦରକାର । ଏ ମାୟାଜାଲକୁ ଛିଣ୍ଡାଇବା ଆପଣଙ୍କର କର୍ତ୍ତବ୍ୟ ।

 

ସଲୀମ୍ ଛାଡ଼–ଛାଡ଼ ହେଲା–ବାପା ଏ ବିଷୟରେ ଆଦୌ ମୋ କଥା ଶୁଣିବେ ନାହିଁ । ସତ କହିବାକୁ ଗଲେ ଯାହା ନିଷ୍ପତ୍ତି ହୋଇଯାଇଛି, ସେ ସମ୍ପର୍କରେ ବାଧ୍ୟବାଧକତା ମଧ୍ୟ ଉଚିତ ନୁହେଁ ।

 

ଏତିକି କହୁ କହୁ ସେ ଶାନ୍ତିକୁମାର ଓ ସୁଖଦାଙ୍କ ସଙ୍ଗେ କରମର୍ଦ୍ଦନ କରି ଆଗାମୀ ସନ୍ଧ୍ୟାର ମଜଲିସ୍‌ରେ ଯୋଗଦେବାକୁ ଅନୁରୋଧ କରି ଚାଲିଗଲା । ସେଠାରେ ବସିବା ତା’ ପକ୍ଷେ ମଙ୍ଗଳକର ନୁହେଁ ଯେ !

 

ଶାନ୍ତିକୁମାର କହିଲେ–ଦେଖିଲେ ତ, ଏବେଠୁଁ ଆସନ ଉପରକୁ ନ ଯାଉଣୁ ମିଜାଜରେ ଅଫିସରୀ ଗନ୍ଧ ପଶିଗଲାଣି । ବଡ଼ ଆଶ୍ଚର୍ଯ୍ୟର ବିଷୟ–ଯେ ସେଥିରେ ପଶିଲା, ତାକୁ ଯେପରି ନିଶା ଧରି ପକାଉଛି ! ଏହି ଥିଲା ଏ କାର୍ଯ୍ୟର ଦୃଢ଼ ସମର୍ଥକ; ମାତ୍ର ଆଜି କିପରି ଖସିଯାଉଛି ଦେଖନ୍ତୁ ତ ! ହାଫିଜ୍‍ବାବୁଙ୍କୁ ଏ ଯଦି ଜୋର ଦେଇ କହନ୍ତା, ତେବେ ସେ ପ୍ରାୟ ଅରାଜି ହୁଅନ୍ତେ ନାହିଁ ।

 

ସୁଖଦାର ମୁଖମଣ୍ଡଳରେ ଆତ୍ମଗୌରବ ଝଲସି ଉଠିଲା–ଆମକୁ ନ୍ୟାୟଯୁଦ୍ଧ କରିବାକୁ ହେବ । ନ୍ୟାୟ ଆମକୁ ସାହାଯ୍ୟ କରିବ । ଆମର ଅନ୍ୟ ସାହାଯ୍ୟ ଲୋଡ଼ା ନାହିଁ ।

 

ଏହି ସମୟରେ ଲାଲା ସମରକାନ୍ତ ଆସି ପହଞ୍ଚିଲେ । ଶାନ୍ତିକୁମାରଙ୍କୁ ବସିଥିବାର ଦେଖି ଟିକିଏ ସ୍ତମ୍ଭିତ ହେଲେ । ତା’ପରେ ପଚାରିଲେ–କହନ୍ତୁ ଡାକ୍ତର ସାହେବ ! ହାଫିଜ୍‍ବାବୁ ସଙ୍ଗେ କ’ଣ କଥାବାର୍ତ୍ତା ହେଲା ?

 

ଶାନ୍ତିକୁମାର ସେ ପର୍ଯ୍ୟନ୍ତ ଯାହା ଯାହା କରିଥିଲେ, ସବୁ କହିଗଲେ ।

 

ସମରକାନ୍ତ ଅସନ୍ତୋଷ ପ୍ରକାଶ କରି କହିଲେ–ଆପଣ ତ ବିଲାତି ପଢ଼ୁଆ ସାହେବ । ମୁଁ ବା ଆପଣଙ୍କୁ କ’ଣ ବୁଝାଇବି ? କିନ୍ତୁ ଆପଣ ଯଦି ଭାବୁଥାନ୍ତି ଯେ ନ୍ୟାୟ ଓ ସତ୍ୟର ନାମ ଧରି ଜମି ପାଇଯିବେ, ତେବେ ଚୁପ୍ ହୋଇ ବସିଯା’ନ୍ତୁ । ଏ କାମପାଇଁ ଦଶ–କୋଡ଼ିଏ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ–ପ୍ରତ୍ୟେକ ମେମ୍ବରଙ୍କୁ ଅଲଗାଅଲଗା ଦେଖା କରନ୍ତୁ–ଦେଖନ୍ତୁ କା’ର ମିଜାଜ କିପରି, କାହାର ବିଚାର କ’ଣ, ରଙ୍ଗ–ଢଙ୍ଗ କିପରି । ଯେ ଯେପରି ଲୋକ, ତାକୁ ସେହିପରି ବଶ କରନ୍ତୁ–ଖୁସାମତପ୍ରିୟକୁ ଖୁସାମତଦ୍ଵାରା, ଟଙ୍କାପ୍ରିୟକୁ ଟଙ୍କାଦ୍ୱାରା ଟେକାଟେକି, ଅନୁନୟ ବିନୟ, ମନ୍ତ୍ର–ଯନ୍ତ୍ର; ଯେଉଁଠି ଯେପରି କାମ ଉଠିବ, ସେହି ବାଟ ଧରନ୍ତୁ । ହାଫିଜ୍‍ବାବୁ ସଙ୍ଗେ ମୋର ଅନେକ ଦିନର ଜଣାଶୁଣା । ପଚିଶ ହଜାରର ଥଳୀ ତାଙ୍କ ମାମୁ ହାତରେ ତାଙ୍କ ଘରକୁ ପଠାଇ ଦିଅନ୍ତୁ ତ ଦେଖିବା କେମିତି ଜମି ମିଳୁ ନାହିଁ ! ସରଦାର କଲ୍ୟାଣ ସିଂହକୁ ନୂଆ ଘରଗୁଡ଼ିକ ତିଆର କରିବାର ଠିକାଦେବାର କଥା ଦେଇଦିଅ ସେ ବାଗକୁ ଆସିଯିବେ । ଦୁବେବାବୁଙ୍କୁ ପାଞ୍ଚ ତୋଳା ଚନ୍ଦ୍ରୋଦୟ ରସାୟନ ଭେଟି ଦେଇ ପଟାଇପାର । ଖନ୍ନାଙ୍କ ସହ ଯୋଗାଭ୍ୟାସ ବିଷୟରେ ଆଲୋଚନା କର ଓ ଦୁଇ ଚାରିଟା ଆସନ ଶିଖାଇ ଦେଇ ପାରିବା ଭଳି ସାଧୁଙ୍କ ସଙ୍ଗେ ଭେଟ କରାଇ ଦିଅ । ରାୟ ସାହେବ ଧନୀରାମଙ୍କ ନାମରେ ତୁମର ଏ ନୂଆ ବସତିର ନାମକରଣ କର । ତାଙ୍କଠୁଁ କିଛି ଟଙ୍କାବି ମିଳିଯିବ । ଏ ହେଉଛି କାମ ଉଠାଇବାର କୌଶଳ । ଟଙ୍କା ବିଷୟରେ ନିଶ୍ଚିନ୍ତ ରହ । ବଣିଆଙ୍କୁ ନିନ୍ଦା କର ପଛକେ ପରମାର୍ଥ କାର୍ଯ୍ୟରେ ଏଇ ବଣିଆମାନେହିଁ ଆଗୁଆ । ଦଶ ଲକ୍ଷ ଟଙ୍କାର ଦାୟିତ୍ୱ ମୁଁ ତ ନେଉଛି । କେତେକ ଭାଇଙ୍କଠାରୁ ପ୍ରତିଶ୍ରୁତିବି ନେଇ ଆସିଲିଣି । ମୋତେ ରାତିରେ ନିଦ ନାହିଁ । କେମିତି ଏ କାମ ମେଣ୍ଟିବ ଏଇ ମୋର ଚିନ୍ତା । କାର୍ଯ୍ୟସିଦ୍ଧ ନ ହେବାଯାଏ ମୋତେ ତ ଜ୍ଵର ହେଲାପରି ଲାଗୁଥିବ ।

 

ଶାନ୍ତିକୁମାର ନିମ୍ନ ସ୍ଵରରେ କହିଲେ–ଏ ବିଦ୍ୟା ତ ମୋତେ ଶିଖିବାକୁ ପଡ଼ିବ, ସେଠଜୀ-! ମୁଁ ଟଙ୍କା ଖାଇ ଜାଣେ ନାହିଁ କି ଖୋଇ ଜାଣେ ନାହିଁ । କୌଣସି ଭଦ୍ରଲୋକ ପାଖରେ ଏପରି ପ୍ରସ୍ତାବ ବାଢ଼ିବାକୁ ଲଜ୍ଜା ଲାଗେ । ଭାବେ ସେ ମୋତେ କେଡ଼େ ସ୍ଵାର୍ଥପର ଭାବୁ ନଥିବ-! ଆଶଙ୍କା ହୁଏ, କାଳେ ଅପମାନ କରି କିଛି କହିଦେବ ।

 

ସମରକାନ୍ତ କୁକୁରକୁ ଧିକ‌୍‌କାରିଲା ପରି କହିଲେ–ତାହାହେଲେ ତୁମକୁ ଜମି ମିଳି ସାରିଲାଣି ! ମାମଲା ପଟେଇବାଟା ତ ସେବାଶ୍ରମ–ପିଲାଙ୍କୁ ପଢ଼େଇବା କଥା ହୋଇ ନାହିଁ । ଛାଡ଼, ମୁଁ ନିଜେ ସେ କଥା ବୁଝିବି ।

 

ସୁଖଦା ବିରକ୍ତି ପ୍ରକାଶ କଲା–ନା–ନା, ଆମେ ଲାଞ୍ଚ–ଘୁସ୍ ଦେଇପାରିବୁନି । ଆମେ ନ୍ୟାୟପାଇଁ ଅଣ୍ଟା ଭିଡ଼ିଛୁଁ, ଆମ ପକ୍ଷରେ ନ୍ୟାୟବଳ ଅଛି । ଆମେ ସେହି ବଳରେ ବିଜୟ ହାସଲ କରିବୁ ।

 

ସମରକାନ୍ତ ନିରାଶ ହୋଇ କହିଲେ–ତେବେ ତୁମ ସ୍କିମ୍ କାର୍ଯ୍ୟକାରୀ ହୋଇ ସାରିଲାଣି-!

 

ସୁଖଦା କହିଲା–ସ୍କିମ୍ ତ କାର୍ଯ୍ୟକାରୀ ହେବ । ହଁ, ଡେରିରେ ହୋଇପାରେ ବା ଧୀର–ମନ୍ଥର ଗତିରେ; ମାତ୍ର ଅଟକିବ ନାହିଁ । ଅନ୍ୟାୟର ଯୁଗ ଚାଲିଗଲାଣି ।

 

“ହଉ, ଭଲ କଥା । ମୁଁ ବି ଦେଖିବି ।”

 

ସମରକାନ୍ତ ଉତ୍ତେଜିତ ହୋଇ ବାହାରକୁ ଚାଲିଗଲେ । ତାଙ୍କର ସର୍ବଜ୍ଞତା ଯେ ସ୍ଵୀକାର ନ କରେ, ତା’ଠାରୁ ସେ ଦୂରେଇ ଯାନ୍ତି ।

 

ଶାନ୍ତିକୁମାର ଆନନ୍ଦିତ ହୋଇ କହିଲେ–ସେଠଜୀ ତ ଏକ ବିଚିତ୍ର ଜୀବ ! ତାଙ୍କ ଦୃଷ୍ଟିରେ ସବୁ ହେଉଛି ଟଙ୍କା । ମାନବିକତା ବୋଲି କିଛି ଅଛି, ୟା ବୋଧହୁଏ ସେ ମାନନ୍ତି ନାହିଁ ।

 

ସୁଖଦାର ଚକ୍ଷୁ ସଗର୍ବ ହୋଇ ଉଠିଲା–ତାଙ୍କ କଥା ଶୁଣନ୍ତୁନି ସାର୍ ! ତାଙ୍କ ହୃଦୟରେ ଯେତେ ଦୟା, ଯେତେ ସେବାଭାବ ଅଛି, ଆମ ଦୁହିଁଙ୍କର ମିଶିଲେବି ସେତିକି ହେବ କି ନାହିଁ । ତାଙ୍କ ସ୍ଵଭାବ କିପରି ବଦଳି ଯାଇଛି ଆପଣ ଦେଖୁ ନାହାନ୍ତି ! ଦେଢ଼ବର୍ଷ ପୂର୍ବେ ତାଙ୍କ ପୁଅ ଏପରି ପ୍ରସ୍ତାବ ଦେଇଥିଲେ ସେ ଅଗ୍ନିବାଣ ହୋଇ ଉଠିଥାନ୍ତେ । ନିଜର ସର୍ବସ୍ୱ ଉତ୍ସର୍ଗ କରିବାକୁ ବାହାରିପଡ଼ିବା ତ ସାଧାରଣ କଥା ନୁହେଁ, ବିଶେଷତଃ ସେହି ଲୋକ ପକ୍ଷରେ ଯେ କି ଗୋଟିଏ ଗୋଟିଏ ପଇସାକୁ ଦାନ୍ତରେ କାମୁଡ଼ି ଧରିଥାଏ । ସନ୍ତାନ–ବାତ୍ସଲ୍ୟହିଁ ଏ ପରିବର୍ତ୍ତନର ମୂଳକାରଣ-। ଏହାକୁହିଁ ମୁଁ କହେଁ ପ୍ରକୃତ ବୈରାଗ୍ୟ । ଆପଣ ପ୍ରଥମେ ମେମ୍ବରମାନଙ୍କୁ ଭେଟନ୍ତୁ-। ଯଦି ଆବଶ୍ୟକ ମନେ କରନ୍ତି, ମୋତେବି ସଙ୍ଗରେ ନେଇ ଚାଲନ୍ତୁ । ମୋର ଆଶା, ଆମକୁ ଲୋକ–ସମର୍ଥନ ମିଳିବ । ନା, ଆପଣ ଏକାକୀ ନ ଯାଇ କାଲି ସକାଳେ ଆସନ୍ତୁ, ଦୁହେଁ ମିଶି ଯିବା-। ରାତି ଦଶଟା ଭିତରେ ଫେରି ଆସିବା । ବର୍ତ୍ତମାନ ମୁଁ ଟିକିଏ ସକୀନା ସଙ୍ଗେ ଦେଖା କରିବି-। ଶୁଣିଲି କେତେ ମାସ ହେଲା ବେମାର ପଡ଼ିଛି । ମୋର ତା’ ପ୍ରତି ଶ୍ରଦ୍ଧା ଜାଗିଛି । ସମୟ ମିଳେ ତ ତେଣେ ତେଣେ ନୟନାଙ୍କୁବି ଦେଖାକରି ଆସିବି ।

 

ଡାକ୍ତର ସାହେବ ଚେଆର୍‍ରୁ ଉଠୁ ଉଠୁ କହିଲେ–ତା’ ଯିବାର ତ ଦୁଇ ମାସ ହୋଇଗଲାଣି । ଆସୁଛି କେବେ ?

 

“ଏଠୁ ତ କେତେଥର ଡାକରା ଗଲାଣି, ହେଲେ ସେଠ ଧନୀରାମ ପଠାଉ ନାହାନ୍ତି ।”

 

‘‘ନୟନା ଭଲ ଅଛି ତ ?”

 

“ମୁଁ ତ କେତେଥର ଗଲିଣି, ନିଜ ବିଷୟରେ ସେ କିଛି କହେନା । ପଚାରିଲାରୁ କେବଳ ଏତିକି କହିଲା–ଖୁବ୍ ଭଲରେ ଅଛି; କିନ୍ତୁ ତା’ ମନ ପ୍ରସନ୍ନ ଥିଲା ପରି ଦିଶୁ ନଥିଲା । ସେ ତ ଅଭିଯୋଗ–କରିବା ଝିଅ ନୁହେଁ । ସେମାନେ ତାକୁ ଗୋଇଠା ମାରି ବାହାର କରି ଦେବାକୁ ଚାହିଁଲେବି ସେ ଘରୁ ଗୋଡ଼ କାଢ଼ିବ ନାହିଁ କି କାହାରିକି କିଛି କହିବ ନାହିଁ ।”

 

ଶାନ୍ତିକୁମାରଙ୍କ ଚକ୍ଷୁ ସଜଳ ହୋଇ ଉଠିଲା–ତା’ ଉପରେ ଯେ କେହି ଅସନ୍ତୁଷ୍ଟ ହୋଇପାରେ, ମୁଁ ତ କଳ୍ପନା କରିପାରୁ ନାହିଁ ।

 

ସୁଖଦା ହସି ହସି କହିଲା–ତା’ର ଭାଇ ଯେ କୁମାର୍ଗୀ, ଏହା କ’ଣ ସେମାନଙ୍କ ଅସନ୍ତୋଷ ପାଇଁ ଯଥେଷ୍ଟ ନୁହେଁ ?

 

“ମୁଁ ତ ଶୁଣିଲି, ଧନୀରାମଟା ନିରାଟ ବ୍ୟଭିଚାରୀ !”

 

“ଏ କଥା ନୟନା ଆଗରେ କହିଥିଲେ ସେ ଆପଣଙ୍କ ସଙ୍ଗେ କଳି ଆରମ୍ଭ କରି ଦେଇଥାନ୍ତା ।”

 

“ମୁଁ ଥରେ ଧନୀରାମ ପାଖକୁ ଯିବି ନିଶ୍ଚୟ ।”

 

“ନା, ଆପଣଙ୍କୁ ହାତ ଯୋଡ଼ୁଛି, ଆପଣ ତାଙ୍କୁ କିଛି କହନ୍ତି ତ ବିଚାରୀ ନୟନାର ମୁଣ୍ଡ ରହିବ ନାହିଁ ।”

 

“ମୁଁ ତା’ ସଙ୍ଗେ କଳି କରିବାକୁ ଯିବି ନାହିଁ, ଖୁସାମତ କରିବି । ମୁଁ ତ ସେ ବିଦ୍ୟା ଜାଣେନା; ତଥାପି ନୟନାପାଇଁ ନିଜର ଆତ୍ମାକୁ ହତ୍ୟା କରିବାକୁ ମଧ୍ୟ ମୋର ସଂକୋଚ ନାହିଁ । ମୁଁ ତା’ର ଦୁଃଖ ସହିପାରିବି ନାହିଁ । ନିଃସ୍ଵାର୍ଥ ସେବାର ସେହି ଦେବୀପ୍ରତିମା ମୋ ଆଗରେ ଦୁଃଖିନୀ ହୁଏତ ମୋ ଜୀବନକୁ ଧିକ୍ ।”

 

ଶାନ୍ତିକୁମାର ତରତର ହୋଇ ବାହାରକୁ ଚାଲିଗଲେ । ଅଶ୍ରୁର ବେଗ ସେତେବେଳେ ବାଧା ମାନିବା ଅବସ୍ଥାରେ ନଥାଏ ।

 

–୩୨–

 

ସୁଖଦା ସଡ଼କ ଉପରେ କାର୍‌ରୁ ଓହ୍ଲାଇ ସକୀନାର ଘର ଖୋଜିବାକୁ ଲାଗିଲା । ମାତ୍ର ଦୁଇ–ତିନିବାର ଏପାଖ ସେପାଖ ବୁଲି ବୁଲି ସେ ଘର ପାଇଲା ନାହିଁ । ସେ ଘର ଯେଉଁଠି ଥିଲା, ସେଠି ସେତେବେଳେ ଗୋଟିଏ ନୂଆ ଘର, ଉପରେ ପଲସ୍ତରା, ପୂର୍ବର କଚାକାନ୍ଥ ଓ ଦଦରା ତାଟ ଆଉ ନାହିଁ । ଶେଷରେ ସେ ଜଣକୁ ପଚାରି ବୁଝିଲା ଯେ ସେ ଯେଉଁ ନୂଆ ଘର ଦେଖୁଛି, ତାହା ସକୀନାର । ଡାକିବାକ୍ଷଣି କବାଟ ଫିଟିଲା । ସୁଖଦା ଦେଖିଲା–ଗୋଟିଏ ପରିଷ୍କାର–ପରିଚ୍ଛନ୍ନ ଛୋଟ ବଖରା, ଭିତରେ ଦୁଇ–ତିନିଟି ମୋଢ଼ା ପଡ଼ିଛି । ସକୀନା ତା’ ବସିବାପାଇଁ ଗୋଟିଏ ମୋଢ଼ା ଦେଖାଇ ଦେଇ ପଚାରିଲା–ଆପଣଙ୍କୁ ଘରଟି ଖୋଜିବାକୁ ପଡ଼ିଥିବ । ଏ ନୂଆ ଘରଟି ତିଆରି ହୋଇଯିବାରୁ ଚିହ୍ନି ହେଉ ନାହିଁ ।

 

ସୁଖଦା ତା’ର ପାଣ୍ଡୁର ଶୁଖିଲା ମୁହଁକୁ ଚାହିଁ କହିଲା–ହଁ, ଦୁଇ ତିନିବାର ଘୂରିବାକୁ ପଡ଼ିଲା । ଏବେ ଘର ପରି ଘରଟି ହେଲା; ମାତ୍ର ତୁମର ଏ କି ଦଶା ? ମୋଟେ ତ ଚିହ୍ନି ହେଉ ନାହଁ ।

 

ସକୀନା ହସିବାର ଚେଷ୍ଟା କରି କହିଲା–ମୁଁ ତ କେବେ ମୋଟୀ ନଥିଲି ।

 

“ତଥାପି ପୂର୍ବ ଅପେକ୍ଷା ଖୁବ୍ ପାତଳୀ ହୋଇଯାଇଛ ।”

 

ସହସା ପଠାଣୁଣୀ ପହଞ୍ଚିଗଲା ଓ ଏ ପ୍ରଶ୍ନ ଶୁଣି କହିଲା–ମାସେ ହେଲା ଜର ହେଉଛିରେ ଝିଅ ! ହେଲେ ଜମାରୁ ଦବେଇ ଖାଉନି । କିଏ କହିବ ? ମୋତେ ତ ପାଟି ଫିଟାଉନି-। ହଉ ଆଲ୍ଲା ଜାଣେ, ତୁମ କଥା, ବୋହୂ–ମା’, ଭାରି ମନେପଡ଼େ; ହେଲେ କୋଉ ମୁହଁରେ ଯା’ନ୍ତି-? ଲାଲାଜୀବି ଏଇ ଘଡ଼ିଏ ହେଲା ଗଲେ ଯେ । କୋଟି ପରମାୟୁ ହେଉ । ସକୀନା ମନା କଲାରୁ ତଲବ ଆଣିବାକୁ ଗଲି ନାହିଁ ଯେ ନିଜେ ଆଣି ଦେଇଗଲେ । ଦୁନିଆରେ, ମା’, ଏଇମିତି ଖୁଦାଙ୍କ ବନ୍ଦା ପଡ଼ିଛନ୍ତି । ଆଉ କିଏ ହୋଇଥିଲେ ତ ମୋ ମୁହଁ ଚାହୁଁ ନଥାନ୍ତା । ତାଙ୍କ ସୁନାର ସଂସାର ମୁହିଁ ହତଭାଗୀ ଚୂନା କରିଛି । ହେଲେ ଲାଲାଙ୍କର ସେହି ଦିଲ୍‌, ସେହି ଖିଆଲ, ସେହି କୃପାଦୃଷ୍ଟି ଏବେବି ରହିଛି । ସେତେବେଳେ ମୋତେ କି ବୁଦ୍ଧି ଦିଶିଲା କେଜାଣି, ସାଦାସିଧା ସୁଧାର ପିଲାଟିର ବଦନାମ କଲି । ଖୁଦା କରନ୍ତୁ, ମଲାପରେ ମୋତେ କଫିନ୍‍ବି ନ ଜୁଟୁ । ମୁଁ ବହୁତ ଖୋଳତାଡ଼ କଲି ଯେ ଝିଅ, ହେଲେ ସମସ୍ତେ ମୋତେ ଛି–ଛିକାର କଲେ । ଏ ଟୋକୀ ତ ମୋତେ ପାଟି ଫିଟାଉ ନାହିଁ । ଠିଆ ହୋଇଛି ତ ପଚାରୁ ନାହିଁ । ଏମିତି ପଦେପଦେ କହୁଛି ଯେ କଲିଜାରେ ଫୁଟିଯାଉଛି-। ଖୁଦା ଶୁଣାଉଛି, ମା’, ସେ କ’ଣ କହିବ ? ସେମିତି କାମ ନ କରିଥିଲେ କାହିଁକି ମୋତେ ଶୁଣିବାକୁ ପଡ଼ନ୍ତା ? ସେ ଅନ୍ଧାରିଆ ଘରେ ତାକୁ ୟା ସଙ୍ଗରେ ଦେଖି ମୋର ତ ଶୁବ୍‌ହା (ସନ୍ଦେହ) ହେଲା-। ଆଉ ବିଚରା ଯେତେବେଳେ ଦେଖିଲା କି ମାଈକିନିଆ ଝିଅଟା ବଦନାମ ହେଉଛି, ଖାସ୍ ୟା'ରିପାଇଁ ଆପଣ ଧରମ ଛାଡ଼ିଦେବାକୁବି ରାଜି ହୋଇଗଲା । ମୁଁ ହାତ ଗୋଡ଼ଖାଈ କ’ଣ ରାଗରେ ସେତେବେଳେ ଖିଆଲ କଲି କି ମୁଁ ଆପଣା ମୁହଁରେ କାଳି ବୋଳୁଛି !

 

ସକୀନା ତୀବ୍ର ସ୍ଵରରେ କହିଲା–ଥାଉଁ–ଥାଉଁ, ଯାହା କରିବାର ତ କରି ସାରିଛୁ, କେତେ ଆଉ ସେହି କଥାକୁ ବାହୁନୁଥିବୁ । ଆଉ କିଛି କଥାବାର୍ତ୍ତା କରାଇ ଦେବୁ ନା ନାଇଁ ?

 

ବୁଢ଼ୀ ଆପତ୍ତି କଲା–ଏଇମିତି ମା’, ମୋତେ ଦାଲକେଇ ଦେଉଛି, କିଛି କହିବାକୁ ଦେଉ ନାହିଁ, । ପଚାରିଲା, ତୁମ ପାଖେ ଦୁଃଖ ନ ଜଣେଇବି ତ କହିବି କାହାକୁ ?

 

ସୁଖଦା ସକୀନାକୁ ପଚାରିଲା–ଆଚ୍ଛା, ତୁମେ ମାସିକ ବୃତ୍ତି ଆଣିବାକୁ ମନା କରିଥିଲ କାହିଁକି ? ତା’ ତ ବହୁଦିନୁ ମିଳି ଆସୁଛି ।

 

ସକୀନା କ’ଣ କହିବାକୁ ବସିଥିଲା, ବୁଢ଼ୀ କହିଉଠିଲା–ସେଇଥିଲାଗି ପରା ମୋ ସଙ୍ଗେ ଝଗଡ଼ା, ମା’ ! କହୁଛି କି କାହାରି ଖଇରାତ କାହିଁକି ନେବା ? ଏ ଭାବୁ ନାହିଁ କି ସେହି ଧନରେ ତ ଆମେ ପାଳି–ପୋଷି ହେଇଛୁଁ । ବାସ୍, ଆଜିକାଲି ଝୁଙ୍କ ଲାଗିଛି ସିଲେଇର । ରାତି ବାରଟାଯାକେ ସେଇଥିରେ ଆଖି ଗଳେଇ ବସୁଛି । ଦେଖିଲ ତା’ ଚେହେରାକୁ, ଏଇ ନେଇ ଜରବି ହେଉଛି, ହେଲେ ଔଷଧ ନାଁ ଧରୁ ନାହିଁ । ମୁଁ କହିଲି କି ଆଗେ ଜୀବନ, ପଛେ କାମ । କୋଉ ଏବେ ଖାଇବାକୁ କୁଟୁମ୍ବ ମାଡ଼ିଯାଉଛନ୍ତି ? ହେଲେ ତା’ର ତ ଧୁମ୍, ଭଲ ଘର ହେବ, ଭଲ ଭଲ ଜିନିଷ ହେବ । କାମବି ଖୁବ୍ ମିଳିଯାଉଛି, ପଇସାବି ଖୁବ୍ । ହେଲେ କ'ଣ ହେବ, ସବୁ ଏଇ ସଜାସଜିରେ ଉଡ଼ିଯାଉଛି । ଏଇ ଖଣ୍ଡେ ଦୂରରେ ଗୋଟିଏ ଖିରସ୍ତାନିଆଣୀ ଅଛି ଯେ ନିତି ସକାଳେ ଆସେ ପଢ଼େଇବାକୁ । ଆମ ଅମଳରେ ସିନା ଝିଅ, କୋରାନ୍, ରୋଜା–ନମାଜର ଚାଲୁଥିଲା ! କେତେ ଜାଗାରୁ ସାଦିଘର ପାଇଁ କଥା ଆସିଲାଣି ଯେ…..

 

ସକୀନା କଠୋରଭାବେ କହିଲା–ଆରେ, ଭଲା ଟିକିଏ ତୁନିପଡ଼ । ଏଥର ସରିଲା ତ-? କି ସତ୍କାର ଆପଣଙ୍କର କରିପାରିବି, ଭଉଣୀ ! ଏତେ ଦିନ ପରେ, ଯାହାହେଉ, ଏ ହୀନକପାଳୀକୁ ମନେପକାଇଲେ ତ !

 

ସୁଖଦା ଉଦାର ଚିତ୍ତରେ କହିଲା–ବରାବର ତୁମ କଥା ମନେପଡ଼େ । ଆସିବାକୁ ଇଚ୍ଛା ହୁଏ । ମାତ୍ର ଭୟ ହୁଏ, କାଳେ ତୁମେ କ’ଣ ମନେକରିବ । ଆଜି ସିନା ସଲୀମ୍ ମିଆଁଙ୍କଠୁଁ ଜାଣିଲି ଯେ ତୁମ ଦେହ ଭଲ ନାହିଁ । ଆମେ ସବୁମତେ ତୁମର ସେବା କରିବାକୁ ପ୍ରସ୍ତୁତ ଅଛୁଁ ଯେତେବେଳେ, ତୁମେ ଅକାରଣରେ କାହିଁକି ଆତ୍ମାକୁ କଷ୍ଟ ଦେଉଛ ?

 

ସକୀନା ଲଜ୍ଜାକୁ ଗିଳିଦେଇ କହିଲା–ଭଉଣୀ, ମଲେ ମରିବି ପଛେ, ଏ ଗରିବୀ ହଟାଇବି । ମୁଁ ଏ ଅବସ୍ଥାରେ ନଥିଲେ ବାବୁଙ୍କର କାହିଁକି ମୋ ପ୍ରତି ଦୟା ଆସିଥାନ୍ତା, କାହିଁକି ସେ ଆମ ଘରକୁ ଆସିଥାନ୍ତେ ନା କାହିଁକି ତାଙ୍କୁ ବଦନାମ ନେଇ ଘର ଛାଡ଼ିବାକୁ ପଡ଼ିଥାନ୍ତା ? ଗରିବୀ ସବୁ ଅନର୍ଥର ମୂଳ । ତାକୁ ହଟାଇବି–ହଟାଇବି ।

 

ଟିକିଏ ପରେ ବୁଢ଼ୀକୁ କହିଲା–ଟିକିଏ ଯାଇ ପାନବାଲୀଠାରୁ ପାନ ଦିଖଣ୍ଡ ନେଇ ଆସ-। ଏଇକ୍ଷଣି ଆଉ ତାଙ୍କର କି ଚର୍ଚ୍ଚା କରି ହେବ ?

 

ଏହି ବାହାନାରେ ବୁଢ଼ୀକି ବିଦା କରିଦେଇ ସକୀନା ନିମ୍ନ ସ୍ୱରରେ କହିଲା–ମହମ୍ମଦ ସଲୀମ୍‌ଙ୍କର ଏ ଚିଠି । ଆପଣଙ୍କର ଯେତେବେଳେ ମୋଠି ଏତେ ଦୟା, ଆପଣଙ୍କୁ ଲୁଚାଇବି କ’ଣ-? ଯାହା ତ ହେବାର ଥିଲା, ହୋଇଗଲା । ବାବୁ ଏଠି କି ଅନେକ ବାର ଆସିଛନ୍ତି । ଭଗବାନ୍ ଜାଣନ୍ତି, ଯଦି ସେ ଥରଟିଏ ମୋତେ ଆଖି ଟେକି ଚାହିଁଥିବେ ! ମୁଁ ବି ତାଙ୍କୁ ଆଦର କରୁଥିଲି-। ସତରେ ତାଙ୍କ ଭଦ୍ର ପ୍ରଭାବ ଅବଶ୍ୟ ମୋ ଉପରେ ପଡ଼ୁଥାଏ । ହଠାତ୍ ଦିନେ ମୋର ବିବାହ ବିଷୟରେ କଥାବାର୍ତ୍ତା ଶୁଣି ବାବୁ ନିଶା ଚଢ଼ିଲା ପରି ଅବସ୍ଥାରେ ଆସିଲେ ଓ ମୋ ପ୍ରତି ତାଙ୍କର ପ୍ରେମ ଅଛି ବୋଲି ଜଣାଇଲେ । ଈଶ୍ଵର ସାକ୍ଷୀ, ଭଉଣୀ ! ମୁଁ ଗୋଟିଏ ଅକ୍ଷରବି ମିଛ କହୁ ନାହିଁ-। ତାଙ୍କ କଥା ଶୁଣି ମୁଁ ବି ଜ୍ଞାନ ହରାଇଲି । ମୋ ପରି ସ୍ତ୍ରୀ ସହିତ ଏପରି ଶିକ୍ଷିତ ଲୋକଙ୍କର ପ୍ରେମ ମୋତେ ଉଡ଼ାଇ ବୁଲାଇଲା । ସେ ଐଶ୍ଵର୍ଯ୍ୟ ପାଇ ମୁଁ ପାଗଳୀ ହୋଇଗଲି । ସେ ଯେତେବେଳେ ତାଙ୍କର ଦେହ–ମନ ସବୁ ମୋ ପାଖରେ ସଅଁପି ଦେଲେ, ମୁଁ ତ ଆଉ କାଠପିତୁଳା ନୁହେଁ-। ମୋଠାରେ ଏପରି କି ଗୁଣ ସେ ଦେଖିଲେ ତା’ ମୁଁ ଜାଣେନା । ତାଙ୍କ କଥାରୁ ଜଣାପଡ଼େ ସେ ଆପଣଙ୍କ ଉପରେ ସନ୍ତୁଷ୍ଟ ନଥିଲେ । ଭଉଣୀ, ବର୍ତ୍ତମାନ ଆପଣଙ୍କୁ ସବୁ କଥା ଖୋଲି କହୁଛି, ଦୋଷ ଧରିବେ ନାହିଁ, ଆପଣଙ୍କ ଆଡ଼ୁ ତାଙ୍କ ମନ ତୁଟି ଯାଇଥିଲା ନିଶ୍ଚୟ । ଆଉ ଉପବାସୀ ହେଲେ ଧନୀଲୋକ ଯେପରି ଜର୍ଦାପଲାଉ ଭୁଲି ଛତୁ ଖାଇବାକୁ ଆଗଭର ହୁଏ, ସେହିପରି ତାଙ୍କର ମନ ଆପଣଙ୍କ ଆଡ଼ୁ ବିମୁଖ ହୋଇ ମୋ ଆଡ଼କୁ ଢଳିଗଲା । ସେ ପ୍ରେମ–ଉପବାସୀ ଥିଲେ । ପ୍ରେମପାଇଁ ତାଙ୍କ ଆତ୍ମା ଅତୁର ହେଉଥିଲା । ମୋର ବିଶ୍ଵାସ, ଏ ସମ୍ପଦ ତାଙ୍କୁ କେବେହେଲେ ମିଳି ନଥିଲା । ସୁନ୍ଦର ରୂପକୁ ଆଖେଇବା ଲୋକ ସେ ନୁହଁନ୍ତି । ସେ ଚାହାନ୍ତି ମନପ୍ରାଣ ଦେଇ କାହାରି ଆପଣାର ହୋଇଯିବେ ଓ ତାକୁ ମନପ୍ରାଣ ସହ ଆପଣାର କରିନେବେ-। ମୁଁ ଏବେ ଅନୁତାପ କରୁଛି ଯେ ତାଙ୍କ ସଙ୍ଗେ ଚାଲି ନ ଗଲି କାହିଁକି ? ଆହା, ବିଚାରା ଛତୁ ମୁଠିଏପାଇଁ ଧାଇଁଲାବେଳକୁ ତା’ବି ତାଙ୍କ ଆଗରୁ ଛଡ଼ାଇ ନିଆଗଲା ! ଆପଣ ଏବେବି ଚାହିଁଲେ ତାଙ୍କ ମନକୁ ଜିଣିପାରିବେ । ଖାଲି ଖଣ୍ଡିଏ ପ୍ରେମପୂର୍ଣ୍ଣ ପତ୍ର ଲେଖିଦିଅନ୍ତୁ, ଦେଖିବେ, “ତହିଁ ପରଦିନ ସେ ଧାଇଁ–ଦଉଡ଼ି ଆସି ପହଞ୍ଚିବେ । ମୁଁ ଖଣ୍ଡିଏ ହୀରା ପାଇଛି, ମୋ ହାତରୁ ତାକୁ କେହି ଛଡ଼ାଇ ନ ନେବା ପର୍ଯ୍ୟନ୍ତ ମୁଁ ତ ଛାଡ଼ିପାରିବି ନାହିଁ । ମୋ ପାଖରେ ହୀରା ଅଛି, କେବଳ ଏହି ଧାରଣାଟି ମୋ ମନକୁ ଦୃଢ଼ ଆଉ ପ୍ରସନ୍ନ ରଖିଥିବ ।

 

ସେ ଘର ଭିତରକୁ ଛୁଟିଯାଇ ଅତରରେ ସୁବାସିତ ଲଫାଫାଟିଏ ଆଣି ସୁଖଦା ହାତରେ ଦେଇ କହିଲା–ମହମ୍ମଦ ସଲୀମ୍‌ଙ୍କ ଚିଠି । ଆପଣ ପଢ଼ିପାରନ୍ତି, ସେପରି କିଛି ଏଥିରେ ନାହିଁ । ସେ ବି ମୋ ପ୍ରତି ଅନୁରକ୍ତ ହୋଇ ପଡ଼ିଛନ୍ତି । ପ୍ରଥମେ ତାଙ୍କ ଚାକର ସହିତ ମୋର ବିବାହ କରାଇ ଦେବାକୁ ଚାହୁଁଥିଲେ । ଏବେ ନିଜେ ବିବାହ କରିବାକୁ ଚାହୁଁଛନ୍ତି । ପୂର୍ବେ ସେ ଯାହା ହୋଇଥାନ୍ତୁ ନା କାହିଁକି ଏବେ ତାଙ୍କଠାରେ ସେପରି ଛୋଟଲୋକୀ ନାହିଁ । ତାଙ୍କ ମାଈଁ ବରାବର ତାଙ୍କ କଥା ପକାନ୍ତି । ମୋ ବିଷୟରେ ସେ ଯାହାକିଛି ଜାଣିଥିବେ, ମାମୁଙ୍କଠାରୁ ଶୁଣିଥିବେ । ମୁଁ ତାଙ୍କୁ ଦୁଇ–ତିନିବାର ଆମ ଦୁଆରେ ଅନାଅନି କରୁଥିବାର ଦେଖିଛି । ଶୁଣିଛି, କୁଆଡ଼େ ଗୋଟାଏ ବଡ଼ ଚାକିରି ପାଇଲେଣି । ମୋର ଭାଗ୍ୟ ତ ଏକପ୍ରକାର ଖୋଲିଗଲା; ମାତ୍ର ପ୍ରେମର ଯେଉଁ ସୂକ୍ଷ୍ମ ଜଞ୍ଜିର ମୋତେ ବାନ୍ଧି ରଖିଛି, ତାକୁ ଯେତେ ବଡ଼ ଶକ୍ତି ହେଲେବି ଛିଣ୍ଡାଇ ପାରିବ ନାହିଁ । ବାବୁ ମୋତେ ତାଙ୍କ ଅନ୍ତରରୁ ତଡ଼ି ଦେଇଛନ୍ତି ବୋଲି ନ ଜାଣିବା ପର୍ଯ୍ୟନ୍ତ ମୁଁ ତାଙ୍କରି; ଆଉ ମୋତେ ମନରୁ ପୋଛି ଦେବା ପରେବି ମୁଁ ଏହି ପ୍ରେମକୁ ସବୁଦିନ ପାଇଁ ମନେରଖିଥିବି । ଏପରି ପବିତ୍ର ପ୍ରେମର ଗୋଟିଏ ମୁହୂର୍ତ୍ତବି ମଣିଷକୁ ଆଜୀବନ ଉନ୍ମତ୍ତ ରଖିବାକୁ ଯଥେଷ୍ଟ । ମୁଁ ଏ ଚିଠିର ଉତ୍ତର ପଠାଇ ଦେଇଛି । କାଲି ତ ସେ ଚାଲିଯିବେ । ମୋ ଚିଠିଟି ପଢ଼ି କାନ୍ଦି ପକାଇଲେ । ଏବେ ସେ ପଣ କରିଛନ୍ତି ଯେ ହୁଏତ ମୋତେ ବିବାହ କରିବେ; ନଚେତ୍ ଜୀବନସାରା ଅବିବାହିତ ରହିବେ-। ବାବୁ ତ ସେହି ଜିଲାରେ ଅଛନ୍ତି । ଦୁଇ ବନ୍ଧୁଙ୍କ ଭିତରେ ସେଇଠି ସବୁ ସ୍ଥିର ହେବ । ସେଇଥିପାଇଁ ଏତେ ଶୀଘ୍ର ପଳାଇ ଯାଉଛନ୍ତି ।

 

ବୁଢ଼ୀ ଗୋଟିଏ ପତ୍ର–ଖିଲୀରେ ପାନ ନେଇ ଆସିଲା । ସୁଖଦା ଉଦାସ ଭାବରେ ପାନ ନେଇ ଖାଇଲା ଓ ପୁଣି ଚିନ୍ତାରେ ମଜ୍ଜିଗଲା । ଏହି ଗରିବ ତରୁଣୀଟି ତାକୁ ଆଜି ସମ୍ପୂର୍ଣ୍ଣ ପରାସ୍ତ କରି ଦେଇଛି । ଆଜି ସେ ଅମାପ ସମ୍ପତ୍ତି ଓ ମହତୀ କୁଳୀନତାର ଅଧିକାରିଣୀ ହୋଇ ମଧ୍ୟ ତା’ ସମ୍ମୁଖରେ ଭିକାରୁଣୀ ପରି ବସିଛି । ଆଜି ତା’ର ମନ ଅପରାଧ ସ୍ଵୀକାର କଲାପରି ଅନୁଭବ କରୁଛି । ଅଦ୍ୟାବଧି ସେ ଏହି ତର୍କରେ ମନକୁ ସାନ୍ତ୍ୱନା ଦେଉଥିଲା ଯେ ପୁରୁଷମାନେ ସ୍ଵଭାବତଃ ନୀଚମନା ଓ ଲମ୍ପଟ ଏବଂ ଏହି ଯୁବତୀର ହାବ–ଭାବ ଓ ହାସ–ବିଳାସ ତାଙ୍କୁ ବଶୀଭୂତ କରି ନେଇଥିଲା । ଆଜି ସେ ଅନୁଭବ କରୁଛି ଯେ ଏଠାରେ ହାବଭାବ ନାହିଁ, ହାସବିଳସ ନାହିଁ କି ମାୟାମୟୀ ଦୃଷ୍ଟି ନାହିଁ । ଏ ତ ଏକ ଶାନ୍ତ କରୁଣ ସଙ୍ଗୀତ–ହୃଦୟବାନ ବ୍ୟକ୍ତିହିଁ ଏହାର ରସ ଗ୍ରହଣ କରିପାରେ । ଲମ୍ପଟ ଓ ବିଳାସୀର ଶ୍ରୁତିରଞ୍ଜକ ଉତ୍ତେଜକ ଗୀତ ଏ ନୁହେଁ । ଦ୍ଵେଷାଗ୍ନିରୁ ବିଶୁଦ୍ଧ ହୋଇ ବାହାରିଥିବା ଉଦାରତାର ସହିତ ସେ ସକୀନା କାନ୍ଧରେ ଦୁଇ ହାତ ପକାଇ କହିଲା–ଭଉଣୀ, ଆଜି ତୁମ କଥା ମୋ ହୃଦୟର ଭାରକୁ ଉଶ୍ଵାସ କରିଦେଲା । ତୁମେ ମୋ ଉପରେ ଯେଉଁ ଦୋଷାରୋପ କରୁଛ, ତା’ ପ୍ରାୟ ଯଥାର୍ଥ । ତୁମ ସମ୍ପର୍କରେ ମୋର ଅନ୍ତର ଆଜି ପରିଷ୍କାର ହୋଇଗଲା । ମୋର ଏତିକି କହିବାର ଅଛି । ବାବୁ ଯଦି ମୋର କିଛି ଦୋଷ ଦେଖିଲେ, ତେବେ ମୋତେ କହିବା ଉଚିତ ଥିଲା । ମୁଁ ବି ଈଶ୍ଵରଙ୍କୁ ସାକ୍ଷୀ ରଖି କହୁଛି ଯେ ମୁଁ ଜାଣିଶୁଣି କେବେ ତାଙ୍କୁ ଅସନ୍ତୁଷ୍ଟ କରି ନାହିଁ । ହଁ, ମୋର ଏବେ କେତେକ କଥା ମନେପଡ଼ୁଛି, ଯାହାକୁ ସେ ମୋର ନିଷ୍ଠୁରତା ବୋଲି ଭାବିଥିବେ; କିନ୍ତୁ ସେ ମୋତେ ଯେଉଁ ଅପମାନ ଦେଇଛନ୍ତି, ତାକୁ ଏବେବି ମୁଁ କ୍ଷମା କରିପାରୁ ନାହିଁ । ସେ ପ୍ରେମର ଅଭାବ ଅନୁଭବ କରୁଥିଲେ ତ ମୁଁ ବି କିଛି କମ୍ ଅନୁଭବ କରୁ ନଥିଲି । ସେ ମୋଠାରୁ ଯାହା ଆଶା କରୁଥିଲେ, ମୁଁ ବି ତାଙ୍କଠାରୁ ସେହି ଆଶା କରୁଥିଲି-। ମୋତେ ସେ ଯାହା ଦେଇ ନ ପାରିଲେ, ତାହା ମୋଠୁଁ ନ ପାଇବାରୁ କାହିଁକି ଉଦ୍ଦଣ୍ଡ ହୋଇ ଉଠିଲେ ? କାରଣ ସେ ପୁରୁଷ ନା ? ସ୍ତ୍ରୀକୁ ପାଦର ଜୋତା ମନେକଲେବି ତା’ର ଧର୍ମ ହେଉଛି–ସେ ତାଙ୍କ ପାଦରେ ଜଡ଼ି ରହିଥିବ ? ଭଉଣୀ, ତୁମେ ଯେପରି ମୋ ପାଖରେ କିଛି ଲୁଚାଇଲ ନାହିଁ, ମୁଁ ବି ସେହିପରି ନିଷ୍କପଟ ଭାବରେ ସବୁ କହୁଛି । କ୍ଷଣକପାଇଁ ନିଜକୁ ମୋ ସ୍ଥାନରେ ରଖିଲେ ମୋର ଭବନା ବୁଝିପାରନ୍ତ । ମୋର ଯଦି କିଛି ଅପରାଧ ଥାଏ, ତେବେ ତାଙ୍କରବି ସେତିକି ଅପରାଧ ଅଛି । ମୁଁ ଯେମିତି ମୋ ଭାଗ୍ୟ ଆଦରି ବସିଲି, ସେ କ’ଣ ସେମିତି କରି ପାରି ନଥାନ୍ତେ-? ତେବେ ହୁଏତ ସମାଧାନ ହୋଇ ଯାଇଥାନ୍ତା । ଏବେ ମୁଁ ବରଂ ଆଜୀବନ ଏହି ଦଶାରେ ପଡ଼ିରହିବି, ସେ ମୋ ଆଡ଼କୁ ଆଗ୍ରହର ହାତ ନ ବଢ଼ାଇଲା ପର୍ଯ୍ୟନ୍ତ ମୁଁ ତ ବଢ଼ାଇ ପାରିବି ନାହିଁ-। ନାରୀ ଦୁର୍ବଳା, ତେଣୁ ମାନ–ଅପମାନର ଦୁଃଖ ମଧ୍ୟ ତା’ର ଅଧିକ । ହଉ, ଥାଅ ଭଉଣୀ, ମୁଁ ଯାଏଁ; ଟିକିଏ ନୟନାକୁ ଦେଖା କରି ଯିବାକୁ ହେବ । ଦୟାକରି ଆମ ଘର ଆଡ଼େ ମଝିରେ ମଝିରେ ଯା–ଆସ କରିବ–ମୁଁ ଗାଡ଼ି ପଠାଇଦେବି ।

 

ସେ ଘରୁ ବାହାରି ଆସିବାବେଳେ ସକୀନା କାନ୍ଦୁଥାଏ; କାହିଁକି କେଜାଣି !

 

Unknown

–୩୩–

 

ସୁଖଦା ସେଠ୍ ଧନୀରାମଙ୍କ ଘରେ ପହଞ୍ଚିବାବେଳକୁ ରାତି ନ’ଟା । ଅତି ବିଶାଳ ଆକାଶଚୁମ୍ବୀ ଭବନ, ଦ୍ଵାରଦେଶରେ ଉଜ୍ଜ୍ୱଳ ବିଜୁଳିବତୀଟିଏ ଜଳୁଛି, ଦୁଇଜଣ ଦରୁଆନ ଠିଆ ହୋଇଛନ୍ତି । ସୁଖଦାକୁ ଦେଖିବାମାତ୍ରେ ଭିତରେ ବାହାରେ ଚାଞ୍ଚଲ୍ୟ ଖେଳିଗଲା । ଲାଲା ଧନୀରାମ ଘରୁ ବାହାରି ଆସି ତାକୁ ଭିତରକୁ ନେଇଗଲେ । ଦୋତାଲା ଉପରେ ସୁସଜ୍ଜିତ ସାକ୍ଷାତକାର କୋଠରୀରେ ସୁଖଦାକୁ ବସାଇ ଦିଆଗଲା । ଘରର ସ୍ତ୍ରୀଲୋକେ ପରଦା ଅନ୍ତରାଳରେ ରହି ଚତୁର୍ଦ୍ଦିଗରୁ ତାକୁ ଚାହୁଁଥାନ୍ତି ଭିତରକୁ ଯିବାକୁ ସାହସ କରିପାରୁ ନଥାନ୍ତି ।

 

ସୁଖଦା ଗୋଟିଏ କୌଚ୍ ଉପରେ ବସି ପଚାରିଲା–ସବୁ କୁଶଳ ତ ?

 

ଧନୀରାମ ମୁହଁରେ ସିଗାର୍ ଟାଣି ଧୂଆଁ ଛାଡ଼ୁ ଛାଡ଼ୁ କହିଲା–ଆପଣ ବୋଧହୁଏ ପେପର୍ ଦେଖି ନାହାନ୍ତି । ବାପାଙ୍କୁ ଦୁଇ ଦିନ ହେଲା ଜ୍ଵର ହେଉଛି । ମୁଁ ତ କଲିକତାରୁ ମି. ଲାନ୍‌ସେଟ୍‌ଙ୍କୁ ଡକାଇ ଆଣିଛି । ଏଠି କାହାରି ଉପରେ ମୋର ବିଶ୍ୱାସ ନାହିଁ । ମୁଁ ପେପର୍‌ରେ ତ ଦେଇ ଦେଇଛି । ବୁଢ଼ା ହେଲେଣି, ମୁଁ କହେଁ–ଆପଣ ଶାନ୍ତିରେ ବସନ୍ତୁ, ସେ ବି ସେଇଆଁ ଚାହୁଁଛନ୍ତି; କିନ୍ତୁ କେହି କ’ଣ ବସାଇ ଦେଉଛନ୍ତି ? ଗଭର୍ଣ୍ଣର୍ ପ୍ରୟାଗ ଆସିଥିଲେ । ତାଙ୍କଠାରୁ ଖାସ୍ ପ୍ରାଇଭେଟ୍ ସେକ୍ରେଟେରୀଙ୍କ ନିମନ୍ତ୍ରଣ ଆସି ପହଞ୍ଚିଲା । ନ ଗଲେ ନ ଚଳେ । ଏ ସହରର ଅନ୍ୟ କାହାରି ପାଖକୁ ନିମନ୍ତ୍ରଣ ଆସି ନାହିଁ । ଏତେ ବଡ଼ ସମ୍ମାନକୁ ଅବହେଳା କରାଯା’ନ୍ତା ବା କିପରି ? ସେଇଠି ଥଣ୍ଡା ଧରି ପକାଇଲା । ମଣିଷ ଜୀବନରେ ସମ୍ମାନ ହେଲା ବଡ଼ ଜିନିଷ, ସେମିତି ପେଟକୁ ଦି'ମୁଠା ସମସ୍ତେ ଖାଉନାହାନ୍ତି କି ? ବର୍ତ୍ତମାନ ଏୟା ଭାବନ୍ତୁ, ସହରର ମାନ୍ୟଗଣ୍ୟ ଲୋକଙ୍କ ଧାଡ଼ି ଛୁଟିଛି ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ । ସକାଳେ ଡେପୁଟି–କମିଶନର ଓ ତାଙ୍କ ମେମ୍ ସାହେବ ଆସିଥିଲେ । କମିଶନର ମଧ୍ୟ ସହାନୁଭୂତି ଜଣାଇ ତାରବାର୍ତ୍ତା ପଠାଇଛନ୍ତି । ଦୁଇ–ଚାରି ଦିନର ଅସୁସ୍ଥତା ସେପରି ଚିନ୍ତାର ବିଷୟ ନୁହେଁ, ଏଇ ସମ୍ମାନ ତ ମିଳିଲା । ଦିନସାରା ଅଫିସରମାନଙ୍କୁ ସ୍ଵାଗତ କରିବାରେ’ଇ କଟୁଛି ।

 

ଚାକର ପାନ–ଅଳାଇଚ ଥାଳିଆଟି ଥୋଇ ଦେଇଗଲା । ଧନୀରାମ ଥାଳିଆଟି ସୁଖଦା ସାମନାରେ ରଖିଦେଲା । ପୁଣି କହିଲା–ମୋ ଘରକୁ ସୋସାଇଟିର ଆଚାର ବ୍ୟବହାର ଜାଣିଥିବା ଏବଂ ଲେଡ଼ିମାନଙ୍କୁ ସ୍ଵାଗତ–ସତ୍କାର କରିପାରୁଥିବା ସ୍ତ୍ରୀଲୋକଟିଏ ଦରକାର ଥିଲା । ଏ ବିବାହରେ ତ ସେ ଆଶା ସଫଳ ହୋଇ ପାରିଲା ନାହିଁ । ଅଗତ୍ୟା ପୁଣି ଥରେ ବିବାହ କରିବାକୁ ପଡ଼ିବ । ସେମିତି ତ ପୁରାତନ ବିଚାରଧାରାର ସ୍ତ୍ରୀଲୋକ ଏ ଘରେ ଅଭାବ ନଥିଲେ; କିନ୍ତୁ ସେ ତ ଲେଡ଼ିମାନଙ୍କ ସେବା–ସତ୍କାର କରିପାରିବେ ନାହିଁ । ତାଙ୍କୁ ତ ଲେଡ଼ିମାନଙ୍କ ସାମନାକୁ ଆଣି ହେବ ନାହିଁ । ଏପରି ନିର୍ବୋଧ ଅଶିକ୍ଷିତା ସ୍ତ୍ରୀଙ୍କୁ ସେମାନଙ୍କ ଆଗକୁ ଆଣି ନିଜକୁ ଅପଦସ୍ଥ କରିବ କିଏ ?

 

ସୁଖଦା ସ୍ମିତ–ମୁଖରେ କହିଲା–ତେବେ ଆପଣ କୌଣସି ଲେଡ଼ିଙ୍କୁ ବିବାହ ନ କଲେ କାହିଁକି ?

 

ଧନୀରାମ ନିଃସଙ୍କୋଚରେ କହିଲା–ଠକିଗଲି ଆଉ କ’ଣ । ଆମକୁ କ’ଣ ଜଣାଥିଲା ଯେ ଏତେ ଶିକ୍ଷିତ ପରିବାରର ଝିଅ ଏପରି ଅଶିକ୍ଷିତା ହୋଇଥିବ । ମୋ ମା’ ଭଉଣୀମାନେ ଓ ପଡ଼ୋଶୀ ସ୍ତ୍ରୀମାନେ ତ ନୂଆବୋହୂ ଉପରେ ଖୁବ୍ ସନ୍ତୁଷ୍ଟ । ସେ ବ୍ରତ କରେ, ପୂଜା କରେ, ସିନ୍ଦୂରଟିପା ଲଗାଏ; କିନ୍ତୁ ମୋତେ ତ ଦୁନିଆରେ କିଛି କାମ, କିଛି ନାମ କରିବାକୁ ପଡ଼ିବ । ମୋର ପୂଜାପାଠବାଲୀ ସ୍ତ୍ରୀ ଦରକାର ନାହିଁ; କିନ୍ତୁ ବିବାହ ତ ହୋଇ ଯାଇଛି, ତା’ ତ ଭାଙ୍ଗି ହେଉ ନାହିଁ । ବାଧ୍ୟ ହୋଇ ଅନ୍ୟ ବିବାହ କରିବାକୁ ପଡ଼ିବ । ବର୍ତ୍ତମାନ, ଦୁଇ–ଚାରି ଜଣ ଲେଡ଼ି ଏଠାକୁ ଦୈନିକ ଆସିବାକୁ ଚାହିଁବେ, ସେମାନଙ୍କର ଚର୍ଚ୍ଚା ନ କଲେ ନ ଚଳେ । ସେମାନେ ଭାବିବେ–ଏ ଲୋକଗୁଡ଼ାକ କି ଅସଭ୍ୟ !

 

ଏକୋଇଶବର୍ଷ ବୟସ୍କ ସେହି ଯୁବକର ନିଃସଙ୍କୋଚ ସାଂସାରିକତା ପ୍ରତି ସୁଖଦାର ଘୃଣା ଆସୁଥାଏ । ତା’ର ସ୍ଵାର୍ଥ–ସେବା ଯେପରି ସୁଖଦାର କୋମଳ ଭାବରାଜିକୁ ଦଳିଚକଟି ଦେଲା, ଏପରି କି ସେ ହାସ୍ୟାସ୍ପଦ ହୋଇପଡ଼ିଲା ।

 

“ଏ କାମପାଇଁ ଆପଣଙ୍କୁ ଅଳ୍ପ ବେତନରେ କିରାଣି–ସ୍ତ୍ରୀ ତ ମିଳିଯିବେ, ଯେ କି ଲେଡ଼ିଙ୍କ ସଙ୍ଗେ ସଙ୍ଗେ ସାହେବମାନଙ୍କ ସେବା ସତ୍କାର କରିବେ ।”

 

“ଆପଣ ଏ ସବୁ ବ୍ୟବସାୟ ସମ୍ପର୍କୀୟ ସମସ୍ୟା ବୁଝିପାରୁ ନାହାନ୍ତି । ବଡ଼ବଡ଼ ମିଲ୍‌ର ଏଜେଣ୍ଟମାନେ ଆସୁଛନ୍ତି । ଯଦି ମୋ ସ୍ତ୍ରୀ ସେମାନଙ୍କ ସହ କଥାବାର୍ତ୍ତା କରିପାରନ୍ତା, ତେବେ ନିଶ୍ଚୟ କମିଶନର ରେଟ୍ କିଛି ବଢ଼ିଯାନ୍ତା । କେତେକ ସ୍ତ୍ରୀ ତ ପୁଣି ଏ କାମ ତୁଲାଉଛନ୍ତି ।”

 

“ମୁଁ ତ କଦାପି କରନ୍ତି ନାହିଁ । ସାରା ବ୍ୟବସାୟ ବୁଡ଼ିଗଲା ତ କ'ଣ ହେଲା ?”

 

“ବିବାହର ଅର୍ଥ, ମୁଁ ବୁଝେ, ସ୍ତ୍ରୀ ପୁରୁଷର ସହଗାମିନୀ ହେବା । ଇଂରେଜ ସମାଜରେ ନାରୀମାନେ ସବୁକ୍ଷେତ୍ରରେ ସହଯୋଗ କରନ୍ତି ।”

 

“ଆପଣ ସହଗାମିନୀର ଅର୍ଥ ବୁଝନ୍ତି ନାହିଁ ।”

 

ଧନୀରାମ ବଡ଼ କଟୁଭାଷୀ । ତା’ର ପାର୍ଶ୍ଵଚରମାନେ ଅବଶ୍ୟ ତାକୁ ସ୍ପଷ୍ଟବାଦୀ ଆଖ୍ୟା ଦିଅନ୍ତି । ତା’ର ହାସ–ପରିହାସବି ଗାଳିରୁ ଆରମ୍ଭ ଆଉ ଗାଳି ତ ସହଜେ ଗାଳି । କହିଲା,–“ମୋତେ, ଅନ୍ତତଃ ଏ ବିଷୟରେ, ଉପଦେଶ ଦେବାର ଅଧିକାର ଆପଣଙ୍କର ନାହିଁ । ଏ ଶବ୍ଦର ଅର୍ଥ ଜଣାଥିଲେ ଆପଣ ବର୍ତ୍ତମାନ ନିଜ ସ୍ଵାମୀଙ୍କଠାରୁ ଅଲଗା ହୋଇ ନଥାନ୍ତେ କି ସେ ଗଳିକନ୍ଦିର ହାଉଆ ଖାଉ ନଥାନ୍ତେ ।”

 

ଲଜ୍ଜା ଓ କ୍ରୋଧରେ ସୁଖଦାର ମୁଖମଣ୍ଡଳ ଆରକ୍ତ ହୋଇ ଉଠିଲା । ସେ ଚଉକି ଛାଡ଼ି କଠୋର ସ୍ଵରରେ କହିଲା–

 

“ମୋ ବିଷୟରେ ଟୀକା–ଟିପ୍ପଣୀ କରିବାର କୌଣସି ଅଧିକାର ଆପଣଙ୍କର ନାହିଁ, ଲାଲା ଧନୀରାମ ! ଆଦୌ ଅଧିକାର ନାହିଁ । ଆପଣ ଇଂରାଜୀ ସଭ୍ୟତାର ଅତି ଭକ୍ତ ସାଜିଛନ୍ତି । ଆପଣ କ’ଣ ଭାବୁଛନ୍ତି ଯେ, ଇଂରେଜୀ ପୋଷାକ ଓ ସିଗାର୍‍ହିଁ ସେ ସଭ୍ୟତାର ମୁଖ୍ୟ ଅଙ୍ଗ ? ତା'ର ମୁଖ୍ୟ ଅଙ୍ଗ ମହିଳାମାନଙ୍କର ଆଦର ସମ୍ମାନ କରିବା, ଜାଣନ୍ତି ? ସେ ବିଷୟ ଶିଖିବାକୁ ଆପଣଙ୍କର ଆହୁରି ଢେର୍ ବାକି ଅଛି । ଏପରି ଭାବରେ ଆତ୍ମସମ୍ମାନ ବଳି ଦେବାକୁ କୌଣସି କୁଳୀନ ସ୍ତ୍ରୀ କେବେହେଲେ ସ୍ଵୀକାର କରିବି ନାହିଁ ।”

 

ତା’ର ଗର୍ଜନ ଶୁଣି ଘରସାରା ଥରହର । ଧନୀରାମର ଜିଭ ସତେବା ନିଷ୍କ୍ରିୟ । ନୟନା ଭାଉଜଙ୍କ ଅପେକ୍ଷାରେ ନିଜ କୋଠରୀରେ ବସିଥିଲା । ତା’ର ଗର୍ଜନ–ତର୍ଜନ ଶୁଣି ଜାଣିଗଲା ଯେ କିଛି କାଣ୍ଡ ଘଟିଗଲା ନିଶ୍ଚୟ । ଧାଇଁ ଆସି ବଡ଼ କୋଠରୀର ଦ୍ଵାରଦେଶରେ ଠିଆ ହୋଇଗଲା ।

 

“ମୁଁ ତେଣେ ତୁମ ବାଟ ଚାହିଁ ବସିଛି, ଭାଉଜ, ତୁମେ ଏଠି କେମିତି ଅଟକିଗଲ ?"

 

ସୁଖଦା ତା’ ଆଡ଼କୁ ଧ୍ୟାନ ନ ଦେଇ ସେହିପରି ରୋଷରେ କହିଲା–ଧନ ଅର୍ଜନ କରିବା ଉତ୍ତମ; କିନ୍ତୁ ଇଜ୍ଜତ ବିକ୍ରି କରି ନୁହେଁ । ଆଉ ଆପଣ ବିବାହର ଉଦ୍ଦେଶ୍ୟ ଯାହା ବୁଝିଛନ୍ତି, ତାହା ନୁହେଁ । ମୁଁ ଆଜି ଜାଣିବାକୁ ପାଇଲି ଯେ ସ୍ୱାର୍ଥବଶ ହେଲେ ମନୁଷ୍ୟର କେତେଦୂର ପତନ ହୋଇପାରେ ।”

 

ନୟନା ଯାଇ ତା’ର ହାତ ଧରି ପକାଇଲା ଓ ତାକୁ ଉଠାଉ ଉଠାଉ କହିଲା–ଆରେ, ତୁମେ ଏଠୁ ଉଠିଲ ଆଗ ।

 

ସୁଖଦା ଆହୁରି ଉତ୍ତେଜିତ ହୋଇ କହିଲା–ମୁଁ କାହିଁକି ମୋ ସ୍ଵାମୀ ସହିତ ନ ଗଲି ? ତା’ର କାରଣ ହେଲା ସେ ଯେପରି ତ୍ୟାଗୀ, ମୁଁ ସେପରି ତ୍ୟାଗ କରି ପାରି ନଥାନ୍ତି । ଆପଣଙ୍କର ନିଜ ବ୍ୟବସାୟ ଓ ଧନ ନିଜର ପତ୍ନୀଠାରୁ ଅଧିକ ପ୍ରିୟ । ସେ ଏ ଉଭୟକୁ ପଦାଘାତ କରିଛନ୍ତି । ଆପଣ ଯେ ଗଳି–କନ୍ଦି କଥା କହିଲେ, ତା’ର ଅର୍ଥ ମୁଁ ଯାହା ବୁଝିଛି, ଯଦି ସେୟା ହୋଇଥାଏ, ତେବେ ତାହା ମିଥ୍ୟା ଅପବାଦ । ଆପଣ ଧନ ଅର୍ଜନ କରିଚାଲନ୍ତୁ; କିନ୍ତୁ ସେହି ମହାତ୍ମାଙ୍କର କୁତ୍ସାରଟନା କରିବା ଆପଣଙ୍କ ଛୋଟ ମୁହଁରେ ବଡ଼କଥା ହେବ ।

 

କମାରର ଏକକୁ ବଣିଆର ଶହେ ପରି ସୁଖଦା ଅସଫଳ ଚେଷ୍ଟା କରୁଥିଲା । ସେହି ଗୋଟିକ ବାକ୍ୟ ତା’ ହୃଦୟକୁ ଯେତିକି ଫୁଟାଇ ଦେଇଥିଲା, ସେପରି ତୀକ୍ଷ୍ଣ ବାକ୍ୟ ସେ ପ୍ରକାଶ କରିପାରିଲା ନାହିଁ ।

 

ନୟନା ମୁହଁରୁ ବାହାରିପଡ଼ିଲା–ଭାଉଜ ! ତୁମେ କାହା ମୁହଁରେ ଜବାବ ଦେଉଛ ?

 

ଧନୀରାମ କ୍ରୋଧରେ ହାତମୁଠା କରି କହୁଥାଏ–ମୁଁ ମୋରି ଘରେ ମୋର ଏ ଅପମାନ ସହି ନ ପାରେ ।

 

ନୟନା ଭାଉଜ ଆଗରେ ହାତଯୋଡ଼ି କହିଲା–ଭାଉଜ ! ମୋତେ ଦୟାକରି । ଈଶ୍ୱରଙ୍କ ରାଣ, ତୁମେ ଏଠାରୁ ଚାଲ ।

 

ସୁଖଦା ପଚାରିଲା–ସେଠ୍‌ଜୀ କେଉଁଠି ? ତାଙ୍କ ସହିତ ମୋର କେତେକ କଥା ଅଛି ।

 

ଧନୀରାମ କହିଲା–ଆପଣ ବର୍ତ୍ତମାନ ତାଙ୍କ ସାକ୍ଷାତ ପାଇପାରିବେ ନାହିଁ । ସେ ଅସୁସ୍ଥ-। ଆଉ ଏପରି କଥା ଶୁଣିବାକୁ ସେ ପସନ୍ଦ କରିବେ ନାହିଁ ।

 

“ଭଲ କଥା, ମୁଁ ଯିବି ନାହିଁ । ନୟନା ଦେବୀ ! ତୁମେ ଜାଣିଛ ତ ? ତୁମର ଗୋଟିଏ ଇଂରେଜ ସଉତୁଣୀ ଆସୁଛି–ଖୁବ୍ ଶୀଘ୍ର ।”

 

“ଭଲ କଥା ତ । ଘରକୁ ଲୋକ ଆସିଲେ କାହାକୁ କ'ଣ ଖରାପ ଲାଗେ ? ଗୋଟିଏ–ଦୁଇଟି କାହିଁକି, ଯେତେ ଇଚ୍ଛା ସେତେ ଆସନ୍ତୁ, ମୋର କ’ଣ ଯାଉଛି !”

 

ଧନୀରାମ ଏ ପରିହାସ ଶୁଣି କ୍ରୋଧରେ ଅଜ୍ଞାନ ହୋଇଗଲା । ସୁଖଦା ନୟନା ସହିତ ଗଲାବେଳକୁ ଆଗକୁ ଯାଇ କହିଲା–ଆପଣ ମୋ ଘରକୁ ଯାଇପାରିବେ ନାହିଁ ।

 

ସୁଖଦା ଅଟକିଯାଇ କହିଲା–ଭଲ କଥା, ଯାଉଛି; କିନ୍ତୁ ମନେରଖିଥିବେ, ଏ ଅପମାନର ପରିଣାମ ଆପଣଙ୍କ ପକ୍ଷରେ ଭଲ ହେବ ନାହିଁ ।

 

ନୟନା ଗୋଡ଼ତଳେ ପଡ଼ୁଥାଏ; ମାତ୍ର ସୁଖଦା ଉତ୍ତେଜିତ ଭାବରେ ବାହାରିଗଲା ।

 

ମୁହୂର୍ତ୍ତକ ମଧ୍ୟରେ ଘରର ସ୍ତ୍ରୀ–ବାଳକ ସମସ୍ତେ ଏକତ୍ର ହୋଇଗଲେ । ଚାଲିଲା ସୁଖଦା ବିଷୟରେ ଆଲୋଚନା । କିଏ କହିଲା–ଆଖିରୁ ପାଣି ମରିଗଲା, କିଏ କହିଲା–ଏମିତି ନ ହୋଇଥିଲେ ସ୍ଵାମୀ କାହିଁକି ଛାଡ଼ି ପଳାଇଥାନ୍ତା ମ ? ନୟନା ମଥାପାତି ସବୁ ଶୁଣିଯାଉଥାଏ । ତା’ର ଆତ୍ମା ତାକୁ ଧକ୍କାର କରୁଥାଏ–ଧିକ୍, ତୋରି ଆଗରେ ଏତେ ଅନର୍ଥ ହେଉଛି, ଆଉ ତୁ ନୀରବରେ ବସି ଶୁଣୁଛୁ ! କିନ୍ତୁ ସେତେବେଳେ ପାଟି ଫିଟାଇବା ଯେ ବିପଜ୍ଜନକ । ସେ ଲାଲା ସମରକାନ୍ତଙ୍କ କନ୍ୟା, ତା’ର ଏହି ଅପରାଧକୁ ତା’ର ନିଷ୍କପଟ ସେବା ସେ ପର୍ଯ୍ୟନ୍ତ ତାକୁ ମୁକ୍ତ କରି ପାରି ନଥିଲା । ବାଲ୍ମୀକିୟ ରାମାୟଣ ପାଠ ସମୟରେ ସମରକାନ୍ତ ଲାଲା ଧନୀରାମଙ୍କୁ ଅପଦସ୍ଥ କରିବା ଫଳରେ ଏ ବୈମନସ୍ୟର ବୀଜବପନ କରିଥିଲେ । ତତ୍‌ପୂର୍ବରୁ ତ ଉଭୟ ସେଠଙ୍କ ମଧ୍ୟରେ ମିତ୍ରତା ଥିଲା । ସେହିଦିନୁ ଦ୍ଵେଷର ଉତ୍ପତ୍ତି ହେଲା । କେବଳ ସମରକାନ୍ତଙ୍କୁ ନତମସ୍ତକ କରିବା ଉଦ୍ଦେଶ୍ୟରେ ଧନୀରାମ ଏ ବିବାହ ସ୍ଵୀକାର କରିଥିଲେ । ବିବାହ ପରେ ଏ ଦ୍ଵେଷ–ଜ୍ଵାଳାର ଉପଶମ ଘଟିଥିଲା ।

 

ଧନୀରାମ ଟେବୁଲ୍ ଉପରେ ପାଦ ଥୋଇ ସୁଖଦାକୁ ଅତି ତୁଚ୍ଛ ମନେକଲା ପରି କହିଲା–ମୁଁ ଏ ମାଈକିନିଆଟାକୁ କ’ଣ ବା ଆଉ କହିଥାନ୍ତି ? ପୁରୁଷ କେହି ହେଇଥାନ୍ତା ତ ଦେଖେଇ ଦେଇଥାନ୍ତି । ଲାଲା ସମରକାନ୍ତ, ଜୁଆ ଖେଳି ଧନ କମେଇଛନ୍ତି, ଆଉ ସେହି ପାପର ଫଳ ଭୋଗୁଛନ୍ତି । ଏ ବାହାରିଛି ମୋ ଆଗରେ କଥା କହିବାକୁ । ୟାଙ୍କ ମା’ ଯେ ତାଙ୍କୁ ସେ ଗୁଣ୍ଡା ଶାନ୍ତିକୁମାରଟା କାବୁକରିଦେଇ ସବୁ ସମ୍ପତ୍ତି ଲେଖାଇ ନେଇଛି । ଏ ପଇସାଟିଏ ପାଇଁ ପର ହାତକୁ ଚାହିଁ ରହିଛନ୍ତି । ସମରକାନ୍ତଙ୍କରବି ସେହି ଅବସ୍ଥା ହେବ ଯେ ! ଆଉ ଏ ମହାତ୍ମାଣୀ ବାହାରିପଡ଼ିଛନ୍ତି ଦେଶର ଉପକାର କରିବାକୁ । ନିଜର ପୁରୁଷ ତ ଅରକ୍ଷିତ ପରି ଘୂରି ବୁଲୁଛି, ଏ ବାହାରିଛନ୍ତି ଦେଶକୁ ଉଦ୍ଧାର କରିବେ । ଅଚ୍ଛବଗୁଡ଼ାଙ୍କୁ ମନ୍ଦିରରେ ପୂରାଇଦେଲା ନା, ଆଉ କାହାରିକି ମାଟି–ଗୋଡ଼ି ବୋଲିବି ମାନୁ ନାହିଁ । ଏବେ ଲାଗିଛି ମ୍ୟୁନିସିପାଲଟି ସଙ୍ଗେ ଜମିପାଇଁ । ଏମିତି ଧକ୍କା ଖାଇବ ଯେ ଦେହକସାରା ମନେପକାଉଥିବ । ମୁଁ ଏଇ ବର୍ଷ ଦୁଇଟାରେ ଯେପରି ବ୍ୟବସାୟ ବଢ଼ାଇ ଦେଇଛି, ଲାଲା ସମରକାନ୍ତ ସାତ ଜନ୍ମରେବି ସେପରି କରିପାରିବେ ନାହିଁ ।

 

ସାରା ଘରଟା ଉପରେ ଧନୀରାମର ଆଧିପତ୍ୟ । ସେ ଧନ ଅର୍ଜନ କରିପାରୁଛି; ସୁତରାଂ ତା’ର ଆଚାର–ବ୍ୟବହାରକୁ ପସନ୍ଦ ନ କରୁଥିଲେବି ପରିବାର ତା’ରି କଥାରେ ଉଠୁଛି–ବସୁଛି । ସେହି ତ କାଗଜ ଓ ଚିନିର ଏଜେନ୍‌ସି ଆରମ୍ଭ କରିଛି । ଲାଲା ଧନୀରାମ ଘିଅ ବ୍ୟବସାୟ କରୁଥିଲେ ଓ ଘିଅ–ବ୍ୟବସାୟୀ ଥିଲେ ଅନେକ । ଲାଭ କମ୍ ହେଉଥିଲା । ଏବେ କାଗଜ ଓ ଚିନିର ସେ ହେଉଛି ଏକମାତ୍ର ଏଜେଣ୍ଟ । ଲାଭର କଳନା ନାହିଁ । ଏହି ସଫଳତା ତାକୁ ପାଗଳ କରିଛି । ସେ କାହାରିକୁ ମଣିଷ ବୋଲି ମାନୁ ନାହିଁ ! କେବଳ ଧନୀରାମଙ୍କୁ ଟିକିଏ ମାନେ । ତାଙ୍କରି ପାଖରେ ଟିକିଏ ସଂକୋଚ କରେ ।

 

ସେମାନେ ଏହିପରି କଥୋପକଥନ କରୁଛନ୍ତି, ଏହି ସମୟରେ ଲାଲା ଧନୀରାମ କାଶି କାଶି ବାଡ଼ି ଭରାଦେଇ ଆସି ବସିଗଲେ ।

 

ଧନୀରାମ ତରତର ହୋଇ ପଙ୍ଖା ବନ୍ଦ କରୁ କରୁ କହିଲା–ଆପଣ ଏତେ କଷ୍ଟ କଲେ କାହିଁକି, ବାପା ? ମୋତେ ଡକାଇ ନେଲେ ନାହିଁ ! ଡାକ୍ତର ସାହେବ ପରା ଆପଣଙ୍କୁ ଚାଲବୁଲ କରିବାକୁ ମନା କରିଛନ୍ତି ।

 

ଲାଲା ଧନୀରାମ ପଚାରିଲେ–ଆଜି କ’ଣ ଲାଲା ସମରକାନ୍ତଙ୍କ ବୋହୂ ଆସିଥିଲେ ?

 

ଧନୀରାମ ଟିକିଏ ଡରିଗଲା–“ହଁ ବାପା, ଏଇତ ଚାଲିଗଲେ ।”

 

ଧନୀରାମ ଆଖି କାଢ଼ି କହିଲେ–ଏବଠୁଁ ତାହାହେଲେ ତୁମେ ମୋତେ ମଡ଼ା ଭାବିଲଣି, ନାଇଁ ? ମୋତେ ଟିକିଏ ଜଣେଇଲବି ନାହିଁ !

 

“ମୁଁ ତ ଅଟକାଉଥିଲି; କିନ୍ତୁ ସେ ରାଗ ତମତମ ହୋଇ ଚାଲିଗଲେ ।”

 

“ତୁମେ ତୁମ କଥାବାର୍ତ୍ତାରେ ତାକୁ ରଗେଇ ଦେଇଥିବ । ନାଇଁ ତ ମୋ ସଙ୍ଗେ ଦେଖା–ସାକ୍ଷାତ୍ ନ କରି ଚାଲିଯାଇଥାନ୍ତା ?”

 

“ମୁଁ ତ କେବଳ ଏତିକି କହିଛି କି ତାଙ୍କ ଦେହ ଅସୁସ୍ଥ ।”

 

“ତାହାହେଲେ ତୁମେ ଭାବୁଛ, ଯେ ଅସୁସ୍ଥ ହେବ, ସେ ଏକୁଟିଆ ପଡ଼ି ମରିବା ଉଚିତ ? ଲୋକ ଏକୁଟିଆ ପଡ଼ି ମରିବାକୁବି ଚାହେଁନା । ତା’ର ହାର୍ଦ୍ଦିକ ଇଚ୍ଛା ଥାଏ ଯେ କିଛି ଆପଦ–ବିପଦ ପଡ଼ିଲେ ତା’ର ଆତ୍ମୀୟ–ସ୍ଵଜନ ଆସି ତାକୁ ଘେରି ବସନ୍ତୁ ।”

 

ଲାଲା ଧନୀରାମଙ୍କର କାଶ ଉଠିଲା । ଟିକିଏ ପରେ ସେ ପୁଣି କହିଲେ–ମୁଁ ପଚାରୁଛି, ତୁ ବାତୁଳ ହୋଇଯାଇ ନାହୁଁ ତ ? କେବଳ ବ୍ୟବସାୟରେ ସଫଳତା ପାଇଲେ ମଣିଷର ଜୀବନ ସଫଳ ହୋଇଯାଏନା, ବୁଝିଲୁ ? ସେ ଅପରଦ୍ଵାରା କାମ କରାଇ ନେଇପାରେ, ଅପର ପ୍ରତି ସହାନୁଭୂତି ରଖେ, ସେହି ହେଉଛି ଯଥାର୍ଥରେ ମଣିଷ । ଆତ୍ମବଡ଼ିମା ବଖାଣି କେହି ବଡ଼ ହୋଇଯାଏନା, ବରଂ ଛୋଟ ହୁଏ । ମୋ ପାଖକୁ ଯାଇଥିଲେ ସେ ଏଠୁ ହସି ହସି ଫେରିଥାନ୍ତା, ଆଉ ତା’ର ସାହାଯ୍ୟ ଖୁବ୍ ଦରକାରରେ ଆସିଥାନ୍ତା । ନଗରରେ ତା’ର କେତେ ସମ୍ମାନ, ତା’ ବୋଧହୁଏ ତୋତେ ଜଣାନାହିଁ । ସେ ଯଦି ତୋର କ୍ଷତି କରିବାକୁ ଚାହେଁ, ତେବେ ଦିନ ଗୋଟାକରେ ତୋର ସର୍ବନାଶ କରିଦେଇ ପାରିବ । ଆଉ ସେ ତ ତୋର ସର୍ବନାଶ କରିବହିଁ କରିବ । ମୋ କଥା ଗଣ୍ଠି କରି ରଖିଥା । ସେ ଭାରି ଜିଦ୍‌ଖୋର । ଆପଣା ସ୍ଵାମୀକି ଯେ ପରୁଆ କରି ନାହିଁ, ନିଜ ଜୀବନକୁ ପରୁଆ କରି ନାହିଁ......କେଜାଣି କେବେ ତୋର ଅକଲ ହେବ !

 

ଲାଲା ଧନୀରାମଙ୍କର ପୁଣି କାଶ ଆରମ୍ଭ ହୋଇଗଲା । ଧନୀରାମ ଧାଇଁ ଯାଇ ତାଙ୍କୁ ଧରିଲା ଓ ପିଠି ଆଉଁଷିବାକୁ ଲାଗିଲା । ମିନିଟ୍‌କ ପରେ ଲାଲାଜୀଙ୍କ ନିଃଶ୍ଵାସ ଫେରିଲା ।

 

ଧନୀରାମ ଚିନ୍ତିତ ସ୍ୱରରେ କହିଲା–ଏ ଡାକ୍ତରଙ୍କ ଔଷଧରେ ଆପଣଙ୍କର କିଛି ଉପକାର ହେଉ ନାହିଁ । କବିରାଜଙ୍କୁ ଡାକିଲେ ଭଲ ହୁଅନ୍ତା । ମୁଁ ତାଙ୍କ ପାଖକୁ ତା’ର କରି ଦେଉଛି-

 

ଧନୀରାମ ଦୀର୍ଘନିଃଶ୍ଵାସ ପକାଇ କହିଲେ–ଭଲ ତ ହେଇଯିବି, ବାବା କୌଣସି ସାଧୁଙ୍କର ଚିମୁଟାଏ ବିଭୂତିରେ । ହଉ, ଏ ତାମସା କରିବୁ ତ କର, ଆଉ ଏ ତାମସାଟାବି ମନ୍ଦ ହେଉ ନାହିଁ । ଏଇପରି ଖେଳରେ କିଛି ଟଙ୍କା–ପଇସା ଖର୍ଚ୍ଚ କରି ଦେବାକୁ ମୁଁ ବାରଣ କରୁ ନାହିଁ ଯେ, ହେଲେ ଏ ଥରଟାପାଇଁ ଏତକ ଯଥେଷ୍ଟ । କାଲି ଡାକ୍ତରବାବୁଙ୍କୁ କହିଦେବି, “ମୁଁ ବହୁତ ଉପକାର ପାଇଲିଣି, ଆପଣ ଏଥର ବିଦାୟ ନିଅନ୍ତୁ ।”

 

ଧନୀରାମ ଡରି ଡରି ପଚାରିଲା–କହିବେ ତ ମୁଁ ସୁଖଦା ଦେବୀଙ୍କ ପାଖକୁ ଯିବି ।

 

ଧନୀରାମ ଗର୍ବର ସହିତ କହିଲେ–ନା, ମୁଁ ତୋର ଅପମାନ ଚାହେଁନା । ମୁଁ ଟିକିଏ ଦେଖେ, ତା’ର ଆତ୍ମା କେତେ ଉଦାର । ମୁଁ କେତେଥର କ୍ଷତି ସହିଛି ବରଂ, କାହାରି ଆଗରେ ମୁଣ୍ଡ ନୁଆଁଇ ନାହିଁ । ସମରକାନ୍ତଙ୍କୁ ଦେଖିଲି । ସେ ଲକ୍ଷେ ଖରାପ ହେଲେବି ଅନ୍ତରଟା ତାଙ୍କର ନିର୍ମଳ । ଦୟା–ଧର୍ମ କେବେ ଛାଡ଼ନ୍ତି ନାହିଁ । ଏବେ ତା’ ବୋହୂକୁ ଟିକିଏ ପରଖିନିଏ ।

 

ଏତିକି କହି ସେ ବାଡ଼ି ଖଣ୍ଡିକ ଧରି ଧୀରେ ଧୀରେ ନିଜ କୋଠରୀ ଆଡ଼କୁ ଚାଲିଲେ । ଧନୀରାମ ଦୁଇ ହାତରେ ତାଙ୍କୁ ଧରି ଧରି ନେଉଥାଏ ।

 

–୩୪–

 

ଶ୍ରାବଣ ମାସରେ ନୟନା ବାପ–ଘରକୁ ଆସିଲା । ଶାଶୁ–ଘର ଚାରି ପହଣ୍ଡ ଦୂର ହେଲେବି ଛ’ମାସ ଭିତରେ ଆସିବାର ସୁଯୋଗ ଘଟିଲା ନାହିଁ । ଧନୀରାମ ହାତର କଥା ହୋଇଥିଲେ ସେ ଏବେବି ଛାଡ଼ିଦେଇ ନଥାନ୍ତା; କିନ୍ତୁ ଘରର ସମସ୍ତେ ଗଲେ ନୟନା ସପକ୍ଷରେ । ସବୁ ବୋହୂ, ଶ୍ରାବଣ ମାସରେ ବାପଘର ଯା’ନ୍ତି । ନୟନା ପ୍ରତି ଏତେ ବଡ଼ ଅବିଚାର କରାଯାଇ ନ ପାରେ ।

 

ଶ୍ରାବଣର ଝଡ଼ ଲାଗିଛି । କେତେ କେଉଁଠି ଘର ପଡ଼ିଗଲାଣି, କେତେ ଛାତ ବସିଗଲାଣି-। ସୁଖଦା ବାରଣ୍ଡାରେ ବସି ଅଗଣାରେ ଉଠୁଥିବା ପାଣି–ଫୋଟକା ସଙ୍ଗେ ମନକୁ ଭସାଇ ଦେଉଛି-। ଅଗଣା ଟିକିଏ ଗଭୀର । ପାଣି ଅଟକିଯାଏ । ଫୋଟକାଗୁଡ଼ିକ ବତାସା ପରି ଉଠି କିଛିଦୂର ଚାଲିଯିବା, ପୁଣି ଉଭେଇଯିବା ତା’ପାଇଁ ଏକ ମନୋରଞ୍ଜକ ଖେଳ ହୋଇଛି । କେବେକେବେ ଦୁଇଟି ଫୋଟକା ସାମନାସାମନି ହୋଇ ଯାଉଛନ୍ତି; ଆମେ ଯେପରି କାହାର ସମ୍ମୁଖୀନ ହୋଇଗଲେ ବାଟ ଭାଙ୍ଗି ଚାଲିଯିବାକୁ ଚାହୁଁ; କିନ୍ତୁ ଆମେ ଯେଉଁପଟକୁ ବୁଲିଯାଉ, ଅନ୍ୟ ଲୋକଟିବି ସେହି ପଟକୁ ବୁଲିଆସେ ଏବଂ କିଛିକ୍ଷଣ ଏହିପରି ଛକାଛକି ଚାଲେ । ଏଠାରେବି ଠିକ୍ ସେହିପରି ତାମସା ଚାଲିଛି । ସୁଖଦାକୁ ବୋଧ ହେଉଛି ଯେପରି କି ସେଗୁଡ଼ିକ ଜୀବନ୍ତ-। ସତେଅବା ପିଲାଗୁଡ଼ିଏ ମଥାରେ ଗୋଲ ଗୋଲ ଟୋପି ପିନ୍ଧି ଜଳକ୍ରୀଡ଼ା କରୁଛନ୍ତି !

 

ଏତିକିବେଳେ ନୟନା ଡାକିଲା–ଭାଉଜ ! ଆସ, ଡଙ୍ଗା–ଭସାଣି ଖେଳିବା । ମୁଁ ଡଙ୍ଗା ତିଆରି କରୁଛି ।

 

ସୁଖଦା ପାଣି–ଫୋଟକା ଆଡ଼କୁ ଚାହିଁରହି ଉତ୍ତର ଦେଲା–ତୁମେ ଖେଳ, ମୋର ଇଚ୍ଛା ନାହିଁ ।

 

ନୟନା ମାନିଲା ନାହିଁ । ଦୁଇଟି ଡଙ୍ଗା ଧରି ଆସି ସୁଖଦାକୁ ଟାଣିବାକୁ ଲାଗିଲା–ଯାହା ଡଙ୍ଗା ଆଗ କୂଳରେ ଲାଗିବ, ସେ ଜିତିବ, ପାଞ୍ଚ ପାଞ୍ଚ ଟଙ୍କା ବାଜି ରହିଲା ।

 

ସୁଖଦା ଅନିଚ୍ଛାସତ୍ତ୍ୱେ କହିଲା–ମୋପାଇଁ ଗୋଟିଏ ଡଙ୍ଗା ତୁମେ ଛାଡ଼ିଦିଅ । ଜିତିଯିବ ତ ଟଙ୍କା ନେଇନେବ; କିନ୍ତୁ ସେଥିରେ ମିଠେଇ ଆସିବ ନାହିଁ, କହିଦେଉଛି ।

 

“ତେବେ କ’ଣ ଔଷଧ ଆସିବ ?”

 

“ବାଃ, ତା’ଠୁଁ ଭଲ କଥା ଆଉ କ’ଣ ହୋଇପାରେ, କହିଲ ? ସହରର ହଜାର ହଜାର ଲୋକ କାଶ ଓ ଜ୍ୱରରେ ପଡ଼ିଛନ୍ତି । ସେମାନଙ୍କର ହେଲେ କିଛି ଉପକାର ହେଉ ।”

 

ସହସା ଲଲ୍ଲୁ ଆସି ଡଙ୍ଗା ଦୁଇଟି ଛଡ଼ାଇ ନେଇ ପାଣିରେ ପକାଇ ଦେଇ ତାଳି ମାରିବାକୁ ଲାଗିଲା ।

 

ନୟନା ବାଳକଟିକୁ ସ୍ନେହ–ଚୁମ୍ବନ ଦେଇ କହିଲା–ସେଠି ନିତି ଥରେ ଦୁଇଥର ୟାରି କଥା ମନେପକାଇ କାନ୍ଦେ ।

 

“ଆଚ୍ଛା, ମୋ କଥା କେବେ ମନେପଡ଼େ ?”

 

“କେବେ ନୁହେଁ; ବରଂ ଭାଇଙ୍କ କଥା ବରାବର ମନେପଡ଼େ । ଏଡ଼େ ନିଷ୍ଠୁର ଯେ ଖଣ୍ଡିଏ ଚିଠି ଭଲା ଦେଇଥାନ୍ତେ ଏ ଛ’ମାସ ଭିତରେ । ମୁଁ ବି ଠିକ୍ କରି ନେଇଛି–ତାଙ୍କ ଚିଠି ନ ପାଇବାଯାକେ ମୁଁ ଆଦୌ ଲେଖିବି ନାହିଁ ।”

 

“ତେବେ ସତରେ କ’ଣ ମୋ କଥା ମନେପଡ଼େନା ? ଆଉ ମୁଁ ଭାବୁଥାଏ, ତୁମେ ମୋତେ ଝୁରି ହେଉଥିବ ! ଯେମିତି ଭାଇ କି ସେମିତି ଭଉଣୀ ତ, ଆଖି ଆଗରୁ ଅନ୍ତର ହେଲେ ସରିଲା ।”

 

“ମୋର ତ ତୁମ ଉପରେ ରାଗ ହୁଏ । ଛ’ ମାସ ଭିତରେ ମୋଟେ ତିନିଥର ଗଲା । ପୁଣି ଲଲ୍ଲୁକୁବି ନେଲ ନାହିଁ ।”

 

“ଏ ଯାଇଥିଲେ କ’ଣ ଆସିବା ନାଁ ଧରିଥାନ୍ତା ?”

 

“ମୁଁ କ’ଣ ୟା’ର ଶତ୍ରୁ ?”

 

“ସେମାନଙ୍କ ଉପରେ ମୋର ବିଶ୍ଵାସ ନାହିଁ, ମୁଁ କ’ଣ କରିବି ? ମୁଁ ତ ବୁଝିପାରୁ ନାହିଁ, ତୁମେ ସେଠି ରହିଥିଲ କିପରି ?”

 

“କ’ଣ ଆଉ କରିଥାନ୍ତି, ପଳେଇ ଆସିଥାନ୍ତି ? ତା’ କରିଥିଲେବି ଲୋକେ ମୋରି ନିନ୍ଦା କରିଥାନ୍ତେ ।”

 

“ଆଚ୍ଛା ସତ କହିବ, ପତିଦେବତା ତୁମକୁ ଭଲ ପାଆନ୍ତି ?”

 

“ତା’ ତ ତୁମେ ଜାଣିଛ ।”

 

“ମୁଁ ତ ସେପରି ଲୋକକୁ ଆଦୌ ପାଟି ଫିଟାଇ ନଥାନ୍ତି ।”

 

“ମୁଁ ବି କେବେ ଫିଟାଇ ନାହିଁ ତ ।”

 

“ସତେ ! ଭାରି ଚିଡ଼ିଥିବେ, ନାଇଁ ! ଆଚ୍ଛା ସତ କଥା କହିଲ, ଚଉଠି ରାତିରେ କ’ଣ ହେଲା ? ତୁମକୁ ମୋ ରାଣ, ପଦଟିଏବି ମିଛ କହିବ ନାହିଁ ।”

 

ନୟନା ମଥା ନୁଆଁଇ କହିଲା–ଉଁ, ତୁମେ ମୋତେ ହଇରାଣ କରୁଛ ଭାଉଜ ! ରାଣ କାହିଁକି ପକାଇଲ, କହିଲ । ଯାଅ, ମୁଁ କିଛି କହିବିନି ।

 

“ହଉ ଭଉଣୀ, ନ କହ, କିଏ କ’ଣ ଜବରଦସ୍ତି କରୁଛି ?”

 

ଏତିକି କହି ସେ ଉଠି ଉପରକୁ ଚାଲିଲା । ନୟନା ତା’ର ହାତ ଧରିପକାଇ କହିଲା–ରାଣ ପକାଇ ଦେଇ ପଳେଇ ଯାଉଛ କ’ଣ ମ, ଭାଉଜ ? ବସି ଶୁଣ । ଆଜିଯାକେ ତାଙ୍କର ମୋର ଥରଟିଏବି କଥାଭାଷା ହୋଇନି ।

 

ସୁଖଦା ଚକିତ ହୋଇ କହିଲା–ଆରେ, ସତ କହ ।

 

ନୟନା ବ୍ୟଥିତ ହୃଦୟରେ କହିଲା–ସତ, ବିଲ୍‍କୁଲ୍ ସତ, ଭାଉଜ ! ମୁଁ ଯେଉଁଦିନ ଗଲି, ସେହିଦିନ ରାତିରେ ସେ ଗଳାରେ ହାର ପକାଇ ନିଶାରେ ଆଖି ଲାଲ କରି ମାତାଲ ପରି ପହଞ୍ଚିଲେ, ଯେମିତି ପିଆଦା ଖାତକଠୁଁ ମହାଜନର ଟଙ୍କା ଆଦାୟ କରିବାକୁ ଯା’ନ୍ତି । ମୋ ଓଢ଼ଣା ଖୋଲୁ ଖୋଲୁ କହିଲେ–ମୁଁ ତୁମ ଓଢ଼ଣା ଦେଖିବାକୁ ଆସିନି, ମତେ ଏ ସବୁ ଛଳନା ଭଲ ଲାଗେନା । ଆସ, ଏ ଚେଆର୍‍ରେ ବସ । ମୁଁ ପୁରୁଣାକାଳିଆ ଲୋକ ନୁହେଁ ଯେ କଣ୍ଢେଇ ଖେଳ ଖେଳିବି । ହସି ହସି ମୋତେ ସ୍ଵାଗତ କରିବା ତୁମର ଉଚିତ ଥିଲା, ନା ଓଲଟି ଓଢ଼ଣା ପକାଇ ବସିଛ, ଯେମିତି ମୋ ମୁହଁ ଚାହିଁବାକୁ ପସନ୍ଦ କରନା । ତାଙ୍କ ହାତ ପଡ଼ିବାକ୍ଷଣି ଯେମିତି ମୋ ଦେହକୁ ଗୋଟାଏ ସାପ କାମୁଡ଼ି ପକାଇଲା । ମୋର ଗୋଡ଼ରୁ ମୁଣ୍ଡଯାକେ ଥରିଗଲା । “ମୋ ଦେହକୁ ସ୍ପର୍ଶ କରିବାର କି ଅଧିକାର ତାଙ୍କର ଅଛି”, ଏହି ପ୍ରଶ୍ନ ମୋ ମନରେ ଗୋଟାଏ ଜ୍ଵାଳା ପରି ଉଠିଲା । ମୋ ଆଖିରୁ ଲୁହ ଝରିଲା । କେତେଦିନ ପୂର୍ବରୁ ମୁଁ ଯେଉଁ ସ୍ଵପ୍ନ ଦେଖୁଥିଲି, ତାହା କୁଆଡ଼େ ଯେମିତି ଉଭେଇଗଲା । ଏତେ ଦିନ ଧରି ଯେଉଁ ଦେବତାଙ୍କ ଉପାସନା କରି ଆସୁଥିଲି, ତାଙ୍କ ରୂପ କ’ଣ ଏହିପରି ? ସେ ରୂପରେ ଦେବତ୍ଵ ନଥିଲା କି ମନୁଷ୍ୟତ୍ଵ ନଥିଲା; ଥିଲା କେବଳ ମଦାନ୍ଧତା, ଅଧିକାର ଗର୍ବ ଆଉ ବିବେକହୀନ ନିର୍ଲଜ୍ଜତା ।

 

ମୁଁ ଶ୍ରଦ୍ଧାର ଥାଳରେ ମୋ ହୃଦୟର ସମସ୍ତ ଅନୁରାଗ, ଆନନ୍ଦ, ପ୍ରେମ ଭରି ସ୍ଵାମୀଙ୍କ ପାଦତଳେ ନିବେଦନ କରିବାକୁ ଚାହିଁ ବସିଥିଲି । ତାଙ୍କର ସେହି ରୂପ ଦେଖି ମୋ ହାତରୁ ଥାଳିଟି ଯେପରି ଖସିପଡ଼ିଲା, ଆଉ ସେଥିରେ ଥିବା ଧୂପ, ଦୀପ, ନୈବେଦ୍ୟ ଯେପରି ଭୂଇଁରେ ବିଛାଡ଼ି ହୋଇଗଲା । ମୋ ଚେତନାର ପ୍ରତ୍ୟେକ କଣିକା ଯେମିତି କି ସେହି ଅଧିକାର ଗର୍ବ ବିରୁଦ୍ଧରେ ବିଦ୍ରୋହ କରି ଉଠିଲା । ମୋର ପ୍ରତ୍ୟେକ ଅଣୁରେ ଭରି ରହିଥିବା ସେହି ଆତ୍ମ–ସମର୍ପଣଭାବ କୁଆଡ଼େ ଉଭେଇଗଲା । ମୋର ମନ ହେଉଥାଏ, କହିଦେବି କି ତୁମ ସହିତ ମୋର ବିବାହର ମାନେ ନୁହେଁ, ମୁଁ ତୁମର ଦାସୀ । ତୁମେ ମୋର ସ୍ଵାମୀ ହେଲେ ମୁଁ ବି ତୁମର ସ୍ୱାମୀନୀ । ପ୍ରେମର ଶାସନ ବ୍ୟତୀତ ଅନ୍ୟ ଶାସନ ମୁଁ ସ୍ଵୀକାର କରିପାରିବି ନାହିଁ କି ତୁମକୁ ସ୍ଵୀକାର କରାଇବାକୁ ଚାହୁଁନାହିଁ; କିନ୍ତୁ ମନ ଏପରି ଜଳିଯାଉଥିଲା ଯେ ଏତକ ତିରସ୍କାରବି ମୁଁ କରିପାରିଲି ନାହିଁ । ସଙ୍ଗେ ସଙ୍ଗେ ସେଠାରୁ ଉଠିଆସି ବାରଣ୍ଡାରେ ଠିଆ ହେଲି । ସେ ମୋତେ କିଛି ସମୟ ଘର ଭିତରେ ଅପେକ୍ଷା କଲେ । ତା’ପରେ ଉତ୍ତେଜିତ ଭାବରେ ଆସି ମୋ ହାତ ଧରି ଭିତରକୁ ନେଇଯିବାକୁ ଚାହିଁଲେ । ମୁଁ ଜୋରରେ ହାତଟା ଛଡ଼ାଇ ନେଇ କଠୋର ସ୍ଵରରେ କହିଲି–ଏ ଅପମାନ ମୁଁ ସହିପାରିବି ନାହିଁ ।

 

ସେ କହିଲେ–ଓହୋ, ଏଇ ରୂପପାଇଁ ଏତେ ଅଭିମାନ, ନା !

 

ମୋ ଦେହରେ ନିଆଁ ଲାଗିଗଲା । କିଛି ଉତ୍ତର ଦେଲି ନାହିଁ । ଏପରି ଲୋକକୁ କଥା କହିବାବି ମୋତେ ଅପମାନଜନକ ବୋଧ ହେଲା । ମୁଁ ଭିତରକୁ ଯାଇ କବାଟ ବନ୍ଦ କରିଦେଲି । ସେହି ଦିନରୁ କଥାବାର୍ତ୍ତା ବନ୍ଦ । ମୁଁ ତ ଠାକୁରଙ୍କୁ ଡାକୁଛି ଯେ ସେ ଅନ୍ୟ ବିବାହ କରନ୍ତୁ, ମୋତେ ଛାଡ଼ିଦିଅନ୍ତୁ । ଯେ ସ୍ତ୍ରୀଠାରେ କେବଳ ରୂପ ଦେଖିବାକୁ ଚାହେଁ, ଯେ କେବଳ ହାବଭାବ ଆଉ ଅଭିନୟର ଦାସ, ସ୍ତ୍ରୀକୁ ଯେ କେବଳ ସ୍ୱାର୍ଥ–ସିଦ୍ଧିର ସାଧନ ମନେକରେ, ତାକୁ ମୁଁ ତ ସ୍ଵାମୀ ବୋଲି ମାନିପାରିବି ନାହିଁ ।

 

ସୁଖଦା କୌତୁକରେ ପଚାରିଲା–ହେଲା, ତୁମେ ଏବେ ତୁମ ପ୍ରେମର କି ପରିଚୟ ଦେଲ ? ବିବାହର ନାମରେ କ’ଣ ଏପରି କଲ୍ୟାଣ ରହିଛି ଯେ ସ୍ଵାମୀ ପହଞ୍ଚୁ ପହଞ୍ଚୁ ତୁମ ପାଦତଳେ ମୁଣ୍ଡିଆ ମାରିଥାନ୍ତେ ?

 

ନୟନା ଗମ୍ଭୀର ହୋଇ କହିଲା–ହଁ, ମୁଁ ତ ଭାବେ, ବିବାହର ନାମରେହିଁ କଲ୍ୟାଣ ଅଛି-। ବିବାହକୁ ଧର୍ମର ବନ୍ଧନ ବୋଲି ଯେ ନ ବୁଝେ–କେବଳ କାମନା ତୃପ୍ତିର ସାଧନ ବୋଲି ମନେକରେ, ସେ ପଶୁ ।

 

ସହସା ଶାନ୍ତିକୁମାର ପାଣି ଜୁଡ଼ୁବୁଡ଼ୁ ହୋଇ ଆସି ଠିଆ ହୋଇଗଲେ ।

 

ସୁଖଦା ପଚାରିଲା–କେଉଁଠି ତିନ୍ତିଲେ ? କ’ଣ ଛତା ନଥିଲା ।

 

ଶାନ୍ତିକୁମାର ବର୍ଷାତି ଖୋଲି ଅଲଗୁଣୀ ଉପରେ ରଖିଦେଇ କହିଲେ–ଆଜି ବୋଡ଼୍–ମିଟିଙ୍ଗ୍ ଥିଲା । ଫେରିବାବେଳକୁ ଗାଡ଼ି–ଫାଡ଼ି ମିଳିଲା ନାହିଁ ।

 

“କ’ଣ ସବୁ ହେଲା ବୋଡ଼୍‍ରେ ? ଆମ ପ୍ରସ୍ତାବ ପେଶ୍ ହେଲା ତ ?”

 

“ଯାହା ଆଶଙ୍କା କରାଯାଉଥିଲା, ତାହାହିଁ ହେଲା ।”

 

“କେତେ ଭୋଟ୍‌ରେ ହାରିଲେ ?”

 

“ମୋଟେ ପାଞ୍ଚଟା ଭୋଟ୍‌ରେ । ଏହି ପାଞ୍ଚଟା ବିଶ୍ୱାସଘାତକତା କଲେ । ଲାଲା ଧନୀରାମ କିଛି ହେଲେ ବାକି ରଖି ନାହାନ୍ତି ।”

 

ସୁଖଦା ହତୋତ୍ସାହ ହୋଇ କହିଲା–ତେବେ ବର୍ତ୍ତମାନ ?

 

“ବର୍ତ୍ତମାନ ଖବରକାଗଜ ଆଉ ଭାଷଣ ଜରିଆରେ ଆନ୍ଦୋଳନ ଚଳାଇବାକୁ ହେବ ।”

 

ସୁଖଦା ଉତ୍ତେଜିତ ହୋଇ କହିଲା–ନା, ମୁଁ ଏତେଟା ସହନଶୀଳ ନୁହେଁ । ଲାଲା ଧନୀରାମ ଓ ତାଙ୍କ ସହଯୋଗୀମାନଙ୍କୁ ମୁଁ ଶାନ୍ତିରେ ଶୁଆଇ ଦେବି ନାହିଁ । ଏତେଦିନ ହେଲା ସମସ୍ତଙ୍କୁ ଖୋସାମତ କରି ଦେଖିନେଲୁ । ଏଣିକି ନିଜର ଶକ୍ତି ଦେଖାଇବାକୁ ପଡ଼ିବ । ପୁଣି ଦଶ–ବିଶ୍ ପ୍ରାଣ ଆହୁତି ଦେବାକୁ ପଡ଼ିବ । ତେବେ ଯାଇ ଲୋକଙ୍କ ଆଖି ଖୋଲିବ । ମୁଁ ଏମାନଙ୍କ ପକ୍ଷେ ଏ ସହରରେ ରହିବା ମୁସ୍କିଲ୍ କରିଦେବି ।

 

ଶାନ୍ତିକୁମାରଙ୍କର କ୍ରୋଧ ଲାଲା ଧନୀରାମଙ୍କ ଉପରେ । କହିଲେ–ଏ ସବୁ ସେହି ସେଠ ଧନୀରାମର ଖେଳ ।

 

ସୁଖଦା ଦ୍ୱେଷ ପ୍ରକାଶ କରି କହିଲା–ଯେଉଁ ରାମର ଖେଳ ହେଉ, ମୁଁ କାହାରିକି ଭ୍ରୂକ୍ଷେପ କରେନା । ବୋଡ଼୍ ଯେତେବେଳେ ଗୋଟିଏ ନିଷ୍ପତ୍ତି ନେଇଛି, ସେତେବେଳେ ତା’ର ଦାୟିତ୍ଵ ଜଣକ ମୁଣ୍ଡରେ ନୁହେଁ ତ, ସମୁଦାୟ ବୋଡ଼୍‍ ଉପରେ । ମୁଁ ସେହି ପ୍ରାସାଦବାସୀମାନଙ୍କୁ ଦେଖାଇ ଦେବି ଯେ ଜନତା ହାତରେ ମଧ୍ୟ କିଛି କ୍ଷମତା ଅଛି । ଲାଲା ଧନୀରାମ ସେ ଜମି ଉପରେ ପାଦ ପକାଇ ପାରିବେ ନାହିଁ ।

 

ଶାନ୍ତିକୁମାର କାତର ହୋଇ କହିଲେ–ମୋର ମନେହୁଏ, ବର୍ତ୍ତମାନ ପ୍ରୋପାଗାଣ୍ଡା କରିବାହିଁ ଯଥେଷ୍ଟ । ଏପରି କଲେ ସମସ୍ୟା ବଢ଼ିଯିବ ।

 

ଟ୍ରଷ୍ଟ୍ ଗଢ଼ାଯିବା ପରେ ଶାନ୍ତିକୁମାର କୌଣସି ବିପଜ୍ଜନକ କାମରେ ଆଗେଇବା ପାଇଁ ଚାହୁଁ ନଥିଲେ । ଏବେ ଗୋଟାଏ ସଂସ୍ଥାର ଭାର ତାଙ୍କ ଉପରେ ଏବଂ ଅନ୍ୟ ସାଧକଙ୍କ ପରି ସେ ସାଧନାକୁ ସିଦ୍ଧି ବୋଲି ମନେ କରୁଥିଲେ । ସେ ପଦେପଦେ ଦୁର୍ନାମର ଓ ସଂସ୍ଥାଟି ଭାଙ୍ଗିଯିବାର ଆଶଙ୍କା ପୋଷଣ କରୁଥିଲେ ।

 

ସୁଖଦା ତାଙ୍କୁ ତାତ୍ସଲ୍ୟ କଲା–ଆପଣ କିପରି କଥା କହୁଛନ୍ତି ଡାକ୍ତର ସାହେବ ! ମୁଁ ଏ ଶିକ୍ଷିତ ସ୍ଵାର୍ଥପରମାନଙ୍କୁ ଖୁବ୍ ଦେଖି ନେଲିଣି । ଏବେ ଜାଣିଲି, ଏମାନେ ଖାଲି ବାକ୍ୟବୀର । ମୁଁ ବି ଦେଖାଇ ଦେବି ଯେ ଯେଉଁ ଗରିବମାନଙ୍କୁ ସେମାନେ ଏପର୍ଯ୍ୟନ୍ତ ପଦ–ଦଳିତ କରି ଆସିଛନ୍ତି, ସେମାନେ ସାପ ହୋଇ ସେମାନଙ୍କ ପାଦକୁ ଛନ୍ଦି ଦେବେ । ଏମାନେ ଏପର୍ଯ୍ୟନ୍ତ ଅନୁଗ୍ରହ ଭିକ୍ଷା କରି ଆସିଲେ, ଏଣିକି ନିଜର ଅଧିକାର ଦାବି କରିବେ । ଅନୁଗ୍ରହ ନ କରିବା ସେମାନଙ୍କ ଆୟତ୍ତରେ; କିନ୍ତୁ ଆମର ଅଧିକାରରୁ ଆମକୁ ବଞ୍ଚିତ କରିବ କିଏ ? ଅନୁଗ୍ରହ ପାଇବାପାଇଁ କେହି ଜୀବନ ଦିଏନା; କିନ୍ତୁ ଅଧିକାର ପାଇବାପାଇଁ ସମସ୍ତେ ଜୀବନ ଦେଇ ଜାଣନ୍ତି । ମୁଁ ବି ଦେଖିନେବି, ଲାଲା ଧନୀରାମ ଓ ତାଙ୍କର ପଛଗୋଡ଼ାମାନଙ୍କ ଦୌଡ଼ କେତେଦୂର ।

 

କହୁ କହୁ ସୁଖଦା ସେହି ବର୍ଷାରେ କୋଠରୀରୁ ବାହାରି ଆସିଲା ।

 

ମିନିଟିଏ ପରେ ଶାନ୍ତିକୁମାର ନୟନାକୁ ପଚାରିଲେ–କୁଆଡ଼େ ଚାଲିଗଲେ ? ଖୁବ୍ ଶୀଘ୍ର ତାତି ଉଠନ୍ତି ।

 

ନୟନା ଏଣିକି ତେଣିକି ଚାହିଁ ବେହେରାଠାରୁ ଜାଣିବାକୁ ପାଇଲା ଯେ ସୁଖଦା ବାହାରକୁ ଗଲେ । ସେ ଶାନ୍ତିକୁମାରଙ୍କୁ ଜଣାଇଲା ।

 

ଶାନ୍ତିକୁମାର, ବିସ୍ମିତ ହୋଇ କହିଲେ–ଏ ବର୍ଷାଟାରେ କୁଆଡ଼େ ଆଉ ଗଲେ ! ମୋର ଆଶଙ୍କା, କୁଆଡ଼େ ହରତାଳ କି କ’ଣ ଆରମ୍ଭ କରିଦେବେ ଯେ । ତୁମେ ତ ତେଣେ ଯାଇ ମୋତେ ଭୁଲିଗଲ, ନୟନା ! ଚିଠି ଖଣ୍ଡିଏବି ଲେଖିଲ ନାହିଁ !

 

ଅକସ୍ମାତ୍ ତାଙ୍କୁ ବୋଧ ହେଲା ଯେ ତାଙ୍କ ମୁହଁରୁ ଗୋଟାଏ ଅନୁଚିତ କଥା ବାହାରି ଯାଇଛି । ନୟନାକୁ ଏପରି ପ୍ରଶ୍ନ ପଚାରିବା ତାଙ୍କର ଅନୁଚିତ ହେଲା । ସେ ମନେମନେ ଏହାର କି ଅର୍ଥ କରିବ କେଜାଣି ! ସେ ଅନୁଭବ କଲେ ଯେପରିକି କେହି ତାଙ୍କର ଗଳା ଚିପି ଧରିଛି । ସେ ସେଠାରୁ ପଳାଇଯିବାର ରାସ୍ତା ଖୋଜିବାକୁ ଲାଗିଲେ । ଆଉ ମୁହୂର୍ତ୍ତେବି ସେଠି ବସିବା ତାଙ୍କ ପକ୍ଷେ ଅସମ୍ଭବ । ତାଙ୍କ ମନ ଅସ୍ଥିର ହେଲା, କାଳେ ନୟନା ବିରକ୍ତ ହୋଇ ତାଙ୍କୁ କିଛି କହିପକାଇବ । ଏପରି ମୂର୍ଖତା ସେ କଲେ କେମିତି ! ବର୍ତ୍ତମାନ ତାଙ୍କ ଇଜ୍ଜତ ଈଶ୍ୱରଙ୍କ ହାତରେ !

 

ନୟନାର ମୁଖ ଆରକ୍ତ ହୋଇଗଲା । କୌଣସି ଉତ୍ତର ନ ଦେଇ ସେ ଲଲ୍ଲୁକୁ ଡାକି ଡାକି ସେ ଘରକୁ ବାହାରିଗଲା । ଶାନ୍ତିକୁମାର ମୂର୍ତ୍ତିଟି ପରି ବସି ରହିଲେ । ଶେଷରେ ସେ ଉଠି ଏପରି ଭାବରେ ଚାଲିଲେ, ସତେଅବା ଜୋତାପାହାର ବାଜିଛି । ନୟନାର ସେହି ଆରକ୍ତ ମୁଖମଣ୍ଡଳ ଗୋଟାଏ ଦୀପ ପରି ତାଙ୍କର ଅନ୍ତରପଟକୁ ପୋଡ଼ି ପକାଉଥିଲା ।

 

ନୟନା ସହୃଦୟତାର ସହ କହିଲା–କୁଆଡ଼େ ବାହାରିଲେ ଡାକ୍ତର ସାହେବ ! ବର୍ଷାଟା ଛାଡ଼ିଯାଉ ।

 

ଶାନ୍ତିକୁମାର କ’ଣ କହିବାକୁ ଚାହୁଁଥିଲେ; ମାତ୍ର ତାଙ୍କ କଣ୍ଠରେ ଶବ୍ଦ ବଦଳରେ ଯେପରି ଲୁଣ–ମୁଣ୍ଡାଏ ଅଟକି ଯାଇଥାଏ । ସେ ତରତର ହୋଇ ବାହାରକୁ ଚାଲିଗଲେ । ତାଙ୍କର ପାଦ ଏପରି ଅନାୟତ୍ତ ଥାଏ, ସତେବା କେତେବେଳେ ପଡ଼ିଯିବେ । ଚକ୍ଷୁରେ ଅଶ୍ରୁ–ସାଗର ଉଛୁଳି ଉଠୁଥାଏ ।

 

–୩୫–

 

ଏବେସୁଦ୍ଧା ମୂଷଳ–ଧାରାରେ ବର୍ଷା ହେଉଛି । ଯଥାସମୟ ପୂର୍ବରୁ ସନ୍ଧ୍ୟା ଆସିଯାଇଛି-। ଏଣେ ସୁଖଦା ଦେବମନ୍ଦିରରେ ବସି ଏପରି ହରତାଳର ଆୟୋଜନ କରୁଛି, ଯାହାକି ମ୍ୟୁନିସିପାଲ ବୋଡ଼୍‍ ଓ ତା’ର କର୍ଣ୍ଣଧାରମାନଙ୍କ ମଥା ସବୁଦିନ ପାଇଁ ନୁଆଁଇ ଦେବ । ସେମାନଙ୍କୁ ଚିରକାଳ ପାଇଁ ଶିକ୍ଷା ମିଳିବ ଯେ ସେମାନେ ଯେଉଁମାନଙ୍କୁ ନୀଚ ମନେକରନ୍ତି, ସେହିମାନଙ୍କର ଦୟା ଓ ସେବା ଉପରେ ସେମାନଙ୍କ ଜୀବନ ନିର୍ଭର କରେ । ନଗରସାରା ଗୋଟାଏ ଚାଞ୍ଚଲ୍ୟ ଖେଳି ଯାଇଛି, ସତେ ଯେପରି କୌଣସି ଶତ୍ରୁ, ନଗର ଅବରୋଧ କରିଛି ! କେଉଁଠି ଧୋବାମାନେ ଏକଜୁଟ ହେଉଛନ୍ତି ତ କେଉଁଠି ଚମାରମାନେ, କେଉଁଠି ବା ମେହେନ୍ତରମାନେ-। ଗଉଡ଼, ବାରିକମାନଙ୍କ ପଞ୍ଚାୟତ ଅଲଗା ବସିଛି । ସୁଖଦା ଦେବୀଙ୍କ ଆଦେଶ କିଏ ଅମାନ୍ୟ କରିବ-! ସାରା ସହରରେ ଏ ସମ୍ବାଦ ଏତେ ଶୀଘ୍ର ବ୍ୟାପିଯାଇଛି ବୋଲି ବିଶ୍ଵାସ କରି ହେଉ ନାହିଁ । ଏପରି ସମୟରେ ଧାଉଁଡ଼ିଆ କେଉଁଠୁଁ ବାହାରି ପଡ଼ନ୍ତି କେଜାଣି, ଯେପରି ପବନରେବି ଚାଞ୍ଚଲ୍ୟ ଖେଳିଯାଏ । ମାସ ମାସ ଧରି ଲୋକେ ଆଶା କରି ରହିଛନ୍ତି ଯେ ନୂଆ ନୂଆ ଘରେ ରହିବେ–ସଫା–ସୁତରା, ପବନ ଚଳାଚଳ କରୁଥିବା ଘରେ । ସେଠି ଖରା, ପବନ, ଆଲୁଅ ସବୁ ମିଳିବ-। ସମସ୍ତେ ଗୋଟାଏ ନୂଆ ଜୀବନର ସ୍ଵପ୍ନ ଦେଖୁଥିଲେ । ଆଜି ନଗରର କର୍ମକର୍ତ୍ତାମାନେ ସେମାନଙ୍କର ସମସ୍ତ ଆଶା ଧୂଳିରେ ମିଶାଇ ଦେଇଛନ୍ତି ।

 

ନଗରର ଜନସାଧାରଣ ଆଉ ସେ ଅବସ୍ଥାରେ ନାହାନ୍ତି ଯେ–ସେମାନଙ୍କ ଉପରେ ଯେତେ ଅନ୍ୟାୟ–ଅତ୍ୟାଚାର ହେଲେବି ନୀରବରେ ସହିଯିବେ । ସେମାନେ ନିଜର ଅଧିକାର ବିଷୟରେ ସଚେତନ । ସେମାନେ ଜାଣିପାରିଲେଣି ଧନୀମାନଙ୍କ ପରି ସେମାନଙ୍କର ମଧ୍ୟ ଆରାମରେ ଚଳିବାର ଅଧିକାର ଅଛି । ସଂଗଠିତ ଦାବିର ସଫଳତା ସେମାନେ ଥରେ ଦେଖି ସାରିଛନ୍ତି । କର୍ମକର୍ତ୍ତାମାନଙ୍କର ନିରଙ୍କୁଶତା ଓ ସ୍ଵାର୍ଥପରତା ସେମାନଙ୍କୁ ଅସହ୍ୟ ହେଲାଣି । ତଦୁପରି ଏହା କୌଣସି ସିଦ୍ଧାନ୍ତ ଉପରେ ରାଜନୈତିକ ଦ୍ଵନ୍ଦ୍ଵ ନୁହେଁ ଯେ ଜନସାଧାରଣ ତାହାର ପ୍ରତ୍ୟକ୍ଷସ୍ଵରୂପ ସହଜରେ ବୁଝିପାରନ୍ତେ ନାହିଁ । ଏହି ଆନ୍ଦୋଳନର ଆଶୁଫଳ ସେମାନଙ୍କ ଆଖି ଆଗରେ । ଭାବନା ବା କଳ୍ପନାର ଆଶ୍ରୟ ନେବା ଦରକାର ନାହିଁ । ସନ୍ଧ୍ୟା ହେଉ ହେଉ ମନ୍ଦିର–ପ୍ରାଙ୍ଗଣରେ ଜନସମାଗମ ଆରମ୍ଭ ହୋଇଯାଇଛି ।

 

ଧୋବାମାନଙ୍କ ବେହେରା ମେକୁ । ନିଶାରେ ଆଖି ଲାଲ ଲାଲ, ବୋଦାଳିଆ ଦାଢ଼ି ହଲାଇ କହିଲା–ଲୁଗା ସଜାଡ଼ୁଥିଲି କି ଖବର ମିଲିଲା, ଦଉଡ଼ିଛି ତ ! ଘରେ ତ ଲୁଗା ରଖିବାକୁ ଜାଗା ନାହିଁ, ଓଦା ଲୁଗାଗୁଡ଼ାକ ଶୁଖିବ କେଉଁଠି ?

 

ତା’ ଉପରେ ଜଗନ୍ନାଥ ଝାଡ଼ୁଦାର ପାଟି କରି ଉଠିଲା–ମିଛଗୁଡ଼ାକ କାହିଁକି ବକୁଛୁ କହିଲୁ, ମେକୁ ! ତୁ ଏଇଛୁଣି ଲୁଗା ସଜାଉଥିଲୁ, ନାଇଁ ? ସିଧା ତାଡ଼ିଖଟିରୁ ଆସୁଛୁ ପରା ! କେତେ ବୁଝାଗଲା, ହେଲେ ତୁ ଖୋଇ ଛାଡ଼ିଲୁ ନାହିଁ ।

 

ମେକୁ ତାତିଉଠି କହିଲା–ହଁ–ହଁ ମୁହଁ ବନ୍ଦକର ବେହେରା ! ନୋହିଲେ ତୋ ଗୁମର ପଦାରେ ପକେଇ ଦେବି । ଘରେ ବସି ବୋତଲ ବୋତଲ ଉଡ଼େଇ ଦଉଚୁ, ଆଉ ଏଠି ଢମ ଦେଖଉଚୁ !

 

ମେହନ୍ତରଙ୍କ ଜମାଦାର ମତଇ ଠିଆ ହୋଇଯାଇ ତା’ର ଜମାଦାରି ବଡ଼ିମା ଦେଖାଇ କହିଲା–ପଞ୍ଚଭାଇମାନେ, ଏଟା କଳିକଜିଆ କରିବାବେଳ ନୁହେଁ । ମାଆ ଯେଉଁ କାମପାଇଁ ଡକାଇଛନ୍ତି, ତା’ ଦେଖ । ଏଇଛୁଣି ଆମକୁ କ’ଣ କରିବାକୁ ହେବ ଫଇସଲା କର । ସେଇ ବିଲ–ଖାଲରେ ପଡ଼ି ଶଢ଼ୁଥିବା କି ହାକିମ ପାଖରେ ଯାଇ ଗୁହାରି କରିବା ?

 

ସୁଖଦା ବିଦ୍ରୋହପୂର୍ଣ୍ଣ ସ୍ଵରରେ କହିଲା–ହାକିମଙ୍କ ପାଖେ କହିବା ଶୁଣିବା ସବୁ ସରିଯାଇଛି । ସେ କଥା କେହି କାନକୁ ନେଲେ ନାହିଁ । ଛ’ ମାସ ହେଲା ଏହି କୁହା–ଶୁଣା ଚାଲିଛି । ଆଜିଯାକେ ଯେତେବେଳେ କିଛି ଫଳ ନ ମିଳିଲା, ବର୍ତ୍ତମାନ ଆଉ କ’ଣ ମିଳିବ ? ଆମେ ହାରି–ଗୁହାରି କରି କାମ ଉଠାଇବାକୁ ଚାହିଁଥିଲୁ; କିନ୍ତୁ ଜଣାଗଲା ଯେ ସିଧା ଆଙ୍ଗୁଳିରେ ଘିଅ ଉଠିବ ନାହିଁ-। ଆମେ ଯେତେ ଦବିବା, ଏ ବଡ଼ଲୋକମାନେ ଆମକୁ ସେତିକି ଦବାଇ ରଖିବେ । ଆଜି ତୁମକୁ ସ୍ଥିର କରିବାକୁ ହେବ ଯେ ତୁମେ ତୁମର ହକ୍‍ପାଇଁ ଲଢ଼ିବାକୁ ତିଆର କିନା ।

 

ଚମାରମାନଙ୍କ ମୁଖିଆ ସୁମେର ବାଡ଼ି ଭାଗଦେଇ, ମୋଟା ଚଷମା ଲଗାଇ ପାକୁଆ ପାଟିରେ କହିଲା–ହାରି–ଗୁହାରି ଛଡ଼ା ଆମେ ବା ଆଉ କ’ଣ କରିପାରିବୁ, ମା’ ! ଆମର ଆଉ ଚାରା କ’ଣ ?

 

ମୁରଲୀ ଖଟିକ ବଡ଼ବଡ଼ ନିଶ ଉପରେ ହାତ ବୁଲାଇ କହିଲା–ଚାରା ନାହିଁ କେମିତି ? ଆମେ ଆଉ ମଣିଷ ନୋହୁଁ ନା ଆମର ଛୁଆ–ପିଲା ନାହାନ୍ତି ? ଲୋକେ କୋଠା ଚାହୁଁଛନ୍ତି, ବଙ୍ଗଳା ଚାହୁଁଛନ୍ତି; ଆମକୁ କଚାଘରବି ମିଳିବ ନାହିଁ ? ମୋ ଘରେ ପାଞ୍ଚପ୍ରାଣୀ କୁଟୁମ । ତାଙ୍କ ଭିତରୁ ଚାରିଜଣ ମାସେ ହେଲା ବେମାର ପଡ଼ିଛନ୍ତି । ସେ ଅନ୍ଧାରି ଗୁହାରେ ବେମାର ନ ହେବେ ତ ଆଉ କ’ଣ ହେବେ ? ସାମନାରେ ମଇଳା ନର୍ଦ୍ଦମା । ନିଃଶ୍ଵାସ ନେଲାବେଳକୁ ନାକ ଫାଟିପଡ଼ୁଛି ।

 

ଇଦୂ କୁଞ୍ଜଡ଼ା ତା’ର ନଇଁ ପଡ଼ିଥିବା କମରକୁ ସିଧା କରୁ କରୁ କହିଲା ଆରାମ କରିବା ନସିବରେ ଥିଲେ ଆମେବି କୋଉ ବଡ଼ଲୋକ ଘରେ ଜନ୍ମ ଲେଇ ନଥାନ୍ତେ କି ? ଆଜି ଏବେ ହାଫିଜ୍‌ ହଲୀମ୍ ବଡ଼ଲୋକ ହୋଇଗଲେ, ନଇଲେ ମୋ’ରି ଆଗରେ ଜୋତା ବିକୁଥିଲେନା । ଯୁଦ୍ଧବେଳେ ଉଠିଗଲେ । ଏବେ ଦେଖ ସାଆନ୍ତିଆ ଥାଟ୍ । ପାଖକୁ ଗଲେ ଚିହ୍ନିପାରିବେ ନାହିଁ । ସେତେବେଳେ ସିନା ପଇସା–ଅଧଲାକର ମୂଳା କି ଜହ୍ନି ଉଧାର ନେଇ ଯାଉଥିଲେ । ଆଲ୍ଲା ବଡ଼ କାରସାଦ । ଏବେ ତ ପୁଅବି ବଡ଼ ହାକିମ ହୋଇଗଲାଣି । ପଚାରୁଛ କ’ଣ ?

 

ଜଙ୍ଗଲୀ ଯୋସୀ (ଗଉଡ଼), ଦେଖିବାକୁ କାଳିଆ ଭୂତ, ସହରର ନାମୀ ପହଲ୍ଉଆନ୍; କହିଲା–ମୁଁ ପରା ମୂଳୁ ଜାଣିଛି, କିଛି ହେଇ ନାହିଁ କି ହେଇପାରିବ ନାହିଁ । ବଡ଼ବଡ଼ଙ୍କୁ ଛାଡ଼ି ଆମକୁ କିଏ ପଚାରେ ?

 

ଅମୀର ବେଗ୍ ସରୁଆ ଲମ୍ବା ବେକ ବଢ଼ାଇ କହିଲା–ବୋଡ଼୍ ଯେଉଁ ଫୈସଲା ଦେଲା, ତା’ର ତ ପୁଣି ଅପିଲ୍ କେଉଁଠି ହେଉଥିବ । ହାଇକୋର୍ଟରେ ଅପିଲ୍ କରିଦେଲେ ହୁଅନ୍ତା । ହାଇକୋର୍ଟ ନ ଶୁଣିବ ତ ବାଦଶାହଙ୍କ ଦରବାରରେ ନାଲିଶ୍ କରିବା ।

 

ସୁଖଦା ବିସ୍ମିତ ମୁଖରେ କହିଲା–ଏହି ଯାହା ତୁମମାନଙ୍କ ଆଗରେ ହେଉଛି, ସେଇଟାହିଁ ବୋଡ଼୍‍ର ନିଷ୍ପତ୍ତି ବିରୁଦ୍ଧରେ ଅପିଲ୍ । ଆପଣମାନେହିଁ ହାଇକୋର୍ଟ, ଆପଣମାନେହିଁ ଜଜ୍ । ବୋଡ଼୍‍ ଅନାଏ ଧନୀ–ଅମୀରଙ୍କ ମୁହଁକୁ । ଅମୀରମାନଙ୍କ ମହଲ ତିଆରିପାଇଁ ଗରିବଙ୍କ ବସତି ଖୋଳି ତାଡ଼ି ଫିଙ୍ଗି ଦିଆଯାଏ । ଗରିବଙ୍କୁ ପାଞ୍ଚ–ଦଶ ଟଙ୍କା କ୍ଷତିପୂରଣ ଦେଇ ସେହି ଜମିରୁ ହଜାର ହଜାର ଟଙ୍କା ଆଦାୟ କରାଯାଏ । ସେହି ଟଙ୍କାରେ ବଡ଼ବଡ଼ ଅଫିସରମାନଙ୍କୁ ଦରମା ଦିଆଯାଏ । ଯେଉଁ ଜମିପାଇଁ ଆମେ ଦାବି କରୁଥିଲେ, ତାହା ଲାଲା ଧନୀରାମଙ୍କୁ ଦେଇ ଦିଆଗଲା । ଟଙ୍କା ବୋଡ଼୍‍ର ପ୍ରିୟ, ତା’ ଦୃଷ୍ଟିରେ ତୁମମାନଙ୍କ ଜୀବନର କିଛି ମୂଲ୍ୟ ନାହିଁ । ଏହି ସ୍ୱାର୍ଥୀମାନଙ୍କଠାରୁ ନ୍ୟାୟ ପାଇବାର ଆଶା ଛାଡ଼ିଦିଅ । ତୁମମାନଙ୍କ ମଧ୍ୟରେ କି ଶକ୍ତି ରହିଛି, ତାହା ସେମାନେ ଭୁଲିଗଲେଣି । ସେମାନେ ଭାବୁଛନ୍ତି, ଏ ଗରିବଗୁଡ଼ାକ ଆମର କ’ଣ କରିପାରିବେ । ମୁଁ କହୁଛି, ତୁମରି ହାତରେ ସବୁ ଅଛି । ଆମେ ଲଢ଼େଇ କରିବା ନାହିଁ, ଝଗଡ଼ା କରିବା ନାହିଁ, କେବଳ ହରତାଳ କରିବା । ଦେଖାଇଦେବା ଯେ ଆମେ ବୋଡ଼୍‍ର ନିଷ୍ପତ୍ତିକୁ ସ୍ଵୀକାର କରୁନାହୁଁ । ଏ ହରତାଳ ଦିନେ–ଦୁଇଦିନ ପାଇଁ ହେବ ନାହିଁ; ଯେ ପର୍ଯ୍ୟନ୍ତ ବୋଡ଼୍‍ ଏ ନିଷ୍ପତ୍ତିକୁ ରଦ୍ଦ କରି ଜମି ନ ଦେଇଛି, ସେ ପର୍ଯ୍ୟନ୍ତ ଏହା ଚାଲିବ । ମୁଁ ଜାଣେ, ଏପରି ହରତାଳ କରିବା ସହଜ ନୁହେଁ । ଆପଣମାନଙ୍କ ଭିତରେ ଅନେକ ଅଛନ୍ତି, ଯେଉଁମାନଙ୍କ ଘରେ ଦିନେ ଓଳିଏପାଇଁବି ଖାଇବାକୁ ନାହିଁ; ଆଉ ମଧ୍ୟ ଜାଣେ ଯେ ଦୁଃଖ ନ ସହିଲେ ସୁଖ ମିଳେ ନାହିଁ ।

 

ସୁମେର ଜୋତା ଦୋକାନ କରିଛି । ତିନି–ଚାରିଜଣ ଚମାର ଚାକର ରଖିଛି । ନିଜେ ଜୋତା କାଟେ । ମଜୁରିଆରୁ ପୁଞ୍ଜିପତି ହୋଇଗଲାଣି । ଘାସ କଟାଳି ଓ ସଇସମାନଙ୍କୁ ସୁଧରେ ଟଙ୍କା ଧାର ଦିଏ । ମୋଟା ଚଷମା ପଛରୁ କଟାସ ପରି ଚାହିଁ କହିଲା–ଆମ ବିରାଦରୀରେ ତ ହରତାଳ ଚଳାଇବା ମୁସ୍କିଲ୍, ବୋହୂ–ମା’ ! ଏକେ ତ ଆପଣଙ୍କ ଗୋଲାମ, ଆଉ ଜାଣୁଛି ଯେ ଆପଣ ଯାହା କରୁଛନ୍ତି, ଆମରି ଭଲପାଇଁ; ହେଲେ ଆମ ବିରାଦରୀରେ ହରତାଳ ଚାଲିବା ମୁସ୍କିଲ୍-। ବିଚରା ଦିନସାରା ଘାସ କାଟନ୍ତି, ସଞ୍ଜବେଳକୁ ସେଇଆକୁ ବିକି ଡାଲି–ଚାଉଳ କିଣନ୍ତି, ତେବେ ଯାଇ ଚୁଲି ଉପରକୁ ହାଣ୍ଡି ଯାଏଁ । କିଏ ସଇସ, କିଏ କୋଚମାନ୍, ବିଚାରାଙ୍କ ଚାକିରି ଯିବ ସିନା-। ଏବେ ତ ସବୁ ଜାତିର ଲୋକେ ସେ କାମ କଲେଣି । ତାଙ୍କ ଚାକିରିକି ଆଉ କିଏ ମାରିନିଏ ତ ବିଚାରା କରିବେ କ’ଣ ?

 

ସୁଖଦା ବିରୋଧ ସହିପାରେ ନାହିଁ । ତା’ ଦୃଷ୍ଟିରେ ଏ ସବୁ ଅସୁବିଧାର କୌଣସି ଗୁରୁତ୍ଵ ନାହିଁ । ଚିଡ଼ିଉଠି କହିଲା–ତେବେ କ’ଣ ତୁମେ ଭାବିଥିଲ ଯେ କିଛି ନ କରି, ନ ଧରି ତୁମକୁ ରହିବାପାଇଁ ଭଲ ଭଲ କୋଠାଘର ମିଳିଯିବ ? ସଂସାରରେ ସବୁଠୁ ଅଧିକ କଷ୍ଟ ସହି ପାରିଲାବାଲା ଜିତେ ।

 

ମତଇ ଜମାଦାର କହିଲା–ହରତାଳ କଲେ ସମସ୍ତଙ୍କୁ ତ ହାନି ସହିବାକୁ ପଡ଼ିବ, ତୁମେ ହେଲେ କ’ଣ ନା ଆମେ ହେଲେ କ’ଣ ? ଧୂଆଁ ନହେଲେ ନିଆଁ ଜଳିବ କୁଆଡ଼ୁ ? ମା’ଙ୍କ ଆଗରେ ଆମେ ଯେବେ କିଛି ନ କରିବା, ଜାଣିଥା, ଦେହକସାରା ଠୋକର ଖାଇବାକୁ ପଡ଼ିବ । ଆଉ ଏମିତି କିଏ ଅଛି ଯେ ଆମ ଗରିବ–ଗୁରୁବାଙ୍କ ଦୁଃଖ ବୁଝିବ ? ହେଲା ଯଦି ଚାକିରି ଚାଲିଯାଏ, ଆମେ ସମସ୍ତେ ତ ଚାକିରିଆ, କିଏ ସରକାରର ତ କିଏ ଅବା କେଉଁ ବଡ଼ଲୋକର ଚାକର । ଆଜି ଆମେ ଏଠି ନିୟମ କରିବା ଯେ ହରତାଳ ଚାଲିଥିବାଯାକେ କେହି କାହାରି ଜାଗା ଆବୁରିବା ନାହିଁ–ପଛେ ଭୋକ–ଉପାସରେ ମଲେ ମରିବା ।

 

ସୁମେର ମତଇର କଥାକୁ କାଟି କହିଲା–ତୁମେ, ଜମାଦାରେ, କଥା ବୁଝୁନାହିଁ, ଖାଲି ମଝିକି ଡେଇଁପଡ଼ୁଛ । ତୁମ କଥା ନିଆରା, ଆମ କଥା ନିଆରା । ତୁମ କାମ ଆଉ କେହି କରିପାରିବେ ନାହିଁ, ଆମ କାମ ସମସ୍ତେ କରିବେ ।

 

ମେକୁ ସୁମେରକୁ ସମର୍ଥନ କଲା–ଖାସା କଥା କହିଲ, ସୁମେର ଭାଇ ! ଆମ କଥା ଦେଖୁନ । ଏଣିକି ଶିକ୍ଷିତ ଲୋକେବି ଲୁଗା ଧୁଲେଇ ବେଉସା କଲେଣି । ଜାଗାକୁ ଜାଗା କୁମ୍ପାନି ଖୋଲିଗଲାଣି । ଗରାଖ ଘରୁ ଲୁଗା ଆଣିବାକୁ ଦିନେ ଡେରି କରିଦେଲେ ସେ ତେଣେ କୁମ୍ପାନିକୁ ଲୁଗା ପଠାଇ ଦେଉଛି । ଆମ ହାତରୁ ଗରାଖ ବାହାରିଯାଉଛି । ହରତାଳ ପାଞ୍ଚଦଶ ଦିନ ଚାଲେ ତ ଆମ ରୋଜଗାର ମାଟି ହୋଇଯିବ ସିନା । ଏବେ ପେଟକୁ ମୁଠାଏ ଦାନା ମିଳୁଛି, ସେତେବେଳେ ତ ତା’ବି ମିଳିବ ନାହିଁ ।

 

ମୁରଲୀ ଖଟିକ ପାଟିକରି କହିଲା–କିଛି କରିବାକୁ ଯେବେ ବଳ ନ ପାଉଛି, ତେବେ କେଉଁ ସାହସରେ ଲଢ଼େଇକି ବାହାରି ପଡ଼ିଥିଲ ? ବସି କାନ୍ଦିଲେ ପାଟିରେ ଦୁଧ ପଶିଯିବ ବୋଲି ଭାବିଥିଲ ପରା ! ସେ ଯୁଗ ଆଉ ନାହିଁ । ନିଜର ଆଉ ପିଲାଛୁଆଙ୍କର ସୁଖ ଦେଖିବାକୁ ଚାହୁଁଥାଅ ତ ସବୁ ରକମର ଆପଦ–ବିପଦକୁ ମଥା ପତେଇବାକୁ ପଡ଼ିବ । ତା’ ନହେଲେ ଆରାମରେ ଯାଇ ଘରେ ବସ, ଆଉ ମଶା–ମାଛି ପରି ମର ।

 

ଇଦୂ ଧାର୍ମିକ ଗମ୍ଭୀରତା ଦେଖାଇ କହିଲା–ନସିବରେ ଯା’ ଅଛି, ସେଇ ତ ହେବ । ହାୟ–ହାୟ କରି କିଛି ଫାଇଦା ନାହିଁ । ନସିବ ତେଜ ଥିବାରୁ ହାଫିଜ୍ ବଡ଼ଲୋକ ହୋଇଗଲେନା । ଆଲ୍ଲାଙ୍କ ମରଜି ହେଲେ ଘର ବନିବାକୁ ଡେରି ଲାଗିବ ନାହିଁ ।

 

ଜଙ୍ଗଲୀ ତାକୁ ସମର୍ଥନ କଲା–ବାଃ–ବାଃ, ତୁ ତ ଲକ୍ଷେ ଟଙ୍କାର କଥାଟା କହିଲୁ, ଇଦୂ ମିଆଁ ! ଆମର ତ ଦୁଧ ହେଲା ସୌଦା । ଦିନେ ନ ଦେଲେ କି ଡେରିରେ ପହଞ୍ଚିଲେ ଚାଲିଲା ଧମକାଣ–ଆମେ ଡାଇରିଫାର୍ମରୁ ଆଣିବୁ, ତୁ ବହୁତ ଡେରି କରୁଛୁ । ଆଉ ପାଞ୍ଚ–ଦଶ ଦିନ ହରତାଳ ଚାଲିରେ ତ ଆମ ବେଉସା ବୁଡ଼ିଯିବ । ଦୁଧ ତ, ଭାଇ, ଆଜି ନହେଲେ କାଲି ବିକ୍ରି ହେବା ପଦାର୍ଥ ନୁହେଁ ।

 

ଇଦୂ କହିଲା–ମୋ ପରିବା–ଶାଗରବି ସେଇ ହାଲ୍, ଭାଇ ! ବର୍ଷାଦିନ, ସକାଳ ମାଲ ସଞ୍ଜକୁ ପଚିଯାଉଛି । ଆଉ ସେମିତି ବା କିଏ ପଚାରେ ?

 

ଅମୀର ବେଗ୍ ତା’ର ବଗ ବେକ ପରି ବେକ ଟେକି କହିଲା–ବୋହୂ ମା’ ! ମୁଁ ତ ଆଇନ–କାନୁନ ଜାଣେନା, ହେଲେ ଏତିକି ଜାଣେ ଯେ ବାଦଶାହ ରୟତ୍‌ଙ୍କ କଥା ଜରୁର ବିଚାର କରନ୍ତି । ରାତିକୁ ପୋଷାକ ବଦଳାଇ ରୟତ୍‌ଙ୍କ ହାଲ୍ ବୁଝିବାକୁ ବାହାରନ୍ତି । ଏମିତି ଗୋଟାଏ ଅରାଜି ତିଆର କରି ସେଥିରେ ଆମ ସମସ୍ତଙ୍କ ଦସ୍ତଖତ ନେଇ ବାଦଶା’ଙ୍କ ସାମନେ ପେଶ୍ କରାଯାନ୍ତା, ତେବେ ତା’ ଉପରେ ଜରୁର ବିଚାର ହୁଅନ୍ତା ।

 

ସୁଖଦା ଜଗନ୍ନାଥ ଆଡ଼କୁ ଆଶାୟୀ ଆଖିରେ ଚାହିଁ କହିଲା–ତୁମେ କ’ଣ କହୁଛ, ଜଗନ୍ନାଥ ! ଏମାନେ ତ ମନା କରିଦେଲେ ।

 

ଜଗନ୍ନାଥ କାନ୍ଧ ଝାଡ଼ି କହିଲା–ତାହାହେଲେ ବୋହୂ–ମା’ ! ଏ ତ ଜଣକିଆ କଥା ନୁହେଁ-। ସବୁ ଭାଇ ଯେବେ ଏକଜୁଟ ହେବେ, ମୁଁ ତିଆର ଅଛି । ଆମ ଜାତି ଭାଇ ତ ଚାକିରିକରି ପେଟ ପୋଷନ୍ତି । କିଏ ଭାର ବୁହେ, କିଏ ସବାରି କାନ୍ଧାଏ । ଆଉ ବେଶି ଭାଗ ଲୋକ ବଡ଼ଲୋକମାନଙ୍କ ଘରେ ଟହଲ–ଟୁକର କରନ୍ତି । ବଡ଼ଘରର ବୋହୂଏ ତ ଦୁଇ-ଚାରି ଦିନ ଘରର କାମ-ଧନ୍ଦା ତୁଲେଇ ନେବେ । ହେଲେ ଆମମାନଙ୍କର ତ ଭେଳା ବୁଡ଼ିଯିବ ।

 

ସୁଖଦା ତା’ ଆଡ଼କୁ ମୁହଁ ବୁଲାଇନେଲା, ମତଇକୁ ପଚାରିଲା–ତୁମେ କ’ଣ କହୁଛ ? କ’ଣ ତୁମରବି ସାହସ ପାଉ ନାହିଁ ?

 

ମତଇ ଛାତିରେ ହାତ ବାଡ଼େଇ କହିଲା–କଥା ଦେଇ ଅସଲବେଳକୁ ଖସିଯିବା ପାଜିଙ୍କ କାମ । ଆପଣ ଯାହା ହୁକୁମ ଦେବେ ସେଥିରୁ ବାହାର ହେବି ନାହିଁ, ତେଣିକି ଜୀବନ ରହୁ ବା ଯାଉ-। ଜାତି-ଭାଇଙ୍କ ଉପରେ ଠାକୁରଙ୍କ ଦୟାରୁ ଏମିତି ବୋଲବାଲା ଅଛି ଯେ ଯାହା କହିବି, ତାକୁ କେହି ଟାଳିଦେଇ ପାରିବେ ନାହିଁ ।

 

ସୁଖଦା ଦୃଢ଼ତାର ସହ କହିଲା–ଭଲ କଥା, କାଲିଠୁଁ ତୁମ ସମାଜରେ ହରତାଳ ଆରମ୍ଭ କରିଦିଅ । ଅନ୍ୟ ମୁଖିଆମାନେ ଯା’ନ୍ତୁ । ମୁଁ ନିଜେ ଘର ଘର ବୁଲିବି, ପ୍ରତି ଦ୍ଵାରକୁ ଯିବି, ଜଣ–ଜଣକ ଗୋଡ଼ତଳେ ପଡ଼ିବି, ହରତାଳ କରାଇ ଛାଡ଼ିବି । ଆଉ ହରତାଳ ନହୁଏ ତ ମୁହଁରେ କାଳି ବୋଲି ହୋଇ ବୁଡ଼ି ମରିବି । ତୁମମାନଙ୍କ ଉପରେ ମୋର ବଡ଼ ଭରସା ଥିଲା, ତୁମ ନେଇ ମୋର ଦମ୍ଭ ଥିଲା, ଅଭିମାନ ଥିଲା । ତୁମେ ମୋର ଅଭିମାନ ଭାଙ୍ଗିଦେଲ ।

 

ଏତିକି କହି ଦେବ–ମନ୍ଦିରରୁ ବାହାରି ବର୍ଷାରେ ତିନ୍ତି ତିନ୍ତି ସୁଖଦା ଚାଲିଗଲା । ତା’ ପଛେ ପଛେ ମତଇ ମଧ୍ୟ ଚାଲିଗଲା । ଅନ୍ୟ ମୁଖିଆମାନେ ଅପରାଧୀ ପରି ମୁହଁ କରି ବସିରହିଲେ ।

 

ଟିକିଏ ପରେ ଜଗନ୍ନାଥ କହିଲା–ବୋହୂ–ମା’ଙ୍କ କଲିଜାଟା ବାଘ କଲିଜା ଏକା !

 

ସୁମେର ପାକୁଆ ପାଟି ବୁଲେଇ ବୁଲେଇ କହିଲା–ସାକ୍ଷାତ ଲକ୍ଷ୍ମୀଙ୍କ ଅବତାର ତ । ହେଲେ କ’ଣ କରିବା ଭାଇ, ରୋଜଗାର ତ ଛାଡ଼ି ହେଉ ନାହିଁ । ହାକିମ–ହୁକୁମା କଥା କିଏ କହିପାରିବ, ଦଶ–ପନ୍ଦର ଦିନ ଟାଳିଦେଲେ । ଯେବେ ଆମେ ଏଣେ ମରିଯିବା ତ ।

 

ଇଦୂ ଭବିଷ୍ୟତ ଫଳ ଜାଣିପାରିଲା–ମରିବା ନାହିଁ ଯେ ଭାଇମାନେ, ମୁଖିଆମାନଙ୍କୁ ଜେଲରେ ଠୁଙ୍କି ଦେବେ । ତୁମେ କ’ଣ ଭାବିଛ କି ? ହାକିମଙ୍କ ସଙ୍ଗେ ଲଢ଼ିବା ଥଟ୍ଟା କଥା ନା କ’ଣ-?

 

ଜଙ୍ଗଲୀ ସମ୍ମତି ଜଣାଇଲା କ’ଣ ଖାଇ ଧନୀ–ଅମିରଙ୍କ ସଙ୍ଗେ ଲଢ଼ିବା ଭଲ ! ବୋହୂ–ମା’ଙ୍କ ପାଖରେ ଧନ ଅଛି, ବିଦ୍ୟା ଅଛି, ଅଫିସରଙ୍କୁ ଭଲ–ମନ୍ଦ ଦି’ କଥା କହିପାରିବେ । ସବୁ ରକମର ହାନିଲାଭବି ସହିପାରିବେ । ଆମର ତ ଅବସ୍ଥା ଦିଗଣ୍ଡା–ଦିକଡ଼ା ହୋଇଯିବ ।

 

କିନ୍ତୁ ସମସ୍ତେ ମନେମନେ ଲଜ୍ଜିତ, ରଣଭୂମିରୁ ପଳାଇ ଆସିଥିବା ସୈନିକ ପରି । ପ୍ରାଣ ବଞ୍ଚିଯାଇଥିବାରୁ ଆନନ୍ଦିତ, ପୁଣି ନିଜର କାପୁରୁଷତା ଯୋଗୁଁ ତା’ଠୁ ବହୁଗୁଣରେ ଲଜ୍ଜିତ । ନିଜର ନୀତିକୁ ମୁହଁରେ ସମର୍ଥନ କଲେ ସୁଦ୍ଧା ଅନ୍ତରରେ କରିପାରେ ନାହିଁ ।

 

ଟିକିଏ ପରେ ବର୍ଷା ଛାଡ଼ିଗଲାରୁ ସେମାନେ ସେଠୁ ବାହାରିଲେ । କିନ୍ତୁ ସେମାନଙ୍କ ଉଦାସ ମୁଖରେ ଧୀର–ମନ୍ଥରଗତିରେ, ଅବନତ ମଥାରେ, ଚିନ୍ତାମଗ୍ନ ନୀରବତାରେ ସେମାନଙ୍କର ମନୋଭବ ସ୍ପଷ୍ଟ ଫୁଟି ଉଠୁଥାଏ ।

 

–୩୬–

 

ସୁଖଦା ଘରେ ପହଞ୍ଚିଲାବେଳକୁ ଅତି ଉଦାସ ହୋଇଯାଇଥାଏ । ସାର୍ବଜନୀନ ଜୀବନରେ ପରାଭବ ପାଇବାରେ ଏହା ତା’ର ପ୍ରଥମ ଅନୁଭୂତି । ଚାବୁକ୍ ଖାଇଥିବା ତରୁଣ ଘୋଡ଼ା ପରି ସମସ୍ତ ସାଜ, ଜୁଆଳି, ବନ୍ଧନ ତୁଟାଇ ଦେଇ ପଳାଇଯିବାକୁ ବ୍ୟସ୍ତ ହେଉଥାଏ । ଏପରି କାପୁରୁଷମାନଙ୍କଠାରୁ କ’ଣ ବା ଆଶା କରାଯାଇପାରେ ! ଯେଉଁମାନେ ଏକ ସ୍ଥାୟୀ ଲାଭ ସକାଶେ ଟିକିଏ କଷ୍ଟ ସହିବାକୁ ପ୍ରସ୍ତୁତ ନୁହନ୍ତି, ସେମାନଙ୍କ ପାଇଁ ସଂସାରରେ ଦୁଃଖ ଓ ଅପମାନ ଛଡ଼ା ଆଉ କ’ଣ ଥାଇପାରେ ?

 

ଏ ପରାଜୟ ପାଇଁ ନୟନା ମନେମନେ ଆନନ୍ଦିତ । ନିଜ ଘରେ ତାକୁ କେହି ଆଦର କରନ୍ତି ନାହିଁ; ବରଂ ଏପର୍ଯ୍ୟନ୍ତ ପଦେ–ପଦେ ଅପମାନ ପାଇଆସିଛି । ତଥାପି ତା’ର ଭବିଷ୍ୟତ ସେହି ଘର ସହିତ ଜଡ଼ିତ । ନିଜ ଆଖି ଯନ୍ତ୍ରଣା ହେଲେ କେହି କ’ଣ ତାକୁ ଫୁଟାଇଦିଏ ? ହଜାର ଟଙ୍କାରେ ଲାଲା ଧନୀରାମ ଯେଉଁ ଜମି କିଣିଛନ୍ତି, ଦିନ କେତେଟା ପରେ ତାହା ଲକ୍ଷରେ ବିକ୍ରି ହେବାର ଆଶା ଅଛି । ସେ ସୁଖଦାକୁ ତ କିଛି କହିପାରୁ ନାହିଁ; କିନ୍ତୁ ଏ ଆନ୍ଦୋଳନ ତାକୁ ଭଲ ଲାଗୁ ନାହିଁ । ସୁଖଦା ପ୍ରତି ତା’ର ଏବେ ସେପରି ଭକ୍ତି ନାହିଁ । ନିଜର ଦ୍ଵେଷ–ପିପାସା ଶାନ୍ତ କରିବାପାଇଁ ତ ସେ ନଗରରେ ନିଆଁ ଲଗାଇ ଦେବାକୁ ଧାଇଁଛି ! ଏହି ତୁଚ୍ଛ ଭାବନାରେ ସଂକୁଚିତା ବୋଲି ସୁଖଦା ତା’ ଦୃଷ୍ଟିରେ କିଞ୍ଚିତ୍ ନୀଚ ହୋଇଯାଇଛି ।

 

ନୟନା ଆଲୋକ ପରି କହିଲା–ଏଠିକାର ଲୋକଙ୍କୁ ସଂଗଠିତ କରିବା ଏତେ ସହଜ ହୋଇଥିଲେ, ଆଜି ସେମାନଙ୍କର ଏ ଦୁର୍ଦ୍ଦଶା ହୋଇଥାନ୍ତା କାହିଁକି ?

 

ସୁଖଦା ଆବେଶରେ କହିଲା–ଆନ୍ଦୋଳନ ତ ହେବ, ମୁଖିଆମାନେ ମାନନ୍ତୁ ତ ନ ମାନନ୍ତୁ । ମୁଖିଆମାନେ ମୋଟା ହୋଇଗଲେଣି, ମୋଟାମାନେ ତ ସ୍ଵାର୍ଥୀ ହୁଅନ୍ତି ।

 

ନୟନା ଆପତ୍ତି କଲା–ଡରିବା ମଣିଷର ସ୍ଵଭାବ । ଯାହାର ପୌରୁଷ ଅଛି, ଜ୍ଞାନ ଅଛି, ବଳ ଅଛି, ସେ ବାଧା–ବିଘ୍ନକୁ ହେୟ ମନେକରେ । ଯାହା ପାଖରେ ଅନ୍ନ–ବ୍ୟଞ୍ଜନଭରା ଥାଳୀ ଅଛି, ସେ କୁକୁର ଆଗକୁ ମୁଠାଏ ଫିଙ୍ଗି ଦେଇପାରେ । ଯାହା ପାଖରେ ମୁଠାଏ ଦାନା ଅଛି, ସେ ତ ସେତକ ମୁଠାଇ ଧରିବ ।

 

ସୁଖଦା ଯେପରି ଏ କଥାକୁ ଶୁଣି ନାହିଁ–ମନ୍ଦିର ସମ୍ପର୍କୀୟ ଗଣ୍ଡଗୋଳରେ କେଜାଣି କିପରି ସମସ୍ତଙ୍କ ମନରେ ସାହସ ଜମିଗଲା । ମୁଁ ପୁଣି ଥରେ ସେହି କାଣ୍ଡ ଦେଖାଇ ଦେବାକୁ ଚାହେଁ ।

 

ନୟନା ଥରିଉଠି କହିଲା–ନା–ନା, ଭାଉଜ ! ଏତେ ବଡ଼ ଭାର ମୁଣ୍ଡକୁ ନିଅ ନାହିଁ । ସମୟ ଆସିଲେ ସବୁ ଆପେଆପେ ହୋଇଯିବ । ଦେଖ, ଆମରି ଦେଖିବାରେ ବାଳ–ବିବାହ, ଅସ୍ପୃଶ୍ୟତା ଆଦି ପ୍ରଥା କେତେ କମିଗଲାଣି । ଶିକ୍ଷାପ୍ରସାର କେତେ ବ୍ୟାପକ ହେଲାଣି । ସମୟ ଆସିଲେ ଗରିବମାନଙ୍କ ଲାଗି ଘରବି ହୋଇଯିବ ।

 

“ଏ ତ ଭୀରୁ–ନୀତି । ସମୟକୁ ନିଜର ଅନୁକୂଳ କରିନେବାହିଁ ପୌରୁଷ ।”

 

“ତା’ପାଇଁ ପ୍ରଚାର କରିବା ଉଚିତ ।”

 

“ସେ ତ ଛ’–ମାସିଆ ରାସ୍ତା ।”

 

“ହେଲେ, ବିପଦ ତ ନାହିଁ ।”

 

“ଲୋକଙ୍କର ମୋ ଉପରେ ବିଶ୍ଵାସ ନାହିଁ ।’’

 

କ୍ଷଣକ ପରେ ସେ ପୁଣି କହିଲା–ମୁଁ ଏବେ ଲୋକଙ୍କର କି ସେବା କରିଛି ଯେ ମୋ ଉପରେ ବିଶ୍ୱାସ କରିବେ । ଦୁଇ–ଚାରି ଘଣ୍ଟା ଗଳିମାନଙ୍କରେ ବୁଲାବୁଲି କରି ଆସିବା ତ ସେବା ନୁହେଁ ।

 

“ମୁଁ ଭାବୁଛି, ଏଥର ହରତାଳ କରାଇଲେ ଜନତାର ଯାହା ଟିକିଏ ସହାନୁଭୂତି ଅଛି, ତା’ବି ରହିବ ନାହିଁ ।”

 

ସୁଖଦା ନିଜ ଜଙ୍ଘରେ ହାତ ବାଡ଼େଇ କହିଲା–ସହାନୁଭୂତିରେ କାମ ଚଳୁଥିଲେ ଆଉ ଚିନ୍ତା କ’ଣ ଥିଲା କି ? ଲୋକେ ସ୍ଵେଚ୍ଛାରେ ନୀତି–ନିୟମ ମାନି ଚଳୁଥାନ୍ତେ ତ ଆଇନ ତିଆରି କରିବାକୁ ପଡ଼ନ୍ତା କାହିଁକି ? ଏ ଘରେ ରହି ବଡ଼ଲୋକୀ ଆଡ଼ା ଦେଖାଇ ଲୋକଙ୍କ ହୃଦୟକୁ ବଶ କରିପାରିବି ନାହିଁ । ମୋତେ ତ୍ୟାଗ କରିବାକୁ ପଡ଼ିବ । ଏତେ ଦିନ ହେଲା ଖାଲି ଭାବନାରେ ରହିଗଲା ।

 

ପରଦିନ ସହରରେ ପୂର୍ଣ୍ଣ ହରତାଳ । ଜଣେ ହେଲେ ମେହେନ୍ତର କାମକୁ ଆସିଥିବାର ଦେଖାଯାଉ ନାହିଁ । ସବାରୀ ବୋହିଲାବାଲା, ରିକ୍ସାବାଲା ମଧ୍ୟ କାମ ବନ୍ଦ କରିଛନ୍ତି । ଅଧିକାଂଶ ପରିବା–ଶାଗ ଦୋକାନବି ବନ୍ଦ । କେତେ ଘରେ ଦୁଧପାଇଁ ହା–ହାକାର ପଡ଼ିଛି । ପୋଲିସ୍ ଦୋକାନ ଖୋଲାଉଛି, ମେହେନ୍ତରମାନଙ୍କୁ କାମକୁ ଆଣିବାର ଚେଷ୍ଟା କରୁଛି । ତେଣେ ଜିଲ୍ଲା–କର୍ତ୍ତୃପକ୍ଷମଣ୍ଡଳୀ ଏ ସମସ୍ୟାର ସମାଧାନ ପାଇଁ ବିଚାର ଚଳାଇଛନ୍ତି । ସହରର ପ୍ରତିଷ୍ଠିତ ଓ ଧନୀ–ମାନୀ ଲୋକେବି ସେଥିରେ ଯୋଗ ଦେଇଛନ୍ତି ।

 

ବେଳ ଦ୍ଵିପ୍ରହର । ମେଘ ଘୋଟି ଆସୁଛି, ଯେପରି କି ଆକାଶ ଉପରେ ପାଣ୍ଡୁ ବର୍ଣ୍ଣର ଲେପ ଚଢ଼ାଇ ଦିଆଯାଉଛି । ସଡ଼କ ଓ ଗଳିମାନଙ୍କରେ ସ୍ଥାନେ ସ୍ଥାନେ ପାଣି ଜମିଛି । ସେହି କାଦୁଅରେ ଲୋକେ ଏଣେତେଣେ ଧାଁ–ଦଉଡ଼ କରୁଛନ୍ତି । ସୁଖଦାର ଦୁଆର ଆଗରେ ବହୁ ଲୋକଙ୍କର ଭିଡ଼ ଲାଗିଛି । ଏହି ସମୟରେ ଶାନ୍ତିକୁମାର ଆଣ୍ଠୁଯାକେ କାଦୁଅ ସଲବଲ ହୋଇ ବାରଣ୍ଡାରେ ଆସି ଠିଆ ହୋଇଗଲେ । ଗତକାଲିର ଘଟଣା ପରେ ଆଜି ଏଠାକୁ ଆସିବାକୁ ତାଙ୍କର ସଂକୋଚ ହେଉଛି । ନୟନା ତାଙ୍କୁ ଦେଖିଲାଣି; କିନ୍ତୁ ଭିତରକୁ ଡାକୁ ନାହିଁ । ସୁଖଦା ତା’ ମା’ଙ୍କ ସହିତ କଥାବାର୍ତ୍ତା କରୁଛି । ଶାନ୍ତିକୁମାର କିଛିକ୍ଷଣ ଠିଆ ହୋଇ ରହିଲେ, ତା’ପରେ ହତାଶ ହୋଇ ଚାଲିଯିବାକୁ ବାହାରିଲେ ।

 

ସୁଖଦା ତାଙ୍କର କାନ୍ଦୁଣିଆ ଚେହେରା ଦେଖି ମଧ୍ୟ ତାଙ୍କୁ ବ୍ୟଙ୍ଗ–ପ୍ରହାର କରିବାକୁ ଭୁଲିଲା ନାହିଁ–ଆପଣଙ୍କୁ ଏଠିକି ଆସୁଥିବାର କେହି ଦେଖିପକାଇ ନାହାନ୍ତି ତ, ଡାକ୍ତର ସାହେବ ?

 

ଶାନ୍ତିକୁମାର ଏ ବ୍ୟଙ୍ଗ–ପ୍ରହାରକୁ କୌତୁକରେ ପ୍ରତିହତ କଲେ–ଖୁବ୍ ଦେଖି ଚାହିଁ ଆସିଛି । ଏଠି ଯଦି କେହି ଦେଖିପକାଏ, ତେବେ କହିଦେବି–ଟଙ୍କା ଧାର ନେବାକୁ ଆସିଛି ।

 

ରେଣୁକା ଡାକ୍ତର ସାହେବଙ୍କ ସଙ୍ଗେ ଦିଅର ସମ୍ପର୍କ ଯୋଡ଼ି ଦେଇଥିଲେ । ସୁଖଦା ତାଙ୍କୁ କାଲିର ବୃତ୍ତାନ୍ତ ଶୁଣାଇ ଡାକ୍ତର ସାହେବଙ୍କୁ ଲଜ୍ଜିତ କରିବାର ସାମଗ୍ରୀ ଯୋଗାଇ ଦେଇଛି; ଯଦିଚ ଡାକ୍ତର ସାହେବଙ୍କ ନୀତି ପରିବର୍ତ୍ତନର କାରଣ–ପରୋକ୍ଷରେ ସେ ନିଜେ ଥିଲେ । ସେହି ଟ୍ରଷ୍ଟ୍‍ର ଭାର ତାଙ୍କ ଉପରେ ଦେଇ ତାଙ୍କୁ ଚିନ୍ତାଗ୍ରସ୍ତ କରି ଦେଇଥିଲେ ।

 

ସେ ଡାକ୍ତର ସାହେବଙ୍କ ହାତ ଧରି ନେଇ ଚେଆର୍‍ରେ ବସାଉ ବସାଉ କହିଲେ–ତେବେ ଚୁଡ଼ି ପିନ୍ଧି ବସ । ଏ ନିଶ ବଢ଼େଇଛ କାହିଁକି ?

 

ଶାନ୍ତିକୁମାର ହସି ହସି କହିଲେ–ମୁଁ ପ୍ରସ୍ତୁତ; କିନ୍ତୁ ମୋତେ ବିବାହ କରିବାକୁ ପ୍ରସ୍ତୁତ ଥିବେ । ଆପଣଙ୍କୁ ପୁରୁଷ ହେବାକୁ ପଡ଼ିବ ।

 

ରେଣୁକା ତାଳି ମାରି କହିଲେ–ମୁଁ ତ ବୁଢ଼ୀ ହେଲିଣି । ହେଲେ ତୁମପାଇଁ ଏମିତି ସ୍ୱାମୀ ଖୋଜିଦେବି, ଯେ କି ତୁମକୁ ସାତ–ଓଢ଼ଣା ଭିତରେ ରଖିବ ଆଉ ଗାଳିରେ ଗାଳିରେ କଥାବାର୍ତ୍ତା କରିବ । ଗହଣା ମୁଁ ଗଢ଼ାଇ ଦେବି । ମଥାରେ ଓଢ଼ଣା ଟାଣି ରହିବ । ଆଗେ ସ୍ଵାମୀ ଖାଇସାରିଲେ ତାଙ୍କ ଅଇଁଠା ପାଇବ । ବୁଝିଲ, ତାକୁ ଦେବତାଙ୍କ ପ୍ରସାଦ ମଣି ଖାଇବ । ଟିକିଏ ନାକ ଟେକିବ ତ ଅଲକ୍ଷଣୀ ବୋଲାଇବ । ତାଙ୍କ ଗୋଡ଼ ମୋଡ଼ିବାକୁ ପଡ଼ିବ, ଲୁଗା ଧୋଇବାକୁ ପଡ଼ିବ । ସେ ବାହାରୁ ଆସିଲେ ତାଙ୍କ ଗୋଡ଼ ଧୋଇବାକୁ ପଡ଼ିବ, ପୁଣି ପିଲାବି ଜନ୍ମ କରିବାକୁ ପଡ଼ିବ । ପିଲା ନହେଲେ ସେ ଅନ୍ୟ ବିବାହ କରିବେ, ଶେଷକୁ ଘରେ ପୋଇଲୀ ହୋଇ ରହିବ ।

 

ଶାନ୍ତିକୁମାରଙ୍କ ଉପରେ ଅବିରତ ଭାବରେ ଏତେ ଆଘାତ ହେଲା ଯେ ସେ ହସ ଭୁଲିଗଲେ । ମୁହଁ ଭାରି ହୋଇଗଲା । ଉଦାସୀନତା ଏତେ ବଢ଼ିଗଲା, ମୁହଁରୁ କଥା ବାହାରିଲା ନାହିଁ । ଝାଡ଼ିଲେବି କଣ୍ଠ ଫିଟିଲା ନାହିଁ । ଇତିପୂର୍ବେ ମଧ୍ୟ ରେଣୁକା ତାଙ୍କୁ ଦୁଇ–ଚାରି ବାର ପରିହାସ କରିଥିଲେ; କିନ୍ତୁ ଆଜି ତାଙ୍କୁ କନ୍ଦାଇ ଦେଲେ । ପରିହାସରେ ନାରୀ ଅଜେୟ, ବିଶେଷତଃ ବୃଦ୍ଧା ହେଲେ ।

 

ସେ ଘଡ଼ି ଦେଖି କହିଲେ–ଗୋଟାଏ ବାଜିଲାଣି, ଆଜି ତ ହରତାଳ ବେଶ୍ ଚାଲିଲା ।

 

ରେଣୁକା ପୁଣି ପରିହାସ କଲେ–ଆପଣ ତ ଘରେ ଶୋଇଥିଲେ, ଜାଣିବେ କୁଆଡ଼ୁ ?

 

ଶାନ୍ତିକୁମାର ନିଜର କର୍ମ–କୁଶଳତା ପ୍ରକାଶ କଲେ–ମୁଁ ଆରାମରେ ଶୋଇଲାବାଲା ନୁହେଁ । ପ୍ରତ୍ୟେକ ଆନ୍ଦୋଳନରେ ଗୁପ୍ତ ଭାବରେ ସାହାଯ୍ୟ କରିବାର ଲୋକ ଦରକାର । ମୁଁ ମୋର ନୀତି ପରିବର୍ତ୍ତନ କରିଛି, ଆଉ ଦେଖୁଛି, ଏପରି ମଧ୍ୟ ମୋର ସେବା କିଛି ଊଣା ହେବ ନାହିଁ । ଆଜି ତ ଯୁବସଭାର ଦଶ–ବାର ଜଣ ଯୁବକଙ୍କୁ ଲଗାଇ ଦେଇ ଆସିଛି; ନଚେତ୍ ୟା’ର ଚତୁର୍ଥାଂଶ ହରତାଳବି ହୋଇପାରି ନଥାନ୍ତା ।

 

ରେଣୁକା ଝିଅ ପିଠିରେ ଗୋଟିଏ ଚାପୁଡ଼ା ମାରି କହିଲେ–ତୁ ତେବେ ତାଙ୍କୁ ବଦନାମ କରୁଥିଲୁ କାହିଁକି ? ବିଚାରା ଏତେ ଚେଷ୍ଟା କଲେ; ତଥାପି ବଦନାମ ! ମୁଁ ଏ ନୀତି ବୁଝିପାରୁଛି । ସମସ୍ତଙ୍କର ନିଆଁକୁ ଡେଇଁବା ଠିକ୍ ନୁହେଁ ।

 

ଶାନ୍ତିକୁମାର ପରଦିନର କାର୍ଯ୍ୟକ୍ରମ ସ୍ଥିର କରି ନିଜ ଆଡ଼ୁ ସୁଖଦାକୁ ଆଶ୍ୱାସନା ଦେଇ ଚାଲିଗଲେ ।

 

ସନ୍ଧ୍ୟା ହୋଇ ଯାଇଛି । ମେଘ ଅପସରି ଯାଇଛି ଆଉ ଚନ୍ଦ୍ରର ସ୍ଵର୍ଣ୍ଣାଭ କିରଣ ପୃଥିବୀର ଅଶ୍ରୁସିକ୍ତ ମୁଖମଣ୍ଡଳରେ ମାତୃସ୍ନେହ ଅଜାଡ଼ି ଦେଉଛି । ସୁଖଦା ସନ୍ଧ୍ୟା କରି ବସିଛି । ସେହି ଗମ୍ଭୀର ଆତ୍ମଚିନ୍ତନ ମଧ୍ୟରେ ତା’ ମନର ଦୁର୍ବଳତା, ଗୋଟିଏ ଅବୋଧ ବାଳକ ପରି କାନ୍ଦୁଥିବାର ଜଣାଯାଉଛି । ଧନୀରାମ ତାକୁ ଅପମାନ ଦେଇଥିଲେ ସେ କ’ଣ ଏ ଆନ୍ଦୋଳନ ପାଇଁ ଏପରି ବ୍ୟଗ୍ର ହୋଇଥାନ୍ତା !

 

ସେ ଅଭିମାନ ସହକାରେ କହିଲା–ହଁ–ହଁ; ନିଶ୍ଚୟ ବ୍ୟଗ୍ର ହୋଇଥାନ୍ତା । ଏ ବିଚାର ବହୁ ପୂର୍ବରୁ ତା’ ମନରେ ଉଦିତ ହୋଇଥିଲା । ଧନୀରାମଙ୍କର କ୍ଷତି ହେଉଛି ତ ହେଉ । ଏହି ଭୟରେ ସେ ନିଜ କର୍ତ୍ତବ୍ୟରୁ–ବିଚ୍ୟୁତ ହେବ କାହିଁକି ? ସେ–ଯେତେବେଳେ ନିଜର ସର୍ବସ୍ଵ ଏହି ଉଦ୍ୟୋଗପାଇଁ ଆହୁତି ଦେବାକୁ ବସିଛି, ଅନ୍ୟର ହାନି–ଲାଭ ଚିନ୍ତା କରିବ କାହିଁକି ?

 

ଏହିପରି ମନକୁ ବୋଧ ଦେଇ ସନ୍ଧ୍ୟା ସମାପ୍ତ କରି ତଳକୁ ଓହ୍ଲାଇ ଯାଇଛି, ଏହି ସମୟରେ ଲାଲା ସମରକାନ୍ତ ଆସି ଠିଆ ହୋଇଗଲେ । ତାଙ୍କ ମୁଖରେ ବିଷାଦର ରେଖା ଫୁଟି ଉଠିଛି । ଓଠ ଏପରି ଥରିଉଠୁଛି, ସତେଅବା ମନର ଆବେଶ ବାହାରି ଆସିବାକୁ ବିକଳ ହେଉଛି ।

 

ସୁଖଦା ପଚାରିଲା–ଆପଣ ଟିକିଏ ବ୍ୟସ୍ତ ହୋଇ ପଡ଼ିଛନ୍ତି ବାପା, କ’ଣ ହୋଇଛି ?

 

ସମରକାନ୍ତଙ୍କ ସାରା ଶରୀର ଯେପରି କମ୍ପିଉଠିଲା । ଅଶ୍ରୁର ବେଗକୁ ବଳପୂର୍ବକ ରୋଧିବାର ଚେଷ୍ଟା କରି କହିଲେ–ଜଣେ ପୋଲିସ୍ କର୍ମଚାରୀ ବର୍ତ୍ତମାନ ଦୋକାନରେ ଏପରି ଖବର ଦେଇଗଲା,–କ’ଣ କହିବି…

 

କହୁ କହୁ ତାଙ୍କର କଣ୍ଠସ୍ଵର ଯେପରି ଗଭୀର ଜଳରେ ଉବେଇ ଟୁବେଇ ହେଲା ।

 

ସୁଖଦା ଶଙ୍କିତା ହୋଇ ପଚାରିଲା–ତେବେ କହନ୍ତୁ, କ’ଣ କହିଗଲା ? ହରିଦ୍ଵାରରେ ସବୁ କୁଶଳ ତ ?

 

ତା’ର ଆଶଙ୍କା ଭିନ୍ନ ପଥରେ ଗତି କରୁଥିବାର ଦେଖି ସମରକାନ୍ତ ସତ୍ଵର କହିଲେ–ନା–ନା, ସେଠିକାର କୌଣସି କଥା ନୁହେଁ । ତୁମରି କଥା କହୁଥିଲା । ତୁମକୁ ଆରେଷ୍ଟ୍ କରିବାକୁ ଓ୍ଵାରଣ୍ଟ୍ ବାହାରିଯାଇଛି ।

 

ସୁଖଦା ହସି ହସି କହିଲା–ଆଚ୍ଛା, ମୋତେ ଆରେଷ୍ଟ୍ କରିବାର ୱାରଣ୍ଟ୍ ! ଆପଣ ଏଇଥିପାଇଁ ଏତେ ବ୍ୟସ୍ତ ହେଉଛନ୍ତି କାହିଁକି ? ତେବେ ମୋର ଅପରାଧଟା କ’ଣ ?

 

ସମରକାନ୍ତ ମନ ଦମ୍ଭ କରି କହିଲେ–ଏଇ ହରତାଳ । ଆଜି ଅଫିସର ମହଲରେ ଆଲୋଚନା ହୋଇଛି ଯେ; ତୁମକୁ ଓ ମୁଖିଆମାନଙ୍କୁ ଆରେଷ୍ଟ୍ କରାଯିବ । ତାଙ୍କର ତ ଏକମାସ ଔଷଧ ହେଉଛି ଦମନ । ଅସନ୍ତୋଷର କାରଣ ଦୂର କରିବେ କାହିଁକି ? ଖାଲି ଧର–ପଗଡ଼ରେ କାମ ଉଠେଇବେ, ଯେପରି ଭୋକରେ କାନ୍ଦୁଥିବା ପିଲାକୁ ମା’ ମାଡ଼ ଦେଇ ତୁନି କରାଏ ।

 

ସୁଖଦା ଶାନ୍ତ ଭାବରେ କହିଲା–ଯେଉଁ ସମାଜର ମୂଳ ଅନ୍ୟାୟ ଉପରେ ତିଷ୍ଠିଛି, ତା’ ସରକାର ପାଖରେ ଦମନ ଛଡ଼ା ଆଉ କି ଔଷଧ ଥାନ୍ତା ? କିନ୍ତୁ ଏଥିପାଇଁ ଆନ୍ଦୋଳନ ଦବିଯିବ ବୋଲି ଭାବିବା ଭୁଲ । ବଲ୍‌କୁ ଜୋରରେ ବାଡ଼େଇଲେ ତାହା ଆହୁରି ଜୋରରେ ଡେଇଁ ଉଠେ ସିନା । ଆଘାତ ଯେତେ ଜୋର‌ରେ ହେବ, ତା’ର ପ୍ରତିକ୍ରିୟାବି ସେତିକି ଜୋରରେ ହେବ ।

 

ମୁହୂର୍ତ୍ତକ ପରେ ଉତ୍ତେଜିତା ହୋଇ କହିଲା–ମୋତେ ଆରେଷ୍ଟ୍ କରି ନିଅନ୍ତୁ । ସେହି ଲକ୍ଷ ଲକ୍ଷ ଗରିବଙ୍କୁ କୁଆଡ଼େ ନେବେ, ଯେଉଁମାନଙ୍କର ହା–ହାକାର ଆକାଶ ପର୍ଯ୍ୟନ୍ତ ଉଛୁଳି ଉଠୁଛି ? ଦିନେ ଏହି ହା–ହାକାର ଆଗ୍ନେୟଗିରି ପରି ଜ୍ଵାଳା ଉଦ୍‌ଗାର କରି ଆକାଶ ଓ ତା’ ସଙ୍ଗେ ସଙ୍ଗେ ସରକାରକୁ ଛାରଖାର କରିଦେବ । କାହାରି ଆଖି ନ ଖୋଲୁଛି ତ ନ ଖୋଲୁ; ମୁଁ ମୋର କର୍ତ୍ତବ୍ୟ କରି ସାରିଛି । ଦିନ ଆସିବ, ଯେତେବେଳେ କି ଆଜିର ଦେବତାମାନଙ୍କୁ ଗୋଡ଼ି–ପଥର ପରି ଟେକି ନେଇ ଗଳି–କନ୍ଦିରେ ଫିଙ୍ଗି ଦିଆଯିବ ଓ ଗୋଇଠା ମରାଯିବ । ମୋତେ ଆରେଷ୍ଟ୍ କଲେ ହୁଏତ କିଛିଦିନ ପାଇଁ ଅଧିକାରୀମାନଙ୍କ କାନରେ ଏ ହା–ହାକାର ବାଜିବ ନାହିଁ; କିନ୍ତୁ ସେ ଦିନ ବେଶି ଦୂରରେ ନାହିଁ, ଯେତେବେଳେ କି ଏହି ଲୁହ ଅଗ୍ନିକଣା ରୂପ ଧରି ଅନ୍ୟାୟକୁ ଭସ୍ମ କରି ଦେବ ।

 

ସମରକାନ୍ତଙ୍କ ଉପରେ ଏ ପ୍ରଳାପର ଲେଶମାତ୍ର ପ୍ରଭାବ ପଡ଼ିଲା ନାହିଁ । ସେ ଏହି ସଙ୍କଟକୁ ବ୍ୟର୍ଥ କରିବାର ଉପାୟ ପାଞ୍ଚୁଥାନ୍ତି । ଶଙ୍କିତ ହୋଇ କହିଲେ–ଗୋଟିଏ କଥା କହିବି ବୋହୂ ? ଖରାପ ଭାବ ନାହିଁ । ଜାମିନ୍......

 

ସୁଖଦା–ଭ୍ରୂକୁଟି କରି କହିଲା–ନା, କେବେ ନୁହେଁ । କାହିଁକି ଜାମିନ୍‌ ଦେବି ? କ’ଣ ଏଇଥିପାଇଁ ଯେ ମୁଁ ଆଉ କେବେ ପାଟି ଫିଟାଇବି ନାହିଁ; ଆଖିରେ ଅନ୍ଧପୁଟୁଳି ବାନ୍ଧି, ମୁହଁରେ ଜାଲ ବାନ୍ଧି ରହିବି ? ଏହା ଅପେକ୍ଷା ତ ଆଖି ଫୁଟାଇ ଦେବା, ଜିଭ କାଟି ପକାଇବା ବହୁଗୁଣରେ ଭଲ ।

 

ସମରକାନ୍ତଙ୍କ ସହିଷ୍ଣୁତା ସେତେବେଳକୁ ସୀମା ସ୍ପର୍ଶ କରି ସାରିଥାଏ । ଗର୍ଜିଉଠି କହିଲେ–ତୁମର ଜିଭ ଯଦି କାବୁରେ ନାହିଁ, କାଟି ପକାଅ । ମୁଁ ଜିଇଥିବାଯାକେ ତା’ ହୋଇପାରିବ ନାହିଁ । ମୋ ବୋହୂକୁ ଆରେଷ୍ଟ୍ କରି ନିଆଯିବ ଆଉ ମୁଁ ବସି ଦେଖୁଥିବି ! ତୁମେ ହରତାଳ କରିବାପାଇଁ ମୋର ପରାମର୍ଶ ନ ନେଲ କାହିଁକି ? ତୁମର ନିନ୍ଦା–ପ୍ରଶଂସା ଡର ନଥିଲେ ମୋର ତ ଅଛି । ଯେଉଁ ମର୍ଯ୍ୟାଦାକୁ ଜଗି ମୁଁ ମୋ ପୁଅକୁ ତ୍ୟାଗ କଲି, ସେହି ମର୍ଯ୍ୟାଦାକୁ ମୁଁ ତୁମ ହାତରେ ନଷ୍ଟ ହେବାକୁ ଦେବି ନାହିଁ ।

 

ବାହାରୁ ମୋଟର–ହର୍ଣ୍ଣ ଶୁଣାଗଲା । ସୁଖଦାର କାନ ଖାଡ଼ା ହୋଇଗଲା ! ସେ ଆବେଶରେ ଦ୍ଵାର ଆଡ଼କୁ ଚାଲିଲା । ପୁଣି ଧାଇଁଯାଇ ଲଲ୍ଲୁକୁ ନୟନା କୋଳରୁ ନେଇ ଛାତିରେ ଯାକି ଧରି ନିଜ କୋଠରୀକୁ ଯାଇ ଅଳଙ୍କାର ଓହ୍ଲାଇ ପକାଇଲା । ସମରକାନ୍ତଙ୍କର ସମୁଦାୟ କ୍ରୋଧ କଚ୍ଚା ରଙ୍ଗରେ ପାଣି ପଡ଼ିଲା ପରି ଉଭେଇଗଲା । ସେ କ୍ଷୀପ୍ର ଗତିରେ ବାହାରକୁ ଗଲେ ଏବଂ ବ୍ୟସ୍ତ ଭାବରେ ଫେରିଆସି କହିଲେ–ବୋହୂ ! ଡେପୁଟି ଆସିଗଲା । ମୁଁ ଜାମିନ୍‌ ଦେବାକୁ ଯାଉଛି, ମୋର ଏତିକି ମାଗୁଣି ଘେନା କର । କେଇଟା ଦିନର ଅତିଥି ମୁଁ । ମୋ ଅନ୍ତେ ତୁମର ଯାହା ଇଚ୍ଛା, ତା’ କରିବ ।

 

ସୁଖଦା କୋଠରୀ–ଦ୍ଵାର ପାଖକୁ ଆସି ଦୃଢ଼ ଭାବରେ କହିଲା–ମୁଁ ଜାମିନ୍ ଦେବି ନାହିଁ କି ଏ ମକଦ୍ଦମାରେ ଲଢ଼ିବି ନାହିଁ । ମୁଁ ତ କୌଣସି ଅପରାଧ କରି ନାହିଁ ।

 

ସମରକାନ୍ତ ଜୀବନରେ କେବେ ହାର୍‌ ମାନି ନଥିଲେ; କିନ୍ତୁ ଆଜି ଏହି ଅଭିମାନିନୀ ରମଣୀ ସମ୍ମୁଖରେ ପରାଜିତ ହୋଇ ଠିଆ ହୋଇଛନ୍ତି । ତା’ର କଥା ଯେପରି ତାଙ୍କ ମୁହଁରେ ଜାଲ ବାନ୍ଧି ଦେଇଛି ! ସେ ଭାବୁଛନ୍ତି–ସଂସାର ନାରୀକୁ ଅବଳା କହେ । କି ମୂର୍ଖତା ଏ ! ମନୁଷ୍ୟ ଯେଉଁ ବସ୍ତୁକୁ ପ୍ରାଣଠାରୁ ବଳି ଭଲପାଏ ତାହା ସ୍ତ୍ରୀର ହାତ–ମୁଠାରେ !

 

ସେ ବିନୀତ ଭାବରେ କହିଲେ–ତୁମେ ତ ଏଯାକେ ଖିଆପିଆ କରି ନାହଁ ମା’ ନୟନା ! ଠିଆ ହୋଇ ମୁହଁକୁ ଚାହିଁଛୁ ଯେ, କ’ଣ ଭାଙ୍ଗ ଖାଇଛୁ ନା କ’ଣ ? ଯା, ବୋହୂକୁ ଖିଆପିଆ କରାଇଦେ । ଆରେ ହେ ବେହେରା–ବେହେରା ! ସେ ଶଶୁର କେଉଁଠି ମରୁଛି କେଜାଣି ? ଦରକାରବେଳେ କାହାରି ଦେଖା ମିଳିବ ନାହିଁ । ତୁ ବୋହୂଙ୍କୁ ରନ୍ଧାଘରକୁ ନେଇଯା, ନୟନା ! ମୁଁ ଯାଏଁ, କିଛି ମିଠେଇ ନେଇଆସେ । ଖାଇବାକୁ କିଛି ସଙ୍ଗରେ ନେଇଯିବାକୁ ପଡ଼ିବ ଯେ ।

 

ବେହେରା ଉପରେ ବିଛଣା ସଜାଡ଼ୁଥିଲା । ଧଇଁସଇଁ ହୋଇ ଆସି ପହଞ୍ଚିଲା । ସମରକାନ୍ତ ତାକୁ ଶକ୍ତ ଧକ୍କାଏ ମାରି କହିଲେ–କେଉଁଠିଥିଲୁ ତୁ ? ସେତେବେଳୁ ଡାକ ପକେଇଛି, ଶୁଣିବାକୁ ନାହିଁ । କା’ପାଇଁ ବିଛଣା ପାରୁଛୁରେ ଶଶୁର ! ବୋହୂ ତ–ଚାଲିଯିବେ । ଯା, ଧାଇଁଗଲୁ ବଜାରରୁ ଭଲ ମିଠାଇ ନେଇଆସିଲୁ । ଛକମୁଣ୍ଡ ଦୋକାନରୁ ଆଣିବୁ ।

 

ସୁଖଦା ଅନୁରୋଧ ପୂର୍ବକ କହିଲା–ମିଠାଇ ମୋର ଆଦୌ ଦରକାର ନାହିଁ କି କିଛି ଖାଇବାକୁବି ଇଚ୍ଛା ନାହିଁ । କେତେଖଣ୍ଡି ଲୁଗା ନେଇଯାଉଛି, ସେତକ ମୋର ଯଥେଷ୍ଟ ।

 

ବାହାରୁ ଡାକ ଶୁଭିଲା–ସେଠଜୀ ! ସୁଖଦା ଦେବୀଙ୍କୁ ଶୀଘ୍ର ପଠାନ୍ତୁ । ବିଳମ୍ବ ହେଉଛି ।

 

ସମରକାନ୍ତ ବାହାରକୁ ଆସି ଅପରାଧୀ ପରି ଛିଡ଼ା ହୋଇଗଲେ ।

 

ଡେପୁଟି ଜଣକ ଦୀର୍ଘକାୟ, ବଳିଷ୍ଠ ହୃଷ୍ଟପୁଷ୍ଟ, ତଥା ହର୍ଷମୁଖ । ଅନ୍ୟ କୌଣସି ବିଭାଗରେ ଉତ୍ତମ ସ୍ଥାନ ନ ପାଇ ପୋଲିସ୍–ବିଭାଗକୁ ଚାଲିଆସିଛନ୍ତି । ଅନାବଶ୍ୟକ ଅଶିଷ୍ଟତାକୁ ସେ ଘୃଣା କରନ୍ତି ଓ ଯଥାସମ୍ଭବ ଉତ୍କୋଚ ଗ୍ରହଣ କରନ୍ତି ନାହିଁ । ପଚାରିଲେ–କହନ୍ତୁ, କ’ଣ ସ୍ଥିର ହେଲା ?

 

ସମରକାନ୍ତ ହାତଯୋଡ଼ି କହିଲେ–କିଛି ଶୁଣୁ ନାହିଁ, ହଜୁର ! ବୁଝାଇ ବୁଝାଇ ଥକିଲିଣି । ଆଉ ମୁଁ ବା ତାକୁ କ’ଣ ବୁଝାଇବି, ସେ କ’ଣ ମୋ କଥା ମାନୁଛି ? ଏଣିକି ଭରସା ଆପଣମାନଙ୍କ ଦୟା ଉପରେ । ଆପଣ ଯାହା ହୁକୁମ କରିବେ, ମୁଁ କରିବାକୁ ହାଜର ଅଛି । ଜେଲର୍–ସାହେବଙ୍କ ସଙ୍ଗେ ତ ଆପଣଙ୍କର ଭାବଦୋସ୍ତି, ଅବଶ୍ୟ ଥିବ; ତାଙ୍କୁବି ଟିକିଏ ବୁଝେଇ–ସୁଝେଇ ଦେବେ । କିଛି ଅସୁବିଧା ଯେମିତି ନହୁଏ । ମୁଁ ଆପଣଙ୍କ କଥାରୁ ବାହାରିଯିବି ନାହିଁ । ବୋହୂଟାର ମନ ଭାରି କୋମଳ, ହଜୁର !

 

ଡେପୁଟି ନିଜ ପାଖ ଚେଆର୍‍ରେ ତାଙ୍କୁ ବସାଇ କହିଲେ–ସେଠଜୀ ! ମନ୍ଦ ଉଦ୍ଦେଶ୍ୟ ନେଇ ଯେଉଁ କାମ କରାଯାଏ, ସେପରି କେସ୍‍ରେ ଏ କଥା ଚଳେ । ସୁଖଦା ଦେବୀ ନିଜପାଇଁ ତ କିଛି କରୁନାହାନ୍ତି । ତାଙ୍କର ଉଦ୍ଦେଶ୍ୟ ଉତ୍ତମ । ସେ ଆମର ଗରିବ ଭାଇମାନଙ୍କ ଦାବି ନେଇ ଲଢ଼ୁଛନ୍ତି । ତାଙ୍କର କୌଣସି ପ୍ରକାର କଷ୍ଟ ହେବ ନାହିଁ । ଚାକିରି କରିଛି, ତେଣୁ ନାଚାର । ନଚେତ୍‌ ଏପରି ଦେବୀମାନଙ୍କ ପାଦତଳେ ମୁଣ୍ଡିଆ ମାରିବା କଥା । ଈଶ୍ଵର ତାଙ୍କୁ ସଂସାରର ସମସ୍ତ ସମ୍ପଦ ଦେଇଛନ୍ତି; ମାତ୍ର ସେ ସବୁକୁ ସେ ପାଦରେ ଆଡ଼େଇ ଦେଇଛନ୍ତି, ନ୍ୟାଯ୍ୟଦାବି ପାଇଁ ସେ ସବୁ ସହିବାକୁ ପ୍ରସ୍ତୁତ ହୋଇଛନ୍ତି । ଏପରି କାମପାଇଁ ସାହସ ଥିବା ଦରକାର ଆଜ୍ଞା, ମାମୁଲି କଥା ତ ନୁହେଁ !

 

ସେଠଜୀ ସିନ୍ଦୁକରୁ ଦଶଟି ମୋହର ବାହାର କରି ସାବଧାନରେ ଡେପୁଟିଙ୍କ ପକେଟରେ ଗଳାଇ ଦେଇ କହିଲେ–ଏଇ ପିଲାମାନଙ୍କ ମିଠେଇଖିଆ, ହଜୁର !

 

ଡେପୁଟି ମୋହରଗୁଡ଼ିକୁ ପକେଟ୍‌ରୁ ବାହାର କରି ଟେବୁଲ୍ ଉପରେ ଥୋଇ ଦେଲେ–ଆପଣ କ’ଣ ପୋଲିସ୍‍ବାଲାଙ୍କୁ ବିଲ୍‍କୁଲ୍ ପଶୁ ଭାବନ୍ତି ନା କ’ଣ, ସେଠିଜୀ ? ମୁଣ୍ଡରେ ଲାଲ ପଗଡ଼ି ପିନ୍ଧିବା ମାନେ କ’ଣ ମନୁଷ୍ୟତାକୁ ହତ୍ୟା କରିବା ? ଆପଣ ବିଶ୍ୱାସ କରନ୍ତୁ, ଦେବୀଙ୍କର କିଛି ଅସୁବିଧା ହେବ ନାହିଁ । ଯେ ଅନ୍ୟର ଅନିଷ୍ଟ କରେ, ତାକୁ’ଇ କଷ୍ଟ ଦିଆଯାଏ । ଯେ ଗରିବମାନଙ୍କର ଦାବି ହାସଲ କରିବାପାଇଁ ଜୀବନ ଉତ୍ସର୍ଗ କରେ, ତାକୁ ଯଦି କେହି କଷ୍ଟ ଦିଏ; ସେ ମନୁଷ୍ୟ ନୁହେଁ କି ପଶୁବି ନୁହେଁ ସେ ସଇତାନ୍‌ । ଆମ ବିଭାଗରେ ଏପରି ଲୋକ ଅଛନ୍ତି, ବହୁତ ଅଛନ୍ତି । ମୁଁ ନିଜେବି ଦେବତା ନୁହେଁ; କିନ୍ତୁ ଏପରି କେସ୍‍ରେ ମୁଁ ପାନ ଖଣ୍ଡିଏବି ଖାଇବାକୁ ପାପ ବୋଲି ମନେକରେ । ମନ୍ଦିର ସମ୍ପର୍କୀୟ କେସ୍‍ରେ, ସୁଖଦା ଦେବୀ ଯେପରି ନିର୍ଭୀକ ଭାବରେ ଘଟଣାସ୍ଥଳକୁ ଆସି ଗୁଳି ମୁହଁରେ ଠିଆ ହୋଇଗଲେ, ତା’ କେବଳ ସେହି ଏକା କରିପାରନ୍ତି ।

 

ସମ୍ମୁଖସ୍ଥ ସଡ଼କ ଉପରେ ଜନଗହଳି ମୁହୁର୍ମୁହୁଃ ବଢ଼ିବାରେ ଲାଗିଛି, ମୁହୁର୍ମୁହୁଃ ଜୟ–ଧ୍ଵନି ଉଠୁଛି । କି ପୁରୁଷ କି ନାରୀ ଦେବୀଙ୍କ ଦର୍ଶନପାଇଁ ଧାଇଁଛନ୍ତି ।

 

ଭିତରେ ସୁଖଦା ଓ ନୟନା ମଧ୍ୟରେ ଚାଲିଛି ଲଢ଼େଇ । ସୁଖନ୍ଦା ଥାଳୀଟିକୁ ଆଗରୁ ଘୁଞ୍ଚାଇ ଦେଇ କହିଲା–ମୁଁ ତ କହିଲି, କିଛି ଖାଇବି ନାହିଁ ।

 

ନୟନା ତା’ର ହାତକୁ ଧରି କହିଲା–ଦୁଇ–ଚାରି ଗୁଣ୍ଡା ଖାଇଦିଅ, ଭାଉଜ ! ତୁମ ଗୋଡ଼ତଳେ ପଡ଼ୁଛି । ପୁଣି ଏ ଭାଗ୍ୟ କେବେ ଆସିବ କେଜାଣି !

 

ତା’ର ଆଖିରେ ଲୁହ ଭରିଗଲା ।

 

ସୁଖଦା ନିଷ୍ଠୁରତା ସହ କହିଲା–ତୁମେ ବୀବୀ, ମୋତେ ଅଯଥା ବିରକ୍ତ କରୁଛ । ମୋର ବର୍ତ୍ତମାନ ପ୍ରସ୍ତୁତ ହେବାକୁ ବହୁତ କିଛି ବାକି ଅଛି । ତେଣେ ଡେପୁଟୀ ଅଥୟ ହେଉଛନ୍ତି । ଦେଖୁନାହଁ, ଦୁଆରେ ସବାରି ଥୁଆ ହେଲାଣି, ଏ ବେଳେ ଆଉ ଖାଇବାକୁ କାହାରି ମନ ବଳେ !

 

ନୟନା ପ୍ରେମ–ବିହ୍ୱଳ କଣ୍ଠରେ କହିଲା–ତୁମେ ତୁମର ଯାହା କରିବାର କରୁଥାଅ, ମୁଁ ଗୁଣ୍ଡା ଗୁଣ୍ଡା କରି ଖୁଆଇ ଦେଉଥାଏ ।

 

ମା’ କ୍ରୀଡ଼ାରତ ସନ୍ତାନ ପଛରେ ଗୋଡ଼ାଇ ଗୋଡ଼ାଇ ତାକୁ ଖୁଆଇ ଦିଏ, ନୟନା ସେହିପରି ଭାଉଜକୁ ଖୁଆଇବାକୁ ଲାଗିଛି । ସୁଖଦା କେତେବେଳେ ଏ ଆଲମିରା ପାଖକୁ ଯାଉଛି ତ କେତେବେଳେ ସେ ସିନ୍ଦୁକ ପାଖକୁ ଯାଉଛି । କେଉଁଥିରୁ ସିନ୍ଦୁର ଡିବା ଖୋଲୁଛି ତ କେଉଁଥିରୁ ଶାଢ଼ି । ନୟନା ଗୁଣ୍ଡାଏ ଖୁଆଇ ଦେଇ ପୁଣି ଥାଳୀ ପାଖକୁ ଯାଇ ଆଉ ଗୁଣ୍ତାଏ ଧରି ଦଉଡ଼ିଛି ।

 

ସୁଖଦା ପାଞ୍ଚ–ଛ’ ଗ୍ରାସ ଖାଇସାରି କହିଲା–ଥାଉ, ଏବେ ପାଣି ଆଣ ।

 

ନୟନା ତା’ ମୁହଁ ପାଖରେ ଗୁଣ୍ଡାଟିଏ ଧରି କହିଲା–ହଉ, ଏତକ ନିଅ, ମୋ ସୁନା ଭାଉଜଟି ପରା !

 

ସୁଖଦା ମୁହଁ ଖୋଲି ଦେଲା ଓ ଖାଇବା ସଙ୍ଗେ ସଙ୍ଗେ ଲୁହବି ପିଇଲା ।

 

“ହଉ, ଆଉ ଥରଟିଏ ।”

 

“ନା, ଆଉ ଗୋଟିଏବି ନୁହେଁ ।”

 

“ମୋପାଇଁ ଗୁଣ୍ଡିଏ ।”

 

ସୁଖଦା ଗୁଣ୍ଡାଟି ଖାଇଲା–ଏବେ ପାଣି ପିଆଇବ ନା ଖାଲି ଖୁଅଉଥିବ ?

 

“ହଉ, ଭାଇଙ୍କ ନାଆଁରେ ଆଉ ଗୁଣ୍ଡାଟିଏ ଖାଇଦିଅ ।”

 

“ନା, ଆଦୌ ନୁହେଁ ।”

 

ନୟନା ଆଖିରେ ଲୁହ, ପ୍ରତ୍ୟକ୍ଷ । ସୁଖଦା ଆଖିରେବି ଲୁହ; କିନ୍ତୁ ପ୍ରଚ୍ଛନ୍ନରୂପେ । ନୟନା ଶୋକରେ ବିହ୍ୱଳ, ସୁଖଦା ମନୋବଳରେ ତାକୁ ରୁଦ୍ଧ କରି ରଖିଛି । ସେ ଥରେ ନିଷ୍ଠୁର ଭାବରେ ଗତି କରୁ କରୁ ନୟନାର ମୋହ–ବନ୍ଧନକୁ ଛିନ୍ନ କରି ଦେବାକୁ ଚାହୁଁଛି । ତୀକ୍ଷ୍ଣ ବାକ୍ୟଦ୍ଵାରା ହୃଦୟର ଚତୁର୍ଦ୍ଦିଗରେ ଖାଇ ଖୋଳି ଦେବାକୁ ଚାହୁଁଛି, ମୋହ, ଶୋକ ଓ ବିୟୋଗ–ବ୍ୟଥାର ଆକ୍ରମଣରୁ ତାକୁ ରକ୍ଷା କରିବାପାଇଁ; କିନ୍ତୁ ନୟନାର ସେହି ଛଳଛଳ ଆଖି, ସେହି ଥରଥର ଓଠ, ସେହି ବିନୟ–ଦୀନ ମୁଖଶ୍ରୀ ତାକୁ ନିରସ୍ତ୍ର କରି ଦେଉଛି ।

ନୟନା ତରତର ହୋଇ ପାନ ଭାଙ୍ଗି ଭାଉଜକୁ ଖୁଆଇ ଦେଲାବେଳେ ତା’ର ଅବରୁଦ୍ଧ ଅଶ୍ରୁର ଉତ୍ସ ଫିଟିଗଲା । ମୁହଁ ଢାଙ୍କି କାନ୍ଦି ଉଠିଲା । ନାସିକାର ସୀତ୍କାର କ୍ରମେ ଗଭୀରତର ହୋଇ କଣ୍ଠ ପର୍ଯ୍ୟନ୍ତ ବିସ୍ତୃତ ହେଲା ।

ସୁଖଦା ତାକୁ ବୁକୁରେ ଭିଡ଼ିଧରି ସଜଳ ଶବ୍ଦରେ କହିଲା–କାହିଁକି କାନ୍ଦୁଛ, ବୀବୀ । ମଝିରେ ମଝିରେ ତ ଦେଖା–ସାକ୍ଷାତ୍ ହେଉଥିବ । ଜେଲରେ ମୋତେ ଦେଖା କରିବାକୁ ଯିବାବେଳେ ଖୁବ୍ ଭଲ ଭଲ ଜିନିଷ ତିଆରି କରି ନେବ । ଦୁଇ–ଚାରି ମାସରେ ତ ମୁଁ ଫେରି ଆସିବି ।

ନୟନା ବୁଡ଼ିଯାଉଥିବା ନୌକାର ଆରୋହୀ ପରି କହିଲା–ମୁଁ ଏମିତି ଅଭାଗୀନି ଯେ ନିଜେ ତ ବୁଡ଼ିଥିଲି, ତୁମକୁବି ବୁଡ଼ାଇଲି ।

ସୁଖଦାର ଗିରଫ୍‍ଦାରୀ ଖବର ଶୁଣିବାବେଳୁ ଏ କଥା ବଥ ପରି ତା’ ହୃଦୟରେ ବ୍ୟଥା ହେଉଛି ଏବଂ ଏହି ବ୍ୟଥା ତା’ର ମୋହ–ବେଦନାକୁ ଆହୁରି ଦୁର୍ଦ୍ଦାନ୍ତ କରି ଦେଇଛି ।

ସୁଖଦା ଆଶ୍ଚର୍ଯ୍ୟରେ ତା’ ମୁହଁକୁ ଚାହିଁ କହିଲା–ଏ ତୁମେ କ’ଣ କହୁଛ, ବୀବୀ ! ତୁମେ କ’ଣ ପୋଲିସ୍ ଡାକିଛ କି ?

ନୟନା ଗ୍ଳାନିଭରା କଣ୍ଠରେ କହିଲା–ଏହା ପାଷାଣ–ପ୍ରାସାଦବାସୀମାନଙ୍କ ଚକ୍ରାନ୍ତ । (ସେଠ ଧନୀରାମ ଏହି ନାମରେ ସହରରେ ପ୍ରସିଦ୍ଧ ।) ମୁଁ କାହାରିକୁ ଗାଳି–ମନ୍ଦ ଦେଉ ନାହିଁ; ମାତ୍ର ସେମାନେ ନିଜର କର୍ମଫଳ ଅବଶ୍ୟ ଭୋଗିବେ । ଯାହାପାଇଁ ଜଣକ ମୁହଁରୁ ସୁଦ୍ଧା ଆଶୀର୍ବାଦ ନ ବାହାରେ, ତା’ର ଜୀବନ ବୃଥା ।

ସୁଖଦା ଉଦାସ ହୋଇ କହିଲା–ତାଙ୍କର ବା ଏଥିରେ ଦୋଷ କ’ଣ, ବୀବୀ ? ସେ ସବୁ ଆମ ସମାଜର, ଆମ ସମସ୍ତଙ୍କର ଦୋଷ । ଆଚ୍ଛା ଆସ, ମୁଁ ବିଦାୟ ନିଏ । କଥା ଦିଅ, ମୁଁ ଗଲା ପରେ କାନ୍ଦିବ ନାହିଁ ।

ନୟନା ତା’ ଗଳାରେ ଜଡ଼ିଯାଇ ଫୁଲାଫୁଲା ଆଖିରେ ହସି କହିଲା–କାନ୍ଦିବିନି, ଭାଉଜ-!

“ଯଦି ମୁଁ ଶୁଣେ ଯେ ତୁମେ କାନ୍ଦୁଛ, ତେବେ ମୋର ମିଆଦ ବଢ଼ାଇ ନେବି ।

“ଭାଇଙ୍କୁ ତ ଏ ଖବର ଦେବାକୁ ହେବ ?”

“ତୁମର ଯାହା ଇଚ୍ଛା ହେବ, କରିବ । ମା’କୁ ବୋଧ ଦେଉଥିବା ।”

“ତାଙ୍କ ପାଖକୁ ଲୋକ ପଠାଯାଇଛି ନା ନାଇଁ ?”

“ତାଙ୍କୁ ଡାକିଥିଲେ ତ ଆହୁରି ଡେରି ହୋଇଥାନ୍ତା । ଘଣ୍ଟା–ଘଣ୍ଟା ଧରି ଛାଡ଼ିଦେଇ ନଥାନ୍ତେ ।”

“ଶୁଣିଲାକ୍ଷଣି ଧାଇଁ ଆସିବେ ।”

“ହଁ, ଆସିବେ ତ; କିନ୍ତୁ କାନ୍ଦିବେ ନାହିଁ । ତାଙ୍କରି ପ୍ରେମ ଆଖିରେ, ହୃଦୟଯାକେ ତା’ର ଚେର ନଥାଏ ।”

ଦୁହେଁ ଦ୍ଵାର ଆଡ଼କୁ ଚାଲିଲେ । ନୟନା ଲଲ୍ଲୁକୁ ମା’–କୋଳରୁ ନେଇ ଗେଲ କରିବାକୁ ଚାହିଁଲା; କିନ୍ତୁ ସେ ଓହ୍ଲାଇଲା ନାହିଁ । ନୟନାକୁ ଖୁବ୍ ଆଦରି ଥିଲା; କିନ୍ତୁ ଆଜି ଅବୋଧ ଆଖିରେ ଦେଖୁଛି–ମା’ ଚାଲିଯାଏ ତ ସେ ବିଚାରା କରିବ କ’ଣ ?

ନୟନା ତାକୁ ଚୁମ୍ବନ ଦେଇ କହିଲା–ପୁଅଗୁଡ଼ାକ ବଡ଼ ନିର୍ଦ୍ଦୟ ହୁଅନ୍ତି ।

ସୁଖଦା ହସି କହିଲା–କାହାର ପୁଅ ସେ, କହିଲ ।

ଦ୍ଵାରପାଖେ ପହଞ୍ଚି ଦୁହେଁ ପୁଣି କୋଳାକୋଳି ହେଲେ । ସମରକାନ୍ତ ମଧ୍ୟ ଦ୍ଵାର ଆଗରେ ଠିଆ ହୋଇଥିଲେ । ସୁଖଦା ତାଙ୍କ ପାଦତଳେ ମଥା ଲଗାଇଲା ସେ ଥରଥର ହାତରେ ତାକୁ ଉଠାଇ ଆଶୀର୍ବାଦ ଦେଲେ । ତତ୍ପରେ ଲଲ୍ଲୁକୁ ଛାତିରେ ଯାକି କଇଁକଇଁ ହୋଇ କାନ୍ଦି ଉଠିଲେ-। ଏହା ଘରଯାକର କାନ୍ଦିବା ସିଗ୍‌ନାଲ । ଆଗରୁ ତ ଲୁହ ଗଡ଼ୁଥିଲା, ସେହି ନୀରବ ଅଶ୍ରୁର ବନ୍ଧ ଯେପରି ଭାଙ୍ଗିଗଲା । ଶୀତଳ, ଧୀର, ଗମ୍ଭୀର ବାର୍ଦ୍ଧକା ଯେତେବେଳେ ବିହ୍ୱଳ ହୋଇ ଉଠେ, ସେତେବେଳେ ସତେବା ପିଞ୍ଜରାର ଦ୍ଵାର ଖୋଲିଯାଏ ଏବଂ ଚଢ଼େଇମାନଙ୍କୁ ଅଟକାଇ ରଖିବା ଅସମ୍ଭବ ହୋଇପଡ଼େ । ସତୁରିବର୍ଷ କାଳ ସଂସାର–ସମରରେ ଅଟଳ ରହିଥିବା ସେନାପତି ତ ଅସ୍ତ୍ରତ୍ୟାଗ କଲେ, ଅନଭିଜ୍ଞ ସୈନିକଙ୍କୁ ଆଉ ସମ୍ଭାଳି ପାରିବ କିଏ ?

ସୁଖଦା ମୋଟରରେ ବସିଲା । ଜୟ ଜୟକାର ଧ୍ଵନି ଉଠିଲା । ପୁଷ୍ପବୃଷ୍ଟି କରାଗଲା । ମୋଟର ଚାଲିଲା ।

ହଜାର ହଜାର ମୋଟର ପଛେ ପଛେ ଧାଇଁଛନ୍ତି । ସୁଖଦା ହାତ ଉଠାଇ ସେମାନଙ୍କୁ ନମସ୍କାର କରି କରି ଯାଉଛି । ଏ ଶ୍ରଦ୍ଧା, ଏ ପ୍ରେମ, ଏ ସମ୍ମାନ କ’ଣ ଧନ ଯୋଗୁଁ ମିଳିପାରେ ? ନା ବିଦ୍ୟା ଯୋଗୁଁ ? ଏହାର ଏକମାତ୍ର ସାଧନ ହେଉଛି ସେବା, ଆଉ ସୁଖଦା ବା ସେ କ୍ଷେତ୍ରରେ କେତେ ଦିନ ହେଲା ପ୍ରବେଶ କରିଛି !

ସଡ଼କର ଉଭୟ ପାର୍ଶ୍ଵରେ ନରନାରୀଙ୍କର ପାଚେରୀ ଠିଆ ହୋଇଛି, ଆଉ ମୋଟରଟା ଯେମିତି ସେମାନଙ୍କର ହୃଦୟକୁ ଦଳି ଚକଟି ଦେଇ ଚାଲିଯାଉଛି ।

ସୁଖଦାର ହୃଦୟରେ ଗର୍ବ ନାହିଁ, ଉଲ୍ଲାସ ନାହିଁ, ଦ୍ୱେଷ ନାହିଁ; ଅଛି କେବଳ ବେଦନା–ଜନତାର ସେହି ଦୟନୀୟ ଦଶାପାଇଁ, ସେହି ଅଧୋଗତି ପାଇଁ, ଯେ କି ବୁଡ଼ିଯାଉଥିବାବେଳେ କୁଟାଖିଅକର ଆଶ୍ରୟ ପାଇଲେ ମଧ୍ୟ କୃତାର୍ଥ ହୋଇଯାଏ ।

କିଛିଦୂର ଅନ୍ତେ ସଡ଼କଟି ନିସ୍ତବ୍ଧ । ଶ୍ରାବଣ ନିଦ୍ରା ଗଲାପରି କଳା ରାତି ସଂସାରକୁ ନିଜ ପଣତରେ ଶୁଆଇ ପକାଉଛି ଏବଂ ମୋଟରଟା ଆକାଶତଳେ ସ୍ଵପ୍ନ ପରି ଉଡ଼ିଯାଉଛି । କେବଳ ଦେହରେ ଶୀତଳ ପବନ ବାଜିବାର ଗତିବେଗ ଜଣାପଡ଼ୁଛି । ସେହି ଅନ୍ଧାରରେ ସୁଖଦାର ଅନ୍ତଃସ୍ଥଳରେ ଏକ ଜ୍ୟୋତିର ଉଦୟ ହୋଇଛି, ଯେଉଁ ଜ୍ୟୋତି କି ଜୀବନର ଅନ୍ତିମ କ୍ଷଣରେ ପ୍ରକାଶିତ ହୁଏ, ଯେଉଁ ଜ୍ୟୋତିରେ ମନର ସମସ୍ତ କାଳିମା, ସମସ୍ତ ଗ୍ରନ୍ଥି, ସମସ୍ତ ବିଷମତା, ନିଜ ନିଜର ଯଥାର୍ଥ ରୂପରେ ଦେଖାଯାଆନ୍ତି । ସେତେବେଳେ ପ୍ରାଣୀ ଜାଣିପାରେ ଯେ ଅନ୍ଧକାରରେ ସେ ଯାହାକୁ କାଳିଆ ଭୂତ ମନେ କରୁଥିଲା, ତାହା ଏକ ପାଳଗଦା ଯାହାକୁ କାଳନାଗ ଭାବିଥିଲା, ତାହା ଗୋଟିଏ ଦଉଡ଼ି । ଆଜି ସେ ନିଜର ପରାଜୟ ବୁଝିପାରୁଛି; ସେ ପରାଜୟ ଅନ୍ୟାୟ ସମ୍ମୁଖରେ ନୁହେଁ, ଅସତ୍ୟ ସମ୍ମୁଖରେ ନୁହେଁ; ବରଂ ତ୍ୟାଗ ଓ ସେବା ସମକ୍ଷରେ । ସେହି ସେବା ଓ ତ୍ୟାଗ ଲାଗି ତ ସ୍ଵାମୀ ସହିତ ତା’ର ମତଭେଦ ଘଟିଛି, ଯାହାକି ପରିମାଣରେ ଏହି ବିଚ୍ଛେଦର କାରଣ ହୋଇଛି । ଏହି ସିଦ୍ଧାନ୍ତ ପ୍ରତି ଅଭକ୍ତି ପୋଷଣ କରି ମଧ୍ୟ ସେ ଏଗୁଡ଼ିକ ପ୍ରତି ଆକୃଷ୍ଟ ହୋଇ ଆସିଛି ଏବଂ ଆଜି ସେ ପତିଙ୍କ ଅନୁଗାମୀନୀ ହୋଇଯାଇଛି । ଶାନ୍ତିକୁମାରଙ୍କୁ ଅମର ଲେଖିଥିବା ପତ୍ରଟି ବିଷୟ ଆଜି ତା’ର ମନେ ପଡ଼ୁଛି ଏବଂ ପ୍ରଥମ କରି ସ୍ଵାମୀଙ୍କ ପ୍ରତି କ୍ଷମାଭାବ ତା’ ମନରେ ଫୁଟିଉଠିଛି । ଏ କ୍ଷମାରେ ଦୟାନାହିଁ, ଅଛି ସହାନୁଭୂତି, ସହଯୋଗିତା । ବର୍ତ୍ତମାନ ଦୁହେଁ ଏକ ପଥର ପଥିକ, ଏକ ଆଦର୍ଶର ଉପାସକ । ଉଭୟଙ୍କ ମଧ୍ୟରେ ଭେଦ ନାହିଁ, ବୈଷମ୍ୟ ନାହିଁ । ଆଜି ପ୍ରଥମ ଥରପାଇଁ ସ୍ଵାମୀ ସହିତ ତା’ର ଆତ୍ମିକ ସାମଞ୍ଜସ୍ୟ ଆସିଛି । ଯେଉଁ ଦେବତାକୁ ଅନିଷ୍ଟକାରୀ ମନେ କରୁଥିଲା, ଆଜି ତାକୁ ଧୂପ–ଦୀପ ଦେଇ ପୂଜା କରୁଛି ।

 

ସହସା ମୋଟର ଗାଡ଼ିଟି ଅଟକିଲା । ଡେପୁଟି ଓହ୍ଲାଇପଡ଼ି କହିଲେ–ସୁଖଦା ଦେବୀ ! ଜେଲରେ ପହଞ୍ଚିଗଲେ । ମୋତେ କ୍ଷମା କରିବେ ।

 

ନିଜର ପ୍ରାଣଧନ ସହ ମିଳନପାଇଁ ଆସିଲା ପରି ସୁଖଦା ପ୍ରସନ୍ନ ଦିଶୁଥାଏ ।

 

–୩୭–

 

ଅମରକାନ୍ତ ଯେମିତି ଜାଣିଛି ଯେ ସଲୀମ୍‌ ସେଠିକି ଅଫିସର ହୋଇ ଯାଇଛି, ତା’ ସଙ୍ଗେ ସାକ୍ଷାତ କରିବାକୁ ବାହାରିଛି । ଭାବୁଛି, ଖୁବ୍‌ ଗପ୍‍ସପ୍ ହେବ । ପୁଣି ଭାବୁଛି–ତା’ଠାରେ ଅଫିସରୀ ଗନ୍ଧ ପଶିଯାଇଥିବ କି କ’ଣ । ତଥାପି ପୁରୁଣା ସାଙ୍ଗ ସହ ସାକ୍ଷାତ କରିବାର ଉତ୍କଣ୍ଠାକୁ ସେ ରୋଧୀପାରୁ ନାହିଁ । କୋଡ଼ିଏ–ପଚିଶ ମାଇଲ ପାହାଡ଼ିଆ ରାସ୍ତା । ଶୀତ ଖୁବ୍‌ ପଡ଼ିଛି । କୁହୁଡ଼ି କାଳିମାରେ ଆକାଶ ପାଣ୍ଡୁର ହୋଇଯାଉଛି ଓ ତା’ରି ଭିତର ଦେଇ ସୂର୍ଯ୍ୟ ଯେପରି ଅଣ୍ଡାଳି ଅଣ୍ଡାଳି ରାସ୍ତା ଖୋଜି ଚାଲିଛି । କେବେ ଦେଖା ଦେଉଛି ତ କେବେ ଛପିଯାଉଛି । ଅମର ଦ୍ଵିପ୍ରହର ପରେ ବାହାରିଥିଲା । ଭାବିଥିଲା, ଦିନ ଥାଉଁଥାଉଁ ପହଞ୍ଚିଯିବ । କିନ୍ତୁ ଦିନ ଢଳିବାରେ ଲାଗିଛି, ଆହୁରି କେତେ କେଜାଣି ରାସ୍ତା ବାକି ଅଛି । ତା’ ପାଖେ କେବଳ ଦେଶୀ କମ୍ବଳ ଖଣ୍ଡିଏ ଅଛି । ଯଦି ରାତି ହୋଇଯାଏ, କେଉଁ ଗଛମୂଳେ ଆଶ୍ରୟ ନେବାକୁ ପଡ଼ିବ । ଦେଖୁଦେଖୁ ସୂର୍ଯ୍ୟଦେବତା ମଧ୍ୟ ଅସ୍ତ ଗଲେ । ଅନ୍ଧାର ଯେପରି ଆଁ କରି ସଂସାରଟାକୁ ଗିଳିବାକୁ ମାଡ଼ି ଆସୁଛି । କେବେ ଅମର ଚଞ୍ଚଳ ପାଦକୁ ଆହୁରି ଚଞ୍ଚଳ କରି ଦେଇଛି । ସହରରେ ପହଞ୍ଚିବାବେଳକୁ ରାତି ଆଠ ।

 

ସଲୀମ୍ ସେହିକ୍ଷଣି କ୍ଲବ୍‌ରୁ ଫେରିଥାଏ । ଖବର ପାଇବାମାତ୍ରେ ବାହାରକୁ ଆସିଲା । ଅମର ତା’ର ସାଜସଜ୍ଜା ଦେଖି ତଟସ୍ଥ । ଆଲିଙ୍ଗନ କରିବା ବଦଳରେ ହାତ ବଢ଼ାଇ ଦେଲା । ପାଖରେ ଅର୍ଦ୍ଦଳି ଠିଆ ହୋଇଛି । ତା’ ଆଗରେ ଏ ମଫସଲୀଟା ସହିତ କୌଣସି ସମ୍ପର୍କରେ ପରିଚୟ ଦେବା ବଡ଼ ସାହସର ବିଷୟ । ତାକୁ ନିଜର ସୁସଜ୍ଜିତ କକ୍ଷ ଭିତରକୁବି ନେଇପାରିଲା ନାହିଁ । ହତା ଭିତରେ ଛୋଟିଆ ବଗିଚା । ଗୋଟିଏ ଗଛମୂଳକୁ ନେଇଯାଇ କହିଲା–ଏ ତୁମେ କି ଭେକ ଧରିଛ, ବାବା ! ଏଡ଼େ ଅସଭ୍ୟ କେବେଠୁଁ ହୋଇଗଲଣି ? ଧନ୍ୟରେ କୁର୍ତ୍ତା ! ଡାକମୁଣା ପରି ତ ଜଣାପଡ଼ୁଛି ! ଆଉ ଏ ଡାବଲୁଶ୍ ଜୋତା କେଉଁ ଦେଶରୁ ମଗାଇଛ ? ମୋର ତ ଆଶଙ୍କା ହେଉଛି, କେତେବେଳେ ତୁମକୁ ବେଠି କରିବାକୁ ଧରି ନେବେ କି କ’ଣ !

 

ଅମର ଭୂଇଁରେ ବସିପଡ଼ି କହିଲା–କିଛି ଆଦର–ସତ୍କାର କରନ୍ତ କ’ଣ ନା ଓଲଟି ଗାଳିଗୁଲଜ ଆରମ୍ଭ କଲଣି ! ମଫସଲୀଙ୍କ ଭିତରେ ରହିଛି ସେତେବେଳେ, ଜେଣ୍ଟଲ୍‌ମାନ୍ ସାଜିଲେ ଚଳିବ କିପରି ? ଆସିଛ, ଭଲ ହେଇଛି ଭାଇ ? କେବେ କେମିତି ଗପ୍‍ସପ୍ ହେବ । ସିଆଡ଼ିକା ଭଲ–ମନ୍ଦ କୁହ । ଆଚ୍ଛା, ତୁମେ ଚାକିରି କଲ କାହିଁକି, ଘରେ ବସି ଖୁବ୍‌ ଗୋଟାଏ ବ୍ୟବସାୟ କରିଥାନ୍ତ, ଶେଷକୁ ଏହି ଗୋଲାମି ଦେଖାଗଲା !

 

ସଲୀମ୍‌ ଗର୍ବରେ କହିଲା–ଗୋଲାମ ନୁହେଁ, ଆଜ୍ଞା, ହାକିମ । ଦଶ–ପାଞ୍ଚ ଦିନେ ମୋଟର ଆସିଯାଉଛି । ସେତେବେଳେ ଦେଖିବୁ କି ଆଡ଼ା–ଚୌଡ଼ାରେ ବାହାରିବି । ହଁ, ତୋର ଏ ହାଲ୍‌ ଦେଖି ମୋ ମନ ବଡ଼ ଖରାପ । ତୋତେ ଏ ବେଶ ବଦଳାଇବାକୁ ପଡ଼ିବ ।

 

ଅମରର ଆତ୍ମସମ୍ମାନରେ ଆଘାତ ଲାଗିଲା । କହିଲା–ମୋର ଧାରଣା ଥିଲା, ଅଛି ମଧ୍ୟ, ପୋଷାକ ଦରକାର କେବଳ ଶରୀର ରକ୍ଷାପାଇଁ, ଆଡ଼ମ୍ବର ଦେଖାଇବା ପାଇଁ ନୁହେଁ । ଖାଦ୍ୟ ଦରକାର କେବଳ ଶରୀର ପୋଷଣପାଇଁ ।

 

ସଲୀମ୍‌ ଭାବିଲା–କି ମୂଲ୍ୟହୀନ କଥା ! ମଫସଲୀମାନଙ୍କ ମେଳରେ ରହି ବୁଦ୍ଧି–ଶୁଦ୍ଧିବି ପୋଡ଼ି ଖାଇଲାଣି ଏଇଟା ! କହିଲା ଖାଦ୍ୟ ତ କେବଳ ଶରୀର ପୋଷଣପାଇଁ ଦରକାର, ତେବେ ଶୁଖିଲା ଚଣା ନ ଚୋବାଉ କାହିଁକି ? ଶୁଖିଲା ଗହମ ଖାଇଯାଅ; ହାଲୁଆ–ମିଠାଇ ଗିଳୁଛ କାହିଁକି-?

 

“ସେହି ଶୁଖିଲା, ଚଣା ଚୋବାଉଛି ତ ।”

 

“ମିଛ କଥା, ମିଛ କଥା । ଶୁଖିଲା ଚଣାରେ ଏମିତି ଛାତି ଫୁଲି ଉଠିଛି ? ମୋର ଦେଢ଼ା ହୋଇଗଲୁଣି, ମୁଁ ତ ପ୍ରାୟ ଚିହ୍ନିପାରି ନଥାନ୍ତି ।”

 

“ହଁ ବାବୁ, ହଁ । ଏ ସେହି ଶୁଖିଲା, ଚଣାର ଗୁଣ । ନିର୍ମଳ ବାୟୁ ଓ ସଂଯମରେହିଁ ଶକ୍ତି ଥାଏ । ହାଲୁଆ–ପୁରିରେ ଶକ୍ତି ବଢ଼େ ନାହିଁ କି ଛାତି ଫୁଲେ ନାହିଁ, ଖାଲି ପେଟ ବାହାରିପଡ଼େ । ପଚିଶ ମାଇଲ ରାସ୍ତା ପାଦରେ ଚାଲି ଚାଲି ଆସିଛି । ପାରିବୁ ତୁ ? ମୋ ସଙ୍ଗେ ପାଞ୍ଚ ମାଇଲ ଚାଲ ତ ଦେଖେ ।”

 

“କ୍ଷମା କରିବେ । କଥାରେ ଅଛି–‘ବଡ଼ରାଣୀ, ନା ଆସୁ ତ ମୋ ସଙ୍ଗେ ଚକି ପେଷିବ ।’ ତୋ ଚକିପେଷା ତୋ’ର ମଙ୍ଗଳ କରୁ । ତୁ ଏଠି କରୁଛୁ କ’ଣ ?”

 

“ଆସିଲୁଣି ତ, ବଳେ ଦେଖିବୁ ନାହିଁ ! ମନ ମଧ୍ୟରେ ଜୀବନର ଯେପରି ନକ୍ସା ଆଙ୍କିଥିଲି, ତାକୁହିଁ କାର୍ଯ୍ୟକାରୀ କରୁଛି । ସ୍ଵାମୀ ଆତ୍ମାନନ୍ଦ ଆସିଯିବାରୁ କାମ ଆହୁରି ସୁଗମ ହୋଇଯାଇଛି ।”

 

ଭାରି ଶୀତ ପଡ଼ିଛି । ବାଧ୍ୟ ହୋଇ ସଲୀମ୍‌ ଅମରକାନ୍ତକୁ ନିଜ କୋଠରୀକୁ ନେଲା । ଅମର ଦେଖିଲା ଭିତରେ ଗଦିଦାର କୌଚ୍‌ ପଡ଼ିଛି, ପିତଳର ଫୁଲକୁଣ୍ଡ, ତଳେ ଗାଲିଚା ବିଛା ହୋଇଛି, ମଝିରେ ଶଙ୍ଖମର୍ମରର ଗୋଲ–ଟେବୁଲଟିଏ ଅଛି ।

 

ଅମର ଦୁଆରମୁହଁରେ ଜୋତା ଖୋଲି କହିଲା–କବାଟ ବନ୍ଦ କରିଦିଏ । କେହି ଦେଖିପକାଏ ତ ତୁମ ସମ୍ମାନ ଯିବ ଯେ । ସାହେବ ଲୋକ କିନା !

 

ମରମ କଥା ଶୁଣି ସରମ ପାଇଲା ସଲୀମ୍‌ । କହିଲା–ମୁଁ ଫେସନର ଦାସ ନହେଲେ ସୁଦ୍ଧା କିମିତି ଗୋଟାଏ ଧାରଣା ଅବଶ୍ୟ ରହିଆସିଛି ତ ଭାଇ ! ମୁଁ ବି ନିରାଡ଼ମ୍ବର ଜୀବନଯାପନ ଚାହୁଁଥିଲି; କିନ୍ତୁ ବାପାଙ୍କ ଆଦେଶ ଅମାନ୍ୟ କରିଥାନ୍ତି କିପରି । ପ୍ରିନ୍‍ସିପାଲ ପର୍ଯ୍ୟନ୍ତ କହୁଥିଲେ ଯେ ମୁଁ ପାସ୍ କରିପାରିବି ନାହିଁ; କିନ୍ତୁ ରେଜଲ୍‌ଟ ଦେଖି ସମସ୍ତେ ସ୍ତମ୍ଭିତ । କେବଳ ତୋ’ରି କଥା ମନେପକାଇ ମୁଁ ଏ ଜିଲାକୁ ମନୋନୀତ କଲି । କାଲି ତୋତେ କଲେକ୍‌ଟରଙ୍କ ସଙ୍ଗେ ସାକ୍ଷାତ କରାଇବି । ଏଯାଏଁ ମି: ଗଜନବୀଙ୍କୁ ତ ଭେଟି ନଥିବୁ । ବଡ଼ ବିଳାସୀ; ହେଲେ ନିଷ୍କପଟ ଲୋକ । ପ୍ରଥମ ଦେଖାରେହିଁ ମୋତେ ଆପଣାର କରିନେଲେ । ବୟସ ପ୍ରାୟ ଚାଳିଶବର୍ଷ ହେବ; କିନ୍ତୁ ରସିକତା ଖୁବ୍‌ ।

 

ଅମରକାନ୍ତର ବିବେଚନାରେ ଅଫିସରମାନେ ସଚ୍ଚରିତ୍ର ହେବା ଉଚିତ । ସଲୀମ୍‌ ଚରିତ୍ରବତ୍ତାର ପକ୍ଷପାତୀ ନୁହେଁ । ତେଣୁ ଦୁଇ ମିତ୍ରଙ୍କ ଭିତରେ ତର୍କ ଆରମ୍ଭ ହୋଇଗଲା ।

 

ସଲୀମ୍‌ କହିଲା–ରୁକ୍ଷ ଲୋକ କେବେ ଭଲ ଅଫିସର ହୋଇପାରିବ ନାହିଁ ।

 

ଅମର କହିଲା–ସଚ୍ଚରିତ୍ର ହେବାପାଇଁ ତ ରୁକ୍ଷ ହେବା ଦରକାର ପଡ଼େନା ।

 

“ମୁଁ ତ ଦେଖେ, ମୁଲ୍ଲାମାନେ ପ୍ରାୟ ରୁକ୍ଷ ହୁଅନ୍ତି । ଅଫିସରମାନଙ୍କ ପାଇଁ କେବଳ ଆଇନ–ଶୃଙ୍ଖଳା ରକ୍ଷା କରିବା ଯଥେଷ୍ଟ ନୁହେଁ । ମୋ ମତରେ କିଛିଟା ଦୁର୍ବଳତା ହେଉଛି ମନୁଷ୍ୟର ଅଳଙ୍କାର । ମୁଁ ଜୀବନରେ ତୁମଠାରୁ ଅଧିକ ସଫଳତା ହାସଲ କରିଛି । ମୁଁ ଦୃଢ଼ ଭାବରେ କହିବି ଯେ ମୋ ପ୍ରତି କେହି ଅସନ୍ତୁଷ୍ଟ ନୁହେଁ । ତୁ ତ ତୋ ସ୍ତ୍ରୀକୁବି ସନ୍ତୁଷ୍ଟ କରିପାରିଲୁ ନାହିଁ । ମୋର ବାବା, ଏ ମୁଲ୍ଲାପଣିଆକୁ ଦୂରରୁ ସଲୀମ୍‌ । ତୋତେ କୌଣସି ଜିଲାର ଅଫିସର କରି ଦିଆଯାଏ ତ ତୁ ଗୋଟାଏ ଦିନବି ରହିପାରିବୁ ନାହିଁ । କାହାରିକୁ ସନ୍ତୁଷ୍ଟ କରିପାରିବୁ ନାହିଁ ।

 

ଅମର ତର୍କକୁ ବଢ଼ାଇବା ଉଚିତ ମନେକଲା ନାହିଁ; କାରଣ ତର୍କ କଲାବେଳେ ସେ ଭାରି ଉତ୍ତେଜିତ ହୋଇଉଠେ ।

 

ଭୋଜନ ସମୟ ହୋଇ ଯାଇଥିଲା । ସଲୀମ୍‌ ଗୋଟାଏ ଶାଲ ବାହାର କରି ଅମରକୁ ଘୋଡ଼ାଇ ଦେଲା । ପିନ୍ଧିବାକୁ ରେଶମୀ ସ୍ଲିପର୍‌ ଦେଲା । ତା’ପରେ ଦୁହେଁ ଖାଇ ବସିଲେ । ଦୀର୍ଘକାଳ ପରେ ଅମରକୁ ଏପରି ସୁସ୍ୱାଦୁ ଖାଦ୍ୟ ମିଳିଛି । ମାଂସ ତ ସେ ଖାଇଲା ନାହିଁ; କିନ୍ତୁ ଆଉ ସବୁ ବଡ଼ ଆଗ୍ରହରେ ଖାଇଲା ।

 

ସଲୀମ୍ କହିଲା–ଅସଲ ଖାଇବା ଜିନିଷଟା ତ ବାଦ୍ ଦେଇ ଦେଲୁ ।

 

ଅମର ଅପରାଧୀ ପରି କହିଲା–ମୋର କୌଣସି ଆପତ୍ତି ନାହିଁ ଯେ, ହେଲେ ଇଚ୍ଛା ହେଉ ନାହିଁ । ଆଉ, ସେଠିକାର ଖବର କ’ଣ କହ । ବାହା–ସାହାଘର କେଉଁଠି ଠିକଣା ହେଲାଣି ? ସେଇ କାମଟା ବାକି ଅଛି, ସାରିଦେ ।

 

ସଲୀମ୍ ଥଟ୍ଟା କରି କହିଲା–ଆରେ ମୋ ସାଦି କଥା ଛାଡ଼, ଆଗ କହିଲୁ, ସକୀନା ସହିତ ତୋର କେବେ ସାଦିଘର ହେଉଛି ? ବିଚାରୀ ତୋରି ଅପେକ୍ଷାରେ ବସିଛି ।

 

ଅମରର ମୁହଁ ଫିକା ପଡ଼ିଗଲା । ଏ ପ୍ରଶ୍ନର ଉତ୍ତର ଦେବା ତା’ ପକ୍ଷରେ ସବୁଠୁବଳି କଷ୍ଟକର ଥିଲା । ଯେଉଁ ମନଃସ୍ଥିତିରେ ସେ ସକୀନା ଆଡ଼କୁ ଢଳିଥିଲା, ସେ ଅବସ୍ଥା ଏବେ ନାହିଁ । ସେତେବେଳେ ସକୀନା ତା’ ଜୀବନର ବାଧାସ୍ଵରୂପ ଥିଲା । ଉଭୟଙ୍କ ମନୋବୃତ୍ତିରେ କୌଣସି ସାମଞ୍ଜସ୍ୟ ନଥିଲା; ଉଭୟେ ଜୀବନକୁ ଭିନ୍ନ ଭିନ୍ନ ଦୃଷ୍ଟିକୋଣରୁ ଦେଖୁଥିଲେ । ଅପରକୁ ନିଜର ଅନୁଗାମୀ କରି ନେବାକୁ ଜଣେ କେହି ସମର୍ଥ ନଥିଲା; କିନ୍ତୁ ବର୍ତ୍ତମାନ ସେ ଅବସ୍ଥା ନାହିଁ । କେଉଁ ଏକ ଦୈବୀବିଧାନ ସେମାନଙ୍କର ସାମାଜିକ ବନ୍ଧନକୁ ଅଧିକ ନିବିଡ଼ କରି ଉଭୟ ଆତ୍ମାକୁ ଏକ କରି ଦେଇଛି । ଅମର ଜାଣେନା, ସୁଖଦା ତାକୁ କ୍ଷମା ଦେଇଛି କି ନାହିଁ; କିନ୍ତୁ ସେ ବର୍ତ୍ତମାନ ସୁଖଦାର ଉପାସକ । ତାକୁ ଆଶ୍ଚର୍ଯ୍ୟ ବୋଧ ହେଉଛି ଯେ ବିଳାସିନୀ ସୁଖଦା ତପସ୍ଵିନୀ ହେଲା କିପରି ! ଏହି ଆଶ୍ଚର୍ଯ୍ୟ ତା’ର ଅନୁରାଗକୁ ଦିନୁଦିନ ପ୍ରବଳ କରି ଚାଲିଛି । ନିଜ ଅସନ୍ତୋଷର ହେତୁ, ନିଜର ଅଯୋଗ୍ୟତାରେ ଲୁକ୍କାୟିତ ଥିଲା ବୋଲି ସେ ଏବେ ଅନୁଭବ କରୁଛି । ସେ ସୁଖଦା ପାଖକୁ କୌଣସି ପତ୍ର ଲେଖିପାରୁ ନାହିଁ; ତା’ର ଦୁଇଟି କାରଣରୁ, ପ୍ରଥମ ହେଲା ଲଜ୍ଜା ଓ ଦ୍ୱିତୀୟଟି ନିଜର ପରାଜୟର କଳ୍ପନା । ଶାସନର ସେହି ପୁରୁଷୋଚିତ ଭାବ ଯେପରି ତାକୁ ପରିହାସ କରି ଉଠୁଛି । ସୁଖଦା ନିଜପାଇଁ ସ୍ଵଚ୍ଛନ୍ଦରେ ଗୋଟାଏ ନୂତନ ମାର୍ଗ ସନ୍ଧାନ କରିପାରେ, ତା’ର (ଅମରର) ଲେଶମାତ୍ର ଆବଶ୍ୟକତା ସେ ଅନୁଭବ କରେନା, ଏହି ବିଚାର ତା’ର ଅନୁରାଗର ଗଳା ଚିପି ଧରୁଛି । ଯେତେ ଯାହା କଲେବି ସେ ସୁଖଦାର ଅନୁଗାମୀ ମାତ୍ର ହୋଇପାରେ, ସେଥିରୁ ଅଧିକ ନୁହେଁ । ତା’ ପୂର୍ବ ସୁଖଦା ଯୁଦ୍ଧ କରିବାକୁ କୁଦିଯାଇଛି । ଏହି ଭାବ ତା’ର ଆତ୍ମଗୌରବରେ ଆଘାତ ଦେଉଛି ।

 

ସେ ମୁହଁ ତଳକୁ କରି କହିଲା–ଏବେ ମୁଁ ଅନୁଭବ କରୁଛି ଯେ ନାରୀକୁ ସନ୍ତୁଷ୍ଟ କରିବାର କ୍ଷମତା ମୋର ନାହିଁ, ମୋର ସେ ଯୋଗ୍ୟତାହିଁ ନାହିଁ । ମୁଁ ସ୍ଥିର କରିଛି, ସକୀନା ପ୍ରତି ଅନ୍ୟାୟ କରିବି ନାହିଁ ।

 

“ତେବେ ଅନ୍ତତଃ ତୁମ ଫୈସଲା ତାକୁ ଜଣାଇ ଦେଇଥାନ୍ତ ।”

 

ଅମର ବ୍ୟଥାତୁର କଣ୍ଠରେ କହିଲା–ଏ କାମ, ତୁ ଯେପରି ଭାବୁଛୁ ସଲୀମ୍, ସେପରି ସହଜ ନୁହେଁ ତ । ତା’ର ସ୍ମୃତି ମନକୁ ଆସିଲେ ଏବେ ସୁଦ୍ଧା ମୁଁ ବିଚଳିତ ହୋଇଯାଏ । ତା’ର ସାହଚର୍ଯ୍ୟରେ ମୋ ଜୀବନ ସ୍ଵର୍ଗ ପାଲଟି ଯାଇଥାନ୍ତା । ତା’ର ଏ ନିଷ୍ଠା ଆଗରେ ପ୍ରାଣ ବିସର୍ଜନ କରିବାକୁ ଇଚ୍ଛା ହୁଏ, ସେ ଯେ ଏପର୍ଯ୍ୟନ୍ତ......

 

ଅମରର କଣ୍ଠ ଭାରି ହୋଇଗଲା ।

 

ସଲୀମ୍ ଟିକିଏ ପରେ କହିଲା–ଧର, ମୋ ସହିତ ସାଦି କରିବାକୁ ମୁଁ ତାକୁ ରାଜି କରାଇ ନେଲି, ତା’ ତୋର ଅସହ୍ୟ ହେବ ?

 

ଅମର ଯେପରି ଚକ୍ଷୁଦାନ ପାଇଲା–ନା ଭାଇ, ବିଲ୍‍କୁଲ୍ ନୁହେଁ । ତୁ ଯଦି ତାକୁ ରାଜି କରାଇପାରୁ, ମୁଁ ଭାବିବି, ତୋଠୁଁ ବଳି ଭାଗ୍ୟବାନ ଦୁନିଆରେ ନାହିଁ । କିନ୍ତୁ ତୁ ତ ମଜାକ୍ କରୁଛୁ, କେଉଁ ନବାବଜାଦୀକୁ ବିବାହ କରିବାକୁ କଳ୍ପନା କରୁଥିବୁ ।

 

ଦୁହେଁ ଖାଇସାରିଲେ ଓ ହାତ–ମୁହଁ ଧୋଇ ଅନ୍ୟ କୋଠରୀରେ ଶୋଇଲେ ।

 

ସଲୀମ୍ ହୁକା ଟାଣୁ ଟାଣୁ କହିଲା–ତୁ କ’ଣ ଭାବୁଛୁ, ମୁଁ ଥଟ୍ଟା କରୁଛି ? ଅବଶ୍ୟ ସେତେବେଳେ ଥଟ୍ଟା କରୁଥିଲି; କିନ୍ତୁ ୟା’ ଭିତରେ ମୁଁ ତାକୁ ଭଲ କରି ପରଖି ନେଇଛି । ସେତେବେଳେ ସେ ତୋତେ ନ ପାଇଥିଲେ ନିଶ୍ଚୟ ଆଉ କାହାର ହୋଇ ସାରନ୍ତାଣି । ତୋତେ ପାଇବାରୁ ସେ ଆଉ କାହାରିକୁ ମନରେ ସ୍ଥାନ ଦେଇ ନାହିଁ । ତୁ ତାକୁ ପଙ୍କରୁ ଉଦ୍ଧାର କରି ମନ୍ଦିରର ଦେବୀ କରି ଦେଇଛୁ ଏବଂ ଦେବୀର ଆସ୍ଥାନରେ ବସି ସେ ବାସ୍ତବରେ ଦେବୀରେ ପରିଣତ ହୋଇଛି । ଯଦି ତୁ ତାକୁ ବିବାହ କରିପାରିବୁ, ତେବେ ଖୁସିରେ କର । ମୁଁ ତ ଭାଇ ଜାଣୁ, ଭୋଳା ଲୋକ; ମନ ଭୁଲାଣିଆ ଅନ୍ୟ ସାମଗ୍ରୀ ଜୁଟାଇ ନେବି; କିନ୍ତୁ ତୁ ଯଦି ତା’ ନ ଚାହୁଁ, ତେବେ ମୋତେ ରାସ୍ତା ଛାଡ଼ିଦେ । ପୁଣି ଦେଖ, ତୋ ସ୍ତ୍ରୀ ତ ତୋରି ପନ୍ଥା ଧରିଲେଣି, ଏଣିକି ଆଉ ତାଙ୍କ ପ୍ରତି ତୋର ଅସନ୍ତୋଷର କୌଣସି କାରଣ ନାହିଁ ।

 

ନିଜ ଆଡ଼କୁ ହୁକାଟି ଟାଣି ନେଇ ଅମର କହିଲା–ମୁଁ ବିନା ଆପତ୍ତିରେ ତୋ ରାସ୍ତାରୁ ଦୂରେଇ ଯାଉଛି; କିନ୍ତୁ ଗୋଟାଏ କଥାର ଜବାବ ମୋତେ ଦେଲୁ–ତୁ କ’ଣ ସକୀନାକୁ ମଧ୍ୟ ମନଭୁଲାଣିଆ ସାମଗ୍ରୀ ବୋଲି ଭାବୁ, ନା ତାକୁ ଆନ୍ତରିକ ପ୍ରେମ କରୁ ?

 

ସଲୀମ୍ ଉଠି ବସିଲା–ଦେଖ ଅମର, ମୁଁ ତୋତେ କେବେ କୌଣସି କଥା ଲୁଚାଏ ନାହିଁ, ଅତଏବ ଆଜିବି ଲୁଚାଉ ନାହିଁ । ସକୀନା ପ୍ରେମର ପାତ୍ରୀ ନୁହେଁ, ପୂଜାର ପାତ୍ରୀ । ମୁଁ ତାକୁ ଅନ୍ତତଃ ଏଇ ଦୃଷ୍ଟିରେ ଦେଖେ । ତା’ ବୋଲି ମୁଁ କହୁ ନାହିଁ ଯେ ତାକୁ ବିବାହ କରିବା ସଙ୍ଗେ ସଙ୍ଗେ ମୁଁ ମାଳା–ତିଳକ ଧରିବି । କିନ୍ତୁ ମୋର ବିଶ୍ଵାସ, ତାକୁ ପାଇଲେ ମୁଁ ଜୀବନରେ କିଛି କରିପାରିବି । ଏପର୍ଯ୍ୟନ୍ତ ମୋର ଜୀବନ ଲକ୍ଷ୍ୟହୀନ ଭାବରେ ଗତି କରୁଛି । ସେ ମୋ ଭାସି ଯାଉଥିବା ନୌକାର ଲଙ୍ଗର ହେବ । ଏହି ଲଙ୍ଗର ବିନା ନୌକା କେତେବେଳେ କେଉଁ ଭଉଁରୀରେ ପଡ଼ିଯିବ କେଜାଣି । ମୋର ଏପରି ସ୍ତ୍ରୀଟିଏ ଦରକାର, ଯେ କି ମୋ ଉପରେ ଶାସନ ଚଳାଇବ, ମୋର ଲଗାମକୁ ଟାଣି ଧରିଥିବ ।

 

ଅମରକୁ ନିଜ ଜୀବନ ଦୁର୍ବହ ବୋଧ ହେଉଥିଲା, କାରଣ ସେ ନିଜ ସ୍ତ୍ରୀକୁ ଶାସନାଧୀନ ରଖିପାରୁ ନଥିଲା । ସଲୀମ୍ ଏପରି ସ୍ତ୍ରୀଟିଏ ଚାହୁଁଥିଲା, ଯେ କି ତାକୁ ଶାସନ କରନ୍ତା । ପୁଣି ମଜାର ବିଷୟ ହେଲା–ଉଭୟେ ଗୋଟିଏ ରମଣୀଠାରେ ନିଜ ନିଜର ମନୋମତ ଲକ୍ଷଣ ଦେଖୁଥିଲେ ।

 

ଅମର କୌତୂହଳୀ ହୋଇ କହିଲା–ମୋର ଧାରଣା, ତୁ ଯାହା ଚାହୁଁ, ସକୀନାଠାରେ ତା’ ନାହିଁ ।

 

ସଲୀମ୍ ଗଭୀର ଭାବମଗ୍ନ ହୋଇ କହିଲା–ତୋପାଇଁ ନାହିଁ; କିନ୍ତୁ ମୋପାଇଁ ଅଛି ! ସେ ତୋତେ ପୂଜା କରେ; କିନ୍ତୁ ମୁଁ ତାକୁ ପୂଜା କରେ ।

 

ଏହାପରେ ପ୍ରାୟ ରାତି ଦୁଇଟା–ଅଢ଼େଇଟା ପର୍ଯ୍ୟନ୍ତ ଦୁହିଁଙ୍କ ଭିତରେ ନାନା କଥା ପଡ଼ିଲା । ସଲୀମ୍ ସେହି ନୂତନ ଆନ୍ଦୋଳନର ଚର୍ଚ୍ଚାବି କଲା, ଯାହାକି ତା’ ଉପସ୍ଥିତିରେ ଆରମ୍ଭ କରାଯାଇଥିଲା ଏବଂ ତାହା ସଫଳ ହେବାର ଆଶା ନାହିଁ ଓ ଘଟଣା ଗୁରୁତର ହୋଇଯିବା ଖୁବ୍ ସମ୍ଭବ ବୋଲି ମଧ୍ୟ କହିଲା ।

 

ଅମର ବିସ୍ମୟରେ କହିଲା–ତେବେ ତ କହିବାକୁ ହେବ, ସୁଖଦା ସେଠାରେ ନବଜୀବନ ସଞ୍ଚାର କରି ଦେଇଛି ।

 

“ତୁମର ଶାଶୁ ନିଜର ସମୁଦାୟ ସମ୍ପତ୍ତି ସେବାଶ୍ରମ ନାମରେ ଦାନ କରି ଦେଇଛନ୍ତି ।”

 

“ଆଚ୍ଛା !”

 

“ଆଉ ତୋର ରକ୍ଷଣଶୀଳ ବାପା ମଧ୍ୟ ଏଣିକି ଜାତୀୟ–କାର୍ଯ୍ୟରେ ଯୋଗ ଦେବାକୁ ଆରମ୍ଭ କଲେଣି ।”

 

“ତେବେ ତ ସେଠି ପୂର୍ଣ୍ଣମାତ୍ରାରେ ବିପ୍ଳବ ଚାଲିଲାଣି !”

 

ସଲୀମ୍ ତ ଶୋଇଗଲାଣି; ମାତ୍ର ଦିନସାରା କ୍ଳାନ୍ତ ହୋଇଥିଲେବି ଅମର ନିଦକୁ ସ୍ଵାଗତ କରିପାରୁ ନାହିଁ । ସେ ଯାହା କଳ୍ପନା କରିପାରୁ ନଥିଲା, ସୁଖଦା କାମରେ କରିଦେଲାଣି ! ହଉ, ଯେତେହେଲେବି ସେହି ସାମନ୍ତବାଦ ତ, ଟିକିଏ ମାର୍ଜିତ ରୂପରେ । ଉଦ୍ଦେଶ୍ୟଟା ସୁନାମ ଅର୍ଜନ, ଆଉ କିଛି ନୁହେଁ । କିନ୍ତୁ ତା’ପରେ ସେ ନିଜକୁ ଧିକ୍‌କାର କଲା, ତୁମେ କାହା ଅନ୍ତର କଥା ଜାଣିଲ କିପରି ଯେ ! ଆଜି ହଜାର ହଜାର ଲୋକ ଦେଶ ସେବାରେ ଲାଗିଛନ୍ତି, କିଏ କହିପାରିବ ଯେ କିଏ ସ୍ଵାର୍ଥପର ଆଉ କିଏ ପ୍ରକୃତ ସେବକ ?

 

କେଜାଣି କେତେବେଳେ ତାକୁ ମଧ୍ୟ ନିଦ ଆସିଗଲା ।

 

–୩୮–

 

ଅମରକାନ୍ତର ଜୀବନରେ ଏକ ନବୀନ ଉତ୍ସାହ ଝଲକି ଉଠିଛି । ଜଣାଯାଉଛି, ଜୀବନଯାତ୍ରାରେ ସେ ଗୋଟାଏ ନୂଆ ଘୋଡ଼ା ଉପରେ ଚଢ଼ିଛି । ପୂର୍ବେ ପୁରୁଣା ଘୋଡ଼ାକୁ ଚାବୁକ୍ ମାରିବାକୁ ପଡ଼ୁଥିଲା । ଏ ନୂଆ ଘୋଡ଼ା କାନ ଖାଡ଼ାକରି ପ୍ରଖର ଗତିରେ ଧାଇଁ ଚାଲିଛି । ସ୍ଵାମୀ ଆତ୍ମାନନ୍ଦ, କାଶୀ, ପୟାଗ ସମସ୍ତଙ୍କ ସଙ୍ଗେ ତା’ର ବିତଣ୍ଡା ହୋଇ ଯାଉଛି । ସେମାନଙ୍କ ପାଖେ ସେଇ ପୁରୁଣା ଘୋଡ଼ା, ଦଉଡ଼ରେ ପଛରେ ପଡ଼ିଯାଉଛନ୍ତି । ସେମାନଙ୍କର ମନ୍ଥରଗତି ଯୋଗୁଁ ଅମର ବିରକ୍ତ–ଏମିତି ତ କାମ ଚଳିବନି ସ୍ଵାମୀଜୀ ! ଆପଣ କାମ କରୁଛନ୍ତି ନା ଗେଲ ଗେଲ ହେଉଛନ୍ତି ! ଆପଣ ସେହି ସେବାଶ୍ରମରେ ଆସନ ଜମେଇଥିଲେ ବରଂ ଭଲ ହୋଇଥାନ୍ତା !

ଆତ୍ମାନନ୍ଦ ନିଜର ବିଶାଳ ବକ୍ଷ ଫୁଲାଇ କହନ୍ତି–ମୁଁ ବାବା, ଆଉ ଦଉଡ଼ି ପାରିବି ନାହିଁ । ଲୋକେ ଯଦି ସ୍ଵାସ୍ଥ୍ୟରକ୍ଷାର ନିୟମଗୁଡ଼ିକ ପ୍ରତି ଧ୍ୟାନ ନ ଦେବେ, ତେବେ ନିଜେ ବେମାର ହେବେ, ମରିବେ । ମୁଁ ନିୟମ ବତାଇ ଦେବି ସିନା, ପାଳନ କରିବାଟା ସେମାନଙ୍କ ଉପରେ ।

ଅମରକାନ୍ତ ଭାବେ–ଏ ଲୋକଟି ଯେମିତି ମୋଟା, ୟାର ବୁଦ୍ଧିବି ସେମିତି ମୋଟା । ଖାଇବ ଦେଢ଼ସେର, କାମ କଲାବେଳାକୁ ଜ୍ଵର ଆସୁଛି । ସନ୍ନ୍ୟାସ ଗ୍ରହଣ କରି ଏ କ'ଣ ଲାଭ କଲେ କେଜାଣି !

ଆଖିରେ ତିରସ୍କାର ଭରି କହିଲା–ଆପଣଙ୍କ କାମ କେବଳ ନିୟମ ବତାଇବା ନୁହେଁ, ସେମାନଙ୍କୁ ନିୟମ ପାଳନ କରାଇବା ମଧ୍ୟ । ସେମାନଙ୍କୁ ଏପରି ଜୋର ଦିଅନ୍ତୁ, ଯେମିତିକି ସେମାନେ ନିୟମ ପାଳନ ନ କରି ରହିପାରିବେ ନାହିଁ । ସେମାନଙ୍କ ସ୍ଵଭାବ ଏହିପରି ହୋଇଯାଉ-। ମୁଁ ଆଜି ପିଚୌରା ବାଟେ ଗଲି, ଗାଁଟାସାରା ଜାଗାକୁ ଜାଗା ଅଳିଆ ଜମା ହୋଇଛି-। ଆପଣ କାଲି ସେ ଗାଁକୁ ଯାଇଥିଲେନା ? ଅଳିଆ ସଫା କରାଯାଇ ନାହିଁ କାହିଁକି ? ଆପଣ ନିଜେ ଫାଉଡ଼ା ଧରି ବାହାରି ପଡ଼ିଲେ ନାହିଁ ? ଗେରୁ–ବସ୍ତ୍ର ପିନ୍ଧିଲେ ବୋଲି ଆପଣ କ’ଣ ଭାବୁଛନ୍ତି ଯେ ଲୋକେ ଆପଣଙ୍କ ଉପଦେଶକୁ ବେଦବାଣୀ ବୋଲି ମନେକରିବେ ?

ଆତ୍ମାନନ୍ଦ ଖଣ୍ଡନ କଲେ–ମୁଁ ମଇଳା ସଫାଇରେ ଲାଗିଥିଲେ ଦିନଟା ସେହି ପିଚୌରାରେ କଟିଯାଇଥାନ୍ତା । ମୋର ପାଞ୍ଚ–ଛ’ଟା ଗ୍ରାମକୁ ଯିବାର ଥିଲା ଯେ ।

ଏଇଟା ଖାଲି ଆପଣଙ୍କର ଅନୁମାନ । ମୁଁ ତ ସବୁଯାକ ଅଳିଆ ମାତ୍ର ଅଧଘଣ୍ଟା ଭିତରେ ସଫା କରିଦେଲି । ମୁଁ ଫାଉଡ଼ା ଧରିଛି କି ନାହିଁ, ଗାଁଯାକ ଜମିଗଲେ; କଥା କହୁଁ କହୁଁ ଗାଁଟା ପରିଷ୍କାର ହୋଇଗଲା ।

ତା’ପରେ ସେ ଗୂଦଡ଼ ପଧାନକୁ ଧରିଲା–ତୁମେବି ମଉସା, ଏଣିକି କାମରେ ଢିଲା କଲଣି । କାଲି ଗୋଟାଏ ପଞ୍ଚାୟତରେ ଲୋକେ ମଦ ପିଉଥିବାର ଦେଖିଲି । ସୌତାଡ଼ା ଗାଁର କଥା । ମୋ ଯିବା କଥା କାହାରିକୁ ଜଣା ନଥିଲା । ଲୋକେ ଆନନ୍ଦରେ ବସିଥାନ୍ତି । ସରପଞ୍ଚଙ୍କ ଆଗରେ ବୋତଲଗୁଡ଼ା ଥୁଆ ହୋଇଥାଏ । ମୋତେ ଦେଖିବାମାତ୍ରେ ବୋତଲଗୁଡ଼ାକ ଲୁଚାଇ ଦେଇ ଗମ୍ଭୀର ହୋଇ ବସିଗଲେ । ମୁଁ ଦେଖେଇ ହେବା ଚାହେଁନା, କାମ ଚାହେଁ ।

ଅମର ପ୍ରେମ, ଉତ୍ସାହ, ଆତ୍ମବଳ ଓ କର୍ମଶୀଳତା ଯୋଗୁଁ ସମସ୍ତ ସହଯୋଗୀଙ୍କ ମଧ୍ୟରେ ସେବାଭାବ ସୃଷ୍ଟି କରିଛି ଓ ସେମାନଙ୍କୁ ଶାସନ କରୁଛି ମଧ୍ୟ । ସମସ୍ତେ ତାକୁ ସମ୍ମାନ ଦିଅନ୍ତି ତା’ କଥାରେ ଉଠ–ବସ ହୁଅନ୍ତି ।

ପଧାନ ବିରକ୍ତ ହୋଇ କହିଲା–କୋଉ ଗାଁ କଥା କହିଲ, ସୌତାଡ଼ା ? ମୁଁ ଆଜି ସେ ଗାଁର ପଧାନକୁ ଡକାଉଛି । ସେହି ହରଖଲାଲଟା ଜନ୍ମରୁ ମଦୁଆ । ସେଇଟା ଦି’ ଦଫା ସଜା ଭୋଗିଲାଣି ପରା ! ମୁଁ ଆଜିରେ ଡକାଉଛି ।

ଅମର ଜଙ୍ଘରେ ହାତ ପିଟି କହିଲା–ପୁଣି ସେଇ ଧମକ–ଚମକ ? ବୁଝିଲ ମଉସା ! ଧମକ–ଚମକରେ କିଛି ହେବ ନାହିଁ । ହୃଦୟରେ ପଶିବାକୁ ହେବ । ଏମିତି ହାଉଆ ସୃଷ୍ଟି କର, ଯେମିତିକି ମଦ–ତାଡ଼ି ପ୍ରତି ଲୋକଙ୍କର ଘୃଣା ଆସିଯିବ । ଆଉ ଦିନଯାକ ନିଜ କାମ–ଧନ୍ଦାରେ ଲାଗିବ, ଆରାମରେ ଶୋଇବ, ଏଇମିତିରେ ଏ କାମ ହେବ ? ଏତିକି ଜାଣିରଖ ଯେ ଆମ ଜାତି–ଭାଇ ଚେତିଲେ ବ୍ରାହ୍ମଣ କ୍ଷତ୍ରିୟମାନେ ଆପେଆପେ ଚେତିଯିବେ ।

ଗୂଦଡ଼ ହାର ମାନି କହିଲା–ମୋଠି ବାପ, ଏତେ ବଳ କାହିଁ ଯେ ଦିନଯାକ ଧନ୍ଦା କରିବି, ପୁଣି ରାତିରେ ଧାଁ–ଦଉଡ଼ କରିବି ? କାମ ନ କଲେ ବା ଗୁଣ୍ଡା ଚଳିବ କୁଆଡ଼ୁ ?

ତା’ର ସାହସହୀନତା ଦେଖି ଅମର ସହାସ୍ୟ ମୁଖରେ କହିଲା–କେଡ଼େ ବଡ଼ ପେଟରେ ବାବା ! ତାକୁ ତ ଛୋଟ କରିବାକୁ ପଡ଼ିବ ।

କାଶୀ ଓ ପୟାଗ ଦେଖିଲେ ଯେ ସମସ୍ତଙ୍କୁ ଗାଳି ଖାଇବାକୁ ପଡ଼ୁଛି । ତେଣୁ ସେଠାରୁ ଖସିଗଲେ ।

ପାଠଶାଳା ସମୟ ହୋଇଗଲାଣି । ଅମରକାନ୍ତ ବହି ଆଣିବାକୁ ନିଜ କୋଠରୀକୁ ଯାଇ ଦେଖିଲା, ମୁନ୍ନୀ ଦୁଧ ଧରି ଠିଆ ହୋଇଛି । କହିଲା–ମୁଁ ତ କହି ଦେଇଛି, ଦୁଧ ପିଇବି ନାହିଁ । ପୁଣି କାହିଁକି ଆଣିଲ ?

ଏହି କେତେଦିନ ହେଲା ମୁନ୍ନୀ ଅମରର ବ୍ୟବହାରରେ ଏକପ୍ରକାର ଶୁଷ୍କତା ଲକ୍ଷ୍ୟ କରୁଛି । ତାକୁ ଦେଖିଲେ ଏବେ ତା’ ମୁଖରେ ଉଲ୍ଲାସ ଝଲକୁ ନାହିଁ । ବିଶେଷ ପ୍ରୟୋଜନ ନହେଲେ ତା’ ସହିତ ବେଶି କଥାବାର୍ତ୍ତା କରୁ ନାହିଁ । ସେ ଅନୁଭବ କରୁଛି ଏ ମୋଠାରୁ ଦୂରେଇ ଯାଉଛନ୍ତି । ଏହାର କାରଣ ସେ ବୁଝିପାରୁ ନାହିଁ । ଏ କଣ୍ଟା ତା’ ମନରେ ଅନେକ ଦିନୁ ରକରକ କରୁଛି । ଆଜି ସେ କଣ୍ଟାକୁ ବାହାର କରି ପକାଇବ ।

ସେ ଅବିଚଳିତ ଭାବରେ କହିଲା–କାହିଁକି ନ ପିଇବ ଶୁଣେ ?

ଅମର ଥାକେ ବହି ଧରି କହିଲା–ମୋ ମନ, ପିଇବି ନାହିଁ–ତୁମକୁ ମୁଁ କଷ୍ଟ ଦେବାକୁ ଚାହେଁନା ।

ମୁନ୍ନୀ କଟାକ୍ଷରେ ଚାହିଁଲା । କେବେଠୁଁ ଜାଣିପାରିଲଣି ଯେ ତୁମପାଇଁ ଦୁଧ ଟୋପାଏ ଆଣିବାକୁ ମୋତେ ଭାରି କଷ୍ଟ ହେଉଛି ? ଆଉ କଷ୍ଟ କରିବାରେ ଯଦି କାହାକୁ ସୁଖ ମିଳୁଥାଏ ?

ଅମର ନ ପାରି କହିଲା–ହଉ ବାବା, କଳି କରନା, ଆଣିଲ ପିଇଦିଏଁ ।

ପିତା ଔଷଧ ପରି ସବୁତକ ଦୁଧ ଏକ ନିଃଶ୍ଵାସରେ ପିଇଦେଇ ଅମର ଯିବାକୁ ବାହାରିବାରୁ ମୁନ୍ନୀ ଦ୍ଵାର ଛାଡ଼ିଦେଇ କହିଲା–ବିନା ଅପରାଧରେ ତ କାହାକୁ ଦଣ୍ଡ ଦିଆଯାଏ ନାହିଁ-!

 

ଅମର ଦ୍ଵାର ନିକଟରେ ଅଟକି ଯାଇ କହିଲା–ତୁମେ କ’ଣ ଯେ ବକିଯାଉଛ, ମୋତେ ଡେରି ହେଉଛି ଯେ ।

 

ମୁନ୍ନୀ ବିରକ୍ତ ଭାବ ଧାରଣ କଲା–ମୁଁ ତ ତୁମକୁ ଓଗାଳୁ ନାହିଁ, ଯାଉ ନାହିଁ ।

 

ଅମର କୋଠରୀ ବାହାରକୁ ପାଦ ବଢ଼ାଇଲା ।

 

ମୁନ୍ନୀ ପୁଣି କହିଲା–ମୁଁ କ’ଣ ଏତିକି ଜାଣିନାହିଁ ଯେ ମୋର ତୁମ ଉପରେ କିଛି ଅଧିକାର ନାହିଁ ? ତୁମେ ଆଜି ମନ କଲେ କହିପାରିବ–‘ଖବରଦାର, ମୋ ପାଖକୁ ଆସିବୁ ନାହିଁ ।’ ହଁ, ମୁହଁରେ ନ କହିଲେବି ରଙ୍ଗ–ଢଙ୍ଗରେ ନିତି କହୁଛ ତ । ଏଇ କେତେଦିନ ହେଲା ଦେଖୁଛି; ହେଲେ ବେହିଆପଣରେ ଆସୁଛି, କଥା କହୁଛି, ଖୋସାମତ କରୁଛି । ଏମିତି ଯଦି ଦୂରେଇ ଦେବା କଥା, ତେବେ ମୂଳରୁ ସେହିପରି ଚଳିଲ ନାହିଁ କାହିଁକି ? ହଁଲୋ ମା’, ମୁଁ ବକୁଛି କ’ଣ ! ତୁମର ଡେରି ହେଉଛି, ଯାଅ ।

 

ଅମରକାନ୍ତ ରସି ଛିଣ୍ଡାଇବାକୁ ଚେଷ୍ଟା କଲା ପରି କହିଲା–ମୁଁ ତ ତୁମ କଥା କିଛି ବୁଝିପାରୁ ନାହିଁ, ମୁନ୍ନୀ ! ପ୍ରଥମେ ଯେମିତି ଚଳୁଥିଲି, ଏବେ ତ ଠିକ୍ ସେଇମିତି ଚଳୁଛି । ହଁ, କାମ ବଢ଼ିଯାଇଥିବାରୁ, ବେଶି କଥାବାର୍ତ୍ତା କରିବାକୁ ସୁବିଧା ମିଳୁନାହିଁ ।

 

ମୁନ୍ନୀ ତଳକୁ ଚାହିଁ ମୂଢ଼ ଭାବରେ କହିଲା–ମୁଁ ତୁମ ମନକଥା ଜାଣିପାରୁଛି ଯେ, ସେ କଥା ନୁହେଁ, ତୁମେ ଭୁଲ ବୁଝିଲଣି ।

 

ଆଶ୍ଚର୍ଯ୍ୟରେ ଅମରକାନ୍ତ କହିଲା–ତୁମେ ତ ପହଳୀ ଯୋଡ଼ିଲଣି ।

 

ମୁନ୍ନୀ ସେହି ଭାବରେ ଉତ୍ତର ଦେଲା–ମନ ବଦଳି ଗଲେ, ସିଧା କଥାବି ପହଳି ପରି ଜଣାଯାଏ ।

 

ତା’ପରେ ସେ ଖାଲି ତାଟିଆଟି ଧରି ତରତର ହୋଇ ଚାଲିଗଲା ।

 

ଅମରକାନ୍ତର ଅନ୍ତର ଅସ୍ଥିର ହୋଇ ଉଠିଲା । ମୁନ୍ନୀ ଯେପରି ସମ୍ମୋହନୀ ଶକ୍ତିରେ ତାକୁ ନିଜ ଆଡ଼କୁ ଆକର୍ଷଣ କରୁଛି । ‘ତୁମ ମନକଥା ଜାଣିପାରୁଛି ଯେ, ତୁମେ ଭୁଲ ବୁଝିଲଣି’ ଏହି ବାକ୍ୟ ଏକ ଗଭୀର ଗହ୍ୱର ପରି ତା’ର ହୃଦୟକୁ ଭୀତତ୍ରସ୍ତ କରି ଦେଉଛି–ତା’ ଭିତରକୁ ପାଦ ବଢ଼ାଇଲାବେଳକୁ ଛାତି ଥରି ଉଠୁଛି; କିନ୍ତୁ ରାସ୍ତାଟା ସେହି ଗହ୍ୱର ଭିତର ଦେଇ ଯାଇଛି ।

 

କେଜାଣି କେତେବେଳେ ସେ ଜଡ଼ ପରି ଠିଆ ହୋଇ ରହିଲା । ସହସା ଆତ୍ମାନନ୍ଦ ଡାକିଲେ–ଆଜି କ’ଣ ପାଠଶାଳା ବନ୍ଦ ରହିବ ?

 

–୩୯–

 

ଏ ଅଞ୍ଚଳର ଜମିଦାର ଜଣେ ମହନ୍ତ । ତାଙ୍କର ଚେଲା–ଚାପଡ଼ମାନେ ଥିଲେ; ସୁତରାଂ ରାଜସ୍ୱ ରୀତିମତ ଅସୁଲ ହୋଇଯାଏ । ମନ୍ଦିରରେ ବରାବର କିଛି ନା କିଛି ଉତ୍ସବ ଲାଗିଥାଏ–କେବେ ଠାକୁରଙ୍କର ଜନ୍ମୋତ୍ସବ ତ କେବେ ବିବାହ, କେବେ ଯଜ୍ଞୋପବୀତ, କେବେ ଝୁଲଣ, କେବେ ବା ଜଳକେଳି । ଏପରି ଅବସରରେ ପ୍ରଜାମାନଙ୍କୁ ବେଠି କରିବାକୁ ପଡ଼େ । ଭେଟି–ଦକ୍ଷିଣା, ପୂଜା–ଆହୁତି ନାମରେ ଦସ୍ତୁରି ଦେବାକୁ ପଡ଼େ; ମାତ୍ର ଧର୍ମ କାମରେ ପାଟି ଫିଟାଉଛି କିଏ ? ଧର୍ମସଙ୍କଟ ସବୁଠୁ ବଡ଼ ସଙ୍କଟ । ପୁଣି ଏ ଅଞ୍ଚଳରେ ଚାଷୀଗୁଡ଼ିକ ନୀଚଜାତିର । ପ୍ରତି ଗ୍ରାମରେ ଅବଶ୍ୟ ଦୁଇ–ଚାରି ଘର ବ୍ରାହ୍ମଣ–କ୍ଷତ୍ରିୟ ଥିଲେବି ସେମାନଙ୍କର ସହାନୁଭୂତି ପ୍ରଜାମାନଙ୍କ ପ୍ରତି ନୁହେଁ, ମହନ୍ତଙ୍କ ପ୍ରତି । ଯେପରି ହେଲେବି ସମସ୍ତେ ମହନ୍ତ ମହାରାଜଙ୍କର ସେବକ । ପ୍ରଜାମାନେ ତାଙ୍କୁବି ସନ୍ତୁଷ୍ଟ ରଖିବାକୁ ଚେଷ୍ଟା କରନ୍ତି । ବିଚାରା ଏକେ ତ ଗରିବ, ଋଣଭାରଗ୍ରସ୍ତ । ଦ୍ଵିତୀୟରେ ମୂର୍ଖ, ଆଇନ–କାନୁନ କିଛି ଜାଣନ୍ତି ନାହିଁ । ମହନ୍ତ–ମହାରାଜ ଯେତେ ଇଚ୍ଛା ଖଜଣା ବଢ଼ାନ୍ତୁ, ଯେତେବେଳେ ଇଚ୍ଛା ବେଦଖଲ କରନ୍ତୁ, କହିବାର ସାହସ ଅଛି କାହାର ? ଅଧିକାଂଶ ଜମିର କର ଏତେ ବଢ଼ିଗଲାଣି ଯେ ସମୁଦାୟ ଆୟକୁ ବଳିଗଲାଣି । କିନ୍ତୁ ଲୋକେ ଭାଗ୍ୟ ଆଦରି, ପେଟକୁ ଗଣ୍ଡେ, ଦେହକୁ ଖଣ୍ଡେ ନ ପାଇଲେବି ମରିପଡ଼ି ଜମି ଚଷନ୍ତି । କରିବେ କ’ଣ ? କେହି ସହରରେ ଚାକିରି କଲେଣି, କେତେକ ମୂଲ–ମଜୁରୀ ଲାଗୁଛନ୍ତି; ତଥାପି ପ୍ରଜା ବହୁତ । କୃଷିପ୍ରଧାନ ଦେଶରେ କୃଷି କେବଳ ଜୀବିକାର୍ଜନର ଉପାୟ ନୁହେଁ, ସମ୍ମାନଜନକ ମଧ୍ୟ । ଗୃହସ୍ଥ ବୋଲାଇବା ଗର୍ବର ବିଷୟ । କୃଷକ ଗୃହସ୍ଥିରେ ସର୍ବସ୍ୱ ହରାଇ ବିଦେଶ ଯାଏଁ, ସେଠାରୁ ଧନ ଅର୍ଜନ କରି ପୁଣି ଆସି ଗୃହସ୍ଥି କରେ । ଆଦର–ସମ୍ମାନର ମୋହ ଅନ୍ୟମାନଙ୍କ ପରି ତାକୁ ମଧ୍ୟ ଆବୋରି ରହିଛି । ସେ ଗୃହସ୍ଥ ଭାବରେ ବଞ୍ଚିବାକୁ ଓ ସେହି ଗୃହସ୍ଥ ଭାବରେ ମରିବାକୁ ଚାହେଁ । ତା’ର ପ୍ରତି ରୋମ ଋଣରେ ଛନ୍ଦି ହେଉ ପଛେ, ଦ୍ଵାର ସମ୍ମୁଖରେ ଦୁଇ–ଚାରିଟି ବଳଦ ବାନ୍ଧିପାରିଲେ ସେ ନିଜକୁ ଧନ୍ୟ ମନେ କରେ । ତାକୁ ବର୍ଷରେ ତିନିଶହ ଷାଠିଏ ଦିନ ଦରପେଟିଆ ହୋଇ ରହିବାକୁ ପଡ଼ୁ, ପାଲ ଢାଙ୍କି ହୋଇ ରାତି କଟାଇବାକୁ ପଡ଼ୁ, ନିଃସହାୟ ହୋଇ ମରିବାକୁ ପଡ଼ୁ, କିଛି ଚିନ୍ତା ନାହିଁ, ଯେତେହେଲେ ସେ ତ ଗୃହସ୍ଥ । ଏହି ଗର୍ବ ତା’ର ସମସ୍ତ ଦୁର୍ଦ୍ଦଶାକୁ ଦୂର କରିଦିଏ ।

 

କିନ୍ତୁ ଏ ବର୍ଷ ଆକସ୍ମିକ ଭାବରେ ଜିନିଷର ଦର କମିଯାଇଛି । ଏକାବେଳେ ଚାଳିଶବର୍ଷ ତଳର ଦର । ଦର ତେଜ ଥିବାବେଳେ କୃଷକମାନେ ଫସଲ ବିକାବିକି କରି କର ଦେଇ ଦେଉଥିଲେ । ମାତ୍ର ଯେତେବେଳେ ଦୁଇ ଟଙ୍କା–ତିନି ଟଙ୍କାର ଜିନିଷ ଟଙ୍କାକରେ ବିକ୍ରି ହେଲା, କୃଷକ କରେ କ’ଣ ? କର ଦେବ କୁଆଡ଼ୁ, ଦସ୍ତୁରି ଦେବ କୁଆଡ଼ୁ, କରଜ ଶୁଝିବ କୁଆଡ଼ୁ ? ବିକଟ ସମସ୍ୟା ଉପୁଜିଛି । ପୁଣି ଏ ଦଶା କେବଳ ଏହି ଅଞ୍ଚଳର ନୁହେଁ, ସାରା ରାଜ୍ୟ, ସାରା ଦେଶ, ଏପରି କି ସାରା ସଂସାରରେ ଏହିପରି ମୂଲ୍ୟହ୍ରାସ । ଟଙ୍କାକୁ ଚାରି ସେର ଗୁଡ଼ ସ୍ଥଳେ ଦଶ ସେରରେବି କେହି ପଚାରୁ ନାହିଁ । ଗହମ ଟଙ୍କାରେ ଆଠ ସେର ସ୍ଥଳେ ମହଣ ଦେଢ଼ଟଙ୍କା କହିଲେବି ମହଙ୍ଗା । ଦଶ ଟଙ୍କାରେ ୬୦ ମହଣ କପା, ଛଣି (ଛଣପଟ) ୧୬ ମହଣକୁ ୪ ଟଙ୍କା । କେତେକ ପୋଛିପାଛି ସବୁ ଶସ୍ୟ ବିକି ଦେଲେ, କୁଟାଖିଏବି ରଖିଲେ ନାହିଁ । ମାତ୍ର ଏତେ କରି ମଧ୍ୟ କରର ଏକଚତୁର୍ଥାଂଶରୁ ଅଧିକ ଦେଇପାରୁ ନାହାନ୍ତି । ତେଣେ ମଠରେ ସେହି ଉତ୍ସବ, ସେହି ଜଳକେଳି ଚାଲିଛି । ଫଳରେ ସେହି ଅଞ୍ଚଳରେ ହା–ହାକାର ପଡ଼ିଗଲାଣି । ଏଣେ ସ୍ଵାମୀ ଆତ୍ମାନନ୍ଦ ଓ ଅମରକାନ୍ତଙ୍କ ଚେଷ୍ଟାରେ ସେଠାରେ ଶିକ୍ଷାବିସ୍ତାର ଚାଲିଛି । ଏହି କେତେକ ଗ୍ରାମର ଲୋକେ ଦସ୍ତୁରି ଦେବା ବନ୍ଦ କରି ଦେଇଛନ୍ତି । ମହନ୍ତଙ୍କ ପିଆଦା ଓ ଗୁମାସ୍ତାମାନେ ତ ପୂର୍ବରୁ ତାତି ରହିଥିଲେ, ଏଣେ ତ କାମ ଚଳୁନାହିଁ । ବାକି ଖଜଣା ସେମାନଙ୍କୁ ମନର ଅରମାନ୍ ମେଣ୍ଟେଇବାର ବାଟ ଦେଖାଇଦେଲା ।

 

ଦିନେ ଏହି ସମସ୍ୟା ଉପରେ ବିଚାର କରିବାପାଇଁ ଗଙ୍ଗାକୂଳରେ ପଞ୍ଚାୟତ ବସିଲା । ସାରା ଇଲାକାର ପୁରୁଷ–ସ୍ତ୍ରୀ ଏକତ୍ର ହେଲେ; ସତେବା କେଉଁ ପର୍ବରେ ବୁଡ଼ ପକାଇବାକୁ ଆସିଛନ୍ତି-! ସ୍ଵାମୀ ଆତ୍ମାନନ୍ଦଙ୍କୁ ସଭାପତି ନିର୍ବାଚନ କରାଗଲା ।

 

ପ୍ରଥମେ ଭୋଳା ପ୍ରଧାନ ଠିଆ ହେଲା । ପୂର୍ବେ ସେ ଜଣେ ଅଫିସରଙ୍କ କୋଚ୍‌ମାନ ଥିଲା । ଏହି ବର୍ଷ ଆରମ୍ଭରୁ ସେ ପୁଣି ଚାଷ ଆରମ୍ଭ କରିଛି । ଲମ୍ବା ନାକ, କଳାରଙ୍ଗ, ବଡ଼ ନିଶ, ବଡ଼ ପଗଡ଼ି । ମୁହଁ ପଗଡ଼ିରେ ଢାଙ୍କିହୋଇ ଯାଇଛି । କହିଲା–ପଞ୍ଚମାନେ, ଆମ ଉପରେ ଯେଉଁ ଖଜଣା ବସିଛି, ତାହା ଦର ଚଢ଼ା ଥିବା ବେଳର । ଏ ଶସ୍ତାବେଳରେ ସେ ଖଜଣା ଦେବା ଆମ ଶକ୍ତିର ବାହାରେ । ଏ ବାରଟା ଯଦି ଗୋରୁ–ଗାଈ ବିକି ଦେଇ ଦେବା, ତେବେ ଆଗକୁ କ’ଣ କରାଯିବ ? ଆମକୁ ଏତିକି ଉପରେ ଆଜି ବିଚାର କରିବାକୁ ହେବ । ମୋ ମତରେ ଆମେ ସମସ୍ତେ ମିଶି ମହନ୍ତ ମହାରାଜଙ୍କ ପାଖକୁ ଯାଇ ହାରି–ଗୁହାରି କରିବା । ସେ ନ ଶୁଣିଲେ ଜିଲ୍ଲା–ହାକିମଙ୍କ ପାଖକୁ ଯିବାକୁ ହେବ । ଆଉମାନଙ୍କ କଥା କହୁ ନାହିଁ, ମୁଁ ଗଙ୍ଗାମାତାଙ୍କ ଶପଥ ନେଇ କହୁଛି, ମୋ ଘରେ ଛଟାଙ୍କିଏ ହେଲେ ଦାନା ନାହିଁ । ମୋ ଦଶା ଯେତେବେଳେ ଏମିତି, ଅନ୍ୟ ଭାଇମାନଙ୍କ ଦଶାବି ଏୟା ହୋଇଥିବ । ତେଣେ ମହନ୍ତ–ମହାରାଜଙ୍କ ମଠରେ ସେହିପରି ମେଳା–ମଉଛବ ଲାଗିଛି । ଏଇ ପଅରଦିନ ହଜାରେ ସାଧୁଙ୍କର ଆମ୍ବ ପଙ୍ଗତ କରାଇଛନ୍ତି । ବନାରସ ଆଉ ଲକ୍ଷ୍ନୌରୁ କେତେ ଡବା ଆମ୍ବ ମଗାଯାଇଥିଲା । ଆଜି ଶୁଣୁଛୁଁ, ପୁଣି ଦୁଧ–ସର ପଙ୍ଗତ ହେବ । ଆମେ ଭୋକ–ଉପାସରେ ମରୁଛୁଁ, ତେଣେ ଦୁଧସର ଉଆଳି ହେଉଛି । ତା’ ଉପରେ ପୁଣି ଆମରି ରକ୍ତ ଶୋଷାଯାଉଛି । କେବଳ ଏତିକି ମୋର ପଞ୍ଚ ଭାଇମାନଙ୍କୁ କହିବାର କଥା ।

 

ଗୂଦଡ଼ କୋଟରଗତ ଆଖି କାଢ଼ି କହିଲା–ମହନ୍ତ–ମହାରାଜ ହେଲେ ଆମର ମାଲିକ, ଅନ୍ନଦାତା, ମହାତ୍ମା । ଆମ ଦୁଃଖ ଶୁଣିଲେ ଅବଶ୍ୟ ତାଙ୍କର ଆମ ଉପରେ ଦୟା ଆସିବ । ତେଣୁ ଭୋଳା ପଧାନ କଥାରେ ଆମେ ରାଜି ହୋଇଯିବା ଉଚିତ । ଅମର ଆମ ତରଫରୁ କଥାବାର୍ତ୍ତା କରିବେ । ଆମେ ଆଉ କିଛି ଚାହୁଁ ନାହୁଁ । ଖାଲି ଆମକୁ ଓ ଆମ ପିଲା–ଛୁଆଙ୍କୁ ରୋଜିନା ଅଧ–ଅଧ ସେର ହିସାବରେ ଦେଇ ସବୁ ଫସଲ ମହାରାଜ ନେଇ ଯାଉନ୍ତୁ । ଆମେ ଘିଅ ଦୁଧ ମାଗୁନାହୁଁ କି ସର ମାଗୁନାହୁଁ, ଖାଲି ଅଧ–ଅଧ ସେର ମୋଟାରୋଟା ଦାନ ମାଗୁଛୁଁ । ଏତିକିବି ନ ମିଳେ ତ ଆମେ ଚାଷ ଛାଡ଼ିଦେବୁଁ । ମଜୁରୀ ଆଉ ବିହନ କାହା ଘରୁ ଆଣିବା ? ଜମି ଛାଡ଼ିଦେବା, ଆଉ ୟା ଛଡ଼ା ଉପାୟ କ’ଣ ?

 

ସୁନ୍ଦରୀ ହାତ ଛିଞ୍ଚାଡ଼ି କହିଲା–ଜମି ଛାଡ଼ିବୁ କାହିଁକି ମ ? ବାପ ଗୋସାଁପଙ୍କ ସନ୍ତକ, କ୍ଷେତ ଛାଡ଼ି ପାରିବୁ ନାହିଁ । କ୍ଷେତପାଇଁ ଜୀବନ ଦେଇଦେବୁ । ଏକ ଥିଲା, ପୁଣି ଦୁଇ ହେଲା, ତା’ ପୁଣି ଚାରି ହେଲା, ଆଉ କ’ଣ ବସୁଧା ସୁନା ଫଳିବ ?

 

ଅଲଗୁ ଆମ୍ବ କୋଇଲି ପରି ଆଖି କାଢ଼ି କହିଲା–ଭାଇ, ମୁଁ ତ ହକ୍ କଥା କହେ । ମହନ୍ତଙ୍କ ପାଖକୁ ଯାଇ କିଛି ହେବ ନାହିଁ । ସେ ହେଲେ ରାଜା ଠାକୁର । ରାଗିଯିବେ ତ ପାହାର ଖାଇବା ସିନା ! ହାକିମଙ୍କ ପାଖକୁ ଗଲେ ଭଲ ହେବ । ଗୋରା ହେଲେବି ଦୟାମାୟା ଅଛି ।

 

ଆତ୍ମାନନ୍ଦ ସମସ୍ତଙ୍କର ବିରୋଧ କଲେ–ମୁଁ କହୁଛି କାହାରି ପାଖକୁ ଯାଇ କିଛି ଲାଭ ନାହିଁ । ତୁମ ଥାଳୀର ଅନ୍ନ ଯଦି କହେ, ‘ମୋତେ ଖାଅନା’, ତେବେ ତୁମେ ମାନିବ ?

 

ଚାରିଆଡ଼ୁ ଉତ୍ତର ଆସିଲା–କେବେ ମାନିବୁ ନାହିଁ ।

 

“ତେବେ ତୁମେ ଯାହା ଥାଳିର ଅନ୍ନ, ସେ କିପରି ମାନିବ ?”

 

ବହୁ–କଣ୍ଠରୁ ସମର୍ଥନ ଆସିଲା–କେବେ ମାନିବେ ନାହିଁ ।

 

“ମହନ୍ତଙ୍କର ଉତ୍ସବ କରିବାକୁ ଟଙ୍କା ଦରକାର । ହାକିମଙ୍କର ମୋଟା ଦରମା ଦରକାର-। ସେମାନଙ୍କର ଦରମା କମି ପାରିବ ନାହିଁ । ସେମାନେ ନିଜକୁ ଆଡ଼ମ୍ବର ଛାଡ଼ିପାରିବେ ନାହିଁ-। ତାଙ୍କ ଦାଉଁରେ ତୁମେ ମର ତ ବଞ୍ଚ, ସେମାନେ ତୁମକୁ ଛାଡ଼ିଦେବେ କାହିଁକି ?’’

 

ବହୁ–କଣ୍ଠରୁ ସମର୍ଥନ ମିଳିଲା–କେଭେ ଛାଡ଼ିବେନି ।

 

ଅମରକାନ୍ତ ସ୍ଵାମୀଜୀଙ୍କ ପଛରେ ବସିଛି । ସ୍ଵାମୀଜୀଙ୍କର ଏ ବିଚାର ଦେଖି ଅସ୍ଥିର ହେଲାଣି; ମାତ୍ର ସଭାପତିଙ୍କୁ ବାଧା ଦେଉଛି କିପରି ! ସେ ଜାଣେ ସେ ସ୍ଵାମୀଜୀ ଗରମ ମିଜାଜର ଲୋକ; କିନ୍ତୁ ଏତେ ଶୀଘ୍ର ଏପରି ତାତି ଉଠିବେ ବୋଲି ସେ ଆଶା କରି ନଥିଲା । ଦେଖାଯାଉ, ମହାଭାଗ କ’ଣ କରୁଛନ୍ତି ?

 

ଆତ୍ମାନନ୍ଦ ଗର୍ଜିଉଠି କହିଲେ–ତେବେ ବର୍ତ୍ତମାନ ତୁମମାନଙ୍କର ଉପାୟ କ’ଣ ? ଯଦି ମୋତେ ପଚାର, ଆଉ ମୋ କଥା ମାନିବ ବୋଲି ଶପଥ କର, ତେବେ ମୁଁ କହିବି । ନୋହିଲେ ତୁମ ଇଚ୍ଛା ।

 

ବହୁ–କଣ୍ଠରୁ ଶୁଣାଗଲା–କହନ୍ତୁ–କହନ୍ତୁ, ସ୍ଵାମୀଜୀ, କହନ୍ତୁ ।

 

ଚାରିଆଡ଼ୁ ଲୋକେ ପାଖକୁ ପାଖକୁ ଘୁଞ୍ଚି ଆସୁଛନ୍ତି । ସ୍ଵାମୀଜୀ ଯେ ସମସ୍ତଙ୍କ ମର୍ମକୁ ସ୍ପର୍ଶ କରିପାରିଛନ୍ତି, ଏହା ସେମାନଙ୍କ ମୁଖଭଙ୍ଗୀରୁ ଜଣାପଡ଼ୁଛି । ଜନରୁଚି ସର୍ବଦା ଉଗ୍ର ବ୍ୟକ୍ତିର ସପକ୍ଷରେ ।

 

ଆତ୍ମାନନ୍ଦ କହିଲେ–ତେବେ ଆସ, ଆଜି ଆମେ ସମସ୍ତେ ଯାଇ ମହନ୍ତଙ୍କ ଘର ଓ ମନ୍ଦିର ଘେରାଉ କରିବା ଏବଂ ଯେ ପର୍ଯ୍ୟନ୍ତ ସେ ପୂରାପୂରି ଖଜଣା ଛାଡ଼ ନ କରୁଛନ୍ତି, ସେ ପର୍ଯ୍ୟନ୍ତ ଆମେ କୌଣସି ଉତ୍ସବ କରାଇ ଦେବା ନାହିଁ ।

 

ବହୁ କଣ୍ଠରୁ ଶୁଣାଗଲା–ଆମେ ତିଆର ।

 

“ଭଲ କରି ଜାଣିରଖ ଯେ ସେଠାରେ ତୁମକୁ ପାନ–ଫୁଲ ଦେଇ ପୂଜା କରାଯିବ ନାହିଁ-।”

 

“କିଛି ଚିନ୍ତା ନାହିଁ । ଏମିତି ତ ମରିବୁ, ଡହଳ–ବିକଳ ହୋଇ ମରିବୁ କାହିଁକି ?”

 

“ତେବେ ବର୍ତ୍ତମାନ ଚାଲ ଆମେ ଦେଖାଇଦେବା ଯେ...

 

ଅଚିରାତ୍ ଅମର ଠିଆ ହୋଇ ପ୍ରଦୀପ୍ତ ନେତ୍ରରେ ଚାହିଁ କହିଲା–ଅପେକ୍ଷା କର ।

 

ଜନତା ନିସ୍ତବ୍ଧ । ସେ ଯେଉଁଠି ଥିଲା, ସେଇଠି ରହିଲା ।

 

ଅମର ଛାତି ବାଡ଼େଇ କହିଲା–ତୁମେମାନେ ଯେଉଁ ରାସ୍ତାରେ ଯାଉଛ, ତାହା ମୁକ୍ତି ପାଇବାର ରାସ୍ତା ନୁହେଁ, ସର୍ବନାଶର ରାସ୍ତା । ତୁମ ବଳଦ ବେମାର ପଡ଼ିଲେ ତୁମେ କ’ଣ ତାକୁ କାମ କରାଇବ ?

 

ଚାରିଆଡ଼େ ନୀରବତା ।

 

“ପ୍ରଥମେ ତୁମେ ତା’ର ଚିକିତ୍ସା କରିବ । ସେ ଭଲ ନ ହେବାଯାଏ ତାକୁ କାମ କରାଇବ ନାହିଁ । କାରଣ ତୁମେ ବଳଦଟିକୁ ମାରି ଦେବାକୁ ଚାହଁ ନାହିଁ । ସେ ମରିଗଲେ ତୁମ ଜମି ପଡ଼ିଆ ପଡ଼ିବ ।’’

 

ଗୂଦଡ଼ କହିଲା–ବିଲ୍‍କୁଲ୍ ଠିକ୍ କଥା, ବାପା !

 

“ଘରେ ନିଆଁ ଲାଗିଗଲେ ଆମେ କ’ଣ କରୁ ! ଆମେ କ’ଣ ନିଆଁକୁ ମାଡ଼ିଯିବାକୁ ଦେଉ ଓ ଭଲରେ ଥିବା ଜିନିଷପତ୍ର ଆଣି ସେଥିରେ ପକାଇଦେଉ ?

 

ଗୂଦଡ଼ କହିଲା–କେଭେ ନୁହେଁ ।

 

“କାହିଁକି ? କାହିଁକି ନା ଆମେ ଘରକୁ ପୋଡ଼ିବାକୁ ନୁହେଁ ଗଢ଼ିବାକୁ ଚାହୁଁ । ଆମକୁ ସେହି ଘରେ ରହିବାକୁ ହେବ, ସେଇଠି ଜିଇଁବାକୁ ହେବ । ଏ ବିପତ୍ତି ଏକା ଆମରି ଉପରେ ପଡ଼ି ନାହିଁ, ଦେଶଯାକ ଏହିପରି ହାହାକାର ପଡ଼ିଛି । ଆମର ନେତାମାନେ ଏ ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରୁଛନ୍ତି । ଆମକୁ ସେହିମାନଙ୍କ ସଙ୍ଗେ ପାଦ ମିଳାଇ ଚାଲିବାକୁ ପଡ଼ିବ ।’’

 

ସେ ଗୋଟାଏ ଦୀର୍ଘ ଭାଷଣ ଦେଲା; କିନ୍ତୁ ସେହି ଜନତା, ଯେ କି ତା’ର ଭାଷଣ ଶୁଣି ବିହ୍ଵଳ ହୋଇ ଉଠୁଥିଲା, ଆଜି ଉଦାସୀନ ହୋଇ ବସିଛି । ସମସ୍ତେ ତାକୁ ସମ୍ମାନ ଦେଖାନ୍ତି, ସେଇଥିପାଇଁ କିଛି ଗଣ୍ଡଗୋଳ ହେଲା ନାହିଁ; ମାତ୍ର ଜନତା ସେଥିରେ ପ୍ରଭାବିତ ହେଲା ନାହିଁ । ବର୍ତ୍ତମାନ ଆତ୍ମାନନ୍ଦ ହୋଇଛନ୍ତି ଜନତାର ନେତା ।

 

କୌଣସି ନିଷ୍ପତ୍ତି ନ ନେଇ ସଭାଭଙ୍ଗ ହେଲା । ମାତ୍ର ବହୁମତ କାହା ପକ୍ଷରେ, ଏହା କାହାରି ଅଜଣା ରହିଲା ନାହିଁ ।

 

Unknown

–୪୦–

 

ଅମର ଘରକୁ ଫେରିଲାବେଳକୁ ବଡ଼ ହତାଶ । ଜନତାକୁ ଶାନ୍ତି କରିବାର ଉପାୟ ନ କଲେ ବଡ଼ ଉପଦ୍ରବ ହେବ । ସେ ମହନ୍ତଙ୍କୁ ଦେଖା କରିବାକୁ ମନସ୍ଥ କରିଛି । ବର୍ତ୍ତମାନ ତା’ର ମନ ଏପରି ଉଦାସ ଯେ ଏଠାରେ ସବୁ ଛାଡ଼ି ଦେଇ ଚାଲିଯିବାକୁବି ଇଚ୍ଛା ହେଉଛି । ଏପର୍ଯ୍ୟନ୍ତ ସେ ଅନୁଭବ କରି ନଥିଲା ଯେ ଜନତା ସର୍ବଦା ଉଗ୍ର ବ୍ୟକ୍ତିର ଅନୁଗାମୀ ହୁଏ । ସେ ନ୍ୟାୟ–ଧର୍ମ, ହାନିଲାଭ, ଅହିଂସା ଓ ତ୍ୟାଗ ଇତ୍ୟାଦି ଉପଦେଶ ଦେଇ ମଧ୍ୟ ଆତ୍ମାନନ୍ଦ ଫୁଙ୍କିଥିବା କୁହୁକ ମନ୍ତ୍ରକୁ କାଟିପାରୁ ନାହିଁ । ଏତେବେଳେ ଏଠି ଆତ୍ମାନନ୍ଦ ପହଞ୍ଚିଗଲେ ଦୁଇ ମିତ୍ରଙ୍କ ମଧ୍ୟରେ ନିଶ୍ଚୟ କଳହ ଲାଗିଯାନ୍ତା; କିନ୍ତୁ ତାଙ୍କର ଆଜି ଦେଖା ନାହିଁ । ଆଜି ତାଙ୍କୁ ଘୋଡ଼ାର ଆସନ ମିଳିଯାଇଛି । ସଂଗଠନ କାର୍ଯ୍ୟରେ କେଉଁ ଗ୍ରାମକୁ ଚାଲିଯାଇଛନ୍ତି ।

ଆଜି ଅମରର କି ଅପମାନ ନ ହେଲା ! କେହି ତା’ କଥାକୁ କାନ ଦେଲେ ନାହିଁ । ସେମାନଙ୍କ ମୁଖଭଙ୍ଗୀ ଯେପରି କହୁଥାଏ, ‘ତୁମେ କ’ଣ ବକୁଛହୋ, ତୁମେ ଆମକୁ ଉଦ୍ଧାର କରିପାରିବ ନାହିଁ ।’ ଏହି କ୍ଷତପାଇଁ କୋମଳ ବାଣୀର ମଲମ ଦରକାର–କେହି ତାକୁ ଶୁଆଇଦେଇ ତା’ର କ୍ଷତକୁ ଔଷଧ–ତୁଳାରେ ପରିଷ୍କାର କରନ୍ତି, ତା’ ଉପରେ ଶୀତଳ ପ୍ରଲେପ ଲଗାଇ ଦିଅନ୍ତା ।

ମୁନ୍ନୀ ରସି ଓ କଳସୀ ଧରି ବାହାରିଲା ଓ ତା’ ଆଡ଼କୁ ନ ଚାହିଁ କୂଅ ଆଡ଼କୁ ଚାଲିଗଲା-। ଅମର ଡାକିଲା–ଟିକିଏ ଶୁଣିଯାଅ, ମୁନ୍ନୀ ! କିନ୍ତୁ ମୁନ୍ନୀ ଶୁଣି ମଧ୍ୟ ଶୁଣିଲା ନାହିଁ । ଟିକିଏ ପରେ ସେ କଳସୀ ଘେନି ଫେରିଲା ଓ ପୁଣି ତା’ରି ଆଗ ଦେଇ ତଳକୁ ମୁହଁ କରି ଚାଲିଗଲା-। ଅମର ପୁଣି ଡାକିଲା–ମୁନ୍ନୀ ଶୁଣ, ଗୋଟାଏ କଥା ଅଛି; ମାତ୍ର ଏ ଥରବି ସେ ଅଟକିଲା ନାହିଁ । ଅମରର ଆଉ ସନ୍ଦେହ ରହିଲା ନାହିଁ । କ୍ଷଣକ ପରେ ମୁନ୍ନୀ ପୁଣି ବାହାରି ସୁନ୍ଦରୀ ଘରକୁ ଚାଲିଗଲା । ସେ ପାଠଶାଳା ପଛପାଖେ ଛୋଟ କୁଡ଼ିଆଟିଏ କରି ରହିଛି । ଚଟେଇ ଉପରେ ଶୋଇ ଭଜନଟିଏ ବୋଲୁଥାଏ । ମୁନ୍ନୀ ଯାଇ ପଚାରିଲା–ଆଜି କିଛି ରାନ୍ଧିଲ ନାହିଁ କି ଖୁଡ଼ୀ ! ଏମିତି ଶୋଇଛ ? ସୁନ୍ଦରୀ ଉଠି କହିଲା–ଖାଇ ସାରିଲିଣିଲୋ ଝିଅ ! ଦିପହରର ରୋଟି ରଖି ଦେଇଥିଲି । ମୁନ୍ନୀ ଚୁଲି ଆଡ଼କୁ ଚାହିଁଲା । ଚୁଲିଟି ଲିପାପୋଛା ହୋଇ ପରିଷ୍କାର । କହିଲା–ଖୁଡ଼ୀ ! ତୁମେ ମୋତେ ଭୁଲେଇ ଦେଉଛ । କ’ଣ ଘରେ କିଛି ନାହିଁ ? ଏଇ ସଙ୍ଗେ ସଙ୍ଗେ ତ ଅଇଲ, ଏତେ ଜଲଦି ଖାଇଦେଲ କେମିତି ମ ?

“ତୁ ତ ପରତେ ଯିବୁ ନାଇଁ ବୋହୂ ! ଭୋକ ଲାଗୁଥିଲା, ଅଇଲାକ୍ଷିଣି ଖାଇ ଦେଇ, ବାସନ ଧୋଇ ଧାଇ ରଖିଦେଲି । ତତେ ଭଲା କିଛି ଲୁଚାଏ ? କିଛି ନଥିଲେ ମାଗି ଆଣି ନଥାନ୍ତି-।”

“ଆଚ୍ଛା, ମୋ ରାଣ ପକେଇଲ ।”

ଖୁଡ଼ୀ ହସି ହସି କହିଲା–ହଁ, ମୋ ରାଣଲୋ, ଖାଇ ସାରିଛି ।

ମୁନ୍ନୀ ଦୁଃଖିତା ହୋଇ କହିଲା–ତୁମେ ମୋତେ ପର ଭାବୁଛ ଖୁଡ଼ୀ । ତୁମ ମଲା–ଗଲାକୁ ଯେମିତି ମୁଁ ଲଗା ! ଏବେ ତ ସୋରିଷ ବିକିଛ, ଟଙ୍କା କ’ଣ କଲ କି ?

ସୁନ୍ଦରୀ ମୁଣ୍ଡରେ ହାତ ଦେଇ କହିଲା–ରାମ–ରାମ, କେତେ ବା ସୋରିଷ ଥିଲା ? ମୋତେ ଟଙ୍କାଟିକର ହେଲା । ତାକୁ କାଲି ପିଆଦା ନେଇଗଲା । ଘରେ ନିଆଁ ଲଗେଇ ଦେଉଥିଲା ପରା । କ’ଣ କରିବି, ଦେଇ ଦେଲି । ତା’ ଉପରେ ଅମର କହୁଛନ୍ତି, ‘ମହନ୍ତଙ୍କ ପାଖେ ଆପତ୍ତି କର’-। କେହି ଶୁଣିବେ ନାହିଁଲୋ ଝିଅ । ମୁଁ ଜାଣେ ପରା ।

ମୁନ୍ନୀ କହିଲା–ହଉ–ତେବେ ଚାଲ, ଆମ ଘରେ ଖାଇ ଆସିବ ।

ସୁନ୍ଦରୀ ଅଶ୍ରୁଳ–ଲୋଚନରେ କହିଲା–ତୁ ସିନା ଝିଅ ଆଜିକ ଦି’ଟା ଖାଇବାକୁ ଦେବୁ, ଚତୁର୍ମାସ୍ୟା ଚାରି ମାସ ତ ଆଗରେ ପଡ଼ିଛି । ଆଜିକାଲିବି ଘାସ କେରାଏ ତ କେଉଁଠି ମିଳୁ ନାହିଁ । ଭଗବାନ କେମିତି ପାର କରୁଛନ୍ତି କେଜାଣି ! ଘରେ ତ ଦାନା ବୋଲି ଗୋଟିଏ ନାହିଁ । ଦଶା–ଦିଆ ଦଣ୍ଡିଟା ଠିକ୍ ଥିଲେ ବାକି ଖଜଣାତକ ଶୁଝି ଦେଇ ଚାରି ମାସ ଚଳେଇ ନେଇଥାନ୍ତି । ସେ ଦାଣ୍ଡରେ ନିଆଁ ଲାଗିବାକୁ ବାକିଆ ଖଜଣାର ଅଧା ପରା ହେଲା ନାହିଁ । ତୁ ଅମରକୁ ବୁଝେଇ ଦଉନୁ, ସେ ସ୍ଵାମୀଜୀଙ୍କୁ ମନା କରନ୍ତେ !

ମୁନ୍ନୀ ମୁହଁମୋଡ଼ିଦେଇ କହିଲା–ମୋ ଉପରେ ତ ରାଗିଛନ୍ତି, କଥାବାର୍ତ୍ତା କରୁନାହାନ୍ତି । କାମଧନ୍ଦାରୁ ମୋତେ ଫୁରୁସତ୍ ମିଳୁନାହିଁ । ଘର–ଲୋକଙ୍କ ସଙ୍ଗେ କଥା କହିବାକୁବି ଫୁରୁସତ୍ ଦରକାର । ବାରବୁଲାଙ୍କ ପରି ଯେତେବେଳେ ଆସି ପହଞ୍ଚିଥିଲେ, ସେତେବେଳେ ସିନା ଫୁରୁସତ୍ ଥିଲା; ଏବେ ତ ସମସ୍ତେ ମାନତି କଲେ, ନାମ ହେଲା, ବଡ଼ଲୋକ ହୋଇଗଲେ, ଏବେ ଆଉ ଫୁରୁସତ୍ ନାହିଁ ।

 

ସୁନ୍ଦରୀ ବିସ୍ମୟଭରା ଆଖିରେ ମୁନ୍ନୀକୁ ଚାହିଁଲା–କ’ଣ କହୁଛୁଲୋ ବୋହୂ ? ସେ ତୋ ଉପରେ ରାଗିଛି ? ମୋତେ ତ ବିଶ୍ୱାସ ହେଉ ନାହିଁ । ତୋର ବୁଝିବା ଭୁଲ । ବିଚାରା ଦିନ–ରାତି ଧାଁ ଦଉଡ଼ କରୁଛି ଯେତେବେଳେ ନ ମିଳିଥିବ ଏବେ ଫୁରୁସତ୍ । ମୁଁ ତତେ ଯୋଉ କଲ୍ୟାଣ କରିଚି, ତା’ ଦିନେ ଫଳିବଲୋ ଦେଖିବୁ ।

 

ମୁନ୍ନୀ ନିଜର ଅନୁଦାରତା ଯୋଗୁଁ ସଂକୁଚିତା ହୋଇ କହିଲା–ମୁଁ କାହା କଥାରୁ କ’ଣ ପାଇବି, ଖୁଡ଼ୀ ! ଯାହାର ସେମିତି ଗରଜ ପଡ଼ିବ, କଥା କହିବ; ନୋହିଲେ ନ କହିବ । ସେ ଭାବୁଥିବେ–ମୁଁ ଉପରେ ପଡ଼ି ତାଙ୍କର ହେବାକୁ ଯାଉଛି । ମୁଁ ତୁମ ପା’ ଛୁଇଁ କହୁଛି, ଖୁଡ଼ୀ ! ଏ କଥା କେବେ ଯଦି ମୋ ମନକୁ ଆସିଥିବ । ମୁଁ ତ ତାଙ୍କ ପା’ଧୂଳିକି ସରି ନୁହେଁ । ହଁ, ଖାଲି ଏତିକି ଚାହେଁ ଯେ ସେ ମୋତେ ମନ ଖୋଲି କଥା କହନ୍ତେ, ଯାହା ବା ଯେତେବେଳେ ଟିକିଏ ସେବା କରନ୍ତି, ମନ ଖୋଲି ଘେନା କରନ୍ତେ । ମୋର ଖାଲି ଏତିକି ସାଧ ଯେ ମୁଁ ସେବା କରନ୍ତି, ଆଉ ସେ ମୋତେ ସେବା କରାଉଥାନ୍ତେ । ଆଉ କିଛି ମୁଁ ଚାହୁଁ ନାହିଁ ।

 

ସହସା ଅମର ଡାକିଲା । ସୁନ୍ଦରୀ କହିଲା–ଆ’ରେ ବାପ; ଏଇ ଆସି ବୋହୂ ଆସି ପହଞ୍ଚିଲା ଯେ ତା’ରି ସଙ୍ଗେ କଥାବାର୍ତ୍ତା କରୁଛି ।

 

ଅମର ମୁନ୍ନୀକୁ ଚାହିଁ ତୀକ୍ଷ୍ଣ ସ୍ୱରରେ କହିଲା–ମୁଁ ତୁମକୁ ଦୁଇଥର ଡାକିଲି, ମୁନ୍ନୀ ! ତୁମେ ଜବାବ ଦେଲ ନାହିଁ ?

 

ମୁନ୍ନୀ ମୁହଁମୋଡ଼ି କହିଲା–ତୁମକୁ ତ କାହାରି ସଙ୍ଗେ କଥା କହିବାକୁ ଡର ନାହିଁ, କିଏ କାହିଁକି ତୁମ ପାଖକୁ ଯିବ ? ତୁମକୁ ବଡ଼ କାମ କରିବାକୁ ପଡ଼ିଲେ, ଆଉ କାହାକୁ ତା’ ଛୋଟକାମ କରିବାକୁ ତ ପଡ଼ୁଛି ?

 

ଅମର ପତ୍ନୀ–ବ୍ରତର ଆବେଶରେ ମୁନ୍ନୀଠାରୁ କିଞ୍ଚିତ୍ ଦୂରେଇ ରହୁଛି । ପୂର୍ବେ ସେ ସମତଳରେ ଥିଲା, ସୁଖଦା ତାକୁ ତଳୁ ଟାଣୁଥିଲା; ବର୍ତ୍ତମାନ ସୁଖଦା ପାହାଡ଼ ଶିଖରରେ, ତା’ ପାଖରେ ପହଞ୍ଚିବା ପାଇଁ ଅମରର ଆତ୍ମବଳ ଓ ଏକାଗ୍ରତା ଆବଶ୍ୟକ । ତା’ର ଜୀବନ ଆଦର୍ଶ ହେବା ଉଚିତ; କିନ୍ତୁ ପ୍ରୟାସ କଲେ ସୁଦ୍ଧା ସେ ଏହି ଶ୍ରଦ୍ଧା ସରଳତାର ମୂର୍ତ୍ତିଟିକୁ ହୃଦୟରୁ ଦୂର କରି ପାରୁ ନାହିଁ । ସେ ଅନୁଭବ କରୁଛି ସେ ଆତ୍ମୋନ୍ନତିର ପ୍ରୟାସରେ ତା’ର ଜୀବନ ନୀରସ, ନିରୀହ ହୋଇ ଯାଉଛି । ସେ ମନକୁ ମନ କହୁଛି, ‘ମୁଁ ଭାବିଥିଲି, ଆମେ ଦୁହେଁ ପରସ୍ପରର ଏତେ ସମୀପବର୍ତ୍ତୀ ହୋଇଗଲୁଣି ଯେ ମଝିରେ ଭୁଲ ବୁଝାମଣାର ଆଉ କୌଣସି ଅବକାଶ ନାହିଁ । ମୁଁ ଏଠାରେ ଥାଏଁ ତ ହଜାର କୋଶ ଦୂରରେ ଥାଏଁ; ତୁମେ ମୋ ଅନ୍ତରରେ ଯେଉଁ ଦୀପ ଜାଳି ଦେଇଛ, ତା’ର ଜ୍ୟୋତି ଟିକିଏ ହେଲେ ମ୍ଳାନ ହେବ ନାହିଁ ।

 

ସେ ମୟୂର ତିରସ୍କାର କଲା–ମୁଁ ମାନୁଛି, ମୁନ୍ନୀ, କାମ ବଢ଼ିଯିବାରୁ ମୁଁ ତୁମଠୁ ଟିକିଏ ଦୂରେଇ ଯାଇଛି । ମୋର ଧାରଣା ଥିଲା ଯେ ନାନା ଚିନ୍ତା ଯୋଗୁଁ ବିରକ୍ତ ହୋଇ କେବେ ତୁମକୁ କଟୁକଥା କହିଲେ ସୁଦ୍ଧା ତୁମେ ମୋତେ କ୍ଷମା ଦେବ; କିନ୍ତୁ ଆଜି ଜାଣୁଛି, ମୋର ସେ ଧାରଣା ଭୁଲ ।

 

କାତର ନେତ୍ରରେ ଚାହିଁ ମୁନ୍ନୀ କହିଲା–ହଁ ବାବୁ ! ଭୁଲ । କାଙ୍ଗାଳକୁ ସିଂହାସନରେ ବସାଇଲେ ସୁଦ୍ଧା ସେ ରାଜା ହେଉଛି ବୋଲି ବିଶ୍ଵାସ କରିବ ନାହିଁ, ସ୍ଵପ୍ନ ବୋଲି ମନେକରିବ । ମୋ ଜୀବନର ଆଧାର ତ ସେଇ ସ୍ଵପ୍ନ । ମୁଁ କେବେ ଜାଗିବାକୁ ଚାହେଁନା; ସବୁବେଳେ ଏହି ସ୍ଵପ୍ନ ଦେଖିବାକୁ ଚାହେଁ । ମୁଁ କେବଳ ଚାହେଁ, ତୁମେ ମତେ ଥାପୁଡ଼େଇ ଦେଉଥାଅ । କ’ଣ ଏତିକିବି ପାରିବ ନାହିଁ ? କ’ଣ ହେଲା ? ଆଜି ସ୍ଵାମୀଜୀଙ୍କ ସଙ୍ଗେ ଝଗଡ଼ା ହେଲା କାହିଁକି ?

 

ସୁନ୍ଦରୀ ସେହିକ୍ଷଣି ଆତ୍ମାନନ୍ଦଙ୍କୁ ପ୍ରଶଂସା କରୁଥିଲା । ଏବେ ଅମରର ମନରଖା କଥା କହିଲା–ପୁଅ ତ ଲୋକଙ୍କୁ ବୁଝାଉଥିଲେ କି ମହନ୍ତଙ୍କ ପାଖକୁ ଚାଲ । ଏଇଥିରେ ଲୋକେ ବିଗିଡ଼ିଗଲେ । କହିଲ, ଆଉ ତୁମେ କ’ଣଟାଏ କରିପକାଇ ଥାନ୍ତି । ମହନ୍ତ ମହାରାଜେ ମାଡ଼ ମରାଇଥାନ୍ତେ ତ ପଳେଇବାକୁ ବାଟ ପାଇ ନଥାନ୍ତେ ।

 

ମୁନ୍ନୀ ଏହାକୁ ସମର୍ଥନ କଲା–ମହନ୍ତ ମହାରାଜ ଧର୍ମାତ୍ମା ଲୋକ । ଏମାନେ ଠାକୁର ମନ୍ଦିର ଘେରାଉ କରିଥିଲେ କି ଅପଯଶ ନ ହୋଇଥାନ୍ତା, କହିଲ । ବ୍ରାହ୍ମଣଯାକ ଭଗବାନଙ୍କୁ ଭଜୁଛନ୍ତି, ଆମେ ଯିବା ତାଙ୍କ ପୂଜା ବନ୍ଦ କରିବାକୁ ! ସ୍ଵାମୀଜୀଙ୍କୁ କି ବୁଦ୍ଧି ଦିଶିଲାଣି କେଜାଣି, ଲୋକେବି ତାଙ୍କ କଥାରେ ଭାସିଗଲେ ! ଅନୀତି !

 

ଅମରକାନ୍ତର ଚିତ୍ତ ଶାନ୍ତି ଅନୁଭବ କଲା–ସ୍ଵାମୀଜୀଙ୍କଠାରୁ ଏହି ଅଶିକ୍ଷିତା ସ୍ତ୍ରୀମାନେ ତ ବେଶ୍ ବୁଦ୍ଧିମତୀ । ମହାତ୍ମା ପୁଣି ଶାସ୍ତ୍ରଜ୍ଞ ! ଭକ୍ତବି ଜୁଟିଗଲେ ସେଇମିତି ମୂର୍ଖ !

 

ସେ ପ୍ରସନ୍ନ ହୋଇ କହିଲା–ସେଠି ତ ବଡ଼ଲୋକିଆ କାରବାର, ଏ ଗରିବ–ଗୁରୁବାଙ୍କ କଥା କିଏ ଶୁଣିଥାନ୍ତା, ଖୁଡ଼ୀ ? ଏମାନେ ମନ୍ଦିର ଘେରାଉ କରିଥିଲେ ତ ଫୌଜଦାରି ହୋଇଥାନ୍ତି । ଆଜିକାଲି ତ ଟିକିଏ ଟିକିଏ କଥାରେ ଗୁଳି ଚାଲୁଛି ।

 

ସୁନ୍ଦରୀ ଭୟଭୀତା ହୋଇ କହିଲା–ତୁ ବହୁତ ଭଲ କରିଛୁ, ବାପ ! ତାଙ୍କ ସାଙ୍ଗରେ ନ ପଡ଼ିଛୁ, ଭଲ ହେଇଚି । ନାଇଁ ତ ଖୁନ୍ ହେଇ ଯାଇଥାନ୍ତା ।

 

ମୁନ୍ନୀ ଗଦ୍‌ଗଦ୍ ହୋଇ କହିଲା–ମୁଁ ତ ତୁମକୁ କେଭେ ସେମାନଙ୍କ ସାଙ୍ଗେ ଛାଡ଼ି ନଥାନ୍ତି, ବାବୁ ! ହାକିମ ସଂସାର ଚଳାଉଛନ୍ତି, ଆଉ ଏ ଗରିବ ଚାଷୀଙ୍କ ଦୁଃଖ ଶୁଣିବେ ନାହିଁ ? ସ୍ଵାମୀଜୀ ଆସନ୍ତୁ, ପଚାରିବି ।

 

ନିଆଁ ପରି ଜ୍ଵାଳା କରୁଥିବା କ୍ଷତି ସହାନୁଭୂତି ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ କଥାରେ ଉପଶମିତ ହେଲାପରି ବୋଧ ହେଲା । କାଲି ଆମର ନିଶ୍ଚୟ ମହନ୍ତ ମହାରାଜଙ୍କ ପାଖକୁ ଯିବ । ତା’ ମନରେ ଆଉ କୌଣସି ଶଙ୍କା, କୌଣସି ଦ୍ଵିଧା ନାହିଁ ।

 

–୪୧–

 

ଅମର ଗୂଦଡ଼ ପଧାନ ସଙ୍ଗେ ଯାଇ ମହନ୍ତ ଆଶାରାମ ଗିରିଙ୍କ ପାଖରେ ପହଞ୍ଚିଲା । ସନ୍ଧ୍ୟାବେଳ । ମହାରାଜ ଗୋଟିଏ ସୁନାର ଚୌକି ଉପରେ ବସିଛନ୍ତି–ଚଉକି ଉପରେ ମଖମଲୀ ଗଦି ପଡ଼ିଛି । ଚାରିପାଖରେ ଭକ୍ତମାନଙ୍କ ଭିଡ଼ । ସେମାନଙ୍କ ମଧ୍ୟରେ ସଂଖ୍ୟାଧିକ ମହିଳା । ଧୂଆ ହୋଇଥିକା ଶଙ୍ଖମର୍ମର ଚଟାଣରେ ସମସ୍ତେ ବସିଛନ୍ତି–ଏକ ପାଖରେ ପୁରୁଷ, ଅନ୍ୟ ପାଖରେ ମହିଳା । ମହନ୍ତ–ମହାରାଜ ପୂରା ଛ’ ଫୁଟ୍ ଉଚ୍ଚ ବିଶାଳକାୟ ସୌମ୍ୟପୁରୁଷ । ବୟସ ପ୍ରାୟ ପଞ୍ଚତିରିଶବର୍ଷ, ଗୌରବର୍ଣ୍ଣ ତେଜସ୍ଵୀ ମୂର୍ତ୍ତି; ବସ୍ତ୍ର କଷାୟ; କିନ୍ତୁ ରେଶମୀ । ସେ ପାଦ ଓହଳାଇ ବସିଛନ୍ତି । ଭକ୍ତମାନେ ତାଙ୍କ ପାଦରେ ଭକ୍ତି–ନିବେଦନ କରୁଛନ୍ତି, ପୂଜା କରୁଛନ୍ତି ଏବଂ ଜାଗାରେ ଯାଇ ବସୁଛନ୍ତି । ଗୂଦଡ଼ ତ ଭିତରକୁ ଯାଇପାରିବ ନାହିଁ, ଅମର ଗଲା, କିନ୍ତୁ ତାକୁ ସେଠି ପଚାରେ କିଏ ? ଯେତେବେଳେ ଠିଆ ହୋଇ ହୋଇ ଆଠଟା ବଜିଲା, ସେ ମହନ୍ତଙ୍କ ନିକଟକୁ ଯାଇ କହିଲା–ମହାରାଜ ! ମୁଁ ଆପଣଙ୍କୁ କିଛି ନିବେଦନ କରିବାକୁ ଚାହେଁ ।

 

ମହନ୍ତ ମହାରାଜ ତାକୁ ଏପରି ଭାବରେ ଚାହିଁଲେ, ସତେବା ଦୃଷ୍ଟି ଫେରାଇବାକୁ ତାଙ୍କୁ କଷ୍ଟ ହେଉଛି !

 

ତାଙ୍କ ପାଖରେ ଆଉ କ’ଣ ସାଧୁ ଠିଆ ହୋଇଥିଲେ । ସେ ଆଶ୍ଚର୍ଯ୍ୟରେ ତାକୁ ଚାହିଁ ପଚାରିଲେ–କେଉଁଠୁଁ ଆସିଲ ? ଅମର ଗ୍ରାମର ନାମ କହିବାରୁ ହୁକୁମ ହେଲା–ଆରତି ପରେ ଆସ ।

 

ଆରତି ହେବାକୁ ତିନି ଘଣ୍ଟା ଡେରି ଅଛି । ଅମର କେବେ ସେଠିକି ଯାଇ ନଥିଲା । ଭାବିଲା, ସେ ସେଠାରେ ବୁଲାବୁଲି କରି ଆସିବ । ଏଣେତେଣେ ବୁଲାବୁଲି କଲା । ସେଠାରୁ ପଶ୍ଚିମକୁ ତ ବିଶାଳ ମନ୍ଦିର, ଆଗରେ ପୂର୍ବକୁ ସିଂହଦ୍ଵାର, ବାମ ଓ ଦକ୍ଷିଣରେ ମଧ୍ୟ ଆହୁରି ଦୁଇଟି ଦ୍ଵାର । ଅମର ଦକ୍ଷିଣଦ୍ଵାର ଦେଇ ଭିତରକୁ ଯିବାରୁ ଦେଖିଲା ଯେ ଚାରିପଟେ ଚଉଡ଼ା ବାରଣ୍ଡା, ଭଣ୍ଡାର ପ୍ରସ୍ତୁତ ହେଉଛି । କେଉଁଠି ବଡ଼ବଡ଼ କଡ଼େଇରେ ପୁରି–କଚୁରି ତିଆରି ହେଉଛି ତ କେଉଁଠି ନାନାପ୍ରକାରର ତରକାରୀ ବସିଛି, କେଉଁଠି ଦୁଧ ଆଉଟା ହେଉଛି ତ କେଉଁଠି ସର ବାହାର କରାଯାଉଛି । ବାରଣ୍ଡା ପଛ କୋଠରୀମାନଙ୍କରେ ଖାଦ୍ୟ ସାମଗ୍ରୀ ଭରତି ହୋଇଛି, ସତେ ଯେପରି ଖାଦ୍ୟ–ଶସ୍ୟ, ପରିବା–ଶାଗ, ଫଳ ଓ ମିଠେଇର ବଜାର ବସିଛି ! ଗୋଟାଏ କୋଠରୀ ତ ପୋଟଳରେ ପୂରିଛି । ସେ ଋତୁରେ ପୋଟଳ ଭାରି ମହର୍ଗ; କିନ୍ତୁ ସେଠି ତୁଷ–କୁଣ୍ଡା ପରି କାଣ୍ଡିମରା ହୋଇଛି । ଭଲ ଭଲ ଘରର ଝିଅ–ବୋହୂମାନେ ଭକ୍ତିଭାବରେ ପାକ–କାର୍ଯ୍ୟରେ ଲାଗିଛନ୍ତି । ଠାକୁରଙ୍କ ରାତି–ଧୂପର ଆୟୋଜନ ଚାଲିଛି । ଭଣ୍ଡାର ଦେଖି ଅମର ଆବାକ୍ । ଏ ଋତୁରେ ଏଠାରେ କୋଡ଼ି କୋଡ଼ି ଝୁଡ଼ି ଅଙ୍ଗୁର ଜମା ହୋଇଛି !

 

ସେଠାରୁ ଅମର ଉତ୍ତର ଦ୍ଵାରକୁ ଚାଲିଲା । ଦେଖିଲା–ସେଠିବି ବଜାର ବସିଛି । ଗୋଟିଏ ଲମ୍ବା ଧାଡ଼ି କରି ଦରଜିମାନେ ବସି ଠାକୁରଙ୍କ ପୋଷାକ ସିଲାଇ କରୁଛନ୍ତି । କେଉଁଠି ଜରିକାମ ହେଉଛି, କେଉଁଠି ସୁନା–ରୁପାର ଜରି ଓ ଟିକିଲି ଖଞ୍ଜି ତକିଆ ତିଆରି ହେଉଛି, ନାନା ନକ୍ସାର ବଡ଼ବଡ଼ ତକିଆ । ଧାଡ଼ିଏ ବଣିଆ ବସି ଠାକୁରଙ୍କ ଅଳଙ୍କାର ଗଢ଼ୁଛନ୍ତି–କେଉଁଠି ମୂଲ୍ୟବାନ ପଥର ଜଡ଼ାଉ ହେଉଛି–କେଉଁଠି ପାଲିସ୍ କରାଯାଉଛି, କେଉଁଠି ପାଟରାମାନେ ପାଟ ସୂତାରେ ଗୁନ୍ଥୁଛନ୍ତି । ଗୋଟାଏ କୋଠରୀରେ ଦଶ–ବାର ଜଣ ହୃଷ୍ଟପୁଷ୍ଟ ଯୁବକ ବସି ଚନ୍ଦନ ଘୋରୁଛନ୍ତି, ସମସ୍ତଙ୍କ ମୁହଁରେ ପଟି ବନ୍ଧା ହୋଇଛି । ଗୋଟିଏ କୋଠରୀରେ ଅତର, ତେଲ ଓ ଅଗୁରୁ ଧୂପ ପୂରି ରହିଛି । ଠାକୁରଙ୍କ ନାମରେ କେତେ ଯେ ଧନ ଅପବ୍ୟୟ ହେଉଛି, ଏହି କଥା ଭାବି ଅମର ସେଠାରୁ ମଝି ଅଗଣାକୁ ଆସିଲା ଓ ମୁଖଦ୍ଵାର ବାଟେ ବାହାରକୁ ଗଲା ।

 

ଗୂଦଡ଼ ପଚାରିଲା–ଭାରି ଡେରି କଲ; କିଛି କଥାବାର୍ତ୍ତା ହେଲା ?

 

ଅମର ହସି ହସି କହିଲା–ଏଇ ତ ଖାଲି ଦର୍ଶନ ମିଳିଛି, ଆରତି ପରେ ଭେଟ ହେବ । ଏତିକି କହି ସେ ଯାହା ଯାହା ଦେଖିଥିଲା ବିସ୍ତାରପୂର୍ବକ ବର୍ଣ୍ଣନା କଲା ।

 

ଗୂଦଡ଼ ମଥା ହଲାଇ କହିଲା–ଭଗବାନଙ୍କ ଦରବାରରେ ବାପା ! ଦୁନିଆକୁ ଯିଏ ପାଳୁଛି, ତା’ର କୋଉ କଥାରେ ଅଭାବ ! ମୁଁ ବି ଶୁଣିଛି ଯେ, ହେଲେ ଭିତରକୁ କେବେ ଯାଇ ନାହିଁ; କେହି ପଚରା–ପଚରି କଲେ ତଡ଼ା ଖାଇବି ସିନା । ତେବେ ଘୋଡ଼ାଶାଳ ଆଉ ଗୋଶାଳା ଦେଖିଛି ଯେ । ଦେଖିବ ଯେବେ ଦେଖି ଆସ ।

 

ସମୟ ଆହୁରି ବାକି ଅଛି । ଅମର ଗୋଶାଳା ଦେଖିବାକୁ ଗଲା । ମନ୍ଦିରର ଦକ୍ଷିଣ ତରଫରେ ପଶୁଶାଳା । ସର୍ବପ୍ରଥମେ ସେ ହାତୀଶାଳରେ ପହଞ୍ଚିଲେ । ପ୍ରାୟ ପଚିଶ ତିରିଶ ହାତୀ ଜଞ୍ଜିରରେ ବନ୍ଧା ହୋଇ ମେଲାରେ ଠିଆ ହୋଇଛନ୍ତି । କିଏ ପାହାଡ଼ ପରି ବଡ଼, କିଏ ବା ମଇଁଷି ପରି ଛୋଟ । କିଏ ଝୁଲୁଛି, କିଏ ମୁଣ୍ଡ ବୁଲାଉଛି, କିଏ ବରଗଛର ଡାଳପତ୍ର ଚୋବାଉଛି । ସେମାନଙ୍କ ହାଉଦା, ଝୁଲା, ଅମାରୀ, ଅଳଙ୍କାର ସବୁ ସ୍ଵତନ୍ତ୍ର ଏକ ଗୋଦାମରେ ରଖାଯାଇଛି । ପ୍ରତ୍ୟେକ ହାତୀର ଅଲଗାଅଲଗା ନାମ, ସେବକ, ଘର ଝଞ୍ଜା ହୋଇଛି । କାହାପାଇଁ ମହଣେ, କାହାପାଇଁ ଅଧମହଣେ ଦାନାର ବ୍ୟବସ୍ଥା ଅଛି । ଠାକୁରଙ୍କ ବିଜେପାଇଁ ଯେଉଁ ହାତୀଟି ଅଛି, ସେ ସବୁଠୁ ବଡ଼ । ଭକ୍ତମାନେ ତାକୁ ପୂଜା କରନ୍ତି । ଏବେ ସୁଦ୍ଧା ତା’ ମୁଣ୍ଡ ଉପରେ ଫୁଲମାଳ ଜମା ହୋଇଛି, ପାଦତଳେ ବହୁତ ଫୁଲ କୁଢ଼ା ହୋଇଛି ।

 

ସେଠାରୁ ଗଲା ଘୋଡ଼ାଶାଳକୁ । ଧାଡ଼ି ଧାଡ଼ି ଘୋଡ଼ା ବନ୍ଧା ହୋଇଛନ୍ତି; ସତେଅବା ଗୋଟାଏ ଅଶ୍ଵାରୋହୀ ସେନା–ଶିବିର ! ପାଞ୍ଚ ଶହ ଘୋଡ଼ାରୁ କମ୍ ହେବେ ନାହିଁ–ନାନା ଦେଶର, ନାନା ଜାତିର । କିଏ ସବାରପାଇଁ, କିଏ ଶିକାରପାଇଁ, କିଏ ବଗି ଟାଣିବାପାଇଁ, କିଏ ବା ପୋଲୋ ଖେଳପାଇଁ ଉଦ୍ଦିଷ୍ଟ । ପ୍ରତି ଘୋଡ଼ାପାଇଁ ଦୁଇ ଦୁଇ ଜଣ ଚାକର ଅଛନ୍ତି । ମହନ୍ତ ମହାରାଜଙ୍କର ଘୋଡ଼ାଦଉଡ଼ରେ ଭାରି ସଉକ । ସେଥିପାଇଁ ମଧ୍ୟ କେତେଟା ଘୋଡ଼ା ଅଛନ୍ତି । ସେମାନଙ୍କୁ ପ୍ରତିଦିନ ବାଦାମ ଓ ଦୁଧସର ଦିଆଯାଏ ।

 

ଗୋଶାଳାରେ ମଧ୍ୟ ଗାଈ–ମଇଁଷି ଚାରି–ପାଞ୍ଚଶହ ଅଛନ୍ତି । ବଡ଼ବଡ଼ ମାଟି ଭାଣ୍ଡ ତଟକା ଦୁଧରେ ପୂରୁଛି । ଆରତି ପୂର୍ବରୁ ଠାକୁର ସ୍ନାନ କରିବେ । ଦୈନିକ ତିନିବାର ପାଞ୍ଚ–ପାଞ୍ଚ ମହଣ ଦୁଧ ଠାକୁରଙ୍କ ସ୍ନାନପାଇଁ ଦରକାର, ଭଣ୍ଡାରପାଇଁ ତ ସ୍ଵତନ୍ତ୍ର ।

 

ଏହିପରି ବୁଲାବୁଲି କରୁଥିବାବେଳେ ଆରତି ଆରମ୍ଭ ହୋଇଗଲା । ଚାରିଆଡ଼ୁ ଲୋକେ ଆରତି କରିବାପାଇଁ ଦଉଡ଼ିଲେ ।

 

ଗୂଦଡ଼ କହିଲା–ତୁମକୁ କେହି ‘କି ଘର ପୁଅ’ ବୋଲି ପଚାରିଲେ କ’ଣ କହିବ ?

 

“କହିବି, ‘ବୈଶ୍ୟ’ ।” ଅମର ହସି ହସି କହିଲା ।

 

“ତୁମର ତ ଚଳିଯାଉଛି, କାହିଁକି ନା ଏଠି ଲୋକେ ତୁମକୁ ସେମିତି ଚିହ୍ନନ୍ତି ନାହିଁ । ମୋତେ ତ ନିତି ହାତରେ ଚମଡ଼ା ମୁଣା ବିକୁଥିବାର ଦେଖୁଛନ୍ତି; ଚିହ୍ନିପକାଇବେ ତ ଜିଅନ୍ତା ଛାଡ଼ିବେ ନାହିଁ ଏଇ ଦେଖୁନ, ଭଗବାନଙ୍କ ଆରତି ହେଉଛି, ଆମେ ଭିତରକୁ ଯାଇପାରୁନାହୁଁ ଏଠିକା ପଣ୍ଡା–ପୂଜାରୀଙ୍କ–କାଣ୍ଡ ଶୁଣିଲେ ତ କାନରେ ହାତ ଦେବ; ହେଲେ ସେଇମାନେ ଏଠି ମାଲିକ, ଆଉ ଆମେ ଭିତରକୁ ପା’ ବଢ଼େଇ ପାରିବୁ ନାହିଁ । ତୁମେ ଯିବ ଯେବେ ଯାଅ, ଆରତି ନେବ । ତୁମ ଚେହେରାବି ବ୍ରାହ୍ମଣ ଭଳି ଦିଶୁଛି । ମୋ ଚେହେରା ତ ମୋଚି ମୋଚି ଡାକ ପକେଇଛି ।”

 

ଭିତରକୁ ଯାଇ ତାମସା ଦେଖିବାକୁ ଅମର ଇଚ୍ଛା କରୁଥିଲେ ମଧ୍ୟ ଗୂଦଡ଼କୁ ଛାଡ଼ି ଯାଇ ପାରିଲା ନାହିଁ । ପ୍ରାୟ ଅଧଘଣ୍ଟାଏ ଲାଗିଲା ଆରତି ସରିବାକୁ । ପୂଜକ–ଭକ୍ତମାନେ ଆପଣା ଆପଣା ଘରକୁ ଫେରିଲେ । ଅମର ମହନ୍ତ ମହାରାଜାଙ୍କୁ ଭେଟିବାକୁ ଗଲା । ଜାଣିବାକୁ ପାଇଲା, କେଉଁ ରାଣୀ ସାହେବା ଦର୍ଶନ କରୁଛନ୍ତି । ସେ ସେହି ଅଗଣାରେ ଟହଲ ମାରିଲା ।

 

ଅଧଘଣ୍ଟା ପରେ ସେ ପୁଣି ସେହି ଦ୍ଵାରପାଳ–ସାଧୁଙ୍କୁ କହିଲା । ଉତ୍ତର ମିଳିଲା–ଏତେବେଳେ ଦର୍ଶନ ହୋଇପାରିବ ନାହିଁ । ସକାଳେ ଆସ ।

 

ଅମରର ଭାରି ରାଗ ହେଲା । ସଙ୍ଗେ ସଙ୍ଗେ ଯାଇ ମହନ୍ତଙ୍କୁ ଦିପଦ ବତାଇ ଦେବ କି-? କିନ୍ତୁ ସଂଯତ ହେବାକୁ ପଡ଼ିଲା । ନିରାଶ ହୋଇ ବାହାରକୁ ଚାଲିଗଲା ।

 

ଏ କଥା ସବୁ ଶୁଣି ଗୂଦଡ଼ କହିଲା–ଏ ଦରବାରରେ ଆମ କଥା ଭଲା ଶୁଣିବ କିଏ ?

 

“ତୁମେ କେବେ ମହନ୍ତଙ୍କୁ ଦର୍ଶନ କରିଛ ?”

 

“ମୁଁ ! ମୁଁ ଭଲା ଦର୍ଶନ ପାଇବି କୁଆଡ଼ୁ ? ମୋଟେ କରିନି ।”

 

ନ’ଟା ବାଜିଲା । ଏତେବେଳେ ଘରକୁ ଫେରିବା ମୁସ୍କିଲ୍ । ପାହାଡ଼ିଆ ରାସ୍ତା, ବଣ–ଜନ୍ତୁଙ୍କ ଭୟ, ନଈ–ନାଳ ପାରି । ରାତିଟା କେଉଁଠି କଟାଇବାକୁ ବିଚାର କଲେ । ଦୁହେଁ ଯାଇ ଗୋଟିଏ ଧର୍ମଶାଳାରେ ପହଞ୍ଚିଲେ । କ’ଣ ଟିକିଏ ଖାଇ–ପିଇ ସେଇଠି ଶୋଇଯିବାକୁ ସ୍ଥିର କଲେ-। ଏତିକିବେଳେ ଦୁଇ ଜଣ ସାଧୁଠାକୁରଙ୍କ ରାତିଭୋଗ ବିକୁଥିବାର ଦେଖିଲେ । ଧର୍ମଶାଳାର ସବୁ ଯାତ୍ରୀ ଧାଇଁଗଲେ ଆଣିବାକୁ । ଅମର ମଧ୍ୟ ଚାରି ଅଣାର ଗୋଟିଏ ପତ୍ର ନେଲା । ସେଥିରେ ଥାଏ–ପୁରି, ହାଲୁଆ, ନାନାପ୍ରକାର ତରକାରୀ, ଆଚାର, ଚଟଣି, ମୁରବା, ସର, ଦହି-। ଏତେ ଜିନିଷ ଯେ, ଦୁଇ ଜଣ ଖୁବ୍ ଖାଇବାବାଲା ସନ୍ତୁଷ୍ଟ ହୋଇଯିବେ । ଏଠି ଖୁବ୍ କମ୍ ଘରେ ଚୁଲି ଜଳେ–ଲୋକେ ଏହି ପତ୍ର ନେଇଯାନ୍ତି । ଦୁହେଁ ଖୁବ୍ ପେଟପୂରା ଖାଇଲେ । ତା’ପରେ ପାଣି ପିଇ ଶୋଇବାକୁ ଯାଉଛନ୍ତି, ଜଣେ ସାଧୁ ଦୁଧ ବିକିବାକୁ ଆସିଲା–ଠାକୁରଙ୍କ ପହୁଡ଼ ଦୁଧ କିଏ ନେବ–ପହୁଡ଼ ଦୁଧ । ଅମରର ଇଚ୍ଛା ନଥିଲେ ସୁଦ୍ଧା କୌତୂହଳବଶତଃ ଦୁଇ ଅଣାର ଦୁଧ ନେଲା-। ପୂରା ସେରେ ହେବ ଗାଢ଼ ସର ଥିବା ଦୁଧ । ସେଥିରୁ କେଶର ଓ କସ୍ତୁରୀର ସୁବାସ ବାହାରୁଥାଏ-। ସେ ଏପରି ଦୁଧ ଜୀବନରେ କେବେହେଲେ ପିଇ ନଥିଲା ।

 

ବିଛଣା ତ ଆଣି ନଥାନ୍ତି । ପିନ୍ଧାଲୁଗାରୁ କାନିଏ କାନିଏ ପାରି ଶୋଇଗଲେ ।

 

ଅମର ବିସ୍ମୟରେ କହିଲା–ଏ ଖର୍ଚ୍ଚର କିଛି ଠିକଣା ଅଛି !

 

ଗୂଦଡ଼ ଭକ୍ତିଭାବରେ କହିଲା–ଭଗବାନ୍ ଦେଉଛନ୍ତି ଆଉ କ’ଣ ! ତାଙ୍କରି ମହିମା ! ହଜାରେ ଦି’ହଜାର ଯାତ୍ରୀ ନିତି ଆସୁଛନ୍ତି । ଗୋଟାଏ ଗୋଟାଏ ସେଠ ପରା କୋଡ଼ିଏ–କୋଡ଼ିଏ ହଜାରର ଟଙ୍କା ଥଳୀ ଭେଟି ଦିଅନ୍ତି । ଏତେ ଖର୍ଚ୍ଚ ବାଦେବି କୋଟି କୋଟି ଟଙ୍କା ବେଙ୍କରେ ଜମା ଅଛିଟି !

 

“ଦେଖାଯାଉ, କାଲି କ’ଣ କଥାବାର୍ତ୍ତା ହେଉଛି !”

 

“ମତେ ତ ଜଣାଯାଉଛି, କାଲିବି ଦର୍ଶନ ମିଳିବ ନାହିଁ ।”

 

ଦୁହେଁ ରାତି ଥାଉଁଥାଉଁ ଉଠି ସ୍ନାନ କଲେ ଓ ସୂର୍ଯ୍ୟୋଦୟ ପୂର୍ବରୁ ଯାଇ ଫାଟକ ପାଖରେ ପହଞ୍ଚିଲେ । ଜାଣିବାକୁ ପାଇଲେ, ମହନ୍ତଜୀ ପୂଜାରେ ବସିଛନ୍ତି ।

 

ଘଣ୍ଟାଏ ପରେ ପୁଣି ଖବର ନେଲେ–ମହନ୍ତଜୀ ସକାଳ ମଣୋହିରେ ।

 

ପୁଣି ନ’ଟାବେଳେ ତୃତୀୟ ବାର ଯାଇ ବୁଝିଲେ–ମହନ୍ତଜୀ ଘୋଡ଼ାଶାଳ ପରିଦର୍ଶନ କରିବାକୁ ଯାଇଛନ୍ତି । ଅମର ଚିଡ଼ିଉଠି ଦ୍ଵାରପାଳକୁ କହିଲା–ତେବେ ଆମକୁ ଦର୍ଶନ ମିଳିବ କେତେବେଳେ ?

 

ଦ୍ଵାରପାଳ ପଚାରିଲା–ତୁମେ କିଏ ?

 

“ମୁଁ ତାଙ୍କ ଇଲାକାର ପ୍ରଜା । ତାଙ୍କ ଇଲାକା ସମ୍ବନ୍ଧରେ କିଛି କହିବାକୁ ଆସିଛି ।”

 

“ତେବେ ମେନେଜର ପାଖକୁ ଯାଅ । ଇଲାକା କାମ ସେ ଦେଖାଶୁଣା କରନ୍ତି ।”

 

ଅମର ପଚାରି ପଚାରି ମେନେଜରଙ୍କ ଅଫିସ୍‍କୁ ଗଲା । ଦେଖିଲା, କୋଡ଼ିଏ–ଚାଳିଶ ଗୁମାସ୍ତା ଲମ୍ବା ଲମ୍ବା ଖାତା ଖୋଲି ଲେଖାଲେଖି କରୁଛନ୍ତି ।

 

ମେନେଜର ମହୋଦୟ ଗୋଟାଏ ବଡ଼ ଗୋଲ ତକିଆକୁ ଆଉଜି ହୁକା ଟାଣୁଛନ୍ତି ।

 

ଅମର ଅଭିବାଦନ କଲା ।

 

ମେନେଜର ସାହେବ ଦାଢ଼ି ଆଉଁଷି କହିଲେ–ଅର୍ଜି କାହିଁ ?

 

ଅମର ଅପ୍ରସ୍ତୁତ ଭାବରେ କହିଲା–ଅର୍ଜି ତ ମୁଁ ଆଣି ନାହିଁ ।

 

“ତେବେ ଏଠିକି କ’ଣ କରିବାକୁ ଆସିଛ ?”

 

“ମୁଁ ତ ଶ୍ରୀଯୁକ୍ତ ମହନ୍ତ ମହାରାଜଙ୍କ ନିକଟରେ କିଛି ଆପତ୍ତି କରିବାକୁ ଆସିଥିଲି, ଆଜ୍ଞା-।”

 

“ଅର୍ଜି ଲେଖାଇ ଆଣ ।”

 

“ମୁଁ ମହନ୍ତ ମହାରାଜଙ୍କୁ ସାକ୍ଷାତ କରିବାକୁ ଚାହେଁ ।”

 

“ଦର୍ଶନି ଆଣିଛ ?”

 

“ମୁଁ ତ ଗରିବ ଲୋକ ଆଜ୍ଞା, ଦର୍ଶନି ଆଣିବି କୁଆଡ଼ୁ ?”

 

“ସେଇଥିପାଇଁ କହୁଛି, ଅର୍ଜି ଲେଖିଆଣ । ତା’ ଉପରେ ବିଚାର କରାଯିବ । ଯାହା ହୁକୁମ ମିଳିବ, ଶୁଣାଇ ଦିଆଯିବ ।”

 

“କେବେ ଶୁଣାଇ ଦିଆଯିବ ତାହାହେଲେ ?”

 

“ଯେବେ ମହନ୍ତଜୀଙ୍କର ଇଚ୍ଛା ହେବ ।”

 

“ମହନ୍ତଜୀଙ୍କର ଦର୍ଶନି କେତେ ?”

 

ଯେମିତି ଶ୍ରଦ୍ଧା ! ଅତି କମ୍‌ରେ ଗୋଟିଏ ଅସର୍ଫି ।

 

“ଗୋଟାଏ ତାରିଖ କରିଦିଅନ୍ତେ କି ମୁଁ ଆସି ହୁକୁମ ଶୁଣିଯା’ନ୍ତି । ନିତି ଏଠିକି ଦଉଡ଼ିବ କିଏ ?”

 

“ତୁମେ ଦଉଡ଼ିବ, ଆଉ କିଏ ଦଉଡ଼ିବ ? ତାରିଖ କୁହାଯାଇପାରିବ ନାହିଁ ।”

 

ଅମର ଗ୍ରାମ ଭିତରକୁ ଯାଇ ବିସ୍ତୃତ ଭାବରେ ଅର୍ଜି ଲେଖିଲା ଓ ମେନେଜରଙ୍କ ଅଫିସ୍‍ରେ ପେସ୍ କଲା । ତା’ପରେ ଦୁହେଁ ଘରକୁ ଫେରିଲେ ।

 

ସେମାନଙ୍କର ଆସିବା ଖବର ପାଇବାମାତ୍ରେ ଗ୍ରାମର ଶହ ଶହ ଲୋକ ଜମା ହେଲେଣି-। ଅମର ବଡ଼ ସଙ୍କଟରେ ପଡ଼ିଛି । ଯଦି ସବୁ ବୃତ୍ତାନ୍ତ କହେ, ତେବେ ଲୋକେ ତାକୁ ଓଲୁ ବୋଲି କହିବେ । ସୁତରାଂ ସେ କଥାଟାକୁ ବାଗେଇ କହିଲା–ଅର୍ଜି ପେସ୍ କରି ଆସିଛି, ତା’ ଉପରେ ବିଚାର ହେଉଛି ।

 

କାଶୀ ଅବିଶ୍ଵାସ ପ୍ରକାଶ କରି କହିଲା–ସେଠି ବିଚାର ହେଉ ହେଉ ମାସ ମାସ ଚାଲିଯିବ । ସେତେବେଳକୁ ଗୁମାସ୍ତାମାନେ ଆମକୁ ଇଆଡ଼େ କେଳେଇ ଖାଇ ସାରିବେଣି ।

 

ଅମର ବିରକ୍ତ ହୋଇ କହିଲା–ମାସ ମାସ ଚାଲିଯିବ କାହିଁକି ? ଚାରିଟା ଦିନ ତ ଯଥେଷ୍ଟ ।

 

ପୟାଗ କହିଲା–ଏ ସବୁ ଟାଳିବା କଥା ମ । ଖୁସିରେ କିଏ ଆପଣାର ଟଙ୍କା ଛାଡ଼ିଦେଲାଣି ?

 

ଅମର ନିତି ସକାଳେ ଯାଏଁ ଓ ରାତି ଘଡ଼ିକରେ ଲେଉଟେ; କିନ୍ତୁ ଅର୍ଜି ଉପରେ ବିଚାର ହୁଏ ନାହିଁ । ମେନେଜର, ତାଙ୍କ ମୋହରିର ଏପରିକି ଚପରାସି ପର୍ଯ୍ୟନ୍ତ ସମସ୍ତଙ୍କୁ କାକୁତି–ମିନତି କରି କହେ; କିନ୍ତୁ କେହି ଶୁଣନ୍ତି ନାହିଁ । ନିରାଶ ହୋଇ ରାତିରେ ଫେରିଲାବେଳକୁ ଏଣେ ଗ୍ରାମବାସୀମାନେ ତାକୁ ପରିହାସ କରନ୍ତି ।

 

ପୟାଗ କହେ–ଆମେ ତ ଶୁଣିଲୁ ଯେ ଟଙ୍କାରେ ଆଠଣା ଛାଡ଼ ହେଇଗଲା ।

 

କାଶୀ କହେ–ତୁ ମିଛ କହୁଛୁ । ମୁଁ ତ ଶୁଣିଲି, ମହନ୍ତ ମହାରାଜ ଏ ବର୍ଷ ଖଜଣା ପୂରା ଛାଡ଼ କରି ଦେଲେ ।

 

ତେଣେ ଆତ୍ମାନନ୍ଦ ବରାବର ଅଞ୍ଚଳର ଲୋକମାନଙ୍କୁ ଉତ୍ତେଜିତ କରୁଛନ୍ତି । ପ୍ରତିଦିନ ବଡ଼ବଡ଼ କୃଷକ–ସଭାର ଖବର ମିଳୁଛି । ଜାଗାକୁ ଜାଗା କୃଷକ–ସଭା ଗଢ଼ାଯାଉଛି । ଅମରର ପାଠଶାଳାଟିବି ବନ୍ଦ । ତାକୁ ତ ଆଦୌ ଅବକାଶ ମିଳୁନାହିଁ । ପଢ଼ାଇବ କିଏ ? ଏକା ମୁନ୍ନୀ ନିଜର କୋମଳ ସହାନୁଭୂତିରେ ରାତିରେ ତା’ର ଲୁହ ପୋଛି ଦେଉଛି ।

 

ଅବଶେଷରେ ସପ୍ତମ ଦିନ ଅର୍ଜି ଉପରେ ହୁକୁମ ହେଲା ଯେ ଆସାମୀକୁ ଉପସ୍ଥିତ କରାଯାଉ । ଅମରକୁ ମହନ୍ତଙ୍କ ସମ୍ମୁଖକୁ ନିଆଗଲା । ବେଳ ଦ୍ଵିପ୍ରହର । ମହନ୍ତ ମହାରାଜ ଖସ୍‌ଖାନାରେ ଏକ ବଡ଼ ଖଟ ଉପରେ ଗୋଲ ତକିଆ ଉପରେ ଦେହ ଭାର ରଖି ବସିଥାନ୍ତି । ଚାରିପାଖରେ ବେଣାଚେରର ତାଟ, ତା’ ଉପରେ ଗୋଲାପ ଜଳ ସିଞ୍ଚାଯାଉଥାଏ । ବିଜୁଳି–ପଙ୍ଖା ଚାଲିଥାଏ । ସେହି ଜ୍ୟେଷ୍ଠ ମାସରେବି ଘରଟି ଭିତରେ ଏତେ ଥଣ୍ଡା ଯେ ଅମରକୁ ଶୀତ ଲାଗିଲା ।

 

ମହନ୍ତ ମହାରାଜଙ୍କ ମୁଖମଣ୍ଡଳରେ ଦୟାଭାବ ଝଲକୁଥାଏ । ହୁକାରୁ ଗୋଟାଏ ଦମ୍ ଟାଣି ମଧୁର ସ୍ଵରରେ କହିଲେ–ତୁମେ ଏହି ଇଲାକାରେ ରହୁଛ, ନା ? ଶୁଣି ଦୁଃଖିତ ହେଲି ଯେ ମୋର ପ୍ରଜାମାନେ ବର୍ତ୍ତମାନ ବଡ଼ ଦୁଃଖରେ ଅଛନ୍ତି । ପ୍ରକୃତରେ କ’ଣ ସେମାନଙ୍କ ଦଶା ଏହିପରି, ଯାହା ତୁମେ ଅର୍ଜିରେ ଲେଖିଛ ?

 

ଅମର ଉତ୍ସାହିତ ହୋଇ କହିଲା–ମହାରାଜ, ସେମାନଙ୍କ ଦଶା ବରଂ ଏହାଠାରୁ ଆହୁରି ଖରାପ । କେତେକ ଘରେ ତ ଚୁଲି ଜଳୁନାହିଁ ।

 

ମହନ୍ତ ମହାରାଜ ଆଖିବୁଜି କହିଲେ–ଭଗବାନ୍ ! ଏ ତୁମର କି ଲୀଳା ? ତେବେ ତୁମେ ମୋତେ ଆଗରୁ କାହିଁକି ଖବର ନ ଦେଲ । ମୁଁ ଏ ଫସଲର ଅସୁଲ ବନ୍ଦ କରି ଦେଇଥାନ୍ତି । ଭଗବାନ୍‌ଙ୍କ ଭଣ୍ଡାରରେ କ’ଣ ଅଭାବ ଅଛି ? ମୁଁ ଅତିଶୀଘ୍ର ଏ ବିଷୟରେ ସରକାରଙ୍କ ସଙ୍ଗେ ପତ୍ର ବ୍ୟବହାର କରିବି ଏବଂ ସେଠାରୁ ଯାହା ଉତ୍ତର ଆସିବ, ପ୍ରଜାମାନଙ୍କୁ ଜଣାଇଦେବି । ତୁମେ ସେମାନଙ୍କୁ କହ, ଧୈର୍ଯ୍ୟ ଧରନ୍ତୁ । ଭଗବାନ୍ ! ଏ ତୁମର କି ଲୀଳା ?

 

ମହନ୍ତ ମହାରାଜ ଆଖିରେ ଚଷମା ଲଗାଇ ଅନ୍ୟ ଅର୍ଜିସବୁ ଦେଖିବାକୁ ଲାଗିଲେ । ତେଣୁ ଅମରକାନ୍ତବି ଉଠି ଠିଆ ହେଲା । ଆସୁ ଆସୁ ସେ ପଚାରିଲା–ଯଦି ଶ୍ରୀମାନ ମହାରାଜ ଗୁମାସ୍ତାମାନଙ୍କୁ ହୁକୁମ ଦେଇ ଦିଅନ୍ତେ ବର୍ତ୍ତମାନ ପ୍ରଜାଙ୍କୁ ହଇରାଣ ନ କରିବାକୁ, ତେବେ ବଡ଼ ଦୟା ହୁଅନ୍ତା । କାହାରି ପାଖରେ କିଛି ନାହିଁ । ମାତ୍ର ମାଡ଼–ଗାଳି ଭୟରେ ଲୋକେ ଘରକରଣା ଜିନିଷ ବିକିଭାଙ୍ଗି କର ଭରଣା କରୁଛନ୍ତି । କେତେକ ତ ଇଲାକା ଛାଡ଼ି ପଳାଇ ଯାଉଛନ୍ତି ।

 

ମହନ୍ତଜୀଙ୍କର ମୁଦ୍ରା କଠୋର ହୋଇଗଲା–ତାହା ହୋଇପାରିବ ନାହିଁ । ମୁଁ କର୍ମଚାରୀମାନଙ୍କୁ କଡ଼ା ତାକିଦ୍ କରି ଦେଇଛି କି କୌଣସି ଆସାମୀ ଉପରେ ଜୁଲମ କରିବେ ନାହିଁ-। ମୁଁ ସେମାନଙ୍କୁ ଜବାବ ତଲବ କରିବି । ପ୍ରଜାମାନଙ୍କୁ ଦୁଃଖ ଦେବା ମୁଁ ବିଲ୍‍କୁଲ୍ ପସନ୍ଦ କରେନା-

 

ଅମର ନଇଁପଡ଼ି ମହନ୍ତଜୀଙ୍କୁ ଦଣ୍ଡବତ କରି ବିଦାୟ ନେଲା । ତା’ ମନରେ ଆନନ୍ଦର ସୀମା ନାହିଁ । ସେ ଅତି ଶୀଘ୍ର ଇଲାକାରେ ପହଞ୍ଚି ଏ ଖବର ଶୁଣାଇ ଦେବାକୁ ଚାହେଁ । ଏତେ ଜୋରରେ ଚାଲିଛି ଯେ ଦଉଡ଼ିଲା ପରି ଜଣାଯାଉଛି । ମଝିରେ ଦଉଡ଼ୁଛି ମଧ୍ୟ, ପୁଣି ସତର୍କ ହୋଇ ଅଟକିଯାଉଛି । ଗରମ ପବନ ନାହିଁ; ମାତ୍ର ଖରା ବଡ଼ ଟାଣ, ଦେହ ପୋଡ଼ି ପକାଉଛି । ତଥାପି ସେ ପ୍ରଖର ଗତିରେ ଚାଲିଛି । ସେ ଯାଇ ସ୍ଵାମୀ ଆତ୍ମାନନ୍ଦଙ୍କୁ ପଚାରିବ–“ଏବେ କହନ୍ତୁ ସଂସାରରେ ସମସ୍ତେ ସ୍ଵାର୍ଥୀ ନୁହନ୍ତି, ଏଥର ଆପଣଙ୍କର ବିଶ୍ଵାସ ହେଲାନା ? କେତେ ଧର୍ମାତ୍ମାବି ଅଛନ୍ତି, ଯେ କି ଅନ୍ୟମାନଙ୍କ ଦୁଃଖ–ଦୁର୍ଦ୍ଦଶା ବୁଝନ୍ତି ।” ଏଣିକି ତାଙ୍କର ସେହି ଅବିବେକୀ ସାଥୀମାନଙ୍କୁ ମଧ୍ୟ ଦେଖିନେବି । ତା’ର ଡେଣା ଥିଲେ ସେ ତ ଉଡ଼ିଯା’ନ୍ତା ।

 

ସନ୍ଧ୍ୟାବେଳକୁ ସେ ଗ୍ରାମରେ ପହଞ୍ଚିଲା । କେତେ ଉତ୍ସୁକ ତଥା ଅବିଶ୍ଵାସପୂର୍ଣ୍ଣ ନେତ୍ର ତାକୁ ସ୍ଵାଗତ କଲେ ।

 

“ଆଜି ତ ବଡ଼ ହରଷ ଭାଇ !” କାଶୀ କହିଲା–କ’ଣ ବାଜି ମାରି ଆସିଛ ନା କ’ଣ ?

 

ଅମର ଖଟ ଉପରେ ବସିପଡ଼ି ଦମ୍ଭରେ କହିଲା–ଯେ ମନ–ପ୍ରାଣ ଦେଇ କାମ କରିବ, ସେ ତ ବାଜି ମାରିବ ।

 

ବହୁତ ଲୋକ ପଚାରି ଉଠିଲେ–କ’ଣ ହୁକୁମ ହେଲା, ଭାଇ ?

 

ଡାକ୍ତର ରୋଗୀକୁ ଆଶ୍ଵାସନା ଦେଲା ପରି ଅମର କହିଲା–ତୁମେ ସବୁ ମିଛଟାରେ ମହନ୍ତ ମହାରାଜଙ୍କୁ ବଦନାମୀ ଦେଉଥିଲ । ଏମିତି ସୁନ୍ଦର ବ୍ୟବହାର ଦେଖାଇଲେ ଯେ କ’ଣ କହିବି ! କହିଲେ–“ଆମେ ତ କିଛି ଜାଣୁନା, ଆଗରୁ ଖବର ନ ଦେଲ କାହିଁକି ? ଆମେ ତ ନହେଲେ ଆଦାୟ ବନ୍ଦ କରିଦେଇଥାନ୍ତୁ ।” ବର୍ତ୍ତମାନ ସେ ସରକାରକୁ ଜଣାଉଛନ୍ତି । ଏଣେ କର୍ମଚାରୀମାନଙ୍କୁବି ଅସୁଲ କରିବାକୁ ମନା କରିଦେବେ ।

 

କାଶୀ ଅସନ୍ତୁଷ୍ଟ ହୋଇ କହିଲା–ଦେଖ ଦେଖ, କାମରୁ ବଳେ ଜଣାପଡ଼ିଯିବ ନାହିଁ ?

 

ଅମର ଗର୍ବରେ କହିଲା–ଧୈର୍ଯ୍ୟ ଧରି କାମ କଲେ ସବୁ ହେବ । ଗଣ୍ଡଗୋଳ କଲେ କିଛି ହୋଇପାରିବ ନାହିଁ, ଓଲଟି ଶେଷକୁ ପାହାର ବସିବ ।

 

ସୁନ୍ଦରୀ କହିଲା–ଆମ ମୋଟା ବାବାଜି (ଆତ୍ମାନନ୍ଦ) ମାନିଲେ ତ !

 

ଗୂଦଡ଼ ପଧାନପଣିଆ ଦେଖାଇଲା–ମାନିବେ ନାହିଁ କେମିତି, ତାଙ୍କୁ ମାନିବାକୁ ପଡ଼ିବନା-

 

ସ୍ଵାମୀଜୀଙ୍କର ଉଗ୍ର ଭକ୍ତ ଜଣେ କାଳିଆ ଭେଣ୍ଡା ଲଜ୍ଜିତ ହୋଇ କହିଲା–ଭାଇ, ତୁମେ ଯେମିତି ମନ ଦେଇ କାମ କରୁଛ, ସେମିତି କିଏ କରିବ ?

 

ପରଦିନ ପୂର୍ବପରି କଠୋର ଭାବରେ ପିଆଦାମାନେ ଧମକ–ଚମକ ଦେଲେ; କିନ୍ତୁ ତା’ପରଦିନଠାରୁ ଟିକିଏ କୋହଳ ହେଲା । ଇଲାକାସାରା ଖବର ଖେଳିଗଲା ଯେ ମହନ୍ତ ମହାରାଜ ଅଧା ଛାଡ଼ପାଇଁ ସରକାରଙ୍କୁ ଲେଖିଛନ୍ତି । ସ୍ଵାମୀଜୀ ଯେଉଁ ଗାଁକୁ ଯା’ନ୍ତି, ସେଠି ଲୋକେ ତାଙ୍କୁ ଥଟ୍ଟା–ପରିହାସ କରନ୍ତି । ତଥାପି ସେ ନିଜ ମତ ଗାଇ ଚାଲିଛନ୍ତି–“ଏ ସବୁ ଭଣ୍ଡାମି, କିଛି ହୋଇପାରିବ ନାହିଁ ।” ନିଜର ଗୁରୁତ୍ଵ କେମିତି ରକ୍ଷା ପାଇବ, ତାଙ୍କର ସେହି ଚିନ୍ତା । ଲୋକମାନଙ୍କ ସୁବିଧା ଅପେକ୍ଷା ନିଜ ପକ୍ଷପାଇଁ ସେ ଅଧିକ ଚିନ୍ତିତ । ଯଦି ଅଧା ଖଜଣା ଛାଡ଼ ବୋଲି ଆଦେଶ ଆସିଯାଏ, ତେବେ ସେ ବୋଧହୁଏ ସେ ଅଞ୍ଚଳ ଛାଡ଼ି ପଳାଇଯିବେ । ବର୍ତ୍ତମାନ ସେ ଏହି ପ୍ରତିଶ୍ରୁତିକୁ ମିଥ୍ୟା ବୋଲି ପ୍ରମାଣ କରିବା ଚେଷ୍ଟାରେ ଅଛନ୍ତି । ଯଦିଓ ଲୋକେ ତାଙ୍କ ହାତରେ ନାହାନ୍ତି; ତଥାପି କେତେକ ତାଙ୍କ କଥାକୁ ଶୁଣୁଛନ୍ତି । ମାତ୍ର ଏ କାନରେ ଶୁଣି ସେ କାନରେ ଉଡ଼ାଇ ଦେଉଛନ୍ତି ।

 

ଦିନ ପରେ ଦିନ ବିତିଯାଉଛି; କିନ୍ତୁ କୌଣସି ଆଦେଶ ଆସୁ ନାହିଁ । ପୁଣି ଲୋକଙ୍କ ମନରେ ସନ୍ଦେହ ଜନ୍ମିଲାଣି । ଯେତେବେଳେ ଦୁଇ ସପ୍ତାହ ବିତିଗଲା, ଅମର ସଦରମହକୁମାକୁ ଗଲା । ସେଠାରେ ସଲୀମ୍‌କୁ ନେଇ ଜିଲା–କଲେକ୍‌ଟର ମିଷ୍ଟର୍ ଗଜନବୀଙ୍କୁ ଦେଖାକଲା । ମି. ଗଜନବୀ ଡେଙ୍ଗା, ପାତଳା, ଗୋରା, ଆମୋଦପ୍ରିୟ ଲୋକ । ତାଙ୍କର ନାକ ଏପରି ଲମ୍ବା ଓ ଚିବୁକ ଏପରି ଗୋଲ ଯେ ହାସ୍ୟମୂର୍ତ୍ତି ପରି ଦଶୁଥାନ୍ତି । ସ୍ଵଭାବତଃ ସେ କୌତୁକପ୍ରିୟ ମଧ୍ୟ । ଯେଉଁ କାମ ଅତି ଜରୁରୀ, ନ କଲେ ଜବାବ ତଲବ ହେବା କଥା, କେବଳ ସେତିକି କାମ ସେ କରନ୍ତି; କିନ୍ତୁ ନିର୍ମଳ–ହୃଦୟ, ଉଦାରମନା, ପରୋପକାରୀ । ଅମର ଯେତେବେଳେ ଗ୍ରାମମାନଙ୍କର ଦୁର୍ଦ୍ଦଶା ତାଙ୍କ ଆଗରେ ବର୍ଣ୍ଣନା କଲା, ସେ ହସି ହସି କହିଲେ–ଆପଣଙ୍କ ମହନ୍ତଜୀ ଜଣାଇଛନ୍ତି, ସରକାର ଯେତିକି ମାଲଗୁଜାରି ଛାଡ଼ିଦେବେ, ସେ ସେତିକି କର ଛାଡ଼ିଦେବେ । ଖୁବ୍ ବିଚାରବନ୍ତ ଲୋକ କି ନା !

 

ଅମର ବିସ୍ମିତ ହେଲା–ଏଥିରେ ତେବେ ଅବିଚାର ରହିଲା କ’ଣ ?

 

“ଅବିଚାରଟା ହେଉଛି–ମହନ୍ତଙ୍କର କୋଟି କୋଟି ଟଙ୍କା ବ୍ୟାଙ୍କ୍‍ରେ ଜମା ରହିଛି, ସରକାରଙ୍କର ଋଣର ସୀମା ନାହିଁ ।”

 

“ତେବେ ଆପଣ ତାଙ୍କ ମତାମତ ଉପରେ କୌଣସି ଅଡ଼ର୍ କଲେଣି ?”

 

“ଏତେ ଶୀଘ୍ର ! ଅନ୍ତତଃ ମାସ ଛ’ଟା ଅପେକ୍ଷା କରନ୍ତୁ । ବର୍ତ୍ତମାନ ଆମେ ଚାଷୀମାନଙ୍କ ଅବସ୍ଥା ଯାଞ୍ଚ କରିବୁ, ତା’ ଉପରେ ରିପୋର୍ଟ ପଠାଯିବ, ରିପୋର୍ଟ ଉପରେ ବିଚାର ହେବ, ତା’ପରେ ଯାଇ ଯାହା କିଛି ଅଡ଼ର୍ ହେବ ।”

 

“ସେତେବେଳକୁ ତ ଲୋକଙ୍କ ଅବସ୍ଥା ସରିଯାଇଥିବ ।” ଆନ୍ଦୋଳନ ସୃଷ୍ଟି ହେବା ମଧ୍ୟ ବିଚିତ୍ର ନୁହେଁ ।”

 

“ତେବେ କ’ଣ ଆପଣ ଚାହୁଁଛନ୍ତି ଯେ ସରକାର ତା’ର ନୀତି ବଦଳାଇ ଦେବ ? ଏଇଟା ଅମଲାତନ୍ତ୍ର, ଆଜ୍ଞା ! ସବୁ କାମ ଆଇନ ବାଟରେ ହେବ । ଆପଣ ଆମକୁ ଶୋଧନ୍ତୁ, ଆମେ ଆପଣଙ୍କର କିଛି କରିପାରିବୁ ନାହିଁ, ପୋଲିସ୍‍କୁ ରିପୋର୍ଟ କରାଯିବ, ପୋଲିସ୍ ଆପଣଙ୍କୁ ଚାଲାଣ କରିବ । ମୁଁ ଯାହା କହିବି ତାହାହିଁ ତ ହେବ; କିନ୍ତୁ ସବୁ ହେବ ଆଇନ ବାଟରେ । ଛାଡ଼ନ୍ତୁ, ଏ ତ ଗଲା ପରିହାସ । ଆପଣଙ୍କ ବନ୍ଧୁ ମି. ସଲୀମ୍ ଖୁବ୍ ଶୀଘ୍ର ସେ ଇଲାକା ପରିଦର୍ଶନ କରିବାକୁ ଯାଉଛନ୍ତି; କିନ୍ତୁ ଦେଖନ୍ତୁ, ମିଥ୍ୟାସାକ୍ଷ୍ୟ ଦେବେ ନାହିଁ, ଯେପରିକି ତାଙ୍କୁ ଏଠୁ ବିଦାୟ ନେବାକୁ ନ ପଡ଼େ । ମି. ସଲୀମ୍ ତ ଆପଣଙ୍କୁ ଖୁବ୍ ପ୍ରଶଂସା କରନ୍ତି; କିନ୍ତୁ ଭାଇ, ମୋର ତୁମମାନଙ୍କୁ ଭାରି ଡର । ବିଶେଷତଃ ତୁମର ସେହି ସ୍ଵାମୀକୁ । ବଡ଼ ଗୋଳମାଳିଆ ଲୋକଟା । ତାକୁ ଗୋଟାଏ ବାହା କରେଇ ଦେଉ ନାହଁ ? ମୁଁ ଶୁଣୁଛି, ସେ ତୁମକୁ ବଦନାମ କରି ବୁଲୁଛି ।”

 

ଏତେ ବଡ଼ ଅଫିସର ଅମର ସଙ୍ଗେ ଏପରି ଆପଣାର ଭଳି କଥାବାର୍ତ୍ତା କରୁଛି ଯେତେବେଳେ ତାକୁ ନିଶା ନ ଧରିବ କାହିଁକି ? ପ୍ରକୃତରେ ତ ଆତ୍ମାନନ୍ଦ ନିଆଁ ଲଗାଇ ଦେଉଛି । ଯଦି ସେ ଆରେଷ୍ଟ୍ ହୋଇଯାଏ, ତେବେ ଇଲାକାକୁ ଶାନ୍ତି ମିଳିବ । ସ୍ଵାମୀ ଲୋକଟା ସାହସୀ, ଯଥାର୍ଥ ବକ୍ତା, ପ୍ରକୃତ ଦେଶ ସେବକ; କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ସେ ଗିରଫ୍ ହେବାହିଁ ଉତ୍ତମ ।

 

ସେ ଏପରି ଭାବରେ ଉତ୍ତର ଦେଲା, ଯେଉଁଥିରେ କି ତା’ର ମନୋଭାବ ପ୍ରକାଶ ନ ପାଇବ; ଅଥଚ ସ୍ଵାମୀଜୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବ–ମୋର ତ ତାଙ୍କ ବରୁଦ୍ଧରେ କୌଣସି ଅଭିଯୋଗ ନାହିଁ, ତାଙ୍କର କ୍ଷମତା ଅଛି, ଯେତେ ଇଚ୍ଛା ମୋର ବଦନାମୀ କରନ୍ତୁ ।

 

ଗଜନବୀ କହିଲେ–ତୁମେ ନୋଟ୍ କରିନିଅ, ମି. ସଲୀମ୍ ! କାଲି ଇଲାକାର ଥାନା–ଅଫିସରକୁ ଲେଖିଦିଅ, ଏ ସ୍ଵାମୀର ଖବର ନିଅନ୍ତୁ । ବାସ୍, ଏଥର ସରକାରୀ କାମ ଶେଷ । ଆଚ୍ଛା, ମୁଁ ଶୁଣୁଛି, ମି. ଅମର, ଆପଣ ନାରୀମାନଙ୍କୁ ବଶ କରିବାର କିଛି ମନ୍ତ୍ର ଜାଣନ୍ତି ।

 

ଅମର ସଲୀମ୍‌ର ବେକକୁ ଧରି କହିଲା–ତୁହି ଏ ବଦନାମୀ କରିଥିବୁ ।

 

ସଲୀମ୍ କହିଲା–ତୋର ବଦନାମୀ କରୁଛି ତୋ ଗତିବିଧି, ମୁଁ କାହିଁକି କରନ୍ତି !

 

ମି. ଗଜନବୀ ରସିକତା କରି କହିଲେ–ତୁମର ସ୍ତ୍ରୀ ଜଣେ ଅପୂର୍ବ ସାହସିନୀ ରମଣୀ, ଭାଇ ! ବର୍ତ୍ତମାନ ମ୍ୟୁନିସିପାଲଟି ସଙ୍ଗେ ବଳ କଷାକଷି କରୁଛନ୍ତି । ଆଉ ମୋର ବିଶ୍ୱାସ, ମ୍ୟୁନିସିପାଲ ବୋଡ଼୍‍କୁ ମଥା ନୁଆଁଇବାକୁ ପଡ଼ିବ । କିନ୍ତୁ ଭାଇ, ମୋ ଦାବି ଏପରି ହୋଇଥିଲେ ମୁଁ ତ ଫକୀର ସାଜିଥାନ୍ତି, ଗଡ଼୍‍ଗଡ଼୍ !

 

ଅମର ହସିଦେଇ କହିଲା–କାହିଁକି, ଆପଣଙ୍କର ତ ଆହୁରି ଖୁସି ହେବା କଥା ।

 

“ହଁ ଆଜ୍ଞା,” ମି. ଗଜନବୀ କହିଲେ, “ତା’ ତ ଆପଣଙ୍କ ମନ ଜାଣୁଥିବ ।”

 

ସଲୀମ୍–ତାଙ୍କରି ଭୟରେ ଏ ବାବୁ ପଳାଇ ଆସିଛନ୍ତି ଯେ !

 

ଗଜନବୀ–ଏଠି ଗୋଟାଏ ସଭା–ଫଭା ଆୟୋଜନ କରି ତାଙ୍କୁ ଡକାଇବା ଉଚିତ ।

 

ସଲୀମ୍–ଅକାରଣେ ବସୁ ବସୁ ଅନର୍ଥ ମୂଲେଇବା କଥା । ସେ ଆସି ପହଞ୍ଚିବାମାତ୍ରେ ସହରରେ ନିଆଁ ଜଳିବ, ଆମକୁ ଏ ବାଙ୍ଗଲୋ ସବୁ ଛାଡ଼ିବାକୁ ପଡ଼ିବ ଯେ !

 

ଗଜନବୀ–ଆହେ ବାବୁ, ତା’ ତ ଦିନେ ଅବଶ୍ୟ ହେବ । ଏ ସାମନ୍ତବାଦୀ ଶାସନ ତ ଦିଦିନ କୁଣିଆ । ଏ ଦେଶରେ ଇଂରେଜ–ଶାସନ ଚାଲିଛି । ସୁତରାଂ ଆମମାନଙ୍କ ମଧ୍ୟରେ ଯେଉଁ ଧନୀ–ଜମିଦାରମାନେ ଅଛନ୍ତି ଏବଂ ପ୍ରାକୃତିକ ନିୟମ ଅନୁସାରେ ଯେଉଁମାନେ ସେମାନଙ୍କ ପକ୍ଷରେ ଛିଡ଼ା ହୁଅନ୍ତେ, ସେମାନେ ମଧ୍ୟ ଗରିବମାନଙ୍କ ପକ୍ଷରେ ଆଗ୍ରହର ସହିତ ଛିଡ଼ା ହେଉଛନ୍ତି-। କାରଣ ଗରିବଙ୍କୁ ସାହାଯ୍ୟ କଲେ ସେମାନଙ୍କୁ ଅନ୍ତତଃ ସମ୍ମାନ ମିଳିବ, ତେଣେ ତ ଏ ଅବସରବି ନାହିଁ । ମୁଁ ନିଜକୁ ଏହି ଶ୍ରେଣୀର ବୋଲି ମନେକରେ ।

 

ତିନି ବନ୍ଧୁଙ୍କ ମଧ୍ୟରେ ବହୁତ ରାତି ପର୍ଯ୍ୟନ୍ତ ମୈତ୍ରୀପୂର୍ଣ୍ଣ ଆଳାପ ଚାଲିଲା । ପୂର୍ବରୁ ସଲୀମ୍ ଅମରର ଖୁବ୍ ପ୍ରଶଂସା କରିଥାଏ । ସୁତରାଂ ତା’ର ଗାଉଁଲି ଚେହେରା ହୋଇଥିଲେବି ମି. ଗଜନବୀ ତାକୁ ସମକକ୍ଷ ପରି ବ୍ୟବହାର ଦେଖାଉଛନ୍ତି । ସଲୀମ୍ ପକ୍ଷରେ ଶାସନ ଏକ ନୂତନ ପଦାର୍ଥ । ନୂଆ ଜୋତାକୁ ପାଣି–କାଦୁଅରୁ ରକ୍ଷା କଲାପରି ତା’ ପ୍ରତି ସେ ସତର୍କ । ଗଜନବୀ ଶାସନରେ ଅଭ୍ୟସ୍ତ, ସେ ଜାଣନ୍ତି ଯେ ଜୋତା ଅପେକ୍ଷା ପାଦ ଅଧିକ ମୂଲ୍ୟବାନ । ରମଣୀଚର୍ଚ୍ଚା ତାଙ୍କର କୌତୂହଳ, ଆନନ୍ଦ ଓ ମନୋରଞ୍ଜନର ମୁଖ୍ୟ ବିଷୟ । କୁମାରମାନଙ୍କର ରସିକତା ଖୁବ୍ ଧୀରେ ଧୀରେ ଶୁଷ୍କ ହୁଏ, ସେମାନଙ୍କ ଅତୃପ୍ତ ଲାଳସା ପ୍ରାୟତଃ ରସିକତାରୂପେ ପ୍ରକାଶ ପାଏ ।

 

ଅମର ଗଜନବୀଙ୍କୁ ପଚାରିଲା–ଆପଣ ବିବାହ ନ କରିବାର କାରଣ କ’ଣ ? ମୋର ଜଣେ ବନ୍ଧୁ ପ୍ରଫେସର୍ ଡା. ଶାନ୍ତିକୁମାର । ସେ ମଧ୍ୟ ବିବାହ କରୁ ନାହାନ୍ତି । ଆପଣମାନେ ନାରୀମାନଙ୍କୁ ଡରୁଥିବେ ।

 

ଗଜନବୀ କିଛି ସ୍ମରଣ କରି କହିଲେ–ଶାନ୍ତିକୁମାର ! ସେହି ଶାନ୍ତିକୁମାର ତ ଖୁବ୍ ସୁନ୍ଦର ଗୋରା ତକତକ ଡଉଲ–ଡାଉଲ ଲୋକଟି ? ଆରେ ଭାଇ, ସେ ତ ମୋ ସଙ୍ଗେ ପଢ଼ୁଥିଲା । ଆମେ ଦୁହେଁ ଅକ୍‌ସ୍‌ଫୋର୍ଡ଼ରେ ଥିଲୁ । ମୁଁ ଲିଟରେଚର୍ ନେଇଥିଲି, ତା’ର ଥିଲା ପଲିଟିକାଲ୍ ଫିଲସଫି । ମୁଁ ତାକୁ ଖୁବ୍ ଅପଦସ୍ଥ କରେ । ୟୁନିଭର୍‍ସିଟିରେ ଅଛି ତେବେ ? ପ୍ରାୟ ତା’ କଥା ମନେପଡ଼େ ।

 

ସଲୀମ୍ ତାଙ୍କର ଇସ୍ତଫା, ଟ୍ରଷ୍ଟ୍, ଓ ନଗର–ସେବା ବିଷୟକ ଚର୍ଚ୍ଚା କଲା ।

 

କୌଣସି ରହସ୍ୟ ଭେଦ କଲା ପରି ମି. ଗଜନବୀ ମୁଣ୍ଡ ହଲାଇଲେ–ଏ କଥା, କହୁନାହାନ୍ତି ତେବେ, ଆପଣମାନେ ତା’ରି ଚେଲା । ଆମ ଭିତରେ ବିବାହ ସମସ୍ୟା ଉପରେ ପ୍ରାୟ ଯୁକ୍ତିତର୍କ ହୁଏ । ମୋତେ ତ ଡାକ୍ତରମାନେ ମନାକରି ଦେଇଥିଲେ, କାରଣ ସେତେବେଳେ ମୋଠାରେ ଟି.ବି.ର କେତେକ ଲକ୍ଷଣ ଦେଖିବାକୁ ମିଳିଥିଲା । ଯୁବତୀ ସ୍ତ୍ରୀକୁ ବିଧବା କରି ଚାଲିଯିବା କଥା ଭାବିଲେ ମୋର ଆତ୍ମା କମ୍ପିଉଠେ । ସେହି ସମୟରୁ ମୁଁ ଖଣ୍ଡାଧାରରେ ଚାଲୁଛି । ଶାନ୍ତିକୁମାରର ଦେଶ ସେବା, ଆହୁରି କେତେକଅଣ ଝୁଙ୍କ ଥିଲା; କିନ୍ତୁ ଆଶ୍ଚର୍ଯ୍ୟର ବିଷୟ, ସେ ଝୁଙ୍କ ଏବେ ସୁଦ୍ଧା ତା’ର ଗଳା ଛାଡ଼ି ନାହିଁ । ମୁଁ ଭାବୁଛି ଆଉ ତା’ର ସାହସ ହେଉ ନାହିଁ । ମୋର ସମବୟସ୍କ ତ । ଆଚ୍ଛା, ତା’ ଠିକଣାଟା ଟିକେ ମୋତେ ଦେବ ତ । ମୁଁ ତାକୁ ଏଠାକୁ ଆସିବାପାଇଁ ନିମନ୍ତ୍ରଣ କରିବି ।

 

ସଲୀମ୍ ମୁଣ୍ଡ ହଲାଇଲା–ତାଙ୍କୁ ସମୟ କାହିଁ ? ମୁଁ ଡାକିଥିଲି ଯେ । ଆସିଲେ ନାହିଁ ।

 

ଗଜନବୀ ହସିଲେ–ତୁମେ ଡାକିଥିବ ବ୍ୟକ୍ତିଗତ ଭାବରେ । କୌଣସି ଇନ୍‍ଷ୍ଟିଟ୍ୟୁସନ୍ ତରଫରୁ ଡାକ ଆଉ କିଛି ଚାନ୍ଦା ଯୋଗାଡ଼ କରିଦେବ ବୋଲି କଥା ଦିଅ । ଦେଖିବ, ହାତ–ଗୋଡ଼ ଚାରିଟାଯାକ ଲଗାଇ ଧାଇଁ ଆସୁଛନ୍ତି କି ନାଇଁ ! ଏ ଦେଶ ସେବକମାନଙ୍କର ଜୀବନଟା ଚାନ୍ଦା, ଧର୍ମବି ଚାନ୍ଦା, ଆଉ ଈଶ୍ଵରବି ବୋଧହୁଏ ସେହି ଚାନ୍ଦା ! ସେ ଯେ ହେଉ ନା କାହିଁକି ଚାନ୍ଦା ଲାଗି ବ୍ୟସ୍ତ ଥିବ । ମୁଁ ଅନେକ ବାର ଏହିପରି ଲୋକମାନଙ୍କୁ ହଇରାଣ କରିଛି । ସେତିକିବେଳେ ସେମାନଙ୍କ ଚେହେରା ଦେଖିବା କଥା–ଗାଳି ଦେବେ, ନାନା ଯୁକ୍ତିତର୍କ କରିବେ, ଜିଭଦ୍ଵାରା ତୋପର ଗୋଳା ବୃଷ୍ଟି କରିବେ । ଏଣେ ଆପଣ ସେମାନଙ୍କ ଉତ୍ତେଜନା ଦେଖି ଆମୋଦ ପାଉଥିବେ । ମୁଁ ତ ଥରେ ଜଣେ ଲିଡ଼ର୍ ସାହେବଙ୍କୁ ପାଗଳଖାନାରେ ଭର୍ତ୍ତିକରି ଦେଇଥିଲି । କହିଲେ କ’ଣ ନା–ମୁଁ ନିଜକୁ ଜାତିର ସେବକ ତଥା ଲିଡ଼ର୍ ମନେକରେ ।

 

ସକାଳେ ମି. ଗଜନବୀ ଅମରକୁ ନିଜ ମୋଟର ଗାଡ଼ିରେ ଗ୍ରାମରେ ପହଞ୍ଚାଇ ଦେଲେ । ଅମରର ଗର୍ବ ଓ ଆନନ୍ଦର ସୀମା ନଥାଏ । ଅଫିସରଙ୍କ ସଙ୍ଗ କିଞ୍ଚିତ୍ ଅଫିସରୀ ଆଡ଼ମ୍ବର ସୃଷ୍ଟି କରି ଦେଇଥାଏ । ସେ ଲୋକମାନଙ୍କୁ ଶୁଣାଇଲା–ତୁମମାନଙ୍କ ଅବସ୍ଥା ଦେଖିବାପାଇଁ ପରଗନାର ହାକିମ ଆସୁଛନ୍ତି । ଖବରଦାର, କେହି ତାଙ୍କ ଆଗରେ ମିଛ କଥା ଗପିଯିବ ନାହିଁ । ଯାହା ଯାହା ସେ ପଚାରିବେ, ସବୁର ଠିକ୍ ଠିକ୍ ଉତ୍ତର ଦେବ । ନିଜ ଅବସ୍ଥା ଲୁଚାଇବ ନାହିଁକି ବଢ଼ାଚଢ଼ା କରି କହିବ ନାହିଁ । ଠିକ୍ ଭାବରେ ଇନ୍‌କ୍ଵାରୀଟା ହେବା ଉଚିତ । ମି. ସଲୀମ୍ ଖୁବ୍ ଭଦ୍ରଲୋକ, ଗରିବଙ୍କ ମା’–ବାପ । ଇନ୍‌କ୍ଵାରୀରେ ଅବଶ୍ୟ ସମୟ ଅଧିକ ଲାଗିବ । ସରକାରୀ ବ୍ୟବସ୍ଥାରେ ତ ସେମିତି ଡେରି ହୁଏ । ଏଡ଼େ ବଡ଼ ଇଲାକା, ବୁଲିବାକୁ ମାସ ମାସ ଲାଗିଯିବ । ଏହା ଭିତରେ ତୁମେସବୁ ଖରିଫ୍ ଫସଲପାଇଁ କାମ ଆରମ୍ଭ କରିଦିଅ । ଅଧାଖଜଣା ଛାଡ଼ର ଦାୟିତ୍ୱ ମୁଁ ନେଉଛି-। ଧୈର୍ଯ୍ୟର ଫଳ ମଧୁର ହୁଏ, “ବୁଝିବିଚାର କାର୍ଯ୍ୟ କଲେ, ପ୍ରମାଦ ନ ପଡ଼ଇ ଭଲେ ।” ଏତକ ଜାଣି ରଖିଥାଅ-

 

ସ୍ଵାମୀ ଆତ୍ମାନନ୍ଦଙ୍କର ମଧ୍ୟ ଏବେ ବିଶ୍ୱାସ ହେଲାଣି । ସେ ଦେଖିଲେ ଅମର ଏକାକୀ ସବୁଯାକ ସୁନାମ ମାରି ନେଉଛି, ତାଙ୍କ ଭାଗରେ ଦୁର୍ନାମ ଛଡ଼ା ଆଉ କିଛି ପଡ଼ୁନାହିଁ । ସୁତରାଂ ସେ ଗତି–ପରିବର୍ତ୍ତନ କରିଛନ୍ତି । ଗୋଟିଏ ସଭାରେ ଦୁହେଁ ଗୋଟିଏ ମଞ୍ଚରୁ କହିଲେ । ସ୍ଵାମୀଜୀ ଟିକିଏ ନଇଁପଡ଼ିଲେ, ଅମର ଟିକିଏ ହାତ ବଢ଼ାଇଦେଲା । ତା’ପରେ ଉଭୟଙ୍କ ମଧ୍ୟରେ ସହଯୋଗ ଆସିଗଲା ।

 

ଏଣେ ଆଷାଢ଼ ମାସର ବର୍ଷା ଆରମ୍ଭ ହୋଇଯାଇଛି । ତେଣେ ସଲୀମ୍ ଇନ୍‌କ୍ଵାରୀ କରିବାକୁ ଆସି ପହଞ୍ଚିଛି । ଦୁଇ–ଚାରିଟି ଗ୍ରାମରେ ପ୍ରଜାମାନଙ୍କଠାରୁ ବିବରଣୀ ନେଇଛି ମଧ୍ୟ । କିନ୍ତୁ ଗୋଟିଏ ସପ୍ତାହରେ ଅସ୍ଥିର ହୋଇ ଉଠିଲାଣି । ପାହାଡ଼ିଆ ଡାକବଙ୍ଗଳାରେ ଭୂତ ପରି ଏକାକୀ ରହିବା ତା’ ପକ୍ଷରେ କଠିନ ତପସ୍ୟା ପରି । ଦିନେ ଅସୁସ୍ଥତାର ବାହାନା କରି ପଳାଇଗଲା ଓ ମାସକ ପର୍ଯ୍ୟନ୍ତ ଟାଳ–ମଟାଳ କଲା । ଶେଷରେ ଉପରୁ ଚାପ ପଡ଼ିବାରୁ, ଗଜନବୀ କଡ଼ା ତାକିଦ୍ କରିବାରୁ ପୁଣି ଆସିଲା । ବର୍ତ୍ତମାନ ଶ୍ରାବଣର ଝଡ଼ି ଲାଗିଯାଇଛି, ନଈ–ନାଳ ପୂରି ଉଠିଛି, ଆଉ ଶୀତ ମଧ୍ୟ ଟିକିଏ ବଢ଼ିଯାଇଛି । ପାହାଡ଼ ମୁଣ୍ଡିଆମାନ ସବୁଜ ହୋଇଯାଇଛି, ମୟୂରମାନେ କେକା ଶବ୍ଦ କରୁଛନ୍ତି । ଏହି ପ୍ରାକୃତିକ ଶୋଭରାଶି ପଲ୍ଲୀଭୂମିକୁ ସୁନ୍ଦରତର କରି ଦେଇଛି ।

 

କେତେ ଦିନ ପରେ ଆଜି ମେଘ ଖୋଲିଯାଇଛି । ସରକାରୀ ଫୈସଲା ଆସିବା ପର୍ଯ୍ୟନ୍ତ ଟଙ୍କାରେ ଚାରିଅଣା ଛାଡ଼ ବୋଲି ମହନ୍ତ ମହାରାଜ ଘୋଷଣା କରିଦେଇଛନ୍ତି ଏବଂ କର୍ମଚାରୀମାନେ ବାକି ଖଜଣା ଅସୁଲପାଇଁ ପୁଣି ଚେଷ୍ଟା କରୁଛନ୍ତି । କେତେକ ରଇତଙ୍କ ଉପରେବି ଜୁଲମ କଲେଣି ମଧ୍ୟ । ଏହି ନୂତନ ସମସ୍ୟା ଉପରେ ବିଚାର ଆଲୋଚନା କରିବାପାଇଁ ଆଜି ଗଙ୍ଗା–କୂଳରେ ଏକ ବିରାଟ ସଭା ହେଉଛି । ଭୋଳା ପଧାନକୁ ସଭାପତି କରାଯାଇଛି ଓ ସ୍ଵାମୀ ଆତ୍ମାନନ୍ଦଙ୍କ ଭାଷଣ ଚାଲିଛି–“ଭଦ୍ରଗଣ ! ତୁମମାନଙ୍କ ମଧ୍ୟରେ ଖୁବ୍ କମ୍ ଲୋକ ଅଛନ୍ତି, ଯେଉଁମାନେ କି ଅଧା ଖଜଣା ନ ଦେଇଥିବେ । ଏପର୍ଯ୍ୟନ୍ତ ଅଧାକର ଚିନ୍ତା ଥିଲା । ବର୍ତ୍ତମାନ କେବଳ ଅଧାର ଅଧା ବିଷୟରେ ଚିନ୍ତା । ତୁମେମାନେ ଖୁସିରେ ଆଉ ଦୁଇଅଣା ହିସାବରେ ଦେଇ ଦିଅ । ସରକାର ମହନ୍ତଜୀଙ୍କ ମାଲଗୁଜାରିରୁ କିଛି ନା କିଛି ଛାଡ଼ ଅବଶ୍ୟ କରିବେ । ବର୍ତ୍ତମାନ ଛ’–ଅଣା ଛାଡ଼ ଉପରେ ସନ୍ତୁଷ୍ଟ ରହିବା ଉଚିତ । ଆସନ୍ତା ଫସଲରେ ଯଦି ଏହି ଭାଉ ରହେ, ତେବେ ଆମର ଆଶା, ଆଠଅଣା ଛାଡ଼ ମିଳିଯିବ । ଏହାହିଁ ମୋର ପ୍ରସ୍ତାବ । ଆପଣମାନେ ଏହା ଉପରେ ବିଚାର କରନ୍ତୁ । ମୋର ସାଥୀ ଅମରକାନ୍ତଙ୍କର ମଧ୍ୟ ଏହି ମତ । ଯଦି ଆପଣମାନେ ଅନ୍ୟ କୌଣସି ପ୍ରସ୍ତାବ ଦେବାକୁ ଚାହାନ୍ତି, ତେବେ ଆମେ ତା’ ଉପରେ ବିଚାର କରିବାକୁ ପ୍ରସ୍ତୁତ ।”

 

ଏହି ସମୟରେ ପୋଷ୍ଟ୍‍ମ୍ୟାନ୍ ଆସି ଅମରକାନ୍ତ ହାତକୁ ଖଣ୍ଡିଏ ଲଫାଫା ବଢ଼ାଇ ଦେଲା । ଠିକଣା ଲେଖା କହିଦେଲା ଯେ ଏହା ନୟନାର ପତ୍ର । ପଢ଼ୁପଢ଼ୁ ତାକୁ ଯେପରି ନିଶା ଧରି ପକାଇଲା । ମୁଖମଣ୍ଡଳରେ ଗୋଟାଏ ତେଜ ଭରିଉଠିଲା, ଯେପରିକି ଅଗ୍ନିରେ ଆହୁତି ପଡ଼ିଯାଇଛି । ଗର୍ବିତ ଚାହାଣିରେ ଏଣିକି ତେଣିକି ଚାହିଁଲା । ମନର ଭାବ ଯେପରି କୁଦାମାରି ଉଠୁଛି । ଚିଠିରେ ସୁଖଦାର ଗିରଫ୍‍ତାରୀ ଓଁ ଜେଲଯାତ୍ରାର ବୃତ୍ତାନ୍ତ । ଆହା, ସେ ଜେଲ୍ ଗଲା ଆଉ ମୁଁ ଏଠି ପଡ଼ିରହିଛି ! ମୋର ବାହାରେ ରହିବାର କି ଅଧିକାର ଅଛି ? ସେହି କୋମଳାଙ୍ଗୀ, ଯେ କି କଠୋର ଦୃଷ୍ଟି ସହିପାରେ ନାହିଁ, ଯାହାକୁ ରେଶମୀ ବସ୍ତ୍ର ପିନ୍ଧିବାକୁ କଷ୍ଟ ହୁଏ, ମଖମଲୀ ଗଦି ଯାହା ବେକକୁ କାଟେ, ସେ ଆଜି ଜେଇ–ଯାତନା ଭୋଗୁଛି ? ସେ ଆଦର୍ଶ ନାରୀ, ସେ ଦେଶର ମାନଉଦ୍ଧାରିଣୀ, ସେହି କୁଳ–ଲକ୍ଷ୍ମୀ ଆଜି ଜେଲରେ । ଅମରର ହୃଦୟର ସମୁଦାୟ ରକ୍ତ ସୁଖଦାର ପାଦରେ ପଡ଼ି ବହିଯିବା ପାଇଁ ଚପଳ ହୋଇ ଉଠିଲା । ସୁଖଦା ! ସୁଖଦା ! ଚତୁର୍ଦ୍ଦିଗରେ କେବଳ ତା’ର ମୂର୍ତ୍ତି ଦିଶୁଛି । ସନ୍ଧ୍ୟାର ରକ୍ତିମା–ରଞ୍ଜିତ ଲହରୀମାଳା ଉପରେ ବସି କିଏ ଚାଲିଯାଉଛି ? ସୁଖଦା ! ସମ୍ମୁଖସ୍ଥ ଶ୍ୟାମ ଶୈଳମାଳାରେ ଗୋଧୂଳିର ହାର ପିନ୍ଧି କିଏ ଠିଆ ହୋଇଛି ? ସୁଖଦା ! ଅମର ବିକ୍ଷିପ୍ତ ପରି କେତେପାଦ ଧାଇଁଗଲା, ସତେକି ତା’ର ପଦରଜ ମସ୍ତକରେ ଧାରଣ କରିବାକୁ ଚାହେଁ ।

 

ସଭାରେ କିଏ କ’ଣ କହିଲା, ସେ ଜାଣିପାରି ନାହିଁ । ସେ ନିଜେ କ’ଣ କହିଲା, ତାହା ମଧ୍ୟ ସେ ଜାଣେ ନାହିଁ । ଲୋକେ ନିଜ ନିଜ ଗ୍ରାମକୁ ଫେରିଲାବେଳକୁ ଚନ୍ଦ୍ରକିରଣ ଅଜାଡ଼ି ହୋଇପଡ଼ିଛି । ଅମରକାନ୍ତର ଅନ୍ତର କୃତଜ୍ଞତାରେ ପରିପୂର୍ଣ୍ଣ । କାହାରି ଶୁଭେଚ୍ଛାର ଛାୟା ତା’ ଉପରେ ଜ୍ୟୋତ୍ସ୍ନା ପରି ପଡ଼ିଥିବା ସେ ଅନୁଭବ କରୁଛି । ତାକୁ ବୋଧ ହେଉଛି, ତା’ ଜୀବନରେ କୌଣସି ନୀତି ଅଛି, ଆଦର୍ଶ ଅଛି, କୌଣସି ସତ୍ୟ ଅଛି ଏବଂ ତାହା ପଦେପଦେ ତାକୁ ଉଦ୍ଧାର କରୁଛି, ରକ୍ଷା କରୁଛି । ଏକ ମହତୀ ଇଚ୍ଛା, ମହତୀ ଚେତନାର ସଂସର୍ଗ ଆଜି ପ୍ରଥମ କରି ସେ ଅନୁଭବ କରୁଛି ।

 

ସହସା ମୁନ୍ନୀ ଡାକିଦେଲା–ବାବୁ ! ଆଜି ତ ତୁମେ ନିଆଁ ଜଳାଇ ଦେଲ !

 

ଅମର ଚମକି ଉଠି କହିଲା–ମୁଁ !

 

ସେତେବେଳେ ନିଜ ଭାଷଣର ପ୍ରତ୍ୟେକ ଶବ୍ଦ ତା’ର ମନେ ପଡ଼ିଗଲା । ସେ ମୁନ୍ନୀର ହାତ ଧରିପକାଇ କହିଲା–ହଁ ମୁନ୍ନୀ ! ମୁଁ ଯାହା ଯାହା କହିଲି, ଏଣିକି ଆମକୁ ସେହିପରି କରିବାକୁ ପଡ଼ିବ । ଆମେ ଖଜଣା ଦେବା ବନ୍ଦ ନ କରିବା ପର୍ଯ୍ୟନ୍ତ ସରକାର ଏହିପରି ହେଳା କରୁଥିବ ।

 

ମୁନ୍ନୀ ଶଙ୍କିତା ହୋଇ କହିଲା–ନିଆଁକୁ ଡେଇଁବାକୁ ଯାଉଛ, ଆଉ କ’ଣ !

 

ଅମର ଅଟ୍ଟହାସ କରି କହିଲା–ନିଆଁକୁ ଡେଇଁଲେ ସିନା ସ୍ଵର୍ଗଲାଭ ହେବ, ଅନ୍ୟ ଉପାୟ ନାହିଁ ।

 

ମୁନ୍ନୀ ଚକିତା ହୋଇ ତା’ ମୁହଁକୁ ଚାହିଁରହିଲା । ଏ କଥା କହିବାରେ ଏପରି ହସିବାର ପ୍ରୟୋଜନ କ’ଣ, ସେ ବୁଝିପାରିଲା ନାହିଁ ।

 

–୪୨–

 

ସଲୀମ୍ ପ୍ରାୟ ସାତ–ଆଠ ମାଇଲ ଦୂରରେ ଡାକବଙ୍ଗଳାରେ ରହିଛି । ସେଦିନ ରାତିରେ ଇଲାକାର ଥାନା–ବାବୁ ସଭାର ଖବର ଦେଲେ ଓ ଅମରକାନ୍ତଙ୍କ ଭାଷଣ ମଧ୍ୟ ଶୁଣାଇଲେ । ଏହି ସଭାମାନଙ୍କ ବିଷୟ ରିପୋର୍ଟ କରିବାପାଇଁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ।

 

ସଲୀମ୍‌କୁ ବଡ଼ ଆଶ୍ଚର୍ଯ୍ୟ ଲାଗୁଛି । ଏଇ ତ ଦିନକ ପୂର୍ବରୁ ଅମର ତାକୁ ସାକ୍ଷାତ କରିଥିଲେ । ସେ ଅବଶ୍ୟ ମହନ୍ତଙ୍କର ଏହି ନୂଆ ବ୍ୟବସ୍ଥାର ବିରୋଧ କରୁଥିଲା; ମାତ୍ର ସେ ବିରୋଧରେ କେବଳ ଖେଦ ଥିଲା, କ୍ରୋଧର ନାମଲେଶ ତ ନଥିଲା । ଆଜି ହଠାତ୍ ଏ ପରିବର୍ତ୍ତନ କାହିଁକି ?

 

ସେ ଥାନା ଅଫିସରଙ୍କୁ ପଚାରିଲା–ମହନ୍ତଙ୍କ ତରଫରୁ ସେପରି କୌଣସି ଅତ୍ୟାଚାର ହୋଇ ନାହିଁ ତ ?

 

ଥାନା–ବାବୁ ଏ ଆଶଙ୍କାକୁ ନିର୍ମୂଳ କରିବାକୁ ତତ୍ପର ହେଲାପରି କହିଲେ–ବିଲ୍‍କୁଲ୍ ନୁହେଁ ହଜୁର ! ସେ ତ କଡ଼ା ତାକିଦ୍ କରି ଦେଇଛନ୍ତି କି ଆସାମୀଙ୍କ ଉପରେ କୌଣସି ପ୍ରକାର ଜୁଲମ ନହୁଏ ଯେପରି । ବିଚାରା ତ ନିଜ ତରଫରୁ ଚାରିଅଣା ହିସାବରେ ଛାଡ଼ ଦେଇ ଦେଇଛନ୍ତି । ଗାଳି–ଗୁଲଜ ତ ମାମୁଲି କଥା ।

 

“ସଭା ଉପରେ ବକ୍ତୃତାର କିପରି ପ୍ରଭାବ ପଡ଼ିଲା ?”

 

“ଏୟା ବୁଝନ୍ତୁ ହଜୁର ! ଯେମିତିକି କୁଟାରେ ନିଆଁ ଲାଗେ । ମହନ୍ତଜୀଙ୍କ ଇଲାକାରେ ଖଜଣା–ଅସୁଲ ବଡ଼ ମୁସ୍କିଲ୍‍ରେ ହେବ ।”

 

ସଲୀମ୍ ଆକାଶକୁ ଚାହିଁ କହିଲା–ଆପଣ ମୋ ସହିତ ବର୍ତ୍ତମାନ ସଦରକୁ ଯିବାକୁ ପ୍ରସ୍ତୁତ ?

 

ଥାନା–ବାବୁଙ୍କର ଆପତ୍ତି ବା କ’ଣ ? ସଲୀମ୍‍ର ହଠାତ୍ ଇଚ୍ଛା ହେଲା, ଥରେ ଅମର ସହ ସାକ୍ଷାତ କରିବ; କିନ୍ତୁ ପୁଣି ଭାବିଲା–ଅମର ଯଦି ମୋ ଯୁକ୍ତିକୁ ମାନିବା ଲୋକ ହୋଇଥାନ୍ତା, ତେବେ ଏ ନିଆଁ ଜଳାଇଥାନ୍ତା କାହିଁକି ?

 

ସହସା ଥାନା–ବାବୁ ପଚାରିଲେ–ହଜୁରଙ୍କର ତ ତାଙ୍କ ସଙ୍ଗେ ଜଣାଶୁଣା ଅଛି ?

 

ସଲୀମ୍ ଚିଡ଼ିଉଠି କହିଲା–ଏ କଥା କିଏ କହିଲା, ଆପଣଙ୍କୁ ? ମୋର ଶହ ଶହ ଲୋକ ସଙ୍ଗେ ଜଣାଶୁଣା ଅଛି, ସେଇଠୁ ? ମୋ ପୁଅ ଯଦି ଆଇନ ବିରୁଦ୍ଧରେ ଯାଏଁ, ତେବେ ତାକୁ ଶାସନ କରିବାକୁ ପଡ଼ିବ ।

 

ଥାନା–ବାବୁ ଟେକାଟେକି କଲେ–ମୁଁ ତା’ କହୁ ନାହିଁ; ହଜୁର ! ମୁଁ କହିଲି, ହଜୁରଙ୍କ ସଙ୍ଗେ ଜଣାଶୁଣା ଥାଇ ସୁଦ୍ଧା ହଜୁରଙ୍କୁ ବଦନାମ କରିବାକୁ ପଛେଇଲେ ନାହିଁ !

 

ସଲୀମ୍ କୌଣସି ଉତ୍ତର ଦେଲା ନାହିଁ; କିନ୍ତୁ ଏହା ଥିଲା ସେ ବିଷୟର ଏକ ନୂତନ ଦିଗ–ତା’ ଇଲାକାରେ ଏପରି ତୋଫାନ ଉଠାଇବା ଅମରର ଉଚିତ ନଥିଲା । ୟା ଫଳରେ ଅଫିସର ମହଲ ଭାବିବେ ଏ ନୂଆ ଲୋକ, ନିଜ ଇଲାକା ଉପରେ ୟାର ପ୍ରଭାବ ନାହିଁ । ମେଘ ପୁଣି ଘୋଟି ଆସୁଛି । ରାସ୍ତା ମଧ୍ୟ ଖରପ, ନଦୀ ପାରି, ତା’ ଉପରେ ଅନ୍ଧାର ରାତି; ତଥାପି ଗଜନବୀଙ୍କ ସହ ସାକ୍ଷାତକାର ତା’ର ଏକାନ୍ତ ଆବଶ୍ୟକ । କୌଣସି ଅନୁଭବୀ ଅଫିସର ଏପରି ଉଦ୍‌ବିଗ୍ନ ହୋଇ ନଥାନ୍ତେ; କିନ୍ତୁ ସଲୀମ୍ ହେଲା ନୂଆ ଲୋକ ।

 

ଦୁଇଜଣଯାକ ରାତିସାରା ହଇରାଣ ହୋଇ ସକାଳେ ସଦରରେ ପହଞ୍ଚିଲେ । ମିଆଁ ସଲୀମ୍ ଏତେ ଦିନେ ‘ଡାଲି–ଚାଉଳର ଭାଉ’ ବୁଝିଲେ । ସେ ଅନୁଭବ କଲା ସେ ସେଠି କେବଳ ହାକିମି ନୁହେଁ, ଦୁଃଖ–ବିପଦ ମଧ୍ୟ ଅଛି । ବର୍ଷା ଅସରା ମାଡ଼ି ଆସିବାବେଳେ କିମ୍ବା ସାମନାରେ ଗୋଟାଏ ନାଳ ଦେଖିଲେ ସେ ମନେମନେ ସଂକଳ୍ପ କରୁଥାଏ ଇସ୍ତଫା ଦେଇ ଦେବାକୁ–ଏଇଟା ଗୋଟାଏ ପଦ (ପୋଷ୍ଟ୍) ନା ବିପଦ ! କେଡ଼େ ମଜାରେ ଦିନ କଟୁଥିଲା, ଏଠି ଆସି ମଣିଷ କପାଖାଇରେ ପଶିଲା ! ଧିକ ଏ ପଦକୁ । ମୋର ଗାଡ଼ିଟା କେତେବେଳେ କେଉଁ ଗାଡ଼ରେ ପଡ଼ିଯାଏ ତ ହାତଗୋଡ଼ର ପତ୍ତାବି ମିଳିବ ନାହିଁ । ନୂଆ ଗାଡ଼ିଟା ଚୂରମାର ହୋଇଯିବ ।

 

ବାଙ୍ଗ୍‍ଲୋରେ ପହଞ୍ଚି ସେ ପୋଷାକ ବଦଳାଇ, ଜଳଖିଆ କଲା । ଆଠଟାବେଳକୁ ଗଜନବୀଙ୍କ ପାଖରେ ପହଞ୍ଚିଲା । ଥାନା–ବାବୁ ପୋଲିସ୍ ଅଫିସ୍‍ରେ ଥିଲେ, ସଙ୍ଗେ ସଙ୍ଗେ ସେ ମଧ୍ୟ ହାଜର ହୋଇଗଲେ ।

 

ମି. ଗଜନବୀ ସମସ୍ତ ବୃତ୍ତାନ୍ତ ଶୁଣି କହିଲେ–ଅମରକାନ୍ତ ପାଗଳ ହୋଇଯାଇ ନାହିଁ ତ-? କଥାବାର୍ତ୍ତାରୁ ତ ବେଶ୍ ଭଦ୍ରଲୋକ ପରି ଜଣାପଡ଼ୁଥିଲା । ତେବେ ଲିଡ଼ର୍‌ଶିପ୍‍ବି ଗୋଟାଏ ନିଶା ତ ! ବିଚରା ନାମ କମାନ୍ତା କିପରି ? ମହାଶୟ ବୋଧହୁଏ ଭାବିନେଲେ ଯେ ଏମାନେ ତ ଦୋସ୍ତ ବନିଗଲେ, ଆଉ ପରୁଆ କ’ଣ ? “ପୋଲିସ୍–ଘଇତା କର, କାହାକୁ କାହିଁକି ଡର,” ନା କ’ଣ-? ଅନ୍ୟ ଜିଲାମାନଙ୍କରେ ମଧ୍ୟ ଏହିପରି ବିକ୍ଷୋଭ ହେଉଛି ତ । ସମ୍ଭବ ତେଣୁ ନିର୍ଦ୍ଦେଶ ଆସିଛି-। ଏମାନେ ଭବିଷ୍ୟତ୍ ଚିନ୍ତା କରୁଛନ୍ତି । ବାସ୍ତବିକ ରୟତମାନଙ୍କର ଅବସ୍ଥା, ବଡ଼ ଶୋଚନୀୟ-। ସାଧାରଣତଃ ସେମାନେ ପେଟପୂରା ଖାଇବାକୁ ପାଆନ୍ତି ନାହିଁ । ଏବେ ତ ଜିନିଷ ଆହୁରି ଶସ୍ତା ହୋଇଗଲା; ପୂରା ଖଜଣା କ’ଣ ଅଧା ଦେବାବି ଅସମ୍ଭବ । କିନ୍ତୁ ଯାହା ହେଲେ ସୁଦ୍ଧା ସରକାରୀ ବ୍ୟବସ୍ଥା ହେବା ତ ଦରକାର । ସରକାରଠାରେ କିଛି ନା କିଛି ଭୟଭକ୍ତି ସୃଷ୍ଟି କରୁଥିବା କ୍ଷମତା ରହିବା ଆବଶ୍ୟକ; ନଚେତ୍ ତାକୁ ମାନିବ କିଏ ? କୃଷକମାନେ ଆଜି ଯଦି ଜାଣିଯାନ୍ତି ଯେ ଅଧା ଖଜଣା ଦେଇ ସେମାନେ ରକ୍ଷା ପାଇଯିବେ, ତେବେ କାଲି ସେମାନେ ବାରଅଣା ଛାଡ଼ପାଇଁ ଲଢ଼ିବେ, ପରଦିନ ପୂରା ଖଜଣା ଛାଡ଼ପାଇଁ ଅଡ଼ି ବସିବେ । ତେଣୁ ମୁଁ ଭାବୁଛି, ଆପଣ ଯାଇ ଲାଲା ଅମରକାନ୍ତକୁ ଆରେଷ୍ଟ୍ କରନ୍ତୁ । ଥରେ ଏବେ ଗୋଟିଏ ଗଣ୍ଡଗୋଳ ହେବ, ଯେତେଦୂର ବିଶ୍ଵାସ, ଦୁଇ ଚାରିଟା ଗ୍ରାମରେ ବିପ୍ଳବ ହେବ; କିନ୍ତୁ ପ୍ରକାଶ୍ୟ ବିଦ୍ରୋହକୁ ଆୟତ୍ତ କରିବା ତ ଏ ହାଉଆକୁ ଆୟତ୍ତ କରିବା ଭଲ କଷ୍ଟକର ନୁହେଁ । ପୂଜ ବଥର ମୁହଁ ପାଖକୁ ଆସିଗଲେ ତାକୁ ଚିରି ବାହାର କରାଯାଇପାରେ; କିନ୍ତୁ ସେହି ପୂଜ ଛାତି–ମୁଣ୍ଡକୁ ଚାଲିଗଲେ ପ୍ରାଣାନ୍ତକ ହୋଇଯିବ । ଆପଣ ସଙ୍ଗରେ ପୋଲିସ୍ ସୁପରିଣ୍ଟେଣ୍ଡେଣ୍ଟ୍‍ଙ୍କୁ ମଧ୍ୟ ନେଇଯା’ନ୍ତୁ । ୧୨୪ ଦଫାରେ ଅମରକୁ ଗିରଫ୍ କରନ୍ତୁ । ସେ ସ୍ଵାମୀକୁ ମଧ୍ୟ ଛାଡ଼ିବେ ନାହିଁ । ଦାରୋଗାବାବୁ ! ଆପଣ ଯାଇ ଆପଣଙ୍କ ସାହେବ ବାହାଦୁରଙ୍କୁ କହନ୍ତୁ, ପ୍ରସ୍ତୁତ ଥିବେ ।

 

ସଲୀମ୍ ବ୍ୟଥିତ କଣ୍ଠରେ କହିଲା–ଆସୁ ଆସୁ ଏପରି ଅଡ଼ୁଆରେ ପଡ଼ିବାକୁ ହେବ ବୋଲି ଜାଣିଥିଲେ, ଅନ୍ୟ କୌଣସି ଜିଲାକୁ ଯିବାପାଇଁ ଆଗରୁ ଚେଷ୍ଟା କରିଥାନ୍ତି । ବର୍ତ୍ତମାନ କ’ଣ ମୋର ବଦଳି ହୋଇପାରିବ ନାହିଁ ?

 

ଦାରୋଗା ପଚାରିଲେ–ହଜୁର କୌଣସି ଚିଠିପତ୍ର ଦେବେ ନାହିଁ ?

 

ଗଜନବୀ ବିରକ୍ତ ହେଲେ–ଚିଠି ଦରକାର ନାହିଁ । ତୁମେ କ’ଣ ଏତିକି କହିପାରିବ ନାହିଁ-?

 

ଦାରୋଗା ସଲାମ କରି ଚାଲିଯିବାରୁ ସଲୀମ୍ କହିଲା–ଆପଣ ତାକୁ ଭାରି ଜୋର୍ ଧମକ ଦେଲେ, ବିଚାରା ଘାବରେଇ ଗଲା । ଲୋକଟା ଭଲ ।

 

ଗଜନବୀ ହସି ହସି କହିଲେ–ହଁ–ହଁ, ଖୁବ୍ ଭଲଲୋକ । ବହୁତ ରସଦ୍ ପହଞ୍ଚାଉଥିବ; କିନ୍ତୁ ଲୋକଙ୍କଠାରୁ ତା’ର ଦଶଗୁଣ ଆଦାୟ କରେ । କୌଣସି ତଳିଆ କର୍ମଚାରୀ ଆବଶ୍ୟକତାଠାରୁ ଅଧିକ ସେବା କିମ୍ବା ଖୁସାମତ କଲେ । ମୁଁ ବୁଝେ, ସେ ଅତି ଧୂର୍ତ୍ତ । ଏ ବାବୁଙ୍କର ଯୋଗ୍ୟତା କ’ଣ ଜାଣନ୍ତି ? ୟାଙ୍କ ଥାନା ଇଲାକାରେ ବରାବର ଚୋରି ଡକାୟତି ଚାଲିଥାଏ, ଗୋଟାଏବି ଧରାପଡ଼େନା । ଇଏ ମିଛସାକ୍ଷୀବି ତିଆର କରିପାରେନା । ଖୁସାମତ ହେଲା ୟା’ର ଜୀବିକା । ସରକାର ଯଦି ପୋଲିସ୍–ବିଭାଗର ସଂସ୍କାର କରିପାରନ୍ତା, ତେବେ ସ୍ଵରାଜ୍ୟ ଦାବିକୁ ଆହୁରି ପଚାଶବର୍ଷ ଟାଳିଦେଇ ହୁଅନ୍ତା । କୌଣସି ଭଦ୍ରଲୋକ ପୋଲିସ୍ ସହିତ ସମ୍ପର୍କ ରଖିବାକୁ ଅନିଚ୍ଛୁକ । ଥାନାକୁ ସେମାନେ ବଦମାସମାନଙ୍କ ଆଡ଼୍‌ଡ଼ା ଭାବି ଘୃଣା କରନ୍ତି । ଏହି ବିଭାଗଟା ଏ ସରକାରର କଳଙ୍କ । ହଁ, ଆପଣ ଯଦି ବନ୍ଧୁଙ୍କୁ ଆରେଷ୍ଟ୍ କରିବା ଅଶିଷ୍ଟତା ମନେ କରୁଛନ୍ତି, ତେବେ ମୁଁ ଡି.ଏସ୍.ପି.ଙ୍କୁହିଁ ପଠାଇବି । ତାଙ୍କୁ ଆରେଷ୍ଟ୍ କରିବା ବର୍ତ୍ତମାନ ଆମର କର୍ତ୍ତବ୍ୟ ହୋଇପଡ଼ିଲାଣି-। ତାଙ୍କୁ ଅପମାନିତ କରିବା ଯଦି ଆପଣ ନ ଚାହାନ୍ତି, ତେବେ ଆପଣ ନିଜେ ଯା’ନ୍ତୁ-। ବନ୍ଧୁର କର୍ତ୍ତବ୍ୟ ପାଳନପାଇଁ ଯା’ନ୍ତୁ । ମୁଁ ବୁଝୁଛି, ଆପଣ ଦୁଃଖିତ । ମୋର ମଧ୍ୟ ଦୁଃଖ ହେଉଛି-। ସେହି ଅଳ୍ପ ସମୟର ସାକ୍ଷାତରେହିଁ ସେ ମୋର ହୃଦୟକୁ ପ୍ରଭାବିତ କରି ପକାଇଛନ୍ତି । ମୁଁ ତାଙ୍କର ସାଧୁ–ଉଦ୍ଦେଶ୍ୟକୁ ସମ୍ମାନ କରେ; କିନ୍ତୁ ସେ ଓ ଆମେ ଭିନ୍ନ ଭିନ୍ନ କ୍ୟାମ୍ପ୍‍ର ଲୋକ । ଆମେବି ସ୍ଵରାଜ୍ୟ ଚାହୁଁ; କିନ୍ତୁ ବିପ୍ଳବ ମାଧ୍ୟମରେ ନୁହେଁ; ତଥାପି ମୁଁ କେବେକେବେ ଭାବେ ଯେ ବିପ୍ଳବ ଛଡ଼ା ଆମର ଅନ୍ୟ ପନ୍ଥା ନାହିଁ । ଏତେ ବଡ଼ ସୈନ୍ୟବାହିନୀ ଖର୍ଚ୍ଚ ଅଧା କାଟି ଦିଆଯାଏ ତ କୃଷକମାନଙ୍କୁ ଅଧା ରାଜସ୍ୱ ଅନାୟାସରେ ଛାଡ଼ିଦିଆଯାଇ ପାରିବ । ସ୍ଵରାଜ୍ୟ ବିଷୟରେ ମୋର ଏତିକି ଆଶଙ୍କା ସେ ହୁଏତ ମୁସଲମାନଙ୍କ ଅବସ୍ଥା ଆହୁରି ଖରାପ ହୋଇଯିବ । ଭ୍ରମପୂର୍ଣ୍ଣ ଇତିହାସ ପଢ଼ି ଉଭୟ ସମ୍ପ୍ରଦାୟ ପରସ୍ପର ଶତ୍ରୁ ହୋଇଗଲେଣି । ପୁଣି ସୁବିଧା ପାଇଲେ ହିନ୍ଦୁମାନେ ଯେ ପୂର୍ବ ଶତ୍ରୁତାର ପ୍ରତିଶୋଧ ନ ନେବେ, ଏ ବିଶ୍ଵାସ କରି ହେଉ ନାହିଁ । କିନ୍ତୁ ଏ ବିଂଶ ଶତାବ୍ଦୀରେ ହିନ୍ଦୁ ପରି ଏକ ସଭ୍ୟ–ଶିକ୍ଷିତ ଜାତି ସାମ୍ପ୍ରଦାୟିକ ସଂକୀର୍ଣ୍ଣତାର ଆଶ୍ରୟ ନେଇ ନ ପାରେ, ଏତିକି ଭାବି ସନ୍ତୋଷ ମିଳେ । ଧାର୍ମିକ ସମ୍ପ୍ରଦାୟର ଉନ୍ନତିର ଯୁଗ ତ ସରିଯାଉଛି; ବରଂ ସରିଗଲାଣି କହିଲେ ଠିକ୍ ହେବ-। କେବଳ ଭାରତରେ ତା’ର ଅସ୍ତିତ୍ଵ କିୟତ୍ ପରିମାଣରେ ରହିଛି-। ଏଇଟା ତ ସମ୍ପତ୍ତିର ଯୁଗ-। ଏଣିକି ଦେଶରେ ଅମିର ଆଉ ଗରିବ, ପ୍ରାସାଦବାସୀ ଓ ଉପବାସୀ ନିଜ ନିଜର ସ୍ଵତନ୍ତ୍ର ସମ୍ପ୍ରଦାୟ ଗଢ଼ିବେ । ସେମାନଙ୍କ ମଧ୍ୟରେ ଆହୁରି ଅଧିକ ସଂକୀର୍ଣ୍ଣତା; ଅଧିକ ରକ୍ତପାତ ହେବ-। ଅବଶେଷରେ ଗୋଟିଏ ଦୁଇଟି ଶତାବ୍ଦୀ ପରେ ପୃଥିବୀରେ ଗୋଟିଏ ସାମ୍ରାଜ୍ୟ ଗଢ଼ିଉଠିବ-। ସମସ୍ତଙ୍କ ପାଇଁ ଗୋଟିଏ ଆଇନ, ଗୋଟିଏ ବ୍ୟବସ୍ଥା ଚାଲିବ । ଜାତିର ଦାସମାନେ ହେବେ ଜାତିର ଶାସକ । ସେତେବେଳେ ଧର୍ମ ବ୍ୟକ୍ତିଗତ ବିଷୟ ହୋଇଯିବ । କେହି ରାଜା ହେବ ନାହିଁ କି କେହି ପ୍ରଜା ହେବ ନାହିଁ ।

 

ଫୋନ୍‌ର ଘଣ୍ଟି ବାଜିଉଠିଲା, ଗଜନବୀ କାନରେ ରିସିଭର୍ ଲଗାଇଲେ–ମି. ସଲୀମ୍ କେତେବେଳେ ଯିବେ ?

 

“ଆପଣ କେତେବେଳେ ପ୍ରସ୍ତୁତ ହେଉଛନ୍ତି ?”

 

“ମୁଁ ପ୍ରସ୍ତୁତ ।”

 

“ତେବେ ଘଣ୍ଟାଏ ଭିତରେ ବାହାରି ଆସନ୍ତୁ ।”

 

ସଲୀମ୍ ଦୀର୍ଘନିଃଶ୍ଵାସ ପକାଇ କହିଲା–ତେବେ ମୋତେ ଯିବାକୁ ପଡ଼ୁଛି ?

 

“ନିଶ୍ଚୟ ! ମୁଁ ଆପଣଙ୍କର ତଥା ମୋର ବନ୍ଧୁକୁ ପୋଲିସ୍ ହାତରେ ଦେବାକୁ ଚାହେଁନା-।”

 

“କୌଣସି ବାହାନାରେ ଅମରକୁ ଏଠାକୁ ଡକାଇ ଆଣିଲେ ?”

 

“ସେ ବର୍ତ୍ତମାନ ଆସିବେ ନାହିଁ ।”

 

ସଲୀମ୍ ଭାବିଲା, ଯେତେବେଳେ କାଶୀ ସହରରେ ଏ ଖବର ପହଞ୍ଚିବ ଯେ ମୁଁ ଅମରକୁ ଆରେଷ୍ଟ୍ କରିଛି, ମୋ ଉପରେ କେତେ ଜୋତା ବୃଷ୍ଟି ହେବ ! ଶାନ୍ତିକୁମାର ତ କେଳେଇ ଖାଇଯିବେ । ଆଉ ସକୀନା ବୋଧହୁଏ ମୋ ମୁହଁ ଚାହିଁବାକୁ ଘୃଣା କରିବ । ଏହି କଥାଟି ଭାବି ସେ କମ୍ପିଉଠିଲା । ସୁନାର ଦା’ ଗିଳି ହେଉ ନଥାଏ କି ଓକାଳି ହେଉ ନଥାଏ ।

 

ସେ ଉଠି କହିଲା–ଆପଣ ଡି.ଏସ୍.ପି.ଙ୍କୁ ପଠାଇ ଦିଅନ୍ତୁ । ମୁଁ ନ ଯିବାକୁ ଚାହେଁ ।

 

ଗଜନବୀ ଗମ୍ଭୀର ହୋଇ କହିଲେ–ଆପଣ ଚାହାନ୍ତି ଯେ ସେଇଠୁ ତାଙ୍କୁ ହାତକଡ଼ି ପକାଇ, କମରରେ ରସି ବାନ୍ଧି ଚାରି ଜଣ କନେଷ୍ଟବଳଙ୍କଦ୍ଵାରା ଧରି ଅଣାଯିବ ଏବଂ ଆଣିବାବେଳେ ଜନତାକୁ ଘଉଡ଼ାଇବା ପାଇଁ ପୋଲିସ୍ ଗୁଳି ଚଳାଇବ ?

 

ସଲୀମ୍ ଅଧୀର ହୋଇ କହିଲା–କ’ଣ ଡି.ଏସ୍.ପି.ଙ୍କୁ ଏପରି କଠୋରତାକୁ ବାରଣ କରି ହେବ ନାହିଁ ?

 

“ଅମରକାନ୍ତ ଆପଣଙ୍କର ବନ୍ଧୁ, ଡି.ଏସ୍.ପି.ଙ୍କ ବନ୍ଧୁ ନୁହନ୍ତି ତ ।”

 

“ତେବେ ଆପଣ ଡି.ଏସ୍.ପି.ଙ୍କୁ ମୋ ସଙ୍ଗେ ନ ପଠାନ୍ତୁ ।”

 

“ଆପଣ ଅମରକୁ ଏଠିକି ଆଣିପାରିବେ ?”

 

“ପ୍ରତାରଣା କରିବାକୁ ପଡ଼ିବ ।”

 

“ଠିକ୍ ଅଛି, ଆପଣ ଯା’ନ୍ତୁ । ମୁଁ ଡି.ଏସ୍.ପି.ଙ୍କୁ ମନା କରି ଦେଉଛି ।”

 

“ମୁଁ ସେଠାରେ କିଛିହେଲେ କହିବି ନାହିଁ ।”

 

“ତା’ ଆପଣ କରିପାରନ୍ତି ।”

 

ସଲୀମ୍ ନିଜ ବସାକୁ ଫେରିଲା । ମନରେ ଏତେ ଦୁଃଖ ଯେ, ସତେଅବା ତା’ର କେଉଁ ଆତ୍ମୀୟ ମରିଯାଇଛି । ପହଞ୍ଚିବାକ୍ଷଣି ସେ ସକୀନା, ଶାନ୍ତିକୁମାର, ଲାଲା ସମରକାନ୍ତ, ନୟନା, ସମସ୍ତଙ୍କୁ ଗୋଟିଏ ଗୋଟିଏ ଚିଠି ଲେଖି ନିଜର ନିରୁପାୟତା ତଥା ଦୁଃଖ ଜଣାଇଲା । ସକୀନା ପାଖକୁ ଲେଖିଲା–ବର୍ତ୍ତମାନ ମୋ ମନର ଅବସ୍ଥା ଏ ପତ୍ରରେ ତୁମକୁ ଜଣାଇପାରୁ ନାହିଁ । ବୋଧହୁଏ ମୋ ଛାତିରେ ଛୁରି ଚଳାଇବାରେ ମଧ୍ୟ ମୁଁ ଏହାଠାରୁ ଅଧିକ ଦୁଃଖ ଅନୁଭବ କରନ୍ତି ନାହିଁ । ଯାହାର ଶ୍ରଦ୍ଧା ମୋତେ ଏଠିକି ଟାଣି ଆଣିଛି, ତାକୁ’ଇ ମୁଁ ଆଜି ଏହି ନିଷ୍ଠୁର ହାତରେ ଗିରଫ୍‍ତାର କରିବାପାଇଁ ଯାଉଛି । ସକୀନା ! ଖୁଦାଙ୍କ ଦ୍ଵାହି, ମୋତେ ନୀଚ, ନିଷ୍ଠୁର ଓ ସ୍ଵାର୍ଥପର ଭାବିବ ନାହିଁ ! ମୋ ଆଖିରୁ ଲହୁ–ଲୁହ ଝରୁଛି । ତାହା ତୁମେ ନିଜ ଅଞ୍ଚଳରେ ପୋଛି ଦେବ । ଅମର ମୋର ଏଡ଼େ ହିତାକାଂକ୍ଷୀ ଯେ ତା’ ଦେହରୁ ଝାଳ ବହିଲେ, ମୋର ରକ୍ତ ବୁହାଇବା ଉଚିତ-। କିନ୍ତୁ ମୁଁ ଆଜି ତା’ ରକ୍ତର ମଜା ଚାଖୁଛି । ମୋ ଗଳାରେ ଶିକାରୀର ନିଶାଣ ପଡ଼ିଛି, ତା’ରି ଇଙ୍ଗିତରେ ମୁଁ ଅନୁଚିତ କାର୍ଯ୍ୟ କରିବାକୁ ବାଧ୍ୟ ହେଉଛି । ମୋତେ ଦୟାକର, ସକୀନା-! ମୁଁ ହତଭାଗା ।

 

ଖାନ୍‌ସମା ଆସି ଜଣାଇଲା–ହଜୁର, ଖାନା ତୟାର ।

 

ସଲୀମ୍ ତଳକୁ ଚାହିଁ କହିଲା–ମୋତେ ଭୋକ ନାହିଁ ।

 

ଖାନ୍‌ସମା ପଚାରିବାକୁ ଯାଉଥିଲା–ହଜୁରଙ୍କ ସ୍ଵାସ୍ଥ୍ୟ କିପରି ଅଛି ? କିନ୍ତୁ ଟେବୁଲ୍ ଉପରେ କେତେଟି ଚିଠି ଲେଖା ହୋଇ ରହିଥିବାର ଦେଖି ଡରିଗଲା–ଘରୁ କୌଣସି ଖରାପ ଖବର ଆସିଛି ନା କ’ଣ !

 

ସଲୀମ୍ ମୁହଁ ଟେକିଲା । ଦୁଃଖପୂର୍ଣ୍ଣ ସ୍ଵରରେ କହିଲା–ସେଦିନ ମୋର ଜଣେ ଦୋସ୍ତ ଆସି ନଥିଲେ, ସେହି ଯେ ମଫସଲୀ ପରି ପୋଷାକ ପିନ୍ଧି ଆସିଥିଲେ, ସେ ମୋ ପିଲାଦିନର ସାଥୀ । ଆମେ ଦୁହେଁ ଗୋଟିଏ କଲେଜରେ ପଢ଼ୁଥିଲୁ । ଲକ୍ଷପତି ଘରର ପିଲା । ବାପା ଅଛନ୍ତି, ପିଲାଛୁଆ ଅଛନ୍ତି । ଏମିତି ବିଚକ୍ଷଣ ଯେ ସେ ମୋତେ ପାଠ ପଢ଼ାନ୍ତି । ଚାହିଁଥିଲେ ତ ସେ ଗୋଟିଏ ଉଚ୍ଚପଦ ପାଇଥାନ୍ତେ । ଆଉ ତାଙ୍କ ଘରେ ବା ଅଭାବ କ’ଣ ? କିନ୍ତୁ ଗରିବଙ୍କ ପ୍ରତି ଏତେ ଦୟା ଯେ ଘରଦ୍ଵାର ଛାଡ଼ିଦେଇ ଆସି ଏଠାରେ ଗୋଟିଏ ଗ୍ରାମରେ କୃଷକମାନଙ୍କର ସେବା କରୁଛନ୍ତି । ତାଙ୍କୁ ପୁଣି ଗିରଫ୍‍ତାର୍ କରିବାକୁ ମୋତେ ହୁକୁମ ମିଳିଛି ।

 

ଖାନ୍‌ସମା ଆହୁରି ନିକଟକୁ ଯାଇ ତଳେ ବସିପଡ଼ିଲା–ସେ ବାବୁଙ୍କର କସୁର କ’ଣ, ହଜୁର ?

 

“କସୁର, କିଛି ନାହିଁ, କେବଳ ଏତିକି ଯେ ଗରିବ ଚାଷୀମାନଙ୍କର ଦୁଃଖ ବିପଦ ସେ ସହିପାରୁ ନାହାନ୍ତି ।”

 

“ହଜୁର ବଡ଼ ସାହେବଙ୍କୁ ବୁଝାଇ ଦେଲେ ନାହିଁ ?”

 

“ବର୍ତ୍ତମାନ ମୋ ମନର ଅବସ୍ଥା କ’ଣ, ତାହା କେବଳ ମୁଁ ଜାଣୁଛି, ହନିଫ୍ ! ମଣିଷ ତ ନୁହେଁ, ଗୋଟିଏ ଦେବତା ସେ । ଏହା ହେଲା ସରକାରୀ ଚାକିରି ।”

 

“ତେବେ ହଜୁରଙ୍କୁ ଯିବାକୁ ପଡ଼ିବ ?”

 

“ହଁ, ସଙ୍ଗେ ସଙ୍ଗେ ! ଏହିପରି ବନ୍ଧୁର କର୍ତ୍ତବ୍ୟ ପାଳନ କରାଯାଏ !”

 

“ତେବେ କ’ଣ ସେ ବାବୁ–ସାହେବଙ୍କୁ ନଜରବନ୍ଦୀ କରାଯିବ, ହଜୁର ?”

 

“ଖୁଦା ଜାଣନ୍ତି କ’ଣ କରାଯିବ । ଡ୍ରାଇଭରକୁ କହ, ମୋଟର ଆଣୁ । ସନ୍ଧ୍ୟା ସୁଦ୍ଧା ଯେମିତି ହେଲେ ଫେରି ଆସିବାକୁ ହେବ ।”

 

ଅଳ୍ପ ସମୟ ମଧ୍ୟରେ ଗାଡ଼ି ଆସି ପହଞ୍ଚିଲା । ସଲୀମ୍ ସେଥିରେ ଆସି ବସିବାବେଳେ ତା’ ଆଖିରୁ ଲୁହ ଗଡ଼ୁଥାଏ ।

 

–୪୩–

 

କେତେଦିନ ପରେ ଆଜି ଦିବା–ତୃତୀୟ ପ୍ରହରରେ ସୂର୍ଯ୍ୟଦେବ ପୃଥିବୀର ପ୍ରାର୍ଥନା ଶୁଣିଛନ୍ତି ତଥା ସମାଧି ଭଙ୍ଗ କରି ଉଠିଲା ପରି ତାକୁ ଆଶୀର୍ବାଦ ଦେଉଛନ୍ତି । ପୃଥିବୀ ସତେ ବା ପଣତ ପ୍ରସାରି ତାଙ୍କ ଆଶୀର୍ବାଦରାଶି ସଂଗ୍ରହ କରିବାରେ ଲାଗିଛି ।

 

ଏତିକିବେଳେ ସ୍ଵାମୀ ଆତ୍ମାନନ୍ଦ ଓ ଅମର ଦୁହେଁ ଦୁଇ ଦିଗରୁ ଆସି ପାଠଶାଳାରେ ପହଞ୍ଚିଲେ ।

 

ଅମରକାନ୍ତ ମଥାରୁ ଝାଳ ପୋଛୁ ପୋଛୁ କହିଲା–ଆମେ କି ବଢ଼ିଆ ପ୍ରୋଗ୍ରାମ କରିଥିଲେ ଯେ ଏକ ସଙ୍ଗେ ଫେରି ଆସିଲେ । ମୁହୂର୍ତ୍ତେବି ବିଳମ୍ବ ହୋଇ ନାହିଁ । ଖାଇ–ପିଇ ସାରି ପୁଣି ବାହାରିପଡ଼ିବା ଯେ ଆଠଟାବେଳକୁ ଫେରି ଆସିବା ।

 

ଆତ୍ମାନନ୍ଦ ତଳେ ଗଡ଼ି କହିଲେ–ଭାଇ, ମୁଁ ତ ଆଉ ପାଦେବି ଚାଲିପାରିବି ନାହିଁ, ପ୍ରାଣଟା ଯେବେ ନେବାକୁ ଚାହୁଁଛ ତ ନିଅ । ଦଉଡ଼ି ଦଉଡ଼ି ନାକେଦମ୍ ହେଲାଣି ମଣିଷ ! ଆଗେ ସରବତ ଅଣାଅ, ପିଇକରି ଥଣ୍ଡା ହେଲେ ଯାଇ ଏ ଆଖି ଖୋଲିବ ।

 

“ତେବେ ଆଜି କାମ ସରି କରି ଅଛି !”

 

“ସରୁଥାଉ ତ ଚୁଲିକି ଯାଉ, କ’ଣ ପ୍ରାଣ ବାହାରିଯିବ ? ତୁମେ ପାରୁଛ ତ ତୁମର କର, ମୋଦ୍ୱାରା ହୋଇପାରିବ ନାହିଁ ।”

 

ଅମର ପରିହାସରେ କହିଲା–ଆହେ ବନ୍ଧୁ ! ତୁମେ ତ ମୋର ଦୁଇଗୁଣ ହେବ, ତଥାପି କୁନ୍ଥେଇଲଣି ଏତିକିରୁ ! ମୋତେ ତୁମର ବଳ ଓ ଜୀର୍ଣ୍ଣ–ଶକ୍ତି ଦେଇଦିଅ, ଆଉ ଦେଖ, ମୁଁ କ’ଣ କରୁଛି ।

 

ଆତ୍ମାନନ୍ଦ ଭାବିଥିଲେ ତାଙ୍କୁ ବାହା–ବାଃ ମିଳିବ; କିନ୍ତୁ ଓଲଟି ତାଙ୍କ ପୌରୁଷ ପ୍ରତି ଆକ୍ଷେପ କରାଗଲା । କହିଲେ–ତୁମେ ମରଣ ଚାହଁ, ଆଉ ମୁଁ ଚାହେଁ ଜୀବନ ।

 

“ଜୀବନର ଉଦ୍ଦେଶ୍ୟ ତ କର୍ମ !”

 

“ହଁ, ମୋ ଜୀବନର ଉଦ୍ଦେଶ୍ୟ ତ କର୍ମ; କିନ୍ତୁ ତୁମ ଜୀବନର ଉଦ୍ଦେଶ୍ୟ ହେଉଛି ଅକାଳ–ମୃତ୍ୟୁ ।

 

‘‘ଆଚ୍ଛା, ସରବତ ପିଆଇବା, ସେଥିରେ ଦହି ଦିଆଯିବ ତ ?”

 

‘‘ହଁ–ହଁ, ଦହିର ମାତ୍ରା ଅଧିକ ହୋଇଥିବ ଆଉ ଦୁଇ ଲୋଟାରୁ କମ୍‍ରେ ଚଳିବ ନାହିଁ । ତା’ର ଦୁଇ ଘଣ୍ଟା ପରେ ଭୋଜନ ଦରକାର ।”

 

“ମାଇଲେ, ସେତେବେଳକୁ ଆଉ ଦିନ ଥିବ ?”

 

ଅମର ମୁନ୍ନୀକୁ ଡାକି ସରବତ କରିବାକୁ କହିଲା ଏବଂ ସ୍ୱାମୀଜୀଙ୍କ ପାଖରେ ତଳେ ଶୋଇଯାଇ ପଚାରିଲା–ଇଲାକାର ଅବସ୍ଥା କିପରି ?

 

“ମୋର ତ ଆଶଙ୍କା ହେଉଛି ସେ ଲୋକେ ଠକାଇ ଦେବେ । ବେଦଖଲି ଆରମ୍ଭ ହେବାମାତ୍ରେ ତ ଅନେକଙ୍କର ଆସନ ଟଳମଳ ହେବ ।”

 

“ତୁମେ ତ ଦାର୍ଶନିକ ନଥିଲ, ‘ଘିଅ ପତ୍ର ଉପରେ କି ପତ୍ର ଘିଅ ଉପରେ’ ଏ ଆଶଙ୍କା ଜନ୍ମିଲା କାହିଁକି ?”

 

“ଯେଉଁ କାମର ଫଳ ଲଜ୍ଜା–ଅପମାନ ହୋଇପାରେ, ସେପରି କାମ ବା କରିବା କାହିଁକି-? ସତରେ କହୁଛି, ମୁଁ ବଡ଼ ନିରାଶ ହୋଇପଡ଼ିଛି ।”

 

“ଏହାର ଅର୍ଥ, ଆପଣ ଏ ଆନ୍ଦୋଳନର ନାୟକ ହେବାକୁ ଅନୁପଯୁକ୍ତ । ନେତାର ମୁଖ୍ୟ ଲକ୍ଷଣ ହେଉଛି–ଆତ୍ମବିଶ୍ଵାସ, ସାହସ ଓ ଧୈର୍ଯ୍ୟ ।’’

 

ମୁନ୍ନୀ ସରବତ କରି ଆଣିଲା । ଆତ୍ମାନନ୍ଦ କମଣ୍ଡଳରେ ଭରତି କରି ଏକ ନିଃଶ୍ଵାସରେ ପିଇଦେଲେ । ଅମରକାନ୍ତ ତାଟିଆକରୁ ବେଶି ପିଇ ପାରିଲା ନାହିଁ ।

 

ଆତ୍ମାନନ୍ଦ ମୁହଁ ବିକୃତ କରି କହିଲେ–ବାଃ, ଏଇଥିରେ ଆପଣ ନିଜକୁ ମଣିଷ ବୋଲି ଭାବୁଛନ୍ତି ।

 

ଅମର ଉତ୍ତର ଦେଲା–ବେଶି ଖାଇବା ପଶୁଙ୍କର କାମ ।

 

“ଯେ ଖାଇ ନ ପାରେ, ସେ କାମ କରିବ କ’ଣ ?”

 

“ନା, ଯେ କମ୍ ଖାଏ, ସେହି କାମ କରେ । ପେଟୁର ତ ସବୁଠୁ ବଡ଼ କାମ ହେଲା ହଜମ କରିବା ।”

 

କାଲିଠାରୁ ସୁନ୍ଦରୀ ଅସୁସ୍ଥ । ଅମର ତାକୁ ଦେଖିବାକୁ ଯାଉଛି, ମୋଟର ଗାଡ଼ିଟିଏ ଆସୁଥିବାର ଦେଖି ପାଠଶାଳା ଆଗରେ ଅଟକିଗଲା । ବୋଧହୁଏ ସେହି ଗ୍ରାମକୁ ମୋଟର ଗାଡ଼ି ଆସିବାର ଏ ହେଲା ପ୍ରଥମ । ଏ କାହାର ଗାଡ଼ି, ଏହି କଥା ଭାବୁଛି, ସଲୀମ୍ ଓହ୍ଲାଇ ପଡ଼ିଲା । ଅମର ଧାଇଁଯାଇ ହାତ ମିଳାଇଲା–କିଛି ଜରୁରୀ କାମ ଥିଲା ତ ମୋତେ ଡାକି ପଠାଇଲୁନି ?

 

ଦୁହେଁ ପାଠଶାଳା ଭିତରକୁ ଗଲେ । ଅମର ଆଣି ଗୋଟିଏ ଖଟ ପକାଇ ଦେଲା । କହିଲା–ତୋତେ କିପରି ଚର୍ଚ୍ଚା କରିବି, ଭାଇ ! ଏଠି ତ ଫକୀର ଜୀବନ ମୋର । ସରବତ କରିବି-?

 

ସଲୀମ୍ ସିଗାରେଟ ଲଗାଉ ଲଗାଉ କହିଲା–ନା, ଶିଷ୍ଟାଚାର ଦରକାର ନାହିଁ । ମି. ଗଜନବୀ କୌଣସି ସମସ୍ୟା ନେଇ ତୋ ସଙ୍ଗେ ପରାମର୍ଶ କରିବାକୁ ଚାହାନ୍ତି । ମୁଁ ଆଜିରେ ଯାଉଛି-। ଭାବିଲି, ତୋତେବି ନେଇଯିବି । ତୁ ତ କାଲି ନିଆଁ ଜଳାଇ ଦେଇଛୁ ! ଆଉ ତଦନ୍ତ କରି ଲାଭଟା କ’ଣ ? ତା’ ତ ବେକାର ହୋଇଗଲା ।

 

ଅମର ଟିକିଏ ବିରକ୍ତି ପ୍ରକାଶ କରି କହିଲା–କ’ଣ କରାଯାଏ, ମହନ୍ତଙ୍କ ଯୋଗୁଁ ତା’ କରିବାକୁ ବାଧ୍ୟ ହେଲି ।

 

ସଲୀମ୍ ବନ୍ଧୁତାର ଆଶ୍ରୟ ନେଲା–ତଥାପି ଏତିକି ତ ଭାବିବା କଥା, ଯେ ଏଇଟା ମୋ ଏରିଆ, ଏଠାକାର ସମସ୍ତ ଦାୟିତ୍ୱ ମୋରି ମୁଣ୍ଡରେ । ମୁଁ ତ ସଡ଼କ କରର ପ୍ରାୟ ସବୁ ଗ୍ରାମରେ ଦେଖିଲି ଲୋକେ ମେଣ୍ଟ ହୋଇଛନ୍ତି । କେତେକ ସ୍ଥାନରେ ତ ମୋ ଗାଡ଼ି ଉପରକୁ ପଥର ଫିଙ୍ଗିଲେ-। ଏ ତ ଭଲ ଲକ୍ଷଣ ନୁହେଁ । ମୋର ଆଶଙ୍କା କେତେବେଳେ ହିଂସାକାଣ୍ଡ ଘଟିଯିବ । ନିଜର ଉଚିତ ଦାବିପାଇଁ ବା ଅନ୍ୟାୟ–ଅତ୍ୟାଚାର ବିରୁଦ୍ଧରେ ପ୍ରଜାମାନଙ୍କର ବିକ୍ଷୋଭ ପ୍ରକାଶ ପାଇବାକୁ ମୁଁ ଖରାପ ଭାବୁ ନାହିଁ । କିନ୍ତୁ ଲୋକେ ଆଇନ–ଶୃଙ୍ଖଳା ଭିତରେ ରହିବେ, ଏ ବିଶ୍ଵାସ ତ ମୁଁ କରିପାରୁ ନାହିଁ । ତୁମେ ମୂକ ମୁଖରେ ଭାଷା ଦେଇଛ, ସୁପ୍ତଲୋକଙ୍କୁ ଜାଗ୍ରତ କରିଛ; କିନ୍ତୁ ଏହି ଜାଗରଣ ପାଇଁ ଯେତିକି ସଂଯମ ଓ ଧୈର୍ଯ୍ୟ ଦରକାର, ତା’ର ଦଶଭାଗରୁ ଭାଗେ ସୁଦ୍ଧା ମୁଁ ଦେଖିବାକୁ ପାଉ ନାହିଁ ।

ଅମର ଏ କଥାରୁ ଶାସନ–ପକ୍ଷର ଗନ୍ଧ ପାଇଲା । କହିଲା–ତୁମେ କ’ଣ ଭାବୁଛ ଯେ ହାକିମମାନେ ଯେଉଁ ଭୁଲ କରନ୍ତି, ତୁମେ ତାହା କରୁନାହଁ ? ଯେଉଁମାନେ ଆରାମ ଓ ବିରାମରେ ଜୀବନ କଟାଉଛନ୍ତି, ସେମାନଙ୍କ ପକ୍ଷରେ ଧୈର୍ଯ୍ୟ ଓ ସଂଯମର ଦ୍ୱାହି ଦେବା ସହଜ; ମାତ୍ର ଯେଉଁମାନଙ୍କର ପ୍ରତ୍ୟେକ ଦିନ ଗୋଟିଏ ଗୋଟିଏ ନୂତନ ବିପଦ ସଦୃଶ, ସେମାନେ ବରଯାତ୍ରୀ–ଚାଲିରେ ସେମାନଙ୍କର ମୁକ୍ତିର ଆଗମନକୁ ଅପେକ୍ଷା କରିପାରିବେ ନାହିଁ । ସେମାନେ ତାକୁ ଟାଣି ଆଣିବାକୁ ଚାହାନ୍ତି–ଯେତେ ଶୀଘ୍ର ସମ୍ଭବ ।”

“କିନ୍ତୁ ମୁକ୍ତି ପୂର୍ବରୁ ପହଞ୍ଚିଯିବ ଧ୍ଵଂସ, ଏ କଥା ମଧ୍ୟ ମନେରଖିବାକୁ ହେବ ।”

“ଆମପାଇଁ ଏହି ଅନ୍ୟାୟହିଁ ଧ୍ଵଂସ । ଯେଉଁଠି ଉତ୍ପାଦନ ଅପେକ୍ଷା ବ୍ୟୟ ଅଧିକ, ସେଠି କରର ପ୍ରଶ୍ନ କାହିଁ ? ତା’ପରେ ଆମେ ଅଧା–ଖଜଣା ଦେବାକୁ ମଧ୍ୟ ରାଜି ଥିଲୁ; କିନ୍ତୁ ତିନି–ଚତୁର୍ଥାଂଶ କୌଣସି ପ୍ରକାରେ ଦେଇପାରିବୁ ନାହିଁ । ହେଲା, ସରକାର ବା ଛାଡ଼ି ନ ଦେଉଛି କାହିଁକି-? ପୋଲିସ୍ ବିଭାଗ, ସୈନ୍ୟ–ବିଭାଗ ପ୍ରଭୃତିରେ ନିଃସଙ୍କୋଚରେ ଏତେ ଟଙ୍କା ଉଡ଼ାଯାଉଛି କାହିଁକି ? କୃଷିଜୀବୀମାନେ ମୂକ, ନିଃସହାୟ ଦୁର୍ବଳ । ଏହି କାରଣରୁ କ’ଣ ସବୁଯାକ ସିଙ୍ଘାଣୀ ତାଙ୍କର ମୁଣ୍ଡରେ ପୋଛିବା ଠିକ୍ ?”

ସଲୀମ୍ ଅଧିକାର–ଗର୍ବରେ କହିଲା–ଏହାର ପରିଣାମ ଚିନ୍ତା କରିଛ ? ଗ୍ରାମ ପରେ ଗ୍ରାମ ନଷ୍ଟ ହୋଇଯିବ, ସାମରିକ ଆଇନ ଜାରି ହୋଇଯିବ, ଅଧିକ ପୋଲିସ୍ ନିଯୁକ୍ତ ହେବେ, ଫସଲ ନିଲାମ କରି ଦିଆଯିବ, ଜମି ବାଜ୍ୟାପ୍ତ କରାଯିବ, ଧ୍ଵଂସଲୀଳା ଚାଲିବ ।

ଅମରକାନ୍ତ ଅବିଚଳିତ ଭାବରେ କହିଲା–ଯାହା ହେଉନା କାହିଁକି, ଅତ୍ୟାଚାର ସମ୍ମୁଖରେ ମୁଣ୍ଡ ନୁଆଁଇବା ଅପେକ୍ଷା ମରିବା ବରଂ ଭଲ ।

ପାଠଶାଳା ଆଗରେ ଜନଗହଳି ବଢ଼ିବାରେ ଲାଗିଛି । ସଲୀମ୍ ଯୁକ୍ତିତର୍କ ବନ୍ଦ କରିବା ଉଦ୍ଦେଶ୍ୟରେ କହିଲା–ଚାଲ, ଏ ବିଷୟରେ ରାସ୍ତାରେ କଥାବାର୍ତ୍ତା କରିବା । ଡେରି ହେଉଛି ।

ଅମର ତତ୍‌କ୍ଷଣାତ୍ କୁରୁତା ଖଣ୍ଡିଏ କାନ୍ଧରେ ପକାଇ ଆତ୍ମାନନ୍ଦଙ୍କ ସହିତ ଦୁଇ–ଚାରି ପଦ ଜରୁରୀ କଥାବାର୍ତ୍ତା କରି ବାହାରିପଡ଼ିଲା । ଉଭୟେ ଯାଇ ଗାଡ଼ିରେ ବସିଲେ । ମୋଟର ଚାଲିଲା, ସଲୀମ୍‌ର ଆଖି ଲୁହ–ଛଳଛଳ ।

ଅମର ସଶଙ୍କ ହୋଇ ପଚାରିଲା–ମୋତେ ପ୍ରତାରଣା କରୁ ନାହୁଁ ତ ?

 

ସଲୀମ୍ ଅମରକୁ କୁଣ୍ଢାଇ ପକାଇ କହିଲା–ଏହା ବ୍ୟତୀତ ଅନ୍ୟ ଉପାୟ ନଥିଲା । ତୋତେ ପୋଲିସ୍ ହାତ କରାଇବା ମୁଁ ଚାହେଁନା ।

 

“ତେବେ ଅପେକ୍ଷା କର, ମୁଁ ମୋର କେତେକ ଜରୁରୀ ଜିନିଷ ନେଇଆସେଁ ।”

 

“ହଁ–ହଁ, ନେଇ ଆ; କିନ୍ତୁ କଥାଟା ଖୋଲିଯାଏ ତ ମୋର ଜୀବନ ଯିବ ।”

 

“ଆଚ୍ଛା, ଚାଲ । କିଛି ଚିନ୍ତା ନାହିଁ ।”

 

ଗ୍ରାମରୁ ବାହାରିଯିବାକ୍ଷଣି ଦେଖାଗଲା, ମୁନ୍ନୀ ଆସୁଛି । ଅମର ଗାଡ଼ି ଅଟକାଇ କହିଲା–ତୁମେ କୁଆଡ଼େ ଯାଇଥିଲ, ମୁନ୍ନୀ ? ଧୋବାଠାରୁ ମୋର ଲୁଗା ନେଇଆସି ରଖିଥିବ । ସୁନ୍ଦରୀ ଖୁଡ଼ୀପାଇଁ ମୋ କୋଠରୀର ଥାକ ଉପରେ ଔଷଧ ରଖିଛି, ପିଆଇ ଦେବ ।

 

ମୁନ୍ନୀ ସଂକୋଚପୂର୍ଣ୍ଣ ନେତ୍ରରେ ଚାହିଁ ପଚାରିଲା–ତୁମେ କୁଆଡ଼େ ଯାଉଛ ?

 

“ଜଣେ ବନ୍ଧୁ ଘରକୁ ଭୋଜି ନିମନ୍ତ୍ରଣରେ ଯାଉଛି ।”

 

ମୋଟର ଚାଲିଲା । ମୁନ୍ନୀ ପଚାରିଲା–କେବେ ଫେରିବ ?

 

ଅମର ମୁଣ୍ଡ ବାହାର କରି ତା’ ଆଡ଼କୁ ଦୁଇହାତ ଯୋଡ଼ି କହିଲା–ଯେବେ ଭାଗ୍ୟ ଫେରାଇବ ।

 

ଦୁଇ ଅଭିନ୍ନ ମିତ୍ର, ଏକାଠି ପଢ଼ିଛନ୍ତି, ଏକାଠି ଖେଳିଛନ୍ତି, ନିଜ ନିଜ ଭିତରେ ଖେଳ–କୁଦ, ହସ–ଥଟ୍ଟା ସବୁ କରିଛନ୍ତି: ମାତ୍ର ଆଜି ପରିସ୍ଥିତି ଚାପରେ ଦୁଇ ଭିନ୍ନ ଭିନ୍ନ ପଥର ଯାତ୍ରୀ । ଉଭୟଙ୍କ ଲକ୍ଷ୍ୟ ଏକ, ଉଦ୍ଦେଶ୍ୟ ଏକ, ଉଭୟେ ଦେଶଭକ୍ତ, ଉଭୟେ ଚାଷୀ–ମୂଲିଆଙ୍କର ଶୁଭେଚ୍ଛୁ; କିନ୍ତୁ ଜଣେ ଅଫିସର, ଆଉ ଜଣେ ବନ୍ଦୀ । ଦୁହେଁ ମୁଣ୍ଡ ଟେକି ବସିଛନ୍ତି; କିନ୍ତୁ ମଝିରେ ଯେପରି ଗୋଟାଏ କାନ୍ଥ ଠିଆ ହୋଇଛି । ଅମର ପ୍ରସନ୍ନ–ଯେପରି କି ସତ୍ୟକଥନ ପାଇଁ ସୋପାନ ଅତିକ୍ରମ କରୁଛି । ସଲୀମ୍ ବିଷଣ୍ଣ–ଯେପରିକି ପୂର୍ଣ୍ଣ ସଭାରୁ ତାକୁ ଆସନରୁ ଉଠାଇ ଦିଆଯାଇଛି । ମୁକ୍ତ ସଭାମଞ୍ଚରେ ବିକାଶର ସିଦ୍ଧାନ୍ତକୁ ସମର୍ଥନ କରିଥିଲେ ତା’ର ଆତ୍ମା ବିଜୟୀ ହୋଇଥାନ୍ତା, ନିରଙ୍କୁଶତାର ଶରଣ ନେବାରୁ ସେ ଯେପରି କୋଠରୀ ମଧ୍ୟରେ ଲୁଚିବସିଛି ।

 

ସହସା ସଲୀମ୍ ହସିବାକୁ ଚେଷ୍ଟା କରି କହିଲା–କ’ଣ ଅମର ! ମୋ ଉପରେ ରାଗିଲୁ-?

 

ପ୍ରସନ୍ନ ବଦନରେ ଅମର କହିଲା–ଆଦୌ ନୁହେଁ । ମୁଁ ତୋତେ ପୁରୁଣା ବନ୍ଧୁ ବୋଲି ମନେ କରୁଛି । ମତାମତର ଦ୍ଵନ୍ଦ୍ୱ ସବୁଦିନ ଲାଗିଆସିଛି, ଲାଗିଥିବ । ସେଥିପାଇଁ ବନ୍ଧୁତାରେ ବାଧାପଡ଼େନା ।

 

ସଲୀମ୍ ନିଜର ନିର୍ଦ୍ଦୋଷତା ପ୍ରମାଣ କଲା–ଭାଇ, ମନୁଷ୍ୟ ହେଉଛି ମନୁଷ୍ୟ । ଦୁଇଟି ପରସ୍ପର–ବିରୋଧୀ ସମ୍ପ୍ରଦାୟ ମଧ୍ୟରେ ରହି ଦ୍ଵେଷ ବା କ୍ଷୋଭର ବଶବର୍ତ୍ତୀ ହେବା ବିଚିତ୍ର ନୁହେଁ । ପ୍ରଥମେ ଡି.ଏସ୍.ପି.ଙ୍କୁ ପଠାଯାଉଥିଲା । କିନ୍ତୁ ମୁଁ ସେଇଟା ଉଚିତ ମନେ କଲି ନାହିଁ ।

 

“ସେଥିପାଇଁ ତୁମ ପାଖରେ କୃତଜ୍ଞ । ମୋ ନାମରେ କୌଣସି ମକଦ୍ଦମା ଚାଲିବ ?”

“ହଁ, ତୁମ ଭାଷଣମାନଙ୍କ ଉପରେ ହୋଇଥିବା ରିପୋର୍ଟସବୁ ରହିଛି । ଆଉ ସାକ୍ଷୀ ମଧ୍ୟ ଜମା ହୋଇଗଲେଣି । ତୁମର ଧାରଣା କ’ଣ, ତୁମକୁ ଆରେଷ୍ଟ୍ କରିବା ଫଳରେ ଏ ବିପ୍ଳବ ଦବିଯିବ ନା ନାହିଁ ?”

“କିଛି କହି ହେଉ ନାହିଁ । ଯଦି ମୋତେ ଆରେଷ୍ଟ୍ କରିବା ଅଥବା ଦଣ୍ଡ ଦେବା ଫଳରେ ଦବିଯାଏ, ତେବେ ତ ଭଲ ହେବ ।”

ମୁହୂର୍ତ୍ତକ ପରେ ସେ ପୁଣି କହିଲା–ପ୍ରଜାମାନେ ଭଲକରି ଜାଣନ୍ତି ଯେ ସେମାନଙ୍କର ଅଧିକାର କ’ଣ । ଆଉ ଅଧିକାର ରକ୍ଷା କରିବାକୁ ହେଲେ ବଳି ଦେବାକୁ ପଡ଼ିଥାଏ, ଏହା ମଧ୍ୟ ଜାଣନ୍ତି । ଏଇଠୁ ମୋର କର୍ତ୍ତବ୍ୟ ଶେଷ । ଏଣିକି ସେମାନେ ଜାଣନ୍ତି, ସେମାନଙ୍କ କାମ ଜାଣେ । ମୋର ଆଶା, ସେମାନେ ଅତ୍ୟାଚାର ଫଳରେ ଦବିଯିବେ, ନ ଦବିପାରନ୍ତି ମଧ୍ୟ । କିନ୍ତୁ ଦବନ୍ତୁ କି ନ ଦବନ୍ତୁ ସେମାନଙ୍କୁ ବାଧିଛି ନିଶ୍ଚୟ । ପ୍ରଜାମାନଙ୍କର ଦବିଯିବାଟାକୁ କୌଣସି ସରକାରର ସଫଳତା ବୋଲି ବିଚାର କରାଯାଏନା ।

ଗାଡ଼ିଟା ଚାଲିଯିବା ପରେ ପରେ ମୁନ୍ନୀ ଆଗରେ ସତ୍ୟଟା ଝଟକିଉଠିଲା । ସେ ଆବେଶରେ ଚିତ୍କାର କରିଉଠିଲା–ବାବୁଙ୍କୁ ଧରି ନେଇଗଲେ ! ଆଉ ସେହି ଆବେଶରେ ସେ ମୋଟର ପଛେ ପଛେ ଧାଇଁଲା । ଚିତ୍କାର ଛାଡ଼ିଥାଏ–ଲାଲାଙ୍କୁ ଧରି ନେଇଗଲେ !

ବର୍ଷାଦିନେ ଚାଷୀମାନଙ୍କର କ୍ଷେତରେ ବେଶି କାମ ନଥାଏ । ଅଧିକାଂଶ ଲୋକ ଘରେ ଥାନ୍ତି । ମୁନ୍ନୀର ଡାକ ଆପତ୍‌କାଳୀନ ତୂରୀର କାମ ଦେଲା । ଚାହୁଁ–ଚାହୁଁ ଗ୍ରାମସାରା ଏ ଧ୍ଵନି ବାଜିଉଠିଲା–ବାବୁଙ୍କୁ ଧରିନେଲେ, ଭାଇଙ୍କୁ ଧରିନେଲେ ।

 

ନାରୀମାନେ ଘର ଭିତରୁ ବାହାରି ଆସିଲେ–ଧରିନେଲେ !

 

ଆଖିପିଛୁଳାକେ ଗ୍ରାମଟାସାରା ଜମା ହୋଇଗଲେ ଓ ସଡ଼କ ଆଡ଼କୁ ଦୌଡ଼ିଲେ । ମୋଟର ଗାଡ଼ିଟି ସଡ଼କରେ ବାଙ୍କ ବୁଲିଯାଉଛି । ଆଉ ଗୋଟିଏ ପାଦଚଲା ସଳଖ ରାସ୍ତା ଅଛି । ଲୋକେ ଅନୁମାନ କଲେ, ଏହି ରାସ୍ତାରେ ଯାଇ ଗାଡ଼ିକୁ ଧରି ହେବ । ସମସ୍ତେ ସେହି ରାସ୍ତାରେ ଦୌଡ଼ିଲେ ।

 

କାଶୀ–ଦିନେହେଲେ ତ ମରିବାକୁ ହେବ ।

 

ମୁନ୍ନୀ–ଧରିବେ ତ ସମସ୍ତଙ୍କୁ ଧରନ୍ତୁ, ସମସ୍ତଙ୍କୁ ନେଇ ଚାଲନ୍ତୁ ।

 

ପୟାଗ–ସରକାରର କାମଚୋର ବଦମାସଙ୍କୁ ଧରିବା, ନା ଯେ ପରପାଇଁ ଜୀବନ ମୁରୁଛି ଦେଇଛି, ସେଇଆକୁ ? ଏଇ ଦେଖ ମୋଟର ଆସୁଛି । ଆସ, ସମସ୍ତେ ରାସ୍ତାରେ ଛିଡ଼ା ହୋଇଯାଅ । କେହି ଘୁଞ୍ଚିବ ନାହିଁ । ରଡ଼ି ଛାଡ଼ୁଥାଉ ।

 

ସଲୀମ୍ ମୋଟର ବନ୍ଦ କରୁ କରୁ କହିଲା–ବର୍ତ୍ତମାନ କହିଲୁ, ଭାଇ ! କ’ଣ ପିସ୍ତଲ ବାହାର କରିବି ?

 

ଅମର, ତା’ର ହାତ ଧରିପକାଇ କହିଲା–ନା–ନା, ମୁଁ ସେମାନଙ୍କୁ ବୁଝାଇ ଦେଉଛି ।

 

“ଦୁଇ ଚାରି ଜଣ ପୋଲିସ୍‍ବାଲାଙ୍କୁ ସଙ୍ଗରେ ଆଣିବା ଉଚିତ ଥିଲା ।”

 

“ବ୍ୟସ୍ତ ହୋ’ ନା, ମୁଁ ଜିଇଥିବା ପର୍ଯ୍ୟନ୍ତ କେହି ତୋ ଉପରକୁ ହାତ ଉଠାଇବେ ନାହିଁ ।”

 

ସଙ୍ଗେ ସଙ୍ଗେ ଅମର ଗାଡ଼ି ଭିତରୁ ମଥା ବାହାର କରି କହିଲା–ଭାଇ ଭଉଣୀମାନେ ! ଏବେ ମୋତେ ବିଦାୟ ଦିଅ । ତୁମମାନଙ୍କ ସତ୍‌ସଙ୍ଗରେ ମୋତେ ଯେଉଁ ସ୍ନେହ–ସୁଖ ମିଳିଛି, ତାହା ମୁଁ କେବେହେଲେ ଭୁଲିପାରିବି ନାହିଁ । ମୁଁ ଥିଲି ବିଦେଶୀ ବାଟୋଇ । ତୁମେମାନେ ମୋତେ ସ୍ଥାନ ଦେଲ, ଆଦର ଦେଲ, ସ୍ନେହ ଦେଲ । ମୋଦ୍ଵାରାବି ତୁମର ଯେତିକି କାମ ହୋଇପାରିବା କଥା, ତା’ ମୁଁ କଲି । ଯଦି ମୋର କେଉଁଠି କିଛି ଭୁଲ୍–ଭଟକା ରହିଯାଇଥିବ, ତେବେ କ୍ଷମା କରିବ । ଯେଉଁ କାମର ଭାର ମଥାକୁ ନେଇଛ, ତାକୁ ଛାଡ଼ିବ ନାହିଁ, ଏତିକି ମୋର ପ୍ରାର୍ଥନା । ସବୁ କାମ ଯେମିତି ଚାଲିଛି, ସେମିତି ଚାଲୁଥାଉ । ଏହା ହେବ ସବୁଠୁ ବଡ଼ ଉପହାର, ଯାହାକି ତୁମେମାନେ ମୋତେ ଦେଇପାରିବ । ସ୍ନେହର ପିଲାମାନେ ! ମୁଁ ଯାଉଛି; କିନ୍ତୁ ତୁମମାନଙ୍କ ପ୍ରତି ଚିରକାଳ ମୋର ଆଶୀର୍ବାଦ ରହିଥିବ ।

 

କାଶୀ କହିଲା–ଭାଇ, ଆମେସବୁ ତୁମ ସଙ୍ଗେ ଯିବାକୁ ତିଆର ।

 

ଅମର ମୃଦୁ ହସି ଉତ୍ତର ଦେଲା–ନିମନ୍ତ୍ରଣ ତ ମୋତେ ମିଳିଛି, ତୁମେସବୁ ଯିବ କିପରି-?

 

ଏ କଥାର ଉତ୍ତର କାହାରିକୁ ପଇଟିଲା ନାହିଁ । ‘ଭାଇ’ ଏମିତି କଥା କହନ୍ତି ଯେ କେହି ତା’ର ଉତ୍ତର ଦେଇପାରନ୍ତିନି ।

 

ମୁନ୍ନୀ ସମସ୍ତଙ୍କ ପଛରେ ଛିଡ଼ା ହୋଇଥିଲା । ତା’ର ଆଖି ଯୋଡ଼ିକ ସଜଳ । ଏପରି ଅବସ୍ଥାରେ ସେ ଅମର ସମ୍ମୁଖକୁ ଯାଉଛି କିପରି ! ହୃଦୟରେ ଯେଉଁ ଦୀପଟିକୁ ଜଳାଇ ସେ ତା’ର ଅନ୍ଧାରିଆ ଜୀବନରେ ପ୍ରକାଶ (ଆଲୋକ)ର ସ୍ଵପ୍ନ ଦେଖୁଥିଲା, ସେହି ଦୀପଟିକୁ କେହି ତା’ ହୃଦୟରୁ ବାହାର କରି ନେଇ ଯାଉଛି । ସେହି ନିଶୂନ ଅନ୍ଧାର କ’ଣ ସେ ପୁଣି ସହିପାରିବ !

 

ସହସା ସେ ଉତ୍ତେଜିତ ହୋଇ କହିଉଠିଲା–ଆରେ, ଏତେ ଲୋକ ଠିଆ ହୋଇ ଦେଖୁଛ କ’ଣ ? ମୋଟରରୁ ଓହ୍ଲାଇ ଆଣ !

 

ଜନସମୂହ ମଧ୍ୟରେ ଗୋଟାଏ ଉଦ୍‌ବେଗ ଖେଳିଗଲା । ସେମାନେ ପରସ୍ପର କଏଦୀ ପରି ଚାହାଁ–ଚାହିଁ ହେଲେ; କାହାରି ମୁହଁରେ କଥା ନାହିଁ ।

 

ମୁନ୍ନୀ ପୁଣି ଡାକ ଦେଲା–ତୁମେ ସବୁ ଚାହିଁ ରହିଛ କ’ଣ ?

 

ତୁମ ମୁହଁରେ କ’ଣ ଟିକିଏ ଲାଜ–ସରମ ନାହିଁ ? ଯେବେ ପୋଲିସ୍–ଫଉଜ ଇଲାକାକୁ ଲହୁଲୁହାଣ କରି ଦେଇଥାନ୍ତା, ତେବେ…

 

ଅମର ଗାଡ଼ି ଭିତରୁ ବାହାରି ଆସି କହିଲା–ମୁନ୍ନୀ ! ତୁମେ ବୁଦ୍ଧିମତୀ ହୋଇ ଏପରି କଥା କହୁଛ ! ମୋ ମୁହଁରେ କାଳି ବୋଳି ଦିଅନା ।

 

ମୁନ୍ନୀ ଉନ୍ମାଦିନୀ ପରି କହିଲା–ମୁଁ ବୁଦ୍ଧିମତୀ ନୁହେଁ, ମୁଁ ତ ମୂର୍ଖ, ଅସଭ୍ୟ । ଲୋକ ସାମାନ୍ୟ ପତ୍ରଟାଏ ପାଇଁ ମୁଣ୍ଡ ବଳି ଦେଉଛି, ପଦେ–ପଦେ କଥାରେ ଜୀବନ ହରେଇ ଦେଉଛି । ଆଉ ଆମେ ସବୁ ଠିଆ ହୋଇ ଚାହିଁଥିବୁ, ତୁମକୁ କେହି ଧରି ନେଇଯିବ ? ତୁମେ କ’ଣ ଚୋରି କରିଛ ? ଡକେଇତି କରିଛ ?

 

କେତେକ ଲୋକ ଉତ୍ତେଜିତ ହୋଇ ମୋଟର ଆଡ଼କୁ ଆଗେଇ ଗଲେ; କିନ୍ତୁ ଅମରକାନ୍ତର ଭର୍ତ୍ସନା ଶୁଣି ଅଟକିଗଲେ–

 

“ଏ କ’ଣ କରୁଛ ! ପଛକୁ ଘୁଞ୍ଚିଯାଅ । ମୋର ଏତେ ଦିନର ସେବା ଓ ଶିକ୍ଷାର ଯଦି ଏହି ଫଳ ହୋଇଥାଏ, ତେବେ ମୁଁ କହିବି–ମୋର ସମସ୍ତ ପରିଶ୍ରମ ମାଟି ହୋଇଯାଇଛି । ଏହା ହେଉଛି ଆମର ଧର୍ମ–ଯୁଦ୍ଧ ଏବଂ ଆମର ତ୍ୟାଗ, ବଳିଦାନ ଓ ସତ୍ୟ ଉପରେ ଆମର ବିଜୟ ନିର୍ଭର କରେ ।”

 

କୁହୁକ ପରି ପ୍ରଭାବ ହେଲା । ଲୋକେ ରାସ୍ତାରୁ ହଟିଗଲେ । ଅମର ଗାଡ଼ି ଭିତରକୁ ଗଲା । ଗାଡ଼ି ଚାଲିଲା ।

 

ଚକ୍ଷୁରେ କ୍ରୋଧ ଓ କ୍ଷୋଭର ଅଶ୍ରୁ ଭରି ମୁନ୍ନୀ ଅମରକାନ୍ତକୁ ପ୍ରଣାମ କଲା । ମୋଟର ସହିତ ତା’ର ହୃଦୟ ଯେପରି ଉଡ଼ିଯାଉଥାଏ ।

 

–୪୪–

 

ଲକ୍ଷ୍ନୌର ସେଣ୍ଟ୍ରାଲ୍ ଜେଲ୍ ସହର ବାହାରେ ଖୋଲା ଜାଗାରେ । ସେହି ଜେଲ୍‌ର ଫିମେଲ୍‌–ୱର୍ଡ଼ରେ ଗୋଟିଏ ଗଛମୂଳେ ବସି ସୁଖଦା ଦେଖୁଛି ବାଦଲମାନଙ୍କର ଘୋଡ଼ାଦଉଡ଼ । ବର୍ଷାଋତୁ ଚାଲିଯାଇଛି । ଆକାଶରେ ଖୁବ୍ ଜୋରରେ ମେଘ ଘୋଟି ଆସୁଛି; କିନ୍ତୁ ବିନ୍ଦୁ କେତୋଟି ବର୍ଷି ଅଟକି ଯାଉଛି । ଦାତା ହୃଦୟରେ ଏବେ ସୁଦ୍ଧା ଦୟା ଅଛି; କିନ୍ତୁ ହାତ ଖାଲି । ଯାହା ଥିଲା, ସବୁ ବାଣ୍ଟି ଦେଇସାରିଛି ।

 

ଯେତେବେଳେ କେହି ଭିତରକୁ ଆସେ, ସଦର ଦରଜା ଖୋଲେ ଏବଂ ସେତିକିବେଳେ ସୁଖଦା ଫାଟକ ଆଗରେ ଆସି ଠିଆ ହୋଇଯାଏ । ପୁଣି କ୍ଷଣକ ମଧ୍ୟରେ ଫାଟକ ବନ୍ଦ ହୋଇଯାଏ; ମାତ୍ର ବାହାର ଦୁନିଆର ସେହି ମୁହୂର୍ତ୍ତକ ଦର୍ଶନପାଇଁ ଫାଟକ ଆଗରେ ଥିବା ସେହି ଗଛମୂଳେ ଘଣ୍ଟା ଘଣ୍ଟା କାଳ ଠିଆ ହୋଇ ରହେ ସୁଖଦା । ସେହି ମାଇଲିଏ ଲମ୍ବା ପାଚେରୀ–ବେଢ଼ା ଭିତରେ ଯେପରି ତା’ର ଶ୍ଵାସରୁଦ୍ଧ ହୋଇଯାଉଛି । ତା’ର ସେଠିକି ଯିବାର ଦୁଇ ମାସ ପୂରି ନଥିଲେବି ତାକୁ ଜଣାଯାଉଥାଏ, ଦୁନିଆରେ କେଜାଣି କେତେ ପରିବର୍ତ୍ତନ ହୋଇଗଲାଣି । ବାଟୋଇର ବାଟ ଚାଲୁଥିବା ଦୃଶ୍ୟ ମଧ୍ୟ ତାକୁ ବିଚିତ୍ର ଆନନ୍ଦ ଦେଉଛି । ବାହାରର ଦୁନିଆ କେବେ ଏଡ଼େ ଆକର୍ଷକ ନଥିଲା ତ !

 

ବେଳେବେଳେ ସେ ଭାବୁଛି, ସଫେଇ ଦେଇଥିଲେ ସେ ହୁଏତ ଖଲାସ ପାଇ ଯାଇଥାନ୍ତା; ମାତ୍ର ସେ କ’ଣ ଜାଣିଥିଲା ଯେ ମନର ଅବସ୍ଥା ଏପରି ହେବ ! ଯେଉଁ ଭାବନା ଭୁଲରେ ସୁଦ୍ଧା ମନକୁ ଆସି ନଥିଲା, ସେ ସବୁ ଏବେ ରୋଗୀର କୁପଥ୍ୟ–ଚେଷ୍ଟା ପରି ତା’ ମନକୁ ଉଦ୍‌ବିଗ୍ନ କରୁଛି । ଦୋଳିରେ ବସିବାକୁ ସେ କେବେ ଚାହେଁ ନାହିଁ; କିନ୍ତୁ ଆଜି ବାରମ୍ବାର ଇଚ୍ଛା ହେଉଛି–ରସି ମିଳନ୍ତା କି ଏହି ଗଛରେ ଦୋଳି ବାନ୍ଧି ଝୁଲନ୍ତି । ହତା ଭିତରେ ଗଉଡ଼ ଝିଅମାନେ ମଇଁଷି ଚରାଇବାବେଳେ ସିଝା ଆମ୍ବ–ଟାକୁଆ ଭାଙ୍ଗି ଖାଉଛନ୍ତି । ସେ ପିଲାଦିନେ ଥରେ ଗୋଟିଏ କୋଇଲି ଚାଖିଥିଲା–କଷା ଲାଗିଲା । ଆଉ କେବେ ସେ ତାହା ମୁହଁରେ ଦେଇ ନାହିଁ; କିନ୍ତୁ ଏବେ ସେହି କୋଇଲିପାଇଁ ତା’ର ଲୋଭ ହେଉଛି କଠିନତା, ତା’ର ଗନ୍ଧ ତାକୁ କେବେ ଏପରି ଭଲ ଲାଗି ନଥିଲା । ତା’ର ମନ ଅତି କୋମଳ ହୋଇଯାଇଛି, ଯେପରି ପାତ୍ରରେ ଆବଦ୍ଧ ରହିଥିବା କୌଣସି ଫଳ ଅଧିକ ରସାଳ, ସୁସ୍ଵାଦୁ, କୋମଳ ମଧୁର ହୋଇଯାଏ । ଲଲ୍ଲୁକୁ ସେ ମୁହୂର୍ତ୍ତକ ପାଇଁ ଆଖି ଆଗରୁ ଅନ୍ତର କରୁ ନାହିଁ । ସେହି ତ ତା’ ଜୀବନର ଆଧାର । ଦିନରେ କେତେ ଥର ତା’ପାଇଁ ଦୁଧ, ହାଲୁଆ ଆଦି ତିଆରି କରୁଛି, ତା’ ସହିତ ଦଉଡ଼ୁଛି, ଖେଳୁଛି; ଏପରିକି ସେ ଯେତେବେଳେ ପିଉସୀ ବା ବୁଢ଼ାବାପାଙ୍କ ପାଇଁ କାନ୍ଦୁଛି, ଏ ନିଜେବି କାନ୍ଦି ପକାଉଛି । ଏବେ ବାରମ୍ବାର ଅମର କଥା ତା’ର ମନେପଡ଼ୁଛି । ତା’ର ଆରେଷ୍ଟ୍ ହେବା ଓ ସଜା ପାଇବା ଖବର ପାଇ ସେ ଯେଉଁ ଚିଠି ଦେଇଥିବେ, ତାକୁ ପଢ଼ିବାପାଇଁ ତା’ର ମନ ଛଟପଟ ହୋଇ ଉଠୁଛି ।

 

ଲେଡ଼ି ମେଟ୍ରନ୍ ଆସି କହିଲେ–ସୁଖଦା ଦେବୀ ! ତୁମ ଶ୍ୱଶୁର ତୁମ ସହିତ ଦେଖା କରିବାକୁ ଆସିଛନ୍ତି । ପ୍ରସ୍ତୁତ ହୋଇଯାଅ । ସାହେବ କୋଡ଼ିଏ ମିନିଟ୍ ସମୟ ଦେଇଛନ୍ତି ।

 

ସୁଖଦା ଚଟ୍‍କରି ଲଲ୍ଲୁର ମୁହଁ ଧୋଇଦେଲା, ନୂଆ ପୋଷାକ ପିନ୍ଧାଇ ଦେଲା, ଯାହାକି ସେ କେତେଦିନ ପୂର୍ବେ ଜେଲ୍‌ରେ ସିଲାଇ କରିଛି । ତା’ପରେ ତାକୁ କାଖେଇ ମେଟ୍ରନ୍ ସହିତ ବାହାରକୁ ଗଲା । ସତେ ବା ଆଗରୁ ପ୍ରସ୍ତୁତ ଥିଲା !

 

ସାକ୍ଷାତ୍‌କାର କୋଠରୀଟି ଜେଲ ମଝିରେ, ବାହାର ଆଡ଼ୁ ରାସ୍ତା ପଡ଼ିଛି । ମାସକ ପରେ ଜେଲ୍ ବାହାରକୁ ଆସିଥିବାରୁ ଶେଯରୁ ଉଠିଥିବା ରୋଗୀ ପରି ସୁଖଦା ଉଲ୍ଲସି ଉଠୁଛି । ଇଚ୍ଛା ହେଉଛି ଆଗରେ ଥିବା ପଡ଼ିଆରେ ଖୁବ୍ ଡିଆଁ–କୁଦା କରିବାକୁ । ଏଣେ ଲଲ୍ଲୁତ ଚଢ଼େଇଙ୍କ ପଛେ ପଛେ ଦଉଡ଼ୁଛି ।

 

ଲାଲା ସମରକାନ୍ତ ପୂର୍ବରୁ ସେଠାରେ ବସିଥିଲେ । ଲଲ୍ଲୁକୁ ଦେଖିବାମାତ୍ରେ ଗଦ୍‌ଗଦ୍ ହୋଇ ଉଠିଲେ ଓ କୋଳକୁ ଉଠାଇ ନେଇ ବାରମ୍ବାର ତା’ ମୁହଁରେ ଚୁମା ଦେଲେ । ତା’ପାଇଁ ମିଠାଇ, ଖେଳନା, ଫଳ, ପୋଷାକ ଇତ୍ୟାଦି ପୂରା ଗଣ୍ଡିରାଏ ନେଇଥାନ୍ତି । ସୁଖଦା ମଧ୍ୟ ଶ୍ରଦ୍ଧା ଓ ଭକ୍ତିରେ ପୁଲକିତ ହୋଇଉଠିଲା । ତାଙ୍କ ପାଦତଳେ ପଡ଼ି କାନ୍ଦିବାକୁ ଲାଗିଲା; କିନ୍ତୁ ତା’ ଉପରେ କିଛି ବିପଦ ପଡ଼ିଛି ବୋଲି ନୁହେଁ; ବରଂ କାନ୍ଦିବାରୁ ସେ ଆନନ୍ଦ ପାଉଥାଏ ।

 

ସମରକାନ୍ତ ଆଶୀର୍ବାଦ ଦେଇ ପଚାରିଲେ–ଏଠି ତୁମର ଯେତେବେଳେ ଯାହା ଅସୁବିଧା ହେବ, ମେଟ୍ରିମ୍ ସାହେବଙ୍କୁ କହିବ । ମୋ ଉପରେ ତାଙ୍କର ଭାରି ଦୟା । ଲଲ୍ଲୁ ଏଣିକି ନିତି ସନ୍ଧ୍ୟାବେଳେ ବାହାରେ ଖେଳାଖେଳି କରିବ । ଆଉ କିଛି ଅସୁବିଧା ହେଉଛି କି ?

 

ସୁଖଦା ଦେଖିଲା ସମରକାନ୍ତଙ୍କ ସ୍ଵାସ୍ଥ୍ୟ ଭାଙ୍ଗିଯାଇଛି । ଶ୍ରଦ୍ଧାରେ ତା’ର ହୃଦୟ ଉଛୁଳି ଉଠିଲା । କହିଲା–ମୁଁ ତ ଏଠି ବଡ଼ ଆରାମରେ ଅଛି; କିନ୍ତୁ ଆପଣ ଏତେ ଦୁର୍ବଳ ହୋଇ ପଡ଼ିଛନ୍ତି କାହିଁକି ?

 

“ସେ କଥା ପଚାରନା, ମା’ ! ବରଂ ପଚାର, ‘ଆପଣ ଜିଇଛନ୍ତି କିପରି ?’ ନୟନାବି ଚାଲିଗଲାଣି । ବର୍ତ୍ତମାନ ଘରଟା ହୋଇଛି ଭୂତଖାନା । ଶୁଣୁଛି, ଲାଲା ଧନୀରାମ ଆପଣା ବାପଠୁଁ ଭିନେ ହୋଇ ଅନ୍ୟ ବିବାହ କରିବାକୁ ଯାଉଛନ୍ତି । ତୁମ ମା’ ତୀର୍ଥଯାତ୍ରାକୁ ବାହାରିଗଲେଣି । ସହରରେ ଆନ୍ଦୋଳନ ଚାଲିଛି । ସେହି ଜମି ଉପରେ ଦିନସାରା ଲୋକଙ୍କ ଭିଡ଼ ଲାଗିରହିଛି । କେତେକ ତ ରାତିରେବି ସେଠି ଶୋଉଛନ୍ତି । ଦିନେ ତ ରାତାରାତି ସେଠି ଶହ ଶହ କୁଡ଼ିଆ ଠିଆ କରିଦେଲେ; କିନ୍ତୁ ପରଦିନ ପୋଲିସ୍‍ବାଲା ସେଗୁଡ଼ିକୁ ପୋଡ଼ି ଦେଲେ ଓ କେତେ ଜଣ ମୁଖିଆଙ୍କୁ ଧରି ନେଲେ ।”

 

ସୁଖଦା ମନେମନେ ଉଲ୍ଲସିତ ହୋଇ ପଚାରିଲା–ଲୋକମାନେ କି ମୂର୍ଖତା କଲେ ! ସେଠିତ ବର୍ତ୍ତମାନ କୋଠିସବୁ ତିଆରି ଚାଲିଥିବ !

 

ସମରକାନ୍ତ କହିଲେ–ହଁ, ଇଟା, ଚୂନ, ବାଲି ତ ଜମା ହୋଇଥିଲା; କିନ୍ତୁ ଦିନେ ରାତାରାତି ସବୁ କୁଆଡ଼େ ଉଭେଇଗଲା । ଇଟାସବୁ ଫୋପାଡ଼ି ଦେଲେ । ସେହିଦିନଠୁଁ କେହି ମଜୁରିଆ ପାଉ ନାହିଁ–କି ମାଟିଆ କି କାରିଗର । ରାତିରେ ପୁଲିସ୍–ପହରା । ସେହି ବୁଢ଼ୀ ପଠାଣୁଣୀ ଆଜିକାଲି ସେଠି ସବୁ କରୁଛି । ଏପରି ସଂଗଠନ କରିଛି ଯେ ଆଶ୍ଚର୍ଯ୍ୟ ଲାଗୁଛି ।

 

ଯେଉଁ କାମ ସେ କରି ପାରି ନଥିଲା‌ ତାକୁ ସେ ଠାକରୀ ବୁଢ଼ୀ ସୁଚାରୁରୂପେ ଚଳାଇଛି–ଏହା ଭାବିଲାବେଳକୁ ଆତ୍ମାଭିମାନରେ ଆଘାତ ଲାଗିଲା । କହିଲା–ସେ ବୁଢ଼ୀ ତ ଚାଲି–ବୁଲି ପାରୁ ନଥିଲା !

 

“ହଁ, ସେହି ବୁଢ଼ୀ ତ‌ ଆଚ୍ଛା ଆଚ୍ଛା ଲୋକଙ୍କୁ ପାଣି ପେଇ ଦେଉଛି । ସେ ଲୋକଙ୍କୁ ଏମିତି ହାତ କରିଛି, କ’ଣ କହିବି ! ଶାନ୍ତିବାବୁ ତ ତାଙ୍କର ବସି ଭିତରେ ଭିତରେ କଳ ମୋଡ଼ୁଛନ୍ତି-।”

 

ସୁଖଦା ଆଜିସୁଦ୍ଧା ତାଙ୍କୁ ବା ଆଉ କାହାକୁ ଅମରକାନ୍ତ ବିଷୟରେ କିଛି ପଚାରୁ ନଥିଲା; ଆଜି କିନ୍ତୁ ସେ ମନକୁ ବାଧା ଦେଇପାରୁ ନାହିଁ–ହରିଦ୍ୱାରରୁ କିଛି ଚିଠିପତ୍ର ଆସିଥିଲା ?

 

ଲାଲା ସମରକାନ୍ତଙ୍କ ମୁଦ୍ରା କଠୋର ହୋଇଗଲା । କହିଲେ–ହଁ ଆସିଥିଲା । ସେହି ପାଜି ସଲୀମ୍ ପଠାଇଥିଲା । ସେଇ ତ ଏବେ ସେ ଇଲାକାର ମାଲିକ । ସେ ବି ଧରପଗଡ଼ ଆରମ୍ଭ କରି ଦେଇଛି । ସେ ନିଜେ ବାବୁଙ୍କୁ ଗିରଫ୍‍ତାର କରିଛି । ଏହି ହେଲା ବାବୁଙ୍କ (ଅମରର) ବନ୍ଧୁଙ୍କ ହାଲ୍ । ଏବେ ଆଖି ଖୋଲି ଯାଇଥିବ ଯେ ! ମୋର ଏବେ କ’ଣଟା ହୋଇଗଲା, ନିଜେ ଧକ୍କା ଖାଉଛି । ଏବେ ଜେଲରେ ଚକି ପେଷୁଥିବେ । ଯାଇଥିଲେ ଗରିବଙ୍କ ସେବା କରିବାକୁ; ଏ ତା’ର‌ ଉପହାର । ମୁଁ ତ ଏମିତି ବନ୍ଧୁକୁ ଗୁଳି କରି ଦେଇଥାନ୍ତି । ଗିରଫ୍ ହେଲା, ତେବେବି ମୋତେ ଖଣ୍ଡେ ଚିଠି ଲେଖିଲା ? ତା’ ଲେଖାରେ ତ ମୁଁ ମରିଗଲିଣି; ହେଲେ ଏ ବୁଢ଼ା ଏବେ ମରିବା ନାଆଁବି ଧରୁ ନାହିଁ ଆରାମରେ ଖାଉଛି–ପିଉଛି, ଶୋଉଛି । କେହି ମନାସିଲେବି ମୁଁ ମରୁ ନାହିଁ । ତା’ ଟାଣପଣ ଦେଖ, ଘରେ କାହାରିକି ଖବରଟାଏବି ଦେଉ ନାହିଁ । ମୁଁ ସିନା ଶତ୍ରୁ; କିନ୍ତୁ ନୟନା ତ ନୁହେଁ, ଶାନ୍ତିବାବୁ ତ ନୁହନ୍ତି । ଏଠୁ କେହି ଯାଇ ମକଦ୍ଦମା ଦେଖାଶୁଣା କଲେ ‘ଏ’ କ୍ଲାସ୍ କି ‘ବି’ କ୍ଲାସ୍ ତ ମିଳିଯାନ୍ତା । ନା, ମାମୁଲି କଏଦୀ ପରି ପଡ଼ିଛି । ନିଜେ କାନ୍ଦୁଥିବ, ମୋର କ’ଣ ହେଇଯାଉଛି କି !

 

ସୁଖଦା କାତର କଣ୍ଠରେ କହିଲା–ଆପଣ ଏବେଠୁଁ ଚାଲିଯାଉ ନାହାନ୍ତି ?

 

ସମରକାନ୍ତ ନାକ ଟେକି କହିଲେ–ମୁଁ କାହିଁକି ଯାଉଛି, ତା’ କର୍ମ–ଫଳ ସେ ଭୋଗୁ । ସେ ଯେଉଁ ଟୋକୀଟା ଥିଲା ସକୀନା, ତା’ର ବାହାଘର ସେଇ ପାଜି ସଲୀମ୍ ସଙ୍ଗେ ହେବାର କଥାବାର୍ତ୍ତା ଚାଲିଛି; ଯେ କି ଆମ ବାବୁଙ୍କୁ ଗିରଫ୍ କରିଛି । ଏବେ ଆଖି ଖୋଲିଥିବ ଯେ !

 

ସୁଖଦା ସହୃଦୟତାପୂର୍ଣ୍ଣ ସ୍ଵରରେ କହିଲା–ଆପଣ ତ ତାଙ୍କୁ ଗାଳି ଦେଉଛନ୍ତି, ବାପା ! ପ୍ରକୃତରେ ଦୋଷ ତାଙ୍କର ନୁହେଁ । ପ୍ରକୃତ ଅପରାଧୀ ମୁଁ । ତାଙ୍କ ପରି ତପସ୍ଵୀ ପୁରୁଷ ମୋ ପରି ବିଳାସିନୀ ସ୍ତ୍ରୀ ପାଖରେ କେମିତି ବା ପ୍ରସନ୍ନ ରହିଥାନ୍ତେ ! ପ୍ରକୃତରେ କହିବାକୁ ଗଲେ ଦୋଷ ମୋର କି ଆପଣଙ୍କର କି ତାଙ୍କର ନୁହେଁ । ସବୁଯାକ ବିଷ–ବୀଜ ବୁଣିଥିଲେ ଲକ୍ଷ୍ମୀ । ଆପଣଙ୍କ ଘରେ ତାଙ୍କପାଇଁ ସ୍ଥାନ ନଥିଲା । ଆପଣ ବରାବର ତାଙ୍କଠାରୁ ଦୂରେଇ ରହୁଥିଲେ । ମୁଁ ବି ସେହିପରି ଜଳବାୟୁରେ ବଢ଼ି ଆସିଛି, ତାଙ୍କୁ ଚିହ୍ନିପାରିଲି ନାହିଁ । ସେ ଭଲ କରନ୍ତୁ କି ମନ୍ଦ କରନ୍ତୁ ସବୁଥିରେ ତାଙ୍କୁ ବିରୋଧ କରାଯାଉଥିଲା । କଥା–କଥାକେ ତାଙ୍କୁ ଅପମାନ ଦିଆଯାଉଥିଲା । ଏପରି ଅବସ୍ଥାରେ କେହି ସନ୍ତୁଷ୍ଟ ରହିପାରି ନଥାନ୍ତେ । ମୁଁ ଏକାନ୍ତରେ ସେ ବିଷୟରେ ବହୁତ ବିଚାର କରିଛି । ନିଜର ଦୋଷ ସ୍ୱୀକାର କରିବାକୁ ମୋର ଲେଶମାତ୍ର ସଂକୋଚ ନାହିଁ । ଆପଣ ଏଠି ମୁହୂର୍ତ୍ତେ ହେଳା ନ କରି ସେଠାକୁ ଯାଇ ଅଫିସରମାନଙ୍କୁ ସାକ୍ଷାତ କରନ୍ତୁ, ସଲୀମ୍‍କୁ ଦେଖା କରନ୍ତୁ ଆଉ ତାଙ୍କପାଇଁ ଯାହା ଯାହା ହୋଇପାରିବ କରନ୍ତୁ । ଆମେ ତାଙ୍କର ବିଶାଳ ତପସ୍ଵୀ–ଜୀବନକୁ ଭୋଗ–ବିଳାସର ବନ୍ଧନରେ ରଖିବାକୁ ଚାହୁଁଥିଲେ । ଆକାଶରେ ପକ୍ଷୀକୁ ଆମେ ପିଞ୍ଜରାରେ ବନ୍ଦ ରଖିବାକୁ ଚାହୁଁଥିଲେ । ପକ୍ଷୀଟି ଯେତେବେଳେ ପିଞ୍ଜରା ଭାଙ୍ଗିଦେଇ ଉଡ଼ିଗଲା, ମୁଁ ବୁଝିପାରିଲି ଯେ ମୁଁ ହତଭାଗିନୀ । ଆଜି ମୁଁ ବୁଝିପାରୁଛି ସେ ଥିଲା ମୋର ପରମ ସୌଭାଗ୍ୟ ।

 

ସମରକାନ୍ତ ମୁହୂର୍ତ୍ତେକାଳ ଚକିତ ଦୃଷ୍ଟିରେ ସୁଖଦା ଆଡ଼କୁ ଚାହିଁ ରହିଲେ, ସତେ ବା ସେ ନିଜ କାନକୁ ବିଶ୍ଵାସ କରୁ ନାହାନ୍ତି । ଏହି ସୁଶୀତଳ କ୍ଷମା ତାଙ୍କର ମଉଳା ପୁତ୍ର–ସ୍ନେହକୁ ଯେପରି ସବୁଜ କରିଦେଲା । କହିଲେ–ତା’ ତ ମୁଁ ଭଲକରି ପରଖି ସାରିଛି, ବାଜେ କଥା । ସେ ରାଗିଥିଲା ସେହି ରାଗରେ ତା’ ପାଟିରେ ଯାହା ପଶିଲା, କହିଗଲା । ଏ ଦୋଷ ତା’ଠାରେ ଆଗରୁ ତ ନଥିଲା; ମୁଁ ବି ରାଗରେ ଅନ୍ଧ ପାଲଟିଗଲି । ହେଲା ଏବେ, ମୁଁ କହୁଛି କି, କଥାଟା ମିଛ ନ ହୋଇ ସତ ହେଲେବି ଷୋଳଅଣା ସତ । ସଂସାରରେ ସେମିତିକା ଲୋକଙ୍କ ବେକ କାଟି ଦିଆଯାଉଛି ? ମୁଁ କେତେ ବଡ଼ବଡ଼ ବ୍ୟଭିଚାରୀଙ୍କ ଆଗରେ ମୁଣ୍ଡ ନୁଆଁଉଛି । ତେବେ ଆପଣା ଘର ଭିତରେ, ଯେ କିଛି ପ୍ରତିକାର କରିବ ବୋଲି ଆଶଙ୍କା ନାହିଁ, ତା’ର ଉପରେ ଧର୍ମ ଆଉ ସଦାଚାରର ସମୁଦାୟ ଭାର ଲଦିଦେବା କ’ଣ ଠିକ୍ ! ସେ ପ୍ରେମ ବନ୍ଧନରେ ବନ୍ଧା ନୁହେଁ, ସେ ବ୍ୟଭିଚାର କରେ । ଗୋଟିଏ ଦ୍ଵାରରେ ପେଟ ପୂରେ ନାହିଁ ବୋଲି ତ ଭିକାରି ବାରଦ୍ଵାରକୁ ଯାଏଁ ! ଯଦି ତାକୁ ଦୋଷ ବୋଲି ଧରାଯାଏ ତେବେ ଈଶ୍ଵର ନିର୍ଦ୍ଦୋଷ ସଂସାର ନ ଗଢ଼ିଲେ କାହିଁକି ? ଯଦି କୁହାଯାଏ ଯେ ଈଶ୍ଵରଙ୍କ ଇଚ୍ଛା ସେପରି ନୁହେଁ, ତେବେ ମୁଁ ପଚାରିବି–ସବୁ ଯେବେ ଈଶ୍ଵରଙ୍କ ଅଧୀନ, ତେବେ ସେ ମନକୁ ଏପରି କାହିଁକି କରି ଦିଅନ୍ତି, ଯାହା ଫଳରେ ତାକୁ ଭଙ୍ଗା କୁଡ଼ିଆ ପରି ଗୁଡ଼ିଏ ଠେକର ଆଶ୍ରୟ ନେବାକୁ ପଡ଼େ ? କୌଣସି ରୋଗୀକୁ ଭଲ ହୋଇଯିବା ପାଇଁ ଆଦେଶ ଦେବା ଯାହା, ଏ ଠିକ୍ ସେୟା । ରୋଗୀଠାରେ ଯଦି ସେ କ୍ଷମତା ଥାନ୍ତା, ସେ ରୋଗରେ ପଡ଼ିଥାନ୍ତା ବା କାହିଁକି ?

 

ଏକ ନିଃଶ୍ଵାସରେ ହୃଦୟର ସମସ୍ତ ଆବିଳତା ନିଗାଡ଼ି ଦେବା ପରେ ଲାଲାଜୀ ଦମ୍ ନେବାପାଇଁ ଅଟକିଗଲେ । କାଳେ କେଉଁଠି ଲାଗି–ଲେଶି ହୋଇ ଅଟକି ଯାଇଥିବ, ତାକୁ ବୋଧହୁଏ ରାମ୍ପି କୋରି ବାହାର କରି ଦେବାକୁ ଚେଷ୍ଟା କରୁଥିଲେ ।

 

ସୁଖଦା ପଚାରିଲା–ତେବେ ଆପଣ ତେଣିକି ଯାଉଛନ୍ତି, କେବେ ?

 

ଲାଲାଜୀ ତତ୍‌କ୍ଷଣାତ୍‌ ଉତ୍ତର ଦେଲେ–ଆଜିରେ ଏଠୁ ବାହାରିଯିବି । ଶୁଣୁଛ, ସେଠି ଭାରି ଜୋର ଦମନ ଚାଲିଛି । ଏବେ ତ ସେଠିକାର ହାଲ୍ ଖବରକାଗଜରେବି ବାହାରିଲାଣି । କେତେ ଦିନ ହେଲା ମୁନ୍ନୀ ବୋଲି ଗୋଟିଏ ସ୍ତ୍ରୀଲୋକବି ଅନ୍ୟ କେତେକଙ୍କ ସହିତ ଗିରଫ୍ ହୋଇଛି । ଏମିତି ଗୋଟାଏ ବିପ୍ଳବ ପ୍ରଦେଶ କ’ଣ ସାରା ଦେଶରେ ବ୍ୟାପିଯାଇଛି । ସବୁଆଡ଼େ ଧର–ପଗଡ଼ ଚାଲିଛି ।

 

ପିଲାଟି ବାହାରକୁ ଚାଲିଯାଇଥିଲା । ଲାଲାଜୀ ତାକୁ ଡାକିବାରୁ ସେ ସଡ଼କ ଆଡ଼କୁ ଧାଇଁଲା । ସମରକାନ୍ତ ମଧ୍ୟ ତା’ ପଛେ ପଛେ ଧାଇଁଲେ । ପିଲା ଭାବିଲା, ଖେଳ ଲାଗିଛି; ସେ ଆହୁରି ଜୋରରେ ଧାଇଁଲା । ଅଢ଼େଇବର୍ଷର ପିଲା କେତେ ଶୀଘ୍ର ବା ଦଉଡ଼ିବ; କିନ୍ତୁ ସ୍ଥୂଳକାୟ ସମରକାନ୍ତଙ୍କ ପକ୍ଷରେ ତାହା ପୂରା କସରତ । ବଡ଼ କଷ୍ଟରେ ତାକୁ ଧରିଲେ ।

 

ଟିକିଏ ପରେ ଗୋଟାଏ ସାରଗର୍ଭକ ବାଣୀ ଶୁଣାଇଲା ପରି କହିଲେ–ମୁଁ ତ ଭାବୁଛି, ଯେଉଁମାନେ ଜାତି–ହିତପାଇଁ ଜୀବନ ବଳି ଦେବାକୁ ସର୍ବଦା ପ୍ରସ୍ତୁତ, ସେମାନଙ୍କ ଦୋଷ–ତ୍ରୁଟି ଉପରେ ନଜର ଦେବା ଆଦୌ ଉଚିତ ନୁହେଁ ।

 

ସୁଖଦା ବିରୋଧ କଲା–ତା’ କିପରି କହୁଛନ୍ତି, ବାପା ! ସେପରି ଲୋକଙ୍କର ଚରିତ୍ର ଆଦର୍ଶ ହେବା ଉଚିତ; ନଚେତ୍ ସେମାନଙ୍କ ପରୋପକାରରେ ସ୍ୱାର୍ଥ ଓ ବାସନାର ଦାଗ ଲାଗିବ ।

 

ସମରକାନ୍ତ ତତ୍ତ୍ଵଜ୍ଞାନର ବ୍ୟାଖ୍ୟା କଲେ–ମୋ ମତରେ ଯାହା ମିଳିଲେ ମନରେ ହର୍ଷ ଓ ନ ମିଳିଲେ କ୍ଷୋଭ ଜନ୍ମେ, ତାହାହିଁ ସ୍ୱାର୍ଥ । ଆଉ ଯେଉଁ ପ୍ରାଣୀର ହର୍ଷ ବା କ୍ଷୋଭ ନ ଜନ୍ମେ, ସେ ମନୁଷ୍ୟ ନୁହେଁ କି ଦେବତା ନୁହେଁ, ସେ ଜଡ଼ ।

 

ସୁଖଦା ହସିଲା–ତେବେ ସଂସାରରେ ତ କେହି ନିଃସ୍ୱାର୍ଥ ହୋଇ ପାରିବେନି ।

 

“ଅସମ୍ଭବ । ସ୍ୱାର୍ଥ ଛୋଟ ହେଲେ ସ୍ୱାର୍ଥ, ବଡ଼ ହେଲେ ଉପକାର । ମୁଁ ତ ବିଚାରେ ଈଶ୍ୱର–ଭକ୍ତିବି ସ୍ୱାର୍ଥ ।”

 

ସାକ୍ଷାତ୍‌କାର ସମୟ ଅତୀତ ହୋଇଯାଇଛି । ମେଟ୍ରନ୍ ଆଉ ଅପେକ୍ଷା କରିପାରୁ ନାହାନ୍ତି । ସମରକାନ୍ତ ପିଲାଟିକୁ ସ୍ନେହ ଓ ସୁଖଦାକୁ ଆଶୀର୍ବାଦ ଦେଇ ବାହାରିଗଲେ ।

 

ବହୁତ ଦିନ ପରେ ଆଜି ସେ ନିଜ ଭିତରେ ଆନନ୍ଦ ଓ ଆଲୋକ ଅନୁଭବ କରୁଛନ୍ତି । ସତେଅବା ଚନ୍ଦ୍ରଦେବଙ୍କ ମୁଖମଣ୍ଡଳରୁ ମେଘର ଆବରଣ ଅପସରି ଯାଇଛି !

 

–୪୫–

 

ସୁଖଦା ନିଜ କୋଠରୀରେ ପହଞ୍ଚି ଦେଖିଲା–ଯୁବତୀଟିଏ କଇଦୀ ପୋଷାକ ପିନ୍ଧି କୋଠରୀଟିକୁ ସଫା କରୁଛି । ଗୋଟିଏ ଚୌକିଦାରିଆଣୀ ମଝିରେ ମଝିରେ ତାକୁ ଧମକାଉଛି ।

 

ପ୍ରହରିଣୀ ବନ୍ଦିନୀର ପିଠିରେ ଗୋଇଠା ମାରି କହିଲା–ରାଣ୍ଡୀ, ତୋତେ କ’ଣ ଝାଡ଼ୁ ଦେଇ ଆସେ ନାଇଁ ? କିଲୋ, ଧୂଳି ଉଡ଼ାଉଛୁ କାହିଁକି ? ହାତ ଚାପିକରି ଓଳାଉନୁ !

 

ବନ୍ଦିନୀଟି ଝାଡ଼ୁ ଫିଙ୍ଗିଦେଇ ମୁହଁ ତମତମ କରି କହିଲା–ମୁଁ ଏଠିକି ଆସି ନାହିଁ କାହାରି ଟହଲ କରିବାକୁ ।

 

“ତେବେ କ’ଣ ରାଣୀ ହୋଇ ଆସିଛୁ ?”

 

“ହଁ, ରାଣୀ ହୋଇ ଆସିଛି । କାହାରି ନୌକରି ରୁଣ୍ଡେଇବା ମୋର କାମ ନୁହେଁ ।”

 

“ତୁ ଝାଡ଼ୁ ଦେବୁନା ନାଇଁ ?”

 

“ଭଲରେ କହିଲେ ମୁଁ ତୁମ ମେହନ୍ତରାଣୀ ଘରେ ଝାଡ଼ୁଦେବି; କିନ୍ତୁ ମାଡ଼ ଭୟ ଦେଖାଇ ମୋତେ ତୁମେ ରାଜା ଘରେବି ଝାଡ଼ୁ ଦିଆଇପାରିବ ନାହିଁ । ମନେରଖିଥା ।”

 

“ତୁ ଦେବୁନି ଝାଡ଼ୁ ?”

 

“ନା ।”

 

ଚୌକିଦାରିଆଣୀ କଇଦୀର କେଶ ଧରି ଟାଣି ଟାଣି ବାହାରକୁ ନେଇଗଲା । ରହି ରହି ଗାଲରେ ଚାପୁଡ଼ାବି ଲଗାଇ ଦେଉଥାଏ ।

 

“ଚାଲ୍‌ ଜେଲର୍ ସାହେବଙ୍କ ପାଖକୁ ।”

 

“ହଁ, ଚାଲ । ମୁଁ ତାଙ୍କ ପାଖରେବି ଏହି କଥା କହିବି । ମାଡ଼–ଗାଳି ଖାଇବାକୁ ଆସିନାହିଁ ମୁଁ ।”

 

ସୁଖଦା ବାରମ୍ବାର ଲେଖାଲେଖି କରିବାରେ ତାକୁ ଏହି ସେବିକାଟି ଦିଆଯାଇଥିଲା; ମାତ୍ର ଏ କାଣ୍ଡ ଦେଖି ତା’ର ମନ କ୍ଷୁବ୍ଧ ହୋଇଉଠିଲା । ସେ କୋଠରୀରେ ପାଦ ପକାଇବାକୁବି ତାକୁ ଖରାପ ଲାଗିଲା ।

 

ବନ୍ଦିନୀଟି ସଜଳ ନୟନରେ ତାକୁ ଚାହିଁ କହିଲା–ତୁମେ ସାକ୍ଷୀ ଥାଅ । ଏ ଚୌକିଦାରିଆଣୀ ମୋତେ କେତେ ମାରିଲାଣି ।

 

ସୁଖଦା ନିକଟିକୁ ଯାଇ ପ୍ରହରିଣୀକୁ ହଟାଇ ଦେଇ ବନ୍ଦିନୀଟିର ହାତ ଧରି କୋଠରୀ ଭିତରକୁ ନେଇଗଲା ।

 

ଚୌକିଦାରିଆଣୀ ଧମକ ଦେଇ କହିଲା–ରୋଜ୍ ସକାଳେ ଏଠିକି ଆସିବୁ । ଏ ଯେଉଁ କାମ ବଢ଼େଇବେ କରିବୁ, ନହେଲେ ପାହାର ବସିବ ।

 

କଇଦୀଟି କ୍ରୋଧରେ କମ୍ପୁଥିଲା–ମୁଁ କାହାରି ପୋଇଲୀ ନୁହେଁ କି ଏ କାମ କରିବି ନାହିଁ-। କେଉଁ ରାଣୀ–ମହାରାଣୀଙ୍କ ଟହଲ କରିବାକୁ ମୁଁ ଆସି ନାହିଁ । ଜେଲରେ ସମସ୍ତେ ସମାନ-

 

ସୁଖଦା ଦେଖିଲା ଯୁବତୀଟିର ଆତ୍ମସମ୍ମାନ କମ୍ ନୁହେଁ । ଲଜ୍ଜିତା ହୋଇ କହିଲା–ଏଠି କେହି ରାଣୀ–ମହାରାଣୀ ନୁହନ୍ତି ଭଉଣୀ । ଏକକୀ ଥିବାରୁ ମୋ ମନ ବ୍ୟସ୍ତ ହେଉଥିଲା, ସେଥିପାଇଁ ତୁମକୁ ଡକାଇଥିଲି । ଆମେ ଦୁଇ ଭଉଣୀ ପରି ଏଠି ରହିବା । କ’ଣ ତୁମ ନାଆଁଟି ?

 

ଯୁବତୀର କଠୋର ମୁଦ୍ରା ଶିଥିଳ ହୋଇଗଲା । କହିଲା–ମୋ ନାମ ମୁନ୍ନୀ । ହରିଦ୍ୱାରରୁ ଆସିଛି ।

 

ସୁଖଦା ଚମକିପଡ଼ିଲା–ଲାଲା ସମରକାନ୍ତ ତ ଏହି କାମ କହୁଥିଲେ ! ପଚାରିଲା–କେଉଁ ଅପରାଧ ପାଇଁ ସଜା ପାଇଛ ?

 

“ଅପରାଧ କ’ଣ ! ସରକାର ଜମିର ଖଜଣା କମ୍ କରୁ ନଥିଲା । ଚାରିଅଣା ଛାଡ଼ ହେଲା । ଜିନିଷର ଦାମ୍ ତ ଅଧାବି ହେଲା ନାହିଁ । ଆମେ କାହାଘରୁ ଆଣି ଦେଇଥାନ୍ତୁ ? ଏଇ କଥା ନେଇ ଅମେ ଆପତ୍ତି କଲୁଁ । ବାସ୍, ସରକାର ଏତିକିରେ ସଜା ଦେବା ଚାଲୁ କରିଦେଲେ ।”

 

ସୁଖଦା ମୁନ୍ନୀକୁ ପୂର୍ବେ କେତେ ବାର ଅଦାଲତରେ ଦେଖିଥିଲା । ତା’ର ଚେହେରା ସେତେବେଳଠାରୁ ବହୁତ ବଦଳିଯାଇଛି । ପଚାରିଲା–ତୁମେ ଅମରକାନ୍ତବାବୁଙ୍କୁ ଚିହ୍ନ ? ଏଇ ମାମଲାରେ ସେ ବି ଗିରଫ୍ ହୋଇଛନ୍ତି ତ ?

 

ମୁନ୍ନୀ ପ୍ରସନ୍ନ ହେଲା–ଜାଣି ନାହିଁ କାହିଁକି ? ସେ ତ ମୋରି ଘରେ ରହୁଥିଲେ । ତୁମେ ତାଙ୍କୁ ଜାଣ ? ସେହିପରା ଆମର ଆଗୁଆ ।

 

ସୁଖଦା କହିଲା–ମୁଁ ବି କାଶୀର ଲୋକ । ତାଙ୍କ ଘର ଆମରି ସାହିରେ । ତୁମେ କ'ଣ ବ୍ରାହ୍ମଣୀ ?

 

“ଥିଲି ତ କ୍ଷତ୍ରିୟାଣୀ; କିନ୍ତୁ ଏବେ କିଛି ନୁହେଁ । ଜାତି–କୁଳ, ପୁଅ–ପତି ସବୁ ହରାଇଛି-।”

 

“ଅମରବାବୁ କେବେ ତାଙ୍କ ଘରକଥା ପକାନ୍ତି ନା ?”

 

“ନା, କେବେ ନୁହେଁ । କେବେ ଯିବା–ଆସିବା ନାହିଁ କି ଚିଠିପତ୍ର ନାହିଁ ।”

 

ସୁଖଦା ଆଡ଼–ନୟନରେ ଚାହିଁ କହିଲା–କିନ୍ତୁ ସେ ତ ବଡ଼ ରସିକ ଲୋକ । ସେ ଗ୍ରାମରେ କାହାରିଠିଁ ଡୋର ଲଗାଇ ନାହାନ୍ତି ?

 

ମୁନ୍ନୀ ଜିଭ କାମୁଡ଼ି ପକାଇଲା–ନାଇଁ–ନାଇଁ ଭଉଣୀ, କେଭେ ନୁହେଁ । ସେ ତ କେବେ କେଉଁ ଝିଅ–ବୋହୂକୁ ଅନେଇବା କି ହସିବାରବି ମୁଁ ଦେଖି ନାହିଁ । କେଜାଣି କାହିଁକି, ଆପଣା ଘରଣୀ ଉପରେ ରୁଷିଥିଲେ । ତୁମେ ଜାଣି ନଥିବ କି !

 

ସୁଖଦା ହସି ହସି କହିଲା–ରୁଷିଥିଲେ କ’ଣ, ଘରଣୀକୁ ତ ପର କରି ଦେଲେ । ଲୁଚିକରି ଘରୁ ପଳାଇଗଲେ । ବିଚାରୀ ମାଇପିଟି ଘରେ ବସିଛି । ତୁମେ ଜାଣି ନଥିବ ମ, ସେ ନିଶ୍ଚେ କେଉଁଠି ନା କେଉଁଠି ମନ ରସାଇଥିବେ ।

 

ମୁନ୍ନୀ ଡାହାଣ ହାତକୁ ସାପ-ଫଣା ହଲାଇ କହିଲା–ନାଇଁ ଗୋ, ସେମିତି କିଛି ହୋଇଥିଲେ ଗାଁରେ ଅଜଣା ରହିଥାନ୍ତା ? ମୁଁ ତ ନିତି ଦୁଇ ଚାରି ଥର ତାଙ୍କ ପାଖକୁ ଯାଏଁ । କେବେ ତ ମୁହଁ ଟେକି ଚାହାନ୍ତିନି । ଆଉ ପୁଣି ସେ ପଡ଼ାରେ ଏମିତି ଅଛି କିଏ ମ, ଯାହାଠି ତାଙ୍କ ମନ ରସନ୍ତା । କେହି କ’ଣ ଗୋଟାଏ ପାଠ–ଶାଠର ନା ଗୁଣ–ପଣର ନା ରୂପ–ରଙ୍ଗର ଅଛି ଯେ–

 

ସୁଖଦା ପୁଣି ନାଡ଼ି ଟିପିଲା–ପୁରୁଷ କ’ଣ ପାଠଶାଠ କି ଗୁଣପଣକୁ ଚାହାନ୍ତି ? ସେ ତ ଖୋଜନ୍ତି ରୂପ–ରଙ୍ଗ, ଆଉ ତା’ ତ ଭଗବାନ୍ ତୁମଠି ଊଣା କରି ନାହାନ୍ତି । ପୁଣି ଯୁବା–ବୟସୀ ।

 

ମୁନ୍ନୀ ମୁହଁ ମୋଡ଼ିଦେଇ କହିଲା–ତୁମେ ତ ମୋତେ ବଦନାମ କଲଣି ଗୋ ରାଣୀ ! ସେ ଭଲା ମୋ ଆଡ଼କୁ କାହିଁକି ଚାହାନ୍ତେ, ମୁଁ ତ ତାଙ୍କ ପାଦର ଜୋତାକୁବି ସରି ହେବନି । ତୁମ କଥା କହିଲ ଆଗ, ତୁମେ କିପରି ଏଠିକି ଆସିଲ ?

 

“ତୁମେ ଯେପରି ଆସିଛ, ମୁଁ ଠିକ୍ ସେହିପରି ଆସିଛି ।”

 

“ତେବେ ଏଠିବି ସେହି ଗୋଳମାଳ !”

 

“ହଁ, ଏକପ୍ରକାର ସେୟା ।”

 

ମୁନ୍ନୀକୁ ଆଶ୍ଚର୍ଯ୍ୟ ବୋଧ ହେଲା ଯେ ଏପରି ଶିକ୍ଷିତା ମହିଳାମାନଙ୍କୁ ମଧ୍ୟ ଜେଲରେ ରଖାଯାଇଛି ! ଏମାନଙ୍କର ଭଲା କେଉଁ ଦୁଃଖ ଯାଉ ନଥିଲା !

 

ସେ ଡରି ଡରି ପଚାରିଲା–ତୁମ ସ୍ୱାମୀବି ସଜା ପାଇଥିବେ ତ ?

 

“ହଁ, ସେଇ ଯୋଗୁଁ ତ ମୁଁ ଆସିଲି ।”

 

ମୁନ୍ନୀ ଛାତ ଆଡ଼କୁ ଚାହିଁ ଆଶୀର୍ବାଦ ଦେଲା–ଈଶ୍ୱର ତୁମ ମନବାଞ୍ଛା ପୂର୍ଣ୍ଣ କରନ୍ତୁ, ବାବୁଆଣୀ ! ଗଦି–ତକିଆରେ ଭୋଗ ଭୁଞ୍ଜୁଥିବା ରାଣୀମାନେ ଯେତେବେଳେ ତପସ୍ୟା କରି ବାହାରିଲେଣି, ଭଗବାନ ତୁରନ୍ତ ବର ଦେବେ ଗୋ, ତୁରନ୍ତ ବର ଦେବେ । କେତେ ଦିନ ସଜା ହୋଇଛି ? ମୋର ତ ଛ’–ମାସ ।

 

ସୁଖଦା ତା’ ଶାସ୍ତିର ଅବଧି ଜଣାଇଲା, କହିଲା–ତୁମ ଜିଲ୍ଲାରେ ଭାରି ଜୋର୍‍ଜୁଲୁମ ଚାଲିଥିବ । ତୁମେ କ’ଣ ଭାବୁଛ, ଲୋକେ ଜୋର୍‍ଜୁଲୁମରେ ଦବିଯିବେ ?

 

ମୁନ୍ନୀ ଯେପରି କ୍ଷମାପ୍ରାର୍ଥନା କଲା–ମୁଁ ଥିବାବେଳେ ତ ଲୋକେ କହୁଥିଲେ, ଫାଶୀରେ ଚଢ଼ିବେ ପଛକେ, ଅଧାରୁ ବେଶି ଖଜଣା ଦେବେ ନାହିଁ; କିନ୍ତୁ ତୁମେ ନିଜେ ଭାବି ଦେଖିଲ–ଯେତେବେଳେ ଗୋରୁ–ବଳଦ ବାନ୍ଧି ନିଆଯିବେ, ପୋଲିସ୍ ଲୋକେ ଘରେ ପଶିବେ, ମରଦଙ୍କ ଉପରେ ଲାଠି ଚାଲିବ, ଗୁଳି ଚାଲିବ ମଣିଷ ହୃଦୟ କେତେ ଆଉ ସହିବ ! ମୋତେ ଧରିବାପାଇଁ ତ ପୂରା ଦଳେ ସିପାହୀ ଯାଇଥିଲେ–ପଚାଶ ଲୋକରୁ କମ୍ ହେବେ ନାହିଁ । ଅଳ୍ପକେ ଗୁଳି ଚାଲିବା ବନ୍ଦ ହୋଇଗଲା । ହଜାର ହଜାର ଲୋକ ଜମା ହୋଇଗଲେ । ଯେତେ ବୁଝାଇଲି, ‘ଭାଇମାନେ, ନିଜ ନିଜ ଘରକୁ ଫେରିଯାଏ ମୁଁ ଯାଉଛି ।’ କିନ୍ତୁ ଶୁଣିଲା କିଏ ? ଶେଷରେ ଯେତେବେଳେ ରାଣ–ନିୟମ ଦେଲି, ଲୋକେ ଫେରିଗଲେ । ନୋହିଲେ ସେହିଦିନ ତ ପାଞ୍ଚ–ଦଶ ଜଣଙ୍କ ଜୀବନ ଯାଇଥାନ୍ତା । କେଜାଣି ଭଗବାନ୍ କେଉଁଠି ଶୋଇ ପଡ଼ିଛନ୍ତି ? ଏତେ ଅନ୍ୟାୟ, ଦେଖୁଛନ୍ତି, ଟିକିଏ ଟଳୁ ନାହାନ୍ତି ! ବର୍ଷରେ ଛ’ମାସ ବଖତେ ଲେଖାଏଁ ଖାଇ ବିଚାରା ଦିନ କାଟୁଛନ୍ତି, ଛିଣ୍ଡା–ଲେଙ୍କଡ଼ା ପିନ୍ଧୁଛନ୍ତି । ଏଣେ ସରକାରକୁ ଦେଖ, ତାଙ୍କରି କାନ୍ଧରେ ସବାର । ହାକିମମାନଙ୍କର ତ ବଙ୍ଗଳା ଦରକାର, ମୋଟର ଗାଡ଼ି ଦରକାର, ଖାଇବାକୁ କେତେ ରକମର ଦାମୀ ଖାନା ଦରକାର, ଯାତ୍ରା–ତାମସା ଦରକାର; ହେଲେ ଗରିବଙ୍କ ଏତେ ଟିକିଏ ସୁଖବି ଦେଖନ୍ତି ନାହିଁ । ଯାହାକୁ ଦେଖ, ଗରିବଙ୍କ ଲହୁ ଶୋଷିବାକୁ ଟାକି ରହିଛନ୍ତି । ଆମେ ତ ଜମା ରଖିବାକୁ ଚାହୁଁ ନାହୁଁ, କି ମଉଜ ମଜଲିସ୍‍ବି ଚାହୁଁ ନାହୁଁ । ହେଲେ ପେଟକୁ ଦାନା, ଦେହକୁ କନା ତ ଦରକାର ! ବର୍ଷକପାଇଁ ଖାଇବା ପିନ୍ଧିବାକୁ ଆଉ ଘର–ଗୃହସ୍ଥି ଚଳିବାପାଇଁ ଯେତିକି ଖର୍ଚ୍ଚ ଦରକାର, ଦେଇ ଦିଅ । ବାକି ଯାହା ବଳିବ, ନେଇଯାଅ । ଯେତେ କହିଲେବି ଗରିବ ଗୁହାରି ଶୁଣୁଛି କିଏ ?

 

ସୁଖଦା ଦେଖିଲା, ଏ ଅଶିକ୍ଷିତା ଯୁବତୀର ହୃଦୟରେ କି ସହାନୁଭୂତି, କି ଦୟା, କି ଚେତନା ପୂରି ରହିଛି ! ସେ ଅମରର ତ୍ୟାଗ ଓ ସେବା ବିଷୟରେ ଯେଉଁ ପ୍ରଶଂସା କଲା, ସେଥିରେ ସୁଖଦାର ଅନ୍ତରରୁ ସମସ୍ତ ମଳିନତା ଧୋଇଗଲା । ତା’ର ମନ ଆଲୋକିତ ହୋଇ ଉଠିଲା, ତା’ର ସମସ୍ତ ଶଙ୍କା ଓ ଦୁଶ୍ଚିନ୍ତା ଅନ୍ଧକାର ପରି ମିଳେଇଗଲା । ତା’ ଆଖି ଆଗରେ ଉପସ୍ଥିତ ହେଲା ଅମରକାନ୍ତର କଳ୍ପନା ଚିତ୍ର–ବନ୍ଦୀମାନଙ୍କ ଜଙ୍ଘିଆ–ଟୋପର ପିନ୍ଧି, ବାଳ ବଢ଼ାଇ ମଳିନ ମୁଖରେ ଅନ୍ୟ ବନ୍ଦୀଙ୍କ ସହ ଚକି ପେଷୁଛି । ସେ ଭୟରେ କମ୍ପିଉଠିଲା । ତା’ର ହୃଦୟ କେବେ ଏପରି କୋମଳ ନଥିଲା ।

 

ମେଟ୍ରନ୍ ଆସି କହିଲେ–ଏବେ ତ ଆପଣଙ୍କୁ ଚାକରାଣୀ ମିଳିଗଲା । ଖୁବ୍ କାମ କରାନ୍ତୁ-

 

ସୁଖଦା ଧୀର ସ୍ୱରରେ କହିଲା–ମୋର ଆଉ ଚାକରାଣୀ ଦରକାର ନାହିଁ, ମେମ୍–ସାହେବ ! ମୁଁ ଏଠାରେ ରହିବାକୁବି ଚାହେଁନା । ଆପଣ ମୋତେ ସାଧାରଣ ବନ୍ଦୀଙ୍କ ସ୍ଥାନକୁ ପଠାଇ ଦିଅନ୍ତୁ ।

 

ମେଟ୍ରନ୍ କ୍ଷୁଦ୍ରକାୟା ଆଙ୍ଗ୍‍ଲୋ–ଇଣ୍ଡିୟାନ୍ ମହିଳା । ଚଉଡ଼ା ମୁହଁ, ଛୋଟ ଛୋଟ ଆଖି, ଝିଲିପି କାଳ, ଆଣ୍ଠୁଯାକେ ଲମ୍ବିଥିବା ସ୍କାର୍ଟ୍‌ । ବିସ୍ମୟରେ ପଚାରିଲେ–ଏ କ’ଣ କହୁଛ, ସୁଖଦା ଦେବୀ ! ଚାକରାଣୀ ମିଳିଗଲା, ଆଉ ଯାହା ଅସୁବିଧା ହେବ ଆମକୁ କହିବ, ଆମେ ଜେଲର୍‌ ସାହେବଙ୍କୁ କହିବୁ ।

 

ସୁଖଦା ନମ୍ର ଭାବରେ କହିଲା–ଏପରି କୃପାପାଇଁ ଆପଣଙ୍କୁ ଧନ୍ୟବାଦ । ମୋର ଏବେ କୌଣସି ପ୍ରକାର ଅନୁଗ୍ରହ ଦରକାର ନାହିଁ । ମୁଁ ଚାହେଁ, ମୋତେ ସାଧାରଣ ବନ୍ଦୀ ପରି ରଖାଯାଉ ।

 

“ନୀଚ ସ୍ତ୍ରୀମାନଙ୍କ ସଙ୍ଗେ ରହିବାକୁ ପଡ଼ିବ । ଖାନାବି ସେଇପରି ମିଳିବ ।”

 

“ମୁଁ ତ ତାହାହିଁ ଚାହେଁ ।”

 

“ସେମାନଙ୍କ ପରି କାମ କରିବାକୁ ପଡ଼ିବ, ଚକି ପେଷିବାକୁବି ଦିଆଯାଇପାରେ ।”

 

“କିଛି ଚିନ୍ତା ନାହିଁ ।”

 

‘‘ଘରଲୋକଙ୍କ ସଙ୍ଗେ ତିନି ମାସରେ ଥରେ ଦେଖା ମିଳିବ ।”

 

‘‘ଜାଣେ ।”

 

ଲାଲା ସମରକାନ୍ତ ମେଟ୍ରନ୍‍କୁ ଖୁବ୍ ପୂଜା କରିଥିଲେ । ଏ ଶିକାରଟା ହାତରୁ ଖସିଯିବ ବୋଲି ଦୁଃଖ ଆସୁଥିଲା । କିଛି ସମୟ ବୁଝାଇବାକୁ ଲାଗିଲା । ସୁଖଦା ନିଜର ମତ ନ ବଦଳାଇବାରୁ ଅନୁତାପ କରି ଚାଲିଗଲା ।

 

ମୁନ୍ନୀ ପଚାରିଲା–ମେମ୍–ସାହେବଟା କ’ଣ କହୁଥିଲା କି ?

 

ସୁଖଦା ମୁନ୍ନୀକୁ ସସ୍ନେହ ଦୃଷ୍ଟିରେ ଚାହିଁଲା–ଏଣିକି ମୁଁ ତୁମରି ସହ ରହିବି, ମୁନ୍ନୀ !

 

ମୁନ୍ନୀ ଛାତିରେ ହାତ ରଖି କହିଲା–କ’ଣ କହୁଛ ଗୋ ବୋହୂ ! ସେଠି ତୁମେ ରହିପାରିବ ?

 

ସୁଖଦା ପ୍ରସନ୍ନ ମୁଖରେ କହିଲା–ତୁମେ ଯେଉଁଠି ରହିପାରୁଛ, ସେଠାରେ ମୁଁ ରହିପାରିବି ।

 

ଘଣ୍ଟାକ ପରେ ସୁଖଦା ସେଠାରୁ ମୁନ୍ନୀ ସହିତ ଯେତେବେଳେ ଯାଉଥାଏ, ସେତେବେଳେ ତା’ର ମନ ଆଶା ଓ ଆଶଙ୍କାରେ କମ୍ପୁଥାଏ, ଯେମିତି ପିଲାଟିଏ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଉପର ଶ୍ରେଣୀକୁ ଯାଉଛି !

 

–୪୬–

 

ପୋଲିସ୍ ସେହି ପାହାଡ଼ିଆ ଅଞ୍ଚଳଟିକୁ ଅବରୋଧ କରିଛି । ସିପାହୀ ଓ ଅଶ୍ଵାରୋହୀ ପୋଲିସ୍ ଚବିଶିଘଣ୍ଟା ପଇଁତରା ମାରୁଛନ୍ତି । ପାଞ୍ଚରୁ ବେଶି ଲୋକ ଏକତ୍ର ହୋଇପାରୁ ନାହାନ୍ତି । ରାତି ଆଠଟା ପରେ କେହି ଘରୁ ବାହାରିପାରୁ ନାହାନ୍ତି । ପୋଲିସ୍ ଏତଲା ନ ଦେଇ ଘରେ ଅତିଥି ଅଭ୍ୟାଗତ ରଖାଇବାବି ମନା । ମିଲିଟାରୀ ଶାସନ ଜାରୀ ହୋଇଛି । କେତେ ଘର ପୋଡ଼ି ଦିଆଯାଇଛି, ଲୋକେ ଅଘରାଙ୍କ ପରି ପିଲାଛୁଆ ଧରି ଗଛମୂଳେ ପଡ଼ିଛନ୍ତି । ପାଠଶାଳାରେ ନିଆଁ ଲଗାଇ ଦିଆଯାଇଛି । ତା’ର ଅଧଜଳା କଳା କାନ୍ଥସବୁ ଯେପରି କେଶ ମୁକୁଳା କରି ମୃତକ ଶୋକ କରୁଛନ୍ତି । ସ୍ୱାମୀ ଆତ୍ମାନନ୍ଦ ବାଉଁଶ ତାଟ ମାରି ଏବେ ସୁଦ୍ଧା ସେଠାରେ ଅଟଳ ଅଛନ୍ତି । ଟିକିଏ ସୁବିଧା ମିଳିଲେ ଆଖପାଖରୁ ଦଶ–କୋଡ଼ିଏ ଲୋକ ଜମି ଯାଉଛନ୍ତି; ମାତ୍ର ଘୋଡ଼ସବାରମାନେ ଆସିବାବେଳକୁ କେହି ନାହିଁ ।

 

ସହସା ଲାଲା ସମରକାନ୍ତ ଗଣ୍ଡିରାଟାଏ ପିଠିରେ ପକାଇ ପାଠଶାଳା ଆଗରେ ଆସି ଠିଆ ହୋଇଗଲେ । ସ୍ଵାମୀଜୀ ଧାଇଁ ଯାଇ ତାଙ୍କର ବିଛଣାପତ୍ର ନେଇଗଲେ ଓ ଖଟଟିଏ ଯୋଗାଡ଼ କରିବାକୁ ବାହାରିଲେ । ଗାଁ–ସାରା ବିଜୁଳି ବେଗରେ ଖବର ପହଞ୍ଚିଗଲା–‘ଭାଇ’ଙ୍କ ବାପା ଆସିଛନ୍ତି-। ବୁଢ଼ା ହେଲେ କ’ଣ ହେଲା ଖୁବ୍ ଦମ୍ଭିଲା ଅଛନ୍ତି । ସେଠ–ସାହୁକାର ଭଳି ଜଣାଯାଉଛନ୍ତି-। ଆଖି ପିଛୁଳାକେ କେତେ ଲୋକ ଆସି ଘେରିଗଲେ । କାହା ମୁଣ୍ଡରେ ପଟି ବନ୍ଧା ହୋଇଛି ତ କାହାରି ବା ହାତରେ । କିଏ ବା ଛୋଟେଇ ଚାଲୁଛି । ସନ୍ଧ୍ୟା ହୋଇଗଲାଣି । ଆଜି ବିଶେଷ କୌଣସି ଆଶଙ୍କା ନଥିବାର ଦେଖି ଏବଂ ଲାଠି ବଳରେ ସେ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା କରି ପୋଲିସ୍‍ବାହିନୀ ବିଶ୍ରାମ କରୁଛି । ବିଚାରାଏ ଦିନରାତି ଧାଇଁ ଧାଇଁ ଦରମରା ହେଲେଣି ।

 

ଗୂଦଡ଼ ବାଡ଼ିଭରା ଦେଇ ଆସିଲା ଓ ସମରକାନ୍ତଙ୍କ ପାଦ–ସ୍ପର୍ଶ କଲା । କହିଲା–ଆପଣ ତ ଅମରବାବୁଙ୍କ ଖବର ପାଇଥିବେ । ଆଜିକାଲି ତ ପୋଲିସ୍‍ର ଚଢ଼ାଉ ଚାଲିଛି । ହାକିମ କହୁଛି–ବାରଅଣା ନେବୁ । ଆମେ କହୁଛୁ କି ଆମ ପାଖରେ କିଛି ନାହିଁ, ଦେବୁ କେଉଁଠୁଁ ? କେତେ ଲୋକ ତ ଗାଁ ଛାଡ଼ି ପଳେଇ ଗଲେଣି । ଯିଏ ଅଛନ୍ତି, ତାଙ୍କ ଦଶା ତ ଆପଣ ଦେଖୁଛନ୍ତି । ମୁନ୍ନୀ–ବୋହୂଟାକୁବି ଧରି ନେଇ ଜେଲରେ ପୂରେଇ ଦେଲେ ପରା । ଆପଣ ଏମିତିବେଳରେ ଆସିଲେ ଯେ ଆପଣଙ୍କର କିଛି ଚରିଚାବି କରିପାରୁନୁ ।

 

ସମରକାନ୍ତ ପାଠଶାଳାର ଚାନ୍ଦିନୀ ଉପରେ ବସିପଡ଼ି ମୁଣ୍ଡରେ ହାତ ଦେଇ ଚିନ୍ତା କଲେ–ଏହି ଗରିବମାନଙ୍କୁ କି ସାହାଯ୍ୟ ଦେବେ । କ୍ରୋଧର ଗୋଟାଏ ଜ୍ଵାଳା ଉଠି ତାଙ୍କର ପ୍ରତି ରୋମରେ ବ୍ୟାପିଗଲା । ପଚାରିଲେ–ଏଠି କେହି ଅଫିସର ତ ଥିବେ ?

 

ଗୂଦଡ଼ କହିଲା–ହଁ, ଜଣେ କାହିଁକି ପଚିଶ ଜଣ ଅଛନ୍ତି । ସବୁଠୁ ବଡ଼ ଅଫିସର ତ ସେହି ମିଆଁ, ଅମରବାବୁଙ୍କ ସାଙ୍ଗ ।

 

ତୁମେମାନେ ସେ ଲଫଙ୍ଗାଟାକୁ ପଚାରିଲ ନାହିଁ–ମାରପିଟ କରୁଛ କାହିଁକି, ଏଟାବି କ’ଣ ଆଇନ ?

 

ଗୂଦଡ଼ ସୁନ୍ଦରୀର କୁଡ଼ିଆ ଆଡ଼କୁ ଚାହିଁ କହିଲା–ସବୁ ତ କହୁଛୁ ବାବୁ, କେହି ଶୁଣିଲେ ତ ! ସଲୀମ୍ ସାହାବ ନିଜ ହାତରେ ହଣ୍ଟର ମାରିଛନ୍ତି । ତାଙ୍କ ନିଷ୍ଠୁରପଣିଆ ଦେଖି ପୋଲିସ୍‍ବାଲାଏବି ଆବାକାବା ହେଇଗଲେ । ସୁନ୍ଦରୀ ମୋର ଭାଉଜ ହିସାବ ହୁଏ, କ’ଣ କଲା ନା ତାଙ୍କ ମୁହଁ ଉପରେ ଛେପ ପକେଇ ଦେଲା । ଏଇଟା କରିବା ତା’ର ଠିକ୍‌ ହେଲା ନାହିଁ, ପାଗଳାମି ଆଉ କ’ଣ । ମିଆଁ ସାହେବ ନିଆଁ–ବାଣ ହେଇଗଲେ । ବୁଢ଼ୀଟାକୁ ହଣ୍ଟର ଧରି ଏମିତି ପିଟିଲେ ଯେ, କେବଳ ଠାକୁରେ ବଞ୍ଚେଇଲେ ବଞ୍ଚିପାରେ । ହେଲେ ଇଏ ଏବେ କୋଉ ଛାଡ଼ିଲାବାଲୀ କି ? ଯେତେ ହଣ୍ଟର ବସୁଥାଏ, ସେତେ ଆଣ୍ଟରେ ଗାଳି ଦେଉଥାଏ । ଯେତେବେଳେ ବେଦମ୍‍ ହେଇ ପଡ଼ିଗଲା, ସେତେବେଳେ ଯାଇ ମୁହଁ ବନ୍ଦ ହେଲା । ‘ଭାଇ’ ତାକୁ ଖୁଡ଼ୀ–ଖୁଡ଼ୀ ଡାକନ୍ତି । ଯୁଆଡ଼ୁ ଆସିବେ, ଆଗେ ଖୁଡ଼ୀ ପାଖକୁ ଗଲେ ନହୁଏ । ଉଠି–ବସି ପାରୁଥିଲେ ବୁଢ଼ୀ ଏତେବେଳଯାଏ ନ ଆସି ରହିଥାନ୍ତା !

 

ଆତ୍ମାନନ୍ଦ ଚିଡ଼ିଉଠି କହିଲେ–ଓହୋ, ସେତିକିରେ ରଖ ଭଲା, କ’ଣ ସବୁ ଆଜିରେ କହିପକାଇବ ? ପାଣି ଅଣାଅ, ସେ ହାତ–ମୁହଁ ଧୁଅନ୍ତୁ, ଟିକିଏ ଆରାମ କରନ୍ତୁ, ଚାଲି ଚାଲି ଥକିଲେଣି–ଏଇ ଦେଖ, ସୁନ୍ଦରୀକୁବି ଖବର ମିଳିଗଲାଣି, ବାଡ଼ି ଢିରାମାରି ଆସୁଛି ।

 

ସୁନ୍ଦରୀ ପାଖକୁ ଆସି କହିଲା–କାହିଁ; ଦିଅରମଣି ! କେଉଁଠି ଅଛ ? ଶିରାବଣରେ ଆସିଥିଲେ ବା ତୁମ ସାଙ୍ଗରେ ଦୋଳିରେ ଝୁଲିଥାନ୍ତି, ଆସିଲ ତ କାର୍ତ୍ତିକରେ ! ଯା’ର ଏମିତି ପୁଅ, ତା’ର ଚିନ୍ତା କ’ଣ, ଦକ କ’ଣ ? ତୁମକୁ ଦେଖି ସବୁ ଦୁଃଖ ଏକା ଭୁଲିଗଲି, ଦିଅରମଣି !

 

ସମରକାନ୍ତ ଦେଖିଲେ ସୁନ୍ଦରୀର ଦେହଟାଯାକ ଫଳିଯାଇଛି, ଶାଢ଼ିରେ ରକ୍ତର ଦାଗ ଶୁଖି ଖଇରିଆ ହୋଇଯାଇଛି । ମୁହଁ ଫୁଲିଯାଇଛି । ଏହି ମୁର୍ଦ୍ଦାର ଉପରେ ଏତେ କ୍ରୋଧ ! ସେଥିରେ ପୁଣି ପାଠୁଆ ବୋଲାଉଛନ୍ତି ! ତାଙ୍କର ଆଖି, ରକ୍ତବର୍ଣ୍ଣ ହୋଇଗଲା । ମନ ମଧ୍ୟରେ ହିଂସାଭାବ, ପ୍ରଚଣ୍ଡ ହୋଇ ଉଠିଲା । ଦୁର୍ବଳର କ୍ରୋଧ ଆଉ କିଛି କରି ନ ପାରୁ ପଛକେ, ଭଗବାନଙ୍କୁ ଦୁଇପଦ ନିଶ୍ଚୟ ଜଣାଇବ–ହେ ପ୍ରଭୁ ! ତୁମେ ଅନ୍ତର୍ଯ୍ୟାମୀ, ସର୍ବଶକ୍ତିମାନ, ଦୀନ–ଦରିଦ୍ରଙ୍କ ରକ୍ଷକ ଦୀନବନ୍ଧୁ ପରା ! ତୁମରି ଆଖି ଆଗରେ ଏ ଅନ୍ୟାୟ ! ଏ ସୃଷ୍ଟିର ନିୟନ୍ତା ବୋଲି କେହି ନାହିଁ । କେଉଁ ଦୟାମୟ ଭଗବାନ୍ ସୃଷ୍ଟିର କର୍ତ୍ତା ହୋଇଥିଲେ ଏପରି ଅତ୍ୟାଚାର ହୁଅନ୍ତା ନାହିଁ । ଭଲ ସର୍ବଶକ୍ତିମାନ ତ ! କାହିଁକି ନରପିଶାଚମାନଙ୍କ ହୃଦୟରେ ପଶି ନ ଯାଉଛ ? ନା ସେଠିକି ତୁମେ ଯାଇପାର ନାହିଁ । ଏ ସବୁ ଭଗବାନଙ୍କର ଲୀଳା । ଭଲ ଲୀଳା ତ ! ଯଦି ତୁମକୁ ଏପରି ଲୀଳାରୁ ଆନନ୍ଦ ମିଳୁଥାଏ, ତେବେ ତୁମେ–ପଶୁଠୁଁ ଆହୁରି ତୁଚ୍ଛ ! ଯଦି ତୁମକୁ ଏ ସବୁ ବ୍ୟାପାର ଜଣା ନଥାଏ, ତେବେ ତୁମେ କାହିଁକି ସର୍ବବ୍ୟାପୀ ବୋଲାଉଛ ? କାହିଁକି ?

 

ସମରକାନ୍ତ ଧର୍ମଭାବାପନ୍ନ ଲୋକ । ଧର୍ମ–ଗ୍ରନ୍ଥମାନ ଅଧ୍ୟୟନ କରିଛନ୍ତି । ନିତ୍ୟ ଭଗବଦ୍‍ଗୀତା ପାଠ କରନ୍ତି; କିନ୍ତୁ ବର୍ତ୍ତମାନ ସେ–ସମସ୍ତ ଧର୍ମଜ୍ଞାନ ତାଙ୍କୁ ଭଣ୍ଡାମି ବୋଲି ପ୍ରତୀତ ହେଉଛି ।

 

ସଙ୍ଗେ ସଙ୍ଗେ ସେ ଠିଆ ହୋଇପଡ଼ି ପଚାରିଲେ–ସଲୀମ୍ ତ ସଦରରେ ଥିବ ?

 

ଆତ୍ମାନନ୍ଦ କହିଲେ–ଆଜିକାଲି ତ ଏଇଠି କ୍ୟାମ୍ପ୍ । ଡାକବଙ୍ଗଳାରେ ଅଛନ୍ତି ।

 

ଶ୍ରାବଣ ମାସରେ ଉତ୍ତର–ଭାରତରେ ‘ଝୁଲା–ପର୍ବ’ ପଡ଼େ । ସମସ୍ତେ ଦୋଳି ଖେଳରେ ମାତନ୍ତି ।

 

“ମୁଁ ଟିକିଏ ତାକୁ ସାକ୍ଷାତ କରିବି ।”

 

‘‘ବର୍ତ୍ତମାନ ତାଙ୍କର–କ୍ରୋଧ ଜଳୁଛି । ଆପଣ ସାକ୍ଷାତ କଲେ କ’ଣ ହେବ ? ଆପଣଙ୍କୁବି କୁଭାଷା କହିବସିବେ ।”

 

ସେୟା ଦେଖିବାକୁ ତ ଯାଉଛି ଯେ ମନୁଷ୍ୟର ପଶୁତାର ସୀମା କେତେ ଦୂର ହୋଇପାରେ ।”

 

“ତେବେ ଚାଲନ୍ତୁ, ମୁଁ ବି ଆପଣଙ୍କ ସଙ୍ଗେ ଯିବି ।”

 

ଗୂଦଡ଼ କହିଉଠିଲା–ନା–ନା, ସ୍ୱାମୀଜୀ, ତୁମେ ଯାଅନା । ବାବୁ, ଏ ତ ହେଲେ ସନ୍ନ୍ୟାସୀ, ଦୟାର ଅବତାର; ହେଲେ କ୍ରୋଧବେଳେ ଦୁର୍ବାସା ମୁନି । ହାକିମ ସୁନ୍ଦରୀକୁ ମାଡ଼ ଦେବାବେଳେ ଚାରିଟା ଲୋକ ୟାଙ୍କୁ ପରା କୁଣ୍ଢେଇ ଥାନ୍ତି । ନଚେତ ସେବେଳେ ମିଆଁଙ୍କ ରକ୍ତ ଶୋଷି ନେଇଥାନ୍ତେ, ପଛେ ଫାଶୀ ହୋଇଥିଲେ ହୋଇଥାନ୍ତା । ଗାଁସାରା ଲୋକଙ୍କ ମଲମ ପଟି ୟାଙ୍କର ହାତରେ ହେଉଛିନା ।

 

ସୁନ୍ଦରୀ ସମରକାନ୍ତଙ୍କ ହାତ ଧରିପକାଇ କହିଲା–ମୁଁ ତୁମ ସାଥିରେ ଯିବି, ଦିଅରବାବୁ ! ତାକୁ ଦେଖେଇ ଦେବି, ବୁଢ଼ୀ ତା’ର ଛାତିରେ ମୁଗ ରଗଡ଼ିବାକୁ ବସିରହିଛି । ତୁ ମାରିଲାବାଲା ହେଲେ ତୋଠାରୁ ବଡ଼ କେହି ରଖିଲାବାଲାବି ଅଛି । ତା’ ହୁକୁମ ନ ହେଲା ଯାଏଁ ତୁ କ’ଣ ମାରିପାରିବୁ ?

 

ଭଗବାନଙ୍କ ପ୍ରତି ତା’ର ଏ ଅପାର ନିଷ୍ଠା ଦେଖି ସମରକାନ୍ତଙ୍କ ଚକ୍ଷୁ ସଜଳ ହୋଇ ଉଠିଲା । ଭାବିଲେ ମୋଠୁଁ ଏ ମୂର୍ଖ ବରଂ ଉତ୍ତମ ଯେ କି ଏତେ ପୀଡ଼ା ଓ ଦୁଃଖ ସହି ମଧ୍ୟ ତୁମରି ନାମ ରଟୁଛି ! କହିଲେ–ନା, ଭାଉଜ ! ମୁଁ ଏକାକୀ ଯାଏଁ, ତା’ ସଙ୍ଗେ ଦୁଇପଦ କଥାବାର୍ତ୍ତା କରି ସଙ୍ଗେ ସଙ୍ଗେ ଫେରିଆସିବି ।

 

ସୁନ୍ଦରୀ ବାଡ଼ି ଖଣ୍ଡିକ ଧରୁ ଧରୁ ସମରକାନ୍ତ ବାହାରିଗଲେ । ତେଜା ଓ ଦୁରୁଜନ ଡାକବଙ୍ଗଳାକୁ ରାସ୍ତା କଢ଼ାଇ ଆଗେଆଗେ ଚାଲିଲେ ।

 

ତେଜା ପଚାରିଲା–ମଉସା ! ଯେତେବେଳେ ଅମର ଭାଇ ଛୁଆ ହେଇଥିଲେ, ବଡ଼ ସଇତାନ୍ ନଥିଲେ ?

 

ସମରକାନ୍ତ ଏ ପ୍ରଶ୍ନର ଅଭିପ୍ରାୟ ବୁଝି ନ ପାରି କହିଲେ–ନାଇଁ ତ । ସେ ତ ପିଲାବେଳୁ ବଡ଼ ଶାନ୍ତ–ସୁଶୀଳ ।

 

ଦୁରୁଜନ ତାଳିମାରି କହିଲା–ହେଲା ତ ତେଜୁ ! ଏବେ ହାରିଲୁ ନା ନାଇଁ ? ମଉସା ! ତା’ର ମୋର ଝଗଡ଼ା ଲାଗିଛି–ଏ କହୁଛି, ପିଲାବେଳେ ଯେ ପାଜି ହୋଇଥାଏ, ବଡ଼ବେଳକୁ ସେ ଶାନ୍ତ–ଶିଷ୍ଟ, ହେଇଯାଏ; ଆଉ ମୁଁ କହୁଛି, ପିଲାବେଳେ ଯେ ଭଲ ହେଇଥାଏ, ବଡ଼ ହେଲେ ସେ ସେହିପରି ଭଲ ହେଇଥାଏ । ମଣିଷଠାରେ ଯାହା‌ ମୂଳରୁ ନାହିଁ, ମଝିରେ ତା’ ଆସିବ କୁଆଡ଼ୁ ଯେ-?

 

ତେଜା ସନ୍ଦେହ କଲା–ପିଲାଙ୍କର ତ ବୁଦ୍ଧି ନଥାଏ, ଜୁଆନ୍ ହେଲେ ପୁଣି ଆସେ କେଉଁଠୁଁ ? ଗଜାରେ ତ ଦୁଇଟି ବୋଲି ପତ୍ର ଥାଏ, ସେଥିରେ ପୁଣି ତାଳ–ପତ୍ର କେଉଁଠୁଁ ଆସେ ? ଏ ଗୋଟାଏ କଥା ! ମୁଁ ଏମିତି କେତେ ବଡ଼ବଡ଼ ଲୋକଙ୍କ ଉଦାହରଣ ଦେଇପାରେ, ଯେ କି ଛୋଟବେଳେ ବଡ଼ ପାଜି ଥିଲେ, ପରେ ପୁଣି ମହାତ୍ମା ହେଲେ ।

 

ସମରକାନ୍ତ ବାଳକମାନଙ୍କର ଏପରି ତର୍କ ଶୁଣି ଆନନ୍ଦ ପାଉଛନ୍ତି । ମଧ୍ୟସ୍ଥ ହୋଇ ଉଭୟ ପକ୍ଷଙ୍କୁ ଟିକିଏ ଟିକିଏ ସାହାଯ୍ୟ କରୁଛନ୍ତି । ରାସ୍ତାର ଗୋଟାଏ ଜାଗାରେ ଭାରି କାଦୁଅ । ସମରକାନ୍ତଙ୍କ ଜୋତା କାଦୁଅରେ ଲାଖିଯାଇ ପାଦରୁ ବାହାରିଗଲା । ଏଥିପାଇଁ ଖୁବ୍ ହସ ହେଲା ।

 

ସାମନାରୁ ପାଞ୍ଚ ଜଣ ଘୋଡ଼ସବାର ଆସୁଥିବାର ଦେଖାଗଲା । ତେଜା ଖଣ୍ଡେ ପଥର ଧରି ଜଣେ ଘୋଡ଼ସବାରକୁ ଲକ୍ଷ୍ୟ କରି ଫିଙ୍ଗିଲା । ତା’ର ପଗଡ଼ି ତଳେ ଖସିପଡ଼ିଲା । ସେ ତ ଘୋଡ଼ାରୁ ଓହ୍ଲାଇପଡ଼ି ପଗଡ଼ି ଉଠାଇବାକୁ ଗଲା, ଅନ୍ୟ ଚାରି ଜଣ ଘୋଡ଼ା ଝପଟାଇ ସମରକାନ୍ତଙ୍କ ପାଖରେ ପହଞ୍ଚିଗଲେ ।

 

ତେଜା ଧାଇଁଯାଇ ଗୋଟାଏ ଗଛ ଉପରେ ଚଢ଼ିଗଲା । ଦୁଇଜଣ ସବାର ତା’ ପଛେ ପଛେ ଗୋଡ଼ାଇଗଲେ ଓ ତଳେ ଥାଇ ଗାଳି ଦେବାକୁ ଲାଗିଲେ । ବାକି ତିନିଜଣ ସମରକାନ୍ତଙ୍କୁ ଘେରିଗଲେ । ଜଣେ ହଣ୍ଟର୍ ଉଞ୍ଚାଇଛି, ହଠାତ୍ ଚମକିପଡ଼ି କହିଲା–ଆରେ, ସେଠଜୀ ଯେ ! ଆପଣ ଏଣେ କୁଆଡ଼େ ?

 

ସେଠ୍‌ଜୀ ସଲୀମ୍‌ଙ୍କୁ ଚିହ୍ନିପାରି କହିଲେ–ହଁ-ହଁ, ହଣ୍ଟର୍ ଚଲାଅ, ଅଟକିଗଲ କାହିଁକି ? ନିଜର କାର୍ଯ୍ୟ–କୁଶଳତା ଦେଖାଇବାର ସୁଯୋଗ ଆଉ ମିଳିବ କୁଆଡ଼ୁ ? ହାକିମ ହୋଇ ଯେବେ ଗରିବଙ୍କୁ ହଣ୍ଟର୍ ପାହାର ନ ଦେଲ, ତେବେ ସେ କି ହାକିମି !

 

ସଲୀମ୍ ଲଜ୍ଜିତ ହେଲା–ଆପଣ ଏ ପିଲାଙ୍କ ଦୁଷ୍ଟାମି ଦେଖି ମଧ୍ୟ ମୋତେ ଦୋଷ ଦେଉଛନ୍ତି ! ପଥରଟା ସେ ଏପରି ମାରିଲା ଯେ ଏହି ଦାରୋଗାବାବୁଙ୍କ ପଗଡ଼ି ଖସିପଡ଼ିଲା । ସୁଖର କଥା ସେ ଆଖିରେ ବାଜି ନାହିଁ ।

 

ସମରକାନ୍ତ ଆବେଶରେ ଔଚିତ୍ୟ ଭୁଲିଯାଇ କହିଲେ–ଠିକ୍ କଥା ତ, ଅଜ୍ଞାନ ପିଲାଟା ଯେବେ ପଥର ମାରିଲା, ତେବେ ଆମର ବିଦ୍ୟାର ସାଗର ହାକିମ ସାହେବ କ’ଣ ହଣ୍ଟର୍ ନ ମାରିବେ ! କହିଦିଅ, ସିପାହୀ ଦୁହେଁ ଗଛ ଉପରକୁ ଚଢ଼ିଯାଇ ପିଲାଟାକୁ ପେଲି ଦେଉନ୍ତୁ, ଗଡ଼ିପଡ଼ୁ-। ମରିଗଲା ତ କ’ଣଟାଏ ହୋଇଗଲା ? ହାକିମଙ୍କୁ ଅସମ୍ମାନ କରିବାର ଶାସ୍ତି ତ ଭୋଗିବ-!

 

ସଲୀମ୍ ନିଜର ନିର୍ଦ୍ଦୋଷତା ଦେଖାଇଲା–ଆପଣ ତ ଏବେ ଆସିଛନ୍ତି, ଏଠାର ଲୋକେ କି ଉଦ୍ଧତ ଆପଣ ଜାଣିବେ କୁଆଡ଼ୁ ? ଗୋଟାଏ ବୁଢ଼ୀ ମୋ ମୁହଁକୁ ଛେପ ପକାଇଦେଲା । ମୁଁ ବାଧା ଦେଲି, ନଚେତ୍ ଏତେବେଳକୁ ଗାଁଟାଯାକ ଜେଲରେ ପଶିଥାନ୍ତେ ।

 

ସମରକାନ୍ତ ଏ ବାଣରେ ମଧ୍ୟ ପରାସ୍ତ ହେଲେ ନାହିଁ–ତୁମ ବାଧା ଦେବାର ନମୁନା ତ ଦେଖି ଆସିଛି ବାବା, ଏଇକ୍ଷିଣି ମୋ ମୁହଁ ଖୋଲାଅ ନାହିଁ । ସେ ଅଜ୍ଞାନ ଅଶିକ୍ଷିତା ବୁଢ଼ୀଟା ଯଦି କିଛି କରିପକାଇଲା, ତୁମେ ଶିକ୍ଷିତ ବିଜ୍ଞ ହୋଇ ଏବେ କେଉଁ ଭଲ କାମ କଲ ଯେ ? ତା’ ଦେହଟାସାରା ଲହୁ–ଲୁହାଣ ହୋଇଛି, ବଞ୍ଚିବ କି ନାହିଁ ସନ୍ଦେହ । କେତେ ଲୋକଙ୍କର ଅଙ୍ଗ–ଭଙ୍ଗ ହୋଇଛି ? ସମସ୍ତେ ତ ତୁମ ନାମରେ ଆଶୀର୍ବାଦ ଢାଳୁଛନ୍ତି । ଯଦି ସେମାନେ ଟଙ୍କା ଅସୁଲ ନ ଦେଲେ, ତେବେ ବେଦଖଲ ତ କରିଦେଇ ପାରିଥାନ୍ତ । ମାଡ଼–ପିଟ୍ ଆଇନ କେଉଁଠୁଁ ବାହାରିଲା ?

 

“ବେଦଖଲ କରି ଲାଭ କ’ଣ ? ଜମି ଏଠି କିଣୁଛି କିଏ ? କଥା ହେଲା, ସରକାରୀ ଧନ କିପରି ଅସୁଲ କରାଯିବ ?”

 

“ତେବେ ଗ୍ରାମର ସମସ୍ତଙ୍କୁ ମାରିପକାଅ, ଦେଖ କେତେ ଟଙ୍କା ଅସୁଲ ହେଉଛି ! ତୁମଠାରୁ ମୁଁ ଏପରି ଆଶା କରୁ ନଥିଲି । କିନ୍ତୁ ଶାସନ–କ୍ଷମତାରେ ଏପରି ଗୋଟାଏ ନିଶା ଥାଏ ବୋଧହୁଏ ।”

 

ଆପଣ ଏବେ ସୁଦ୍ଧା ଏମାନଙ୍କ ବଦମାସି ଦେଖି ନାହାନ୍ତି । ମୋ ସହିତ ଆସନ୍ତୁ, ମୁଁ ସବୁ ଘଟଣା କହୁଛି । ଆପଣ ବର୍ତ୍ତମାନ କେଉଁଠୁଁ ଆସିଲେ ?

 

ସମରକାନ୍ତ ଲକ୍ଷ୍ନୌ ଯାଇ ସୁଖଦା ସଙ୍ଗେ ଦେଖା କରିବା ବିଷୟ କହିଲେ । ତତ୍ପରେ ନିଜର ଉଦ୍ଦେଶ୍ୟ ପ୍ରକାଶ କଲେ–ଅମର ତ ଏଇଠି ଥିବ ! ଶୁଣିଲି ତୃତୀୟ ଶ୍ରେଣୀରେ ରଖାହୋଇଛି-?

 

ଅନ୍ଧାର ଗାଢ଼ ହୋଇ ଯାଇଥିଲା । ଟିକିଏ ଶୀତବି ଲାଗୁଥିଲା । ସବାର ଚାରିଜଣ ତ ଗ୍ରାମ ଆଡ଼କୁ ଚାଲିଗଲେ । ସଲୀମ୍ ଘୋଡ଼ାର ଲଗାମ ଧରି ସମରକାନ୍ତଙ୍କୁ ସଙ୍ଗରେ ନେଇ ଡାକବଙ୍ଗଳାକୁ ଗଲା ।

 

କିଛିଦୂର ଯିବା ପରେ ସମରକାନ୍ତ କହିଲେ–ତୁମେ ବନ୍ଧୁ ସଙ୍ଗେ ଖୁବ୍ ବନ୍ଧୁ–ବ୍ୟବହାର କଲ । ଜେଲକୁ ତ ପଠେଇ ଦେଲ, ଭଲ କଲ; ହେଲେ ଅନ୍ତତଃ ତାକୁ ଗୋଟାଏ ଉଚ୍ଚ ଶ୍ରେଣୀରେ ତ ଭର୍ତ୍ତି କରାଇପାରିଥାନ୍ତ । ହାକିମ ଲୋକ କି ନା, ନିଜ ବନ୍ଧୁପାଇଁ ପକ୍ଷପାତ କରିଥାନ୍ତ କିପରି !

ସଲୀମ୍ ବ୍ୟଥିତ କଣ୍ଠରେ କହିଲା ଆପଣ ତ ଲାଲାଜୀ, ସବୁ ରାଗ ମୋରି ଉପରେ ସାରୁଛନ୍ତି । ମୁଁ ଦ୍ଵିତୀୟ ଶ୍ରେଣୀର ବ୍ୟବସ୍ଥା କରି ଦେଇଥିଲି; କିନ୍ତୁ ଅମର ନିଜେ ସାଧାରଣ ବନ୍ଦୀଙ୍କ ସଙ୍ଗେ ରହିବାକୁ ଜିଦ୍ କଲା, ମୁଁ ଆଉ କ’ଣ କରିଥାନ୍ତି ? ମୋର ଦୁର୍ଭାଗ୍ୟ ଯେ ମୁଁ ଯେଉଁ ସବୁକୁ ଘୃଣା କରେ, ଏଠାକୁ ଆସିବା ସଙ୍ଗେ ସଙ୍ଗେ ମୋତେ ସେହିପରି କାମ କରିବାକୁ ପଡ଼ୁଛି ।

ଡାକବଙ୍ଗଳାରେ ପହଞ୍ଚି ସେଠଜୀ ଗୋଟିଏ ଆରାମ ଚେୟାର୍‍ରେ ଶୋଇଯାଇ କହିଲେ–ତେବେ ମୋର ଏଠାକୁ ଆସିବା ବୃଥା । ସେ ଯେବେ ନିଜ ଖୁସିରେ ତୃତୀୟ ଶ୍ରେଣୀରେ ଅଛି, ଆଉ କ’ଣ କରାଯିବ । ସାକ୍ଷାତ ମିଳିବ ତ ?

ସଲୀମ୍ ଉତ୍ତର ଦେଲା–ମୁଁ ଆପଣଙ୍କ ସଙ୍ଗେ ଯିବି । ସାକ୍ଷାତକାର ତାରିଖ ତ ଏଯାଏଁ ହୋଇ ନାହିଁ; ତଥାପି ଜେଲ୍ କର୍ମକର୍ତ୍ତା ରାଜି ହୋଇଯାଇପାରନ୍ତି । କିନ୍ତୁ ଆଶଙ୍କା ହେଉଛି ଅମର ଦିଗରୁ–ସେ କୌଣସି ପ୍ରକାର ଅନୁଗ୍ରହ ଚାହେଁନା ।

ଟିକିଏ ହସି ସେ ପୁଣି କହିଲା–ଏବେ ଆପଣ ତ ଏ କାମରେ ଯୋଗ ଦେଲେଣି !

ସେଠ୍‌ଜୀ ନମ୍ର ଭାବରେ କହିଲେ–ଏ ବୟସରେ ଆଉ ମୁଁ କ’ଣ କରିବି । ବୁଢ଼ା ମନରେ ଯୌବନର ଆବେଗ କାହୁଁ ଆସିବ ? ବୋହୂ ଜେଲ୍‌ରେ, ପୁଅ ଜେଲ୍‌ରେ, ପୁଣି ଝିଅବି ବୋଧହୁଏ ତିଆର ହେଉଛି ଜେଲ ଯିବାକୁ ! ଆଉ ମୁଁ ଶାନ୍ତିରେ ଖାଉଛି–ପିଉଛି, ଆରାମରେ ଶୋଉଛି ! ମୋ’ ସନ୍ତାନ ସନ୍ତତି ମୋ’ରି ପାପର ପ୍ରାୟଶ୍ଚିତ୍ତ କରୁଛନ୍ତି । କେତେ ଗରିବ–ରକ୍ତ ଶୋଷିଛି, କେତେ ଘର ଉଜାଡ଼ିଛି, ସେ ସବୁ ଭାବି ଭାବି ଲଜ୍ଜିତ ହେଉଛି । ଯୁବା–ବୟସରୁ ବୁଝିପାରିଥିଲେ ବା ନିଜକୁ ସଂଯତ କରିଥାନ୍ତି । ଆଉ କାହିଁ ଥାଏ ! ପିତା ସନ୍ତାନର ଗୁରୁ, ପିତାକୁ ସନ୍ତାନ ଅନୁସରଣ କରେ । ମୋତେ ମୋ ସନ୍ତାନମାନଙ୍କୁ ଅନୁସରଣ କରିବାକୁ ପଡ଼ିଲା । ଧର୍ମର ପ୍ରକୃତ ମର୍ମ ନ ବୁଝି ମୁଁ ଢମାକୁ ଧର୍ମ ବୋଲି ବୁଝିଥିଲି ! ଏଇଟା ମୋ ଜୀବନରେ ସବୁଠୁ ବଡ଼ ଭୁଲ୍ । ମୋତେ ତ ଲାଗୁଛି, ଦୁନିଆର ରାତିନୀତି ବିକୃତ ହୋଇଗଲାଣି । ଲୋକ ଧନ–ଅର୍ଜନରେ ମାତିଥିବାଯାଏ ଧର୍ମଠାରୁ ବହୁତ ଦୂରରେ ରହିଥିବେ । ଈଶ୍ଵର ସଂସାରକୁ କାହିଁକି ଯେ ଏ ରୀତିରେ ଚଳାଇଛନ୍ତି, ମୁଁ ବୁଝିପାରେନା । ସଂସାର ଧନ–ସମ୍ପଦର ମୋହପାଶରୁ ମୁକ୍ତି ପାଇଲେ ଯାଇ ମଣିଷ ମଣିଷ ହେବ, ତେବେ ଯାଇ ସଂସାରରୁ ପାପ–ତାପ ଲୋପ ପାଇବ ।

ସଲୀମ୍ ଏପରି ବଡ଼ବଡ଼ କଥାରେ ପଶିବାକୁ ଚାହୁଁ ନଥିଲା । ସେ ଭାବିଲା–ୟାଙ୍କରି ପରି ମୁଁ ଯଦି ସୁଖଭୋଗ କରିନେବି, ତେବେ ମଲାବେଳକୁ ଦାର୍ଶନିକ ପାଲଟିଯିବି ।

ଦୁହେଁ କେତେ ମିନିଟ୍ ନୀରବ ରହିଲେ । ଲାଲାଜୀ ପୁଣି ସ୍ନେହପୂର୍ଣ୍ଣ ସ୍ଵରରେ ଆରମ୍ଭ କଲେ–ଚାକିରିଟିଏ କଲେ ତ ମାଲିକର ହୁକୁମ ମାନିବାକୁ ପଡ଼ିବ । ତାକୁ ମୁଁ ଦୋଷ ବୋଲି ଧରୁ ନାହିଁ । ହଁ, ଗୋଟିଏ କଥା କହିବି । ତୁମେ ଯେଉଁମାନଙ୍କ ଉପରେ ଅତ୍ୟାଚାର କରିଛ, ସେମାନଙ୍କ ଲୁହ ପୋଛିଦିଅ । ଏହି ଗରିବ ଲୋକେ ସାମାନ୍ୟ ଭଲ ବ୍ୟବହାର ପାଇଲେ ବଶ ହୋଇଯାନ୍ତି । ସରକାରର ନୀତି ସିନା ତୁମେ ବଦଳାଇପାରିବ ନାହିଁ; କିନ୍ତୁ ଏତିକି ତ କରିପାରିବ । କାହାରି ଉପରେ ଅକାରଣ ଅତ୍ୟାଚାର କରିବ ନାହିଁ ।

ସଲୀମ୍‌ ଲଜ୍ଜିତ ହୋଇ କହିଲା–ଲୋକଗୁଡ଼ାଙ୍କ ଧୃଷ୍ଟତା ଦେଖିଲେ ରାଗ ଚଢ଼ିଯାଏ; ବରଂ ମୁଁ ତ ଚାହେଁନା କାହାରିକୁ ହଇରାଣ କରିବାକୁ । ପୁଣି ମଥା ଉପରେ କେତେ ବଡ଼ ଦାୟିତ୍ଵ । ଖଜଣା ଆଦାୟ ନହେଲେ ମୁଁ କେଡ଼େ ଅଯୋଗ୍ୟ ବିବେଚିତ ହେବି !

 

ସମରକାନ୍ତ ତେଜ ହୋଇ କହିଲେ–ତାହାହେଲେ ବାପା ଖଜଣା ତ ଅସୁଲ ହେବ ନାହିଁ; ମଣିଷ–ରକ୍ତରେ ହାତ ରଙ୍ଗେଇପାର ।

 

“ତା’ ତ ଦେଖିବି ।”

 

“ଦେଖ ଦେଖ । ମୋରବି ଏ ଦୁନିଆରେ କଳା ବାଳ ଧଳା ହେଲାଣି । ଚାଷୀମାନେ ଅଫିସରଙ୍କ ନାଁ ଶୁଣିଲେ ଥରହର ହେଉଥିଲେ; କିନ୍ତୁ ଯୁଗ ବଦଳୁଛି । ଏବେ ସେମାନେବି ମାନ–ଅପମାନ ବୁଝିଲେଣି । ତୁମେ ତୁଚ୍ଛାରେ ଦୁର୍ନାମ ଅର୍ଜୁଛ ସିନା !”

 

“ନିଜର କର୍ତ୍ତବ୍ୟ କରିବା ଯଦି ଦୁର୍ନାମ ହୁଏ, ତେବେ ମୋର ତା’ପାଇଁ ଚିନ୍ତା ନାହିଁ ।”

 

ସମରକାନ୍ତ ଏହି ଅଫିସରୀ–ଅଭିମାନ ଦେଖି ହସି ହସି କହିଲେ–କର୍ତ୍ତବ୍ୟରେ ଟିକିଏ ମିଠା ମିଶାଇ ଦେଲେ କାହାରି କିଛି ବିଗିଡ଼ିବ ନାହିଁ; ବରଂ ବହୁତ କିଛି ସଜାଡ଼ିଯିବ । ଏ ବିଚାରା ଚାଷୀମାନେ ଏଡ଼େ ଗରିବ ଯେ ସାମାନ୍ୟ ସହାନୁଭୂତି ଦେଖାଇ ତୁମେ ଗୋଲାମ କରି ନେଇପାରିବ । ବହୁତ ଶାସନ ତ ସହିସାରିଲେଣି, ଏବେ ସାମାନ୍ୟ ଆଶ୍ୱାସନା ଚାହୁଁଛନ୍ତି । ଯେଉଁ ବୁଢ଼ୀଟିକୁ ତୁମେ ହଣ୍ଟରରେ ପିଟିଛ, ତାକୁ ଥରେ ମା’ ବୋଲି ଡାକି ତା’ ବେକ କାଟି ପାରିଥାନ୍ତ । ତୁମେ ଭାବ ନାହିଁ ଯେ ତୁମେ ତାଙ୍କର ଶାସକ, ନିଜକୁ ତାଙ୍କର ସେବକ ବୋଲି ଭାବ । ମାନୁଛି, ସରକାର ତୁମକୁ ବେତନ ଦେଉଛି; ମାତ୍ର ତା’ ଆସୁଛି ତାଙ୍କରି ପୁଞ୍ଜିରୁ । କେଉଁ ମୂର୍ଖ ହୋଇଛ ଯେ ବୁଝାଇବି । ତୁମେ ପୁଲିସ୍‍ବାଲାଙ୍କ କଥାରେ ପଡ଼ିଗଲ । ନୁହେଁ କି ?

 

ସଲୀମ୍ ଭଲା କିପରି ସ୍ଵୀକାର କରନ୍ତା !

 

କିନ୍ତୁ ସମରକାନ୍ତ ଛାଡ଼ିଲେ ନାହିଁ–ମୁଁ ଏ କଥା ମାନିପାରିବି ନାହିଁ । ତୁମେ ତ କାହାଠାରୁ ସଲାମୀ ନେବାକୁ ଚାହଁନା; କିନ୍ତୁ ଯେଉଁମାନଙ୍କ ପେଟ ଚଳିବା କଷ୍ଟ, ସେମାନେ ନିଶ୍ଚୟ ତୁମକୁ ଦେଇଥିବେ । ତୁମ ଚେହେରା କହି ଦେଉଛି ସେ, ନିରୀହଙ୍କ ଉପରେ ଅତ୍ୟାଚାର କରିଥିବାରୁ ତୁମେ ଅନୁତପ୍ତ । ମୋ ବିଚାରରେ ଆଠ ଅଣାରୁ ଅଧିକ ପଇସାଟିଏବି ଆଦାୟ କରନା । ତେବେ ମନ ନେଇ ବେଶିବି ଅସୁଲ କରିପାର । ଯେଉଁମାନେ ଭୋକ–ଉପାସରେ ମରୁଛନ୍ତି, ଛିଣ୍ଡାକନ୍ଥା ବା କୁଟା ବିଛେଇ ଶୋଉଛନ୍ତି, ତାଙ୍କଠୁଁ ଗୋଟିଏ ପଇସାବି ଜୋର କରି ନେବା ଅନ୍ୟାୟ । ଆମେ–ତୁମେ ଆରାମରେ ଦୁଇ–ଚାରି ଘଣ୍ଟା କାମ କରିଦେଇ ଆରାମରେ ରହିବାକୁ ଚାହୁଁଛେ, ସମ୍ପତ୍ତି କମାଇବାକୁ ଚାହୁଁଛେ, ସୌଖୀନ ଜିନିଷ କରୁଛେ । ସେମାନେ ସ୍ତ୍ରୀ–ବାଳକ ସମେତ ନିତି ଅଠର ଘଣ୍ଟା କାମ କରି ସୁଦ୍ଧା ଦାନା–କନା ଜୁଟାଇ ନ ପାରି ତତଲା ନିଃଶ୍ୱାସ ଛାଡ଼ନ୍ତି । ଏଇଟା କ’ଣ ଅନ୍ୟାୟ ନୁହେଁ ? ସେମାନେ ବିଚାରା ଗରିବ, କହି ଜାଣନ୍ତି ନାହିଁ, ନିଜକୁ ସଂଗଠିତ କରି ଜାଣନ୍ତି ନାହିଁ । ତେଣୁ ଛୋଟ–ବଡ଼ ସମସ୍ତେ ତାଙ୍କର ଉପରେ ସବାର ହୁଅନ୍ତି । କିନ୍ତୁ ତୁମ ପରି ସହୃଦୟ, ବିଦ୍ଵାନ ଯୁବକ ମାମୁଲି ଅମଲାମାନଙ୍କ ପରି ବ୍ୟବହାର କଲେ ମନରେ ଦୁଃଖ ଆସିବା କଥା । ସଙ୍ଗରେ ଆଉ କାହାରିକି ନ ନେଇ ମୋ ସହିତ ଚାଲ । ମୁଁ ଜବାବ ଦେଉଛି, କେହି ତୁମ ସଙ୍ଗେ ଅନୁଚିତ ବ୍ୟବହାର କରିବେ ନାହିଁ । ସେମାନଙ୍କ ଆଘାତ ସ୍ଥାନରେ ମଲମ ଲଗାଇ ଦିଅ, ମୁଁ କେବଳ ଏତିକି ଚାହେଁ । ବଞ୍ଚିଥିବା ଯାଏଁ ବିଚାରାଏ ତୁମକୁ ମନେ ପକାଉଥିବେ । ସଦ୍ଭାବର ସମ୍ମୋହନ ମନ୍ତ୍ର ପରି ପ୍ରଭାବ ଅଛି ।

 

ସଲୀମ୍‌ର ହୃଦୟ ଅଦ୍ୟାପି ସେପରି କଳା ହୋଇ ନାହିଁ, ଯହିଁରେ କି ଅନ୍ୟ ରଙ୍ଗ ନ ଚଢ଼ିବ । ସଂକୁଚିତ ହୋଇ କହିଲା–କିନ୍ତୁ ମୋ’ ପକ୍ଷରୁ ଆପଣଙ୍କୁ କହିବାକୁ ପଡ଼ିବ ।

 

“ହଁ–ହଁ, ସେ ସବୁ ମୁଁ କରିଦେବି; କିନ୍ତୁ ବାପା, ମୁଁ ତେଣେ ଚାଲିଗଲେ ତୁମେ ପୁଣି ହଣ୍ଟରବାବୁ ଚଲାଇବ, ୟା ଯେମିତି ନହୁଏ ।”

 

“ଆଉ ଅଧିକ ଲଜ୍ଜା ଦିଅନ୍ତୁ ନାହିଁ ।”

 

“ପ୍ରଜାମାନଙ୍କ ଅବସ୍ଥା ଯାଞ୍ଚ କରିବାକୁ ତୁମେ କାହିଁକି ମତ ନ ଦେଉଛ ? ଆଖିବୁଜି–ହୁକୁମ ମାନିବା ତୁମର କାମ ନୁହେଁ । ପ୍ରଥମେ ତୁମର ହୃଦ୍‌ବୋଧ ହେବା ଦରକାର ଯେ ତୁମେ ଅନ୍ୟାୟ କରୁନାହଁ । ତୁମେ ନିଜେ ଏପରି ରିପୋର୍ଟ ନ ଲେଖୁଛ କାହିଁକି ? ହୋଇପାରେ, ଉପରିସ୍ଥ ଏହାକୁ ପସନ୍ଦ କରିବେ ନାହିଁ; କିନ୍ତୁ ନ୍ୟାୟପାଇଁ କ୍ଷତି ସହିବାକୁ ପଡ଼େ ତ ଚିନ୍ତା କ’ଣ ?”

 

ସଲୀମ୍‌କୁ ଏସବୁ କଥା ନ୍ୟାୟସଙ୍ଗତ ବୋଧ ହେଲା । ଖୁଣ୍ଟର ସରୁଆ ଅଗ ମାଟି ଭିତରକୁ ଗଳିଗଲାଣି । କହିଲା–ଆପଣଙ୍କର ଏହି ଗୁରୁଜନୋଚିତ ଉପଦେଶ ପାଇଁ ମୁଁ କୃତଜ୍ଞ । ଏହାକୁ କାର୍ଯ୍ୟକାରୀ କରିବାକୁ ଚେଷ୍ଟା କରିବି ।

 

ଭୋଜନ ସମୟ ହୋଇଗଲାଣି । ସଲୀମ୍‌ ପଚାରିଲା–ଆପଣଙ୍କ ପାଇଁ କ’ଣ ବ୍ୟବସ୍ଥା କରାଇବି ?

 

“ଯାହା ପାରୁଛ କର; କିନ୍ତୁ ମନେରଖ, ମୁଁ ହିନ୍ଦୁ, ପୁଣି ପୁରୁଣାକାଳିଆ ଲୋକ । ଏଯାଏଁ ଛୁଆଁ–ଅଛୁଆଁ ବାରୁଛି ।”

 

“ଆପଣ ଛୁଆଁ–ଅଛୁଆଁ ବାରିବାକୁ ଭଲ ବୋଲି ଭାବନ୍ତି ?”

 

“ଭାବେ ନାହିଁ ତ; କିନ୍ତୁ ମାନେ ।”

 

“ତେବେ ମାନୁଛନ୍ତି କାହିଁକି ?”

 

“କାରଣ ସଂସ୍କାର ଏଡ଼ାଇବା କଷ୍ଟକର । ଦରକାର ପଡ଼ିଲେ ମୁଁ ତୁମର ମଳ ଉଠାଇପାରେ; କିନ୍ତୁ ତୁମ ଥାଳୀରେ ମୁଁ ଖାଇପାରିବି ନାହିଁ ।”

 

“ମୁଁ ଆଜି ଆପଣଙ୍କୁ ମୋ ସାଙ୍ଗରେ ବସାଇ ଖୁଆଇବି ।”

 

“ତୁମେ ପିଆଜ, ମାଂସ, ଅଣ୍ଡା ଖାଉଛ, ମୁଁ ତ ସେ ବାସନରେ ଆଦୌ ଖାଇପାରିବି ନାହିଁ ।”

 

“ଆପଣ ସେ ସବୁ ଖାଇବେ ନାହିଁ ତ କିନ୍ତୁ ମୋ ସଙ୍ଗରେ ବସିବାକୁ ପଡ଼ିବ । ମୁଁ ନିତି ସାବୁନ ଲଗାଇ ଗାଧୁଏ ।”

 

‘‘ବାସନ ଭଲ କରି ସଫା କରାଇଦେବ ।”

 

“ଆପଣଙ୍କ ଖାଦ୍ୟ ହିନ୍ଦୁ ରାନ୍ଧିବ । କେବଳ ଗୋଟିଏ ଟେବୁଲରେ ବସି ଖାଇବାକୁ ହେବ-।”

 

‘‘ଆଚ୍ଛା, ହେଲା ବାବା ! ମୁଁ ଦୁଧ–ଘିଅ ଖୁବ୍ ଖାଏ ।”

ସେଠ୍‌ଜୀ ତ ସନ୍ଧ୍ୟୋପାସନା କରିବାକୁ ବସିଲେ, ତା’ପରେ ଶାସ୍ତ୍ର–ପାଠ କଲେ । ଏଣେ ସଲୀମ୍‌ ପାଖରେ ଥିବା ଜଣେ ହିନ୍ଦୁ କନେଷ୍ଟବଳ ପୁରି, କଚୁରି, ହାଲୁଆ, କ୍ଷୀରୀ ପ୍ରଭୃତି କଲା । ଆଗରୁ ଦହି ରଖା ହୋଇଥିଲା । ସଲୀମ‌୍‌ ନିଜେ ଆଜି ଏହି ଖାଦ୍ୟ ଖାଇବ । ସେଠ୍‌ଜୀ ସନ୍ଧ୍ୟା କରିସାରି ଦେଖିଲେ, ଦୁଇଟି କମ୍ବଳ ବିଛାଯାଇଛି ଓ ଦୁଇଟି ଥାଳୀ ରଖା ହୋଇଛି ।

ସେଠ୍‌ଜୀ ଆନନ୍ଦିତ ହୋଇ କହିଲେ–ଏ ଖୁବ୍‌ ଭଲ ବ୍ୟବସ୍ଥା ତ କରିଛ ।

ସଲୀମ୍ ହସି ହସି କହିଲା–ଭାବିଲି, କାହିଁକି ଆପଣଙ୍କ ଧର୍ମ ନେବି ? ନାଇଁ ତ ଗୋଟିଏ କମ୍ବଳ ପଡ଼ିଥାନ୍ତା ।

‘‘ଏ ଧାରଣା ଅଛି ଯଦି, ତୁମେ ମୋ କମ୍ବଳ ଉପରକୁ ଚାଲିଆସ, ନହେଲେ ମୁଁ ସେଠିକି ଯାଉଛି ।’’

ସେ ଥାଳୀ ଉଠାଇ ଯାଇ ସଲୀମ୍‌ର କମ୍ବଳରେ ବସିଲେ । ନିଜ ବିଚାରରେ ସେ ଆଜି ତାଙ୍କ ଜୀବନର ସବୁଠୁ ବଡ଼ ତ୍ୟାଗ କଲେ । ସମୁଦାୟ ସମ୍ପତ୍ତି ଦାନ କରିଥିଲେ ସୁଦ୍ଧା ତାଙ୍କ ହୃଦୟ ଏପରି ଗୌରବାନ୍ୱିତ ହୋଇ ନଥାନ୍ତା ।

ସଲୀମ୍‌ ପରିହାସ କଲା–ଏବେ ତ ଆପଣ ମୁସଲମାନ ହେଲେ !

ସେଠଜୀ କହିଲେ–ମୁଁ ମୁସଲ‌ମାନ ହେଲି ନାହିଁ ଯେ ତୁମେ ହିନ୍ଦୁ ହୋଇଗଲ !

 

Unknown

–୪୭–

 

ଅତି ସକାଳୁ ସମରକାନ୍ତ ଓ ସଲୀମ୍‌ ଡାକବଙ୍ଗଳାରୁ ଗ୍ରାମକୁ ବାହାରିଛନ୍ତି । ପାହାଡ଼ ମୁଣ୍ଡରୁ ନୀଳବାଷ୍ପ ବାହାରୁଛି ଏବଂ ଆଲୋକର ହୃଦୟ ଯେପରି କୌଣସି ଅବ୍ୟକ୍ତ ବେଦନାରେ ଭାରି ହୋଇଉଠୁଛି । ଚାରିଆଡ଼ ନିସ୍ତବ୍ଧ । ପୃଥିବୀ ଗୋଟାଏ ରୋଗିଣୀ ପରି କୁହୁଡ଼ି–ତଳେ ପଡ଼ିରହି ଥରୁଛି । କେତେକ ଲୋକ ମାଙ୍କଡ଼ ପରି ଚାଳ ଉପରେ ବସି ମରାମତ କରୁଛନ୍ତି, ଆଉ କେଉଁଠି ବା ନାରୀମାନେ ଗୋବରରେ ଘଷି ପାରୁଛନ୍ତି । ଦୁହେଁ ଯାଇ ଆଗ ସୁନ୍ଦରୀ ଘରେ ପହଞ୍ଚିଲେ ।

 

ସୁନ୍ଦରୀକୁ ଜ୍ଵର । ଦେହଯାକ ବଥ ପରି ହାଲୁ–ହାଲୁ ହେଉଛି; କିନ୍ତୁ ତାକୁ ଗାଇବା ନିଶା ଧରିଛି–

 

‘‘ଦେଖ ହୋ ସୁଜନ !

ମୂଢ଼ ଜଗତର ଏ ବାଳୁତପଣ ॥ ଦେଖ……

କହିଲେ ସତ କଥା ଫଟାଉଛନ୍ତି ମଥା,

ମିଛକୁ ଦିଅନ୍ତି ସନମାନ ॥ ଦେଖ….”

 

ମନୋବେଦନା ଅସହ୍ୟ ଓ ଅସୀମ ହୋଇଉଠିଲେ ତାକୁ କେଉଁଠି ରକ୍ଷା ମିଳେନା; ସେ ସେତେବେଳେ ରୋଦନ ଓ କ୍ରନ୍ଦନର କୋଳରେ ମଧ୍ୟ ଆଶ୍ରୟ ନ ପାଏ, ସେତେବେଳେ ସଙ୍ଗୀତର ଚରଣତଳେ ଶରଣ ନିଏ ।

 

ସମରକାନ୍ତ ଡାକିଲେ–ଭାଉଜ ! ଟିକିଏ ବାହାରକୁ ଆସିଲ ।

 

ସୁନ୍ଦରୀ ତତ୍‌କ୍ଷଣାତ୍ ଉଠିପଡ଼ି ପାଚିଲା ବାଳକୁ ଓଢ଼ଣାରେ ଢାଙ୍କି ନବଯୌବନା ପରି ଲାଜେଇ–ଲାଜେଇ ଆସି ଠିଆ ହେଲା । ପଚାରିଲା–ତୁମେ କୁଆଡ଼େ ଚାଲିଗଲ କି ଦିଅରବାବୁ ?

 

ସହସା ସଲୀମ୍‌କୁ ଦେଖିପକାଇ ସେ ପାଦେ ପଛେଇଗଲା ଓ ଯେମିତି ଗାଳି ଦେଲା–ଏ ତ ହାକିମ !

 

ତତ୍ପରେ ସିଂହୀ ପରି ଝପଟି ଆସି ସଲୀମ୍‌କୁ ଏପରି ଧକ୍କାଏ ଦେଲା ଯେ ସେ ପଡ଼ିଯାଉ ଯାଉ ରକ୍ଷା ପାଇଗଲା । ସମରକାନ୍ତ ଧରୁ ଧରୁ ପୁଣି ସଲୀମ୍‌ର ଗଳାକୁ ଏପରି ଧରିଲା, ଯେମିତି ଗଳାଟିପି ମାରିଦେବ ।

 

ସେଠ୍‌ଜୀ ତାକୁ ବଳପୂର୍ବକ ଠେଲି ଦେଇ କହିଲେ–ପାଗଳୀ ହେଲ ନା କ’ଣ, ଭାଉଜ ! ହଟି ଯା–ହଟି ଯା, ଶୁଭୁ ନାହିଁ ନା କ’ଣ ?

 

ସୁନ୍ଦରୀ ବଡ଼ବଡ଼ ଜଳନ୍ତା ଆଖିରେ ସଲୀମ୍‌କୁ କଟମଟ କରି ଚାହିଁ କହିଲା–ମାଇଲୁ, ମାଇଲୁ ଦେଖି, ମୋ ସାହାଭରସା ଆସିଗଲାଣି ! ତୋ ମୁଣ୍ଡଟାକୁ ଛତୁ କରିଦେବ !

 

ସମରକାନ୍ତ ତିରସ୍କାରବ୍ୟଞ୍ଜନ ସ୍ଵରରେ କହିଲେ–ସାହାଭରସା ମୁହଁରେ ତ କାଳି ବୋଳୁଛ, ଆଉ କ’ଣ ? ବୁଢ଼ୀ ହେଲ, ମରିବାକୁ ବାହାରିଲଣି, ଏଯାଏଁ ପିଲା–ଢଙ୍ଗ ଗଲା ନାହିଁ ! ହାକିମ ଜଣେ ତୁମ ଦୁଆରକୁ ଆସିବେ ତାଙ୍କୁ ଅପମାନ କରିବ, ଏଇଟା ତୁମ ଧର୍ମ ?

 

ସୁନ୍ଦରୀ ମନେମନେ କହିଲେ–ଏ ଲାଲାବି ଠାକୁରଙ୍କୁ ମନାଉଛନ୍ତି । ପୁଅକୁ ଧରିନେଇଛି ନା, ସେଇଲାଗି । ପୁଣି ଦୁରାଗ୍ରହ ସହକାରେ କହିଲା–ପଚାରୁନ ତାକୁ, ସମସ୍ତଙ୍କୁ ପିଟିଛି କି ନାଇଁ ?

 

ସେଠ୍‌ଜୀ ବିରକ୍ତ ହୋଇ କହିଲେ–ତୁମେ ହାକିମ ହୋଇଥାନ୍ତ, ଆଉ ଗାଁ–ବାଲା ତୁମକୁ ଦେଖିଲାକ୍ଷଣି ଠେଙ୍ଗା–ବାଡ଼ି ଧରି ବାହାରି ଆସିଥାନ୍ତେ, ତେବେ ତୁମେ କ’ଣ କରିଥାନ୍ତ ? ପ୍ରଜାଏ ଯେବେ ମାଡ଼ଗୋଳ କରିବାକୁ ବାହାରିବେ, ହାକିମ କ’ଣ ତାଙ୍କୁ ପୂଜା କରିବ ? ଅମର ଥାନ୍ତା ତ ଠେଙ୍ଗା ଧରି ଧାଇଁ ନଥାନ୍ତ, ଗାଁ–ବାଲାଙ୍କର ଉଚିତ ଥିଲା ହାକିମଙ୍କ ପାଖକୁ ଆସି ଆପଣା ଦୁଃଖ କହିଥାନ୍ତେ, ହାରି–ଗୁହାରି କରିଥାନ୍ତେ–ସମ୍ମାନ ଦେଖାଇ ନମ୍ର ଭାବରେ । ତା’ ନାଇଁ, ତୁମେ ହାକିମଙ୍କୁ ଦେଖିଲ ତ ଦଉଡ଼ିଲ ମାରିବାପାଇଁ, ଯେମିତି ସେ ତୁମର ବଇରୀ । ମୁଁ ହାକିମକୁ ବୁଝାଇ–ସୁଝାଇ ଆଣିଛି କି ମିଳାମିଶା କରାଇ ଦେବି, ସମସ୍ତଙ୍କ ମନ ସଫା ହୋଇଯିବ; ଆଉ ତୁମେ ତାଙ୍କ ସଙ୍ଗେ ଲଢ଼େଇ କରିବାକୁ ତିଆର !

 

ଗୋଳମାଳ ଶୁଣିପାରି ଗ୍ରାମର ଆଉ କେତେ ଲୋକ ଜମା ହୋଇଗଲେ; କିନ୍ତୁ କେହି ସଲୀମ୍‍କୁ ସଲାମ କଲେ ନାହିଁ । ସମସ୍ତଙ୍କ ଆଖିରେ କ୍ରୋଧ ।

 

ସମରକାନ୍ତ ସେମାନଙ୍କୁ ଲକ୍ଷ୍ୟ କରି କହିଲେ–ତୁମେମାନେ ଭାବି ଦେଖ, ଏ ସାହେବ ତୁମର ହାକିମ । ପ୍ରଜାମାନେ ହାକିମଙ୍କୁ ନ ମାନିଲେ ହାକିମଙ୍କର କ୍ରୋଧ ହେବା କ’ଣ ବିଚିତ୍ର କଥା କି ? ଏ ବାବୁ ତ ନିଜକୁ ହାକିମ ଭାବନ୍ତି ନାହିଁ । କିନ୍ତୁ ସମସ୍ତଙ୍କର ତ ଇଜ୍ଜତ ଅଛି–ହାକିମ ହୁଅନ୍ତୁ ବା ନ ହୁଅନ୍ତୁ । ଆପଣା ବେଇଜ୍ଜିତ କେହି ସହିପାରିବ ? କହୁ ନାହଁ, ଗୂଦଡ଼, କିଛି ଭୁଲ କହୁଛି ?

 

ଗୂଦଡ଼ ମୁଣ୍ଡ ନୁଆଁଇ କହିଲା–ନାଇଁ ମାଲିକ, ସତ କହୁଛ । ହେଲେ ସେଇଟା ତ ବାଉଳିଟାଏ । ତା’ କଥା କ’ଣ ଧରିବ ? ସମସ୍ତଙ୍କ ମୁହଁରେ କାଳି ବୋଳୁଛି, ଆଉ କ’ଣ ?

 

“ଏ ମୋର ପୁଅ ସମାନ । ଅମର ସଙ୍ଗେ ପଢ଼ିଛନ୍ତି, ଖେଳିଛନ୍ତି । ତୁମେ ସବୁ ତ ନିଜ ଆଖିରେ ଦେଖିଛ କି ଅମରକୁ ଗିରଫ୍ କରିବାକୁ ଏ ଏକାକୀ ଆସିଥିଲେ । କାହିଁକି ? କ’ଣ ଭାବି ? କ’ଣ ପୋଲିସ୍ ପଠାଇ ଧରାଇ ନେଇ ପାରି ନଥାନ୍ତେ ? ହୁକୁମ ପାଇଲାକ୍ଷଣି ସିପାହୀ ଆସି ବାନ୍ଧିପକାଇ ଧକ୍କା ମାରି ମାରି ନେଇ ଯାଇଥାନ୍ତେ । ଏ ଭଲଲୋକ ବୋଲି ନିଜେ ଆସିଲେ, କୌଣସି ପୁଲିସ୍‍କୁ ସାଙ୍ଗରେ ମଧ୍ୟ ଆଣିଲେ ନାହିଁ । ଅମରବି ସେହିପରି । ଅମରବି ତା’ ଧର୍ମ ନିର୍ଭେଇଲା । ଏକୁଟିଆ ଲୋକକୁ ଅପମାନ କରିବାକୁ ଚାହିଁଥିଲେ, କ’ଣ ଅସୁବିଧା ଥିଲା ? ଏଯାକେ ଯାହା ଯାହା ହୋଇଯାଇଛି, ସେଥିପାଇଁ ତାଙ୍କର ମନରେ ଭାରି ଦୁଃଖ । ତୁମମାନଙ୍କର ଦୋଷ ଥାଇ ସୁଦ୍ଧା, ଏଣିକି ତୁମେସବୁ ମଧ୍ୟ ପଛକଥା–ମାନ ଭୁଲିଯାଅ । ତାଙ୍କ ତରଫରୁ ଏବେ କୌଣସି ପ୍ରକାର ଜୋର୍‍–ଜୁଲୁମ ହେବ ନାହିଁ । ହେଲେବି ତାଙ୍କୁ ଯଦି ଉପରୁ ହୁକୁମ ମିଳେ ତୁମ ସମ୍ପତ୍ତି ନିଲାମ କରିବାକୁ, କି ତୁମକୁ ଗିରଫ୍ କରିବାକୁ, ତା’ ସେ କରିବେ; ସେଟାକୁ ତୁମେ ଖରାପ ବୋଲି ଭାବିବା ଠିକ୍‌ ହେବ ନାହିଁ । ତୁମେ ଧର୍ମ–ଯୁଦ୍ଧ କରୁଛ, ଯୁଦ୍ଧ ତ ନୁହେଁ, ଏ ହେଉଛି ତପସ୍ୟା-। ତପସ୍ୟାବେଳେ ବୋଧ–ଦ୍ଵେଷ ଆସିଲେ, ତପସ୍ୟାଭଙ୍ଗ ହୋଇଯାଏ ।

 

ସ୍ଵାମୀଜୀ କହିଲେ–ଗୋଟିଏ ପକ୍ଷରୁ ତ ଧର୍ମରକ୍ଷା ହୋଇପାରେନା ! ସରକାର ନୀତି–ନିୟମ କରେ । ନୀତିକୁ ରକ୍ଷା କରିବା ତା’ର ଉଚିତ । ସରକାରୀ କର୍ମଚାରୀମାନେ ଯେତେବେଳେ ନୀତି–ନିୟମକୁ ପାଦରେ ଦଳି ଦେଉଛନ୍ତି, ଲୋକେ କିପରି ନିୟକୁ ରକ୍ଷା କରିବେ ?

 

ସମରକାନ୍ତ ଧିକ୍‌କାର କଲେ–ଆପଣ ସନ୍ନ୍ୟାସୀ ହୋଇ ଏପରି କଥା କହୁଛନ୍ତି, ସ୍ଵାମୀଜୀ ? ନିଜର ନୀତି ନିପୁଣତା ବଳରେ ଶାସକଙ୍କୁ ନୀତିରେ ଚଳାଇବା ଆପଣଙ୍କର କର୍ତ୍ତବ୍ୟ । ସମସ୍ତେ ଯଦି ନୀତିରେ ଚଳୁଥାନ୍ତେ, ତେବେ ଆପଣଙ୍କୁ ଏ ତପସ୍ୟା କରିବାକୁ ପଡ଼ନ୍ତା କାହିଁକି ? ଆପଣ ଅମରକୁ ଅନୀତିକୁ ଅନୀତି ବଳରେ ନୁହେଁ, ନୀତି ବଳରେ ଜୟ କରିପାରିବେ ।

 

ସ୍ଵାମୀଜୀଙ୍କ ମୁହଁ ଭାରି ହୋଇଗଲା, କଥା ଅଟକିଗଲା ।

 

ସୁନ୍ଦରୀର ପୀଡ଼ିତ ହୃଦୟ–ପିଞ୍ଜରାରୁ ବାହାରି ଆସିଥିବା ପକ୍ଷୀ ଯେପରି ଆଶ୍ରୟ ଖୋଜୁଥିଲା । ସଜ୍ଜନତା ଓ ସତ୍‌ପ୍ରେରଣାପୂର୍ଣ୍ଣ ଏହି ତିରସ୍କାର ଯେପରି ତା’ ଆଗରେ ଦାନ ବିଛୁଡ଼ି ଦେଲା । ପକ୍ଷୀଟି ବେକ ନୁଆଁଇ ଦୁଇ–ଚାରି ଥର ଦାନାଗୁଡ଼ିକୁ ସତର୍କ ନେତ୍ରରେ ଚାହିଁଲା । ତା’ପରେ ଶୁଣିଲା ତା’ର ରକ୍ଷକ ‘ଆ–ଆ’ ବୋଲି ଡାକୁଛି । ସେ ପର ମେଲାଇ ଦାନା ଉପରକୁ ଓହ୍ଲାଇ ଆସିଲା ।

 

ସୁନ୍ଦରୀ ଆଖି ଛଳଛଳ କରି ଦୁଇ ହାତ ଯୋଡ଼ି ସଲୀମ୍‌ ଆଗକୁ ଯାଇ କହିଲା–ହଜୁର, ମୁଁ ବଡ଼ ଅପରାଧ କରିଛି । ମୋତେ ମାଫ୍‌ କର । ମୋତେ ଜୋତାରେ ପିଟ…..

 

ସେଠ୍‌ଜୀ କହିଲେ–ହଜୁର ନୁହେଁ, ପୁଅ କହ ।

 

“ପୁଅ, ମୋର ଭାରି ଅପରାଧ ହୋଇଛି, ମୂରୁଖଟା, ପାଗଳୀଟା, ଯାହା ସଜା ଦେବାର ଦିଅ ।”

 

ସଲୀମ୍‌ର ଚକ୍ଷୁ ମଧ୍ୟ ସଜଳ ହୋଇ ଉଠିଲା । ଶାସନର ଅଭିମାନ, ଅଧିକାରର ଗର୍ବ ସେ ଭୁଲିଗଲା । କହିଲା–ମା’ ! ମୋତେ ଆଉ ଲଜ୍ଜା ଦିଅନା । ଏଠାରେ ଯେତେ ଲୋକ ଅଛନ୍ତି, ଯେଉଁମାନେ ନାହାନ୍ତି ମଧ୍ୟ, ସମସ୍ତଙ୍କଠାରୁ କ୍ଷମା ଚାହୁଁଛି ।

ଗୂଦଡ଼ କହିଲା–ଆମେ ତୁମର ଗୋଲାମ ବାବା ! ହେଲେ ମୂରୁଖଗୁଡ଼ାକ ତ ଲୋକ ଚିହ୍ନି ଜାଣିଥିଲେ ଏତେ କଥା ହେଇଥାନ୍ତା କାହିଁକି ?

ସ୍ଵାମୀଜୀ ସମରକାନ୍ତଙ୍କ କାନ ପାଖରେ କହିଲେ–ମୋତେ ଜଣାଯାଉଛି, ଏ ଦଗା ଦେବ ।

ସେଠଜୀ ଆଶ୍ୱାସନା ଦେଲେ–କଦାପି ନୁହେଁ, ଚାକିରି ଚାଲିଯିବ ପଛେ ତୁମର ଅନିଷ୍ଟ କରିବ ନାହିଁ । ଅତି ଭଦ୍ରଲୋକ ।

“ତେବେ ଆମକୁ କ’ଣ ପୂରା ଖଜଣା ଦେବାକୁ ପଡ଼ିବ ?”

“କିଛି ନାହିଁ ଯେବେ, ଦେବ କେଉଁଠୁଁ ଆଣି ?”

ସ୍ଵାମୀଜୀ ଦୂରେଇ ଯିବାରୁ ସଲୀମ୍ ସେଠଜୀଙ୍କ କାନରେ କ’ଣ କହିଲା ।

ସେଠଜୀ ହସି ହସି କହିଲେ–ଜଏଣ୍ଟ ମାଜିଷ୍ଟ୍ରେଟ ସାହେବ ତୁମମାନଙ୍କ ଔଷଧପତ୍ର ବାବଦକୁ ଶହେଟି ଟଙ୍କା ଉପହାର ଦେଉଛନ୍ତି, ଆଉ ମୁଁ ମୋ ତରଫରୁ ନ’ଶହ ଶଙ୍କା ମିଶାଇ ଦେଉଛି । ସ୍ୱାମୀଜୀ ଡାକବଙ୍ଗଳାକୁ ଯାଇ ମୋଠୁଁ ଟଙ୍କା ନେଇ ଆସିବେ ।

 

ଗୂଦଡ଼ କୃତଜ୍ଞତାକୁ ଚାପି ଧରିଲା ପରି କହିଲା–ଭାଇ….କିନ୍ତୁ ମୁହଁରୁ ତା’ର ଆଉ ପଦଟିଏବି ବାହାରିଲା ନାହିଁ ।

 

ସମରକାନ୍ତ କହିଲେ–ତୁମେ ଭାବନା ଯେ ଏ ମୋ ଟଙ୍କା, ମୁଁ ବାପ–ଧନ ଆଣି ଦେଉ ନାହିଁ । ତୁମରିଠାରୁ ତୁମମାନଙ୍କ ତଣ୍ଟି ଚିପି ନେଇଥିଲି; ତୁମକୁ ଫେରାଇ ଦେଉଛି !

 

ଶୋକମଗ୍ନ ଗ୍ରାମଟିରେ ଶୋଭାରାଶି ବର୍ଷିଗଲା । ବାୟୁମଣ୍ଡଳରେ ଯେପରି ଗୋଟାଏ ସଙ୍ଗୀତ ଗୋଳି ହୋଇଗଲା ।

 

–୪୮–

 

ଅମରକାନ୍ତକୁ ଜେଲରେ କୌଣସି ପ୍ରକାରେ ଦୈନିକ ସମ୍ବାଦ ମିଳିଯାଏ । ଯେଉଁଦିନ ସେ ମାର–ପିଟ ଓ ଅଗ୍ନିକାଣ୍ଡର ଖବର ପାଇଲା, ତା’ର କ୍ରୋଧର ସୀମା ରହିଲା ନାହିଁ । ଏବଂ ନିଆଁ ଲିଭିଗଲେ ଯେପରି ପାଉଁଶ ରହିଯାଏ, କିଛିକ୍ଷଣ ପରେ ତା’ର କ୍ରୋଧ ସ୍ଥାନରେ ରହିଗଲା ନୈରାଶ୍ୟ । ଲୋକଙ୍କ କନ୍ଦାକଟାର ବ୍ୟଥାଭରା ହାହାକାର ମୂର୍ତ୍ତିମାନ୍‍ ହୋଇ ତା’ ଆଗରେ ମଥା କୋଡ଼ି ହେଲା । ଜଳନ୍ତା ଘରର ନିଆଁ–ଧାସ ତାକୁ ଯେପରି ପୋଡ଼ି ପକାଇଲା । ଏହି କାଳ୍ପନିକ ଭୀଷଣ ଦୃଶ୍ୟାବଳି କଳ୍ପନାତୀତ ହୋଇ ସର୍ବନାଶର ନିକଟବର୍ତ୍ତୀ ହେଲା । ତେବେ ଏ ସବୁପାଇଁ ଦାୟୀ କିଏ ? ଟଙ୍କାତ ସାଧାରଣତଃ ଆଦାୟ କରାଯାଇଥାନ୍ତା; କିନ୍ତୁ ଏତେ ଅତ୍ୟାଚାର ହୋଇ ନଥାନ୍ତା, କିଛି ଅବ୍ୟାହତ ତ ମିଳିଥାନ୍ତା । ଏ ବିଦ୍ରୋହ ପରେ ସରକାର କୌଣସି ପ୍ରକାର ଶିଥିଳ ବ୍ୟବହାର କରିବ ନାହିଁ । କିନ୍ତୁ ଟଙ୍କା ଦେଇ ନ ପାରିବା ତ ମନୁଷ୍ୟର ଅପରାଧ ନୁହେଁ । ଏହି ମୂଲ୍ୟହ୍ରାସ ସଙ୍କଟ କୁଆଡ଼ୁ ଆସି ପହଞ୍ଚିଗଲା କେଜାଣି ! ବାତ୍ୟାରେ କାହାରି ଘରଛପର ଉଡ଼ିଗଲା ବୋଲି ସରକାର ତାକୁ ଶାସ୍ତିଦେବା ଭଳି କଥା ତ ଏ ? ଏ ଶାସନ କାହାର ହିତପାଇଁ ? ଏହାର ଉଦ୍ଦେଶ୍ୟ କ’ଣ ?

 

ଏପରି ଭାବନାରେ ଅଥୟ ହୋଇ ସେ ନୈରାଶ୍ୟର ଶରଣ ନେଲା । ଅତ୍ୟାଚାର ହେଉଛି, ହେଉ । ମୁଁ କ’ଣ କରିବି ? କ’ଣ ବା କରିପାରିବି ! ମୁଁ କିଏ ! ମୋଠାରୁ କ’ଣ ଆଶା କରାଯିବ ? ଦୁର୍ବଳମାନଙ୍କ ଭାଗ୍ୟରେ ଯେ ପର୍ଯ୍ୟନ୍ତ ମାଡ଼ ଖାଇବା ଲେଖା ହୋଇଛି, ମାଡ଼ ଖାଇବେ । ମୁଁ ବା ଏଠି କେଉଁ ଫୁଲ ଶେଯରେ ଶୋଇଛି ! ସଂସାରର ସବୁ ପ୍ରାଣୀ ପଶୁ ହୋଇଯାଆନ୍ତି, ମୁଁ କ’ଣ କରିବି । ଯାହା ହେବ, ହେବ । ଏ ବି ଈଶ୍ଵରଙ୍କ ଲୀଳା ! ଧନ୍ୟ ତୁମ ଲୀଳା-। ଏହିପରି ଲୀଳାରେ ଯଦି ତୁମକୁ ଆନନ୍ଦ ମିଳେ, ତେବେ ତୁମେ ଦୟାମୟ ସାଜିଛ କାହିଁକି-? ମୁଣ୍ଡ ଉପରେ ଅତ୍ୟାଚାରୀର ଠେଙ୍ଗା । ଏହି କ’ଣ ଈଶ୍ଵରର ନୀତି !

 

କୌଣସି ବିକଟ ସମସ୍ୟା ଉପସ୍ଥିତ ହେଲେ ତା’ର ମନ ନାସ୍ତିକତା ଆଡ଼କୁ ଢଳିଯାଉଥିଲା ।

 

ସେ ଦଉଡ଼ି ବଳା ଆରମ୍ଭ କରିଛି; କିନ୍ତୁ ଆଖି ଆଗରେ ଭିନ୍ନ ଏକ ଅଭିନୟ ଦେଖୁଛି–ସେହି ସୁନ୍ଦରୀ ଖୁଡ଼ୀ, କେଶ ମୁକୁଳା, ଅଧା ଲଙ୍ଗଳା, ମାଡ଼ ବସୁଛି । ମାଡ଼ ବର୍ଷୁଛି । ତା’ କାନ୍ଦଣାର କରୁଣସ୍ୱର ଆସି କାନରେ ବାଜିଯାଉଛି । ତା’ପରେ ମୁନ୍ନୀର ମୂର୍ତ୍ତି ସମ୍ମୁଖରେ ଉପସ୍ଥିତ । ତାକୁ ସିପାହୀମାନେ ଗିରଫ୍ କରି ଟାଣି ଟାଣି ନେଇ ଯାଉଛନ୍ତି । ତା’ ମୁହଁରୁ ହଠାତ୍ ବାହାରିପଡ଼ିଲା–ହାଁ–ହାଁ, ଏ କ’ଣ କରୁଛ ? ପରେ ପରେ ସଚେତ ହୋଇ ସେ ଦଉଡ଼ି ବଳିଲା ।

 

ରାତିରେ ମଧ୍ୟ ଏହି ଦୃଶ୍ୟ ଆଖି ଆଗରେ ଭାସିଯାଏ, ସେହି କ୍ରନ୍ଦନ କାନରେ ବାଜିଯାଏ-। ଏହି ସମସ୍ତ ବିପତ୍ତିର ଦାୟିତ୍ଵ ନିଜ ମଥା ଉପରେ ଲଦି ସେ ଦବିଯାଉଛି । ଏ ଭାରକୁ ଉଶ୍ଵାସ କରିବାପାଇଁ ତା’ ପାଖରେ କୌଣସି ଉପାୟ ନାହିଁ । ସେ ଈଶ୍ୱର ବିଶ୍ୱାସକୁ ତ୍ୟାଗ କରି ନାହିଁ ଯେ ନୌକା ତ୍ୟାଗ କରି ଅତଳ ଜଳରେ ବୁଡ଼ିଯାଉଛି । କର୍ମ–ଜିଜ୍ଞାସା ତାକୁ କୁଟା ଖିଅକର ଆଶ୍ରୟ ନେବାକୁ ଦେଉ ନାହିଁ । ସେ କୁଆଡ଼େ ଯାଉଛି ଏବଂ ସଙ୍ଗରେ ଲକ୍ଷ ଲକ୍ଷ ପ୍ରାଣୀଙ୍କୁ କୁଆଡ଼େ ନେଇ ଚାଲିଛି ? ଏହାର ପରିଣାମ କ’ଣ ? ଏହି କଳା–ମେଘମାଳାରେ କେଉଁଠି କ’ଣ ରୁପାର ଝାଲର ଅଛି ? ସେ ଚାହେଁ, କେଉଁଠୁଁ ଡାକ ଶୁଭନ୍ତା–ଆଗେଇ ଆସ, ଆଗେଇ ଆସ, ଏହି ସିଧା ରାସ୍ତା; କିନ୍ତୁ ଚାରିଆଡ଼େ ନିବିଡ଼, ସଘନ ଅନ୍ଧକାର, କେଉଁଠୁଁ ହେଲେ କିଛି ଶବ୍ଦ ଆସୁ ନାହିଁ-। କେଉଁଠି ଆଲୋକ ନାହିଁ । ସେ ନିଜେ ଯେତେବେଳେ ଅନ୍ଧାରରେ ପଡ଼ିଛି, ନିଜେ ଜାଣେ ନାହିଁ ଯେ ଆଗରେ ସ୍ଵର୍ଗର ସୁଶୀତଳ ଛାୟା ଅଛି କି ବିଧ୍ଵଂସର ଜ୍ୱାଳା; ସେତେବେଳେ ତା’ର କି ଅଧିକାର ଅଛି ଏତେ ପ୍ରାଣୀଙ୍କର ପ୍ରାଣ ବିପନ୍ନ କରିବାକୁ ! ଏହି ମାନସିକ ପରାଭବ ଦଶାରେ ତା’ର ଅନ୍ତଃକରଣରୁ ବାହାରପଡ଼ିଲା–‘ହେ ଈଶ୍ଵର ! ମୋତେ ଆଲୋକ ଦେଖାଅ, ମୋତେ ଉଦ୍ଧାର କର-।’ ସେ କାନ୍ଦିବାକୁ ଲାଗିଲା ।

 

ସକାଳ ବେଳା । କଏଦୀମାନଙ୍କର ହାଜିରା ନିଆସରିଛି । ଅମରର ମନ କିଞ୍ଚିତ୍ ଶାନ୍ତ । ସେହି ପ୍ରଚଣ୍ଡ ଆବେଗ ଶାନ୍ତ ହୋଇଯାଇଛି ଓ ଆକାଶକୁ ଆଚ୍ଛନ୍ନ କରିଥିବା ଧୂଳି ବସିଯାଇଛି । ସମସ୍ତ ପଦାର୍ଥ ପରିଷ୍କାର ଦିଶିଲାଣି । ଅମର ମନେମନେ ବିଗତ ଘଟନାବଳିର ଆଲୋଚନା କରୁଛି-। କାର୍ଯ୍ୟ ଓ କାରଣର ସୂତ୍ରମାନ ମିଳାଇବାର ଚେଷ୍ଟା କରୁଛି, ସହସା ଯେପରି ଗୋଟାଏ ଆଘାତ ପାଇଲା–ନୟନାର ସେହି ଚିଠି ଓ ସୁଖଦାର ଗିରଫ୍‍ତାରୀ । ଏହି କାରଣରୁ ତ ତା’ର ଆବେଶ ଆସିଛି ଆଉ ମିଳାମିଶାର ସୁଗମ ମାର୍ଗ ତ୍ୟାଗ କରି ସେହି ଦୁର୍ଗମ ଦିଗକୁ ସେ ଆଗେଇ ଚାଲିଛି-। ଏ ଆଘାତ ଯେପରି ତା’ ଆଖି ଖୋଲିଦେଲା । ସେ ଅନୁଭବ କରୁଛି ଯେ ତାହା ଥିଲା ଯଶୋଲିପ୍ସାର, ବ୍ୟକ୍ତିଗତ ପ୍ରତିଦ୍ଵିନ୍ଦ୍ୱିତାର, ସେବାର ଆବରଣରେ ଲୁଚି ରହିଥିବା ଅହଂକାରର ଖେଳ-। ଏହି ଅବିଚାର ଏବଂ ଆବେଶର ପରିଣାମ ଏହା ବ୍ୟତୀତ ଆଉ କ’ଣ ହୋଇଥାନ୍ତା-!

 

ଅମର ନିକଟରେ ଜଣେ କଏଦୀ ବସି ଦଉଡ଼ି ବଳୁଛି । ଅମର ପଚାରିଲା–ତୁମେ କିପରି ଆସିଲ, ଭାଇ !

 

ସେ କୌତୂହଳରେ ଚାହିଁ କହିଲା–ଆଗେ ତୁମ କଥା କହୁନ ।

 

“ମୋର ତ ନାମ କରିବାର ନିଶା ଥିଲା ।”

 

“ମୋର ଧନର ନିଶା ଥିଲା ।”

 

ସେହି ସମୟରେ ଜେଲର୍ ଆସି ଅମରକୁ କହିଲେ–ତୁମର ଲକ୍ଷ୍ନୌକୁ‌ ବଦଳି ହୋଇଯାଇଛି । ତୁମର ବାପା ଆସିଥିଲେ । ତୁମ ସଙ୍ଗେ ଦେଖା କରିବାକୁ ଚାହୁଁଥିଲେ । ତୁମର ସାକ୍ଷାତକାର ତାରିଖ ହୋଇ ନାହିଁ । ସାହେବ ମନା କରିଦେଲେ ।

 

ଅମର ଆଶ୍ଚର୍ଯ୍ୟରେ ପଚାରିଲା–ମୋର ବାପା ଏଠାକୁ ଆସିଥିଲେ ?

 

“ହଁ–ହଁ, ଏଥିରେ ଆଶ୍ଚର୍ଯ୍ୟର କଥା କ’ଣ ଅଛି । ମି: ସଲୀମ୍‍ବି ତାଙ୍କ ସଙ୍ଗରେ ଥିଲେ ।”

 

“ଇଲାକାର କିଛି ନୂଆ ଖବର ?”

 

“ତୁମ ବାପା ବୋଧହୁଏ ସଲୀମ୍‌ ସାହେବଙ୍କୁ ବୁଝାଇ–ସମଝାଇ ଗ୍ରାମବାସୀଙ୍କ ସହିତ ମିଳାମିଶା କରି ଦେଇଛନ୍ତି । ସାଧୁ ସ୍ଵଭାବର ଲୋକ । ଗ୍ରାମ–ଲୋକଙ୍କ ଚିକିତ୍ସା ଇତ୍ୟାଦିପାଇଁ ହଜାରେ ଟଙ୍କା ଦେଇଦେଲେ ।”

 

ଅମର ହସିଦେଲା ।

 

“ତାଙ୍କରି ଚେଷ୍ଟାରେ ତୁମର ଏ ବଦଳି । ତୁମ ବୀବୀ ମଧ୍ୟ ଲକ୍ଷ୍ନୌ ଆସିଯାଇଛନ୍ତି । ତାଙ୍କୁ ପ୍ରାୟ ଛ’ମାସ ସଜା ମିଳିଛି ।”

 

ଅମର ଠିଆହୋଇ ପଡ଼ିଲା–ସୁଖଦାବି ଲକ୍ଷ୍ନୌରେ ?

 

“ଆଉ ତୁମର ବଦଳି କାହିଁକି ହେଉଛି କି !”

 

ଅମର ମନ ମଧ୍ୟରେ ବିଲକ୍ଷଣ ଶାନ୍ତି ଅନୁଭବ କଲା । ସେ ନୈରାଶ୍ୟ କୁଆଡ଼େ ଗଲା-? ଦୁର୍ବଳତା ଗଲା କୁଆଡ଼େ ?

 

ସେ ପୁଣି ବସି ଦଉଡ଼ି ବଳିଲା । ତା’ ହାତରେ ଆଜି ଅପୂର୍ବ ସ୍ଫୁର୍ତ୍ତି । ଏପରି କାୟ ପରିବର୍ତ୍ତନ ! ଏପରି ମଙ୍ଗଳମୟ ପରିବର୍ତ୍ତନ ! ଏବେବି କ’ଣ ଈଶ୍ଵରଙ୍କ ଦୟା ବିଷୟରେ ସନ୍ଦେହ ରହିପାରେ ! ସେ କଣ୍ଟା ବୁଣିଥିଲା, ସେଗୁଡ଼ିକ ଫୁଲ ପାଲଟିଗଲା-

 

ସୁଖଦା ଆଜି ଜେଲରେ । ସେ ଭୋଗ–ବିଳାସରେ ଆସକ୍ତ ଥିଲା, ସେ ଆଜି ଦୀନ–ସେବାରେ ଜୀବନ ସାର୍ଥକ କରୁଛି । ବାପା, ଯେ କି ପଇସାକୁ ଦାନ୍ତରେ କାମୁଡ଼ି ଧରୁଥିଲେ, ସେ ଆଜି ପରୋପକାରରେ ରତ । କୌଣସି ଦୈବୀଶକ୍ତି ନାହିଁ ତ ଏସବୁ କାହାର ପ୍ରେରଣାରେ ହେଉଛି-!

 

ସେ ମନର ସମ୍ପୂର୍ଣ୍ଣ ଶ୍ରଦ୍ଧା ସହକାରେ ଈଶ୍ଵରଙ୍କ ଚରଣ ବନ୍ଦନା କଲା । ଯେଉଁ ଭାରର ଚାପରେ ସେ ଦବିଯାଉଥିଲା, ତାହା ଆଜି ତା’ ମଥାରୁ ଓହ୍ଲାଇଯାଇଛି । ତା’ର ଶରୀର ଉଶ୍ୱାସ, ଆଉ ଭବିଷ୍ୟତର ଉଚ୍ଚ ସୋପାନ ଯେପରି ତାକୁ ସ୍ଵାଗତ କରୁଛି ।

 

–୪୯–

 

ଅମରକାନ୍ତ ଲକ୍ଷ୍ନୌ ଜେଲକୁ ଆସିବାର ତୃତୀୟ ଦିନ । ଏଠାରେ ତାକୁ ଚକିପେଷା କାମ ଦିଆଯାଇଛି । ଜେଲର ଅଧିକାରୀମାନେ ଜାଣନ୍ତି, ସେ ଧନୀକର ପୁତ୍ର; ସୁତରାଂ ତାକୁ କଠିନ ପରିଶ୍ରମ କରିବାକୁ ଦେଇ ମଧ୍ୟ ଟିକିଏ କୋହଳ କରି ଦିଆଯାଏ ।

 

ଗୋଟାଏ ଚାଳିରେ ଧାଡ଼ି–ଧାଡ଼ି ପେଷା ପଡ଼ିଛି । ସନ୍ଧ୍ୟାବେଳେ ଅଟା ତଉଲ ହେବ । କମ୍ ହେଲେ ଦଣ୍ଡ ଦିଆଯିବ ।

 

ଅମର ତା’ର ସଙ୍ଗୀକୁ କହିଲା–ଟିକିଏ ରହିଯାଅ, ଭାଇ ! ଦମ୍ ନିଏ, ମୋ ହାତ ଆଉ ଚଳୁ ନାହିଁ । ତୁମ ନାମ କ’ଣ ? ମୁଁ ବୋଧହୁଏ ତୁମକୁ କେଉଁଠି ଦେଖିଛି !

 

ସଙ୍ଗୀଟିର ଦେହ କୁନ୍ଦିଲା ପରି, ରଙ୍ଗ କଳା, ଆଖି ଲାଲ ଲାଲ, ଆକୃତି କଠୋର, ପରିଶ୍ରମରେ କ୍ଳାନ୍ତ ଅନୁଭବ କରେନା । ହସିଦେଇ କହିଲା–ମୁଁ ପରା ସେହି କାଲେ ଖାଁ । ଥରେ ତୁମ ପାଖକୁ ସୁନାବଳା ବିକିବାକୁ ଯାଇଥିଲିନା । ମନେ ପକାଅ । ହେଲେ ତୁମେ ଏଠି ପଶିଲ କିପରି ? ମୋତେ ତ ତାଜୁବ ଲାଗୁଛି । ପରଦିନଠୁଁ ପଚାରିବି–ପଚାରିବି ହେଉଛି, ପଚାରିପାରୁ ନାହିଁ; କାଳେ ଆଉ କେହି ହେଇଥିବ । ଅମର ନିଜ କଥା ସଂକ୍ଷେପରେ କହିଦେଇ ପଚାରିଲା–କିପରି ଆସିଲ ତୁମେ ?

 

କାଲେ ଖାଁ ହସି ହସି କହିଲା–ମୋ କଥା କ’ଣ ପଚାରୁଛ, ଲାଲା ! ମୋର ତ ଛ’ ମାସ ବାହାରେ ରହିଲେ ଛ’ବର୍ଷ ଭିତରେ । ଏବେ ତ ଆଲ୍ଲାଙ୍କୁ ଜଣାଉଛି, ଇଆଡ଼େ ଇଆଡ଼େ କେମିତି ନେଇଯା’ନ୍ତେ କି ! ମୋପାଇଁ ବାହାରେ ରହିବାଟା ବିପଦ, ବାବୁ ! ସମସ୍ତେ ଭଲ ଖାଉଛନ୍ତି, ଭଲ ପିନ୍ଧୁଛନ୍ତି । ଦେଖିଲେ ମୋ ମନ ଅଥୟ ହୋଇ ଉଠେ–ହିଂସା ଆସେ; ହେଲେ ମିଳିବ କୁଆଡ଼ୁ ? କିଛି ଗୁଣ–ପଣ ନାହିଁ କି ପାଠଶାଠ ପଢ଼ି ନାହିଁ । ଚୋରି–ଡକାୟତି ନ କଲେ ଖାଇବି କ’ଣ ? ଏଠି କାହା ଉପରେ ହିଂସା ହୁଏନା । ଏଠି କାହାରିକୁ ଭଲ ଖାଇବାର କି ପିନ୍ଧିବାର ଦେଖୁନାହିଁ । ସବୁ ତ ମୋରି ପରି, ଆଉ ହିଂସା–ଈର୍ଷା ହେବ କାହିଁକି ? ସେଇଥିପାଇଁ ଆଲ୍ଲା–ତାଲାଙ୍କୁ ଜଣାଣ କରୁଛି, ଏଉଠୁ ନେଇଯା’ନ୍ତେ କି ! ଏଠୁ ମୁକୁଳିଯିବାକୁ ଚାହୁଁ ନାହିଁ । ତୁମ ହାତ ବଥେଇଲାଣି ତ ଛାଡ଼ିଦିଅ । ମୁଁ ଏକା ପେଷିଦେବି ଯେ । ଏମାନେ ତୁମକୁ ଏ କାମ ଦେଲେ କାହିଁକି ? ତୁମ ଭାଇ–ବନ୍ଧୁଙ୍କୁ ତ ଆମମାନଙ୍କଠୁ ଅଲଗା କରି ଆରାମରେ ରଖାଯାଇଛି । ତୁମକୁ ଏଠି ପକାଇଲେ କାହିଁକି ? ଘୁଞ୍ଚିଯାଅ ।

 

ଅମର ପେଷାର ମୁଠିକୁ ଜୋରରେ ଧରି କହିଲା–ନା–ନା, ମୋ ହାତ ବଥାଉ ନାହିଁ । ଦୁଇ–ଚାରି ଦିନ ଅଭ୍ୟାସ ହୋଇଗଲେ ତୁମ ପରି କାମ କରିବି ।

 

କାଲେ ଖାଁ ତାକୁ ପଛକୁ ଠେଲି ଦେଇ କହିଲା–ହେଲେବି ତୁମେ‌ ମୋ ସଙ୍ଗେ ଅଟା ପେଷିବ, ଏ ତ ମୋତେ ଜମା ଭଲ ଲାଗୁ ନାହିଁ । ତୁମେ ତ କିଛି ଅପରାଧ କରି ନାହଁ । ପ୍ରଜାପୁଅଙ୍କ ପାଇଁ ସରକାର ସଙ୍ଗେ ଲଢ଼ିଛ । ମୁଁ ତ ତୁମକୁ ପେଷେଇ ଦେବି ନାହିଁ । ମୋତେ ମାଲୁମ ହେଉଛି, ତୁମରିପାଇଁ ଆଲ୍ଲା ମୋତେ ଏଠିକି ପଠାଇଛନ୍ତି । ବଡ଼ କୌଶଳୀ ତ ସେ । ତାଙ୍କ ମାୟା କିଏ ବୁଝିବ ! ନିଜେ ଲୋକଙ୍କୁ ଖରାପ କାମ କରାଉଛନ୍ତି, ନିଜେ ସଜା ଦେଉଛନ୍ତି ଆଉ ନିଜେ ପୁଣି ତାକୁ ମାଫି ଦେଉଛନ୍ତି ।

 

ଅମର ଆପତ୍ତି କଲା କୁ–କର୍ମ ଭଗବାନ କରାନ୍ତି ନାହିଁ, ଆମେ ନିଜେ କରୁଁ ।

 

କାଲେ ଖାଁ ଅମରକୁ ଚାହିଁଲା । ତା’ର ଦୃଷ୍ଟି ଯେପରି କହିଉଠିଲା, ତୁମେ ସେ ରହସ୍ୟ ଆଦୌ ବୁଝିପାରି ନାହଁ । ସେ କହିଲା–ନା–ନା, ମୁଁ ମାନିବି ନାହିଁ । ତୁମେ ତ ପଢ଼ିଥିବ ଯେ ତା’ ହୁକୁମ ବିନା ଗୋଟାଏ ପତ୍ର ସୁଦ୍ଧା ହଲିପାରିବ ନାହିଁ, କୁ–କର୍ମ କିଏ କେମିତି କରିବ ? ସବୁ ସେଇ କରାଉଛି, ଫେର୍ ମାଫିବି ଦେଇ ଦଉଛି । ଏ କଥା ତ ମୁଁ ମୁହଁରେ କହିଦେଉଛି, ଯେଉଁଦିନ ମୋ ମନରେ ଏ କଥା ଜମିଯିବ, ସେହିଦିନଠୁଁ କୁ–କର୍ମ ବନ୍ଦ । ତୁମେ ତ ସେଦିନ ମୋତେ ଏହି କଥା ଶିଖାଇଥିଲ । ମୁଁ ତୁମକୁ ମୋର ପୀର୍ ସମଝେଁ, ବାବୁ ! ଦୁଇ–ଶ’ ଟଙ୍କାର ଚିଜ ତୁମେ ତିରିଶ ଟଙ୍କାରେବି ନେଲ ନାହିଁ । ସେହିଦିନ ମୋତେ ମାଲୁମ ହେଲା କି କୁ–କର୍ମ କ’ଣ । ଏବେ ମୋର ଭାବନା, ଆଲ୍ଲାହ୍‍ଙ୍କୁ ମୁହଁ ଦେଖାଇବି କିପରି ? ଜନ୍ଦଗୀରେ ଏତେ ପାପ କରିଛି ଯେ ଭାବିଲାବେଳକୁ ରୋମ ଖାଡ଼ା ହୋଇଯାଉଛି । ଏବେ ତ ଭରସା ତାଙ୍କର ଦୟା । କହିଲ ଭାଇ, ତୁମ ଧର୍ମରେ କ’ଣ ଲେଖାଯାଇଛି । ଆଲ୍ଲା ପାପୀକୁ ମାଫ୍ କରି ଦିଅନ୍ତି ନା ?

 

କାଲେ ଖାଁର କଠୋର ମୁଦ୍ରା ଏହି ଗଭୀର, ସଜୀବ, ସରଳ ଭକ୍ତିଭାବରେ ପ୍ରଦୀପ୍ତ ହୋଇ ଉଠିଲା, ଆଖିରେ ସୁକୁମାର ଦୀପ୍ତି । ପୁଣି ବାଣୀ ଏପରି ମର୍ମସ୍ପର୍ଶୀ, ଏପରି ଆର୍ଦ୍ର ଯେ ଅମରର ହୃଦୟ ପୁଲକିତ ହୋଇଉଠିଲା । ମୁଁ ତ ଶୁଣେ ଖାଁ ସାହେବ, ସେ ବଡ଼ ଦୟାଳୁ ।

 

କାଲେ ଖାଁ ଦ୍ଵିଗୁଣ ବେଗରେ ପେଷା–ଚକି ବୁଲାଉ ବୁଲାଉ କହିଲା–ବ’ଡ୍‌ଡ଼ ଦୟାଳୁ, ବାବୁ ! ମା’ ପେଟରେ ଛୁଆପାଇଁ ଆହାର ଖଞ୍ଜିଛି । ଏ ଦୁନିଆଟା ତ ତାଙ୍କର ଦୟାଳୁତାର ନମୁନା । ଯୁଆଡ଼େ ଚାହଁ, ତାଙ୍କରି ଦୟାର ଛବି ! ଏତେ ଖୁନୀ–ଡାକୁ ଏଠି ପଶିଛନ୍ତି, ଏମାନଙ୍କ ଲାଗିଭି ଆରାମ କରିବାର ସାମାନ ରଖି ଦେଇଛନ୍ତି । ମୌକା ଦେଉଛନ୍ତି, ବାରମ୍ବାର ମୌକା ଦେଉଛନ୍ତି, କି ଏବେବି ହୁସିଆର ହୋଇଯାଅ । ତାଙ୍କର ରାଗ କିଏ ସହିପାରିବ, ବାବା ! ଯେଉଁଦିନ ତାଙ୍କର ରାଗ ହେବ, ଏ ଦୁନିଆଟା ଯାଇ ନରକରେ ପଡ଼ିବ । ଆମ–ତୁମ ଉପରେ ସେ ରାଗ କରିବେ କ’ଣ, ବାବୁ ! ଆମ ପରି ପିମ୍ପୁଡ଼ି ପାଦତଳେ ପଡ଼ିଯିବେ ବୋଲି ଆଡ଼ ହୋଇ ଚାଲିଯା’ନ୍ତି, ଦଳି ହୋଇଯିବା ବୋଲି ତାଙ୍କର ଦୟା ଆସେ । ସେ ଆଲ୍ଲା ଆମକୁ ଜନ୍ମ ଦେଇଛନ୍ତି, ପାଳୁଛନ୍ତି, ସେ କେବେ ଆମ ଉପରେ ଗୁସା କରିପାରିବେ ? କେଭେ ନୁହେଁ ।

 

ଅମର ଅନୁଭବ କଲା, ଯେପରି ତା’ ଭିତରେ ଆସ୍ଥାର ଏକ ଲହରୀ ଉଠୁଛି । ଏପରି ଅଟଳ ବିଶ୍ୱାସ, ସରଳ ଶ୍ରଦ୍ଧାର ସହିତ ଏ ବିଷୟରେ କହିବା ସେ କେବେ କାହାରିଠୁଁ ଶୁଣି ନଥିଲା । ସେହି କଥା, ଛୋଟ ବଡ଼ ସମସ୍ତଙ୍କ ମୁହଁରୁ ନିତି ଶୁଣାକଥା; କିନ୍ତୁ କାଲେ ଖାଁର ନିଷ୍ଠା ସେହି ଶବ୍ଦଗୁଡ଼ିକରେ ଜୀବନ୍ୟାସ କରିଦେଲା ।

 

କିଛି ସମୟ ପରେ ସେ କହିଲା–ତୁମକୁ ଚକି ପେଷାଇବା ଯାହା ଚଢ଼େଇକୁ ଖଣ୍ଡାରେ ହାଣିବା ସେୟା । ତୁମକୁ ଜେଲରେ ନ ରଖି ହସ୍‌ପତାଲ୍‍ରେ ରଖିବା କଥା । ରୋଗୀର ପଦିଏ ମିଠା କଥାରେ ଯେତେ ଫାଇଦା ହେବ, ଔଷଧ ଖାଇ ତାହା ହୋଇପାରିବ ନାହିଁ । ମୋରି ଆଗରେ ସେଠାରେ କେତେ କଏଦୀ ବେମାର ହେଲେ, ବାବୁ ! ଜଣେବି ଭଲ ହେଲା ନାହିଁ । କଥା କ’ଣ ? ଦବାଇ କଇଦୀଙ୍କ ମୁଣ୍ଡ ପାଖରେ ଫୋପାଡ଼ି ଦେଇଯାନ୍ତି, ସେ ତେଣିକି ଖାଉ ତ ଫିଙ୍ଗିଦେଉ ।

 

ଅମର ସେହି କଳା କିଟିକିଟି ଦେହ ଭିତରେ ସୁନା ପରି ଝଲକୁଥିବା ହୃଦୟଟିଏ ଦେଖିପାରିଲା । ହସି ହସି କହିଲା–କିନ୍ତୁ ଦୁଇଟାଯାକ କାମ ଏକ ସଙ୍ଗେ କରିବି କିପରି ?

 

“ମୁଁ ଏକାଏକା ପେଷା ବୁଲାଇ ପୂରା ଅଟା ତଉଲ କରାଇଦେବି ।”

 

“ତାହାହେଲେ ତ ସବୁଯାକ ପ୍ରଶଂସା ମୁଁ ମାରିନେବି ।”

 

କାଲେ ଖାଁ ସାଧୁ ଭାବରେ କହିଲା–ବାବୁ, ଏ ପ୍ରଶଂସାକୁ ଆଗରେ ରଖି କିଛି କାମ କରିବା ଠିକ୍ ନୁହେଁ । ମନକୁ ଏମିତି ବାଗେଇ ନେବ ଯେ ଗାଇବା କି ଖେଳିବାରୁ ଯେମିତି ସୁଖ ପାଏ, ଏ ଭଲ କାମ କଲେ ସେମିତି ସୁଖ ପାଇବ । ନିଜ ଲାଭପାଇଁ କାମ କରିବା ହେଉଛି, ବ୍ୟବସାୟ । ମୁଁ ବା ତୁମକୁ କ’ଣ ବୁଝାଇବି, ବାବୁ, ତୁମେ ତ ମୋଠୁଁ ବେଶି ବୁଝିଥିବ ଏ କଥା । ମୁଁ ରୋଗୀସେବା କରିବାକୁ ଅଯୋଗ୍ୟ । ମୁଁ ଭାରି ଜଲଦି ରାଗିଯାଏ । ନ ରାଗିବାକୁ ଯେତେ ମନ କରୁଛି, ହେଲେ କ’ଣ ହେବ ? ଥରକୁ ଦି’ଥର କହିଲି, ଯେବେ କେହି ନ ମାନିଲା, ତେବେ ବିଗିଡ଼ିଲି ।

 

ସେହି ଡାକୁ, ଯାହାକୁ ଅମର ଦିନେ ଅଧମତାର ପାଦତଳେ ଲୋଟୁଥିବାର ଦେଖିଥିଲା, ଆଜି ଦେବତ୍ଵ–ପଦରେ ପହଞ୍ଚିଯାଇଛି । ତା’ର ଆତ୍ମାରୁ ଯେପରି ଏକ ଆଲୋକ ବାହାରି ଅମରର ଅନ୍ତଃକରଣକୁ ଆଲୋକିତ କରି ଦେଉଛି ।

 

ଅମର କହିଲା–ମୋତେ ଖରାପ ଲାଗୁଛି–ତୁମେ ମେହନତ୍ କରିବ, ଆଉ ମୁଁ……

 

କାଲେ ଖାଁ ଖଣ୍ଡନ କଲା–ଭାଇ, ଏଥିରେ ଅଛି କ’ଣ ? ତୁମ କାମ ତ ଏ ଚକି ପେଷାଠାରୁ ଆହୁରି କଠିନ । ତୁମକୁ ତ କଥା କହିବାକୁ ଫୁରୁସତ୍ ମିଳିବ ନାହିଁ । ମୁଁ ରାତିରେ ଗାଢ଼ ନିଦରେ ଶୋଇବି । ତୁମେ ଉଜାଗରରେ ରାତି କାଟିବ । ଜୀବନ ମରଣର ସମସ୍ୟା ତ । ଏ ଚକିପେଷାରେ କ’ଣ ଅଛି ? ଏ କାମ ତ ଗଧବି କରିଦେବ; କିନ୍ତୁ ତୁମେ ଯେଉଁ କାମ କରିବ, ତା’ କେତେଟା କରିପାରନ୍ତି !

 

ସୂର୍ଯ୍ୟାସ୍ତ ହେଉଛି । କାଲେ ଖାଁ ତା’ର ସବୁ ଗହମ ପେଷିସାରି କଏଦୀମାନଙ୍କ ପାଖକୁ ଯାଇ ଦେଖୁଛି, କାହାର କେତେ ବାକି ଅଛି । କେତେକଙ୍କର ଗହମ ଏବେ ସୁଦ୍ଧା ସରି ନାହିଁ । ଜେଲ କର୍ମଚାରୀ ଅଟା ଓଜନ କରିବାକୁ ଆସୁଥିବ । ଏ ବିଚାରାଙ୍କ ଉପରେ ବିପଦ ପଡ଼ିବ, ମାଡ଼ ଖାଇବେ । କାଲେ ଖାଁ ଜଣ ଜଣଙ୍କ ପାଖକୁ ଯାଇ ସାହାଯ୍ୟ କରୁଛି । ତା’ର ତତ୍ପରତା ଓ ପରିଶ୍ରମ ଦେଖି ଲୋକେ ସ୍ତମ୍ଭିତ । ଅଧଘଣ୍ଟା ଭିତରେ ସେ ସବୁ ପଛୁଆଙ୍କ ଅଭାବ ପୂରଣ କରିଦେଲାଣି । ଅମର ନିଜର ଚକି ପାଖରେ ଠିଆ ହୋଇ ଏହି ସେବା–ପ୍ରତିମାକୁ ଶ୍ରଦ୍ଧାପୂର୍ଣ୍ଣ ନୟନରେ ଚାହିଁଛି, ସତେ ବା ଦେବ–ଦର୍ଶନ କରୁଛି !

 

କାଲେ ଖାଁ ଅବସର ପାଇଁ ନମାଜ ପଢ଼ିବାକୁ ଲାଗିଲାଣି । ସେହି ବାରଣ୍ଡାରେ ସେ ୱଜୂ (ପ୍ରାର୍ଥନା ପୂର୍ବରୁ ମୁହଁ–ହାତ ଧୋଇବା) କରି ପକାଇ ନିଜ କମ୍ୱଳଟି ଭୂଇଁରେ ବିଛାଇ ନମାଜ ଆରମ୍ଭ କରୁଛି, ସେତିକିବେଳେ ଜେଲର୍ ସାହେବ ଚାରିଜଣ ୱାର୍ଡ଼ର୍‌ଙ୍କ ସହ ଅଟା ମପାଇବାକୁ ଆସି ପହଞ୍ଚିଲେ । କଏଦୀମାନେ ନିଜ ନିଜର ଅଟା ଅଖାରେ ଭରି ତରାଜୁ ପାଖରେ ଠିଆ ହୋଇଗଲେ । ଅଟା ଓଜନ କରାଗଲା ।

 

ଜେଲର୍ ଅମରକୁ ପଚାରିଲେ–ତୁମ ସାଥୀ କାହିଁ ?

 

ଅମର କହିଲା–ନମାଜ ପଢ଼ୁଛି ।

 

“ତାକୁ ଡାକ । ଆଗେ ଅଟା ଓଜନ କରାଇଦେଇ, ପଛେ ନମାଜ ପଢ଼ୁଥାଉ । ଭାରି ନମାଜର ଲାଞ୍ଜ ସାଜିଛି ତ । କେଉଁଠି ନମାଜ ପଡ଼ୁଛି ଯାଇ ?”

 

ଅମର ଶେଡ଼୍‍ର ପଛକୁ ଇଙ୍ଗିତ କରି କହିଲା–ସେ ନମାଜ ପଢ଼ୁଥାନ୍ତୁ, ଆପଣ ଅଟା ତଉଲି ନିଅନ୍ତୁ ।

 

ଜେଲର ସାକ୍ଷାତ୍‌ ପ୍ରଭୁଙ୍କ ବିଜେ ବେଳାରେ ଗୋଟାଏ କଏଦୀ ନମାଜ ପଢ଼ିବାକୁ ଚାଲିଯିବ, ସେ ଏହା ସହିପାରନ୍ତେ ? ଶେଡ଼୍ ପଛକୁ ଯାଇ କହିଲେ–ଆବେ ହେ ନମାଜୀଙ୍କ ବଚ୍ଚା ! ଅଟା ଓଜନ କରି ଦେଉ ନାହୁଁ କାହିଁକି ? ବଚ୍ଚା ଗହମରୁ କିଛି ଖାଇ ଦେଇଥିବ, ସେଇପାଇଁ ନମାଜ ବାହାନା କରୁଛି । ଚାଲ୍–ଚାଲ୍, ନହେଲେ ହଣ୍ଟରରେ ଚମଡ଼ା ଉତାରି ଦେବି ।

 

କାଲେ ଖାଁ ଭିନ୍ନ ଜଗତରେ ଅଛି ।

 

ଜେଲର୍ ପାଖକୁ ଯାଇ ନିଜ ଛଡ଼ିରେ ତା’ ପିଠିକୁ କେଞ୍ଚି କହିଲେ–କାଲା ହୋଇଗଲୁଣି କି ବେ ? ନା ମରିଗଲୁଣି ?

 

କାଲେ ଖାଁ ନମାଜରେ ମଗ୍ନ । ପଛକୁ ଫେରି ଚାହୁଁନାହିଁ ।

 

ଜେଲର୍‌ ରାଗିଉଠି ଗୋଇଠାଏ ମାରିଲେ । କାଲେ ଖାଁ ସିଜଦା (ପ୍ରଣାମ) କରିବାକୁ ନଇଁଥିଲା । ଗୋଇଠା ଖାଇ ମୁହଁମାଡ଼ି ପଡ଼ିଗଲା; କିନ୍ତୁ ତତ୍‍କ୍ଷଣାତ୍ ସମ୍ଭାଳି ଯାଇ ପୁଣି ସିଜଦା କରିବାକୁ ନଇଁପଡ଼ିଲା । ଜେଲର୍‌ର ଜିଦ୍‍ଲାଗିଛି, କେମିତି ତା’ର ନମାଜ ଭାଙ୍ଗିବ । ସମ୍ଭବ କାଲେ ଖାଁ ମଧ୍ୟ ଜିଦ୍ ଧରିଛି, ନମାଜ ନ ସାରି ଉଠିବ ନାହିଁ । ସେ ତ ସିଜଦା କରୁଛି । ଜେଲର୍ ବୁଟ୍‌ପିନ୍ଧା ପାଦରେ ଆଘାତ ପରେ ଆଘାତ କରିବାରେ ଲାଗିଛନ୍ତି । ଜଣେ ୱାର୍ଡ଼ର ଧାଇଁ ଯାଇ ଦୁଇଟା ପହରାବାଲା ଡାକି ଆଣିଲାଣି । ଆଉ ଜଣେ ଜେଲର୍‌ ସାହେବଙ୍କୁ ସାହାଯ୍ୟ କରୁଛି । କାଲେ ଖାଁ ଉପରେ ଗୋଟାଏ ପଟରୁ ଗୋଇଠା, ଗୋଟାଏ ପଟରୁ ଲାଠିପାହାର ଚାଲିଛି; ମାତ୍ର ସେ ସିଜଦାରୁ ମଥା ଉଠାଉ ନାହିଁ । କେବଳ ପ୍ରତି ଆଘାତରେ ଅନ୍ତର ଥରାଇ ତା’ ମୁହଁରୁ ବାହାରି ଆସୁଛି “ଆଲ୍ଲା ହୋ ଆକବର” ଧ୍ଵନି । ଏଣେ ଆଘାତକାରୀମାନଙ୍କ ଉତ୍ତେଜନା ମଧ୍ୟ ବଢ଼ିଚାଲିଛି । ଜେଲ୍‌ର କଏଦୀଟାଏ ଜେଲ୍‌ର ଈଶ୍ଵରଙ୍କୁ ପ୍ରଣାମ ନ କରି ନିଜ ଈଶ୍ଵରକୁ ପ୍ରଣାମ କରିବ, ଜେଲର୍ ସାହେବଙ୍କୁ ଏହାଠୁଁ ବଳି ଅପମାନ ଆଉ କ’ଣ ହୋଇପାରେ ? ଏହି ଯେ କାଲେ ଖାଁର ମଥାରୁ ରକ୍ତ ବାହାରିଲାଣି । ଅମରକାନ୍ତ ତାକୁ ରକ୍ଷା କରିବାକୁ ବାହାରିଥିଲା, ଜଣେ ୱାଡ଼ର୍ ତାକୁ ଜୋର କରି ଧରିନେଇଛି । ଏଣେ ଅବିରତ ଆଘାତ ଚାଲିଛି ଏବଂ କାଲେ ଖାଁ ବରାବର ‘ଆଲ୍ଲା ହୋ ଆକବର’ ଧ୍ୱନି ଦେଉଛି । ଏବେ ତ ଧ୍ଵନି କ୍ରମେ କ୍ଷୀଣ ହୋଇ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି । କିନ୍ତୁ ସେହି ଶବ୍ଦ କାହାରି କାନରେ ବାଜୁ ନ ବାଜୁ ତା’ର ଓଠ ଏବେ ସୁଦ୍ଧା ଖୋଲୁଛି ଏବଂ ‘ଆଲ୍ଲା ହୋ ଆକବର’ର ଅବ୍ୟକ୍ତ ଧ୍ଵନି ବାହାରୁଛି ।

 

ଜେଲ୍‌ର କ୍ରୋଧରେ କହିଲା–ବଦମାସଟା ଏଇଠି ପଡ଼ିଥାଉ ! କାଲିଠୁଁ ୟାକୁ ଠିଆ–ବେଡ଼ି ଦେଇ ଏକୁଟିଆ ପକାଇ ଦେବି । ସେଥିରେ ସିଧା ନହେଲେ ମୁହଁ ତଳକୁ କରି ଟାଙ୍ଗି ଦେବି । ବଦମାସର ନମାଜୀପଣିଆ ଛଡ଼େଇ ନ ଦେଇଛି ତ ମୋ ନାଆଁ ଧରିବ ନାହିଁ !

 

ମିନିଟ୍‌କ ଭିତରେ ୱାର୍ଡ଼ର୍ ଜେଲର୍ ସିପାହୀ ସବୁ ଚାଲିଗଲେ । କଏଦୀମାନଙ୍କ ଖାଇବାବେଳ ହୋଇ ଯାଇଛି, ସମସ୍ତେ ଯାଇ ଖାଇ ବସିଲେଣି । କିନ୍ତୁ କାଲେ ଖାଁ ମୁହଁମାଡ଼ି ସେଇଠି ପଡ଼ିଛି । ମୁଣ୍ଡ, ନାକ ଓ କାନରୁ ରକ୍ତ ବହୁଛି । ଅମରକାନ୍ତ ବସି କ୍ଷତସବୁକୁ ପାଣିରେ ଧୋଉଛି ଓ ରକ୍ତ ବନ୍ଦ କରିବାକୁ ଚେଷ୍ଟା କରୁଛି । ଆତ୍ମଶକ୍ତିର ଏହି କଳ୍ପନାଗତ ଉଦାହରଣ ତା’ର ଭୌତିକ ବୁଦ୍ଧିକୁ ଆକ୍ରାନ୍ତ କରିଛି । ଏ ପରିସ୍ଥିତିରେ ସେ କ’ଣ ଏପରି ନିଶ୍ଚଳ ଓ ସଂଯତ ହୋଇ ବସିପାରିଥାନ୍ତା ? ସେ ବୋଧହୁଏ ପ୍ରଥମ ଆଘାତରୁ ପ୍ରତିକାର କରିଥାନ୍ତା କିମ୍ବା ନମାଜ ବନ୍ଦକରି ଦେଇଥାନ୍ତା । ବିଜ୍ଞାନ, ଧର୍ମନୀତି ଓ ଦେଶାନୁରକ୍ତିର ବଳିବେଦୀରେ ବଳିଦାନର ଅଭାବ ହୋଇନାହିଁ-। ମାତ୍ର ଏହି ଅଟଳ ଧୈର୍ଯ୍ୟ କେବଳ ଈଶ୍ୱର–ନିଷ୍ଠାର ପ୍ରସାଦ ।

 

ବନ୍ଦୀମାନେ ଖାଇସାରି ଫେରିଲେଣି; ତଥାପି କାଲେ ଖାଁ ସେଇଠି ପଡ଼ିଛି । ସମସ୍ତେ ମିଳି ତାକୁ ବାରାକ୍ (ଶୋଇବା ଘର)କୁ ଟେକିନେଲେ ଓ ଡାକ୍ତରଙ୍କୁ ଖବର ଦେଲେ; କିନ୍ତୁ ସେ ବାବୁ ରାତିରେ ଏତେ କଷ୍ଟ କରିବା ଦରକାର ମନେକଲେ ନାହିଁ । ସେଠାରେ ତ କୌଣସି ଔଷଧ ନଥିଲା, ଏପରି କି ଗରମ ପାଣିବି ମିଳିପାରିଲା ନାହିଁ ।

 

ସେହି ବାରାକ୍‌ର କଏଦୀମାନେ ବସି ବସି ରାତି କଟାଇଲେ । ସକାଳ ହେଲେ ଜେଲର୍‍କୁ ଠିକ୍ କରିବା, ଏହି ବିଚାରରେ କେତେ ଜଣ ତତ୍ପର ଥିଲେ । ଆଉ ବର୍ଷେ ବର୍ଷେ ମିଆଦ ବଢ଼ିଯିବ, ଏୟା ତ ! କ୍ୟା ପରୱା ? ଅମରକାନ୍ତ ଥିଲା ଶାନ୍ତ ପ୍ରକୃତିର ଲୋକ; ମାତ୍ର ସେ ମଧ୍ୟ ବର୍ତ୍ତମାନ ସେମାନଙ୍କ ସଙ୍ଗେ ଯୋଗ ଦେଇଛି । ରାତିଯାକ ତା’ ଅନ୍ତରରେ ପଶୁ ଓ ମନୁଷ୍ୟ ମଧ୍ୟରେ ଦ୍ଵନ୍ଦ୍ୱ ଚାଲିଛି । ସେ ଜାଣେ ଯେ ନିଆଁ ନିଆଁରେ ନୁହେଁ ପାଣିରେ ଶାନ୍ତ ହୁଏ । ମନୁଷ୍ୟ ଯେଡ଼େ ପଶୁ ହେଲେବି ତା’ ଭିତରେ ମନୁଷ୍ୟତା କିଛି ହେଲେ ରହିଥାଏ । କେବଳ ଗ୍ଳାନି ଓ ପଶ୍ଚାତ୍ତାପଦ୍ଵାରା ମନୁଷ୍ୟତା ଜାଗିପାରେ । ଅମର ଏକାକୀ ହୋଇଥିଲେ ଏବେବି ବିଚଳିତ ହୋଇ ନଥାନ୍ତା; କିନ୍ତୁ ସାମୂହିକ ଆବେଶ ତାକୁ ମଧ୍ୟ ଅସ୍ଥିର କରି ଦେଇଛି । ଦଳ ସଙ୍ଗରେ ଲୋକ ଏପରି ଅନେକ ଭଲ ବା ମନ୍ଦ କାର୍ଯ୍ୟ କରିପକାଏ, ଯାହା ସେ ଏକାକୀ କରିପାରନ୍ତା ନାହିଁ । କାଲେ ଖାଁର ଦଶା ଯେତେ ଖରାପ ହେବାକୁ ଲାଗିଛି, ପ୍ରତିଶୋଧର ଜ୍ୱାଳା ସେତେ ପ୍ରଚଣ୍ଡ ହୋଇଯାଉଛି ।

 

ଜଣେ ଡକାୟତ–ବନ୍ଦୀ କହିଲା–ରକ୍ତ ପିଇଯିବି, ରକ୍ତ ! ସେ କ’ଣ ଭାବିଛି କି ! ହେଇ ହେଇ ଫାଶୀ ହେବ ତ ?

 

ଅମରକାନ୍ତ କହିଲା–ସେତେବେଳେ କ’ଣ ଭାବିଥିଲ କି ମାରିପକାଉଛି !

 

ଚୁପ୍‌ଚାପ୍ ଷଡ଼ଯନ୍ତ୍ର ଚାଲିଲା, ଆଘାତକାରୀ ବଛା ହେଲେ, ସେମାନଙ୍କର କାର୍ଯ୍ୟବିଧାନ ସ୍ଥିର ହେଲା । ନିଜର ନିର୍ଦ୍ଦୋଷତା ପ୍ରମାଣ କରିବାର ଯୁକ୍ତି ଭାବି ସ୍ଥିର କରାଗଲା ।

 

ସହସା ଗେଡ଼ା କଏଦୀଟିଏ କହିଲା–ତୁମେମାନେ ଭାବିଛ, ସକାଳ ସୁଦ୍ଧା ସେ ଖବର ପାଇ ନ ଯିବ ?

 

ଅମର ପଚାରିଲା–କେମିତି ପାଇବ ? ଏଠି ଏପରି କିଏ ଅଛି ଯେ ତାକୁ ଖବର ଦେଇ ଦେବ ?

 

ବାଙ୍ଗର କଏଦୀଟି ବାମ–ଡାହାଣକୁ ଆଖି ବୁଲାଇ କହିଲା–ଖବର ଦେଲାବାଲା କେଉଁଠୁଁ କେଜାଣି ବାହାରିପଡ଼ନ୍ତି, ଭାଇ ! କାହା ମୁଣ୍ଡରେ ତ ଛାପା ମରା ହୋଇ ନାହିଁ । ଆମରି ଭିତରୁ କିଏ ଯାଇ ଖବର ଦେଇ ଦେବ, କିଏ ଜାଣେ ! ନିତି ତ ଦେଖୁଛ ଲୋକେ ଖବର ଦେଉଥିବା-। ଯେଉଁ ଲୋକ ଆଗୁଆ ହେଉଛନ୍ତି, ବେଳ ପଡ଼ିଲେ ସେହି ପୁଣି ସରକାରୀ ସାକ୍ଷୀ ହେଉଛନ୍ତି-। କିଛି କରିବ ତ ଏହିକ୍ଷଣି କରିପକାଅ । ଦିନରେ ଗୋଳମାଳ କଲେ ତ ସମସ୍ତେ ଧରା ହୋଇଯିବ । ପାଞ୍ଚ ପାଞ୍ଚବର୍ଷ ସଜା ଠୁଙ୍କି ଦିଆଯିବ ।

 

ଅମର ସନ୍ଦେହପୂର୍ଣ୍ଣ ସ୍ଵରରେ ପଚାରିଲା–ବର୍ତ୍ତମାନ ତ ସେ ତାଙ୍କ କ୍ୱାଟର୍‍ରେ ଶୋଇଥିବେ ।

 

ବାଙ୍ଗରା କଏଦୀଟି ବାଟ ବତେଇଲା–ସେ ଆମ କାମ ଭାଇ, ତୁମେ କ’ଣ ଜାଣିବ ?

 

ସମସ୍ତେ ମୁହଁ ବୁଲାଇ ଫିସ୍‌ଫିସ୍ କଥା ଆରମ୍ଭ କରିଦେଲେ । ତା'ପରେ ପାଞ୍ଚ ଜଣ ଠିଆ ହୋଇଗଲେ ।

 

ବାଙ୍ଗର କଏଦୀଟି କହିଲା–ଆମ ଭିତରୁ ସେ ବାହାରିଯିବ, ତାକୁ ଗୋ–ହତ୍ୟା ଲାଗିବ ।

 

କହୁ କହୁ ସେ ବଡ଼ ଜୋରରେ ହାୟ–ହାୟ କଲା, ଆଉ କେତେକ ରଡ଼ି କରିବାକୁ ଲାଗିଲେ । ସଙ୍ଗେ ସଙ୍ଗେ ୱାର୍ଡ଼ର୍‌ ଦ୍ଵାର ପାଖକୁ ଆସି କହିଲା–ତୁମେ ସବୁ କାହିଁକି ପାଟିଗୋଳ କରୁଛ କିବେ ! କଥା କ’ଣ ?

 

ବାଙ୍ଗର ଲୋକଟି କହିଲା–କଥା, ଆଉ କ’ଣ, କାଲେ ଖାଁର ଅବସ୍ଥା ସାଙ୍ଘାତିକ । ଯାଇ ଜେଲର୍‌ ସାହେବଙ୍କୁ ଡାକିଆଣ, ଜଲଦି–ଜଲଦି ।

 

ୱାର୍ଡ଼ର୍‌ କହିଲା–ହଃ ବେ, ଚୁପ୍ ହୋଇ ପଡ଼ିରୁହ । ଭାରି ତ ନବାବଙ୍କ ନାତି ହେଇଗଲଣି !

 

“ଆମେ କହୁଛୁ ଯାଅ ତାଙ୍କୁ ପଠାଇଦେବ, ନହେଲେ ଭଲ ହେବ ନାହିଁ ।”

 

କାଲେ ଖାଁ ଆଖି ଫିଟାଇ କ୍ଷୀଣ ସ୍ଵରରେ କହିଲା–କାହିଁକି ପାଟି କରୁଛ, ଭାଇମାନେ, ମୁଁ ଏଇଛୁଣି ମରୁ ନାହିଁ । ଜଣାଯାଉଛି, ପିଠି ହାଡ଼ରେ ମାଡ଼ ବାଜିଛି ।

 

ଗେଡ଼ା କଇଦୀଟି କହିଲା ତା’ର ପ୍ରତିଫଳ ଦେବାକୁ ବ୍ୟବସ୍ଥା କରୁଛୁରେ, ପଠାଣ !

 

କାଲେ ଖାଁ ତିରସ୍କାର କଲା ପରି କହିଲା–କାହାକୁ ପ୍ରତିଫଳ ଦେବରେ ଭାଇ ! ଆଲ୍ଲାଙ୍କୁ-? ଆଲ୍ଲାଙ୍କର ଏହି ଇଚ୍ଛା, ତାକୁ କିଏ ବାଧା ଦେଇପାରିବ ? ମୋତେ ଟିକିଏ ପାଣି ପିଇବାକୁ ଦିଅ-। ଆଉ ଦେଖ, ମୁଁ ଯେବେ ମରିଯାଏ, ତେବେ ଏଠି ଯେତେ ଭାଇ ଅଛ, ସମସ୍ତେ ମୋପାଇଁ ଖୁଦାଙ୍କୁ ଜଣାଇବ । ମୋର ଦୁନିଆରେ ଆଉ କିଏ ଅଛି ! ତୁମମାନଙ୍କ ପ୍ରାର୍ଥନାରେ କାଳେ ମୋତେ ମୁକ୍ତି ମିଳିବ !

 

ଅମର ତାକୁ କୋଳରେ ଧରି ପାଣି ପିଆଇଲା । ଢୋକ ଗଳାରୁ ଖସିଲା ନାହିଁ । ସେ ଜୋର ଚିତ୍କାର କରି ପୁଣି ପଡ଼ିଗଲା ।

 

ଗେଡ଼ା କଇଦୀଟି କହିଲା–ଏମିତି ବଦମାସର ବେକଟାକୁ କୁନ୍ଥା ଦାଆରେ କାଟିବା କଥା ।

 

କାଲେ ଖାଁ । ଦୀନ ଭାବରେ ରହି ରହି କହିଲା–ମୋ ମୁକ୍ତି (ନଜାତ୍)ର ଦୁଆର କାହିଁକି ବନ୍ଦ କରି ଦେଉଛ, ଭାଇ ! ଏ ଦୁନିଆଟା ତ ବିଗାଡ଼ିଲେ, ଆଉ କ’ଣ ସେ–ପୁରକୁବି ବିଗାଡ଼ିବାକୁ ଚାହୁଁଛ ? ଆଲ୍ଲାଙ୍କୁ ଡାକ, ସମସ୍ତଙ୍କୁ ଦୟା କର । ଜିନ୍ଦଗୀ (ଜୀବନ କାଳ)ରେ କ’ଣ କମ୍ ପାପ କରିଛେ ! ମଲା ପରେବି ଗୋଡ଼ରେ ବେଢ଼ି ପଡ଼ିଥିବ । ୟା ଆଲ୍ଲାଃ, ରହମ୍ କର (ହେ ଈଶ୍ଵର, କୃପାକର) ।

 

ଏହି କେତୋଟି ପଦରେ ମୁମୂର୍ଷୁର ଆତ୍ମା ଯେପରି ବ୍ୟାପ୍ତ ହୋଇ ରହିଛି । ନିତି ଶୁଣାକଥା । ମାତ୍ର ବର୍ତ୍ତମାନ ସେଥିରେ ଏପରି କିଛି ଦ୍ରାବକ, ହୃଦୟ ଆବେଗକାରିଣୀ ସିଦ୍ଧି ଅଛି, ଯେପରି କି ସମସ୍ତେ ସେଥିରେ ଅବଗାହନ କରି ଉଠିଛନ୍ତି । ସେହି ବିମୁଟାଏ ଉସ୍ମ ଯେପରି ସେମାନଙ୍କର ତାପମୟ ବିକାରକୁ ଶାନ୍ତ କରି ଦେଇଛି ।

 

ପ୍ରାତଃକାଳରେ କାଲେ ଖାଁର ଜୀବନଲୀଳା ସାଙ୍ଗ ହେଲା । ଏପରି କୌଣସି କଏଦୀ ନାହିଁ, ଯାହା ଆଖିରୁ ଲୁହ ନ ଗଡ଼ୁଛି । କିନ୍ତୁ ଅନ୍ୟମାନଙ୍କର କାନ୍ଦ ଦୁଃଖଜନିତ, ଅମରର ଅଶ୍ରୁପାତ ସୁଖଜନିତ । ଅନ୍ୟମାନଙ୍କର ଆତ୍ମୀୟ ବିୟୋଗଜନିତ ଦୁଃଖ, ଅମର ଅନୁଭବ କରୁଛି ତା’ର ସାମୀପ୍ୟ । ସେ ଜୀବନରେ ଏହି ଗୋଟିକ ନର–ରତ୍ନ ପାଇଥିଲା, ଯାହା ସମ୍ମୁଖରେ ତା’ର ମସ୍ତକ ଶ୍ରଦ୍ଧାରେ ନତ ହୋଇଥିଲା, ଯାହାର ବିୟୋଗରେ ତାକୁ ବରପ୍ରାପ୍ତି ପରି ବୋଧ ହେଉଛି । .

 

ଏହି ଆଲୋକ–ସ୍ତମ୍ଭ ତା’ର ଜୀବନକୁ ଏକ ଭିନ୍ନ ଧାରାରେ ପକାଇ ଦେଇଛି, ଯେଉଁଠି କି ସଂଶୟ ସ୍ଥଳରେ ବିଶ୍ଵାସ, ସନ୍ଦେହ ସ୍ଥଳରେ ସତ୍ୟ ମୂର୍ତ୍ତିମାନ୍‍ ହେଉଛି ।

 

–୫୦–

 

ଲାଲା ସମରକାନ୍ତ ବିଦାୟ ନେବା ପରେ ସଲୀମ୍ ଗ୍ରାମେ–ଗ୍ରାମେ ଗସ୍ତ କରି କୃଷକମାନଙ୍କ ଆର୍ଥିକ ଅବସ୍ଥା ପର୍ଯ୍ୟବେକ୍ଷଣ କରିବାରେ ଲାଗିଛି । ଏବେ ସେ ବୁଝୁଛି, କୃଷକମାନଙ୍କ ବିଷୟରେ ତା’ର ଯେଉଁ ଧାରଣା ଥିଲା, ସେମାନଙ୍କ ଅବସ୍ଥା ତଦପେକ୍ଷା ଅଧିକ ଶୋଚନୀୟ । କୃଷିଜାତ ଦ୍ରବ୍ୟର ମୂଲ୍ୟ କୃଷକର ଖର୍ଚ୍ଚ ଓ ରାଜସ୍ଵ ଅପେକ୍ଷା କମ୍ । ଖାଦ୍ୟ ବସ୍ତ୍ରର ଯେଉଁଠି ଅଭାବ, ସେଠି ଅନ୍ୟ କଥା ଭାବୁଛି କିଏ ? ଏପରି କୃଷକ ପ୍ରାୟ ନାହିଁ, ଯାହାର ମଥା ଋଣ–ଭାରରେ ନଇଁ ନ ପଡ଼ିଛି । ସେ କଲେଜରେ ଅବଶ୍ୟ ଅର୍ଥଶାସ୍ତ୍ର ପଢ଼ିଥିଲା ଏବଂ ଦେଶରେ କୃଷକର ଦୁରବସ୍ଥା ଜାଣିଥିଲା; କିନ୍ତୁ ଏବେ ବୁଝୁଛି ଯେ ମନୁଷ୍ୟ ଓ ତା’ର ଚିତ୍ର ମଧ୍ୟରେ ଯେତିକି ପାର୍ଥକ୍ୟ, ପୁସ୍ତକ–ଜ୍ଞାନ ଓ ପ୍ରତ୍ୟକ୍ଷ ଅଭିଜ୍ଞତା ମଧ୍ୟରେ ପାର୍ଥକ୍ୟ ସେତିକି । ପ୍ରକୃତ ଅବସ୍ଥା ଜାଣିବା ସଙ୍ଗେ ସଙ୍ଗେ କୃଷକମାନଙ୍କ ପ୍ରତି ତା’ର ସହାନୁଭୂତି ମଧ୍ୟ ବଢ଼ୁଛି । କି ଅନ୍ୟାୟ ଏ–ଯେଉଁ ନିରୀହ ଲୋକେ ପେଟକୁ ଦାନା, ଦେହକୁ କନା ପାଉ ନାହାନ୍ତି, ରୋଗ ବ୍ୟାଧିରେ ପଇସାକର ଔଷଧବି କିଣିପାରୁନାହାନ୍ତି, ଘରେ ଦୀପଟିଏବି ଜାଳି ପାରୁନାହାନ୍ତି, ସେମାନଙ୍କଠାରୁ ପୂରା ଖଜଣା ଆଦାୟ କରାଯିବ ! ମୂଲ୍ୟ ଅଧିକ ଥିବାବେଳେ ଏମାନେ କୌଣସି ପ୍ରକାରେ ଓଳିଏ ଖାଇବାକୁ ଯୋଗାଡ଼ କରିପାରୁଥିଲେ । ଏ ମୂଲ୍ୟହ୍ରାସ ସମୟରେ ତ ଏମାନଙ୍କ ଦୁରବସ୍ଥା ବର୍ଣ୍ଣନାତୀତ ହୋଇଗଲାଣି । ଯାହାଙ୍କ ପିଲାଏ ପାଞ୍ଚ ଛ’ବର୍ଷ ବୟସରୁ ମୂଲ ଲାଗନ୍ତି, ଜାଳପାଇଁ ପଡ଼ିଆରେ ବୁଲି ଗୋବର ସାଉଁଟନ୍ତି, ସେମାନଙ୍କଠାରୁ ପୂରା ରାଜସ୍ଵ ଆଦାୟ କରିବା ଯାହା; ତୁଣ୍ଡିରୁ ଆହାର ଛଡ଼ାଇ ନେବା ତାହା, ସେମାନଙ୍କ ରକ୍ତହୀନ ଦେହରୁ ରକ୍ତ ଶୋଷିବା ତାହା !

 

ପରିସ୍ଥିତିର ଯଥାର୍ଥ ଉପଲବ୍ଧି ହେବା ସଙ୍ଗେ ସଙ୍ଗେ ସେ ନିଜର କର୍ତ୍ତବ୍ୟ ସ୍ଥିର କରି ନେଇଛି । ସ୍ଵାର୍ଥପାଇଁ ଅଫିସରମାନଙ୍କର ଯେକୌଣସି ଆଦେଶକୁ ଆଖି ବୁଜି ପାଳନ କରିବା ଲୋକ ସେ ନୁହେଁ । ସେ ଚାକିରିରେ ଥିଲେ ମଧ୍ୟ ବିବେକକୁ ରକ୍ଷା କରିବାକୁ ଚାହେଁ । କେତେ ଦିନ ଏକାନ୍ତରେ ବସି ସେ ବିସ୍ତୃତ ଭାବରେ ନିଜର ରିପୋର୍ଟ ଲେଖି ମି: ଗଜନବୀଙ୍କ ପାଖକୁ ପଠାଇଦେଲା । ମି: ଗଜନବୀ ତାକୁ ତୁରନ୍ତ ଜଣାଇଲେ–‘ଆସି ମୋ ସଙ୍ଗେ ସାକ୍ଷାତ କରିଯାଅ । ସଲୀମ୍ ତାହା ଚାହୁଁ ନଥିଲା । ସେ ଆଶଙ୍କା କରୁଥିଲା, କାଳେ ସେ ରିପୋର୍ଟଟିକୁ ଚପାଇ ଦେବାକୁ ପ୍ରସ୍ତାବ କରିବେ । କିନ୍ତୁ ପରେ ଭାବିଲା–ଯିବାରେ ଆପତ୍ତି କ’ଣ ଅଛି ? ସେ ଯଦି ମୋତେ ଭୁଲ ବୁଝାଇ ଦେଇପାରନ୍ତି, ତେବେ କିଛି ଆପତ୍ତି ନାହିଁ । କିନ୍ତୁ ଅଫିସରଙ୍କ ଭୟରେ ମୁଁ ମୋ ରିପୋର୍ଟ କେବେ ପାଲଟାଇବି ନାହିଁ ।

 

ସେହିଦିନ ସନ୍ଧ୍ୟା ସମୟରେ ସେ ସଦରରେ ପହଞ୍ଚିଲା । ମି: ଗଜନବୀ ଆବେଶରେ ହାତ ବଢ଼ାଇ ଦେଇ କହିଲେ–ତୁମେ ତ ମି: ଅମରକାନ୍ତ ପ୍ରତି ବେଶ୍ ବନ୍ଧୁ–ବ୍ୟବହାର ଦେଖାଇଛ ! ସେ ନିଜେ, ବୋଧହୁଏ, ଏପରି ଟିକିନିଖି ବିବରଣୀ ଲେଖିପାରି ନଥାନ୍ତେ । କିନ୍ତୁ ତୁମେ କ’ଣ ଭାବୁଛ ଯେ ସରକାର ଏ ସବୁ ଜାଣେ ନାହିଁ ?

 

ସଲୀମ୍ କହିଲା–ମୋର ତ ତାହାହିଁ ଧାରଣା । ସରକାର ଯାହା ଯାହା ପାଉଛି, ସେ ସବୁ ଖୁସାମତିଆ କର୍ମଚାରୀମାନଙ୍କ ରିପୋର୍ଟ, ଯେଉଁମାନେ କି ପ୍ରଜାମାନଙ୍କୁ ଖୁନ୍ କରି ସରକାରଙ୍କ ଘର ଭରତି କରିବାକୁ ଚାହାନ୍ତି । ମୋ ରିପୋର୍ଟ ବାସ୍ତବ ପରିସ୍ଥିତି ଅନୁଯାୟୀ ଲେଖାଯାଇଛି ।

 

ଦୁଇ ଅଫିସରଙ୍କ ମଧ୍ୟରେ ତର୍କ ଚାଲିଛି । ଗଜନବୀ କହୁଛନ୍ତି–ଆମର କର୍ତ୍ତବ୍ୟ ହେଲା ଅଫିସରଙ୍କ ଆଦେଶ ମାନିବା । ସେ ଖଜଣା ଅସୁଲ କରିବାକୁ ଅଡ଼ର୍ ଦେଲେ, ଆମକୁ ଖଜଣା ଆଦାୟ କରିବାକୁ ହେବ । ପ୍ରଜାଙ୍କୁ କଷ୍ଟ ହେଉଛି ତ ହେଉ, ଆମର ସେଥିରେ କ’ଣ ଅଛି ? ଆମକୁ ନିଜର ଆୟକର ଦେବାକୁ ବାଧୁଛି; କିନ୍ତୁ ବାଧ୍ୟ ହୋଇ ଦେଉଛୁଁ । ଖୁସିରେ କେହି ଟାକ୍‌ସ୍ ଦିଏ ନାହିଁ ମ ।

 

ଗଜନବୀ ବୁଝନ୍ତି–ଏହି ଆଦେଶମାନଙ୍କୁ ବିରୋଧ କରିବା ଖାଲି ଅନୀତି ନୁହେଁ, ଅଧର୍ମ-। ଆଇନକୁ ମାନିବାରେହିଁ ସେ ସନ୍ତୁଷ୍ଟ ନୁହନ୍ତି, ହୁକୁମ ତାମିଲ କରିବାପାଇଁ ଯେକୌଣସି କାର୍ଯ୍ୟ କରିବାକୁ ସେ ପ୍ରସ୍ତୁତ ।

 

ସଲୀମ୍ କହୁଛି–ଆମେ ସରକାରୀ ଚାକିରି କରିବାର କାରଣ, ପ୍ରଜାମାନଙ୍କ ସେବା କରିପାରିବା, ସେମାନଙ୍କ ଅବସ୍ଥାର ଉନ୍ନତି କରିପାରିବା, ସେମାନଙ୍କ ଉନ୍ନତିରେ ସହାୟତା କରିପାରିବା । ଯଦି ସରକାରର କୌଣସି ଆଜ୍ଞାଦ୍ଵାରା ଏ ସବୁ ଉଦ୍ଦେଶ୍ୟ ପୂର୍ତ୍ତିରେ ବାଧା ପଡ଼େ, ତେବେ ସେପରି ଆଜ୍ଞାକୁ କଦାପି ମାନିବା ଉଚିତ ନୁହେଁ ।

 

ଗଜନବୀ ମୁହଁ ଲମ୍ବାଇ କହିଲେ–ମୋର ଆଶଙ୍କା, ଗଭର୍ଣ୍ଣମେଣ୍ଟ ତୁମକୁ ଏଠାରୁ ବଦଳି କରିଦେଇପାରେ ।

 

“ବଦଳି କରିଦେଉ, ଚିନ୍ତା ନାହିଁ । କିନ୍ତୁ ମୋ ରିପୋର୍ଟ କପରେ ଦୃଷ୍ଟି ଦେବାକୁ ଅଙ୍ଗୀକାର କରୁ । ଯଦି ମୋତେ ଏଠାରୁ ବଦଳି କରିଦେଇ ମୋ ରିପୋର୍ଟକୁ ଚପାଇ ଦେବାକୁ ଚାହେଁ, ତେବେ ମୁଁ ଇସ୍ତଫା ଦେଇଦେବି ।”

ଗଜନବୀ ବିସ୍ମୟରେ ତା’ ମୁହଁକୁ ଚାହିଁଲେ–ଆପଣ ଗଭର୍ଣ୍ଣମେଣ୍ଟର ଅସୁବିଧା ଆଦୌ ବୁଝିପାରୁ ନାହାନ୍ତି । ଯଦି ଏତେ ସହଜରେ ସେ ନଇଁଯାଏ, ତେବେ ଆପଣ ଜାଣିପାରୁଥିବେ, ପ୍ରଜାମାନେ କିପରି ଉଦ୍ଧତ ହୋଇଯିବେ । ଟିକିଏ ଟିକିଏ ଘଟଣାରେ ତୋଫାନ ଆରମ୍ଭ ହୋଇଯିବ-। ପୁଣି ଏ ତ କେବଳ ଏହି ଅଞ୍ଚଳର କଥା ନୁହେଁ, ସାରା ଦେଶରେ ଏହିପରି ଆନ୍ଦୋଳନ ଚାଲିଛି-। ଯଦି ସରକାର ଶତକଡ଼ା ଅଶୀ ଚାଷୀଙ୍କୁ ଛାଡ଼ କରିଦିଏ, ତେବେ ତା’ ପକ୍ଷେ ଦେଶ ଚଳାଇବା ଦୁଷ୍କର ହୋଇପଡ଼ିବ ।

ସଲୀମ୍ ପଚାରିଲା–ସରକାର ପ୍ରଜାଙ୍କପାଇଁ ନା ସରକାରଙ୍କ ପାଇଁ ପ୍ରଜା ! କୃଷକଙ୍କ ଉପରେ ଅତ୍ୟାଚାର କରି, ସେମାନଙ୍କୁ ଅନାହାରରେ ମାରି ଗଭର୍ଣ୍ଣମେଣ୍ଟ ଯଦି ବଞ୍ଚି ରହିବାକୁ ଚାହେଁ, ତେବେ ମୁଁ ତା’ଠାରୁ ଅନ୍ତତଃ ସମ୍ପର୍କ ଛିନ୍ନ କରି ଦେବି । ଅର୍ଥାଭାବ ହେଲେ ସରକାର ବ୍ୟୟସଂକୋଚ କରିବା ଉଚିତ । ପ୍ରଜାମାନଙ୍କ ଉପରେ ଅତ୍ୟାଚାର କରିବା କ’ଣ ଠିକ୍ ?

ଗଜନବୀ ବହୁତ ବୁଝାଇଲେ; କିନ୍ତୁ ସଲୀମ୍ ଆଦୌ ପ୍ରଭାବିତ ହେଲା ନାହିଁ । ସେ ଲାଠି ବଳରେ ରାଜସ୍ଵ ଆଦାୟ କରିବାକୁ କଦାପି ସ୍ଵୀକାର କଲା ନାହିଁ । ପରିଶେଷରେ ଗଜନବୀ ନିରୁପାୟ ହୋଇ ତା’ର ରିପୋର୍ଟ ଉପରକୁ ପଠାଇଦେଲେ ଓ ସପ୍ତାହକ ମଧ୍ୟରେ ଗଭର୍ଣ୍ଣମେଣ୍ଟ ତାକୁ କାର୍ଯ୍ୟରୁ ଅନ୍ତର କରିଦେଲା । ଏ ଭୟଙ୍କର ବିଦ୍ରୋହୀ ଉପରେ ସେ ବିଶ୍ଵାସ କରିବ କିପରି !

ଯେଉଁଦିନ ସଲୀମ୍ ନୂଆ ଅଫିସରଙ୍କୁ ଚାର୍ଜଦେଇ ଇଲାକାରୁ ବିଦାୟ ନେଲା, ସେଦିନ ତା’ର ବାଙ୍ଗାଲୋ ଚାରିପଟେ ନର–ନାରୀଙ୍କର ମେଳା ଲାଗିଗଲା । ସମସ୍ତେ ତାକୁ ଅନୁରୋଧ କଲେ, ‘ଆପଣ ଆମକୁ ଏପରି ଦଶାରେ ଛାଡ଼ି ଯାଆନ୍ତୁ ନାହିଁ’ । ସଲୀମ୍ ତାହାହିଁ ଚାହୁଁଥିଲା । ବାପାଙ୍କ ଭୟରେ ଘରକୁ ଯାଇପାରି ନଥାନ୍ତା, ପୁଣି ସେହି ଅନାଥମାନଙ୍କ ପ୍ରତି ତା’ର ସ୍ନେହ ଜନ୍ମିଗଲାଣି । କେତେକାଂଶରେ ଦୟା ଓ ଏଣେ ନିଜର ଅପମାନ ତାକୁ ସେମାନଙ୍କର ନେତା କରିଦେଲା । କିଛିଦିନ ପୂର୍ବେ ଯେଉଁ ଅଫିସର କ୍ଷମତା ମଦରେ ମତ୍ତହୋଇ ଆସିଥିଲା, ସେ ଏବେ ଜନତାର ସେବକ ହୋଇଗଲା । ଅତ୍ୟାଚାର କରିବା ଅପେକ୍ଷା ଅତ୍ୟାଚାର ସହିବା ଗୌରବର ବିଷୟ ବୋଲି ପ୍ରତିଭାତ ହେଲା ।

ଆନ୍ଦୋଳନର ବାଗ–ଡୋର ସଲୀମ୍ ହାତରେ ପଡ଼ିବାମାତ୍ରେ ଲୋକଙ୍କର ସାହସ ବଢ଼ିଗଲା । ପୂର୍ବେ ଅମରକାନ୍ତ ଯେପରି ଆତ୍ମାନନ୍ଦଙ୍କ ସଙ୍ଗେ ଗ୍ରାମକୁ ଗ୍ରାମ ଦଉଡ଼ୁଥିଲା, ସଲୀମ୍ ମଧ୍ୟ ସେହିପରି କରିବାକୁ ଲାଗିଲା । ଯେଉଁ ସଲୀମ୍‌ର ରକ୍ତ ପିଇବାକୁ ଲୋକେ ଓଠ ଚାଟୁଥିଲେ, ସେହି ଆଜି ସେ ଅଞ୍ଚଳର ମୁକୁଟହୀନ ରାଜା । ସେ ଝାଳ ବୁହାଇଲେ ଜନତା ରକ୍ତ ବୁହାଇବାକୁ ପ୍ରସ୍ତୁତ ।

ସନ୍ଧ୍ୟା ହୋଇ ଯାଇଛି । ସଲୀମ୍ ଓ ଆତ୍ମାନନ୍ଦ ଦିନସାରା କାମ କରି କରି ଫେରିଛନ୍ତି । ସହସା ନୂଆ ବଙ୍ଗାଳୀ ଅଫିସର ମି: ଘୋଷ ପୋଲିସ୍ କର୍ମଚାରୀଙ୍କ ସହ ଆସି ପହଞ୍ଚିଲେ ଓ ଗ୍ରାମର ସମସ୍ତ ଗୃହପାଳିତ ଜୀବଙ୍କୁ କ୍ରୋକ୍ କରିବାକୁ ଘୋଷଣା କରିଦେଲେ । କେତେକ କଂସାଇଙ୍କୁ ପୂର୍ବରୁ ଡକାଯାଇଥିଲା । ସେମାନେ ଶସ୍ତା ସୌଦା ଖରିଦ କରିବାକୁ ପ୍ରସ୍ତୁତ । ଚାହୁଁଚାହୁଁ କନେଷ୍ଟବଳମାନେ ପଶୁମାନଙ୍କୁ ଫିଟାଇ ଆଣି ପାଠଶାଳା ଆଗରେ ଠୁଳ କରିଦେଲେ । ଗୂଦଡ଼, ଭୋଳା ଓ ଅନ୍ୟ ପଧାନମାନଙ୍କୁ ଆରେଷ୍ଟ୍ କରି ନିଆଯାଇଛି । ପୂର୍ବରୁ ତ ଫସଲ କ୍ରୋକ୍ ହୋଇଯାଇଛି; ମାତ୍ର ଫସଲରେ ବା ଅଛି କ’ଣ ? ସୁତରାଂ ଅଫିସରମାନେ ସ୍ଥିର କରିଛନ୍ତି, ପଶୁମାନଙ୍କୁ କ୍ରୋକ୍ କରିବେ । ସେମାନଙ୍କର ବିଶ୍ଵାସ, ପଶୁମାନଙ୍କୁ କ୍ରୋକ୍ କରିବା ଦେଖି କୃଷକ ଭୟଭୀତ ହୋଇଯିବେ ଏବଂ ସେମାନେ କରଜ କରି ବା ସ୍ତ୍ରୀର ଗହଣା ବିକି ପଶୁମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିବେ । ପଶୁ ହେଲେ କୃଷକର ଡାହାଣ ହାତ ।

 

ଘୋଷଣା ଶୁଣି କୃଷକମାନଙ୍କ ବୁଦ୍ଧି ହଜିଗଲା । ସେମାନେ ଜାଣିଥିଲେ ସରକାର ଯାହା କରୁ ପଛେ, ଗୋରୁ–ମଇଁଷିଙ୍କୁ କ୍ରୋକ୍ କରିବ ନାହିଁ । କୃଷକମାନଙ୍କ ମୂଳ ତାଡ଼ି ଫିଙ୍ଗିଦେବ ?

 

ଏ ଘୋଷଣାକୁ କେବଳ ଧମକ ବୋଲି କୃଷକମାନେ ଭାବିଥିଲେ; କିନ୍ତୁ ଯେତେବେଳେ ପଶୁମାନଙ୍କୁ ପାଠଶାଳା ଆଗରେ ରୁଣ୍ଡ କରାଗଲା ଓ କଂସାଇମାନେ ଦେଖାଚାହାଁ ଆରମ୍ଭ କରିଦେଲେ, ସେତେବେଳେ ସେମାନଙ୍କ ଉପରେ ଯେପରି ବଜ୍ରପାତ ହେଲା । ସେତେବେଳେ ସମସ୍ୟା ରକ୍ତର ଆଦାନପ୍ରଦାନ ପର୍ଯ୍ୟନ୍ତ ଆଗେଇ ଗଲା ।

 

ସନ୍ଧ୍ୟାବତୀ ଲାଗିବାବେଳକୁ ଗୋଟାଏ ପଶୁ ହାଟ ବସିଗଲାଣି । କର୍ମଚାରୀମାନଙ୍କର ଇଚ୍ଛା, ସବୁ ଟଙ୍କା ଏକାବେଳେ ଅସୁଲ କରିନେବେ । ତେଣିକି ଗ୍ରାମବାସୀମାନେ ନିଜ ନିଜ ଭିତରେ ଛେଚାକୁଟା ହୋଇ ନିଜ ନିଜର ଭାଗ–ଖଜଣା ସ୍ଥିର କରିନେବେ । ଅଫିସରମାନେ ସେ ବିଷୟ ଚିନ୍ତା କରିବେ କାହିଁକି ?

 

ସଲୀମ୍ ଆସି ମି: ଘୋଷଙ୍କୁ କହିଲା–ଆପଣ ଜାଣନ୍ତି କି ଗୋରୁମାନଙ୍କୁ କ୍ରୋକ୍ କରିବା ଅଧିକାର ଆପଣଙ୍କର ନାହିଁ ?

 

ମି: ଘୋଷ ଉଗ୍ର ଭାବରେ ଉତ୍ତର ଦେଲେ–ସେ ନୀତି ବର୍ତ୍ତମାନର ପରିସ୍ଥିତି ପାଇଁ ନୁହେଁ-। ବିଶେଷ ପରିସ୍ଥିତି ପାଇଁ ବିଶେଷ ନୀତି ହୋଇଥାଏ । କ୍ରାନ୍ତିକାଳୀନ ନୀତି ଶାନ୍ତିକାଳୀନ ନୀତିଠାରୁ ଭିନ୍ନ ହେବା ସ୍ଵାଭାବିକ ।

 

ସଲୀମ୍ କିଛି ଉତ୍ତର ଦେଇ ନାହିଁ, ଖବର ମିଳିଲା ଯେ ଗଉଡ଼ ସାହିରେ ଲାଠି ଚାଲିଲାଣି । ମି: ଘୋଷ ସେଠାକୁ ଧାଇଁଲେ । ସିପାହୀମାନେ ମଧ୍ୟ ସଙ୍ଗିନ୍ ଚଢ଼ାଇ ତାଙ୍କ ପଛେ ପଛେ ଚାଲିଲେ । କାଶୀ, ପୟାଗ, ଆତ୍ମାନନ୍ଦ ସମସ୍ତେ ସେହି ଆଡ଼କୁ ଦଉଡ଼ିଲେ । ଏକା ସଲୀମ୍ ସେଠାରେ ଠିଆ ହୋଇ ରହିଲା ।

 

ସମସ୍ତେ ଚାଲିଯିବା ପରେ କଂସାଇମାନଙ୍କ ସର୍ଦ୍ଦାର ପାଖକୁ ଯାଇ ‘ସଲାମ୍–ଆଲେକମ୍’ କଲା ଓ କହିଲା–କ’ଣ ଭାଇ–ସାହାବ ! ଆପଣ ଜାଣନ୍ତି, ଆପଣମାନେ ଏହି ପଶୁମାନଙ୍କୁ କିଣିନେବାଦ୍ଵାରା ଏହି ଗରିବ ଲୋକମାନଙ୍କ ପ୍ରତି କେତେ ବଡ଼ ଅନ୍ୟାୟ କରିବାକୁ ଯାଉଛନ୍ତି ?

 

ସର୍ଦ୍ଦାରର ନାମ ତେଗ୍‌ ମହମ୍ମଦ । ଗେଡ଼ା ହୁଷ୍ଟପୁଷ୍ଟ ଲୋକ, ପୂରା ପହଲମାନ୍ । ଢିଲା କୁର୍ତ୍ତା, ଡୋରିଆ ଲୁଙ୍ଗି, ବେକରେ ରୁପାର ତାବିଜ, ହାତରେ ମୋଟା କିଳା, ନମ୍ର ଭାବରେ କହିଲା–ସାହାବ, ମୁଁ ଖରିଦ କରିବାକୁ ଆସିଛି, ମୁଁ କାହିଁକି ବୁଝିବି ମାଲ କାହାର, କେମିତିକା ? ଯେଉଁଠି ଚାରି ପଇସା ଲାଭ ଥାଏ, ଲୋକ ତ ସେଠିକି ଯାଏଁ ।

 

“କିନ୍ତୁ ଟିକିଏ ଭାବି ଦେଖନ୍ତୁ, ପଶୁଗୁଡ଼ିକୁ କାହିଁକି କ୍ରୋକ୍‌ କରାଯାଉଛି । ଆପଣଙ୍କର ପ୍ରଜାମାନଙ୍କ ପ୍ରତି ସହାନୁଭୂତି ରହିବା ଉଚିତ ।”

 

ତେଗ୍‌ ମହମ୍ମଦ ପ୍ରଭାବିତ ହେଲା ନାହିଁ–ସରକାର ସଙ୍ଗେ ଯେ ଲଢ଼ିବ, ଲଢ଼ୁ । ଆମେ ତ କିଛି ଲଢ଼ାଇ କରୁ ନାହୁଁ ।

 

“ତୁମେ ମୁସଲମାନ ହୋଇ ଏପରି କଥା କହୁଛ, ସେଥିପାଇଁ ମୁଁ ଦୁଃଖିତ । ଇସ୍‌ଲାମ କାଳେ କାଳେ ଅତ୍ୟାଚାରିତ ଲୋକଙ୍କୁ ସାହାଯ୍ୟ କରିଛି; କିନ୍ତୁ ତୁମେ ସେମାନଙ୍କ ଗଳାରେ ଛୁରି ମାରୁଛ !”

 

“ସରକାର ଯେତେବେଳେ ଆମକୁ ପାଳିଛି, ଆମେ ତା’ର ଅନିଷ୍ଟ କରିବୁଁ କିପରି !”

 

“ଯଦି ସରକାର ତୁମ ସମ୍ପତ୍ତି ଛଡ଼ାଇ ନେଇ ଆଉ କାହାକୁ ଦେଇଦିଏ, ତୁମକୁ ଦୁଃଖ ହେବ ନା ନାହିଁ ?

 

“ସରକାର ସଙ୍ଗେ ଲଢ଼ିବା ଆମର ଧର୍ମ–ବିରୁଦ୍ଧ ।”

 

“ବରଂ ତୁମେ କୁହ ଯେ ତୁମକୁ ଲଜ୍ଜା ନାହିଁ ।”

 

“ଆପଣ ତ ମୁସଲମାନ । ଆପଣଙ୍କର କ’ଣ ବାଦଶାହଙ୍କୁ ସାହାଯ୍ୟ କରିବା କର୍ତ୍ତବ୍ୟ ନୁହେଁ ?”

 

“ଗରିବଙ୍କୁ ଖୁନ୍ କରିବା ଯେବେ ମୁସଲମାନର ଉଦ୍ଦେଶ୍ୟ ହୋଇଥାଏ, ତେବେ ମୁଁ କାଫିର ।”

 

ତେଗ୍ ମହମ୍ମଦ ଶିକ୍ଷିତ ଲୋକ । ସେ ବାଦବିବାଦ କରିବାକୁ ପ୍ରସ୍ତୁତ । ସଲୀମ୍ ତାକୁ ବିଦ୍ରୂପ କରିବାକୁ ଚେଷ୍ଟା କଲା । ଧର୍ମ–ମତକୁ ସେ ସଂସାରର କଳଙ୍କ ବୋଲି ଭାବେ । କାରଣ ତାହା ମନୁଷ୍ୟ–ଜାତିକୁ ବିରୋଧୀ ଦଳମାନଙ୍କରେ ବିଭକ୍ତ କରି ପରସ୍ପରର ଶତ୍ରୁ କରି ଦେଇଛି । ତେଗ୍ ମହମ୍ମଦ ନୈଷ୍ଠିକ ମୁସଲମାନ ନିୟମାନୁଯାୟୀ ରୋଜା–ନମାଜ କରେ । ସେ ନିଜ ସମ୍ପ୍ରଦାୟର ଅପମାନ ସହନ୍ତା କିପରି ? ତେଣେ ଗଉଡ଼ ସାହିରେ ପୋଲିସ୍ ଓ ଜନତା ମଧ୍ୟରେ ଲାଠି ଚାଲିଛି, ଏଣେ ଦୁହିଁଙ୍କ ମଧ୍ୟରେ ହାତ ଉଠା–ଉଠି ପର୍ଯ୍ୟନ୍ତ କଥା ଗଲାଣି । କଂସାଇ ତ ପହଲମାନ୍, ସଲୀମ୍ ମଧ୍ୟ ମୃଷ୍ଟି–ଯୁଦ୍ଧରେ, ମାରପିଟରେ ନିପୁଣ, ଅଭ୍ୟସ୍ତ ତଥା ବଳିଷ୍ଠ । ପହଲମାନ୍ ତାକୁ ଧରିପକାଇ ମାଡ଼ି ବସିବାକୁ ଚାହୁଁଥାଏ । ସଲୀମ୍ ଆଘାତ ପରେ ଆଘାତ କରି ଚାଲିଥାଏ । ଅନବରତ ମୁଷ୍ଟି–ବୃଷ୍ଟି ଚାଲିବା ଫଳରେ ପହଲମାନ୍ ପଡ଼ିଗଲା ଓ ନିଜର ମନୋବିକାର ମାତୃଭାଷାରେ ପ୍ରକାଶ କରିବାକୁ ଲାଗିଲା । ତା’ର ସାଥୀ ଦୁହେଁ ପ୍ରଥମେ ଦୂରରେ ରହି ତାମସା ଦେଖିବା ଉଚିତ ମନେ କରୁଥିଲେ । କିନ୍ତୁ ତେଗ୍ ମହମ୍ମଦ ପଡ଼ିଯିବାରୁ ଦୁହେଁଯାକ ଅଣ୍ଟାଭିଡ଼ି କୁଦି ଆସିଲେ । ଦୁହେଁ ଯୁବକ ହୁଷ୍ଟପୁଷ୍ଟ, ଉଗ୍ରତା ଓ ଦୃଢ଼ତାରେ ସଲୀମ୍‌ର ସମକକ୍ଷ । ସଲୀମ୍ ପଛକୁ ପଛକୁ ଘୁଞ୍ଚୁଥାଏ, ଏ ଦୁହେଁ ତାକୁ ଠେଲି ନେଉଥାନ୍ତି । ସେତିକିବେଳେ ସୁନ୍ଦରୀ ବାଡ଼ି ଭରାଦେଇ ତା’ର ଗାଈ ଖୋଜିବାକୁ ଯାଉଥାଏ । ପୋଲିସ୍ ତା’ ଦୁଆରୁ ଗାଈଟି ଫିଟାଇ ଆଣିଥିଲେ-। ଏଠାରେ ଏପରି ସଂଗ୍ରାମ ଚାଲିଛି ଦେଖିପକାଇ ମୁଣ୍ଡରୁ ଓଢ଼ଣୀଟା ଖୋଲି ଅଣ୍ଡାରେ ଭିଡ଼ିଦେଲା ଓ ବାଡ଼ି ଖଣ୍ଡିକ ଧରି କଂସାଇ ଦୁହିଁଙ୍କୁ ପିଟା ଲଗାଇଲା । ସେ ଦୁହିଁଙ୍କୁ ମଧ୍ୟରୁ ଜଣେ ପଛକୁ ବୁଲିପଡ଼ି ବୁଢ଼ୀକୁ ଏତେ ଜୋରରେ ଧକ୍କାଏ ଦେଲା ଯେ ସେ ତିନି–ଚାରି ହାତ ଦୂରରେ ପଡ଼ିଲା-। ଇତ୍ୟବସରରେ ସଲୀମ୍ ସୁବିଧା ଦେଖି ଆଗରେ ଥିବା ଯୁବକଟାକୁ ଏପରି ମୁଥାଏ ଦେଲା ଯେ ତା’ ନାକରୁ ରକ୍ତ ବାହାରି ପଡ଼ିଲା ଓ ସେ ମଥାଚାପି ବସିପଡ଼ିଲା । ଆଉ ଜଣେ ମାତ୍ର ରହିଲା । ନିଜର ଅନ୍ୟ ଦୁଇଜଣ ଲଢ଼ୁଆଙ୍କ ଦଶା ଦେଖି ପୋଲିସ୍‍ବାଲାଙ୍କ ପାଖେ ଅଭିଯୋଗ କରିବାକୁ ପଳାଇଗଲା । ତେଗ୍ ମହମ୍ମଦ୍‌ର ଆଣ୍ଠୁ ଦୁଇଟା ଅଚଳ, ସେ ଆଦୌ ଉଠିପାରୁ ନାହିଁ । କ୍ଷେତ୍ର ନିର୍ଜନ ଦେଖି ସଲୀମ୍ ଧାଇଁ ଯାଇ ପଶୁମାନଙ୍କ ବନ୍ଧନ ଖୋଲିଦେଲା ଓ ସେମାନଙ୍କୁ ହୁରୁଡ଼ାଇ ଦେଲା-। ପଶୁଗୁଡ଼ିକ ଝାଉଁଳି ଛିଡ଼ା ହୋଇଥିଲେ । ଆଗାମୀ ବିପତ୍ତିର ସୂଚନା ସେମାନେ କିଛି କିଛି ବୁଝିପାରୁଥିଲେ । ଦଉଡ଼ି ଫିଟିଯିବାରୁ ସେମାନେ ଲାଙ୍ଗୁଡ଼ ଟେକି ବଣଆଡ଼କୁ ଧାଇଁଲେ ।

 

ଠିକ୍ ସେହି ସମୟରେ ଆତ୍ମାନନ୍ଦ ଧଇଁସଇଁ ହୋଇ ପହଞ୍ଚିଲେ । କହିଲେ–ମୋତେ ଟିକିଏ । ଆପଣଙ୍କ ରିଭଲ୍‌ଭର୍‌ଟା ଦେଲେ ।

 

ସଲୀମ୍ ଆଶ୍ଚର୍ଯ୍ୟରେ ପଚାରିଲା–ଘଟଣା କ’ଣ, ଆଗେ କହ ।

 

“ପୋଲିସ୍‍ବାଲା କେତେ ଲୋକଙ୍କୁ ମାରି ପକାଇଲେଣି । ଅସହ୍ୟ, ମୁଁ ସେ ଘୋଷଟାକୁ ମଜା ଚଖାଇଦେବି ।”

 

“ଆପଣ ଭାଙ୍ଗ ଖାଇନାହାନ୍ତି ତ ! ଏଇଟା କ’ଣ ରିଭଲ୍‍ଭର୍ ଚଳାଇବା ବେଳ ?”

 

“ଏମିତି ନ ଦେଲେ ମୁଁ ଛଡ଼େଇ ନେବି । ଏ ପାଜିଗୁଡ଼ାକ ଗୁଳିକରି ଚାରି–ପାଞ୍ଚ ଜଣଙ୍କୁ ମାରି ସାରିଲେଣି । ଦଶ–ବାର ଜଣ ସାଙ୍ଘାତିକ ଆଘାତ ପାଇ ପଡ଼ିଛନ୍ତି । ସେଗୁଡ଼ାଙ୍କୁ ତ କିଛି ମଜା ଚଖାଇବାକୁ ପଡ଼ିବ । ଜାଣିଶୁଣି ତ ମରିବାକୁ ପଡ଼ିବ ।”

 

“ମୋ ରିଭଲ୍‌ଭର୍ ଏ କାମପାଇଁ ନୁହେଁ ।”

 

ଆତ୍ମାନନ୍ଦ ତ ସ୍ଵଭାବତଃ ଉଦ୍ଦଣ୍ଡ । ଏ ହତ୍ୟାକାଣ୍ଡ ତାଙ୍କୁ ସମ୍ପୂର୍ଣ୍ଣ ଉନ୍ମତ୍ତ କରି ଦେଇଛି । କହିଲେ–ନିରପରାଧଙ୍କ ରକ୍ତ ବୁହାଇ ଆତତାୟୀ ଚାଲିଯାଉଛି; ତୁମେ କହୁଛ, ରିଭଲ୍‌ଭର୍ ଏ କାମପାଇଁ ନୁହେଁ ! ତେବେ କେଉଁ କାମପାଇଁ, ଶୁଣେ ? ମୁଁ ତୁମ ଗୋଡ଼ତଳେ ପଡ଼ୁଛି ଭାଇ, ମୁହୂର୍ତ୍ତକ ପାଇଁ ଦିଅ, ମନସାଧ ମେଣ୍ଟାଇ ନିଏଁ । ଏ ନରହନ୍ତାଗୁଡ଼ା କେଡ଼େ କେଡ଼େ ଜବାନ୍‍ଙ୍କୁ ମାରି ଦେଇଛନ୍ତି, ଦେଖୁଦେଖୁ ମୋ ଆଖିକି ରକ୍ତ ଖସି ଆସିଲା ।

 

ସଲୀମ୍ କିଛି ଉତ୍ତର ନ ଦେଇ କ୍ଷୀପ୍ର ଭାବରେ ଗଉଡ଼–ସାହି ଆଡ଼କୁ ଚାଲିଲା । ରାସ୍ତାରେ ସମସ୍ତଙ୍କ ଦ୍ଵାର ବନ୍ଦ । କୁକୁରଗୁଡ଼ାକ ମଧ୍ୟ କୁଆଡ଼େ ପଳାଇ ଯାଇ ଲୁଚିଥାନ୍ତି ।

 

ସହସା ଗୋଟିଏ ଘରର ଦ୍ଵାର ଧଡ଼୍ କରି ଖୋଲିଲା ଓ ତରୁଣୀଟିଏ ଭୟାତୁରା ହରିଣୀ ପରି ଆସି ତା’ ପାଦତଳେ ଲୋଟିଗଲା । ତା’ର ମୁଣ୍ଡ ଖୋଲା, ଅସ୍ତବ୍ୟସ୍ତ, ଲୁଗା ରକ୍ତରେ ଓଦା । ସଂକୁଚିତ ଆଖିରେ ଦ୍ଵାର ଆଡ଼କୁ ଚାହିଁ କହିଲା–ମାଲିକ, ଏ ସିପାହୀଗୁଡ଼ାକ ମୋତେ ମାରିଦେଲେଣି ।

 

ସଲୀମ୍ ସାନ୍ତ୍ଵନା ଦେଲା–ବ୍ୟସ୍ତ ହୁଅନା, କଥା କ’ଣ ?

 

ଯୁବତୀଟି ଡରି ଡରି କହିଲା–ଘର ଭିତରକୁ କେଇଟା ସିପାହୀ ପଶିଯାଇଛନ୍ତି...। ଆଉ କିଛି ସେ କହିପାରିଲା ନାହିଁ ।

 

“ଘରେ କେହି ନାହାନ୍ତି ?”

 

“ସେ ତ ମଇଁଷି ଚରାଇ ଯାଇଛନ୍ତି ।”

 

“ତୁମର କେଉଁଠି ଆଘାତ ଲାଗିଛି ?”

 

“ମୋ ଦେହରେ ଆଘାତ ଲାଗି ନାହିଁ । ମୁଁ ଦୁଇଟାଙ୍କୁ ମାରି ଦେଇଛି ।”

 

ସେହି ସମୟରେ ଦୁଇଟା କନେଷ୍ଟବଳ ବନ୍ଧୁକ ଧରି ଘରୁ ବାହାରି ଆସିଲେ । ଯୁବତୀକୁ ସଲୀମ୍ ପାଖରେ ଦେଖି ଧାଇଁଯାଇ ତା’ କେଶକୁ ଧରି ପକାଇଲେ ଓ ଦ୍ଵାରଆଡ଼କୁ ଟାଣିବାକୁ ଲାଗିଲେ ।

 

ସଲୀମ୍ ବାଧା ଦେଇ କହିଲା ତା’ର ବାଳ ଛାଡ଼ିଦିଅ । ନଚେତ୍ ଭଲ ହେବ ନାହିଁ । ଦୁହିଁଙ୍କୁ ମାରି ଦେବି, କହୁଛି ।

 

ଗୋଟାଏ କନେଷ୍ଟବଳ ରୋଷପୂର୍ଣ୍ଣ ସ୍ଵରରେ କହିଲା–ଛାଡ଼ିଦେବୁଁ କିପରି ? ସାହେବଙ୍କ ପାଖକୁ ନେଇଯିବୁ ତାକୁ । ଆମର ଦୁଇଜଣଙ୍କୁ ଏ ଟାଙ୍ଗିଆରେ ହାଣି ପକାଇଛି, ଦୁହେଁ ପଡ଼ି ଛଟପଟ ହେଉଛନ୍ତି ।

 

“ତୁମେ ତା’ ଘର ଭିତରକୁ ଯାଇଥିଲ କାହିଁକି ?”

 

ଯାଇଥିଲୁ ଗୋରୁ–ମଇଁଷି ଫିଟାଇବାକୁ । ଏ ଟାଙ୍ଗିଆଟାଏ ଧରି ଧାଇଁ ଆସିଲା ।”

 

ଯୁବତୀ ବାଧା ଦେଲା–ମିଛ–ମିଛ । ତୁମେ ମୋ ବାହା ଧରି ନଥିଲ ?

 

ସଲୀମ୍ ଲାଲ ଆଖିରେ ସିପାହୀଙ୍କୁ ଚାହିଁଲା ଓ ଧକ୍କା ମାରି କହିଲା–ଛାଡ଼, ଛାଡ଼ିଦିଅ ତା’ ବାଳ ।

 

“ଆମେ ତାକୁ ସାହେବଙ୍କ ପାଖକୁ ନେଇଯିବୁ ।”

 

“ତୁମେ ତାକୁ ନେଇପାରିବ ନାହିଁ ।”

 

ସିପାହୀମାନେ ସଲୀମ୍‌କୁ ହାକିମ ରୂପରେ ଦେଖୁଥିଲେ । ତା’ର ଅଧୀନତା ସ୍ୱୀକାର କରିଥିଲେ । ସେହି ପୂର୍ବ ପ୍ରତାପର କିୟଦଂଶ ସେମାନଙ୍କ ହୃଦୟରେ ରହିଯାଇଛି । ସେମାନେ ତା’ ପ୍ରତି ବଳପ୍ରୟୋଗ କରିବାକୁ ସାହସ କଲେ ନାହିଁ । ଯାଇ ମି. ଘୋଷଙ୍କ ପାଖରେ ଗୁହାରି କଲେ । ଘୋଷବାବୁ ସଲୀମ୍ ଉପରେ ରୁଷ୍ଟ ଥିଲେ । ତାଙ୍କର ଧାରଣା, ଏହି ସଲୀମ୍ ଏ ଆନ୍ଦୋଳନର ଚାଳକ । ତାଙ୍କୁ ହଟାଇ ଦେଲେ ଆନ୍ଦୋଳନଟା ତୁରନ୍ତ ଶାନ୍ତ ନହେଲେ ମଧ୍ୟ ତା’ର ମୂଳ କଟିଯିବ । ସୁତରାଂ ସିପାହୀମାନଙ୍କ ରିପୋର୍ଟ ଶୁଣିବାକ୍ଷଣି ଘୋଡ଼ା ଛୁଟାଇ ସଲୀମ୍ ପାଖେ ପହଞ୍ଚିଗଲେ ଓ ଇଂରାଜୀରେ ଆଇନକାନୁନ ଝାଡ଼ିବାକୁ ଲାଗିଲେ । ସଲୀମ୍ ମଧ୍ୟ ଇଂରାଜୀ କହିବାରେ ସେ ବେଶୀ ଅଭ୍ୟସ୍ତ । ଦୁହିଁଙ୍କ ମଧ୍ୟରେ ପ୍ରଥମେ ଆଇନଗତ ବିତର୍କ ଚାଲିଲା । ତା’ପରେ ଚଳିଲା ଧର୍ମତତ୍ତ୍ଵ ନିରୂପଣ, ସେଠାରୁ ଡେଇଁଲେ ଦାର୍ଶନିକ ତର୍କବିତର୍କକୁ । କ୍ରମେ ଶେଷରେ ଚାଲିଲା–ବ୍ୟକ୍ତିଗତ ଆକ୍ଷେପ–ବୃଷ୍ଟି । ପରମୁହୂର୍ତ୍ତରେ ବାକ୍ୟ କ୍ରିୟାର ରୂପ ପରିଗ୍ରହ କଲା । ମି: ଘୋଷ ହଣ୍ଟର ଚଳାଇଲେ । ଫଳରେ ସଲୀମ୍ ମୁଖମଣ୍ଡଳରେ ସ୍ପଷ୍ଟ ଦେଖାଗଲା ଗୋଟାଏ ଚଉଡ଼ା ଓ ମୋଟା ନୀଳରେଖା । ଆଖି ଅଳ୍ପକେ ରକ୍ଷା ପାଇଗଲା । ସଲୀମ୍‌ ମଧ୍ୟ କ୍ରୋଧରେ ଅଗ୍ନିଶର୍ମା । ଘୋଷର ଗୋଡ଼କୁ ଧରି ନେଇ ଜୋରରେ ଟାଣିଦେଲା । ସାହେବ ଘୋଡ଼ା ପିଠିରୁ ତଳକୁ ଗଡ଼ିପଡ଼ିଲେ । ସଲୀମ୍‌ ତାଙ୍କ ଛାତି ଉପରେ ଚଢ଼ିବସିଲା । ନାକ ଉପରେ ଘୁସା ମାରିଲା । ଘୋଷବାବୁ ମୂର୍ଚ୍ଛିତ ହୋଇଗଲେ । ଦ୍ଵିତୀୟ ମୁଥି ବାଜିବା ପୂର୍ବରୁ ଚାରି ଜଣ ସିପାହୀ ଧାଇଁ ଯାଇ ସଲୀମ୍‌କୁ ଧରି ପକାଇଲେ, ଆଉ ଚାରି ଜଣ ଘୋଷଙ୍କୁ ଉଠାଇ ନେଇ ସଚେତ କଲେ ।

 

ଅନ୍ଧକାର ଘୋଟି ଯାଇଛି । ଗ୍ରାମଟାକୁ ଆତଙ୍କ ଏକ ପିଶାଚ ପରି ଲୁଚାଇ ଦେଇଛି । ଲୋକେ ଶୋକ ଯୋଗୁଁ ମୂକ ଓ ଆତଙ୍କ ଭାରାରେ ନତହୋଇ ମୃତବ୍ୟକ୍ତିଙ୍କ ଶବ–ସଂସ୍କାରରେ ବ୍ୟସ୍ତ । କାହାର ମୁଖରୁ ଶୋକ–ସୂଚକ ଶବ୍ଦ ବାହାରୁ ନାହିଁ ସଦ୍ୟଜାତ କ୍ଷତ, ସୁତରାଂ ବ୍ୟଥା ଅନୁଭୂତ ହୋଇ ନାହିଁ । ରୋଦନ ପରାଜୟର ଲକ୍ଷଣ । ଏମାନଙ୍କ ମନରେ ବିଜୟର ଗର୍ବ ପୂରିଛି । ରୋଦନ କରି ଦୀନତା ପ୍ରକଟ କରିବାକୁ ଅନିଚ୍ଛୁକ । ଶିଶୁମାନେ ମଧ୍ୟ କାନ୍ଦ ଭୁଲି ଯାଇଛନ୍ତି ।

 

ମି: ଘୋଷ ଘୋଡ଼ାରେ ଚଢ଼ି ଡାକବଙ୍ଗଳାକୁ ଗଲେ । ସଲୀମ୍‍କୁ ଜଣେ ସବ୍‌–ଇନ୍‌ସ୍ପେକ୍‌ଟର ଓ କେତେକ କନେଷ୍ଟେବଳଙ୍କ ସଙ୍ଗେ ଲରିରେ ସଦରକୁ ପଠାଇ ଦିଆଗଲା । ଗଉଡ଼–ଯୁବତୀଟିକୁ ମଧ୍ୟ ସେହି ଲରିରେ ପଠାଗଲା । ରାତି ପ୍ରହରକବେଳକୁ ଚାରିଟି କୋକେଇ (ଶବଯାନ) ଗଙ୍ଗା–କୂଳକୁ ବାହାରିଲା । ସୁନ୍ଦରୀ ବାଡ଼ିଭରା ଦେଇ ଆଗେଆଗେ ଗାଇ ଗାଇ ଚାଲିଥାଏ–

 

“ସହୀରେ, ରୁଷି ଯାଇଛନ୍ତି ମୋ ପ୍ରାଣ–ସାଇଁରେ, ସହୀରେ !’’

 

Unknown

–୫୧–

 

କାଲେ ଖାଁର ଆତ୍ମ–ବଳିଦାନ ଅମରକାନ୍ତର ଜୀବନକୁ ଯେପରି ଏକ ଆଧାର ଯୋଗାଇ ଦେଇଛି । ଅଦ୍ୟାବଧି ତ ଜୀବନର କୌଣସି ଲକ୍ଷ୍ୟ ନଥିଲା, ଆଦର୍ଶ ନଥିଲା, କୌଣସି ବ୍ରତ ନଥିଲା । ଏହି ମୃତ୍ୟୁ ତା’ର ଆତ୍ମା ଉପରେ ଆଲୋକପାତ କରିଛି । କାଲେ ଖାଁର ସ୍ମୃତି ତାକୁ କ୍ଷଣକପାଇଁ ସୁଦ୍ଧା ପାଶୋରୁ ନାହିଁ, ଏକ ଗୁପ୍ତ ଶକ୍ତିଦ୍ଵାରା ତାକୁ ଶାନ୍ତି ଓ ସାହସ ଦେଉଛି । ସେ କାଲେ ଖାଁର ଅଭିଳାଷ ପୂର୍ଣ୍ଣ କରିବାରେ ବ୍ରତୀ ହୋଇଛି, ଯେପରିକି ତା’ର ସ୍ଵର୍ଗତ ଆତ୍ମାକୁ ଶାନ୍ତି ମିଳିବ । ଘଡ଼ିଏ ରାତି ଥାଉଁଥାଉଁ ଉଠି କଇଦୀମାନଙ୍କ ହାଲ୍‌ଚାଲ୍ ବୁଝିବା, ରୋଗୀମାନଙ୍କର ଔଷଧ–ପତ୍ରପାଇଁ ସେମାନଙ୍କ ଘରୁ ପତ୍ର ଲେଖି ବ୍ୟବସ୍ଥା କରିବା, ସେମାନଙ୍କ ଅଭିଯୋଗ ଶୁଣିବା ଓ ଅଫିସରମାନଙ୍କୁ ସାକ୍ଷାତ କରି ଅସୁବିଧା ଦୂର କରିବା ଇତ୍ୟାଦି ହୋଇଛି ତା’ର କାମ । ଏହି କାର୍ଯ୍ୟସବୁ ସେ ଏତେ ବିନୟ, ନମ୍ରତା ଓ ସହୃଦୟତା ସହକାରେ କରୁଛି ଯେ କର୍ମଚାରୀମାନଙ୍କର ତା’ ପ୍ରତି ସନ୍ଦେହ ସ୍ଥଳେ ବିଶ୍ଵାସ ଜନ୍ମିଛି । ସେ କି କଇଦୀ, କି ଅଫିସର ସମସ୍ତଙ୍କର ବିଶ୍ଵାସଭାଜନ-

 

ଏପର୍ଯ୍ୟନ୍ତ ସେ ଏକପ୍ରକାର ଉପଯୋଗିତାବାଦର ଉପାସକ ଥିଲା । ଅଜ୍ଞାତଭାବେ ହେଲେବି ଏହି ସିଦ୍ଧାନ୍ତକୁ ମନରେ ଧରି ସେ ନିଜର କର୍ତ୍ତବ୍ୟ ନିରୂପଣ କରୁଥିଲା । ତା’ ଜୀବନରେ ତତ୍ତ୍ଵ–ଚିନ୍ତନର କୌଣସି ସ୍ଥାନ ନଥିଲା । ପ୍ରତ୍ୟକ୍ଷର ନିମ୍ନ ଦେଶସ୍ଥ ଅତଳ ଗଭୀରତା ଶୂନ୍ୟତା ବ୍ୟତୀତ ଆଉ କିଛି ନୁହେଁ । କାଲେ ଖାଁର ମୃତ୍ୟୁ ତା’ର ହାତଧରି ବଳପୂର୍ବକ ତାକୁ ସେହି ଗର୍ଭରତା ମଧ୍ୟରେ ବୁଡ଼ାଇଦେଲା । ସେହି ଅବସ୍ଥାରେ ସେ ଦେଖିବାକୁ ପାଇଲା–ତା’ର ଜୀବନ ତୃଣଖଣ୍ଡ ସଦୃଶ ଉପରେ ଭାସୁଛି–କେବେ ଲହରୀରେ ଆଗକୁ ଚାଲିଯାଉଛି, କେବେ ପବନ ଆଘାତରେ ପଛକୁ ଠେଲି ହୋଇ ଯାଉଛି, କେତେବେଳେ ଭଉଁରିରେ ପଡ଼ି ଘୂରିବୁଲୁଛି; ତା’ର ସ୍ଥିରତା ନାହିଁ, ସଂଯମ ନାହିଁ କି ଇଚ୍ଛା ନାହିଁ । ତା’ର ସେବାରେ ମଧ୍ୟ ଦମ୍ଭ ଥିଲା, ପ୍ରମାଦ ଥିଲା, ଦ୍ଵେଷ ଥିଲା । ସେ ଦମ୍ଭରେ ସୁଖଦାକୁ ଉପେକ୍ଷା କରିଥିଲା । ସେହି ବିଳାସିନୀର ଜୀବନରେ ଥିବା ସତ୍ୟକୁ ପାଇବାପାଇଁ ଉଦ୍ୟମ ନ କରି ତାକୁ ପରିତ୍ୟାଗ କରିଥିଲା । କି ଉଦ୍ୟୋଗ ବା କରିଥାନ୍ତା ? ସେତେବେଳେ ତ ତା’ର ଉଦ୍‌ଯୋଗ ବିଷୟରେ ଜ୍ଞାନ ନଥିଲା । ପ୍ରତ୍ୟକ୍ଷ ତା’ର ଅନ୍ତଶ୍ଚକ୍ଷୁକୁ ଆବୃତ କରି ରଖିଥିଲା । ସେହି ପ୍ରମାଦରେ ପଡ଼ି ସେ ସକୀନା ସହ ପ୍ରେମାଭିନୟ କଲା–ସେହି ଉନ୍ମାଦନାରେ କ’ଣ ଲେଶମାତ୍ର, ପ୍ରେମ–ଭାବନା ଥିଲା । ସେତେବେଳେ ବୋଧ ହେଉଥିଲା, ସେ ପ୍ରେମରେ ମଗ୍ନ ହୋଇଯାଇଛି, ତା’ପାଇଁ ନିଜର ସର୍ବସ୍ଵ ଅର୍ପଣ କରି ଦେଇଛି; କିନ୍ତୁ ଆଜି ସେହି ପ୍ରେମରେ ବାସନା ବ୍ୟତୀତ ଆଉ କିଛି ଦେଖିବାକୁ ମିଳୁ ନାହିଁ । କେବଳ ବାସନା ନୁହେଁ, ନୀଚତା ମଧ୍ୟ ଥିଲା । ସେ ସେହି ସରଳା ତରୁଣୀର ଦୀନାବସ୍ଥାର ସୁଯୋଗ ନେଇ ନିଜର ବାସନା ଚରିତାର୍ଥ କରିବାକୁ ଚାହିଁଥିଲା । ପୁଣି ତା’ ଜୀବନରେ ଦେଖା ଦେଲା ମୁନ୍ନୀ–ନିରାଶାରେ ଭଗ୍ନ, କାମନାରେ ପୂର୍ଣ୍ଣ । ସେହି ଦେବୀ ସହିତ ସେ କି କପଟ ବ୍ୟବହାର କଲା ! ଏହା ସତ୍ୟ ଯେ ତା’ ବ୍ୟବହାରରେ କାମୁକତା ନଥିଲା । ଏହି ବିଚାରରେ ସେ ନିଜ ମନକୁ ବୋଧ ଦେଉଥିଲା; କିନ୍ତୁ ବର୍ତ୍ତମାନ ଆତ୍ମ–ନିରୀକ୍ଷଣ କରିବାରୁ ସେ ସ୍ପଷ୍ଟ ଜାଣିପାରିଛି ଯେ ସେହି ପରିହାସରେ, ସେହି ଅନୁରାଗରେ କାମୁକତା ମିଶିଥିଲା । ତେବେ ସତରେ କ’ଣ ସେ କାମୁକ ? ଏହାର ଯେଉଁ ଉତ୍ତର ନିଜ ଅନ୍ତଃକରଣରୁ ସେ ପାଇଲା, ତାହା କୌଣସି ଗୁଣରେ ଶ୍ରେୟସ୍କର ନୁହେଁ । ସେ ସୁଖଦାକୁ ବିଳାସିତା ଦୋଷରେ ଅଭିଯୁକ୍ତା କରିଥିଲା; କିନ୍ତୁ ସେ ନିଜେ କେଉଁଠି କୁତ୍ସିତ, କେଉଁଠି ବିଷୟ-ପୂର୍ଣ୍ଣ ବିଳାସିତାରେ ଲିପ୍ତଥିଲା । ତା’ର ପ୍ରବଳ ଇଚ୍ଛା ହେଉଛି ଯେ ଉଭୟ ରମଣୀଙ୍କ ପାଦରେ ମଥା ରଖି କାନ୍ଦନ୍ତା ଓ କହନ୍ତା–ଦେବୀମାନେ, ମୁଁ ତୁମ ସହିତ ଛଳ କରିଛି, ତୁମକୁ ପ୍ରତାରଣା କରଛି । ମୁଁ ନୀଚ, ମୁଁ ଅଧମ; ମୋତେ ଇଚ୍ଛାନୁସାରେ ଶାସ୍ତି ଦିଅ, ମୋ ଶିର ତୁମ ଚରଣତଳେ ।

 

ପିତାଙ୍କ ପ୍ରତି ମଧ୍ୟ ଅମରକାନ୍ତର ଅନ୍ତରରେ ଶ୍ରଦ୍ଧାଜାତ ହୋଇଛି । ଯାହାଙ୍କୁ ସେ ମାୟାର ଦାସ ଓ ଲୋଭର କୀଟ ବୋଲି ମନେ କରୁଥିଲା, ଯାହାଙ୍କୁ କୌଣସି ତ୍ୟାଗ କରିବାକୁ ଅଯୋଗ୍ୟ ବୋଲି ବିଚାରୁଥିଲା; ସେ ଆଜି ଦେବତ୍ଵ ଉନ୍ନତ ସିଂହାସନ ଉପରେ ଆସୀନ । ପ୍ରତ୍ୟକ୍ଷବାଦର ମାଦକତାରେ ସେ କୌଣସି ନ୍ୟାୟବାନ, ଦୟାଳୁ ଈଶ୍ୱରଙ୍କର ଅସ୍ତିତ୍ଵ ସେ କେବେ ସ୍ୱୀକାର କରି ନଥିଲା । ମାତ୍ର ଏ ସବୁ ଅଦ୍ଭୁତ ଦୃଷ୍ଟାନ୍ତ ଦର୍ଶନରେ ତା’ର ହୃଦୟ ମଧ୍ୟରେ ସତେ ବା ନିଷ୍ଠା ଓ ବିଶ୍ଵାସର ସାଗର ଉଛୁଳି ଉଠୁଛି । ଏବେ ସେ ନିଜର ତୁଚ୍ଛ ବ୍ୟାପାରରେ ମଧ୍ୟ ଈଶ୍ଵରୀୟ ଇଚ୍ଛାର ଆଭାସ ପାଉଛି । ଜୀବନରେ ଏବେ ଏକ ନବୀନ ଉତ୍ସାହ ଆସିଛି । ତା’ ପକ୍ଷରେ ଜୀବନଟା ଏବେ ଅନ୍ଧକାରମୟ ନୁହେଁ । ଦୈବୀ ଇଚ୍ଛାରେ ଅନ୍ଧକାର କାହିଁ ?

 

ସନ୍ଧ୍ୟାବେଳ । ଅମରକାନ୍ତ ପ୍ୟାରେଡ଼୍‍ରେ ଠିଆ ହୋଇଛି, ସଲୀମ୍‌ ଆସୁଥିବା ଦେଖିଲା-। ସଲୀମ୍‌ର ଚରିତ୍ରରେ ଘଟିଥିବା ଘଟ ପରିବର୍ତ୍ତନର ସମ୍ବାଦ ସେ ପାଇଥିଲା; କିନ୍ତୁ ଅବସ୍ଥା ଏତେଦୂର ଆଗେଇ ଯାଇଛି ବୋଲି ସେ କଳ୍ପନାବି କରି ନଥିଲା । ସେ ଧାଇଁଯାଇ ସଲୀମ‌୍‌କୁ କୁଣ୍ଢାଇ ପକାଇ କହିଲା–ତୁ ଆସିଲୁ ଭଲ ହେଲା ଭାଇ ! ଏବେ ମୋର ବିଶ୍ଵାସ ହେଲା ଯେ ଈଶ୍ଵର ଆମର ସହାୟକ । ସୁଖଦା ଏଇଠି ଅଛି, ଫିମେଲ୍‌–ଜେଲରେ । ମୁନ୍ନୀବି ପହଞ୍ଚିଯାଇଛି, ତୁ କେବଳ ବାକି ଥିଲୁ, ଏବେ ସେ ଅଭାବ ଗଲା । ତୁ ଯେ ଦିନେ ଆସିବୁ, ତା’ ମୁଁ ଭାବିଥିଲି; କିନ୍ତୁ ଏତେ ଶୀଘ୍ର ଆସିବୁ ବୋଲି ବିଶ୍ଵାସ କରି ନଥିଲି । ଆଚ୍ଛା, ସେଠିକାର ନୂଆ ଖବର ସବୁ ଶୁଣା-। କିଛି ଗୋଳମାଳ ହୋଇ ନାହିଁ ତ ?

 

ସଲୀମ୍ ବ୍ୟଙ୍ଗ କଲା–ନା ଆଜ୍ଞା, ଟିକିଏବି ନାହିଁ । ଗୋଳମାଳର କିଛି କାରଣ ଥିଲେ ତ-! ଲୋକେ ଆନନ୍ଦରେ ଖାଉଛନ୍ତି, ହୋରି–ଗୀତ ଗାଉଛନ୍ତି । ଆପଣ ଏଠି ଆରାମରେ ବସିଛନ୍ତି କି ନା !

 

ସେ ଅଳ୍ପରେ ସେଠାର ସମସ୍ତ ପରିସ୍ଥିତ ବର୍ଣ୍ଣନା କଲା–ଗୋରୁ–ମଇଁଷି କ୍ରୋକ୍, କଂସାଇ ଆସିବା, ଗଉଡ଼–ସାହିରେ ଗୁଳିକାଣ୍ଡ ଇତ୍ୟାଦି । ଘୋଷକୁ ତଳେ ପକାଇ ମାରିବା କଥା ସେ ବେଶ୍ ମଜାରେ ବର୍ଣ୍ଣନା କଲେ ।

 

ଅମର ମୁହଁ ଫୁଲାଇ କହିଲା–ତୁ ତ ନିପଟ ନିର୍ବୋଧତା ଦେଖାଇଛୁ ।

 

“ଆଉ ତୁ କ’ଣ ଭାବିଥିଲୁ, ସେଠି ପଞ୍ଚାୟତ ବସି ମଦ ଓ ହୁକା ସଙ୍ଗେ ସଙ୍ଗେ ସରୁ ଫୈସଲା କରି ଦେଇଥାନ୍ତା ?”

 

“କିନ୍ତୁ ଆପତ୍ତି–ଅଭିଯୋଗ କ’ଣ ଏହିପରି କରାଯାଏ ?”

 

“ଆମେ ତ ଅନୁଗ୍ରହ ଭିକ୍ଷା କରୁ ନଥିଲୁ !”

 

“ଅନୁଗ୍ରହ ନୁହେଁ କ’ଣ ? ଯେତେବେଳେ ତୁମେ ଗୋଟାଏ ସର୍ତ୍ତରେ ଜମି ନେଲ, ନ୍ୟାୟ କହୁଛି, ସେ ସର୍ତ୍ତ ପୂରଣ କରିବାକୁ ହେବ । ଉତ୍ପାଦନ–ସର୍ତ୍ତ ଉପରେ ତ ଚାଷ ଜମି ଚାଷ କରି ନାହିଁ, ବରଂ ବାର୍ଷିକ ରାଜସ୍ଵ–ସର୍ତ୍ତରେ କରିଛି । ଉତ୍ପାଦନ କମ୍ ବେଶି ହେବା ସଙ୍ଗେ ଜମିଦାର ବା ସରକାରର ତ କୌଣସି ସମ୍ପର୍କ ନାହିଁ ।’’

 

‘‘ଯେତେବେଳେ ଉତ୍ପନ୍ନ–ଦ୍ରବ୍ୟ ମହଙ୍ଗା ହେଲେ ରାଜସ୍ଵ ବଢ଼ାଇ ଦିଆଯାଉଛି, ମୂଲ୍ୟହ୍ରାସ ହେଲେ ରାଜସ୍ୱ କମାଇ ଦିଆ ନ ଯିବ, ଏହାର ତ କୌଣସି କାରଣ ନାହିଁ । ଉତ୍ପନ୍ନଦ୍ରବ୍ୟର ମୂଲ୍ୟହ୍ରାସବେଳେ ମୂଲ୍ୟ ବୃଦ୍ଧି ସମୟର କର ଆଦାୟ କରିବା ସମ୍ପୂର୍ଣ୍ଣ ଅନ୍ୟାୟ ।’’

 

“କିନ୍ତୁ ଲାଠି ଜୋରରେ ତ କର ବଢ଼ାଯାଉ ନାହିଁ । ତା’ପାଇଁ ଆଇନ ଅଛି ।’’

 

ସଲୀମ୍ ବିସ୍ମିତ ହେଉଛି ଯେ ଏତେ ଭୟାନକ ପରିସ୍ଥିତି ଶୁଣି ସୁଦ୍ଧା ଅମର ଏପରି ଶାନ୍ତ ହୋଇ ବସିଛି କିପରି ? ଏହି ଅବସ୍ଥାରେ ସେ ଏ ଖବର ଶୁଣିଥିଲେ ତ ତା’ ରକ୍ତ ତାତି ଉଠିଥାନ୍ତା ଆଉ ବୋଧହୁଏ ହିତାହିତ ଜ୍ଞାନ ହରାଇଥାନ୍ତା । ଅବଶ୍ୟ ଅମର ଜେଲରେ ରହି ଦବିଗଲାଣି । ଏବେ ଦମନର ସମ୍ମୁଖୀନ ହେବାପାଇଁ ଯେଉଁ ପ୍ରସ୍ତୁତି ଚାଲିଛି, ସେ ସବୁ ଅମରକୁ ନ ଜଣାଇବା ଏ ପରିସ୍ଥିତିରେ ସେ ଉଚିତ ମନେକଲା ।

 

ଅମର ତା’ ଉତ୍ତରକୁ ଅପେକ୍ଷା କରୁଥିଲା; କିନ୍ତୁ ତା’ଠାରୁ କିଛି ଉତ୍ତର ନ ପାଇବାରୁ ପଚାରିଲା–ତେବେ ଆଜିକାଲି ସେଠାରେ କିଏ ଅଛି ? ସ୍ଵାମୀଜୀ ଅଛନ୍ତି ତ ?

 

ସଲୀମ୍‌ ସଂକୁଚିତ ହୋଇ କହିଲା–ସ୍ୱାମୀଜୀ ତ ଆରେଷ୍ଟ୍ ହୋଇଛନ୍ତି ପ୍ରାୟ । ମୋ ପରେ ପରେ ସକୀନା ସେଠାରେ ପହଞ୍ଚିଯାଇଛି ।

 

“ଆଚ୍ଛା, ସକୀନାବି ପରଦା ଅନ୍ତରାଳରୁ ବାହାରିଗଲାଣି ! ମୁଁ ତ ଆଶା କରି ନଥିଲି !”

 

“ତେବେ ତୁ କ'ଣ ଭାବିଥିଲୁ, ନିଆଁ ଲଗାଇ ଦେଇ ତାକୁ ଗୋଟାଏ ଘେର ଭିତରେ ଅଟକାଇ ରଖିବୁ ?”

 

ଅମର ଚିନ୍ତିତ ହୋଇ କହିଲା–ମୁଁ ତ ଭାବିଥିଲି ଯେ ଆମେ ହିଂସାଭାବକୁ ଆୟତ୍ତ କରି ନେଇଛୁ, ଆଉ ସେ ଆୟତ୍ତରୁ ବାହାରି ଯାଇପାରିବ ନାହିଁ

 

“ମହାଶୟ ତେବେ ସ୍ଵାଧୀନତା ଚାହାନ୍ତି; କିନ୍ତୁ ତା’ର ମୂଲ୍ୟ ଦେବାକୁ ଚାହାନ୍ତି ନାହିଁ ।”

 

‘‘ଆଜ୍ଞା, ଆପଣ ଯାହାକୁ ସ୍ଵାଧୀନତାର ମୂଲ୍ୟ ବୋଲି ଭାବୁଛନ୍ତି, ତାହା ତା’ର ମୂଲ୍ୟ ନୁହେଁ । ତା’ର ମୂଲ୍ୟ ହେଉଛି–ସତ୍ୟ ଓ ନ୍ୟାୟରେ ଅଟଳ ରହିବାର ଶକ୍ତି ।”

 

ସଲୀମ୍‌ ଉତ୍ତେଜିତ ହୋଇଉଠିଲା–ଏଗୁଡ଼ା ବାଜେ କଥା । ବଳାତ୍କାର ଯାହାର ମୂଳପିଣ୍ଡ, ତା’ ଉପରେ ସତ୍ୟ–ନ୍ୟାୟର କିଛି ପ୍ରଭାବ ପଡ଼େ ନାହିଁ ।

 

“ତୁ କ’ଣ ଅସ୍ଵୀକାର କରିବୁ ଯେ ସତ୍ୟ ଓ ନ୍ୟାୟ ବଳରେ ଜଗତ ଚାଲିଛି, ଆଉ ପ୍ରତ୍ୟେକ ମନୁଷ୍ୟର ହୃଦୟ ଗଭୀରତମ ପ୍ରଦେଶରେ ଏକ ତନ୍ତ୍ରୀ ଅଛି, ଯାହାକି ବଳିଦାନରେ ଝଙ୍କୃତ ହୋଇଉଠେ ।”

 

“ନା, ମୁଁ ତାକୁ ସ୍ଵୀକାର କରୁ ନାହିଁ । ସ୍ଵାର୍ଥପରତା ଓ ବଳାତ୍କାର ଯୋଗୁଁ ଜଗତ ଗତିଶୀଳ ହେଉଛି ଏବଂ ଖୁବ୍‌ କମ୍‌ ଲୋକ ଅଛନ୍ତି, ଯାହାଙ୍କ ହୃଦୟର ଗଭୀରତମ ପ୍ରଦେଶରେ ସେହି ତନ୍ତ୍ରୀ ଅଛି ।’’

ଅମର ହସି ହସି କହିଲା–ତୁ ତ ସରକାରଙ୍କର ହିତାକାଂକ୍ଷୀ ସେବକ ଥିଲୁ, ଭାଇ ଜେଲରୁ ଆସିଲୁ କାହିଁକି ?

ସଲୀମ୍‌ ହସିଲା–ତୋରି ପ୍ରେମରେ ପଡ଼ି ।

“ଆଚ୍ଛା, ବାପା କାହା ପ୍ରେମରେ ପଡ଼ିଥିଲେ ?’’

‘‘ପୁତ୍ର ପ୍ରେମରେ ।’’

“ସୁଖଦା ?”

‘‘ପତି ପ୍ରେମରେ !”

‘‘ଆଚ୍ଛା, ସକୀନା, ମୁନ୍ନୀ ଆଉ ଏ ଶହ ଶହ ଲୋକ, ଯେଉଁମାନେ କି ନାନା ନିର୍ଯାତନା ସହୁଛନ୍ତି ?”

“ଆଚ୍ଛା ମାନିଲି । କେତେକ ଲୋକଙ୍କ ହୃଦୟ ଗଭୀରତମ ପ୍ରଦେଶରେ ଏ ତନ୍ତ୍ରୀ ଅଛି; କିନ୍ତୁ ଏପରି ଲୋକ କେତେ ଜଣ ?’’

‘‘ମୋ ମତରେ ଏପରି ଲୋକ ନାହିଁ, ଯାହାର ହୃଦୟରେ ସହାନୁଭୂତିର ତନ୍ତ୍ରୀ ନାହିଁ । ହଁ କିଏ ଶୀଘ୍ର ପ୍ରଭାବିତ ହୁଏ, କେହି ବା ବିଳମ୍ବରେ । ଆଉ ଏପରି କେତେକ ସ୍ୱାର୍ଥର ଦାସ ମଧ୍ୟ ଅଛନ୍ତି, ଯେଉଁମାନେ ପ୍ରାୟ କଦାପି ପ୍ରଭାବିତ ହୁଅନ୍ତି ନାହିଁ‌‌ ।”

 

ସଲୀମ୍ ହାରମାନି କହିଲା–ତେବେ ତୁ ଚାହୁଁ କ’ଣ ? ଆମେ କର ଦେଇ ପାରିବୁ ନାହିଁ-। ସେମାନେ କହୁଛନ୍ତି ଯେ ନ ନେଇ ଛାଡ଼ିବେ ନାହିଁ । କାହିଁକି ? କ'ଣ ସର୍ବସ୍ୱ କ୍ରୋକ୍ କରିବାକୁ ଛାଡ଼ିଦେବା ? ଆମେ କିଛି କହିବାକୁ ଗଲେ ଗୁଳି ଚାଲିବ, ନ କହିଲେ ତ ସର୍ବନାଶ । ତେବେ ଉପାୟ କ'ଣ କହ । ଆମେ ଯେତେ ନରମ ହେଉଛୁ, ସେମାନେ ସେତେ ଚଢ଼ି ବସୁଛନ୍ତି-। ମରିବାବାଲା ଅବଶ୍ୟ କରୁଣା ଜନ୍ମାଇପାରେ; ମାତ୍ର ମାରିବାବାଲା ଆତଙ୍କ ସୃଷ୍ଟି କରିଥାଏ, ଯାହାକି କରୁଣାଠାରୁ ବହୁଗୁଣ ପ୍ରଭାବଶାଳୀ ।

 

ଅମର ଏ ପ୍ରଶ୍ନ ଉପରେ ମାସ–ମାସ ବିଚାର କରିଛି । ସେ ସ୍ୱୀକାର କରୁଥିଲା ଯେ ପଶୁବଳ ସଂସାରରେ ପ୍ରଭୁତ୍ୱ ବିସ୍ତାର କରିଛି, କିନ୍ତୁ ପଶୁବଳଙ୍କୁ ମଧ୍ୟ ନ୍ୟାୟବଳର ଶରଣ ନେବାକୁ ପଡ଼େ । ଆଜି ସବୁଠୁ ବଳଶାଳୀ ରାଷ୍ଟ୍ର ମଧ୍ୟ କୌଣସି ଦୁର୍ବଳ ରାଷ୍ଟ୍ରକୁ ପ୍ରକାଶ୍ୟରେ ଏହା କହି ଆକ୍ରମଣ କରିବାକୁ ସାହସ କରୁ ନାହିଁ ଯେ ଆମେ ତୁମକୁ ଶାସନ କରିବାକୁ ଚାହୁଁ; ସୁତରାଂ ତୁମେ ଆମର ଅଧୀନସ୍ଥ ହୋଇଯାଅ । ତାକୁ ନିଜ ପକ୍ଷ ନ୍ୟାୟସଙ୍ଗତ ବୋଲି ଦେଖାଇ ହେବାକୁ କୌଣସି ବାହାନା ଖୋଜିବାକୁ ପଡ଼ୁଛି । କହିଲା–ଯଦି ତୋର ଧାରଣା ଯେ ରକ୍ତପାତ ଓ ହତ୍ୟାଦ୍ଵାର କୌଣସି ଜାତିର ମୁକ୍ତ ସମ୍ଭବ, ତେବେ ତୁ ମହାଭୁଲ୍ କରୁଛୁ । କ୍ଷମତା ଏକ ସମ୍ପ୍ରଦାୟ ହାତରୁ ଅନ୍ୟ ସମ୍ପ୍ରଦାୟ ହାତକୁ ଯିବାକୁ, ତା’ଦ୍ଵାରା ସେହି ତରବାରି ବଳରେ ଶାସନ ଚାଲିବାକୁ ମୁଁ ସ୍ଵାଧୀନତା ବୋଲି ସ୍ଵୀକାର କରେନା । ମନୁଷ୍ୟ ମଧ୍ୟରେ ମନୁଷ୍ୟତାର ଉଦୟହିଁ ମୁକ୍ତି । ମନୁଷ୍ୟତାର ନିତ୍ୟ–ଶତ୍ରୁ ହେଉଛୁ ବଳାତ୍କାର, ଅନ୍ୟାୟ ଓ ସ୍ଵାର୍ଥପରତା । ସଲୀମ୍‌କୁ ଏ କଥା ତତ୍ତ୍ୱହୀନ ବୋଧ ହେଲା । ମୁଖାବିକୃତ କରି କହିଲା–ରଙ୍କୁ ମାଲୁମ ଥିବ ଯେ ଏ ଦୁନିଆରେ ଦେବତା ରହନ୍ତି ନାହିଁ, ମଣିଷ ରହନ୍ତି ।

 

ଅମରକାନ୍ତ ଶାନ୍ତ–ଶୀତଳ ଚିତ୍ତରେ ଉତ୍ତର ଦେଲା–ମାତ୍ର ତୁ ଦେଖୁ ନାହୁଁ ସେ ଆମର ମନୁଷ୍ୟତା ଶହ ଶହବର୍ଷ ଧରି ହତ୍ୟା ଓ ରକ୍ତପାତରେ ବୁଡ଼ିରହିବା ପରେ ଏବେ ସତ୍‌ପଥରେ ଗତି କରୁଛି ! ତା’ର ଏ ଶକ୍ତି ଆସିଲା କୁଆଡ଼ୁ ? ଦୈବୀ ଶକ୍ତି ସ୍ୱୟଂ ତା’ ମଧ୍ୟରେ ବିରାଜମାନ । କେହି ତାକୁ ନଷ୍ଟ କରିପାରିବ ନାହିଁ । ଅପରିମିତ ସେନାବଳ ମଧ୍ୟ ତାକୁ ଦଳିଦେଇ ନ ପାରେ । ଶୁଖିଲା ଭୂଇଁରେ ଘାସମୂଳ ପଡ଼ିଥିଲେ ମଧ୍ୟ ତାହା ପରିଷ୍କାର ଥିଲା ପରି ଜଣାଯାଏ; କିନ୍ତୁ ପାଣି ପଡ଼ିଲାମାତ୍ରେ ସେହି ମୂଳ କଅଁଳିଉଠି ସେହି ଭୂଇଁରେ ପୁଣି ସବୁଜ ଲହରୀ ଖେଳାଇଦିଏ । ସେହିପରି ଏହି ଯନ୍ତ୍ର, ଅସ୍ତ୍ର–ଶସ୍ତ୍ର ଓ ସ୍ଵାର୍ଥପରତାର ଯୁଗରେ ମଧ୍ୟ ସେହି ଦୈବୀଶକ୍ତି ଅଦୃଶ୍ୟ ଭାବରେ ଆମ ମଧ୍ୟରେ ତା’ କାର୍ଯ୍ୟ କରୁଛି । ତରବାରି ଝନତ୍‍କାର ବା କମାଣର ଗୁରୁଗର୍ଜନ ଅପେକ୍ଷା ସତ୍ୟ ଓ ନ୍ୟାୟର ଆହ୍ଵାନ ଅଧିକ ପ୍ରଭାବଶାଳୀ ହେବାର ଯୁଗ ଆସିଗଲାଣି । ବୃହତ୍ତର ଦେଶମାନେ ନିଜ ନିଜର ସୈନ୍ୟବଳ ତ ନୌବଳ କମାଇବାକୁ ଲାଗିଲେଣି । ଏଥିରୁ ତୁ କ'ଣ ଆଗାମୀ ଯୁଗର କଳ୍ପନା କରିପାରୁ ନାହୁଁ ? ଆମର ଦାସତ୍ଵର କାରଣ, ଆମେ ଦାସତ୍ଵର ଶୃଙ୍ଖଳ ନିଜେ ନିଜ ପାଦରେ ବାନ୍ଧି ଦେଇଛୁ । ଏହି ଶୃଙ୍ଖଳ କ'ଣ ଜାଣୁ ? ନିଜ ନିଜ ମଧ୍ୟରେ ବିଭେଦ । ଯେ ପର୍ଯ୍ୟନ୍ତ ଆମେ ଏହି ବିଭେଦ–ବେଢ଼ିକୁ ଛିନ୍ନ କରି ପ୍ରେମର ସ୍ୱାଦୁ ନ ଚାଖିବା, ସେବା ମଧ୍ୟରେ ଈଶ୍ୱରଙ୍କ ରୂପ ଦର୍ଶନ କରି ନ ଶିଖିବା, ସେ ପର୍ଯ୍ୟନ୍ତ ଗୋଲାମ ହୋଇ ପଡ଼ିଥିବା । ମୁଁ କହୁ ନାହିଁ ଯେ ପ୍ରତ୍ୟେକ ଭାରତୀୟ ଏପରି ଜାଗ୍ରତ ନ ହେବା ପର୍ଯ୍ୟନ୍ତ ଆମେ ମୁକ୍ତିଲାଭ କରିପାରିବା ନାହିଁ । ଏହା ତ କେବେ ସମ୍ଭବ ନୁହେଁ; କିନ୍ତୁ ଜାତୀୟ–ସୈନିକମାନଙ୍କ ମଧ୍ୟରେ ଅନ୍ତତଃ ଏହି ଚେତନା ରହିବା ଉଚିତ । ପରନ୍ତୁ ଆମମାନଙ୍କ ମଧ୍ୟରେ କେତେଜଣ ଅଛନ୍ତି, ଯେଉଁମାନେ କି ନିଜର ଅନ୍ତରକୁ ପ୍ରେମାଲୋକରେ ଉଦ୍ଭାସିତ କରିପାରିଛନ୍ତି ? ଆମ ଭିତରେ ଅଦ୍ୟାପି ସେହି ଉଚ୍ଚ–ନୀଚ ଭେଦ ରହିଛି, ସ୍ୱାର୍ଥଲିପ୍‌ସା ଓ ଅହଂକାର ରହିଛି ।

 

ବାହାରେ ଶୀତ ଲାଗିବାରୁ ଦୁଇ ବନ୍ଧୁ ନିଜ ନିଜ କୋଠରୀକୁ ଗଲେ । ସଲୀମ‌୍‌ ଉତ୍ତର ଦେବାପାଇଁ ଉଦ୍‌ବିଗ୍ନ; କିନ୍ତୁ ୱାର୍ଡ଼ର୍ ଅଥୟ ହେବାରୁ ସେମାନଙ୍କୁ ଉଠିବାକୁ ପଡ଼ିଲା ।

 

ଦରଜା ବନ୍ଦ ହେଲା । ଅମରକାନ୍ତ ଗୋଟିଏ ଦୀର୍ଘନିଃଶ୍ୱାସ ପକାଇ ଅର୍ଥପୂର୍ଣ୍ଣ ଦୃଷ୍ଟିରେ ଚାରିଆଡ଼କୁ ଚାହିଁଲା । ତା’ ମଥାରେ କେତେ ବଡ଼ ଦାୟିତ୍ଵ ! କେତେ ନିରପରାଧଙ୍କ ରକ୍ତରେ ତା’ ହାତ ଲାଲ ହୋଇଛି ! କେତେ ଅନାଥ ବାଳକ ଓ ଅବଳା ବିଧବା ତା’ର ପିନ୍ଧା କାନି ଧରି ଟାଣୁଛନ୍ତି-! ସେ କାହିଁକି ଏତେ ତରବର ହୋଇ କାମ କଲା ? କୃଷକମାନଙ୍କ ଆପତ୍ତିପାଇଁ କ’ଣ ଏହି ଗୋଟିକ ଉପାୟ ଥିଲା । ଅନ୍ୟ ଉପାୟରେ କ'ଣ ଏ ଆପତ୍ତି ପ୍ରକାଶ କରିପାରି ନଥାନ୍ତା-। ଏ ପ୍ରତିକାର କ’ଣ ରୋଗ ଅପେକ୍ଷା ଅଧିକ ଦୁଃସାଧ୍ୟ ନୁହେଁ । ଏହି ପ୍ରଶ୍ନଗୁଡ଼ିକ ଅମରକାନ୍ତକୁ ବିଚଳିତ କରି ପକାଇଲା । ଏହି ମାନସିକ ସଙ୍କଟ କାଳରେ ତା’ ସମ୍ମୁଖରେ ଉପସ୍ଥିତ ହେଲା କାଲେ ଖାଁର ମୂର୍ତ୍ତି । ତାକୁ ଜଣାଗଲା ଯେ ସେ ଯେପରି କହୁଛି–ଈଶ୍ଵରଙ୍କ ଶରଣ ନେ । ସେଇଠି ତୋତେ ମିଳିବ ଆଲୋକ ।

 

–୫୨–

 

ଅମରକାନ୍ତ ସେଇଠି ଭୂଇଁରେ ମୁଣ୍ଡ ଲଗାଇ ଶୁଦ୍ଧ ଚିତ୍ତରେ କର୍ତ୍ତବ୍ୟ ଜିଜ୍ଞାସା କଲା–ଭଗବାନ୍, ମୁଁ ଅନ୍ଧକାରରେ ପଡ଼ିଛି । ମୋତେ ସରଳ ମାର୍ଗ ଦେଖାଇ ଦିଅନ୍ତୁ ।

 

ଏହି ଶାନ୍ତ ଦୀନ ପ୍ରାର୍ଥନାରୁ ତାକୁ ଏପରି ଶାନ୍ତି ମିଳିଲା, ଯେପରିକି ତା’ ସମ୍ମୁଖକୁ ଏକ ଆଲୋକ ଆସି ପରିଷ୍କାରରୂପେ ଚିକ୍‌କଣ ସମତଳ ପଥଟିଏ ଉପରେ ରଶ୍ମି ବିସ୍ତାର କଲା ।

 

ପଠାଣୁଣୀର ଗିରଫ୍‌ତାରୀ ସହରରେ ଚହଳ ପକାଇ ଦେଇଛି, ଯାହାକି କେହି କେବେ ଆଶା କରି ନଥିଲେ । ଜରାଜୀର୍ଣ୍ଣ ଅବସ୍ଥାରେ ତା’ର ଏ କଠୋର ତପସ୍ୟା ଶବଠାରେ ମଧ୍ୟ ଜୀବନ ସଂଚାର କରି ଦେଇଛି, ଭୀରୁ ଓ ସ୍ଵାର୍ଥ–ସେବୀକୁ ମଧ୍ୟ କର୍ମକ୍ଷେତ୍ରକୁ ଟାଣି ଆଣିଛି । ତଥାପି ତ ନିର୍ଲଜ୍ଜଙ୍କ ସଂଖ୍ୟା କମ୍‌ ନୁହେଁ, ଯେଉଁମାନେ କି କହୁଛନ୍ତି–ହଁ, ତା’ର ଜୀବନରେ ଆଉ କି ସ୍ଵାଦ ଅଛି-? ମରିବାକୁ ତ ହେବ । ବାହାରେ ନ ମରି ଜେଲ‌ରେ ମରିବ । ଆମକୁ ତ ଆହୁରି କେତେକାଳ ବଞ୍ଚିବାକୁ ପଡ଼ିବ, କେତେ କାମ କରିବାକୁ ପଡ଼ିବ, ଆମେ କିପରି ନିଆଁକୁ ଡେଇଁବୁ ?

 

ସନ୍ଧ୍ୟାକାଳ । ମଜୁରିଆମାନେ କାମ ଛାଡ଼ି, ଛୋଟ ଛୋଟ ଦୋକାନୀମାନେ ଦୋକାନ ବନ୍ଦ କରି ଘଟଣାସ୍ଥଳକୁ ଛୁଟିଛନ୍ତି । ଏବେ ପଠାଣୁଣୀ ସେଠାରେ ନାହିଁ, ଜେଲ‌ରେ ପହଞ୍ଚିଯିବଣି । ବନ୍ଧୁକଧାରୀ ପୋଲିସ୍‌ ପହରା ଦେଉଛନ୍ତି, କୌଣସି ସଭା ହୋଇପାରିବ ନାହିଁ, ଭାଷଣ ଦିଆଯାଇପାରିବ ନାହିଁ । ବହୁତ ଲୋକ ଏକତ୍ର ହେବା ମଧ୍ୟ ବିପଜ୍ଜନକ । କିନ୍ତୁ ବର୍ତ୍ତମାନ କେହି କିଛି ଭାବୁନାହିଁ, କେହି କିଛି ଦେଖୁନାହିଁ । ସମସ୍ତେ ଏକ ବେଗବାନ୍ ପ୍ରବାହରେ ଭାସିଯାଉଛନ୍ତି । କ୍ଷଣମଧ୍ୟରେ ସମୁଦାୟ ପଡ଼ିଆଟା ଜନପୂର୍ଣ୍ଣ ହୋଇଗଲା ।

 

ସହସା ଦେଖିବାକୁ ମିଳିଲା କେହି ଜଣେ ଇଟାଗଦା ଉପରେ ଠିଆ ହୋଇ କ’ଣ କହୁଛି-। ଚାରିଆଡ଼ୁ ଧାଇଁଆସି ଲୋକେ ସେଠାରେ ଜମା ହୋଇଗଲେ, ଜନସମୂହର ଏକ ବିଶାଳ ସାଗର ଉଛୁଳି ଉଠିଲା । ଏ ଲୋକ କିଏ ? ଲାଲା ସମରକାନ୍ତ ! ଯାହାଙ୍କ ବୋହୂ ଜେଲ‌୍‌ରେ, ଯାହାଙ୍କ ପୁଅ ଜେଲ୍‌ରେ ।

 

“ଆଚ୍ଛା, ଏ ଲାଲା : ଭଗବାନ୍ ବୁଦ୍ଧି ଦେବେ ତ ଏଇମିତି ଦେବେ । ପାପ ଅର୍ଜିତ ଧନ ପୁଣ୍ୟକାର୍ଯ୍ୟରେ ଲଗାଉଛନ୍ତି ।”

 

“ବଡ଼ କପାଳିଆ ଲୋକ ଏକା ।”

 

“କପାଳିଆ ନ ହେଇଥିଲେ ବୁଢ଼ା ବଅସରେ ଏତେ ନାମ କମାନ୍ତା କିପରି ?”

 

“ଶୁଣ–ଶୁଣ !”

 

“ଦିନ ଆସିବ, ଏହି ଜାଗାରେ ଗରିବମାନଙ୍କ ଘର ତୋଳା ହେବ । ଆଉ ଆମମାନଙ୍କ ମା’ ଯେଉଁଠି ଗିରଫ୍ ହୋଇଛି, ସେଠି ଗୋଟିଏ ମଣ୍ଡପ ତିଆରି ହେବ ଓ ତା’ ଭିତରେ ମା’ର ପ୍ରତିମା ସ୍ଥାପନ କରାଯିବ । କୁହ, ମାତା ପଠାଣୁଣୀର ଜୟ !’’

 

ଦଶ ହଜାର କଣ୍ଠରୁ ‘ମାତାର ଜୟ’ ଧ୍ଵନି ଉଠିଲା–ଦୀନ ଦଳିତଙ୍କ ହା–ହାକାର ପରି ବିକଳ, ଉତ୍ତପ୍ତ, ଗମ୍ଭୀର–ସତେଅବା ଭୂଲୋକରେ କେଉଁଠି ଆଶ୍ରୟ ନ ପାଇ ଆକାଶବାସୀଙ୍କ ନିକଟରେ ଦୁଃଖ ନିବେଦନ କରୁଛି !

 

“ଶୁଣ–ଶୁଣ !”

 

“ମାତା ନିଜର ସନ୍ତାନମାନଙ୍କ ପାଇଁ ଜୀବନ ଉତ୍ସର୍ଗ କରିଦେଲା । ଆମ ସମସ୍ତଙ୍କର ମଧ୍ୟ ସନ୍ତାନ–ସନ୍ତତି ଅଛନ୍ତି । ଆମେ ଆମର ପିଲା ବାଳକଙ୍କ ପାଇଁ କ'ଣ କରିବା, ଆଜି ତାହା ନିଷ୍ପତ୍ତି କରିବାକୁ ହେବ ।”

 

ସ୍ଵର ଉଠିଲା–‘‘ହରତାଳ, ହରତାଳ !”

 

“ହଁ, ହରତାଳ କରନ୍ତୁ; କିନ୍ତୁ ଏ ହରତାଳ ଦିନେ ବା ଦୁଇଦିନ ପାଇଁ ହେବ ନାହିଁ–ଯେ ପର୍ଯ୍ୟନ୍ତ ଆମ ନଗର–ବିଧାତା ଆମ ଡାକ ନ ଶୁଣୁଛନ୍ତି, ସେ ପର୍ଯ୍ୟନ୍ତ ଏହା ଚାଲିବ । ଆମେ ଦୀନ–ହୀନ, ଆମେ ଦୁଃଖୀ । କିନ୍ତୁ ବଡ଼ଲୋକମାନେ ଯେବେ ମନ ଶାନ୍ତ କରି ଧ୍ୟାନ ଦିଅନ୍ତି, ତେବେ ଦେଖିପାରିବେ ଯେ ଏହି ଦୀନ–ହୀନ ପ୍ରାଣୀଗୁଡ଼ିକହିଁ ସେମାନଙ୍କୁ ବଡ଼ଲୋକ କରିଛନ୍ତି । ଏହି ବଡ଼ବଡ଼ କୋଠାସବୁ ଜୀବନ ମୁରୁଛି କିଏ କରିଛି ? ଏହି ଲୁଗା ମିଲ୍‌ମାନଙ୍କରେ କାମ କରୁଛି କିଏ ? ସକାଳ ହେଲେ ଦୁଧ, ଲହୁଣୀ ନେଇ ଦୁଆରମୁହଁରେ କିଏ ଡାକ ପକାଉଛି ? ବଡ଼ଲୋକଙ୍କ ଜଳଖିଆବେଳକୁ ଫଳ, ମିଠାଇ ନେଇ ପହଞ୍ଚାଉଛି କିଏ ? ମଇଳାଯାକ ସଫା କରୁଛି କିଏ ? ଲୁଗାପଟା ସଫା କରୁଛି କିଏ ? ସକାଳୁ ଉଠି ଓ ଖବରକାଗଜ ନେଇ ପହଞ୍ଚାଉଛି କିଏ ? ସହରର ତିନିଭାଗ ଲୋକ ଭାଗେ ଲୋକଙ୍କପାଇଁ ରକ୍ତ ଜଳାଉଛନ୍ତି । ମାତ୍ର ଶେଷରେ ଏହାର ଫଳ ହେଉଛି, ସେମାନଙ୍କ ରହିବାପାଇଁ ଟିକିଏ ଜାଗା ମିଳୁ ନାହିଁ ! ଗୋଟିଏ ବଙ୍ଗଳାପାଇଁ କେତେ ଗୁଣ୍ଠ (ବିଘା) ଜମି ଦରକାର । ଆମ ବଡ଼ଲୋକଙ୍କ ପାଇଁ ଖୋଲାଜାଗା, ନିର୍ମଳ ପବନ ଦରକାର । ସେମାନେ ବୁଝିନାହାନ୍ତି ଯେ ଅସଂଖ୍ୟ ପ୍ରାଣୀ ଯେଉଁଠି ଦୁର୍ଗନ୍ଧ ଓ ଅନ୍ଧକାର ଭିତରେ ଶଢ଼ି ଭୟଙ୍କର ରୋଗରେ ମରୁଛନ୍ତି ଓ ରୋଗର ଜୀବାଣୁ ବିସ୍ତାର କରୁଛନ୍ତି, ସେଠାରେ ଖୋଲା ବଙ୍ଗଳାରେ ରହିଲେ ସୁଦ୍ଧା ସେମାନେ ନିରାପଦ ନୁହନ୍ତି । ସହରର ଛୋଟ–ବଡ଼, ଗରିବ–ଅମିର ସମସ୍ତଙ୍କ ସ୍ଵାସ୍ଥ୍ୟରକ୍ଷାର ଦାୟିତ୍ଵ କାହା ମୁଣ୍ଡରେ ? ମ୍ୟୁନିସିପାଲଟି ଯଦି ଏହି ପ୍ରଧାନ କର୍ତ୍ତବ୍ୟ ତୁଲାଇ ନ ପାରୁଛି, ତେବେ ତାକୁ ଭାଙ୍ଗିଦେବା ଉଚିତ । ଧନୀ–ମାନୀ ଲୋକଙ୍କ କୋଠାପାଇଁ, ବଗିଚାପାଇଁ, ଅନ୍ୟାନ୍ୟ ସୁବିଧାପାଇଁ ଏତେ ଜମି ଚାହିଁଲାମାତ୍ରେ କାହିଁକି ଯୋଗାଇ ଦିଆଯାଉଛି ? କାରଣ ଆମର ମ୍ୟୁନିସିପାଲଟିଭାବେ ଯେ ଗରିବଙ୍କ ଜୀବନର କିଛି ମୂଲ୍ୟ ନାହିଁ । ତା’ର ଟଙ୍କା ଦରକାର, କାରଣ ବଡ଼ବଡ଼ ଅଫିସ‌ରଙ୍କୁ ମୋଟା ଦରମା ଦେବ । ମ୍ୟୁନିସିପାଲଟି ସହରକୁ ବଡ଼ବଡ଼ କୋଠାରେ ସଜାଇ ଦେବାକୁ, ସ୍ଵର୍ଗପୁର ପରି ସୁନ୍ଦର କରି ଦେବାକୁ ଚାହେଁ; କିନ୍ତୁ ଦୁର୍ଗନ୍ଧପୂର୍ଣ୍ଣ ଅନ୍ଧାରିଆ ଗଳିରେ ପଡ଼ି ଲୋକେ ଯେଉଁଠି ରଡ଼ି ଛାଡ଼ିଛନ୍ତି, ସେଠି ବିରାଟ କୋଠା କ’ଣ ହେବ ? ଦେହର କୁଷ୍ଠ–ଘା’କୁ ରେଶମ କପଡ଼ାରେ ଘୋଡ଼ାଇ ଫୁଲେଇ ହୋଇ ବୁଲିବା ଯାହା, ଏ ଠିକ୍‌ ସେଇଆ । ଭଦ୍ରଗଣ ! ଅନ୍ୟାୟ କରିବା ଯେମିତି ପାପ, ଅନ୍ୟାୟକୁ ସହିଯିବା ମଧ୍ୟ ସେମିତି ପାପ । ଆଜି ନିଶ୍ଚୟ କରିନିଅ, ଯେ ତୁମେ ଏ ଦୁର୍ଦ୍ଦଶା ଆଉ ସହିବ ନାହିଁ । ଏହି ମହଲ, ବଙ୍ଗଳା ସବୁ ନଗରର ଦୁର୍ବଳ ଦେହରେ–ଉଠିଥିବା ଆବୁ । ଏହି ଆବୁକୁ କାଟିପକାଇବାକୁ ହେବ । ଏହି ଯେଉଁ ଜମି ଉପରେ ଆମେ ଅଛେ, ଏଠି ଦୁଇ ହଜାର ଛୋଟ ଛୋଟ ଘର ତୋଳାଯାଇପାରେ, ଯେଉଁଠି ଅତି କମ୍‌ରେ ଦଶ ହଜାର ପ୍ରାଣୀ ଆରାମରେ ରହିପାରିବେ; କିନ୍ତୁ ଏ ସବୁଯାକ ଜମି ଚାରି–ପାଞ୍ଚଟି ବଙ୍ଗଳାପାଇଁ ବିକ୍ରି ହେଉଛି । ମ୍ୟୁନିସିପାଲଟି ଦଶ ଲକ୍ଷ ଟଙ୍କା ପାଉଛି । ତାକୁ ସେ କିପରି ଛାଡ଼ିବ ? ସହରର ଦଶ ହଜାର ମଜୁରିଆଙ୍କ ଜୀବନ ଦଶ ଲକ୍ଷ ଟଙ୍କାକୁବି ସରି ନୁହେଁ ।’’

 

ସହସା ପଛରେ ଥିବା ଲୋକମାନେ ପାଟି କରି ଉଠିଲେ–ପୋଲିସ୍ ! ପୋଲିସ୍ ଆସିଗଲାଣି ।

 

କେତେକ ପଳାଇଗଲେ, କେତେକ ଆଗକୁ ଯାକି ହୋଇଗଲେ ।

 

ଲାଲା ସମରକାନ୍ତ କହିଲେ–ପଳାଇ ଯାଅନା, ପଳାଇ ଯାଅନା । ପୋଲିସ୍ ମୋତେ ଗିରଫ୍ କରିବ, ଅପରାଧୀ ମୁଁ । କେବଳ ମୁଁ କାହିଁକି, ମୋର ସାରା ପରିବାର ତା’ଠାରେ ଅପରାଧୀ-। ମୋ ପୁଅ ଜେଲ୍‌ରେ, ବୋହୂ ଜେଲରେ, ନାତିବି ଜେଲରେ । ମୋପାଇଁ ଏବେ ଜେଲ୍‌ ଛଡ଼ା ଆଉ ଜାଗା କାହିଁ ? ମୁଁ ତ ଯାଉଛି । (ପୋଲିସ୍ ପ୍ରତି) ‘ସେଇଠି ରହନ୍ତୁ ସାହେବ ! ମୁଁ ନିଜେ ଯାଉଛି, ମୁଁ ତ ଯାଉଛି, ହେଲେ ଏତିକି କହିଯାଉଛି ଯେ ମୁଁ ଫେରି ଆସିଲାବେଳକୁ ଏଠି ମୋ ଗରିବ ଭାଇମାନଙ୍କର ଧାଡ଼ି ଧାଡ଼ି ଘର ଫୁଲ ଫୁଟିଲା ପରି ଶୋଭା ପାଉ ନଥିବାର ଦେଖେଁ ତ ଏଇଠି ମୋର ଚିତା ଜଳିବ ।

 

ଲାଲା ସମରକାନ୍ତ କୁଦିପଡ଼ି ଇଟାଗଦାରୁ ତଳକୁ ଆସିଲେ ଓ ଭିଡ଼ ଚିରି ଚିରି ପୋଲିସ୍–କ୍ୟାପ୍‌ଟେନ୍‌ଙ୍କ ପାଖରେ ଯାଇ ଛିଡ଼ା ହୋଇଗଲେ । ଲରି ପ୍ରସ୍ତୁତ ଥିଲା । କ୍ୟାପ୍‌ଟେନ‌୍‌ ତାଙ୍କୁ ଲରିରେ ବସାଇଲେ, ଲରି ଚାଲିଲା ।

 

“ଲାଲା ସମରକାନ୍ତଙ୍କର ଜୟ !” ଏହି ଗମ୍ଭୀର, ହାର୍ଦ୍ଦିକ ବେଦନାମୟ ଧ୍ଵନି ବନ୍ଧାପଶୁ ପରି ରଡ଼ି କରି ଛାଟିପିଟି ହୋଇ ଉପରକୁ ଉଠିଲା; ସତେ ବା ପରାଧୀନତାର ବନ୍ଧନ କାଟି ପଳାଇଯିବାକୁ ଚାହୁଁଛି ।

 

ଜନତା ଲରି ପଛେ ପଛେ ଧାଇଁଲା–ନିଜର ନେତାକୁ ମୁକ୍ତ କରିବାକୁ ନୁହେଁ, ଶ୍ରଦ୍ଧାର ଆବେଶରେ, ଅବା କେଉଁ ଆଶୀର୍ବାଦ ଲାଭର ସରଳ ଉଲ୍ଲାସରେ । ଲରିଟି ଧୂଳିରେ ଅଦୃଶ୍ୟ ହୋଇଯିବାରୁ ଲୋକେ ଫେରି ଆସିଲେ ।

 

“ଏ କିଏ ଠିଆ ହୋଇ କହୁଛି ?”

 

“କେହି ସ୍ତ୍ରୀଲୋକ ବୋଧହୁଏ !”

 

“କେଉଁ ଭଲ ଘରର ସ୍ତ୍ରୀଲୋକ !”

 

“ଆରେ ଏ ତ ସେହି ! ଲାଲାଜୀଙ୍କ ସମୁଦୁଣୀ ମ, ରେଣୁକା ଦେବୀ ।”

 

“ଆଚ୍ଛା ! ଯେ ପାଠଶାଳା ନାମରେ ତାଙ୍କର ସାରା ସର୍ବସ୍ଵ ଲେଖିଦେଇଛନ୍ତି, ନା ?”

 

“ଶୁଣ, ଶୁଣ !”

 

“ପ୍ରିୟ ଭାଇମାନେ, ଲାଲା ସମରକାନ୍ତଙ୍କ ପରି ଯୋଗୀ ଯେଉଁ ସୁଖ ଲାଳସାରେ ଚହଲି ଉଠିଲେ, ତାହା କିଛି ଭାରି ବଡ଼ ସୁଖ ହୋଇଥିବ । ତା’ପରେ ମୁଁ ତ ସ୍ତ୍ରୀଲୋକ, ଆଉ ସହଜେ ସ୍ତ୍ରୀଲୋକମାନେ ଲୋଭୀ ହୋଇଥାନ୍ତି । ଏ କଥା ଆମ ଶାସ୍ତ୍ର–ପୁରାଣ ସବୁ କହନ୍ତି । ତେଣୁ ମୁଁ ସେ ଲୋଭ ସମ୍ଭାଳନ୍ତି କିପରି ? ମୁଁ ଧନବାନ୍‌ଙ୍କ ବୋହୂ,, ଧନବାନ‌୍‌ଙ୍କ ସ୍ତ୍ରୀ, ଭୋଗ ବିଳାସରେ ଲିପ୍ତ ଥାଏଁ; ଭଜନ–ଭାବରେ ମଗ୍ନ ଥାଏଁ; ମୁଁ କି ଜାଣେ ଗରିବମାନଙ୍କର କଷ୍ଟ କ’ଣ, ସେମାନେ କିପରି ଦୀନ ନିଅନ୍ତି । କିନ୍ତୁ ଏହି ନଗର ମୋ ଝିଅକୁ ଛଡ଼ାଇ ନେଲା । ଏବେ ମୁଁ ବି ତୁମରି ପରି ଗରିବ । ବର୍ତ୍ତମାନ ଏହି ବିଶ୍ୱନାଥପୁରୀରେ ଖଣ୍ଡି‌ଏ କୁଡ଼ିଆ କରିବାକୁ ମୋର ଇଚ୍ଛା । ଆପଣମାନଙ୍କୁ ଛାଡ଼ି ମୁଁ ବା କାହା ପାଖକୁ ମାଗିବାକୁ ଯିବି ? ଏ ନଗର ତୁମରି, ଏହାର ପ୍ରତ୍ୟେକ ଅଙ୍ଗୁଳି ଜମି ତୁମରି । ତୁମେ ଏହାର ରାଜା; କିନ୍ତୁ ତୁମେ ପ୍ରକୃତ ରାଜା ପରି ତ୍ୟାଗୀ । ରାଜା ହରିଶ୍ଚନ୍ଦ୍ରଙ୍କ ପରି ନିଜର ସର୍ବସ୍ଵ ଅନ୍ୟମାନଙ୍କ ହାତରେ ଟେକିଦେଇ, ଭିକାରିମାନଙ୍କୁ ଅମିର କରି ତୁମେ ନିଜେ ସାଜିଛ ଭିକାରି । ଜାଣିଛ, ଛଳ ବଳରେ ହରାଇଥିବା ସେହି ରାଜ୍ୟ କିପରି ଫେରି ପାଇବ ? ତୁମେ ଚଣ୍ଡାଳ ପାଖରେ ବିକ୍ରି ହୋଇଛ । ଏବେ ତୁମକୁ ରୋହିତାଶ୍ଵ ଓ ଶୈବ୍ୟାଙ୍କୁ ତ୍ୟାଗ କରିବାକୁ ପଡ଼ିବ । ତେବେ ଯାଇ ଦେବତା ତୁମ ଉପରେ ପ୍ରସନ୍ନ ହେବେ । ମୋ ମୋ ମନ କହିଉଠୁଛି, ତୁମକୁ ରାଜ୍ୟ ଫେରାଇ ଦେବାପାଇଁ ଦେବତାମାନେ ବିଚାର–ସାର କରୁଛନ୍ତି । ଆଜି ନୁହେଁ ତ କାଲି ତୁମ ରାଜ୍ୟ ତୁମ ଅଧିକାରକୁ ଆସିବ । ସେତେବେଳେ ମୋତେ ଭୁଲିଯିବ ନାହିଁ । ମୁଁ ତୁମ ଦରବାରରେ ମୋ ଦରଖାସ୍ତ ପେଶ୍ କରି ଯାଉଛି ।”

 

ସହସା ପଛରୁ ସ୍ଵର ଉଠିଲା–ଫେର୍ ପୋଲିସ୍ ଆସିଗଲା !

 

“ଆସୁ, ସେମାନଙ୍କ କାମ ହେଉଛି ଅପରାଧୀକୁ ଧରିବା । ଆମେ ତ ଅପରାଧୀ । ଗିରଫ୍ କରି ନ ନେଲେ ଆଜି ଆଜି ନଗରରେ ଡକାୟତି କରିବା, ଚୋରି କରିବା କି କିଛି ଷଡ଼ଯନ୍ତ୍ର କରିବା ! ମୁଁ କହେ, ଯେଉଁ ସଂସ୍ଥା ନ୍ୟାୟ ବଳ ଛାଡ଼ି ପଶୁବଳରେ ଜନତା ଉପରେ ଶାସନ ଚଳାଏ, ତାହା ଗୋଟିଏ ଡକାୟତି–ସଂସ୍ଥା । ଯେଉଁମାନେ ଗରିବଙ୍କ ଗଳା କାଟି ନିଜର ଐଶ୍ୱର୍ଯ୍ୟ ବଢ଼ାଉଛନ୍ତି, ଅନ୍ୟର ଅଧିକାର ଛିନ୍ନ କରି ନିଜେ ଅଧିକାରୀ ସାଜିଛନ୍ତି, ବାସ୍ତବରେ ସେହିମାନେ ଡକାୟତ । ଭାଇମାନେ ! ମୁଁ ତ ଯାଉଛି; କିନ୍ତୁ ମୋ ଦରଖାସ୍ତ ଆପଣମାନଙ୍କ ସାମନାରେ । ଏହି ଲୁଣ୍ଠନକାରୀ ମ୍ୟୁନିସିପାଲଟିକୁ ଏପରି ଶିକ୍ଷା ଦେବ, ଯେପରି କି ଆଉ କେବେ ଗରିବଙ୍କୁ ପାଦରେ ଦଳିଦେବାକୁ ସେ ସାହସ ନ କରେ । ଯେ ତୁମକୁ ଦଳି ମଳି ଦେବାକୁ ଆସୁଛି, ତା’ ପାଦକୁ ତୁମେ କଣ୍ଟା ହୋଇ ଫୁଟାଇଦିଅ କାଲିଠାରୁ ଏପରି ହରତାଳ ଆରମ୍ଭ କରିଦିଅ, ଯେପରି କି ଧନପତି ଓ ଅଫିସରମାନେ ତୁମ ଶକ୍ତି ବୁଝିପାରିବେ । ସେମାନେ ବୁଝନ୍ତୁ ଯେ ତୁମମାନଙ୍କ ସହଯୋଗ ବିନା ସେମାନେ ଧନଭୋଗ କରିପାରିବେ ନାହିଁ କି ଅଧିକାର ଉପଯୋଗ କରିପାରିବେ ନାହିଁ । ସେମାନଙ୍କୁ ଦେଖାଇ ଦିଅ ଯେ ତୁମେ ସେମାନଙ୍କର ହାତ, ତୁମେ ସେମାନଙ୍କର ପାଦ, ତୁମ ବିନା ସେମାନେ ଅଚଳ, ପଙ୍ଗୁ ।”

 

ସେ ଇଟାଗଦାରୁ ତଳକୁ ଓହ୍ଲାଇ ପୋଲିସ୍ କର୍ମଚାରୀଙ୍କ ଆଡ଼କୁ ଚାଲିଲେ । ସେତେବେଳେ ହୃଦୟରୁ ଉଛୁଳି ଉଠି ଆଖିରେ ଅଟକି ଯାଇଥିବା ଲୁହ ପରି ସମୁଦାୟ ଜନତା ତାଙ୍କରି ଆଡ଼କୁ ଚାହିଁ ରହିଲା । ବାହାରକୁ ଆସି ମର୍ଯ୍ୟାଦା ଲଙ୍ଘନ କରିବ କିପରି ? ବୀରମାନଙ୍କର ଅଶ୍ରୁ ବାହାରକୁ ବହିଆସି ଶୁଖେ ନାହିଁ, ବୃକ୍ଷର ରସ ପରି ଭିତରେ ରହି ବୃକ୍ଷକୁ ପଲ୍ଲବିତ ଓ ପୁଷ୍ପିତ କରେ । ଏଡ଼େ ବଡ଼ ଜନସମୂହର ଗୋଟିଏ କଣ୍ଠରୁବି ଜୟଘୋଷ ବାହାରିଲା ନାହିଁ । କ୍ରିୟାଶକ୍ତି ଅନ୍ତର୍ମୁଖୀ ହୋଇଯାଇଛି; କିନ୍ତୁ ରେଣୁକା ଦେବୀ ଯେତେବେଳେ ଲରିରେ ବସିଗଲେ ଓ ଲରି ଚାଲିଲା, ସେତେବେଳେ ଶ୍ରଦ୍ଧାର ଲହରୀ ମର୍ଯ୍ୟାଦା ଭଙ୍ଗ କରି ଏକ ସଂକୀର୍ଣ୍ଣ, ଗଭୀର, ବେଗବତୀ ଧାରାରେ ଛୁଟି ଚାଲିଲା ।

 

ଜଣେ ବୁଢ଼ା ତିଆରି କରି କହିଲା–ଜୟ–ଜୟ ବହୁତ କରି ସାରିଲଣି । ଏବେ ଘରକୁ ଯାଇ ଖାଇବାପାଇଁ ଯୋଗାଡ଼ କରି ରଖ, କାଲିଠୁ ଲମ୍ବା ହରତାଳ ଚାଲିବ ।

 

ଆଉ ଜଣେ ତାକୁ ସମର୍ଥନ କଲା–ଆଉ କ’ଣ ? ଏଠି ଗଳାଫାଡ଼ି ରଡ଼ି କରୁଥିବେ, ସକାଳ ହେଲାକ୍ଷଣି ସେ ଯାହାର କାମକୁ ଚାଲିଯିବେ, ଏ କଥା ପଟିବ ନାହିଁ, ବାବା ।

 

“ଆଚ୍ଛା, ଏ କିଏ ଠିଆ ହେଲା ?”

 

“ବାଃ, ଏତିକିବି ଠଉରାଇ ପାରୁନାହିଁ ? ଡାକ୍ତର ସାହେବ ପରା ! ’’

 

“ଡାକ୍ତର ସାହେବବି ପହଞ୍ଚିଗଲେଣି । ତେବେ ତ ଜିତାପଟ !”

 

“କେଡ଼େ କେଡ଼େ ସଭ୍ୟ–ଶିକ୍ଷିତ ଲୋକ ଆମ ପକ୍ଷରେ ଲଢ଼ୁଛନ୍ତି । କହିଲ ଦେଖି, ଏମାନଙ୍କୁ କି ଲାଭଟା ମିଳିବ ଯେ ସୁଖ–ଶାନ୍ତି ପଛକୁ ପକାଇ ନିଜର ସମତୁଲ ଲୋକଙ୍କ ବିପକ୍ଷ ହୋଇ ଜୀବନ ମୁରୁଛି ଲାଗିପଡ଼ିଛନ୍ତି !”

 

“ଆମ ଉପରେ ଆଲ୍ଲାଙ୍କର ରହମ୍ ଅଛି, ଭାଇ ! ଗତଥର ସେ ପ୍ଲେଗ୍ ଲାଗିଥିଲା, ଏଇ ଡାକ୍ତର ସାହେବ ଆମ ଗରିବମାନଙ୍କର ଏମିତି ସେବା କରିଛନ୍ତି କି ବାଃ–ବାଃ ! ନିଜର ଭାଇ–ବନ୍ଧୁ ଯାହାଙ୍କ ପାଖ ମାଡ଼ୁ ନଥିଲେ, ବେଧଡ଼କ ତାଙ୍କ ପାଖକୁ ଯାଉଥାନ୍ତି ଆଉ ଔଷଧ–ପତ୍ର, ଟଙ୍କା–ପଇସା, ସବୁପ୍ରକାର ବନ୍ଦୋବସ୍ତ କରି ଦେଉଥାନ୍ତି ! ଆମର ହାଫିଜ୍‍ବାବୁ ତ କହୁଥାନ୍ତି କି ଏ ଆଦ୍‌ମୀ ନୁହଁନ୍ତି–ଆଲ୍ଲାଙ୍କ ଫରିସ୍ତା ।”

 

“ଶୁଣ, ଶୁଣ, ବକ୍–ବକ୍ କରିବାକୁ ତ ସାରା ରାତି ପଡ଼ିଛି ।’’

 

‘‘ଭାଇମାନେ ! ଗତବାର ଯେତେବେଳେ ଆପଣମାନେ ହରତାଳ କରିଥିଲେ, ତା’ର ଫଳ କ’ଣ ହେଲା ? ପୁଣି ଯଦି ସେହିପରି ହୁଏ, ସେଥିରେ ଆପଣମାନଙ୍କର କ୍ଷତି । ଆମରି ଭିତରୁ କେତେକ ଚୁପ୍ ରହିଯିବେ, ଅନ୍ୟମାନେ ମତଭେଦ ଯୋଗୁଁ ଆପଣା ଆପଣା ଭିତରେ କଳି କରିବେ, ଅସଲ ଉଦ୍ଦେଶ୍ୟ କାହାରି ମନେ ନଥିବ । ମୁଖିଆମାନେ ଚାଲିଯିବା ପରେ ପରେ ଲୋକେ ପୁରୁଣା ଅଦଉତି ଖୋଳ–ତାଡ଼ କରିବେ, ପୋତା ମୁର୍ଦ୍ଦାରକୁ ଖୋଳିବାରେ ଲାଗିବେ; କୌଣସି ସଂଗଠନ ରହିବ ନାହିଁ କି ଦାୟିତ୍ୱ କେହି ବୁଝିବେ ନାହିଁ । ସମସ୍ତଙ୍କୁ ବିପଦ–ଭୟ ମାଡ଼ିବସିବ । ସୁତରାଂ ନିଜ ହୃଦୟକୁ ଦରାଣ୍ଡି ଦେଖିନିଅନ୍ତୁ । ଯଦି ସେଥିରେ କିଛି ଦୁର୍ବଳତା ପାଉଛନ୍ତି, ତେବେ ହରତାଳ କଥା ମନରୁ ପାଶୋରି ପକାନ୍ତୁ । ଏପରି ହରତାଳ ନ କରି ବରଂ ଦୁର୍ଗନ୍ଧ ମଇଳା ଭିତରେ ପଡ଼ି ଶଢ଼ି ମରିବା ଭଲ । ଯଦି ତୁମର ବିଶ୍ଵାସ ଅଛି ଯେ ତୁମର ହୃଦୟ ଟାଣ ଅଛି, ଖେଳାଳିର କ୍ଷତି ସହିବାକୁ, ଦୁଃଖ–କଷ୍ଟ ସହିବାକୁ, ଭୋକରେ ମରିବାକୁ ସେଥିରେ ବଳ ଅଛି, କ୍ଷମତା ଅଛି, ତେବେ ହରତାଳ କର । ପ୍ରତିଜ୍ଞା କର ଯେ ହରତାଳ ଚାଲିଥିବା ପର୍ଯ୍ୟନ୍ତ ତୁମେ ନିଜ ଭିତରର ମାନ–ମନାନ୍ତର ଭୁଲିଯିବ, ଲାଭ କ୍ଷତିକୁ ପରବାୟ କରିବ ନାହିଁ । ତୁମେ ତ ଅବଶ୍ୟ କବାଡ଼ି ଖେଳ ଜାଣିଥିବ । ସେଥିରେ କ’ଣ ହୁଏ ? ଗୋଟିଏ ପକ୍ଷରୁ ସବୁ ଖେଳାଳି ମରିଯାନ୍ତି, କେବଳ ଜଣେ ଥାଏ ଯେତେବେଳେ, ସେହି ଜଣକ ତା’ର ମଲା ଖେଳାଳିଙ୍କୁ ବଞ୍ଚାଇବା ଆଶା ନେଇ ନିୟମାନୁସାରେ ଖେଳି ଚାଲେ । ସେମାନେ ବଞ୍ଚିଲେ ସମସ୍ତେ ମିଳି ପୂରାଦମ୍‌ରେ ବାଜି ଜିତିବାକୁ ଚେଷ୍ଟା କରନ୍ତି । ପ୍ରତ୍ୟେକ ଖେଳାଳିର ସେହି ଏକ ଉଦ୍ଦେଶ୍ୟ–ନିଜ ପକ୍ଷକୁ ଜିତାଇବା । ଏହାଛଡ଼ା ସେତେବେଳେ ଅନ୍ୟ ଭାବନା ତା’ ମନରେ ନଥାଏ । କେଉଁ ଖେଳାଳି ତାକୁ କେବେ ଗାଳି ଦେଇଥିଲା କି ତା’ ଗୁଡ଼ିଟି ଚିରି ପକାଇଥିଲା କି କେବେ ତାକୁ ବିଧାଏ ମାରି ପଳାଇ ଯାଇଥିଲା; ସେ କଥାସବୁ ଟିକିଏ ହେଲେ ମନେ ପକାଏ ନାହିଁ । ଠିକ୍ ସେହିପରି ବର୍ତ୍ତମାନ ନିଜର ମନକୁ ବାଗେଇ ନେବାକୁ ପଡ଼ିବ । ଆମେ ନିଶ୍ଚୟ ଜିତିବା ବୋଲି ମୁଁ ଦମ୍ଭକରି କହୁ ନାହିଁ । ଜିତିପାରୁ ହାରିବି ପାରୁ । ଜୟ–ପରାଜୟରେ ଆମର ପ୍ରୟୋଜନ ନାହିଁ । ଭୋକରେ ବିକଳ ହୋଇ ପିଲା କାନ୍ଦେ । ସେ ଭାବେ ନାହିଁ ଯେ କାନ୍ଦିଲେ ତାକୁ ଖାଇବାକୁ ନିଶ୍ଚୟ ମିଳିବ । ମା’ ପାଖରେ ପଇସା ନଥାଇପାରେ; କିନ୍ତୁ ପିଲାର ସ୍ଵଭାବ, ଭୋକ ଲାଗିଲେ ସେ କାନ୍ଦିବ । ଆମେ ସେହିପରି କାନ୍ଦୁଛେ । ଆମେ କାନ୍ଦୁ କାନ୍ଦୁ ଥକିପଡ଼ି ଶୋଇଯିବା କି ମା’ ବାତ୍ସଲ୍ୟବଶତଃ ଆମକୁ ଖାଇବାକୁ ଦେବ ! କାହାରି ସଙ୍ଗେ ଆମର ଶତ୍ରୁତା ନାହିଁ । ଆମେ ତ ସମାଜର ସେବକ, ଆମେ ଶତ୍ରୁତା କରି ଜାଣିବୁ କୁଆଡ଼ୁ…

 

ଏଣେ ପୋଲିସ୍ କ୍ୟାପ୍‌ଟେନ୍ ଥାନା–ବାବୁଙ୍କୁ ଆକଟ କରୁଛନ୍ତି–ଶୀଘ୍ର ଲରି ମଗାଅ । ତୁମେ ପରା କହୁଥିଲ ଆଉ କେହି ନାହାନ୍ତି ! ଏ ପୁଣି କେଉଁଠୁଁ ବାହାରିଲା ?

 

ଥାନା–ବାବୁ ମୁହଁ ଭାରି କରି କହିଲେ–ଏ ଡାକ୍ତର ସାହେବ ତ ଆଜି ପ୍ରଥମ ଥରପାଇଁ ଆସିଛନ୍ତି । ୟାଙ୍କ କଥା ତ ଆମେ କଳ୍ପନାବି କରି ନଥିଲୁ । କହିବେ ଯଦି ଆରେଷ୍ଟ୍ କରି ଘୋଡ଼ାଗାଡ଼ିରେ ନେଇଯିବି ।

 

“ଘୋଡ଼ାଗାଡ଼ିରେ ! ଏ ଲୋକଗୁଡ଼ାକ ଗାଡ଼ିକୁ ଘେରିଯିବେ । ଆମକୁ ଫାୟାର୍ କରିବାକୁ ପଡ଼ିବ । ଜଲଦି ଦଉଡ଼, ଗୋଟାଏ ଟାକ୍‍ସି ଡାକି ଆଣିବ ।

 

ଡକ୍ଟର ଶାନ୍ତିକୁମାର କହୁଥାନ୍ତି–କାହାରି ସଙ୍ଗେ ଆମର ଶତ୍ରୁତା ନାହିଁ । ଯେଉଁ ସମାଜରେ ଗରିବଙ୍କ ପାଇଁ ସ୍ଥାନ ନାହିଁ, ତାହା ମୂଳଦୁଆ ନଥିବା ଘର ପରି । ସାମାନ୍ୟ ଆଘାତରେବି ତାହା ଗଡ଼ିପଡ଼ିବ । ମୁଁ ଆମର ଧନ‌ବାନ୍, ବିଦ୍ଵାନ, ସାମର୍ଥ୍ୟବାନ ଭାଇମାନଙ୍କୁ ପଚାରୁଛି–ଗୋଟିଏ ଭାଇ ବଙ୍ଗଳାରେ ରହିବ, ଅନ୍ୟ ଭାଇକୁ କୁଡ଼ିଆ ଖଣ୍ଡେବି ମିଳିବ ନାହିଁ; ଏଇଟା କ’ଣ ନ୍ୟାୟ ? ତୁମରି ପରି ମନୁଷ୍ୟମାନଙ୍କୁ ଏପରି ଦୁର୍ଦ୍ଦଶାରେ ଦେଖି ତୁମକୁ ଲଜ୍ଜା ବୋଧହୁଏ ନା-? ତୁମେ କହିପାର ଯେ ଆମେ ବୁଦ୍ଧିବଳରେ ଧନ କମେଇଛୁ, ଭୋଗ ନ କରିବୁ କାହିଁକି-। ଏହି ବୁଦ୍ଧିର ନାମ ତ ସ୍ଵାର୍ଥ । ଆଉ ଯେତେବେଳେ ଏହି ସ୍ଵାର୍ଥବୁଦ୍ଧି ହାତରେ ସମାଜ ସଂଚାଳନ ପଡ଼େ, ସେତେବେଳେ ନ୍ୟାୟ–ବୁଦ୍ଧି ଗାଦିରୁ ତଡ଼ା ଖାଏ । ଆଉ ଜାଣିରଖ ସେତିକିବେଳେ ସମାଜରେ ଗୋଟାଏ ବିପ୍ଳବ ସୃଷ୍ଟି ହୁଏ । ଗ୍ରୀଷ୍ମ ଅତ୍ୟଧିକ ହେଲେ ଅବିଳମ୍ବେ ଝଡ଼ ଆସେ । ମାନବତା ଚିରକାଳ ପଦ–ଦଳିତ ହୋଇ ନପାରେ । ସମତାହିଁ ଜୀବନର ତତ୍ତ୍ଵ । କେବଳ ଏହି ଦଶାରେହିଁ ସମାଜ ସ୍ଥିର ରହିପାରେ । ମୁଷ୍ଟିମେୟ ଧନିକଙ୍କର କଦାପି ଅଧିକାର ନାହିଁ ଯେ ସେମାନେ ଜନତାର ଈଶ୍ଵର ପ୍ରଦତ୍ତ ଆଲୋକ ଓ ବାୟୁକୁ ଅପହରଣ କରିବେ । ଏହି ବିଶାଳ ଜନସମୂହ ସେହି ଅନଧିକାର ଓ ଅନ୍ୟାୟଜନିତ ରୋଷମୟ ରୋଦନ ସଦୃଶ । ଯଦି ଧନବାନ୍‍ମାନଙ୍କର ଆଖି ଅଦ୍ୟାବଧି ନ ଖୋଲୁଛି, ତେବେ ସେମାନଙ୍କୁ ଅନୁତାପ କରିବାକୁ ପଡ଼ିବ । ଏହା ଜାଗରଣର ଯୁଗ, ଜାଗରଣ ଅନ୍ୟାୟକୁ ସହି ନ ପାରେ । ଜାଗ୍ରତ ଲୋକର ଘରେ ଚୋର–ତସ୍କର ପଶି……

 

"ଡକ୍ଟର ସାହେବ !”

 

ଇତିମଧ୍ୟରେ ଟାକ୍‍ସି ପହଞ୍ଚିଯାଇଛି । ପୋଲିସ୍–କ୍ୟାପ୍‌ଟେନ୍‌ କେତେଜଣ କନେଷ୍ଟବ‌ଳ ଓ ଥାନା–ଅଫିସରଙ୍କ ସହିତ ଜନସମୂହ ଆଡ଼କୁ ଚାଲିଛନ୍ତି । ଥାନା–ଅଫିସର ପାଟିକରି କହିଲେ–ଡକ୍ଟର ସାହେବ ! ଆପଣଙ୍କ ଭାଷଣ ତ ଶେଷ ହୋଇଯିବଣି । ଏବେ ଚାଲିଆସନ୍ତୁ । ଆମେ ଆଉ ସେଠିକି ଯିବୁ କାହିଁକି ?

 

ଶାନ୍ତିକୁମାର ଇଟାଗଦାର ମଞ୍ଚ ଉପରେ ଠିଆ ହୋଇ କହିଲେ–ମୁଁ ତ ଆଉ ଖୁସିରେ ଗିରଫ୍ ହେବାକୁ ଯିବି ନାହିଁ, ଆପଣ ବଳପ୍ରୟୋଗ କରିପାରନ୍ତି । ପରେ ପରେ ସେ ପୁଣି ଭାଷଣ ଚଳାଇଲେ–

 

“ଧନିକମାନଙ୍କର ବଳ କିଏ ? ପୋଲିସ୍ । ଆମେ ପୋଲିସ୍‍କୁବି ପଚାରୁଛୁ ଆମ କନେଷ୍ଟବଳ ଭାଇମାନଙ୍କୁ ଆମର ପ୍ରଶ୍ନ–ତୁମେ କ’ଣ ଗରିବ ନୁହ ? ତୁମେ ଓ ତୁମର ପିଲାଛୁଆମାନେ କ’ଣ ଅନ୍ଧାରୁଆ, ପଚା, ଦୁର୍ଗନ୍ଧ, ରୋଗପୂର୍ଣ୍ଣ ଗୁମ୍ଫାରେ ରହୁ ନାହିଁ ? କିନ୍ତୁ ଏଇଟା ଏ ଯୁଗର ବିଶେଷତ୍ଵ ଯେ ତୁମେ ଅନ୍ୟାୟକୁ ରକ୍ଷା କରିବାପାଇଁ, ତୁମରି ପିଲାଛୁଆଙ୍କ ତଣ୍ଟିଚିପିବା ପାଇଁ କମର କଷି ଠିଆ ହୋଇଛ……"

 

କ୍ୟାପ୍‌ଟେନ୍‌ ଭିଡ଼ ଭିତରକୁ ପଶିଯାଇ ଶାନ୍ତିକୁମାରଙ୍କ ହାତକୁ ଧରି–ପକାଇଲେ ଓ ତାଙ୍କୁ ସଙ୍ଗରେ ଘେନି ଫେରିଲେ । ସହସା ନୟନା ଆଗ ପାଖରୁ ଆସି ଠିଆ ହୋଇଗଲା ।

 

ଶାନ୍ତିକୁମାର ଆଚମ୍ବିତ ହୋଇ ପଚାରିଲେ–ତୁମେ କେଉଁଠୁଁ ଆସିଲ ନୟନା ? ସେଠ୍‌ଜୀ ରେଣୁକା ଦେବୀ ତ ଚାଲିଗଲେଣି । ଏବେ ମୋ ପଳି ।

 

ନୟନା କୌଣସି ଉତ୍ତର ଦେଲା ନାହିଁ । କ୍ୟାପ୍‌ଟେନ୍‌ ଡକ୍ଟର ସାହେବଙ୍କୁ ନେଇ ଆଗେଇ ଗଲେ । ତେଣେ ସଭାରେ କୋଳାହଳ ଉଠୁଛି । ସେମାନେ ନିଜର କର୍ତ୍ତବ୍ୟ କ’ଣ ସ୍ଥିର କରିପାରୁ ନାହାନ୍ତି । ସେମାନଙ୍କର ଦଶା ବର୍ତ୍ତମାନ ତରଳ ଧାତୁ ପରି । ତାକୁ ଯେତିକି ଇଚ୍ଛା ମୋଡ଼ାଯାଇପାରେ । କେହି ବାଟଚଲା ଲୋକବି ସେମାନଙ୍କ ଇଚ୍ଛାନୁସାରେ କୌଣସି ଦିଗକୁ ନେଇଯାଇପାରେ–ସବୁଠୁ ସହଜରେ ଶାନ୍ତିଭଙ୍ଗ ଦିଗକୁ । ଘନଘନ ଗିରଫ୍‍ତାରୀ ଫଳରେ ଶାନ୍ତିପଥ–ବିମୁଖ ସେହି ମନୋଦଶାରେ, ଖୁବ୍‌ ସମ୍ଭବ, ଲୋକେ ପୋଲିସ୍ ଉପରକୁ ଟେକା ପଥର ଫିଙ୍ଗିଥାନ୍ତେ ଅଥବା ବଜାର ଲୁଟ କରିବାକୁ ଉଦ୍ୟତ ହୋଇଥାନ୍ତେ ସେତିକିବେଳେ ନୟନା ଆସି ସେମାନଙ୍କ ସମ୍ମୁଖରେ ଉପସ୍ଥିତ ହୋଇଗଲା । ସେ ନିଜର ଗାଡ଼ିରେ ବସି ବୁଲି ବାହାରିଥିଲା । ବାଟରେ ଶୁଣିଲା–ଲାଲା ସମରକାନ୍ତ ଓ ରେଣୁକା ଦେବୀଙ୍କୁ ପୋଲିସ୍ ଧରି ନେଇଛି । ସେ ତୁରନ୍ତ କୋଚ୍‌ମାନକୁ ଆଦେଶ ଦେଲା ଏହି ପଡ଼ିଆ ଆଡ଼କୁ ଗାଡ଼ି ଚଳାଇବାକୁ ଏବଂ ଦଉଡ଼ି ଦଉଡ଼ି ଆସିଲା । ଅଦ୍ୟାବଧି ସେ ସ୍ଵାମୀ ଓ ଶ୍ୱଶୁରଙ୍କ ମର୍ଯ୍ୟାଦା ରକ୍ଷାକରି ଆସିଛି । କେବେ ଏପରି କୌଣସି କାର୍ଯ୍ୟ କରିବାକୁ ଚାହିଁ ନାହିଁ, ଯାହା ଶ୍ୱଶୁରଘରର ମନରେ ଦୁଃଖ ଦେବ ବା ସେମାନଙ୍କ ଅସନ୍ତୋଷର କାରଣ ହେବ । କିନ୍ତୁ ଏ ଖବର ପାଇ ସେ ସଂଯତ ରହିପାରିଲା ନାହିଁ । ଧନୀରାମ କ୍ରୋଧରେ ହତଜ୍ଞାନ ହୋଇଯିବେ, ଲାଲା ଧନୀରାମ ଛାତି ବାଡ଼େଇ ହେବେ, ସେଥିପାଇଁ ତା’ର ଦୁଃଖ ନାହିଁ । କେହି ତାକୁ ବାଧା ଦେଲେ ସେ ପ୍ରାୟ ଆତ୍ମହତ୍ୟା କରି ପକାଇବ । ସେ ସ୍ଵଭାବତଃ ଲଜ୍ଜାଶୀଳା । ଘର କୋଣରେ ବସି ଭୋକ ଉପବାସରେ ମରିବାକୁ ପଡ଼ିଲେ ସୁଦ୍ଧା ବାହାରକୁ ଯାଇ କାହାରିକୁ କିଛି ପଚାରି ବୁଝିବା ତା’ ପକ୍ଷରେ ଅସାଧ୍ୟ ଥିଲା । ନିତି ସଭା ହୁଏ; କିନ୍ତୁ କେବେ କିଛି ଭାଷଣ ଦେବାକୁ ସେ ସାହସ କରେନା । ତା’ର ଯେ ବିଚାର–ଶକ୍ତିର ଅଭାବ ଥିଲା ବା ତାହା ବ୍ୟକ୍ତ କରିବାକୁ ଭାଷାର ଅଭାବ ଥିଲା, ତା’ ନୁହେଁ । କେବଳ ଲୋକମାନଙ୍କ ଆଗରେ ଠିଆ ହେବାକୁ ସେ ସଂକୋଚ ବୋଧ କରୁଥିଲା । ଅଥବା ଏହିପରି କୁହାଯାଇପାରେ ଯେ ଅନ୍ତରର ଆହ୍ଵାନ କେବେ ଏପରି ପ୍ରବଳ ହୋଇ ନଥିଲା ଯେ ମୋହ ଏବଂ ଆଳସ୍ୟର ବନ୍ଧନକୁ ଛିନ୍ନ କରି ଦେଇଥାନ୍ତା । କେତେକ ଏପରି ଜନ୍ତୁ ଥାନ୍ତି, ଯେଉଁମାନଙ୍କର ଗୋଟାଏ ବିଶିଷ୍ଟ ଢଙ୍ଗ ଥାଏ । ଆପଣ ତାଙ୍କୁ ମାରିପକାଇଲେବି ଆଗକୁ ପାଦ ବଢ଼ାଇବେ ନାହିଁ, କିନ୍ତୁ ମାର୍ମିକ ସ୍ଥାନଟିରେ ଅଙ୍ଗୁଳି ବାଜିଯାଏ ତ ସେମାନଙ୍କ ମଧ୍ୟରେ ଏକ ନବୀନ ଉତ୍ସାହ, ନବୀନ ଜୀବନ ଝଲକିଉଠେ । ଲାଲା ସମରକାନ୍ତଙ୍କ ଆରେଷ୍ଟ୍ ନୟନା ହୃଦୟର ସେହି ମର୍ମସ୍ଥଳକୁ ସ୍ପର୍ଶ କରିଗଲା । ସେ ଜୀବନରେ ପ୍ରଥମବାର ପାଇଁ ଜନତା ସମ୍ମୁଖରେ ଛିଡ଼ା ହୋଇଛି–ନିଃଶଙ୍କ, ନିଶ୍ଚଳ, ନବୀନ ପ୍ରତିଭାଯୁକ୍ତ, ନୂତନ ପ୍ରାଞ୍ଜଳତାରେ ଆଭାସିତ । ପୂର୍ଣ୍ଣିମାର ରଜତ–ରଶ୍ମିରେ ଇଷ୍ଟକସ୍ତୂପ ଉପରୁ କୋମଳ କିନ୍ତୁ ଗମ୍ଭୀର କଣ୍ଠରେ ସେ ଯେତେବେଳେ ଜନତାକୁ ସମ୍ବୋଧନ କଲା, ସେତେବେଳେ ନିଖିଳ ପ୍ରକୃତି ସତେ ବା ନିସ୍ତବ୍ଧ ହୋଇଗଲା !

 

“ସଜ୍ଜନ–ସମାଜ ! ମୁଁ ଲାଲା ସମରକାନ୍ତଙ୍କ ଝିଅ ଓ ଲାଲା ଧନୀରାମଙ୍କ ବୋହୂ । ମୋର ପ୍ରିୟଭାଇ ଜେଲରେ, ସ୍ନେହମୟୀ ଭାଉଜ ଜେଲରେ, ମୋର ସୁନାଫୁଲ ପରି ପୁତୁରା ଜେଲରେ । ଆଉ ଆଜି ମୋର ବାପା ମଧ୍ୟ ସେଇଠି ପହଞ୍ଚିଲେଣି ।”

 

ଜନତା ପକ୍ଷରୁ ଧ୍ଵନି ଉଠିଲା–ରେଣୁକା ଦେବୀ ମଧ୍ୟ ।

 

"ହଁ ରେଣୁକା ଦେବୀ, ମୋର ମାତୃତୁଲ୍ୟା ରେଣୁକା ଦେବୀ ମଧ୍ୟ ଗଲେ । ଝିଅର ସେହି ହେଉଛି 'ବାପଘର’, ଯେଉଁଠି ତା’ର ମା’–ବାପ, ଭାଇ–ଭାଉଜ ଥାନ୍ତି । ଆଉ ଝିଅର ବାପଘର ଯେପରି ପ୍ରିୟ, ଶାଶୁ–ଘର ସେପରି ନୁହେଁ । ସଜ୍ଜନ–ସମାଜ ! ଏହି ଜମିର କିଛି ଅଂଶ ମୋ ଶ୍ୱଶୁରେ କିଣିଛନ୍ତି । ମୋର ବିଶ୍ଵାସ, ମୁଁ ଅନୁରୋଧ କଲେ ସେ ଏଠାରେ ବଙ୍ଗଳା ତିଆରି ନ କରାଇ ଗରିବଙ୍କ ରହିବା ଘର ତୋଳାଇ ଦେବେ; କିନ୍ତୁ ଆମର ଉଦ୍ଦେଶ୍ୟ ତାହା ନୁହେଁ । ଆମେ ଲଢ଼ିବାର କାରଣ ହେଉଛି, ଯେଉଁ ନଗରର ଅଧାରୁ ବେଶି ଲୋକ ଅପରିଷ୍କାର ଅନ୍ଧାରି ବିଲରେ ପଡ଼ି ଶଢ଼ୁଛନ୍ତି, ମହଲ ଓ ବଙ୍ଗଳା ତୋଳାଇବା ପାଇଁ ଜମି ବିକିବାକୁ ସେ ନଗରର କୌଣସି ଅଧିକାର ନାହିଁ । ଆପଣମାନେ ଦେଖିଛନ୍ତି, ଏଠାରେ କେତୋଟି ସବୁଜ–ସୁନ୍ଦର ଗ୍ରାମ ଥିଲା । ମ୍ୟୁନିସିପାଲଟି ‘ନଗର–ନିର୍ମାଣ–ସଂଘ’ ଗଢ଼ିଲା । ଗ୍ରାମବାସୀ କୃଷକମାନଙ୍କ ଜମି ନାଆଁକୁ ମାତ୍ର ଦାମ୍ ଦେଇ ଛଡ଼ାଇ ନିଆଗଲା । ଆଉ ଏବେ ସେହି ଜମି ଅତିରିକ୍ତ ମୂଲ୍ୟରେ ବିକ୍ରି ହେଉଛି; କାହିଁକି ନା ଏଠାରେ ବଡ଼ବଡ଼ ଲୋକଙ୍କ ବଙ୍ଗଳା ତିଆରି ହେବ । ଆମେ ଆମ ନଗରର ବିଧାତାମାନଙ୍କୁ ପଚାରୁଛୁ, କେବଳ ଧନୀମାନଙ୍କର କ’ଣ ଜୀବନ ଥାଏ, ଗରିବମାନଙ୍କର ନଥାଏ ? ଅମିରମାନଙ୍କର ସୁସ୍ଥ–ସବଳ ରହିବା ଦରକାର, ଗରିବମାନଙ୍କର ତା' ଦରକାର ହୁଏନା ? ଏବେ ଜନତା ଆଉ ଏପରି ଭାବରେ ମରିବାକୁ ଚାହେଁନା । ଯଦି ମରିବାକୁ ହୁଏ, ତେବେ ସେହି ଅନ୍ଧାରିଆ ଗାତରେ ପଶି ମରିବା ଅପେକ୍ଷା ଏହି ଖୋଲା ପଡ଼ିଆରେ, ଖୋଲା ଆକାଶତଳେ, ଚନ୍ଦ୍ରମାର ଶୀତଳ କିରଣରେ ମରିବା ବରଂ ଭଲ । କିନ୍ତୁ ପ୍ରଥମେ ଆମେ ନଗର ବିଧାତାମାନଙ୍କୁ ଆହୁରି ଥରେ ପଚାରିନେବାକୁ ଚାହୁଁ ଏତେ ପରେ ସୁଦ୍ଧା ସେମାନେ ଆମର ନିବେଦନ ସ୍ଵୀକାର କରିବେ କି ନାହିଁ ? ଏବେ ସୁଦ୍ଧା ଏ ସିଦ୍ଧାନ୍ତକୁ ମାନିବେ କି ନା ? ଯଦି ସେମାନଙ୍କର ଦମ୍ଭ ଥାଏ ସେ ହତିଆର ବଳରେ ଗରିବମାନଙ୍କୁ ଦଳି–ପେଷି ସେମାନଙ୍କ ପାଟି ବନ୍ଦ କରି ଦେଇ ପାରିବେ, ତେବେ ଏହା ମସ୍ତ ଭୁଲ । ଗରିବ ରକ୍ତ ଯେଉଁଠି ପଡ଼େ, ସେଠି ପ୍ରତ୍ୟେକ ବିନ୍ଦୁ ସ୍ଥାନରେ ଏକ ଏକ ମନୁଷ୍ୟ ଉତ୍ପନ୍ନ ହୁଅନ୍ତି । ଯଦି ନଗର–ବିଧାତାମାନେ ବର୍ତ୍ତମାନ ଗରିବମାନଙ୍କ ଡାକ ଶୁଣନ୍ତି, ତେବେ ସେମାନେ ଅନାୟାସରେ ଯଶ ଅର୍ଜନ କରିବେ । କାରଣ ଗରିବ ଚିରକାଳ ଗରିବ ରହିବ ନାହିଁ । ପୁଣି ଗରିବ ହାତକୁ କ୍ଷମତା ଯିବାର ଯୁଗ ଆସିଗଲାଣି, ଆଉ ବିଳମ୍ବ ନାହିଁ । ବିପ୍ଳବ ରୂପୀ ଜନ୍ତୁଟିକୁ ଆଘାତ ଦେଇ ଜଗାଅ ନାହିଁ । ତାଙ୍କୁ ଯେତେ ଆଘାତ କରିବ, ସେ ସେତେ ବିରକ୍ତ ହେବ ଓ ଯେତେବେଳେ ସେ ଉଠି ହାଇ ମାରିବ, ଅଳସ ଭାଙ୍ଗି ଭୀଷଣ ଗର୍ଜନ କରିବ, ସେତେବେଳେ ତୁମକୁ ପଳାଇବାକୁ ବାଟ ମିଳିବ ନାହିଁ । ଆମେ ବୋଡ଼୍‍ର ମେମ୍ବରମାନଙ୍କୁ ଏହି ସତର୍କବାଣୀ ଶୁଣାଇଦେବାକୁ ଚାହୁଁ । ଏହାହିଁ ଅନୁକୂଳ ଅବସର । ସମସ୍ତ ଭାଇ–ମ୍ୟୁନିସିପାଲଟି–ଅଫିସ୍‌କୁ ଚାଲନ୍ତୁ । ଆଉ ଡେରି କରନ୍ତୁ ନାହିଁ । ନଚେତ୍‌ ମେମ୍ବରମାନେ ନିଜ ନିଜ ଘରକୁ ଚାଲିଯିବେ । ହରତାଳରେ ଉପଦ୍ରବର ଆଶଙ୍କା ଅଛି । ତେଣୁ ଯେତେବେଳେ ଅନ୍ୟ ଉପାୟରେ କାର୍ଯ୍ୟସିଦ୍ଧି ହୋଇ ନ ପାରେ, ସେ ପରିସ୍ଥିତିରେ ହରତାଳ କରିବାକୁ ହୁଏ ।”

 

ନୟନା ପତାକାଟିଏ ଧରି ମ୍ୟୁନିସିପାଲଟି–ଅଫିସ୍ ଆଡ଼କୁ ଚାଲିଲା । ତା’ ପଛରେ କୋଡ଼ିଏ–ତିରିଶ ହଜାର ଲୋକ ସମୁଦ୍ର ଉଛୁଳିଲା ପରି ଚାଲିଲେ । କିନ୍ତୁ ଏହି ଜନସମୁଦାୟ ମେଳାର ଜନଗହଳି ପରି ବିଶୃଙ୍ଖଳ ନ ହୋଇ ସୈନିକ–ପଂକ୍ତି ପରି ଶୃଙ୍ଖଳାବଦ୍ଧ । ଆଠ–ଆଠଜଣିଆ ଅସଂଖ୍ୟ ଧାଡ଼ି ଗମ୍ଭୀର ଭାବରେ ଏକ–ବିଚାର, ଏକ ଧାରଣା, ଏକ–ଉଦ୍ଦେଶ୍ୟର ଆନ୍ତରିକ ଶକ୍ତି ଅନୁଭବ କରି ଚାଲିଥାଏ । ସେହି ଧାଡ଼ିମାନଙ୍କର ସମାପ୍ତି ନଥାଏ, ଯେପରି ଭୂଗର୍ଭରୁ ବାହାରି ଆସୁଥାଏ । ସଡ଼କର ଦୁଇ ପାଖରେ ଥିବା ଛାତ ଓ ଚାଳମାନଙ୍କ ଉପରେ ଦର୍ଶକଙ୍କ ଭିଡ଼ ଲାଗିଥାଏ । ସମସ୍ତେ ଚକିତ ହେଉଥାନ୍ତି–ଓହୋ, କେତେ ଲୋକ ! ଏଯାଏଁ ଛୁଟିଛନ୍ତି-!

 

ତା’ପରେ ନୟନା ଏହି ଗୀତ ଆରମ୍ଭ କରି ଦେଇଛି, ଯାହାକି ଏବେ ପ୍ରତି ପିଲାର ଜିଭ–ଅଗରେ ରହିଛି–“ଆମେ ତ ମନୁଷ୍ୟ–ଦେହଧାରୀହେ ।"

 

ହଜାର ହଜାର କଣ୍ଠରୁ ସଂଯୁକ୍ତ, ସଜୀବ ଓ ବ୍ୟାପକ ସ୍ଵର ଗଗନରେ ମୁଖରିତ ହୋଇ ଉଠିଲା–‘‘ଆମେ ତ ମନୁଷ୍ୟ–ଦେହଧାରୀହେ ।”

 

ନୟନା ପାଦ ପୂରଣ କଲା–‘‘ମଣୁଛ ଆମକୁ ନୀଚ କେଉଁପରିହେ ?”

 

ହଜାର–ହଜାର ଗଳା ପାଳି ଧରିଲେ–ମଣୁଛ ଆମକୁ ?

ନୟନା–“ଆମେ ତ ତୁମରି ଦାସ, ତୁମେ କିଆଁ ବହି ରୋଷ

ଜନତା–“ଆମେ ତ…

ନୟନା–“ଅହେତୁକ ଅନ୍ୟାୟ ଯାଅ କରିହେ ?”

ଜନତା–“ଅହେତୁକ…. ।”

ତେଣେ ମ୍ୟୁନିସିପାଲ–ବୋଡ଼୍‍ରେ ଏହି ପ୍ରଶ୍ନ ଉପରେ ବିତର୍କ ଚାଲିଛି ।

ହାଫିଜ୍ ହଲୀମ୍ ଟେଲିଫୋନ୍‌ର ରିସିଭର୍ ଟେବୁଲ୍ ଉପରେ ରଖିଦେଇ କହୁଛନ୍ତି–ଡା. ଶାନ୍ତିକୁମାରବି ଗିରଫ୍ ହୋଇଗଲେ ।

ମି: ସେନ୍ ନିର୍ଦ୍ଦୟଭାବେ କହୁଛନ୍ତି–ଏବେ ଏଇ ଆନ୍ଦୋଳନର ଗୋଡ଼ା କଟିଗଲା । ସୂଚକ କହିଦେଉଛି ।

ପଣ୍ଡିତ ଓଁ କାରନାଥ ପରିହାସ କଲେ–ସେ ବ୍ଲକ୍ ଉପରେ ଏବେ ଘର ହୋଇପାରିବ ନାହିଁ, ସୂଚକ କହିଦେଉଛି ।

ସେନ୍‍ବାବୁ ମଧ୍ୟ ନିଜ ପୁଅ ନାମରେ ସେହି ବ୍ଲକ୍‍ର କିଛି ଅଂଶ ଖରିଦ କରିଥିଲେ । ସେ ଚିଡ଼ିଉଠିଲେ–ଯଦି ବୋଡ଼୍‍ରେ ନିଜର ପାସ୍ କରାଯାଇଥିବା ପ୍ରସ୍ତାବ ଉପରେ ଅଟଳ ରହିବାକୁ ଶକ୍ତି ନାହିଁ, ତେବେ ତା’ର ଇସ୍ତଫା ଦେଇ ଅଲଗା ହୋଇଯିବା ଉଚିତ ।

 

ମି: ସଫିକ୍, ଯେ କି ୟୁନିଭର୍‌ସିଟିର ପ୍ରଫେସର୍‍ ଓ ଡା: ଶାନ୍ତିକୁମାରଙ୍କ ମିତ୍ର ସେନ‌୍‌ଙ୍କୁ ବ୍ୟଙ୍ଗ କରୁଛନ୍ତି–ବୋଡ଼୍‍ର ଫୈସଲ ତ ଖୁଦାଙ୍କ ଫୈସଲା ନୁହେଁ । ସେତେବେଳେ ଅବଶ୍ୟ ବୋଡ଼୍‍ ସେହି ବ୍ଲକ‌୍‌କୁ ଛୋଟ ଛୋଟ ପ୍ଲଟ୍ କରି ନିଲାମ କରିବାକୁ ଫୈସଲା କରିଥିଲା; କିନ୍ତୁ ତା’ର ଫଳ କ'ଣ ହେଲା ? ଆପଣମାନେ ସେଠାରେ ଯେତେ ଘର ତିଆରି ସରଞ୍ଜାମ ଜମା କଲେ, ତା’ର ପତ୍ତା ନାହିଁ । ହଜାରରୁ ଅଧିକ ଲୋକ ନିତି ରାତିରେ ସେଠାରେ ଶୋଉଛନ୍ତି । ମୋର ବିଶ୍ଵାସ, ସେଠି କାମ କରିବାକୁ ମଜୁରିଆବି ରାଜି ହେବେ ନାହିଁ । ମୁଁ ବୋଡ଼୍‍କୁ ସାବଧାନ କରି ଦେଉଛି କି ଯଦି ସେ ନିଜର ପଲିସି ନ ବଦଳାଏ, ତେବେ ସହର ଉପରେ ଭାରି ଗୋଟାଏ ବିପଦ ପଡ଼ିବ । ସେଠ ସମରକାନ୍ତ ଓ ଶାନ୍ତିକୁମାର ସେଥିରେ ଯୋଗ ଦେବାରୁ ଜଣାଯାଉଛି କି ଏ ଆନ୍ଦୋଳନ ପିଲାଖେଳ ନୁହେଁ । ତା’ର ମୂଳ ଗଭୀରକୁ ପଶିଗଲାଣି । ଆଉ ତାକୁ ନିର୍ମୂଳ କରିବା ବର୍ତ୍ତମାନ ପ୍ରାୟ ଅସମ୍ଭବ । ବୋଡ଼୍‍କୁ ନିଜର ଫୈସଲା ରଦ୍ଦ କରିବାକୁହିଁ ପଡ଼ିବ । ବର୍ତ୍ତମାନ କରୁ ବା ଶହେ କି ପଚାଶଙ୍କ ଜୀବନ ନେଇ କରୁ । ଏବେ ସୁଦ୍ଧା ଯାହା ଦେଖାଯାଇଛି ସେଥିରୁ ଜଣାପଡ଼ୁଛି, ବୋଡ଼୍‍ର କଠୋର କାର୍ଯ୍ୟାନୁଷ୍ଠାନ ବିଲ୍‍କୁଲ୍ ସଫଳ ହୋଇ ନାହିଁ, ବରଂ ଫଳ ଓଲଟା ହୋଇଛି । ଏବେ ଯେଉଁ ହରତାଳ ହେବ, ତାହା ଏତେ ଭୟଙ୍କର ହେବ କି ଚିନ୍ତା କଲେ ରୋମ ଖାଡ଼ା ହୋଇଯାଉଛି-। ବୋଡ଼୍‍ ନିଜର ଶିର ଉପରକୁ ବହୁତ ବଡ଼ ଦାୟିତ୍ଵ ନେବାକୁ ଯାଉଛି ।

 

ମି: ହାମିଦ୍ ଅଲ୍ଲୀ ଟେକ୍‌ସ୍‍ଟାଇଲ୍‌ ମିଲ୍‌ର ମେନେଜର । ତାଙ୍କ ମିଲ୍ କ୍ଷତି ସହି ଚାଲିଛି । ସେ ଡରୁଛନ୍ତି, ଯଦି ହରତାଳ ବହୁଦିନ ଧରି ଚାଲେ, ତେବେ ବହୁତ କ୍ଷତି ହୋଇଯିବ । ସେ ଖୁବ୍‌ ମୋଟା ହେଲେବି ଅତ୍ୟନ୍ତ ପରିଶ୍ରମୀ । ହକ୍ କଥାଟା ମାନିନେବା ପାଇଁ ବୋଡ଼୍‍ର ଏତେ ଆଗାପିଛା କାହିଁକି, ମୁଁ ତ ବୁଝିପାରୁ ନାହିଁ ! କାରଣଟା ବୋଧହୁଏ, ତା’ର ଦମ୍ଭକୁ ମୁଣ୍ଡ ନୁଆଁଇବାକୁ ପଡ଼ିବ । କିନ୍ତୁ ହକ୍‌ ସାମନାରେ ମୁଣ୍ଡ ନୁଆଁଇବା–ତ ଦୁର୍ବଳତା ନୁହେଁ, ସବଳତା । ଯଦି ଆଜି ଏହି ପ୍ରଶ୍ନ ଉପରେ ବୋଡ଼୍‍ ସାନି ଭେଟିଂ କରେ, ତେବେ ମୁଁ ଦୃଢ଼ତାର ସହ କହିପାରେ ଯେ ବୋଡ଼୍‍ର ରିଜଲିଉସନ୍ ବର୍ଣ୍ଣାଶୁଦ୍ଧି ପରି କାଟ ଖାଇଯିବ । ବିଶ୍‌–ପଚିଶ ହଜାର ଗରିବଙ୍କ ମଙ୍ଗଳପାଇଁ ଯେବେ ଦଶ–ବାର ଲକ୍ଷ ଟଙ୍କାର କ୍ଷତି ବୋଡ଼୍‍କୁ ସହିବାକୁ ପଡ଼େ ଓ ପାଞ୍ଚ–ଦଶ ମେମ୍ବରଙ୍କୁ ଅସନ୍ତୁଷ୍ଟ କରିବାକୁ ପଡ଼େ, ତେବେ ତାକୁ……

 

ପୁଣି ଟେଲିଫୋନ୍‌ର ଘଣ୍ଟି ବାଜିଉଠିଲାଣି । ହାଫିଜ୍ ସଲୀମ୍ କାନ ଲଗାଇ ଶୁଣି କହୁଛନ୍ତି–ପଚାଶ-ହଜାରର ଗୋଟାଏ ଫୌଜ ଆମ ଉପରେ ଚଢ଼ାଉ କରିବାକୁ ଆସୁଛି । ଲାଲା ସମରକାନ୍ତଙ୍କ ସୁପୁତ୍ରୀ ଓ ସେଠ୍ ଧନୀରାମଙ୍କ କୁଳବଧୂ ତା’ର ଲିଡ଼ର୍ । ଡି.ଏସ୍.ପି. ଆମର ମତ ପଚାରୁଛନ୍ତି ଆଉ କହୁଛନ୍ତି ଫାୟାର୍ ନ କଲେ ଶୋଭାଯାତ୍ରାକୁ ପଛକୁ ହଟାଇ ହେବ ନାହିଁ । ମୁଁ ଏ ବିଷୟରେ ବୋଡ଼୍‍ର ମତାମତ ଜାଣିବାକୁ ଚାହୁଁଛି । ଭୋଟ୍ ନେଇ ନେବାହିଁ ମଙ୍ଗଳ । ଆଇନକୁ ଧରି ବସିବାର ବେଳ ନାହିଁ । ଆପଣମାନେ ହାତ ଟେକନ୍ତୁ–ଫର୍ ?

 

ବାରଟି ହାତ ଉଠିଛି ।

 

“ଏଗେନ୍‌ଷ୍ଟ୍ ?”

 

ଦଶଟି ହାତ ଉଠିଛି । ଲାଲା ଧନୀରାମ ନିଉଟ୍ରାଲ୍ ଅଛନ୍ତି ।

 

“ତେବେ ବୋଡ଼୍‍ର ମତ ଯେ ଶୋଭାଯାତ୍ରାକୁ ବନ୍ଦ କରିବାକୁ ପଡ଼ିବ, ଫାୟାର୍ କରିବାକୁ ପଡ଼ିଲେବି ?”

 

“ଏଥିରେ ଆଉ ସନ୍ଦେହ ଅଛି ?” ସେନ୍ କହୁଛନ୍ତି ।

 

ପୁଣି ବାଜିଉଠୁଛି ଟେଲିଫୋନ୍–ଘଣ୍ଟି । ହାଫିଜ୍ ରିସିଭର୍ କାନରେ ଲଗାଇଲେ, ଡି.ଏସ୍.ପି. କହୁଛନ୍ତି–ବଡ଼ ଗୋଟାଏ ଦୁର୍ଘଟଣା ! ଲାଲା ଧନୀରାମ ତାଙ୍କ ସ୍ତ୍ରୀଙ୍କୁ ବର୍ତ୍ତମାନ ଗୁଳି କରିଦେଲେ ।

 

ହାଫିଜ୍–କଥା କ’ଣ ?

 

“ବର୍ତ୍ତମାନ ଜଣାପଡ଼ି ନାହିଁ । ବୋଧହୁଏ ମି: ଧନୀରାମ କ୍ରୋଧରେ ଶୋଭାଯାତ୍ରା ଆଗକୁଯାଇ ତାଙ୍କ ସ୍ତ୍ରୀଙ୍କୁ ସେଠୁ ଚାଲିଯିବାକୁ କହିଲେ । ଲେଡ଼ି ଜଣକ ମାନିଲେ ନାହିଁ । ୟାରି ଉପରେ କିଛି କଳିତକରାଳ ହେଲା । ଲାଲା ଧନୀରାମଙ୍କ ହାତରେ ପିସ୍ତଲ ଥିଲା, ସଙ୍ଗେ ସଙ୍ଗେ ଖୁନ୍ କରିଦେଲେ । ସେ ପଳାଇ ଗଲେ, ନଚେତ୍ ତାଙ୍କ ଅବସ୍ଥା ଯେ କ’ଣ ହୋଇଥାନ୍ତା ! ଲିଡ଼ର୍‌ଙ୍କ ଲାସ୍‍ଟି ନେଇ ଶୋଭାଯାତ୍ରା ପୁଣି ମ୍ୟୁନିସିପାଲ ବୋଡ଼୍‍ ଆଡ଼କୁ ଚାଲିଛି ।”

 

ହାଫିଜ୍ ହଲୀମ୍ ମେମ୍ବରମାନଙ୍କୁ ଏ ଖବର ଶୁଣାଇଦେବା ପରେ ବୋଡ଼୍‍ରେ ଗୋଟିଏ ଚାଞ୍ଚଲ୍ୟ ଖେଳିଯାଇଛି । ସତେ ବା କିଛି କୁହୁକ ବଳରେ ସଭାଟା ପାଷାଣ ପାଲଟିଯାଇଛି !

 

ସହସା ଲାଲା ଧନୀରାମ ଛିଡ଼ା ହୋଇ ଭାରି ଗଳାରେ କହୁଛନ୍ତି–“ସଜ୍ଜନମଣ୍ଡଳି ! ଖଣ୍ତିଏ ଖଣ୍ଡିଏ ପଥର ଯୋଡ଼ି ଯେଉଁ ଭବନ ପଚାଶବର୍ଷ ହେଲା ନିର୍ମାଣ କରୁଥିଲି, ତାହା ଆଜି ଟଳିପଡ଼ିଲା; ଏପରି ଟଳିପଡ଼ିଲା ଯେ ତା’ର ମୂଳଦୁଆରବି ପତ୍ତା ନାହିଁ । ବଛାବଛା କାରିଗର ଲଗାଇଲି, ଅତି ଭଲ ମସଲା ଯୋଗାଇଲି, ସବୁଠୁ ଭଲ ନକ୍ସା କରାଇଲି, ଭବନ ନିର୍ମାଣ ହୋଇଗଲା ବାକି ଥିଲା । କେବଳ କଳସ । ଏତିକିବେଳେ ଗୋଟାଏ ବାତ୍ୟା ବହିଲା ଓ ତାକୁ ପାଳଗଦା ପରି ଉଡ଼ାଇ ନେଲା । ଏବେ ବୁଝିଲ, ସେହି ଭବନ ଥିଲା ମୋ ଜୀବନର ଏକ ସ୍ଵପ୍ନମାତ୍ର-। ସୁସ୍ଵପ୍ନ କହନ୍ତୁ ବା ଦୁଃସ୍ଵପ୍ନ କହନ୍ତୁ, ସ୍ଵପ୍ନହିଁ ଥିଲା । ଆଜି ସେହି ସ୍ଵପ୍ନଭଙ୍ଗ ହେଲା–ଭଙ୍ଗ ହୋଇଗଲା ।”

 

କହୁ କହୁ ସେ ଦ୍ଵାର ଆଡ଼କୁ ଚାଲିଯାଉଛନ୍ତି ।

 

ହାଫିଜ୍‌ ହଲୀମ୍ ଶୋକ ପ୍ରକାଶ କରି କହୁଛନ୍ତି–“ସେଠଜୀ ! ମୁଁ ଓ ମୋର ବିଶ୍ଵାସ, ବୋଡ଼୍‍ର ସମସ୍ତ ସଭ୍ୟ ଆପଣଙ୍କୁ ଆନ୍ତରିକ ସହାନୁଭୂତି ଜଣାଉଛୁ ।”

 

ସେଠଜୀ ପଛକୁ ଚାହିଁ କହୁଛନ୍ତି–‘‘ଯଦି ବୋଡ଼୍‍ର ମୋ ପ୍ରତି ସହାନୁଭୂତି ଥାଏ, ତେବେ ବର୍ତ୍ତମାନ ମୋତେ କ୍ଷମତା ଦିଅନ୍ତୁ, ମୁଁ ଯାଇ ଲୋକଙ୍କୁ କହେ ଯେ ବୋଡ଼୍‍ ତୁମମାନଙ୍କୁ ସେ ଜମି ଦେଇ ଦେଲା; ନଚେତ୍ ସେହି ନିଆଁ କେଜାଣି କେତେ ଘରକୁ ଭସ୍ମ କରିଦେବ, କେତେ ସୁଖ–ସ୍ଵପ୍ନ ଭଙ୍ଗ କରିଦେବ ।”

 

ବୋଡ଼୍‍ର ବହୁ ମେମ୍ବର କହୁଛନ୍ତି–“ଚାଲନ୍ତୁ, ଆମେ ମଧ୍ୟ ଆପଣଙ୍କ ସହିତ ଯାଉଛୁ ।”

 

ବୋଡ଼୍‍ର କୋଡ଼ିଏ ସଦସ୍ୟ ଉଠି ଠିଆ ହେଲେଣି । ସେନ୍ ଦେଖୁଛନ୍ତି, ଆଉ ମାତ୍ର ଚାରି ଜଣ ଅଛନ୍ତି । ସେ ମଧ୍ୟ ଉଠିପଡ଼ିଲେଣି; ପୁଣି ତାଙ୍କ ସଙ୍ଗେ ସଙ୍ଗେ ତାଙ୍କର ତିନିସାଥୀ ମଧ୍ୟ ଉଠିଲେଣି । ଶେଷରେ ହାଫିଜ୍ ହଲୀମ୍‌ଙ୍କ ନମ୍ବର ପଡ଼ିଛି ।

 

ଶୋଭାଯାତ୍ରା ତେଣୁ ନୟନାର ଶବଯାନ ଧରି ମାଡ଼ିଆସୁଛି । ଗୋଟାଏ ସହରକୁ ଏତେ ଲୋକ କୁଆଡ଼ୁ ଆସିଲେ ! ମାଇଲ ମାଇଲ ବ୍ୟାପୀ ନିରବଚ୍ଛିନ୍ନ ଜନସ୍ରୋତ–ଶାନ୍ତ, ଗମ୍ଭୀର, ସଂଗଠିତ ପ୍ରାଣପାତ କରିବାକୁ ପ୍ରସ୍ତୁତ । ନୟନାର ପ୍ରାଣବଳି ସେମାନଙ୍କୁ କରି ଦେଇଛି ଅଜେୟ, ଅଭେଦ୍ୟ ।

 

ହେଇ, ବୋଡ଼୍‍ର ପଚିଶ ଜଣଯାକ ସଦସ୍ୟ ସମ୍ମୁଖ ଦିଗରୁ ଆସି ନୟନାର ଶବଯାନ ଉପରେ ପୁଷ୍ପବୃଷ୍ଟି କରୁଛନ୍ତି ଏବଂ ହାଫିଜ୍ ହଲୀମ୍ ଆଗେଇ ଆସି କହୁଛନ୍ତି–“ଭାଇମାନେ ! ଆପଣମାନେ ମ୍ୟୁନିସିପାଲଟିର ମେମ୍ବରଙ୍କ ପାଖକୁ ଯାଉଛନ୍ତି; ଦେଖନ୍ତୁ, ମେମ୍ବରମାନେ ନିଜେ ଆପଣମାନଙ୍କୁ ସ୍ଵାଗତ କରିବାପାଇଁ ଆସିଗଲେଣି । ବୋଡ଼୍‍ ଆଜି ଏକମତ ହୋଇ ସମୁଦାୟ ପ୍ଲଟ୍ ଆପଣମାନଙ୍କୁ ଦେବାକୁ ନିଷ୍ପତ୍ତି କରିଛି । ଏଥିପାଇଁ ମୁଁ ବୋଡ଼୍‍କୁ ତଥା ଆପଣମାନଙ୍କୁ ଶୁଭେଚ୍ଛା ଜଣାଉଛି । ବୋଡ଼୍‍ ଆଜି ନିର୍ଣ୍ଣୟ କଲା ଯେ ଅମିରମାନଙ୍କ ବିଳାସ–ବ୍ୟସନ, ଆଡ଼ମ୍ବର ଓ ଭୋଗ–ବାସନା ଅପେକ୍ଷା ସେ ଗରିବମାନଙ୍କର ସ୍ଵାସ୍ଥ୍ୟ, ସୁଖ ଏବଂ ଆବଶ୍ୟକତାକୁ ଅଧିକ ଧ୍ୟାନ ଦେବା ଉଚିତ ମନେ କରେ । ବୋଡ଼୍‍ ନିଷ୍ପତ୍ତି କରି ନେଇଛି ଯେ ସେହି ଜମି ଉପରେ ଅମିରମାନଙ୍କ ଅପେକ୍ଷା ଗରିବମାନଙ୍କର ଅଧିକାର ବହୁତ ବେଶି । ସେ ପୁଣି ନିଷ୍ପତ୍ତି କରିଛି ଯେ ବୋଡ଼୍‍ ଗରିବମାନଙ୍କର ଜୀବନର ମୂଲ୍ୟ ଧନ ଅପେକ୍ଷା ଅଧିକ ବୋଲି ମନେକରେ । ସେ ନିଷ୍ପତ୍ତିକରି ନେଇଛି ଯେ ସହରର ଶୋଭା କେତୋଟି ବଡ଼ବଡ଼ କୋଠି ବା ବଙ୍ଗଳାଦ୍ଵାରା ବଢ଼ିବ ନାହିଁ–ବଢ଼ିବ ଛୋଟ ଛୋଟ ଆରାମଦାୟକ ଘରଦ୍ଵାରା ଯେଉଁଠି ଶ୍ରମିକ ଓ ସ୍ୱଳ୍ପ ଆୟକାରୀ ଲୋକେ ରହିପାରିବେ । ଏହି ମତର ବିରୋଧୀମାନଙ୍କ ମଧ୍ୟରୁ ମୁଁ ଜଣେ । ବୋଡ଼୍‍ର ଅଧିକାଂଶ ସଦସ୍ୟ ମୋ’ରି ମତାନୁଯାୟୀ ଥିଲେ । କିନ୍ତୁ ଆପଣମାନଙ୍କର ତ୍ୟାଗ ଓ ଆପଣଙ୍କ ନେତାମାନଙ୍କ ପ୍ରାଣପାତ ଉଦ୍ୟମ ବୋଡ଼୍‍ ଉପରେ ବିଜୟଲାଭ କରିଛି ସେହି ବିଜୟ ଉପଲକ୍ଷେ ମୁଁ ଆପଣମାନଙ୍କୁ ବଧାଇ ଦେଉଛି । ଆଉ ଏ ବିଜୟର ମୁକୁଟ ତାଙ୍କରି ମଥାରେ, ଯାହାଙ୍କ ଶବାଧାର ଆପଣମାନଙ୍କ କାନ୍ଧରେ-। ଲାଲା ସମରକାନ୍ତ ମୋର ବହୁଦିନର ବନ୍ଧୁ । ତାଙ୍କର ପୁତ୍ର ମଧ୍ୟ ମୋ ପୁଅର ଅନ୍ତରଙ୍ଗ ବନ୍ଧୁ-। ଅମରକାନ୍ତଙ୍କ ପରି ସଭ୍ୟ–ଶିକ୍ଷିତ ନବଯୁବକ ମୁଁ କେଉଁଠି ଦେଖି ନାହିଁ । ତାଙ୍କରି ସାଙ୍ଗ–ଗୁଣରୁ ମୋ ପୁଅ ଆଜି ସିଭିଲ୍‌–ସର୍ଭିସ୍‌କୁ ଜଳାଞ୍ଜଳି ଦେଇ ଜେଲ୍ ବରଣ କରି ନେଇଛି । ନୟନା ଦେବୀଙ୍କ ଅନ୍ତରର ଉଦ୍‌ବେଗ ଆମେ କେହି ଅନୁମାନ କରିପାରିବା ନାହିଁ । ଏକ ଦିଗରେ ତାଙ୍କର ବାପ, ଭାଇ, ଭାଉଜ ଜେଲ୍‍ରେ; ଅନ୍ୟ ଦିଗରେ ସ୍ଵାମୀ ଓ ଶ୍ଵଶୁର ଧନ–ସମ୍ପଦର ମୋହରେ ମତ୍ତ । ଲାଲା ଧନୀରାମ ମୋତେ କ୍ଷମା କରିବେ । ମୁଁ ତାଙ୍କୁ ବିଦ୍ରୂପ କରିବାକୁ ଚାହୁଁ ନାହିଁ । ଯେଉଁ ଅବସ୍ଥାଚକ୍ରରେ ପଡ଼ି ସେ ମୋହଗ୍ରସ୍ତ ଥିଲେ, ସେ ଅବସ୍ଥାରୁ ମୁଁ କ’ଣ, ଆପଣ କ’ଣ ଦୁନିଆର କେହି ମୁକ୍ତ ନୁହଁନ୍ତି-। ତାଙ୍କ ହୃଦୟରେ ଏପରି ଦାରୁଣ ଆଘାତ ଲାଗିଛି, କୌଣସି ଆଘାତ ତା’ ତୁଳନାରେ ଅଧିକ ଯନ୍ତ୍ରଣାଦାୟକ ହୋଇ ନ ପାରେ । ମୋର ତଥା, ମୁଁ ଭାବୁଛି, ଆପଣମାନଙ୍କର ତାଙ୍କ ପ୍ରତି ପୂର୍ଣ୍ଣ ସହାନୁଭୂତି ଅଛି । ଆମେ ସମସ୍ତେ ତାଙ୍କ ଦୁଃଖରେ ଦୁଃଖୀ । ନୟନା ଦେବୀଙ୍କ ହୃଦୟରେ ବାପଘର ଓ ଶ୍ୱଶୁରଘରର ଦ୍ଵନ୍ଦ୍ୱ ଏହି ଆନ୍ଦୋଳନ ସଙ୍ଗେ ସଙ୍ଗେ ଜନ୍ମିଥିଲା ଆଉ ଆଜି ତା’ର ଏହି ଖେଦଜନକ ପରିଣତି ହେଲା । ମୋର ବିଶ୍ୱାସ, ଏ ସହରର ଅସ୍ତିତ୍ଵ ଥିବା ପର୍ଯ୍ୟନ୍ତ ତାଙ୍କର ଏହି ପର୍ବ ଆତ୍ମବଳିର ସ୍ମୃତି ଏଠାରେ ଜୀବିତ ରହିଥିବ । ମୁଁ ପ୍ରତିମାପୂଜକ ନୁହେଁ; କିନ୍ତୁ ସର୍ବପ୍ରଥମେ ପ୍ରସ୍ତାବ କରୁଛି ଯେ ସେହି ପ୍ଲଟ୍‌ରେ ଯେଉଁ ବସତି ନିର୍ମାଣ ହେବ, ତା’ର ମଧ୍ୟଭାଗରେ ଏହି ଦେବୀଙ୍କର ସ୍ମୃତି–ପ୍ରତିମା ସ୍ଥାପନ କରାଯାଉ, ଯେପରିକି ଭବିଷ୍ୟତ୍ ବଂଶଧର ତାଙ୍କର ଗୌରବମୟ ସ୍ମୃତି ଭୁଲି ନ ଯିବେ ।

 

“ବନ୍ଧୁଗଣ, ମୁଁ ଆପଣମାନଙ୍କ ଆଗରେ ଭାଷଣ ଦେଉ ନାହିଁ । ବର୍ତ୍ତମାନ ଭାଷଣ ଦେବାର ବା ଶୁଣିବାର ବେଳ ନୁହେଁ । ଆଲୁଅ ପାଖେପାଖେ ଅନ୍ଧାର । ଜୟ ସଙ୍ଗେ ପରାଜୟ ଓ ସୁଖ ସଙ୍ଗେ ଦୁଃଖ ଥାଏ । ସୁଷମାମୟ ଉଷାକାଳରେ ଆଲୋକ ଓ ଅନ୍ଧକାରର ମିଳନ ହୁଏ, ପୁଣି ଜୟ ପରାଜୟର ମିଳନ ହୁଏ ସନ୍ଧିରେ ! ଏହି ସୁଖ ଓ ଦୁଃଖର ମିଳନ ଏକ ଅପୂର୍ବ ଅଭ୍ୟୁଦୟର ସୂଚନା ଦିଏ । ଖୁଦାଙ୍କଠାରେ ମୋର ପ୍ରାର୍ଥନା କି ଏହି ଅଭ୍ୟୁଦୟ ଚିରସ୍ଥାୟୀ ହେଉ, ଆମ୍ଭମାନଙ୍କ ମଧ୍ୟରେ ଏହିପରି ନ୍ୟାୟ ନିଷ୍ଠ ସହିଦଙ୍କର ପବିତ୍ର ଆତ୍ମା କାଳେ କାଳେ ଜନ୍ମଗ୍ରହଣ କରୁଥାନ୍ତୁ । କାରଣ ଏହିପରି ଆତ୍ମାର ଅସ୍ତିତ୍ଵରେ ସଂସାର ତିଷ୍ଠିଛି । ଆପଣମାନଙ୍କୁ ଆମର ନିବେଦନ, ଏ ବିଜୟ ପରେ ଆପଣମାନେ ବୀର ଶତ୍ରୁ ପ୍ରତି ଯେପରି ବ୍ୟବହାର କରାଯାଏ, ସେହିପରି ବ୍ୟବହାର ପରାଜିତଙ୍କ ସହିତ କରନ୍ତୁ । ଆମର ଏହି ପବିତ୍ର ଧାମରେ ପରାଜିତ ଶତ୍ରୁକୁ ମିତ୍ର ଦୃଷ୍ଟିରେ ଦେଖାଯାଉଥିଲା । ଯୁଦ୍ଧ ଶେଷ ହେବାମାତ୍ରେ ହୃଦୟରୁ କ୍ରୋଧ ଓ ବୈମନସ୍ୟ ଦୂର କରି ଆମେ ହୃଦୟ ଖୋଲି ଶତ୍ରୁକୁ ଆଲିଙ୍ଗନ କରୁଥିଲୁ । ଏବେ ଆସନ୍ତୁ, ଆପଣମାନେ ଓ ଆମ୍ଭେମାନେ ପରସ୍ପରକୁ ଆଲିଙ୍ଗନ କରି ଆମର ଯଥାର୍ଥ ନେତ୍ରୀ ଓ ଅନ୍ଧକାରରେ ପ୍ରଭାତର ସନ୍ଦେଶବାହିକା ଉଜ୍ଜ୍ୱଳତା ଥିଲେ ଯେଉଁ ଦେବୀ, ସେହି ଦେବୀଙ୍କର ଆତ୍ମାକୁ ଆନନ୍ଦିତ କରିବା । ଈଶ୍ୱର ଆମକୁ ଶକ୍ତି–ସାମର୍ଥ୍ୟ ଦିଅନ୍ତୁ, ଆମେ ଯେପରି ଏହି ଆଦର୍ଶ ସହିଦଙ୍କଠାରୁ ସତ୍ୟ–ପ୍ରେମ ଓ ସେବା–ଧର୍ମ ଶିକ୍ଷା କରିପାରିବା ।”

 

ହାଫିଜ୍‍ବାବୁ ନୀରବ ହେବା ପରେ ପରେ ‘ନୟନା ଦେବୀଙ୍କର ଜୟ’ ଏହି ଶ୍ରଦ୍ଧାସିକ୍ତ ଧ୍ୱନି ଏପରି ଭାବରେ ଉଠୁଛି ଯେ ଆକାଶ ପର୍ଯ୍ୟନ୍ତ କମ୍ପିଯାଉଛି । ତତ୍ପରେ ହାଫିଜ୍ ହଲୀମ୍‌ଙ୍କର ଜୟକାର କରି ଶୋଭାଯାତ୍ରା ଗଙ୍ଗାତଟ ଦିଗକୁ ଅଗ୍ରସର ହେଉଛି । ବୋଡ଼୍‍ର ସମସ୍ତ ସଦସ୍ୟ ମଧ୍ୟ ଶୋଭାଯାତ୍ରା ସହିତ ଚାଲିଛନ୍ତି । କେବଳ ହାଫିଜ୍ ହଲୀମ୍ ମ୍ୟୁନିସିପାଲଟି ଅଫିସ୍‌ରେ ବସି ବନ୍ଦୀମାନଙ୍କ ମୁକ୍ତି ବିଷୟରେ ପରାମର୍ଶ କରୁଛନ୍ତି ।

 

ଯେଉଁ ସଂଗ୍ରାମ ଛ’ମାସ ପୂର୍ବେ ଜଣେ ମହିଳା ଆରମ୍ଭ କରିଥିଲେ, ତାଙ୍କୁ ଆଜି ଆଉ ଜଣେ ମହିଳା ନିଜର ପ୍ରାଣବଳି ଦେଇ ସମାପ୍ତ କରିଛନ୍ତି ।

 

–୫୩–

 

ଏଣେ ସକୀନା ମହିଳା–ଜେଲ୍‌ରେ ପହଞ୍ଚିଛି, ତେଣେ ସୁଖଦା, ପଠାଣୁଣୀ ଓ ରେଣୁକା ଦେବୀଙ୍କର ମୁକ୍ତି–ଆଦେଶ ମଧ୍ୟ ପହଞ୍ଚିଛି । ତା’ ସଙ୍ଗେ ସଙ୍ଗେ ନୟନାର ହତ୍ୟାକାଣ୍ଡର ସମାଚାର ମଧ୍ୟ ପହଞ୍ଚିଛି । ସୁଖଦା ମଥା ତଳକୁ କରି ମୂର୍ତ୍ତିବତ୍ ବସିରହିଛି–ଚେତନା ହରାଇଲା ପରି । କି ଦୁର୍ମୂଲ୍ୟ ଏ ବିଜୟ !

 

ରେଣୁକା ଦୀର୍ଘଶ୍ଵାସ ପକାଇ କହିଲେ–ଦୁନିଆରେ ଏମିତି ଲୋକବି ଅଛନ୍ତି, ଯେ କି ସ୍ଵାର୍ଥ ସକାଶେ ନିଜ ସ୍ତ୍ରୀକୁବି ହତ୍ୟା କରିପାରନ୍ତି !

 

ସୁଖଦା ଆବେଶରେ କହିଲା–ନୟନାକୁ ସେ ହତ୍ୟାକଲା ନାହିଁ ଯେ ମା’ ! ଏ ବିଜୟ ସେହି ଦେବୀ ପ୍ରାଣର ବରଦାନ ।

 

ପଠାଣୁଣୀ ଲୁହପୋଛି କହିଲା–ମୋତେ ତ ଭାବିଲାବେଳକୁ କାନ୍ଦ ମାଡ଼ୁଛି ମା’ ! ବାବୁ ଶୁଣିଲେ କେତେ ଦୁଃଖ ନ କରିବେ ! ଭାଇ–ଭଉଣୀଙ୍କ ଭିତରେ ଏତେ ସ୍ନେହ–ଶ୍ରଦ୍ଧା ମୁଁ କେଉଁଠି ଦେଖି ନାହିଁ ।

 

ଜେଲର୍ ଆସି ସୂଚନା ଦେଲେ–ଆପଣମାନେ ତିଆର ହୋଇଯାନ୍ତୁ । ସନ୍ଧ୍ୟା ଗାଡ଼ିରେ ସୁଖଦା, ରେଣୁକା, ପଠାଣୁଣୀ ଏହି ମହିଳାମାନଙ୍କୁ ଯିବାକୁ ହେବ । ଦେଖନ୍ତୁ, ଆମର ଯଦି କିଛି ଭୁଲ୍–ଭଟକ ଥାଏ, କ୍ଷମା ଦେବେ ।

 

କେହି ତା’ର ଉତ୍ତର ଦେଲା ନାହିଁ, ସତେ ବା କେହି ଶୁଣି ନାହିଁ । ବର୍ତ୍ତମାନ ଘରକୁ ଯିବାର ଆନନ୍ଦ ନାହିଁ । ବିଜୟର ଆନନ୍ଦ ମଧ୍ୟ ସେହି ଶୋକରେ ମଗ୍ନ ହୋଇଛି ।

 

ସକୀନା ସୁଖଦାର କାନରେ କହିଲା–ଯିବା ଆଗରୁ ବାବୁଙ୍କ ସଙ୍ଗେ ଦେଖା କରି ଯିବେ-। ଏ ଖବର ଶୁଣିଲେ ତ ଶତ୍ରୁ ସୁଦ୍ଧା ଥୟ ଧରିପାରିବ ନାହିଁ । ମୋତେ ଡର ଲାଗୁଛି ।

 

ବାଳକ ରେଣୁକାନ୍ତ ସମ୍ମୁଖସ୍ଥ ଅଗଣା କାଦୁଅରେ ଖସରିଯାଇ ପଡ଼ିଗଲା ଓ ଭୂମିକୁ ତା’ର ଦୁଷ୍ଟାମିପାଇଁ ପାଦରେ ଆଘାତ କରି ଶାସ୍ତି ଦେଉଥିଲା, ତା’ ସଙ୍ଗେ ସଙ୍ଗେ କାନ୍ଦୁଥିଲା । ସକୀନା ଓ ସୁଖଦା ଉଭୟେ ତାକୁ ଉଠାଇବାକୁ ଦଉଡ଼ିଲେ ଏବଂ ଗଛମୂଳେ ଛିଡ଼ା ହୋଇ ତାକୁ ତୁନି କରାଇବାକୁ ଚେଷ୍ଟା କଲେ ।

 

ସକୀନା କାଲି ସକାଳୁ ଆସିଲାଣି; କିନ୍ତୁ ଏପର୍ଯ୍ୟନ୍ତ ସୁଖଦା ଓ ତା’ ମଧ୍ୟରେ ସାଧାରଣ ଶିଷ୍ଟାଚାର ବ୍ୟତୀତ ଅନ୍ୟ କଥାବାର୍ତ୍ତା ହୋଇ ନାହିଁ । ସକୀନା ତା’ ସହିତ କଥାବାର୍ତ୍ତା କରିବାକୁ ଲାଜ ପାଉଛି–କାଳେ ସେହି ଗୁପ୍ତପ୍ରସଙ୍ଗ ପୁଣି ଉଠିବ । ସୁଖଦା ମଧ୍ୟ ତା’ଠାରୁ ଦୂରେଇ ଦୂରେଇ ରହୁଛି, ଯେପରିକି ତା’ର ତପସ୍ୟା ସେହି କଳଙ୍କକୁ ଧୋଇଦେବା ପାଇଁ ଅଦ୍ୟାପି ଯଥେଷ୍ଟ ହୋଇ ନାହିଁ ।

 

ସକୀନାର ପରାମର୍ଶରେ ପୂରି ରହିଥିବା ସହୃଦୟତା ଯେପରି ତାକୁ ପରାଭୂତ କରି ଦେଇଛି । କହିଲା–ହଁ, ତା’ ତ ଭାବୁଛି । ତୁମେ କ’ଣ କିଛି ଖବର ଦେବ ?

 

ସକୀନା ଆଖି ଛଳଛଳ କରି କହିଲା–ମୁଁ ବା କି ଖବର ପଠାଇବି ବୋହୂ ! ଆପଣ ଖାଲି ଏତିକି କହିଦେବେ–ନୟନା ଦେବୀ ଚାଲିଗଲେ; କିନ୍ତୁ ସକୀନା ଜିଇଁଥିବା ପର୍ଯ୍ୟନ୍ତ ଆପଣ ତାକୁ ନୟନା ବୋଲି ଭାବିବେ ।

 

ସୁଖଦା ମୁହଁରେ ନିର୍ଦ୍ଦୟ ସ୍ମିତ ଖେଳାଇ କହିଲା–ତାଙ୍କର ତ ତୁମ ସହିତ ଅନ୍ୟ ସମ୍ପର୍କ ହୋଇ ସାରିଛି !

 

ସକୀନା ଯେପରି ସେହି ଆଘାତକୁ ପ୍ରତିହତ କଲା–ସେତେବେଳେ ତାଙ୍କର ଅଭାବ ଥିଲା ସ୍ତ୍ରୀ, ଆଜି ଭଉଣୀଟିଏ ଅଭାବ ।

 

ସୁଖଦା ତୀବ୍ର ସ୍ଵରରେ କହିଲା–ମୁଁ ତ ସେତେବେଳେ ଜୀବିତ ଥିଲି ।

 

ସକୀନା ଦେଖିଲା–ଯେଉଁ ପରିସ୍ଥିତିକୁ ସେ ଡରୁଥିଲା, ତାହା ଆସି ମଥା ଉପରେ ପହଞ୍ଚିଗଲାଣି । ବର୍ତ୍ତମାନ ନିଜର ନିର୍ଦ୍ଦୋଷତା ପ୍ରମାଣ କରିବା ବ୍ୟତୀତ ଅନ୍ୟ ଉପାୟ ନାହିଁ ।

 

ସେ ପଚାରିଲା–ମୁଁ କିଛି କହିବି, ଖରାପ ଭାବିବ ନାହିଁ ତ ?

 

“ଆଦୌ ନୁହେଁ ।”

 

“ଶୁଣନ୍ତୁ–ସେତେବେଳେ ଆପଣ ତାଙ୍କୁ ଘରୁ ତଡ଼ି ଦେଇଥିଲେ । ଆପଣ ପୂର୍ବକୁ ଗଲେ ସେ ପଶ୍ଚିମକୁ ଯାଉଥିଲେ । ବର୍ତ୍ତମାନ ଆପଣ ଓ ସେ ଏକମନ, ଏକପ୍ରାଣ । ତାଙ୍କ ଦୃଷ୍ଟିରେ ଯେଉଁସବୁ ବିଷୟ ମହତ୍ୱପୂର୍ଣ୍ଣ, ସେ ସବୁ ଆପଣ ପୂର୍ଣ୍ଣ କରି ଦେଇଛନ୍ତି । ଆପଣଙ୍କୁ ପାଇଲେ ତ ସେ ପାଦଚୁମ୍ବି ପକାଇବେ କି କ’ଣ !”

 

ଜଣେ କବି ଅନ୍ୟ କବିଠାରୁ ପ୍ରଶଂସା ପାଇଲେ ଯେପରି ଆନନ୍ଦ ପାଏ, ଏ କଥା ସୁଖଦାକୁ ସେହିପରି ଆନନ୍ଦ ଦେଲା । ତା’ ହୃଦୟରେ ଯେଉଁ ସଂଶୟ ଥିଲା, ତାହା ଆପେଆପେ କିପରି ଝରିପଡ଼ିଲା–ଏ ସିନା ତୁମର ଧାରଣା, ସକୀନା ! ତାଙ୍କ ମନରେ ଯେ କ’ଣ ଅଛି, ତାହା କିଏ ଜାଣେ ? ପୁରୁଷଙ୍କୁ ବିଶ୍ୱାସ କରିବା ମୁଁ ଛାଡ଼ି ଦେଲିଣି ! ତେଣିକି ସେ ମୋତେ ସମ୍ମାନ ଦିଅନ୍ତୁ ତ ନ ଦିଅନ୍ତୁ–ସେତେବେଳେ ତ କମ୍ ସମ୍ମାନ ଦେଉ ନଥିଲେ; କିନ୍ତୁ ମୋର ସନ୍ଦେହ ଯେ ସେ ତୁମକୁ ମନରୁ ବାହାର କରିଦେଇ ପାରିବେ । ତୁମର ବିବାହ ତ ସଲୀମ୍ ମିଆଁଙ୍କ ସହ ହୋଇଯିବ; କିନ୍ତୁ ଅନ୍ତରରେ ସେ ତୁମର ଉପାସନା କରୁଥିବେ ।

 

ସକୀନାର ମୁଦ୍ରା ଗମ୍ଭୀର ହୋଇ ଉଠିଲା । ସେ ଭୟଭୀତା ହୋଇଗଲା, ଯେପରି କୌଣସି ଶତ୍ରୁ ଶାସ୍ତି ଦେବାପାଇଁ ତା’ ଗଳାରେ ଫାଶ ଗଳାଉଛି । ସେ ଗଳାକୁ ରକ୍ଷା କରିବାକୁ ଚେଷ୍ଟା କଲା ପରି କହିଲା–ତୁମେ ପୁଣି ତାଙ୍କ ପ୍ରତି ଅନ୍ୟାୟ କରୁଛ, ଭଉଣୀ ! ଦୁନିଆ ଭୟରେ କୌଣସି କାମ କରି ପକାଇବାବାଲା ସେ ନୁହଁନ୍ତି । ସେ ନିଜେ ସଲୀମ୍‌ଙ୍କଦ୍ଵାରା ମୋ ପାଖକୁ ଚିଠି ଲେଖାଇଛନ୍ତି । ମୁଁ ତାଙ୍କର ଉଦ୍ଦେଶ୍ୟ ବୁଝିପାରିଛି । ମୁଁ ଜାଣିପାରିଛି ଯେ ତୁମେ ତୁମର ଅପ୍ରସନ୍ନ ଦେବତାଙ୍କୁ ମନାଇ ସାରିଛ । ମୁଁ ମନେମନେ ଡରୁଥିଲି ଯେ ମୋ ପରି ଗୋଟାଏ ମୂର୍ଖ ତାଙ୍କୁ କିପରି ସନ୍ତୁଷ୍ଟ କରିପାରିବ ? ବହୁ ଧନରତ୍ନ ପାଇଲେ କାଙ୍ଗାଳ ଯେପରି ତା’ କୁଡ଼ିଆରେ ତାକୁ କେଉଁଠି ରଖିବ, କିପରି ଯତ୍ନ ନେବ, ଭାବି ଭାବି ପାଗଳ ହୋଇଉଠେ; ମୋର ଦଶା ଠିକ୍ ସେହିପରି ହୋଇଥିଲା । ତାଙ୍କର ଏପରି ଉଦ୍ଦେଶ୍ୟ ଜାଣିବା ପରେ ମୋ ମନର ବୋଝ ହାଲୁକା ହୋଇଗଲା । ଦେବତା ତ ପୂଜାର ଯୋଗ୍ୟ । ସେ ଆମ ଘରକୁ ଆସିଲେ ତାଙ୍କୁ କେଉଁଠି ବସାଇବାକୁ ହେବ, କେଉଁଠି ଶୁଆଇବାକୁ ହେବ, କ’ଣ ଖାଇବାକୁ ଦିଆଯିବ ! ମନ୍ଦିରକୁ ଗଲେ ଆମେ କ୍ଷଣକପାଇଁ କେଡ଼େ ଧାର୍ମିକ, କେଡ଼େ ସଂଯତ ହୋଇଯାଉ; କିନ୍ତୁ ଦେବତା ଯଦି ଆମ ଘରକୁ ଆସି ଆମର ଅସଲ ରୂପ ଦେଖିପକାନ୍ତେ, ତେବେ ବୋଧହୁଏ ଆମକୁ ଭାରି ଘୃଣା କରନ୍ତେ । ସଲୀମ୍‍ଙ୍କୁ ମୁଁ ସମ୍ଭାଳିପାରିବି । ସେ ଏହି ଦୁନିଆର ମଣିଷ, ମୁଁ ତାଙ୍କୁ ବୁଝିପାରେ ।

 

ଏହି ସମୟରେ ଫିମେଲ୍ ୱାର୍ଡ଼ର ଦ୍ଵାର ଖୋଲିଲା ଓ ତିନୋଟି ବନ୍ଦୀ ଭିତରକୁ ଆସିଲେ-। ତିନିହେଁ ଆଣ୍ଠୁ ପର୍ଯ୍ୟନ୍ତ ଜଙ୍ଘିଆ ଓ ଅଧା ହାତବାଲା ଛୋଟ କୁରୁତା ପିନ୍ଧିଥାନ୍ତି । ଜଣେ କାନ୍ଧରେ ବାଉଁଶର ସିଡ଼ିଟାଏ, ଆଉ ଜଣେ ମୁଣ୍ଡରେ ଚୂନ ବସ୍ତାଏ ଏବଂ ତୃତୀୟ ଜଣକ ଚୂନ–ହାଣ୍ଡି, ବାଲଟି ଓ ଦଉଡ଼ି ଧରିଥାନ୍ତି । ଆଜିଠାରୁ ଜନାନା–ୱାର୍ଡ଼ରେ ଚୂନଲିପା ହେବ । ବାର୍ଷିକ ସଫେଇ ଓ ମରାମତି ସମୟ ଆସିଗଲାଣି ।

 

ସକୀନା ବନ୍ଦୀମାନଙ୍କୁ ଦେଖିବାମାତ୍ରେ କହିଉଠିଲା–ଏ ତ ବାବୁଙ୍କ ପରି ଦିଶୁଛନ୍ତି, ବାଲଟି ଓ ରସି ଧରିଛନ୍ତି । ସଲୀମ୍ ସିଡ଼ି ଧରିଛନ୍ତି ।

 

ସଙ୍ଗେ ସଙ୍ଗେ ସେ ରେଣୁକାନ୍ତକୁ କାଖରେ ଧରି ତାକୁ ‘କୁତୁକୁତୁ’ କହି ଗେଲ କରି ଦ୍ଵାର ଆଡ଼କୁ ଛୁଟିଗଲା । ବାରମ୍ବାର ତା’ର ମୁହଁ ଚୁମି କହୁଥାଏ–ଚାଲ, ତୁମର ବାପା ଆସିଛନ୍ତି ।

 

ସୁଖଦା ମଧ୍ୟ ଯାଉଥାଏ; କିନ୍ତୁ ଧୀର ଗତିରେ । ତାକୁ କାନ୍ଦ ମାଡ଼ୁଥାଏ । ଏତେଦିନ ପରେ ଆଜି ସାକ୍ଷାତ ହେଲା, ସେ ପୁଣି ଏହି ଦଶାରେ !

 

ସହସା ମୁନ୍ନୀ କୁଆଡ଼ୁ ଦଉଡ଼ି ଆସି ଅମର ହାତରୁ ବାଲଟି ଓ ରସି ଛଡ଼ାଉ ଛଡ଼ାଉ କହିଲା–ଆରେ ! ତୁମର ଏ କି ଦଶା, ବାବୁ ! ଅଧା ଚେହେରାବି ନାହିଁ ! ଯାଅ ଆରାମରେ ବସ, ମୁଁ ପାଣି ଟାଣି ଦେଉଛି ।

 

ଅମର ଦୃଢ଼ ହସ୍ତରେ ବାଲଟିକୁ ଧରି କହିଲା ନା–ନା, ତୁମେ ପାରିବ ନାହିଁ, ବାଲଟିଟା ଛାଡ଼ିଦେଲ । ଜେଲର୍ ଦେଖିବ ତ ମୋ ଉପରେ ଶୋଧନା ହେବ ।

 

ମୁନ୍ନୀ ବାଲଟି ଛଡ଼ାଇ କହିଲା–ମୁଁ ଜେଲର୍‍କୁ ଠିକ୍ ବତେଇ ଦେବିନି । ସେଠି ତୁମେ ଏଇମିତି ଥିଲ ?

 

ଏକ ଦିଗରୁ ସକୀନା ଓ ସୁଖଦା, ଅନ୍ୟ ଦିଗରୁ ପଠାଣୁଣୀ ଓ ରେଣୁକା ଆସି ପହଞ୍ଚିଲେ; କିନ୍ତୁ କାହାରି ମୁହଁରୁ କଥା ବାହାରୁ ନଥାଏ । ସମସ୍ତଙ୍କ ଆଖି ସଜଳ, ଗଳା ଭାରି । ଆନନ୍ଦ ବିଭୋର ହୋଇ ବାହାରିଥିଲେ; କିନ୍ତୁ ପଦେପଦେ ଗଭୀର ଜଳରେ ପଶି ପଶି ଶେଷରେ ମୁଣ୍ଡ ପର୍ଯ୍ୟନ୍ତ ବୁଡ଼ିଗଲେ ।

 

ଅମର ସେହି ମହିଳାମାନଙ୍କୁ ଦେଖି ବିସ୍ମୟଭରା ଗର୍ବରେ ଫୁଲି ଉଠିଲାଣି । ସେମାନଙ୍କ ସମ୍ମୁଖରେ ସେ କେଡ଼େ ତୁଚ୍ଛ ! କ’ଣ କହି ସେମାନଙ୍କ ସ୍ତୁତି କରିବ ! କି ଉପହାର ଦେବ ସେମାନଙ୍କୁ ! ତା’ର ଆଶାବାଦୀ ଦୃଷ୍ଟିରେ ଦେଶର ଭବିଷ୍ୟ କେବେ ଏପରି ଉଜ୍ଜ୍ୱଳ ନଥିଲା ତ । ତା’ର ଆପାଦମସ୍ତକ ସ୍ଵଦେଶାଭିମାନର ଗୋଟାଏ ବିଜୁଳି ଖେଳିଗଲା । ଚକ୍ଷୁରେ ଭକ୍ତିର ସେତକ ଉଛୁଳିଉଠିଲା ।

 

ଅନ୍ୟମାନଙ୍କ ଜେଲ୍‌ ଯାତ୍ରା ସମ୍ବାଦ ତ ସେ ପାଇ ସାରିଥିଲା; ମାତ୍ର ରେଣୁକାଙ୍କୁ ସେଠାରେ ଦେଖି ସେ ଉନ୍ମତ୍ତ ପରି ତାଙ୍କୁ ପାଦତଳେ ଲୋଟିପଡ଼ିଲା ।

 

ରେଣୁକା ତା’ ମସ୍ତକରେ ହସ୍ତ ରଖି ଆଶୀର୍ବାଦ ଦେଇ କହିଲେ–ଆଜି ଯିବାବେଳରେ ତୁମ ସଙ୍ଗେ ଦେଖା ହେଲା, ଭଲ ହେଲା ବାପା ! ଈଶ୍ଵର ତୁମ ମନକାମନା ସଫଳ କରନ୍ତୁ । ମୁଁ ତ ମୋଟେ ପାଞ୍ଚଦିନ ହେଲା ଆସିଥିଲି; କିନ୍ତୁ ଆମକୁ ଖଲାସ କରି ଦେବାକୁ ହୁକୁମ ଆସିଗଲାଣି । ନୟନା ଆମକୁ ମୁକ୍ତ କରିଦେଲା ।

 

ଅମର ଉଦ୍‌ବିଗ୍ନ ହୃଦୟରେ କହିଲା–ତେବେ କ’ଣ ସେ ବି ଏଇଠି ? ତା’ ଘର–ଲୋକେ ତ ଖୁବ୍ ଅସନ୍ତୁଷ୍ଟ ହୋଇଥିବେ ?

 

ସମସ୍ତ ମହିଳା କାନ୍ଦିଉଠିଲେ । ଏହି ପ୍ରଶ୍ନ ଯେପରି ସେମାନଙ୍କ ହୃଦୟକ ଚିପୁଡ଼ି ଦେଲା-। ଅମର ଚକିତ ନେତ୍ରରେ ପ୍ରତ୍ୟେକର ମୁହଁକୁ ଚାହିଁବାକୁ ଲାଗିଲା । ଗୋଟାଏ ଅନିଷ୍ଟ ଆଶଙ୍କାରେ ତା’ର ଶରୀର ଥରି ଉଠିଲା । ଏମାନଙ୍କ ମୁଖମଣ୍ଡଳରେ ବିଜୟଦୀପ୍ତି ନାହିଁ, ଶୋକଛାୟା ଅଙ୍କିତ-! ଅଧୀର ହୋଇ କହିଲା–କାହିଁ, ନୟନା କେଉଁଠି ଅଛି । ଏଠିକି ଆସୁ ନାହିଁ କାହିଁକି ? ତା’ ଦେହ କ’ଣ ଭଲ ନାହିଁ ?

 

ରେଣୁକା ହୃଦୟକୁ ଦମ୍ଭ କରି କହିଲେ–ନୟନାକୁ ଯାଇ ଛକ ଉପରେ ଦେଖିବାରେ ବାପା ! ସେଇଠି ତା’ର ମୂର୍ତ୍ତି ସ୍ଥାପନ କରାଯିବ । ସେ ଆଜି ତୁମ ନଗରର ରାଣୀ । ତାକୁ ତୁମେ ପ୍ରତି ହୃଦୟର ଶ୍ରଦ୍ଧାର ସିଂହାସନରେ ବସିଥିବାର ଦେଖିବ ।

 

ଅମର ଉପରେ ସତେ କି ବଜ୍ରପାତ ହେଲା । ସେ ଦୁଇ ହାତରେ ମୁହଁ ଢାଙ୍କି ଭୂଇଁରେ ବସିପଡ଼ି କଇଁକଇଁ ହୋଇ କାନ୍ଦିବାକୁ ଲାଗିଲା । ତାକୁ ବୋଧ ହେଲା–ଏଣିକି ତା’ର ସଂସାରରେ ରହିବା ବୃଥା । ନୟନା ଦିବ୍ୟ ବିଭୂତିରେ ବିଭୂଷିତା ହୋଇ ଯେପରି ତାକୁ ନିମନ୍ତ୍ରଣ କରୁଛି ।

 

ରେଣୁକା ତା’ ମୁଣ୍ଡ ଉପରେ ହାତ ରଖି କହିଲେ–ପୁଅ ! ତା’ପାଇଁ କାନ୍ଦୁଛ କ’ଣ ? ସେ ତ ମରିନାହିଁ, ଅମର ହୋଇଯାଇଛି । ତା’ର ପ୍ରାଣରେ ଏ ଯଜ୍ଞର ପୂର୍ଣ୍ଣାହୁତି ହୋଇଛି ।

 

ସଲୀମ୍ ଗଳା ସଫା କରି କହିଲା–ଘଟଣାଟା କ’ଣ ? ଗୁଳି ବାଜିଗଲା ନା କ’ଣ ?

 

ରେଣୁକା ସେ ଭାବକୁ ଉପେକ୍ଷା କରି କହିଲେ–ନାଇଁରେ ବାପା, ଗୁଳି କ’ଣ ଚାଲିଥିଲା ନା କାହାରି ସଙ୍ଗେ ଲଢ଼େଇ ହେଉଥିଲା ? ପଡ଼ିଆରୁ ଶୋଭାଯାତ୍ରା ନେଇ ମ୍ୟୁନିସିପାଲଟି ଅଫିସ୍ ଆଡ଼କୁ ଗଲାବେଳେ ତ ତା’ ସହିତ ଲକ୍ଷେ ଲୋକରୁ କମ୍ ନଥିଲେ । ସେତିକିବେଳେ ଧନୀରାମ ଯାଇ ତାକୁ ଗୁଳି କରିଦେଲା । ସେଇଠି ଟଳିପଡ଼ିଲା । ମୁହଁ ଖୋଲି ପଦେ କହିପାରି ନାହିଁ । ରାତି–ଦିନ ତ ଭାଇ ପାଖରେ ତା’ ଜୀବନ ଥାଏ । ସେ ତ ସ୍ୱର୍ଗକୁ ଗଲାରେ, ବାପ ! ଆମକୁ ଏଠି କାନ୍ଦିବାପାଇଁ ଛାଡ଼ିଦେଇ ଗଲା ।

 

ଅମରର ଯେତିକି ଯେତିକି ନୟନା ବିଷୟ ମନେ ପଡ଼ୁଥାଏ, ତା’ ମନରେ ସେତିକି ବିଷାଦର ସ୍ରୋତ ଫୁଟି ଉଠୁଥାଏ । ହାୟ ! ସେହି ଦେବୀ ପ୍ରତି ସେ ଗୋଟିଏ ହେଲେ କର୍ତ୍ତବ୍ୟ ପାଳନ କରି ନାହିଁ । ଏହି କଥା ଭାବି ତା’ ହୃଦୟ କୁହୁଳି ଉଠୁଥିଲା । ସେ ଯଦି ଘର ଛାଡ଼ି ପଳାଇ ନଥାନ୍ତା, ତେବେ ଲାଲାଜୀ କାହିଁକି ତାକୁ ସେହି ଲୋଭୀ ଧନୀରାମଟା ଗଳାରେ ଛନ୍ଦି ଦେଇଥାନ୍ତେ ! ଆଉ କାହିଁକି ବା ତା’ର ଏହିପରି ଶୋଚନୀୟ ମୃତ୍ୟୁ ହୋଇଥାନ୍ତା !

 

କିନ୍ତୁ ସହସା ଏହି ଶୋକ–ସାଗରରେ ବୁଡ଼ିଯାଉଥିବା ସମୟରେ ତାକୁ ଐଶ୍ଵରିକ ବିଧାନରୂପୀ ନୌକା ମିଳିଗଲା । ଐଶୀପ୍ରେରଣା ବିନା ସେବା ପ୍ରତି କାହା ମନରେ ଏପରି ଅନୁରାଗ ଜନ୍ମିବ କିପରି ? ଏହାଠାରୁ ବଳି ଜୀବନର ସଦୁପଯୋଗ ଆଉ କ’ଣ ହୋଇପାରେ ! ଗୃହସ୍ଥିର ସଂଚୟରେ, ସ୍ଵାର୍ଥର ଉପାସନାରେ ତ ସାରା ସଂସାର ମରୁଛି । ପରୋପକାର ପାଇଁ ପ୍ରାଣ ଦେବାର ସୌଭାଗ୍ୟ କେବଳ ପୁଣ୍ୟବାନ୍‍ହିଁ ପାଇଥାଏ । ଅମରର ଶୋକମଗ୍ନ ଆତ୍ମା ନିଜର ଚତୁର୍ଦ୍ଦିଗରେ ଦେଖିବାକୁ ପାଇଲା ଐଶ୍ଵରିକ କୃପାରୁ ଆଶ୍ଚର୍ଯ୍ୟ କର୍ମ–ବ୍ୟାପକ, ଅସୀମ, ଅନନ୍ତ ।

 

ସଲୀମ୍ ପୁଣି ପଚାରିଲା–ବିଚାରା ଲାଲାଜୀଙ୍କ ହୃଦୟରେ ବଡ଼ ଆଘାତ ଲାଗିଥିବ ?

 

ରେଣୁକା ଗର୍ବର ସହିତ କହିଲେ–ସେ ତ ପୂର୍ବରୁ ଗିରଫ୍ ହୋଇ ଯାଇଥିଲେ, ପୁଅ ! ଆଉ ଶାନ୍ତିକୁମାରବି.....

 

ଅମର ଅନୁଭବ କଲା, ତା’ର ଚକ୍ଷୁର ଜ୍ୟୋତି ଦ୍ୱିଗୁଣିତ ହୋଇଯାଇଛି, ବାହୁରେ ଚତୁର୍ଗୁଣ ବଳ ସଞ୍ଚରି ଉଠିଛି । ସେ ସେଇଠି ଈଶ୍ଵରଙ୍କ ଶ୍ରୀଚରଣ ଉଦ୍ଦେଶ୍ୟରେ ନତଶିର ହେଲା । ତା’ ନେତ୍ରରୁ ଯେଉଁ ମୁକ୍ତା ଝରିପଡ଼ିଲା, ତାହା ବିଷାଦଜନିତ ନୁହେଁ, ଉଲ୍ଲାସ ଓ ଗର୍ବଜଡ଼ିତ । ତା’ ହୃଦୟରେ ଏପରି ଈଶ୍ଵର–ନିଷ୍ଠା ଜାଗ୍ରତ ହେଲା ଯେ ସେ ଭାବିଲା–ସେ କିଛି ନୁହେଁ; ଯାହା କିଛି ଅଛି, ସବୁ ଈଶ୍ୱରଙ୍କ ଇଚ୍ଛାରେ; ଯାହା କିଛି ହେଉଛି, ସବୁ ସେହି କରୁଛନ୍ତି । ସେହି ହେଉଛନ୍ତି ସକଳ ମଙ୍ଗଳର ମୂଳ, ସିଦ୍ଧିଦାତା । ସକୀନା ଓ ମୁନ୍ନୀ ତା’ ଆଗରେ ଠିଆ ହୋଇଥିଲେ । ସେମାନଙ୍କ ସୌନ୍ଦର୍ଯ୍ୟ ଦେଖିଲେ ତା’ ମନରେ ବାସନା–ବତାସ ବହୁଥିଲା; ମାତ୍ର ସେହି ସୌନ୍ଦର୍ଯ୍ୟରେ ଆଜି ସେ ନିର୍ମଳ ପ୍ରେମର ଦର୍ଶନ ପାଉଛି, ଯାହାକି ଆତ୍ମାର ବିକାରକୁ ଶାନ୍ତ କରି ଦେଉଛି ତାକୁ ସତ୍ୟାଲୋକରେ ଭରି ଦେଉଛି । ସେଥିରେ ଲାଳସା ସ୍ଥାନରେ ଉତ୍ସର୍ଗ, ଭୋଗ ସ୍ଥଳରେ ତପସ୍ୟାକୁ ପ୍ରତିଷ୍ଠା କରୁଛି । ତାକୁ ଆଭାସ ହେଲା–ସେ ଉପାସକ ଓ ସେହି ରମଣୀ ଦୁହେଁ ତା’ର ଉପାସ୍ୟା ଦେବୀ । ସେମାନଙ୍କର ଚରଣରେଣୁ ଶିରରେ ଧାରଣ କରିପାରିଲେ ଯେପରି ତା’ର ଜୀବନ ସାର୍ଥକ ହୁଅନ୍ତା !

 

ରେଣୁକା ନାତିକୁ ସକୀନାର କୋଳରୁ ନେଇ ଅମର ଆଡ଼କୁ ବଢ଼ାଇଦେଇ କହିଲେ–ଏ ପରା ତୋ ବାପାରେ ଟୋକା ! ତାଙ୍କ ପାଖକୁ ଯାଉନୁ ।

 

ବାଳକଟି ଅମରକାନ୍ତର ସେହି କଇଦୀ ବେଶକୁ ଚାହିଁଲେମାତ୍ରେ ଚିତ୍କାର କରି ରେଣୁକାଙ୍କ ଦେହରେ ଜଡ଼ିଗଲା । ପୁଣି ତାଙ୍କ କୋଳରେ ମୁହଁ ଲୁଚାଇ କୋଣେଇ କୋଣେଇ ତାକୁ ଚାହିଁବାକୁ ଲାଗିଲା । ସତେ ଯେପରି ମିଶିବାକୁ ଚାହୁଁଛି, କିନ୍ତୁ ଡରୁଛି–କାଳେ ଏ ସିପାହୀଟା ଧରି ନେଇଯିବ ! କାରଣ ସେପରି ବେଶ ପିନ୍ଧିଥିବା ଲୋକଟି ଯେ ତା’ର ପିତା, ଏ ବିଷୟରେ ତା’ ମନରେ ସନ୍ଦେହ ହେଉଥିଲା ।

 

ସୁଖଦାର ପିଲାଟି ପ୍ରତି କ୍ରୋଧ ଆସିଲା, କେଡ଼େ ଡରୁଆଟା ମ ! ସେ ଯେପରି ୟାକୁ ଖାଇ ଯାଉଛନ୍ତି ! ତା’ର ଇଚ୍ଛା ହେଉଥାଏ, ଏ ଭିଡ଼ଟା ଭାଙ୍ଗିଯାନ୍ତା କି ଏକାନ୍ତରେ ଅମର ସହ ମନ ଖୋଲି ଦୁଇପଦ କଥାବାର୍ତ୍ତା କରନ୍ତା । ପୁଣି କେବେ ଭେଟ ହେବ କେଜାଣି !

 

ଅମର ସୁଖଦା ଆଡ଼କୁ ଚାହିଁ କହିଲା–ଆପଣମାନେ ଏ କ୍ଷେତ୍ରରେ ମଧ୍ୟ ଆମଠୁଁ ବାଜି ମାରିନେଲେ । ଆପଣମାନେ ଯେଉଁ କାମର ଦାୟିତ୍ଵ ନେଲେ, ତାକୁ ସମ୍ପୂର୍ଣ୍ଣ କରି ଦେଖାଇଦେଲେ-। ଆମେ ତ ଯେଉଁଠି ଛିଡ଼ା ହୋଇଥିଲୁ, ଏପର୍ଯ୍ୟନ୍ତ ସେଇଠି ଅଛୁ । ସଫଳତାର ଦର୍ଶନ ମିଳୁଛି କି ନାହିଁ, କିଏ ଜାଣେ ? ଏଠାରେ ଅଳ୍ପେ–ବହୁତେ ଯେଉଁ ଆନ୍ଦୋଳନ ହୋଇଛି, ସେଥିରେ ମଧ୍ୟ ଭଉଣୀ ମୁନ୍ନୀ ଓ ଭଉଣୀ ସକୀନାର ଗୌରବ ଅଛି । ଏହି ଦୁଇଟିଯାକ ଭଉଣୀଙ୍କ ହୃଦୟରେ ଦେଶ ପ୍ରତି ଯେଉଁ ଅନୁରାଗ ଓ କର୍ତ୍ତବ୍ୟପାଇଁ ଯେଉଁ ତ୍ୟାଗ, ତାହା ଆମ ମଥାକୁ ଉନ୍ନତ କରି ଦେଇଛି-। ସୁଖଦା ଯାହା ଯାହା କରିଛନ୍ତି, ତା’ ତ ଆପଣମାନେ ମୋଠାରୁ ବେଶି ଜାଣନ୍ତି । ଆଜିକୁ ପ୍ରାୟ ତିନିବର୍ଷ ହୋଇଗଲା, ମୁଁ ବିଦ୍ରୋହ କରି ଘରୁ ପଳାଇଥିଲି । ମୁଁ ଭାବିଥିଲି ୟାଙ୍କ ସହିତ ପଡ଼ି ମୋ ଜୀବନବି ନଷ୍ଟ ହୋଇଯିବ । କିନ୍ତୁ ଆଜି ମୁଁ ଭାବୁଛି, ତାଙ୍କ ପାଦଧୂଳି ନେଇ ମଥାରେ ଲଗାଇ ପାରିଲେ ମୁଁ ଧନ୍ୟ ହେବି । ସମସ୍ତ ମା’–ଭଉଣୀଙ୍କ ଆଗରେ ତାଙ୍କୁ କ୍ଷମା ମାଗୁଛି-

 

ସଲୀମ୍ ସ୍ମିତ ମୁଖରେ କହିଲା–ଏମିତି ମୁହେଁ ମୁହେଁ ହେବ ନାହିଁ–କାନ ଧରି ଲକ୍ଷେ ଥର ଉଠ୍–ବସ୍ ।

 

ଅମର ତାକୁ ବକ୍ର ଭାବରେ ଚାହିଁ କହିଲା–ବର୍ତ୍ତମାନ ତୁ ଆଉ ମାଜିଷ୍ଟ୍ରେଟ ନାହୁଁ ଯେ ଭାଇ ! ଭୁଲି ଯା’ ନା । ଆଉ ଏମିତି ଶାସ୍ତି ଦେଇପାରିବୁ ନାହିଁ ।

 

ସଲୀମ୍ ଆହୁରି ଦୁଷ୍ଟାମି ବାହାର କଲା । ସକୀନାକୁ କହିଲା–ତୁମେ ଚୁପ୍‌ଚାପ୍ ଠିଆ ହୋଇଛ ଯେ, ସକୀନା ! ତୁମେବି ୟାଙ୍କୁ କିଛି କହିବ ତ, ନା ମୌକା ଖୋଜୁଛ ?

 

ପୁଣି ଅମରକୁ କହିଲା–ଜନାବ୍ ! ଆପଣ ନିଜ ସଂକଳ୍ପକୁ ଫାଙ୍କିଦେଇ ପାରିବେ ନାହିଁ ଯେ । ଯାହା କଥା ଦେଇଛନ୍ତି, ତାକୁ ପୂରଣ କରିବାକୁ ପଡ଼ିବ !

 

ସକୀନାର ମୁହଁ ଲାଜରେ ଲାଲ ପଡ଼ିଗଲା । ଇଚ୍ଛା ହେଉଥାଏ, ଯାଇ ସଲୀମ୍‌କୁ ଚିମୁଟି ଦେବାକୁ ! ତା’ ମୁହଁରେ ବିଜୟ ଓ ଆନନ୍ଦର ଏପରି ଗାଢ଼ରଙ୍ଗ ଫୁଟି ଉଠିଥାଏ ଯେ ଲୁଚାଇଲେ ଲୁଚୁ ନଥାଏ । ସତେ ବା ତା’ ମୁହଁରେ ବହୁଦିନୁ ଲାଗିଥିବା କାଳିମା ଆଜି ଧୋଇଯାଇଛି ଓ ଦୁନିଆ ଆଗରେ ତା’ର ନିଷ୍କଳଙ୍କତାର ଡେଙ୍ଗୁରା ପିଟୁଛି । ସେ ପଠାଣୁଣୀକୁ ଏପରି ଦୃଷ୍ଟିରେ ଚାହିଁଲା, ଯାହାକି ତିରସ୍କାରପୂର୍ଣ୍ଣ ବାକ୍ୟରେ କହୁଥିଲା–ଏବେ ଜାଣିଲୁ ତ, କେଡ଼େ ବଡ଼ ଅନର୍ଥ ତୁ ସୃଷ୍ଟି କରିଥିଲୁ ! ନିଜ ଦୃଷ୍ଟିରେ ସେ କେବେ ଏତେ ଉଚ୍ଚକୁ ଉଠି ନଥିଲା । ଜୀବନରେ ସେ ଏତେ ଶ୍ରଦ୍ଧା, ଏତେ ସମ୍ମାନ ପାଇବ, ଏହା ସେ କେବେ କଳ୍ପନା କରି ନଥିଲା ।

 

ସୁଖଦାର ମୁଖମଣ୍ଡଳରେ ମଧ୍ୟ ଗର୍ବ ଓ ଉଲ୍ଲାସର ଝଲକ କମ୍ ନଥିଲା । ତାକୁ ଆଚ୍ଛନ୍ନ କରି ରଖିଥିବା କଠୋରତା ଓ ଗରିମା ସ୍ଥାନରେ ଯେପରି ମାଧୁର୍ଯ୍ୟ ଫୁଟି ଉଠିଥିଲା । ଆଜି ଏପରି ଏକ ବିଭୂତି ସେ ପାଇଛି, ଯାହାର କାମନାରେ ସେ ପରୋକ୍ଷରେ ହେଲେବି ଏକ ରିକ୍ତତା, ଏକ ଅପୂର୍ଣ୍ଣତାର ସୂଚନା ପାଉଥିଲା । ଆଜି ସେହି ରିକ୍ତତା ଯେପରି ମଧୁରେ ପୂର୍ଣ୍ଣ ହୋଇଯାଇଛି, ସେହି ଅପୂର୍ଣ୍ଣତା ଯେପରି ପଲ୍ଲବଯୁକ୍ତ ହୋଇଯାଇଛି । ଆଜି ସେ ପୁରୁଷର ପ୍ରେମ ମଧ୍ୟରେ ପାଇଛି ନିଜର ନାରୀତ୍ଵକୁ । ତା’ ହୃଦୟରେ ଜଡ଼ିତ ହୋଇ ନିଜକୁ ହଜାଇ ଦେବାପାଇଁ ଆଜି ତା’ର ପ୍ରାଣ କି ବ୍ୟାକୁଳ ହେଉଛି ! ଆଜି ତା’ର ତପସ୍ୟା ସତେ ଫଳୀଭୂତ ହୋଇଛି !

 

ବାକି ରହିଲା ମୁନ୍ନୀ । ସେ ଅଲଗା ହୋଇ ଉଦାସୀନ ଭାବରେ ମୁଣ୍ଡ ନୁଆଁଇ ଠିଆ ହୋଇଛି । ତା’ ଜୀବନର ଶୂନ୍ୟ ତୋରଣ ଉପରେ କେଜାଣି କୁଆଡ଼ୁ ପକ୍ଷୀଟିଏ ଉଡ଼ିଆସି ବସିଯାଇଥିଲା । ତାକୁ ଦେଖି ସେ କାନିପଣତରେ ଦାନା ଧରି ‘ଆ–ଆ’ ଡାକି ଡାକି ପାଦ ଚାପି ଚାପି ଛୁଟିଯାଇଥିଲା, ଭୂମିରେ ଦାନା ବିଛୁଡ଼ି ଦେଇଥିଲା । ପକ୍ଷୀଟି ଦାନା ଖୁମ୍ପୁଥିଲା ଓ ତାକୁ ବିଶ୍ୱାସପୂର୍ଣ୍ଣ ଆଖିରେ ଚାହୁଁଥିଲା, ସତେ କି ପଚାରୁଥିଲା–‘ତୁମେ ମୋତେ ସ୍ନେହରେ ପାଳିବ ତ ? ନା ଚାରି ଦିନପାଇଁ ମନ ବହଲାଇ ପୁଣି ପର କାଟିପକାଇ ନିରାଶ୍ରୟ କରି ଛାଡ଼ିଦେବ !’ କିନ୍ତୁ ସେ ପକ୍ଷୀଟିକୁ ଧରିବାପାଇଁ ସେମିତି ହାତ ବଢ଼ାଇଛି, ପକ୍ଷୀଟି ଉଡ଼ିଯାଇ ଦୂରରେ ଗୋଟିଏ ଡାଳ ଉପରେ ବସିଲା ଓ କପଟପୂର୍ଣ୍ଣ ଦୃଷ୍ଟିରେ ଚାହିଁଲା । ଯେପରି କହିଲା–ମୁଁ ଆକାଶଚାରୀ, ତୁମ ପିଞ୍ଜରାରେ ମୋପାଇଁ ଶୁଖିଲା ଦାନା ଓ ସରାରେ ପାଣି ଛଡ଼ା ଆଉ କ’ଣ ବା ଅଛି ?

 

ସଲୀମ୍ ହାଣ୍ଡିରେ ଚୂନ ଢାଳିଦେଲା । ସକୀନା ଓ ମୁନ୍ନୀ ଗୋଟିଏ ଗୋଟିଏ ବାଲଟି ଧରି ପାଣି ଆଣିବାକୁ ବାହାରିଲେ ।

 

ଅମର କହିଲା–ବାଲଟି ମୋତେ ଦିଅ, ମୁଁ ଭରି ଆଣୁଛି !

 

ମୁନ୍ନୀ କହିଲା–ତୁମେ ପାଣି ଭରିବ, ଆଉ ଆମେ ବସି ଦେଖୁଥିବୁ ?

 

ଅମର ହସି ହସି କହିଲା–ଆଉ କ’ଣ ତୁମେ ପାଣି ଭରିବ, ମୁଁ ତାମସା ଦେଖିବି ?

 

ମୁନ୍ନୀ ବାଲଟିଟା ନେଇ ପଳାଇଲା ଓ ସକୀନା ତା’ ପଛେ ପଛେ ଦଉଡ଼ିଲା ।

 

ରେଣୁକା ଜୁଆଇଁପାଇଁ କିଛି ଜଳଖିଆ ପ୍ରସ୍ତୁତ କରି ଆଣିବାକୁ ଚାଲିଯାଇଥିଲେ । ଏ ଜେଲ୍‌ରେ ବିଚାରୀକୁ ରୋଟି–ଡାଲି ଛଡ଼ା ଆଉ ମିଳୁଛି କ’ଣ ? ତାଙ୍କର ଇଚ୍ଛା ହେଉଥାଏ ଶହ ଶହ ପ୍ରକାର ଖାଦ୍ୟ ପ୍ରସ୍ତୁତ କରି ବିଧିପୂର୍ବକ ଜୁଆଇଁକୁ ଖୁଆନ୍ତେ ! ଜେଲ୍‌ରେ ମଧ୍ୟ ରେଣୁକାଙ୍କୁ ଘର ଭଳି ସୁଖ–ସୁବିଧା ମିଳୁଥାଏ । ଲେଡ଼ି ଜେଲର୍, ପହରାବାଲୀ ଇତ୍ୟାଦି ସମସ୍ତ କର୍ମଚାରୀ ଥିଲେ ତାଙ୍କର ଗୋଲାମ । ପଠାଣୁଣୀ ଠିଆ ହୋଇ ହୋଇ ଥକିଯିବାରୁ ଯାଇ ଶୋଇଥିଲା । ମୁନ୍ନୀ ଓ ସକୀନା ପାଣି କାଢ଼ିବାକୁ ଚାଲିଗଲେ । ସଲୀମ୍‍ର ସକୀନାକୁ କହିବାପାଇଁ ବହୁତ କଥା ଥିଲା । ସେ ମଧ୍ୟ କୂଅ ପାଖକୁ ଚାଲିଗଲା । ସେଠାରେ ରହିଗଲେ କେବଳ ଅମର ଓ ସୁଖଦା ।

 

ଅମର ସୁଖଦା ନିକଟକୁ ଯାଇ ପିଲାଟିକୁ କୋଳାଇ ପକାଇ କହିଲା–ଏଇ ଜେଲ୍ ତ ମୋପାଇଁ ସ୍ଵର୍ଗ ପାଲଟି ଯାଇଛି, ସୁଖଦା ! ଯେତିକି ତପସ୍ୟା କରିଥିଲି, ତା’ଠାରୁ ବହୁତ ଅଧିକ ବର ପାଇଗଲିଣି । ଯଦି ହୃଦୟ ଦେଖାଇବା ସମ୍ଭବ ହୋଇଥାନ୍ତା, ତେବେ ଦେଖାଇ ଦିଅନ୍ତି ଯେ ମୁଁ ତୁମ କଥା କେତେ ମନେପକାଏ । ନିଜର ଭୁଲପାଇଁ ବରାବର ଅନୁତାପ କରେ ।

 

ସୁଖଦା ବାଧା ଦେଲା–ଆଚ୍ଛା, ଏଣିକି ତୁମେ ମିଛ କହିବାକୁବି ଅଭ୍ୟାସ କଲଣି, ଦେଖୁଛି-! ତୁମ ହୃଦୟର ଖବର ମୁଁ ବି କିଛି କିଛି ଜାଣେ ଯେ । ସେଥିରେ ତଳୁ ଉପର ପର୍ଯ୍ୟନ୍ତ, କ୍ରୋଧ ଭର୍ତ୍ତି ହୋଇଛି, ଦୟା କ୍ଷମାର ନାମଗନ୍ଧ ନାହିଁ । ମୁଁ ବିଳାସିନୀ ସତ; କିନ୍ତୁ ତୁମେ ତ ଜାଣ, ସେ ଦୋଷ ମୋର ନୁହେଁ–ମୋ ସଂସାରର । ଏହି ଅପରାଧ ପାଇଁ ଏଡ଼େ କଠୋର ଶାସ୍ତି !

 

ଅମର ଲଜ୍ଜିତ ହୋଇ କହିଲା–ଏ ତୁମର ଅନ୍ୟାୟ, ସୁଖଦା !

 

ସୁଖଦା ତା’ ଓଠକୁ ଉପରକୁ ଟେକି ଦେଇ କହିଲା–ମୋ ଆଡ଼କୁ ଚାହିଁଲ । ମୋରି ଏକା ଅନ୍ୟାୟ ! ତୁମେ ନ୍ୟାୟର ପ୍ରତିମାଟିଏ ? ତୁମେ ଶହ ଶହ ଚିଠି ଦେଲ, ଆଉ ମୁଁ ଖଣ୍ଡିକରବି ଉତ୍ତର ଦେଲି ନାହିଁ, ନା କ’ଣ ? ମୁଁ ଭାବୁଛି, ତୁମେ ଏତେ ରାଗିପାରିଲ କିପରି ! ମନୁଷ୍ୟର ପଶୁ ପ୍ରତିବି ପ୍ରେମ ହେଉଛି, ମୁଁ ତ ଯେତେହେଲେବି ମଣିଷଟା । ରୁଷିଲ ବୋଲି ଏମିତି ଭୁଲିଗଲ ଯେ ମୁଁ ଯେମିତି ମରିଗଲିଣି !

 

ଅମର ଏହି ଆକ୍ଷେପର କୌଣସି ଉତ୍ତର ଦେଇ ନ ପାରିଲେ ମଧ୍ୟ କହିଲା–ତୁମେବି ଖଣ୍ଡିଏ ହେଲେ ପତ୍ର ଲେଖି ନାହଁ ତ ! ଆଉ ମୁଁ ଲେଖିଥିଲେବି ତୁମେ କ’ଣ ଉତ୍ତର ଦେଇଥାନ୍ତ ? ସତ କହିବ ।

 

‘‘ତେବେ ତୁମେ ମୋତେ ଅକଲ ଶିଖାଇବାକୁ ବସିଥିଲ ?”

 

ଅମରକାନ୍ତ ତତ୍‌କ୍ଷଣାତ୍ ସେହି ଆକ୍ଷେପକୁ ଖଣ୍ଡନ କଲା–ନା–ନା, ସୁଖଦା ! ସେ କଥା ନୁହେଁ । ହଜାର ବାର ଇଚ୍ଛା ହୋଇଛି ତୁମକୁ ଚିଠି ଲେଖିବାପାଇଁ । କିନ୍ତୁ…

 

ସୁଖଦା ବାକ୍ୟ ପୂରଣ କଲା–କିନ୍ତୁ ଭୟ ହେଉଥିଲା, କାଳେ ମୁଁ ତୁମ ଚିଠିକୁ ନ ଛୁଇଁବି ! ନାରୀ ମନ ବିଷୟରେ ତୁମେ ଯଦି ଏହି ଧାରଣା ରଖିଥାଅ, ତେବେ ମୁଁ କହିବି ତୁମେ ସେ ବିଷୟରେ କିଛି ହେଲେ ଜାଣ ନାହିଁ ।

 

ଅମର ପରାଜୟ ସ୍ଵୀକାର କଲା–ତେବେ ମୁଁ ନାରୀ ହୃଦୟର ପକ୍କା ଚିହ୍ନରା ବୋଲି କେବେ ଭଲା ଘୋଷଣା କରିଛି !

 

ସେ ଘୋଷଣା କରୁ କି ନ କରୁ, ସୁଖଦାର ଧାରଣା ହୋଇଯାଇଛି ଯେ ସେ ଏହିପରି ଅହଂକାର କରେ । ମଧୁର ତିରସ୍କାରମୟ ସ୍ୱରରେ କହିଲା–ସ୍ତ୍ରୀକୁ ପାଦତଳେ ପକାଇବାରେ ତ ପୁରୁଷର ବାହାଦୁରି ନଥାଏ । ମୁଁ ଯେ ତୁମକୁ ଚିଠି ନ ଦେଲି, ତା’ର କାରଣ ଅଛି–ମୁଁ ଭାବୁଥିଲି, ତୁମେ ମୋ ପ୍ରତି ଅନ୍ୟାୟ କରିଛ, ମୋର ଅପମାନ କରିଛ । ହଉ, ଛାଡ଼ ସେ କଥା । ଆଚ୍ଛା, କହିଲ ଦେଖି–ଜିତାପଟ କାହାର ହେଲା, ମୋର ନା ତୁମର ?

 

ଅମର କହିଲା–ମୋର ।

 

“ଆଉ, ମୁଁ ତ କହୁଛି, ମୋର ।”

 

‘‘କେମିତି ?”

 

“ତୁମେ ବିଦ୍ରୋହ କରିଥିଲ । ମୁଁ ଦମନ କରି ଠିକ୍ କରିଦେଲି ।”

 

‘‘ନା–ନା, ତୁମେ ମୋର ଦାବିଗୁଡ଼ିକ ପୂର୍ଣ୍ଣ କରିଦେଲ ।”

 

ଏହି ସମୟରେ ସେଠ୍ ଧନୀରାମ ଜେଲ୍‌ରେ କର୍ମକର୍ତ୍ତା ଓ କର୍ମଚାରୀମାନଙ୍କ ସହ ଭିତରେ ପ୍ରବେଶ କଲେ । ଲୋକେ କୌତୂହଳୀ ହୋଇ ସେମାନଙ୍କୁ ଚାହିଁ ରହିଲେ । ସେଠ୍ ଏତେ ଦୁର୍ବଳ ହୋଇ ଯାଇଥାନ୍ତି ଯେ ବଡ଼ କଷ୍ଟରେ ବାଡ଼ିଭରା ଦେଇ ଚାଲୁଥାନ୍ତି । ପ୍ରତି ପଦରେ କାଶି କାଶି ଯାଉଥାନ୍ତି ।

 

ଅମର ଆଗେଇ ଯାଇ ତାଙ୍କୁ ପ୍ରଣାମ କଲା । ତାଙ୍କୁ ଦେଖିବାକ୍ଷଣି ତାଙ୍କ ପ୍ରତି ତା’ ମନରେ ଥିବା ଦ୍ଵେଷ କୁଆଡ଼େ ଉଭେଇଗଲା ।

 

ସେଠଜୀ ତାକୁ ଆଶୀର୍ବାଦ ଦେଇ କହିଲେ–ମୋତେ ଏଠାରେ ଦେଖି ତୁମକୁ ଆଶ୍ଚର୍ଯ୍ୟ ଲାଗୁଥିବ, ବାପା ! ତୁମେ ଭାବୁଥିବ, ବୁଢ଼ାଟା ଏପର୍ଯ୍ୟନ୍ତ ବଞ୍ଚିଛି, ୟାକୁ ମରଣ ହେଉ ନାହିଁ କାହିଁକି-? ଏଇଟା ମୋର ଦୁର୍ଭାଗ୍ୟ ଯେ ସଂସାର ମୋତେ ସବୁଦିନ ପାଇଁ ଅବିଶ୍ଵାସ ଦୃଷ୍ଟିରେ ଦେଖିଆସିଛି-। ମୁଁ ଯାହାକିଛି କରିଛି, ସବୁଥିରେ ସ୍ଵାର୍ଥର ଅପବାଦ ଲାଗିଛି । ମୋ ହୃଦୟରେ କିଛି ସତ୍ୟ ଅଛି, କିଛି ମନୁଷ୍ୟତା ଅଛି, ଏହା କେହି କେବେ ସ୍ଵୀକାର କରି ନାହିଁ । ଦୁନିଆ ଆଖିରେ ମୁଁ ଗୋଟାଏ ହୀନ ପଶୁ । କାହିଁକି ନା ମୁଁ ବୁଝେ, ପ୍ରତ୍ୟେକ କାମପାଇଁ ସମୟ ଅଛି । କଞ୍ଚା ଫଳକୁ ପାଳ ଭିତରେ ରଖିଦେଲେ ସେ ପାଚେ ନାହିଁ । ତା’ର ପାଚିବାବେଳ ଆସିଲେ ପାଚେ । ଚାରିଆଡ଼େ ଅନ୍ଧାର ଘୋଟିଯିବା ଦେଖିଲେ ସୂର୍ଯ୍ୟୋଦୟ ବ୍ୟତୀତ ତାହା ଦୂର କରିବାର ଅନ୍ୟ ଉପାୟ ମୋତେ ଦିଶେ ନାହିଁ । କୌଣସି ଅଫିସ୍‌କୁ ଯାଅ, ଦେଖିବ ବିନା ଲାଞ୍ଚ–ରିସ୍‍ବତ୍‌ରେ କାମ ଚଳୁ ନାହିଁ । କାହାରି ଘରକୁ ଯାଅ, ସେଠି ଦ୍ଵେଷର ରାଜୁତି ଚାଲିଥିବ । ସ୍ୱାର୍ଥ, ଅଜ୍ଞାନ, ଆଳସ୍ୟ ଆମକୁ ବାନ୍ଧି ରଖିଛି । ଏ ସବୁକୁ କେବଳ ଈଶ୍ଵରଙ୍କ ଇଚ୍ଛା ଦୂର କରିପାରିବ । ଆମେ ଆମର ପୁରାତନ ସଂସ୍କୃତିକୁ ଭୁଲିଗଲୁଣି-। ସେ ଥିଲା ଆତ୍ମା–ପ୍ରଧାନ ସଂସ୍କୃତି । ଈଶ୍ଵରଙ୍କ କୃପା ନ ହେଲାଯାଏ ତା’ର ପୁନର୍ବିକାଶ ହୋଇପାରିବ ନାହିଁ, ଆଉ ସଂସ୍କୃତିର ପୁନର୍ବିକାଶ ନ ହେବା ପର୍ଯ୍ୟନ୍ତ ଆମେ କିଛି କରିପାରିବା ନାହିଁ-। ଏପରି ଆନ୍ଦୋଳନରେ ମୋର ବିଶ୍ଵାସ ନାହିଁ । ଏ ସବୁ ହେତୁରୁ ପ୍ରେମ ବଦଳରେ ଦ୍ଵେଷ ବଢ଼େ-। ଯେ ପର୍ଯ୍ୟନ୍ତ ରୋଗର ନିଦାନ ଠିକ୍ ନ ହେବ, ତା’ର ଔଷଧବି ଠିକ୍ ହେବ ନାହିଁ । କେବଳ ବାହାର ଦେଖାଣିଆକୁ ରୋଗ ଭଲ ହୋଇଯିବ ସିନା !

 

ଅମର ଏ ପ୍ରଳାପ ଉପରେ ଉପେକ୍ଷାର ହସ ହସି କହିଲା–ତେବେ ତ ଆମେ ସେହି ଶୁଭ ଅବସରର ଅପେକ୍ଷାରେ ହାତଯୋଡ଼ି ବସିରହିବା ?

 

ଜଣେ ୱାର୍ଡ଼ର୍ ଧାଇଁଯାଇ କେତୋଟି ଚେଆର୍ ନେଇ ଆସିଲା । ସେଠ୍‌ଜୀ ଓ ଜେଲ୍‌ର ଦୁଇ ଅଧିକାରୀ ବସିଲେ । ସେଠ୍‌ଜୀ ପାନ ବାହାର କରି ଖାଇଲେ ଓ ଇତିମଧ୍ୟରେ ଏ ପ୍ରଶ୍ନର ଉତ୍ତର ମଧ୍ୟ ଭାବିବାକୁ ଲାଗିଲେ । ତତ୍ପରେ ପ୍ରସନ୍ନମୁଖ ହୋଇ କହିଲେ–ନା, ମୁଁ ତା’ କହୁ ନାହିଁ । ଏ ତ ଅଳସୁଆ ଓ ଅକର୍ମଣ୍ୟଙ୍କ କାମ । ଆମେ ପ୍ରଜାମାନଙ୍କ ମଧ୍ୟରେ ଜାଗରଣ ଓ ସଂସ୍କାର ଉତ୍ପନ୍ନ କରିବାର ଚେଷ୍ଟା କରିବା ଉଚିତ । ଆମର ସମ୍ପୂର୍ଣ୍ଣ ଶକ୍ତି ଜାତିର ଆତ୍ମାକୁ ଜାଗ୍ରତ କରିବାରେ ଲାଗିବା ଉଚିତ । ମୁଁ କେବେ ମାନି ନେଇପାରିବି ନାହିଁ ଯେ ଅଧା ଖଜଣା ଛାଡ଼ ହୋଇଗଲାକ୍ଷଣି ପ୍ରଜାମାନେ ସୁଖର ଶିଖରରେ ପହଞ୍ଚିଯିବେ । ସେମାନଙ୍କ ମଧ୍ୟରେ ସାମାଜିକ, ମାନସିକ ଏତେ ଦୋଷ ରହିଛି ଯେ, ଯାହା ଫଳରେ ଅଧା କ’ଣ ପୂରା ଖଜଣା ଛାଡ଼ି ଦିଆଗଲେବି ସେମାନଙ୍କର ଅବସ୍ଥାର କୌଣସି ପରିବର୍ତ୍ତନ ହେବ ନାହିଁ । ପୁଣି ଏଥିରେ ମଧ୍ୟ ମୁଁ ଏକମତ ନୁହେଁ ଯେ, ଅଭିଯୋଗ କରିବାର ଯେଉଁ ବିଧି ସ୍ଥିର କରାଯାଇଛି ଓ ବ୍ୟବହାର କରାଯାଇଛି, ତା’ ବ୍ୟତୀତ ଅନ୍ୟ କୌଣସି ବିଧି ନଥିଲା ।

 

ଅମର ଉତ୍ତେଜିତ ହୋଇ କହିଲା–ଆମେ ତ ଶେଷ ପର୍ଯ୍ୟନ୍ତ ହାଡ଼–ଗୋଡ଼ ଯୋଡ଼ିଲୁ । ଶେଷରେ ବାଧ୍ୟ ହୋଇ ଏ ଆନ୍ଦୋଳନ ଆରମ୍ଭ କରିବାକୁ ପଡ଼ିଲା ।

 

କିନ୍ତୁ ପରମୁହୂର୍ତ୍ତରେ ସେ ନମ୍ର ହୋଇ କହିଲା–ସମ୍ଭବ ଆମର ଭୁଲ ହୋଇଯାଇଥିବ; କିନ୍ତୁ ସେତେବେଳେ ଆମକୁ ଏହି ଉପାୟହିଁ ଦେଖାଗଲା ।

 

ସେଠଜୀ ଶାନ୍ତିପୂର୍ବକ କହିଲେ–ହଁ, ଭୁଲ; ମସ୍ତବଡ଼ ଭୁଲ । ଶହ ଶହ ଘର ବରବାଦ ହେବା ଛଡ଼ା ଆଉ କି ଫଳ ମିଳିଲା । ଏ ବିଷୟରେ ଗଭର୍ଣ୍ଣର ସାହେବଙ୍କ ସହିତ ମୋର କଥାବାର୍ତ୍ତା ହୋଇଛି । ସେ ମଧ୍ୟ ଏହି କଥା କହୁଛନ୍ତି ଯେ ଏପରି ଜଟିଳ ବ୍ୟାପାରରେ ବିବେକର ସହିତ କାର୍ଯ୍ୟ କରାଯାଇ ନାହିଁ । ତୁମେ ତ ଜାଣ ତାଙ୍କ ସହିତ ମୋର କିପରି ସୁସମ୍ପର୍କ ଅଛି । ନୟନାର ମୃତ୍ୟୁରେ ସେ ସେ ନିଜେ ଶୋକ–ସୂଚକ ତାରବାର୍ତ୍ତା ପଠାଇଥିଲେ । ହଁ, ତୁମେ ବୋଧହୁଏ ଜାଣି ନାହଁ, ଗଭର୍ଣ୍ଣର ସାହେବ ନିଜେ ସେ ଅଞ୍ଚଳରେ ଗସ୍ତ କରିଥିଲେ ଓ ସେଠା ଲୋକମାନଙ୍କ ସହିତ ସାକ୍ଷାତ କରିଥିଲେ । ପ୍ରଥମେ ପ୍ରଥମେ ତ କେହି ତାଙ୍କ ପାଖକୁ ଆସିଲେ ନାହିଁ । ସାହେବ ଭାରି ହସୁଥାନ୍ତି ଯେ ଏପରି ଶୁଖିଲା ଅଭିମାନ ସେ କେବେ ଦେଖି ନଥିଲେ ! ପ୍ରାୟ କାହାରି ପାଖରେ ଦେହ ଢାଙ୍କିବାକୁ ଲୁଗା ଖଣ୍ଡିଏ ନାହିଁ । କିନ୍ତୁ ମିଜାଜ ଏପରି ଯେ କାହାରିକୁ କିଛି କହିବାକୁ ଚାହାନ୍ତି ନାହିଁ ! ଅତି କଷ୍ଟରେ ଅଳ୍ପ କେତେ ଜଣ ଏକାଠି ହେଲେ । ଯେତେବେଳେ ସାହେବ ତାଙ୍କୁ ସାନ୍ତ୍ଵନା ଦେଇ କହିଲେ–‘ତୁମେମାନେ ଭୟ କର ନାହିଁ, ଆମେ ତୁମ ପ୍ରତି ଅନ୍ୟାୟ କରିବାକୁ ଚାହୁଁନା, ସେମାନେ ସେତେବେଳେ କାନ୍ଦି ପକାଇଲେ । ସାହେବ ଏହି ବିବାଦକୁ ଅତିଶୀଘ୍ର ମୀମାଂସା କରି ଦେବାକୁ ଚାହାନ୍ତି । ସେଇଥିପାଇଁ ସେ ଆଦେଶ ଦେଇଛନ୍ତି, ‘ସମସ୍ତ ବନ୍ଦୀଙ୍କୁ ମୁକ୍ତ କରି ଦିଆଯାଉ ଏବଂ ଗୋଟିଏ କମିଟି ଗଢ଼ି ସ୍ଥିର କରାଯାଉ ଯେ ଆମକୁ କ’ଣ କରିବାକୁ ହେବ ।’ ସେହି କମିଟିରେ ତୁମେ ଓ ତୁମର ବନ୍ଧୁ ସଲୀମ୍ ମିଆଁ ତ ନିଶ୍ଚୟ ରହିବ; ଅଧିକନ୍ତୁ ଆଉ ତିନିଜଣ ସଦସ୍ୟ ମନୋନୀତ କରିବାର କ୍ଷମତା ମଧ୍ୟ ତୁମକୁ ଦିଆଯାଇଛି । ସରକାର ପକ୍ଷରୁ କେବଳ ଦୁଇଜଣ ରହିବେ । ମୁଁ ଖାଲି ଏହି ଖବରଟା ଦେବାକୁ ଆସିଛି । ଆଶା କରେ, ଏଥିରେ ତୁମର କୌଣସି ଆପତ୍ତି ନଥିବ ।

 

ସକୀନା ଓ ମୁନ୍ନୀ ଫୁସର–ଫାସର ହେଲେ । ସଲୀମ୍‌ର ମୁହଁ ମଧ୍ୟ ପ୍ରସନ୍ନ ଦିଶିଲା । ମାତ୍ର ଅମର ସେହିପରି ଶାନ୍ତ, ବିଚାର–ମଗ୍ନ ହୋଇ ଠିଆ ହୋଇଥାଏ ।

 

ସଲୀମ୍ ଉତ୍ସୁକ ହୋଇ ପଚାରିଲା–ଯାହାକୁ ଇଚ୍ଛା ତାକୁ ମନୋନୀତ କରିବାର କ୍ଷମତା । ଆମକୁ ମିଳିବ ତ ?

 

“ପୂରା କ୍ଷମତା ।”

 

“ଏହି କମିଟିର ନିଷ୍ପତ୍ତି ଚୂଡ଼ାନ୍ତ ହେବ ତ ?”

 

ସେଠଜୀ ଟିକିଏ ବିଚଳିତ ହୋଇ କହିଲେ–ମୋର ତ ଧାରଣା ସେଇଆ ।

 

“ଆପଣଙ୍କ ଧାରଣାରେ ଆମର ଯାଏଁ–ଆସେ ନାହିଁ । ଆମକୁ ଲିଖିତ ପ୍ରତିଶ୍ରୁତି ମିଳିବା ଉଚିତ ।”

 

“ଲିଖିତ ପ୍ରତିଶ୍ରୁତି ନ ମିଳେ ଯଦି ?”

 

“ତେବେ ଆମେ ସମାଧାନ ପାଇଁ ପ୍ରସ୍ତୁତ ନାହୁଁ ।”

 

“ଫଳ ହେବ, ତୁମେ ଏଠି ପଡ଼ିରହିଥିବ ଓ ପ୍ରଜାମାନଙ୍କର ସର୍ବନାଶ ହେଉଥିବ ।”

 

“ତେଣିକି ଯାହା ହେଉ ।”

 

“ତୁମର ତ ସେମିତି କିଛି ଅସୁବିଧା ନାହିଁ; କିନ୍ତୁ ଗରିବଗୁଡ଼ିକଙ୍କର କି ଅବସ୍ଥା ହେଉଛି, ଭାବି ଦେଖିଛ ତ ?”

 

“ବହୁତ ଭାବି ସାରିଛୁ ।”

 

“ଆଦୌ ଭାବି ନାହଁ ।”

 

“ଭାବିଛୁଁ ।”

 

“ଭଲ କରି ଭାବି ଦେଖ ।”

 

“ଖୁବ୍ ଭଲ କରି ଭାବି ଦେଖିଛୁ ।”

 

“ଭାବିଥିଲେ ଏପରି କହନ୍ତ ନାହିଁ ।”

 

“ଭାବିଛି ବୋଲି ଏପରି କହୁଛି ।”

 

ଅମର କଠୋର ସ୍ଵରରେ କହିଲା–ଏ ସଲୀମ୍ ! ତୁମେ କ’ଣ କରୁଛ ? ଅଯଥା ତର୍କ କାହିଁକି କରୁଛ ? ଏଥିରେ ଲାଭ ?

 

ସଲୀମ୍ ଉତ୍ତେଜିତ ହୋଇ କହିଲା–ମୁଁ ଅଯଥା ତର୍କ କରୁଛି ? ବାଃ, ଧନ୍ୟରେ ବୁଦ୍ଧି ! ସେଠଜୀ ଧନବାନ୍, ଶାସକ–ପ୍ରିୟ; ତେଣୁ ତାଙ୍କର କହିବାଟା ଅଯଥା ତର୍କ ନୁହେଁ । ମୁଁ ନିରୀହ, ବନ୍ଦୀ; ତେଣୁ ମୋ କଥାଟା ଅଯଥା ତର୍କ ।

 

“ସେଠଜୀ ହେଲେ ବୃଦ୍ଧଲୋକ ।”

 

“ଏତେକାଳେ ଶୁଣିଲି ଯେ ଅଯଥା ତର୍କ କରିବାଟା ବୃଦ୍ଧତ୍ୱର ଲକ୍ଷଣ !”

 

ଅମର ହାସ୍ୟ ସମ୍ବରଣ କରିପାରିଲା ନାହିଁ । କହିଲା–ଆରେ ଭାଇ ! ଏ କବିତ୍ଵ ନୁହେଁ ଯେ ଯାହା ମନକୁ ଆସିଲା, ବକିଯିବୁ । ଏ ସବୁ ଗୁରୁତର ବିଷୟ, ଏହା ଉପରେ ଲକ୍ଷ ଲକ୍ଷ ଲୋକଙ୍କର ଜୀବନ–ମରଣ ନିର୍ଭର କରେ । ପୂଜ୍ୟ ସେଠଜୀ ଏ ସମସ୍ୟାର ସମାଧାନ ପାଇଁ ଆମକୁ ସାହାଯ୍ୟ କରି ତାଙ୍କର ଧର୍ମ ପାଳନ କରିଛନ୍ତି । ସେଥିପାଇଁ ଆମେ ତାଙ୍କ ପାଖେ କୃତଜ୍ଞ ହେବା ଉଚିତ । ଗରିବ କୃଷକମାନଙ୍କୁ ନ୍ୟାୟ–ବିଚାର ମିଳୁ–ଏହା ବ୍ୟତୀତ ଆମର ଅନ୍ୟ ଉଦ୍ଦେଶ୍ୟ ତ ନାହିଁ । ପୁଣି ସେହି ଉଦ୍ଦେଶ୍ୟ ସାଧନପାଇଁ ଯେତେବେଳେ ଏପରି ଏକ କମିଟି ଗଢ଼ାଯାଉଛି, ଯାହାକି କୃଷକମାନଙ୍କ ପ୍ରତି ଅନ୍ୟାୟ କରିବ ବୋଲି ଆଶଙ୍କା ନାହିଁ, ସେତେବେଳେ ତାକୁ ସ୍ଵାଗତ କରିବା ଆମର ଧର୍ମ ।

 

ସେଠଜୀ ମୁଗ୍ଧ ହୋଇ କହିଲେ–କି ସୁନ୍ଦର ବିବେଚନା ! ବାଃ ! ଲାଟ୍ ସାହେବ ସ୍ଵୟଂ ତୁମର ପ୍ରଶଂସା କରୁଥିଲେ ।

 

ଜେଲ୍–ଫାଟକ ନିକଟରେ ମୋଟର–ହର୍ଣ୍ଣ୍ ଶୁଣାଗଲା । ଜେଲର୍ କହିଲେ–ଏଇ, ମହିଳାମାନଙ୍କ ପାଇଁ ଗାଡ଼ି ଆସିଗଲା । ଆସନ୍ତୁ, ଆମେମାନେ ଯିବା ଏଥର । ଦେବୀମାନେ ପ୍ରସ୍ତୁତ ହୁଅନ୍ତୁ । ଭଉଣୀମାନେ ! ମୋର ଯଦି କିଛି ଦୋଷ–ତ୍ରୁଟି ହୋଇଥାଏ, ତେବେ କ୍ଷମା କରିବେ । ଆପଣମାନଙ୍କୁ କଷ୍ଟ ଦେବା ମୋର ନୀତି ନୁହେଁ; କିନ୍ତୁ ସରକାରୀ ନିୟମ, ପାଳିବାକୁ ତ ବାଧ୍ୟ ।

 

ସମସ୍ତେ ଗୋଟିଏ ଲରିରେ ଯିବା କଥା ସ୍ଥିର ହେଲା, ଏହା ରେଣୁକା ଦେବୀଙ୍କ ଆଗ୍ରହ-। ମହିଳାମାନେ ନିଜ ନିଜର ପ୍ରସ୍ତୁତିରେ ଲାଗିଗଲେ । ଅମର ଓ ସଲୀମ୍‌ଙ୍କର ପୋଷାକ ମଧ୍ୟ ସେଇଠିକି ମଗାଇ ନିଆଗଲା । ଅଧଘଣ୍ଟା ମଧ୍ୟରେ ସମସ୍ତେ ଜେଲ୍‌ରୁ ବାହାରିଲେ ।

 

ସହସା ଆଉ ଗୋଟିଏ ମୋଟର ଗାଡ଼ି ଆସି ପହଞ୍ଚିଲା ଏବଂ ସେଥିରୁ ଲାଲା ସମରକାନ୍ତ, ହାଫିଜ୍‌ ହଲୀମ୍, ଡ: ଶାନ୍ତିକୁମାର ଓ ସ୍ଵାମୀ ଆତ୍ମାନନ୍ଦ ଓହ୍ଲାଇ ଆସିଲେ । ଅମର ଧାଇଁଯାଇ ପିତାଙ୍କ ପାଦତଳେ ପଡ଼ିଗଲା । ପିତାଙ୍କ ପ୍ରତି ଆଜି ତା’ ମନରେ ଅପାର ଶ୍ରଦ୍ଧା । ନୟନା ସେପରି ଆଖି ଛଳଛଳ କରି ତାକୁ କହୁଛି–‘ଭାଇ ! ବାପାଙ୍କୁ କଦାପି ଦୁଃଖିତ କରିବ ନାହିଁ । ତାଙ୍କ ରୀତିନୀତି ତୁମ ମନକୁ ନ ପାଇଲେବି ତୁମେ ପାଟି ଫିଟାଇବ ନାହିଁ ।’ ସେ ପିତାଙ୍କ ଚରଣକୁ ଅଶ୍ରୁରେ ପଖାଳି ଦେଲା । ସେଠଜୀ ତା’ ଉପରେ ମୁକ୍ତା–ବୃଷ୍ଟି କରୁଥାନ୍ତି ।

 

ସଲୀମ୍ ମଧ୍ୟ ପିତାଙ୍କ ବୁକୁରେ ଜଡ଼ିଗଲା । ହାଫିଜ୍‍ବାବୁ ଆଶୀର୍ବାଦ ଦେଇ କହିଲେ–ଖୁଦାଙ୍କୁ ଅଶେଷ ଧନ୍ୟବାଦ । ତୁମର ତ୍ୟାଗ ସଫଳ ହୋଇଛି । ସକୀନା କାହିଁ ? ତାକୁ ଦେଖିଲେ ମୋ ପ୍ରାଣ ଶୀତଳ ହେବ ।

 

ସକୀନା ମଥା ନୁଆଁଇ ଆସିଲା ଓ ତାଙ୍କୁ ସଲାମ କରି ଠିଆ ହେଲା । ହାଫିଜ୍‍ବାବୁ ତାକୁ ଏକ ଦୃଷ୍ଟିରେ ଚାହିଁ ସମରକାନ୍ତଙ୍କୁ କହିଲେ–ସଲୀମ୍‌ର ପସନ୍ଦ ତ ମନ୍ଦ ହୋଇ ନାହିଁହେ !

 

ସମରକାନ୍ତ ସହାସ୍ୟ ଉତ୍ତର ଦେଲେ–ରୂପ ସଙ୍ଗକୁ ଦେବୀଙ୍କର ଯୌତୁକ ହେଉଛି, ସ୍ଵାର୍ଥବଳି !

 

ଆନନ୍ଦ–ଉଲ୍ଲାସ ସମୟରେ ଲୋକ ନିଜର ଦୁଃଖ–ରାଶିକୁ ପାଶୋରି ପକାଏ । ହାଫିଜ୍‍ବାବୁଙ୍କ ପକ୍ଷରେ ସଲୀମ୍‌ର ସିଭିଲ୍ ସର୍ଭିସ୍ ତ୍ୟାଗ, ସମରକାନ୍ତଙ୍କ ପକ୍ଷରେ ନୟନାର ମୃତ୍ୟୁ ଏବଂ ସେଠ୍ ଧନୀରାମଙ୍କ ପକ୍ଷରେ ପୁତ୍ରବଧୂ–ଶୋକର ବ୍ୟଥା ସାମାନ୍ୟ ଦୁଃଖଦାୟକ ନଥିଲା; ମାତ୍ର ସେତେବେଳେ ସମସ୍ତଙ୍କ ଚିତ୍ତ ପ୍ରସନ୍ନ । କୌଣସି ଯୁଦ୍ଧରେ ବିଜୟଲାଭ କଲା ପରେ ଯୋଦ୍ଧାମାନେ ମୃତ–ବ୍ୟକ୍ତିଙ୍କ ନାମକୁ ବାହୁନନ୍ତି ନାହିଁ; ସେତେବେଳେ ତ ସମସ୍ତେ ଉତ୍ସବରେ ମାତିଯାନ୍ତି । ମଙ୍ଗଳ–ବାଦ୍ୟ ବାଜେ, ଗୀତ–ନୃତ୍ୟ–ସମାରୋହ ହୁଏ, ପାରିତୋଷିକ ବିତରଣ ହୁଏ । ଲୋକ ଶୋକ କରିବାକୁ ନିଃସଙ୍ଗ ଓ ସୁଖରେ ହସିବାକୁ ସଙ୍ଗ ଖୋଜେ ।

 

କିନ୍ତୁ ସମସ୍ତେ ଏପରି ପ୍ରସନ୍ନ ଥିଲାବେଳେ ଅମରକାନ୍ତ ଥିଲା ବିଷଣ୍ଣ, ଉଦାସୀନ ।

 

ସମସ୍ତେ ଷ୍ଟେସନ୍‌ରେ ପହଞ୍ଚିବା ପରେ ସୁଖଦା ତାକୁ ପଚାରିଲା–ତୁମେ ଏପରି ବିରସ ଦିଶୁଛ କାହିଁକି ?

 

ଅମର ନିଦରୁ ଉଠିଲା ପରି କହିଲା–ମୁଁ ! ଉଦାସ ତ ନୁହେଁ ।

 

“ଉଦାସୀନତା କ’ଣ ଲୁଚାଇଲେ ଲୁଚି ରହେ ?”

 

ଅମର ଗମ୍ଭୀର ସ୍ଵରରେ କହିଲା–ଉଦାସ ନୁହେଁ ଯେ, କେବଳ ଭାବୁଛି, ମୋ’ରି ହାତରେ ଏତେଗୁଡ଼ାଏ ଧନ–ଜୀବନ ଅକାରଣରେ ନଷ୍ଟ ହେଲା । ଏବେ ଯେଉଁ ନୀତି ଗ୍ରହଣ କରାଗଲା, ସେହି ନୀତି କ’ଣ ପ୍ରଥମରୁ ପ୍ରୟୋଗ କରାଯାଇପାରି ନଥାନ୍ତା ? ସେହି ଦାୟିତ୍ଵର ଭାର ମୋତେ ଦବାଇ ଦେଉଛି ।

 

ସୁଖଦା ଶାନ୍ତ ସୁଖଦ ସ୍ଵରରେ କହିଲା–ମୁଁ ତ ଭାବୁଛି, ଯାହା ଯାହା ହୋଇ ଯାଇଛି, ସବୁ ଭଲ ହୋଇଛି । ଶୁଭ–ଅଭିପ୍ରାୟରେ ଯେଉଁ କାର୍ଯ୍ୟ କରାଯାଏ, ତାହା ପରମାର୍ଥ । ଫଳ ଯାହା ହେଉ ପଛକେ । ଯଜ୍ଞରୁ ଅନ୍ୟ କିଛି ଫଳ ନ ମିଳିଲେ ମଧ୍ୟ ଯଜ୍ଞ କରିବାର ପୁଣ୍ୟ ମିଳିବ ତ । ମୁଁ ତ ଏପରି ସମାଧାନରୁ ବିଜୟ ବୋଲି ମନେ କରୁଛି । ଏ ବିଜୟ ଅଭୂତପୂର୍ବ । ଆମକୁ ଯେଉଁ ତ୍ୟାଗ କରିବାକୁ ପଡ଼ିଲା, ତାହା ଜନତା–ମନରେ ଅଙ୍କୁରିତ ହୋଇ ଉଠିଥିବା ଜାଗରଣ ତୁଳନାରେ ଅତି ତୁଚ୍ଛ । ତୁମେ କ’ଣ ଭାବୁଛ, ଏହି ବଳିଦାନ ବିନା ଏପରି ଜାଗରଣ ସମ୍ଭବ ହୋଇଥାନ୍ତା ? ପୁଣି ଏହି ଜାଗରଣ ବିନା କ’ଣ ଏପରି ସମାଧାନ ହୋଇ ପାରିଥାନ୍ତା ? ମୁଁ ସ୍ପଷ୍ଟ ଜାଣିପାରୁଛି, ଏହା ଈଶ୍ଵରଙ୍କ ନିର୍ଦ୍ଦେଶ !

 

ଅମର ଶ୍ରଦ୍ଧାପୂରିତ ନେତ୍ରରେ ସୁଖଦାକୁ ଚାହିଁଲା । ତାକୁ ବୋଧହେଲା, ସ୍ଵୟଂ ଈଶ୍ୱର ଏହାର ଅନ୍ତରରେ ବସି କହୁଛନ୍ତି । ତା’ର କ୍ଷୋଭ ଓ ଗ୍ଳାନି ନିଷ୍ଠାରୂପରେ ପ୍ରଜ୍ଜ୍ଵଳିତ ହୋଇ ଉଠିଲା, ଯେପରି କି ଅଗ୍ନିକଣା ସଂଯୋଗର ଆବର୍ଜନାସମୂହ ତେଜ ଓ ଆଲୋକ ପୁଞ୍ଜରେ ପରିଣତ ହୁଏ । ଏପରି ଜ୍ୟୋତିର୍ମୟୀ ଶାନ୍ତି ତାକୁ କୌଣସି କାଳରେ ମିଳି ନଥିଲା ।

 

ସେ ପ୍ରେମ ଗଦ୍‌ଗଦ୍ କଣ୍ଠରେ କହିଲା–ସୁଖଦା ! ବାସ୍ତବିକ ତୁମେ ମୋ ଜୀବନର ଦୀପ-

 

ସେହି ସମୟରେ ଲାଲା ସମରକାନ୍ତ ନାତିକୁ କାନ୍ଧରେ ବସାଇ ଆସି କହିଲେ–ଏବେ କାଶୀ ଯିବା ତ, ନା କ’ଣ ଭାବିଛ ?

 

ଅମର କହିଲା–ମୋତେ ତ ବର୍ତ୍ତମାନ ହରିଦ୍ଵାର ଯିବାକୁ ହେବ ।

 

ସୁଖଦା କହିଲା–ତେବେ ଆମେ ସମସ୍ତେ ସେଇଠିକି ଯିବା ।

 

ସମରକାନ୍ତ ଟିକିଏ ହତାଶ ହୋଇ କହିଲେ–ଆଚ୍ଛା କଥା ! ତେବେ ମୁଁ ଟିକିଏ ବଜାରରୁ ସୁନ୍ଦରୀପାଇଁ ଦିଖଣ୍ଡ ଶାଢ଼ି ନେଇ ଆସେ ।

 

ସୁଖଦା ସ୍ମିତ–ମୁଖରେ କହିଲା–ଖାଲି ସୁନ୍ଦରୀପାଇଁ କାହିଁକି ? ମୁନ୍ନୀ ଅଛନ୍ତି ଯେ ।

 

ମୁନ୍ନୀ ସେଇଆଡ଼କୁ ଆସୁଥିଲା–ନିଜର ନାମ ଶୁଣି ଜିଜ୍ଞାସୁ ଭାବରେ କହିଲା–କ’ଣ ମୋତେ କିଛି କହୁଛ କି ବୋହୂରାଣୀ !

 

ସୁଖଦା ତା’ କାନ୍ଧରେ ହାତ ପକାଇ କହିଲା–ମୁଁ କହିଲି, ଏଣିକି ମୁନ୍ନୀ ଦେବୀ ଆମ ସଙ୍ଗେ କାଶୀରେ ରହିବେ !

 

ମୁନ୍ନୀ ଚମକିଉଠି କହିଲା–ତେବେ ତୁମେମାନେ କ’ଣ କାଶୀ ଯାଉଛ ?

 

ସୁଖଦା ହସିଲା–ଆଉ ତୁମେ କ’ଣ ଭାବିଥିଲ କି ?

 

“ମୁଁ ତ ଆମ ଗାଁକୁ ଯିବି ।”

 

“ଆମ ସଙ୍ଗେ ରହିବ ନାହିଁ ?”

“ତେବେ ବାବୁ କ’ଣ କାଶୀ ଯିବେ ?”

“ଆଉ ? ତୁମର ଇଚ୍ଛା କ’ଣ ?”

ମୁନ୍ନୀର ମୁହଁ ଭାରି ହୋଇଗଲା–ମୋର ଇଚ୍ଛା ଆଉ କ’ଣ, ଏଇମିତି ପଚାରୁଥିଲି ।

ଅମର ତାକୁ ଆଶ୍ଵାସନା ଦେଲା–ନାଇଁ ମ ମୁନ୍ନୀ, ଏ ତୁମକୁ ସେମିତି ଚିଡ଼ାଉଛନ୍ତି । ଆମେ ସମସ୍ତେ ହରିଦ୍ଵାର ଯିବା ।

ମୁନ୍ନୀର ମୁହଁରେ ପ୍ରସନ୍ନତା ଫୁଟିଉଠିଲା ।

“ତାହାହେଲେ ଭାରି ମଜା ହେବ, ନାଇଁ ? ସୁନ୍ଦରୀ–ଖୁଡ଼ୀ ତ ମୂଷଳରେ ଢୋଲ ପିଟିବ-!

ଅମର ପଚାରିଲା–ଆଚ୍ଛା, ତୁମେ ଏ ସମାଧାନର ଉଦ୍ଦେଶ୍ୟ ବୁଝିଲଣି ?

“ବୁଝି ନାହିଁ କାହିଁକି ? ପାଞ୍ଚଜଣିଆ କମିଟି ଗଢ଼ାହେବ, ସେ କମିଟି ଯାହା କରିବ, ସରକାର ତାକୁ ମାନିନେବ । ତୁମେ ଆଉ ସଲୀମ୍ ସେ କମିଟିରେ ରହିବ । ୟାଠୁଁ ଭଲ ଆଉ କ’ଣ ହୋଇଥାନ୍ତା !”

“ବାକି ତିନି ଜଣଙ୍କୁ ମଧ୍ୟ ଆମେ ବାଛିବୁ ଯେ ।”

“ତାହାହେଲେ ତ ଆହୁରି ଭଲ !

“ଗଭର୍ଣ୍ଣର୍ ସାହେବଙ୍କର ସଜ୍ଜନତା ଓ ସହୃଦୟତା ଅଛି ।”

“ତେବେ ଲୋକେ ତାଙ୍କୁ ଅକାରଣରେ ଦୁର୍ନାମ ଦେଉଥିଲେ ?”

“ବିଲ୍‍କୁଲ୍ ଅକାରଣରେ ।”

“ଏତେ ଦିନ ପରେ ଆମେ ପୁଣି ଆମ ଗାଁରେ ପହଞ୍ଚିବା । ଅନ୍ୟମାନେ ତ ମୁକୁଳି ଆସିଥିବେ ?”

“ପ୍ରାୟ ଆସିଥିବେ । ଆଉ ଯେଉଁମାନେ ଆସି ନଥିବେ, ସେମାନଙ୍କ ପାଇଁ ଲେଖାଲେଖି କରିବା ।”

“ଆଚ୍ଛା ସେହି ତିନିଜଣ ଭିତରେ କିଏ କିଏ ରହିବେ ?”

“ଆଉ କେହି ରହୁ ତ ନ ରହୁ, ତୁମେ ଅବଶ୍ୟ ରହିବ ।

“ଦେଖୁଛ ଦେଖୁଛ, ବୋହୂରାଣୀ । ଏ ମୋତେ ବରାବର ଏମିତି ଚିଡ଼ାଉଥାନ୍ତି ।”

ଏତିକି କହୁ କହୁ ସେ ମୁହଁ ବୁଲାଇ ନେଲା । ଆଖିରେ ଲୁହ ଭରିଯାଇଥାଏ ।

Image